ବଡ଼ଲୋକଙ୍କୁ ଉତ୍ତର ନାହିଁ ବୋଲି ପିଲାଟି ଦିନରୁ ଯେତେବେଳେ ଆମକୁ ଶିକ୍ଷା ଦିଆ ଯାଇଥାଏ, ସେତେବେଳେ ବଡ଼ଲୋକଙ୍କୁ ପ୍ରଶ୍ନ କରୁଛି ବା କିଏ? ବଡ଼ଲୋକଙ୍କୁ ପ୍ରଶ୍ନ ନ କରିବାଟା ଆମର ଅଭ୍ୟାସରେ ପଡ଼ିଯାଏ । ଆମେ ଆଉ ବଡ଼ଲୋକଙ୍କ କଥାର ସାମନା କରୁନା । ସେ ସୁଯୋଗରେ ସେମାନେ, ବ୍ୟକ୍ତି କଥା ତେଣେ ଥାଉ, ସମଗ୍ର ଜାତିକୁ ଭୁଆଁ ବୁଲାନ୍ତି । ଫଳରେ ଦେଶ ଓ ଜାତିର ଗତି ଯେ ରସାତଳକୁ ଯାଇଥାଏ ଏଥିରେ ସନ୍ଦେହ ନାହିଁ । ତାର ତିନୋଟି ଦୃଷ୍ଟାନ୍ତ ମୁଁ ଏଠାରେ ଦେଉଛି । ବିଚାର କରନ୍ତୁ ।
ନିକିତା ସର୍ଗେଇଭିଚ୍ କୃଶ୍ଚେଭ୍ ତତ୍କାଳୀନ ସୋଭିୟେତ୍ ୟୁନିୟନ୍ର ପ୍ରଧାନମନ୍ତ୍ରୀ ତଥା ସେହି ଦେଶର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଥିଲେ । ସେ ଯୋଶେଫ ଷ୍ଟାଲିନ୍ଙ୍କ ପରବର୍ତ୍ତୀ ଯୁଗର ଶାସକ । ସୋଭିୟେତ୍ ୟୁନିୟନ୍ରେ ସେ ଗଣତନ୍ତ୍ରର ପ୍ରବର୍ତ୍ତକ ଥିଲେ ବୋଲି କୁହାଯାଏ । ଷ୍ଟାଲିନ୍ଙ୍କ ଅମଳରେ ଷ୍ଟାଲିନ୍ଙ୍କ ଦ୍ୱାରା ହୋଇଥିବା ତଥାକଥିତ ଅନ୍ୟାୟ ଅତ୍ୟାଚାରର ଏକ ଲମ୍ବା ଚଉଡ଼ା ବିବରଣୀ ସେ ସୁପ୍ରିମ୍ ସୋଭିୟେତ୍ରେ ଅତି ଗୁପ୍ତରେ ପ୍ରଦାନ କରୁଥିଲା ବେଳେ କେହି ଜଣେ ସଭ୍ୟ “ତୁମେ ସେତେବେଳେ କଣ କରୁଥିଲ?”ବୋଲି ପ୍ରଶ୍ନଟିଏ ଲେଖି କାଗଜ ଖଣ୍ଡିଏ କୃଶ୍ଚେଭଙ୍କ ଉଦ୍ଦେଶ୍ୟରେ ବଢ଼େଇ ଦେଲେ । ହାତକୁ ହାତ ହେଇ କାଗଜ ଖଣ୍ଡିକ ଶେଷରେ କୃଶ୍ଚେଭଙ୍କ ନିକଟରେ ପହଞ୍ଚିଲା । ତାକୁ ପଢ଼ି ସେହି କାଗଜ ଖଣ୍ଡିକ କିଏ ଦେଇଛନ୍ତି ବୋଲି କୃଶ୍ଚେଭ ପଚାରିଲେ । କେହି ଠିଆ ହେଲେନି — ଉତ୍ତର ଦେଲେନି । ଛାତି କୁଣ୍ଢେ ମୋଟ କରି କୃଶ୍ଚେଭ କହିଲେ: “ତୁମେ ବର୍ତ୍ତମାନ ଯାହା କଲ, ଆମେ ସେତେବେଳେ ତାହା କରୁଥିଲୁ ।”