ଭଗବତ ଚର୍ଚ୍ଚା : “ଧର୍ମ ସମ୍ୱନ୍ଧରେ”

ସମୟ ଆସିଛି ଯେତେବେଳେ ପ୍ରତି ଧର୍ମଗ୍ରନ୍ଥର ଅବିଚାରପୂର୍ଣ୍ଣ ଅଂଶଗୁଡ଼ିକର ସମାଲୋଚନା ହେବା ଦରକାର - ଭଗବତ ପ୍ରସାଦ

ସ୍ଵୟଂପ୍ରଭା ପାଢ଼ୀ
ସ୍ଵୟଂପ୍ରଭା ପାଢ଼ୀ495 Views
15 Min Read

ଧର୍ମ ସମ୍ୱନ୍ଧରେ ନିଜର ମତପ୍ରକାଶ କରି ଭଗବତ ପ୍ରସାଦ ଲେଖିଲେ, ଅହିଂସ’ ବର୍ଣ୍ଣବୈଷମ୍ୟ ଶୂନ୍ୟ ପ୍ରାକ୍-ବୈଦୀୟ ଭାରତୀୟ ସଂସ୍କୃତି ହିନ୍ଦୁଧର୍ମର ମୁକ୍ତିକାମୀ ଧର୍ମତତ୍ତ୍ୱର ମୂଳଦୁଆ ପକାଇପାରିବ । ସାରା ବିଶ୍ୱର ମାନବ ସଭ୍ୟତାକୁ ଦିଗ୍ଦର୍ଶନ ଦେବା ସାମର୍ଥ୍ୟ ଓ ସମ୍ଭାବନା ଏ ସଂସ୍କୃତିରେ ରହିଛି । ଭଗବତ ପ୍ରସାଦଙ୍କର ଏହି ଲେଖାଟି ଭାରତୀୟ ମୁକ୍ତି ଚେତନାକାମୀ ମଣିଷ ମାନଙ୍କ ଚିନ୍ତନକୁ ଅଧିକ ମୁକ୍ତ ଓ ବିସ୍ତାରୀତ କରିବ ବୋଲି ଅନୁଭବ ହେଉଛି । ଲେଖାଟିରେ କାହାରି ଧାର୍ମୀକ ଭାବନା ପ୍ରତି ଆଘାତ ନକରି ବରଂ ସବୁ ଜୀବଙ୍କର ମଙ୍ଗଳପାଇଁ ଧର୍ମର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରାଇଛନ୍ତି ବିଶିଷ୍ଟ ଗାନ୍ଧିବାଦୀ, ସମାଜବାଦୀ ତଥା ଦର୍ଶନ ତତ୍ତ୍ୱବିତ୍ ଭଗବତ ପ୍ରସାଦ ।

ଜଗନ୍ନାଥ

“ଜଗନ୍ନାଥ । ମୁଁ ତୁମକୁ କେତେ ଖୋଜିଲି ରଥରେ,

ମନ୍ଦିରରେ ନିରୋଳା ସଂସ୍କୃତିଆଙ୍କ ହେଂଟାଳରେ,

ତା’ ପରେ ଜିଭ କାମୁଡ଼ିଦେଲି,

ମନେପଡ଼ିଗଲା ‘କ୍ରିୟା ବିଶେଷ ବହୁଳ’

‘ଭୋଶୈଶ୍ୱର୍ଯ୍ୟ’ ଇଚ୍ଛା ସହ ତମର କଟି ।

ଟଲଷ୍ଟୟ ଠାର ଭେଦିଥିଲେ ଭଗତେ

ଭେଟିଥାନ୍ତେ ତମକୁ ଭୀମକନ୍ଧ ଘରେ,

ରବି ଠାକୁର ଆବିଷ୍କାର କରିଥିଲେ ତମକୁ,

ଦାରୁଣ ବିପ୍ଳବ ଭିଜା ଶଙ୍ଖଧ୍ୱନି ମଧ୍ୟରେ

କାଲି ମୁଁ ଜେଲକୁ ଯାଇଥିଲି

ଦେଖିଲି ସରୋଜ ପାଖରେ ତମେ ହସୁଚ ।”

ବିଂଶ ଶତାବ୍ଦୀର ବିଖ୍ୟାତ ଦାର୍ଶନିକ ଜିଡ୍ଡୁ କୃଷ୍ଣମୂର୍ତ୍ତି କହିଥିଲେ ଗପଟିଏ ।

“ଭଗବାନ କହିଲେ ସୟତାନକୁ । ‘ଯାଅ ସୟତାନ୍ ।’ ଘରେ ବସି କାନ୍ଦ । ମୁଁ ସତ୍ୟକୁ ପଠାଇ ଦେଲିଣି ଧରାଧାମକୁ । ସୟତାନ୍ ହସିଥିଲା ତା’ର ପାହାଡ଼ଥରା ହସ । କହିଲା ‘ଦେଖ ଭଗବାନ୍! ତମ ପଠା ସତ୍ୟର ସୟତାନୀ ଯାତ୍ରାକୁ, କୁଢ଼ କୁଢ଼ ଶବର ପର୍ବତ । ନାରୀ,ପୁରୁଷ, ଶିଶୁ, ବୃଦ୍ଧ, ବୃଦ୍ଧା ସମସ୍ତେ ଶୋଇଯାଇଛନ୍ତି ଚିରନିଦ୍ରାରେ । ଜନଶୂନ୍ୟ ପାଲେଷ୍ଟାଇନ୍ ନଗର । ଅଦୂର କ୍ୟାମ୍ପରେ ସୁଖନିଦ୍ରାରେ ଶାୟିତ କ୍ଲାନ୍ତ କୃସେଡ଼ ଯୋଦ୍ଧାଦଳ । ଭୟଙ୍କର ଯୁଦ୍ଧର ନାୟକ ନିଷ୍ଠୁର ଜହ୍ଲାଦମାନେ ସେକ୍ସପିଅର୍, ୱାଲଟର ସ୍କଟଙ୍କ କଲମରେ ଚିରଜୀବିତ ସିଂହ ହୃଦୟର ବୀର । ‘ଆଲ୍ଲା ସତ୍ୟ’ କହୁଥିବା ଲୋକେ ହଜିଯାଇଛନ୍ତି ଅକାଳରେ । ‘ଖ୍ରୀଷ୍ଟ ସତ୍ୟ’ କହୁଥିବା ବୀରମାନେ କରୁଛନ୍ତି ଚିତ୍କାର ‘ଆମ ଧର୍ମ ବିଜୟୀ ହୋଇଛି ।’

