କାଳର ପ୍ରବାହରେ ବେଳେବେଳେ ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ହୋଇଥାନ୍ତି ଯାହାଙ୍କ ପାଇଁ କାଳ ମହାକାଳ ବକ୍ଷରେ ମୁହୂର୍ତ୍ତକ ପାଇଁ ଅଟକିଯାଏ । ତାର କରାଳ ଗର୍ଭରେ ସେମାନଙ୍କୁ ଲୀନ କରିପାରେ ନାହିଁ । ସେମାନେ କାଳଜୟୀ ହୋଇଯାନ୍ତି । ସେମାନଙ୍କ ମରଶରୀର ମାଟିରେ ଲୀନହେଲେ ସୁଦ୍ଧା କୀର୍ତ୍ତିରେ କଳଙ୍କ ଲାଗେ ନାହି । ସେମାନେ କାଳ ବକ୍ଷରେ ଚିର ଭାସ୍ୱର ହୋଇ ରହିଯାଆନ୍ତି । ଭବିଷ୍ୟତ ପିଢ଼ି ପାଇଁ ସେମାନେ ଧ୍ରୂବତାରା ସଦୃଶ । ସେଇଭଳି ମଣିଷ ଜଣେ ଥିଲେ ଦାଶରଥି ପଟ୍ଟନାୟକ । ଆମ ଦାଶିଆ ଅଜା । ସାରା ଓଡ଼ିଶାର ଜନତାଙ୍କ ହୃଦୟ ପଟ୍ଟରେ ଚନ୍ଦନ ବିନ୍ଦୁଟିଏ ହୋଇ ରହିଯାଇଛନ୍ତି । ଗୋରା ତକ୍ତକ୍ ଡେଙ୍ଗା ପତଳା ମଣିଷଟିଏ । ହାତରେ ଠେଙ୍ଗାଟିଏ କାନ୍ଧରେ ଝୁଲାମୁଣି । ସେଇ ସେତିକି ସମ୍ବଳରେ ସେ ଖାଲିପାଦରେ ସାରା ଓଡ଼ିଶା ଭ୍ରମଣ କରୁଥିଲେ । କେତେବେଳେ ବସ୍ ଟ୍ରେନରେ ତ ଆଉ କେତେବେଳେ ଖାଲି ପାଦରେ । ବେଶପୋଷାକ କହିଲେ କେବଳ କଟି ବସ୍ତ୍ର ଓ କାନ୍ଧରେ ଗାମୁଛା ମୁଣ୍ଡରେ ଠେକା । ବାସ୍ ସେତିକିରେ ସାରା ଓଡ଼ିଶା ଭ୍ରମଣ । କାନ୍ଧରେ ଯେଉଁ ଝୁଲା ମୁଣିଟି ଝୁଲାଉଥିଲେ ତାହା ହିଁ ଥିଲା ତାଙ୍କ ଦୁନିଆ । ସେଥିରେ ଥିଲା ତାଙ୍କ ଶାରୀରିକ କ୍ଷୁଧା ମେଣ୍ଟାଇବା ଉପାଦାନ କିଛି ମୁଢ଼ି ଚୁଡା ଗୁଡ କିମ୍ବା ସେମିତି କିଛି ଶୁଖିଲା ଜଳଖିଆ କିନ୍ତୁ ତାଙ୍କର ମାନସିକ ଖାଦ୍ୟପାଇଁ ଥାଏ ଅମୂଲ୍ୟ ସମ୍ପଦ । ତାଙ୍କ ସ୍ୱପ୍ନର ସେତୁବନ୍ଧକୁ ସାକାର କରିବାପାଇଁ ଗୋଟିଏ ଗୋଟିଏ ମୂଲ୍ୟବାନ ବାଲିରେଣୁ । ସେଇ ବାଲିରେଣୁକୁ ସଂଗ୍ରହ କରିବାପାଇଁ ସେ ତାଙ୍କର ସମସ୍ତ ଜୀବନକାଳ ଉତ୍ସର୍ଗ କରିଦେଲେ । ଜନସମାଜକୁ ଦେଖାଇଦେଲେ କୋଣାର୍କ ଗଢ଼ିବାପାଇଁ ବାରଶହ ବଢ଼େଇଙ୍କ ପ୍ରଚେଷ୍ଟାର ଆବଶ୍ୟକ ନାହିଁ । ସେମାନଙ୍କ ନୈତିକ ସମର୍ଥନ ଓ ଆଶୀର୍ବାଦ ରହିଲେ ଧର୍ମପଦ ଏକାକୀ ସାତଟା କୋଣାର୍କ ଠିଆକରି ଦେଇପାରେ । ତାଙ୍କର ନିରଳସ କର୍ମଠ ଓ ସଂସ୍କୃତି ପ୍ରବଣତା ଐତିହ୍ୟ ପ୍ରତି ଅତିଶୟ ଆସକ୍ତି ତାଙ୍କୁ ଭିନ୍ନ ମଣିଷଟିଏ କରି ଠିଆ କରିଥିଲା । କାଳିସୀ ଲାଗିଲା ପରି ସେ ଖେପି ଯାଉଥିଲେ ତାଙ୍କର ଲକ୍ଷ୍ୟ ଅଭିମୁଖେ । ସେ ଯାତ୍ରା ଅବ୍ୟାହତ ରହିଥିଲା ଶେଷ ଜୀବନ ପର୍ଯ୍ୟନ୍ତ ।
