ଦାଦନର ଅଭିଧାନ

ବିନୋଦ
ବିନୋଦ226 Views
33 Min Read

ଅର୍ଥନୀତିର ସୁପରିଚାଳନାର ଅଭାବ, ସ୍ଥାନୀୟ ସମସ୍ୟା ପ୍ରତି ସରକାରଙ୍କ ଦୂରଦୃଷ୍ଟିର ଅଭାବ, ପ୍ରାକୃତିକ ସମ୍ପଦର ସୁବିନିଯୋଗରେ ତ୍ରୁଟି, ମାଟି ଓ ମଣିଷର ସମସ୍ୟା ପ୍ରତି ପ୍ରଶାସନିକ ସ୍ତରରେ ଆଖିବୁଜି ଦେବାରୁ ହିଁ ଜାତ ହେଉଛି ବସ ଓ ବାସର ସମସ୍ୟା । ନୈସର୍ଗିକ ପ୍ରକୃତି ଉପରେ ମଣିଷର ସମାନ ଅଧିକାର ରହିଛି । ପ୍ରକୃତି କୋଳରେ ମଣିଷର ଜନ୍ମର ଅଧିକାର ରହିଛି, ବଞ୍ଚିବାର ହକ୍ ରହିଛି । ଏହି ଅଧିକାରକୁ କେହି ଛଡ଼ାଇ ନେଇପାରିବେ ନାହିଁ । ସମ୍ପଦର ଅସମାନତାଭିତ୍ତିକ ବଣ୍ଟନ ଯୋଗୁଁ ସମାଜରେ ଅନେକ ସମସ୍ୟା ସୃଷ୍ଟି ହେଉଛି । କେଉଁମାନେ କୋଠାରେ ରହି ଅଜସ୍ର ସମ୍ପଦରେ ଡୁବିଛନ୍ତି ତ କେଉଁମାନେ ସାମାନ୍ୟ ଭାତ ମୁଠାଏ ପାଇଁ କୋମଳ ସନ୍ତାନର ମୁହଁକୁ ଦୂରେଇ କେଉଁ ଦୂରଦୂରାନ୍ତରେ ଖଟୁଛନ୍ତି । ଆଞ୍ଚଳିକ ସ୍ତରରେ ଦାରିଦ୍ର୍ୟର ପରିଚାଳନାର ଅଭାବ, ସ୍ଥାନୀୟ ପ୍ରଶାସନର ଅମନଯୋଗିତା, ସମ୍ପଦବଣ୍ଟନରେ ଭାରସାମ୍ୟର ଅଭାବ, ଦୁର୍ନୀତି ଆଦି କାରଣଯୋଗୁଁ ସମଗ୍ର ଦେଶରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଦାଦନ । ଦାଦନର ଇତିହାସ ବହୁପୁରୁଣା ।

ପ୍ରାଚୀନ ଭାରତରେ ବି ଦାଦନ ସମସ୍ୟା ରହିଥିଲା । ଜୀବିକା ସନ୍ଧାନରେ ଗୋଟିଏ ସ୍ଥାନରୁ ଗୋଟିଏ ସ୍ଥାନକୁ ଯିବା ପରି ସମସ୍ୟା ସେତେବେଳେ ରହିଥିଲା । ଏହା ସାଧାରଣତଃ ଦୁଇଟି ପ୍ରକାର ଥିଲା । ଗୋଟିଏ ହେଉଛି ନିଜଇଚ୍ଛାରେ ଜୀବିକା ସନ୍ଧାନ ପାଇଁ ସ୍ଥାନାନ୍ତରିତ ହେବା । ଅନ୍ୟଟି ହେଉଛି ବିକାଶମୂଳକ କାର୍ଯ୍ୟସକାଶେ ଲୋକଙ୍କୁ ଗୋଟିଏ ସ୍ଥାନରୁ ଆଉଗୋଟିଏ ସ୍ଥାନକୁ ନେବା । ଦୁଇଟିଯାକ କ୍ଷେତ୍ରରେ ଦେଖାଯାଇଛି ଏହି ସମସ୍ୟାର ପ୍ରଭାବ ସୁଦୂରପ୍ରସାରୀ । କିଛିଦିନ ସକାଶେ ଲୋକମାନେ ସ୍ଥାନାନ୍ତରିତ ହେବା ଯୋଗୁଁ ସ୍ଥାୟୀ ଭାବେ ସେମାନେ ଦାଦନ ଶ୍ରମିକରେ ପରିଣତ ହୋଇଯାଇଥାନ୍ତି । କାରଣ ଥରେ ଭିଟାମାଟି ଛାଡ଼ିବା ପରେ ସେମାନେ ସ୍ଥାନୀୟ ଇଲାକାର ପ୍ରଚଳିତ ଅର୍ଥନୀତିରୁ ବାଦ ପଡିଥାନ୍ତି ଯାହାକୁ ସେମାନେ ସଜାଡ଼ିବା ସମ୍ଭବ ହୋଇପାରି ନଥାଏ । ପୁଣି ସ୍ଥାନୀୟ ପ୍ରଶାସନ ଦାଦନ ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ ନ କରିବା, ସ୍ଥାନୀୟ ଅଧିବାସୀଙ୍କ ସମସ୍ୟା ପ୍ରତି ଧ୍ୟାନ ନଦେବା ଆଦି କାରଣରୁ ଦାଦନ ସମସ୍ୟା ଉକ୍ରଟ ଆକାର ଧାରଣ କରିଥାଏ । ଦାଦନ ଏକ ଆକସ୍ମିକ ଘଟଣା ନୁହେଁ ବା ଏକ ପକ୍ରିୟା ନୁହେଁ । ଏହା ଏକ ମାନବାକୃତ ସମସ୍ୟାର କୁଫଳ । ଏହାଦ୍ୱାରା ଗୋଟିଏ ସ୍ଥାନର ମାନବ ଶକ୍ତି ଅନ୍ୟଠାରେ ବିନିଯୋଗ ହୋଇଥାଏ । ନାନାପ୍ରକାର ଆଇନଶୃଙ୍ଖଳା ସୃଷ୍ଟି ହୋଇଥାଏ । ଦାଦନ ଶ୍ରମିକମାନେ ଯଦିଓ ଆର୍ଥିକ ସମସ୍ୟାର ସମାଧାନ କରିଥାନ୍ତି ମାତ୍ର ତାହା ସ୍ଥାୟୀ ଭାବେ ହୋଇ ନଥାଏ ।

ଅଧିକାଂଶ ଦାଦନ ଋଣଗ୍ରସ୍ତ ହୋଇ ହିଁ ବାହାରକୁ ଚାଲିଯାଇଥାନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପ୍ରତିପତ୍ତିଶାଳୀ ଲୋକଙ୍କୁ ବ୍ୟାଙ୍କ ସହାୟତା ଯୋଗାଉଥିବା ସତ୍ତ୍ୱେ ଗରିବଲୋକମାନଙ୍କୁ ସହାୟତାର ବଢାଇ ନଥାନ୍ତି । ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ରହିଯାଇଥାଏ । ଫଳରେ ଯୋଜନା ତିଆରି ହୁଏ, ଅର୍ଥ ଆସେ, ଏହାର ବିନିଯୋଗ ପତ୍ର ଦାଖଲ ହୁଏ ମାତ୍ର ଲୋକମାନେ ଏହି ଯୋଜନା ସମ୍ପର୍କରେ ଜାଣିପାରନ୍ତି ନାହିଁ । ଫଳ ଏହା ହୁଏ ଯେ, ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ବାଟବଣା ହୁଏ ।

ଭାରତରେ ଯେତେ ନଦନଦୀ ରହିଛି ତାହା ଅନ୍ୟ କୌଣସି ଦେଶରେ ନାହିଁ । ଭାରତରେ ଯେତିକି ପ୍ରାକୃତିକ ସମ୍ପଦ ଭରିରହିଛି ତାହା ଅନ୍ୟ କୌଣସି ଦେଶରେ ଦେଖାଯାଏ ନାହିଁ । ଭାରତର ପାଣିପାଗ ବିଶ୍ୱର ଶ୍ରେଷ୍ଠ ପାଣିପାଗଭିତ୍ତିକ ଦେଶ ମଧ୍ୟରୁ ଗୋଟିଏ । ଭାରତର ଅଧିକାଂଶ ରାଜ୍ୟ ନଦୀବହୁଳ । ମାତ୍ର ସୁପରିଚାଳନାର ଅଭାବ, ରାଜ୍ୟରୁ କେନ୍ଦ୍ର ଯାଏ ସମନ୍ୱୟର ଅଭାବ ଯୋଗୁଁ ନା ମରୁଡିର ନା ବନ୍ୟାର ସଫଳ ମୁକାବିଲା କରାଯାଇପାରୁଛି । ଏହା ଯୋଗୁ ଫସଲ ବ୍ୟାପକଭାବେ ନଷ୍ଟ ହୋଇଥାଏ । ଲୋକମାନେ ଖାଇବାକୁ ନପାଇ ବାଧ୍ୟ ହୋଇ ଭିଟାମାଟି ଛାଡ଼ନ୍ତି ।

ଅତୀତରେ ଭାରତରେ ଅନେକ ବାର ଦୁର୍ଭିକ୍ଷ ପଡିଥିଲା । ଦୁର୍ଭିକ୍ଷଗୁଡିକ ଥିଲା ମାନବାକୃତ । କେନାଲ ଖୋଳିବାରେ ଅବହେଳା, ଖାଦ୍ୟାଭାବଜନିତ ସମସ୍ୟାର ଆକଳନରେ ତ୍ରୁଟି, ସରକାରଙ୍କ ନିକଟରେ ଭୁଲ ତଥ୍ୟ ଉପସ୍ଥାପନ ଆଦି କାରଣରୁ ଦୁର୍ଭିକ୍ଷ ଭୟାବହ ହୋଇଥାଏ । ଦୁର୍ଭିକ୍ଷ ସମୟରେ ସେତେବେଳେ ଦାଦନ ସମସ୍ୟା ବହୁତ ହୋଇଥିଲା । ଗୋଟିଏ ଗଡ଼ଜାତରୁ ଅନ୍ୟଏକ ଗଡ଼ଜାତକୁ ଲୋକମାନେ ଚାଲି ଯାଉଥିଲେ । ସେଠାରେ ପ୍ରାସାଦ ନିର୍ମାଣ ହେଉ କି ଗଡ଼ ନିର୍ମାଣ ହେଉ ବା ଅନ୍ୟ କିଛି- ଏହା ଜରିଆରେ ଲୋକମାନେ କିଛି କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ଏହି ସମସ୍ୟାର ସମାଧାନ ନିମନ୍ତେ କୌଣସି ସ୍ଥାୟୀ ବ୍ୟବସ୍ଥା ନ ଥିଲା ।

