ଗୃହମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ କୁହନ୍ତି୧, “ମୁଁ ଏହା ଖୁସିର ସହିତ ସ୍ପଷ୍ଟ କରିଦିଏ ଯେ ପ୍ରଥମ ଥର ପାଇଁ ନୂତନ ଆଇନରେ ‘ଭିଡ଼ ଦ୍ୱାରା ହତ୍ୟା’ (Mob Lynching ) ପରିଭାଷିତ ହୋଇଛି ।” ଏହା ସହିତ ଏକ ରାଜନୈତିକ କଟାକ୍ଷ କରି ଅମିତ ଶାହା କହୁଥିଲେ, “ଆଜି ପର୍ଯ୍ୟନ୍ତ ତଥା କଥିତ ଧର୍ମନିରପେକ୍ଷ କଂଗ୍ରେସ ସରକାର ‘ଭିଡ଼ ଦ୍ୱାରା ହତ୍ୟା’ (Mob Lynching ) ଉପରେ କୌଣସି ଆଇନ କରିପାରି ନ ଥିଲା । ଆମେ ଏକ ବିଶେଷ ବିଭାଗ (special sections) ଏହା ଉପରେ କରିଛୁ, ସାତବର୍ଷ କାରାବାସର ଦଣ୍ଡ, ଯାହା ଦଶ ବର୍ଷ ହେବ ଯଦି କେହି ଭିଡ଼ ଦ୍ୱାରା ଆଘାତରେ ସ୍ଥାୟୀଭାବେ ଅପଙ୍ଗ ହୋଇଯାଏ । ଆମେ ମଧ୍ୟ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରିଛୁ ।” କଂଗ୍ରେସ ସରକାର କରି ନ ଥିଲା, ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିଥିବା ସରକାର କଲା, କିନ୍ତୁ ଏହା ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହେଲା, ତାହା ଉଲ୍ଲେଖ ନକଲେ ପ୍ରସଙ୍ଗ ଅସମ୍ପୂର୍ଣ୍ଣ ରହିବ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସାମାଜିକ କର୍ମୀ ତହସିନ ପୁନାୱାଲା ୨୦୧୬ ମସିହାରେ ଏକ ରିଟ ଆବେଦନ, ସମ୍ବିଧାନର ଧାରା ୩୨ ଅନୁସାରେ, ସୁପ୍ରିମକୋର୍ଟରେ ଦାଏର କରିଥିଲେ । ତାଙ୍କର ଅନୁରୋଧ ଥିଲା ଯେ ହିଂସା କରୁଥିବା ଗୋରକ୍ଷକ ଗୋଷ୍ଠୀଗୁଡିକ ବିରୁଦ୍ଧରେ ସରକାର ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଉ, ଏବଂ ସାମାଜିକ ମାଧ୍ୟମରେ ଏହି ଗୋଷ୍ଠୀଗୁଡିକ ଉପସ୍ଥାପିତ କରୁଥିବା ହିଂସାତ୍ମକ ବିଷୟବସ୍ତୁର ଅପସାରଣ ପାଇଁ ନିର୍ଦ୍ଦେଶ ଦିଆଯାଉ । ମାନ୍ୟବର ବିଚାରପତି ଦୀପକ ମିଶ୍ର, ଏ ଏମ୍ ଖାନୱିଲକର ଓ ଡି ୱାଇ ଚନ୍ଦ୍ରଚୁଡଙ୍କ ପୀଠ ଏହି ଆବେଦନର ଶୁଣାଣୀ କରି ଭିଡ଼ ଦ୍ୱାରା ହିଂସା ବିରୋଧରେ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଓ ବହୁ ଉପାଦେୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇ ଶେଷରେ, ୪୩ ଅନୁଚ୍ଛେଦରେ ଲେଖିଥିଲେ୨, “ଏହା ପୂର୍ବରୁ ଆମେ ଦେଇଥିବା ନିର୍ଦ୍ଦେଶ ବ୍ୟତୀତ, ଏବଂ ଯାହା ଆମେ କହିଛୁ, ଆମେ ଏହା ଉଚିତ ମନେ କରୁଛୁ ବିଧାୟିକାକୁ, ଅର୍ଥାତ୍ ସଂସଦକୁ, ସୁପାରିଶ କରିବାକୁ ଯେ ଲିଂଚିଂ (lynching) କୁ ଏକ ଭିନ୍ନ ଅପରାଧ ଭାବେ ସ୍ୱୀକୃତି ଦିଆଯାଉ, ଏବଂ ଏହା ପାଇଁ ଯଥେଷ୍ଟ ଦଣ୍ଡର ବ୍ୟବସ୍ଥା କରାଯାଉ । ଆମେ ଏହା କହିଛୁ କାରଣ ଏଥିପାଇଁ ଏକ ବିଶେଷ ଆଇନ, ସେମାନଙ୍କ ଭିତରେ ଆଇନ ପ୍ରତି ଭୟ ଜାଗ୍ରତ କରାଇବ ଯେଉଁମାନେ ଏପରି କାର୍ଯ୍ୟରେ ସାମିଲ ହେବେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଇନ ପ୍ରତି ଭୟ ଏବଂ ଆଇନର ପ୍ରଭୂତ୍ୱ ପ୍ରତି ସମ୍ମାନ ଏକ ସଭ୍ୟ ସମାଜର ଭିତ୍ତି ପ୍ରସ୍ତୁତ କରି ଥାଏ ।” ଏହି ରାୟ ପ୍ରକାଶ ପାଇଥିଲା ୧୭ ଜୁଲାଇ ୨୦୧୮ । ଏହାର ପର ଦିନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ରାଜ୍ୟସଭାରେ ଏକ ବୟାନ ଦେଇ କହିଥିଲେ ଯେ ରାଜ୍ୟ ସରକାରମାନେ ଏପରି ଅପରାଧକୁ ପ୍ରଚଳନରେ ଥିବା ଆଇନଦ୍ୱାରା ମୁକାବିଲା କରି ପାରିବେ୩ । ସୁପ୍ରିମକୋର୍ଟର ଏପରି ରାୟକୁ ଏକ ଶକ୍ତିଶାଳୀ ରାୟ ବୋଲି କହିଥିଲେ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ଶ୍ରୀମତୀ ବୃନ୍ଦା ଗ୍ରୋଭର ଓ ଏହାର ମୁଖ୍ୟ ଅଂଶଗୁଡିକର ବିଭିନ୍ନ ପ୍ରାଦେଶିକ ଭାଷାରେ ଅନୁବାଦ ହୋଇ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଉଚିତ ବୋଲି ପରାମର୍ଶ ଦେଇଥିଲେ୩ । କିନ୍ତୁ ତାଙ୍କର ମଧ୍ୟ ଯୁକ୍ତି ଥିଲା ଯେ ହତ୍ୟା ଏବଂ ବେଆଇନ ସମାବେଶ (murder and unlawful assembly) ବିରୋଧରେ ଥିବା