ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ କେଉଁ ରାଜନୈତିକ ଦଳ କେତେ ଅର୍ଥ ପାଇଛନ୍ତି, ସେ କଥା ଲୋକଲୋଚନକୁ ଆସିଯାଇଛି । କେବଳ ଯେ, କେଉଁ ଦଳ କେଉଁ କମ୍ପାନୀଠାରୁ କେତେ ଅର୍ଥର ଗୁପ୍ତଦାନ ପାଇଛନ୍ତି ସେ କଥା ଜଣାପଡିଛି ତାହା ନୁହେଁ, କେଉଁ କମ୍ପାନୀ କିପରି ପରିସ୍ଥିତିରେ, କେଉଁ ଉଦ୍ଦେଶ୍ୟ ରଖି କାହାକୁ କୋଟି କୋଟି ଟଙ୍କା ଦାନ କରିଛନ୍ତି ସେ କଥା ମଧ୍ୟ ସମ୍ୟକ ବିଶ୍ଳେଷଣରୁ ଜଣାପଡୁଛି । ନିର୍ବାଚନୀ ବଣ୍ଡ୍ ଦଳ ନିର୍ବିଶେଷରେ ରାଜନୈତିକ ଦଳଗୁଡିକୁ ଉଲଗ୍ନ କରିଦେଇଛି । କେବଳ କେଉଁ ଦଳ ଉପରୁ କେତେ ପରସ୍ତ ଆସ୍ତରଣ ହରଣ ହୋଇଛି, ତାହା ହିଁ ଭିନ୍ନ । ରାଜନୈତିକ ଦଳଗୁଡିକର ଦୟନୀୟ ସ୍ଥିତି ଦର୍ଶାଇବା ସଙ୍ଗେ ସଙ୍ଗେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ରାଜନୈତିକ ନିର୍ବାଚନକୁ ପାଣ୍ଠି ଯୋଗାଇବା ସକାଶେ ଏକ ଫଳପ୍ରଦ ବ୍ୟବସ୍ଥା କ’ଣ ହୋଇପାରେ ସେ ସମ୍ପର୍କରେ ମଧ୍ୟ ଚିନ୍ତନ କରିବାର ଆବଶ୍ୟକତା ଦୋହରାଇଛି ।
ନିର୍ବାଚନୀ ବଣ୍ଡ୍ କ’ଣ?
୨୦୧୭ ପୂର୍ବରୁ ରାଜନୈତିକ ଦଳଗୁଡିକ ସଦସ୍ୟତା ଦେୟ, ବ୍ୟକ୍ତି ବିଶେଷଙ୍କ ଦାନ ଏବଂ ଛୋଟ ଛୋଟ ସହାୟତା ରାଶି ମାଧ୍ୟମରେ ପାଣ୍ଠି ସଂଗ୍ରହ କରୁଥିଲେ । ୨୦,୦୦୦ ଟଙ୍କାରୁ ଅଧିକର ପାଣ୍ଠି ଗ୍ରହଣ କଲେ ରାଜନୈତିକ ଦଳକୁ ପାଣ୍ଠିଯୋଗାଣ ସମ୍ପର୍କିତ ୨୦୦୩ ମସିହାର ଆଇନ ମୁତାବକକୁ ଘୋଷଣା କରିବାକୁ ପଡୁଥିଲା । ତେଣୁ ଅଧିକାଂଶ ରାଜନୈତିକ ଦଳ ସେମାନେ ଗ୍ରହଣ କରୁଥିବା ଅର୍ଥକୁ ୨୦,୦୦୦ରୁ କମ୍ ଟଙ୍କାର ଏକକରେ ଭାଙ୍ଗି ଦର୍ଶାଉଥିଲେ ଯେଉଁଥିପାଇଁ କୌଣସି ଆଇନଗତ ଘୋଷଣା କରିବାକୁ ପଡ଼ିବ ନାହିଁ । ଏହି ପ୍ରକ୍ରିୟା ମାଧ୍ୟମରେ ବହୁ ପରିମାଣର କଳା ଟଙ୍କା ଅନୁଦାନ ଆକାରରେ ରାଜନୈତିକ ଦଳକୁ ଆସୁଥିଲା । ୨୦୧୩ ମସିହାରେ କମ୍ପାନୀ ଆଇନ୍ରେ ଯେଉଁ ପରିବର୍ତ୍ତନ ଅଣାଯାଇଥିଲା ସେଥିରେ କମ୍ପାନୀ ମାନେ ସିଧାସଳଖ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଇପାରିବେ ବୋଲି ବ୍ୟବସ୍ଥା ରଖାଯାଇଥିଲା । କିନ୍ତୁ ଏହି ଚାନ୍ଦାର ପରିମାଣ କମ୍ପାନୀର ୩ବର୍ଷର ଲାଭ ପରିମାଣର ୭.