ପ୍ରତ୍ୟେକ ବର୍ଷ ଆମେ ବିଭିନ୍ନ ସମୟରେ ପରିବେଶ, ଜୈବ ବିବିଧତା, ବନ୍ୟପ୍ରାଣୀ ସୁରକ୍ଷା ତଥା ଧରିତ୍ରୀଦିବସ ଭଳି ପୃଥିବୀ ମା’କୁ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ରଖିବାକୁ ଏଭଳି ଅନେକ ଦିବସ ସଚେତନତା ଉଦେ୍ଦଶ୍ୟରେ ବିଶ୍ୱରେ ପାଳନ କରିଥାଉ । ଆଜି ଯେତେବେଳେ ଆମେ ବିଶ୍ୱ ପରିବେଶ ଦିବସ ପାଳନ କରୁଛୁ ସେତେବେଳେ ପ୍ରକୃତି ପାଇଁ ଆଜି ଅନେକ ଆହ୍ୱାନ ସୃଷ୍ଟି ହୋଇଛି, ଯାହାକି ଆମ ଭବିଷ୍ୟତକୁ ଅନ୍ଧକାର ଗର୍ଭକୁ ନେଇଯାଇ ପୃଥିବୀର ସ୍ଥାୟିତ୍ୱ ଉପରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।
ପ୍ରକୃତିର ଶକ୍ତି ଅସନ୍ତୁଳନ
ବିଶିଷ୍ଟ ଇଂରାଜୀ କବି ଉଇଲିୟମ୍ ବ୍ଲାକ୍ ଏକଦା ଲେଖିଥିଲେ, ‘ଗଛ ମଣିଷର ମନରେ ଶାନ୍ତି ଭରିଦେବା ସହିତ ଆଖିରେ ଆନନ୍ଦର ଅଶ୍ରୁ ଆଣିଦିଏ । ମାତ୍ର ଅନେକ ମଣିଷ ଏହାକୁ ବୁଝିପାରି ନଥାନ୍ତି । ସେମାନଙ୍କ ଆଖିରେ ଗଛ ବାଟ ଓଗାଳୁଥିବା ଏକ ପ୍ରତିବନ୍ଧକ ବୋଲି ଲାଗିଥାଏ । ବାସ୍ତବରେ ଯେଉଁ ମଣିଷ ଯେପରି, ତାକୁ ସେପରି ହିଁ ଦେଖାଯାଏ । ଯେଉଁ ଲୋକମାନଙ୍କୁ ଗଛ ନାମକୁ ମାତ୍ର ଏକ ସୃଷ୍ଟି ବୋଲି ଲାଗିଥାଏ ସେମାନେ ପ୍ରକୃତି ପ୍ରତି ଘୋର ଅନ୍ୟାୟ କରନ୍ତି ଏବଂ ପ୍ରକୃତିର ନିୟମକୁ ବୁଝିବାରେ ଅସମର୍ଥ ଅଟନ୍ତି । ଗଛ ଆମ ଜୀବନ ପାଇଁ ଅନେକ କିଛି ଶିକ୍ଷା ଦେଇଥାଏ । ହେଲେ ଆମେମାନେ ଅନେକ ସମୟରେ ଏହାକୁ ବୁଝିବାକୁ ସକ୍ଷମ ହୋଇନଥାଉ ।’
‘ସୃଷ୍ଟିର ଆରମ୍ଭରୁ ସମଗ୍ର ମାନବଜାତି ପାଇଁ ବୃକ୍ଷ ପ୍ରଦାନ କରି ଆସୁଥିବା ଆହାର, ନିଦ୍ରା, ସ୍ୱାସ୍ଥ୍ୟ ଓ ବାସ ସର୍ବୋପରି ସତ୍ କର୍ମ, ଧର୍ମ ଓ ଦାନର ଅବଦାନକୁ ଯେଉଁ ଉଗ୍ର ଓ ନିଷ୍ଠୁର ମଣିଷ ବୁଝିବାରେ ସମର୍ଥ ହୋଇପାରୁ ନାହିଁ, ସେହି ହତଭାଗ୍ୟମାନଙ୍କୁ ସଦବୁଦ୍ଧି ଦେବା ଉଦେ୍ଦଶ୍ୟରେ ମୁଁ ବୃକ୍ଷ ତଳେ ବସି ଈଶ୍ୱରଙ୍କୁ ପ୍ରାର୍ଥନା କରି କୁହେ, ସେମାନଙ୍କର ଭୁଲକୁ କ୍ଷମା କରି ତାଙ୍କର ଚେତନାକୁ ଜାଗ୍ରତ କରାଇ ପ୍ରକୃତି ମାଧ୍ୟମରେ ବୃକ୍ଷର ଅତୁଳନୀୟ ନିଃସ୍ୱାର୍ଥପର ତଥା ପ୍ରତିଦାନର ଆଶା ନଥାଇ ସେ ଯୋଗାଇ ଦେଉଥିବା ନିରନ୍ତର ଓ ନିରବଚ୍ଛିନ୍ନ ସେବାକୁ ତାଙ୍କମାନଙ୍କ ହୃଦୟରେ ଅନୁଭବ କରିବାର ଆଶା ସଞ୍ଚାର କରାନ୍ତୁ’, ଡାନିସ ଦାର୍ଶନିକ ଓ ପରିବେଶବିତ୍ ଏଡୁଆର୍ଡୋ ଗୁଡିଆନ୍ସ କହିଥିବା ଏହି ଉକ୍ତି ଓ ପ୍ରାର୍ଥନାର ତାତ୍ପର୍ଯ୍ୟ ଆଜିର ଅସନ୍ତୁଳିତ ପୃଥିବୀରେ ପ୍ରତ୍ୟେକ ମଣିଷ ଅନୁଭବ କରିବାର ସମୟ ଆସିଛି ।
ବିଗତ କେଇବର୍ଷ ହେଲା ପୃଥିବୀର ଊର୍ଜା ବା ଶକ୍ତି ଅସନ୍ତୁଳନ ସମ୍ପର୍କରେ କୁହାଯାଇ ଆସୁଛି । ତେବେ ଉତ୍ତାପ ବୃଦ୍ଧି, କ୍ଷୟ ପାଉଥିବା ମେରୁସାଗରର ବରଫ, ଚରମ ପାଣିପାଗ ଘଟଣାମାନ, ଗ୍ରୀଷ୍ମଲହର, ବନ୍ୟା, ମରୁଡ଼ି, ଅଧିକ ତୀବ୍ର ବାତ୍ୟା ଓ ଘୂର୍ଣ୍ଣିଝଡ଼ ଇତ୍ୟାଦି ଜଳବାୟୁ ପରିବର୍ତ୍ତନ ପ୍ରକରଣଗୁଡିକରୁ ଏକଥା ସ୍ପଷ୍ଟରୂପେ କୁହାଯାଇ ପାରିବ ଯେ, ପୃଥିବୀ ତା’ର ସନ୍ତୁଳନ ହରାଇ ବସିଛି । ସାଧାରଣ ଲୋକଙ୍କ ଭାଷାରେ ଏକଥା କୁହାଯାଇପାରିବ ଯେ, ପୃଥିବୀକୁ ଜ୍ୱର ହୋଇଛି । ତେବେ ଏହି ଜ୍ୱରର ତୀବ୍ରତା କେତେ, ସେ କଥା ଏଯାଇ ସ୍ପଷ୍ଟ ହୋଇନାହିଁ । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ପରି ଜଳବାୟୁ ବିଶେଷଜ୍ଞମାନେ ପୃଥିବୀର ଗୁରୁତ୍ୱପୂର୍ଣ୍ଣ ମାନକଗୁଡ଼ିକୁ ମାପୁଛନ୍ତି ।
ପରିବେଶବିଜ୍ଞାନୀମାନେ ଦୀର୍ଘଦିନର ଗବେଷଣା ପରେ ପ୍ରମାଣିତ କରିଛନ୍ତି ଯେ, ମାନବ ଚେତନା ପରିବେଶକୁ ଆକାର ଦେବାରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ମଣିଷର ଚାରିତ୍ରିକ ପ୍ରବୃତ୍ତି ତଥା ପରିବେଶକୁ ପ୍ରଭାବିତ କରିଥାଏ ଏବଂ ଗଢ଼ିଥାଏ । ଆଜି ଆମେ ଯେଉଁ ପାରିବେଶିକ ପ୍ରଦୂଷଣ ଦେଖୁଛୁ ତାହାର ପ୍ରକୃତ ମଞ୍ଜି ଆମମାନଙ୍କର ମାନସିକ କୁପ୍ରବୃତ୍ତିରେ ରହିଛି । ଏହା ଏକଥା ମଧ୍ୟ ଦର୍ଶାଉଛି ଯେ, ମଣିଷ ଯଦି ଶାନ୍ତି, ପବିତ୍ରତା ଏବଂ ପ୍ରେମର ପ୍ରକୃତ ପ୍ରକୃତିକୁ ଫେରିଯାଏ ଏବଂ ଏହା ମାଧ୍ୟମରେ ନିଜ ସହିତ ପରସ୍ପର ସହିତ ସଂଯୁକ୍ତ ହୁଏ, ତେବେ ପରିବେଶ ସ୍ୱତଃ ମୂଳ ସଦଭାବରେ ପୁନର୍ବାହାଲ ହୋଇଯିବ । ମାତ୍ର ଏପରି ପରିବର୍ତ୍ତନ ଘଟିବା ସକାଶେ ଏକ ବଡ଼ଧରଣର ଶୋଧନ ପ୍ରକି୍ରୟା ଆରମ୍ଭ କରାଯିବା ଆବଶ୍ୟକ ।
ବୈଦିକ ସଂସ୍କୃତିରେ ପ୍ରକୃତି ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରକ୍ଷାକରି ବଞ୍ଚିବା ପାଇଁ ଅନେକଗୁଡ଼ିଏ ସିଦ୍ଧାନ୍ତର ସମାହାର ରହିଛି । ବେଦର ଶ୍ଳୋକଗୁଡିକ ସୃଷ୍ଟିର ଜୈବିକ ଏବଂ ଅଜୈବ ଅଂଶଗୁଡିକ ମଧ୍ୟରେ ରହିଥିବା ପବିତ୍ର ସମ୍ପର୍କକୁ ପରିଭାଷିତ କରିଥାଏ । ବୈଦିକ ଯୁଗର ଲୋକମାନଙ୍କ ପାଇଁ ପ୍ରକୃତି ଓ ପୃଥିବୀ ଥିଲେ ପୂଜନୀୟା ଏବଂ ଏହାର ପ୍ରାକୃତିକ ସମ୍ବଳର ପ୍ରାଚୁର୍ଯ୍ୟକୁ କେବଳ ବଞ୍ଚି ରହିବାପାଇଁ ଅତ୍ୟାବଶ୍ୟକୀୟ ମୌଳିକ ଆବଶ୍ୟକତାର ପୂରଣ ପାଇଁ ବ୍ୟବହାର କରାଯାଉଥିଲା । ଅର୍ଥବ ବେଦର ପୃଥ୍ୱୀ ସୂକ୍ତର ଗୋଟିଏ ଶ୍ଳୋକରେ ପୃଥିବୀମାତା ପ୍ରତି ଆମର ଚିରକାଳର ଆନୁଗତ୍ୟର ଘୋଷଣା କରାଯାଇଛି ।
ପୃଥ୍ୱୀ ସୂକ୍ତରେ କୁହାଯାଇଛି, “ହେ ଧରିତ୍ରୀ ମାତା! ଆମମାନଙ୍କ ପ୍ରତି କରୁଣାମୟୀ ହୁଅ ଏବଂ ଆମକୁ ଆନନ୍ଦ ପ୍ରଦାନ କର । ତୁମେ ଊର୍ବରା ହୁଅ, କୃଷିଯୋଗ୍ୟା ହୁଅ ଏବଂ ସମସ୍ତଙ୍କର ଲାଳନପାଳନ କର । ସମସ୍ତ ଜାତି ଓ ଦେଶର ଲୋକମାନଙ୍କର ସହାୟତା କରିବା ତୁମେ ଜାରି ରଖ । ଏହା ମାଧ୍ୟମରେ ସମସ୍ତ ପ୍ରାଣୀଙ୍କର ଉତ୍ତୋରତ୍ତର ଉନ୍ନତି ଏବଂ ମଣିଷର ନ୍ୟାୟୋଚ୍ଚିତ ଆକାଂକ୍ଷାଗୁଡିକର ପୂରଣ ପାଇଁ ଧରିତ୍ରୀ ମାତାର ଆଶୀର୍ବାଦ ଭିକ୍ଷା କରାଯାଏ । ଆମ ସଂସ୍କୃତିରେ ଆମେମାନେ ପୃଥିବୀ ମାତାର ପ୍ରାକୃତିକ ପ୍ରାଚୁର୍ଯ୍ୟ ବିଶେଷ କରି ତାର ଜଳ, ଜଡ଼ିବୁଟି ଓ ଉଦ୍ଭିଦ ସକାଶେ ତାକୁ ପୂଜା କରୁ ଏବଂ ଆକାଶ, ପାହାଡ଼, ପର୍ବତ, ନଦୀ, ମେଘ ଓ ସମୁଦ୍ରକୁ ମଙ୍ଗଳପାଇଁ ପ୍ରାର୍ଥନା କରୁ ଏବଂ କାମନା କରୁ ଯେ ପୃଥିବୀର ପ୍ରତ୍ୟେକ ଅଂଶ ଭଲରେ ରହୁ ।