ତାଙ୍କର ଖାଦ୍ୟ, ପୋଷାକ, ବାସଗୃହ, ଆୟ ଅଳଙ୍କାର କୌଣସି ପ୍ରତି ଲୋଭ ମୋହ ନଥିଲା । କିନ୍ତୁ, ଲୋଭ ଥିଲା ଆମ ମାଟିର କଳା ସଂସ୍କୃତି ଐତିହ୍ୟ ଇତିହାସ ଓ ଗୌରବମାନଙ୍କ ପ୍ରତି । ଏସବୁ କେମିତି ସଂରକ୍ଷିତ ହେବ, କେମିତି ଉତ୍ତରପିଢ଼ିଙ୍କ ପାଖରେ ପହଞ୍ଚିବ ଓ ଉତ୍ତର ପିଢ଼ିଙ୍କୁ ଅନୁପ୍ରେରିତ କରିବ ସେଥିପାଇଁ ସେ ଅହରହ ପ୍ରୟାସ କରୁଥିଲେ । କେବଳ ଓଡ଼ିଶାର ନୁହେଁ ସାରା ବିଶ୍ୱର ଯାହା ଯେଉଁଠି ସଂଗ୍ରହାଳୟରେ ରଖିବା ପରି ଜିନିଷ ତାଙ୍କ ଦୃଷ୍ଟି ସମ୍ମୁଖରେ ପଡ଼ିଛି ସେସବୁକୁ ସେ କୋଟିନିଧି ପାଇବା ପରି ସାଇତି ରଖିଛନ୍ତି । ଏପରିକି ଚନ୍ଦ୍ର ଓ ମଙ୍ଗଳ ଗ୍ରହର ମାଟିକୁ ମଧ୍ୟ ସେ ଆଦରର ସହ ସାଇତି ରଖିଛନ୍ତି । ଦେଶ ବିଦେଶର ବିଭିନ୍ନ ପଥରମାନ ରହିଛି ତାଙ୍କ ସଂଗ୍ରହାଳୟରେ । ବିଭିନ୍ନ ଆଦିବାସୀ ସଂପ୍ରଦାୟର ବ୍ୟବହାର୍ଯ୍ୟ ଜିନିଷ ସାଇତି ରଖିଛନ୍ତି । ତାଳପତ୍ର ପୋଥି, ଇଂରେଜଙ୍କ ଅମଳରେ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ରାଜା ଓ ମହାପୁରୁଷମାନଙ୍କର ବ୍ୟବହାର୍ଯ୍ୟ ଦ୍ରବ୍ୟ ପୁସ୍ତକ, ଯୁଦ୍ଧ ସମୟର ଅସ୍ତ୍ରଶସ୍ତ୍ର,ବିଭିନ୍ନ ଦେଶର ଚଳ ଓ ଅଚଳ ମୁଦ୍ରା ଆଦି ଶୃଙ୍ଖଳିତ ଭାବରେ ସାଇତି ରଖିଛି । ବିରାଟ ପାଠାଗାରରେ ହଜାର ହଜାର ପୁସ୍ତକ ସଂଗ୍ରହ କରି ରଖିଛନ୍ତି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଦାଶିଆ ଅଜା ଶୂନ୍ୟବିତ୍ତ ମଣିଷଟିଏ ଥିଲେ । କିନ୍ତୁ, ଏକକ ଚେଷ୍ଟାରେ ସେ ସାରାଓଡ଼ିଶା ଭ୍ରମଣ କରି ଏସବୁ ଚିଜ ସଂଗ୍ରହ କରୁଥିଲେ । ସଂଗ୍ରହାଳୟ ପାଇଁ ସେ ମାତ୍ର ଦଶଟି ପଇସା ନେଉଥିଲେ । ତା’ଠାରୁ ଅଧିକ ନୁହେଁ । କିନ୍ତୁ, ଯେଉଁ ବସ୍ତୁ ସଂଗ୍ରହାଳୟ ପାଇଁ ଆଣୁଥିଲେ ତାର ମୂଲ୍ୟ ଅମୂଲମୂଲ । ସେସବୁ ଦେଶ ଓ ଜାତିର ଅସ୍ମିତା ।
ସଂଗ୍ରହ କରିବା ନିଶା ଯେ କେବଳ ତାଙ୍କର ପ୍ରବଳ ଥିଲା ସେତିକି ନୁହେଁ । ସେ ଯେଉଁ ଦଶପଇସା ଲେଖାଏଁ ଚାନ୍ଦା ଆଣୁଥିଲେ ସେସବୁକୁ ସେ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉ ନଥିଲେ । କୋଉ ଅଭାବୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଖର୍ଚ୍ଚପାଇଁ ଦେଉଥିଲେ ତ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିଲେ କିମ୍ବା କୌଣସି ପ୍ରତିଯୋଗିତାରେ ବିଜୟ ହାସଲ କରିଥିଲେ ସେମାନଙ୍କୁ ଉତ୍ସାହିତ କରିବାପାଇଁ ସେ ସବୁ ଅର୍ଥରାଶି ପୁରସ୍କାର ଦେଉଥିଲେ । ଏବେ ସମାଜରେ ପ୍ରତିଷ୍ଠିତ ହୋଇଥିବା ବହୁ ସଫଳ ବ୍ୟକ୍ତିତ୍ୱ ତାଙ୍କଠାରୁ ପାଇଥିବା ଆଶୀର୍ବାଦର ସ୍ମୃତି ରୋମନ୍ଥନ କରିଥାନ୍ତି ।
ଓଡ଼ିଶାର ଅନେକ ସାରସ୍ୱତ ସାଧକ ସାଧିକାଙ୍କ କଁଅଳ ହାତର ଲେଖା ପଢ଼ି ପୋଷ୍ଟକାର୍ଡ ଖଣ୍ଡେ ନଲେଖି ସେ ରହି ପାରନ୍ତି ନାହିଁ । ସେମାନଙ୍କୁ ଆହୁରି ଆଗକୁ ବଢ଼ିବାକୁ ଉତ୍ସାହିତ କରନ୍ତି । ସେହି ପୋଷ୍ଟକାର୍ଡ ଖଣ୍ଡେ ଖଣ୍ଡେ ଗଣ୍ଠିଧନ ପରି ସେମାନେ ସାଇତି ରଖିଛନ୍ତି ।
କେବଳ ଚିଠିପତ୍ର ନୁହେଁ, ଥରେ ଯାହାର ପ୍ରତିଭାକୁ ସେ ସ୍ୱୀକାର କରିନିଅନ୍ତି, ସେ ଯେତେଦୂରରେ ଥିଲେ ମଧ୍ୟ ତାଙ୍କୁ ଆଉ ବେଶି ଦୂର ଲାଗେ ନାହିଁ । ସେତେବେଳେ ଟେଲିଫୋନର ସୁବିଧା ନଥିଲା, ସେ ନିଜେ ସେମାନଙ୍କ ପାଖକୁ ଯାଉଥିଲେ । ଯାଚି କଲ୍ୟାଣ ମାଗି ଓଳଖି ପରି ସେ ନିଜେ ସେମାନଙ୍କ ପାଖକୁ ଯାଇ ଆଶୀର୍ବାଦ ଦେଇ ଆସୁଥିଲେ । ଆନୁଷ୍ଠାନିକ ପାଠ ତାଙ୍କର ନଥିଲା, କିନ୍ତୁ ପଢ଼ିବାର ଝୁଙ୍କ ଏତେ ପ୍ରବଳ ଥିଲା ଯେ ଯାହାକୁ ଦେଖିଲେ ବହି ମାଗୁଥିଲେ, ପତ୍ରପତ୍ରିକା ମାଗୁଥିଲେ । କେହି ପଢ଼ିସାରି ଫେରାଇବାକୁ କହୁଥିଲେ ତ ଆଉ କେହି ଦାନ କରି ଦେଉଥିଲେ । ଏଇଟା ତାଙ୍କର ଯୁବକ ଅବସ୍ଥାର କଥା, ବହି ପଢ଼ିବାର ପାଗଳାମିକୁ ଲକ୍ଷ୍ୟ କରି କେହିଜଣେ ବନ୍ଧୁ କହି ଦେଇଥିଲା, ବହି ପଢ଼ିବାର ଯଦି ଏତେ ଇଚ୍ଛା ଲାଇବ୍ରେରୀଟିଏ କରିଦେଉନୁ । କିଛି ସମୟ ନିରବୀ ଯାଇଥିଲେ ଯୁବକ ଦାଶିଆ । କଥାଟା କିନ୍ତୁ ତାଙ୍କର ଖୁବ୍ ମର୍ମସ୍ପର୍ଶୀ ହୋଇଥିଲା । ସେହି ଆହ୍ୱାନର ପରିଣତି ହିଁ ଉଦୟପୁରର ଦାଶିଆ ଅଜା ପାଠାଗାର । ୧୯୫୫ ମସିହାରେ ସମଗ୍ର ଓଡ଼ିଶାରେ ପାଠାଗାର ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯେଉଁମାନେ ପାଠାଗାର କରୁଥିଲେ ସେମାନଙ୍କୁ ସରକାର କିଛି ପ୍ରୋତ୍ସାହନ ରାଶି ଦେଉଥିଲେ । ତାଙ୍କ ହୃଦୟ ଭିତରେ ପାଠାଗାରଟିଏ କରିବାର ଯେଉଁ ପ୍ରଚ୍ଛନ୍ନ ଇଚ୍ଛା ଥିଲା, ତାହା ଫଳବତୀ ହେବାର ଅନେକ ସମ୍ଭାବନା