ଅମୃତ କାଳର ନିସ୍ତବ୍ଧ ଭାରତ! କେନ୍ଦ୍ର କୃଷି ବଜେଟ

ହିମାଚଳ ପ୍ରଦେଶ ଓ କାଶ୍ମୀରର ସେଓ ଚାଷୀମାନଙ୍କ ସମେତ ଅନ୍ୟାନ୍ୟ ଅଞ୍ଚଳର ଉଦ୍ୟାନ କୃଷି ଉପରେ ନିର୍ଭର କରୁଥିବା ଚାଷୀ ଏବେ ଚିନ୍ତାଗ୍ରସ୍ତ

ବିଭୁତି ପତି Bibhuti Pati
ବିଭୁତି ପତି Bibhuti Pati320 Views
36 Min Read

ମୂଲ୍ୟର ସୁରକ୍ଷା ପ୍ରଦାନ କରୁଥିବା ଯୋଜନାଗୁଡ଼ିକ ବାବଦକୁ ବ୍ୟୟବରାଦ କମାଇ ଦିଆଯିବା ବ୍ୟତୀତ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ କେନ୍ଦ୍ର ବଜେଟ ସମ୍ପୂର୍ଣ୍ଣ ନୀରବ ରହିବା କୃଷକମାନଙ୍କୁ କ୍ରୁଦ୍ଧ କରିଛି । ଗୋଟିଏ ସର୍ଭେରୁ ଏକ କୃଷକ ପରିବାରର ହାରାହାରି ମାସିକ ରୋଜଗାର ୧୦,୨୧୮ଟଙ୍କା ବୋଲି ଅନୁମାନ କରାଯାଇଥିବା ପରିପ୍ରେକ୍ଷୀରେ କୃଷିରେ କାୟାକଳ୍ପ କୃଷକମାନଙ୍କ ପାଇଁ ବର୍ଦ୍ଧିତ ଏବଂ ସୁନିଶ୍ଚିତ ମୂଲ୍ୟ ସମର୍ଥନ ଉପରେ ହିଁ ନିର୍ଭର କରୁଛି ।

‘ଅମୃତ କାଳ’ରେ କୃଷି

ଯଦି ୨୦୨୩-୨୪ର ବଜେଟ୍ ସ୍ୱାଧୀନତାର ଶତାବ୍ଦୀ ପାଳନ ପୂର୍ବର ୭୫ବର୍ଷ ଅବଧି ‘ଅମୃତ କାଳ’ ପାଇଁ କାର୍ଯ୍ୟ ଯୋଜନା ହୋଇଥାଏ , ତେବେ କୃଷି ନିଶ୍ଚିତରୂପେ ପଛରେ ପଡ଼ିଯାଇଛି । ପୁଞ୍ଜି ବିନିଯୋଗ ବାବଦକୁ ଖର୍ଚ୍ଚ ବୃଦ୍ଧି, ଆର୍ଥିକ ଏକତ୍ରୀକରଣ ଏବଂ ଅଭିବୃଦ୍ଧି ସମ୍ପର୍କିତ ନୀତିଗୁଡ଼ିକ ଆଗକୁ ମଧ୍ୟ ବଳବତ୍ତର ରହିବାର ପ୍ରତିଶୃତି ଇତ୍ୟାଦିର ଚମକ ମାଧ୍ୟମରେ କେନ୍ଦ୍ର ବଜେଟ୍ ନିଶ୍ଚିତ ରୂପେ ଉଚିତ ବାର୍ତ୍ତାମାନ ପ୍ରଦାନ କରିଛି । କିନ୍ତୁ ଇଣ୍ଡିଆର ଆଉ ଗୋଟିଏ ଅଂଶ ମଧ୍ୟ ରହିଛି ଯାହାକି ଭାରତ ରୂପେ ଲୋକପ୍ରିୟ ଏବଂ ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟା ସେଥିରେ ବାସ କରନ୍ତି । ବଜେଟ ଘୋଷଣା ପରେ ସେହି ଭାରତ ଏବେ ନିସ୍ତବ୍ଧ । କୃଷି ଉପରେ ନିର୍ଭରଶୀଳ ଗ୍ରାମାଞ୍ଚଳର ୭୦% ଲୋକେ ଏବେ ଏକଥା ବୁଝିବାର ପ୍ରୟାସ କରୁଛନ୍ତି ଯେ, ସେମାନଙ୍କୁ କାହିଁକି ହତାଦର କରାଯାଇଛି ଏବଂ ଅଭିବୃଦ୍ଧି ହାସଲ କରିବାର ସୁଯୋଗରୁ ବଞ୍ଚିତ କରାଯାଇଛି ।

ପ୍ରଥମେ ଯଥେଷ୍ଟ ପୁଞ୍ଜି ବିନିଯୋଗ କରାନଗଲେ କୃଷିକ୍ଷେତ୍ରରେ କୌଣସି ଚମକ୍ରାର ଆଶା କରାଯାଇପାରିବ ନାହିଁ । ବିଗତ ବର୍ଷମାନଙ୍କରେ ସରକାରୀ କ୍ଷେତ୍ରରେ ବିନିଯୋଗ ସବୁ କ୍ରମାଗତ ଭାବେ ହ୍ରାସ ପାଇଁ ଚାଲିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ପର୍ଯ୍ୟବେକ୍ଷଣ ଅନୁଯାୟୀ ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ସରକାରୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ମୋଟ ଘରୋଇ ଉତ୍ପାଦର ମାତ୍ର ୦.୩ରୁ ୦.୪% ପାଖାପାଖି ରହିଛି । ଏହାକୁ ଶିଳ୍ପ ସଂସ୍ଥାଗୁଡିକୁ ଛାଡ଼ି ଦିଆଯାଇଥିବା ରାଜସ୍ୱ ସହ ତୁଳନା କରାଯାଇ ଯାହାକି ଜି.ଡି.ପି.ର ୫.୫% । ଏଥିରୁ ଏହି ସ୍ପଷ୍ଟ ଧାରଣା ମିଳୁଛି ଯେ, ଶ୍ରମ ଶକ୍ତିର ୪୭%କୁ ନିଯୁକ୍ତି କରୁଥିବା କୃଷି କ୍ଷେତ୍ର କାହିଁକି ଅବହେଳିତ ହୋଇରହିଛି । ପୁନଶ୍ଚ, ଚଳିତବର୍ଷର ବଜେଟରେ ଥିବା ବ୍ୟବସ୍ଥାଗୁଡ଼ିକୁ ନେଇ ଖୁସି ମନାଇବା ଆମ ଦେଶର ଅର୍ଥନୈତିକ ଅଗ୍ରାଧିକାରକୁ ସୂଚାଉଛି ।

ତେବେ ସେ କଥା ଯାହା ହେଉ ନା କାହିଁକି, କୃଷିକ୍ଷେତ୍ରରେ ବିନିଯୋଗ ହ୍ରାସ ପାଇ ଚାଲିଥିବା ସମ୍ପର୍କିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକଳନ ସହ ଅର୍ଥନୈତିକ ସର୍ବେକ୍ଷଣ ୨୦୨୨-୨୩ର ତଥ୍ୟ ବେଶ ପାଳନ ଖାଉଛି । ଏହି ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ୨୦୨୦-୨୧ ଆର୍ଥିକ ବର୍ଷରେ କୃଷିରେ ସରକାରୀ ଉଦ୍ୟୋଗର ବିନିଯୋଗ ସମ୍ପୃକ୍ତ ଦଶନ୍ଧିର ସର୍ବନିମ୍ନ ସ୍ତରରେ ଥିଲା । ଏହା ସହିତ ଚଳିତବର୍ଷର ବଜେଟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ସକାଶେ ବ୍ୟୟବରାଦକୁ ବିଚାରକୁ ନେଲେ କୃଷିକୁ କିପରି ବିକାଶମାର୍ଗ ବାହାରକୁ ଠେଲି ଦିଆଯାଇଛି, ସେ କଥା ଜଳ ଜଳ ହୋଇ ଦେଖାଯିବ । ଗୋଟିଏ କଥା ସ୍ପଷ୍ଟ ହୋଇଯିବା ଆବଶ୍ୟକ କୃଷି ପାଇଁ ଆଉ ଅଲଗା ଅମୃତ କାଳ ଆସିବ ନାହିଁ । କୃଷିର ଅମୃତ କାଳ ବୃହତ୍ତର ଅର୍ଥନୈତିକ ଯୋଜନାର ଏକ ଅନିଚ୍ଛେଦ୍ୟ ଅଙ୍ଗ ହେବାକୁ ବାଧ୍ୟ ।

ମୋଟ ବଜେଟର ଶତାଂଶ ଦୃଷ୍ଟିରୁ ବିଚାର କଲେ କୃଷି କ୍ଷେତ୍ରର ଭାଗ ୩.୮୪%ରୁ ୩.୨%କୁ ଖସି ଆସିଛି । ପ୍ରେସ ସୂଚନା ବ୍ୟୁରୋ ଅନୁଯାୟୀ ଚଳିତବର୍ଷ କୃଷି କ୍ଷେତ୍ର ପାଇଁ ମୋଟ ବ୍ୟୟବରାଦ ୧.୨୫ ଲକ୍ଷ କୋଟି ଟଙ୍କା । ପୂର୍ବବର୍ଷ ମୋଟ ସଂଶୋଧିତ ଅଟକଳ ଥିଲା ୧.୫୧ ଲକ୍ଷ କୋଟି ଟଙ୍କା ଥିଲା । ଦୁଇବର୍ଷ ପୂର୍ବେ ୨୦୨୧ର ବଜେଟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ସକାଶେ ୧.୧୮ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଏହା ଏକଥା ସ୍ପଷ୍ଟ ରୂପେ ପ୍ରତିପାଦିତ କରୁଛି ଯେ ଚଳିତବର୍ଷ କୃଷି ସକାଶେ ବଜେଟକୁ ଯଥେଷ୍ଟ ମାତ୍ରାରେ କମାଇ ଦିଆଯାଇଛି ।