ପୂର୍ବ କାଳରେ ରାଜା ମହାରାଜାମାନଙ୍କ ତଥାକଥିତ ସୁପର୍ମାସି ଯୋଗୁଁ ଦାଦନ ଶ୍ରମିକ ପ୍ରଥାକୁ ସାମାଜିକୀକରଣ କରାଯାଇଥିଲା । କୋଣାର୍କ ହେଉ ବା ପୁରୀ ମନ୍ଦିର, ବିନ୍ଦୁସାଗର ହେଉ ବା ଅନ୍ୟ କୌଣସି ପ୍ରାଚୀନ କୀର୍ତ୍ତି, ସବୁଠାରେ ବାହାର ଲୋକଙ୍କୁ ଅଣାଯାଇ ବଳଦ ଭଳି ଖଟାଯାଉଥିଲା । ପ୍ରାପ୍ୟ କଥା କହିଲେ ମୁତ୍ୟୁ ଦଣ୍ଡ/ଦେଶାନ୍ତର ଦଣ୍ଡ ମିଳୁଥିଲା । ଘରବାରି କୋରକ ହୋଇଯାଉଥିଲା । ରାଜାମାନେ ତଥାକଥିତ ଦେବତାମାନଙ୍କ ପ୍ରିୟପାତ୍ର ହେବା ପାଇଁ ସମଗ୍ର ମାନବସମାଜକୁ ପଶୁତୁଲ୍ୟ ଦେଖୁଥିଲା । କୋଣାର୍କ ଗଢ଼ିବା ନିମନ୍ତେ ୧୨୦୦ ପରିବାରକୁ ବରବାଦ କରିଦିଆଯାଇଥିଲା । ଏହାର ଧାରାବାହିକତା ହିଁ ଆଜିର ଦାଦନ ଶ୍ରମିକ । ଶିଳ୍ପାୟନକୁ ନିର୍ଦ୍ଦିଷ୍ଟ କେତେକ ଇଲାକାରେ ବାନ୍ଧିରଖିବା, ଅଧିକାଂଶ ଲୋକଙ୍କୁ ବିକାଶ ପ୍ରକି୍ରୟାଠାରୁ ଦୂରରେ ରଖିବା ଆଦି କାରଣରୁ ଦାଦନଶ୍ରମିକ ବଳଶାଳୀ ହେବାରେ ଲାଗିଲା ।

ଭାରତରେ ବିଶେଷ କରି ଅଶୀ ଦଶକରେ ଦାଦନ ଶ୍ରମିକ ସବୁଠାରୁ ଅଧିକ ହୋଇଥିଲା । ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ(ନିୟନ୍ତ୍ରଣ) ଆଇନ-୧୯୭୯ କାର୍ଯ୍ୟକାରୀ ହେଲା ସତ, ମାତ୍ର ଏହା ଯୋଗୁ ଦାଦନ ପରି କୁତ୍ସିତ ସମସ୍ୟାକୁ ରୋକାଯାଇପାରିଲା ନାହିଁ ବରଂ ସରକାରୀ ସ୍ୱୀକୃତ ଭାବେ ଏହା ଅବାଧରେ ଚାଲିଲା ଏବଂ ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲା । ଫଳ ଏହା ହେଲା ଯେ, କେଉଁ ଲୋକ କେଉଁ ଦେଶକୁ ଗଲେ ତାହାର ପତ୍ତା ମିଳିଲା ନାହିଁ । ଏପରିକି କେତେକ ଠିକାଦାର ଲୋକମାନଙ୍କୁ ଫୁସୁଲାଇ ନେଇ ସେମାନଙ୍କୁ ବିକ୍ରି କରିଦେଇ ଆସିବା ପରି ଗୁରୁତର ଅଭିଯୋଗ ଆସିଲା । ସାମ୍ବିଧାନିକ ନିୟମ ଅନୁସାରେ ଜୀବନଜୀବିକା ପାଇଁ ଯେକୌଣସି ନାଗରିକ ଦେଶର ଯେକୌଣସି ସ୍ଥାନକୁ ଅବାଧ ବିଚରଣ କରିପାରିବ । ମାତ୍ର ଉପରୋକ୍ତ ଆଇନ ଏହା ଉପରେ କଟକଣା ଜାରି କରିଥାଏ । ଏହାସତ୍ତ୍ୱେ ଶ୍ରମ ବିଭାଗ, ପୋଲିସ, ସର୍ଦ୍ଦାରଙ୍କ ଗୁରୁତ୍ୱ ବଢ଼ିଲା ଏବଂ ଅବାଧରେ ଶ୍ରମିକ ଚାଲାଣ ଜାରିରହିଲା । ଆଇନ ଏହାକୁ ସ୍ୱୀକୃତି ଦେଲା ।

ସ୍ୱାଧୀନତା ପରେ ଭାରତରେ ନୂଆ ସରକାରର ପ୍ରଥମ କର୍ତ୍ତବ୍ୟ ଥିଲା ଦାଦନ ଶ୍ରମିକ ପ୍ରଥା ରୋକିବା । ମାତ୍ର ସରକାର ଗଠନର ସ୍ୱାଦୁ ଚାଖିବା ପରେ ଶିଳ୍ପାୟନ ପ୍ରତି ବିଶେଷ ଦୃଷ୍ଟି ଦିଆଗଲା ସିନା ଗ୍ରାମ୍ୟ ଅର୍ଥନୀତି ସଜାଡ଼ିବା ଦିଗରେ ଦୃଷ୍ଟି ଦିଆଗଲା ନାହିଁ । ଜମିଦାରୀ ପ୍ରଥା ଉଚ୍ଛେଦ ନ ହେବାରୁ ଅନେକ ଲୋକଙ୍କ ହାତରେ ବହୁଳ ପରିମାଣର ଜମି କେନ୍ଦ୍ରୀଭୂତ ହେଲା ଯାହାକୁ ମୁକୁଳାଇବା ଆଉ ସମ୍ଭବ ହେଲାନାହିଁ । ୧୯୬୦ ଦଶକବେଳକୁ ଓଡ଼ିଶାର ଲକ୍ଷାଧିକ ଲୋକ ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଟାଟକ, ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ଯାଇ ସେଠାରେ ଦାଦନ ଖଟିଲେ । କେହି କେହି ଗୋତିଶ୍ରମିକ ବି ହୋଇଗଲେ । କେହି କେହି ନିଜର ବଂଶ ପରିଚୟକୁ ହଜାଇ ସେହି ରାଜ୍ୟରେ ସତ୍ତାରେ ଲୀନ ହୋଇଗଲେ ।

ଓଡ଼ିଶାରେ ଦାଦନ ଶ୍ରମିକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । ପ୍ରତିବର୍ଷ ୨୦ଲକ୍ଷରୁ ଅଧିକ ଲୋକ ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଚାଲିଯାଇଥାନ୍ତି । ସେମାନଙ୍କ ମଧ୍ୟରୁ ୭୦ଭାଗ ଲୋକ ପୁଣି ଫେରିଆସୁଥିବା ବେଳେ କିଛିଭାଗ ଲୋକ ଅନ୍ୟତ୍ର ସ୍ଥାୟୀ ଭାବେ ରହିଯାଇଥାନ୍ତି । ଆଉ କିଛି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କାମଧନ୍ଦା ଆଶାରେ ଚାଲିଯାଇଥାନ୍ତି । ବାହାରକୁ ଯାଉଥିବା ଲୋକଙ୍କ ମଧ୍ୟରୁ ମାତ୍ର ୫୦ହଜାର ଲୋକଙ୍କ ନାମ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକରଣ ହେଉଛି । ଏହି ଲୋକମାନଙ୍କ ମଧ୍ୟରୁ ଅନେକ ବାହାର ଦେଶକୁ ବି ଚାଲିଯାଇଥାନ୍ତି । ଯେଉଁମାନେ ବାହାର ଦେଶକୁ ଯାଇଥାନ୍ତି ସେମାନେ ଅତ୍ୟନ୍ତ ସଂଗୀନ ଅବସ୍ଥାରେ ଥାଆନ୍ତି । ବିଶେଷକରି ରାଜନୈତିକ ଅସ୍ଥିରତା ହେବା ମାତ୍ରେ ସେମାନେ ନିଜ ଦେଶକୁ ଫେରିବା ପାଇଁ ବାଧ୍ୟ ହୋଇଥାନ୍ତି । ଲିବିୟା, ଇଜିପ୍ଟ ଆଦି ରାଷ୍ଟ୍ରରେ ଏହି ଧରଣର ଅସ୍ଥିରତା ଘଟିବା ଯୋଗୁଁ ଅନେକ ଲୋକ ସ୍ୱଦେଶକୁ ଫେରିଆସିଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ଅନେକ ଓଡ଼ିଆ । ଓଡ଼ିଶାରୁ ଅନେକ ଶ୍ରମିକ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଆଦି ରାଜ୍ୟକୁ କାମଧନ୍ଦା ପାଇଁ ଚାଲିଯାଉଥିବା ବେଳେ ସେମାନଙ୍କ ଜୀବିକା ନିରାପତ୍ତା ନଥାଏ । ପୂର୍ବରୁ ସୁରତ ଓ ମୁମ୍ବାଇରେ ଦୁଇ ଜଣ ବରିଷ୍ଠ ଶ୍ରମ ଅଧିକାରୀଙ୍କୁ ଦାଦନ ଶ୍ରମିକଙ୍କ ସମସ୍ୟାର ସମାଧାନ ଳାଗି ନିଯୁକ୍ତି ଦିଆଯାଇଥିଲା । ମାତ୍ର ସେମାନଙ୍କୁ ହଟାଇ ନିଆଯାଇଛି । ଆକଳନରୁ ଜଣଯାଇଛି ଯେ, ସୁରତରେ ୮ଲକ୍ଷ, ଗୁଜରାଟର ଗାନ୍ଧୀଧାମ, କାଣ୍ଡଲା, ଭାରୁଚ, ଓଲାଙ୍ଗାରେ ୩ଲକ୍ଷରୁ ଅଧିକ, ମୁମ୍ବାଇ ଓ ପୁନେରେ ୨ ଲକ୍ଷ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁରେ ୬ଲକ୍ଷ, ଜାମ୍ମୁକାଶ୍ମୀର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ୬ ଲକ୍ଷରୁ ଅଧିକ ଓଡ଼ିଆ ରହିଛନ୍ତି । ଯଦିଓ ସେମାନଙ୍କ ମଧ୍ୟରୁ ଅନେକେ ସମ୍ମାନଜନକ ଭାବେ ରହିଛନ୍ତି, ତଥାପି ୨୦ ପ୍ରତିଶତରୁ ଅଧିକ ଲୋକ ଅତ୍ୟନ୍ତ ଦୁର୍ଦ୍ଦିନ ସହକାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ଦାଦନ ଭାବେ ଖଟୁଥିବା ବେଳେ ଅନେକ ଗୋତିଶ୍ରମିକ ଭାବେ ଖଟୁଛନ୍ତି । କେହିକେହି ନିଜର ସମସ୍ତଙ୍କୁ ହରାଇ ପତ୍ତାହୀନ ଭାବେ ବଞ୍ଚିଛନ୍ତି । କେବଳ ସୁରତରେ ଓଡ଼ିଶା ସମେତ ୮-୧୦ଟି ରାଜ୍ୟର ୧୮ଲକ୍ଷରୁ ଅଧିକ ଲୋକ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଅନେକ ନିର୍ଯାତିତ ଓଡ଼ିଆ!