ଭୂମି ସୂକ୍ତରେ ୧୨.୧.୩୫ ପଦ୍ୟ ପ୍ରାକୃତିକ ସମ୍ବଳର ମାତ୍ରାଧିକ ଶୋଷଣ କରିବାକୁ ବାରଣ କରିଛି ଯାହା କି ପରିବେଶର ଅପୂରଣୀୟ କ୍ଷତି ସାଧନ କରିବ । ଅଥର୍ବ ବେଦରେ ଆମେ ପ୍ରାର୍ଥନା କରୁ “ହେ ପୃଥିବୀ! ମୁଁ ତୋ ଗର୍ଭରୁ ଯାହା କିଛି ବି ଖୋଳିବି ଅତିଶୀଘ୍ର ତାହା ପୂରଣ ହୋଇଯିବ । ହେ ପବିତ୍ର ମାତା ମୁଁ କେବେହେଲେ ତୋ’ର ଅତ୍ୟାବଶ୍ୟକୀୟ ଅଂଶ ଅଥବା ତୋ’ର ହୃଦୟକୁ ଆଘାତ ନ ପହୁଞ୍ଚାଏ । ଏହିପରି ନୀତିଗୁଡ଼ିକ ମାଧ୍ୟମରେ ମଣିଷ ସମସ୍ତ ପ୍ରକାରର ପାରିବେଶିକ ଦୁର୍ଗତି ଏବଂ ଦୁର୍ବ୍ୟବହାରରୁ ପୃଥିବୀର ରକ୍ଷାକୁ ସୁନିଶ୍ଚିତ କଲା । ଯେହେତୁ ଆମେମାନେ ଆଉ ପୃଥିବୀରେ ଥିବା ନୈସର୍ଗିକ ଶକ୍ତିର ତତ୍ତ୍ୱ ପାଳନ କରୁନାହୁଁ, ପ୍ରକୃତି ସହ ଆମମାନଙ୍କର ଆସକ୍ତି ପ୍ରକୃତିବିରୋଧୀ ହୋଇଯାଇଛି ।
ସନାତନ ସଂସ୍କୃତିରେ ଆମେମାନେ ଦୃଢ଼ଭାବେ ବିଶ୍ୱାସ କରୁ ଯେ, ପୃଥିବୀ ଓ ଏହାର ସମସ୍ତ ବିଭବ କେବଳ ଭଗବାନଙ୍କର ସୃଷ୍ଟି ନୁହେଁ, ଏହା ମଧ୍ୟରେ ମଧ୍ୟ ଦୈବୀଶକ୍ତି ରହିଛି । “ତତ୍ ଶ୍ରୀସ୍ତ୍ୱ ତା ଦେବାଣୁ ପ୍ରବିଶତ”: ବ୍ରହ୍ମାଣ୍ଡ ସୃଷ୍ଟି ପରେ, ଭଗବାନ ସୃଷ୍ଟି କରିଥିବା ସମସ୍ତ ବସ୍ତୁରେ ପ୍ରବେଶ କଲେ । ଏହିପରି ଭାବେ ଆମେମାନେ ପ୍ରକୃତି ସହ ଘନିଷ୍ଠ ସମ୍ପର୍କ ଏବଂ ଏକ ସହ ଅସ୍ତିତ୍ୱର ମାନସିକତା ବିକଶିତ କଲୁ । ଆଜି କିନ୍ତୁ ଏପରି ବିଚାରଧାରାର ବିରୁଦ୍ଧାଚରଣ କରି ଆମେମାନେ ଆମର ଲୋଭ ଏବଂ ଅସୀମ ଚାହିଦାର ପୂରଣ ପାଇଁ ଏବେ ଜଳମଣ୍ଡଳ, ଜୈବମଣ୍ଡଳ, ଭୂମଣ୍ଡଳ ଓ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛୁ ଯାହାକି ପୃଥିବୀର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଏହାର ଫଳସ୍ୱରୂପ ପୃଥିବୀମାତା ଏବେ କ୍ଷତାକ୍ତ, ଏହାର ପରିସଂସ୍ଥାନ ଏତେ ମାତ୍ରାରେ ଅସନ୍ତୁଳିତ ହୋଇଯାଇଛି ଯେ, ଏହା ଆଉ ଆମମାନଙ୍କର ବୋଝ ବୋହିପାରିବା ସ୍ଥିତିରେ ନାହିଁ ।
ପଞ୍ଚ ମହାଭୂତ ଅର୍ଥାତ୍ ପୃଥିବୀ, ଅଗ୍ନି, ଜଳ, ଆକାଶ ଓ ବାୟୁ ଏହି ପୃଥିବୀରୁ ହିିଁ ସୃଷ୍ଟ ଏବଂ ତିଷ୍ଠି ରହିବା ପାଇଁ ପରସ୍ପର ଉପରେ ନିର୍ଭରଶୀଳତା ଏହି ପଞ୍ଚଭୂତ ମଧ୍ୟରୁ ସବୁଠାରୁ ଘନତ୍ୱ ବିଶିଷ୍ଟ ହେଲା ଏହି ଭୂଇଁ ଯେଉଁଥିରୁ ଜୀବନର ସୃଷ୍ଟି ଏବଂ ଯେଉଁଠାରେ ଜୀବନ ଡାଳପତ୍ର ମେଲାଇ ବଢ଼ିଥାଏ । ଆମକୁ ଜାଣିବାକୁ ହେବ, ମଣିଷମାନେ ସୃଷ୍ଟିର ଶ୍ରେଷ୍ଠତମ ପ୍ରଜାତି ନୁହନ୍ତି ଏବଂ ଅନ୍ୟ ତତ୍ତ୍ୱଗୁଡ଼ିକ ଉପରେ ପ୍ରଭୂତ୍ୱ ବିସ୍ତାର କରିବା କିମ୍ବା ସେମାନଙ୍କୁ ପରାଜିତ କରିବା ସକାଶେ ମଣିଷର କୌଣସି ଅଧିକାର ନାହିଁ । ବେଦ ଆମମାନଙ୍କୁ ସହାବସ୍ଥାନର ମାନସିକତାର ବଞ୍ଚିବାର ପରାମର୍ଶ ଦେଇଛନ୍ତି । ଇସାଭାଷ୍ୟ ଉପନିଷଦର ଶ୍ଳୋକ-୧ କୁହେ, “ଇସାଭାଷ୍ୟମିଦମ୍ ସର୍ବମ୍ ଭକ୍ତିନକା ଜଗତ୍ୟମ ଜଗତ : ତେନା ତ୍ୟକ୍ତେନ ଭୁଞ୍ଜତା ମା ଗ୍ରଧାଃ କସ୍ୟ ସ୍ୱାଧୀନମ୍” ଅର୍ଥାତ୍ ସମସ୍ତ ପ୍ରାକୃତିକ ସମ୍ବଳ ଭଗବାନଙ୍କର ଏବଂ ଏଥିରେ ଆମର ଅଂଶ ହେଉଛି ବଞ୍ଚôବାପାଇଁ ଆବଶ୍ୟକ ସର୍ବନିମ୍ନ ସମ୍ବଳ ସଂଗ୍ରହ କରିବା ଏବଂ ଆମେ ଏହି ସମ୍ବଳକୁ କୌଣସି ପାପ ନକରି ଅର୍ଜନ କରିପାରିବା । ତେଣୁ ଆମେମାନେ ପ୍ରକୃତିର ସମ୍ବଳକୁ ଶୋଷଣ କରିବାର ଲୋଭ କରିବା ଉଚିତ୍ ନୁହେଁ ।
ମାତ୍ର ବିଡ଼ମ୍ବନାର ବିଷୟ ଯେ, ଆଧୁନିକ ପ୍ରକୃତି ସହିତ ମଣିଷ ସେମାନଙ୍କର ପାରମ୍ପାରିକ ପବିତ୍ର ସମ୍ପର୍କକୁ ପାଶୋରି ପକାଇବା ପଥରେ ଅଗ୍ରସର ହୋଇ ପ୍ରକୃତିକୁ ଅସନ୍ତୁଳନ କରିଦେଇଛନ୍ତି । ମଣିଷର ପରିବେଶ ସମ୍ପର୍କିତ ଦୃଷ୍ଟିଭଙ୍ଗୀ କ୍ରମଶଃ ଝାପସା ହୋଇଯାଇଛି । ଫଳସ୍ୱରୂପ ପୃଥିବୀର ଜୀବନ ସହାୟକ ବ୍ୟବସ୍ଥା ଅବକ୍ଷୟ ଓ ପ୍ରଦୂଷିତ ହୋଇଯାଇଛି ଏବଂ ପୃଥିବୀ କ୍ରମଶଃ ଜୀବନର ଲାଳନପାଳନ କରିବା ଏବଂ ଏଥିପାଇଁ ସହାୟକ ହେବାପାଇଁ ଅନୁପଯୁକ୍ତ ହୋଇଯାଉଛି । ବିଜ୍ଞାନ ଆଧାରିତ ବସ୍ତୁବାଦ କିମ୍ବା ଦୈ୍ୱତବାଦୀ ପାଶ୍ଚାତ୍ୟ ଆଧ୍ୟାତ୍ମିକତା ହେଉ, ଉଭୟ ଆମକୁ କହୁଛି, ମଣିଷ ପ୍ରକୃତିଠାରୁ ସ୍ୱତନ୍ତ୍ର ଏବଂ ଭଗବାନ ଉଭୟ ପ୍ରକୃତି ଓ ମଣିଷଠାରୁ ମୁକ୍ତ । ଏହି ବିଚାରଧାରା ଆମକୁ ପୃଥିବୀମାତାକୁ ଏକ ମୃତ ସତ୍ତା ରୂପେ ବିବେଚନା କରିବାକୁ ପ୍ରରୋଚିତ କଲା ଏବଂ ପ୍ରକୃତିର ଶୋଷଣ କରିବା ପାଇଁ ପ୍ରେରଣା ଦେଲା । ଏହି ବିଶ୍ୱାସ ଉପରେ ଆଧାରିତ ଯେ, ପ୍ରକୃତି ସ୍ୱାଭାବିକ ରୂପେ ପୁଣି ଥରେ ସୃଷ୍ଟି ହୋଇପାରିବ । ଅନ୍ୟପକ୍ଷରେ ଅର୍ଥ ବେଦ ଆମକୁ ଶିକ୍ଷା ଦେଇଛି ହେ ପୃଥିବୀମାତା! ମୁଁ ଆପଣଙ୍କଠାରୁ ଯାହା କିଛି ଖୋଳିନେଲେ ମଧ୍ୟ ତାହା ଶୀଘ୍ର ବଢ଼ି ପୂର୍ବାବସ୍ଥାକୁ ଫେରିଯାଉ ଏବଂ ଆମେ ଆମର ପରିଶ୍ରମ ଦ୍ୱାରା ଆପଣଙ୍କୁ ଆଘାତପ୍ରାପ୍ତ ନକରୁ । ମାତ୍ର ବର୍ତ୍ତମାନର ଶୋଷଣ ପୃଥିବୀର ପରିସଂସ୍ଥାନକୁ ଭୁଷୁଡ଼ି ପଡ଼ିବା ପରି ସ୍ଥିତିରେ ପହଞ୍ଚାଇ ଦେଇଛି । ବାସ୍ତବତା ହେଉଛି ଯେ, ପୃଥିବୀମାତା ତାଙ୍କ ଶରୀର ତଥା ଆତ୍ମାକୁ ସଜାଉଥିବା କିମ୍ବା ନଷ୍ଟ କରୁଥିବା ପ୍ରାଣୀମାନଙ୍କ ମଧ୍ୟରେ କୌଣସି ବାଛବିଚାର କରେ ନାହିଁ । ତା’ପାଇଁ ସମସ୍ତ ପ୍ରାଣୀ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଅତଏବ ଆମେମାନେ ଏହି ସିଦ୍ଧାନ୍ତରେ ପହଞ୍ଚୁଛୁ ଯେ, “ସର୍ବ ଭୂତ ହିତ” ।
