ଅନେକଙ୍କର ହୁଏତ ମନେଥିବ ଏକଦା ଆମ ଛୋଟ ବଡ଼ ସହରମାନଙ୍କ ରାସ୍ତାକଡ଼ରେ ଥିବା କିଛି କିଛି କାନ୍ଥରେ ବଡ଼ ବଡ଼ ଥ୍ରୀଡି ଅକ୍ଷରରେ କିଛି ଲେଖା ହେଉଥିଲା । ମୁଖ୍ୟତଃ ଭାରତର ବାମପନ୍ଥୀ ଦଳ ଓ ସେମାନଙ୍କ ଛାମୁଆ ଛାତ୍ର ସଂଗଠନମାନେ କ୍ଷମତାସୀନ ସରକାରଙ୍କ କିଛି ନୀତିକୁ ବିରୋଧ କରି ଏସବୁ ଲେଖିଥା’ନ୍ତି ଓ କିଛି କିଛି ଛବି ବି ଆଙ୍କିଥା’ନ୍ତି । ଆଜିକାଲି ସେ ଦୃଶ୍ୟ ଆଉ ଦେଖାଯାଉନି । ସରକାର ବଡ଼ ଚତୁରତାର ସହ ସହର-ବଜାରର କାନ୍ଥମାନଙ୍କୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ସେଠି ଫୁଲ, ଫଳ, ହାତୀ ଓ ବଗମାନଙ୍କ ସହ ଆମ ସାଂସ୍କୃତିକ ଦୃଶ୍ୟସବୁ ଅଙ୍କାଯାଉଛି । କିଛି ଶିଳ୍ପୀଙ୍କର ପେଟପାଟଣା ସେଥିରେ ଚାଲିଛି । ତେଣୁ ସେସବୁ କାନ୍ଥଚିତ୍ରମାନଙ୍କ ବିଷୟରେ ଆମେ କିଛି କହୁନୁ । ସେସବୁ ତଥାକଥିତ କାନ୍ଥ ଚିତ୍ରକୁ ସରକାର କାହିଁକି କରାଉଛନ୍ତି ଓ ସେସବୁ ସତରେ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଇବାରେ ସହାୟକ ହେଉଛନ୍ତି ନା ନାହିଁ ଏବଂ ସେସବୁକୁ କିଏ ନିୟନ୍ତ୍ରଣ କରୁଛନ୍ତି ଆମେ ଜାଣିନୁ । କିଛି ମାସ ତଳେ ମୁଁ କେରଳର କିଛି ଉତ୍ସାହୀ ଯୁବ କଳାକାରମାନଙ୍କ ଚମତ୍କାର କାନ୍ଥ ଚିତ୍ର ବିଷୟରେ ଲେଖିଥିଲି । ସେମାନଙ୍କର ସଂଗୋଷ୍ଠୀର ନାମ ହେଉଛି ଟ୍ରେସ୍ପାର୍ସ । ସେମିତି କିଛି ଛବି ଆମର ଏଠା ସହର ବଜାର କାନ୍ଥରେ ଆଶା କରିବା ବୃଥା ।
କଳା ଇତିହାସରେ କାନ୍ଥଚିତ୍ର କିଛି ନୂଆକଥା ନୁହେଁ । ଏମିତି ଦେଖିଲେ ଆଦିମାନବ ତା’ର ଚିତ୍ରକୁ ଗୁମ୍ଫା କାନ୍ଥରେ ହିଁ ଆଙ୍କିଥିଲା । ହଜାର ହଜାର ବର୍ଷ ଭିତରେ ଚିତ୍ରକଳା ଭିନ୍ନ ଭିନ୍ନ ମାଧ୍ୟମ ଓ କୌଶଳରେ ପ୍ରକାଶ ପାଇଥିଲେ ବି କାନ୍ଥରେ ଅଙ୍କା ବାଗଟି ଏବେ ବି ବଳବତ୍ତର ରହିଛି । ବଡ଼କଥା ହେଲା କେତେବେଳେ ତାହା ବରାଦରେ ତ କେତେବେଳେ ପ୍ରତିବାଦରେ ଆଜି ବି ଅଙ୍କାଯାଉଛି । ଧିରେ ଧିରେ ବରାଦି ଛବିର ପ୍ରାବଲ୍ୟ ଭିତରେ ପ୍ରତିବାଦର ସ୍ୱର ବେଶ୍ କ୍ଷୀଣ ହୋଇ ସାରିଲାଣି । ଚିତ୍ତ ପ୍ରସାଦ, ଜାଇନୁଲ୍ ଆବେଦିନ କି ସୋମନାଥ ହୋରଙ୍କ ପରି ପ୍ରତିବାଦୀ ଶିଳ୍ପୀ ଆଜି ଆଉ ଭାରତୀୟ ଚିତ୍ରକଳାରେ ନାହାଁନ୍ତି । ଗ୍ରାଫିଟି ଆନ୍ଦୋଳନ ବି ଭାରତରେ ଚେର ମେଲେଇ ପାରିଲାନି । କାନ୍ଥରେ ଅଙ୍କା ଯାଉଥିବା ସବୁ ଛବି ଗ୍ରାଫିଟି ନୁହେଁ । ପ୍ରତିବାଦର ଛବି ଭାବରେ ବିଦେଶରେ ଗ୍ରାଫିଟି ଶବ୍ଦଟି ଖୁବ୍ ଜଣାଶୁଣା । ଏହା ଯୁକ୍ତରାଷ୍ଟ୍ର ଆମେରିକାର ସବ୍ୱେରୁ ଏକଦା ଆରମ୍ଭ ହୋଇ ସାରା ବିଶ୍ୱକୁ ବ୍ୟାପିଥିଲା ।
କାନ୍ଥ ବାଡ଼ରେ ପ୍ରତିବାଦର ଛବି ଆଙ୍କୁଥିବା ଚିତ୍ରଶିଳ୍ପୀମାନଙ୍କ ଭିତରେ ବିଭିନ୍ନ କାରଣରୁ ବାଙ୍କ୍ସି ଏକ ଖୁବ ଚର୍ଚ୍ଚିତ ନାମ । ଆଜିର ପୃଥିବୀରେ ବଞ୍ଚି ରହିଥିବା ହାତଗଣତି ବିଖ୍ୟାତ ଚିତ୍ରଶିଳ୍ପୀମାନଙ୍କ ଭିତରେ ତାଙ୍କୁ ଅନ୍ୟତମ ଶିଳ୍ପୀ ଭାବରେ ଗଣାଯାଏ । ବାଙ୍କ୍ସି ଏମିତି ଜଣେ ଚିତ୍ରଶିଳ୍ପୀ, ଯାହାଙ୍କ ପ୍ରକୃତ ନାମ କ’ଣ କେହି ଜାଣନ୍ତିନି । ସେ କେମିତିକା ମଣିଷ ବି କେହି ଦେଖିନାହାଁନ୍ତି । କୌଣସି ଟି.ଭି ଶୋ’ରେ ସେ କେବେ ବି ମୁହଁ ଦେଖାଇ ନାହାଁନ୍ତି ଓ ନିଜକୁ ଏତେ ବର୍ଷ ଧରି ପାପାରାଜିମାନଙ୍କ ଠାରୁ ବି ଲୁଚେଇ ରଖି ପାରିଛନ୍ତି । ମୋ ମତରେ, ନିଜକୁ ଏମିତି ଏତେବର୍ଷ ଧରି ଲୁଚେଇ ରଖିବା ବି ଏକ ଚମତ୍କାର ପରଫରମାନ୍ସ ଆର୍ଟ । ଅଥଚ ତାଙ୍କ ଛବିକୁ ତାଙ୍କ ବିଷୟରେ କିଛି ବି ଜାଣିନଥିବା ଲୋକଟି ଜାଣିଛି । ପ୍ରାୟ ୧୯୯୦ ବେଳକୁ ବାଙ୍କ୍ସିଙ୍କ ରାଜନୈତିକ ପ୍ରତିବାଦ ଓ ବ୍ୟଙ୍ଗ ସମ୍ବଳିତ ଷ୍ଟେନ୍ସିଲ୍ ଗ୍ରାଫିଟି ସବୁ ଇଂଲଣ୍ଡର ବ୍ରିଷ୍ଟୋଲ୍ ସହରର ରାସ୍ତାଘାଟରେ ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାର ନଖରାମି କରି ସେ କ୍ରମେ ଲୋକପ୍ରିୟ ଓ ଚର୍ଚ୍ଚିତ ହୋଇଛନ୍ତି ।
