ଓଡ଼ିଆ ବୋଲି ଏକ ଜାତି ଥିଲା, ତାହାର ବି ଏକ ଭାଷା ଥିଲା

ରଘୁନାଥ ଦାସ Raghunath Das
ରଘୁନାଥ ଦାସ Raghunath Das175 Views
11 Min Read

ଆମ ଓଡ଼ିଆ ଦେଶର ରାଜାମାନେ ଆଗେ ସାମ୍ରାଜ୍ୟ ବିସ୍ତାର କରିଥିଲେ ବୋଲି କହି କେହି କେହି ଗର୍ବ ଅନୁଭବ କରନ୍ତି । ଏହି ସାମ୍ରାଜ୍ୟ ବିସ୍ତାର ଗର୍ବର ବିଷୟ ବୋଲି ପାଠ ପଢ଼ିଲା ପିଲାଙ୍କୁ ଶିକ୍ଷା ଦିଆଯାଇଥାଏ । କିନ୍ତୁ ଆମର ଜାତି ଯେବେ କୌଣସି ବିଷୟରେ ଲଜ୍ଜିତ ହେବାର ଅଛି, ତାହା ଆମର ସେହି ଦୁର୍ବୃତ୍ତ ରାଜାମାନେ ଆଉ ସେମାନଙ୍କର ସାମ୍ରାଜ୍ୟ । ଦେଶର ପ୍ରଜାସାଧାରଣଙ୍କୁ ଲୁଟି କରି ଖାଇବା ସେମାନଙ୍କର ପେଶା ଥିଲା, ସେଥିରେ ସନ୍ତୁଷ୍ଟ ନହୋଇ ସେହି ଡକାୟତ ଦଳ ଅନ୍ୟ ଦେଶର ନିରୀହ ଖଟିଖିଆ ଲୋକଙ୍କ ଉପରେ ତାଙ୍କର ଲୁଟି ଚଳାଇଥିଲେ । ଖାରବେଳର ସାମ୍ରାଜ୍ୟ, ପ୍ରତାପରୁଦ୍ରର ସାମ୍ରାଜ୍ୟର ଅର୍ଥ ଏହା ହିଁ, ସେମାନଙ୍କର ସାହସ, ସେମାନଙ୍କର ବିଦ୍ୟା ଓ କୌଶଳହୀନ ଦୁସ୍ୟୁକାର୍ଯ୍ୟରେ ଲାଗି ଜାତିର ମହତ୍ ନାମରେ କଳଙ୍କ ବୋଳିଛି ।

ଭାଷା ଜୀବନ-ବୃକ୍ଷର ଶାଖା; ସାହିତ୍ୟ ଓ ସଂସ୍କୃତି ତହିଁର ପୃଷ୍ଠା ଓ ଫଳ ସଦୃଶ ।

ଏହା ବ୍ୟକ୍ତି ପକ୍ଷରେ ଯେପରି ସତ୍ୟ, ଜାତି ପକ୍ଷରେ ମଧ୍ୟ ତଦ୍ରୁପ । ଦେହରେ ବଳ ପାଇଲେ ଶିଶୁ କଥା କହେ, ଦରୋଟରୁ ତାହା କ୍ରମଶଃ ସ୍ପଷ୍ଟ ହୁଏ । ଶିଶୁ ତେଜିୟାନ ହେଲେ ଭାଷା ଜୋରଦାର ହୁଏ; ଶିଶୁ ଦୁର୍ବଳ ହେଲେ ଭାଷା ବି ଦୁର୍ବଳ ହୁଏ । ବ୍ୟକ୍ତି ପ୍ରାଣପୂର୍ଣ୍ଣ ହେଲେ ତାହାର ଭାଷାରେ ଆବେଗ ଫୁଟେ । ଜୀବନରେ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କଲେ ବ୍ୟକ୍ତି ଚାରୁକଳା ପ୍ରତି ଆଗ୍ରହୀ ହୋଇଥାଏ । ମ୍ରିୟମାଣ ବ୍ୟକ୍ତିର ଭାଷା କ୍ଷୀଣ ହୋଇଆସେ ଓ ମୃତ୍ୟୁ ସହିତ ସେ ନିର୍ବାକ ହୋଇଯାଏ ।

