ମଣିପୁର ପ୍ରସଙ୍ଗକୁ ନେଇ ଗତ ଜୁଲାଇ ୨୭ତାରିଖରେ ସଂସଦରେ ବିରୋଧିଦଳର ସଦସ୍ୟମାନେ ଅନୁପସ୍ଥିତି ଥିବାବେଳେ କେନ୍ଦ୍ରର ଭାଜପା ସରକାର ଅତ୍ୟନ୍ତ ତରବରିଆ ଭାବେ ବିବାଦୀୟ ଜଙ୍ଗଲ ସଂରକ୍ଷଣ ବିଲ୍ – ୨୦୨୩କୁ ଲୋକସଭାରେ ବାଚନିକ ଭୋଟରେ ଗୃହୀତ କରାଇଛନ୍ତି । ବିନା କୌଣସି ଆଲୋଚନା ଓ ବିତର୍କରେ ଗୃହୀତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ଟି ଆଗାମୀ ଦିନରେ ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇ ଶେଷରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଲେ ଆଇନରେ ପରିଣତ ହୋଇଯିବ । ଦେଶର ଜଙ୍ଗଲ, ପରିବେଶ ଓ ଜୈବ ବିବିଧତା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିବା ଏହି ବିଲ୍ଟିକୁ ସରକାର ଯେଉଁଭଳି ତରବରିଆ ଓ ଏକପାଖିଆ ଭାବେ ପାସ୍ କରିବାକୁ ଚେଷ୍ଟାକଲେ ସେଥିରୁ ସରକାରଙ୍କ କୁଉଦ୍ଦେଶ୍ୟଟି ସ୍ପଷ୍ଟ ବାରି ହେଉଛି ।
ଗତ ମାର୍ଚ୍ଚ ୨୯ତାରିଖରେ ସରକାର ଲୋକସଭାରେ ଏହି ବିଲ୍ଟିକୁ ଆଗତ କରିଥିଲେ । ‘ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍ – ୨୦୨୩’ ନାମରେ ପରିଚିତ ଏହି ବିଲ୍ଟି ହେଉଛି ଜଙ୍ଗଲ ସଂରକ୍ଷଣ ଆଇନ – ୧୯୮୦ର ସଂଶୋଧିତ ରୂପ ମାତ୍ର । ତେବେ ବିଲ୍ଟିକୁ ଲୋକସଭାରେ ଆଗତ କରିବା ପରେ ସରକାର ଅଧିକ ବିଚାର ବିମର୍ଷ ପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସଂସଦୀୟ ସ୍ଥାୟୀ ସମିତି ଯାହାର ଅଧ୍ୟକ୍ଷ ରୂପେ ପୂର୍ବତନ ମନ୍ତ୍ରୀ ଜୟରାମ ରମେଶ ରହିଛନ୍ତି, ତାରି ପାଖକୁ ପଠାଇବାର ଥିଲା । କାରଣ, ଜଙ୍ଗଲ ଓ ପରିବେଶ ସଂକ୍ରାନ୍ତୀୟ ବିଲ୍ଗୁଡ଼ିକର ତର୍ଜମା କରିବା ପାଇଁ ଉପରୋକ୍ତ କମିଟିଟି ସବୁଠାରୁ ଯୋଗ୍ୟ ଥିଲା । କିନ୍ତୁ ସରକାର ତାରି ବଦଳରେ ତରବରିଆ ଭାବେ ବିଜେପି ସାଂସଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ସଂସଦୀୟ ସମିତି ନିକଟକୁ ପଠାଇ ଦେଇଥିଲେ । ତେବେ ଏପରି କରିବା ପଛରେ ସରକାର ନିଜର ବିଲ୍ରେ କୌଣସି ପ୍ରକାର ପରିବର୍ତ୍ତନର ସୁଯୋଗ ନଦେବାକୁ ଚାହୁଁଥିବା କଥା ପରବର୍ତ୍ତୀ ଘଟଣାକ୍ରମରୁ ସ୍ପଷ୍ଟ ଉଜାଗର ହୋଇଯାଇଛି ।