ଆଇନ, ଭିଡ଼ ହତ୍ୟାର ଅନୁସନ୍ଧାନ ପାଇଁ, ମକଦ୍ଦମା କରିବା ପାଇଁ ଓ ଦଣ୍ଡ ଦେବା ପାଇଁ ଯଥେଷ୍ଟ । ଏହା ଏକ ବେଆଇନ ସମାବେଶ ଯାହା ହତ୍ୟାର ଉଦ୍ୟମ କରିଥାଏ । ଅପରାଧ ପାଇଁ ସାଧାରଣ ଅଭିପ୍ରାୟ, ସାଧାରଣ ଉଦେଶ୍ୟ, ପ୍ରରୋଚନା, ଉତ୍ତେଜନା ଏବଂ ଜାଣିଶୁଣି ଦଙ୍ଗା ଉସକାଇବା ବିରୋଧରେ ଆଇନ ରହିଛି । ଶ୍ରୀମତୀ ବୃନ୍ଦା ଗ୍ରୋଭରଙ୍କ ମତରେ ସମସ୍ୟା ଆଇନର ଅଭାବ ନୁହେଁ, ସମସ୍ୟା ହେଉଛି ଆଇନର ପ୍ରୟୋଗ କିପରି ହେଉଛି – “କିଏ ଅପରାଧର ଅନୁସନ୍ଧାନ କରୁଛି? କିପରି ଆମେ ଦଣ୍ଡ ନିଶ୍ଚିତ କରିପାରିବୁ?” ସେ ଆହୁରି କୁହନ୍ତି୩, “ଏକ ସଂସ୍ଥାଗତ ସଙ୍କଟ ମଝିରେ ଆମେ ଅଛୁ , କାରଣ ହେଉଛି ସଂସ୍ଥାଗତ ପକ୍ଷପାତ (institutional bias) ।” ଏବଂ “ପରିସ୍ଥିତି ବେଶ ଗମ୍ଭୀର ।” ବୃନ୍ଦା ଗ୍ରୋଭରଙ୍କ ଅଭିଯୋଗ ଯେ୩ “ଅନୁସନ୍ଧାନରେ ଦେଖାଯାଉଛି ମୁସଲମାନବିରୋଧୀ ପ୍ରବଣତା ।” ବୃନ୍ଦା ଗ୍ରୋଭରଙ୍କ ପରି ମାନବାଧିକାର କର୍ମୀ ଓ ବରିଷ୍ଠ ଅଧିବକ୍ତା କଲିନ ଗନସାଲଭେ ଓ ପ୍ରଶାନ୍ତ ଭୂଷଣ ମଧ୍ୟ ଆଇନର ଅଭାବ ନୁହଁ ବରଂ ଏହାର ପ୍ରୟୋଗରେ ଦୁର୍ବଳତା ପ୍ରତି ଅଂଗୁଳି ନିର୍ଦ୍ଦେଶ କରନ୍ତି ।” ଶ୍ରୀମତୀ ବୃନ୍ଦା ଗ୍ରୋଭର ଦଣ୍ଡ ସଂହିତା ୧୮୬୦ର ଧାରାଗୁଡିକର ପ୍ରୟୋଗ କରି ଇତ୍ୟବସରରେ ଏକ ଭିଡ଼ ହତ୍ୟା ମାମଲା (Hapur lynching) ରେ ସଫଳ ହୋଈଛନ୍ତି୪ା ଜୁନ ୧୮, ୨୦୧୮ ଦିନ ଉତ୍ତରପ୍ରଦେଶର ହାପୁର ଅଂଚଳରେ ଗୋଟିଏ ଭିଡ କାସିମ ନାମକ ଏକ ଛେଳି ବେପାରୀକୁ, ଏକ ମିଥ୍ୟା ଗୁଜବ କରି, ଗୋହତ୍ୟା ଅଭିଯୋଗରେ ହତ୍ୟା କରିଦେଇଥିଲେ । ଏପରି ହତ୍ୟା ଅପରାଧରେ ୧୦ ଜଣଙ୍କୁ ଆଜୀବନ କାରାବାସର ଦଣ୍ଡ ଶୁଣାଇଥିଲେ, ଅତିରିକ୍ତ ଦୌରା ଜଜ୍ (Additional Sessions Judge) ଶ୍ୱେତା ଦୀକ୍ଷିତ,୧୨ ମାର୍ଚ୍ଚ ୨୦୧୨୪ ଦିନ; ସେମାନଙ୍କୁ ଦଣ୍ଡ ସଂହିତା ୧୮୬୦ର ଧାରା ୩୦୨ ଅନୁସାରେ ହତ୍ୟା ଅପରାଧରେ, ଧାରା ୩୦୭ ଅନୁସାରେ ହତ୍ୟା ଉଦ୍ୟମ ଅପରାଧରେ, ଧାରା ୧୫୩ -ଏ ଅନୁସାରେ ଧର୍ମୀୟ ବିଦ୍ୱେଷକୁ ପ୍ରୋତ୍ସାହିତ କରିବା ଅପରାଧରେ, ଧାରା ୧୪୭ ଓ ୧୪୯ ଅନୁସାରେ ଦଙ୍ଗା କରିବା ଅପରାଧରେ ଏବଂ ଧାରା ୧୪୮ ଅନୁସାରେ ଆପରାଧିକ ଧମକ ଦେବା ଅପରାଧରେ ଦୋଷୀ ପାଇଥିଲେ । ଏବଂ ପ୍ରତ୍ୟେକ ଦୋଷୀଙ୍କ ଉପରେ ୫୮୦୦୦ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲେ । ଏଠାରେ ସ୍ମରଣ କରାଯାଇପାରେ ଦଣ୍ଡ ସଂହିତା ୧୮୬୦ର ଧାରା ୩୪:“ଯେତେବେଳେ ଅନେକ (several) ବ୍ୟକ୍ତି ମିଶି ଏକ ସମାନ ଉଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଅପରାଧିକ କାର୍ଯ୍ୟ କରନ୍ତି, ସେତେବେଳେ ଏଥିରେ ସାମିଲ ପ୍ରତ୍ୟେକ ବ୍ୟକ୍ତି ସେପରି ଦାୟୀ ହେବେ, ଯେପରି ଏହି କାର୍ଯ୍ୟ ସେ ନିଜେ ଏକାକୀ କରିଛନ୍ତି ।” ଅର୍ଥାତ୍ ଉଦାହରଣସ୍ୱରୂପ, ବ୍ୟକ୍ତିଙ୍କର ଯଦି ଗୋଟିଏ ସମୂହ କାହାରି ହତ୍ୟା କରିଥାଏ, ତାହାହେଲେ ଏହି ସମୂହରେ ସାମିଲ ପ୍ରତ୍ୟେକ ବ୍ୟକ୍ତି ହତ୍ୟା ଅପରାଧରେ ଦୋଷୀ ବୋଲି ଧରାଯିବେ । ଦଣ୍ଡ ସଂହିତାର ଏହି ଧାରା ନ୍ୟାୟ ସଂହିତା ୨୦୨୩ର ଧାରା ୩ ଉପଧାରା ୫ରେ ଅବିକଳ ଏହି ଭାଷାରେ ହିଁ ସ୍ଥାନ ପାଇଛି ।
ପ୍ରାଦେଶିକ ସ୍ତରରେ ଉଦ୍ୟମ
ସୁପ୍ରିମକୋର୍ଟର ୧୭ ଜୁଲାଇ ୨୦୧୮ ରାୟ ପରେ ପରେ ରାୟର ଅନୁଚ୍ଛେଦ ୪୦ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଅନ୍ତର୍ଭୁକ୍ତ କରି ପ୍ରାଦେଶିକ ସ୍ତରରେ ଭିଡ଼ଦ୍ୱାରା ହତ୍ୟା ଓ ହିଂସା ବିରୋଧରେ ଆଇନ କରିବାର ଉଦ୍ୟମ ଆରମ୍ଭ ହୋଇଥିଲା । ନଭେମ୍ବର ୧୯, ୨୦୧୮ରେ ମଣିପୁର ରାଜ୍ୟରେ ଏକ ଅଧ୍ୟାଦେଶ The Manipur Protection From Mob Violence Ordinance, ୨୦୧୮ ଆସିଥିଲା । ୨୬ ଅଗଷ୍ଟ ୨୦୧୯ ଦିନ ପ୍ରକାଶ ପାଇଥିଲା ପଶ୍ଚିମବଙ୍ଗରେ, The West Bengal (Prevention of Lynching) Bill of ୨୦୧୯, ରାଜସ୍ଥାନରେ ଆସିଥିଲା THE RAJASTHAN