କୁହାଯାଏ, ବାଙ୍କ୍ସି ଚଉଦବର୍ଷ ବେଳକୁ ଛବି କରିବା ଆରମ୍ଭ କରିଥିଲେ ଓ ଛୋଟ ମୋଟ ଅପରାଧ କରି ଜେଲ୍ ମଧ୍ୟ ଯାଇଥିଲେ । ଗ୍ରାଫିଟି କରିବା ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିବାରୁ ବାଙ୍କ୍ସି ନିଜକୁ ଲୁଚେଇ ରଖିବାକୁ ପସନ୍ଦ କରିଛନ୍ତି । ଦ ଗାର୍ଡିଆନ୍ ପତ୍ରିକାରେ ଜଣେ ବ୍ରିଟିଶ୍ ସାମ୍ବାଦିକଙ୍କ ୨୦୦୩ ମସିହାର ତଥ୍ୟ ଅନୁସାରେ ବାଙ୍କ୍ସି କୁଆଡ଼େ ସାଧାରଣ ଜିନ୍ସ, ଟି ସାର୍ଟ ପିନ୍ଧିଥିବା ଓ ରୁପା ଚେନ୍ ଏବଂ ରୂପାର କାନ ନୋଳି ପିନ୍ଧିଥିବା ୨୮ବର୍ଷିଆ ଜଣେ ଶ୍ୱେତାଙ୍ଗ ଯୁବକ । ସେଇ ବ୍ରିଟିଶ୍ ସାମ୍ବାଦିକଙ୍କ ତଥ୍ୟ ଅନୁସାରେ ବାଙ୍କ୍ସି ୧୯୯୦ ଯାଏ ବ୍ରିଷ୍ଟୋଲ୍ରେ ଥିଲେ ଓ ୨୦୦୦ ବେଳକୁ ଲଣ୍ଡନ ସହରକୁ ଚାଲି ଆସିଥିଲେ । ଦ ମେଲ୍ ଅନ୍ ସଣ୍ଡେ ଖବରକାଗଜ ଅନୁସାରେ ବାଙ୍କ୍ସିଙ୍କର ଜନ୍ମ ୨୮ ଜୁଲାଇ ୧୯୭୨ ମସିହାରେ ବ୍ରିଷ୍ଟୋଲ୍ଠାରୁ ଉଣେଇଶି କିଲୋମିଟର ଦୂରରେ ହୋଇଥିଲା । ବିଭିନ୍ନ ସମୟରେ ଅଲଗା ଅଲଗା ଲୋକଙ୍କୁ ବାଙ୍କ୍ସି ବୋଲି ଅନୁମାନ ଲଗାଇ ଖବର ପ୍ରକାଶିତ ହୁଏ । କିନ୍ତୁ ଆଜିଯାଏ କିଏ ପ୍ରକୃତ ବାଙ୍କ୍ସି ତାହା କିନ୍ତୁ ପ୍ରମାଣ ହୋଇପାରିନି ।
ବାଙ୍କ୍ସି ୧୯୯୦-୯୪ ବେଳକୁ ତାଙ୍କର ଛବି ସିଧାସଳଖ କାନ୍ଥରେ ଆଙ୍କୁଥିବାବେଳେ ପ୍ରାୟ ୨୦୦୦ମସିହା ବେଳକୁ ଷ୍ଟେନ୍ସିଲ୍ର ବ୍ୟବହାର କରିଛନ୍ତି । ରାତିର ଅନ୍ଧାରରେ ଲୁଚି ଲୁଚି କାହା କାନ୍ଥରେ ଦୀର୍ଘ ସମୟ ଧରି ଚିତ୍ର ଆଙ୍କିବାଠାରୁ ଷ୍ଟେନ୍ସିଲ୍ ମାଧ୍ୟମଟି ସହଜ ଓ ସରଳ ଥିଲା । ଆଗରୁ ଷ୍ଟେନ୍ସିଲ୍ଟି ପ୍ରସ୍ତୁତ କରି ରଖିଲାପରେ ସମୟ ଓ ସୁବିଧା