ପୁନଶ୍ଚ, ଚଳିତବର୍ଷ ଫସଲ ବୀମାର ଅଗ୍ରଣୀ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବ୍ୟୟ ଅଟକଳକୁ ୧୨% କମାଇ ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ -କିଶାନ ସମ୍ମାନ ନିଧି ଯୋଜନାର ବ୍ୟୟ ଅଟକଳକୁ ମଧ୍ୟ ୧୨% ହ୍ରାସ କରାଯାଇଛି । ଏହି ଯୋଜନାଟି କୃଷକମାନଙ୍କୁ ବାର୍ଷିକ ୬୦୦୦ଟଙ୍କା ହାରରେ ପ୍ରତ୍ୟକ୍ଷ ରୋଜଗାର ସହାୟତା ଯୋଗାଇଥାଏ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଆଇନ ବାବଦକୁ ବ୍ୟୟ ଅଟକଳକୁ ମଧ୍ୟ ୩୩% ହ୍ରାସ କରାଯାଇଛି ।

କୃଷକମାନଙ୍କର ଧାନ ଓ ଗହମ ବ୍ୟତୀତ ଅନ୍ୟାନ୍ୟ ଉତ୍ପାଦର ମୂଲ୍ୟରେ ସ୍ଥିରତା ଆଣିବାରେ ସହାୟକ ହେଉଥିବା ଦୁଇଟି ଯୋଜନା ସକାଶେ ବ୍ୟୟ ଅଟକଳରେ ତୀଖ ହ୍ରାସ ଘଟିବା ବେଶ୍ ଜଳ ଜଳ ହୋଇ ଦେଖାଯାଉଛି । ତୈଳ ବୀଜ ଓ ଡାଲିଜାତୀୟ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ହେଉଥିବା ପ୍ରଧାନମନ୍ତ୍ରୀ-ଆଶା ଯୋଜନା ସକାଶେ ବଜେଟ୍ ଅଟକଳ ମାତ୍ର ଏକ ଲକ୍ଷ ଟଙ୍କା ରଖାଯାଇଛି । ଗତବର୍ଷ ଏହି ଯୋଜନାର ବ୍ୟୟ ଅଟକଳ ଖୁବ୍ ବେଶି କମାଇ ଦିଆଯାଇଥିଲା । ଅନୁରୂପ ଭାବେ ମୂଲ୍ୟ ସହାୟକ ଯୋଜନା (ପି.ଏସ.ଏସ.) ଏବଂ ବଜାରରେ ହସ୍ତକ୍ଷେପ ଯୋଜନା (ଏମ.ଆଇ.ଏସ୍) ସକାଶେ ବଜେଟ୍ ଅଟକଳକୁ ମଧ୍ୟ କମାଇ ଦିଆଯାଇଛି । ଏହି ଯୋଜନାଗୁଡ଼ିକ ଅଧୀନରେ ୧୫୦୦କୋଟି ଟଙ୍କାର ବଜାର ହସ୍ତକ୍ଷେପ କରାଯାଇଥାଏ । ଏହି ସହାୟତା କୃଷକମାନଙ୍କ ପାଇଁ ବଡ଼ ଭରସା ଥିଲା, ବିଶେଷକରି ସେହି କୃଷକମାନଙ୍କ ପାଇଁ ଯେଉଁମାନେ ଟମାଟୋ, ଆଳୁ ଏବଂ ପିଆଜ ବିକ୍ରୀ କରିନପାରି ରାସ୍ତାରେ ଅଜାଡ଼ି ଦେଉଥିଲେ । ଏହା ମଧ୍ୟ ରବର, କଫି ଇତ୍ୟାଦି ଫସଲଗୁଡ଼ିକ ସକାଶେ ସହାୟକ ହେଉଥିଲା ।

ହିମାଚଳ ପ୍ରଦେଶ ଓ କାଶ୍ମୀରର ସେଓ ଚାଷୀମାନଙ୍କ ସମେତ ଅନ୍ୟାନ୍ୟ ଅଞ୍ଚଳର ଉଦ୍ୟାନ କୃଷି ଉପରେ ନିର୍ଭର କରୁଥିବା ଚାଷୀ ଏବେ ଚିନ୍ତାଗ୍ରସ୍ତ । ସେମାନେ ଏକଥା ଜାଣିପାରୁନାହାନ୍ତି ଯେ, ବଜାର ହସ୍ତକ୍ଷେପ ବାବଦକୁ ବ୍ୟୟବରାଦ କମିଯିବା ୬୦,୦୦୦ରୁ ୮୦,୦୦୦ ଟନ୍ ସି-ଗ୍ରେଡ଼ ସେଓ ସଂଗ୍ରହକୁ କିପରି ପ୍ରଭାବିତ କରିବ । ଏମ୍.ଆଇ.ଏସ. ଅଧୀନରେ ହିମାଚଳ ପ୍ରଦେଶ ସରକାର ଏହି ସି-ଗ୍ରେଡ଼ ସେଓ କିଣି ନେଉଥିଲେ ଯେଉଁଥିପାଇଁ କେନ୍ଦ୍ର ସରକାର ୫୦% ଖର୍ଚ୍ଚ ବହନ କରୁଥିଲେ । ଏହି ଯୋଜନା ସେଓ ଚାଷୀମାନଙ୍କୁ ହଠାତ୍ ମୂଲ୍ୟହ୍ରାସରୁ ରକ୍ଷା କରିବାପାଇଁ ସୁରକ୍ଷା ପ୍ରଦାନ କରୁଥିଲା ।

କୃଷିଜାତ ଦ୍ରବ୍ୟଗୁଡ଼ିକ ସକାଶେ ମୂଲ୍ୟ ସୁରକ୍ଷା ପ୍ରଦାନ କରୁଥିବା ଯୋଜନାଗୁଡ଼ିକ ବାବଦକୁ ବ୍ୟୟ ଅଟକଳ କମିଯିବା ବ୍ୟତୀତ କୃଷକମାନଙ୍କୁ ଯାହା ବିବ୍ରତ କରିଛି, ତାହା ହେଲା ସର୍ବନିମ୍ନ ସହାୟକ ମୂଲ୍ୟ ସଂକ୍ରାନ୍ତରେ ବଜେଟର ପୂର୍ଣ୍ଣ ନୀରବତା । ତିନି ବିବାଦୀୟ କୃଷି ବିଲ୍ ପ୍ରତ୍ୟାହୃତ ହେବା ପରେ ପ୍ରତ୍ୟେକ ବର୍ଷ ୨୩ଟି ଫସଲ ସକାଶେ ଘୋଷଣା କରାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟକ୍ଷେତ୍ରରେ ଆଇନଗତ ପ୍ରତିଶ୍ରୁତି ସକାଶେ କୃଷକମାନେ ଦାବୀ କରି ଆସୁଛନ୍ତି । ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କଲେ ମଧ୍ୟ କେବଳ କେତୋଟି ରାଜ୍ୟରେ ଗହମ ଓ ଧାନକୁ ଛାଡ଼ିଦେଲେ, ଏହି ଘୋଷଣା ମୁଖ୍ୟତଃ କାଗଜକଲମରେ ହିଁ ରହିଯାଏ । କୃଷକ ପରିବାରଗୁଡ଼ିକର ସ୍ଥିତି ଆକଳନ ୨୦୧୯ର ରିପୋର୍ଟ ମୁତାବକ ଏକ କୃଷି ନିର୍ଭରଶୀଳ ପରିବାର ନିମନ୍ତେ ବାର୍ଷିକ ହାରାହାରି (ଅଣକୃଷି କାର୍ଯ୍ୟକଳାପଗୁଡିକୁ ମିଶାଇ) ରୋଜଗାର ୧୦,୨୧୮ଟଙ୍କା ବୋଲି ହିସାବ କରାଯାଇଛି । ତେଣୁ ଏକଥା ବେଶ ସ୍ପଷ୍ଟ ଯେ କୃଷିକ୍ଷେତ୍ରରେ କୌଣସି ସକାରାତ୍ମକ ପରିବର୍ତ୍ତନର ଆଶା କୃଷକମାନଙ୍କୁ ବର୍ଦ୍ଧିତ ତଥା ସୁନିଶ୍ଚିତ ମୂଲ୍ୟ ପ୍ରଦାନ ଉପରେ ହିଁ ଭରସା କରୁଛି ।

ଏପରି ସ୍ଥିତି କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରିବାକୁ ଦୃଢ଼ ଦାବୀ ଉପସ୍ଥାପନ କରୁଛି । ଅନ୍ତତଃ, ସରକାର ଚିନିକଳଗୁଡିକ ସକାଶେ ଏକ ସର୍ବନିମ୍ନ ବିକ୍ର୍ରୟ ମୂଲ୍ୟ ନିର୍ଦ୍ଧାରଣ କରି ଏହାକୁ କୁଇଣ୍ଟାଲ ପିଛା ୩୧ଟଙ୍କାକୁ ବଢ଼ାଇ ପାରିଲେ । କୃଷକମାନେ ଠିକ୍ ଏହି କଥା ହିଁଁ ଦାବୀ କରୁଛନ୍ତି । ଯଦି ଚିନିକଳଗୁଡିକ ପାଇଁ ନିର୍ଦ୍ଧାରିତ ମୂଲ୍ୟକୁ ସୁନିଶ୍ଚିତ କରାଯାଇପାରିବ, ତେବେ କୃଷକମାନଙ୍କୁ ମଧ୍ୟ ଏକ ବର୍ଦ୍ଧିତ ମୂଲ୍ୟର ପ୍ରତିଶୃତି ଦିଆଯାଇପାରିବ । କୃଷି ଷ୍ଟାର୍ଟଅପ୍ଗୁଡିକ ସକାଶେ ସମର୍ପିତ ପାଣ୍ଠିର ପରିମାଣ ବଢ଼ାଇବା ସର୍ବସାଧାରଣ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି ଏବଂ କୃଷିଜାତ ପଦାର୍ଥଗୁଡିକର ମୂଲ୍ୟ ଶୃଙ୍ଖଳକୁ ବଢ଼ାଯିବା କାର୍ଯ୍ୟ ଯେତେ କରାଗଲେ ମଧ୍ୟ ଏସବୁ କୃଷକମାନଙ୍କର ରୋଜଗାର ବୃଦ୍ଧିକୁ ସୁନିଶ୍ଚିତ କରିପାରିବେ ନାହିଁ । ଏହା ବିଶ୍ୱର କେଉଁଠି ହେଲେ ହୋଇନାହିଁ ।