ଚାହୁଁ ଚାହୁଁ ବଦଳିଗଲା ଦୃଶ୍ୟପଟ୍ଟ । ମୁସଲମାନ ବୀରଙ୍କୁ ନେତୃତ୍ୱ ଦେଲେ ସାଲାଦ୍ଦିନ, ତୁର୍କୀର ଖଲିଫା । ପରାଜିତ ଖ୍ରୀଷ୍ଟ ଯୋଦ୍ଧାଙ୍କ ଶବରେ ଛାଇଗଲା ପ୍ରାନ୍ତ । ସାଲାଦ୍ଦିନର ବଜ୍ର ଆଜ୍ଞା । ସାଧାରଣ ଲୋକଙ୍କ ଦେହରେ ଯେ ଟିପ ମାରିବ, ସେ ହେବ ତାଙ୍କର ଶତ୍ରୁ । ‘ଆଲ୍ଲା! ତମେ ହିଁ ସତ୍ୟ ।’ ଭୂମି ଉପରେ ମୁଣ୍ଡ ଥାପି କହୁଛନ୍ତି ଅସଂଖ୍ୟ ମୁସଲମାନ । ଭଗବାନଙ୍କ ଆଖିକୋଣରେ ଦୁଇଟୋପା ଅଶ୍ରୁ । ନୀରବରେ ବିଦାୟ ନେଇଛି ସୟତାନ୍ ।”

ସେପଟେ ଦୁଇଲକ୍ଷ ଭକ୍ତଙ୍କର ଉଲ୍ଲାସ କୁହାଟ । ମେଘଗମ୍ଭୀର ଶବ୍ଦରେ ରଥର ଜୈତ୍ର ଯାତ୍ରା । ଗଣମାଧ୍ୟମରେ ଭକ୍ତି ଜରଜର ଭାଷାର ଓ ଭାବର ଇନ୍ଦ୍ରଧନୁ ସପ୍ତରଙ୍ଗ । ଏପଟେ ନେତାର ଯୌନ ଅତ୍ୟାଚାରିତ ପାଗଳୀର ଶିଶୁହତ୍ୟା । କଂଟ୍ରାକ୍ଟରର ଆକାଶତ୍ରସ୍ତ କୋଠାର ଉଦ୍ଧତ, ଅଶ୍ଳୀଳ ଠିଆ ଠାଣୀ ।

ଘୋଷକ କହୁଛି ଗଦ୍ ଗଦ୍ ସ୍ୱରକୁ ବର୍ଣ୍ଣନା କରି ଭଗବତ ପ୍ରସାଦ ଲେଖିଛନ୍ତି ‘ଜଗନ୍ନାଥ ସାମ୍ୟର ଦେବତା! ଜଗନ୍ନାଥ ମୁକ୍ତିର ଦେବତା ।’ ଆମେ ଭାଷାରେ ଗଢ଼ନ୍ତି ଭବ୍ୟମହଲ ଯାହା ଶ୍ରୋତାର ଆଖିରେ ଛଳଛଳ ଲୁହ ଭରିଦିଏ । କିନ୍ତୁ ଶବ୍ଦର ଇନ୍ଦ୍ରଜାଲ ଘୋଡ଼ାଇ ପାରିବନି ପୁରୀ ଆକାଶରେ ଘୂରି ବୁଲୁଥିବା ଜଗନ୍ନାଥ ମନ୍ଦିରରେ ମାଡ଼ଖିଆ ମହିମିୟା ଦାସୁରାମର ବେଦନାର୍ତ୍ତ ଚିତ୍କାରକୁ କିମ୍ବା ଆହତ ଇସ୍କନ ଭକ୍ତର ବୁକୁଫଟା ଆର୍ତ୍ତନାଦକୁ । କାହିଁକି ଜଗନ୍ନାଥ ସବୁଦିନେ ରହିଥିବେ ‘ହିନ୍ଦୁ ନାଥ’ ହୋଇ? କ’ଣ କ୍ଷତି ହୋଇଯିବ ଯଦି ମନ୍ଦିରକୁ ଖୋଲି ଦିଆଯାଆନ୍ତା ସବୁ ମଣିଷଙ୍କ ପାଇଁ?- ପ୍ରଶ୍ନ କରିଛନ୍ତି ସେ । ମନେପକାଇଛନ୍ତି କସ୍ତୁରିବାଙ୍କ ଜଗନ୍ନାଥ ଦର୍ଶନ ପ୍ରସଙ୍ଗ ।

“ଏଇତ ! ସେଦିନ ଗାନ୍ଧୀ ଉପବାସ କରିଥିଲେ କସ୍ତୁରବା ଅସ୍ପୃଶ୍ୟ ନିବାରିତ ମନ୍ଦିରକୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ ବୋଲି । ଇତିହାସ ପୃଷ୍ଠାର ସେ କଳଙ୍କକୁ କେମିତି ଧୋଇପାରିବେ ଭଜନ ପାଗଳ ବାମନ ଭକ୍ତ ଦଳ? କେତେ ସହଜରେ ଏଇ ଲକ୍ଷଲକ୍ଷ ଭକ୍ତଙ୍କୁ କରିହେବ ରକ୍ତକ୍ଷରା? ଗୋଟିଏ ମିଛ ଜନଶ୍ରୁତି, ଖଣ୍ଡ ଖଣ୍ଡ କରିଦେବ ଯୁଗ ଯୁଗର ସାମ୍ପ୍ରଦାୟିକ ଶାନ୍ତି ଓ ସଦ୍ଭାବନାକୁ । ଲିଭିଯିବ ଅଗଣିତ ମଣିଷର ଜୀବନ ଦୀପ । ସମୃଦ୍ଧ ଜନପଦ ହେବ ଶ୍ମଶାନସ୍ଥଳୀ । ଭାସି ଆସୁଛି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ତତଲା ସ୍ୱର ‘ଭାଗବତକାର ! ତମକୁ କେମିତି ଲାଜ ଲାଗିଲାନି ଏମିତି ମିଥ୍ୟା ସବୁ ତମ ଗ୍ରନ୍ଥରେ ଭର୍ତ୍ତି କରିଦବା ପାଇଁ? ଠିକ୍ ଅନୁରୂପ ସ୍ୱରରେ କହୁଛନ୍ତି ସତ୍ୟବାଦୀର ପୁଣ୍ୟ ପୁରୁଷ ପଣ୍ଡିତ ନୀଳକଣ୍ଠ ଦାଶ ।