ଦେଖି ନିର୍ଦ୍ଧାରିତ ଜାଗାରେ ସେଇଟିକୁ ଲଗାଇ ରଙ୍ଗ ସ୍ପ୍ରେ କରିଦେଲେ ହେଲା । ଅଳ୍ପ କିଛି ସମୟ ଭିତରେ କାମସାରି ଜାଗା ମୁଣ୍ଡରୁ ସେ ଉଡ଼ାନ୍ ଛୁ ମାରୁଥିଲେ । ଘଟଣାଟିକୁ ଭାବିଲେ ଲାଗୁଛି, ଜଣେ ଚିତ୍ରଶିଳ୍ପୀ ଗରିଲା ଯୁଦ୍ଧକୌଶଳ ଅବଲମ୍ବନ କରି ରାତିର ଅନ୍ଧାରରେ ତା’ ଚିତ୍ର ମାଧ୍ୟମରେ ଆକ୍ରମଣ କରିଥିବ ଓ ସକାଳର ଆଲୁଅରେ ପୃଥିବୀ ସେ ଛବିକୁ ସାମ୍ନା କରିବ । ଲୁଚି ଲୁଚି ଚିତ୍ର କରୁଥିବାରୁ ବାଙ୍କ୍ସିଙ୍କ ଚିତ୍ରଅଙ୍କା କୌଶଳଟି ସଠିକ୍ ଓ ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼େନି । ଅନୁମାନ କରାଯାଏ, ସେ ଚିତ୍ରରେ ବ୍ୟବହୃତ ଇମେଜ୍ଗୁଡ଼ିକୁ ଷ୍ଟେନ୍ସିଲ୍ ଅବସ୍ଥାକୁ ଆଣିବାପାଇଁ ହୁଏତ କମ୍ପ୍ୟୁଟରର ସାହାଯ୍ୟ ନେଉଥିବେ । ଏକଥା ସତ ଯେ, କାହା ଆଖିରେ ବିଶେଷ କରି ପୋଲିସ୍ ଆଖିରେ ପଡ଼ିବାଆଗରୁ କାମ ସାରିବାକୁ ସେ ଆଙ୍କିବା ଛାଡ଼ି ଏ ଷ୍ଟେନ୍ସିଲ୍ ବ୍ୟବସ୍ଥାକୁ ଆପଣାଇଥିଲେ । କଳା ସମାଲୋଚକମାନଙ୍କ ମତରେ ସେ ମ୍ୟାସିଭ୍ ଆଟାକ୍ ନାମକ ଏକ ମ୍ୟୁଜିକ୍ ବ୍ୟାଣ୍ଡ୍ର ଥ୍ରୀଡି ନାମକ ଜଣେ ସଦସ୍ୟଙ୍କ ଗ୍ରାଫିଟି ଛବି ଦ୍ୱାରା ପ୍ରଭାବିତ ଥିଲେ । ଏହାଛଡ଼ା ଅନ୍ୟ କିଛି ବିଦେଶୀ ଗ୍ରାଫିଟି ଶିଳ୍ପୀଙ୍କର ପ୍ରଭାବ ବି ତାଙ୍କ ଉପରେ ଥିଲା ।
ସେ ମୁଖ୍ୟତଃ ଯୁଦ୍ଧ ବିରୁଦ୍ଧରେ, ପୁଞ୍ଜିବାଦ ଓ ସାମାଜିକ ସ୍ଥିତାବସ୍ଥା ବିରୋଧରେ ତାଙ୍କ କଳା ସୃଷ୍ଟି କରନ୍ତି । ଯେଉଁଥିରେ ପୋଲିସ୍, ସୈନିକ, ମୂଷା, ମାଙ୍କଡ଼, ସାନ ପିଲା ଓ ବୟସ୍କ ମଣିଷମାନେ ଚରିତ୍ର ଭାବରେ ଉଭା ହୋଇଥା’ନ୍ତି । କେବେ କେବେ ସେ ତାଙ୍କ ଗ୍ରାଫିଟିରେ କିଛି କିଛି ଲେଖା ମଧ୍ୟ ସ୍ଲୋଗାନ୍ ଭାବରେ ସ୍ଥାନ ଦେଇଥା’ନ୍ତି । ସୋସିଆଲ୍ ମିଡିଆର ଲୋକପ୍ରିୟତା ପରେ ବାଙ୍କ୍ସିଙ୍କର ୨୦୦୨ର ଗାର୍ଲ ଉଇଥ୍ ବେଲୁନ୍ ଷ୍ଟେନସିଲ୍ ମ୍ୟୁରାଲ୍ଟିକୁ ଅନେକ ଲୋକ ନିଶ୍ଚୟ ଦେଖିଥିବେ । ହଁ ସେହି ଅଜଣା, ବିଖ୍ୟାତ ଓ ବିବଦମାନ ଶିଳ୍ପୀଙ୍କ ନାଁ ହୁଏତ ଜାଣି ପାରିନଥିବେ । ଗାର୍ଲ ଉଇଥ୍ ବେଲୁନ୍ ଛବିଟି ହେଲା, ଯେଉଁଥିରେ ଉଡୁଥିବା ପ୍ରେମ ଚିହ୍ନର ଲାଲ୍ ବେଲୁନ୍ ଆଡ଼କୁ ଛୋଟ ଝିଅଟିଏ ହାତ ବଢ଼େଇ ଛିଡ଼ା ହୋଇଛି । ଛବିରେ ଝିଅଟିର ହାତରୁ ବେଲୁନ୍ଟି ଖସିଯାଇଛି ନା ଧିରେ ଧିରେ ତା’ର ହାତକୁ ଆସୁଛି? ଆପଣ ଆପଣଙ୍କ ଅନୁସାରେ ଯାହା ବି ଅର୍ଥ କରିପାରନ୍ତି । ଦୁଇଟାଯାକ ପରିସ୍ଥିତି ସତ । ଲଣ୍ଡନ ସହରର ବିଭିନ୍ନ ସ୍ଥାନରେ ସେ ଏହି ମ୍ୟୁରାଲ୍ କୁ ଅନ୍ୟ ସମୟରେ ଅନ୍ୟ କିଛି ସମସ୍ୟାକୁ ଦର୍ଶାଇ ଭିନ୍ନ ଭିନ୍ନ ସମୟରେ ସାମାନ୍ୟ ଅଦଳ ବଦଳ କରି ଆଙ୍କିଛନ୍ତି । ଛବିଟିର ପ୍ରଚୁର ଲୋକପ୍ରିୟତା ପରେ ୨୦୧୮ ମସିହାରେ ସଥ୍ବି ନିଲାମରେ ତାଙ୍କର ସେମିତି ଏକ କ୍ୟାନ୍ଭାସ୍ ଛବି ୧.୦୪ ମିଲିୟନ୍ ୟୁରୋରେ ନିଲାମ୍ ହୋଇ ବିକ୍ରୀ ହେଉହେଉ ଫ୍ରେମ୍ ଭିତରେ ବନେ୍ଧଇ ହୋଇ ରହିଥିବା ଛବିଟିରୁ ଆଲାର୍ମର ଶବ୍ଦ ବାହାରିଲା ଓ ଛବିଟି କୁଟୁକୁଟା ହୋଇ କଟି ପଦାକୁ ବାହାରି ଆସିଲା । ଆଗରୁ ଫ୍ରେମ୍ ଭିତରେ ଏକ ସ୍ୱୟଂଚାଳିତ କଟା ଯନ୍ତ୍ର ଲୁଚାଇ ରଖାଯାଇଥିଲା । ନିଲାମ୍ ହେଉ ହେଉ ସେ ତା’ର କାମ ଦେଖାଇଲା । ବାଙ୍କ୍ସି ତାଙ୍କର କଳାକୃତି କୌଣସି ବ୍ୟବସାୟିକ ଗ୍ୟାଲେରୀ ମାଧ୍ୟମରେ ବିକ୍ରୀ କରିବାକୁ ପସନ୍ଦ କରନ୍ତିନି । କଳାର ଅଯଥା ବଜାରୀକରଣକୁ ବିରୋଧ କରି ସେ ୨୦୧୩ ମସିହାରେ ତାଙ୍କ କିଛି କାମର ପ୍ରିଣ୍ଟକୁ ରାସ୍ତାକଡ଼ରେ ଜଣେ ଲୋକ ବସେଇ ଗୋଟାକୁ ମାତ୍ର ଷାଠିଏ ଡଲାରରେ ବିକ୍ରୀ କରିଥିଲେ । କିଣିଥିବା ଲୋକେ ଜାଣିଥିଲେ ଏତେ ଶସ୍ତାରେ କେବଳ ବାଙ୍କ୍ସିଙ୍କ ନକଲି ଛବି ହିଁ ମିଳିପାରିବ । କିନ୍ତୁ ସେଦିନ ସଞ୍ଜକୁ ବାଙ୍କ୍ସିଙ୍କ ଏକ ଭିଡିଓ ରିଲିଜ୍ ହେଲା ପରେ ସତକଥା ଜଣାପଡ଼ିଲା ଓ ସେଥିରୁ ଗୋଟେ ପ୍ରିଣ୍ଟ ପରେ କୋଡ଼ିଏ ହଜାର ଡଲାରରେ ନିଲାମ ହୋଇଥିଲା । ବ୍ୟବସାୟିକ ସଫଳତା ଜଣେ ଗ୍ରାଫିଟି ଶିଳ୍ପୀପାଇଁ ଏକ ଅସଫଳତା ବୋଲି ସେ ବିଶ୍ୱାସ କରନ୍ତି । ପ୍ରଚୁର ସୁଯୋଗ ଥିଲେ ବି ସେ ସେପଟ ରାସ୍ତାରେ ଯିବାକୁ କେବେ ବି ପସନ୍ଦ କରନାହାଁନ୍ତି ।
ବାଙ୍କ୍ସି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସାମାଜିକ ଓ ରାଜନୈତିକ ଘଟଣାକୁ ନେଇ ବଢ଼ିଆ ବାଗରେ ବ୍ୟଙ୍ଗମିଶା ପ୍ରତିବାଦ କରନ୍ତି । ସେଥିପାଇଁ ତାଙ୍କର ଅନେକ କାମକୁ ସରକାରଙ୍କ ଦ୍ୱାରା କିମ୍ବା ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ବାର ବାର ଲିଭାଇ ଦିଆଯାଏ । ୨୦୦୪ରେ ବାଙ୍କ୍ସି ଦଶ ୟୁରୋ ଲେଖାଥିବା ପୁଳେ ନକଲି ବ୍ରିଟିଶ୍ ନୋଟ୍ ତିଆରି କଲେ । ବ୍ରିଟିଶ ନୋଟ୍ରେ ବ୍ରିଟେନ୍ର ମହାରାଣୀଙ୍କ ମୁଣ୍ଡ ଛପାଯାଏ । ବାଙ୍କ୍ସି କିନ୍ତୁ ନୋଟ୍ରେ ମହାରାଣୀଙ୍କ ମୁଣ୍ଡ ଜାଗାରେ ଯୁବରାଣୀ ଡାଏନାଙ୍କ ମୁଣ୍ଡ ଛାପିଥିଲେ ଓ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଜାଗାରେ ବାଙ୍କ୍ସି ଅଫ୍ ଇଂଲଣ୍ଡ ଲେଖିଥିଲେ । ଏଇ ନକଲି ବ୍ରିଟିଶ ନୋଟ୍ ଜନଗହଳିରେ ଫିଙ୍ଗା ଯାଇଥିଲା । ଏମିତିକି ସେ ନକଲି ନୋଟ୍ ଧରି କେହି କେହି ସ୍ଥାନୀୟ ବଜାରରେ ଜିନିଷ କିଣିବାକୁ ମଧ୍ୟ ଚେଷ୍ଟା କରିଥିଲେ । ସେଇ ୨୦୦୪ରେ ବାଙ୍କସି ଅଳ୍ପକିଛି ଛବି ସିଲ୍କ ସ୍କ୍ରିନ୍ରେ ପ୍ରିଣ୍ଟ୍ କରିଥିଲେ । ଭିଏତ୍ନାମ ଯୁଦ୍ଧରେ ରାସ୍ତାରେ କାନ୍ଦି କାନ୍ଦି ଦୌଡୁଥିବା ଯେଉଁ ସାନ ଝିଅଟିର ଫଟୋ ବିଶ୍ୱପ୍ରସିଦ୍ଧ ହୋଇଥିଲା, ତାକୁ ସେ ତାଙ୍କ ପ୍ରିଣ୍ଟ୍ରେ ବଦଳାଇ ଦେଇଥିଲେ । ସେ କୁନି ଝିଅଟିକୁ ଛାଡ଼ି ମୂଳ ଫଟୋର