ମାନ୍ୟତା ପାଇଁ ଅନୁଧାବନ! ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ

ପ୍ରାଚୀନ ଭାଷା-ସାହିତ୍ୟରେ କେତେ ଜଣ ବିଦ୍ୱାନ ଓଡିଶାରେ ଅଛନ୍ତି? ଏହି ଭାଷା-ସାହିତ୍ୟରେ ଗବେଷଣାର ବ୍ୟାପ୍ତି କେତେ? ଏହା ଓଡିଆ ଭାଷା ସାହିତ୍ୟର ଗବେଷକ ମାନଙ୍କ ପାଇଁ କେତେ ଆକର୍ଷଣୀୟ ହୋଇ ରହିଅଛି ?

ମାନ୍ୟତା ପାଇଁ ଅନୁଧାବନ ସଂପ୍ରତି ଏକ ଜାତୀୟ ଦୃଶ୍ୟ ହୋଇଯାଇଛି । ଅଞ୍ଚଳମାନେ ରାଜ୍ୟର ମାନ୍ୟତା ପାଇଁ ଦାବି କରୁଛନ୍ତି । ରାଜ୍ୟମାନେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଲୋଡୁଛନ୍ତି । ଭାଷାମାନେ ଶାସ୍ତ୍ରୀୟ ମାନ୍ୟତା ପାଇଁ କଳରବ କରୁଛନ୍ତି । ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସ୍ୱାଭାବିକ ଏହି କାର୍ଯ୍ୟକ୍ରମ ଗୁଡ଼ିକ ବେଶ୍ ଦୃଷ୍ଟିଆକର୍ଷଣକାରୀ ହେଉଛି । ଏହିଭଳି ଦୃଶ୍ୟପଟ୍ଟରେ ‘ଅନଗ୍ରସର’ ଓଡ଼ିଶା ଯେ ଆଦୌ ପଛରେ ନାହିଁ, ତାହା ପ୍ରତ୍ୟେକ ଓଡ଼ିଆପାଇଁ ଏକ ଗର୍ବ କଲା ଭଳି ଉପଲବ୍ଧି ହେଉ ବୋଲି କ୍ଷମତାସୀନ ମାନେ ବାରମ୍ବାର ମନେ ପକାଇବାରେ ଲାଗିଛନ୍ତି ।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ

ସ୍ୱତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା ଦାବିକରି ଆମ କ୍ଷମତାସୀନ ରାଜନୈତିକ ନେତାମାନେ, ନୀତିଶକୁମାରଙ୍କ ଫର୍ମୁଲା ପକାଇ, କୋଟି କୋଟି ଓଡ଼ିଆଙ୍କର ‘ଦସ୍ତଖତ’ ସଂଗ୍ରହ କରିବା ସହିତ ଦିଲ୍ଲୀ ଯାଇ ସେଠାରେ ନାଗରିକ ସଭା କରିଛନ୍ତି । କେହି କେହି ଅବଶ୍ୟ ଏହି ରାଲି ପଛରେ ମୂଳ ଲକ୍ଷ୍ୟ କେନ୍ଦ୍ର ଅବହେଳାକୁ ପ୍ରତିପାଦିତ କରିବା ଥିଲା ବୋଲି ସନ୍ଦେହ  ପ୍ରକାଶ କରିଛନ୍ତି ।  କିନ୍ତୁ ଯେଉଁ ମାନ୍ୟତା ଦାବି ସଫଳ ହେଉଛି ବୋଲି ଯଥେଷ୍ଟ ଈଶାରା ଦିଆଗଲାଣି, ତାହା ହେଉଛି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା । ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦ ଅନୁସାରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ଏହି ମାନ୍ୟତା ସପକ୍ଷରେ ସୁପାରିଶ କରିଛି; କେନ୍ଦ୍ର ସରକାରଙ୍କର ଟାଣୁଆ ମନ୍ତ୍ରୀ ଓ କନ୍ନଡ ଭାଷାରେ ସାହିତ୍ୟିକ ଭାବେ ପରିଚିତି ହାସଲ କରିଥିବା (ଏକ ୪୨୦୦୦ଧାଡି ସମ୍ବଳିତ ରାମାୟଣ ଗ୍ରନ୍ଥର ରଚୟିତା ଭାବେ ପ୍ରଚାରିତ)ଏମ.ବୀରାପ୍ପା ମୋଇଲି  ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଚନେ୍ଦ୍ରଶ କୁମାରୀ କାଟୋଚ, ଏହି ମାନ୍ୟତା ଏକ ମାସ ମଧ୍ୟରେ ମିଳିଯିବ ବୋଲି, ଓଡ଼ିଶାଗସ୍ତରେ ଥିବା ସମୟରେ ଗଣମାଧ୍ୟମକୁ କହିଛନ୍ତି;  ଏହି ପ୍ରଚେଷ୍ଟାର ବିନ୍ଧାଣୀ ଭାବେ ପରିଚିତି ହାସଲ କରିଥିବା ବର୍ଷୀୟାନ ଭାଷାବିଦ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ନିରବିଚ୍ଛିନ୍ନ ଭାବେ ସମ୍ବର୍ଦ୍ଧିତ ହୋଇ ଚାଲିଛନ୍ତି । ମାନ୍ୟତା ନିଶ୍ଚିତ- ଏହିଭଳି ଏକ ମାନସିକତା ଦ୍ୱାରା ବୋଧହୁଏ ଆବିଷ୍ଟ ହୋଇ ଦେବୀବାବୁଙ୍କ ନେତୃତ୍ୱରେ ଏକ ସାତଜଣିଆ ଦଳ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରସ୍ତାବ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟ କରିବା (୫/୮/୨୦୧୩) ମଧ୍ୟ ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହୋଇଛି ଯଦିଓ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରିବା ଅଧିକ ଉପଯୁକ୍ତ ହୋଇଥାନ୍ତା ବୋଲି କେହି କେହି ମନ୍ତବ୍ୟ କରନ୍ତି । ଏଠାରେ ସ୍ମରଣ କରାଇଦେବା ପ୍ରାସଙ୍ଗିକ ହେବ ଯେ ଓଡ଼ିଆ କହୁ ନ ଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସର୍ବପ୍ରଥମେ ସାହିତ୍ୟ ଏକାଡେମୀ ନିଯୁକ୍ତ ବିଶେଷଜ୍ଞ ଦଳକୁ ସେମାନଙ୍କ ସୁପାରିଶ ପାଇଁ କୃତଜ୍ଞତା ଜଣାଇଥିଲେ । (The Statesman, 24th July, 2013) û

