ହତାଶ ହାଜି ଅଲ୍ଲୀ!

ବିଭୁତି ପତି Bibhuti Pati
ବିଭୁତି ପତି Bibhuti Pati159 Views
18 Min Read

ହାଜି ଅଲ୍ଲୀ ଉପକୂଳ

ସକାଳ ୮ଟା । ସୂର୍ଯ୍ୟଙ୍କ ରଶ୍ମି କୋମଳ ରହିଛି । ଏପରି ଏକ ମନୋରମ ସକାଳର ପରିବେଶ ନିର୍ମାଣ କାର୍ଯ୍ୟର କର୍କଶ ଶବ୍ଦରେ ଦୋହଲି ଉଠିଲା । ବିବଦମାନ ମୁମ୍ବାଇ ଉପକୂଳ ରାସ୍ତା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁରା ଦମରେ ଆଗେଇ ଚାଲିଛି । ମୁଁ ପହଞ୍ଚିଥିଲି ହାଜି ଅଲ୍ଲୀ ଉପକୂଳରେ ।

ମୋତେ ଗାଇଡ କହିଥିଲେ, ପଥର ଉପରେ ଖୁବ୍ ସାବଧାନ ହୋଇ ଚାଲିବେ । ସେଗୁଡିକ ଖୁବ୍ ଖସଡ଼ା । ଗାଇଡ ସୂଚାଇଥିଲେ, ଅକସ୍ମାତ ଗୋଡ଼ ଖସିଗଲେ ପଥରକୁ ଧରି ରଖିବେ ନାହିଁ କି କୌଣସି ଜିନିଷକୁ ଧରିବେ ନାହିଁ । ଏହି ଉପକୂଳରେ ଏପରି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ବିଷାକ୍ତ ହୋଇପାରନ୍ତି ଅଥବା ଦଂଶନ କରିପାରନ୍ତି । ପଥର ଉପରେ ମୁଁ ମୋର ଭାରସାମ୍ୟ ରକ୍ଷା କରିବାର ସଂଘର୍ଷ କରି ଧୀରେ ଧୀରେ ସମୁଦ୍ର ଆଡକୁ ଅଗ୍ରସର ହୋଇଥିଲି ।

ଏହାପରେ ମୁଁ ହାଜି ଅଲ୍ଲୀ ଦରଘାର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚି ଯାଇଥିଲି । ଏହା ମୁମ୍ବାଇର ୱର୍ଲି ଉପକୂଳଠାରୁ ଅଳ୍ପ ଦୂରରେ ସମୁଦ୍ର ଭିତରର ଗୋଟିଏ ଛୋଟ ଟାପୁ ଉପରେ ଅବସ୍ଥିତ । ଏହି ଦରଘାଟି ଏକ ପକ୍କା ସଡ଼କ ଦ୍ୱାରା ଉପକୂଳ ସହ ସଂଯୁକ୍ତ । ଉଚ୍ଚା ଜୁଆର ଆସିବାବେଳେ ରାସ୍ତାଟି ବୁଡିଯାଏ । ଏହି ଛୋଟ ଟାପୁର ପଥୁରିଆ ଉପକୂଳରେ ବହୁ ପ୍ରଜାତିର ସାମୁଦ୍ରିକ ଉଦ୍ଭିଦ ଓ ପ୍ରାଣୀଙ୍କର ଆବାସସ୍ଥଳୀ ରହିଛି । ଜୁଆର ଭଟ୍ଟା ପାଣି ଛାଡିଯିବା ଫଳରେ ହାଜି ଅଲ୍ଲୀର ଉପକୂଳକୁ ଚମକ ଫେରିଆସେ । ବର୍ତ୍ତମାନ ଭଟ୍ଟା ପଡିଯାଇ ଥିଲା ଏବଂ ମୁଁ ସେହି ପଥରଗୁଡିକର ଖୋପ ଓ ଫାଙ୍କରେ ଲୁଚି ରହିଥିବା ସାମୁଦ୍ରିକ ଉଦ୍ଭିଦ ଓ ପ୍ରାଣୀ ସବୁକୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲି ।

ଜୁଆର ଏବଂ ଜୁଆର-ଭଟ୍ଟା ମଧ୍ୟବର୍ତ୍ତୀ ଅଞ୍ଚଳ

ମୁଁ ଭ୍ରମଣ ଆରମ୍ଭ କରିବା ପୂର୍ବରୁ ଗାଇଡ଼ ମୋତେ ପ୍ରଥମେ ଜୁଆର-ଭଟ୍ଟା, ବଡ଼ ଜୁଆର-ଭଟ୍ଟା ଏବଂ ସାନ ଜୁଆର ଭଟ୍ଟା ସମ୍ପର୍କରେ ମୌଳିକ ଧାରଣା ଦେଇଥିଲେ । ଗୋଟିଏ ଚାଲୁ ମାସରେ ଦୁଇଥର ଏହି ବଡ଼ ଜୁଆର ଏବଂ ସବୁଠାରୁ ନିମ୍ନ ଭଟ୍ଟା ସଂଘଟିତ ହୋଇଥାଏ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସରଳରେଖାରେ ଅବସ୍ଥାନ କରନ୍ତି । ଏହା ହେଉଛି ପୂର୍ଣ୍ଣମା ଓ ଅମବାସ୍ୟାର ଜୁଆର ଓ ଭଟ୍ଟା । ସେହିପରି ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ସମକୋଣରେ ଅବସ୍ଥାନ କରନ୍ତି ସେତେବେଳର ସର୍ବନିମ୍ନ ଉଚ୍ଚ ଜୁଆର ଏବଂ ସର୍ବାଧିକ ନିମ୍ନ ଜୁଆର ସୃଷ୍ଟି ହୋଇଥାଏ । ଏହା ମଧ୍ୟ ପ୍ରତ୍ୟେକ ଚନ୍ଦ୍ର ମାସରେ ଦୁଇଥର ସଂଘଟିତ ହୋଇଥାଏ ।