ଧର୍ମଗ୍ରନ୍ଥର ସମାଲୋଚନା

ସମୟ ଆସିଛି ଯେତେବେଳେ ପ୍ରତି ଧର୍ମଗ୍ରନ୍ଥର ଅବିଚାରପୂର୍ଣ୍ଣ ଅଂଶଗୁଡ଼ିକର ସମାଲୋଚନା ହେବା ଦରକାର:

‘ଦାର୍ଢ଼୍ୟତା ଭକ୍ତି? ସେଠାରେ ରହିଛି ଅସଂଖ୍ୟ ଭାକ୍ତିକ ମିଥ୍ୟାଭରା ଅଲୌକିକ ଗଳ୍ପଗୁଡ଼ିଏ ।’ ଭାକ୍ତିକ ମିଥ୍ୟାର ଅବାଧ ପ୍ରୟୋଗ ସମସ୍ତ ଧର୍ମରେ । ଭାଗବତର ଅଜାମିଳ ବିପ୍ର ଉପାଖ୍ୟାନ ହେଉଛି ପାପ ପାଇଁ ଲାଇସେନ୍ସ । ‘ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।’ ଜଗନ୍ନାଥ ହେଉଛନ୍ତି ସପ୍ଲାଇ ଅଫିସର – ଏକ ଲାଇସେନ୍ସ, ପାପ କରିବା ପାଇଁ । ପ୍ରଗଳଭା ବକ୍ତାଙ୍କ କଣ୍ଠରେ ଅସଂଖ୍ୟ ଭାକ୍ତିକ ମିଥ୍ୟା ଓ ଭକ୍ତିର ଭବ୍ୟ ମଧୁର ସାହିତ୍ୟିକ ଉଚ୍ଚାରଣ କେବଳ ଅଶିକ୍ଷିତ କାହିଁକି, ଶିକ୍ଷିତ ବ୍ୟକ୍ତିମାନଙ୍କୁ ମଧ୍ୟ କରାଉଛି ପଥଭ୍ରଷ୍ଟ । ପୃଥିବୀ ବନ୍ଦିତ ଯେଉଁ ହିନ୍ଦୁଧର୍ମ, ସେହି ହିନ୍ଦୁଧର୍ମ କହେ ପାପକର୍ମ କଲେ ଭଗବାନ ମଧ୍ୟ ନିସ୍ତାର ପାଇବେନି । ତୁଳସୀର ସତୀତ୍ୱ ନାଶକାରୀ ଭଗବାନ ହୋଇଗଲେ ପଥର । ତାଙ୍କୁ ଅନବରତ କାଟି ଚାଲିଲା କୀଟ । ଭଗବାନ ନିଜେ ଯୁଧିଷ୍ଠିରଙ୍କୁ ପ୍ରେରିତ କଲେ ମିଛ କହିବାପାଇଁ । ଯୁଧିଷ୍ଠିର କହିଲେ, ‘ଅଶ୍ୱତ୍ଥାମା ମରିଗଲା, ଯେଉଁ ଅଶ୍ୱତ୍ଥାମା ମରିଗଲା ସେ ମଣିଷ କିମ୍ବା ହାତୀ ହୋଇପାରେ ।’ ଯୁଧିଷ୍ଠିର କଥନର କେବଳ ପ୍ରଥମ ଅଂଶ ଶୁଣି ପାରିଲେ ଗୁରୁ ଦ୍ରୋଣ । ଦ୍ୱିତୀୟ ଅଂଶ ଯୁଧିଷ୍ଠିର କହିଲା ବେଳେ ଶ୍ରୀକୃଷ୍ଣ ବଜାଇଦେଲେ ଶଙ୍ଖ । ପାପ କଥନ ପାଇଁ ଯୁଧିଷ୍ଠିର ଦେଖିଥିଲେ ନର୍କ । କୁରୁକ୍ଷେତ୍ରର ଅନ୍ୟାୟ ଉପଦେଶ ଯୋଗୁଁ ଶ୍ରୀକୃଷ୍ଣ ସବାନ୍ଧବ ହୋଇଗଲେ ନାଶ ।

ଧର୍ମ ଯେତେବେଳେ ହୋଇଯାଏ ଅଫିମ (ମାର୍କ୍ସ) ବା ମଦ ଭଳି ନିଶା, ଯେତେବେଳେ ଭକ୍ତି ଜୁଡ଼ୁବୁଡ଼ୁ ମଣିଷ ହିଂସାର ରାସ୍ତାରେ ଯାଏ, ଭୁଲିଯାଏ ମାନବଧର୍ମୀ ମୂଲ୍ୟବୋଧ ଗୁଡ଼ିକୁ ।

ସ୍ୱାର୍ଥପର ବ୍ୟକ୍ତିମାନେ ଗୀତାରେ ମିଶାଇଛନ୍ତି ଅନେକ ନିଶାଧର୍ମୀ ଶ୍ଳୋକ । ‘ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱାଂ ସର୍ବପାପେଭ୍ୟ: ମୋକ୍ଷୟିଷ୍ୟାମି ମା ଶୁଚଃ’ ଏଭଳି ଏକ ପ୍ରକ୍ଷିପ୍ତ ‘ପାପ ଲାଇସେନ୍ସ ଦିଆ ଶ୍ଳୋକ, କେବଳ ମୋର ଶରଣ ନିଅ, ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିବି’ କହିଥିବା ଭଗବାନ କେମିତି କହିଲେ-

‘ନାଦତ୍ତେ କସ୍ୟଚିତ୍ ପାପଂ, କସ୍ୟଚିତ୍ ସୁକୃତଂ ବିଭୁଃ

ଅଜ୍ଞାନେନାବୃତ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ’?