ଶାସ୍ତ୍ରୀୟ ମାନ୍ୟତା ଓ ରାଜନୀତି

ଭାରତବର୍ଷରେ ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ପର୍ଯ୍ୟାୟ ଆରମ୍ଭ ହେଲା ୨୦୦୪ ମସିହାରେ ଯେତେବେଳେ ତାମିଲ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ପ୍ରସ୍ତାବକୁ ବିଚାର କରାଗଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ଏହି ପ୍ରସ୍ତାବକୁ ବିଚାର କରି ଏହା ସପକ୍ଷରେ ଅନୁକୂଳ ମନ୍ତବ୍ୟ ଦେବା ପାଇଁ ଅନିଚ୍ଛା ପ୍ରକାଶ କଲା । ଯୁକ୍ତିଥିଲା ଯେ ଗୋଟିଏ ଭାଷାକୁ ଏହିଭଳି ମାନ୍ୟତା ଦେଲେ ଭାନୁମତୀର ପେଡ଼ି (Pandora’s Box)ଖୋଲିବ ଓ ବହୁ ଭାରତୀୟ ଭାଷା ଏହି ମାନ୍ୟତା ଦାବି କରିବା ଆରମ୍ଭ କରିଦେବେ । କିନ୍ତୁ ସଦ୍ୟ କ୍ଷମତାକୁ ଆସିଥିବା ଉପା ସରକାରଙ୍କର ଯୁକ୍ତିଥିଲା ଯେ ତାମିଲ ଭାଷାକୁ ଶାସ୍ତ୍ରୀୟଭାଷାର ମାନ୍ୟତା ଦେବା ସରକାରଙ୍କର  ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମର (Common Minimum Programme) ଯେ ତାଲିକାଭୁକ୍ତ! କରୁଣାନିଧିଙ୍କର ଡିଏମ୍କେ ଉପାର ସେତେବେଳେ ପ୍ରମୁଖ ଅଂଶୀଦାର । ତେଣୁ ତାମିଲକୁ ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ସୁପାରିଶ କରିବାକୁ ହେବ -ଏହିଭଳି ଏକ ଚାପର ବଶବର୍ତ୍ତୀ ହେଉଥିଲେ ଏକାଡେମୀ । କିନ୍ତୁ ସେମାନେ କୌଣସି ନିର୍ଦ୍ଦିଷ୍ଟ ମତ ନ ଦେଇ ଶାସ୍ତ୍ରୀୟ ମାନ୍ୟତା ପାଇଁ କେଉଁ କେଉଁ ଲକ୍ଷଣଗୁଡ଼ିକ ପରୀକ୍ଷା କରାଯିବା ଉଚିତ ତାହାର ଏକ ତାଲିକା ସରକାରଙ୍କ ନିକଟକୁ ପଠାଇଦେଲେ । ବିଶ୍ୱ ଭାଷା- ସାହିତ୍ୟରେ ଶାସ୍ତ୍ରୀୟ ଭାଷା ରୂପେ ସ୍ୱୀକୃତ ଗ୍ରୀକ ଓ ଲାଟିନ ଭାଷାର ଲକ୍ଷଣଗୁଡ଼ିକ ଅନୁସାରେ ସେମାନେ ଚିହ୍ନଟ କରିଥିବା ଲକ୍ଷଣଗୁଡ଼ିକ ଥିଲା-  ‘ଭାଷା ପ୍ରାଚୀନ ହୋଇଥିବ, ଏହାର ନିଜସ୍ୱ ଏକ ସ୍ୱତନ୍ତ୍ର ପରମ୍ପରା ଥିବ, ଅନ୍ୟ କୌଣସି ପରମ୍ପରାରୁ ଉତ୍ପନ୍ନ ହୋଇ ନଥିବ ଓ ଏହାର ଏକ ବିଶାଳ ଓ ସମୃଦ୍ଧ ପୂରାତନ ସାହିତ୍ୟ ଥିବ’ (‘Classical case of politics of language’ by Sujan Dutta, The Telegraph, 28th September, 2004; ‘Indian Languages and the Classical Status’ by M.A.Baby, The Hindu,26th November 2008) ଏହି ଲକ୍ଷଣ ଗୁଡିକ ତାମିଲ ଭାଷାରେ ରହିଛି ବୋଲି ସରକାର ଅନୁଭବ କଲେ ଓ ୨୦୦୪ (ସେପ୍ଟେମ୍ବର-ଅକ୍ଟୋବର)ରେ , ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲେ । କହିବା ବାହୁଲ୍ୟ, ତାମିଲ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ଥିଲା ଏକ ରାଜନୈତିକ ବାଧ୍ୟବାଧକତାର ପରିଣତି । ଅବଶ୍ୟ ତାମିଲ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ପ୍ରଦାନ ଯେ ଏକ ରାଜନୈତିକ ପ୍ରସଙ୍ଗ ହୋଇଥିଲା ତାହା ଏହି ମାନ୍ୟତା ପ୍ରଦାନ ପୂର୍ବରୁ,  ତାମିଲ ସ୍ୱାର୍ଥରେ ପ୍ରକାଶିତ ପତ୍ରିକା Tamil Tribune (4th June 2004) କ୍ଷୋଭର ସହ ଉଲ୍ଲେଖ କରିଥିଲା (‘Unfortunately this question has become a political issue’ )  ସ୍ୱାଭାବିକ ଏହଭିଳି ବାଧ୍ୟବାଧକତା ସଂସ୍କୃତ ଭାଷା ପାଇଁ ନଥିଲା । କିନ୍ତୁ ବିଶ୍ୱର ଶାସ୍ତ୍ରୀୟ ଭାଷାର ତାଲିକାରେ ଗ୍ରୀକ, ଲାଟିନ ସହିତ ସ୍ଥାନିତ ସଂସ୍କୃତକୁ ଅଣଦେଖା କରିବା ମଧ୍ୟ ଭାରତ ସରକାରଙ୍କ ପାଇଁ ସମ୍ଭବ ନ ଥିଲା, ବରଂ ତାଙ୍କର ଶାସ୍ତ୍ରୀୟ ମାନ୍ୟତା ବିତରଣ ଯୋଜନାର ବିଶ୍ୱସନୀୟତା ଉପରେ ଏତଦ୍ଦ୍ୱାରା ପ୍ରଶ୍ନ ଉଠିବାର ସମ୍ଭାବନା ଥିଲା । ତେଣୁ ଅବିଳମ୍ବେ, ୨୦୦୫ରେ ଭାରତ ସରକାର ସଂସ୍କୃତକୁ ଶାସ୍ତ୍ରୀୟ ମାନ୍ୟତା ଦେଇଦେଲେ ଓ ଉପରୋକ୍ତ ସମ୍ଭାବନାକୁ ଏଡ଼ାଇ ଦେଇ ପାରିଲେ । ସରକାରୀ ଖାତାରେ ତାମିଲ ପ୍ରଥମ ଶାସ୍ତ୍ରୀୟ ଭାଷା ହୋଇଗଲା ଓ ସଂସ୍କୃତ ହେଲା ଦ୍ୱିତୀୟ ଶାସ୍ତ୍ରୀୟ ଭାଷା । ଏହା ଡିଏମ୍କେକୁ  ଗଭୀର ଆତ୍ମସନ୍ତୋଷ ଦେଉଥିବ କାରଣ ବ୍ରାହ୍ମଣଙ୍କ ଭାଷା ସଂସ୍କୃତ ଯେ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ସେମାନଙ୍କ ଭାଷାର ପଛକୁ ରହିଲା!