ଅତଏବ, ସର୍ବନିମ୍ନ ସଂଗ୍ରହ ମୂଲ୍ୟକୁ ଏକ ଆଇନଗତ ପ୍ରାପ୍ୟ ବୋଲି ଘୋଷଣା କରାଯିବା ହିଁ ଏହି ଅଡୁଆରୁ ବାହାରିବାର ଏକମାତ୍ର ଉପାୟ । ସର୍ବନିମ୍ନ ସହାୟକ ମୂଲ୍ୟକୁ ସୁନଶ୍ଚିତ କରାଯିବା ଫଳରେ କୃଷକ ଯଦି ସେମାନଙ୍କ ହାତରେ ଅଧିକ ଟଙ୍କା ପାଆନ୍ତି, ତେବେ ସମୟାନୁକ୍ରମେ ଏହା ବଜାରକୁ ହିଁ ଯିବ ଏବଂ ଗ୍ରାମାଞ୍ଚଳର ଚାହିଦା ବଢ଼ାଇବ ।

ପରିବେଶ ଅନୁକୂଳ କୃଷିକୁ ପରିବର୍ତ୍ତିତ ହେବା କ୍ଷେତ୍ରରେ ପ୍ରଥମ ପଦକ୍ଷେପ ନିଆଯାଇ ସାରିଛି । ଏକ ସମୟ ଆଧାରିତ ବ୍ୟାପକ କାର୍ଯ୍ୟକ୍ରମ ଦ୍ୱାରା ଏହାକୁ ଆହୁରି ବଳିଷ୍ଠ କରାଯିବାର ଆବଶ୍ୟକତା ରହିଛି । ୧୦,୦୦୦ ଜୈବିକ ନିବେଶ ସମ୍ବଳ କେନ୍ଦ୍ର ପାଇଁ ଅର୍ଥ ଯୋଗାଇ ଦେବା ଏବଂ ଆଗାମୀ ତିନିବର୍ଷ ମଧ୍ୟରେ କୋଟିଏ କୃଷକଙ୍କୁ ରାସାୟନିକ କୃଷିରୁ ଅଣ-ରାସାୟନିକ କୃଷି ବ୍ୟବସ୍ଥାକୁ ପରିବର୍ତ୍ତିତ କରିବା ଖାଦ୍ୟବ୍ୟବସ୍ଥାର କାୟାକଳ୍ପ କ୍ଷେତ୍ରରେ ଏକ ପ୍ରଶଂସନୀୟ ଉଦ୍ୟମ । ଚଳିତବର୍ଷ ଆନ୍ତର୍ଜାତିକ ମିଲେଟ୍ ବର୍ଷ ହୋଇଥିବା କାରଣରୁ ପୁଷ୍ଟିସମୃଦ୍ଧ ଏବଂ ପରିସଂସ୍ଥାନ ଦୃଷ୍ଟିରୁ ନିରାପଦ ମିଲେଟର ଚାଷକୁ ଲାଭଜନକ କରିବା ସକାଶେ ସର୍ବନିମ୍ନ ସହାୟକ ମୂଲ୍ୟ ସଙ୍ଗେ ସଙ୍ଗେ ସମର୍ଥନର ଆବଶ୍ୟକତା ମଧ୍ୟ ରହିଛି ।

ଦୂରଦୃଷ୍ଟିକୁ ଦର୍ଶାଉଥିବା ପ୍ରଥମ ସାତଟି ଅଗ୍ରାଧିକାରକୁ ହାସଲ କରି ସମାବେଶୀ ବିକାଶ ସେତେବେଳେ ଯାଇ ସମ୍ଭବ ହେବ, ଯେତେବେଳେ କୃଷି ଆର୍ଥିକ ଦୃଷ୍ଟିରୁ ଲାଭଜନକ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସତ୍ତ୍ୱେ ପୁଣି ଥରେ ଠିଆହେବା ସକାଶେ ଯଥେଷ୍ଟ ନମନୀୟ ହୋଇଥିବ । ଏକ ପରିବେଶ ଅନୁକୂଳ ଅର୍ଥନୀତି ଆଡ଼କୁ ଦିଗ ପରିବର୍ତ୍ତନ ଦୃଶ୍ୟମାନ ହେଉଥିଲେ ମଧ୍ୟ କୃଷିକୁ ପରିସୀମା ବାହାରେ ରଖି ଏକ ଘୋଷଣାସର୍ବସ୍ୱ ‘ସୁନ୍ଦର ଭାବେ ସନ୍ତୁଳିତ ବଜେଟ୍’ କେବେହେଲେ ଲୋକମାନଙ୍କର ଆଶା ପୂରଣ କରିପାରିବ ନାହିଁ ।

ଦ୍ୱିଗୁଣିତ ଆୟର ଦିବାସ୍ୱପ୍ନ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪ର ଲୋକସଭା ନିର୍ବାଚନ ପୂର୍ବର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଏଥିରେ କୃଷିକ୍ଷେତ୍ର ନାମକୁ ମାତ୍ର ଅଗ୍ରାଧିକାର ପାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିୱାଇ), ପରିବର୍ତ୍ତିତ ସୁଧ ରିହାତି ଯୋଜନା (ଏମ୍ଆଇଏସ୍ଏସ୍), ସମାଜ ମଙ୍ଗଳ ଯୋଜନାଗୁଡ଼ିକ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଡାଲି ବଣ୍ଟନ ତଥା ଅନ୍ୟାନ୍ୟ ପ୍ରମୁଖ ଯୋଜନାଗୁଡିକ ସକାଶେ ଖର୍ଚ୍ଚକୁ ସାମାନ୍ୟ ବୃଦ୍ଧି କରାଯାଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ)କୁ ବନ୍ଦ କରାଯିବା ଫଳରେ ଖାଦ୍ୟ ସବସିଡି ବାବଦକୁ ଖର୍ଚ୍ଚ ୨୦୨୧-୨୨ ଆର୍ଥିକବର୍ଷରେ ହୋଇଥିବା ପ୍ରକୃତ ଖର୍ଚ୍ଚ ୨.୯୮ଲକ୍ଷ କୋଟି ଟଙ୍କାରୁ ହ୍ରାସପାଇ ୨୦୨୩-୨୪ର ବଜେଟ ଅଟକଳରେ ୧.୯୭ଲକ୍ଷ କୋଟିରେ ପହଞ୍ଚôବା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ।

ଆହୁରି ମଧ୍ୟ ସର୍ବାଧିକ ସବସିଡି ମଧ୍ୟରେ ଅନ୍ୟତମ ସାର ବାବଦକୁ ଖର୍ଚ୍ଚ ଅଟକଳ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ଆକଳନ ୨.୨୫ଲକ୍ଷ କୋଟି ଟଙ୍କାର ହ୍ରାସ ପାଇ ୨୦୨୩-୨୪ ଆର୍ଥିକ ବର୍ଷର ସଂଶୋଧିତ ଆକଳନ ୨.୨୫ଲକ୍ଷ କୋଟି ଟଙ୍କାର ହ୍ରାସ ପାଇ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଅଟକଳରେ ୧.୭୫ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ସାର ବାବଦକୁ ସବସିଡ଼ି କୃଷକମାନଙ୍କ ପାଇଁ ଯଥେଷ୍ଟ ସହାୟକ ହୋଇଥାଏ । ସ୍ୱଳ୍ପ ତଥା ଅସମୟ ବୃଷ୍ଟି ଯୋଗୁଁ ୨୦୨୨ର ଖରିଫ ଫସଲ ଆଶାନୁରୂପ ଫଳ ଦେଇନଥିବାରୁ ଦେଶର କୃଷକମାନେ ଅନ୍ତତଃ ଏତକ ଆଶା କରୁଥିଲେ ଯେ, ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଅଧୀନରେ ପରିବାର ପିଛା ବାର୍ଷିକ ୬୦୦୦ଟଙ୍କା ବଦଳରେ ୮୦୦୦ଟଙ୍କାର ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ କରାଯିବ । ମାତ୍ର ତାହା ହେଲାନାହିଁ ।

ଏହି ଯୋଜନା ବାବଦକୁ ବ୍ୟୟବରାଦ ୨୦୨୧-୨୨ର ୬୬,୮୨୫ କୋଟି ଟଙ୍କାରୁ କମାଇ ୨୦୨୩-୨୪ର ବ୍ୟୟ ବରାଦରେ ୬୦,୦୦୦ କୋଟି କରି ଦିଆଯାଇଛି । ଦୁର୍ଭାଗ୍ୟର ବିଷୟ ଯେ, ବହୁଳ ପ୍ରଚାରିତ କୃଷକମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା ପ୍ରସଙ୍ଗ ବଜେଟରେ ସ୍ଥାନ ମଧ୍ୟ ପାଇଲା ନାହିଁ । ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ କୃଷି ଅଭିବୃଦ୍ଧି ହାର ମନ୍ଥର ହୋଇ ୩.୪୭%ରେ ରହିଥିବା ବେଳେ, କୃଷିରୁ ଆୟକୁ ବଢ଼ାଇବାର ସ୍ୱପ୍ନ ଏକ ସୁଦୂର ପରାହତ ବାସ୍ତବତା ପରି ମନେ ହେଉଛି । ୨୦୧୫-୧୬ ସ୍ତରରୁ କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ସକାଶେ କୃଷି କ୍ଷେତ୍ର ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ବାର୍ଷିକ ୧୦.୪% ହାରରେ ଅଭିବୃଦ୍ଧି ଲାଭକରିବା ଆବଶ୍ୟକ ଥିଲା । ମାତ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସର୍ବଶ୍ରେଷ୍ଠ ତଥ୍ୟ ଅନୁଯାୟୀ ୨୦୧୨-୧୩ ଏବଂ ୨୦୧୮-୧୯ ମଧ୍ୟରେ କୃଷକମାନଙ୍କର ଆୟ ଏଇ ମାତ୍ର ୩% ହାରରେ ବୃଦ୍ଧି ପାଇଛି ।