ପାପ କିମ୍ବା ପୁଣ୍ୟ ମୋର ସୃଷ୍ଟ ନୁହେଁ । ପାପ କରେ ମଣିଷ ଅଜ୍ଞାନଯୋଗୁଁ, ସାତ୍ତ୍ୱିକ ଜ୍ଞାନ ହେଉଛି ‘ଅବିଭକ୍ତଂ ବିଭକ୍ତେଷୁ …’ଅର୍ଥାତ୍ ସମସ୍ତଙ୍କୁ ଗୋଟିଏ ପରିବାରର ଲୋକ ବୋଲି ଭାବିବା (ବ୍ୟସୁଦେବ ସର୍ବମିତି) ।

କୌଣସି ଦେବତା ପ୍ରତି ଅନ୍ଧ ଭକ୍ତି ସୃଷ୍ଟି କରିପାରେ ଆତଙ୍କବାଦୀ କିମ୍ବା ଫାସିଷ୍ଟ

ହିନ୍ଦୁତ୍ୱବାଦୀମାନେ ମୁସଲମାନ ବିଦ୍ୱେଷ ପ୍ରଚାର କଲାବେଳେ ଭୁଲିଯାଆନ୍ତି ଯେ, ଗୀତାର ଶ୍ରେଷ୍ଠ ଅଧ୍ୟାୟ ଭକ୍ତିଯୋଗରେ ଭକ୍ତର ଲକ୍ଷଣରେ ‘ମାମେକଂ ଶରଣଂବ୍ରଜ’ (ମୋର ଶରଣ ନିଅ) ଭକ୍ତିକୁ ଗୌଣ ସ୍ଥାନରେ ରଖାଯାଇଛି । ଭକ୍ତ କେବଳ ସିଏ ଯିଏ ‘ଅଦ୍ୱେଷ୍ଟାଃ ସର୍ବଭୂତାନାଂ’ (ସମସ୍ତଙ୍କ ପ୍ରତି ଦ୍ୱେଷଶୂନ୍ୟ), ମୈତ୍ରଃ (ମୈତ୍ରୀଯୁକ୍ତ), କରୁଣ (କରୁଣାଯୁକ୍ତ) ।

ଭକ୍ତିର ମୂଳଦୁଆ ହେଉଛି ସୁହୃଦତ୍ୱ, ଭଗବତ୍ ପ୍ରାର୍ଥନା ନୁହେଁ । ମୂଳଦୁଆ ନଥାଇ ଯେଉଁ ଭକ୍ତି, ସେଇ ଭକ୍ତି ହୁଏ ଫାସିବାଦର ପ୍ରସୂତିଶାଳା । କେବଳ ଗୋଟିଏ ଶ୍ଳୋକ ନୁହେଁ, ଭକ୍ତିଯୋଗର ସମସ୍ତ ଶ୍ଳୋକରେ ସେଇ ‘ସର୍ବଭୂତ ହିତେ ରତାଃ’ (ସବୁ ଜୀବନ୍ତ ପ୍ରାଣୀଙ୍କ ହିତ ସାଧନ) ହିଁ ମୁଖ୍ୟସ୍ୱର ।

‘କୋରାନରେ କେତେ ପଦ୍ୟଭାଗ ରହିଛି ଯାହା ହିଂସାକୁ ସମର୍ଥନ କରୁଛି । ମୁସଲମାନମାନେ ଏଇ ଦୁଃଖଦାୟକ ସତ୍ୟକୁ ସ୍ୱୀକାର କରିବା ଦରକାର ଯେ, ଇସଲାମର ଉଷାକାଳରେ ଏଭଳି ହିଂସାର ହୁଏତ କିଛି ଆବଶ୍ୟକତା ରହିଥିଲା, କିନ୍ତୁ ଆଜି ଇସ୍ଲାମ ପୃଥିବୀର ଦ୍ୱିତୀୟ ବୃହତ୍ତମ ଧର୍ମ । ପରିବର୍ତ୍ତିତ ପରିସ୍ଥିତିରେ ହିଂସାତ୍ମକ କାର୍ଯ୍ୟକଳାପ ତାର ଆବଶ୍ୟକତା ହରାଇ ବସିଛି ।’ ଜିଆଉଦ୍ଦିନ ସର୍ଦ୍ଦାରଙ୍କ ଏ କଥା ସତ୍ୟ ଯେ ଅନେକ ଭୁଲକଥା କରୁଥିବା ପୃଥିବୀର ସବୁ ଧର୍ମର ଗ୍ରନ୍ଥମାନଙ୍କରେ କିଛି ଅନ୍ୟାୟ କଥାରହିଛି ।

ସମୟ ଆସିଛି ଯେତେବେଳେ ପ୍ରତି ଧର୍ମଗ୍ରନ୍ଥର ଅବିଚାରପୂର୍ଣ୍ଣ ଅଂଶଗୁଡ଼ିକର ସମାଲୋଚନା ହେବା ଦରକାର । ତାହା ନକରି ଆମ ଉପନିଷଦ କହୁଛି ‘ସର୍ବେ ଭବନ୍ତୁ ସୁଖୀନଃ’ କିମ୍ବା ଆମ କୋରାନ୍ ମତରେ ଇସଲାମ ଅର୍ଥ ‘ଶାନ୍ତି’ କିମ୍ବା ଆମ ବାଇବେଲ ଶତ୍ରୁକୁ କ୍ଷମାଦେବାକୁ କହୁଛି ବୋଲି ସେ ଗ୍ରନ୍ଥର ଅଂଶକୁ ଅଭ୍ରାନ୍ତ ସତ୍ୟ ବୋଲି ଦାବୀ କରିବା ଅସମୀଚୀନ । ‘ସର୍ବେ ଭଦ୍ରାଣି ପଶ୍ୟନ୍ତୁ’ କହୁଥିବା ଉପନିଷଦ ଯୁଗ ହେଉଛି ‘ଅସ୍ପୃଶ୍ୟତା’ ଦୃଢ଼ୀଭୂତ ହେଉଥିବାର ଯୁଗ ।

ହିଂସା:

ମାନବ ସଭ୍ୟତାର ସବୁ ଦୁର୍ଦ୍ଦଶା ମୂଳରେ ରହିଛି ହିଂସା । କେବଳ ଶାରୀରିକ ଆଧିକ୍ୟ ଯୋଗୁଁ ପୁରୁଷ ସଜାଇଲା ନାରୀକୁ ଦାସୀ । ଶାରୀରିକ ଓ ମାନସିକ ବଳର ଦୁରୁପଯୋଗ କରି ମଣିଷ ପଶୁମାନଙ୍କୁ ବନାଇଲା ତା’ର ଦାସ ଓ ଭୋଗ୍ୟ । ପ୍ରଜାତି ଶୋଷଣ ଓ ଅତ୍ୟାଚାରର ଦ୍ୱିତୀୟ ପର୍ଯ୍ୟାୟରେ ମଣିଷ ଆଗେଇଗଲା ଅନ୍ୟ ମଣିଷ ପ୍ରତି ଅତ୍ୟାଚାର କରିବାକୁ । ଆର୍ଯ୍ୟଙ୍କ ଭଳି ଅତ୍ୟାଚାରୀ ସମ୍ପ୍ରଦାୟମାନେ ଲେଖିଲେ ଇତିହାସ । ଏ ଇତିହାସ କହିଲା ସଭ୍ୟତାର ବିକାଶ କରିଛନ୍ତି ଆର୍ଯ୍ୟ ଭଳି କେତେକ ଯୁଦ୍ଧଖୋର ଜାତି ।