ଉଦ୍ରେକ ହେଲା । ତତ୍କାଳୀନ ବ୍ଲକ ଚେୟାରମ୍ୟାନ (ନୂଆଗାଁ) ଡମ୍ବରୁଧର ଷଡ଼ଙ୍ଗୀ ଓ ସ୍କୁଲ ଶିକ୍ଷକ ଲୋକନାଥ ତ୍ରିପାଠୀ ଭାଗବତ ପଢ଼ି ପାଠାଗାରର ଶୁଭ ଦେଇଥିଲେ । ଏହାଥିଲା ୧୯୫୯ର କଥା, କଳଙ୍କିଲଗା ପୁରୁଣା ଟିଣବାକ୍ସ ଖଣ୍ଡକରେ ତାଙ୍କ ପତ୍ନୀ ପୌର୍ଣ୍ଣମାସୀ ଦେବୀ ବାହାଘର ବେଳେ ବାପ ଘରୁ ଆଣିଥିବା ଜଗନ୍ନାଥ ଦାସଙ୍କ ଭାଗବତ (ଦଶମ ଖଣ୍ଡ) ଗୋପଲୀଳା, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ, ଖୁଦୁରୁକୁଣୀ ଓଷା ବହି ଓ ଆଶ୍ଚର୍ଯ୍ୟ ଗୀତା ଏହି କେତେଖଣ୍ଡ ବହିକୁ ନେଇ ଦାଶିଆ ଅଜାଙ୍କର ସ୍ୱପ୍ନର ଭିତ୍ତିଭୂମି ପଡ଼ିଥିଲା । କିନ୍ତୁ ସରକାରୀ ସାହାଯ୍ୟ କିଛି ମିଳିଲା ନାହିଁ । କିନ୍ତୁ ସ୍ୱପ୍ନଟାକୁ ସେ ଅଧାରୁ ମାରିଦେଲେ ନାହିଁ । ଜୀବନର ମୁଖ୍ୟ ଲକ୍ଷ୍ୟ ପାଠାଗାର ବୋଲି ଗ୍ରହଣ କଲେ ଓ ସେହି ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ସାରାଜୀବନ ଉତ୍ସର୍ଗ କରିଦେଲେ । ଘର ଘର , ଗାଁ ଗାଁ ସହର ସହର ବୁଲି ବହି ସଂଗ୍ରହ କଲେ । ଏହି ଅବସରରେ ଯେଉଁ ଦୁର୍ଲଭ ବହିସବୁ ତାଙ୍କ ଦୃଷ୍ଟିରେ ପଡ଼ିଲା, ସେ ସବୁକୁ ସଂଗ୍ରହ କରି ସଂଗ୍ରହାଳୟଟିଏ ସ୍ଥାପନ କରିଦେଲେ । ଯାହା ପରବର୍ତ୍ତୀ ଗବେଷକ ,ଛାତ୍ର ଓ ପର୍ଯ୍ୟଟକମାନଙ୍କ ପାଇଁ ତୀର୍ଥଭୂମି ପାଲଟି ଯାଇଛି । ଆମ ମାଟିର ଜାତୀୟ ଅସ୍ମିତା ହୋଇ ଠିଆ ହୋଇଛି । ତାଙ୍କ ନିରଳସ ଯାତ୍ରାର ଫଳ ଆମେ ଉପଭୋଗ କରୁଛୁ ।
ପାଠାଗାରଟିରେ ଅନ୍ୟୁନ ପଚାଶ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ରହିଛି । ପାଠାଗାରଟି ତାଙ୍କ ପିତାଙ୍କ ନାମାନୁସାରେ ବାଞ୍ଛାନିଧି ପାଠାଗାର ବୋଲି ନାମିତ କରାଯାଇଥିବାବେଳେ ସଂଗ୍ରହାଳୟ ୧୯୭୩ ମସିହାରେ ଅରବିନ୍ଦ ସଂଗ୍ରହାଳୟ ନାମରେ ପଞ୍ଜୀକୃତ ହୋଇଛି । ଦାଶରଥିଙ୍କର ଚାରି ଭାଇ ଭିତରୁ ସାନଭାଇ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଖୁବ୍ ଭଲ ପାଉଥିଲେ । ସେ ଜଙ୍ଗଲ ବିଭାଗର ରେଞ୍ଜର ଥିଲେ । ଭାଇ ଘର ସଂସାର ମୋହ ଛାଡି ପାଠାଗାର ଓ ସଂଗ୍ରହାଳୟ ନିଶାରେ ବ୍ୟାପୃତ ଥିବାରୁ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଅନେକ ସମୟରେ ଦାଶରଥିଙ୍କୁ ତାଙ୍କ ପରିବାରକୁ ଓ ପାଠାଗାର ଏବଂ ସଂଗ୍ରହାଳୟକୁ ଆର୍ଥିକ ଓ ନୈତିକ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ । ନିରଞ୍ଜନ ପଟ୍ଟନାୟକଙ୍କ ସ୍ତ୍ରୀ ମଝିରେ ମଝିରେ ନିଜେ ସଞ୍ଚୟ କରିଥିବା ଖୁଚୁରା ପଇସାତକ ତାଙ୍କ ହାତରେ ଅଜାଡ଼ି ଦେଇଥାନ୍ତି । ସେଥିରୁ ଖୋଜି ଖୋଜି କିଛି ମୁଦ୍ରା ସେ ସଂଗ୍ରହାଳୟରେ ରଖି ବାକିତକ ନିଜପାଇଁ ଓ ପରିବାର ପାଇଁ ଖର୍ଚ୍ଚ କରନ୍ତି ।
ଜଣେ ମଣିଷ ଜୀବନକାଳ ମଧ୍ୟରେ ଏତେ ଯେ ସଂଗ୍ରହ କରିପାରେ , ତାହା ଦାଶିଆ ଅଜା ପୀଠକୁ ନିଜେ ନଯାଇଥିଲେ କେହି ତାର ଆକଳନ କରିପାରେ ନାହିଁ । ମାଟି ଗୋଡ଼ି ଖପରା କାଠ ପଥର ସବାରି ପାଲିଙ୍କି , ଅସ୍ତ୍ରଶସ୍ତ୍ର ରାଜରାଜୁଡ଼ା ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡ଼ିଶାର ବରପୁତ୍ରମାନଙ୍କର ଚିଠି, ଦସ୍ତଖତ, ବ୍ୟବହାର୍ଯ୍ୟ ଜିନିଷ ଏପରିକି ସାର୍ଟ ତଥା ଧୋତି ଗାମୁଛା ଶାଢ଼ୀ ବ୍ଲାଉଜ ମଧ୍ୟ ବୋତଲ କିମ୍ବା କାଚ ବାକ୍ସରେ ସାଇତି ରଖାଯାଇଛି । ଗତ ଶତାବ୍ଦୀର ଅନେକ ଦୁଷ୍ପ୍ରାପ୍ୟ ପତ୍ରପତ୍ରିକା ରହିଛି । ମୁକୁର, ଉତ୍କଳ ସାହିତ୍ୟ, ସହକାର, ଚତୁରଙ୍ଗ, ଦିଗନ୍ତ, ଶଙ୍ଖ, ଆଧୁନିକ , ଝଙ୍କାର, ଆସନ୍ତାକାଲି ଆଦି ବିଭିନ୍ନ ପତ୍ରପତ୍ରିକା ସୁରକ୍ଷିତ ହୋଇଅଛି । ପରବର୍ତ୍ତୀ କାଳରେ ଏହି ଅନୁଷ୍ଠାନଟିକୁ ବଞ୍ଚେଇ ରଖିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ସଂଗ୍ରହାଳୟ ଓ ଲାଇବ୍ରେରୀ ପରିଚାଳନା ଦାୟିତ୍ୱ ଏବେ ତାଙ୍କର ସୁଯୋଗ୍ୟ ନାତି ଦୀପକ ପଟ୍ଟନାୟକଙ୍କ ସୁପରିଚାଳନାରେ ଆଗକୁ ବଢ଼ିଚାଲିଛି ।
କର୍ମମୟ ଜୀବନ :- ଦାଶିଆ ଅଜାଙ୍କର କେବଳ ଗୋଟିଏ ସାହିତ୍ୟିକ, ସାଂସ୍କୃତିକ, ବିଶ୍ୱ ଐତିହାସିକ ଜୀବନଟିଏ ନଥିଲା । ସମାଜ ସଂସ୍କାର ପାଇଁ ସେ ଅନେକଗୁଡିଏ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିଲେ । ପିତା ବାଞ୍ଛାନିଧି ମହାନ୍ତି ଥିଲେ ଚାଟଶାଳୀ ଅବଧାନ । ତାଙ୍କ ପାଖରେ ୩ୟ ଶ୍ରେଣୀ ପଢ଼ିସାରିବା ପରେ ଦଶପଲ୍ଲା ମାଇନର ସ୍କୁଲରେ ଦାଦାଙ୍କ ପ୍ରୋତ୍ସାହନରେ ସେ ୪ର୍ଥ ଶ୍ରେଣୀ ପାଠ ପଢ଼ିଥିଲେ । ବାସ୍ ସେତିକି ହିଁ ତାଙ୍କର ଶିକ୍ଷାଗତ ଯୋଗ୍ୟତା । ତାଙ୍କର ପିଲାଦିନୁ ଜଙ୍ଗଲ ବିଭାଗରେ ଚାକିରୀ କରିବାର ଆଗ୍ରହ ଥିଲା । କିନ୍ତୁ ସେଥିରେ ସଫଳ ନହୋଇ ପୋଲିସ ଚାକିରୀ କଲେ । ସେଥିରେ ମଧ୍ୟ ତାଙ୍କୁ ତୃପ୍ତି ମିଳିଲା ନାହିଁ । ଖୋର୍ଦ୍ଧାରେ ପୋଲିସରୂପେ କିଛିଦିନ ଚାକିରୀ କଲାପରେ ସେ ଚାକିରୀ ଛାଡି ଚାଲିଚାଲି ବଲାଙ୍ଗୀର ଯାଇ ଥିଲେ ସେଠାରେ ଅମିନ ଟ୍ରେନିଂ ପାଇଁ । ସେଠାରେ ଚାକିରୀ ନପାଇ ଫେରି ଆସିଲେ । ଏହାପରେ ମାସିକ ଆଠଟଙ୍କା ଦରମାରେ ବୌଦ୍ଧରେ ତାଙ୍କ ମଉସାଙ୍କ ସହାୟତାରେ ପ୍ରାଥମିକ ଶିକ୍ଷକତା କଲେ । କିନ୍ତୁ ଘରଠାରୁ ଦୂର ହୋଇଥିବାରୁ ସେଠାରେ ମଧ୍ୟ ତାଙ୍କ ମନ ମାନିଲା ନାହିଁ । ସେ ଫେରିଆସିଲେ । ଜଣେ ବନ୍ଧୁଙ୍କ ସହାୟତାରେ ଫରେଷ୍ଟ ଗାର୍ଡ ଟ୍ରେନିଂ ନେଲେ, ମେଣ୍ଢାଶାଳ ଥିଲା ତାଙ୍କ ତାଲିମ କେନ୍ଦ୍ର । ମାସିକ ୧୫ଟଙ୍କା ଦରମାରେ ଗାର୍ଡ ଚାକିରୀ କରିଥିଲେ । ବର୍ଷକ ପରେ ହେଲେ ଫରେଷ୍ଟର । ଜଙ୍ଗଲ ବିଭାଗରେ କାଠଚୋରି, ଗଛକଟା ସାଙ୍ଗକୁ ଅଧସ୍ତନ ଓ ଉପରିସ୍ଥମାନଙ୍କୁ ଲାଂଚମିଛ କାରବାରରେ ଅତିଷ୍ଠ ହୋଇ ସେ ଚାକିରୀ ଛାଡ଼ିଥିଲେ । ପରେ ସର୍ଭେ ଟ୍ରେନିଂନେଇ ସେ କାନୁନଗୋ ଚାକିରୀ କରିଥିଲେ । ୧୦୦ଟଙ୍କା ଦରମାରେ କିଛିଦିନ ସରକାରୀ ଚାକିରୀ କରିଥିଲେ । ଏହି ଚାକିରୀ ଉଠିଗଲା ପରେ ତାଙ୍କର ଚାକିରୀ ନିଶା ଛାଡ଼ି ଯାଇଥିଲା । ଯାହାର ଜନ୍ମ ହୋଇଥିଲା ସମାଜର ଏକ ମହତ୍ତର କାର୍ଯ୍ୟ ସାଧନ ପାଇଁ, ସେ ଏମିତି କାହା ପାଖରେ ବାନ୍ଧି ହୋଇ କେମିତି ରହିଥାନ୍ତେ?
ତାଙ୍କ ଜୀବନର ପ୍ରଥମ ବୈପ୍ଳବିକ ସମାଜକର୍ମ ଥିଲା ଚାଷୀମାନଙ୍କ ପାଇଁ କିଛି କଲ୍ୟାଣକର କାର୍ଯ୍ୟ କରିବା । ସେ ସର୍ବରାକର ଥିବାବେଳେ ଜାଣି ପାରିଥିଲେ ଯେ ତାଙ୍କ ଅଞ୍ଚଳରେ ବହୁତ ଅନାବାଦୀ ଓ ପତିତ ଜମି ଅଛି । ସେ ପ୍ରଥମେ ହିଡ଼ଭାଙ୍ଗି ଖୁଣ୍ଟା ତାଡ଼ି ସେସବୁକୁ ଚାଷ ଜମି କଲେ ଓ ଅନ୍ୟମାନଙ୍କୁ ମଧ୍ୟ ଏହିପରି କରିବାକୁ ଉତ୍ସାହିତ କଲେ । ଏହାଦ୍ୱାରା ଭୂମିହୀନମାନେ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଚାଷଜମିର ଅଧିକାରୀ ହୋଇଥିଲେ । ତେଣୁ ତାଙ୍କୁ ଶ୍ରଦ୍ଧାରେ ଖୁଣ୍ଟାତଡ଼ା ରାଜା ବୋଲି ଲୋକମାନେ କହୁଥିଲେ । ତାଙ୍କୁ କୃଷକବନ୍ଧୁ ଆଖ୍ୟା ମଧ୍ୟ ଦିଆଯାଇଥିଲା ।