ଆମେମାନେ ଏପରି ପ୍ରହେଳିକାରେ ରହିବା ଉଚିତ ନୁହେଁ ଯେ, ମଣିଷ ହେଉଛି ସ୍ୱତନ୍ତ୍ର ଏବଂ ସମସ୍ତ ଜୀବନସତ୍ତା ଓ ନିର୍ଜୀବଙ୍କଠାରୁ ତଥା ପରସ୍ପରଠାରୁ ମଧ୍ୟ ଭିନ୍ନ । ଆମେମାନେ ସମଗ୍ର ପ୍ରାଣୀଜଗତ ଓ ପ୍ରକୃତି ମଧ୍ୟରେ ଥିବା ଗଭୀର ମଙ୍ଗଳକାରୀ ପାରସ୍ପରିକ ସଂଯୋଗକୁ ପୁନର୍ବାହାଲ କରିବା ତଥା ସୁଦୃଢ଼ କରିବା ଆବଶ୍ୟକ । ଆଭ୍ୟନ୍ତରୀଣ ସାମଞ୍ଜସ୍ୟ ଓ ଶାନ୍ତି, ସାର୍ବଜନୀନ ଭ୍ରାତୃତ୍ୱ ଏବଂ ପୃଥିବୀମାତା ପ୍ରତି ସମ୍ମାନକୁ ଅନୁଭବ କରିବା ଓ ସମୃଦ୍ଧ କରିବା ପାଇଁ ବୈଶ୍ୱିକ ଦୃଷ୍ଟିଭଙ୍ଗୀ ଏବଂ ଆଧୁନିକ ବିଜ୍ଞାନ ମଧ୍ୟରେ ପାରସ୍ପରିକ ବିଚାର ଆଦାନପ୍ରଦାନ କରାଇବା ଆବଶ୍ୟକ ।
ଆମେମାନେ ପୁନଃ ସୃଷ୍ଟିକାରୀ ଜୀବନଶୈଳୀର ପ୍ରାଚୀନ ସିଦ୍ଧାନ୍ତଗୁଡ଼ିକର ପୁନଃ ପ୍ରଚଳନ କରିବା ଉଚିତ ଯାହାକି ପ୍ରକୃତିର ଚିରନ୍ତନତାକୁ ବଜାୟ ରଖିବ । ଆମେମାନେ ଏକଥା ସୁନିଶ୍ଚିତ କରାଇବା ଆବଶ୍ୟକ ଯେପରି ପୃଥିବୀ ମାତାର ଜୀବନକୁ ବଞ୍ଚାଇ ରଖୁଥିବା ଅଂଶବିଶେଷଗୁଡ଼ିକ ପୂର୍ବାପେକ୍ଷା ଅଧିକ ସ୍ୱାସ୍ଥ୍ୟବାନ ହେବେ । ପୃଥିବୀର ଜୀବନ ସହାୟକ ପରିସଂସ୍ଥାନର ପୁନର୍ବାହାଲ କରିବା, ପ୍ରକୃତି ଓ ପ୍ରାକୃତିକ ସମ୍ବଳ ସହ ସାଂସ୍କୃତିକ ସମ୍ପର୍କକୁ ପୁଣି ଥରେ ସ୍ଥାପିତ କରିବା, ଭଗବାନଙ୍କର ସୃଜନଶୀଳତା ଓ ଐଶ୍ୱରିକ୍ତ ଶକ୍ତିର ଉତ୍ସବ ପାଳନ କରିବା ଏବଂ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ବଞ୍ଚିବାକୁ ଶିଖିବା ଆମ ସମସ୍ତଙ୍କର ସମ୍ପର୍କରେ ଆଜିର ଆହ୍ୱାନ ପାଲଟିଛି । ସେଥିପାଇଁ ଋକ ବେଦରେ ବର୍ଣ୍ଣନା ରହିଛି ଯେଉଁ ବ୍ୟକ୍ତି ପ୍ରକୃତରେ ପ୍ରକୃତିର ଚିରନ୍ତନ ନିୟମଗୁଡିକ ଅନୁଯାୟୀ ଜୀବନ ଧାରଣ କରେ ଓ କର୍ମ କରି ବଞ୍ଚିରହେ ବାସ୍ତବ ଜ୍ଞାନର ଅଧିକାରୀ ସେହି ବ୍ୟକ୍ତି ହୋଇଥାଏ ।
ଏକଦା ୱାଲ୍ ହୁଇଟ୍ମ୍ୟାନ୍ କହିଥିଲେ, “ପ୍ରକୃତି ମଣିଷର ଚାରିପଟେ ଥିବା ନକାରାତ୍ମକ ପ୍ରଭାବକୁ ମାରିଦେବାର ସହାୟକ ହୋଇଥାଏ । ଏହାକୁ ସାଧାରଣ ମଣିଷ ଜାଣିପାରି ନଥାଏ । ବୃକ୍ଷଗୁଡ଼ିକ ସବୁଠାରୁ ବିଜ୍ଞତମ ଶିକ୍ଷକମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଗଛର ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗକୁ ସୂକ୍ଷ୍ମ ଦୃଷ୍ଟିରେ ନିରୀକ୍ଷଣ କରିଲେ ବୁଝାପଡ଼େ ଏହାର ଭଲପଣିଆକୁ ଅନୁଭବ କରିବା ସହିତ ପ୍ରକୃତି ଆମପାଇଁ ପ୍ରସାର କରୁଥିବା ଜୀବନ ଧାରଣର ଶକ୍ତି” । ଏହାକୁ ବୁଝିପାରିଲେ ଜଳବାୟୁ ପରିବର୍ତ୍ତନର ଭୟାନକ ବିପଦରୁ ମୁକ୍ତି ମିଳି ପ୍ରକୃତିର ଶକ୍ତି ଅସନ୍ତୁଳନ ଆକ୍ରମଣରୁ ବଞ୍ଚି ରହି ଭବିଷ୍ୟତ ପିଢ଼ି ସୁରକ୍ଷିତ ଜୀବନ ଧାରଣ କରିବେ ।
ପ୍ଲାଷ୍ଟିକ ପ୍ରଦୂଷଣ: ଗତକାଲିର ଆଶୀର୍ବାଦ ଆଜିର ଅଭିଶାପ
ଏବେ ଫେରିବା ଚଳିତବର୍ଷର ପରିବେଶ ଦିବସର ଆହ୍ୱାନ ଓ ବାର୍ତ୍ତା କ’ଣ ରହିଛି । ପ୍ରତ୍ୟେକବର୍ଷର ଜୁନ୍ ୫ତାରିଖରୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ । ୨୦୨୩ ମସିହାର ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି ବିଟ୍ ପ୍ଲାଷ୍ଟିକ୍ ପଲୁ୍ୟସନ୍ ବା ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପରାଜିତ କରି ଅଭିଯାନ ଅଧୀନରେ ପ୍ଲାଷ୍ଟିକ୍ ପ୍ରଦୂଷଣ ପାଇଁ ସମାଧାନର ପନ୍ଥା ବାହାର କରିବା ଉପରେ ଧ୍ୟାନ ଦେବା । ବିଶ୍ୱ ପରିବେଶ ଦିବସ ହେଉଛି ପରିବେଶ ପାଇଁ ସବୁଠାରୁ ବଡ଼ ଆନ୍ତର୍ଜାତିକ ଦିବସ । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ୍.ଇ.ପି.)ର ନେତୃତ୍ୱରେ ୧୯୭୩ ମସିହାରୁ ପ୍ରତ୍ୟେକ ବର୍ଷ ପାଳନ କରାଯାଇ ଆସୁଥିବା ଏହି ଦିବସଟି ହେଉଛି ଲୋକମାନଙ୍କ ପାଖରେ ପରିବେଶ ସମ୍ପର୍କିତ ବାର୍ତ୍ତା ପହଞ୍ଚାଇବା ସକାଶେ ବିଶ୍ୱର ସର୍ବବୃହତ ମଞ୍ଚ । ସମଗ୍ର ବିଶ୍ୱର କୋଟିକୋଟି ଲୋକେ ଏହି ଦିବସଟିକୁ ପାଳନ କରିଥାଆନ୍ତି ।
ବିଶ୍ୱ ଏବେ ପ୍ଲାଷ୍ଟିକ୍ ଆବର୍ଜନାରେ ପୋତି ହୋଇପଡୁଛି । ପ୍ରତ୍ୟେକ ବର୍ଷ ବିଶ୍ୱରେ ୪୦ଟନ କୋଟିରୁ ଅଧିକ ପ୍ଲାଷ୍ଟିକ୍ ଉତ୍ପାଦିତ ହେଉଛି । ଏହି ଉତ୍ପାଦିତ ପ୍ଲାଷ୍ଟିକ୍ ମଧ୍ୟରୁ ପ୍ରାୟ ଅଧା ପରିମାଣର ପ୍ଲାଷ୍ଟିକ୍ କେବଳ ଥରୁଟିଏ ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ । ୪୦କୋଟି ଟନ୍ ପ୍ଲାଷ୍ଟିକ୍ ମଧ୍ୟରୁ ୧୦ ପ୍ରତିଶତ କମ୍ ପ୍ଲାଷ୍ଟିକର ପୁନଃଚକ୍ରଣ ହୋଇଥାଏ । ଆକଳନ କରାଯାଇଛି ଯେ, ପ୍ରାୟ ୧୯୦ରୁ ୨୩୦ଲକ୍ଷ ଟନ୍ ପ୍ଲାଷ୍ଟିକ୍ ପ୍ରତ୍ୟେକବର୍ଷ ହ୍ରଦ, ନଦୀ, ମହାସାଗର ଇତ୍ୟାଦିରେ ପହଞ୍ଚି ଥାଆନ୍ତି । ଆଜିର ଦିନରେ ପ୍ଲାଷ୍ଟିକ୍ ଆମର ଆବର୍ଜନା ଜମା କରାଯାଉଥିବା ସ୍ଥାନଗୁଡିକୁ ଅବରୁଦ୍ଧ କରି ରଖିଛି, ଏହାର ବିଷାକ୍ତ ଘୋଳ ସମୁଦ୍ରକୁ ନିଃସରିତ ହେଉଛି ଏବଂ ଏଗୁଡିକୁ ପୋଡ଼ାଯିବା ଫଳରେ ଅତ୍ୟନ୍ତ ବିଷାକ୍ତ ଧୂଆଁ ନିର୍ଗତ ହେଉଛି । ପ୍ଲାଷ୍ଟିକ ପ୍ରଦୂଷଣ ଆମ ଗ୍ରହପାଇଁ ସବୁଠାରୁ ବଡ଼ ବିପଦ ହୋଇ ଦେଖାଦେଇଛି ।
କେବଳ ସେତିକି ନୁହେଁ, ଆମେ ଖାଉଥିବା ଖାଦ୍ୟରେ, ଆମେ ପିଉଥିବା ପାଣିରେ ଏବଂ ଆମେ ପ୍ରଶ୍ୱାସ ନେଉଥିବା ବାୟୁରେ ମଧ୍ୟ ଅଣୁପ୍ଲାଷ୍ଟିକ୍ (ଅତ୍ୟନ୍ତ କ୍ଷୁଦ୍ର ପ୍ଲାଷ୍ଟିକ୍ କଣିକା) ପହଞ୍ଚି ସାରିଲାଣି । ଅନେକଗୁଡ଼ିଏ ପ୍ଲାଷ୍ଟିକ୍ ଉତ୍ପାଦରେ ବିପଜ୍ଜନକ ଉପାଦାନମାନ ବ୍ୟବହାର କରାଯାଉଛି, ଯାହାକି ଆମ ସ୍ୱାସ୍ଥ୍ୟପାଇଁ ବିପଦ ସୃଷ୍ଟି କରିପାରେ । ତେବେ ଭଲଖବର ହେଉଛି ଯେ, ଏହି ସମସ୍ୟାର ମୁକାବିଲା କରିବା ସକାଶେ ଆମ ପାଖରେ ବିଜ୍ଞାନ ଏବଂ ସମାଧାନମାନ ମଧ୍ୟ ରହିଛି ଏବଂ ଏ କ୍ଷେତ୍ରରେ ଯଥେଷ୍ଟ କାର୍ଯ୍ୟ କରାଯାଉଛି ।