ଆଶାର ଶେଷ କିରଣ ମଉଳିଯିବା ପରେ ଅଧିକାଂଶ କୃଷକ କୃଷିକୁ ଏକ ଜୀବିକାର ସାଧନ ରୂପେ ବଳବତ୍ତର ରଖିବାକୁ ଅନାଗ୍ରହୀ ହୋଇପଡିଛନ୍ତି । ତେଣୁ ଯଥେଷ୍ଟ ସହାୟତା ଏବଂ ନିରନ୍ତର ରୋଜଗାରକୁ ସୁନିଶ୍ଚିତ କରି କୃଷକମାନଙ୍କୁ ଚାଷ କରିବା ପାଇଁ ପ୍ରେରିତ କରିବାର ଜରୁରୀ ଆବଶ୍ୟକତା ରହିଛି । ପିଏମ୍ କିଶାନ ପରି ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ କାର୍ଯ୍ୟକ୍ରମ ଉଚିତ ଦିଗରେ ଗ୍ରହଣ କରାଯାଇଥିବା ଏକ ସଠିକ୍ ପଦକ୍ଷେପ ହୋଇଥିବାବେେଳେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ଯେତେ ପରିମାଣର ଅର୍ଥ ପ୍ରଦାନ କରାଯାଉଛି, ତାହା ହୁଏତ୍ ଯଥେଷ୍ଟ ହୋଇ ନପାରେ ।

କୃଷି ଉତ୍ପାଦଗୁଡିକର ମୂଲ୍ୟକୁ ଏକ ସ୍ଥିର ସ୍ତରରେ ରଖିବା ଉଦେ୍ଦଶ୍ୟରେ ଦୀର୍ଘକାଳ ହେଲା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ.ପି.)କୁ ଏକ ନୀତିଗତ ସାଧନ ରୂପେ ବ୍ୟବହାର କରାଯାଇ ଆସୁଛି ଯଦ୍ୱାରା କୃଷକମାନେ ସେମାନଙ୍କର ଉତ୍ପାଦ ପାଇଁ ସହାୟତା ପାଇପାରୁଛନ୍ତି । କୃଷକମାନଙ୍କ ଆୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରଭାବ ସମ୍ପର୍କରେ ୨୦୧୮-୧୯ ପାଇଁ ସ୍ଥିତି ଆକଳନ ସର୍ଭେରେ ଠିକଣା ଭାବେ ଅନୁଶୀଳନ କରାଯାଇଛି । ଏହି ସର୍ଭେରୁ ଏକଥା ଜଣାପଡିଛି ଯେ, ଯେଉଁ ରାଜ୍ୟଗୁଡିକରେ ଫସଲ ସଂଗ୍ରହ ନୀତିଗୁଡିକ ଫଳପ୍ରଦ, ସେହି ସବୁ ରାଜ୍ୟରେ କୃଷକମାନେ କୃଷିରୁ ଅଧିକ ଆୟ କରୁଛନ୍ତି । ଏକଥା ମଧ୍ୟ ଜଣାପଡିଛି ଯେ, ଏପରି ରାଜ୍ୟର ଅଧିକାଂଶ କୃଷକ ସେମାନଙ୍କର ଉତ୍ପାଦକୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ମଧ୍ୟ ଅଧିକ ମୂଲ୍ୟରେ ବିକ୍ରୀ କରିପାରିଛନ୍ତି । ଓଡ଼ିଶା ମଧ୍ୟ ଏ ଦିଗରେ ପ୍ରାୟତଃ ଭଲ ସ୍ଥିତିରେ ରହିଛି ।

ଉଦାହରଣ ସ୍ୱରୂପ ପଞ୍ଜାବର ୭୦% କୃଷକ, ହରିଆଣାର ୭୩% ଏବଂ ଛତିଶଗଡ଼ର ୬୦% କୃଷକ ସେମାନଙ୍କର ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ମୂଲ୍ୟ ପାଇଛନ୍ତି । ଏକଥା ଜଣାପଡ଼ିଛି ଯେ, ୨୦୧୮-୧୯ ଅମଳ ଋତୁରେ ସବୁଠାରୁ ଅଧିକ ଧାନ ସଂଗ୍ରହ କରାଯାଉଥିବା ପଞ୍ଜାବ ଏବଂ ହରିଆଣାର ଧାନର ପାଇକାରୀ ମୂଲ୍ୟ ଯଥାକ୍ରମେ ୨୩୮୩ଟଙ୍କା ଏବଂ ୨୯୦୮ଟଙ୍କା ରହିଥିଲା ଯାହାକି ପୂର୍ବାଞ୍ଚଳର ରାଜ୍ୟ ପଶ୍ଚିମବଙ୍ଗ (୧୫୫୨ ଟଙ୍କା), ଓଡ଼ିଶା (୧୭୫୧ଟଙ୍କା) ଏବଂ ଆସାମ (୧୫୬୨ ଟଙ୍କା)ର ପାଇକାରୀ ମୂଲ୍ୟଠାରୁ ଯଥେଷ୍ଟ ଅଧିକ ।

ଫଳସ୍ୱରୂପ ପୂର୍ବାଞ୍ଚଳ ରାଜ୍ୟଗୁଡିକର କୃଷକ ପରିବାରମାନଙ୍କର ହାରାହାରି ଆୟ ପଞ୍ଜାବ ଓ ହରିଆଣାର କୃଷକ ପରିବାରମାନଙ୍କର ହାରାହାରି ଆୟର ପ୍ରାୟ ଏକ ଚତୁର୍ଥାଂଶ ଥିଲା । ଅତଏବ, ଏକଥା ବେଶ ସ୍ପଷ୍ଟ ଯେ, ଏକ ଫଳପ୍ରଦ ମୂଲ୍ୟ ନିର୍ଦ୍ଧାରଣ ନୀତି ସହିତ ସରକାରଙ୍କ ଦ୍ୱାରା ଖାଦ୍ୟଶସ୍ୟ ଉତ୍ପାଦନର ଗୋଟିଏ ଅଂଶମାତ୍ର ସଂଗ୍ରହ କରାଗଲେ ତାହାର ପାଇକାରୀ ମୂଲ୍ୟକୁ ଉପରକୁ ଉଠାଇବାର ତଥା କୃଷକଙ୍କର ରୋଜଗାର ବଢ଼ାଇବାର ସାମର୍ଥ୍ୟ ରହିଛି ।

କୃଷକମାନଙ୍କର ଆୟ ବଢ଼ାଇବାର ଆଉ ଗୋଟିଏ ଦିଗ ହେଲା ଧାନ ବା ଗହମର ଏକକ ଫସଲ ଉପରୁ କୃଷକମାନଙ୍କର ନିର୍ଭରଶୀଳତା କମାଇବା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା । ଅନ୍ୟାନ୍ୟ ଶସ୍ୟ ଏବଂ ତୈଳବୀଜ ଇତ୍ୟାଦି ଚାଷ କରି ସେମାନଙ୍କ ଫସଲ ବିବିଧତା ବଢ଼ାଇବା ପାଇଁ କୃଷକମାନଙ୍କର ସହାୟତା କରାଯାଇପାରିବ । ଏଥିପାଇଁ ଏକ ସ୍ୱତନ୍ତ୍ର ଫସଲ ବିବିଧିକରଣ ନୀତି ଆପଣାଯାଇ ପାରିବ ଯାହା ଅଧୀନରେ କୃଷକମାନେ ଚାଷପାଇଁ ମୁଖ୍ୟ ନିବେଶ ସଂଗ୍ରହ କରିପାରିବେ ଏବଂ ସେମାନଙ୍କର ଉତ୍ପାଦପାଇଁ ଏକ ନିର୍ଦ୍ଧାରିତ ବଜାରର ସହଯୋଗ ପାଇପାରିବେ ।

ଏପରି ଏକ ଉଦ୍ୟମ କେବଳ କୃଷକମାନଙ୍କର ସ୍ୱଳ୍ପ ଆୟର ମୁଖ୍ୟ ସମସ୍ୟା ଦୂର କରିବ ନାହିଁ ବରଂ ଏହା ନିରନ୍ତର କୃଷିପଦ୍ଧତି ଆପଣେଇବା ତଥା ଜଳ ପରି ପ୍ରାକୃତିକ ସମ୍ବଳଗୁଡିକର ସର୍ବନିମ୍ନ କ୍ଷୟକୁ ମଧ୍ୟ ସୁନିଶ୍ଚିତ କରିବ । ଏହା ବେଶ୍ ଜଣାଶୁଣା ଯେ, ଧାନହେଉଛି ପ୍ରଚୁର ପରିମାଣର ପାଣି ପିଉଥିବା ଫସଲ ଏବଂ ଏହା ଫଳରେ ଉତ୍ତର-ପଶ୍ଚିମ ଭାରତରେ ଭୂତଳ ଜଳସ୍ତର ବ୍ୟାପକମାତ୍ରାରେ ହ୍ରାସ ପାଇଛି । ଫସଲର ବିବିଧିକରଣ ମାଧ୍ୟମରେ ଡାଲିଜାତୀୟ ଫସଲ ଓ ଖାଦ୍ୟୋପଯୋଗୀ ତୈଳବୀଜର ପ୍ରସାର କରାଗଲେ ତାହା ମଧ୍ୟ ଭାରତର ରତ୍ପାନୀ ଉପରେ ନିର୍ଭରଶୀଳତା ହ୍ରାସ କରନ୍ତା ଏବଂ ବିପୁଳ ପରିମାଣର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇପାରନ୍ତା ।

ଆଶା କରାଯାଉଥିଲା ଯେ, ଚଳିତ ବଜେଟ ସମ୍ମିଳିତ ନୀତି ଏବଂ ଆବଶ୍ୟକୀୟ ବ୍ୟୟବରାଦ ମାଧ୍ୟମରେ କୃଷକମାନଙ୍କର ଆୟବୃଦ୍ଧିକୁ ପୁନର୍ବାର ଧ୍ୟାନକୁ ଆଣିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାବଦକୁ ହୋଇଥିବା ଖର୍ଚ୍ଚକାଟ ମାଧ୍ୟମରେ ସଂଚିତ ଅର୍ଥକୁ କୃଷି ଉତ୍ପାଦ ସଂଗ୍ରହକୁ ଅଧିକ ବ୍ୟାପକ ଏବଂ ଫସଲର ବିବିଧିକରଣ ନୀତି ବାବଦକୁ ବିନିଯୋଗ କରାଯାଇପାରିବ ।

ବଜେଟରେ ଧ୍ୟାନ ଦିଆଯାଇଥିବା ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ଯଥା ଅଧିକ ଅଞ୍ଚଳକୁ ନିର୍ଭରଯୋଗ୍ୟ ଜଳସେଚନର ପରିସରଭୁକ୍ତ କରିବା ପାଇଁ ଭିତ୍ତିଭୂମିର ବିକାଶ, ପ୍ରାକୃତିକ କୃଷିର ବ୍ୟାପକ ପ୍ରଚାର, କୃଷି ଗବେଷଣା ଏବଂ ଉନ୍ନୟନ ବାବଦକୁ ଖର୍ଚ୍ଚକୁ ବଢ଼ାଯିବା ଇତ୍ୟାଦି ଆମ ଦେଶର ସଂଖ୍ୟାଗରିଷ୍ଠ କୃଷକମାନଙ୍କର ସେତେ ଭଲ ନୁହେଁ ସ୍ଥିତିକୁ ବଦଳାଇବାରେ ସହାୟକ ହୋଇପାରେ । ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କୃଷି କ୍ଷେତ୍ରର ସାମର୍ଥ୍ୟକୁ ଆଦୌ ଅଣଦେଖା କରାଯିବା ଉଚିତ୍ ନୁହେଁ, କାରଣ ଏବେ ମଧ୍ୟ କୃଷି ଦେଶର ଏକ ବିଶାଳ ଜନସଂଖ୍ୟାକୁ ନିୟୋଜିତ କରୁଛି ।

କୃଷକର ମୌଳିକ ସମସ୍ୟା ନିରାକରଣରେ ବ୍ୟର୍ଥ

୨୦୨୩ର ବଜେଟ କୃଷିକ୍ଷେତ୍ର ପାଇଁ ଲୋକଦେଖାଣିଆ ପ୍ରେମ ପ୍ରଦର୍ଶନ କରୁଥିଲେ ମଧ୍ୟ କୃଷିକ୍ଷେତ୍ରକୁ ବାନ୍ଧି ରଖିଥିବା ଶିକୁଳି ଛିଡ଼ାଇବା ପାଇଁ ଏହା କୌଣସି ପ୍ରୟାସ କରିନାହିଁ ।

ସମ୍ପ୍ରତି କୃଷିକ୍ଷେତ୍ର ଖାଦ୍ୟ ଓ ଊର୍ବରକର ସଂକଟରେ ଜର୍ଜରିତ । ଖାଦ୍ୟ ଉତ୍ପାଦନ ଏବଂ ଉପଲବ୍ଧତା ହ୍ରାସ ପାଇବାର ଆଶଙ୍କା ଦେଖାଦେବା ସଙ୍ଗେ ସଙ୍ଗେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଭୟ ମଧ୍ୟ ଦେଖାଦେଇଛି । ଊର୍ବରକ ଏବଂ ଅନ୍ୟାନ୍ୟ କୃଷି ରସାୟନର ମୂଲ୍ୟ ଆକାଶଛୁଅଆଁ ହେବାର ଆଶଙ୍କା ମଧ୍ୟ ରହିଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ବଜେଟ୍ ଭାରତୀୟ କୃଷିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡିକର ନିରାକରଣ କରିବାରେ ଦୟନୀୟ ଭାବେ ବ୍ୟର୍ଥ ହୋଇଛି । ଦୁର୍ଭାଗ୍ୟର କଥା ଏଥିରେ ବର୍ତ୍ତମାନ ସମୟର ଆହ୍ୱାନ, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଏବଂ ବାସ୍ତବିକତା ଉପରେ ଆଧାରିତ ଦୂରଦୃଷ୍ଟି ପ୍ରଦର୍ଶନ କରିବାରେ ବଜେଟ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି । କୃଷକମାନେ ଆଶା କରୁଥିଲେ ଯେ, ଖାଦ୍ୟ ଓ ଊର୍ବରକ ରିହାତିଗୁଡିକ ପୂର୍ବବତ୍ ବଳବତ୍ତର ରହିବ ଅଥବା ବୃଦ୍ଧି କରାଯିବ । ମାତ୍ର କେନ୍ଦ୍ର ବଜେଟରେ ଭିନ୍ନ କଥା ହିଁ କୁହାଗଲା ।

କେନ୍ଦ୍ର ବଜେଟରୁ କୃଷିକ୍ଷେତ୍ରର ପ୍ରତ୍ୟାଶା ଦୁଇ ପ୍ରକାରର ଥିଲା । ପ୍ରଥମତଃ ବଜେଟ କୃଷିରୁ କୃଷକମାନଙ୍କର ରୋଜଗାର ବଢ଼ାଇବା ସକାଶେ ପଦକ୍ଷେପମାନ ଗ୍ରହଣ କରିଥିବ ଏବଂ ଦ୍ୱିତୀୟତଃ ଏହା କୃଷକ ଏବଂ ଉପଭୋକ୍ତାମାନଙ୍କୁ ଖାଦ୍ୟ ଓ ଊର୍ବରକ ସଂକଟରୁ ସୁରକ୍ଷିତ ରଖିଥିବ । ମାତ୍ର ଉଭୟ କ୍ଷେତ୍ରରେ ବଜେଟ ବିଫଳ ହୋଇଛି । ଖାଦ୍ୟସାମଗ୍ରୀ ବାବଦକୁ ଦିଆଯାଉଥିବା ରିହାତିକୁ ୨୦୨୨-୨୩ ମସିହାର ସଂଶୋଧିତ ଅଟକଳ ୨.୮୭ଲକ୍ଷ କୋଟିରୁ ହ୍ରାସ କରାଯାଇ ୨୦୨୩-୨୪ର ବଜେଟ ଅଟକଳରେ ୧.୯୭ ଲକ୍ଷ କୋଟି ଟଙ୍କା କରାଯାଇଛି । ରାସାୟନିକ ସାର ରିହାତିକୁ ୨.୨୫ ଲକ୍ଷ କୋଟି ଟଙ୍କାରୁ କମାଯାଇ ୧.୭୫ଲକ୍ଷ କୋଟି କରାଯାଇଛି । ଏହି ରିହାତି ହ୍ରାସଗୁଡିକ କୃଷକମାନଙ୍କ ପାଇଁ ବିପର୍ଯ୍ୟୟ ଆଣିଦେଇଛି ଏବଂ ସେମାନଙ୍କୁ ବଜାରର ପୁଞ୍ଜିପତି ଶକ୍ତିମାନଙ୍କର ଦୟାର ପାତ୍ର କରିଦେଇଛି । ଫସଲ ଉତ୍ପାଦକ ସକାଶେ ବିନିଯୋଗ ଏବଂ ଉତ୍ପାଦନର ଅନୁପାତ ଯଥେଷ୍ଟ ଆଗରୁ ଅସନ୍ତୁଳିତ ହୋଇରହିଥିଲା ଏବଂ ଏବେ ଏହା ଆହୁରି ବିଗିଡିଯିବ ଯାହାକି କୃଷକ ପରିବାରଗୁଡିକର ତିଷ୍ଠି ରହିବାକୁ ବିପଦଗ୍ରସ୍ତ କରିଦେବ ।