ତେବେ ବିଲ୍କୁ ନେଇ ଦେଶର ବିଭିନ୍ନ ସ୍ତରରୁ ଶତାଧିକ ବ୍ୟକ୍ତି ଓ ସଂଗଠନ ନିଜ ନିଜର ମତାମତ ଓ ପରାମର୍ଶ ଯୁଗ୍ମ କମିଟି ପାଖରେ ଦାଖଲ କରିଥିଲେ । ଖୋଦ୍ ଯୁଗ୍ମ ସମିତିର ସଦସ୍ୟ ରହିଥିବା ବିରୋଧୀଦଳର ସାଂସଦମାନେ ମଧ୍ୟ ବିଲ୍ ନେଇ ନିଜର ଭିନ୍ନମତକୁ ସମିତି ପାଖରେ ଉପସ୍ଥାପିତ କରିଥିଲେ । ଏପରିକି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ମଧ୍ୟ ବିଲ୍ଟିକୁ ଆଦିବାସୀ ବିରୋଧି ବୋଲି କହି ନିଜର ପ୍ରତିବାଦ ସମିତି ପାଖରେ ଜଣାଇଥିଲେ । ଏତଦ୍ବ୍ୟତୀତ ଦେଶର ଚାରିଶହରୁ ଊର୍ଦ୍ଧ୍ୱ ପରିବେଶବିତ୍, ପରିବେଶ ବୈଜ୍ଞାନିକ ଓ ପୂର୍ବତନ ବରିଷ୍ଠ ଜଙ୍ଗଲ ଅଧିକାରୀ ପରିବେଶ ବିଲ୍ର ବିଭିନ୍ନ ଅନୁଛେଦ ନେଇ ଉଦ୍ବେଗ ପ୍ରକାଶ କରିବା ସହ ତାକୁ ତରବରିଆ ଭାବେ ସଂସଦରେ ଗୃହୀତ ନକରି ଆହୁରି ବ୍ୟାପକ ବିଚାର ବିମର୍ଷ ପାଇଁ ସମୟ ନେବାକୁ ଅନୁରୋଧ କରି ସରକାରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତିର ଭୟଙ୍କର ପ୍ରଭାବ ସ୍ପଷ୍ଟହେବା ପରେ ଉତ୍ତର ଭାରତରେ ସମ୍ପ୍ରତି ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିପୁଳ ଜଙ୍ଗଲ ସମ୍ପଦ ଓ ଜୈବ ବିବିଧତାକୁ ସୁରକ୍ଷା ଦେବାପାଇଁ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଏହା ନିଶ୍ଚିତ କରିବାର ସମୟ ଆସିଛି । ଜଙ୍ଗଲ ସଂରକ୍ଷଣ ଆଇନରେ ପ୍ରସ୍ତାବିତ ସଂଶୋଧନଗୁଡ଼ିକ କେବଳ ଭାରତର ପ୍ରାକୃତିକ ଜଙ୍ଗଲର ଅବନତିକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିବ ।”
ବିଲ୍ର ମୁଖବନ୍ଧରେ ଦେଶର ଜଙ୍ଗଲ ଏବଂ ପରିବେଶର ସଂରକ୍ଷଣ ନେଇ ଅନେକ ବଡ଼ ବଡ଼ କଥା କୁହାଯାଇଛି । ବିଶେଷ କରି ୨୦୧୫ରେ ପ୍ୟାରିସଠାରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ଭାରତ ଦେଇଥିବା ପ୍ରତିଶୃତି ଅନୁଯାୟୀ ବାର୍ଷିକ ୨୫୦ରୁ ୩୦୦କୋଟି ଟନ୍ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷିବା ବା ଆହରଣ କରିବା ପାଇଁ ୨୦୩୦ ସୁଦ୍ଧା ଦେଶର ସର୍ବନିମ୍ନ ୩୩% ଭୂଭାଗକୁ ଜଙ୍ଗଲରେ ପରିଣତ କରିବା କଥା କୁହାଯାଇଛି । କିନ୍ତୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶର ୨୧.