ବର୍ତ୍ତମାନ ଯାହା ଆବଶ୍ୟକ ହେଉଛି ତାହା ହେଲା ସଙ୍କଟର ସମାଧାନ ପାଇଁ ସରକାର, କମ୍ପାନୀ ଏବଂ ଅନ୍ୟ ସ୍ୱାର୍ଥଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡିକୁ ଅଧିକ ବ୍ୟାପକ କରିବା ତଥା ତ୍ୱରାନ୍ୱିତ କରିବା ସକାଶେ ଜନସାଧାରଣଙ୍କ ତଥା ରାଜନୈତିକ ଚାପ ସୃଷ୍ଟି କରିବା । ଏହା ବିଶ୍ୱ ପରିବେଶ ଦିବସରେ ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଉଛି, ଯାହାକି ବିଶ୍ୱର ପ୍ରତ୍ୟେକ କୋଣଅନୁକୋଣରୁ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରେରିତ କରୁଛି । ୨୦୨୩ ମସିହାର ବିଶ୍ୱ ପରିବେଶ ଦିବସ ଏକଥା ଲୋକଲୋଚନକୁ ଆଣିବ ଯେ, କିପରି ବିଭିନ୍ନ ଦେଶ, ବ୍ୟବସାୟ ଏବଂ ବ୍ୟକ୍ତିବିଶେଷମାନେ ସାମଗ୍ରୀଗୁଡିକୁ ଅଧିକ ଦୀର୍ଘକାଳୀନ ଭିତ୍ତିରେ ବ୍ୟବହାର କରୁଛନ୍ତି । ଏହା ଏକ ଆଶାର ସଂଚାର କରୁଛି, ଏକଦା ଗତକାଲିର ଆଶୀର୍ବାଦ ଆଜିର ଅଭିଶାପ ପାଲଟିଥିବା ପ୍ଲାଷ୍ଟିକ ପ୍ରଦୂଷଣ ହୁଏତ ଆସନ୍ତାକାଲିର ଇତିହାସ ପାଲଟିଯିବ ।
୨୦୨୩ ବିଶ୍ୱ ପରିବେଶ ଦିବସର ଆୟୋଜକ ହେଉଛି କୋତ ଦିବାର (ପୁରୁଣାନାମ ଆଇଭରି କୋଷ୍ଟ) । କୋତ୍ ଦିବାର ନେଦରଲାଣ୍ଡର ଭାଗିଦାରୀରେ ଏହି ଆୟୋଜନ କରୁଛି । ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଅଭିଯାନ କ୍ଷେତ୍ରରେ କୋତ ଦିବାର ନେତୃତ୍ୱ ପ୍ରଦର୍ଶନ କରୁଛି । ୨୦୧୪ ମସିହାରୁ ଏହା ପ୍ଲାଷ୍ଟିକ୍ ବ୍ୟାଗର ବ୍ୟବହାରକୁ ନିଷିଦ୍ଧ କରିଛି ଏବଂ ପୁନଃ ବ୍ୟବହାରଯୋଗ୍ୟ ପ୍ୟାକିଂ ସାମଗ୍ରୀର ବ୍ୟବହାର ଆଦରିବାକୁ ସମର୍ଥନ କରୁଛି । ଦେଶର ବୃହତ୍ତମ ନଗରୀ ଆବିଦଜାନ ପରିବେଶ ଆଧାରିତ ନବୋଦ୍ୟଗ (ଷ୍ଟାଟଅପ୍) ଗୁଡ଼ିକର ଏକ କେନ୍ଦ୍ର ପାଲଟିଛି ।
‘ପ୍ଲାଷ୍ଟିକ ପ୍ରଦୂଷଣର ବିପତ୍ତି ପ୍ରତ୍ୟେକଟି ଜନଗୋଷ୍ଠୀକୁ ପ୍ରଭାବିତ କରୁଥିବା ଜଳ ଜଳ ହୋଇ ଦେଖାଯାଉଛି । ପ୍ଳାଷ୍ଟିକ ବୈଶ୍ୱିକ ମହାମାରୀ ସକାଶେ ବିବିଧ ପ୍ରକାରର ଚିକିତ୍ସା ବ୍ୟବସ୍ଥା କରିବାକ୍ଷେତ୍ରରେ ନେତୃତ୍ୱ ନେଉଥିବାରୁ ଆମେମାନେ ଗର୍ବିତ,’ବୋଲି କୋତ ଦିବାରର ପରିବେଶ ଏବଂ ସତତ ବିକାଶ ମନ୍ତ୍ରୀ କହିଛନ୍ତି ।
ଚଳିତବର୍ଷର ବିଶ୍ୱ ପରିବେଶ ଦିବସ ପାଳନପାଇଁ ନେଦରଲାଣ୍ଡ ସରକାର ସହାୟତା କରୁଛନ୍ତି । ଏହି ଦେଶ ପ୍ଲାଷ୍ଟିକର ପୂର୍ଣ୍ଣ ଜୀବନଚକ୍ରକୁ ନେଇ ଅତ୍ୟନ୍ତ ଉଚ୍ଚାକାଂକ୍ଷୀ କାର୍ଯ୍ୟମାନ କରୁଛି । ନେଦରଲାଣ୍ଡ ନୂତନ ପ୍ଲାଷ୍ଟିକ ଅର୍ଥନୀତି ପାଇଁ ବୈଶ୍ୱିକ ଅଙ୍ଗୀକାରରେ ସ୍ୱାକ୍ଷର କରିଛି ଏବଂ ପ୍ଲାଷ୍ଟିକ୍ ପ୍ରଦୂଷଣ ଏବଂ ସାମୁଦ୍ରିକ ଆବର୍ଜନା ପାଇଁ ବୈଶ୍ୱିକ ଭାଗିଦାରୀର ଏକ ସଦସ୍ୟ ।
ପ୍ଲାଷ୍ଟିକ ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟ, ଅର୍ଥନୀତି ଓ ପରିବେଶ ଉପରେ ଏହାର କ୍ଷତିକାରକ ପ୍ରଭାବକୁ ଅଣଦେଖା କରାଯାଇ ପାରିବନାହିଁ । ଏଥିପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏହା ସଙ୍ଗେସଙ୍ଗେ ସମସ୍ୟାର ପ୍ରକୃତି, ଫଳପ୍ରଦ ଏବଂ ଦୃଢ଼ ସମାଧାନମାନ ଆବଶ୍ୟକ ବୋଲି ନେଦରଲାଣ୍ଡର ପରିବେଶ ମନ୍ତ୍ରୀ ଭିଭିଆନ୍ନେ ହେଇଜନେନ୍ କହିଛନ୍ତି ।
ପ୍ଲାଷ୍ଟିକ ପ୍ରଦୂଷଣ ଏବେ ବିଶ୍ୱର ସବୁଠାରୁ ଜରୁରୀ ପାରିବେଶିକ ସମସ୍ୟାଗୁଡିକ ମଧ୍ୟରୁ ଗୋଟିଏ ପାଲଟିଛି, କାରଣ ବର୍ଜ୍ୟ ପ୍ଲାଷ୍ଟିକ୍ ଉତ୍ପାଦଗୁଡ଼ିକର ଉତ୍ପାଦନ ଏତେ ମାତ୍ରାରେ ବଢ଼ିଚାଲିଛି ଯେ, ପୃଥିବୀ ମା’ ସେଗୁଡ଼ିକୁ ତୁଲାଇବାର ସାମର୍ଥ୍ୟଠାରୁ ତାହା ଅଧିକ ହୋଇଯାଉଛି । ବିକାଶଶୀଳ ଏସୀୟ ଓ ଆଫ୍ରୀକୀୟ ଦେଶଗୁଡିକରେ ପ୍ଳାଷ୍ଟିକ ପ୍ରଦୂଷଣ ସବୁଠାରୁ ଅଧିକ ଦୃଶ୍ୟମାନ ହେଉଛି, ଅନେକ ସ୍ଥାନରେ ଆବର୍ଜନା ସଂଗ୍ରହ ବ୍ୟବସ୍ଥା ଆଦୌ ନାହିଁ କିମ୍ବା ଏହାଥିଲେ ଆବଶ୍ୟକୀୟ ଦକ୍ଷତାର ସହ କାର୍ଯ୍ୟ କରୁନାହିଁ । କିନ୍ତୁ ସେହି ବିକାଶଶୀଳ ଦେଶଗୁଡ଼ିକରେ ମଧ୍ୟ ବର୍ଜନ କରାଯାଇଥିବା ପ୍ଲାଷ୍ଟିକର ସଂଗ୍ରହ କ୍ଷେତ୍ରରେ ସମସ୍ୟାମାନ ରହିଛି, ଯେଉଁ ଦେଶଗୁଡ଼ିକରେ ପ୍ଲାଷ୍ଟିକର ପୁନଃଚକ୍ରଣ ଭାର ଖୁବ୍ କମ୍ । ପ୍ଲାଷ୍ଟିକ ଆବର୍ଜନା ଏବେ ଏତେ ସର୍ବବ୍ୟାପୀ ହୋଇଗଲାଣି ଯେ, ଏବେ ମିଳିତ ଜାତିସଂଘର ମଧ୍ୟସ୍ଥତାରେ ଏକ ବୈଶ୍ୱିକ ରାଜିନାମା ଲେଖାଯିବାର ଉଦ୍ୟମ ଆରମ୍ଭ ହୋଇଛି ।
ପ୍ରକୃତିରେ, ବିଶେଷ କରି ମହାସାଗରଗୁଡ଼ିକରେ ପ୍ଲାଷ୍ଟିକର ସମସ୍ୟା ଏକ ବୈଶ୍ୱିକ ସମସ୍ୟା । ପ୍ରତ୍ୟେକ ମିନିଟରେ ମହାସାଗରଗୁଡ଼ିକରେ ଗୋଟିଏ ଟ୍ରକ ପ୍ଲାଷ୍ଟିକ ଆବର୍ଜନା ପଡୁଛି, ଯାହା ବେଳାଭୂମିଗୁଡ଼ିକୁ ଆର୍ବଜନାପୂର୍ଣ୍ଣ କରୁଛି, ବନ୍ୟପ୍ରାଣୀମାନଙ୍କୁ କ୍ଷତି ପହଞ୍ଚାଉଛି ଏବଂ ଆମର ଖାଦ୍ୟ ଯୋଗାଣକୁ ମଧ୍ୟ ଦୂଷିତ କରୁଛି ।
ମଣିଷର ଏଭଳି ଅପରିଣାମଦର୍ଶୀ କାର୍ଯ୍ୟପାଇଁ ଏବଂ ପ୍ରକୃତି ପ୍ରତି ନିଷ୍ଠୁରତା ମନୋଭାବ ପୋଷଣ କରୁଥିବାରୁ ଆଜି ସମଗ୍ର ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥିତି ବିପନ୍ନ । ଆମ ସଭ୍ୟସମାଜ ଦ୍ୱାରା ଭାରତ ପ୍ରତ୍ୟେହ ଉତ୍ପାଦିତ ହେଉଥିବା ପ୍ଲାଷ୍ଟିକ ଆର୍ବଜନାର ୨୫୦୦୦ମେଟି୍ରକ ଟନ୍ ଆବର୍ଜନାକୁ ପ୍ରକି୍ରୟାକରଣ କରାଯାଇ ପାରୁଛି । ଭାରତର ପ୍ରମୁଖ ୬୦ଟି ନଗରୀରୁ ପ୍ରତିଦିନ ୧୫୩୪୬ ମେଟି୍ରକ ଟନର ପ୍ଲାଷ୍ଟିକ୍ ଆବର୍ଜନା ସମୁଦ୍ରଗର୍ଭରେ ନିଷ୍କାସିତ ହେଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ଦର୍ଶାଇଛି ଭାରତରେ ବର୍ଷକୁ ସୃଷ୍ଟି ହେଉଥିବା ୫୫୦ଲକ୍ଷ ଟନ୍ ଆବର୍ଜନାରୁ ମାତ୍ର ୩୭ପ୍ରତିଶତ ପକ୍ରିୟାକରଣ କରାଯାଇଥାଏ । ସମସ୍ତ ଆବର୍ଜନା ମଧ୍ୟରୁ ପ୍ରାୟ ୬୨ପ୍ରତିଶତ ମୂଳତଃ ପ୍ଲାଷ୍ଟିକ୍ ଆବର୍ଜନା ଏହି ଆବର୍ଜନା ଭାରତର ସମୃଦ୍ଧ ଜୈବ ବିବିଧତା ପାଇଁ ବୃହତ୍ ବିପଦ ପାଲଟିଲାଣି ।