ଜୁଆର-ଭଟ୍ଟା ମଧ୍ୟବର୍ତ୍ତୀ ଅଞ୍ଚଳ ହେଉଛି ସାମୁଦ୍ରିକ ଉପକୂଳର ସେହି ଅଞ୍ଚଳ ଯାହାକି ଜୁଆର ସମୟରେ ପାଣିରେ ବୁଡିଯାଏ ଏବଂ ଭଟ୍ଟା ସମୟରେ ଏହା ଦୃଶ୍ୟମାନ ହୋଇଥାଏ । ଜୁଆର-ଭଟ୍ଟା ମଧ୍ୟବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସମୁଦ୍ର ପତ୍ତନଠାରୁ ଉଚ୍ଚତା ଆଧାରରେ ଏବଂ ଭଟ୍ଟାର ସୀମାଠାରୁ ଦୂରତା ଆଧାରରେ ଅନେକଗୁଡିଏ ଅଞ୍ଚଳରେ ଭାଗ କରାଯାଇଥାଏ । ହାଜି ଅଲ୍ଲୀ ଉପକୂଳକୁ ମଧ୍ୟ ଜୁଆର ପିଟି ହେଉଥିବା ଅଞ୍ଚଳ ଉଚ୍ଚ, ମଧ୍ୟ, ନିମ୍ନ ଏବଂ ଭଟ୍ଟାର ସୀମାଠାରୁ ତଳେ ଥିବା ଅଞ୍ଚଳରେ ବିଭକ୍ତ କରାଯାଇଛି । ଯେତେବେଳେ ସର୍ବନିମ୍ନ ଭଟ୍ଟା ଆସେ ସେତେବେଳେ ଯାଇ ଏହି ଭଟ୍ଟାର ସୀମାଠାରୁ ତଳେ ଥିବା ଅଞ୍ଚଳ ଦେଖାଯାଇଥାଏ । ପ୍ରତ୍ୟେକ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିସଂସ୍ଥାନ ରହିଛି । ଜୁଆର ପିଟି ହେଉଥିବା ଅଞ୍ଚଳରୁ ଭଟ୍ଟାଠାରୁ ନିମ୍ନ ଅଞ୍ଚଳକୁ ଗଲାବେଳେ ଉପକୂଳରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରାଣୀମାନଙ୍କ ପ୍ରଜାତି ଦେଖିବାକୁ ମିଳିଥାଏ ।

ହାଜି ଅଲ୍ଲୀ ଦରଘା ଉପକୂଳର ପ୍ରାଣୀ ସମ୍ଭାର

ଶାମୁକାରୁ ହିଁ ମୁଁ ହାଜି ଅଲ୍ଲୀ ଉପକୂଳର ସାମୁଦ୍ରିକ ପ୍ରାଣୀ ଦେଖିବା ଆରମ୍ଭ କଲି । ବିଶେଷଜ୍ଞମାନେ ଆମମାନଙ୍କୁ ସୂଚାଇ ଦେଲେ ଯେ ପଥରରେ ଧଳା ଧଳା ଦାଗଭଳି ଦିଶୁଥିବା ଅଞ୍ଚଳଗୁଡିକ ହେଉଛି ସେଠାରେ ସ୍ଥାୟୀ ଭାବରେ ଲାଗି ରହିଥିବା ଶାମୁକାମାନ । ମୁଁ ଶାମୁକାଗୁଡିକ କିପରି ସେହି ଗୋଟିଏ ସ୍ଥାନରେ ପ୍ରଜନନ କରନ୍ତି ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନଚକ୍ର ଶେଷ କରନ୍ତି ସେ ସମ୍ପର୍କରେ ଜାଣିବାକୁ ପାଇଲି । ମୁଁ ଏକଥା ମଧ୍ୟ ଜାଣିପାରିଲି, ଯେତେବେଳେ ଚନ୍ଦ୍ର କ୍ଷୟ ଯାଇଥାଏ ସେତେବେଳେ ଏହି ଶାମୁକାଗୁଡିକ ବଂଶ ବିସ୍ତାର କରିଥାଆନ୍ତି । ତେଣୁ ଲାର୍ଭାଗୁଡିକ ସେହି ଗୋଟିଏ ସ୍ଥାନରେ ପଥରରେ ଲାଖି ରହିଥାନ୍ତି ।

ମୋ ଗାଇଡ ଏକ ଛୋଟପ୍ରାଣୀଙ୍କୁ ଦେଖାଇ ପଚାରିଲେ, ଏଗୁଡିକ କ’ଣ ତାହା ଅନୁମାନ କରିପାରିବେ? ମୁଁ କହିଲି ‘ସି ଅର୍ଚ୍ଚନ’ । ମୋର ଉତ୍ତର ଭୁଲ୍ ଥିଲା । ସେହି ପ୍ରାଣୀଟିର ନାମ ଥିଲା ‘ସି ଏନିମୋନସ୍’ । ପୂର୍ବରୁ ଥରେ ସମୁଦ୍ର ଉପକୂଳ ପରିଭ୍ରମଣରେ ଯାଇଥିବାବେଳେ ମୁଁ ଜୁହୁ ବେଳାଭୂମିରେ ‘ସି ଏନିମୋନସ୍ ଦେଖିଥିଲି । ମାତ୍ର ସେଗୁଡିକ ବେଶ ବଡ଼ଥିଲେ । କେତେକ କାରଣଯୋଗୁଁ ମୁଁ ଜୁହୁ ବେଳାଭୂମିର ଏନିମୋନସଗୁଡିକୁ ମାନଦଣ୍ଡ ବୋଲି ଭାବି ନେଇଛି । ତେଣୁ ଏକଥା ସ୍ପଷ୍ଟ ଯେ, ହାଜି ଅଲ୍ଲୀ ଏନିମୋନସଗୁଡିକର ଆକାର ଖୁବ୍ ଝୋଟ, କିନ୍ତୁ ସେମାନଙ୍କର ସଂଖ୍ୟା ଖୁବ୍ ବେଶି । ସି ଏନିମୋନସଗୁଡିକ ଜେଲି ମାଛ ପରିବାରର । ସେମାନଙ୍କର ବିଷାକ୍ତ ଡଙ୍କ ଚୋଟରେ ମଣିଷଙ୍କ ଶରୀରରେ ଚର୍ମରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାମାନ ସୃଷ୍ଟି ହୋଇଥାଏ ।