PROTECTION FROM LYNCHING BILL, 2019 ଓ ଝାଡଖଣ୍ଡରେ ପ୍ରକାଶ ପାଇଥିଲା Jharkhand (Prevention of Violence and Mob Lynching) Bill of 2021 । କିନ୍ତୁ ଏ ଗୁଡିକ ବିଭିନ୍ନ କାରଣରୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ୫ । ଝାଡଖଣ୍ଡରେ ରାଜ୍ୟପାଳ ମହୋଦୟ ଫେରାଇଦେଲେ ବିଲକୁ୬; ଝାଡଖଣ୍ଡ ବିଲରେ ଭିଡ (mob)ର ଦିଆଯାଇଥିବା ପରିଭାଷାକୁ ପ୍ରଶ୍ନ କରୁଥିଲେ ରାଜ୍ୟପାଳ ମହୋଦୟ । ତାଙ୍କର ମତ ଥିଲା ଦୁଇ ବା ତତୋଧିକ ବ୍ୟକ୍ତିଙ୍କର ଗୋଟିଏ ଗୋଷ୍ଠୀକୁ ଭିଡ଼ର ଆଖ୍ୟା ଦିଆଯାଇ ନପାରେ । ତାଙ୍କ ଦୃଷ୍ଟିରେ ଭିଡ ହେଉଛି ଏକ ବିଶାଳ କ୍ରୋଧୀ, ଉତ୍ସୃଙ୍ଖଳ ଜନତାଙ୍କ ସମୂହ ଯେଉଁମାନେ ପ୍ରାୟଃ ଅନିୟନ୍ତ୍ରିତ ବା ହିଂସ୍ର ।
ଏହି ପ୍ରାଦେଶିକ ଆଇନଗୁଡିକ ଗୃହୀତ ହୋଇ ଯାଇ ଯଦି ପ୍ରଚଳନରେ ଆସିଥାନ୍ତା ତାହାଲେ କେନ୍ଦ୍ରୀୟ ନ୍ୟାୟ ସଂହିତା ୨୦୨୩ର ଘୋଷଣା ହେବା ପୂର୍ବରୁ ଏହି ପ୍ରାଦେଶିକ ଆଇନଗୁଡିକ ଭିଡ଼ ଦ୍ୱାରା ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା କରିବାରେ ପ୍ରଥମ ଆଇନ ହୋଇଥାନ୍ତେ, ଅର୍ଥାତ୍ ନ୍ୟାୟ ସଂହିତା ୨୦୨୩ ଦ୍ୱାରା ପ୍ରଥମ ଥର ପାଇଁ ଭିଡ ଦ୍ୱାରା ଅପରାଧ ପରିଭାଷିତ ହେଲା ବୋଲି ଗୃହମନ୍ତ୍ରୀ ମହୋଦୟଙ୍କର ଦୃଢ଼ୋକ୍ତି ଶୁଣିବାର ସୁଯୋଗ ଆମେ ଭାରତୀୟ ପାଇନଥାନ୍ତେ । ପ୍ରାସଙ୍ଗିକ ହେବ ଉଲ୍ଲେଖ କରିବା ଯେ ପ୍ରାଦେଶିକ ଆଇନଗୁଡିକ ମଧ୍ୟରୁ ଏହି ଆଇନଗୁଡିକ ଯେଉଁ ଚାରୋଟି ପ୍ରଦେଶର ବିଧାନସଭା ଦ୍ୱାରା ପାରିତ ହୋଇଥିଲା ତାଙ୍କ ମଧ୍ୟରେ ତିନୋଟି, ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡରେ ଅଣ ବିଜେପି ସରକାର ହିଁ କ୍ଷମତାରେ ଥିଲେ, କେବଳ ମଣିପୁରରେ ହିଁ ଥିଲା ବିଜେପି ସରକାର ଓ ମଣିପୁର ସରକାର ହିଁ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଆନୁ୍ୟାୟୀ ପ୍ରଥମେ ଏପରି ଆଇନ କରିଥିଲେ ।
ଭିଡର ପରିଭାଷା
ଯଦିଓ ଝାଡ଼ଖଣ୍ଡ ଆଇନରେ ଭିଡ଼(mob)ର ପରିଭାଷାକୁ ରାଜ୍ୟପାଳ ମହୋଦୟ ପ୍ରଶ୍ନ କରି ବିଲଟିକୁ ଫେରାଇ ଦେଇଥିଲେ କାରଣ ଦୁଇ ବା ତତୋଧିକ ବ୍ୟକ୍ତିଙ୍କର ଗୋଟିଏ ଗୋଷ୍ଠୀକୁ ଭିଡ଼ର ଆଖ୍ୟା ଦିଆଯାଇ ନପାରେ ବୋଲି ତାଙ୍କର ମତ ଥିଲା, ଏବଂ ତାଙ୍କ ଦୃଷ୍ଟିରେ ଭିଡ଼ ହେଉଛି ଏକ ବିଶାଳ କ୍ରୋଧୀ, ଉତ୍ସୃଙ୍ଖଳ ଜନତାର ସମୂହ ଯେଉଁମାନେ ପ୍ରାୟଃ ଅନିୟନ୍ତ୍ରିତ ବା ହିଂସ୍ର (A mob is large, angry and disorderly crowd of people who are often uncontrollable or violent), ସେତେବେଳେ ଅନ୍ୟ ତିନୋଟି ପ୍ରାଦେଶିକ ଆଇନରେ ଭିଡ଼ର ପରିଭାଷା ଥିଲା ଦୁଇ ବା ତତୋଧିକ ବ୍ୟକ୍ତିଙ୍କର ସମୂହ, ଅବଶ୍ୟ ମଣିପୁର ଆଇନରେ ଥିଲା ଯେ ଏହି ଦୁଇ ବା ତତୋଧିକ ବ୍ୟକ୍ତି ସମୂହ ଏକାଠି ହୋଇଥିବେ ଲିଂଚିଂ କରିବାର ସମାନ ଉଦ୍ଦେଶ୍ୟ ନେଇ । ଅବଶ୍ୟ ଏ ସମସ୍ତ ଆଇନରେ ଲିଂଚିଂ ପରିଭାଷିତ ହୋଇଥିଲା ପ୍ରାୟଃ ସମାନ ଭାଷାରେ । କିନ୍ତୁ ଏହା ଏକ ବିଡମ୍ବନା ଯେ ଯଦିଓ ଦାବି କରାଯାଉଛି ଯେ ନ୍ୟାୟ ସଂହିତା ୨୦୨୩ ଭିଡ (mob) ଦ୍ୱାରା ହିଂସା ବା ଲିଂଚିଂ(lynching) ବିରୋଧରେ ପ୍ରଥମ ଆଇନ, ବାସ୍ତବିକତା ହେଉଛି ଯେ ଏହାର ପରିଭାଷା ଖଣ୍ଡରେ (ଧାରା ୨) ନା ଭିଡ (mob) ପରିଭାଷିତ ହୋଇଛି ନା ଲିଂଚିଂ (lynching) ।
ଲିଂଚିଂର ପୂର୍ବାପର
ଭିଡ଼ ଦ୍ୱାରା ଅପରାଧ ଏପରିକି ହତ୍ୟା, ଭାରତରେ ନୂଆ ନୁହେଁ । ୧୯୯୪ ଡିସେମ୍ବର ମାସରେ ବିହାର ପ୍ରଦେଶର ଗୋପାଳଗଂଜ ଜିଲ୍ଲାର ମାଜିଷ୍ଟ୍ରେଟ ଜି କ୍ରିଷ୍ନେୟାଙ୍କୁ ମୁଜାଫରପୁରରେ କିଛି ରାଜନୈତିକ ବ୍ୟକ୍ତିଙ୍କ ନେତୃତ୍ୱରେ ଏକ ଭିଡ କ୍ରିଷ୍ନେୟାଙ୍କୁ ତାଙ୍କ ଗାଡି ଭିତରୁ ଟାଣି ହତ୍ୟା କରିବା ୭ ବା ୨୯ ସେପ୍ଟେମ୍ବର ୨୦୦୬ରେ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଖୈରାଲାଂଜି ଗ୍ରାମରେ ଗୋଟିଏ ଦଳିତ ପରିବାରର ୪ଜଣଙ୍କୁ ଏକ ଭିଡ ହତ୍ୟା କରିବା୮ ବେଶ ଚର୍ଚ୍ଚିତ ଉଦାହାରଣ ।