ଦାଦନ ଶ୍ରମିକପ୍ରଥା ବିଶେଷକରି ପଶ୍ଚିମ ଓଡ଼ିଶାରେ ବହୁଳ ଭାବେ ଦେଖାଯାଏ । ଏହାର କାରଣ ହେଲା ସାମାଜିକ ଅର୍ଥନୀତି । ସେହି ସବୁ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ଅର୍ଥନୀତି ପ୍ରତି କ୍ରମାଗତ ଭାବେ ଦୃଷ୍ଟି ଦେଲେନାହିଁ । ଉପଯୁକ୍ତ ସମୟରେ ଶିଳ୍ପାୟନ ହେଲାନାହିଁ । ସମ୍ବଳ ପରିଚାଳନାର ଅଭାବଯୋଗୁଁ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦୂରତା ବୃଦ୍ଧି ପାଇବାରେ ଲାଗିଲା । ଯେଉଁ ଲୋକମାନେ ଦାଦନ ଖଟିବାକୁ ଯାଆନ୍ତି, ସେମାନଙ୍କ ପରିବାରକୁ ଠିକାଦାର କିଛି ଟଙ୍କା ଦେଇ ନେଇଯାଇଥାଏ । ପରେ ଇଟାଭାଟି ମାଲିକ ପାଖରୁ ଠିକାଦାର ମୁଣ୍ଡପିଛା ଅନେକ ଟଙ୍କା ଆଣିଥାଏ । ଫଳରେ ନିରୀହ ଦାଦନ ଶ୍ରମିକଜଣକ ଦୁଇବର୍ଷ ପାଇଁ କାମକୁ ଯାଇଥିଲେ ମଧ୍ୟ ପାଞ୍ଚବର୍ଷରୁ ଅଧିକ କାଳ ପଶୁ ଭଳି ଖଟିବାକୁ ବାଧ୍ୟ ହୋଇଥାଏ । ଶ୍ରମ ଅଫିସର ଓ ସ୍ଥାନୀୟ ପ୍ରଶାସନ ସହ ଇଟାଭାଟି ମାଲିକର ସଲାସୁତୁରା ଯୋଗୁ ଦାଦନ ଶ୍ରମିକ ମୁକୁଳିପାରେ ନାହିଁ ।

ଆଇନ: ମାୟାମୃଗ:

ଓଡ଼ିଶାରେ ଦାଦନ ଶ୍ରମିକ ମୁଖ୍ୟତଃ ଦାରିଦ୍ର୍ୟ ସମ୍ଭୁତ । ବିଶେଷକରି ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗିର ଜିଲ୍ଲାରେ ଦାଦନ ସମସ୍ୟା ତୀବ୍ର । ଏହା ଆଜିକାଲିକାର ଘଟଣା ନୁହେଁ, ଶତାଧିକ ବର୍ଷ ତଳର ଏକ ଅବିଚ୍ଛିନ୍ନ ପକ୍ରିୟା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲ୍ଲାଗୁଡିକ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି । ମାତ୍ର ତାହାର ଫଳାଫଳ ସଠିକ୍ ଉପଲବ୍ଧ ହୋଇପାରିନାହିଁ । ଏହି ଅବିଭକ୍ତ ତିନି ଜିଲ୍ଲାରେ ଦାଦନ ସମସ୍ୟା ଯେତେ ଉକ୍ରଟ, ଅନାହାର ମୁତ୍ୟୁ ବି ସେତେ ବଳିଷ୍ଠ । କଳାହାଣ୍ଡିରେ ଅନାହାର ମୁତ୍ୟୁ ମାମଲା ସୁପ୍ରିମକୋର୍ଟ ଯାଏ ଯାଇଥିଲା । ବିଶିଷ୍ଟ ସମାଜସେବୀ କିଶନ ପଟ୍ଟନାୟକ ଓ କପିଳ ନାରାୟଣ ତିୱାରି କଳାହାଣ୍ଡିରେ ଅନାହାର ମୁତ୍ୟୁ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । (ରିଟ ପିଟିସନ ନଂ. ୧୨୮୪୭ (୧୯୮୫) ଏବଂ ୧୦୮୧(୧୯୮୭), ଡି/୯-୧-୧୯୮୯) । କିଶନ ପଟ୍ଟନାୟକ ଓ ଅନ୍ୟମାନେ ବନାମ ଓଡ଼ିଶା ରାଜ୍ୟ ମାମଲାରେ ସୁପ୍ରିମକୋର୍ଟ ଅନେକ ବିଷୟର ଅବତାରଣା କରିଥିଲେ । ଜଷ୍ଟିସ ମୁରାରୀମୋହନ ଦତ୍ତ ଓ ଜଷ୍ଟିସ କେ.ଏନ. ସାଇକିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଇଥିଲେ ଯେ, ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଅତ୍ୟନ୍ତ ଦରିଦ୍ରପ୍ରବଣ । ଏହି ଜିଲ୍ଲାରେ ଦାରିଦ୍ର୍ୟର ସୀମା ନାହିଁ । ଏହି ଜିଲ୍ଲାରେ କାମଧନ୍ଦାର ବ୍ୟାପକ ଅଭାବ ରହିଛି । ଲୋକମାନେ ସେମାନଙ୍କ ଶ୍ରମକୁ ଅତି ଶସ୍ତାରେ ବିକ୍ରି କରିଥାନ୍ତି ଯାହାକି ସେମାନଙ୍କ ପେଟ ଭରିବା ପାଇଁ ଅକ୍ଷମ । ଅନେକ ଭୂମିହୀନ ଶ୍ରମିକ ଭାତ ମୁଠାଏ ପାଉନାହାନ୍ତି । ଜିଲ୍ଲାର ଏହା ଏକ ଦୈନନ୍ଦିନ ସମସ୍ୟା । ଏହି ସମସ୍ୟା ଯୋଗୁଁ ଲୋକମାନେ ଭିଟାମାଟି ଛାଡ଼ୁଛନ୍ତି । ପିଲାମାନଙ୍କୁ ବିକି୍ର କରୁଛନ୍ତି । ଉଭୟ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ପ୍ରଶାସନ ନିଘୋଡ଼ ନିଦ୍ରାରେ ଶୋଇଛି । ଏହି ଜିଲ୍ଲାରେ କ୍ଷୁଧା, ରୋଗ, ଦାରିଦ୍ର୍ୟ, ମରୁଡି, ଦୁର୍ଭିକ୍ଷ ଯେପରି ଚିର ସହଚର ସାଜିଛି । ଦୁଇ ଜିଲ୍ଲାରୁ ଏଥିପାଇଁ ବହୁଳ ଭାବେ ଲୋକ ଚାଲାଣ ହେଉଛନ୍ତି । ଏହି ରିଟ ପିଟିସନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ୨୦, ୧୯୮୬ରେ ୧୬୦ ପୃଷ୍ଠାର ଏବଂ ଡିସେମ୍ବର ୧, ୧୯୮୬ରେ ୧୮୧ ପୃଷ୍ଠାର ଜବାବ ଦିଆଯାଇଥିଲା ଯେଉଁଥିରେ ସରକାର ଲଜ୍ଜାଜନକ ଭାବେ ଦର୍ଶାଇଥିଲେ ଯେ, ଦୁଇଟି ଜିଲ୍ଲାରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି ଏବଂ ଅନାହାର ମୁତ୍ୟୁ ଅଭିଯୋଗ ମିଥ୍ୟା । ଅନାହାର ମୁତ୍ୟୁ ବୋଲି ଯାହାକୁ ପିଟିସନରେ ଦର୍ଶାଯାଇଛି ତାହା ଭୁଲ ଏବଂ ଜଣ୍ଡିସ ଓ ଅନ୍ୟାନ୍ୟ ରୋଗରେ ସେମାନେ ମୁତ୍ୟୁ ବରଣ କରିଛନ୍ତି । ଦୁଇ ଜିଲ୍ଲାରେ ଯେପରି ସାମାଜିକ ଭାରସାମ୍ୟ ପ୍ରତିଷ୍ଠା ହୋଇପାରିବ ଏବଂ ଅନାହାର ମୁତ୍ୟୁ ଘଟିବ ନାହିଁ ସେଥିପାଇଁ ଯତ୍ନବାନ ହେବାକୁ ମାନ୍ୟବର ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ବାସ୍ତବରେ ଯଦି ରାଜ୍ୟ ସରକାର ସେହି ପରାମର୍ଶକୁ ଗ୍ରହଣ କରିଥାନ୍ତେ, ତେବେ ଏହି ଦୁଇଜିଲ୍ଲାରେ ନା ହୋଇଥାନ୍ତା ଅନାହାର ମୁତ୍ୟୁ ନହୋଇଥାନ୍ତା ଦାଦନ ସମସ୍ୟା ।

ଯଦି ସମାଜରେ ସମସ୍ତେ ସମାନଭାବେ ରହିପାରିବେ ନାହିଁ, ସମସ୍ତଙ୍କୁ ଅର୍ଥନୈତିକ ସମାନତା ପ୍ରଦାନ କରାଯାଇପାରିବ ନାହିଁ, ତେବେ ସେହି ସମାଜର ଅଗ୍ରଗତି ସମ୍ଭବ ନୁହେଁ । ୧୮୪୮ରେ କାର୍ଲ ମାର୍କ୍ସ ଓ ଫ୍ରେଡରିକ ଏଙ୍ଗେଲସଙ୍କର ଅମର ଗ୍ରନ୍ଥ ‘କମ୍ୟୁନିଷ୍ଟ ଇସ୍ତାହାର’ପ୍ରକାଶନ ପୂର୍ବରୁ ମାର୍କ୍ସ କହିଥିଲେ ‘କୌଣସି ଜାତି ଯଦି ଅନ୍ୟ ଜାତିମାନଙ୍କୁ ଉତ୍ପୀଡ଼ନ କରେ, ତେବେ ସେ ନିଜକୁ ଉତ୍ପୀଡ଼ନରୁ ମୁକ୍ତ କରିପାରିବ ନାହିଁ ।’ ଏହା ସ୍ପଷ୍ଟ କରୁଛି ଯେ, ଏଠାରେ ସେ ସର୍ବହରା ଶ୍ରେଣୀ ଉଦ୍ଦେଶ୍ୟରେ ନିଜ ମତ ରଖିଥିଲେ । ବାସ୍ତବରେ ଯଦି କୌଣସି ସରକାର ବା ପ୍ରଶାସନ ଗରିବମାନଙ୍କ ସ୍ୱାର୍ଥରକ୍ଷା କରିବାରେ ବିଫଳ ତେବେ ସେହି ସରକାର ଏକ ପ୍ରଗତିଶୀଳ ସରକାର ହୋଇପାରିବ ନାହିଁ ।

ନିର୍ଦ୍ଦିଷ୍ଟ ଗୋଟିଏ ଇଲାକାରୁ ଅନ୍ୟ ଏକ ଇଲାକାକୁ ମାନବ ଶକ୍ତିର ଚାଲାଣ ହେଲେ ତାହା ସାମଗ୍ରିକ ମାନବ ଶକ୍ତିକୁ କ୍ଷତି ପହଞ୍ଚାଇଥାଏ । ଯଦିଓ ବିକାଶ ପ୍ରକ୍ରିୟାରେ ଏହା ସ୍ୱାଭାବିକ ଭାବେ ଘଟିଥାଏ କିନ୍ତୁ ବ୍ୟାପକ ଭାବେ ଦେଖିବାକୁ ଗଲେ ଏହା ନାନା ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ଯଦି ଲୋକମାନେ ସଂଖ୍ୟାଧିକ ଭାବେ ଗୋଟିଏ ସ୍ଥାନରୁ ଯାଇ ଅନ୍ୟ ଏକ ସ୍ଥାନରେ ରହନ୍ତି ତେବେ ସେହି ସ୍ଥାନରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ । ଖାଦ୍ୟ, ବସବାସ, ଜାତିଗତ ସମସ୍ୟାମାନ ଦେଖାଦେଇଥାଏ । କାରଣ ସମଗ୍ର ଦେଶରେ ଦାଦନ ଶ୍ରମିକ ରୋକିବା ଲାଗି ବା ଏହି ସମସ୍ୟାର ସମାଧାନ ଲାଗି କୌଣସି ଏକକ ନୀତି ନ ଥିବାରୁ ରାଜ୍ୟ-ରାଜ୍ୟ ମଧ୍ୟରେ ସଂଘାତ ଦେଖାଦିଏ । ଗୋଟିଏ ଇଲାକାର ସ୍ଥାୟୀ ନାଗରିକ-ଦାଦନ ଭାବେ ଅବସ୍ଥାପିତ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ । ଏହାର ଫଳ ହୋଇଥାଏ ଜାତିଗତ ସଂଘର୍ଷ । ଦାଦନ ଶ୍ରମିକମାନଙ୍କର ସମସ୍ୟା ବହୁଗୁଣିତ ହୋଇଥାଏ । ସେମାନେ ଘରକୁ ଫେରିବା ବେଳକୁ ନା ଘର ଥାଏ ନା ସେମାନେ ବଞ୍ଚିପାରିବା ପରି କାମଧନ୍ଦାର ବ୍ୟବସ୍ଥା ଥାଏ । ଏହି ଭ୍ରାମ୍ୟମାଣ ପରିବାର ନିକଟରେ ରହିଥାଏ ଦାରିଦ୍ର୍ୟ ଆଉ ଦାରିଦ୍ର୍ୟ ।

ଶ୍ରମ ଆଇନର ପ୍ରଚଳନପରେ ସର୍ଦ୍ଦାର ନିକଟରେ ଯଦି ଶ୍ରମ ଆଇନ ଅନୁସାରେ ସମସ୍ତ କାଗଜପତ୍ର ରହିପାରିଲା ଏବଂ ଲାଇସେନ୍ସ ରହିପାରିଲା, ତେବେ ଶ୍ରମିକଚାଲାଣକୁ ଅପରାଧଭାବେ ପରିଗଣିତ କରାଯାଇପାରିବ ନାହିଁ । ଅନେକ ସର୍ଦ୍ଦାର କାଗଜପତ୍ରରେ କିଛି ଶ୍ରମିକଙ୍କୁ ନିଅନ୍ତି, ଆଉ କିଛି ସର୍ଦ୍ଦାର ଲାଇସେନ୍ସ ହାସଲ କରିଥିଲେ ମଧ୍ୟ ବେଆଇନ ଭାବେ ଶ୍ରମିକ ଚାଲାଣ କରିଥାନ୍ତି । ସ୍ଥାନୀୟ ପୋଲିସ, ଶ୍ରମ ଅଧିକାରୀ, ଷ୍ଟେସନ ମାଷ୍ଟରଙ୍କ ସହ ସୁସମ୍ପର୍କ ରଖି ଅନେକ ସର୍ଦ୍ଦାର ବହୁଳ ସଂଖ୍ୟକ ଶ୍ରମିକ ଚାଲାଣ କଲେ । ୧୯୯୭ରେ ତତ୍କାଳୀନ କେବିକେ କମିଶନର ହୃଷୀକେଶ ପଣ୍ଡା ଟ୍ରେନରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିଦେଲେ । ଫଳରେ ଟ୍ରକରେ ଶ୍ରମିକ ବୁହାହେଲେ ।

ଇଟାଭାଟିରେ ମାଟି ହେଉଛନ୍ତି ଓଡ଼ିଆ:

ସମଗ୍ର ଦକ୍ଷିଣଭାରତ ସମେତ ଅନ୍ୟାନ୍ୟ ରାଜ୍ୟରେ ଇଟା ଶିଳ୍ପ ଏକ ପ୍ରମୁଖ ଶିଳ୍ପ ଭାବେ ରହିଛି । ଯଦିଓ ଏହି ଶିଳ୍ପରେ ସବୁଠାରୁ ଅଧିକ ଲୋକ ଓଡ଼ିଶାର କେବିକେ ଜିଲ୍ଲାରୁ ରହିଛନ୍ତି । ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗିର ଜିଲ୍ଲାରୁ ଲକ୍ଷଲକ୍ଷ ଲୋକ ଭିଟାମାଟି ଛାଡ଼ି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟକୁ ଯାଇ ଇଟାଭାଟିରେ କାମ କରିଥାନ୍ତି । କେବଳ କେବିକେ ଜିଲ୍ଲାରୁ ବାର୍ଷିକ ୫ ଲକ୍ଷଲୋକ ଦାଦନ ଖଟିବାକୁ ବିଭିନ୍ନ ରାଜ୍ୟକୁ ଯାଇଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଭାଟିରେ କାମ କରିଥାନ୍ତି ଯେଉଁଠି ସେମାନଙ୍କ ସାମାଜିକ ନିରାପତ୍ତା ନଥାଏ । ଏପରିକି ମଣିଷ ବୋଲି ସ୍ୱୀକୃତି ସେମାନଙ୍କୁ ମିଳି ନଥାଏ । ଏହି ବୃହତ୍ ଅଞ୍ଚଳର ବିକାଶ ପାଇଁ ପରିବର୍ଦ୍ଧିତ ଦୀର୍ଘସୂତ୍ରୀ ଯୋଜନା (ଆରଏଲଟିଏପି), ବିଜୁ କେବିକେ ଯୋଜନା, ପଶ୍ଚିମ ଓଡିଶା ଗ୍ରାମୀଣ ଜୀବିକା ପ୍ରକଳ୍ପ (ଡବ୍ଲୁଓଆରଏଲପି), ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ(ଓଟିଇଏଲପି), ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁ୍ୟଓଡିସି) ଆଦି ଜରିଆରେ ନାନା ପ୍ରକାର ବିକାଶୋନ୍ମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାବ୍ୟତୀତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନାନା ଯୋଜନା କାର୍ଯ୍ୟକାରୀ କରା ଯାଉଥିଲେ ମଧ୍ୟ ଦାଦନ ସମସ୍ୟାକୁ ରୋକାଯାଇ ପାରୁନାହିଁ । କୋରାପୁଟର ବଣ୍ଡାମାନେ ମଧ୍ୟ ଦାଦନ ଶ୍ରମିକ ଭାବେ ବହୁ ରାଜ୍ୟକୁ ଯାଉଛନ୍ତି । ବଣ୍ଡା ଜାତିକୁ ରାଜ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଏ । ସେମାନଙ୍କ ଲାଗି କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନାଥିବା ସତ୍ତ୍ୱେ ସେମାନେ ବିକାଶର ସ୍ୱାଦ ଚାଖି ପାରୁନାହାନ୍ତି ।

୨୦୧୧ ନଭେମ୍ବର ୧୭ରେ ବଲାଙ୍ଗିର ଏସ୍ପିଙ୍କ ଏକ ସ୍ୱତନ୍ତ୍ର ସ୍କ୍ୱାଡ କଣ୍ଟାବାଞ୍ଜି ସହରର ତିନୋଟି ହୋଟେଲ ଚଢ଼ାଉ କରି ଆନ୍ଧ୍ରପ୍ରଦେଶର ୨୨ଜଣ ଇଟାଭାଟି ମାଲିକଙ୍କୁ ଗରିଫ କରିଥିଲେ । ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୬୮, ୩୭୧, ୧୨୦(ଖ), ୧୪(ସରାଇ ଧାରା ୧୯୭୬), ୪(ହୋଟେଲ ଆଇନ ୧୯୫୬) ରୁଜୁ ହେଲା । ମାତ୍ର ଆଶ୍ଚର୍ଯ୍ୟର କଥା ଗିରଫଦାରୀ ପରଦିନ କଣ୍ଟାବାଞ୍ଜି ବିଧାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଥାନାରେ ନିଜର ସମର୍ଥକଙ୍କୁ ଧରି ଗିରଫ ଇଟାଭାଟି ମାଲିକମାନଙ୍କୁ ଛାଡ଼ି ଦିଆଯାଉ ବୋଲି ଦାବି କଲେ । ଏହି ଘଟଣାରେ ପୋଲିସକୁ ଲାଠିଚାଳନା ଓ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା । ଗିରଫଦାରୀ ପ୍ରସଙ୍ଗରେ ପୋଲିସ ଯେଉଁକାମ ତୁରନ୍ତ କରିଥାନ୍ତା ଏହାର ୧୫ଘଣ୍ଟା ପରେ ତାହା କଲା! ଏଠାରେ ସ୍ପଷ୍ଟ ହେଉଛି ଯେ, ଆନ୍ଧ୍ରପ୍ରଦେଶର ଇଟାଭାଟି ମାଲିକମାନେ ନିଜର ଏଜେଣ୍ଟମାନଙ୍କ ଜରିଆରେ ସମସ୍ତ କେବିକେ ଜିଲ୍ଲାଗୁଡିକରେ ଆସ୍ଥାନ ବିସ୍ତାର କରିଥାନ୍ତି ଏବଂ ଇଟାଭାଟି ପାଇଁ ଲୋକ ଯୋଗାଡ଼ କରିଥାନ୍ତି । ଆନ୍ଧ୍ରପ୍ରଦେଶରେ ଇଟାଭାଟି ଏକ ପ୍ରମୁଖ ଶିଳ୍ପ ହୋଇଥିବା ବେଳେ କେବିକେର ଲୋକ ଏହି ଶିଳ୍ପର ପ୍ରମୁଖ ସମ୍ବଳ ହୋଇଥାନ୍ତି ।

ଦେଶର ଅନ୍ୟରାଜ୍ୟ ତୁଳନାରେ ସର୍ବାଧିକ ଓଡ଼ିଆ ଆନ୍ଧ୍ରପ୍ରଦେଶକୁ ହିଁ ଦାଦନ ଭାବେ ଯାଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ୯୦ଭାଗ ଓଡ଼ିଆ ଇଟାଭାଟିରେ ଖଟିଥାନ୍ତି । ୨୦୦୮-୦୯ରେ ଅଭିଯୋଗ ହେଲା ଯେ, ବଲଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ପାଇଁ କୋଟିଏ ଟଙ୍କାର କାରବାର ଚାଲୁଛି । ଏହାର ଫଳସ୍ୱରୂପ ଜିଲ୍ଲାର ବେଲପଡାରେ ଏକ ଅସ୍ଥାୟୀ କ୍ୟାମ୍ପ ବସିଲା ଏବଂ ଜିଲ୍ଲା ଶ୍ରମବିଭାଗ ଜରିଆରେ ସର୍ଦ୍ଦାରମାନଙ୍କୁ ଲାଇସେନ୍ସ ପ୍ରଦାନ କରାଗଲା । ଫଳରେ ଯେକୌଣସି ଲୋକ ଉପଯୁକ୍ତ ଅର୍ଥ ଦାଖଲ କରି ଏହି ଲାଇସେନ୍ସ ହାସଲ କଲେ । ଆନ୍ଧ୍ରପ୍ରଦେଶରୁ ଆସୁଥିବା ଇଟାଭାଟି ମାଲିକଙ୍କ ପାଇଁ ସ୍ୱତନ୍ତ୍ର ପରିଚୟପତ୍ର ମଧ୍ୟ ରହିଲା । ଆନ୍ଧ୍ରର ଯେକୌଣସି ବ୍ୟବସାୟୀ ଏହାର ସୁଯୋଗ ନେଇ ଲାଇସେନ୍ସ ହାସଲ କଲା । ଯେଉଁ ଶ୍ରମିକ ଥରେ ଇଟାଭାଟିକୁ ଗଲା, ତାହାର ଆଉ ପତ୍ତା ରହୁନାହିଁ । ଯେଉଁ ଠିକାଦାର ନେଇଛି ତାହାର ଖୋଜଖବର ରହୁ ନାହିଁ କି ଜିଲ୍ଲା ଶ୍ରମବିଭାଗ ବି ଏହାର ଫଲୋଅପ କରୁନାହିଁ । ପରିସ୍ଥିତି ଏପରି ହୋଇଛି ଯେ, ଇଟାଭାଟିରେ ଖଟୁଥିବା ଲୋକ ସହ ପରିବାର ସଦସ୍ୟମାନେ ଯୋଗ ସମ୍ପର୍କ ମଧ୍ୟ ରଖିପାରୁନାହାନ୍ତି । ଦାଦନ ଚାଲାଣର କ୍ୟାପିଟାଲ କୁହାଯାଉଥିବା କଣ୍ଟାବାଞ୍ଜିରେ ପ୍ରତ୍ୟହ ଆନ୍ଧ୍ର ଇଟାଭାଟି ମାଲିକମାନଙ୍କ ରାଜ୍ ରହିଥାଏ ଏବଂ ବ୍ୟାପକ ସଂଖ୍ୟାରେ ଶ୍ରମିକ ଚାଲାଣ ହୋଇଥାନ୍ତି । ପୋଲିସ,ପ୍ରଶାସନ, ରେଳ ବିଭାଗ ସବୁ ଜାଣି ଅଜଣା ରହିଥାନ୍ତି ।