ଚାଷୀମାନଙ୍କୁ ବୁଝାସୁଝା କରି ଜମିଗୁଡ଼ିକୁ ଚକବନ୍ଦୀ କରିବାରେ ସମର୍ଥ ହୋଇଥିଲେ । ଗଡ଼ଜାତ ଅଞ୍ଚଳରେ ଜମି ଚକବନ୍ଦୀ କରିବାରେ ସେ ପ୍ରଥମ ବ୍ୟକ୍ତି ଥିଲେ । ଏହାଦ୍ୱାରା ଚାଷୀମାନେ ଖୁବ୍ ଉପକୃତ ହୋଇଥିଲେ । ବିନୋବା ଓଡ଼ିଶାକୁ ଆସିଥିବା କାଳରେ ସେ ଭୂଦାନ ଯଜ୍ଞ କାର୍ଯ୍ୟପାଇଁ ଏହି ଅଞ୍ଚଳରେ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ । ବିନୋବା ଏଠାରୁ ଫେରିବା ପର୍ଯ୍ୟନ୍ତ ସେ ତାଙ୍କ ପାଖେ ପାଖେ ରହିଥିଲେ । ଆଚାର୍ଯ୍ୟ ହରିହରଙ୍କୁ ସେ ଗୁରୁରୂପେ ଗ୍ରହଣ କରିଥିଲେ । ତାଙ୍କରି ପ୍ରେରଣାରେ ସେ ଭୂଦାନ ଓ ସର୍ବେଦୟ ଚିନ୍ତାଧାରାରେ ଉଦବୁଦ୍ଧ ହୋଇଥିଲେ । ଭୂଦାନ ପାଇଁ ତାଲିମ ନେବା ପରେ ସେ ଜଣେ ସଚ୍ଚା ଭୂଦାନକର୍ମୀ ରୂପେ ନିଜକୁ ଗୌରବାନ୍ୱିତ ଅନୁଭବ କରୁଥିଲେ ।
୧୯୫୨ ମସିହାରେ ନୟାଗଡ଼ ଅଞ୍ଚଳରେ ଦୁର୍ଭିକ୍ଷ ପଡ଼ିଥିଲା । ସେତେବେଳେ ଦୁର୍ଭିକ୍ଷ ପ୍ରପୀଡ଼ିତ ଜନତାଙ୍କୁ ମୁଢ଼ି, ଚୂଡ଼ା, ଗୁଡ଼, ଚଣାସିଝା, ଖୁଦଚାଉଳ ଆଦି ବାଣ୍ଟୁଥିଲେ । ଏପରିକି ବଣଜଙ୍ଗଲ କନ୍ଦା ଓ ବାଉଁଶୁଣୀ ଗଛରୁ ଚାଉଳ ସଂଗ୍ରହ କରି ସେମାନଙ୍କ ମୁହଁରେ ଦେଉଥିଲେ ।
ଦାଶିଆ ଅଜା ୩୩ ବର୍ଷ ବୟସରେ ପାଖଗାଁର ପୌର୍ଣ୍ଣମାସୀ ଦେବୀଙ୍କୁ ବିବାହ କରିଥିଲେ । ଖିଆଲି ସମ୍ରାଟ ଦାଶରଥିଙ୍କ ସକଳ ସ୍ୱପ୍ନ ସଫଳ କରିବାପାଇଁ ପତ୍ନୀ ସଦା ତତ୍ପର ଥିଲେ । ଦାଶରଥି ବାବନାଭୁତ ପରି ଗାଁରୁ ଗାଁ ସହରରୁ ସହର ବୁଲୁଥିବାବେଳେ ସେ ପିଲାମାନଙ୍କର ଦାୟିତ୍ୱ ନିଜ ଉପରକୁ ନେଇଥିଲେ । ଦିନ ଦିନ ଧରି ଦାଶିଆ ଅଜା ଅନୁପସ୍ଥିତ ଥିବା ସମୟରେ ସେ ଚାରିହଳ ପୋଢ଼ ହଳିଆ, ମୂଲିଆ ଚାଷବାସ ସବୁକାମ ତଦାରଖ କରୁଥିଲେ । ଏପରିକି ସଂଗ୍ରହାଳୟ କରିବାବେଳେ ସେ ନିଜ ଗହଣା ବିକି ତାଙ୍କୁ ଆର୍ଥିକ ସହାୟତା ଦେଇଥିଲେ ।
କେବଳ ଏତିକିରେ ତାଙ୍କର କର୍ତ୍ତବ୍ୟ ଶେଷ ହୋଇନଥିଲା । ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଅର୍ଥଆଣି ସେଗୁଡ଼ିକୁ ସେହି ବ୍ୟକ୍ତି କିମ୍ବା ତାଙ୍କ ପିତାମାତାଙ୍କ ସ୍ମୃତିରେ ଏକାଉଣ୍ଟ ଖୋଲି ବ୍ୟାଙ୍କ କି ପୋଷ୍ଟ ଅଫିସରେ ଜମାକରି ଦିଅନ୍ତି । ସେଥିରୁ ବାହାରୁଥିବା ସୁଧରେ ଦୁଃସ୍ଥ କଳାକାର ବିଭିନ୍ନ କ୍ଷେତ୍ରରେ ପ୍ରତିଭାବାନ୍ ବ୍ୟକ୍ତି କିମ୍ବା