ପ୍ରାଚୀନ ଭାରତୀୟ ଦର୍ଶନ ଓ ସଂସ୍କୃତ ଭାଷା ସମୃଦ୍ଧ ଓ ପରିତପ୍ତ ଜୀବନର ପରିଚାୟକ । ଗ୍ରୀକ୍ ଦର୍ଶନ, ସାହିତ୍ୟ ଓ ସ୍ଥାପତ୍ୟ ଗ୍ରୀସୀୟମାନଙ୍କର ଅଭ୍ୟୁଦୟ ହେତୁ ଘଟିଥିଲା । ରୋମୀୟ ସଭ୍ୟତା ଓ ସେମାନଙ୍କର ଲାଟିନ ଭାଷା ସାହିତ୍ୟ ଓ ସ୍ଥାପତ୍ୟ ତାଙ୍କର ବିଶାଳ ସାମ୍ରାଜ୍ୟର ଅବଦାନ । ଭାରତୀୟ ଜାତୀୟ ଜୀବନ ଗ୍ଲାନିପୂର୍ଣ୍ଣ ହେବା ସହିତ ତାଙ୍କର ଦର୍ଶନ ମ୍ଲାନ ହେଲା, ସଂସ୍କୃତ ଭାଷା ଜୀବନ୍ତ ଭାଷା ନହୋଇ ଦେବଭାଷା ହେଲା । ଗ୍ରୀକ୍ ଓ ରୋମୀୟ ସାମ୍ରାଜ୍ୟର ପତନ ସହିତ ସେମାନଙ୍କର ଭାଷା ଓ ସଂସ୍କୃତି ଲୋପ ପାଇଥିଲା । ଇଂରେଜ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଆସିଥିଲା, ଯେବେ ଏଲିଜାବେଥ୍ ଶାସନ କାଳରେ ତାହାର ଜାତୀୟ ଜୀବନ ଶକ୍ତିଶାଳୀ ଓ ସମୃଦ୍ଧ ହେଲା ଇଂରେଜଙ୍କର ପୃଥିବୀବ୍ୟାପୀ ସାମ୍ରାଜ୍ୟ ବିସ୍ତାର ହେତୁ ସେମାନଙ୍କର ଭାଷା ଦେଶେ ଦେଶେ ଆଦୃତ ହେଲା, ଏପରିକି ଅଧିକ ଉନ୍ନତ ଫରାସୀ ସାହିତ୍ୟକୁ ପଛରେ ପକାଇ ଦେଇ ତାହା ସର୍ବତ୍ର ଦୋଭାଷୀ ରୂପେ ପ୍ରଚଳିତ ହେବାରେ ଲାଗିଛି ।

ଭାରତରେ ବ୍ରିଟିଶ ଶାସନ ଚାଲୁହେବାରୁ ବଙ୍ଗୀୟମାନେ ବିହାର ଓ ଓଡ଼ିଶାରେ ଜମିଦାରୀ ହାସଲ କରିଥିଲେ; ଫଳରେ ଓଡ଼ିଶା ଓ ବିହାର ଅର୍ଥନୀତିକୁ ବିପନ୍ନ କରି ସେମାନେ ନିଜକୁ ସମୃଦ୍ଧ କରିପାରିଥିଲେ ଏବଂ ତାହାରି ବଳରେ ନିଜର ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ବିପନ୍ନାଞ୍ଚଳର ମ୍ରିୟମାଣ ଜାତୀୟ ଜୀବନର ସୁଯୋଗ ନେଇ ସେମାନଙ୍କର ଗୌରବମୟ ଅତୀତକୁ ବି ଅସ୍ୱୀକାର କରିବାର ଔଦ୍ଧତ୍ୟ ପ୍ରକାଶ କରିଥିଲେ । ଓଡ଼ିଆମାନେ ମଣିଷ ନୁହନ୍ତି ଲାଙ୍ଗୁଳହୀନ ମର୍କଟ ସମ, ଏକ ପ୍ରକାର ଜାନୁଆର, ସେମାନେ କେବଳ ବେହେରା ଓ ପୂଜାରୀ ହେବାକୁ ଯୋଗ୍ୟ, ସେମାନଙ୍କର ସ୍ୱତନ୍ତ୍ର ଭାଷା ନାହିଁ ଓ ଓଡ଼ିଶାର ଶିଳ୍ପକଳା ବଙ୍ଗଦେଶର କାରିଗରଙ୍କ କୃତି ବୋଲି ନାନା ଉଦ୍ଭଟ ତଥ୍ୟ ସର୍ବସାଧାରଣରେ ପରିବେଷଣ କରିବାର ଆସ୍ପର୍ଦ୍ଧା ସେମାନେ ଲାଭ କରିଥିଲେ ସେମାନଙ୍କର ସ୍ୱଚ୍ଛଳ ସ୍ଥିତି ଓ ବିପନ୍ନାଞ୍ଚଳର ଦୟନୀୟ ଅର୍ଥନୀତିରୁ । ତତ୍କାଳୀନ ଜାତୀୟ ଅର୍ଥନୀତି ଓ ରାଷ୍ଟ୍ରନୀତି ହେତୁ ଏହା ସମ୍ଭବପର ହୋଇଥିଲା ।