ଭାରତର ସୁଦୀର୍ଘ ୭୫୧୭ କିଲୋମିଟର ଉପକୂଳ ରେଖା ରହିଛି । ଏହାକୁ ଲାଗି ୯ଟି ରାଜ୍ୟର ୨୦.୭ଲକ୍ଷ ବର୍ଗ କି.ମି. ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ରହିଛି । ଏହି ଅଞ୍ଚଳଗୁଡ଼ିକରେ ପ୍ରାୟ ୪୪କୋଟିରୁ ଉର୍ଦ୍ଧ ଲୋକ ବାସ କରନ୍ତି । ଏମାନଙ୍କ ମଧ୍ୟରୁ ୩୬କୋଟି ଲୋକ ଉପକୂଳଠାରୁ ମାତ୍ର ୧୦୦କି.ମି. ମଧ୍ୟରେ ବାସ କରୁଛନ୍ତି । ଏହିସବୁ ଜନସାଧାରଣଙ୍କର ସଚେତନତାର ଘୋର ଅଭାବ ସାଙ୍ଗକୁ ଜୈବବିବିଧତା ସୁରକ୍ଷା କାର୍ଯ୍ୟକ୍ରମ ସଠିକ୍ ପରିଚାଳନା କରାଯାଉନଥିବାରୁ ସମଗ୍ର ଉପକୂଳ ଓ ସମୁଦ୍ର ସ୍ଥିତି ବିପନ୍ନ । ୨୦୫୦ ମସିହାବେଳକୁ ମହାସାଗର ଗୁଡ଼ିକରେ ପ୍ଲାଷ୍ଟିକ୍ ଆବର୍ଜନା ପରିମାଣ ସାମୁଦ୍ରିକ ଜୀବନମାନଙ୍କଠାରୁ ଅଧିକ ହୋଇଯିବ । ପ୍ରବାଳ ଓ ମାଛ ପ୍ରଜାତି ପାଇଁ ଭୟଙ୍କର ସ୍ଥିତି ଉତ୍ପନ୍ନ ହେବ । ସମୁଦ୍ର ପରିବେଶ ସାଧାରଣ ମଣିଷର ସ୍ୱାସ୍ଥ୍ୟ ଓ ଅର୍ଥନୀତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ । ଯଦି ସାମୁଦି୍ରକ ପରିବେଶ ବିପନ୍ନ ହୁଏ ତେବେ ପୃଥିବୀର ସାଧାରଣ ମଣିଷର ଅର୍ଥନୀତି ପଙ୍ଗୁ ପାଲଟିଯିବ । ଏହାକୁ ମଧ୍ୟ ଆଜି ମଣିଷ ବୁଝିପାରୁନାହିଁ ।
ଆମ ଜୀବନରୁ ସବୁତକ ପ୍ଲାଷ୍ଟିକକୁ ବାଦ୍ଦେଇ ଦିଆଯିବା ସମ୍ଭବ ନୁହେଁ ଏବଂ କାମ୍ୟ ମଧ୍ୟ ନୁହେଁ । ପ୍ଲାଷ୍ଟିକର ମଧ୍ୟ ଅନେକ ପ୍ରକାରର ଉପକାରିତାମାନ ରହିଛି ଯାହା ପାରିବେଶିକ ବା ଅନ୍ୟ କିଛି ମଧ୍ୟ ହୋଇପାରେ । ପ୍ଲାଷ୍ଟିକ ଆମ ଖାଦ୍ୟକୁ ତାଜା ରଖେ, ଯାହା ଫଳରେ ଆମେ କମ୍ ଖାଦ୍ୟ ନଷ୍ଟ କରୁ, ଏହା ଅନ୍ୟାନ୍ୟ ତତ୍ତ୍ୱ ସହ ରାସାୟନିକ ଦୃଷ୍ଟିର ପ୍ରତିକ୍ରିୟାଶୀଳ ହୁଏ ନାହିଁ ଏବଂ ଏହା ଦୀର୍ଘକାଳ ସ୍ଥାୟୀ । ପ୍ଲାଷ୍ଟିକ ଆମ କାମରେ ଲାଗିସାରିବା ପରେ ଏହାକୁ ଅନ୍ୟ କିଛି ନୂତନ ସାମଗ୍ରୀ ଉତ୍ପାଦନରେ ମଧ୍ୟ ବ୍ୟବହାର କରାଯାଇପାରେ । ତେଣୁ ଆମେ ଏହିସବୁ ଉପକାରିତା ପାଇବା ସତ୍ତ୍ୱେ କିପରି ପ୍ରକୃତିଠାରୁ ପ୍ଲାଷ୍ଟିକକୁ ଦୂରେଇ ରଖିପାରିବା ତାହା ମୁଖ୍ୟ ପ୍ରଶ୍ନ ସୃଷ୍ଟି କରୁଛି ।
ସମସ୍ୟା ହେଲା ଯେ, ଆମେମାନେ ଲଗାତରଭାବେ ପ୍ଲାଷ୍ଟିକର ବ୍ୟବହାର ପାଇଁ ନୂଆ ଉତ୍ପାଦ ଏବଂ ଉପାୟମାନ ବାହାର କରିଚାଲିଛୁ । ଆମେମାନେ ଏବେ ଏପରି ସ୍ଥିତିରେ ଆସି ପହଞ୍ଚି ଯାଇଛୁ, ଆମର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଇଁ ଆମେମାନେ ପ୍ଲାଷ୍ଟିକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡିଛୁ । ଏଯାବତ୍ ବିଶ୍ୱର ଯେତେ ପରିମାଣର ପ୍ଲାଷ୍ଟିକ ଉତ୍ପାଦନ କରାଯାଇଛି ତାହାର ଅର୍ଦ୍ଧେକ ପ୍ଲାଷ୍ଟିକ ଗତ ୧୫ବର୍ଷରେ ହିଁ ଉତ୍ପାଦିତ ହୋଇଛି । ଥରଟିଏ ଆମର ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଶେଷ ହୋଇଯିବା ପରେ ତାକୁ ନେଇ କ’ଣ କରିବାକୁ ହେବ ସେ କଥା ଆମେ ଜାଣିନାହୁଁ । ଆଜିକାଲି ବିଜ୍ଞାନ ଆମକୁ ଜଣାଉଛି ଯେ, ସମୁଦ୍ରରେ ପହଞ୍ଚିଥିବା ଅଧିକାଂଶ ପ୍ଲାଷ୍ଟିକ ଆବର୍ଜନା ଭୂଭାଗରୁ ହିଁ ଯାଉଛି । ବିଶେଷ କରି ଆବର୍ଜନା ପରିଚାଳନା ପାଇଁ ସୀମିତ ବ୍ୟବସ୍ଥା କିମ୍ବା ଆଦୌ ବ୍ୟବସ୍ଥା ନଥିବା କାରଣରୁ ହିଁ ଏପରି ଘଟୁଛି । ହୁଏତ ଏକ ୧୦୦ ପ୍ରତିଶତ ପୁନଃ ବ୍ୟବହାର୍ଯ୍ୟ ବା ପୁନଃଚକ୍ରଯୋଗ୍ୟ ସାମଗ୍ରୀ ଉତ୍ପାଦନ କରାଯାଇପାରେ । ମାତ୍ର ଏହା ସଙ୍ଗେ ସଙ୍ଗେ ପ୍ଲାଷ୍ଟିକର ପୁନଃଚକ୍ରଣ ପାଇଁ ସୁବିଧା ନଥିଲେ ଏହି ସାମଗ୍ରୀ ଶେଷରେ ଆବର୍ଜନାରେ ପରିଣତ ହୋଇଥାଏ ।
ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣ ପ୍ରକାରର ପ୍ଲାଷ୍ଟିକର ପ୍ରାୟ ୧୦୦ ପ୍ରତିଶତ ସଂଗୃହୀତ ହୋଇଥାଏ । ଏଗୁଡ଼ିକ ମଧ୍ୟରେ ପଲିଇଥାଇଲିନ୍ ଟେରେଫଥାଲେଟ୍ ଓ ପେଟ୍ (ଥଣ୍ଡା ପାନୀୟ ବୋତଲ) ଇତ୍ୟାଦି ଅନ୍ତର୍ଭୁକ୍ତ । କିନ୍ତୁ ଏହି ପ୍ଲାଷ୍ଟିକ ମଧ୍ୟରୁ କେବଳ ୩୦% ପ୍ଲାଷ୍ଟିକର ପୁନଃଚକ୍ରଣ ବା ରିସାଇକ୍ଲିଙ୍ଗ୍ କରାଯାଇଥାଏ । ତେଣୁ ଅବଶିଷ୍ଟ ପ୍ଲାଷ୍ଟିକ ଆବର୍ଜନା ରୂପେ ଫିଙ୍ଗା ହୋଇଯାଏ ଯାହାକି ପରିବେଶକୁ ଦୂଷିତ କରିଦିଏ କାରଣ ସେଗୁଡ଼ିକର ନିଷ୍କାସନ କରିବାସକାଶେ ପୁନଃଚକ୍ରଣ ବ୍ୟବସ୍ଥା ହିଁ ନାହିଁ । ବିକାଶଶୀଳ ରାଷ୍ଟ୍ରଗୁଡିକରେ ସ୍ଥିତି ଆହୁରି ସଂଗୀନ । ବୈଶ୍ୱିକ ଅର୍ଥନୀତି ଏହିସବୁ ଦେଶଗୁଡିକର ପ୍ଲାଷ୍ଟିକ ପ୍ରଦୂଷଣର ମହାମାରୀ ଆଣିଛି, ଯେଉଁଠାରେ କି ଆବଶ୍ୟକୀୟ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ହିଁ ବିକଶିତ ହୋଇନାହିଁ । ଏଭଳି ପରିସ୍ଥିତିରେ ଏହାକୁ ପୁନଃଚକ୍ରଣ କରାନଯାଇ ପାରିଲେ ବର୍ଜ୍ୟ ପ୍ଲାଷ୍ଟିକ ଆବର୍ଜନା ଖାତ ବା ଆବର୍ଜନା ପାହାଡ଼କୁ ଯାଏ ଏବଂ ନାନୋ ପ୍ଲାଷ୍ଟିକ (ଅତି କ୍ଷୁଦ୍ରଅଣୁ ପ୍ଲାଷ୍ଟିକ କଣିକା) ଦ୍ୱାରା ବାୟୁମଣ୍ଡଳକୁ ଭୟଙ୍କର ପ୍ରଦୂଷଣ କରିଦିଏ । ଅନ୍ୟପକ୍ଷରେ ସବୁଠାରୁ ଖରାପ ସ୍ଥିତି ହେଲା ଯେ, ପ୍ରକୃତିରେ ହିଁ ଏହାକୁ ଫୋପାଡ଼ି ଦିଆଯାଏ ଏବଂ ଏହା ଜୈବବିବିଧତାର ତଥା ପ୍ରାଣୀଜଗତର ଜୀବନ ଧାରଣର ସୂତ୍ର ମାଟି, ପାଣି ଓ ପବନକୁ ଶେଷ କରିଦେଇ ବିଶ୍ୱ ପାଇଁ ମହାମାରୀର ମରଣ ଆଣି ଦେଇଥାଏ ।
ବୈଶ୍ୱିକସ୍ତରରେ ଯେଉଁ ଯେଉଁ ଦେଶରେ ଆବର୍ଜନା ନିଷ୍କାସନ ଓ ପୁନଃଚକ୍ରଣକୁ ନିୟନ୍ତ୍ରଣ କରିବା ସକାଶେ ନିୟମମାନ ରହିଛି ସେହି ନିୟମଗୁଡିକ ମଧ୍ୟରେ ବ୍ୟାପକ ତାରତମ୍ୟମାନ ରହିଛି । ଗୋଲକଧନ୍ଦାର ଆବର୍ଜନା ପରିଚାଳନା ଅଂଶଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଛଳନାପୂର୍ଣ୍ଣ । ଅନେକ ଦେଶରେ ଆବର୍ଜନା ପରିଚାଳନା କମ୍ପାନୀ, ପ୍ଲାଷ୍ଟିକ ପୁନଃଚକ୍ରଣ କେନ୍ଦ୍ରକୁ ଆବର୍ଜନା ପଠାଇବା ତୁଳନାରେ ଆବର୍ଜନାଗଦାକୁ ପ୍ଲାଷ୍ଟିକ ପଠାଇ ଅଧିକ ରୋଜଗାର କରିଥାଆନ୍ତି । ଏହାକୁ ପ୍ରଶାସନିକ ଓ ସରକାରୀ ସ୍ତରରେ ପ୍ରିୟାପ୍ରୀତି ତୋଷଣ ପାଇଁ ବିଭିନ୍ନ ଦେଶରେ ନିୟନ୍ତ୍ରଣ କରାଯାଏ ନାହିଁ, ନାମକୁ ମାତ୍ର କାର୍ଯ୍ୟକାରୀ କରାଯାଏ ।