କିନ୍ତୁ ଭାରତରେ ଲିଂଚିଂ ଶବ୍ଦ ସହ ପରିଚୟ ୨୮ ସେପ୍ଟେମ୍ବର ୨୦୧୫ରେ ଉତ୍ତରପ୍ରଦେଶର ଦାଦ୍ରୀଠାରେ ମହମ୍ମଦ ଅଖଲାକ୍ ଙ୍କୁ ଏକ ଭିଡ ହତ୍ୟା କରିବାର ଖବରରୁ ହୋଇଥିଲା । ଅଖଲାକ୍ ଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ତାଙ୍କ ଫ୍ରିଜରେ ଗୋ ମାଂସ ରଖିଛନ୍ତି । ଏହା ପରେ ହରିଆନାର ଜଣେ ଗୋପାଳକ ପହେଲୁ ଖାଁଙ୍କୁ ଗୋ ଚାଲାଣ ବା ଗୋତସ୍କରୀ ଅଭିଯୋଗରେ ରାଜସ୍ଥାନରେ ଏକ ଭିଡ଼ଦ୍ୱାରା ହତ୍ୟା କରାଯିବା, ଲିଂଚିଂ ଶବ୍ଦକୁ ବ୍ୟାପକ କରିଦେଲା୯ । ସ୍ୱଘୋଷିତ ଗୋସୁରକ୍ଷା ଗୋଷ୍ଠୀ ଯେ ଏହି ଲିଂଚିଂ କରୁଛି -ଏପରି ଅଭିଯୋଗ ହେବା ପରେ ପରେ୧୦ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ମୁଖ୍ୟ ମୋହନ ଭାଗୱତ ମହୋଦୟ ଲିଂଚିଂ ଶବ୍ଦ ଯେ ଆମ ସଂସ୍କୃତିରେ ନାହିଁ -ଏପରି ଧାରଣା ଦେବାକୁ ଉଦ୍ୟମ କଲେ ଓ କହିଲେ ଯେ ଏହା ଏକ ବିଦେଶୀ ତିଆରି ଧାରଣା ଯାହାର ଭାରତୀୟ ସମାଜରେ କୌଣସି ନଜିର ନାହିଁ୯ । ଏହି ଶବ୍ଦ ବିଦେଶରୁ ଆସିଛି ଓ ଆମ ଉପରେ ଲଦି ଦିଆଯାଇଛି । ଏହାର ହିନ୍ଦୁ ଧର୍ମ ସହ କୌଣସି ସମ୍ପର୍କ ନାହିଁ । ସେ ମଧ୍ୟ ଆହୁରି କହୁଥିଲେ କୌଣସି ଗୋଟିଏ ସମ୍ପ୍ରଦାୟକୁ ଏପରି ଘଟଣା ପାଇଁ ବଦନାମ କରାଯାଇ ନପାରେ, ଏବଂ ଅନେକ ଅପରାଧରେ କୌଣସି ପ୍ରକାର ସାମ୍ପ୍ରଦାୟିକତା ନାହିଁ । ବରଂ ସେ କହୁଥିଲେ ଯେ ଯେଉଁମାନେ ଏପରି ହିଂସ୍ର କାର୍ଯ୍ୟରେ ଲିପ୍ତ ସେମାନେ ହିନ୍ଦୁତ୍ୱ ବିରୋଧୀ୧୧ । ଏଠି ସ୍ମରଣ କରାଇଦେବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଲିଂଚିଂ ଶବ୍ଦର ବୈଦେଶିକ ପ୍ରୟୋଗର ବହୁ ଉଦ୍ଧୃତ ଦୃଷ୍ଟାନ୍ତ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ମିଶୋରୀର ଏକ ସହରରେ ୧୯୦୧ ମସିହାରେ ତିନି ଜଣ ଆଫ୍ରିକୀୟ ଆମେରିକାନ୍ ଙ୍କର ହତ୍ୟାର ପ୍ରତିକ୍ରିୟାରେ ବିଶିଷ୍ଟ ମାର୍କିନ ଲେଖକ ମାର୍କ ଟ୍ୱାଇନ(Mark Twain)ଙ୍କର ପ୍ରବନ୍ଧ୧୨ “The United States of Lyncherdom ବୋଧହୁଏ ଯୁକ୍ତରାଷ୍ଟ୍ର ଆମେରିକାର ଏହିପରି ନାମକରଣ, ଯଦିଓ ବିଂଶ ଶତାବ୍ଦୀର ପ୍ରବେଶ କାଳରେ ହେଉଥିଲା, ତାହା ସହିତ ଯତି ପକାଇ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକର ମଧ୍ୟଭାଗରେ ଭାରତରେ ଦୃଶ୍ୟମାନ ଲିଂଚିଂ କେତେକଙ୍କୁ ହିନ୍ଦୁସ୍ଥାନ ଲିଂଚିସ୍ଥାନ ନ ହୋଇଯାଉ ବୋଲି ସତର୍କ କରାଇଦେବା ପାଇଁ ବାଧ୍ୟ କରିଥିଲା୧୩ । ଉପର୍ଲିଖିତ ପ୍ରସ୍ତାବିତ ପ୍ରାଦେଶିକ ଆଇନ ଗୁଡିକରେ ଲିଂଚିଂର ମୋଟାମୋଟି ପରିଭାଷା ଥିଲା(ଯେପରି ରାଜସ୍ଥାନ ବିଲରେ): ‘ଧର୍ମ (religion), ବର୍ଣ୍ଣ (race), ଜାତି (caste), ଲିଂଗ (sex), ଜନ୍ମ ସ୍ଥାନ (place of birth), ଭାଷା (language), ଆହାର-ବ୍ୟବହାର (dietary practices), ଯୌନ ଅଭିମୁଖିତା (sexual orientation), ରାଜନୈତିକ ଅନ୍ତର୍ଭୁକ୍ତି (political affiliation), ଜାତୀୟତା (ethnicity) ଆଧାରରେ ଏକ ଭିଡ଼ ଦ୍ୱାରା, ସ୍ୱତଃସ୍ଫୂର୍ତ୍ତ ଭାବେ ହେଉ ବା ଯୋଜନା କରାଯାଇ ହେଉ, କୌଣସି ହିଂସ୍ର କାର୍ଯ୍ୟ ବା ହିଂସ୍ର କାର୍ଯ୍ୟକ୍ରମକୁ ସାହାଯ୍ୟ କରିବା ବା ଉସକାଇବା ବା ହିଂସ୍ରକାର୍ଯ୍ୟ ପାଇଁ ଉଦ୍ୟମ କରିବା’ । ଯଦିଓ ଲିଂଚିଂର ପରିଭାଷା ନ୍ୟାୟସଂହିତା ୨୦୨୩ରେ ମିଳେ ନାହିଁ ଓ mob lynching ଅପରାଧର କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ଗୃହମନ୍ତ୍ରାଳୟ ବାରମ୍ବାର ସଂସଦରେ ବୟାନ ରଖୁଥିବା ବେଳେ୧୪ ଗୃହମନ୍ତ୍ରୀ ଅମିତ ଶାହା, ଉଲ୍ଲିଖିତ ସାକ୍ଷାତକାରରେ୧mob lynching ର ଶିକାର କେଉଁମାନେ ହେଉଛନ୍ତି, କେଉଁ କାରଣରୁ ହେଉଛନ୍ତି ତାହାର ଏକ ତାଲିକା ପେଶ୍ କରନ୍ତି । ତାଙ୍କ ମତରେ ଯେଉଁମାନେ mob lynching