ପାତଞ୍ଜଳି ଯୋଗଦର୍ଶନମୈତ୍ରୀ, କରୁଣା, ମୁର୍ଜତା, ଉପେକ୍ଷା

କେତେକେତେ ମାନବଧର୍ମୀ ଆଦର୍ଶବାଦ ଯେ ଫାସିବାଦର ଗହ୍ୱର ଭିତରକୁ ତା’ର ଅଜାଣତରେ ଗଳିପଡ଼ିଛି, ତାହା ଏ ଯୁଗର ଚିନ୍ତକଙ୍କୁ ଅଗୋଚର ନୁହେଁ । ମୋର ମନେହୁଏ ପାତଞ୍ଜଳି ଯୋଗଦର୍ଶନର ପ୍ରଥମ ଅଧ୍ୟାୟର ତେତିଶି ନମ୍ବର ସୂତ୍ରରେ ରହିଛି ଏ ସମସ୍ୟାର ସମାଧାନ । ସେଥିରେ ରହିଛି ଚାରୋଟି ମୂଲ୍ୟବୋଧର ସୂଚନା, ଯେଉଁଗୁଡ଼ିକର ପୂର୍ଣ୍ଣ ସଂଯୋଗ ରହିଛି ଉଚିତ ଆବେଗ ଓ ଉନ୍ନତ ବିଚାର ସହ । ସେ ଚାରୋଟି ହେଲା ମୈତ୍ରୀ, କରୁଣା, ମୁର୍ଜତା (ଅନ୍ୟକୁ ସାହାଯ୍ୟ କରୁଥିବା ଆନନ୍ଦ), ଉପେକ୍ଷା (ହିଂସା, ଘୃଣା, ଲୋଭ ଭଳି କ୍ଷତିକାରକ ‘ଆବେଗ’ର ପରିହାର) । ମୈତ୍ରୀ ଅବଶ୍ୟ ଫରାସୀ ରାଷ୍ଟ୍ର ବିପ୍ଳବର ଏକ ସ୍ଲୋଗାନ୍ ଥିଲା, କିନ୍ତୁ ବିପ୍ଳବୀମାନେ ସ୍ୱାଧୀନତା ଓ ସମତା ଉପରେ ଅତ୍ୟଧିକ ଗୁରୁତ୍ୱ ଦେବାରୁ ବିପ୍ଳବ ରକ୍ତକ୍ଷରା ହୋଇଗଲା । ପରିଶେଷରେ ‘ସ୍ୱେଚ୍ଛାଚାର’ ଗାଦୀରେ ଅଧିଷ୍ଠିତ ହୋଇଗଲା ନେପୋଲିଅନ୍ ରୂପରେ ।

ବ୍ୟକ୍ତି ଫାସିବାଦ:

ଗୁରୁବାଦ କିମ୍ବା ମହାଜନପ୍ରୀତିର ଆଧିକ୍ୟ ଗତିକରେ ଫାସୀବାଦର ରାସ୍ତା ଉପରେ । ମହାତ୍ମାଗାନ୍ଧୀଙ୍କୁ ଚିଠି ଲେଖିଥିଲେ ରବି ଠାକୁର, ‘ଆପଣଙ୍କୁ ଏ ଦେଶର ଅଗଣିତ ଦେଶବାସୀ ଏତେ ବଡ଼ ଆସନ ଦେଉଛନ୍ତି ଯେ, ଭାରତରେ ନୈତିକ ଫାସିବାଦ ଅଭ୍ୟୁତ୍ଥାନ ସମ୍ଭାବନା ମୋ ମନରେ ଆତଙ୍କ ସୃଷ୍ଟି କରୁଛି । ମୁକ୍ତବିଚାର ମଣିଷର ସର୍ବଶ୍ରେଷ୍ଠ ସମ୍ପଦ ।’

ନିଛକ ସତ୍ୟକଥା କହିଥିଲେ ରବି ଠାକୁର । ଭୃତ୍ୟଭକ୍ତି ସାମନ୍ତବାଦର ଥିଲା ମୁଖ୍ୟ ଉପାଦାନ । ଶକ୍ତିମାନ ସମ୍ରାଟଙ୍କ ଆଦେଶରେ ଅନୁଗତ ସାମନ୍ତଙ୍କ ମଧ୍ୟରୁ କେହି ଆତ୍ମବଳିଦାନ ପାଇଁ ସର୍ବଦା ଥିଲେ ପ୍ରସ୍ତୁତ । ଆଧୁନିକ ଭାରତରେ ଜନପ୍ରିୟ ଫିଲ୍ମତାରକାଙ୍କ ମୃତ୍ୟୁରେ ମ୍ରିୟମାଣ ଭକ୍ତଙ୍କ ଆତ୍ମାହୁତି ସମ୍ବାଦ ଖବର -କାଗଜରେ ପଢ଼ିବାକୁ ମିଳେ ବେଳେ ବେଳେ । ଗାନ୍ଧୀଙ୍କୁ ଭଗବାନଙ୍କ ଅବତାର ଭାବୁଥିବା ବ୍ୟକ୍ତିଙ୍କ ସଂଖ୍ୟା ପରାଧୀନ ଭାରତରେ କମ୍ ନଥିଲା । ଗାନ୍ଧୀ ସେ ବିଷୟରେ ଯଥେଷ୍ଟ ସଚେତନ ଥିବାଯୋଗୁଁ ଗାନ୍ଧୀମନ୍ଦିର ଗଢ଼ିବା ସମ୍ଭବ ହୋଇ ନଥିଲା । ପ୍ରାଚୀନ ଭାରତୀୟ ମାନସ ଆବିଷ୍କାର କରିପାରିଛି ବ୍ୟକ୍ତି ଫାସିବାଦର ଧ୍ୱଂସକାରୀ ଅମୋଘ ଅସ୍ତ୍ର ।