ପ୍ଲାଷ୍ଟିକ ପ୍ରଦୂଷଣ ଏକ ବୈଶ୍ୱିକ ସମସ୍ୟା । ୧୯୫୦ରୁ ୨୦୧୭ ମଧ୍ୟରେ ଉତ୍ପାଦିତ ମୋଟ କୋଟି ୯୨୦ ଟନ୍ ପ୍ଲାଷ୍ଟିକ ମଧ୍ୟରୁ ଆନୁମାନିକ ପ୍ରାୟ ୭୦୦ କୋଟି ଟନ୍ ପ୍ଲାଷ୍ଟିକ ଆବର୍ଜନାରେ ପରିଣତ ହୋଇ ଆବର୍ଜନା ଗଦାରେ ପହଞ୍ଚିଛି କିମ୍ବା ପୋତି ଦିଆଯାଇଛି । ପ୍ଲାଷ୍ଟିକ ପ୍ରଦୂଷଣ ପ୍ରାଣୀ ଓ ଉଦ୍ଭିଦଙ୍କ ଆବାସସ୍ଥଳୀ ଏବଂ ପ୍ରାକୃତିକ ପ୍ରକ୍ରିୟା ଗୁଡିକୁ ବଦଳାଇ ଦେଇପାରେ ଏବଂ ଜଳବାୟୁ ପରିବର୍ତ୍ତନ ସହ ଖାପଖୁଆଇ ଚଳିବାପାଇଁ ପରିସଂସ୍ଥାନ ଗୁଡିକର କ୍ଷମତାକୁ ଏହା କମାଇ ଦେଇପାରେ । ଏହା ଫଳରେ କୋଟି କୋଟି ଲୋକଙ୍କର ଜୀବିକା, ଖାଦ୍ୟ ଉତ୍ପାଦନ କ୍ଷମତା ଏବଂ ସାମାଜିକ ନିରାମୟତା ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ ।
ପ୍ଲାଷ୍ଟିକ ପ୍ରଦୂଷଣର ବୈଶ୍ୱିକ ମହାମାରୀକୁ ରୋକିବା ପାଇଁ ଆମେମାନେ ଆମ ମୁଣ୍ଡରେ ଏହି କେତୋଟି କଥାରଖିବା କଥା । ତତ୍ପରତାର ସହ ପ୍ଲାଷ୍ଟିକ ସାମଗ୍ରୀର ପୁନଃଚକ୍ରଣ କରନ୍ତୁ । ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକର କେବଳ ୯% ହିଁ ପୁନଃଚକ୍ରଣ କରାଯାଇଥାଏ । ଏହାଠାରୁ ଯଥେଷ୍ଟ ଅଧିକ ଭଲକାର୍ଯ୍ୟ କରାଯାଇପାରିବ । ଆମେରିକୀୟମାନେ ପ୍ରଥମେ ଏକଥା ଜାଣିବା ଉଚିତ ଯେ, ସେମାନଙ୍କର ସହରରେ ଥିବା ପୁନଃଚକ୍ରଣ ବ୍ୟବସ୍ଥା କେଉଁ ସବୁ ପ୍ଲାଷ୍ଟିକକୁ ଗ୍ରହଣ କରୁଛି ଏବଂ ଏକଥା ସୁନିଶ୍ଚିତ କରିବା ଆବଶ୍ୟକ ଯେ, ବ୍ୟବହାର କରୁଥିବା ସେହି ପ୍ଲାଷ୍ଟିକ ସବୁକୁ ପୁନଃଚକ୍ରଣ କରାଯାଉଛି । ନିଜର ଆଖପାଖର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଆମେ ଯେତେଖଣ୍ଡ ପ୍ଲାଷ୍ଟିକ ଉଠାଇ ନେଇ ଆବର୍ଜନା ମୁକ୍ତକରିବା, ପ୍ରକୃତିକୁ ଆମେ ସେତିକି ସୁରକ୍ଷିତ ରଖିପାରିବା ।
ପ୍ଲାଷ୍ଟିକ୍ ସାମଗ୍ରୀ କିଣିବାବେଳେ ସେଥିରେ ଥିବା ଲେବୁଲ ଏବଂ ପ୍ୟାକେଟକୁ ନିଘା କରନ୍ତୁ । ଏପରି ସାମଗ୍ରୀ କିଣିବାର ପ୍ରୟାସ କରନ୍ତୁ, ଯାହାର ପ୍ୟାକେଜିଂ ସାମଗ୍ରୀକୁ ସ୍ଥାନୀୟ ଭାବେ ପୁନଃଚକ୍ରଣ କରାଯାଉଛି । ପରିବର୍ତ୍ତନ ପାଇଁ ଯୁକ୍ତି ଉପସ୍ଥାପନ କରନ୍ତୁ । ପ୍ଲାଷ୍ଟିକ ସଂକଟର ସମାଧାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକର ସହଯୋଗ କରନ୍ତୁ । ପୁନଃଚକ୍ରଣ କ୍ଷମତା ବଢ଼ାଇବା, କଡ଼ାକଡ଼ି ଆବର୍ଜନା ନିଷ୍କାସନ ବ୍ୟବସ୍ଥା ଲାଗୁ କରିବା ଏବଂ ପ୍ଲାଷ୍ଟିକ ବ୍ୟବହାର କମାଇବା ସକାଶେ ସରକାରମାନଙ୍କୁ ପିଟିସନ ଲେଖନ୍ତୁ ।
ବର୍ତ୍ତମାନ ଜଳାଶୟ, ମୃତ୍ତିକା ଏବଂ ବାୟୁ ସମେତ ପରିବେଶର ସମସ୍ତ ଉପାଦାନରେ ନାନୋ ପ୍ଲାଷ୍ଟିକ୍ ଭୟଙ୍କର ଭାବରେ ବ୍ୟାପିଯାଇ ବିଶ୍ୱକୁ ବିପଦପ୍ରବଣ କରିଦେଲାଣି । ବିଶ୍ୱସ୍ତରୀୟ ଅନୁଧ୍ୟାନରୁ ଆକଳନ କରାଯାଇଛି ୨୦୪୦ସୁଦ୍ଧା ପ୍ଲାଷ୍ଟିକ ପ୍ରଦୂଷଣର ସ୍ତର ପ୍ରତିବର୍ଷ ୮୦ନିୟୁତ ମେଟ୍ରିକ ଟନରେ ପହଞ୍ଚିବ । ବର୍ତ୍ତମାନ ଏହି ନାନୋ ପ୍ଲାଷ୍ଟିକ ପ୍ରଦୂଷଣ ବାୟୁ ମାଧ୍ୟମରେ ଅତି ତୀବ୍ର ବେଗରେ ପୃଥିବୀର ପ୍ରତିଟି କୋଣଅନୁକୋଣକୁ ବ୍ୟାପିଗଲାଣି । ପ୍ରତିବର୍ଷ ପ୍ରାୟ ୨୫ନିୟୁତ ମେଟି୍ରକ ଟନ୍ ମାଇକ୍ରୋ ପ୍ଲାଷ୍ଟିକ (କ୍ଷୁଦ୍ର ପ୍ଲାଷ୍ଟିକ କଣିକା) ଏବଂ ନାନୋ ପ୍ଲାଷ୍ଟିକ ବାୟୁଦ୍ୱାରା ପରିବହନ ହୋଇଥାଏ ଏବଂ ଆମର ପରିବେଶ ମଧ୍ୟରେ ପ୍ରବେଶକରି ବାୟୁମଣ୍ଡଳୀୟ ପ୍ରବାହର ଅଂଶବିଶେଷ ହୋଇ ଜୀବନଚକ୍ରକୁ ଆକ୍ରାନ୍ତ କରିଥାଏ । ଫୁସ୍ଫୁସ୍ ଓ ହୃତପିଣ୍ଡ ଭଳି ଅଙ୍ଗପ୍ରତ୍ୟଙ୍ଗରେ ଏହା ପ୍ରବେଶ କରି ଜୀବନ ନେଉଛି ।
ଆମମାନଙ୍କର ମନରେ ରହିଛି ଏବଂ ବୁଝାଇ ଦିଆଯାଉଛି ପ୍ଲାଷ୍ଟିକ୍ ପୁନଃଚକ୍ରଣ (ରିସାଇକ୍ଲିଙ୍ଗ୍) ଦ୍ୱାରା ପ୍ଲାଷ୍ଟିକ ପ୍ରଦୂଷଣର ମହାମାରୀରୁ ପ୍ରାଣୀ ଜଗତକୁ ସୁରକ୍ଷିତ ରଖାଯାଇ ପାରିବ । ତେବେ ଆଜି ଏହା ଏକ ଭୁଲ୍ ଧାରଣା ବୋଲି ପ୍ରମାଣିତ ହୋଇଛି । ରିସାଇକ୍ଲିଙ୍ଗ୍ ଦ୍ୱାରା ବିପୁଳ ପରିମାଣରେ ମାଇକ୍ରୋ ପ୍ଲାଷ୍ଟିକ୍ ନିର୍ଗତ ହେଉଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପ୍ରଦୂଷଣ ବୃଦ୍ଧି ପାଉଥିବା ସମସ୍ୟାର ସମାଧାନ ପାଇଁ ପ୍ଲାଷ୍ଟିକ୍ ଶିଳ୍ପ ଦୀର୍ଘଦିନ ଧରି ରିସାଇକ୍ଲିଙ୍ଗ୍କୁ ଏକ ସମାଧାନ ବୋଲି ବିବେଚନା କରୁଥିଲେ । ମାତ୍ର ନୂତନ ଅନୁଧ୍ୟାନ ଓ ଗବେଷଣାରୁ ଜଣାପଡିଛି ରିସାଇକ୍ଲିଙ୍ଗ୍ ଦ୍ୱାରା ବିପୁଳ ପରିମାଣରେ ମାଇକ୍ରୋ ଓ ନାନୋପ୍ଲାଷ୍ଟିକ୍ ସୃଷ୍ଟି ହେଉଛି ଏବଂ ଏହି ଭୟାବହ ପ୍ରଦୂଷଣର ନିୟନ୍ତ୍ରଣ ପାଇଁ କୌଣସି ବିକଳ୍ପ ସମାଧାନ ହୋଇନାହିଁ । ମାଇକ୍ରୋ ପ୍ଲାଷ୍ଟିକର ଆକାରରେ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହା ଅଜାଣତରେ ସହଜରେ ପ୍ରାଣୀଜଗତ ଶରୀରରେ ପ୍ରବେଶ କରିବା ସହିତ ଉଦ୍ଭିଦ ଓ ମାଟି ପାଇଁ ଘାତକ ପାଲଟିଛି ।
ପ୍ଲାଷ୍ଟିକୁ ରିସାଇକ୍ଲିଙ୍ଗ୍ କରି ତାହାକୁ ନଈ, ନାଳ, ହ୍ରଦ ଓ ସମୁଦ୍ରକୁ ଛାଡ଼ିଲା ପରେ ସେହି ପାଣିକୁ ପରୀକ୍ଷା କଲେ ଦେଖାଯାଉଛି ତାହା ଦେହରେ ୧୩ ପ୍ରତିଶତ ମାଇକ୍ରୋ ପ୍ଲାଷ୍ଟିକ ରହିଥାଏ । ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ଆମେ ପାଣିକୁ ଫିଲ୍ଟର କରିଲା ପରେ ମଧ୍ୟ ସେହି ୧୩ପ୍ରତିଶତ ମାଇକ୍ରୋ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥାଏ ଏବଂ ସେଥିରେ ୬ପ୍ରତିଶତ ମାଇକ୍ରୋ ପ୍ଲାଷ୍ଟିକ ରହିଥାଏ । ଏଭଳି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ୍ ରିସାଇକ୍ଲିଙ୍ଗ୍ ପ୍ଲାଷ୍ଟିକ୍ ପ୍ରଦୂଷଣ ମହାମାରୀରୁ ଆମ ଜୀବନ ଓ ଜୈବବିବିଧତାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବ ନାହିଁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ମହାମାରୀର ଭୟାବହତାକୁ ବୁଝିପାରି ଏହାର ନିୟନ୍ତ୍ରଣ ପାଇଁ ସଚେତନ ହୋଇପାରିଲେ ଭବିଷ୍ୟତ ପିଢ଼ି ଅନାଗତ ବିପଦରୁ ସୁରକ୍ଷିତ ରହିବେ ।