ଆନ୍ଧ୍ର ଇଟାଭାଟିଗୁଡ଼ିକରେ ଶ୍ରମିକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥାଏ । ଦିନରାତି କଠିନ ପରିଶ୍ରମ କରିବା ପରେ ବି ଶ୍ରମିକମାନଙ୍କୁ ସର୍ବାଧିକ ଦୈନିକ ୧୫୦ଟଙ୍କା ଦିଆଯାଇଥାଏ । ବିରୋଧ କଲେ ମାଡ଼ ଦିଆଯାଏ । ଇଟାଭାଟି ମାଲିକମାନେ ସ୍ଥାନୀୟ ରାଜନେତାଙ୍କ ପ୍ରତ୍ୟକ୍ଷ ବାହୁଛାୟା ତଳେ ରହିଥିବାରୁ ପୋଲିସ ସେମାନଙ୍କର କିଛି କରିପାରେନାହିଁ । ଅନେକ ଶ୍ରମିକଙ୍କୁ ପ୍ରବଳ ମାଡ଼ ଦିଆଯାଇଥାଏ । ସେମାନେ କୌଣସି ପ୍ରକାରେ ଘରକୁ ଫୋନ କରିବାପରେ ସେମାନଙ୍କୁ ଭେଟିବା ପାଇଁ ଯାଇଥିବା ସଦସ୍ୟମାନଙ୍କୁ ସାକ୍ଷାତ ପାଇଁ ଅନୁମତି ମିଳେନାହିଁ । ଇଟାଭାଟିରେ କାମ କରିବାକୁ ଚାଲିଯାଇଥିବା ପରିବାରର ପିଲାମାନଙ୍କ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ । ପାଠ ପଢ଼ିବା ଦୂରର କଥା ସେମାନଙ୍କୁ ଖାଇବାକୁ ମୁଠେ ଦିଆଯାଏ ନାହିଁ । ଠିକାଦାର ଯେଉଁ ସର୍ତ୍ତରେ ସେମାନଙ୍କୁ ଆଣିଥାନ୍ତି ସେହି ସର୍ତ୍ତର ନାମଗନ୍ଧ ନଥାଏ । ଏପରିକି ଅନେକ ଶ୍ରମିକଙ୍କୁ ମୁମୂର୍ଷୁ ଅବସ୍ଥାରେ ଇଟାଭାଟିରୁ ଉଦ୍ଧାର କରାଯାଇଥାଏ ।

ଠିକାଦାରମାନେ ଯେଉଁ ସର୍ତ୍ତରଖି ସମଗ୍ର ପରିବାରକୁ ଦାଦନ ଖଟିବା ପାଇଁ ନେଇଯାଆନ୍ତି ସେଠାରେ ପହଞ୍ଚିବା ପରେ ଏହି ସର୍ତ୍ତକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇଥାଏ । ଏପରିକି ସେଠାରେ ରହିବା କାଳରେ ଦେଢ଼ଲକ୍ଷ ଇଟା ପକାଇବା ପାଇଁ ସର୍ତ୍ତ ରଖାଯାଇ ଅଗ୍ରୀମ ପାରିଶ୍ରମିକ ଦିଆଯାଇଥାଏ । ମାତ୍ର ସେଠାରେ ରହିବାମାତ୍ରେ ସେମାନଙ୍କୁ ଯଥେଷ୍ଟ ନିର୍ଯାତନା ଦିଆଯାଇ ଅଧିକ ଇଟା ପକାଇବା ପାଇଁ ବାଧ୍ୟ କରାଯାଇଥାଏ । ଫଳରେ ସେମାନେ ନାନା ପ୍ରକାର ରୋଗର ଶିକାର ହୋଇଥାନ୍ତି । ସ୍ୱାସ୍ଥ୍ୟ ଖରାପ ହେଲେ ବି ସେମାନଙ୍କୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଯାଉ ନ ଥିବାରୁ ସେମାନଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଥାଏ । ଥରେ ଇଟାଭାଟି କାମରେ ଯୋଗଦେଲେ ସେମାନେ ସେଥିରୁ ମୁକ୍ତିପାଇବା କଷ୍ଟକର ହୋଇଥାଏ । କାରଣ ସେମାନଙ୍କୁ ଜାଣିଶୁଣି ଦେବାଳିଆ କରି ଦିଆଯାଇଥାଏ ଏବଂ ବକେୟା ଅର୍ଥ ଶୁଝିବା ଆଳରେ ସେମାନଙ୍କୁ ବର୍ଷ ବର୍ଷ ପଣବନ୍ଦୀ ଆକାରରେ ରଖାଯାଇଥାଏ । ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ, ଗୋଟିଏ ପ୍ରକାର କାମ କରିବା ପାଇଁ ପ୍ରତିଶୃତି ଦେଇ ଠିକାଦାରମାନେ ଲୋକଙ୍କୁ ଦାଦନ ସକାଶେ ପ୍ରଲୋଭନ ଦେଖାଇ ନେଉଥିବାବେଳେ ସେମାନଙ୍କୁ ଅନ୍ୟ କାମରେ ଲଗାଯାଉଛି । ନିରୀହ ପରିବାରର ପିଲାମାନଙ୍କୁ ଅତ୍ୟନ୍ତ କୁତ୍ସିତ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏପରିକି ଅନେକ ପରିବାରର ପିତାମାତା ସେମାନଙ୍କ ସନ୍ତାନଙ୍କ ପତ୍ତା ପାଇପାରନ୍ତି ନାହିଁ । ଅଧିକାଂଶ ଇଟାଭାଟିରେ ଶ୍ରମିକମାନଙ୍କୁ ଇଟା ଧରି ୧୫୦ ମିଟର ଯାଏ ଯିବାକୁ ପଡୁଛି । ସେମାନଙ୍କ ପାଇଁ ଖରା, ବର୍ଷା, ଶୀତ ଏକାକାର ।

ଭାରତରେ ପ୍ରତିବର୍ଷ ୧୪୦ବିଲିୟନ ଇଟା ତିଆରି କରାଯାଏ । ସଂଖ୍ୟାଦୃଷ୍ଟିରୁ ଏହି ସଂଖ୍ୟା ହେଉଛି ଚୀନ ତୁଳନାରେ ଦ୍ୱିତୀୟ । ଏହି ଶିଳ୍ପର ଆକାର ହେଉଛି ବାର୍ଷିକ ୨୮୦କୋଟି ଟଙ୍କା! ତେବେ ଦୁଃଖର କଥା ଏହି ଅତ୍ୟନ୍ତ କଷ୍ଟସାଧ୍ୟ ଶିଳ୍ପରେ ନିୟୋଜିତ ଲକ୍ଷ ଲକ୍ଷ ଶ୍ରମିକଙ୍କ ସାମାଜିକ ନିରାପତ୍ତା ନାହିଁ । ସ୍ୱାସ୍ଥ୍ୟପ୍ରତି ସରକାରଙ୍କ କର୍ତ୍ତବ୍ୟ ନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ହେଉଛନ୍ତି ଦାଦନ ଶ୍ରମିକ । ୧୮୭୨ରୁ ଭାରତରେ ଆରମ୍ଭ ହୋଇଥିଲା ଜନଗଣନା । ଏହି ଜନଗଣନା ଅନୁସାରେ ଭାରତରେ କେତେସଂଖ୍ୟକ ଶ୍ରମିକ ଅଛନ୍ତି ତାହାର ରୂପରେଖ ମିଳିଥାଏ । ୨୦୧୧ ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା ଥିଲା ୧୧୭କୋଟି । ତେବେ ଏମାନଙ୍କ ଭିତରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ଥିଲା ୩୦ ପ୍ରତିଶତ! ଅର୍ଥାତ ମହିଳାଙ୍କ ସଂଖ୍ୟା ଥିଲା ୨୧୬ନିୟୁତ ଓ ପୁରୁଷଙ୍କ ସଂଖ୍ୟାଥିଲା ୩୦୭ ନିୟୁତ! ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ କମ୍ ହେବ ନାହିଁ । ଦେଶ ଭିତରେ ହେଉ ବା ଦେଶ ବାହାରକୁ ହେଉ ଏହି ସଂଖ୍ୟା କ୍ରମାଗତଭାବେ ବଢ଼ିବାରେ ଲାଗିିଛି । ଭାରତର ଅଧିକାଂଶ ରାଜ୍ୟରେ ଓଡ଼ିଆମାନେ ଦାଦନ ଖଟୁଥିବାବେଳେ ଇଟା, ଖଣି, ଲୁହା, କୋଇଲା, ନିର୍ମାଣ, ବୟନ, କୁକ୍କଟ ଫାର୍ମ, ବନୀକରଣ, କୃଷି, କ୍ରସର, କପା, ଗାର୍ମେଣ୍ଟ, ରବର, ହୀରା ଆଦି ଶିଳ୍ପରେ ସେମାନେ ଦାଦନ ଖଟୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ସହରାଞ୍ଚଳରେ ଦାଦନ ଭାବେ ଖଟୁଥିବା ବେଳେ କେତେକ ଜଙ୍ଗଲରେ ଦିନ କାଟୁଛନ୍ତି । ଏହି ଦୁର୍ଦ୍ଦଶାରୁ ମୁକ୍ତି ହେବେ କେବେ ତାହା ସେମାନେ ଜାଣନ୍ତି ନାହିଁ । ଆଶ୍ଚର୍ଯ୍ୟର କଥା ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କେତେକ ଗ୍ରାମରେ ପଶ୍ଚିମ ଓଡ଼ିଶାର ଶ୍ରମିକମାନେ ନାନା ଦୁର୍ଦ୍ଦଶା ମଧ୍ୟରେ ରହିଥିଲେ ବି ସେମାନଙ୍କ ନିକଟରେ ପ୍ରଶାସନ ଅପହଞ୍ଚ ।