ମୋ ଗାଇଡ ମୋତେ ପଥରରେ ପାଣି ଜମା ହୋଇଥିବା ଗୋଟିଏ ସ୍ଥାନରେ ଏକପ୍ରକାର ଜୀବକୁ ଖୋଜିବାକୁ କହିଥିଲେ । ମୁଁ ଅନେକ ପ୍ରୟାସ କରିବା ପୂର୍ବରୁ ମଧ୍ୟ କିଛି ହେଲେ ପାଇଲି ନାହିଁ । ତା’ପରେ ମୋତେ ଗାଇଡଜଣକ ଦେଖାଇଦେଲେ ଯେ, କିପରି ଗୋଟିଏ ସି ସ୍ଲଗ୍ ପଥରରେ ଗୋଟିଏ ଜୀବ ଲାଖି ରହିଛି । ଆଖିସାମ୍ନାରେ ଥିଲେ ମଧ୍ୟ ମୁଁ ତାହାକୁ ଦେଖି ପାରିନଥିଲି । ଏହା ପଥରର ରଙ୍ଗ ସହିତ ନିଜକୁ ଏପରି ଖାପଖୁଆଇ ନେଇଥିଲା ଯେ, ପଥର ଉପରେ ତାକୁ ଚିହ୍ନଟ କରିବା କଷ୍ଟକର ଥିଲା । ସି ସ୍ଲଗ୍ ପ୍ରଜାତି ପାଣି ବାହାରେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ନେଇପାରେ । ସି ସ୍ଲଗ୍ ମୋର ଉପସ୍ଥିତିକୁ ଜାଣିପାରିଥିଲା ତେଣୁ ଆସନ୍ନ ବିପଦର ଆଶଙ୍କା କରି ସେ ଶୀତ ନିଦ୍ରା (ମୃତ ପରାୟ) ଅବସ୍ଥାରେ ପଡିରହିଥିଲା । ମୁଁ ସେଠାରୁ ଚାଲିଯିବା ପରେ ଏହାର ଆଖିଗୁଡିକ ପୁଣି ଥରେ ଖୋଲିଯିବ ଏବଂ ଏହା ଚଳପ୍ରଚଳ କରିବା ଆରମ୍ଭ କରିଦେବ ବୋଲି ଗାଇଡଜଣକ କହିଲେ ।

ମୁଁ ଦେଖିଲି ନାଲି ରଙ୍ଗର ଗୋଟିଏ କଙ୍କଡ଼ା ତରବର ହୋଇ ଗୋଟଏ ପଥର ତଳେ ପଶିଗଲା । ଏଗୁଡିକୁ ଷ୍ଟୋନ କ୍ରାବ (କଙ୍କଡ଼ା) କୁହାଯାଇଥାଏ । ପଥରଗୁଡିକ ମଧ୍ୟରେ ଥିବା ଅଳ୍ପ ପାଣିରେ ଅନେକଗୁଡିଏ ଶାମୁକା ଇତଃସ୍ତତଃ ହୋଇ ପଡିଥିଲେ । ଏପରି ଶାମୁକାଗୁଡିକ ଜୀବନ୍ତ ଅଥବା ମୃତ ବୋଲି ଜାଣିବାର ଉପାୟ ସମ୍ପର୍କରେ ମୋତେ ଗାଇଡ କହିଲେ, “ଯଦି ଶାମୁକାର ଉଭୟ ଖୋଳପା ଶକ୍ତ ଭାବରେ ପରସ୍ପର ସହ ଲାଗି ରହିଛନ୍ତି, ତେବେ ଏହା ଜୀବନ୍ତ ଅଛି । ଏହାର କିଛି ସମୟ ପରେ ଗାଇଡ ମୁକ୍ତ ଭାବରେ ବିଚରଣ କରୁଥିବା କେତେକ ଶାମୁକାମାନଙ୍କୁ ଦେଖାଇଲେ । ଏହାର ଅର୍ଥ ହେଲା ଯେ, ସବୁ ଶାମୁକା ପଥର ସହ ସ୍ଥାୟୀଭାବରେ ଲାଗି ରୁହନ୍ତି ନାହିଁ” ।

ମୁଁ ଲକ୍ଷ୍ୟ କଲି, ଜଣେ ଦୁଇଜଣ ଲୋକ କିଛି ଉପରକରଣ ସାହାଯ୍ୟରେ ପଥର ରାମ୍ପୁଡୁଛନ୍ତି । ମୁଁ ଜାଣିବାକୁ ପାଇଲି, ସେମାନେ ସ୍ଥାନୀୟ ଲୋକ । ନିଜ ଖାଇବାପାଇଁ ଅଥବା ବଜାରରେ ବିକ୍ରି କରିବାପାଇଁ ସେମାନେ ଶାମୁକା ସଂଗ୍ରହ କରୁଛନ୍ତି । ଏହି ଶାମୁକା ପ୍ରଜାତିର ପ୍ରାଣୀମାନେ ପାଣିକୁ ଛାଣି ତାହାକୁ ବିଶୋଧିତ କରିଥାଆନ୍ତି । ମୁମ୍ବାଇ ଉପକୂଳର ଜଳ ଅତି ମାତ୍ରାରେ ପ୍ରଦୂଷିତ ହୋଇଥିବା କାରଣରୁ ମୁଁ ଜୁହୁ ଉପକୂଳ ଯାତ୍ରାରେ ଯାଇଥିବାବେଳେ ସେଠାରେ ଏହି ଶାମୁକା ଜାତୀୟପ୍ରାଣୀଙ୍କୁ ସମୁଦ୍ରରୁ ସଂଗ୍ରହ ନକରିବା ଏବଂ ନ ଖାଇବା ସକାଶେ ସଚେତନ ଓ ସତର୍କ କରାଇ ଦିଆଯାଇଥିଲା । ଯଦିଓ ଶାମୁକାର ସୁରକ୍ଷା ପାଇଁ ଏଭଳି ସଚେତନତା ଓ ସତର୍କ ସୂଚନା ଅତ୍ୟନ୍ତ ଆବଶ୍ୟକ ମାତ୍ର ହାଜି ଅଲ୍ଲୀ ଦରଘା ନିକଟରେ କିନ୍ତୁ ସେପରି ସଚେତନତା କରିବାର ଦେଖିବାକୁ ମିଳିନଥିଲା ।

ମୁଁ ହାଜି ଅଲ୍ଲୀ ଦରଘାଠାରୁ ଯଥେଷ୍ଟ ଦୂରକୁ ସମୁଦ୍ର ଆଡ଼କୁ ଚାଲି ଆସିଥିଲି । ମୁଁ ଏକ ବିରାଟ ପଥର ଉପରେ ଠିଆ ହୋଇଥିଲି । ଯାହାକି ସମୁଦ୍ର ମଝିରେ ଏକ ମାଳଭୂମି ପରି ଲାଗୁଥିଲା । ମୁଁ ଜାଣିଲି, ଏହାକୁ ପ୍ଲାଟଫର୍ମ ବା ମଂଚ ପଥର କୁହାଯାଏ । ଏଠାରେ ଜୁଆର ପାଣି ଜମା ହୋଇଥିବା ସ୍ଥାନଗୁଡିକରେ ସାମୁଦ୍ରିକ ପ୍ରାଣୀମାନେ ରହିଥାଆନ୍ତି । ପାଣି ଜମା ହୋଇଥିବା ଯେକୌଣସି ସ୍ଥାନ ଦେଖନ୍ତୁ, ସେଠାରେ ବସିପଡି ସାମୁଦ୍ରିକ ପ୍ରାଣୀ ଖୋଜନ୍ତୁ ବୋଲି ମୋତେ ଗାଇଡ କହିଲେ ।