ଉତ୍ତରର ପ୍ରଶଂସାରେ ତାଳି ପଡ଼ିଲା — କେବଳ ସୁପ୍ରିମ୍ ସୋଭିୟେତ୍ରେ ନୁହେଁ, ବିଶ୍ୱ ସାରା । ଅଥଚ କୃଶ୍ଚେଭଙ୍କୁ କେହି ବି ପଚାରିଲେନି, “ଷ୍ଟାଲିନ୍ଙ୍କ ଭୟରେ ଆପଣ ସାହସ କରୁ ନଥିଲେ ଠିକ୍ କଥା, କିନ୍ତୁ ଆପଣଙ୍କ ଗଣତନ୍ତ୍ର କିପରି — ସାଧାରଣ ଲୋକଙ୍କ କଥା ତେଣିକି ଥାଉ — ସୁପ୍ରିମ୍ ସୋଭିୟେତ୍ର ସଭ୍ୟଙ୍କୁ ମଧ୍ୟ ଅଭୟ ଦେଇ ପାରୁନାହିଁ?”ସେହି ପ୍ରଶ୍ନ ଯଦି କେହି କୃଶ୍ଚେଭଙ୍କୁ ସେତେବେଳେ ପଚାରିଥାନ୍ତେ, ତେବେ ତା ପରବର୍ତ୍ତୀ କାଳରେ ହୁଏତ ସେହି ଦେଶର ଭବିଷ୍ୟତ ଅନ୍ୟ ମୋଡ଼ ନିଅନ୍ତାନି । ଚାଷୀମୁଲିଆର ଭୂସ୍ୱର୍ଗ ଆଜି ହୁଏତ ଧୁଳିସାତ ହୁଅନ୍ତାନି — ସେହି ଦେଶର ଅଧିକାଂଶ ଲୋକ ହୁଏତ ଆଜି ଗରିବ ସୀମାରେଖା ତଳକୁ ଖସି ଯାଇ ନଥାନ୍ତେ । ସେହି ଦେଶରେ ସୃଷ୍ଟି ହୋଇଥିବା ଆଜିର ଶୋଷିତ, ଦଳିତ, ପତିତ, ବେକାରମାନେ ପୂର୍ବତନ ସୋଭିୟେତ୍ ୟୁନିଅନ୍ର ସୁଖସୁବିଧାକୁ ମନେପକାଉ ନଥାନ୍ତେ । ଅନ୍ଧ ଥରେ ବାଡ଼ି ହଜାଏ ସତ, ହେଲେ ହଜିଥିବା ବାଡ଼ିଟା ସେ ପୁଣି କେବେ ଫେରି ପାଇବ କିଏ ଜାଣେ ।
ଦ୍ୱିତୀୟଟି ହେଲା ଚୀନର ଉଦାହରଣ । ମାଓ ଯେ ଦୋଙ୍ଗ୍ଙ୍କ ଅମଳରେ ଲିଓ ସାଓ କି, ଦେଙ୍ଗ୍ ଜିଆଙ୍ଗ୍ ପିଙ୍ଗ୍ ଓ ସେମାନଙ୍କ ଗୋଷ୍ଟୀର ନେତାମାନଙ୍କୁ ପୁଞ୍ଜିବାଦୀ ପଥର ଯାତ୍ରୀ ବୋଲି କୁହାଯାଉଥିଲା ଏବଂ ସେହି କାରଣରୁ ସେମାନଙ୍କର ରାଜନୈତିକ ଜୀବନରେ ଅନେକ ଉତ୍ଥାନ ପତନ ଘଟିଥିଲା । କିନ୍ତୁ ମାଓ ଯେ ଦୋଙ୍ଗ୍ଙ୍କ ପରେ ଏହି ପୁଞ୍ଜିବାଦୀ ପଥର ଯାତ୍ରୀମାନେ ଶାସନ କ୍ଷମତା ଦଖଲ କଲେ ଓ ଦେଙ୍ଗ୍ ଜିଆଙ୍ଗ୍ ପିଙ୍ଗ୍ ସେମାନଙ୍କର ମୂଖ୍ୟ ଭାବରେ ଉଭା ହେଲେ । ଚୀନର ସମାଜବାଦୀ ସାମାଜିକ-ଅର୍ଥନୈତିକ ବ୍ୟବସ୍ଥାରେ ଏକ ନୂଆ ପୁଞ୍ଜିବାଦୀ ମୋଡ଼ ଦେବା ପାଇଁ ସେ କହିଲେ, “ବିରାଡ଼ି କଳା ହେଉ ବା ଧଳା ହେଉ ମୂଷା ଧରିଲେ ଗଲା ।”