ଓଡ଼ିଆ ଜାତିକୁ ହୀନବଳ କରିବା ଲାଗି ସାମ୍ରାଜ୍ୟବାଦୀ ଇଂରେଜମାନେ ଓଡ଼ିଶାକୁ ବିଖଣ୍ଡିତ କରି ତହିଁର ବିଚ୍ଛିନ୍ନାଞ୍ଚଳକୁ ପ୍ରତିବେଶୀ ପ୍ରବେଶ ସହିତ ବା ଅନୁଗତ ସାମନ୍ତ ଶାସନାଧୀନରେ ଅବସ୍ଥାପିତ କରିଥିଲେ । ଓଡ଼ିଶାରୁ ସବୁ ଶିଳ୍ପ ଉଠାଇନେଇ ବଙ୍ଗ ଦେଶରେ ଅବସ୍ଥାପନ କରିଥିଲେ ଓ ଓଡ଼ିଶାର କୃଷିପ୍ରତି ଅବହେଳା ପ୍ରଦର୍ଶନ କରିଥିଲେ । ଏହାଫଳରେ ଓଡ଼ିଆମାନେ ସ୍ୱଦେଶ ଛାଡ଼ି ଆସାମ ଚାହା ବଗିଚାରେ, ବର୍ମାର ତେଲ ଖଣିରେ ବା କଲିକତାର ଚଟକଳରେ ଅତି ଦୁଃସ୍ଥ ଅବସ୍ଥାରେ ଦିନ କଟାଉଥିଲେ । ଏକଦା ଚାରୁକଳା ମଣ୍ଡିତ ଉତ୍କଳ ଦୁର୍ଭିକ୍ଷ ଓ ବନ୍ୟାର ଚରାଭୂଇଁ ହୋଇ ଯାଇଥିଲା । ଦୁଷ୍ଟ ରାଜନୀତି ଓ ଅର୍ଥନୀତି ହେତୁ ଓଡ଼ିଶା ଏହି ବିପତ୍ତିର ସମ୍ମୁଖୀନ ହୋଇ ଅତୀତର ସମସ୍ତ ଗୌରବ ହରାଇ ବସିଥିଲା ।

ଭାରତୀୟ ଜାତୀୟ କଂଗ୍ରେସ ଜାତୀୟତାର ଧ୍ୱନି ଦେବା ପୂର୍ବରୁ ଓଡ଼ିଆମାନେ ସେମାନଙ୍କର ଜାତୀୟ ସଂହତି ଲାଗି ଚେଷ୍ଟିତ ଥିଲେ । ବିଚିତ୍ରାନନ୍ଦ, ଗୌରୀଶଙ୍କର, ନୀଳମଣି ବିଦ୍ୟାରତ୍ନ, ପ୍ୟାରୀଶଙ୍କର ପ୍ରଭୃତି ଏହି ଆନ୍ଦୋଳନର ସୂତ୍ରପାତ କରିଥିôଲେ । ସ୍ୱର୍ଗତ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହା ବଳଶାଳୀ ହେଲା । ଭାରତୀୟ ଜାତୀୟ କଂଗ୍ରେସ ଯେତେବେଳେ ସାମ୍ରାଜ୍ୟବାଦ ବିରୋଧୀ ସ୍ୱର ଉତ୍ତୋଳନ କଲା, ସ୍ୱର୍ଗତ ମଧୁସୂଦନ ଦାସ ଓଡ଼ିଆ ଜାତୀୟତାକୁ ଖର୍ବ କରିବା ଲାଗି ସାମ୍ରାଜ୍ୟବାଦୀମାନଙ୍କ ଚକ୍ରାନ୍ତ ପ୍ରତି ଜାତୀୟ କଂଗ୍ରେସ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏ ଦିଗରେ ସାମ୍ରାଜ୍ୟବାଦୀ ଶୋଷଣ ବିରୁଦ୍ଧରେ ସଂଗ୍ରାମ ଲାଗି ଆହ୍ୱାନ ଦେଇ ଅପର ଦିଗରେ ଓଡ଼ିଶା ଉପରେ ପ୍ରତିବେଶୀମାନଙ୍କ ଔପନିବେଶିକତା ପ୍ରତି ଉଦାସୀନ ରହିବା ନିମନ୍ତେ ଅସଂଗତ ବୋଲି ସ୍ୱର୍ଗତ ମଧୁସୂଦନ ଦାସ ପ୍ରବଳ ଯୁକ୍ତି ବାଢ଼ିଥିଲେ ହେଁ ସଂକୀର୍ଣ୍ଣ ପ୍ରାଦେଶିକ ସ୍ୱାର୍ଥର ବଶବର୍ତ୍ତୀ ହୋଇ ପ୍ରଭାବଶାଳୀ କଂଗ୍ରେସ ନେତୃବର୍ଗ (ଯଥା: ରାଜେନ୍ଦ୍ର ପ୍ରସାଦ, ସୁରେନ୍ଦ୍ର ବାନାର୍ଜୀ, ପଟ୍ଟାଭି ସୀତାରାମେୟା) ତତ୍‌ପ୍ରତି କୌଣସି ଦୃଷ୍ଟିପାତ କଲେନାହିଁ । କଂଗ୍ରେସର ତତ୍‌କାଳୀନ ନେତୃବର୍ଗଙ୍କ ଅନୁସୃତ ନୀତି ଓଡ଼ିଶା ଜାତୀୟ ସ୍ୱାର୍ଥ ପକ୍ଷରେ ସହାୟକ ନୁହେଁ ବୋଲି ସ୍ୱର୍ଗତ ମଧୁସୂଦନ ଦାସ ପ୍ରଭୃତି ଯେତେବେଳେ ଅନୁଭବ କଲେ, ସେତେବେଳେ ସେମାନେ ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ସ୍ୱତନ୍ତ୍ର ଏକ ଅନୁଷ୍ଠାନ ‘ଉତ୍କଳ ସମ୍ମିଳନୀ’ର ଆଶ୍ରୟ ନେଲେ । ଏହା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରତିକୂଳ ନଥିଲା ବା ଇଂରେଜ ସାମ୍ରାଜ୍ୟବାଦର ସମର୍ଥକ ନଥିଲା ।

କଂଗ୍ରେସ ନେତୃବର୍ଗ ଓଡ଼ିଶାର ସ୍ୱାର୍ଥପ୍ରତି ଉଦାସୀନ ରହିଲେ ନେତୃବର୍ଗଙ୍କର ସଂକୀର୍ଣ୍ଣ ପ୍ରାଦେଶିକ ଦୃଷ୍ଟିଭଙ୍ଗି ହେତୁ । ତେଣୁ ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ସାମ୍ରାଜ୍ୟବାଦୀ ଶାସକଙ୍କ ଦ୍ୱାରସ୍ଥ ହେବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା । ଏହି ବିଚାରଧାରା ଉପରେ ୰ମଧୁସୂଦନ ଦାସ ତତ୍‌କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ଼ କର୍ଜନଙ୍କ ସମକ୍ଷରେ ଓଡ଼ିଶାର ଦୃଢ଼ ଦାବି ଉତ୍‌ଥାପନ କରିଥିଲେ ଓ ପରେ ବ୍ରିଟିଶ ପାର୍ଲିଆମେଣ୍ଟ ଲବିରେ ସେ ଦାବି ପ୍ରତି ସହାନୁଭୂତିପୂର୍ଣ୍ଣ ମତ ସୃଷ୍ଟି କରିଥିଲେ । ଏହି ଆନ୍ଦୋଳନ ଫଳରେ କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ଡ଼ିଭିଜନ ସମ୍ଭବପର ହୋଇଥିଲା ।

ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ଲାଗି ଦାବି ତୀବ୍ର ହୋଇ ଉଠୁଥିବା ବେଳେ ଉତ୍କଳ ସମ୍ମିଳନୀର ଚକ୍ରଧରପୁର ଅଧିବେଶନରେ ଉତ୍କଳ ସମ୍ମିଳନୀକୁ କଂଗ୍ରେସ ସହିତ ସାମିଲ କରିଦେବାର ପ୍ରସ୍ତାବ ଗୃହୀତ ହୋଇଗଲା । ମଧୁସୂଦନ ଦାସ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିବା ହେତୁ ଏହି ଅଧିବେଶନରେ ଯୋଗ ଦେଇ ପାରିନଥିଲେ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏଥିରେ ଯୋଗ ଦେଇଥିଲେ । ଏହି ସିଦ୍ଧାନ୍ତ ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଏବଂ କଂଗ୍ରେସର ଅନୁସୃତ ନୀତି ଓ ନେତୃବର୍ଗଙ୍କ ମନୋଭାବକୁ ସଠିକ୍ ଭାବେ ବିଚାର ନକରି ତରବରିଆରେ ନିଆଯାଇଥିଲା । ମଧୁସୂଦନ ଏ ସିଦ୍ଧାନ୍ତ ବିଷୟରେ ଅବଗତ ହୋଇ ବିଶେଷ ମର୍ମାହତ ହୋଇ ପ୍ରକାଶ କରିଥିଲେ ଯେ ଓଡ଼ିଶା ସିଂହଭୂମିକୁ ସବୁଦିନ ପାଇଁ ହରାଇଲା । ତାହା ହିଁ ହେଲା ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ଆନ୍ଦୋଳନ ସେବେଠୁଁ ବନ୍ଦ ହୋଇ ଯାଇଥିଲେ ହେଁ ସାଇମନ କମିଶନ ଭାରତକୁ ଆସିବାର ସୁଯୋଗ ନେଇ କେତେକ ଅଣକଂଗ୍ରେସୀ ଓଡ଼ିଆ ନେତା ଓ କର୍ମୀ କମିଶନ ଆଗେ ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ । ପରେ ପାରଳା ମହାରାଜା ଇଂଲଣ୍ଡ ଯାଇ ଲବି କରି ବ୍ରିଟିଶ ସରକାରଙ୍କ ଉପରେ ଚାପ ପକାଇବା ଫଳରେ ୧୯୩୫ମସିହା ଭାରତ ଶାସନ ଆଇନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଲାଗି ବ୍ୟବସ୍ଥା ହେଲା ଓ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ପର ହେଲା । ତଥାପି ବହୁ ଓଡ଼ିଆଭାଷୀ ଅଞ୍ଚଳ ଅନ୍ୟ ପ୍ରଦେଶ ସହିତ ରହିଗଲା । ସ୍ୱତନ୍ତ୍ର ଓଡ଼ିଶାର କଂଗ୍ରେସ ସରକାର ଉପାନ୍ତ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇବା ଲାଗି କୌଣସି ଉଦ୍ୟମ କଲେନାହିଁ ।

ସ୍ୱାଧୀନତା ପରେ ଗଡ଼ଜାତ ଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ହେଲା, କିନ୍ତୁ ଓଡ଼ିଆ ଅଞ୍ଚଳ ଷଢ଼େଇକଳା ଓ ଖରସୁଆଁ ବିହାର ସହିତ ରହିଲା । ଓଡ଼ିଶା ସହିତ ଗମନାଗମନର ସୁବିଧା ନାହିଁ ଏହି ଆଳରେ ସୀମା କମିଶନର ରିପୋର୍ଟ ଅନୁସାରେ ରାଜ୍ୟଗୁଡ଼ିକର ପୁନଃ ଗଠନରେ ଓଡ଼ିଶାର ନେତୃବର୍ଗଙ୍କର ଅବହେଳାର ସୁଯୋଗ ନେଲେ । ବିହାର ସରକାର ଏ ଅଞ୍ଚଳର ହୋ’ (ଆଦିବାସୀ) ମାନେ ବିହାର ସହିତ ରହିବାକୁ ଚାହାନ୍ତି ଏହି ଆଳରେ ଓଡ଼ିଶା ରାଜ୍ୟରେ ତାହା ମିଶାଇଦେଲେ ନାହିଁ । ଓଡ଼ିଶାର ତତ୍‌କାଳୀନ କଂଗ୍ରେସ ନେତୃବର୍ଗ ଭାରତ ସରକାରଙ୍କ ବଚସ୍କର ହୋଇ ଖଣ୍ଡିତ ଓଡ଼ିଶା ପାଇ ସନ୍ତୁଷ୍ଟ ରହିଲେ ଓ ଜନବିକ୍ଷୋଭକୁ ଗୁଳିମୁନରେ ଦବାଇ ଦେଲେ । ଏହାର ପରିଣାମରେ ଓଡ଼ିଶା ବିସ୍ତୃତ ଅଞ୍ଚଳ ହରାଇ ବସିଲା । ପ୍ରତିବେଶୀ ରାଜ୍ୟ ସରକାରମାନେ ଓଡ଼ିଶାଭାଷୀଙ୍କୁ ସେସବୁ ଅଞ୍ଚଳରୁ ଓଡ଼ିଆ ଭାଷା ପ୍ରାୟ ଉଠାଇ ଦେଲେଣି ଏବଂ ସେଠାକାର ଓଡ଼ିଆ ଅଧିସୀମାନଙ୍କ ତତ୍ରସ୍ଥ ଭାଷା ଓ ସଂସ୍କୃତି ସହିତ ସାମିଲ ହୋଇଯିବାକୁ ପ୍ରାୟତଃ ବାଧ୍ୟ କରିଛନ୍ତି ।