୫ପ୍ରତିଶତରୁ ଅଧିକା ହେବନାହିଁ କୁହାଯାଇଥିଲା । ଏଥିରେ କୌଣସି ଲୁଚାଛପା ଅନୁଦାନର ବ୍ୟବସ୍ଥା ନଥିଲା । ତେବେ ୨୦୧୭ ମସିହାରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ନିର୍ବାଚନୀ ବଣ୍ଡ୍ ଯୋଜନାର ବ୍ୟବସ୍ଥା ଆଣିଲେ ଏବଂ ଏ ସମ୍ପର୍କରେ ୨୦୧୮ମସିହାରେ ବିଧିବଦ୍ଧ ଘୋଷଣା କରାଗଲା (‘ସମଦୃଷ୍ଟି’ର ବିଗତ କିଛି ସଂଖ୍ୟା ଦେଖିଲେ ସ୍ପଷ୍ଟ ଜଣାପଡ଼ିବ) । ଏହି ଯୋଜନା ମୁତାବକ ରାଜନୈତିକ ଦଳଗୁଡିକୁ ପାଣ୍ଠି ଯୋଗାଇବାକୁ ଚାହୁଁଥିବା ବ୍ୟକ୍ତି/ବ୍ୟବସାୟିକ ପ୍ରତିଷ୍ଠାନମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଧାରିତ ଶାଖାରୁ ଇଲେକ୍ଟ୍ରାଲ୍ ବଣ୍ଡ୍ କିଣିବେ । କିଏ କିଣିଲା ସେ କଥା ବ୍ୟାଙ୍କ ଗୁପ୍ତ ରଖିବ । କିଣାଯାଇଥିବା ଏହି ବଣ୍ଡ୍କୁ ଦାତା ନିଜ ଇଚ୍ଛା ମୁତାବକ ଏକ ବା ଏକାଧିକ ରାଜନୈତିକ ଦଳକୁ ଦାନ କରିବେ । ରାଜନୈତିକ ଦଳମାନେ ସେମାନଙ୍କ ବ୍ୟାଙ୍କରେ ଏହି ବଣ୍ଡ୍ ଜମା କଲେ ସେ ବାବଦକୁ ଅର୍ଥ ସେମାନଙ୍କ ଜମା ଖାତାକୁ ଆସିଯିବ । ଏଥିରେ ରାଜନୈତିକ ଦଳମାନେ କିଏ କେତେ ଦେଲା ଜାଣିପାରିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଦାତାଙ୍କ ନାମ କେଉଁଠାରେ ହେଲେ ଉଲ୍ଲେଖ ରହିଲା ନାହିଁ । ତେଣୁ ଦେଖିବାକୁ ଗଲେ କେଉଁ ପ୍ରତିଷ୍ଠାନ/ବ୍ୟକ୍ତି ବିଶେଷ କେଉଁ ଦଳକୁ କେତେ ଅର୍ଥ ଦେଲା ସେ କଥା ଗୁପ୍ତ ରହିଲା । ତେଣୁ ପ୍ରତିପକ୍ଷକୁ ଚାନ୍ଦା ଦେଉଥିବା ବ୍ୟକ୍ତି/ପ୍ରତିଷ୍ଠାନଗୁଡିକ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରାଯିବାର କୌଣସି ସମ୍ଭାବନା ମଧ୍ୟ ନାହିଁ । ଅନ୍ୟପକ୍ଷରେ ଏହି ଅର୍ଥ ବ୍ୟାଙ୍କ ମାଧ୍ୟମରେ କାରବାର ହେଉଥିବାରୁ ତଥା ଏବାବଦକୁ ଆୟକର ରିହାତି ମିଳୁଥିବାରୁ ରାଜନୈତିକ ଦଳଗୁଡିକୁ କଳାଧନ ନୁହେଁ, ଧଳାଧନ ହିଁ ଆସିଲା । ଏହା ମଧ୍ୟ ଗୁପ୍ତଦାନ ରୂପେ ହେଲା ।
ଯୋଜନା ପ୍ରଣୟନ ଦିନଠାରୁ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରାଇଟ୍ସ ପକ୍ଷରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ମୋକଦ୍ଦମା କରାଯାଇଥିଲା । ମାନବ୍ୟର ସୁପ୍ରିମକୋର୍ଟ ୨୦୨୪ ମସିହାରେ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତୀୟ ମୋକଦ୍ଦମାର ରାୟ ଶୁଣାଇ ଏହି ନିର୍ବାଚନୀ ବଣ୍ଡ୍ ସମ୍ବିଧାନ ବିରୋଧୀ ହୋଇଥିବାରୁ ଏହି ଯୋଜନାକୁ ରଦ୍ଦ କରିଛନ୍ତି । ଏହା