ମହାଭାରତରେ ଲେଖାଅଛି ଯୋଗୀ (ବ୍ରାହ୍ମଣ) ସମ୍ମାନ ଅପେକ୍ଷା ଅସମ୍ମାନକୁ ଅଧିକ ଗୁରୁତ୍ୱ ଦେବା ଉଚିତ । ନିଜ ବିବେକର ତାଡ଼ନାରେ ଗାନ୍ଧିଜୀ ଦରକାରବେଳେ ଜନମତ-ବିରୋଧୀ ପଦକ୍ଷେପ ଗ୍ରହଣ କରୁଥିଲେ ଯଥା-ଚୌରିଚୌରା ଘଟଣାରେ ଅସହଯୋଗ ଆନ୍ଦୋଳନର ପ୍ରତ୍ୟାହାର । କଂଗ୍ରେସର ସଂଖ୍ୟାଧିକ ସଭ୍ୟଙ୍କ ମତକୁ ଓ ନିଜର ବିବେକକୁ ସମାନ ସମ୍ମାନ ଦେଇ ଗାନ୍ଧିଜୀ କଂଗ୍ରେସ ଦଳର ସଭ୍ୟପଦ ତ୍ୟାଗ କରିଥିଲେ । ଗାନ୍ଧିଜୀଙ୍କ ପାଇଁ ଅହିଂସା ଥିଲା ଏକ ବ୍ରତ, ଏକ ସାମୟିକ ପଦକ୍ଷେପ ନୁହେଁ । ପାକିସ୍ତାନକୁ ତାର ପ୍ରାପ୍ୟ ଟଙ୍କା ଦେବାକୁ ଭାରତ ସରକାରଙ୍କ ଉପରେ ଚାପ ଦେବା ଗାନ୍ଧୀଙ୍କର ଆଉ ଏକ ଜନପ୍ରିୟ ଅଥଚ ବିବେକସମ୍ମତ ପଦକ୍ଷେପ । ଗାନ୍ଧିଜୀଙ୍କ ଅନ୍ତିମବର୍ଷର ମାତୃତ୍ୱ ସାଧନା ତାଙ୍କ ଶିଷ୍ୟମାନଙ୍କୁ ବି କୃଦ୍ଧ କରିଥିଲା ଓ ନିର୍ମଳ କୁମାର ବସୁଙ୍କ ଭଳି ବିଜ୍ଞବ୍ୟକ୍ତିଙ୍କୁ ତାଙ୍କ ସଙ୍ଗ ତ୍ୟାଗ କରିବା ପାଇଁ ପ୍ରେରିତ କରିଥିଲା । ଗାନ୍ଧୀ ଥିଲେ ଅଟଳ । ତାଙ୍କ ପାଇଁ ଜନପ୍ରିୟତ୍ୱ ଅପେକ୍ଷା ଅଧିକ ଉଚ୍ଚସ୍ଥାନରେ ଥିଲା ତାଙ୍କର ବିବେକ । ଇସିଆ ବର୍ଲିନଙ୍କ ଭାଷାରେ ସେ ଥିଲେ ରବି ଠାକୁରଙ୍କ ଭଳି ଆଉ ଜଣେ ଭାରତୀୟ ଯେ ଦୁଇ ବିବାଦମାନ ବିଦ୍ୱାନ ଗୋଷ୍ଠୀର (ପ୍ରାଚ୍ୟ ଓ ପାଶ୍ଚାତ୍ୟ) ଶତ୍ରୁତା ଓ ସମାଲୋଚନାକୁ ତଥା ଅପମାନସୂଚକ ମନ୍ତବ୍ୟକୁ ସତ୍ୟର ଆରାଧନା ପାଇଁ ବରି ନେଇଥିଲେ ଅକାତରରେ ।

ଆହତ ପୌରୁଷ:

ଭାରତର ସବୁ ମଣିଷ କୌଣସି ନା କୌଣସି ଦୃଷ୍ଟିରୁ ସଂଖ୍ୟାଲଘୁ ଗୋଷ୍ଠୀର । ଭାରତବର୍ଷର ଇତିହାସକୁ ଯେଉଁଭଳି ଭାବରେ ଚିତ୍ରିତ କଲେ ବ୍ରିଟିଶ ଐତିହାସିକମାନେ, ସେଥିରେ ଭାରତୀୟ ମାନସ ହୋଇଉଠିଲା ଆହତ ପୌରୁଷର ପାନ୍ଥଶାଳା । ସଂଖ୍ୟାଲଘୁ ଶ୍ରେଣୀ ସଭ୍ୟତ୍ୱଜନିତ ଗୌଣଭାବନା ଓ ଆହତ ପୌରୁଷଗ୍ରସ୍ତ ଚେତନା ପ୍ରାୟ ସମସ୍ତ ଶିକ୍ଷିତ ଭାରତୀୟ ମାନସକୁ କରିଦେଇଛି ଭୀତିପ୍ରବଣ ଓ ପରିଣାମରେ ଆକ୍ରାମକ ଭାବନାଯୁକ୍ତ । ଏ ବାତାବରଣରେ କୌଣସି ଅନ୍ଧାସକ୍ତି ଧାରଣା ଅତି ସହଜରେ ପ୍ରବେଶ କରିପାରିବ ଭାରତୀୟ ମାନସ । ଊନବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଭାରତୀୟ ମନୀଷୀ ଆତ୍ମସନ୍ତୋଷ ପାଇଥିଲା ଭାରତର ମହତ୍ତର (ୟୁରୋପଠୁ) ଆଧ୍ୟାତ୍ମିକତା ମହଲରେ ପ୍ରବେଶ କରି । ବଙ୍କିମଚନ୍ଦ୍ର, ବିବେକାନନ୍ଦ, ଅରବିନ୍ଦ ତିନିଙ୍କର ଆଦର୍ଶବାଦରେ ଥିଲା ଉଗ୍ରବାଦର ଗନ୍ଧ । ହିନ୍ଦୁ ଅସ୍ମିତା ତୃପ୍ତି ପାଇଥିଲା ବେଦାନ୍ତ ଆଧ୍ୟାତ୍ମିକତାର ଜୟଗାନରେ ।

ଦାର୍ଶନିକ ମାର୍ଥା ସି ନାସ୍ବାମ୍ ଠିକ୍ କହିଛନ୍ତି ଯେ, ଭାରତର ଆହତ ପୌରୁଷ ‘ହିନ୍ଦୁତ୍ୱବାଦ’ କୁ ପୁଷ୍ଟ କରୁଛି । ପୃଥିବୀର ଆଗୁଆ ଦେଶମାନଙ୍କର ମାର୍କ୍ସବାଦୀଙ୍କ ଅପେକ୍ଷା ଭାରତୀୟ କମ୍ୟୁନିଷ୍ଟ ଅଧିକ ମାତ୍ରାରେ ଷ୍ଟାଲିନ୍ ଓ ମାଓଙ୍କ ପ୍ରତି ଅନ୍ଧାସକ୍ତିର ଶିକାର । ସମ୍ଭବତଃ ‘ଆହତ ପୌରୁଷ’ର ଏସବୁ କରାମତି ।