୨୦୦୬ ମସିହାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ରାଜ୍ୟସଭାରେ ଭାରତୀୟ ଭାଷାମାନଙ୍କ ମଧ୍ୟରେ ଏକ ନୂତନ ଶ୍ରେଣୀ ଗଠନ କରାଯିବାର ସୂଚନା ଦେଲେ । ସେ ଘୋଷଣା କଲେ ଯେ ଯେଉଁ ଭାରତୀୟ ଭାଷାରେ ନିମ୍ନୋକ୍ତ ଚାରୋଟି ଲକ୍ଷଣ ଥିବ ତାହାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯିବ । ସେଗୁଡିକ ହେଲା-୧) ଏହିଭାଷାର ଅତି ପ୍ରାଚୀନତା ଓ ୧୫୦୦ ରୁ ୨୦୦୦ବର୍ଷର ଲିପିବଦ୍ଧ ଇତିହାସ, ୨)ଏହି ଭାଷାରେ ପୂରାତନ ସାହିତ୍ୟର ଥିବ ଏକ ସମୃଦ୍ଧ ଭଣ୍ଡାର ଯାହାକୁ ଏହି ଭାଷା କହୁଥିବା ପ୍ରତ୍ୟେକ ପିଢ଼ି ଏକ ମୂଲ୍ୟବାନ ଐତିହ୍ୟ ଭାବେ ବିଚାର କରୁଥିବ,  ୩) ଏହି ଭାଷାର ଅନ୍ୟ କୌଣସି ଭାଷାରୁ ଧାର କରାଯାଇ ନ ଥିବା ଏକ ସ୍ୱତନ୍ତ୍ର ସାହିତ୍ୟିକ ପରମ୍ପରା ଥିବ ଓ ୪) ଶାସ୍ତ୍ରୀୟ ଭାଷା ଓ ସାହିତ୍ୟଠାରୁ ଏହାର ଆଧୁନିକ ଗଠନ ଭିନ୍ନ ହୋଇଥିବାରୁ, ଶାସ୍ତ୍ରୀୟ ଭାଷା ଓ ଏହାର ଆଧୁନିକ ଗଠନ ବା ପ୍ରଶାଖା ମଧ୍ୟରେ ଅସଂଲଗ୍ନତା ଥାଇପାରେ । ଏହି ଲକ୍ଷଣ ଗୁଡିକ ତେଲୁଗୁ ଓ କନ୍ନଡ଼ଭାଷାରେ ରହିଛି ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ନିଯୁକ୍ତ କମିଟି ସୁପାରିଶ କଲା ପରେ ୨୦୦୮ ମସିହାରେ ଏ ଦୁଇ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଗଲା । ଅବଶ୍ୟ କନ୍ନଡ଼ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଉ ବୋଲି ଦାବି ଉଠିଥିଲା ତାମିଲ ଭାଷା ଶାସ୍ତ୍ରୀୟଭାଷାର ମାନ୍ୟତା ପାଇବାର ମାତ୍ର କିଛି ଘଣ୍ଟା ଭିତରେ । କେନ୍ଦ୍ର ଯୋଜନା ମନ୍ତ୍ରୀ ଏମ.ଭି.ରାଜଶେଖରନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସହସା ପତ୍ର ଲେଖି କନ୍ନଡ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଉ ବୋଲି ଦାବି କରିଥିଲେ । କର୍ଣ୍ଣାଟକର ତକ୍ରାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଧରମ ସିଂହ ମଧ୍ୟ ଘୋଷଣା କରିଥିଲେ ଯେ ସେ ଏହି ଦାବି ପୂରଣ ପାଇଁ କେନ୍ଦ୍ରଉପରେ ଚାପ ପକାଇବେ । କଂଗ୍ରେସ ଦଳର କନ୍ନଡ଼ଭାଷୀଙ୍କୁ ପ୍ରତିଶୃତି ପୂରଣ ହେଲା ଦାବି ଉଠିବାର ଚାରି ବର୍ଷ ପରେ । ତେଲୁଗୁ ଭାଷାକୁ ଶାସ୍ତ୍ରୀୟଭାଷାର ମାନ୍ୟତା ଦିଆଗଲା ଯେତେବେଳେ ରାଜଶେଖର ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଆନ୍ଧ୍ରରେ ଶାସକ । ମାଲାୟଲମ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଏ ଏହି ବର୍ଷ ଅର୍ଥାତ୍ ୨୦୧୩ରେ ଯେତେବେଳେ କଂଗ୍ରେସ ଦଳ ନେତୃତ୍ୱରେ ମିଳିତ ସରକାର କେରଳରେ ଶାସକ । ଏହା ବୋଧହୁଏ ଏକ ବିରଳ ସଂଯୋଗ ଯେ କଂଗ୍ରେସ ନେତୃତ୍ୱରେ ଉପା ସରକାର କେନ୍ଦ୍ରରେ ଶାସନ ଭାର ଗ୍ରହଣ କରିବା ପରେ ଭାରତୀୟ ଭାଷା ଭିତରେ ଏକ ସ୍ୱତନ୍ତ୍ର ଶ୍ରେଣୀ  ସୃଷ୍ଟି କରନ୍ତି ଓ ଏହି ଶ୍ରେଣୀରେ ସେହି ଭାଷାମାନଙ୍କୁ ସେହି ସମୟରେ ଅନ୍ତର୍ଭୁକ୍ତ କରନ୍ତି ଯେଉଁ ସମୟରେ କଂଗ୍ରେସ ବା ତାହାର ସହଯୋଗୀ ଦଳ ଏହି ଭାଷାର ପ୍ରଚଳନ ଥିବା ରାଜ୍ୟଗୁଡିକରେ ଶାସନରେ ଅଛନ୍ତି । ଯଦି ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଏ, ତାହାଲେ ଏହା ଶାସ୍ତ୍ରୀୟ ମାନ୍ୟତା ବିତରଣ କ୍ଷେତ୍ରରେ ଏକ ବ୍ୟତିକ୍ରମ ହେବ । କିନ୍ତୁ ଯଦି  ବିଜେଡି ଭିତରେ ,୨୦୧୪ ନିର୍ବାଚନ ପରେ, କଂଗ୍ରେସ ଏକ ସହେଯାଗୀ ଦଳର ସମ୍ଭାବନା ଦେଖୁଥାଏ, ବିଶେଷତଃ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ, ତାହାହେଲେ ଏହି ମାନ୍ୟତା ପ୍ରଦାନକୁ ଏକ ବ୍ୟତିକ୍ରମ ବୋଲି କୁହାଯିବ ନାହିଁ । ଏହା ଏକ ରାଜନୈତିକ ନିବେଶ ବୋଲି କୁହାଯିବ । ତେବେ ଏହି ମାନ୍ୟତା ମିଳିବା ପାଇଁ ହୋଇଥିବା ଉଦ୍ୟମରେ ବିଜେଡିକୁ କୌଣସି ଶ୍ରେୟ ଦିଆଯାଇପାରିବ ନାହିଁ ବୋଲି ରାଜ୍ୟସଭାର କଂଗ୍ରେସ ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଗଣମାଧ୍ୟମରେ କହିଛନ୍ତି । ଅବଶ୍ୟ ରାମଚନ୍ଦ୍ର ଖୁଣ୍ଟିଆ ହିଁ ଆନୁଷ୍ଠାନିକ ଭାବରେ ଏହି ଶାସ୍ତ୍ରୀୟ ମାନ୍ୟତା ଦାବିର ସ୍ରଷ୍ଟାବୋଲି ଜଣାପଡ଼େ ଯେତେବେଳେ ଦେବୀପ୍ରସନ୍ନ ପଟ୍ଟନାୟକ ଗଣମାଧ୍ୟମକୁ କୁହନ୍ତି, “The ministry had written to the Odisha government to submit its view regarding the earlier report initiated by Khuntia.”  (‘Cry for Odia classical tag-state govt to submit report by month end’ by Bibhuti Barik, The Telegraph, 19th June, 2013)ଯେଉଁ ରିପୋର୍ଟ କଥା ଦେବୀପ୍ରସନ୍ନ କହୁଛନ୍ତି ସେହି ରିପୋର୍ଟ ଦେବୀ ବାବୁ ରାମଚନ୍ଦ୍ର ଖୁଣ୍ଟିଆଙ୍କ ପାଇଁ  ଗତ ବର୍ଷ ପ୍ରସ୍ତୁତ କରିଥିଲେ ଓ ଏହାକୁ ଖୁଣ୍ଟିଆ ଦାଖଲ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ । ଏହିଠାରେ ଉଲ୍ଲେଖ କରିବା ପ୍ରାସଂଗିକ ହେବ ଯେ ଓଡିଆ ସହ ମରାଠୀ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରର ବିଚାରାଧୀନ ଅଛି । ତେଣୁ ଓଡିଆ ଓ ମରାଠୀ ମଧ୍ୟରୁ କିଏ ଷଷ୍ଠ ଶାସ୍ତ୍ରୀୟ ଭାଷା ହେବ,ତାହା ନେଇ ପ୍ରଶ୍ନ ଉଠିଛି । କେତେକ ଗଣମାଧ୍ୟମରେ ମରାଠୀ ଷଷ୍ଠ ଶାସ୍ତ୍ରୀୟ ଭାଷା ହେବ ବୋଲି ଭବିଷ୍ୟବାଣୀ ହୋଇଛି  (‘Marathi may become the sixth classical language’by Partha Sarathi Biswas,The Indian Express, 4th July 2013) û   ଯଦି ମହାରାଷ୍ଟ୍ରରେ କଂଗ୍ରେସ ଓ ଏନ.ସି.ପି କ୍ଷମତାରେ ଅଛିବୋଲି ବିଚାରକୁ ନିଆଯାଏ ଓ ଏଯାବତ୍ ଶାସ୍ତ୍ରୀୟ ମାନ୍ୟତା ବିତରଣର ଇତିହାସକୁ ଦେଖାଯାଏ, ତାହାଲେ ଉପରୋକ୍ତ ଭବିଷ୍ୟବାଣୀ ସତ୍ୟ ହେବା ବିଚିତ୍ର ନୁହେଁ । ଏହାହେଲେ ଅବଶ୍ୟ ବିଜେଡିକୁ ତାର ଅତି ପ୍ରିୟ ଘୋଷା ‘କେନ୍ଦ୍ରର ଅବହେଳା’ ଦୋହରାଇବା ପାଇଁ ସୁବର୍ଣ୍ଣ ଅବସରଟିଏ ପ୍ରାପ୍ତ ହେବ ଓ ରାଜନୀତି ଦୃଷ୍ଟିରୁ ଅନୁକୂଳ ମଧ୍ୟ ହେବ । ଅପର ପକ୍ଷରେ ଏହା ମଧ୍ୟ ପ୍ରମାଣ କରିଦେବ ଯେ କେନ୍ଦ୍ରରେ ଓଡ଼ିଶା କଂଗ୍ରେସର କାଟ୍ ତି କେତେ । ଏହା ତ ଏଯାବତ୍ ସବୁବେଳେ ନୈରାଶ୍ୟଜନକ ହୋଇ ଆସିଅଛି ।  ତଥାପି ଏଥର ହେବ ନାହିଁ ବୋଲି ଆମେ ଆଶା କରି ଆଶ୍ୱସ୍ତ ହୋଇ ପାରିବା ।

ଶାସ୍ତ୍ରୀୟ ମାନ୍ୟତାରୁ ଲାଭ

ଯେତେବେଳେ ଭାରତ ସରକାର ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ନିଷ୍ପତ୍ତି ନେଲେ ସେତେବେଳେ ଏହି ମାନ୍ୟତାରୁ କଣ ଲାଭ ମିଳିବ-ଏହି ପ୍ରଶ୍ନର ଉତ୍ତର ଦେଇ ତକ୍ରାଳୀନ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଏସ୍. ଜୟପାଲ ରେଡଡୀ କହିଥିଲେ ଯେ ପ୍ରତିବର୍ଷ ଏହି ଭାଷା ସାହିତ୍ୟର ଦୁଇ ଜଣ ଖ୍ୟାତନାମା ବିଦ୍ୱାନଙ୍କୁ ଆନ୍ତର୍ଜାତିକ ପୁରସ୍କାର ଦିଆଯିବ । ଏହି ଭାଷା ସାହିତ୍ୟରେ ଉଚ୍ଚକୋଟିର ଅଧ୍ୟୟନ ଓ ଗବେଷଣା ପାଇଁ ଏକ କେନ୍ଦ୍ରର  (Centre of excellence) ପ୍ରତିଷ୍ଠା କରାଯିବ । ୟୁଜିସି (University Grants Commission) କୁ ଅନୁରୋଧ କରାଯିବ ଏହି ଭାଷାସାହିତ୍ୟରେ ବିଦ୍ୱାନ ମାନଙ୍କ ପାଇଁ ପ୍ରଫେସର ପଦବୀ ଖଂଜିବାକୁ ।

ଉକ୍ରଳ ସାହିତ୍ୟ ସମାଜର ୧୧୧ତମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି ଯେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲେ ଲେଖକଙ୍କର ଗୁରୁତ୍ୱ ବୃଦ୍ଧି ପାଇବ ।(ଧରିତ୍ରୀ, ୪ଅଗଷ୍ଟ୨୦୧୩)

ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତି କୁହନ୍ତି ଯେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲେ ଭାଷାର ବିକାଶ ଓ ଗବେଷଣା ପାଇଁ ଏକକାଳୀନ ୧୦୦ କୋଟି ଟଙ୍କା ଓ ଏହାଛଡା ପ୍ରତି ବର୍ଷ ୫ କୋଟି ଟଙ୍କା କେନ୍ଦ୍ରରୁ ମିଳିବ (The Telegraph, 19th June 2013 )

ମନ୍ତ୍ରୀଙ୍କ ଏତାଦୃଶ ଉକ୍ତିରୁ ଯେଉଁମାନେ ଏ ସମୁଦାୟ ଉଦ୍ୟମକୁ କେନ୍ଦ୍ରରୁ ପଇସା ଆଣିବାର ଏକ ଉପାୟ ବୋଲି ସନେ୍ଦହ କରୁଛନ୍ତି, ତାଙ୍କୁ ଉତ୍ତର ଦେଇ ଏହି ଉଦ୍ୟମର ଅଗ୍ରଦୂତ ଦେବୀପ୍ରସନ୍ନ ପଟ୍ଟନାୟକ ମହୋଦୟ କୁହନ୍ତି, “ ଆମ ଭାଷାକୁ  ଲୋକପ୍ରିୟ କରାଇବାକୁ ହେବ କାରଣ ଏହାର ବ୍ୟବହାର ଅତ୍ୟନ୍ତ ସୀମିତ ହୋଇଗଲାଣି । ଆଫିସିକ କାର୍ଯ୍ୟରେ ଓଡିଆର ବ୍ୟବହାର ପ୍ରାୟ ହେଉ ନାହିଁ ଯାହାର ପରିଣତି ଆମେ ଭୋଗୁଛୁ । କୌଣସି ଗବେଷଣା ନାହିଁ କି ପ୍ରାଥମିକ ଶିକ୍ଷାରେ ଏହାର ବ୍ୟବହାର ଉପରେ ଗୁରୁତ୍ୱ ନାହିଁ । ଏହି ମାନ୍ୟତା ନିଶ୍ଚିତ ଭାବରେ ଲୋକପ୍ରିୟତା ବୃଦ୍ଧିରେ ଏକ ଭିନ୍ନତା ଆଣିବ ।” (The Telegraph, 19th June 2013)