ଭୋଟରମାନଙ୍କର ସେମାନଙ୍କ ଦଳଗୁଡିକ କେଉଁଠାରୁ ପାଣ୍ଠି ପାଉଛନ୍ତି ସେ କଥା ଜାଣିବାର ଅଧିକାରର ବିରୁଦ୍ଧାଚରଣ କରୁଛି । ତେଣୁ କିଏ କେଉଁ ଦଳକୁ କେତେ ପାଣ୍ଠି ଦେଇଛନ୍ତି ସେ କଥା ପ୍ରଘଟ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଯାୟୀ ନିର୍ବାଚନ କମିଶନ ୱେବସାଇଟ୍ରେ ସୂଚନା ପ୍ରକାଶ ପାଇଛି ।
ପ୍ରଥମ ଦର୍ଶନରେ ପ୍ରକାଶିତ ସୂଚନା ବେଶ୍ ସାଙ୍ଘାତିକ ଏବଂ ସରକାର ଓ କର୍ପୋରେଟଗୁଡିକ ମଧ୍ୟରେ ଏକ ନିହାତି ଅପବିତ୍ର ସମ୍ପର୍କର ଆଭାସ ଦେଉଛି । ମାର୍ଚ୍ଚ ୨୦୧୮ରୁ ଜାନୁଆରୀ ୨୦୨୪ ମଧ୍ୟରେ ମୋଟ ୧୬,୫୧୮କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍ ଆକାରରେ ବିଭିନ୍ନ ରାଜନୈତିକ ଦଳଗୁଡିକୁ ଦିଆଯାଇଥିଲା । ସେଥିମଧ୍ୟରୁ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ଦଳ ସର୍ବାଧିକ ୬,୫୬୬କୋଟି (୫୪.୭୭%) ଟଙ୍କା ପାଇଥିବାବେଳେ କଂଗ୍ରେସ ୧୧୨୩ କୋଟି ଟଙ୍କା (୯.୩୭%), ତୃଣମୂଳ କଂଗ୍ରେସ ୧୦୯୨କୋଟି ଟଙ୍କା (୯.୧୧%) ଏବଂ ବିଜୁ ଜନତା ଦଳ ୯୪୪.୫ କୋଟି ଟଙ୍କା (୭.୮୮%) ପାଇଥିଲା । ମାତ୍ର ଗୋଟିଏ ରାଜ୍ୟରେ ଶାସନ କରୁଥିବା ସତ୍ତ୍ୱେ ବିଜେଡ଼ି ପଞ୍ଚମ ସର୍ବାଧିକ ପାଣ୍ଠି ପାଇଥିବା ଦଳ । ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସୂଚନା ସାର୍ବଜନୀନ ହେବା ପରଠାରୁ ଯେଉଁ କେତୋଟି ପ୍ରଶ୍ନ ଜନମାନସକୁ ଆନ୍ଦୋଳିତ କରୁଛି ସେମାନଙ୍କ ମଧ୍ୟରୁ କେତୋଟି ହେଲା ।
କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ବିପୁଳ ପରିମାଣର ନିର୍ବାଚନୀ ପାଣ୍ଠି ବଣ୍ଡ୍ ଆକାରରେ ପାଇଛି, ଯାହାକୁ ବିପକ୍ଷର ପ୍ରମୁଖ ଦଳ କଂଗ୍ରେସଠାରୁ ଢ଼େରଗୁଣ ଅଧିକ । ପାଣ୍ଠିର ପରିମାଣ ଅନେକଙ୍କୁ ଶତ୍ରୁ କରିଦେବା ସ୍ୱାଭାବିକ । ତେବେ, କେନ୍ଦ୍ରରେ ତଥା ଅନେକଗୁଡିଏ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପି ଦଳର ନିର୍ବାଚନୀ ବଣ୍ଡ୍ ହେଉ ଅଥବା ଅନ୍ୟ ଉପାୟରେ ହେଉ; ଚାନ୍ଦା ସଂଗ୍ରହର ପାତ୍ରତା (ଯୋଗ୍ୟତା ସର୍ବାଧିକ) । ବିଜେପିର ନେତାମାନେ ନିର୍ବାଚିତ ପ୍ରତିନିଧିୱାରୀ ମୁଣ୍ଡପିଛା ଚାନ୍ଦାବୋଲି ଏକ ନୂଆ ମାନଦଣ୍ଡ ସୃଷ୍ଟିକରି ବିପକ୍ଷର ପ୍ରଚାରକୁ ଏଡ଼ାଇଯିବାର ପ୍ରୟାସ କରୁଛନ୍ତି ।