ଯେତେବେଳେ ଅନ୍ୟ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ହ୍ରାସ ପାଇ ଚାଲିଥିଲା ସେତେବେଳେ କୃଷିକ୍ଷେତ୍ର ହିଁ ଭାରତର ଅର୍ଥନୀତିକୁ ରକ୍ଷା କରିଥିଲା । ବିଶେଷ କରି କୋଭିଡ-୧୯ର ସଙ୍କଟ ଘଡ଼ିରେ ଏହା ସ୍ପଷ୍ଟ ବାରି ହୋଇ ଯାଇଥିଲା । ଅର୍ଥନୈତିକ ସର୍ବେକ୍ଷଣଗୁଡିକ ଏହି ଉକ୍ତିର ବିଶ୍ୱସନୀୟତାକୁ ପ୍ରମାଣିତ କରିଛି । ଏହି ସର୍ଭେଗୁଡିକ ଦର୍ଶାଇଛନ୍ତି ଯେ, ବିଗତ ଛଅ ବର୍ଷରେ କୃଷିକ୍ଷେତ୍ର ବାର୍ଷିକ ହାରାହାରି ୪.୬% ହାରରେ ବୃଦ୍ଧି ପାଇଛି । କିନ୍ତୁ ଏଥିପାଇଁ ଅଧିକ ସୁବିଧା ସୁଯୋଗ ପାଇବା ବଦଳରେ ଉଭୟ କୃଷି ଓ ଗ୍ରାମୀଣ ରୋଜଗାର ଏବେ ଚାପଗ୍ରସ୍ତ ହୋଇପଡିଛି । ଗ୍ରାମାଞ୍ଚଳରେ ଅଧିକ ମୁଦ୍ରାସ୍ଫୀତି ଯୋଗୁଁ ଗ୍ରାମୀଣ ଲୋକମାନଙ୍କର କ୍ରୟଶକ୍ତି ହ୍ରାସ ପାଇଛି ଯାହାକି ଗ୍ରାମାଞ୍ଚଳରେ ବିଯୁକ୍ତାତ୍ମକ ଅଭିବୃଦ୍ଧି କରାଇଛି । ଏହା ଖାଉଟି ସାମଗ୍ରୀ ନିର୍ମାଣକାରୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସରକାରୀ ତଥ୍ୟରୁ ଦର୍ଶାଉଛି ଯେ, ୨୦୨୦-୨୧ ଏବଂ ୨୦୨୨-୨୩ ମଧ୍ୟ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୩%ରୁ ୩.୫% ମଧ୍ୟରେ ସ୍ଥାଣୁ ଥିଲା । ୨୦୧୫ ମସିହା ପରଠାରୁ କୃଷିରୁ ପ୍ରକୃତ ଆୟ ହ୍ରାସ ପାଇଛି । ୨୦୨୦-୨୧ ଏବଂ ୨୦୨୧-୨୨ ମଧ୍ୟରେ ସହାୟକ ମୂଲ୍ୟରେ ବୃଦ୍ଧି ଯୋଗୁଁ କୃଷକମାନଙ୍କର ଆୟ ଯେତେ ବୃଦ୍ଧି ପାଇଥିଲା, ତାହା କଷ୍ଟେମଷ୍ଟେ କୃଷି ନିବେଶ ବାବଦକୁ ଅଧିକ ଖର୍ଚ୍ଚର ସମକକ୍ଷ ହୋଇପାଇଲା ସିନା, ମୋଟ ରୋଜଗାର ବଢ଼ାଇବା କ୍ଷେତ୍ରରେ କୌଣସି ବିଶେଷ ସୁଯୋଗ ସୃଷ୍ଟି କଲାନାହିଁ । ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଫସଲ ଆମଦାନୀ କମ୍ ରହିଲା ।

ରାସାୟନିକ ସାରର ମୂଲ୍ୟ ବୃଦ୍ଧିଯୋଗୁଁ କୃଷିକ୍ଷେତ୍ରରେ ଏହାର ବ୍ୟବହାର ହ୍ରାସ ପାଇଲା । ଏହାଫଳରେ ଅସନ୍ତୁଳିତ ଊର୍ବରକର ପ୍ରୟୋଗ ହେଲା ଏବଂ ଫସଲ ଉତ୍ପାଦନର ସମ୍ଭାବନା ହ୍ରାସ ପାଇଲା । ଅନ୍ୟପକ୍ଷରେ ଚଳିତ କେନ୍ଦ୍ର ବଜେଟରେ ପ୍ରାକୃତିକ କୃଷିର ପ୍ରସାର ପାଇଁ ଜାତୀୟ ମିଶନ ପାଇଁ ୪୫୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ପ୍ରାକୃତିକ କୃଷି ଫଳରେ ପ୍ରାରମ୍ଭିକ ବର୍ଷଗୁଡିକରେ ଫସଲର ଅମଳ ୨୫-୩୦% ହ୍ରାସ ପାଇବ । ତେବେ ଏଠାରେ ଏକ ପ୍ରାସଙ୍ଗିକ ପ୍ରଶ୍ନ ଉଠୁଛି ଯେ, କୃଷି କ୍ଷେତ୍ରରେ ନିବେଶର ମୂଲ୍ୟବୃଦ୍ଧି ଘଟୁଥିବାବେଳେ ତଥା ଫସଲର ବିକ୍ରୟ ମୂଲ୍ୟ ଅପରିବର୍ତ୍ତିତ ରହୁଥିବାବେଳେ କୃଷି କିପରି ଲାଭଜନକ ହୋଇପାରିବ? ସରକାର କ’ଣ ଏକଥା ମଧ୍ୟ ବୁଝାଇବା ଆବଶ୍ୟକ ନୁହେଁ କି କାହିଁକି ଏହା ୨୦୧୫ରୁ ୨୦୨୨ମଧ୍ୟରେ କୃଷକମାନଙ୍କର ରୋଜଗାରକୁ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ପୂରଣ କରିପାରିଲେ ନାହିଁ?

ଯଦିଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି କ୍ଷେତ୍ର ସକାଶେ ଅନେକଗୁଡ଼ିଏ ଘୋଷଣା କରିଛନ୍ତି, ବିଭିନ୍ନ ଯୋଜନା ବା ଯୋଜନାର ଅଂଶବିଶେଷ ବାବଦକୁ କେତେ ବ୍ୟୟବରାଦ କରାଯାଇଛି, ସେ ସମ୍ପର୍କରେ ବଜେଟର ଦଲିଲରେ କିଛି ହେଲେ ଉଲ୍ଲେଖ କରାଯାଇନାହିଁ । ଏଗୁଡିକ ହେଉଛି ଖଣ୍ଡ-ବିଖଣ୍ଡିତ ବ୍ୟୟବରାଦ ଯାହାକି ବିଭିନ୍ନ ବିଭାଗ ମଧ୍ୟରେ ଅଳ୍ପ ପରିମାଣରେ ବିତରଣ କରାଯାଇଛି ଯାହାର କୃଷି କ୍ଷେତ୍ରରେ କେବଳ ପରୋକ୍ଷ ଅଥବା ନାମକୁ ମାତ୍ର ପ୍ରଭାବ ରହିଛି ।

କୃଷିକୁ ତ୍ୱରାନ୍ୱିତ କରିବା ପାଇଁ ପାଣ୍ଠି, ପ୍ରଧାନମନ୍ତ୍ରୀ ଯୋଜନା, ଗୋବରଧନ, ଭାରତୀୟ ପ୍ରାକୃତିକ କୃଷି ଜୈବନିବେଶ ସମ୍ବଳ କେନ୍ଦ୍ର, ମିଷ୍ଟି ଏବଂ ଅମୃତ ଧରୋହର ଏପରି କେତେକ ଉଦାହରଣ । ମିଲେଟ୍ ବାବଦକୁ ବହୁ ସମୟ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବଜେଟ୍ ବ୍ୟୟବରାଦ ବାବଦକୁ ଏ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇନାହିଁ । ତେବେ ମିଲେଟ୍ ସକାଶେ ହାଇଦ୍ରାବାଦସ୍ଥିତ ସେଣ୍ଟର ଫର୍ ଏକ୍ସିଲେନ୍ସ ବା ଉକ୍ରର୍ଷ କେନ୍ଦ୍ର ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି । ଆହୁରି ଗୋଟିଏ ଘୋଷଣାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା ବାବଦକୁ ୬୦୦୦କୋଟି ଟଙ୍କାର ଲକ୍ଷ୍ୟଭିତ୍ତିକ ବିନିଯୋଗ କରାଯିବା କଥା କୁହାଯାଉଥିଲା । ମାତ୍ର ବ୍ୟୟବରାଦରେ ପ୍ରକୃତ ବୃଦ୍ଧିର ପରିମାଣ ମାତ୍ର ୧୨୧କୋଟି ଟଙ୍କା । କୃଷି କ୍ଷେତ୍ର ପାଇଁ କେବଳ ଜଳସେଚନ ନୁହେଁ, କୃଷି ବଜାର ବା ମଣ୍ଡିଗୁଡିକର ଭିତ୍ତିଭୂମି ତଥା ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ପୁଞ୍ଜିନିବେଶ କରାଯିବା ଆବଶ୍ୟକ । ୨୦୨୨-୨୩ ମସିହାରେ ସରକାରଙ୍କର ମୋଟ ପୁଞ୍ଜିନିବେଶ ବାବଦକୁ ଖର୍ଚ୍ଚ ଥିଲା ୭.୫ଲକ୍ଷ କୋଟି ଟଙ୍କା ମାତ୍ର ଫସଲର ରକ୍ଷଣାବେକ୍ଷଣ, ଗୃହପାଳିତ ପଶୁର ରକ୍ଷଣାବେକ୍ଷଣ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ଉତ୍ପାଦନ ବାବଦକୁ ପୁଞ୍ଜିନିବେଶ ପାଇଁ ବ୍ୟୟବରାଦ ଥିଲା ମାତ୍ର ୧୧୯କୋଟି । ୨୦୨୩-୨୪ ଆର୍ଥିକବର୍ଷରେ ଏହି ପୁଞ୍ଜି ନିବେଶ ପାଇଁ ବ୍ୟୟବରାଦ ୮୪.୩କୋଟି ଟଙ୍କାକୁ ହ୍ରାସ ପାଇଲା । ୨୦୨୨-୨୩ ଆର୍ଥିକ ବର୍ଷରେ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବାବଦକୁ ବ୍ୟୟବରାଦ ୩୫୦କୋଟି ଟଙ୍କା ଥିବାବେଳେ ତାହା ୨୦୨୩-୨୪ରେ ୩୨୫କୋଟି ଟଙ୍କାକୁ ହ୍ରାସ ପାଇଛି । ୨୦୨୨-୨୩ ବର୍ଷରେ କୃଷି ଭିତ୍ତିଭୂମି ପାଣ୍ଠି ପାଇଁ ୫୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ସେଥିରୁ କେବଳ ୧୫୦କୋଟି ଟଙ୍କା ହିଁ ଖର୍ଚ୍ଚ ହୋଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏ ବାବଦକୁ ୫୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷିର ଉନ୍ନତି ସକାଶେ ଅନେକ କିଛି କରାଯିବାର ଆବଶ୍ୟକତା ରହିଛି । କୃଷିକ୍ଷେତ୍ରରେ ମୁଖ୍ୟ ଆହ୍ୱାନଗୁଡିକ ହେଲା ଜଳବାୟୁ ପରିବର୍ତ୍ତନ, କ୍ରମବର୍ଦ୍ଧିଷ୍ଣୁ କୃଷିନିବେଶ ମୂଲ୍ୟ, ବିଖଣ୍ଡିତ ଚାଷ ଜମି, କୃଷି କ୍ଷେତ୍ରର ଯାନ୍ତ୍ରିକୀକରଣ ଏପର୍ଯ୍ୟନ୍ତ ଆବଶ୍ୟକୀୟ ସ୍ତରକୁ ଆସି ନପାରିବା, କମ୍ ଉତ୍ପାଦିକତା ଏବଂ ଛଦ୍ମବେଶୀ ବେକାରୀ ।