ଶାସ୍ତ୍ରୀୟ ମାନ୍ୟତାକୁ ନେଇ ବିତର୍କ

ଶାସ୍ତ୍ରୀୟ ମାନ୍ୟତାପାଇବାର ପର୍ଯ୍ୟାୟ ଦଶମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ତେଣୁ ମାନ୍ୟତା ପାଇଥିବା ଭାଷାଗୁଡିକ ଏତଦ୍ ଦ୍ୱାରା କେତେ ଅଧିକା ଲୋକପ୍ରିୟ ଓ ସମୃଦ୍ଧ ହୋଇଛନ୍ତି, ତାର ଏକ ଆକଳନ ଆମର ମାନ୍ୟତାପାଇଁ ଅନୁଧାବନର ଯଥାର୍ଥତା ଉପରେ କିଛିଟା ଆଲୋକପାତ କରିପାରେ । ସର୍ବୋପରି ଶାସ୍ତ୍ରୀୟ ଭାଷା ଅଧ୍ୟୟନର ଯେଉଁ ମୂଳ ଲକ୍ଷ୍ୟ ତାହାକୁ ହାସଲ କରିବାରେ ଏହି ମାନ୍ୟତା କେତେଦୂର ସଫଳ ହୋଇଛି ବା ହେଉଛି-ତାହାର ଏକ ନିରପେକ୍ଷ ଉତ୍ତର ମିଳିପାରେ । ଯେହେତୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ସେହି ଭାଷା-ସାହିତ୍ୟକୁ  ଯୋଗ୍ୟ ବୋଲି ବିଚାର କରାଯାଉଛି ଯାହା ପ୍ରାଚୀନ ଓ  ହଜାର ହଜାର ବର୍ଷର ପରମ୍ପରା -ସମ୍ପନ୍ନ, ଏହି ମାନ୍ୟତା ହାସଲ କରିଥିବା ଭାଷା-ସାହିତ୍ୟର ବିଦ୍ୱାନମାନଙ୍କଠାରୁ ପ୍ରାଚୀନ ସାହିତ୍ୟରେ ପାଣ୍ଡିତ୍ୟ ଆଶା କରିବା ସ୍ୱାଭାବିକ । କିନ୍ତୁ ସେହିଭଳି ବିଦ୍ୱାନମାନେ ଯେ ମାନ୍ୟତା ପାଇଥିବା ଭାଷା-ସାହିତ୍ୟରେ ଲୁପ୍ତ ପ୍ରାୟ,  ତାହା ସୂଚିତ କରେ ଶାସ୍ତ୍ରୀୟ ଭାଷା-ସାହିତ୍ୟର ପରମ୍ପରା ଉପରେ ଗବେଷଣାର ଏକ ଅନ୍ଧକାର ଭବିଷ୍ୟତ । କଲମ୍ବିଆ ବିଶ୍ୱବିଦ୍ୟାଳୟର ସଂସ୍କୃତ ଓ ଭାରତୀୟ ବିଦ୍ୟାର ପ୍ରଫେସର ସେଲଡନ ପୋଲକ (Sheldon Pollock) ଏହି ଅବସ୍ଥା ଉପରେ ମନ୍ତବ୍ୟ କରି କୁହନ୍ତି, “କାହାର କ’ଣ ଯାଏ ଆସେ,  କ, ଖ, ଗ, ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲେ, ଯଦି ଏହି ଭାଷାକୁ ପଢ଼ି ପାରୁଥିବା କେହି ରହିବେ ନାହିଁ?” (Who cares if language X,Y,or Z is given ‘classical’ status if there is no one who can read it?)ସେ ଅତ୍ୟନ୍ତ କ୍ଷୋଭର ସହ କୁହନ୍ତି, “ସ୍ୱାଧୀନତା ସମୟରେ ଏପରି ବିଦ୍ୱାନମାନେ ଭାରତବର୍ଷରେ ଥିଲେ ଯେଉଁ ମାନଙ୍କର ଇତିହାସ ଓ ତୁଳନାତ୍ମକ ଭାଷା ବିଜ୍ଞାନରେ ଦକ୍ଷତା, ତତ୍କାଳୀନ ବିଶ୍ୱର ଯେ କୌଣସି ବିଶେଷଜ୍ଞ ସହ ତୁଳନୀୟ ଥିଲା ସେମାନେ ପ୍ରାକ୍ ଆଧୁନିକ ଭାଷା ସାହିତ୍ୟ ଉପରେ ଯେଉଁ ଅଧ୍ୟୟନ କରିଥିଲେ ଓ ଗ୍ରନ୍ଥମାନ ପ୍ରକାଶ କରିଥିଲେ ତାହା ହିଁ ଆମେ ଆଜି ବ୍ୟବହାର କରୁଛୁ । ଏହି ଅଧ୍ୟୟନ ବା ଗ୍ରନ୍ଥର ବଦଳ ହୋଇ ନାହିଁ । ଏହାର ବଦଳ ହେବା ଆବଶ୍ୟକ କିନ୍ତୁ ହୋଇ ନାହିଁ କାରଣ ବଦଳାଇବା ପାଇଁ ସେ ଭଳି ବିଦ୍ୱାନ ନାହାନ୍ତି ।” ତାଙ୍କ ବିଚାରରେ ସମସ୍ତ ପ୍ରାକ୍ ୧୮୦୦ ଭାଷା ସାହିତ୍ୟ ହେଉଛି ଶାସ୍ତ୍ରୀୟ (classics)। ସେ ତାଙ୍କର କେତୋଟି ବ୍ୟକ୍ତିଗତ ଅଭିଜ୍ଞତା ଜରିଆରେ ଦର୍ଶାନ୍ତି ଏହି ବିଦ୍ୱାନମାନଙ୍କର ଅଭାବର ପରିଣତି କ’ଣ ହୋଇଛି । ଯେପରି ଆମେରିକାର ବହୁ ବିଶ୍ୱବିଦ୍ୟାଳୟ ଯେଉଁଠାରେ ଶାସ୍ତ୍ରୀୟ ଭାରତୀୟ ଭାଷାମାନଙ୍କର ଅଧ୍ୟୟନ ହୋଇ ଆସୁଅଛି, ସେହିଠାରେ ବିଦ୍ୱାନଙ୍କ ଅଭାବ ଯୋଗୁଁ ସେ ଅଧ୍ୟୟନଗୁଡ଼ିକ ବନ୍ଦ ହେବାକୁ ବସିଲାଣି । ଏହିଭଳି ଏକ ମାର୍କିନ ବିଶ୍ୱବିଦ୍ୟାଳୟରେ, ସେଲଡନ କୁହନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଦିନରୁ ଶାସ୍ତ୍ରୀୟ ତେଲୁଗୁର ଜଣେ ବିଦ୍ୱାନଙ୍କ ସନ୍ଧାନରେ ଥିଲେ ମଧ୍ୟ ସନ୍ଧାନ ସଫଳ ହୋଇନାହିଁ -ବର୍ତ୍ତମାନର କାର୍ଯ୍ୟରତ ବିଦ୍ୱାନ ଅବସର ନେଲା ପରେ ଶାସ୍ତ୍ରୀୟ ତେଲୁଗୁ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ଅବସର ନେଇନେବ । କେବଳ ବିଦେଶରେ ନୁହେଁ, ଭାରତରେ ମଧ୍ୟ ଶାସ୍ତ୍ରୀୟ ଭାଷା ସାହିତ୍ୟର ଅଧ୍ୟୟନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି । ଏପରିକି ଶାସ୍ତ୍ରୀୟ କନ୍ନଡ଼ ସାହିତ୍ୟରେ ଅଧ୍ୟୟନ ଓ ଗବେଷଣା ବିରଳ ହୋଇଗଲାଣି ବୋଲି ଦର୍ଶାନ୍ତି ସେଲଡନ । ରାଜଧାନୀ ସହର ଦିଲ୍ଲୀରେ ଥିବା ଦୁଇ ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା-ସାହିତ୍ୟରେ କୌଣସି ଅଧ୍ୟୟନ ବା ଗବେଷଣା ହୁଏ ନାହିଁ ବୋଲି କ୍ଷୋଭକ୍ତି କରନ୍ତି ସେଲଡନ । ଯେଉଁ ଅବସ୍ଥାରେ ଆଜି ଶାସ୍ତ୍ରୀୟ ଭାଷା ସାହିତ୍ୟର ଅଧ୍ୟୟନ ଓ ଗବେଷଣା ପହଞ୍ଚିଛି, ତାହା ଯଦି ଅବ୍ୟାହତ ରହେ ତାହାହେଲେ, ସେଲଡନଙ୍କ ଭାଷାରେ, “the number of citizens capable of reading and understanding the texts and documents of classical era or pre-colonial or pre-modern or pre-1800 era, all equivalent terms for my purpose here-will very soon approach a statistical zero.ଏହିଭଳି ଏକ ଭବିଷ୍ୟତର ଆଶଙ୍କା ଉତ୍ଥାପିତ କରିବା ସହ ଏକ ନିଷ୍ଠୁର ସତ୍ୟପ୍ରତି ଆମର ଦୃଷ୍ଟି ଆକର୍ଷଣ କରନ୍ତି ସେଲଡନ ଯେତେବେଳେ ସେ କୁହନ୍ତି, “India is about to become the only major world culture whose literary patrimony, and indeed history, are in the custodianship of the scholars outside the country: in Berkley, Chicago and New York; Oxford, Paris and Vienna.  ଶାସ୍ତ୍ରୀୟ ମାନ୍ୟତା ପାଇଁ ଦଉଡ଼ରେ ଥିବା ଭାଷାଗୁଡିକର ବିନ୍ଧାଣୀ ମାନେ ଓ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ନିଜ ପିଠି ଥାପୁଡ଼ୋଉ ଥିବା ଭାଷାବିଦ୍ମାନେ ଏହି ଦିଗ ପ୍ରତି ସଚେତନ ହେବେ; ବାହାର ଦେଶର ବିଦ୍ୱାନ ମାନଙ୍କ ତତ୍ତ୍ୱାବଧାନରେ ଭାଷାର ଐତିହ୍ୟ ସୁରକ୍ଷା ନିର୍ଭରଶୀଳ ହୋଇ ପଡିଥିବା ବେଳେ, ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତିର ସଫଳତାରେ  ଉଲ୍ଲାସ ବିଦ୍ରୁପକୁ ଆମନ୍ତ୍ରଣ କରିବା ସ୍ୱାଭାବିକ । ସେଲଡନଙ୍କର ଆଉ ଏକ ଅଭିଜ୍ଞତା ଏଠାରେ ଊଲ୍ଲେଖଯୋଗ୍ୟ । ସେ ନବେ ଦଶକର ଶେଷ ଭାଗବେଳକୁ ଦକ୍ଷିଣ ଏସୀୟ ସାହିତ୍ୟିକ ସଂସ୍କୃତିର ଇତିହାସ ଉପରେ ଏକ ଗବେଷଣା ପ୍ରକଳ୍ପର ପ୍ରସ୍ତାବ ଦେଲେ ଓ ଏଥିପାଇଁ ଆଞ୍ଚଳିକ ଭାଷାରେ ଦକ୍ଷ ବିଦ୍ୱାନଙ୍କର ସନ୍ଧାନ ଆରମ୍ଭ କଲେ । ସାରା ଭାରତରୁ କେବଳ ୪ଟି ଯୋଗ୍ୟ ବିଦ୍ୱାନ ପାଇବାରେ ସମର୍ଥ ହେଲେ । ଅନେକ ଆଞ୍ଚଳିକ ଭାଷାରୁ କୌଣସି ଯୋଗ୍ୟ ବିଦ୍ୱାନ ସେ ପାଇଲେ ନାହିଁ ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ଆସାମୀୟା, ମରାଠୀ, ଓଡିଆ, ପଂଜାବୀ ଭଳି ଭାଷା ।  (We were able to locate only four qualified scholars in India, and identified no one for a host of languages, including Assamese, Marathi, Newari, Oriya and Punjabi.) ୨୦୦୯ ମସିହାରେ ହୋଇଥିବା ଆଉ ଏକ ଅଭିଜ୍ଞତାର ଅବତାରଣା କରି ସେଲଡନ କୁହନ୍ତି ଯେ ସିମଳାସ୍ଥିତ Indian Institute For Advanced Studyରେ ଏକ ସଂପାନ ପାଇଁ ପ୍ରାକ୍ ୧୮୦୦ ଭାରତୀୟ ଭାଷା-ସାହିତ୍ୟରେ ବିଦ୍ୱାନ ମାନଙ୍କୁ ଖୋଜା ପଡିଲା । ଏଥିପାଇଁ ବହୁ ଦେଶୀ ବିଦେଶୀ ବିଦ୍ୱାନ ମାନଙ୍କୁ ଚିଠି ଲେଖାଗଲା ଯେ ସେମାନେ ଏହିଭଳି ଗବେଷକ ଓ ବିଦ୍ୱାନମାନଙ୍କର ନାଁ ସୁପାରିଶ କରନ୍ତୁ । ଯେଉଁ ଉତ୍ତର ଆସିଥିଲା ତାହା ଥିଲା ଅତ୍ୟନ୍ତ ନୈରାଶ୍ୟଜନକ । ୨୦୦୪ମସିହାରୁ ଶାସ୍ତ୍ରୀୟ ମାନ୍ୟତା ପାଇ ଥିବା ତାମିଲ ଭାଷାରେ ମଧ୍ୟ ଖୋଜା ପଡିଥିବା ବିଦ୍ୱାନ ପାଇବା ବେଶ ଦୁରୁହ ବୋଲି ଅନୁଭୂତ ହୋଇଥିଲା । ମରାଠୀ, ବଂଗଳା, ମାଲାୟଲୀ, ପଂଜାବୀ ଏପରିକି ସଂସ୍କୃତରେ ମଧ୍ୟ ଏହି ଅଭାବବୋଧ ଅନୁଭୂତ ହୋଇଥିଲା । ପ୍ରାକ୍ ୧୮୦୦ ଭାରତୀୟ ଭାଷା ସାହିତ୍ୟରେ ଅଧ୍ୟୟନ ଓ ଗବେଷଣା ପ୍ରାୟ ଲୋପ ପାଇଯାଉଛି ବୋଲି ଜଣା ପଡିଥିଲା । ଏହାର ଅଧ୍ୟୟନ ଓ ଗବେଷଣା ଆକର୍ଷଣ ହରାଇଛି ବୋଲି ଜଣା ପଡିଥିଲା । ଏହାର ଏକ କାରଣ ଭାଷା-ସାହିତ୍ୟର ପ୍ରାଚୀନ ବା ଶାସ୍ତ୍ରୀୟ ପରମ୍ପରାର ଅଧ୍ୟୟନ ଓ ଗବେଷଣା ପାଇଁ ବଡ଼ ଅନୁଷ୍ଠାନର ଅଭାବ ବୋଲି ଦର୍ଶାନ୍ତି ସେଲଡନ Central Institute of Indian Languages @]ú^iÚ Centre For Excellence in Classical Languages  ଏହି ଅଭାବ ପୂରଣ କରିବ ବୋଲି ଆଶା କରାଯାଉଥିଲା କିନ୍ତୁ ସେପରି କିଛି ହେଲା ନାହିଁ ବରଂ ଶାସ୍ତ୍ରୀୟଭାଷାର ପାଗଳାମିର ପରିଣତି ସ୍ୱରୂପ ଏହି Centre For Excellence in Classical LanguagesCentral Institute of Classical Tamil ରେ ରୂପାନ୍ତରିତ କରିଦିଆଗଲା ବୋଲି କ୍ଷୋଭକ୍ତି କରନ୍ତି ସେଲଡନ । (‘Crisis in the Classics’ by Sheldon Pollock, Social Research, vol.78, no.1, Spring 2011 as reproduced in Muse India, issue 50: July-August 2013) ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେବୀ ପ୍ରସନ୍ନ ପଟ୍ଟନାୟକ Central Institute of Indian Languagesର ଥିଲେ ପ୍ରଥମ ନିର୍ଦେଶକ ।