ଏଠାରେ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦିଆଯିବାର ମୂଳ କାରଣ ସମ୍ପର୍କରେ ସାମାନ୍ୟ ତର୍ଜମା କରାଯିବା ଆବଶ୍ୟକ । କୌଣସି କର୍ପୋରେଟ କମ୍ପାନୀ ପ୍ରତିଷ୍ଠାନ ସେମାନଙ୍କର ବଦାନ୍ୟତା ବା ସମାଜସେବା କରିବାର ମାନସିକତା କାରଣରୁ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦିଅନ୍ତି ନାହିଁ । ଏହି କର୍ପୋରେଟମାନେ ସରକାରଙ୍କ ନୀତି ନିୟମକୁ ପ୍ରଭାବିତ କରି ସେମାନଙ୍କ ପାଇଁ ଅନୁକୂଳ ନୀତି ନିୟମକୁ ଆଣିବାକୁ ଚାନ୍ଦା ଦେଇଥାଆନ୍ତି । ଏହାବ୍ୟତୀତ ନିଜର ବ୍ୟବସାୟକୁ ବା ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ସୁରକ୍ଷା କବଚକୁ ସୁନିଶ୍ଚିତ କରିବା ଏପରି ମୁକ୍ତ ହସ୍ତରେ ଗୁପ୍ତଦାନର ଅନ୍ୟ ଏକ ଉଦେ୍ଦଶ୍ୟ । ଏହା ବ୍ୟତୀତ ଏପରି ଦାନର ଅନ୍ୟ ଏକ ଉଦେ୍ଦଶ୍ୟ ହେଲା ବିଭିନ୍ନ ସରକାରୀ ଠିକା/କାମ ହାତେଇବା ।
ରାଜନୈତିକ ଦଳଗୁଡିକୁ ପାଣ୍ଠି ଯୋଗାଇବାର ଏହି କାରଣଗୁଡିକ ପୂର୍ବରୁ ଥିଲା । ନିର୍ବାଚନୀ ବଣ୍ଡ୍ର ପ୍ରଚଳନ ପୂର୍ବରୁ ଥିଲା ଏବଂ ଏବେ ମଧ୍ୟ ରହିଛି । ତେବେ ଏପରି ଦାନ କେତେକାଂଶରେ ବ୍ୟାଙ୍କ ମାଧ୍ୟମରେ ଏବଂ ଏହା ବଡ଼ ବଡ଼ ଅଂଶ ପ୍ରତ୍ୟକ୍ଷ ଟଙ୍କା ମାଧ୍ୟମରେ କରାଯାଉଥିଲା । ତେଣୁ ନିର୍ବାଚନୀ ବଣ୍ଡ୍ ଯୋଜନା ଲାଗୁ କରାଯିବା ପରେ ପୂର୍ବର ବ୍ୟବସ୍ଥା ଏବଂ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ସଲାସୁତୁରା ବଜାୟ ରହିଛି । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବା ପରି ବିଶେଷ କିଛି ନାହିଁ । ନ୍ୟାୟାଳୟର ଘଟଣାକ୍ରମ ଯାହା କିଛି ହୋଇ ଥାଉନା କାହିଁକି ଏବେ କିଏ କାହାକୁ କେତେ ଟଙ୍କା ଦେଇଛି ସେ କଥା ତ ଜଣାପଡୁଛି । ପୂର୍ବ ବ୍ୟବସ୍ଥାରେ ଏକଥା ମଧ୍ୟ ଜଣାପଡୁନଥିଲା । ପୂର୍ବ ବ୍ୟବସ୍ଥାରେ ବ୍ୟାଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ରୂପେ ମଧ୍ୟ ଚାନ୍ଦା ଦିଆଯାଇପାରୁଥିଲା । ସେଥିରେ କଳା ଟଙ୍କା ଦାନ ହେଉ ନଥିଲା । ମାତ୍ର ଦାତାଙ୍କର ଗୋପନୀୟତା ରକ୍ଷା କରାଯାଇ ପାରୁନଥିଲା ।
ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥା ଫଳରେ ବ୍ୟାଙ୍କ ମାଧ୍ୟମରେ ଆସୁଥିବାରୁ ଏହାଦ୍ୱାରା କଳା ଟଙ୍କାକୁ ଏଡ଼ାଇ ଦିଆଯାଇପାରିଲା, ସେଥିରେ ଗୋପନୀୟତା ରକ୍ଷା କରାଯାଇପାରିଲା ଏବଂ ଏହା ଅଧିକ ପାରଦର୍ଶୀ ମଧ୍ୟ ହେଲା ଏବଂ ଏକଥା ମଧ୍ୟ ସତ୍ୟ ଯେ, ଏହି ଯୋଜନା ଲାଗୁ ହେବା ପରେ ପ୍ରତ୍ୟକ୍ଷ ଅର୍ଥଦାନ ହ୍ରାସ ପାଇଛି । ତେଣୁ ବହୁ ଦିଗରୁ ବିଚାର କଲେ ନିର୍ବାଚନୀ ବଣ୍ଡ୍ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା । ମାତ୍ର ତା’ ସତ୍ତ୍ୱେ ଭୋଟରମାନଙ୍କର ସେମାନଙ୍କ ରାଜନୈତିକ ଦଳ କାହାଠାରୁ ପାଣ୍ଠି ପାଉଛି ସେ କଥା ଜାଣିବାର ଅଧିକାରର ଦ୍ୱାହି ଦେଇ ନିର୍ବାଚନୀ ବଣ୍ଡ୍ର ଭିତର କଥା ପ୍ରଘଟ କରାଗଲା । ପୂର୍ବ ବ୍ୟବସ୍ଥାରେ ୨୦,୦୦୦ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ପାଇଁ ଫର୍ମପୂରଣ ଦରକାର ନାହିଁ, ଏତିକି ନିଶ୍ଚିତ ରୂପେ ହୋଇପାରି ନଥାନ୍ତା । କିନ୍ତୁ ତା’ ସତ୍ତ୍ୱେ ନିର୍ବାଚନୀ ବଣ୍ଡ୍ ଏକ ସମ୍ବିଧାନର ବିରୁଦ୍ଧାଚରଣ କରୁଥିବା ବ୍ୟବସ୍ଥା ରୂପେ ବଦନାମ ହେବ, ଯେତେବେଳେ କି କାଳ୍ପନିକ ନାମରେ ୨୦,୦୦୦ ଟଙ୍କାରୁ କମର ଚାନ୍ଦା ଏକ ଭଲ ବ୍ୟବସ୍ଥା ବୋଲି କୁହାଯିବ । ନିର୍ବାଚନୀ ବଣ୍ଡ୍କୁ ନେଇ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ, ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରାଇଟସ୍ (ଏ.ଡି.ଆର.) ୨୦୧୮ ମସିହାରୁ ଏହି ଯୋଜନା ବିରୁଦ୍ଧରେ ମୋକଦ୍ଦମା କରିଥିଲେ ମଧ୍ୟ ମାନ୍ୟବର ସୁପ୍ରିମକୋର୍ଟ ୨୦୨୪ ଫେବୃଆରୀ ମାସରେ ଯାଇ ଏ ବାବଦକୁ ରାୟ ଦେଲେ ଯେ ଏହା ସମ୍ବିଧାନବିରୋଧୀ । ଅର୍ଥାତ୍, ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚବର୍ଷ କାଳ ମାନ୍ୟବର ସୁପ୍ରିମକୋର୍ଟଙ୍କ ନାକତଳେ ଏକ ସମ୍ବିଧାନବିରୋଧୀ କାର୍ଯ୍ୟ ସଂଘଟିତ ହେଲା! ଆମ ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରାଯିବା ଉପରେ ଏହି ଘଟଣାଟି ଆଲୋକପାତ କରୁଛି । ତେବେ କେତେକଙ୍କର କହିବା କଥା ଯେ, ସବୁ କିଛି ଜଣାଥିଲେ ମଧ୍ୟ, ଜାଣିଶୁଣି ଏହାର ରାୟକୁ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରଖାଯାଇଥିଲା । ତେବେ, ଏହା ନିନ୍ଦୁକମାନଙ୍କର ଅଭିଯୋଗ ହୋଇପାରେ । ଅନ୍ୟପକ୍ଷରେ ନିର୍ବାଚନୀ ବଣ୍ଡ୍ ଚାନ୍ଦା ଦେଉଥିବା କମ୍ପାନୀମାନଙ୍କର ନାମକୁ ଗୋପନ ରଖିବା କଥା । ମାତ୍ର ଭୋଟରମାନଙ୍କର ଅଧିକାର ଅଧିକ ବଳଶାଳୀ ହେବାରୁ ଯୋଜନାର ଗୋପନୀୟତାର ପ୍ରତିଶ୍ରୁତି ଭଙ୍ଗ ହୋଇଗଲା ।