ଭିତ୍ତିଭୂମି ଏବଂ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଉଭୟ ସରକାରୀ ତଥା ଘରୋଇ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ଯାହାକି ସବସିଡି ବା ରିହାତିର ପୁନର୍ବିନ୍ୟାସ କରି ସଂଗ୍ରହ କରାଯାଇପାରିବ । ଫସଲ କ୍ରମରେ ପରିବର୍ତ୍ତନ କରି ମିଲେଟ୍, ଡାଲିଜାତୀୟ ଫସଲ, ତୈଳବୀଜ, ଉଦ୍ୟାନ କୃଷି, ପଶୁପାଳନ, ଗୋପାଳନ ଏବଂ ମତ୍ସ୍ୟ ସମ୍ପଦ ଉପରେ ଧ୍ୟାନ କେନ୍ଦ୍ରୀତ କରାଯିବାର ଆବଶ୍ୟକତା ରହିଛି । ଏହା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳରେ ଉତ୍ପାଦନ ତଥା ସେବା କ୍ଷେତ୍ରକୁ ବଳିଷ୍ଠ କରିବାର ଆବଶ୍ୟକତା ମଧ୍ୟ ରହିଛି । ଲଘୁ ଓ କ୍ଷୁଦ୍ର ଶିଳ୍ପରେ ରୋଜଗାର ଓ ନିଯୁକ୍ତି ପୁନର୍ବାହାଲ କରିବା ପାଇଁ ନୀତିର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯିବା ଜରୁରୀ । କୃଷିକ୍ଷେତ୍ରରେ ତଥା ଗ୍ରାମାଞ୍ଚଳରେ ରୋଜଗାରର ଉନ୍ନତି କରିବା ତଥା ଅଭିବୃଦ୍ଧି ଓ ନିରନ୍ତରତା ପାଇଁ ଜୀବିକାର୍ଜନର ସୁଯୋଗ ସୃଷ୍ଟି କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ଘନିଷ୍ଠଭାବେ କାର୍ଯ୍ୟ କରିବା ଉଚିତ୍ ।

ମୌନ ମନରେଗା

ପ୍ରତ୍ୟେକ ବର୍ଷ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ କେଇ ହଜାର କୋଟି ଟଙ୍କାର ଦାୟ ଓ ଦେୟ ବାକି ରହିଯାଏ । ଏଥିରୁ ଗୋଟିଏ କଥା ଜଳଜଳ ହୋଇ ଦେଖାଯାଏ ଉଭୟ କେନ୍ଦ୍ର ବଜେଟ୍ ଆକଳନ ଏବଂ ସଂଶୋଧିତ ବଜେଟ ଆକଳନ କାର୍ଯ୍ୟକ୍ରମକୁ ଆବଶ୍ୟକତା ମୁତାବକ ପାଣ୍ଠି ଯୋଗାଇ ପାରୁନାହାଁନ୍ତି । ଫଳସ୍ୱରୂପ କୋଟି କୋଟି ଦରିଦ୍ର ଶ୍ରମିକମାନେ ନିରାଶ ହୋଇ ସେମାନଙ୍କ ବକେୟା ମଜୁରୀକୁ ଅପେକ୍ଷା କରି ରୁହନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଏପରି ଏକ ଭୟ ଉଦ୍ରେକାରୀ ପରିସ୍ଥିତିକୁ ବଳପୂର୍ବକ ମଜୁରୀ କରାଯିବାଠାରୁ କିଛି କମ୍ ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି । ତେଣୁ ଏହା ଭାରତୀୟ ସମ୍ବିଧାନର ଧାରା ୨୩ର ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଯାଇଛି । ମନରେଗା ଏକ ଚାହିଦା ଆଧାରିତ କାର୍ଯ୍ୟକ୍ରମ ହୋଇ ପୂର୍ବରୁ ବଜେଟ୍ ବ୍ୟୟବରାଦ ଏହାପାଇଁ ଗୁରୁତ୍ୱପୂର୍ଣ୍ଣ ।

ମନରେଗା ହେଉଛି ଏକ ସ୍ୱତନ୍ତ୍ର ଚାହିଦା ଆଧାରିତ ଆଇନଗତ ବ୍ୟବସ୍ଥା ଯାହାକି ବଜେଟ ଦ୍ଵାରା ସୀମିତ ହେବା ଉଚିତ ନୁହେଁ । ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ମନରେଗା ପାଇଁ ବାର୍ଷିକ ବ୍ୟୟବରାଦ ମୋଟାମୋଟି ଭାବେ ମୋଟ ଘରୋଇ ଉତ୍ପାଦ (ଜି.ଡି.ପି.)ର ୦.୪% ଥିଲା ଏବଂ ଏହି ଦୃଢ଼ ପ୍ରତିଶୃତି ଦିଆଯାଇଥିଲା ଯେ, ଯେତେବେଳେ ଆବଶ୍ୟକ ପଡ଼ିବ ସେତେବେଳେ ଅତିରିକ୍ତ ଅର୍ଥ ଯୋଗାଇ ଦିଆଯିବ । ମନରେଗାର ରୂପାୟନକୁ ସୂକ୍ଷ୍ମ ଭାବେ ଅନୁଧ୍ୟାନ କରୁଥିବା ଅର୍ଥନୀତିଜ୍ଞ ଓ ଆକ୍ଟିଭିଷ୍ଟମାନେ ଆକଳନ କରିଥିଲେ ଯେ, ଦରିଦ୍ର ଲୋକମାନଙ୍କ ପାଇଁ କେବଳ ଅତ୍ୟାବଶ୍ୟକୀୟ ରୋଜଗାର ଯୋଗାଇ ଦେବା ବଦଳରେ ଗ୍ରାମୀଣ ଭାରତର କାୟାକଳ୍ପର ଅୟମାରମ୍ଭ କରିବା ପାଇଁ ଏହାକୁ ଏକ ଆଇନରେ ରୂପାନ୍ତରିତ ହେବା ପାଇଁ ମନରେଗାକୁ ସୁଯୋଗ ପ୍ରଦାନ କରିବା ସକାଶେ ବର୍ତ୍ତମାନ ଯୋଜନାରେ ଖର୍ଚ୍ଚ କରାଯାଉଥିବା ଅର୍ଥର ପ୍ରାୟ ଦୁଇଗୁଣରୁ ଅଧିକ ବା ଜି.ଡି.ପି.ର ପ୍ରାୟ ୧% ବିନିଯୋଗ କରାଯିବା ଆବଶ୍ୟକ ।

ଚଳିତବର୍ଷର ମନରେଗା ବାବଦକୁ ବ୍ୟୟବରାଦ ୬୦,୦୦୦ କୋଟି ଟଙ୍କା ଯାହାକି ଆମ ଦେଶର ଜି.ଡି.ପି.ର ୦.୨%ରୁ ମଧ୍ୟ କମ୍ । ତେଣୁ, ବାସ୍ତବତା ହେଲା ଯେ, ଚଳିତବର୍ଷ ମନରେଗା ପାଇଁ ବ୍ୟୟବରାଦ ସର୍ବନିମ୍ନ । ପିପୁଲ୍ସ ଆକ୍ସନ ଫର୍ ଏମ୍ପ୍ଳୟମେଣ୍ଟ ଗ୍ୟାରେଣ୍ଟି ଏବଂ ନରେଗା ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ହିସାବ କରାଯାଇଛି ଯେ, ଏହି ଅନୁଦାନରେ ବର୍ତ୍ତମାନ ସକ୍ରିୟ ଥିବା ଜବକାର୍ଡଧାରୀମାନଙ୍କୁ ହାରାହାରି ମାତ୍ର ୨୦ଦିନର କାମ ଯୋଗାଯାଇ ପାରିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଯୁକ୍ତି ବାଢ଼ିଛନ୍ତି ଯେ, ଏହି ଅନୁଦାନ କର୍ମନିଯୁକ୍ତିର ଚାହିଦା ମେଣ୍ଟାଇବା ସକାଶେ ଯଥେଷ୍ଟ ହେବ ଏବଂ କର୍ମନିଯୁକ୍ତି ବାବଦକୁ ଯାହା କିଛି ଅଭାବ ପଡ଼ିବ, ତାହା ବଜେଟର ଅନ୍ୟାନ୍ୟ ଅନୁଦାନଗୁଡିକ ଦ୍ୱାରା ଭରଣା କରାଯାଇପାରିବ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ପାଣ୍ଠିର ଅଭାବ ହେଲେ ସଂଶୋଧିତ ଅଟକଳରେ ଅଧିକ ବ୍ୟୟମଂଜୁରୀ କରି ତାହାର ଭରଣା କରାଯାଇପାରିବ । ଏହି ପ୍ରତିଶୃତି ଗୁଡିକ ଯେ, କେତେ ଫମ୍ପା ତାହା ବୁଝିବା ତଥା ମନରେଗାର ରୂପାୟନ ସମ୍ପର୍କରେ ଜାଣିବା ପାଇଁ ଅତୀତକୁ ଫେରିଯିବା ଆବଶ୍ୟକ ।