ଆଃ! କି ଗଭୀର ଜ୍ଞାନ! ପୁଣି ତାଳି ପଡ଼ିଲା । କେବଳ ଚୀନରେ ନୁହେଁ, ବିଶ୍ୱସାରା । କିନ୍ତୁ ତାଙ୍କୁ କେହି ପଚାରିଲେ ନାହିଁ — ବିରାଡ଼ିର ମୂଷା ଧରିବା ଶକ୍ତି ସହ ତାର ଦେହର ରଙ୍ଗର ଆବଶ୍ୟକୀୟ ସଙ୍ଗତି କଣ? ସେହି କଥା ଯଦି କେହି ସେତେବେଳେ ତାଙ୍କୁ ପଚାରିଥାନ୍ତେ ହୁଏତ ଚୀନ ପୁଞ୍ଜିବାଦୀ ପଥରେ ଯାଇପାରି ନଥାନ୍ତା, ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ଯୋଗ ଦେଇ ନଥାନ୍ତା ତଥା ଆଜି ହୁଏତ ବିଶ୍ୱର ଶୋଷିତ ଜନଗଣ ଓ ଦେଶମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ସେମାନଙ୍କର ନେତୃତ୍ୱ ନେଇ ଜଗତିକରଣ ନାମରେ ଚାଲୁଥିବା ଅର୍ଥନୈତିକ ସାମ୍ରାଜ୍ୟବାଦର ବିରୋଧ କରୁଥାନ୍ତା । ତା ତ ହେଉନି, ବରଂ ଚୀନର ଶାସକମାନେ କମ୍ୟୁନିଷ୍ଟ ପାର୍ଟିର ନାମ, ଝଣ୍ଡା, ପଦପଦବୀ, ଇତ୍ୟାଦିକୁ ବ୍ୟବହାର କରି ବିଶ୍ୱ ଜନମତକୁ ବିଭ୍ରାନ୍ତ କରୁଛନ୍ତି ଓ ସେଗୁଡ଼ିକର ଆବଶ୍ୟକତା ସେମାନଙ୍କ ପାଇଁ ରହିଥିବା ପର୍ଯ୍ୟନ୍ତ ସେଗୁଡ଼ିକୁ ବ୍ୟବହାର କରୁଥିବେ ଓ ବିଶ୍ୱ ଜନମତକୁ ବିଭ୍ରାନ୍ତ କରି ଚାଲିଥିବେ । ତଥାପି ସଂସାରର ବହୁ କମ୍ୟୁନିଷ୍ଟଙ୍କର ଆହୁରି ମୋହ ଭଙ୍ଗ ହୋଇନି । ସେମାନେ ଚୀନକୁ ଏକ କମ୍ୟୁନିଷ୍ଟ ଦେଶ ବୋଲି ଆହୁରି ଭାବୁଛନ୍ତି । ପୁଣି ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ଚୀନ ଯୋଗ ଦେଇଦେବା ପରେ ଅନେକ କମ୍ୟୁନିଷ୍ଟ ଭାବିଲେଣି ଯେ ଜଗତିକରଣ ଅବଶ୍ୟମ୍ଭାବି । ତାର ବିରୋଧ କରିବାର କୌଣସି ଆବଶ୍ୟକତା ନାହିଁ ।
ମୂଷା ଧରିବା ଯଦି ଜନଗଣଙ୍କ ମଙ୍ଗଳକୁ ବୁଝାଏ ଓ କଳାଧଳା ରଙ୍ଗ ଦୁଇଟି ପୁଞ୍ଜିବାଦ ଏବଂ ସାମ୍ୟବାଦକୁ ବୁଝାଏ, ତେବେ ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ କାହାର — ପୁଞ୍ଜିବାଦ ନା ସାମ୍ୟବାଦର — ସାମର୍ଥ୍ୟ କେତେ ତାହା ଆଲୋଚନା କରିବା କଥା । ତେବେ ତା ପୂର୍ବରୁ ଆମେ ଜାଣିବା ଆବଶ୍ୟକ ଏହି “ଜନଗଣ”ଟା କିଏ — ଦେଶର ବହୁସଂଖ୍ୟକ ସାଧାରଣ ମଣିଷ ନା ସ୍ୱଳ୍ପସଂଖ୍ୟକ ପୁଞ୍ଜିପତି?