୬୧% ଭୂଭାଗରେ ଜଙ୍ଗଲ ରହିଛି । ଯଦି ଏହି ଘୋଷିତ ଜଙ୍ଗଲର ବାହାରେ ରହିଥିବା ଜଙ୍ଗଲକୁ ମିଶାଯିବ ତାହେଲେ ଏହି ପରିମାଣଟି ୨୪% ହେଉଛି । ଏଭଳି ପରିସ୍ଥିତିରେ ସରକାରଙ୍କ ଉପରୋକ୍ତ ବାହାସ୍ଫୋଟଟି ବାସ୍ତବତାଠାରୁ ଯେ ବହୁ ଦୂରରେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବରଂ ସରକାର ଜଙ୍ଗଲ ସଂରକ୍ଷଣ ବିଲ୍ ଜରିଆରେ ପୂର୍ବ ଆଇନରେ ଯେଉଁସବୁ ସଂଶୋଧନ ଆଣିଛନ୍ତି, ତାହା ବିଲ୍ର ମୁଖବନ୍ଧରେ କରାଯାଇଥିବା ଲକ୍ଷ୍ୟର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି । ଦେଶର ଅଧିକରୁ ଅଧିକ ଭୂଭାଗକୁ ଜଙ୍ଗଲରେ ପରିଣତ କରି ତାକୁ ସଂରକ୍ଷିତ ବୋଲି ଘୋଷଣା କରିବା ବଦଳରେ ସରକାର ବର୍ତ୍ତମାନ ସଂରକ୍ଷିତ ଥିବା ଜଙ୍ଗଲକୁ ସଂରକ୍ଷଣରୁ ମୁକ୍ତ କରି ତାକୁ ଅଣ ଜଙ୍ଗଲ କାମରେ ଲଗାଇବାର ବାଟ ଖୋଲିିଛନ୍ତି ।
ଦେଶରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ପାଇଁ ୧୯୮୦ ମସିହାରେ “ଜଙ୍ଗଲ (ସଂରକ୍ଷଣ) ଆଇନ ପ୍ରଣୟନ ହୋଇଥିଲା । ଜଙ୍ଗଲର ସଂରକ୍ଷଣ ପାଇଁ ଗୁରୁତ୍ୱ ଦେଉଥିବା ଏହି ଆଇନର ପ୍ରଣୟନ ଫଳରେ ପୁରୁଷ ପୁରୁଷ ଧରି ଜଙ୍ଗଲଜମିରେ ଚାଷବାସ ଓ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ କରି ବଞ୍ଚୁଥିବା ଆଦିବାସୀ ଓ ଅନ୍ୟ ପାରମ୍ପରିକ ଜଙ୍ଗଲଜୀବୀଙ୍କ ସ୍ୱାଭାବିକ ଓ ଯୁକ୍ତିସଙ୍ଗତ ଅଧିକାରକୁ ଛଡ଼େଇ ନେଇ ସେମାନଙ୍କ ପ୍ରତି ଐତିହାସିକ ଅନ୍ୟାୟ କରାଯାଇଥିଲା । ତେବେ ଏହି ଆଇନ ଫଳରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାମରେ ଲଗାଇବା କ୍ଷେତ୍ରରେ ଅନେକ କଟକଣା ରହିଲା । ବିଧିବଦ୍ଧ ଭାବେ ଜଙ୍ଗଲ ବୋଲି ଘୋଷିତ ଜମିରେ ରାସ୍ତା, ରେଳପଥ ଓ ଖଣି ଖନନ ପରି କୌଣସି ଅଣ-ଜଙ୍ଗଲ କାର୍ଯ୍ୟ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରୀ ଆଣିବା ବାଧ୍ୟତାମୂଳକ ହୋଇଗଲା । ତେବେ ଏଥିପାଇଁ ଅନେକଗୁଡ଼ିଏ ପର୍ଯ୍ୟାୟରେ ଆବେଦନ କରିବାର ବାଧ୍ୟବାଧକତା ଥିବାରୁ ଏହି ମଞ୍ଜୁରୀ ପ୍ରକ୍ରିୟାଟି ଅତ୍ୟନ୍ତ ଜଟିଳ ଓ ସମୟସାପେକ୍ଷ ଥିଲା । ତେଣୁ ଜଙ୍ଗଲ ଜମିରେ ନିଜର ବ୍ୟବସାୟିକ ପ୍ରକଳ୍ପ ସବୁ କରିବାକୁ ଇଛୁକ କମ୍ପାନୀମାନଙ୍କ ପାଇଁ ଏହି କିଛି ମାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ଅତଏବ ସରକାର ଜଙ୍ଗଲ ସଂରକ୍ଷଣ ଆଇନ – ୧୯୮୦ରେ ସଂଶୋଧନ କରି ଜଙ୍ଗଲ ଜମି ଅନୁମତି ପ୍ରକ୍ରୀୟାଟିକୁ ସମ୍ପୂର୍ଣ୍ଣ ସରଳ ଓ ପ୍ରତିବନ୍ଧକ ଶୂନ୍ୟ କରିବାକୁ ହିଁ ବାକୁ ଯାଉଛନ୍ତି ।
ବିଲ୍ରେ, ସରକାର ଭାରତୀୟ ଜଙ୍ଗଲ ଅଧିନିୟମ-୧୯୨୭ ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ ଘୋଷିତ ଅଥବା ବିଜ୍ଞପ୍ତି ପ୍ରାପ୍ତ ସମସ୍ତ ଜଙ୍ଗଲକୁ ତଥା ଅକ୍ଟୋବର ୨୫, ୧୯୮୦ରେ କିମ୍ବା ତା’ପରେ ଜଙ୍ଗଲ ଭାବରେ ରେକର୍ଡ କରାଯାଇଥିବା ଜଙ୍ଗଲ ଜମିକୁ ହିଁ ସଂରକ୍ଷଣର ପରିସରଭୁକ୍ତ କରିଛନ୍ତି । ଅନ୍ୟପଟେ ଶ୍ରେଣୀଭୁକ୍ତ ହୋଇନଥିବା ଜଙ୍ଗଲକୁ ସଂରକ୍ଷଣ ବ୍ୟବସ୍ଥାରୁ ବାହାରେ ରଖିଛନ୍ତି । ସରକାରଙ୍କ ଉପରୋକ୍ତ ପଦକ୍ଷେପଟି କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ୧୯୯୬ରେ ‘ଟି.ଏନ୍ ଗୋଦାବର୍ମନ୍ ବନାମ ଭାରତ ସରକାର’ ମାମଲାରେ ଦେଇଥିବା ରାୟର ଖୋଲାଖୋଲି ଉଲଂଘନ କରୁଛି । କାରଣ କୋର୍ଟ ସେତେବେଳେ ନିଜର ରାୟରେ ଜଙ୍ଗଲର ଆଭିଧାନିକ ପରିଭାଷାକୁ ବ୍ୟାଖ୍ୟା କରିବା ସହ ଜଙ୍ଗଲ ସଂରକ୍ଷଣ ଆଇନର ପରିସୀମାକୁ ଆହୁରି ସମ୍ପ୍ରସାରିତ କରିଥିଲେ । ଜଙ୍ଗଲ ରହିଥିବା ଦେଶର ସବୁ ଜମିକୁ ଏପରିକି ବ୍ୟକ୍ତିଗତ ଜମିରେ ଥିବା ଜଙ୍ଗଲକୁ ବି ଜଙ୍ଗଲ ଜମି ବୋଲି ଘୋଷଣା କରିବା ସହିତ ତା’କୁ ଜଙ୍ଗଲ ସଂରକ୍ଷଣ ଆଇନ – ୧୯୮୦ର ପରିସରଭୁକ୍ତ କରିଥିଲେ । ଏହାଫଳରେ ଉପରୋକ୍ତ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାମରେ ବ୍ୟବହାର କରିବା ଉପରେ ସଂରକ୍ଷିତ ଜଙ୍ଗଲ ପରି କଟକଣା ସବୁ ଲାଗିଲା । ଜଙ୍ଗଲ ରୂପେ ସଂରକ୍ଷଣ ପରିସରଭୁକ୍ତ ହୋଇଥିବା ଉପରୋକ୍ତ ଜମିକୁ କିନ୍ତୁ ଘରୋଇ କମ୍ପାନୀଙ୍କ ବିଭିନ୍ନ ଅଣ ଜଙ୍ଗଲ କାର୍ଯ୍ୟରେ ଲଗାଇବା ପାଇଁ ହସ୍ତାନ୍ତର କରିବାକୁ ବ୍ୟାକୁଳ ସରକାର ଏବେ ନୂତନ ବିଲ୍ ଜରିଆରେ ଜଙ୍ଗଲ ରହିଥିବା ଦେଶର ଏହି ବିଶାଳ ଭୂଭାଗକୁ ଜଙ୍ଗଲ ସଂରକ୍ଷଣର ପରିଧିରୁ ମୁକ୍ତ କରିବାକୁ ଯାଉଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ରେ ଭାରତ ସରକାରଙ୍କ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା (Forest Survey of India) ପକ୍ଷରୁ ପ୍ରକାଶିତ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟରେ କୁହାଯାଇଛି ଯେ ଭାରତର ସମୁଦାୟ ଜଙ୍ଗଲ ଆବରଣ ୭,୭୫,୨୮୮ ବର୍ଗ କିଲୋମିଟର ରହିଛି । ସେଥିମଧ୍ୟରୁ ୧,୨୦,୭୮୩ ବର୍ଗ କିଲୋମିଟର ଯାହାକି ସମୁଦାୟ ଜଙ୍ଗଲ ଜମିର ୧୬%, ଉପରୋକ୍ତ ଅଶ୍ରେଣୀଭୁକ୍ତ (Unclassified Forest) ଜଙ୍ଗଲ ଅଧୀନରେ ଆସୁଛି । ଏପରିକି କିଛି ରାଜ୍ୟରେ ଏହି ପ୍ରତିଶତଠାରୁ ବି ଅଧିକ ଜଙ୍ଗଲ ଜମି ଏହି ଶ୍ରେଣୀରେ ଆସୁଛି । ଅନ୍ୟପଟେ ପରିବେଶ ଓ ଜୈବ ବିବିଧତା ଦୃଷ୍ଟିରୁ ବି ଏହି ଅଶ୍ରେଣୀଭୁକ୍ତ ଜଙ୍ଗଲ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । କିନ୍ତୁ ବିଲ୍ରେ ଅଶ୍ରେଣୀଭୁକ୍ତ ଜଙ୍ଗଲର ଏହି ବିଶାଳ ଭୂଭାଗକୁ ସଂରକ୍ଷଣ ବ୍ୟବସ୍ଥାରୁ ବାହାରେ ରଖିବାକୁ କୁହାଯାଇଛି । ସେପରି ହେଲେ, ଆଗାମୀ ଦିନରେ ସରକାର ବିକାଶ ନାମରେ ଏହି ଲକ୍ଷାଧିକ ବର୍ଗ କି.ମିର ଜଙ୍ଗଲ ଜମି ଏବଂ ତା ଉପରେ ରହିଥିବା ମୂଲ୍ୟବାନ୍ ଜଙ୍ଗଲ ସମ୍ବଳକୁ କର୍ପୋରେଟମାନଙ୍କ ପାଇଁ ସହଜରେ ଉପଲବ୍ଧ କରାଇବାର ସମ୍ଭାବନା ଦେଖାଦେଇଛି । କାରଣ ଜଙ୍ଗଲ ସଂରକ୍ଷଣ ଆଇନରୁ ମୁକ୍ତ ଏସବୁ ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ କାମରେ ଉପଯୋଗ କରିବାକୁ ସେମାନଙ୍କୁ ଏଣିକି ଜଙ୍ଗଲ ଅନୁମତି ଆଣିବାର ଲମ୍ବା ଓ କଷ୍ଟସାଧ୍ୟ ପ୍ରକ୍ରିୟାକୁ ପାଳନ କରିବାକୁ ପଡ଼ିବନି ।
ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ୍, ୨୦୨୩ କେତେକ ପ୍ରକାରର ଜମିକୁ ସଂରକ୍ଷଣ ଆଇନର ପରିସରରୁ ମୁକ୍ତ କରୁଛି । ଏହା କିଛି ଅଣ-ଜଙ୍ଗଲ କାର୍ଯ୍ୟକଳାପକୁ ଜଙ୍ଗଲ ମଞ୍ଜୁରୀର ଅନିବାର୍ଯ୍ୟତାରୁ ମୁକ୍ତ କରୁଛି । ବିଶେଷ କରି ଆନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରେ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ରାସ୍ତା ଓ ରେଳ ଭିତ୍ତିଭୂମି ନିର୍ମାଣ କରିବା କ୍ଷେତ୍ରରେ ସରକାରଙ୍କୁ ଏଥିରେ ଛାଡ଼ କରାଯାଇଛି । ଏହି ସଂଶୋଧନରେ ‘ଆନ୍ତର୍ଜାତୀୟ ସୀମା କିମ୍ବା ନିୟନ୍ତ୍ରଣ ରେଖା କିମ୍ବା ପ୍ରକୃତ ନିୟନ୍ତ୍ରଣ ରେଖା’ଠାରୁ ୧୦୦ କିଲୋମିଟର ମଧ୍ୟରେ ଅବସ୍ଥିତ ଜଙ୍ଗଲ ଜମିରେ ‘ଜାତୀୟ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ପ୍ରକଳ୍ପ ନିର୍ମାଣ ଏବଂ ଜାତୀୟ ସୁରକ୍ଷା’ ପାଇଁ ରିହାତି ପ୍ରଦାନ କରାଯାଇଛି । ଯଦି ଏହି ବିଲ୍ ଗୃହୀତ ହୁଏ, ତେବେ ଆନ୍ତର୍ଜାତୀୟ ସୀମାରେ ଅବସ୍ଥିତ ଉତ୍ତର ପୂର୍ବ ଅଂଚଳର ଘଞ୍ଚ ଜଙ୍ଗଲ ରହିଥିବା ଏକ ବିଶାଳ ଭୂଭାଗ ବର୍ତ୍ତମାନର ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ପରିସରରୁ ବାଦ ପଡ଼ିବାକୁ ଯାଉଛି । ଆନ୍ତର୍ଜାତୀୟ ସୀମାରୁ ଶହେ କିମି ଭିତର ପର୍ଯ୍ୟନ୍ତର ଅର୍ଥ ହେଲା, ଉତ୍ତର ପୂର୍ବର ଅଧିକାଂଶ ରାଜ୍ୟ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଆଦି ଅନେକ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଙ୍ଗଲ ସଂରକ୍ଷଣ ଆଇନରୁ ମୁକ୍ତ ହୋଇଯିବ । ଅର୍ଥାତ୍ ସେଠାରେ ଆଉ ଜଙ୍ଗଲ ସଂରକ୍ଷଣ ଆଇନ ଲାଗୁହେବ ନାହିଁ ଏବଂ ସେସବୁ ଅଞ୍ଚଳରେ କୌଣସି ପ୍ରକଳ୍ପ ପାଇଁ ସରକାରଙ୍କ ଜଙ୍ଗଲ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ନିଷ୍ପତ୍ତି ହିମାଳୟ, ଟ୍ରାନ୍ସ-ହିମାଳୟ ଏବଂ ଉତ୍ତର-ପୂର୍ବ ଅଂଚଳର ସିଂହଭାଗ ଜଙ୍ଗଲକୁ କ୍ଷତି ପହଂଚାଇବ । ସଂରକ୍ଷଣରୁ ମୁକ୍ତହୋଇ ଏସବୁ ଜଙ୍ଗଲ ଅଣ-ଜଙ୍ଗଲ କାମରେ ଉପଯୋଗ ହେଲେ ସେଠାକାର ଜଙ୍ଗଲ, ପରିବେଶ କ୍ଷତିଗସ୍ତ ହେବା ସହ ଭୌଗୋଳିକ ଦୃଷ୍ଟିରୁ ସମ୍ବେଦନଶୀଳ ଏହି ଅଂଚଳ ଗୁଡିକର ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହେବ ଏବଂ ଚରମ ପାଣିପାଗ ଘଟଣା ଘଟିପାରେ ।