ର ଶିକାର ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଚୋର । ତାପରେ ଅଛନ୍ତି ଅନ୍ଧବିଶ୍ୱାସ ଯୋଗୁଁ ଡାହାଣୀ । ତୃତୀୟରେ ଅଛନ୍ତି ଅନ୍ୟ ଜାତିରେ ବା ଅନ୍ୟ ଧର୍ମରେ ବିବାହ କରୁଥିବା ଦମ୍ପତ୍ତି । ଚତୁର୍ଥରେ ଅଛନ୍ତି ଧର୍ମକୁ ନେଇ କଳହରେ ସମ୍ପୃକ୍ତ ବ୍ୟକ୍ତି । mob lynching ର ଶିକାର ଯେଉଁ ଅଧିକାଂଶ ‘ଚୋର’ମାନଙ୍କର କଥା ଶାହା ମହୋଦୟ ଉଲ୍ଲେଖ କରୁଛନ୍ତି, ସେ ‘ଚୋର’ ଶ୍ରେଣୀରେ ଗୋଚାଲାଣକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି କି?
ନ୍ୟାୟ ସଂହିତା ୨୦୨୩ରେ ଲିଂଚିଂ ଆଇନ
ହତ୍ୟା ପାଇଁ ଦଣ୍ଡ (punishment for murder) ଶିରୋନାମାରେ ଧାରା ୧୦୩ ଉପଧାରା ୨ରେ ଲେଖାଯାଇଛି “ଯେତେବେଳେ ପାଂଚ ବା ପାଂଚରୁ ଅଧିକ ବ୍ୟକ୍ତିଙ୍କ ସମୂହ ଏକାଠି ହୋଇ ବର୍ଣ୍ଣ(race), ଜାତି ବା ଗୋଷ୍ଠୀ (caste or community), ଲିଂଗ (sex), ଜନ୍ମ ସ୍ଥାନ (place of birth), ଭାଷା (language), ବ୍ୟକ୍ତିଗତ ଆସ୍ଥା (personal belief) ବା ସେହିଭଳି ସଦୃଶ କାରଣରୁ ହତ୍ୟା ସଂଘଟିତ କରନ୍ତି, ତାହାହେଲେ ଏହି ସମୂହରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତି ମୃତ୍ୟୁ ଦଣ୍ଡରେ ବା ଆଜୀବନ କାରାବାସରେ ଦଣ୍ଡିତ ହେବେ, ଏବଂ ଜୋରିମାନା ମଧ୍ୟ ଦେବେ ।” ଇଚ୍ଛାକୃତ ଭାବେ ଗମ୍ଭୀର ଆଘାତ କରିବା (voluntarily causing grievous hurt) ଶିରୋନାମାରେ ଧାରା ୧୧୭ ଉପଧାରା ୪ରେ ଲେଖାଯାଇଛି, “ଯେତେବେଳେ ପାଂଚ ବା ପାଂଚରୁ ଅଧିକ ବ୍ୟକ୍ତିଙ୍କ ସମୂହ ଏକାଠି ହୋଇ ବର୍ଣ୍ଣ (race), ଜାତି ବା ଗୋଷ୍ଠୀ (caste or community), ଲିଂଗ (sex), ଜନ୍ମ ସ୍ଥାନ (place of birth), ଭାଷା (language), ବ୍ୟକ୍ତିଗତ ଆସ୍ଥା (personal belief)ବା ସେହିଭଳି ସଦୃଶ କାରଣରୁ ଇଚ୍ଛାକୃତ ଭାବେ ଗମ୍ଭୀର ଆଘାତ କରନ୍ତି, ତାହାହେଲେ ସମୂହରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତି ଦୋଷୀ ହେବେ ଇଚ୍ଛାକୃତ ଗମ୍ଭୀର ଆଘାତ କରିବା ଅପରାଧରେ, ଏବଂ ଦଣ୍ଡିତ ହେବେ ଉଭୟ ବର୍ଣ୍ଣିତ (ଅଶ୍ରମ ବା ସଶ୍ରମ ) କାରାବାସରେ, ଯାହାକୁ ସାତବର୍ଷ ଯାଏ ବଢ଼ା ଯାଇପାରେ, ଏବଂ ଜୋରିମାନା ମଧ୍ୟ ଦେବେ ।” ଲକ୍ଷ୍ୟ କରିବାର କଥା ଯେ ଉପରୋକ୍ତ ଧାରା ଦ୍ୱୟ ଅପରାଧରେ ଲିପ୍ତ ସେହି ସମୂହ ପ୍ରତି ପ୍ରୟୋଗ ହେବ ଯେଉଁ ସମୂହରେ ଅନ୍ୟୁନ ପାଂଚଜଣ ବ୍ୟକ୍ତି ଥିବେ । କାହିଁକି ଅନ୍ୟୁନ ପାଂଚ ଜଣ? ଏହା ଯଦିଓ ସ୍ପଷ୍ଟ କରା ଯାଇନାହିଁ, ତାର କାରଣ ବୋଧହୁଏ, ନ୍ୟାୟ ସଂହିତାର ଧାରା ୧୮୯ ଅନୁସାରେ କୌଣସି ଏକ ଅପରାଧ କରିବା ପାଇଁ ପାଂଚ ବା ତତୋଧିକ ବ୍ୟକ୍ତି ଏକତ୍ର ହେବା ଅବୈଧ ସମାବେଶ (Unlawful Assembly) ବୋଲି ପରିଭାଷିତ । ଅବଶ୍ୟ ଏହା ହିଁ ଅବୈଧ ସମାବେଶର ପରିଭାଷା ଥିଲା ଦଣ୍ଡ ସଂହିତା ୧୮୬୦ର ଧାରା ୧୪୧ରେ । ପୁଣି ଉପରୋକ୍ତ ଧାରା ଦ୍ୱୟ କୁହନ୍ତି ଯେ ସମୂହଦ୍ୱାରା ଯେଉଁ ଅପରାଧ ସଂଘଟିତ ହେବ, ସେ ଅପରାଧ ପାଇଁ ଯେଉଁ ଦଣ୍ଡ ନିର୍ଦ୍ଧାରିତ, ସେହି ଦଣ୍ଡରେ ସମୂହର ପ୍ରତ୍ୟେକ ସଦସ୍ୟ ଦଣ୍ଡିତ ହେବେ । ସମୂହ ଦ୍ୱାରା ଯଦି ହତ୍ୟା ହୋଇଥାଏ, ତାହାହେଲେ ହତ୍ୟା ପାଇଁ ଧାରା ୧୦୩ ଉପଧାରା ୧ରେ ନିର୍ଦ୍ଧାରିତ ଦଣ୍ଡ, ମୃତ୍ୟୁ ଦଣ୍ଡ ବା ଆଜୀବନ କାରାବାସ, ସେହି ଦଣ୍ଡରେ ସମୂହର ପ୍ରତ୍ୟେକ ଅଂଶୀଦାର ଦଣ୍ଡିତ ହେବେ; ଯଦି ଗମ୍ଭୀର ଆଘାତ ହୋଇଥାଏ ତାହାହେଲେ ଏଥିପାଇଁ ଧାରା ୧୧୭ ଉପଧାରା ୨ରେ ନିର୍ଦ୍ଧାରିତ ଦଣ୍ଡ, ଅଶ୍ରମ ବା ସଶ୍ରମ କାରାବାସରେ ଯାହାକୁ ସାତ ବର୍ଷ ଯାଏ ବଢ଼ାଯାଇପାରେ ଏବଂ ଜୋରିମାନା, ସେହି ଦଣ୍ଡରେ ସମୂହର ପ୍ରତ୍ୟେକ ଅଂଶୀଦାର ଦଣ୍ଡିତ ହେବେ । ଏହା ନ୍ୟାୟ ସଂହିତା ୨୦୨୩ର ଧାରା ୩ ଉପଧାରା ୫ ସହ ସଂଗତିପୂର୍ଣ୍ଣ, ଯାହା କୁହେ, “ଯେତେବେଳେ ଅନେକ (several) ବ୍ୟକ୍ତି ମିଶି ଏକ ସମାନ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଅପରାଧିକ କାର୍ଯ୍ୟ କରନ୍ତି, ସେତେବେଳେ ଏଥିରେ ସାମିଲ ପ୍ରତ୍ୟେକ ବ୍ୟକ୍ତି ସେପରି ଦାୟୀ ହେବେ ଯେପରି ଏହି କାର୍ଯ୍ୟ ସେ ନିଜେ ଏକାକୀ କରିଛନ୍ତି ।” ଏହି ଧାରାଟିର ଭାଷା ଦଣ୍ଡ ସଂହିତା ୧୮୬୦ର ଧାରା ୩୪ର ଭାଷା ସହ ଅବିକଳ ସମାନ । ସେହିପରି ହତ୍ୟା ପାଇଁ ଦଣ୍ଡ ନ୍ୟାୟସଂହିତା ୨୦୨୩ର ଧାରା ୧୦୩(୧)ର ଭାଷା ଦଣ୍ଡ ସଂହିତାର ଧାରା ୩୦୨ ସହ ଅବିକଳ ସମାନ; ଇଚ୍ଛାକୃତ ଭାବେ ଗମ୍ଭୀର ଆଘାତ ପାଇଁ ଦଣ୍ଡ ନ୍ୟାୟସଂହିତାର ଧାରା ୧୧୭ ଉପଧାରା ୨ର ଭାଷା ଦଣ୍ଡ ସଂହିତାର ଧାରା ୩୨୫ର ଭାଷା ସହ ଅବିକଳ ସମାନ । ଏହି ସନ୍ଦର୍ଭରେ ଦଣ୍ଡ ପ୍ରକ୍ରିୟା ସଂହିତା (Cr. PC) ୧୯୭୩ର ଧାରା ୨୨୩ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୪୬ର ଭାଷା ଅବିକଳ ସମାନ- “ନିମ୍ନୋକ୍ତ ବ୍ୟକ୍ତିଗଣ ଏକ ସଂଗରେ ଆରୋପୀ ଘୋଷିତ ହେବେ ଓ ବିଚାରର ସମ୍ମୁଖୀନ ହେବେ(charged and tried together,) ଯଦି (କ) ସେହି ବ୍ୟକ୍ତିଗଣ ସମାନ କାର୍ଯ୍ୟ ସମ୍ପାଦନ ସମୟରେ ସମାନ ଅପରାଧରେ ଅଭିଯୁକ୍ତ ” କହିବା ବାହୁଲ୍ୟ ଯେ ଦଣ୍ଡ ସଂହିତା ୧୮୬୦ ହେଉ ବା ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ ହେଉ କୌଣସି ବ୍ୟକ୍ତି ସମୂହ ଦ୍ୱାରା ଗୋଟିଏ ଅପରାଧ ପାଇଁ ସେହି ସମୂହ କିପରି ଦଣ୍ଡିତ ହେବ, ତାହାର ବ୍ୟବସ୍ଥା ଥିଲା । ବରଂ ଦଣ୍ଡ ସଂହିତା ୧୮୬୦ର ଧାରା ୩୦୨ ଓ ଧାରା ୩୨୫କୁ ଧାରା ୩୪ ସହ ଯଥାକ୍ରମେ ମିଶାଇ ପଢିଲେ ନ୍ୟାୟ ସଂହିତା ୨୦୨୩ର ଧାରା ୧୦୩(୨) ଓ ଧାରା ୧୧୭(୪)ର ପ୍ରଭାବ ଦଣ୍ଡ ସଂହିତା ୧୮୬୦ରେ ହିଁ ସମ୍ଭବ ଥିଲା ବୋଲି ମନେହୁଏ, ଯେତେବେଳେ ଦଣ୍ଡ ସଂହିତାର ଧାରା ୧୫୩ -ଏ ରେ ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଧର୍ମ, ବର୍ଣ୍ଣ, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଆଦିକୁ ଆଧାର କରି ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ସଦଭାବନାର ରକ୍ଷଣାବେକ୍ଷଣ ପ୍ରତି କ୍ଷତିକାରକ ହେବା ଭଳି କୌଣସି କାର୍ଯ୍ୟ କରିବାକୁ ଅପରାଧ ବୋଲି ବିଚାର କରାଯାଇଥିଲା ।
ତେଣୁ ଭିଡ଼ ହତ୍ୟା ବା ଭିଡ଼ ଦ୍ୱାରା ଗମ୍ଭୀର ଆଘାତ ଅପରାଧରେ ଦୋଷୀଙ୍କୁ ଦଣ୍ଡ ଦେବା ଦଣ୍ଡ ସଂହିତା ୧୮୬୦ ଆଇନ ଦ୍ୱାରା ଯେ ସମ୍ଭବ ନ ଥିଲା, ଏପରି ଧାରଣା ଦେବାର ଉଦ୍ୟମ ଠିକ ମନେ ହୁଏ ନାହିଁ । ଅବଶ୍ୟ ନିର୍ଦ୍ଦିଷ୍ଟ ଭାବେ ‘‘mob lynching’’ ବା ‘ଭିଡ଼ ଦ୍ୱାରା ହତ୍ୟା ବା ଗମ୍ଭୀର ଆଘାତ” ଦଣ୍ଡ ସଂହିତା ୧୮୬୦ର କୌଣସି ଧାରା ଉଲ୍ଲେଖ ହୋଇନଥିଲା । ନ୍ୟାୟ ସଂହିତା ୨୦୨୩ରେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କେଉଁଠାରେ ଉଲ୍ଲେଖ ହେବା ଦେଖାଯାଏ ନାହିଁ । କାହିଁକି ନୁହେଁ, ଯେତେବେଳେ ଗୃହମନ୍ତ୍ରୀ ମହୋଦୟ ଏହି ଆଇନରେ ‘mob lynching’ ପାଇଁ ପ୍ରଥମଥର ପାଇଁ ବ୍ୟବସ୍ଥା ହୋଇଥିବା ଦାବି କରୁଛନ୍ତି? କଣ ଏଇଥିପାଇଁ ଯେ , ଯେପରି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ମୁଖ୍ୟ ମୋହନ ଭାଗୱତ କୁହନ୍ତି, ଏହା ଏକ ବିଦେଶୀ ଧାରଣା, ତେଣୁ ଭାରତୀୟତାକୁ ଗୁରୁତ୍ୱ ଦେଉଥିବା ଓ ଔପନିବେଶିକତାରୁ ମୁକ୍ତ ହୋଇଥିବା ନ୍ୟାୟ ସଂହିତା ୨୦୨୩ରେ ଏହାର ସ୍ଥାନ ନାହିଁ ! ଯଦିଓ ଭିଡ଼ ହତ୍ୟା ବା ଭିଡ଼ ଦ୍ୱାରା ଗମ୍ଭୀର ଆଘାତ ଅପରାଧରେ ଦୋଷୀଙ୍କୁ ଦଣ୍ଡ ଦେବା ଦଣ୍ଡ ସଂହିତା ୧୮୬୦ ଆଇନରେ ସମ୍ଭବ ଥିଲା, ଅବଶ୍ୟ ଆଇନର ଭିନ୍ନ ଭିନ୍ନ ଧାରାକୁ ପ୍ରୟୋଗ କରି, ନ୍ୟାୟ ସଂହିତା ୨୦୨୩ରେ ଏପରି ଅପରାଧ ପାଇଁ କେବଳ ଦୁଇଟି ଧାରା ୧୦୩ ଉପଧାରା ୨ ଓ ଧାରା ୧୧୭ ଉପଧାରା ୪ର ପ୍ରୟୋଗ ହିଁ ଯଥେଷ୍ଟ । ଏହି ଦୃଷ୍ଟିରୁ ନ୍ୟାୟ ସଂହିତା ୨୦୨୩ ସୁବିଧାଜନକ ମନେ ହୋଇପାରେ । କିନ୍ତୁ ବୈମନଷ୍ୟର ଆଧାର ଭାବେ ଯେତେବେଳେ ଧାରା ୧୦୩(୨) ବା ଧାରା ୧୧୭(୪)ରେ ଉଲ୍ଲେଖ ହେଉଛି ବର୍ଣ୍ଣ (race), ଜାତି ବା ଗୋଷ୍ଠୀ(caste or community ), ଲିଙ୍ଗ(sex), ଜନ୍ମ ସ୍ଥାନ(place of birth), ଭାଷା(language), ବ୍ୟକ୍ତିଗତ ଆସ୍ଥା (personal belief), ସେତେବେଳେ ଏହି ତାଲିକାରେ ଧର୍ମ (religion) ଉଲ୍ଲେଖ ନହେବା ତାତ୍ପର୍ଯ୍ୟପୂର୍ଣ୍ଣ । ଯଦି ‘ବ୍ୟକ୍ତିଗତ ଆସ୍ଥା’ ଶ୍ରେଣୀରେ ‘ଧର୍ମ’ କୁ ସ୍ଥାନ ଦିଆଯାଇ ପାରେ ବୋଲି କେହି ଯୁକ୍ତି କରନ୍ତି ତାହାହେଲେ ତ କଥା ଦୋସରା । କିନ୍ତୁ ନ୍ୟାୟ ସଂହିତା ୨୦୨୩ର ଧାରା ୧୯୬(୧)(ଏ)ରେ ‘ଧର୍ମ’ ବୈମନଷ୍ୟର ଏକ ଆଧାର ହୋଇପାରେ ବୋଲି ଉଲ୍ଲେଖ କରାଯାଇଛି । ଅବଶ୍ୟ ଧାରା ୧୯୬(୧)(ଏ) ର ଭାଷା, ‘or through electronic communication’ ବାକ୍ୟଖଣ୍ଡଟିକୁ ବାଦ ଦେଲେ, ଦଣ୍ଡ ସଂହିତା ୧୮୬୦ର ଧାରା ୧୫୩-ଏ (୧)(ଏ)ର ଭାଷା ଅବିକଳ ସମାନ ।
ଶେଷରେ ଏତିକି କହି ଏ ନିବନ୍ଧକୁ ସମାପ୍ତ କରାଯାଇପାରେ ଯେ ଆଇନ ଭଲ ହେବା ବା ଭଲ ବୋଲି ପ୍ରଚାରିତ ହେବା ଠାରୁ ବୋଧହୁଏ ଅଧିକ ଆବଶ୍ୟକ ଆଇନର ପ୍ରୟୋଗ ନିରପେକ୍ଷ ଭାବରେ ହେବା ବା ହେଉଛି ବୋଲି ଦିଶିବା । ଏହା ହିଁ ଆଇନର ବିଶ୍ୱସନୀୟତାକୁ ସାବ୍ୟସ୍ତ କରିବ, ଯାହା ଆଜିକା ସମୟରେ ସବୁଠାରୁ ବେଶୀ ଅପେକ୍ଷିତ ।
ବ୍ୟବହୃତ ଉପାଦାନ ସୂଚୀ
1.INTERVIEW | Victim-centric laws to ensure swift and timely justice: Amit Shah ,Express News Service , Updated on: 17 Jan 2024 ,https://www.newindianexpress.com/nation/2024/Jan/17/victim-centric-laws-to-ensure-swift-and-timely-justice-amit-shah
- IN THE SUPREME COURT OF INDIA , CIVIL ORIGINAL JURISDICTION WRIT PETITION (CIVIL) NO. 754 OF 2016
- India doesn’t need a new law to curb lynchings, enforcing existing laws is enough, say legal experts ,Vijayta Lalwani ,Jul 22, 2018 , https://scroll.in/article/887295/india-doesnt-need-a-new-law-to-curb-lynchings-enforcing-existing-laws-is-enough-say-legal-experts
- Hapur district court sets precedent with life term for mob lynching, Ismat Ara, Mar 14, 2024 ,https://frontline.thehindu.com/news/hapur-lynching-in-uttar-pradesh-landmark- verdict-sets-precedent-for-hate-crime-charges-in-mob-killings/article67949834.ece;Hapur Mob Lynching Conviction: Court Finds UP Police Guilty of Negligence in Investigation ,Omar Rashid, 14/Mar/2024 ,https://thewire.in/communalism/hapur-mob-lynching-conviction-court-finds-up-police-guilty-of-negligence-in-investigation ; 2018 Hapur Lynching Case : UP Trial Court Finds 10 Persons Guilty, Sentences Them To Life ,LIVELAW NEWS NETWORK ,12 Mar 2024 ,https://www.livelaw.in/news-updates/2018-hapur-lynching-case-up-trial-court-finds-10-persons-guilty-sentences-them-to-life-252006
- Four years have passed, but Bengal’s anti-lynching Bill yet to be made a law,SUMANTA RAY CHAUDHURI/ IANS | Kolkata | November 6, 2022 ,https://www.thestatesman.com/bengal/four-years-have-passed-but-bengals-anti-lynching-bill-yet-to-be-made-a-law-503128781.html;Centre returns anti-lynching bills of Rajasthan, Manipur; seeks clarification , PTI ,15 March, 2022 , https://theprint.in/india/centre-returns-anti-lynching-bills-of-rajasthan-manipur-seeks-clarification/874676/