ଯୁକ୍ତରାଷ୍ଟ୍ର ଆମେରୀକାକୁ ପୁଞ୍ଜିବାଦୀ ଦେଶଗୁଡ଼ିକର ମଉଡ଼ମଣି ବୋଲି ଧରାଯାଉ । ଠିକ୍ ସେପରି ସାମ୍ୟବାଦୀ ଦେଶଗୁଡ଼ିକର ମଉଡ଼ମଣି ଭାବେ ପୁର୍ବତନ ସୋଭିୟେତ୍ ୟୁନିଅନକୁ ନିଆଯାଉ । ଯୁକ୍ତରାଷ୍ଟ୍ର ଆମେରୀକା ବ୍ରିଟିଶ୍ ଉପନିବେଶବାଦ କବଳରୁ ନିଜକୁ ମୁକ୍ତ କରି ସ୍ୱାଧୀନତା ଘୋଷଣା କଲା ୧୭୭୬ ମସିହା ଜୁଲାଇ ୪ ଦିନ । ମୂଖ୍ୟତଃ ଦାସପ୍ରଥା ବିଲୋପନ ସମସ୍ୟାକୁ ନେଇ ଯୁକ୍ତରାଷ୍ଟ୍ର ଆମେରୀକାର କେନ୍ଦ୍ର ସରକାର ଓ ସେହି ଦେଶର ଦକ୍ଷିଣ ଭାଗର ଏଗାରଟି ରାଜ୍ୟ ମଧ୍ୟରେ ହୋଇଥିବା ଗୃହଯୁଦ୍ଧ (୧୮୬୧-୬୫) ଛଡ଼ା ଆମେରୀକା ମାଟିରେ ଆଉ କେବେ ଯୁଦ୍ଧ ହୋଇନାହିଁ । କେବଳ ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାଳରେ ଯୁକ୍ତରାଷ୍ଟ୍ର ଆମେରୀକାର ମୂଳ ଭୂଖଣ୍ଡ ଠାରୁ ବହୁ ଦୂରରେ ପ୍ରଶାନ୍ତ ମହାସାଗରର ହାୱାଇ ଦ୍ୱୀପପୁଞ୍ଜରେ ଥିବା ପର୍ଲ ହାର୍ବର୍ ଉପରେ ଜାପାନ ୭-୧୨-୧୯୪୧ ଦିନ ଯାହା ଆକ୍ରମଣ କରିଥିଲା । ସେଥି ପାଇଁ ତ ଆମେରିକା ଜାପାନର ଦୁଇଟି ପ୍ରଧାନ ସହର, ହିରୋସିମା ଓ ନାଗାସାକି ଉପରେ ଦୁଇଟି ପରମାଣୁ ବୋମା ପକାଇ ସେ ଦୁଇଟି ସହରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା । ପରମାଣୁ ବୋମାର ମାରାତ୍ମକ ପ୍ରଭାବରୁ ଆଜି ପର୍ଯ୍ୟନ୍ତ ଜାପାନବାସୀ ମୁକ୍ତ ନୁହଁନ୍ତି । ଆମେରୀକା ବିଶ୍ୱସାରା ଯୁଦ୍ଧ ଭିଆଇଛି, ଅସ୍ତ୍ରଶସ୍ତ୍ର ବିକିଛି, ଧନୀ ହୋଇଛି, କିନ୍ତୁ ନିଜ ମାଟିରେ କେବେ ଯୁଦ୍ଧ ହେବାକୁ ଦେଇନି । ଏହା ପୁଣି ସର୍ବଜନ ବିଦିତ ଯେ ଯୁକ୍ତରାଷ୍ଟ୍ର ଆମେରୀକା ତାର ସାମ୍ରାଜ୍ୟବାଦୀ ନୀତି ଜରିଆରେ ପୃଥିବୀର ଅନ୍ୟ ସମସ୍ତ ଦେଶକୁ ଶୋଷଣ କରି ଆସିଛି । ତେଣୁ ଆମେରୀକାରେ ଯେଉଁ ବିକାଶ ଘଟିଛି ତାହା ଶତାବ୍ଦୀ ଶତାବ୍ଦୀ ଧରି ନିରବଛିନ୍ନ ଶାନ୍ତି ଓ ଶୋଷଣର ଫଳ । ଆମେରୀକା ଧନୀ ଦେଶ, ତଥାପି ସେଠି ବି ଗରିବ ଅଛନ୍ତି, ବେକାର ଅଛନ୍ତି । ତେଣୁ ଆମେରୀକାରେ “ଜନଗଣ”ଶବ୍ଦଟା କେବଳ ପୁଞ୍ଜିପତିଙ୍କୁ ବୁଝାଏ ।