ବିଲ୍ରେ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜମ୍) ନାଁରେ ଘରୋଇ ପ୍ରାଣୀ ଉଦ୍ୟାନ, ବନ୍ୟଜନ୍ତୁ ସଫାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆଦିର ନିର୍ମାଣକୁ ପ୍ରେତ୍ସାହିତ କରିବା କଥା କୁହାଯାଇଛି ଏବଂ ଏଥିପାଇଁ ସଂରକ୍ଷଣ ଆଇନରେ ରିହାତି ଦେବାକଥା କୁହାଯାଇଛି । ଘରୋଇକମ୍ପାନୀଙ୍କ ମୁନାଫା ପାଇଁ ଉଦ୍ଦିଷ୍ଟ ଏସବୁ ପ୍ରକଳ୍ପ ପାଇଁ ଜଙ୍ଗଲକୁ ବ୍ୟବହାର କରିବା ଉଭୟ ପରିବେଶ ଓ ଜୈବ ବିବିଧତା ଦୃଷ୍ଟିରୁ କ୍ଷତିକାରକ ହେବ ।
ଦେଶରେ ବାମପନ୍ଥୀ ଉଗ୍ରବାଦ ଦମନ (ପ୍ରକୃତ ଅର୍ଥରେ ଆଦିବାସୀମାନଙ୍କ ଉପରେ ଆକ୍ରମଣ) ନାମରେ ପାଂଚ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ଜମିକୁ ସାମରିକ ଅଥବା ଅର୍ଦ୍ଧସାମରିକ ବାହିନୀର ଭିତ୍ତିଭୂମି ନିର୍ମାଣ ପାଇଁ ଛାଡ଼ି ଦିଆଯାଇଛି । ଏହି ନାଁରେ ସରକାର ଦେଶର ଯେକୌଣସି ସ୍ଥାନରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ଜଙ୍ଗଲ ଅଞ୍ଚଳରେ ମୁଖ୍ୟତଃ ଦେଶର ସବୁଠାରୁ ଅବହେଳିତ ଓ ଶୋଷିତ ଆଦିବାସୀ ଓ ଆଦିମ ଅଧିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ତେଣୁ ଏହି ଅଂଚଳରେ ଜଙ୍ଗଲ ଜମିର ଯେକୌଣସି ପରିବର୍ତ୍ତନ କେବଳ ଏହି ସମ୍ପ୍ରଦାୟମାନଙ୍କ ଜୀବନ ଜୀବିକାକୁ ହିଁ ପ୍ରଭାବିତ କରିବ । ଏହାବ୍ୟତୀତ ସରକାର ପୂର୍ବ ଜଙ୍ଗଲକୁ ଅଣ-ଜଙ୍ଗଲ କାର୍ଯ୍ୟକଳାପ ଭାବରେ ଶ୍ରେଣୀଭୁକ୍ତ ନକରି ଜଙ୍ଗଲ ଜମିରେ କୌଣସି ପ୍ରକାରର ‘ସର୍ଭେ’, ଅନୁସନ୍ଧାନ ଆଦିକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ମଧ୍ୟ ଏହି ବ୍ୟବସ୍ଥା କରିଛନ୍ତି ।
ପୂର୍ବ ଆଇନରେ ଅଣ-ଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ଜମିର ଡାଇଭର୍ସନ ବା ହସ୍ତାନ୍ତର ପ୍ରକ୍ରିୟା ଅନେକ ପରିମାଣ ଜଟିଳ ଥିଲା । ଏଥିପାଇଁ ଏକ ବହୁସ୍ତରୀୟ ଅନୁମତି (Clearance) ପ୍ରକ୍ରିୟା ଦେଇ ଯିବାକୁ ପଡ଼ୁଥିଲା । କିନ୍ତୁ ନୂତନ ବିଲ୍ ମାଧ୍ୟମରେ ସରକାର ଏହି ଅସୁବିଧାଗୁଡ଼ିକୁ ହଟାଇବାକୁ ଚେଷ୍ଟା କରି ଜଙ୍ଗଲ ଅନୁମତି ପାଇବାର ପ୍ରକ୍ରିୟାଟିକୁ ଅଧିକ ସହଜ କରିଛନ୍ତି । ଏପରିକି ଅନେକ ଶ୍ରେଣୀର ଜଙ୍ଗଲକୁ ଏହି ବାଧ୍ୟତାମୂଳକ ଅନୁମତି (ଉକ୍ଷରବକ୍ସବଦ୍ଭମର) ପ୍ରକ୍ରିୟାରୁ ବାଦ ଦିଆଯାଇଛି । ସରକାରଙ୍କ ଏହି ପଦକ୍ଷେପଟି ଜଙ୍ଗଲ ଜମିରେ ନିଜର ପ୍ରକଳ୍ପ କରିବାକୁ ଇଛୁକ କର୍ପୋରେଟ୍ମାନଙ୍କୁ ହୁଏତ ସାହାଯ୍ୟ କରିବ, ସେମାନଙ୍କ ମୁନାଫାକୁ ବଢ଼ାଇ ପାରିବ କିନ୍ତୁ ସେଠାରେ ପୁରୁଷ ପୁରୁଷ ଧରି ଚାଷ ଓ ବାସ କରି ଆସୁଥିବା କୋଟି କୋଟି ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କୁ କ୍ଷତିଗ୍ରସ୍ତ କରିବ । କାରଣ ସେସବୁ ଜଙ୍ଗଲ ଜମି ସଂରକ୍ଷଣରୁ ମୁକ୍ତ ହେବା ପରେ ଅଣଜଙ୍ଗଲ କାମରେ ତା’ର ହସ୍ତାନ୍ତର ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କର କୌଣସି ଭୂମିକା ରହିବନି । ଏହା ଜଙ୍ଗଲ ଅଧିକାର ଆଇନ – ୨୦୦୬ରେ ସେମାନଙ୍କୁ ମିଳିଥିବା ଅଧିକାରର ବି ଖୋଲା ଉଲଂଘନ ବୋଲି କୁହାଯାଇପାରେ ।
ମୋଦୀ ସରକାରଙ୍କ ଦ୍ୱାରା ଦେଶର ଜଙ୍ଗଲ ସଂରକ୍ଷଣ ଆଇନରେ ଅଣାଯାଉଥିବା ଏହି ସଦ୍ୟତମ ସଂଶୋଧନଟି କୌଣସି ବିଚ୍ଛିନ୍ନ ଘଟଣା ନୁହେଁ । ବରଂ ଦେଶୀ ବିଦେଶୀ ବଡ଼ କର୍ପୋରେଟ୍ଙ୍କ ସ୍ୱାର୍ଥରେ ଦେଶର ଜଙ୍ଗଲ ଏବଂ ପରିବେଶ ସହ ଜଡ଼ିତ ବିଭିନ୍ନ ଆଇନ ଓ ନିୟମରେ ଗତ କିଛି ବର୍ଷ ଧରି କରାଯାଉଥିବା ପରିବର୍ତ୍ତନର ଏହା ଅଂଶବିଶେଷ ମାତ୍ର । କାରଣ କେନ୍ଦ୍ରରେ ଆରଏସ୍ଏସ୍-ବିଜେପିର ଗତ ନଅବର୍ଷର ଶାସନ କାଳରେ ଐତିହାସିକ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ଦୁର୍ବଳ କରିବାକୁ ଲଗାତାର ପ୍ରଚେଷ୍ଟା ସହ ଗତବର୍ଷ ଜଙ୍ଗଲ ସଂରକ୍ଷଣ ନିୟମାବଳୀରେ ବି ପରିବର୍ତ୍ତନ କରାଯାଇଛି । ଏହାସହ ଭାରତୀୟ ଜଙ୍ଗଲ ଆଇନ -୧୯୨୭କୁ ମଧ୍ୟ ସଂଶୋଧନ କରିବା ପାଇଁ ଉଦ୍ୟମ କରାଯାଇଛି । ଅତଏବ ଆମର ଜମି, ଜଙ୍ଗଲ, ପ୍ରାକୃତିକ ସମ୍ପଦ ଓ ଜୀବିକା ଉପରେ ଦେଶୀ ବିଦେଶୀ କର୍ପୋରେଟ୍ ଓ ସରକାରଙ୍କ ନିୟନ୍ତ୍ରଣକୁ ବଢ଼େଇବା ପାଇଁ ମୋଦୀ ସରକାର ଦ୍ୱାରା ଅଣାଯାଇଥିବା ଏହି ବିଲ୍କୁ କଦାପି ଗ୍ରହଣ କରାଯାଇ ପାରିବ ନାହିଁ । ଦେଶର ଆଦିବାସୀ, ପାରମ୍ପରିକ ବନଜୀବୀ ଓ ଜଙ୍ଗଲ ତଥା ପରିବେଶକୁ ଭଲ ପାଉଥିବା ଦେଶର ପ୍ରତ୍ୟେକ ବ୍ୟକ୍ତି ଯେକୌଣସି ମତେ ଏହି ବିଲକୁ ପ୍ରତିରୋଧ ଏବଂ ପରାସ୍ତ କରିବା ଅତ୍ୟନ୍ତ ଜରୁରୀ ।
Comments
0 comments