ତେବେ ନିର୍ବାଚନୀ ବଣ୍ଡ୍ କାଣ୍ଡର ସବୁଠାରୁ ବେଶି ଲଜ୍ଜାଜନକ ସୂଚନା ହେଲା ଇଡି ବା ଆୟକର ବିଭାଗର ତଦନ୍ତ ପରିସରଭୁକ୍ତ କମ୍ପାନୀଗୁଡିକ ରେଡ୍ (ଚଢ଼ଉ) ହେବାର କେଇ ଦିନ ବା ସପ୍ତାହ ମଧ୍ୟରେ ବିଜେପି ଦଳକୁ କୋଟି କୋଟି ଟଙ୍କାର ଗୁପ୍ତଦାନ କରିବା । ଏପରି ଦାନକୁ ଦୁଇ ପ୍ରକାରେ ତର୍ଜ୍ଜମା କରାଯାଇପାରେ । ତଦନ୍ତ ଅନୁଷ୍ଠାନଗୁଡିକ ଦ୍ୱାରା ଧରାପଡିଥିବାରୁ ଏହି କମ୍ପାନୀମାନେ ବିଜେପିକୁ ଉକ୍ରୋଚ ଦେଉଥିଲେ । ଦ୍ୱିତୀୟଟି ହେଲା ଶାସନ କ୍ଷମତାରେ ଥିବା ଦଳ କମ୍ପାନୀମାନଙ୍କୁ ଡରାଇ ସେମାନଙ୍କଠାରୁ ଅସୁଲି କରୁଥିଲେ । ଉଭୟ ବ୍ୟବସ୍ଥା ନିହାତି ନିନ୍ଦନୀୟ । ତେବେ ସମ୍ପ୍ରତି ଏକଥା ତଦନ୍ତ କରାଯିବା ଉଚିତ ଯେ, ଯେଉଁ କମ୍ପାନୀଗୁଡିକର ଦାନ ଚଢ଼ଉ ସହ ସମ୍ପୃକ୍ତ, ସେମାନଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର କୌଣସି କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି କି? କୌଣସି ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି କି? ଜାତୀୟ ସରକାରଙ୍କ ଦ୍ୱାରା ଏପରି କରାଯାଇଥିଲେ ତାହା ଘୋର ଚିନ୍ତାର ବିଷୟ ।
କିନ୍ତୁ ରାଜ୍ୟ ସରକାରମାନେ ଯଦି ଏପରି କରୁଥାଆନ୍ତି ତେବେ ତା ଠାରୁ ଅଧିକ ଦୁର୍ଭାଗ୍ୟଜନକ ଘଟଣା ଆଉ କିଛି ଥାଇନପାରେ; କାରଣ ସାଧାରଣ ଲୋକଙ୍କର ହର୍ତ୍ତାକର୍ତ୍ତା ଦୈବ ବିଧାତା ହେଉଛନ୍ତି ରାଜ୍ୟ ସରକାର । ଜମି ଅଧିଗ୍ରହଣଠାରୁ ଆରମ୍ଭକରି କ୍ଷତିପୂରଣ ପ୍ରଦାନ, ଥଇଥାନ, ପାରିବେଶିକ ସନ୍ତୁଳନ ବଜାୟ ରଖିବା, ପ୍ରଦୂଷଣର ନିରାକରଣ କରିବା ଇତ୍ୟାଦି ଯାବତୀୟ କର୍ତ୍ତବ୍ୟ ତୁଲାଇବାର ଦାୟ ରାଜ୍ୟ ସରକାରଙ୍କ ଉପରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ପଞ୍ଚମ ସର୍ବାଧିକ ଦାନ ପାଇଥିବା ଦଳ । କେବଳ ଇଲେକ୍ଟୋରାଲ ବଣ୍ଡ୍ରୁ ବିଜୁ ଜନତା ଦଳ ୯୪୪.୫କୋଟି ଟଙ୍କା ପାଇଛି । ତେବେ ଏହି ପାଣ୍ଠି କେଉଁ କେଉଁ ସଂସ୍ଥାଗୁଡିକଠାରୁ ଆସିଛି ସେ କଥା ଜାଣିବା ପରେ ଯଦି ଆମ ଭିତରେ ପଥଭ୍ରଷ୍ଟ ଓଡ଼ିଆ ଅସ୍ମିତାର ଭାବ ଆସେ , ତାହା ହିଁ ଅସ୍ୱାଭାବିକ ହେବ ।