ଓଡ଼ିଶା ରାଜ୍ୟ ଗଠନର ଏହି ଇତିହାସ ନିଶ୍ଚିତ ଭାବରେ ପ୍ରମାଣ କରିଛି ଯେ ଭାଷାର ସୁରକ୍ଷା ଲାଗି ରାଜନୈତିକ ଆନ୍ଦୋଳନ ଓ ଚାପ ଅପରିହାର୍ଯ୍ୟ । ରାଜନୀତି ଓ ବ୍ୟତିରେକେ ଭାଷା ଓ ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି ଯେଉଁମାନେ ମତବ୍ୟକ୍ତ କରନ୍ତି, ସେମାନେ କୁହୁଡ଼ିରେ ପହଁରନ୍ତି ଓ ଜାତି ଆଗରେ ବିଭ୍ରାନ୍ତିକର ନେତୃତ୍ୱ ଉପସ୍ଥାପନ କରିଥାନ୍ତି ।

ଜାତୀୟତା କ୍ଷେତ୍ରରେ ଦୁଷ୍ଟ ନାୟକତ୍ୱ ହେତୁ ବିସ୍ତୃତ ଉପାନ୍ତ ଅଞ୍ଚଳରୁ ଓଡ଼ିଆ ଭାଷା ଓ ସଂସ୍କୃତି ଆଜି ବିଲୁପ୍ତ ପ୍ରାୟ । ଦୁଷ୍ଟ ନାୟକତ୍ୱ ଖଣ୍ଡିତ ଓଡ଼ିଶା ରାଜ୍ୟରେ ବି ଏ ଜାତିର ସ୍ୱାର୍ଥକୁ ବିପନ୍ନ କରିଛି । ଓଡ଼ିଶାର ସ୍ୱାର୍ଥକୁ ପରାହତ କରିବା ଲାଗି ଏହା ମହାଭାରତୀୟ ଭାବ ଓ ଜଗନ୍ନାଥ ଧର୍ମ ବୋଲି ବଖାଣି ବସେ । ବଳିଷ୍ଠ ପକ୍ଷେ ଯେଉଁ ନୀତି ଶୋଭନୀୟ ଦୁର୍ବଳ ପକ୍ଷେ ତାହା ଆତ୍ମଘାତୀ ଓ ନିନ୍ଦନୀୟ । ଓଡ଼ିଶାରେ ପ୍ରତିଷ୍ଠିତ ଗୋଡ଼ାଣିଆ ନେତୃତ୍ୱ ହେତୁ ଏ ମାଟି ଔପନିବେଶବାଦର ଅତି ଉର୍ବର ଚରାଭୂଇଁ ହୋଇ ଉଠିଛି । ନିଶ୍ଚିତ ଭୋଟ ପାଇବା ଲାଗି ଏ ଦେଶର ଜନପ୍ରିୟ ଜନୈକ ମୁଖ୍ୟମନ୍ତ୍ରୀ ଆନ୍ଧ୍ରରୁ ଦୁଃସ୍ଥ ଲୋକ ଆଣି ନିଜ ନିର୍ବାଚନ ମଣ୍ଡଳୀରେ ଝୋପଡ଼ିଘର କରି ସେମାନଙ୍କର ଥଇଥାନ କରି ଭୋଟର ତାଲିକାରେ ନାମ ଲେଖାଇବାର ବ୍ୟାପକ ବ୍ୟବସ୍ଥା କରିଥିବାର ଅନେକ ଜାଣିଥିବେ । ସେମାନଙ୍କର କର୍ମସଂସ୍ଥାନ ଲାଗି ସରକାର ବଡ଼ ତତ୍ପର ଥିଲେ ।