ସମସ୍ତ ପରିବେଶ ଓ ଚରିତ୍ରମାନଙ୍କୁ କାଢ଼ିଦେଇ ରୋନାଲ୍ଡ ମାକ୍ଡୋନାଲ୍ଡ ଏବଂ ମିକି ମାଉସ୍କୁ ଯୋଡ଼ି ଦେଇଥିଲେ । ରୋନାଲ୍ଡ ମାକ୍ଡୋନାଲ୍ଡ ଏବଂ ମିକି ମାଉସ୍ କାନ୍ଦୁଥିବା ସାନ ଝିଅଟିକୁ ଦୁଇ ପାଖରୁ ଧରି ବଡ଼ ଖୁସିବାସରେ ଏମିତି ନୃତ୍ୟଭଙ୍ଗୀରେ ଅଛନ୍ତି, ଯେମିତି ସେମାନଙ୍କ ସାମ୍ନାରେ ଦର୍ଶକମାନେ ବସିଛନ୍ତି ଓ ସେମାନେ କୌଣସି ମଞ୍ଚରେ ଛିଡ଼ା ହୋଇ ମନୋରଞ୍ଜନ କରୁଛନ୍ତି । ଭିଏତ୍ନାମ ଉପରେ ଆମେରିକାର ଆକ୍ରାମକ ଯୁଦ୍ଧକୁ ନେଇ ଏଇଟି ଥିଲା ବାଙ୍କ୍ସିଙ୍କର ପ୍ରତିବାଦ । ୨୦୦୬ରେ ଲସ୍ ଏଞ୍ଜଲସ୍ର ଗୋଟିଏ ଓୟାର୍ ହାଉସ୍ରେ ଏକ ପ୍ରଦର୍ଶନୀ ଆୟୋଜନ କରିଥିଲେ । ପ୍ରଦର୍ଶନୀର ନାମ ଥିଲା ବେର୍ୟାଲି ଲିଗାଲ୍ । ସେଥିରେ ସେ ସଇଁତିରିଶ ବର୍ଷିଆ ଏକ ଭାରତୀୟ ମାଈ ହାତୀକୁ ଘର ଭିତରେ ରଖିଥିଲେ । ଓୟାର୍ ହାଉସ୍ ଭିତରେ ତିଆରି ଏକ କୋଠରୀର କାନ୍ଥ ସହ ହାତୀର ସାରା ଦେହରେ ଗୋଲାପି ରଙ୍ଗର ଏକାପ୍ରକାର ୱାଲ୍ପେପର୍ ଚିପିକାଇ ଦେଇଥିଲେ । ସେ ସମୟରେ ଆମେରିକାରେ ପଶୁ ପକ୍ଷୀମାନଙ୍କ ଅଧିକାରକୁ ନେଇ କାମ କରୁଥିବା ସଂସ୍ଥାମାନେ ହାତୀ ଦେହରେ ଏମିତି ରଙ୍ଗମରା କାମକୁ ବିରୋଧ କରି ଶିଳ୍ପୀଙ୍କୁ ସମାଲୋଚନା କରିଥିଲେ ଏବଂ ପ୍ରଦର୍ଶନୀକୁ ବନ୍ଦ କରିଦେଇଥିଲେ । ଇଂରାଜୀ ଇଡିୟମ୍ ଦ ଏଲିଫ୍ୟାଣ୍ଟ ଇନ୍ ରୁମ୍କୁ ସେ ସିଧାସିଧା ପ୍ରଦର୍ଶନ କରିଥିଲେ । ଦର୍ଶକଙ୍କୁ କୁହାଯାଇଥିଲା, ସେମାନେ କୋଠରୀ ଭିତରେ ଥିବା ହାତୀକୁ ଛାଡ଼ି କେବଳ କୋଠରୀ ଓ ସଜା ଯାଇଥିବା ଆସବାବ ପତ୍ରକୁ ଦେଖନ୍ତୁ । ଅସଲ ସମସ୍ୟାକୁ ଜାଣି ସିଆଣା ହୋଇ ଏଡ଼ାଇ ଯାଉଥିବା ଆମ ସମସ୍ତଙ୍କ ପାଇଁ ଏଇଟି ଏକ ପ୍ରକାର ଏକ୍ସରସାଇଜ୍ ଯେମିତି । କ୍ରୁଡ୍ ଅଏଲ୍ ନାମକ ତାଙ୍କର ଏକ ପ୍ରଦର୍ଶନୀରେ ସେ ଦୁଇଶହ ଜିଅନ୍ତା ମୂଷାଙ୍କୁ ଗ୍ୟାଲେରୀ ଭିତରେ ଛାଡ଼ିଦେଇଥିଲେ । ଗଲା କୋଭିଡ୍ ମହାମାରୀ ସମୟରେ ସଙ୍ଗରୋଧ ଓ ଏକାନ୍ତବାସକୁ ଦର୍ଶାଇବାକୁ ସେ ତାଙ୍କ ଗାଧୁଆଘରେ ଚିତ୍ରକରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ।