ବିଜେଡିକୁ ସର୍ବାଧିକ ଚାନ୍ଦା ଦେଇଥିବା କମ୍ପାନୀ ହେଉଛି ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ । ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ବିର୍ଲା ଗ୍ରୁପ କମ୍ପାନୀ ବିଜେଡ଼ିକୁ ମୋଟ ୨୫୪.୫କୋଟି ଟଙ୍କାର ଗୁପ୍ତ ଦାନ କରିଛନ୍ତି । ଏହି କମ୍ପାନୀର ଏସ୍ଏଲ୍ ମାଇନିଂ ୧୭୪.୫କୋଟି ଟଙ୍କା, ଉତ୍କଳ ଆଲୁମିନା ଇଣ୍ଟର ନ୍ୟାସନାଲ୍ ଲିମିଟେଡ ୭୦ କୋଟି ଟଙ୍କା ଏବଂ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ ୧୦କୋଟି ଟଙ୍କା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଆଦିତ୍ୟ ବିର୍ଲା ଗୃପ କମ୍ପାନୀର ବରିଷ୍ଠ ପଦାଧିକାରୀ ସଂତୃପ୍ତ ମିଶ୍ର ନିଜ ପଦବୀରୁ ଇସ୍ତଫା ଦେଇ ପରେ ବିଜେଡି ଦଳରେ ସାମିଲ ହୋଇ ବର୍ତ୍ତମାନ କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହି ଉକôଳ ଆଲୁମିନା କମ୍ପାନୀକୁ ନେଇ ସ୍ଥାନୀୟ କାଶୀପୁର ଟିକିରି ଅଞ୍ଚଳରେ ଦୀର୍ଘବର୍ଷ ହେବ ଜନଆନେ୍ଦାଳନ ଜାରି ରହିଛି । ସରକାର କମ୍ପାନୀ ପାଇଁ ଅନେକ ଲୋକଙ୍କୁ ଦମନ କରିବାକୁ ମିଛ କେଶ ମାଧ୍ୟମରେ ଜେଲରେ ଠୁଙ୍କି ଦେଉଛନ୍ତି ବୋଲି ଅନେକ ଅଭିଯୋଗ ରହିଛି । ଏକାଧିକ ଆଦିବାସୀ ମହିଳା ଏପରି ନିର୍ଯାତନାର ଶିକାର ହୋଇ ପରେ ନିଦେ୍ର୍ଦାଷରେ ନ୍ୟାୟାଳୟରୁ ଖଲାସ ହୋଇଛନ୍ତି । ଏଠାରେ ମନେ ପକାଇଦିଆଯାଇପାରେ ଯେ, ଏହି କମ୍ପାନୀପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ମାଇକଞ୍ଚ ଗୁଳିକାଣ୍ଡ ଘଟିଥିଲା ଏବଂ ପୁଲିସ ଗୁଳିରେ ୩ଜଣ ନିରୀହ ଆଦିବାସୀ ମୃତ୍ୟୁବରଣ କରିଥିଲେ । କଳିଙ୍ଗନଗର ଗୁଳିକାଣ୍ଡ ପୂର୍ବରୁ ଏହି ଗୁଳିକାଣ୍ଡ ଘଟଣା ଘଟିଥିଲା ।
ସେହିପରି ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିମିଟେଡ ୧୦୦କୋଟି ଟଙ୍କା ଏବଂ ଜିନ୍ଦଲ ଷ୍ଟେନଲେସ ୩୦କୋଟି ଟଙ୍କା ଦେଇଛନ୍ତି । ବେଦାନ୍ତ ଲିମିଟେଡ ୪୦କୋଟି, ରୁଙ୍ଗଟା ସନ୍ସ ୫୦କୋଟି-ଏପରି ଲମ୍ବିଛି ତାଲିକା । ମୁଖ୍ୟତଃ ଖଣି ଓ ଶିଳ୍ପକମ୍ପାନୀ ଏମାନେ । ବିଜେପି ଦଳପରି ଇଡି ଓ ସିବିଆଇର ଡର ଦେଖାଇ ତ ଏପରି ଅର୍ଥ ଆଦାୟ ହୋଇନାହିଁ । ତେବେ ଏହି କମ୍ପାନୀମାନେ କ’ଣ ପାଇଁ ଓଡ଼ିଶାରେ ଶାସନରେ ଥିବା ବିଜୁ ଜନତା ଦଳକୁ ଏତେ ପରିମାଣର ଅର୍ଥ ଦେଇ ଅନୁଗ୍ରହିତ କରିଛନ୍ତି?