ବାର୍ଣ୍ଣକଲସ୍, ହାଇଡ୍ରୋଏଡ଼ ଓ ବ୍ଲେନିଜ

ମୁଁ ଏପରି ଅନେକଗୁଡିଏ ପାଣିଜମା ହୋଇଥିବା ସ୍ଥାନରେ ରହସ୍ୟଜନକ ଭାବେ ପାଣି ଫୋଟକାମାନ ବାହାରୁଥିବା ଲକ୍ଷ୍ୟ କଲି । ଏହି ପାଣିଜମା ସ୍ଥାନଗୁଡିକରେ ବାର୍ଣ୍ଣକଲସ୍ ନାମକ ଏକପ୍ରକାରର ପ୍ରାଣୀ ଶୈବାଳ ଖାଇବା ଯୋଗୁଁ ଏପରି ପାଣି ଫୋଟକାମାନ ବାହାରିଥାଏ । ବ୍ଲେନିଜ୍ ନାମକ ଏକପ୍ରକାରର ମାଛ ଏପରି କେତେକ ପାଣି ଜମା ହୋଇଥିବା ସ୍ଥାନରେ ପହଁରୁଥିବା ଲକ୍ଷ୍ୟ କରିଥିଲି । ମୁଁ ଜାଣିବାକୁ ପାଇଲି, ବ୍ଲେନିଜ ମାଛ ହେଉଛି ମଡସ୍କିପର ପ୍ରଜାତି ମାଛ । ମଡ଼ସ୍କିପର ହେଉଛି ଏପରି ମାଛ ଯାହାର ଆଖିଗୁଡିକ ଦେହ ବାହାରକୁ ରହିଥାଏ । ଏହି ମାଛଗୁଡିକ ଉଭୟଚର ପ୍ରାଣୀ ଏବଂ ସେମାନଙ୍କ ଶରୀର ଗଠନ ପ୍ରାୟତଃ ଏଣ୍ଡୁଅ ପରି । କିନ୍ତୁ ଏମାନଙ୍କର ମାଛ ପରି ଡେଣାଥାଏ ।

ମୋ ଗାଇଡ ଏହି ବ୍ଲେନିଜ ମାଛମାନଙ୍କ ସମ୍ପର୍କରେ କେତେକ କୌତୁହଳପ୍ରଦ ସୂଚନା ଦେଇଥିଲେ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ରହୁଥିବା ଏହି ତୃଣଭୋଜି ମାଛ ପ୍ରବାଳ ପ୍ରାଚୀର ଅଞ୍ଚଳରେ ବାସ କରନ୍ତି । ବଡ଼ ଜୁଆର ଆସିବାବେଳେ ସେମାନଙ୍କର ପରଗୁଡିକ ଯୋଡ଼ିହୋଇ ଏକ ଥାଳିଆ ପରି ଆକାର ଧାରଣ କରେ । ଏହି ଥାଳିଆ ଭେକ୍ୟୁମ୍ କପ୍ ପରି ପଥରରେ ଲାଖି ରୁହନ୍ତି । ଏହିପରି ଭାବରେ ଏହି ବ୍ଲେନିଜ ମାଛଗୁଡିକ ଜୁଆର ସତ୍ତ୍ୱେ ସେମାନଙ୍କ ମୂଳ ଆବାସସ୍ଥଳୀରେ ହିଁ ରହିଥାଆନ୍ତି । ସେମାନଙ୍କର ୨୦ ଦିନ ପର୍ଯ୍ୟନ୍ତର ସ୍ମୃତି ଶକ୍ତି ରହିଛି । ଯାହା ଫଳରେ ସେମାନେ ବାସ କରୁଥିବା ଜୁଆର ଭଟ୍ଟା ଅଞ୍ଚଳର ମ୍ୟାପକୁ ମନେ ରଖିପାରନ୍ତି । ଯେତେବେଳେ ଶିକାରୀ ସେମାନେ ବାସ କରୁଥିବା ଜଳାଧାରରେ ପହଂଚି ଯାଆନ୍ତି, ସେତେବେଳେ ବ୍ଲେନିଜ୍ ଅନ୍ୟ ଗୋଟିଏ ଜଳାଧାରକୁ ଡେଇଁପଡ଼େ । ପରବର୍ତ୍ତୀ କାଳରେ ଏହି ମାଛ ତା’ର ମୂଳସ୍ଥାନକୁ ଫେରିଆସେ ।

ମୁଁ ଏଲିଜା ସି ସ୍ଲଗ୍ ମଧ୍ୟ ଦେଖିଲି । ଏମାନେ ଶୈବାଳ ଖାଇଥାଆନ୍ତି ଏବଂ ଆଲୋକ ସଂଶ୍ଳେଷଣ କରିବା ସକାଶେ ଶୈବାଳର ହରିତ କଣିକାକୁ ମଧ୍ୟ ବ୍ୟବହାର କରିପାରନ୍ତି । ମୁଁ ଜାଣିପାରିଲି ପଥର ଉପରେ ଘାସ ବା ଲୋମ ଭଳି ଆକାର ଉଦ୍ଭିଦମାନ ରହିଥାଏ । ଜୁଆର ପାଣି ଜମା ହେଉଥିବା ଗାତଗୁଡିକରେ କିଛି ଉଦ୍ଭିଦ ଉପର ତଳ ହେଉଥାଆନ୍ତି । ମୁଁ ଜାଣିବାକୁ ପାଇଲି ଏଗୁଡିକୁ ହାଇଡ୍ରୋଏଡ଼ କୁହାଯାଏ । ଏଗୁଡିକ ବିଷାକ୍ତ ମଧ୍ୟ । ମଣିଷ ଶରୀରରେ ଏହା ଲାଗିଲେ ପୋଡ଼ାଜଳା ହୋଇଥାଏ ଏବଂ ସମ୍ପୃକ୍ତ ବ୍ୟକ୍ତି ଆହତ ମଧ୍ୟ ହୋଇଥାଆନ୍ତି ।

ମୁଁ ହାଜି ଅଲ୍ଲୀ ଉପକୂଳରେ କ୍ଲାପିଂ କ୍ରାବ୍, ସୁଇମିଂ କ୍ରାବ୍ ଏବଂ ହରମିଟ୍ କ୍ରାବ ଦେଖିଲି, ମୁଁ ଜାଣିବାକୁ ପାଇଲି ହରମିଟ୍ କ୍ରାବ୍ ପ୍ରକୃତ ପକ୍ଷେ କଙ୍କଡ଼ା ନୁହେଁ । ସେମାନଙ୍କର ଶରୀର ଚିଙ୍ଗୁଡି ସଦୃଶ୍ୟ । ହରମିଟ୍ କ୍ରାବ୍ ମୃତ ଗେଣ୍ଡାମାନଙ୍କର ଖୋଳପାକୁ ନିଜର ସୁରକ୍ଷାପାଇଁ ବ୍ୟବହାର କରେ । ଅର୍ଥାତ୍ ମୃତ ଗେଣ୍ଡାର ଖୋଳପାରେ ହରମିଟ୍ କ୍ରାବ୍ ନିଜକୁ ଲୁଚାଇ ରଖେ ।

କାରସିନ୍ନାଇଜେସନ ପ୍ରକ୍ରିୟା

ହାଜି ଅଲ୍ଲୀ ଗସ୍ତ ଅବସରରେ ମୁଁ କାରସିନ୍ନାଇଜେସନ ନାମକ ଏକ ପ୍ରକ୍ରିୟା ସମ୍ପର୍କରେ ଜାଣିବାକୁ ପାଇଲି । ଏହି ପ୍ରକ୍ରିୟାରେ କ୍ରଷ୍ଟେସିଆନମାନେ ସକ୍ରିୟ ଭାବେ କଙ୍କଡ଼ାରେ ବିବର୍ତ୍ତିତ ହେବାପାଇଁ ପ୍ରୟାସ କରିଥାଆନ୍ତି । ଲକ୍ଷ ଲକ୍ଷ ବର୍ଷ ହେଲା କଙ୍କଡ଼ାମାନଙ୍କର ଗଠନ ଏବଂ ଆକାର ବେଶ ସଫଳ ବୋଲି ଏହି ପ୍ରକ୍ରିୟାରେ ପ୍ରମାଣିତ ହୋଇଛି । କ୍ରଷ୍ଟେସିଆନମାନେ ଏକଥାକୁ ଲକ୍ଷ୍ୟ କରିଛନ୍ତି ଏବଂ କଙ୍କଡ଼ା ପରି ହେବା ପ୍ରୟାସରେ ସେମାନେ କଙ୍କଡ଼ା ପରି ଆଚରଣ ପ୍ରଦର୍ଶନ କରିବାର ପ୍ରୟାସ କରନ୍ତି । ଏପରି ତଥ୍ୟ ମୋତେ ହତବାକ୍ କରି ଦେଇଥିଲା ।

ମୁଁ ଅନେକ ସମୟ ଧରି ଚାଲି ଚାଲି ସାମୁଦ୍ରିକ ଜୁଆର ନିକଟରେ ପହଞ୍ଚି ଯାଇଥିଲି । ଜୁଆରରେ ପୂର୍ଣ୍ଣ ହେଉଥିବା ଗାତଗୁଡିକରେ ଏବେ ଆଣ୍ଠୁଏ ଲେଖାଏଁ ପାଣି ହେଉଥିଲା । ସେଠାରେ ହାଲୁକା ନେଳି, ଗାଢ଼ ଗୋଲାପୀ, ଏପରି ବିଭିନ୍ନ ରଙ୍ଗର ସ୍ପଞ୍ଜ ପ୍ରଜାତିମାନ ରହିଥିଲା । ସ୍ପଞ୍ଜର ସାରା ଦେହରେ ଛୋଟ ଛୋଟ କଣାମାନ ଥିଲା । ଯାହାଦ୍ୱାରା ଏହା ନିଜ ଶରୀର ଭିତରକୁ ପାଣି ଶୋଷି ପାରିବ । ଖାଲି ଆଖିକୁ ସାରା ଶରୀରରେ ଗୋଟିଏ ମାତ୍ର କଣା ଦେଖାଯାଏ । ଏହା ମଳତ୍ୟାଗ କରିବା ସକାଶେ ବ୍ୟବହୃତ ହୁଏ । ହାଜି ଅଲ୍ଲୀର ପ୍ରଦୂଷିତ ସମୁଦ୍ର ଜଳରେ ଏପରି ଅନେକ ବହୁ ପୁରାତନ ସାମୁଦ୍ରିକ ପ୍ରାଣୀମାନେ ରହିଛନ୍ତି ଯେଉଁମାନଙ୍କର ଶରୀରର ଅଙ୍ଗପ୍ରତ୍ୟଙ୍ଗ ଯେତିକି ଆଶ୍ଚର୍ଯ୍ୟ ସେତିକି ଜଟିଳ ଅଟେ ।

ମୁଁ ପଫ ବଲ୍ ସ୍ପଞ୍ଜ (ଫୁଲର ବଲ୍ ପରି ଦିଶୁଥିବା ସ୍ପଞ୍ଜ) ଏବଂ ଗୋଟିଏ ପଥର ଉପରେ କଠିନ ପ୍ରବାଳ ମଧ୍ୟ ଦେଖିଲି । ନିକଟରେ ଉପକୂଳ ରାସ୍ତାର ନିର୍ମାଣ ସମୟର ଶବ୍ଦ ଏହି ପ୍ରବାଳଗୁଡିକ ପ୍ରତି ବିଦ୍ରୁପ କରୁଥିବା ପରି ମୋତେ ମନେ ହେଉଥିଲା । ଆଇୟୁସିଏନର ବିପଦ ପ୍ରବଣ ପ୍ରଜାତିଗୁଡିକର ତାଲିକାରେ ଏହି ପ୍ରବାଳଗୁଡିକ ଅନ୍ତର୍ଭୁକ୍ତ । ମହାବାଳ ବାଘଗୁଡିକ ପରି ସେମାନଙ୍କୁ ସୁରକ୍ଷା ମିଳିବା ଆଇନ ରହିଛି । ଅନେକ କାଗଜ କାମ ପରେ ମଧ୍ୟ ହାଜି ଅଲ୍ଲୀ ଦରଘା ନିକଟରେ ପ୍ରବାଳ ବସତିଗୁଡିକୁ ଆବଶ୍ୟକୀୟ ସୁରକ୍ଷା ମିଳିପାରି ନାହିଁ । ଉପକୂଳ ରାସ୍ତା ଏଠାକାର ଜୈବବିବିଧତାର ଏକ ବଡ଼ ଅଂଶକୁ ନଷ୍ଟ କରିସାରିଲାଣି ।

ପ୍ରତିକାରସ୍ୱରୂପ ଏଠାରେ ଥିବା ପ୍ରବାଳ ବସତିଗୁଡିକୁ ଅନ୍ୟ ଉପଯୁକ୍ତ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଛି ବୋଲି ଘୋଷଣା ହେଉଛି । କିନ୍ତୁ ମୋ ଗାଇଡ ସୂଚାଇ ଦେଲେ, ‘ସମସ୍ତ ପ୍ରବାଳ ପ୍ରଜାତିଗୁଡିକ ବିଶେଷ କରି ଜୁଆର ଭଟ୍ଟା ଅଞ୍ଚଳର ପ୍ରବାଳଗୁଡିକୁ ପୁନଃସ୍ଥାପିତ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ଏହା ଏକ ଫମ୍ପା ପ୍ରଶାସନିକ ଘୋଷଣା ।

ମୁଁ ଅନୁଭବ କଲି ସେତେବେଳକୁ ଜୁଆର ପାଇଁ ଜଳସ୍ତର ବଢ଼ିବା ଆରମ୍ଭ କରିଛି । ମୁଁ ଫେରିବାକୁ ଲାଗିଲି । ସେତେବେଳେ ମୁଁ ଶୁଣିଲି କେହି ଜଣେ ଚିକ୍ରାର କଲା ସେ କିଛି ପାଇଛି ବୋଲି । ମୁଁ ଦେଖିଲାବେଳକୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ତାରକା ମାଛ ବା ଷ୍ଟାର ଫିସ୍ । ଫଟୋ ଉଠାଇବା ପାଇଁ ମୁଁ ସେଠାକୁ ମାଡିଗଲି । ମୁଁ ଲକ୍ଷ୍ୟ କଲି ଷ୍ଟାର ଫିସ୍ ମୋ ଛାଇ ଆଡକୁ ଘୁଂଚିିବା ଆରମ୍ଭ କରିଛି । ଏହାଥିଲା ହାଜି ଅଲ୍ଲୀ ସାମୁଦ୍ରିକ ପରିବେଶ ଭ୍ରମଣର ମୋର ଶେଷ ସମୟ ।

ମୁଁ ଫେରି ଆସୁଥିଲାବେଳେ ନିରବରେ ଭାବୁଥିଲି ହାଜି ଅଲ୍ଲୀ ଉପକୂଳରେ ଲକ୍ଷାଧିକ ଲୋକ ଯେତେବେଳେ ପର୍ଯ୍ୟଟନର ଆନନ୍ଦ ନେଉଛନ୍ତି ସେତେବେଳେ କେହି ଜଣେ ହେଲେ ମଧ୍ୟ ହାଜି ଅଲ୍ଲୀର ହତାଶ ସାମୁଦ୍ରିକ ପରିବେଶ ପ୍ରତି ସାମାନ୍ୟତମ ଆବେଗ ପ୍ରକାଶ କରୁନାହାନ୍ତି । ହାଜି ଅଲ୍ଲୀ ଦରଘାକୁ ଆସୁଥିବା ପ୍ରତିଟି ଭକ୍ତ ଯେତେବେଳେ ନିଜକୁ ଧାର୍ମିକ ଭାବନା ଓ ବିଶ୍ୱାସର ଭକ୍ତିର ଆବେଗରେ ବିଭୋର ହୋଇ ନିଜକୁ ସମର୍ପିତ କରିଦେଉଛନ୍ତି ଠିକ ସେତିକିବେଳେ ପରିବେଶ ସୁରକ୍ଷାର ଧର୍ମକୁ ଖୋଲାଖୋଲି ଭାବେ ହତ୍ୟା କରିଦିଆଯାଉଛି । ଯଦି ଏପରି ସ୍ଥିତି ଲାଗି ରହେ ତେବେ ପାରିବେଶିକ ଧର୍ମର ସୁରକ୍ଷା ନହେବା ଏବଂ ପ୍ରକୃତି ପ୍ରତି ହେଉଥିବା ଅଧର୍ମ ଆଚରଣ କାରଣରୁ ହୁଏତ ହାଜି ଅଲ୍ଲୀ ଦରଘାର ପର୍ଯ୍ୟଟନ ତଥା ଧାର୍ମିକ ସୁଖ୍ୟାତି ପ୍ରତାରିତ ହୋଇଯିବ ।

ସର୍ବଧର୍ମ ସମନ୍ୱୟ ପୀଠ ହାଜି ଅଲ୍ଲୀ ଦରଘା

ହାଜି ଅଲ୍ଲୀ ଦରଘା ହେଉଛି ୧୫ଶହ ଶତାବ୍ଦୀର ଏକ ସମାଧି ଏବଂ ମସଜିଦ । ଜଣେ ସୁଫି ସନ୍ଥ ପୀର ହାଜି ଅଲ୍ଲୀ ଶାହ ବୁଖାରୀଙ୍କ ଶବକୁ ଏହି ଦରଘାରେ କବର ଦିଆଯାଇଥିଲା । ଏହାକୁ ନେଇ ଏକ ଚମତ୍କାର କିମ୍ବଦନ୍ତୀ ରହିଛି । ମୁମ୍ବାଇସ୍ଥିତ ୱର୍ଲି ଆରବ ସାଗରର ପୃଷ୍ଠଭୂମିରେ ଅବସ୍ଥିତ ଏହି ଦରଘାଟି ପାଣି ଉପରେ ଭାସୁଥିବା ଏକ ମରୀଚିକା ପରି ମନେହୁଏ । ୱର୍ଲି ଉପକୂଳରେ ଏକ ଛୋଟ ଦ୍ୱୀପ ଉପରେ ଏହା ଠିଆ ହୋଇଛି ଏବଂ ବର୍ଷସାରା ଶ୍ରଦ୍ଧାଳୁ ଏବଂ ଯାତ୍ରୀମାନଙ୍କ ଭିଡ଼ ଏଠାରେ ଲାଗିରହିଥାଏ । ସର୍ବଧର୍ମ ସମନ୍ୱୟର ଧାର୍ମିକ ମହତ୍ତ୍ୱ, କଳା ଓ ସ୍ଥାପତ୍ୟର ମନ୍ତ୍ରମୁଗ୍ଧକାରୀ ସୌନ୍ଦର୍ଯ୍ୟ ସାଙ୍ଗକୁ ଏହାର ପ୍ରାକୃତିକ ମନୋରମ ପରିବେଶ ପାଇଁ ଏହା ପ୍ରସିଦ୍ଧ ଅଟେ । ଏହି ଦରଘା ଭାବ-ଭକ୍ତି-ବିଶ୍ୱାସର ଧାର୍ମିକ ଭାବନା ଓ ପର୍ଯ୍ୟଟନ ପାଇଁ ସୁପରିଚିତ ।