ଶାସ୍ତ୍ରୀୟ ମାନ୍ୟତାର ଆହ୍ୱାନ

ତେଣୁ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଁ ହୁଏତ ସବୁ ସର୍ତ୍ତ ପୂରଣ କରୁଥାଇ ପାରେ ଓ ବହୁ ପ୍ରାଚୀନ ମଧ୍ୟ ହୋଇପାରେ, କିନ୍ତୁ ଯଦି ଏହି ଭାଷା ସାହିତ୍ୟରେ ପ୍ରାଚୀନ ସାହିତ୍ୟର ବିଦ୍ୱାନ ଆଜି ନ ଥାନ୍ତି ତାହାଲେ ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରଥମ ସର୍ତ୍ତ ଭାଷା-ସାହିତ୍ୟର ପ୍ରାଚୀନତାର ଅଧ୍ୟୟନ ଯେ ଅବହେଳିତ ହୋଇରହିଯିବ ଏହା ଏକ ସ୍ୱାଭାବିକ  ଆଶଙ୍କା । ସେଲଡନଙ୍କର ଉପରୋକ୍ତ ଉଦ୍ଧୃତି ଗୁଡିକରେ ଏହି ଆଶଙ୍କା ହିଁ ପ୍ରକଟିତ ହୋଇଛି । ଏହି ପୃଷ୍ଠଭୂମିରେ ପ୍ରଶ୍ନ ଉଠୁଛି ଯେ ଯେଉଁ ପ୍ରାଚୀନତାର ନଜିର ଦେଇ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଦାବି କରାଯାଇଛି ଓ ଯାହାକୁ ବିଶେଷଜ୍ଞ କମିଟି ମଧ୍ୟ ଗ୍ରହଣ କରିଛି ଓ ଦାବି ସପକ୍ଷରେ ସୁପାରିଶ କରିଛି,