ନିଷ୍ଠାପର ଉଦ୍ୟମ ଲୋଡ଼ା
ଜୁନ ୫, ୨୦୨୩ ପରିବେଶ ଦିବସ ଉପରେ ଦୃଷ୍ଟିପାତ କଲାବେଳେ ଚଳିତବର୍ଷ ଆମେ ପାଳନ କରୁଥିବା ଧରିତ୍ରୀ ଦିବସ ମଧ୍ୟ ଅନେକ ଆହ୍ୱାନ ଦେଇଛି । ମାତ୍ର ଆମେମାନେ ଧରିତ୍ରୀ ଦିବସ ପାଳନ କରିବାର ଦୀର୍ଘ ମାସ ବିତିଯିବା ପରେ ମଧ୍ୟ ଏହି ଆହ୍ୱାନରୁ ସାମାନ୍ୟ ଶିକ୍ଷା ଲାଭ କରିପାରିନେ ବୋଲି ଆଜିର ପରିବେଶ ଦିବସ ପରିଷ୍କାରଭାବେ ଏ ସୂଚନା ପ୍ରଦାନ କରିଛି ।
କେବଳ ଦିବସ ସୁରକ୍ଷା ଓ ଉତ୍ସବ ପାଳନ ନୁହେଁ, ପ୍ରକୃତି ଓ ପୃଥିବୀର ସୁରକ୍ଷା ପାଇଁ ଆଜିର ପରିବେଶ ଦିବସ ନିଷ୍ଠାପର ଉଦ୍ୟମ ଲୋଡ଼ା ବୋଲି ଆହ୍ୱାନ ଦେଉଛି । ନିକଟରେ ଆମେ ଧରିତ୍ରୀ ଦିବସର ୫୩ତମ ପଦପାତର ଉତ୍ସବ ପାଳନ କଲେ ଏବଂ ଚଳିତବର୍ଷର ଧରିତ୍ରୀ ଦିବସ ଥିଲା ସ୍ୱତନ୍ତ୍ର । ଧରିତ୍ରୀ ଦିବସ ପାଳନ ଏହି ଆତ୍ମଜ୍ଞାନ ଦେଇଥାଏ ଯେ ପୃଥିବୀ ସବୁକିଛି ସହିପାରିବ ବୋଲି ମାନିନେବା ବଦଳରେ ଏହାର ଯତ୍ନ ନିଆଯିବା ଆବଶ୍ୟକ । ପୃଥିବୀ ଜୀବନ, ଅଭିବୃଦ୍ଧି ଏବଂ ସହାବସ୍ଥାନ ଉପରେ ପ୍ରାଧାନ୍ୟ ଦେଇଥାଏ । ଅନେକଗୁଡ଼ିଏ ଯୁଗରେ ବିଭକ୍ତ ହୋଇଥିବା ପୃଥିବୀର ଇତିହାସ ପ୍ରାୟ ୪୦,୦୦୦କୋଟି ବର୍ଷ ପୁରୁଣା । କୃଷି ଯୁଗ ଆରମ୍ଭ ବେଳକୁ ଯାଇ ପ୍ରକୃତି ଉପରେ ମାନବିକ କାର୍ଯ୍ୟକଳାପର ପ୍ରଭାବ ପଡ଼ିବା ଆରମ୍ଭ ହେଲା । ତା’ପରେ ଶିଳ୍ପ ଯୁଗରେ ଏହି ପ୍ରଭାବ ଆହୁରି ବୃଦ୍ଧି ପାଇଲା । କିନ୍ତୁ ବିଗତ ୨୦୦ବର୍ଷ ମଧ୍ୟରେ ମାନବ ଜାତି ପରିବେଶ ଉପରେ ଆଖିଦୃଶିଆ ନକାରାତ୍ମକ ପଦଚିହ୍ନ ପକାଇଛି । ଚଳିତ ଏନ୍ଥ୍ରୋପୋସିନ କିମ୍ବା ମାନବ ଯୁଗର (ପ୍ରସ୍ତାବନା) ମାନବୀୟ କାର୍ଯ୍ୟକଳାପଗୁଡ଼ିକ ଦ୍ୱାରା ପାରିବେଶିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଛି ।
ଆମ ଆଗରେ ଏବେ ନାହିଁ ନଥିବା ଏବଂ ଅତିକ୍ରମ କରିନ’ହେବା ପରି ପାରିବେଶିକ ଆହ୍ୱାନମାନ ରହିଛି । ଜଳବାୟୁ ପରିବର୍ତ୍ତନ, ଚରମ ଜଳବାୟୁ ଘଟଣା, ଭୂମି ଅବକ୍ଷୟ, ପାରିବେଶିକ ପ୍ରଦୂଷଣ ଏବଂ ଏସବୁ ପରିବର୍ତ୍ତନର ଫଳସ୍ୱରୂପ ଜନସାଧାରଣଙ୍କ ସାମାଜିକ-ଅର୍ଥନୈତିକ ଜୀବନ ଏବଂ ସ୍ୱାସ୍ଥ୍ୟଉପରେ ପଡୁଥିବା ପ୍ରଭାବମାନ ଜଳ ଜଳ ହୋଇ ଦେଖାଯାଉଛି । ବିଶ୍ୱ ଅର୍ଥନୈତିକ ଫୋରମ୍ର ରିପୋର୍ଟ, ୨୦୨୩ ଅନୁଯାୟୀ ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ୧୦ଟି ବିପତ୍ତି ମଧ୍ୟରୁ ଛଅଟି ବିପତ୍ତିର ଉତ୍ସ ପରିବେଶ । ଏଗୁଡ଼ିକ ମଧ୍ୟରେ ଜଳବାୟ ପରିବର୍ତ୍ତନ ସହ ଖାପ୍ ଖୁଆଇ ଚଳିବା ଏବଂ ପ୍ରତିକାର ବ୍ୟବସ୍ଥା, ଚରମ ଜଳବାୟୁ ଘଟଣା ଏବଂ ବିପର୍ଯ୍ୟୟ, ପ୍ରାକୃତିକ ସମ୍ବଳର ଅବକ୍ଷୟ, ଜୈବ ବିବିଧତା ହ୍ରାସ ଏବଂ ବ୍ୟାପକ ଆକାରରେ ପାରିବେଶିକ କ୍ଷତି ଅନ୍ତର୍ଭୁକ୍ତ ।
ଭାରତରେ ଧରିତ୍ରୀ ଦିବସ-୨୦୨୩ ପାଳନ ଏହି କାରଣରୁ ମଧ୍ୟ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଯାଇଛି ଯେ ଆମେ ଏବେ ଜି-୨୦ର ସଭାପତି ପଦ ଗ୍ରହଣ କରିଛୁ ଏବଂ ଏହାର ବର୍ତ୍ତମାନର ମୁଖ୍ୟ ଆହ୍ୱାନ ହେଲା, “ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ” । ଗୋଟିଏ ପୃଥିବୀର ଅର୍ଥ ହେଲା ଯେ ଏହା ହେଉଛି ଏକମାତ୍ର ଗ୍ରହ ଯାହା ଜୀବଜଗତ ତିଷ୍ଠି ରହିବା ପାଇଁ ଉପଯୁକ୍ତ । ଗୋଟିଏ ପରିବାର ଏହି କଥାକୁ ବୁଝାଏ ଯେ ଆମେମାନେ ପରସ୍ପର ସହ ଯୋଡ଼ା ଯାଇଥିବା ଏବଂ ପରସ୍ପରର ସହିତ ସମ୍ପର୍କ ଥିବା ଗୋଟିଏ ବିଶ୍ୱରେ ବାସ କରୁଛୁ । ପାରିବେଶିକ ସମସ୍ୟାଗୁଡ଼ିକର କୌଣସି ସୀମା ସରହଦ ନାହିଁ । ସମାନ ଭବିଷ୍ୟତ ଏହି କଥାକୁ ହିଁ ଦର୍ଶାଏ ଯେ ଆମମାନଙ୍କର ସାମୂହିକ ଭବିଷ୍ୟତ ସକାଶେ ତୁରନ୍ତ ଜରୁରୀକାଳୀନ ଭିତ୍ତିରେ ସାମୂହିକଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ।
ଧରିତ୍ରୀ ଦିବସ ପାଳନ ସହିତ ସମକାଳୀନ ଭାବେ ଭାରତ ଚୀନକୁ ଅତିକ୍ରମ କରି ପୃଥିବୀର ସବୁଠାରୁ ଜନବହୁଳ ଦେଶ ମଧ୍ୟ ପାଲଟି ଯାଇଛି । ଏହା ଏହି କଥାକୁ ସୂ·ଇ ଦେଉଛି ଯେ ଆମେ ଗୋଟିଏ ବିଶାଳ ପରିବାର ଏବଂ ଆମମାନଙ୍କର ପାରିବେଶିକ ପଦଚିହ୍ନ ମଧ୍ୟ ବିଶାଳ । ଅଙ୍ଗାରକ ଉତ୍ସ୍ୱର୍ଜନ, ଆବର୍ଜନା ସୃଷ୍ଟି, ଭୂ ଏବଂ ଜଳସମ୍ବଳ ପାଇଁ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ·ହିଦା ଇତ୍ୟାଦି ବିଭିନ୍ନ କାରଣଯୋଗୁଁ ଭାରତର ପାରିବେଶିକ ପଦଚିହ୍ନ ବେଶ ବିଶାଳ । ଆଇ.ପି.ସି.ସି.ର ଷଷ୍ଠ ଆକଳନ ରିପୋର୍ଟ, ୨୦୨୨ ଜନସଂଖ୍ୟା ବୃଦ୍ଧିକୁ ବୈଶ୍ୱିକ ତାପନକୁ ୧.୫ଡିଗ୍ରୀ ସେଣ୍ଟିଗ୍ରେଡ଼ ମଧ୍ୟରେ ସୀମିତ ରିଖିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ବୋଲି ଚିହ୍ନଟ କରିଛି । ଜଳସମ୍ବଳ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ୨୦୧୭ ମସିହାରେ ଭାରତର ଜଳ ଆବଶ୍ୟକତା ୧୧ଲକ୍ଷ କୋଟି ଘନମିଟର ହୋଇଥିବା ବେଳେ ୨୦୨୫ ମସିହାବେଳକୁ ଏହା ୧୨ଲକ୍ଷ କୋଟି ଘନ ମିଟରକୁ ଏବଂ ୨୦୫୦ ମସିହାରେ ଏହା ୧୪.୪୭ ଲକ୍ଷ କୋଟି ଘନମିଟରରେ ପହଞ୍ଚିବ । ୨୦୨୫ ମସିହା ବେଳକୁ ୧୪୦ କୋଟି ଲୋକଙ୍କ ପାଇଁ ଭାରତର ଖାଦ୍ୟଶସ୍ୟ ·ହିଦା ୩୦କୋଟି ଟନ୍ରେ ପହଞ୍ଚିବ ଏବଂ ଆବର୍ଜନା ନିଷ୍କାସନ ସକାଶେ ପ୍ରତ୍ୟେକ ବର୍ଷ ୧୨୪୦ ହେକ୍ଟର ଜମି ଆବଶ୍ୟକ ପଡ଼ିବ ।