- Jharkhand governor returns anti-lynching bill, asks state to revisit definition of ‘mob’ , Vishal Kant, Ranchi ,Mar 18, 2022 , https://www.hindustantimes.com/india-news/jharkhand-guv-returns-anti-lynching-bill-asks-state-to-revisit-definition-of-mob-101647542130365.html
7.https://en.wikipedia.org/wiki/G._Krishnaiah.
- 17 Years After Khairlanji Massacre: Reflecting on a Dark Chapter in DalitHistory , Geetha Sunil Pillai ,Published on: 29 Sep 2023 ,https://en.themooknayak.com/dalit-news/17-years-after-khairlanji-massacre-reflecting-on-a-dark-chapter-in-dalit- history
9.The Modi Years: What has fuelled rising mob violence in India , Shoaib Daniyal ,Feb 23, 2019 , https://scroll.in/article/912533/the-modi-years-what-has-fuelled-rising-mob-violence-in-india
10.Mob lynchings in India: A look at data and the story behind the numbers , BySandipan Baksi and Aravindhan Nagarajan 04 Jul, 2017 ,www.newslaundry.com/2017/07/04/mob-lynchings-in-india-a-look-at-data-and-the-story-behind- the-numbers
11.Lynchings a conspiracy to defame India: RSS chief Mohan Bhagwat , Oct 09, 2019 , The Economic Times ; Term mob lynching comes from Bible, says Mohan Bhagwat ,VidyaMumbai,UPDATED: Feb 22, 2022 ,https://www.indiatoday.in/india/story/lynchings-being-used-to-defame-india-hindus-rss-chief-mohan-bhagwat-1607257-2019-10-08; Those indulging in lynching are against Hindutva: RSS chief Mohan Bhagwat , TIMESOFINDIA.COM, July 4 ,2021
- The United States of Lyncherdom ,https://en.wikipedia.org/wiki/
- ‘Hindustan’ should not become ‘Lynchistan’: Leader of Opposition Mallikarjun Kharge on cow vigilantism , By: Express Web Desk ,New Delhi | Updated: July 31, 2017 ,https://indianexpress.com/article/india/hindustan-should-not-become-lynchistan-leader-of-opposition-mallikarjun-kharge-lok-sabha-congress-bjp-nda-4775583/
- Have no data on mob lynchings, govt says in Parliament ,Kamaljeet Sandhu ,New Delhi,UPDATED: Mar 22, 2022 ,https://www.indiatoday.in/india/story/no-separate-data-for-mob-lynching-says-government-1928056-2022-03-22 ; NCRB stopped collecting data on lynching, hate crime as it was ‘unreliable’, govt tells LS ,Ananya Bhardwaj ,21 December, 2021 ,https://theprint.in/india/governance/ncrb-stopped-collecting-data-on-lynching-hate-crime-as-it-was-unreliable-govt-tells-ls/785201/
Comments
0 comments