ଇଟାଭାଟିରେ ଥିବାବେଳେ ତିନିଜଣିଆ ପରିବାର ପାଇଁ ସାପ୍ତାହିକ ରେସନ ବାବଦରେ ମାତ୍ର ୨୫୦ରୁ ୫୦୦ଟଙ୍କା ଦିଆଯାଇଥାଏ । ସେମାନେ ଏହି ଟଙ୍କାରେ ଭଲ ଚାଉଳ କିଣିବା ସମ୍ଭବ ହେଉ ନ ଥିବାରୁ ଖୁଦ, ପୋକଲଗା ଅଟା, ପଚା ପନିପରିବା ଆଦି କିଣି ଖାଇଥାନ୍ତି । ଯେଉଁଖାଦ୍ୟ କୁକୁଡ଼ାମାନଙ୍କୁ ଦିଆଯାଏ ସେମାନେ ସେହି ଖାଦ୍ୟ ବେଳେବେଳେ କିଣି ଖାଇଥାନ୍ତି । ଆନ୍ଧ୍ରପ୍ରଦେଶର ରଙ୍ଗାରେଡୀ, ମେଡକ, ହାଇଦ୍ରାବାଦ, ନାଲଗୋଣ୍ଡା ଆଦି ଇଲାକାରେ ବିଶେଷ ସଂଖ୍ୟକ ଇଟାଭାଟି ଥାଏ । ସେଠାରେ ଓଡ଼ିଆ ଶ୍ରମିକମାନଙ୍କୁ ଏକପ୍ରକାର ବନ୍ଧକ ରଖୁଥିଲେ ଓଡ଼ିଶା ପ୍ରଶାସନ ପକ୍ଷରୁ କୌଣସି ଉଦବେଗ ପ୍ରକାଶ ପାଇ ନଥାଏ । ୬୦-୮୦ ଶ୍ରମିକଙ୍କୁ ନେଇ ଗୋଟିଏ ଦୁଇଟି ୟୁନିଟ ବର୍ଷରେ ୨୦ରୁ ୩୦ଲକ୍ଷ ଇଟା ତିଆରି କରୁଥିଲେ ମଧ୍ୟ ସେମାନଙ୍କ କୌଣସି ସାମାଜିକ ନିରାପତ୍ତା ନଥାଏ । ଏହାଠାରୁ ବଳି ଦୁଃଖର ବିଷୟ ଆଉ କ’ଣ ହୋଇପାରେ? ଗଞ୍ଜାମ, ଫୁଲବାଣୀ ଆଦି ଜିଲ୍ଲାରୁ ପ୍ରତିଦିନ ଶହଶହ ଶ୍ରମିକ କାମ ସନ୍ଧାନରେ ବ୍ରହ୍ମପୁର ଷ୍ଟେସନରୁ ବାହାରିଥାନ୍ତି ।

ଏହିକ୍ଷେତ୍ରରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥାନ୍ତି ଶିଶୁ ଶ୍ରମିକମାନେ । ସେମାନେ ଜାଣିପାରନ୍ତି ନାହିଁ ସେମାନଙ୍କ ଭବିଷ୍ୟତ କ’ଣ? ପେଟ ମୁଠାକ ପାଇଁ ସେମାନେ ନିଜ ଜୀବନକୁ ଅଜଣାତରେ ବାଜି ଲଗାଇଦିଅନ୍ତି । ସେମାନଙ୍କ ଜ୍ଞାନ ଆସିବାବେଳକୁ ଦେଖନ୍ତି ସେମାନଙ୍କ ସବୁକିଛି ଚାଲିଯାଇଛି । ସେମାନଙ୍କ ପରିଚୟ କେବଳ ଦାଦନ । କିଶୋର ବୟସବେଳକୁ ପିତାମାତା ରୋଗଗ୍ରସ୍ତ ହୋଇପଡ଼ିଥାନ୍ତି । ଭିଟାମାଟି ନ ଥାଏ । ଆଶ୍ରା ତାଙ୍କର ଗଛମୂଳ ଓ ରାସ୍ତା । ସେମାନଙ୍କ ଲାଗି କୌଣସି ସରକାରୀ ଯୋଜନା ନାହିଁ । ସେମାନଙ୍କୁ ମିଳେନି ଫଟୋ ପରିଚୟ ପତ୍ର, ରେସନ କାର୍ଡ, ଆଧାର କାର୍ଡ । ସରକାରଙ୍କ ଆଇସିଡିଏସ ଯୋଜନା ସେମାନଙ୍କ ପାଇଁ ଅବୁଝା । ସର୍ବଶିକ୍ଷା ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ । ଏ ହେଉଛି ଦାଦନଶ୍ରମିକ ସନ୍ତାନମାନଙ୍କର ଲୋମହର୍ଷକ ଇତିହାସ । ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ପରେ ସଭ୍ୟ ଭାରତର ଉପହାର ସେମାନଙ୍କ ପାଇଁ ଏହିପରି! ସେମାନଙ୍କ ଭବିଷ୍ୟତ କହିଲେ ଅନ୍ଧକାରକୁ ବୁଝାଇଥାଏ ।

ହୀରା ଓ ସୂତା: ଜୀବନପାଇଁ ମୃତୁ୍ୟର ଦୁଆରେ

ଗୁଜରାଟର ଅର୍ଥନୀତିକୁ ଆଜି ମଡେଲ ଅର୍ଥନୀତି ଭାବେ ଉପସ୍ଥାପିତ କରାଯାଉଛି । ଗୁଜରାଟ ପରି ପ୍ରାକୃତିକ ସମ୍ବଳବହୁଳ ରାଜ୍ୟ ଓ ପ୍ରାଚୀନ କାଳରୁ ଏହା ବ୍ୟବସାୟର ପୀଠସ୍ଥଳୀ ହୋଇଥିବାରୁ ଏହାର ବିକାଶ ସ୍ୱାଭାବିକ । ଏହି ରାଜ୍ୟର ଇତିହାସ ମଧ୍ୟ ସମୃଦ୍ଧ ଏବଂ ଲୋକମାନଙ୍କ ସଂସ୍କୃତି ଅଲଗା । ବ୍ୟାବସାୟିକ ମନୋଭାବ ଏବଂ ସେମାନଙ୍କ ମଧ୍ୟରେ ବ୍ୟାବସାୟିକ ଶୈଳୀର ପ୍ରଭାବଯୋଗୁଁ ଗୁଜରାଟବାସୀ ନିଜ ଅର୍ଥନୀତିକୁ ବହୁଳ ଭାବେ ସଜାଡ଼ି ପାରିଛନ୍ତି । ଏଥିରେ ସରକାରଙ୍କ ଭୂମିକା ଅପେକ୍ଷା ସେମାନଙ୍କର ଭୂମିକା ଅଧିକ । ତେବେ ଗୁଜରାଟର ଅର୍ଥନୀତିର ବିକାଶ କ୍ଷେତ୍ରରେ ଗୁଜରାଟବାସୀଙ୍କ ଅପେକ୍ଷା ଓଡ଼ିଶାବାସୀଙ୍କ ଭୂମିକା ଅଧିକ । ସୁରଟ, ଅହମ୍ମଦାବାଦ, ଭଦୋଦରା ଆଦି ସହର ସମେତ ଅଧିକାଂଶ ସହରରେ ଓଡ଼ିଆମାନେ ବିଭିନ୍ନ ଶିଳ୍ପରେ ନିୟୋଜିତ । ଏପରିକି ଓଡ଼ିଆମାନେ ଯଦି ସୁରଟ ସହର ଛାଡ଼ିବେ, ତେବେ ସୁରଟ ଅର୍ଥନୀତି ଧ୍ୱଂସ ପାଇଯିବ! ମାତ୍ର ସେଠାରେ ଦାଦନ ଖଟିବାକୁ ଯାଇଥିବା ଏହି ଓଡ଼ିଆମାନେ କେତେ ଯନ୍ତ୍ରଣାରେ ରହୁଛନ୍ତି ତାହା ଭାବିଲେ ହୃଦୟ ବିଦାରକ ମନେହୁଏ । ସୁରଟ ବୟନଶିଳ୍ପରେ ନିୟୋଜିତ ୯ଲକ୍ଷରୁ ଅଧିକ ଓଡ଼ିଆଙ୍କ ମଧ୍ୟରୁ କେଇ ହଜାର ମାତ୍ର ସାମାନ୍ୟ ସୁଖସୁବିଧାରେ ରହିଛନ୍ତି । ଅବଶିଷ୍ଟଙ୍କ ଦୁଃଖ କହିଲେ ନସରେ । କାରଖାନା ମାଲିକଙ୍କ ଶୋଷଣ, ସ୍ଥାନୀୟ ଦାଦାମାନଙ୍କ ନାଲିଆଖି ଭିତରେ ସେମାନଙ୍କୁ ବଞ୍ଚିବାକୁ ହୋଇଥାଏ । ପାରାଭାଡ଼ି ପରି ଏକ ବଖରା ପରି ଘରେ ୧୦ରୁ ଅଧିକ ଶ୍ରମିକଙ୍କୁ ରହିବାକୁ ହୋଇଥାଏ । ରାତିରେ ଘଣ୍ଟାଏ ଶୋଇଲେ ବଡକଥା । ଖାଇବା, ପିଇବା, ଶୌଚ ହେବା ଆଦି କାର୍ଯ୍ୟ ସେହି ଘର ଭିତରେ ହିଁ କରିବାକୁ ହୋଇଥାଏ ।

ସେହିପରି ସୁରଟ ସହର ଓ ଅନ୍ୟାନ୍ୟ ସହରରେ ଥିବା ହୀରା କାରଖାନାର କଥା ନକହିଲେ ଭଲ । ଏଠାରେ ଅନେକ ଶିଶୁଶ୍ରମିକଙ୍କୁ ନିୟୋଜିତ କରାଯାଇଥାଏ । ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟରେ ଓଡ଼ିଆ ଶ୍ରମିକମାନଙ୍କୁ ଖଟାଯାଇଥାଏ । ମାଲିକଙ୍କୁ ପଦେ କହିଲେ ଚାକିରି ଛାଡ଼ିଦେବାକୁ କୁହାଯାଇଥାଏ । ଅନେକ କାରଖାନାରେ ଓଡ଼ିଆମାନଙ୍କୁ ପଣବନ୍ଦୀ କରି ରଖାଯାଇଥାଏ ତ କାହାକୁ ମାସ ମାସ ଦରମା ଦିଆ ନ ଯାଇ ରଖାଯାଇଥାଏ ।

ଇତିହାସରୁ ଜଣାଯାଏ ଯେ, ୧୮୬୦ରେ ଓଡ଼ିଶାରେ ଭୟଙ୍କର ଦୁର୍ଭିକ୍ଷ ଦେଖାଦେବା ପରେ ଓଡ଼ିଆମାନେ ଜୀବନ ବିକଳରେ କିଏ କୁଆଡ଼େ ପଳାଇଥିଲେ । ତେବେ ଅନେକ ଓଡ଼ିଆ ସୁରଟ ସହରରେ ଯାଇ ଆସ୍ଥାନ ଜମାଇଥିଲେ । କାଳକ୍ରମେ ସେଠାରେ ସୂତାକଳ ସଂଖ୍ୟା ବୃଦ୍ଧିପାଇଲା ଏବଂ ଲୋକମାନେ ସେଠାରେ ନିଯୁକ୍ତି ପାଇଲେ । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆମାନଙ୍କୁ ସେଠାରେ ନିର୍ଯାତନା ଦିଆଗଲା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ସେମାନଙ୍କୁ ଗାଈବଳଦ ପରି ରଖାଗଲା । ସୁରଟ ସହରର ପାଣି ସମ୍ପୂର୍ଣ୍ଣ ବିଷାକ୍ତ ହୋଇଯାଇଥିଲେ ବି ଏହାର ସମାଧାନ କରାଯାଉନାହିଁ । ଫଳରେ ସେଠାରେ ଜଣ୍ଡିସ, ଆଖିରୋଗ, ପେଟରୋଗ, ଝାଡ଼ାବାନ୍ତି ଆଦି ନିୟମିତ ସମସ୍ୟାରେ ପରିଣତ ହୋଇଛି । ଲୋକମାନେ ଯାହା ଆୟ କରନ୍ତି ତାହାକୁ ସେମାନେ ନିଜ ଦେହରେ ହିଁ ଲଗାନ୍ତି । ସୁରଟ ସହରରେ ବି ସବୁଠାରୁ ଅଧିକସଂଖ୍ୟକ ଏଡସ ରୋଗୀ ଅଛନ୍ତି ଯେଉଁମାନଙ୍କ ଭିତରେ ଅଧିକାଂଶ ରହିଛନ୍ତି ଓଡ଼ିଆ । ଏଥିପାଇଁ ଗଞ୍ଜାମ ହୋଇଛି ଏଡସ କବଳିତ ଏକ ଜିଲ୍ଲା । ସୁରଟରେ ଇଣ୍ଟରଷ୍ଟେଟ ମାଇଗ୍ରେସନ ୱାର୍କମ୍ୟାନ ଆକ୍ଟ-୧୯୭୯ ପରି ଗୁରୁତ୍ୱପୂର୍ଣ୍ଣ ଆଇନକୁ କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ଶ୍ରମିକମାନେ ନାନାପ୍ରକାର ନିର୍ଯାତନାର ଶିକାର ହେଉଥିଲେ ବି ସଠିକ ପ୍ରତିବାଦ କରିପାରୁନାହାନ୍ତି ବା ପ୍ରତିବାଦ ଜଣାଇବାର ଫୋରମ ମଧ୍ୟ ନାହିଁ । ସେଠାରେ ବାସ କରୁଥିବା ଗୁଜରାଟୀ ଓ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୧୧ ଲକ୍ଷ ହୋଇଥିଲେ ବି ମାତ୍ର ୧.୨୫ ଲକ୍ଷ ଶ୍ରମିକଙ୍କୁ ପଞ୍ଜିକରଣ କରାଯାଇଛି । ପ୍ରାୟ ୮୦ ପ୍ରତିଶତ ଶ୍ରମିକ ଅତ୍ୟନ୍ତ ଦୟନୀୟଭାବେ ବଞ୍ଚୁଛନ୍ତି । ଏସବୁ ସତ୍ତ୍ୱେ ଗୁଜରାଟ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଶ୍ରମିକ ସମସ୍ୟାନେଇ ସେପରି କୌଣସି ପଦକ୍ଷେପ ନିଆ ଯାଇନାହିଁ ବା ସୁରଟ ଜେଲରେ ବିଭିନ୍ନ କାରଣରୁ ସଢ଼ୁଥିବା ଲୋକଙ୍କ ମୁକ୍ତିପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉନାହିଁ ।