ଆମ ଦେଶର ଜଗଗଣନା ଆମକୁ ଏକଥା ମଧ୍ୟ କହୁଛି ଯେ ଆମେମାନେ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ବେଶ୍ ବିବିଧ । ବଦଳୁଥିବା ଜନସଂଖ୍ୟାର କ୍ରିୟାଶୀଳତା ଦୃଷ୍ଟିରୁ ବି·ର କଲେ, ସମସ୍ତଙ୍କ ପାଇଁ ବାସୋପଯୋଗୀ ଏକ ଗ୍ରହକୁ ବଞ୍ଚାଇ ରଖିବା ପାଇଁ ଜନସଂଖ୍ୟା ସ୍ଥିର କରିବା, ସାମ୍ୟ, ଅନ୍ତର୍ଭୁକ୍ତିକରଣ ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପଡ଼ିବ । ଚରମ ଅସମାନତା ଏବଂ ସୀମିତ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେବା, ପରିବେଶକୁ ସୁରକ୍ଷିତ ରଖିବା ସକାଶେ ଲୋକମାନଙ୍କର ସାମର୍ଥ୍ୟକୁ ସୀମିତ କରିଦିଏ । ଶିକ୍ଷା, ସଚେତନତା, ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ କାର୍ଯ୍ୟ, ଦାୟିତ୍ୱସମ୍ପନ୍ନ ଆଚରଣ, ସବୁକିଛି ଜାଣିବୁଝି ନିଷ୍ପତ୍ତି ଗ୍ରହଣ କରିବା, ସହଭାଗିତା ଏବଂ ସହଯୋଗର ଫଳଶ୍ରୁତି ହେଉଛି ପରିବେଶର ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଜନସାଧାରଣଙ୍କର ଅଂଶଗ୍ରହଣ । ଦୂରଦୃଷ୍ଟିହୀନତା ଏବଂ କେବଳ ଉପର ଠାଉରିଆ ଭାବରେ ବହୁ ବିଳମ୍ବରେ ନାମକୁ ମାତ୍ର କିଛି କରିବାର ପ୍ରୟାସ କୌଣସି ପରିବର୍ତ୍ତନ ଆଣିପାରିବ ନାହିଁ । ବିକାଶ ଏବଂ ନିରନ୍ତରତା ଯେପରି ସମକାଳୀନ ଭାବେ ତିଷ୍ଠି ରହିପାରିବେ, ସେଥିପାଇଁ ଗୋଟିକର ବଦଳରେ ଅନ୍ୟଟିକୁ ବି·ର କରାନଯିବା, ପାରିବେଶିକ ସମସ୍ୟାଗୁଡ଼ିକର ପ୍ରକୃତିଭିତ୍ତିକ ସମାଧାନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ପ୍ରୟୋଗ ଏବଂ ଲୋକମାନଙ୍କର ମାନସିକତାରେ ପରିବର୍ତ୍ତନ ଇତ୍ୟାଦି ହିଁ ପରିବର୍ତ୍ତନ ଆଣିପାରିବ ।
ଧରିତ୍ରୀ ଦିବସ, ୨୦୨୩ର ପ୍ରସଙ୍ଗ ହେଉଛି – ଗ୍ରହରେ ବିନିଯୋଗ କର । ପୃଥିବୀର ବ୍ୟବସ୍ଥାକୁ ପୁଣିଥରେ ବିଧିବଦ୍ଧଭାବେ ଚାଲୁ କରିବା ପାଇଁ ସମୟ, ବୃହତ୍ତର ସ୍ତର ଏବଂ ଶକ୍ତି ପରି ବିନିଯୋଗମାନ କରାଯିବା ଆବଶ୍ୟକ । ଜନସଂଖ୍ୟା ହେଉଛି ଏକ ମାନବୀୟ ସମସ୍ୟା ଏବଂ ଏହା ବିକାଶ ଯୋଜନାର କେନ୍ଦ୍ରରେ ରହିବା ଅପରିହାର୍ଯ୍ୟ । ଭାରତର ଜନସଂଖ୍ୟାର ୬୮% ଅଂଶ ୧୫-୬୪ ବର୍ଷର ବୟସ ବର୍ଗରେ ଥିବାବେଳେ ତଥା ୨୬% ଜନସଂଖ୍ୟା ୧୦-୨୪ବର୍ଷ ବର୍ଗରେ ରହିଥିବାବେଳେ ଆଶାର ଏକ ଅଲୋକ ଦିଶୁଛି । ଏହି ଆଶାର ଆଲୋକ କେବଳ ଅଧିକସଂଖ୍ୟକ ଲୋକେ ଶ୍ରମବଳରେ ଅଂଶଗ୍ରହଣ କରିବାଯୋଗୁଁ ହେବାକୁ ଥିବା ଅର୍ଥନୈତିକ ପ୍ରଗତି ପାଇଁ ନୁହେଁ, ଧରିତ୍ରୀ ପାଇଁ ମଧ୍ୟ ।
ବିଶ୍ୱବ୍ୟାପୀ ଯୁବକମାନେ ଜଳବାୟୁ ପରିବର୍ତ୍ତନ ରୋକିବା ଏବଂ ପାରିବେଶିକ ନିରନ୍ତରତା ବଜାୟରଖିବା କାର୍ଯ୍ୟକ୍ରମରେ ଲାଗିଛନ୍ତି । ଗବେଷଣାଗୁଡ଼ିକ ଏକଥା ଦର୍ଶାଉଛନ୍ତି ଯେ ଯୁବକମାନେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ବାବଦକୁ ଅଧିକ ଉତ୍କଣ୍ଠିତ ହୋଇ ପଡୁଛନ୍ତି ଏବଂ ସେମାନେ ଆଶଙ୍କା କରୁଛନ୍ତି ଯେ ସେମାନଙ୍କର ଭବିଷ୍ୟତ ଏବେ ବିପଦରେ । ଗ୍ରେଟା ଥନବର୍ଗଙ୍କ ଆକ୍ଟିଭିଜିମ୍ ପରିବେଶ ଆନ୍ଦୋଳନ ଗୁଡ଼ିକ ପାଇଁ ଉତ୍ସାହର ଉତ୍ସ ପାଲଟିଛି ଏବଂ ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରେରିତ କରୁଛି । ବ୍ୟବସାୟକୁ ପରିବେଶ ଅନୁକୂଳ କରିବା, ଡିଜିଟାଲ୍ ଇନ୍ନୋଭେସନ, ସ୍ୱଳ୍ପ ପ୍ରଦୂଷଣକାରୀ ଇନ୍ଧନର ବିକଳ୍ପ ବ୍ୟବହାର କରିବା, ଖାପଖୁଆଇ ଚଳିବା ଏବଂ ପ୍ରତିକାର ବ୍ୟବସ୍ଥା କରିବା ଏବଂ ପ୍ରଯୁକ୍ତି ସହାୟତାରେ ସତତ ବିକାଶ ଇତ୍ୟାଦି ଯୁବକମାନଙ୍କ ନେତୃତ୍ୱରେ କରାଯିବା ସମ୍ଭବ ।
ଆମଦେଶର ମୋଟ ଲୋକସଂଖ୍ୟାର ଅଦେ୍ର୍ଧକ ହେଉଛନ୍ତି ମହିଳା । ସମ୍ବଳ ସଂରକ୍ଷଣ ପାଇଁ ମହିଳାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକା କ୍ଷେତ୍ରରେ ବିନିଯୋଗ କରାଯିବା ଗୁରୁତ୍ୱପୂର୍ଣ୍ଣ । ଏହା ଏକ ବାସ୍ତବତା ଯେ, ମହିଳାମାନେ ହିଁ ସ୍ୱାଭାବିକ ଭାବେ ପରିବେଶର ସଂରକ୍ଷଣକାରୀ ଏବଂ ସୁରକ୍ଷାକାରୀ ହୋଇଥିଲେ ମଧ୍ୟ ବିପର୍ଯ୍ୟୟ, ଫସଲହାନୀ ଏବଂ ନିଷ୍ଠୁର ପାଣିପାଗ ଯୋଗୁଁ ସେହିମାନଙ୍କୁ ହିଁ ସବୁଠାରୁ ଅଧିକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ । ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ସକାଶେ ମହିଳା କର୍ମୀମାନଙ୍କ ସଶକ୍ତିକରଣ ବାବଦକୁ ସମୟ ଓ ପ୍ରୟାସ ବିନିଯୋଗ କରାଯିବା ଗୁରୁତ୍ୱପୂର୍ଣ୍ଣ । ଅନୁରୂପ ଭାବେ ପାରିବେଶିକ ପ୍ରସଙ୍ଗଗୁଡ଼ିକ ବାବଦରେ ଶିଶୁମାନଙ୍କୁ ସଚେତନ କରାଇବା, ସେମାନଙ୍କୁ ଏକ ପରିବେଶ ସପକ୍ଷବାଦୀ ଆଭିମୁଖ୍ୟ ଗ୍ରହଣ କରିବା ଏବଂ ପାରିବେଶିକ ସମସ୍ୟାଗୁଡ଼ିକର ସମାଧାନ କରିବାରେ ସହଯୋଗ କରିବା ଫଳରେ ସ୍ୱଳ୍ପ ବୟସରୁ ସେମାନେ ପରିବେଶ ପ୍ରତି ସମ୍ବେଦନଶୀଳ ହେବେ ଏବଂ ପ୍ରାପ୍ତବୟସ୍କ ହେବାପରେ ଏହା ସେମାନଙ୍କର ବ୍ୟବହାରରେ ପ୍ରତିଫଳିତ ହେବ ।
ଜନସାଧାରଣ ପରିବେଶ ଅନୁକୂଳ ଅଭ୍ୟାସ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ବାଛିଲେ ଏହା ଫଳରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ୍.ଇ.ପି.) ଅନୁଯାୟୀ ଆଠଶହ କୋଟିର ବୈଶ୍ୱିକ ଲୋକସଂଖ୍ୟା ମଧ୍ୟରୁ ଯଦି କେବଳ ୧୦୦କୋଟି ଲୋକ ସେମାନଙ୍କ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାନ୍ତି, ତେବେ ବୈଶ୍ୱିକ ଅଙ୍ଗାରକ ଉତ୍ସ୍ୱର୍ଜନ ପ୍ରାୟ ୨୦% ହ୍ରାସ ପାଇବ । ଆମେ ଯେପରି କୃଷି, ଗମନାଗମନ, ନଗରୀର ପରିକଳ୍ପନା, ବିଦୁ୍ୟତ ଉତ୍ପାଦନ ଏବଂ ସାମଗ୍ରୀ ଉତ୍ପାଦନ କରୁଛୁ ସେଥିରେ ଆମୂଳଚୁଳ ପରିବର୍ତ୍ତନ ଆଣିଲେ ଯାଇ ଅନେକଗୁଡ଼ିଏ ବୈଶ୍ୱିକ ବିପଦକୁ ଏଡ଼ାଇ ଦିଆଯାଇପାରିବ । ପରିବେଶ ଏବଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଅନେକଗୁଡ଼ିଏ ସୁଯୋଗ ରହିଛି ଯାହାର ସଦୁପଯୋଗ କରାଯିବା ଆବଶ୍ୟକ । ଅଧିକ ସଂଖ୍ୟା କିନ୍ତୁ ସ୍ୱଳ୍ପ ମୂଲ୍ୟ ହେଉଛି ଏକ ଜଞ୍ଜାଳ । ବିନିଯୋଗ ହିଁ ହେଉଛି ଠିକଣା ଶବ୍ଦ ଏବଂ ଶିକ୍ଷା ଏବଂ ସମାଜ ମଙ୍ଗଳ କ୍ଷେତ୍ରରେ ବିନିଯୋଗ କେବେହେଲେ ବ୍ୟର୍ଥ ଯାଏ ନାହିଁ ।
Comments
0 comments