ଗରିବ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର କିମ୍ବା ଛାତ୍ରବୃତ୍ତି ଦିଅନ୍ତି । ଏହି ଉଦ୍ଦେଶ୍ୟ ସାଧନପାଇଁ ସେ ଯଦୁମଣି ସାହିତ୍ୟ ସଂସଦ ଗଠନ କରିଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନାଲୋଚିତ ଓ ଅଳ୍ପାଲୋଚିତ ପ୍ରତିଭାମାନଙ୍କୁ ଆଲୋକକୁ ଆଣି ସେମାନଙ୍କୁ ଏହି ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରୁଥିଲେ । ତାଙ୍କଦ୍ୱାରା ପ୍ରତିଷ୍ଠିତ ଯଦୁମଣି ସାହିତ୍ୟ ସଂସଦ ତରଫରୁ ଏହି ପୁଣ୍ୟ କାର୍ଯ୍ୟ ହେଉଥିଲା ।
ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ଏମିତି ଭିକ୍ଷୁକଟିଏ ପରି ଜୀବନ ବଞ୍ଚିଥିଲେ । କିନ୍ତୁ ସେ ନିଜପାଇଁ କାହାକୁ କିଛି ମାଗୁ ନଥିଲେ । ଅନ୍ୟମାନଙ୍କ ଭିତରେ ଥିବା ପ୍ରତିଭାକୁ ବଞ୍ଚେଇ ରଖିବା ପାଇଁ ତାଙ୍କର ଏ ପ୍ରକାର ସାଧନା ପ୍ରକୃତରେ ବିଶ୍ୱରେ ବିରଳ କହିଲେ ଭୁଲ ହେବ ନାହିଁ । ସେ ପ୍ରତିଭାରଙ୍କ ମଣିଷଟିଏ ଥିଲେ । ଯେଉଁଠି ଏତେ ଟିକେ ପ୍ରତିଭା ଦେଖୁଥିଲେ ତାର ଉତ୍ତରୋତ୍ତର ଉନ୍ନତି ପାଇଁ ସେ ଯତ୍ପରୋନାସ୍ତି ଉଦ୍ୟମ କରୁଥିଲେ । ସମ୍ଭ୍ରାନ୍ତ କରଣ ବଂଶରେ ଜନ୍ମ ହୋଇଥିଲେ ସୁଦ୍ଧା ଲୋକକଲ୍ୟାଣ ପାଇଁ ସମାଜରେ କଳା ସଂସ୍କୃତିର ବିକାଶପାଇଁ ସେ ନିଜେ ରଙ୍କଙ୍କ ପରି ଅନ୍ୟମାନଙ୍କ ପାଖରେ ହାତ ପତେଇଲେ । ତାଙ୍କରି ହାତ ପାତିବା ଏବେ ଦାଶିଆ ଅଜାଙ୍କ ପୀଠରେ ହୀରାନୀଳା ମୋତିମାଣିକ୍ୟ ହୋଇ ଝଲସୁଛି । ସମସ୍ତଙ୍କ ପାଖରେ ଦିନେ ଯିଏ ହାତ ପାତୁଥିଲେ, ସିଏ କୋଟି ଜନତାଙ୍କ ହୃଦୟରେ ମହାରାଜାର ମର୍ଯ୍ୟାଦା ପାଉଛନ୍ତି ।
ସଂସ୍କୃତିର ସଂରକ୍ଷକ ଦାଶିଆ ଅଜା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ । ଆମେ ନିଜ ପ୍ରତିଭାକୁ ଡିଣ୍ଡିମ ପିଟି ଲୋକଙ୍କ ଦୃଷ୍ଟି ଆକର୍ଷଣ ନକରି ଅନ୍ୟମାନଙ୍କର ପ୍ରତିଭାକୁ ସମ୍ମାନ ପ୍ରଦର୍ଶନ କଲେ, ପୂର୍ବପୁରୁଷଙ୍କ ଅମର କୀର୍ତ୍ତି ଓ ସ୍ମୃତିକୁ ଆଦର କଲେ ଏକ ସୁସ୍ଥସମାଜ ଗଠନ ହେବା ସଙ୍ଗେ ସଙ୍ଗେ ଜାତୀୟ ଅସ୍ମିତାର ଜାଗରୁକ ହେବ । ଦାଶିଆ ଅଜାଙ୍କର ଅମର ଆତ୍ମା ଆମମାନଙ୍କ ପାଖରୁ ଏଇୟା ତ ଚାହୁଁଛି । ଆମେ କ’ଣ ତାଙ୍କ ଆତ୍ମାକୁ ସନ୍ତୋଷ ଦେଇପାରିବା ନାହିଁ?
Comments
0 comments