ସାହିତ୍ୟରେ ଦାଦନ:

ଭାରତରେ ଦାଦନ ସମସ୍ୟାର ବସ୍ତୁତଃ କେବେ ବି ସମାହିତ ହୋଇପାରିନାହିଁ । ଅତୀତର ସମ୍ରାଟ, ରାଜାମାନଙ୍କ ଶାସନରୁ ଏହି ସମସ୍ୟା ଲାଗିଆସିଛି । ବ୍ରିଟିଶ ଶାସିତ ଭାରତରେ ବି ଏହି ସମସ୍ୟା ଉକ୍ରଟ ରୂପ ଧାରଣ କରିଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ଭାରତରେ କାମଧନ୍ଦାର ବ୍ୟାପକ ଅଭାବଯୋଗୁଁ ଲୋକମାନେ ବିଭିନ୍ନ ରାଜ୍ୟକୁ ଯାଇ ଜୀବିକା ଅର୍ଜନ କରୁଥିଲେ । ଆସାମର ଚା ବାଗାନଗୁଡିକରେ ହଜାର ହଜାର ଓଡ଼ିଆ ଶ୍ରମିକ କାମ କରୁଥିଲେ । ସେମାନଙ୍କର ସେଠାରେ କେହି ସାହା ଭରସା ନଥିଲା । ଅନ୍ଧାର ରାତିରେ ଚା କ୍ଷେତ ଜଗୁଥିଲେ । ପଶୁ ପରି ଖଟୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁ ନ ଥିଲା । ସେହି ସମୟରେ କବି ମନମୋହନ ମିଶ୍ର ଆସାମ ଗସ୍ତରେ ଯାଇଥିଲେ ୧୯୪୨ରେ । ସେଠାରେ ଥିବା ଓଡ଼ିଆ ଦାଦଦ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଏକ ଦୀର୍ଘ କବିତା ରଚନା କରିଥିଲେ ଯାହାକୁ ସେ ନିଜର ମୁତ୍ୟୁ ଯାଏ ଅନେକ ସଭାସମିତିରେ ଗାନ କରିଥିଲେ । ଏହି ଲେଖକର ବି କବି ମନମୋହନଙ୍କ ବ୍ୟକ୍ତିଗତ ସମ୍ପର୍କ ଥିଲା ଏବଂ କେତେକ ସମ୍ମିଳନୀରେ ତାଙ୍କ ସହ ସ୍ୱର ମିଳାଇଥିଲା । ଓଡ଼ିଆ ଚା’ ଶ୍ରମିକମାନଙ୍କ ସମ୍ପର୍କରେ କବି ଉକ୍ତ କବିତାକୁ ବୋଲିଲାବେଳେ ଶ୍ରୋତାଙ୍କ ଆଖି ଲୁହରେ ଭରିଯାଉଥିଲା । କବିତାର ଶୀର୍ଷକ ଥିଲା ‘କେତେଦୂର ତୋର ଓଡ଼ିଶା ମାଟିରେ’ । ଏହା ‘ଆବାଜ’ କବିତା ପୁସ୍ତକରେ ସ୍ଥାନିତ ହୋଇଥିଲା ।

କବିତାଟି ଥିଲା-

“କେତେ ଦୂରେ ତୋର ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି

ଗୋରା ସରକାର ଦାଉରୁ ଏ ଦେଶେ

ଆସିଲୁ ଭୋକି ପରାଣୀ ।

ନଥିଲା କି ତୋର ପାଣିରେ ମାଛରେ

ନଥିଲା କି ବିଲେ ଧାନ

ନଥିଲା କି ତୋର ପାହାଡ଼େ କାଠରେ

ଝାଳ ବୁହା ଅରଜନ;

ସବୁ ଅରଜନ କାହା ପାଶେ ଦେଲୁ

ଏ କଥା ନ ପାରୁ ଜାଣି,

ଆରେ ଭାଇ ଏକଥା ନ ପାରୁ ଜାଣି,

କେତେ ଦୂରେ ତୋର ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।୧ା

ପଚାରଇ ଥରେ ଚା’ ବାଗାନରେ

ପରବାସୀ ତୋର ଜାତି

ପେଟଲାଗି ପରା ଛାଡ଼ିଲୁ ତୋ ଭାଷା

ଛାଡ଼ିଲୁ ତୋ ଭିଟା ମାଟି ।

ପାଞ୍ଚ ଅଣା ରୋଜେ ପୂରେ କି ପେଟରେ

ମିଳେ କି ବାସୀ ତୋରାଣି

ଆରେ ଭାଇ ମିଳେ କି ବାସୀ ତୋରାଣି

କେତେ ଦୂରେ ତୋର ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।୩ା

ଓଡ଼ିଶା ମୂଲକୁ ଦେଶ ଭାଇ ଡାକେ

ଡାକେ କପିଳାସ ବଣ

ଏବେ ମିଳେ ଟିକି ଓଡ଼ିଆ ଭାଇରେ

ପେଟପୂରା ଅରଜନ?

ପଚାରଇ ତୋର ଧଉଳି ପାହାଡ଼

ନେଳିଆ ଚିଲିକା ପାଣି

କେତେ ଦୂରେ ତୋର ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।୪ା

ଦେଢ଼ଶ ବରଷ ତୋ ଦେଶୁ ଛାଡ଼ିଲୁ

ସେ କଥା କି ମନେ ନାହିଁ

ଆଡକାଟି ବୋଲେ ନିଜ ଲହୁଧାରେ

ଗିରିମିଟି କଲୁ ସହି

ଫୁଲ ଟୋକାଇଏ ତୋଳି ତୁ ଆଣିବୁ

ଟୋକାଇଏ ସୁନା ଛାଣି

ପ୍ରବଞ୍ଚନା କଥା ହେଜୁଁ ହେଜୁଁ ନେଡ଼ି

ଗୁଡ଼ ବୋହିଲା କହୁଣୀ

କେତେ ଦୂରେ ତୋର ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।୫ା

ସେହିପରି କବି ମନମୋହନ ମିଶ୍ର ‘ଆମ ହାତେ ଦେଇ ଭିକାରୀ ଥାଳ’ କବିତାରେ ଲେଖିଛନ୍ତି:-

“ଆମ ହାତେ ଦେଇ ଭିକାରୀ ଥାଳ ହୋ

ତୁମେ ପାଲଟିଛ ରାଜା,

ହୋ ବାବୁ! ତୁମେ ପାଲଟିଛି ରାଜା,

ତୁମ ଲାଗି ନୁହଁ ସୁନା ଖଟୁଳି ହୋ

ତୁମ ଲାଗି ବେଡ଼ି ସଜା ।

ଆମେ ଫଳାଇଲୁ ସୁନାର ଫସଲ

ତୁମେ ନେଲ ତାହା କାଟି

ଆମ ପୁଅ ଝିଅ ଭୋକେ କଲବଲ

ମରନ୍ତି ପତର ଚାଟି

ଆମେ ହାତେ ତୁମେ ପଲଙ୍କ ଗଢ଼ିଛ

ମାରୁଛ ସଉକ ମଜା

ତୁମ ଲାଗି ନୁହଁ ସୁନା ଖଟୁଲି ହୋ

ତୁମ ଲାଗି ବେଡ଼ି ସଜା ।

ଆମ ହାତେ ଦେଇ ଭିକାରୀ ଥାଳ ହୋ…’

ସେହିପରି ଦାଦନ ଶ୍ରମିକ ଓ ବନ୍ଧିତ ଶ୍ରମିକଙ୍କ ଦୁଃଖ, ଯନ୍ତ୍ରଣାକୁ ନେଇ ବଙ୍ଗୀୟ କବି ତଥା ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ଦେବବ୍ରତ ବନେ୍ଦାପାଧ୍ୟୟ ତାଙ୍କର କବିତା ‘ଡେଲାନପୁରର ହାଲି’ରେ ଲେଖିଲେ:

“ମୁଁ ଅନ୍ଧାରରେ ଯାଏ

ମୁଁ ଅନ୍ଧାରରେ ଲୌଟେ

ମୋର ସାରାଜୀବନ ଅନ୍ଧାରରେ ହିଁ

ଭରି ହୋଇଥାଏ

ଏଥିରେ ଆଲୋକର ତିଳେମାତ୍ର ଝଲକ ନାହିଁ ।’

ଦାଦନ ଶ୍ରମିକ, ବିସ୍ଥାପନ ସମସ୍ୟା ନେଇ କବି ବିନୋଦଙ୍କର ଅନେକ କବିତା/ପ୍ରବନ୍ଧ ପ୍ରକାଶ ପାଇଛି ।

“ଦେଖିଛ କି କେବେ ନିଃସ୍ୱ ଦେହର ଯନ୍ତ୍ରଣା ଧରଣୀରେ

ଶୋଭିତ ଦିବସେ ଦୀନ ରାତ୍ରିର ଅନ୍ଧାର କାରାଗାରେ

ମାଟିରେ ମିଶିଲା ନଶ୍ୱର ଦେହ ଚିରି ଦୂର ପରବତେ

ହୀରାକୁଦ ଏଇ ଦଣ୍ଡାୟମାନ, ସଙ୍ଗୀନ-ମହୁରତେ!

ସାଗରେ ଲୋହିତ-ପାଣି

କୁଟୀର ତଳର ବେଦନାକୁ ଥରେ କେହି କି ପାରିଛି ଜାଣି?