ଭାରତ ଇତିହାସ ପଢ଼ୁ ନଥିବା ଅଶିକ୍ଷିତ ଭାରତୀୟ ଏତେ ମାତ୍ରାରେ ଅନ୍ଧାସକ୍ତି ଗ୍ରସ୍ତ ନୁହେଁ । କେବଳ ଗୁଜରାଟ ଛାଡ଼ିଦେଲେ ଭାରତର ଅନ୍ୟ କୌଣସି ଜାଗାରେ ସାମ୍ପ୍ରଦାୟିକ ଦଙ୍ଗା କେବଳ ଘଟିଛି ସହରରେ, ମଫସଲରେ ନୁହେଁ ।

ଆଗକୁ ଆସୁଛି ଭୟଙ୍କର ସମୟ:

ଆଗକୁ ଆସୁଛି ଭୟଙ୍କର ସମୟ । ଏତେବେଳେ ‘ଧର୍ମ’ ଭଳି ଏକ ମାନବୀୟ ଚେତନାଯୁକ୍ତ, ଶକ୍ତିଶାଳୀ ସାଧନକୁ ହିନ୍ଦୁତ୍ୱବାଦୀଙ୍କ ଭିତରେ ଟେକିଦେଲେ ଭାରତର ସର୍ବନାଶ ହୋଇଯିବ । କେବଳ ଗୋଟିଏ ଖ୍ରୀଷ୍ଟ ଉପଦେଶକୁ ‘ଭଗବାନଙ୍କ ଆଶୀର୍ବାଦ ରହିଛି ଗରିବଙ୍କ ପାଇଁ’କୁ ପାଥେୟ କରି ଖ୍ରୀଷ୍ଟାନ୍ ମୁକ୍ତିକାମୀ ଧର୍ମତତ୍ତ୍ୱ ମାଡ଼ିଗଲା ସମଗ୍ର ଲାଟିନ୍ ଆମେରିକାରେ ।

ଜୈନ, ବୁଦ୍ଧବଚନରେ ମହାଭାରତରେ ଭରି ହୋଇରହିଛି ଜୀବନଧର୍ମୀ ଓ ମାନବଧର୍ମୀ ଅଗଣିତ ବାର୍ତ୍ତା । ଯୋଗର ମୂଳ ଉପଦେଶ ହେଉଛି ଶୋଷଣ, ଯୁଦ୍ଧବିରୋଧୀ ପ୍ରକୃତି ମିତ୍ରତାଯୁକ୍ତ, ମୈତ୍ରୀପ୍ରଧାନ ଆଦର୍ଶବାଦ । ଯୁକ୍ତିବାଦୀ ଲୋକାୟତ ଦର୍ଶନରେ ମାନବବାଦ ନେଇଛି ଅତ୍ୟନ୍ତ ସୁସଂହତ ରୂପ । ବିଶିଷ୍ଟ ମାର୍କ୍ସବାଦୀ ବିଦ୍ୱାନ ଦେବୀପ୍ରସାଦ ଚଟ୍ଟୋପାଧ୍ୟାୟ ଜଡ଼ବାଦୀ ଖୋପ ଭିତରକୁ ଲୋକାୟତ ଦର୍ଶନକୁ ଠେଲିବାକୁ ଯାଇ ତାହା ପ୍ରତି କରିଛନ୍ତି ଅନ୍ୟାୟ ।

ଲୋକାୟତର ମୂଳଦୁଆ ନିଶ୍ଚିତ ଭାବରେ ଜଡ଼ବାଦ ପ୍ରସୂତ, କିନ୍ତୁ ଲୋକାୟତ ସମର୍ଥନ କରେ ଅହିଂସା ଓ ଇନ୍ଦ୍ରିୟ ଦମନକୁ । ଜଡ଼ବାଦର ଇଲାକାରେ ଏଭଳି ମୂଲ୍ୟବୋଧର ସ୍ଥାନ ନାହିଁ । ଲୋକାୟତ ଦାର୍ଶନିକଙ୍କ ସମ୍ପର୍କରେ ଲେଖାଯାଇଛି- Key concepts in eastern philosophy- Even their enemies seem to accept that they did not follow a policy of licentions behavior, but were generally self-controlled. They seem to have followed a policy of non-harm or Ahimsa rejecting violence and meat-eating.’ (P-199)

ଇନ୍ଦ୍ରିୟସଂଯମ ଓ ଅହିଂସା ଲୋକାୟତ ଦାର୍ଶନିକଙ୍କର ଥିଲା ଦୁଇଟି ମୁଖ୍ୟ ମୂଲ୍ୟବୋଧ । ତା’ଛଡ଼ା ଲୋକାୟତ ମତରେ ଚେତନା ଜଡ଼ଠୁ ଅଲଗା କିସମର ଏକ ଅବସ୍ଥା । ପ୍ରାକ୍-ବୈଦିକ ଭାରତର ତିନୋଟି ମୁଖ୍ୟ ସାଂସ୍କୃତିକ ଉପାଦାନ ଥିଲା ଯୋଗ, ଧର୍ମ ଓ ଲୋକାୟତ । ଯୋଗ ଓ ସାଂଖ୍ୟକୁ ଗୋଟିଏ ପର୍ଯ୍ୟାୟଭୁକ୍ତ କରି ଗୀତା କହୁଛି ‘ସାଂଖ୍ୟ ଯାହା, ଯୋଗ ସେଇଆ’ (ଏକଂ ସାଂଖ୍ୟଂ ଚ ଯୋଗଂ ଚ) । ମହାଭାରତ ଅନୁଯାୟୀ ପ୍ରାଚୀନ ଯୁଗରେ ଧର୍ମ ଥିଲା ଦୁଇଟି ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ଗୋଟିଏ ଥିଲା ମୈତ୍ରୀ, ଅନ୍ୟଟି ‘ଜମ’ ବା ଇନ୍ଦ୍ରିୟ ସଂଯମ (ଶାନ୍ତିପର୍ବ) । ମହାଭାରତ କହିଲା ସତ୍ୟ ଯୁଗରେ ଯଜ୍ଞର ଅସ୍ତିତ୍ୱ ନ ଥିଲା ।