ବାଙ୍କ୍ସିଙ୍କ ପ୍ରାୟ କାମ ନଷ୍ଟ ହୋଇସାରିଛି । ଯାହା ଆମେ ଦେଖୁଛେ ତାହା କେବଳ ଫଟୋ ଭାବରେ ହିଁ ବଞ୍ଚିରହିଛି । ବାଙ୍କ୍ସିଙ୍କ ନାମରେ ଅନେକଗୁଡ଼େ ବହି ମଧ୍ୟ ପ୍ରକାଶିତ ହୋଇଛି । ବହିରେ ତାଙ୍କ ଲେଖା ସହ ତାଙ୍କ କାମମାନଙ୍କର ଫଟୋ ସବୁ ଛପାଯାଇଛି । ବାଙ୍କ୍ସି କେବଳ ପ୍ରତିବାଦର ଛବି ତିଆରନ୍ତିନି, ବିପନ୍ନ ଓ ଅଭାବୀ ଲୋକମାନଙ୍କୁ ଖୋଲାହାତରେ ସହଯୋଗ ବି କରନ୍ତି । ୨୦୦୭ରେ ତାଙ୍କୁ ଏକ ବଡ଼ ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା । କିନ୍ତୁ ସେ ନିଜକୁ ତଥାପି ଲୁଚେଇ ରଖିଥିଲେ ଓ ପୁରସ୍କାର ଗ୍ରହଣ କରିନଥିଲେ । ଏକଜିଟ୍ ଥ୍ରୁ ଦ ଗିଫ୍ଟ ସପ୍ ନାମରେ ସେ ୨୦୧୦ରେ ଏକ ବୃତ୍ତ ଚିତ୍ର ନିର୍ମାଣ କରିଥିଲେ, ଯାହାକି ଏକାଡେମୀ ପୁରସ୍କାର ପାଇଁ ନୋମିନେଟ୍ ହୋଇଥିଲା । କଳାରାଜ୍ୟର ଭିତିରି କଥା ଓ ଗ୍ରାଫିଟି ପ୍ରାକ୍ଟିସ୍ ବିଷୟରେ ଜାଣିବାକୁ ଜଣେ ସେ ବୃତ୍ତ ଚିତ୍ର ନିଶ୍ଚୟ ଦେଖିବା କଥା ।
ରହସ୍ୟଜନକ ଭାବରେ ନିଜକୁ ଲୁଚେଇ ରଖିଥିବା ବାଙ୍କ୍ସି ପ୍ରକୃତରେ ଜଣେ ଲୋକ ନା କିଛି ଲୋକଙ୍କ ସଂଗୋଷ୍ଠୀ ଜଣାନାହିଁ । ତେବେ ଜନପକ୍ଷରେ ସବୁବେଳେ ଛିଡ଼ା ହେଉଥିବା ଶିଳ୍ପୀଭାବରେ ତାଙ୍କର କିଛି ବିରୋଧି ତ ନିଶ୍ଚୟ ଅଛନ୍ତି, କିନ୍ତୁ ତାଙ୍କୁ ଭଲପାଉଥିବା ଲୋକଙ୍କ ସଂଖ୍ୟା ତା’ ଠାରୁ ଢେର୍ ଅଧିକ । ତାଙ୍କୁ ଅନୁସରଣ ଓ ଅନୁକରଣ କରି ପୃଥିବୀର ଅନେକ ଜାଗାରେ ଅନେକ ଶିଳ୍ପୀ ଆଜି ତାଙ୍କ ପରି ଗ୍ରାଫିଟି କରୁଛନ୍ତି । ଇଏ କ’ଣ କମି କଥା?
Comments
0 comments