ସେହି ପ୍ରାଚୀନ ଭାଷା-ସାହିତ୍ୟରେ କେତେ ଜଣ ବିଦ୍ୱାନ ଓଡିଶାରେ ଅଛନ୍ତି? ଏହି ଭାଷା-ସାହିତ୍ୟରେ ଗବେଷଣାର ବ୍ୟାପ୍ତି କେତେ? ଏହା ଓଡିଆ ଭାଷା ସାହିତ୍ୟର ଗବେଷକ ମାନଙ୍କ ପାଇଁ କେତେ ଆକର୍ଷଣୀୟ ହୋଇ ରହିଅଛି ? ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗ ମାନଙ୍କରେ କେତେ ପିଏଚଡି ଥେସିସ ପ୍ରାଚୀନ ସାହିତ୍ୟ ଉପରେ ଦାଖଲ ହେଉଛି ? ଏ ସବୁର ଖୋଜ କରାଯିବା ଦରକାର । ପ୍ରକୃତରେ ପ୍ରାଚୀନ ଓଡିଆ ସାହିତ୍ୟରେ ଯେଉଁ ବୈଚିତ୍ର ଅଛି, ବିଶେଷତଃ ଏହାର ଗଣତାନ୍ତ୍ରୀକ ଚରିତ୍ର, ତାହା ଏକ ନିଷ୍ଠାପର ଅଧ୍ୟୟନର ଅପେକ୍ଷା ରଖେ । ଏହି ପ୍ରସଂଗରେ ମାୟାଧର ମାନସିଂହଙ୍କ ମତକୁ ସ୍ମରଣ କରାଯାଇ ପାରେ । ସେ ଲେଖନ୍ତି, “ଓଡିଆ ସାହିତ୍ୟକୁ ସମଗ୍ର ଭାବରେ ଦେଖିଲେ ଆମେ ଏହି ପ୍ରୀତିପ୍ରଦ ନିଷ୍ପତ୍ତିରେ ପହଂଚିବା ଯେ ମୁଖ୍ୟତଃ ଏହା ଏକ ଜନତାର ସାହିତ୍ୟ । ଅନ୍ୟ ସକଳ ଆଧୁନିକ ଭାରତୀୟ ଭାଷା ମାନଙ୍କରେ, ସାହିତ୍ୟର ଆଦ୍ୟସ୍ରଷ୍ଟାଗଣ ସଂସ୍କୃତ ଭାଷାରେ ବିଦଗ୍ଧ ପଣ୍ଡିତ ଥିଲେ । ବିଚରା ଓଡିଆ ସାହିତ୍ୟ ତା’ର ଭାରତୀୟ ଭଗିନୀମାନଙ୍କ ପରି ଉପରୁ ରାଜକୀୟ ପୃଷ୍ଠପୋଷକତା ବା ସଂସ୍କୃତ ବିଦ୍ୱାନମାନଙ୍କର ଶ୍ରଦ୍ଧାରୂପୀ ମୂଳ-ପତ୍ତନ କୈାଣସି ଟି ନେଇ ଗର୍ବ କରି ନ ପାରେ । ଭୌଗଳିକ ପରିସ୍ଥିତିଯୋଗୁଁ ଭାରତର ଅନ୍ୟ ଅଂଶଠାରୁ ପ୍ରାୟଶଃ ବିଚ୍ଛିନ୍ନ ଜୀବନ ଯାପନ କରି ଆସୁଥିବା ଏକ ଅବହେଳିତ ଜାତିର ଅନ୍ତର୍ଗତ ସ୍ୱପ୍ନ, ଆକାଂକ୍ଷା  ଓ ଅନୁଭବ ସକଳ କିପରି ତାର ନିଜର ଦୈନିକ ଗୃହ-କଥିତ ଭାଷାରେ ହିଁ ପ୍ରକାଶ ପାଇବ, ତାହା ଦେଖିବାର ଦୁର୍ବାର ଅନ୍ତର୍ନିହିତ ପ୍ରେରଣାରୁ ହିଁ ଓଡିଆ ସାହିତ୍ୟର ଜନ୍ମ ଓ ଅଭିବୃଦ୍ଧି ଲାଭ କରିଆସିଛି ବୋଲି କହିବାକୁ ହେବ ।….ଓଡିଆ ସାହିତ୍ୟ ପ୍ରାରମ୍ଭିକ ଅବସ୍ଥାରେ କେବଳ ନୁହେଁ, ସର୍ବ ଅବସ୍ଥାରେ ଓଡିଆ କବି ଓ ଲେଖକବର୍ଗ ପ୍ରାୟଶଃ ରହିଆସିଛନ୍ତି ଜନତାର ଲୋକ…..ଭାରତର ସମସ୍ତ ଆଧୁନିକ ଭାରତୀୟ ଭାଷାମାନଙ୍କ ଭିତରେ ଓଡିଆ ତେଣୁ ସବୁଠାରୁ ଗଣତାନ୍ତ୍ରିକ ବୋଲି କୁହାଯାଇପାରେ-କାରଣ ଏହା ମୋଟରେ ଜନତା ପାଇଁ ଓ ଜନତାଦ୍ୱାରା ସୃଷ୍ଟ ଓ ପରିପୃଷ୍ଟ । ” ଓଡିଆ ଭାଷାର ଆଉ ଏକ ଅନନ୍ୟତ୍ୱର ନଜିର ଦେଇ ମାନସିଂହ ଲେଖନ୍ତି, “ଓଡିଆ ହୁଏତ ଉତ୍ତର-ଭାରତୀୟ ଭାଷାଗୋଷ୍ଠୀରେ ଏକମାତ୍ର ଭାଷା ଯେଉଁଥିରେ ଆଦିବାସୀ ଏକ ଅର୍ଥପୂର୍ଣ ଅଂଶ ଗ୍ରହଣ କରିଛି । ଅନ୍ଧ କନ୍ଧକବି ଭୀମ ଭୋଇଙ୍କର ଏକେଶ୍ୱରବାଦୀ ଭଜନାବଳି ଏ ଭାଷାର ଅମୂଲ୍ୟ ସମ୍ପଦ । ଓଡିଆ କାବ୍ୟ-କବିତାରେ ଆଦିବାସୀ ଚରିତ୍ରରୂପେ ଦେଖାଦେଇଛି ଓଡିଆ ସାହିତ୍ୟର ପ୍ରାୟ ଆଦ୍ୟରୁ । କେଉଟ ଭୀମା (ଭୀମା ଧୀବର) ଏକ ଗାଥା (କପଟପାଶା) ଛାଡିଯାଇଛି, ଯାହା ଲେଖି ଯେ କୌଣସି ସଂସ୍କୃତ ପଣ୍ଡିତ ଗର୍ବ କରିପାରନ୍ତେ…… ବେଢେଇ ଯଦୁମଣି ଏ ଦେଶର ପ୍ରତିତ୍ୟୁପନ୍ନ ରସିକତା ପାଇଁ ଓ ବିଦଗ୍ଧ କାବ୍ୟରଚକ ଭାବରେ ଏକ କାହାଣୀରେ ପରିଣତ ହୋଇଯାଇଛନ୍ତି । ଓଡିଶାର ଅଗଣିତ କୃଷକସମାଜର, ଅର୍ଥାତ୍ ଐତିହାସିକ ‘ଓଡ୍ର’ମାନଙ୍କର ଏ ଭାଷାକୁ ଦାନର ପରିମାଣ ମଧ୍ୟ ନଗଣ୍ୟ ନୁହେଁ । ” (ଓଡିଆ ସାହିତ୍ୟର ଇତିହାସ, ମାୟାଧର ମାନସିଂହ, ଗ୍ରନ୍ଥ ମନ୍ଦିର, ୧୯୯୭, (ପୁନର୍ମୁଦ୍ରଣ-୨୦୦୭), ପୃ୧୧-୧୨)

ତେଣୁ ଓଡିଆ ଭାଷା ସାହିତ୍ୟର ଶାସ୍ତ୍ରୀୟତାକୁ ବଜାୟ ରଖିବାକୁ ହେଲେ ଅଧ୍ୟୟନ ଓ ଗବେଷଣା କେଉଁ ପର୍ଯାୟର ହେବା ଉଚିତ ତାହାର ଇଶାରା ମିଳେ ଉପରୋକ୍ତ ଉଦ୍ଧୃତିରୁ । ଏଥିପାଇଁ ଆମର ବିଦ୍ୱାନ ମାନେ କେତେ ପ୍ରସ୍ତୁତ ତାହାହିଁ ଆଜି ମୁଖ୍ୟ ପ୍ରସଙ୍ଗ ହେବା ଉଚିତ । ଓଡ଼ିଆ ଭାଷା-ସାହିତ୍ୟିର ଶାସ୍ତ୍ରୀୟତାକୁ ସରକାରଙ୍କ ସ୍ୱୀକୃତି ଏହାର ସଂରକ୍ଷଣ ବା ସୁରକ୍ଷାର ପ୍ରତିଶ୍ରୁତି ନୁହେଁ । ଏଠାରେ ପ୍ରାସଙ୍ଗିକ ହେବ ମାୟାଧର ମାନସିଂହଙ୍କୁ ପୁନର୍ବାର ଉଦ୍ଧାର କରିବା । ସେ ଲେଖନ୍ତି, “ଏ ଭାଷା ଯେ ଆଜି ସଗର୍ବେ ଦଣ୍ଡାୟମାନ, ତାହା ନିଶ୍ଚୟ ଶାସକବର୍ଗର ଉତ୍ସାହ ଓ ଆନୁକୂଲ୍ୟ ଯୋଗୁଁ ନୁହେଁ; ବରଂ ସେମାନଙ୍କର ବିରାଗ, ଅଶ୍ରଦ୍ଧା, ନିରପେକ୍ଷତା ଓ କୌଣସି କାଳରେ ରୀତିମତ ବିଲୋପ ସାଧନର ପ୍ରଚେଷ୍ଟା ସହେ ବୋଲି ଦମ୍ଭର ସହିତ କୁହାଯାଇପାରେ ।…..କିନ୍ତୁ ଓଡ଼ିଆ ଜାତିର ଅନ୍ତର୍ନିହିତ ସଂଯୋଜନ ଗୁଣ ଫଳରେ ପଣ୍ଡିତ ଓ ଶାସକ ଶ୍ରେଣୀର ଧାରାବାହିକ ଅଶ୍ରଦ୍ଧା; ଉଦାସୀନତା ଓ ଚାରିପଟୁ ଅତ୍ୟାଚାର ଭୋଗି ମଧ୍ୟ ଓଡ଼ିଆ ଭାଷା ତାର ଚରିତ୍ରର ଏକ ସାର୍ବଜନୀନ ଭାବ ବିସ୍ମୟଜନକ ଭାବରେ ବଂଚାଇ ରଖିଆସିଛି ।” ଆମ ରାଜ୍ୟର ସର୍ବୋଚ୍ଚ ଜନପ୍ରତିନିଧି ଶାସକ ମୁଖ୍ୟମନ୍ତ୍ରୀ ଓଡ଼ିଆ ନ କହିବାରେ ବୋଧହୁଏ ମାୟାଧର ମାନସିଂହ ଶାସକ ଶ୍ରେଣୀର ଉପରାକ୍ତ ଅଶ୍ରଦ୍ଧାର ଧାରାବାହିକତାର ଏକ ଚରମ ଦୃଷ୍ଟାନ୍ତ ହିଁ ଦେଖୁଥାନ୍ତେ ।