‘ଅହିଂସ’ ବର୍ଣ୍ଣବୈଷମ୍ୟଶୂନ୍ୟ ପ୍ରାକ୍-ବୈଦୀୟ ଭାରତୀୟ ସଂସ୍କୃତି ହିନ୍ଦୁଧର୍ମର ମୁକ୍ତିକାମୀ ଧର୍ମତତ୍ତ୍ୱର ମୂଳଦୁଆ ପକାଇପାରିବ । ସାରା ବିଶ୍ୱର ମାନବସଭ୍ୟତାକୁ ଦିଗ୍ଦର୍ଶନ ଦେବା ସାମର୍ଥ୍ୟ ଓ ସମ୍ଭାବନା ଏ ସଂସ୍କୃତିରେ ରହିଛି ।

ବେଦ ପରବର୍ତ୍ତୀ ଭାରତୀୟ ସମାଜରେ ସୃଷ୍ଟି ହୋଇଥିଲା କର୍ମବାଦ, ବ୍ରହ୍ମବାଦ (ଆତ୍ମାବାଦ), ଯଜ୍ଞ-ଦାନ-ତପ(ଗୀତା) ପୁନର୍ଜନ୍ମ ଧାରଣା, ମୋକ୍ଷବାଦ ପ୍ରଭୃତି ଚିନ୍ତନ ପୁଞ୍ଜ । ଆପାତତଃ ମଧୁର ମନେ ହେଉଥିଲେ ମଧ୍ୟ ଏ ସମସ୍ତ ଚିନ୍ତନ-ପୁଞ୍ଜର ଘାତକ ରୂପ ମଧ୍ୟ ରହିଛି । ବର୍ଣ୍ଣବୈଷମ୍ୟ ଓ ଅସ୍ପୃଶ୍ୟତାକୁ ବିଧାନସମ୍ମତ କରିବା ଦିଗରେ ବେଶୀ ଅବଦାନ ରହିଛି କର୍ମବାଦ ଓ ଜନ୍ମାନ୍ତରବାଦର । ବ୍ରହ୍ମବାଦ(ଆତ୍ମାବାଦ)ର ମୂଳଦୁଆ ‘ଯୋଗ’ ଭଳି ଆବେଗିକ ମୂଲ୍ୟବୋଧରେ ନାହିଁ, ରହିଛି ଜ୍ଞାନରେ । ଉପନିଷଦ ଯୁଗରେ ଜ୍ଞାନ ହେଲା ପଣ୍ୟ । ରୈକ୍ୱ ଓ ଯାଜ୍ଞବଲ୍କ୍ୟ ଜ୍ଞାନକୁ ପଣ୍ୟ କରି ଧନୀ ହୋଇଯାଇଥିଲେ । ସୁଆଚରଣବର୍ଜିତ ଜ୍ଞାନ ଆଜିର ବିଜ୍ଞାନକୁ କରିଛି ମାନବଦ୍ୱେଷୀ ‘ମୋକ୍ଷବାଦ’ର ଅର୍ବାଚୀନତା ସୁବିଦିତ (ଲକ୍ଷ୍ମଣଶାସ୍ତ୍ର ଯୋଷୀ) । ‘ମୋକ୍ଷବାଦ’ର ସମାଜ ବିମୁଖତା ଭାରତୀୟ ସମାଜର ଯଥେଷ୍ଟ କ୍ଷତି କରିଛି ।

ଶେଷକଥା:

ଆଜି ସାରା ପୃଥିବୀ ବିଚାର ସଙ୍କଟରେ, ପ୍ରାଚୀନ ସଂସ୍କୃତିଠୁ ଛିନ୍ନ ମୂଳ ଭାରତୀୟ ମାନସ ଅତି ସହଜରେ ‘ଖାଉଟିବାଦ’ ଓ ‘ସାମ୍ପ୍ରଦାୟିକତା’ର ଶିକାର ହୋଇ ଯାଉଛି, ଆଚାର-ସର୍ବସ୍ୱ ଆଧ୍ୟାତ୍ମିକତା ଯଥା ରଥରେ ଜଗନ୍ନାଥ ଦର୍ଶନ, ବଡ଼ ଧରଣର ଯଜ୍ଞ, ତୀର୍ଥଭ୍ରମଣ, ମନ୍ଦିର ତିଆରି ଏ ଦୁଇଟି ସହ ସମାନ୍ତରାଳ ଗତିରେ ଚାଲିଛି । ଶୋଷଣ ଓ ଆଧୁନିକ କମ୍ପାନୀରାଜ ବିରୋଧରେ ଧର୍ମ ଏକ ଶକ୍ତିଶାଳୀ ଆୟୂଧ । ଏ ଆୟୂଧ ଉପରେ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଏକଚାଟିଆ ଅଧିକାର ଭାରତ ପାଇଁ ସାଂଘାତିକ ଭାବରେ କ୍ଷତିକାରକ । ରାଷ୍ଟ୍ରକ୍ଷେତ୍ରରେ ‘ଧର୍ମ ନିରପେକ୍ଷତା’ ସ୍ୱାଗତଯୋଗ୍ୟ କାରଣ ବେଦପୂର୍ବ ଭାରତୀୟ ସଂସ୍କୃତି ଭଳି ଆଧୁନିକ ବିଶ୍ୱର ହିନ୍ଦୁ ସମେତ କୌଣସି ଧର୍ମର ସଂସ୍କୃତି-ଆଚାର-ଈଶ୍ୱରବର୍ଦ୍ଧିତ ନୁହେଁ ।

ଭଗବତ ପ୍ରସାଦଙ୍କ ଆହ୍ୱାନ ଥିଲା ଯେ, ଭାରତର ପ୍ରଧାନ ପ୍ରଧାନ ତତ୍ତ୍ୱବିତମାନେ ନିଜ ଚିନ୍ତନ ଖୋପରେ ବନ୍ଦୀ ନହୋଇ ଭାରତୀୟ ସଂସ୍କୃତିର ଉଜ୍ଜଳତମ ଦିଗଗୁଡ଼ିକୁ ଆପଣେଇ ନନେଲେ ସେମାନେ ଜନତାର ସମର୍ଥନ ଲାଭ କରିପାରିବେନି । ଏ ବିଷୟରେ ମୁକ୍ତ ଆଲୋଚନାର ଆବଶ୍ୟକତା ପ୍ରଚଣ୍ଡ ।

Comments

0 comments

Share This Article
Ms Swayamprava Parhi is an artist and a cultural journalist. She is the Chief Editor of Samadhwani Cultural Magazine (www.samadhwani.com), and director of Samadrusti Mukta Vidyalaya. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She also happens to be a Documentary Filmmaker.