ଆଜି ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟ ଅଣଓଡ଼ିଆଙ୍କ ହାତରେ । ସରକାରୀ ଓ ବେସରକାରୀ କର୍ମସଂସ୍ଥାନରେ ଅଣଓଡ଼ିଆମାନେ ମୁଖ୍ୟ ସ୍ଥାନ ଅଧିକାର କରିବା ସହିତ ଅଧିକାଂଶ ଚାକିରି ବି ଦଖଲ କରି ବସିଛନ୍ତି । ଭିଲାଇ, ଦୁର୍ଗାପୁର, ବିଜୟନଗରମ୍ ଲୁହା କାରଖାନାରେ ସେଠାରେ ନିଜ ରାଜ୍ୟର ଶ୍ରମିକ ଓ କର୍ମଚାରୀଙ୍କ ଅନୁପାତ ଶତକଡ଼ା ନବେ ହୋଇଥିବା ବେଳେ, ଆମ ରାଉରକେଲାରେ ଓଡ଼ିଆଙ୍କ ସଂଖ୍ୟା ଶତକଡ଼ା ଚାଳିଶ । ପୁଣି ଶତକଡ଼ା ଷାଠିଏ ଔପନିବେଶିକ କର୍ମସଂସ୍ଥାନକୁ ବଂଶାନୁଗତ ଅଧିକାରରେ ପରିଣତ କରିବାର ରାଷ୍ଟ୍ରୀୟ ବ୍ୟବସ୍ଥା ହୋଇ ସାରିଛି! ଏ ଦେଶର ଖଣି ଓ ଖାଦାନରେ ଅଣଓଡ଼ିଆଙ୍କ ମାଲିକାନା, ଏ ଦେଶର କୋଠାବାଡ଼ି ବି ତାଙ୍କର, ଯାନବାହାନ ତାଙ୍କରି ।

ଓଡ଼ିଶାରେ କୁଲିଗିରି ଲାଗି ବି ଲୋକ ନାହାନ୍ତି, ଅଧିକାଂଶ ଆନ୍ଧ୍ରରୁ ଆମଦାନୀ । ଦକ୍ଷିଣରୁ ଆଗତ ଭିକାରୀ ଓ କୁଷ୍ଠୀ ଦଳକୁ ଦଳ ଏ ଦେଶରେ ବିଚରଣ କରନ୍ତି । କୃଷିକ୍ଷେତ୍ର ମଧ୍ୟ ଓଡ଼ିଆଙ୍କ ହାତରୁ ଚାଲିଯାଉଛି । ଓଡ଼ିଆ ଏବେ କାଶ୍ମୀର ଓ କୋଏମ୍ବାଟୁରରେ ଦାଦନ ଶ୍ରମିକ, ଶିଲଂ ଓ ଇରାନରେ କ୍ରୀତଦାସ । ଜନସ୍ୱାର୍ଥ ବିରୋଧୀ ଏହି ପ୍ରକାର ନାୟକତ୍ୱର ପରିଣାମ ହେତୁ ଓଡ଼ିଆ ମାନଙ୍କର ଆର୍ôଥକ ଦୁର୍ଗତି ଦିନୁଦିନ ବୃଦ୍ଧି ପାଉଛି, ଚାକିରି ଖଣ୍ଡିଏ ପାଇଁ ସେମାନେ ମାଲିକର ଭାଷାରେ ଆବେଦନ ନିବେଦନ କରିବାକୁ ବାଧ୍ୟ ହେଉଛନ୍ତି । ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପୃଷ୍ଠପୋଷକତା କରିବା ଲାଗି ଓଡ଼ିଆମାନଙ୍କର ସମ୍ବଳ ନାହିଁ । ଏ ଦେଶରେ ତେଣୁ କୌଣସି ଲେଖକ ସାହିତ୍ୟକୁ ତା’ର ପ୍ରାପ୍ୟଦେବାକୁ ହୀନବଳ ।