ପ୍ରଥମ ବିଶ୍ୱ ଯୁଦ୍ଧର ପାଉଁଶ ଭିତରୁ ଜାତ ହେଲା ସୋଭିୟେତ ୟୁନିଅନ । ଜନ୍ମ ହେଉ ହେଉ ତାକୁ ଏନ୍ତୁଡ଼ିଶାଳରେ ହିଁ ମାରିବା ପାଇଁ ଆକ୍ରମଣ କଲେ ବିଦେଶୀ ଶକ୍ତି — ଦେଶ ଭିତରର ପ୍ରତିକ୍ରିୟାଶୀଳ, ପ୍ରତି-ବିପ୍ଳବୀ ଶକ୍ତିଙ୍କ ସହଯୋଗରେ । ଏହି ଯୁଦ୍ଧ ଦୁଇ ତିନି ବର୍ଷ ଧରି ଚାଲିଲା, କିନ୍ତୁ ପାରିଲେନି । ପରିଶେଷରେ ବିପ୍ଳବର ବିଜୟ ହେଲା । କିଛି ବର୍ଷ ଦେଶଗଠନ କାର୍ଯ୍ୟ ଚାଲିବା ପରେ ପୁଣି ଆରମ୍ଭ ହେଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ୧୯୩୯ ମସିହାରେ । ୧୯୪୫ ମସିହାରେ ଯୁଦ୍ଧ ଶେଷ ବେଳକୁ ସେହି ଦେଶର ନିୟୁତ ନିୟୁତ ଲୋକ ଦେଶ ପାଇଁ ପ୍ରାଣବଳୀ ଦେଇ ସାରିଥିଲେ ଓ ତାଠାରୁ ବହୁ ଗୁଣ ଲୋକ ଆହତ ହୋଇଥିଲେ ଏବଂ ସାରା ଦେଶଟା ଧ୍ୱସ୍ତବିଧ୍ୱସ୍ତ ହୋଇ ସାରିଥିଲା । ତଥାପି ଦଶ ପନ୍ଦରଟି ବର୍ଷ ଭିତରେ ସୋଭିୟେତ ୟୁନିଅନରେ ଯେଉଁ ବିକାଶ ଘଟିଥିଲା ତାହା ସାରା ସଂସାରକୁ ଚକିତ କରି ଦେଇଥିଲା । ସେଠାରେ ଯେଉଁ ବିକାଶ ଘଟିଥିଲା ତାହା ଥିଲା ସାଧାରଣ ମଣିଷଙ୍କ ପାଇଁ । ସୋଭିୟେତ ୟୁନିଅନର ବିକାଶର ଇତିହାସ ହେଉଛି କେବଳ ସତୁରୀ ପଞ୍ଚସ୍ତରୀ ବର୍ଷର ଇତିହାସ । ଏହି ବିକାଶର ପଛରେ ଶହ ଶହ ବର୍ଷର ଶାନ୍ତି ଓ ଶୋଷଣ ନଥିଲା । ଓଲଟି ପୃଥିବୀର ସମସ୍ତେ ଜାଣନ୍ତି, ସୋଭିୟେତ ୟୁନିଅନ ଭାରତ ସହିତ ତୃତୀୟ ବିଶ୍ୱର ଅନ୍ୟାନ୍ୟ ଦେଶକୁ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ଶୋଷଣ କବଳରୁ ମୁକ୍ତ ରଖିବା ତଥା ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ କିଭଳି ଭାବରେ ସାହାଯ୍ୟ କରି ଆସୁଥିଲା । ଏଭଳି ପରିସ୍ଥିତିରେ ଦେଙ୍ଗ୍ ଜିଆଙ୍ଗ୍ ପିଙ୍ଗ୍ ଯାହା କହିଲେ ତାହା ଠିକ୍ କି ନୁହେଁ ପାଠକମାନେ ବିଚାର କରନ୍ତୁ । ସାଧାରଣ ମଣିଷ ପାଇଁ ସୁଖର ସମ୍ଭାର ସୃଷ୍ଟି କରିବାରେ ପୁଞ୍ଜିବାଦର ସାମର୍ଥ୍ୟ କେତେ, ସମାଜବାଦର ସାମର୍ଥ୍ୟ କେତେ, ତାହା ପାଠକମାନେ ବିଚାର କରନ୍ତୁ । ସୋଭିୟେତ୍ ୟୁନିଅନରେ “ଜନଗଣ”ଶବ୍ଦଟା ସାଧାରଣ ମଣିଷଙ୍କୁ ବୁଝଉ ଥିଲା, ପୁଞ୍ଜିପତିଙ୍କୁ ନୁହେଁ । — ସୋଭିୟେତ୍ ୟୁନିଅନରେ ପୁଞ୍ଜିପତିମାନଙ୍କର ବିନାଶ ଘଟି ସାରିଥିଲା ।
ତୃତୀୟ ଉଦାହରଣଟି ହେଲା ଆମ ମାଟିର କଥା । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ଆମ ଦେଶର ଉତ୍ତର-ପୂର୍ବ ଅଞ୍ଚଳକୁ ଗସ୍ତରେ ଯାଇଥିଲେ । ସେଠାରେ ସେ ଏକ ସଭାରେ କାହାଣୀଟିଏ ଶୁଣେଇ ଥିଲେ । କାହାଣୀଟିର ସାରାଂଶ ହେଲା — ଥରେ ଜଣେ ରାଜା ତାଙ୍କ ରାଜ୍ୟର ଏକ ଅଞ୍ଚଳକୁ ବୁଲି ଯାଇଥିଲେ । ସେଠାରେ ସେ ଦେଖିଲେ — ପ୍ରଚଣ୍ଡ ଗ୍ରୀଷ୍ମରେ ଛାତ୍ରମାନେ ସ୍କୁଲକୁ ଯାଉଛନ୍ତି, ଅଥଚ ପାଦରେ ଜୋତା ନାହିଁ କି ମୁଣ୍ଡରେ ଟୋପି ନାହିଁ । ରାଜା ଆଦେଶ ଦେଲେ — ଛାତ୍ରମାନଙ୍କୁ ଟୋପି ଆଉ ଜୋତା ଦିଆଯାଉ । କିଛି ଦିନ ପରେ ରାଜା ପୁଣି ସେହି ଅଞ୍ଚଳକୁ ଗସ୍ତ କଲେ । ଏଥର ଦେଖିଲେ — କିଛି ଛାତ୍ର ଜୋତା ଓ ଟୋପି ପିନ୍ଧିଛନ୍ତି ଅଥଚ ଆଉ କେତେକ ଛାତ୍ର ଜୋତା ଓ ଟୋପି ନ ପିନ୍ଧି ସ୍କୁଲକୁ ଯାଉଛନ୍ତି । ରାଜା ପାତ୍ରମନ୍ତ୍ରୀଙ୍କୁ ପଶ୍ନ କଲେ । ସେମାନେ ସମସ୍ତ ଛାତ୍ରଙ୍କ ପାଇଁ ଜୋତା ଓ ଟୋପି ପଠାଇ ଦେଇଥିବା କଥା କହିଲେ । ରାଜା ଶିକ୍ଷକଙ୍କୁ ଡାକି କାରଣ ପଚାରିଲେ । ଶିକ୍ଷକ କହିଲେ — ମହାରାଜ! ସମସ୍ତଙ୍କ ପାଇଁ ଜୋତା ଓ ଟୋପି ଆସିଥିଲା, ହେଲେ ଯାହା ଯାହା ପାଦକୁ ଜୋତା ଓ ମୁଣ୍ଡକୁ ଟୋପି