ହାଜି ଅଲ୍ଲୀ ଦରଘାର ଉତ୍ପତ୍ତି ୧୪୩୧ରେ ହୋଇଥିବାବେଳେ ଏହା ସୟଦ ପୀର ହାଜି ଅଲ୍ଲୀ ଶାହ ବୁଖାରୀଙ୍କ ଇତିହାସ ସହ ଜଡ଼ିତ । ହାଜି ଅଲ୍ଲୀ ‘ବୁଖାରା’ ରାଷ୍ଟ୍ରର (ବର୍ତ୍ତମାନର ଉଜବେକିସ୍ତାନ) ଜଣେ ଧନୀ ବ୍ୟବସାୟୀ ଥିଲେ, ଯିଏ ମକ୍କା ତୀର୍ଥଯାତ୍ରାରେ ଯିବା ପୂର୍ବରୁ ନିଜର ଧନ ଏବଂ ସାଂସାରିକ ସମ୍ପତ୍ତିକୁ ପରିତ୍ୟାଗ କରିଥିଲେ । ତୀର୍ଥଯାତ୍ରା ଶେଷରେ ହାଜି ଅଲ୍ଲୀ ମୁମ୍ବାଇକୁ ଆସିଥିଲେ ଏବଂ ଜଣେ ସୁଫି ସନ୍ଥ ଭାବେ ଜୀବନ ଅତିବାହିତ କରିବାକୁ ଲାଗିଲେ ।

କିମ୍ବଦନ୍ତୀ କୁହେ ଏକଦା ହାଜି ଅଲ୍ଲୀ ସନ୍ଥଜଣକ ଜଣେ ମହିଳାଙ୍କୁ ରାସ୍ତାରେ କାନ୍ଦୁଥିବାର ଦେଖିଲେ । ଏହାର କାରଣ ପଚାରିବାରୁ ମହିଳା ଜଣକ କହିଲେ, “ମୁଁ ଘରକୁ ନେଉଥିବା ତେଲ ବୋତଲଟି ହାତରୁ ପଡ଼ି ଭାଙ୍ଗି ଯାଇଛି । ପୁଣି ତେଲ କିଣିବାକୁ ମୋ ନିକଟରେ ଅର୍ଥ ନାହିଁ ।’ ସୁଫି ସନ୍ଥ ମହିଳାଙ୍କ ଉପରେ ଦୟା କଲେ ଏବଂ ଯେଉଁ ସ୍ଥାନରେ ସେ ତେଲ ପଡିଥିଲା ସେହି ସ୍ଥାନକୁ ନିଜ ଆଙ୍ଗୁଠିରେ ଛୁଇଁ ଦେଇଥିଲେ । ସଂଗେସଂଗେ ମାଟି ଭିତରୁ ତେଲ ବାହାରିଲା ଆଉ ମହିଳାଜଣକ ନିଜ ତେଲକୁ ଏକ ପାତ୍ରରେ ଭରି ଖୁସିରେ ଘରକୁ ଚାଲିଗଲେ । ତ୍ୱରିତ ବେଗରେ ଏହି ଖବର ପ୍ରଚାର ହୋଇଥିଲା ଏବଂ ସନ୍ଥଙ୍କର ମହିମାରେ ସବୁ ଧର୍ମ ଓ ସମ୍ପ୍ରଦାୟର ସ୍ଥାନୀୟ ଜନସାଧାରଣ ଉଦ୍ଦ୍ ବୋଦ୍ଧ ହୋଇ ତାଙ୍କର ଭକ୍ତ ପାଲଟିଗଲେ ।

କିନ୍ତୁ ଏହାପରେ ସେହିଦିନ ରାତିରେ ହାଜି ଅଲ୍ଲୀ ସନ୍ଥ ଏକ ବିବ୍ରତକର ସ୍ୱପ୍ନ ଦେଖିଥିଲେ । ସ୍ୱପ୍ନରେ ସେ ଦେଖିଲେ ତାଙ୍କର ଏପରି କାର୍ଯ୍ୟ ପୃଥିବୀକୁ କ୍ଷତବିକ୍ଷତ କରିଛି । ଏହାକୁ ନେଇ ସେ ଯଥେଷ୍ଟ ଅନୁତପ୍ତ ହୋଇ ନିଜ ଭକ୍ତମାନଙ୍କୁ କହିଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି । ସବୁଠାରୁ ଲୋକପ୍ରିୟ କଥାଟି ହେଲା, ହାଜି ଅଲ୍ଲୀ ତାଙ୍କ ମୃତ୍ୟୁ ପରେ ତାଙ୍କୁ ତୁରନ୍ତ ସମାଧି ନଦେବା ପାଇଁ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ । ତାଙ୍କ କଫିନକୁ ସମୁଦ୍ରରେ ଫିଙ୍ଗିଦେବାକୁ ସେ କହିଥିଲେ ଏବଂ ପରେ ଯେଉଁ ସ୍ଥାନରେ କଫିନଟି ମିଳିବ ସେହି ସ୍ଥାନରେ ସମାଧି ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ତାଙ୍କ ଅନୁଗାମୀମାନେ ତାଙ୍କର ନିର୍ଦ୍ଦେଶ ଅନୁସାରେ କାମ କଲେ ଏବଂ ତାଙ୍କ କଫିନ ୱର୍ଲିସ୍ଥିତ ସମୁଦ୍ର ଉପକୂଳର ଏକ ଛୋଟ ଦ୍ୱୀପ ଉପରେ ଆସି ଲାଗିଥିଲା । ପରେ ସେହି ସ୍ଥାନରେ ଏକ ଦରଘା ଏବଂ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା । ଏହା ପରେ ବର୍ଷ ବର୍ଷ ଧରି ଏହି ସମାଧି ଏକ ଲୋକପ୍ରିୟ ସର୍ବଧର୍ମ ତୀର୍ଥସ୍ଥଳରେ ପରିଣତ ହୋଇଥିଲା ଯେଉଁଠାରେ ସବୁ ସମ୍ପ୍ରଦାୟର ଭକ୍ତମାନେ ଆଶୀର୍ବାଦ ପାଇବା ପାଇଁ ଆସିଥାନ୍ତି ।