ଜାତୀୟ ଜୀବନ ଯେତେବେଳେ ମଉଳି ପଡ଼ୁଛି, ସେତେବେଳେ ଭାଷା ଦୁର୍ବଳ ଓ ସାହିତ୍ୟ ପ୍ରାଣହୀନ ହେବା ସ୍ୱାଭାବିକ । କେତେକ ଲେଖକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ବା ଦୁଃସ୍ଥ କଳାକାରଙ୍କ ଲାଗି ପେନସନ ବ୍ୟବସ୍ଥ୍‌ା, ମୁମୂର୍ଷୁ ଦେହରେ କୋରାମିନ ଇଞ୍ଜେକସନ୍ ପରି । ଏହା ଦ୍ୱାରା ସ୍ୱାସ୍ଥ୍ୟ ଫେରିବ ନାହିଁ, ସାହିତ୍ୟ ବା ସଂସ୍କୃତି ସତେଜ ହେବନାହିଁ । ଜନସାଧାରଣଙ୍କ ପୃଷ୍ଠପୋଷକତା ସାହିତ୍ୟ ସଂସ୍କୃତିକୁ ପ୍ରାଣବନ୍ତ କରିଥାଏ । ରାଷ୍ଟ୍ରୀୟ ପୃଷ୍ଠପୋଷକତା ସତ୍ତ୍ୱେ ତାହା ବିଲୁପ୍ତ ହୋଇଯାଇଛି, ଇତିହାସରୁ ଏହାର ଭୁରି ଭୁରି ଦୃଷ୍ଟାନ୍ତ ମିଳେ । ଆର୍ଥିକ ଅସ୍ୱଚ୍ଛଳତା ଏ ଜାତିର ମେରୁଦଣ୍ଡ ଭାଙ୍ଗି ଦେଇଛି, ଦିନୁଦିନ ଆହୁରି ଦୁର୍ବଳ କରିଦେଉଛି ।

ଏଠି ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପର ପ୍ରତିବାଦ ନାହିଁ, କେହି ବା କଲେ, ତହିଁର ସ୍ୱର ଅତି କ୍ଷୀଣ । ଏ ଜାତି ଯେ ମରଣମୁଖୀ ଏହା ତା’ର ନିଶ୍ଚିତ ଲକ୍ଷଣ । ଅଦୂର ଭବିଷ୍ୟତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କୋଣାର୍କର ଦଶା ଲଭିବ । ଅପର ପ୍ରାନ୍ତୀୟ ଗବେଷକଙ୍କ ଲାଗି ତାହା ହେବ ଏକ ଉପାଦେୟ ବିଷୟବସ୍ତୁ । ସେମାନେ ଉଦ୍ଧାର କରିବେ ଓଡ଼ିଆ ଭାଷାର ପ୍ରାଚୀନତା, ତା’ର ଗୌରବମୟ ଅଭ୍ୟୁତ୍‌ଥାନ ଓ କରୁଣ ଅବସାନ, ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ, ଦାସକାଠିଆ, ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଓ ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ ।

ଉତ୍କଳୀୟ ଭାଷା ସାହିତ୍ୟ ଓ ସଂସ୍କୃତିର ଶବବାହକ ଯିଏ ସବୁ ଅଛ, ଆସ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଆମର ପ୍ରାଣପ୍ରିୟ ଜଗନ୍ନାଥଧର୍ମକୁ ଆଶ୍ରୟ କରି ନିଜ ନିଜର ଶେଷୋକ୍ତି ପ୍ରୟୋଗ କରି ସେମାନଙ୍କୁ ଆମର ଆଶୀର୍ବାଦ ଦେଇଯିବା : ‘ଉତ୍କଳର ମହାଭାରତୀୟ ଭାବାପନ୍ନ ନାୟକବର୍ଗ, ଜିନ୍ଦାବାଦ’, ଆଉ ଶେଷ ନିଃଶ୍ୱାସରେ ନିଜକୁ ନିଜେ ଶୁଣାଇବା ଜୀବନର ଅମୃତବାଣୀ:‘ରାମ ନାମ ସତ୍ୟ ହୈ’ ।

ରଘୁନାଥ ଦାସ ( ୧୯୧୯-୧୯୮୪)

(ଚିତ୍ରୋତ୍ପଳା ପବ୍ଲିକେସନ୍ସର ଗ୍ରନ୍ଥାବଳୀ “ରଘୁନାଥ ଦାସ ରଚନା ସମଗ୍ର” ପ୍ରବନ୍ଧାବଳୀରୁ ଏହା ଆନୀତ । ସାମ୍ପ୍ରତିକ ପରିସ୍ଥିତିରେ ଉକ୍ତ ବିଷୟଟି ଯଥେଷ୍ଟ ଗୁରୁତ୍ୱ ପ୍ରତିପାଦନ କରୁଛି)

Comments

0 comments

Share This Article