ମାପ ଠିକ୍ ହେଲା ସେମାନେ ପିନ୍ଧୁଛନ୍ତି, ଅଥଚ ଯାହାର ପାଦକୁ ଜୋତା ଓ ମୁଣ୍ଡକୁ ଟୋପି ମାପ ଠିକ୍ ହେଲାନି ସେମାନେ ଖାଲି ପାଦରେ, ବିନା ଟୋପିରେ ଯାଆସ କରୁଛନ୍ତି । କାହାଣୀଟି କହିସାରି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ଉତ୍ତର-ପୂର୍ବ ଅଞ୍ଚଳର ଜନସାଧାରଣଙ୍କୁ କହିଥିଲେ ଯେ ଆମ ଦେଶରେ ଯୋଜନା ଏହି ଭଳିଆ କାମ କରି ଆସିଛି ।
କାହାଣୀଟି ଶୁଣାଇ ଉତ୍ତର-ପୂର୍ବ ଅଞ୍ଚଳର ଅବସ୍ଥା ପାଇଁ ଶ୍ରୀଯୁକ୍ତ ବାଜପେୟୀ ଦେଶରେ ଚାଲୁଥିବା ପଞ୍ଚବାର୍ଷିକ ଯୋଜନାକୁ ଦାୟୀ କରିଥିଲେ । ଯୋଜନା କାର୍ଯ୍ୟକ୍ରମରେ ଯାହା ହେବ ସାରା ଦେଶରେ, ସବୁ ଅଞ୍ଚଳରେ ସମାନ ଭାବରେ ହେବ ବୋଲି ଏମିତି କିଛି କାର୍ଯ୍ୟକ୍ରମ ଉତ୍ତର-ପୂର୍ବ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି କି — ଯାହା ସେ ଅଞ୍ଚଳର ଲୋକଙ୍କ ପାଦ ଓ ମୁଣ୍ଡର ମାପ ମତେ ନୁହେଁ — ଯାହା ସେମାନଙ୍କ ପାଇଁ ଅଦରକାରୀ ହୋଇ ପଡ଼ିଛି, ତେଣୁ ସେ ଅଞ୍ଚଳର ଲୋକମାନେ ଆନ୍ଦୋଳନ କରୁଛନ୍ତି? ଯୋଜନା ବଳରେ ସେମାନଙ୍କ ପାଇଁ ଅଦରକାରୀ ଜିନିଷସବୁ ସେଠି ଠୁଳ ହେଉଛି ବୋଲି ସେମାନେ ଆନ୍ଦୋଳନ କରୁନାହାନ୍ତି, ସେମାନେ ଆନ୍ଦୋଳନ କରୁଛନ୍ତି ପଛରେ ପଡ଼ିଥିବା ଯୋଗୁଁ — ହୁଏତ ସେମାନଙ୍କର ଅନେକ ଦାବୀର ଯୋଜନା ସହ କୌଣସି ସମ୍ପର୍କ ନାହିଁ । ସେମାନଙ୍କର ଅବସ୍ଥା ପାଇଁ ଯୋଜନାକୁ ଦାୟୀ କରି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ନିଜ ଦାୟିତ୍ୱକୁ କାନ୍ଧରୁ ଖସାଇ ଥିଲେ ।