ଆମେ ତ ଗଢ଼ିଲୁ ବନ୍ଧ, ଦେଇ ଯେ ରକ୍ତ ଶୋଣିତ ଧାରା

ସୁଶୀତଳ ହେଲା ନଗ୍ର ସହର ସବୁଜ ଆତ୍ମହରା

କୋଠାରେ ଜଳିଲା ନିଅନ ଆଲୋକ ବଂଶୀରେ ମତୁଆଲା-

ମଣିଷ-କବରୁ ଜନ୍ମ ଘେନିଲା ଶିଳ୍ପ-ମନନ କଳା

ନୀରବ ଦହନ ଛବି

ଆମରି ପାଇଁ ତ ସଜ୍ଜିତ ହେଲା କାବ୍ୟ-ଶୋଷଣ-ରବି!

ଆମର ପିଲାଏ ଖଟିଲେ ଦାଦନ, ବିଦେଶେ କୁର୍ମ ହୋଇ

ରୋଇଲୁ ଆମେ ତ ଆମରି ଦୁଃଖ, ଶ୍ମଶାନେ ଧ୍ୱଂସ ହୋଇ

ଆଜୀବନ ଝୁଲି କ୍ଲାନ୍ତ-ଶିବିରେ, ବନ୍ଧିତ ହେଲୁ ସାରା

ନିକ୍ଷେପ ହେଲୁ ବନ ଗିରିପଦେ, ଆମେ ଯେ ସର୍ବହରା

ଆଲୋକିତ ହେଲା ଧରା-

ଶୃଙ୍ଖଳମୟ ଆଗାମୀ ଜୀବନ ପାଦ ବନ୍ଧନ ଭରା ।’

(କବିତା: ମାଟି ମଣିଷର ବ୍ୟଥା)

“ମାଟି ମଟାଳରେ ଜିଇଁଛି ମଣିଷ ଜୀର୍ଣ୍ଣ କରିଛି ହାଡ଼

ପଖାଳେ ଦେଖିଛି କୁର୍ମ ତାହାରି ଜୀବନର ଛବି ଗାଡ଼

ଶିଳ୍ପ କଳାରେ ହେଲା ସିନା ଏଇ ଧରଣୀ ଯେ ବିଭୂଷିତ

ଯନ୍ତ୍ରଣା ଆଉ କ୍ଲାନ୍ତ ବେଦନା କଣ୍ଟକ ଗିରିପଥ!

ନୂଆଦୁନିଆର ପଥେ

ଆର୍ତ୍ତନାଦର ଝଙ୍କାର ତଳେ ମୃତୁ୍ୟ ଆସଇ ସତେ!

ଧ୍ୱାନ୍ତ ଆଗତ ଭରା ଅନାହାର ରୁକ୍ଷ ଅନଳ-ଗଡ଼

ଶକ୍ତ ମଣିଷ ଭିଟାରୁ ବାହାରି ହେଲା ପରା ହୀନବଳ

ଯେ ହାତଗଢ଼ିଲା ଝାଳ ନୀରେ ଥରି କୋଠାର ଉପମା କୋଟି

ଗମ୍ଭୀର କେତେ ରଜନୀ-ଅବିରେ, ଉଷ୍ମ କରିଲା ଛାତି

ହିସାବ ଯାହାର ନାହିଁ

ଧୃଷ୍ଟ ଦୁନିଆ ଗଣବିଭୀଷିକା ତଳେ ତ ରହିଛି ଜିଇଁ!’

(କବିତା: ବିସ୍ଥାପନର ବ୍ୟଥା)

ବନୀତା… ପ୍ରେମଶୀଳାଙ୍କ ମୃତୁ୍ୟ: ସରକାର ଶିଖିଲେ ନାହିଁ:

ପଶ୍ଚିମଓଡ଼ିଶା ଦାଦନଶ୍ରମିକ ବହୁଳ ହେବାର କାରଣ ଅନେକ ରହିଛି । ଗଡ଼ଜାତ ସମୟରୁ ଏହି ଅଞ୍ଚଳର କୃଷି ଓ କୃଷକର ବିକାଶପାଇଁ ଧ୍ୟାନ ଦିଆଗଲା ନାହିଁ । ସର୍ବଦା ବାହାର ରାଜ୍ୟର ମହାଜନମାନେ ଏହି ଜିଲ୍ଲାଗୁଡ଼ିକରେ ଆଧିପତ୍ୟ ବିସ୍ତାର କଲେ । ଲୋକମାନେ ହାତ ଉଧାରୀ କରି ଶେଷରେ ସୁଧ ଦେଇ ନ ପାରି କିଏ ଗୋତି ଶ୍ରମିକ ହୋଇ ମହାଜନର ଘରେ ଖଟିଲା, ତ କିଏ ବାହାର ରାଜ୍ୟକୁ ଯାଇ ଇଟାଭାଟିରେ କାମକଲା । ପଶ୍ଚିମଓଡ଼ିଶାବାସୀଙ୍କୁ ପ୍ରକୃତ ଓଡ଼ିଶାବାସୀ ବୋଲି ସରକାର ବିବେଚନା କରୁ ନ ଥିବାରୁ ଏହି ସମସ୍ତ ଜିଲ୍ଲାରେ ବିଦ୍ରୋହ ମନୋଭାବ କ୍ରମଶଃ ବୃଦ୍ଧିପାଉଛି । ଏହି ସମସ୍ତ ଜିଲ୍ଲାରେ ଦାଦନକୁ ଆୟର ପ୍ରମୁଖ ମାଧ୍ୟମ ବୋଲି ହିଁ ଧରି ନିଆଯାଇଥାଏ । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ ପରେ ସମଗ୍ର ଓଡ଼ିଶାର ଅର୍ଥନୀତି ଧ୍ୱଂସ ହୋଇଯାଇଥିଲା । କିନ୍ତୁ ରିକୋଭରି ପର୍ଯ୍ୟାୟରେ ଉପକୂଳ ଓଡ଼ିଶା ପ୍ରତି ଯେପରି ଗୁରୁତ୍ୱ ଦିଆଗଲା ପଶ୍ଚିମଓଡ଼ିଶାକୁ ସେହିପରି ଗୁରୁତ୍ୱ ଦିଆଗଲା ନାହିଁ । ଦୁର୍ଭିକ୍ଷ ପରେ ପରେ ଅନେକ ଲୋକ ଗୁଜରାଟ ଚାଲିଗଲେ ଏବଂ ସେଠାରେ ସେମାନେ ଦାଦନ ଶ୍ରମିକ, ଗୋତି ଶ୍ରମିକ ଓ ଏପରକି କ୍ରୀତଦାସ ଜୀବନ କଟାଇଲେ । ମହାଦୁର୍ଭିକ୍ଷ ପରଠାରୁ ୧୯୬୫ ମସିହା ଯାଏ କେବିକେରେ ୮ଟି ବଡ଼ ମରୁଡି ଓ ୨୦ରୁ ଅଧିକ ଛୋଟ ମରୁଡ଼ି ପଡ଼ିଥିଲା । କଳାହାଣ୍ଡି ଗେଜେଟିୟର ଅନୁସାରେ ପ୍ରତି ୩ବର୍ଷରେ ଥରେ ମରୁଡି ପଡୁଛି । କେବିକେ ପାଇଁ ଅନେକ ଯୋଜନା କରାଗଲେ ବି ଅନାହାର ମୁତ୍ୟୁ , ସନ୍ତାନ ବିକି୍ର ପରି ସମସ୍ୟା-କଳଙ୍କରୁ ଏହି ଜିଲ୍ଲାଗୁଡିକ ବାଦ୍ ପଡୁନାହାନ୍ତି ।

୧୯୬୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କଳାହାଣ୍ଡିର ନୂଆପଡ଼ା ଓ ବଲାଙ୍ଗିରର ବଙ୍ଗୋମୁଣ୍ଡାକୁ ଆସିଥିଲେ । ମରୁଡିରୁ ରକ୍ଷା ପାଇବା ପାଇଁ ଜଙ୍ଗଲ ବ୍ୟବହାର କରିବାପାଇଁ ସେ ଅନୁମତି ଦେଇଥିଲେ । ମାତ୍ର ଦୁଃଖର କଥା ଏହାର ସୁଯୋଗ ମହାଜନମାନେ ନେଲେ ଏବଂ ଲୋକମାନେ ଯେଉଁ ତିମିରେକୁ ସେହି ତିମିରରେ ରହିଲେ ।

୧୯୮୪ରେ ଘଟିଲା ବିଶ୍ୱଚର୍ଚ୍ଚିତ ବନୀତା ପୋଢ଼ ବିକି୍ର ମାମଲା । ସମଗ୍ରବିଶ୍ୱରେ ଓଡ଼ିଶା ହେଲା କଳଙ୍କିତ । ଏହି ଘଟଣା ଏପରି ରୂପ ନେଇଥିଲା ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସପରିବାର ବଲାଙ୍ଗିର ଓ କଳାହାଣ୍ଡି ଗସ୍ତ କରି ଘଟଣାର ପ୍ରତ୍ୟକ୍ଷ ଅନୁସନ୍ଧାନ କଲେ । ୧୯୯୨ରେ ଭୂମିସୁତା ଓ ରୋହିତ ବିକ୍ରି ଘଟଣାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ବଲାଙ୍ଗିର ଗସ୍ତରେ ଆସିଥିଲେ ଏବଂ ତାଙ୍କର ଏହି ଗସ୍ତପରେ ଆରମ୍ଭ ହୋଇଥିଲା କେବିକେ ଯୋଜନା । ୧୯୯୬ରେ ବାଲମତୀ ଶବରର ଅନାହାର ମୁତ୍ୟୁ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡା ଆସିଥିଲେ । ଏହି ଘଟଣା ପରେ ପରେ ନୂରା ଗହିର ତାଙ୍କ କନ୍ୟା ସୁକୁ ବିକ୍ରୀର କରିଦେବା ଘଟଣା ପୁଣି ଜାତୀୟସ୍ତରରେ ଚାଞ୍ଚଲ୍ୟ ଖେଳାଇଲା । ୨୦୦୦ରେ ପ୍ରେମଶୀଳା ଭୋଇ, ଗଜିନ ଓ ଅନ୍ୟାନ୍ୟ ୨୫ଟି ଅନାହାର ମୁତ୍ୟୁ ଓଡ଼ିଶାର ପ୍ରକୃତ ଅର୍ଥନୈତିକ ଚରିତ୍ର ଉପରେ ସଂଘାତ ସୃଷ୍ଟିକଲା । ୨୦୦୧ରେ ହେମା ତାଣ୍ଡି ଓ ପରି ଜେମତୀ ବିକ୍ରୀର ଘଟଣା ବିକାଶର ମାନଚିତ୍ରରେ କଳଙ୍କ ଲଗାଇଲା । ବାରମ୍ବାର ଏହିଘଟଣା ଘଟିଚାଲିଥିଲେ ମଧ୍ୟ ରୋକିବା ପାଇଁ ସରକାରଙ୍କ ସେପରି କୌଣସି ଯୋଜନା ନାହିଁ । ବାସ୍ତବରେ କେବିକେ ପ୍ରସଙ୍ଗରେ ସରକାର ଯେଉଁ ଚିତ୍ର ଦେଶକୁ ଦେଖାଉଛନ୍ତି ତାହା ଗ୍ରାମାଞ୍ଚଳ ସ୍ତରରେ କେତେ ଯେ ଦୁର୍ବଳ; ଏହା ପରିସ୍ଫୁଟିତ ହେଉଛି । ଯୋଜନା ପରେ ଯୋଜନା ଘୋଷିତ ହେଉଛି । ମାତ୍ର ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ନପାରିବାରୁ ଦାଦନ ପରି କଳଙ୍କିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Comments

0 comments

Share This Article