ବିଂଶ ଶତାବ୍ଦୀରେ ଏହି ଦରଘାକୁ ବ୍ୟାପକ ଭାବରେ ନବୀକରଣ କରାଯାଇଥିଲା ଏବଂ ଅନେକ ନୂତନ ନିର୍ମାଣ କାର୍ଯ୍ୟ ଯୋଗ କରାଯାଇ ଥିଲା । ନଭେମ୍ବର ୨୦୧୬ ପରଠାରୁ ମହିଳାମାନଙ୍କୁ ଏହି ଦରଘାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା, ଯାହା ପୂର୍ବରୁ ନିଷେଧ ଥିଲା । ଏହି ପ୍ରାଚୀନ ହାଜି ଅଲ୍ଲୀ ଦରଘା ‘ଇଣ୍ଡୋ-ଇସଲାମିକ’ ସ୍ଥାପତ୍ୟ ଶୈଳୀର ଏକ ଉଜ୍ଜ୍ୱଳ ଉଦାହରଣ । ଆରବ ସାଗର ମୁଖ୍ୟ ଉପକୂଳଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଦ୍ୱୀପପୁଞ୍ଜରେ ଏହି ଦରଘା ଅବସ୍ଥିତ । ଏହାକୁ ସଂଯୋଗ କରୁଥିବା ରାସ୍ତାଟି ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସମୟରେ ସମ୍ପୂର୍ଣ ବୁଡ଼ିଯାଇଥାଏ । ଦରଘାର ବିସ୍ତାରିତ ମୁଖ୍ୟ ଗୃହ ୪୫୦୦ ବର୍ଗ ମିଟର ଏବଂ ଏହାର ଉଚ୍ଚତା ୮୫ ଫୁଟ । ଏହାର ମଧ୍ୟଭାଗ ଓ ପ୍ରାଙ୍ଗଣ ଶୁଦ୍ଧ ଧଳା ମାର୍ବଲରେ ନିର୍ମିତ । ହାଜି ଅଲ୍ଲୀ ଦରଘାର ଏକ ମୁଖ୍ୟ ଆକର୍ଷଣ ହେଉଛି ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ହେଉଥିବା ସୁଫି ସଙ୍ଗୀତ କୱାଲୀ ଭକ୍ତି ଗୀତ । ହାଜି ଅଲ୍ଲୀ ଦରଘା ଶୁକ୍ରବାର ସନ୍ଧ୍ୟା ପ୍ରତିଟି ଭକ୍ତମାନଙ୍କ ପାଇଁ ଏକ ସ୍ୱର୍ଗୀୟ ଶାନ୍ତିର ଅନୁଭବ ଆଣି ଦେବା ସହିତ ଆଧ୍ୟାତ୍ମିକତାର ମାର୍ଗ ସୃଷ୍ଟି କରିଥାଏ । ଏହି ଦରଘା ପରିଦର୍ଶନ କରିବାବେଳେ ଶୁକ୍ରବାର ସନ୍ଧ୍ୟାର କୱାଲୀ ନଦେଖିଲେ ଏବଂ ନଶୁଣିଲେ ଏହି ଦରଘା ପରିଦର୍ଶନ ଅଧୁରା ରହିଯିବ । ଭକ୍ତ ଓ ପର୍ଯ୍ୟଟକମାନେ ସପ୍ତାହର ସମସ୍ତ ଦିନରେ ହାଜି ଅଲ୍ଲୀ ଦରଘା ପରିଦର୍ଶନ କରିପାରିବେ କିନ୍ତୁ ଗୁରୁବାର ଏବଂ ଶୁକ୍ରବାର ଦିନ ଏଠାରେ ବିଶେଷ ଭିଡ଼ ହୋଇଥାଏ । ସନ୍ଧ୍ୟା ସମୟରେ ଯେତେବେଳେ ସମୁଦ୍ରକୁ ଅନ୍ଧକାର ଘେରିଯାଏ, ସେତେବେଳେ ହାଜି ଅଲ୍ଲୀ ଦରଘାର ଆଲୋକିତ ଦୃଶ୍ୟ ଦେଖିଲେ ଲାଗିବ ସତେଯେପରି ଆରବ ସାଗର ଉପରେ କୌଣସି ସ୍ୱପ୍ନପୂରୀର ଏକ ମାୟା ମହଲ ମୁଣ୍ଡ ଟେକି ଛିଡ଼ାହୋଇଛି । ପ୍ରତିବର୍ଷ ଏଠାରେ ସୁଫି ସନ୍ଥ ହାଜି ଅଲ୍ଲୀଙ୍କ ମୃତ୍ୟୁବାର୍ଷିକୀ ଅତ୍ୟନ୍ତ ଭାବଭକ୍ତିରେ ପାଳନ କରାଯାଏ । ସବୁ ଜାତି, ଧର୍ମ ଓ ବର୍ଣ୍ଣର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏଠାକୁ ଆସି ନିଜର ମନସ୍କାମନା ପୂରଣ କରିବାକୁ ଅଗାଧ ବିଶ୍ୱାସରେ ପୂଜାର୍ଚ୍ଚନା କରି ସନ୍ଥ ହାଜି ଅଲ୍ଲୀଙ୍କ ଆଶୀର୍ବାଦ ଓ କରୁଣା ଲାଭ କରିବାକୁ ପ୍ରାର୍ଥନା କରିଥାନ୍ତି ।

ସର୍ବଧର୍ମ ସମନ୍ୱୟର ଏହି ପବିତ୍ର ପୀଠର ସାମୁଦ୍ରିକ ପରିବେଶ ଦିନକୁ ଦିନ ବିପନ୍ନ ହୋଇଚାଲିଛି । ଏଥିପାଇଁ ପରିବେଶବିତ୍ମାନେ ଉଦବେଗ ପ୍ରକଟ କରି ଏହାର ସୁରକ୍ଷା ପାଇଁ ସତର୍କ ସୂଚନା ଜାରି କଲେଣି ମାତ୍ର ଏଥିପ୍ରତି ଆନ୍ତରିକତାର ସହିତ କାର୍ଯ୍ୟକ୍ରମ ପରିଚାଳନା କରିବାକୁ କେହି ସଚେତନ ହେଉନାହାଁନ୍ତି ।

Comments

0 comments

Share This Article