କହିବା ବାହୁଲ୍ୟ, ଓଡିଆ ଭାଷା-ସାହିତ୍ୟ ଶାସକ ଶ୍ରେଣୀର ପୃଷ୍ଠପୋଷକତା ବିନା ବଞ୍ଚିଛି । ‘ଓଡ଼ିଶା ମାଟିର ଲୋକଙ୍କ ଦ୍ୱାରା ତ ସମୃଦ୍ଧ ହୋଇଛି’ । ତେଣୁ ଶାସ୍ତ୍ରୀୟତାର ସରକାରୀ ସ୍ୱୀକୃତି ପାଇଁ ଗଳଦ୍ଘର୍ମ ହେବା ଓ ଏହାକୁ ନେଇ ଖୁବ୍ ଗୋଟାଏ ଉଲ୍ଲସିତ ହେବାର ଆବଶ୍ୟକତା ନାହିଁ ବରଂ ଓଡ଼ିଆ ଭାଷାର ବ୍ୟବହାର ଓ ସାହିତ୍ୟର ଅଧ୍ୟୟନ କ୍ଷେତ୍ରରେ ଦୃଶ୍ୟମାନ ସଂକୋଚନରେ କିପରି ଉଜାଣି ଆସିବ, ସେଥିପାଇଁ ରଣନୀତି ସ୍ଥିର ହେବା ଉଚିତ । ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ଦାବି କରିବା ଅପେକ୍ଷା ଓଡ଼ିଶାର ସବୁ କିସମର ବିଦ୍ୟାଳୟରେ, ରାଜ୍ୟ ବୋର୍ଡ, କେନ୍ଦ୍ରୀୟ ବୋର୍ଡ, ବିଦେଶୀ ବୋର୍ଡ ବା ଇଣ୍ଟରନେସନାଲ (International)ସ୍କୁଲ, ସବୁଠାରେ କିପରି ବାଧ୍ୟତାମୂଳକ ଓଡ଼ିଆଭାଷା ସାହିତ୍ୟର ଶିକ୍ଷା ହୋଇପାରିବ-ତାହାର ଏକ ରଣନୀତିର ପ୍ରସ୍ତୁତି ପ୍ରତି ଧ୍ୟାନ ଦିଆଯିବା ଉଚିତ । ଏହା ଏକ ବିଡମ୍ବନା ଯେ ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା ଏକ ସପିଂ ମଲ (Shopping Mall)ରେ ପରିଣତ ହୋଇଛି, ଯେଉଁଠି ଭିନ୍ନ ଭିନ୍ନ ଗରାଖଙ୍କ ପାଇଁ ଭିନ୍ନ ଭିନ୍ନ ପାଠର କାଉଣ୍ଟର ମାନ ରହିଛି, ଯାହାକୁ ଆମେ ସ୍କୁଲ ବୋଲି ଆଖ୍ୟାୟିତ କରିଚାଲିଛୁ । ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ଦାବି କରି ଓଡ଼ିଶାମାଟିରେ ଠିଆ ହୋଇଥିବା ଅବହେଳିତ ବିଶ୍ୱବିଦ୍ୟାଳୟର ତାଲିକାକୁ ଆଉ ଲମ୍ବାଇବା ଅପେକ୍ଷା ଯେଉଁ ବିଶ୍ୱବିଦ୍ୟାଳୟ ଗୁଡିକ ଅଛି ତାହାର ଓଡିଆ ବିଭାଗଗୁଡିକୁ କିପରି ଅଧିକ କାର୍ଯ୍ୟକ୍ଷମ କରାଯାଇ ପାରିବ ଓ ଗବେଷଣା ପାଇଁ ଅନୁକୂଳ ତଥା ବିମର୍ଷହୀନ କରାଯିବ; ସେଥିପାଇଁ ଉଦ୍ୟମ ହେବା ଉଚିତ । ଦେଢ଼ ଦଶନ୍ଧି ତଳେ ପ୍ରତିଷ୍ଠିତ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଭାଗ୍ୟ ଦେଖିସାରିଲା ପରେ ,ଓଡିଆ ବିଶ୍ୱବିଦ୍ୟାଳୟର ଦାବି ଅବିମୃଷ୍ୟକାରୀ ବୋଲି ସମାଲୋଚିତ ହେବା ଅସମ୍ଭବ ନୁହେଁ । ଏହା ଭିନ୍ନ କଥା ଯେ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା ହେଲେ  ଓଡିଆ ଅଧ୍ୟାପକଙ୍କ ପାଇଁ କୁଳପତି ହେବାର ସୁଯୋଗଟିଏ ସୃଷ୍ଟି ହେବ ।

ଓଡିଆ ଭାଷା-ସାହିତ୍ୟର ଶାସ୍ତ୍ରୀୟ ମାନ୍ୟତା ଦାବି ବହୁ ପ୍ରଶ୍ନର ପେଡ଼ି ଖୋଲିଛି । ଓଡ଼ିଆଭାଷା ପାଇଁ ଯେଉଁ ଯେଉଁ ଉଦ୍ୟମମାନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନୁଦାନରେ ହୋଇଛି, ତାହା ଏକ ସମୀକ୍ଷାର ଅପେକ୍ଷା କରୁଛି । ପ୍ରାପ୍ତ ଅର୍ଥ ପ୍ରକଳ୍ପର ଲକ୍ଷ୍ୟହାସଲ ପାଇଁ କିପରି ଉପଯୋଗ ହୋଇଛି, ତାହା ଏକ ହିସାବର ଅପେକ୍ଷା କରୁଛି । ଏହି ସୂଚନାଗୁଡ଼ିକ ହିଁ କହିବ ଶାସ୍ତ୍ରୀୟ ମାନ୍ୟତା ପାଇଗଲେ, ଯେଉଁ ୧୦୦କୋଟି ଟଙ୍କା ଏକକାଳୀନ ଓ ପ୍ରତି ବର୍ଷ ପାଞ୍ଚ କୋଟି ଟଙ୍କା ଉପଲବ୍ଧ ହେବ, ତାହା କେତେ ଦୂର ଓଡ଼ିଆ ଭାଷା-ସାହିତ୍ୟର ସ୍ୱାର୍ଥରେ ବିନିଯୋଗ ହେବ । ତେବେ ରାଜ୍ୟରେ ଏକ ଭାଷା ନୀତିର ଆବଶ୍ୟକତା ଉପରେ ଦେବୀପ୍ରସନ୍ନ ପଟ୍ଟନାୟକ ମହୋଦୟଙ୍କ ପରି ଯେଉଁମାନେ ଗୁରୁତ୍ୱ ଦେଉଛନ୍ତି ତାଙ୍କ ସହ ପ୍ରତ୍ୟେକ ସଚେତନ ଓଡିଆ ସ୍ୱର ମିଶାଇବା ଦରକାର, ଏଥିରେ କୌଣସି ଦ୍ୱିରୁକ୍ତିର ଅବକାଶ ନାହିଁ । ତେବେ ଇତ୍ୟବସରରେ ଓଡ଼ିଆଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ନିଶ୍ଚିତ ଏକ ସଫଳତା ।

Comments

0 comments

Share This Article