ଏତେ ପରିମାଣର ଚାନ୍ଦାର ପ୍ରତି ବଦଳରେ ରାଜ୍ୟ ସରକାର ଏହି କମ୍ପାନୀଗୁଡିକୁ କ’ଣ ଦେଇଛନ୍ତି ସେହି କଥା ହିଁ ସଚେତନ ଓଡ଼ିଶାବାସୀଙ୍କୁ ପଚାରୁଛନ୍ତି । କ’ଣ ଖଣି କମ୍ପାନୀମାନେ ଅଧିକ ପରିମାଣର ଖଣିଜ ଉତ୍ତୋଳନ କରିଥିଲେ ମଧ୍ୟ ରାଜ୍ୟ ସରକାର ତାକୁ କମ୍ ବୋଲି ଦର୍ଶାଉଛନ୍ତି? କ’ଣ ପାରିବେଶିକ ଅବକ୍ଷୟ, ପ୍ରଦୂଷଣ ଇତ୍ୟାଦି ପ୍ରତି ଆଖି ବୁଜିଦେବାର ମୂଲ୍ୟ ଏହା? ନାଁ, ଖଣି ଓ ଶିଳ୍ପାୟନକୁ ବିରୋଧ କରୁଥିବା ସ୍ଥାନୀୟ ଜନସାଧାରଣଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଶାସନିକ କଳ ଓ ପୋଲିସର ଜୁଲୁମ୍ ଏବଂ ଆବଶ୍ୟକସ୍ଥଳେ ଗୁଳି ଚଳାଇ ଶିଳ୍ପାୟନ ପ୍ରକ୍ରିୟାକୁ ସାବଲୀଳ କରିବା ପାଇଁ କଣ ଏହି ନିର୍ବାଚନୀ ପାଣ୍ଠି ବିଜେଡ଼ି ସମେତ ଅନ୍ୟ ରାଜନୈତିକ ଦଳକୁ ମିଳୁଛି କି ବୋଲି ସର୍ବସାଧାରଣରେ ପ୍ରଶ୍ନ ହେଉଛି!
ଏଭଳି ନିର୍ବାଚନ ପାଣ୍ଠି ବିଜେଡ଼ିକୁ ଯୋଗାଇ ଦିଆଯାଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି, ମାତ୍ର ନିଜକୁ ଓଡ଼ିଶାର ବହୁଳ ପ୍ରସାରିତ ଏବଂ ମୁଖ୍ୟସ୍ରୋତର ପ୍ରଥମ ଧାଡ଼ିର ଗଣମାଧ୍ୟମ ବୋଲି ଡିଣ୍ଡିମ ପିଟୁଥିବା ସଂସ୍ଥାମାନେ ଏହାକୁ ନେଇ କୌଣସି ଖବର ପ୍ରକାଶିତ ଓ ପ୍ରସାରଣ ନକରିବା ବଡ ବିତର୍କ ସୃଷ୍ଟି କରିଛି । ଅନ୍ୟପଟରେ ଏହି ନିର୍ବାଚନୀ ପାଣ୍ଠିକୁ ନେଇ କୌଣସି ନେତା ପ୍ରତିକ୍ରିୟା ମଧ୍ୟ ରଖୁନାହାନ୍ତି ।
ମାଇକଞ୍ଚ ଓ କଳିଙ୍ଗନଗର ଗୁଳିକାଣ୍ଡ ହେଉ ଅବା ନିୟମଗିରିରେ ନିରୀହରେ ମଣିଷକୁ ନକ୍ସଲ ଭଳି ମିଛ କେଶରେ ନିର୍ଯାତନା କରିବା ପରି କାଣ୍ଡ ଭିଆଇବାର ମୂଲ୍ୟ ଇଏ? ଆମ ସରକାର ବିଜେଡ଼ି ଦଳ ଗ୍ରହଣ କରିଥିବା ଚାନ୍ଦା ବାବଦକୁ ରାଜ୍ୟର କେତେ ସମ୍ବଳ ଓ ରାଜ୍ୟବାସୀଙ୍କର କେତେ ଅଧିକାରକୁ କମ୍ପାନୀମାନଙ୍କ ହାତରେ ଟେକି ଦେବାର ମୂଲ୍ୟ ନେଇଛନ୍ତି; ସେ କଥା ଜାଣିବାର ଅଧିକାର ଅନ୍ତତଃ ଓଡ଼ିଶାବାସୀଙ୍କର ରହିଛି ବୋଲି ବିଚାରିବା ହେବ ଓଡ଼ିଆ ଅସ୍ମିତାର ପରିପ୍ରକାଶ ।
Comments
0 comments