ପଞ୍ଚବାର୍ଷିକ ଯୋଜନା ବିଶ୍ୱକୁ ସୋଭିୟେତ୍ ୟୁନିଅନ୍ର ଦାନ । ଯଦିଚ ସେହି ଦେଶରେ ଯୋଜନା ସମାଜବାଦ ସହ ଜଡ଼ିତ ଥିଲା, ତଥାପି ସେହି ଦେଶର ଯୋଜନାବଦ୍ଧ ବିକାଶ ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲା । ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତି ପାଇ ସ୍ୱାଧିନ ଭାରତ ଯୋଜନାବଦ୍ଧ ବିକାଶର ବାଟ ବାଛି ନେଲା — ଏକ ଜନମଙ୍ଗଳକାଂକ୍ଷୀ ରାଷ୍ଟ୍ରଭାବେ । ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଯେଉଁ ମୋଟା ପୁଞ୍ଜିର ଆବଶ୍ୟକତା ଥିଲା ତାହା ସ୍ୱାଧିନ ଭାରତର ପୁଞ୍ଜିପତିଙ୍କ ଠାରେ ସେତେବେଳେ ନଥିଲା । — ବ୍ରିଟିଶ ପୁଞ୍ଜିପତିମାନଙ୍କର ଭାରତର ଅର୍ଥନୈତିକ କ୍ଷେତ୍ରରେ ରାଜୁତି ଥିଲା । ତେଣୁ ଭାରତୀୟ ପୁଞ୍ଜିର ବିକାଶ ପାଇଁ ସରକାରୀ ଯୋଜନା ମାଧ୍ୟମରେ ପୁନାସ ପଡ଼ିଲା । ଫଳରେ ଭାରତୀୟ ପୁଞ୍ଜିପତିମାନେ ଆଜି ବହୁଜାତୀୟ ପୁଞ୍ଜିପତିରେ ପରିଣତ ହୋଇଛନ୍ତି । ସେମାନଙ୍କ ପାଇଁ ଆଜି ଆଉ ଯୋଜନାର ଆବଶ୍ୟକତା ନାହିଁ । ତେଣୁ ଯୋଜନାକୁ ନିନ୍ଦା କଲାବେଳେ ଏହା କାହାର ଭାଷା ବୋଲି ଶ୍ରୀଯୁକ୍ତ ବାଜପେୟୀଙ୍କୁ ପଚାରିବା ଉଚିତ ଥିଲା ।
ଆଜି ସାଧାରଣ ମଣିଷମାନଙ୍କର ଏହି ଦୁଃଖ ପଛରେ “ବଡ଼ ଲୋକଙ୍କୁ ଉତ୍ତର ନାହିଁ”ପରମ୍ପରା ହିଁ ରହିଛି । ତେଣୁ ଏହି ଦୁଃଖରୁ ଉଦ୍ଧାର ପାଇବାକୁ ହେଲେ ଏହି ପରମ୍ପରାକୁ ହିଁ ତ୍ୟାଗ କରିବାକୁ ହେବ । ଏହି ପରମ୍ପରାକୁ ତ୍ୟାଗ କରିବେ କି ନାହିଁ, ବଡ଼ ଲୋକଙ୍କୁ ପ୍ରଶ୍ନ କରିବେ କି ନାହିଁ, ତାହା ପାଠକମାନେ, ଦୁଃଖୀ ମଣିଷମାନେ ବିଚାର କରନ୍ତୁ । (2008)
neelamanisahu@rediffmail.com
[ଏହି ଲେଖାଟି ସମଦୃଷ୍ଟି (ଭାଗ 3, ସଂଖ୍ୟା 6, 1-15 ସେପ୍ଚେମ୍ବର 2008), ସ୍ୱଦେଶ (6-13 ଅକ୍ଚୋବର 2009), ଉତ୍କଳ ସମାଜ (12-10-2009), କଳିଙ୍ଗ ମେଲ୍ (13-10-2009), ଓ ଲୋକ ସମାଚ଼ାର(16-31 ଡିସେମ୍ବର 2009) ରେ ପ୍ରକାଶିତ ହୋଇଥିଲା। ସମ୍ପାଦକମାନଙ୍କ ନିକଟରେ ମୁଁ କୃତଜ୍ଞ।]
Comments
0 comments