ମନରେଗା ରୂପାୟନର ଅଭିଜ୍ଞତା ଏକଥା ସ୍ପଷ୍ଟ କରିଦେଇଛି କିପରି ଅତ୍ୟନ୍ତ ଯତ୍ନର ସହ ପ୍ରସ୍ତୁତ କରାଯାଇଥିବା ଆଇନଟି ଏବେ ଏପରି ଏକ ସ୍ତରକୁ ଅବନିର୍ମିତ ହୋଇଯାଇଛି ଯେ, ଏହା ଏବେ ସର୍ବନିମ୍ନ ଆବଶ୍ୟକ ସ୍ତରରେ ମଧ୍ୟ ନିଯୁକ୍ତି ଯୋଗାଇ ପାରିବ ନାହିଁ । ଆଇନର ବିରୁଦ୍ଧାଚରଣ କରି ବଜେଟ୍ ଅନୁଦାନ କମାଇ ଦିଆଯିବା ସତ୍ତ୍ୱେ ମନରେଗା ଦେଶର ବହୁସଂଖ୍ୟକ ଲୋକଙ୍କୁ ପ୍ରତିକୂଳ ପରିସ୍ଥିତିରେ ଖାପଖୁଆଇ ଚଳିବାରେ ସହାୟକ ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିଗୁଡିକ ମଧ୍ୟରେ ୨୦୦୮-୦୯ର ଆର୍ଥିକ ମାନ୍ଦାଅବସ୍ଥା ଏବଂ ନିକଟ ଅତୀତରେ କୋଭିଡ-୧୯ର ବୈଶ୍ୱିକ ମହାମାରୀରେ ଅଙ୍କୁଶ ଲଗାଇବାକୁ ଜାରି କରାଯାଇଥିବା ଲକଡାଉନଗୁଡିକ ଗୁରୁତ୍ୱପୂର୍ଣ୍ଣ । ଏହା ଗ୍ରାମୀଣ ଅର୍ଥନୀତି ଓ ବଜାରଗୁଡିକୁ ପୁନରୁଜ୍ଜୀବିତ କରିବାରେ ସହାୟକ ହୋଇଥିଲା । ମନରେଗା ମାଧ୍ୟମରେ ଦିଆଯାଉଥିବା ପାରିଶ୍ରମିକ ମଧ୍ୟ ମଜୁରୀ କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟର ଭୂମିକା ଗ୍ରହଣ କରିଛି । ଏହା ବହୁସଂଖ୍ୟକ ମହିଳାଙ୍କୁ ମଜୁରୀ ମିଳୁଥିବା ଶ୍ରମଶକ୍ତିରେ ଅନ୍ତର୍ଭୁକ୍ତ କରିଛି ।

ମନରେଗା ପାଇଁ କେନ୍ଦ୍ର ବଜେଟକୁ ବ୍ୟାପକ ରୂପେ ସୀମିତ କରିବାର ପ୍ରକ୍ରିୟା ୟୁ.ପି.ଏ. ସରକାରଙ୍କର ଦ୍ୱିତୀୟ ପାଳିରୁ ଆରମ୍ଭ ହେଲା । କିନ୍ତୁ ବଜେଟ୍ ଅନୁଦାନର ସ୍ଥିତି ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ଆହୁରି ବିଗିଡିଗଲା କାରଣ ସେ ମନରେଗାକୁ କଂଗ୍ରେସର ଏକ ବିଶାଳ ବିଫଳତା ବୋଲି ପ୍ରମାଣିତ କରିବା ପାଇଁ ବଦ୍ଧ ପରିକର ଥିଲେ । ଅଧିକାର ଆଧାରିତ ଆଇନଗୁଡିକ ପ୍ରତି ଉପେକ୍ଷା ସତ୍ତ୍ୱେ ମୋଦୀ ସରକାରଙ୍କୁ କୋଭିଡ-୧୯ କାଳରେ ଲୋକମାନଙ୍କୁ କିଛି ଅବ୍ୟାହତି ଦେବା ସକାଶେ ମନରେଗା ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ଶରଣ ପଶିବାକୁ ପଡ଼ିଥିଲା । ଏହି ବୈଶ୍ୱିକ ମହାମାରୀ କାଳରେ ଦୁଇଟି ସ୍ୱତନ୍ତ୍ର ଅନୁଦାନ ବହୁସଂଖ୍ୟକ ଲୋକଙ୍କୁ ରକ୍ଷା କରିଥିଲା- ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ମୁଣ୍ଡପିଛା ମାସିକ ୫କିଲୋଗ୍ରାମ ଲେଖାଏଁ ଅତିରିକ୍ତ ଖାଦ୍ୟଶସ୍ୟ ପ୍ରଦାନର ନିଷ୍ପତ୍ତି ଏବଂ ମନରେଗା ସକାଶେ ଅତିରିକ୍ତ ୪୦,୦୦୦ କୋଟି ଟଙ୍କାର ଅନୁଦାନ । ମାତ୍ର ଚଳିତ କେନ୍ଦ୍ର ବଜେଟରେ ଏହି ଦୁଇଟିଯାକ କାର୍ଯ୍ୟକ୍ରମ ବାବଦକୁ ଅନୁଦାନ କମାଇ ଦିଆଯିବା ଫଳରେ ଏଗୁଡିକ ବୈଶ୍ୱିକ ମହାମାରୀ ପୂର୍ବର ସ୍ଥିତିକୁ ଫେରି ଯାଇଛନ୍ତି । କେନ୍ଦ୍ର ବଜେଟ୍ ହ୍ରାସ କରି ଦିଆଯିବା ସମଗ୍ର ଗ୍ରାମୀଣ ଭାରତରେ ଘୋର ଦରିଦ୍ରତା ସୃଷ୍ଟି କରିବ ।

ବିଗତ ବର୍ଷମାନଙ୍କରେ ବଜେଟ୍ କମାଇ ଦିଆଯିବା ଫଳରେ ଖର୍ଚ୍ଚ କମାଇବାର ପ୍ରୟାସରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ଅନେକ ଗୁଡିଏ ଅନୁଚିତ ଉପାୟ ଅବଲମ୍ବନ କରିବାକୁ ପଡ଼ିଥିଲା । ଦୟାମାୟା ନକରି ଏହା ସିଧାସଳଖ ଶ୍ରମିକମାନଙ୍କୁ ପ୍ରାପ୍ୟ ଦେବା ବନ୍ଦ କରିଦେଲା । ଏପରିକି ସଂଶୋଧିତ ଆକଳନ ପରେ ମଧ୍ୟ ଆର୍ଥିକବର୍ଷ ଶେଷହେବାକୁ ମାତ୍ର ୬ ସପ୍ତାହ ଥିବା ସତ୍ତ୍ୱେ ୧୪,୦୦୦କୋଟି ଟଙ୍କାର ଦେୟ ବକେୟା ଥିଲା । ଏହିପରି ପ୍ରତ୍ୟେକ ବର୍ଷର ହିସାବ ଖାତା ଦିଆଯାଇନଥିବା ଦେୟରେ ଶେଷ ହୁଏ, ଯାହାକି ପରବର୍ଷର ବଜେଟ୍ରୁ ଦିଆଯାଏ । ଆଜିର ଦିନରେ ପ୍ରାୟ ସମସ୍ତ ରାଜ୍ୟଙ୍କର ଦେୟ ବକେୟା ଅଛି । ମନରେଗାର ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନରେ ବିଳମ୍ବ ସକାଶେ କାମ କରିଥିବା ଦିନର ୧୬ତମ ଦିନଠାରୁ ଗୋଟିଏ ଦିନର ବିଳମ୍ବ ପାଇଁ ୦.୦୫% ହାରରେ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ । ମାତ୍ର ଏହି କ୍ଷତିପୂରଣର କେବଳ ୧% ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି ।

ଶ୍ରମିକମାନଙ୍କୁ ସେମାନଙ୍କର ପ୍ର୍ରାପ୍ୟ ନଦେବା ପାଇଁ ବାହାନା କରାଯାଉଛି । ପଶ୍ଚିମବଙ୍ଗରେ ପ୍ରତିବର୍ଷ କୋଟିଏରୁ ଅଧିକ ଶ୍ରମିକ କାମ ପାଇଁ ଦାବୀ କରନ୍ତି । ସେମାନଙ୍କୁ ବର୍ଷାଧିକ କାଳ ହେଲା ମଜୁରୀ ଦିଆଯାଇ ନାହିଁ । ଭାରତ ସରକାର, ପଶ୍ଚିମବଙ୍ଗ ସରକାରଙ୍କ ବିରୁଦ୍ଧରେ ତଥାକଥିତ ‘ଅତ୍ୟଧିକ ମାତ୍ରାରେ ଦୁର୍ନୀତି ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୁଃଖର ବିଷୟ ଯେ, ଅଧିକାରୀମାନଙ୍କର ଦୁର୍ନୀତି ସକାଶେ ହିତାଧିକାରୀମାନେ ଦୁଇ ଦୁଇଥର ଦଣ୍ଡିତ ହେଉଛନ୍ତି ।

ହାଜିରା ତଥା ମଜୁରୀକୁ ସୁନିଶ୍ଚିତ କରିବାପାଇଁ ଏକ ଅଦ୍ଭୁତ ତଥା ସମ୍ପୂର୍ଣ୍ଣ ରୂପେ ଅବାସ୍ତବ ‘ଏନ.ଏମ.ଏମ.ଏସ୍. ଆପ୍’ର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏମ.ଜି.ଏନ.ଆର.ଜି.ଏସ.ର ସମସ୍ତ କାର୍ଯ୍ୟସ୍ଥଳୀରେ ମେଟମାନଙ୍କୁ ଦିନରେ ଦୁଇଥର ସେମାନଙ୍କର ଫୋନରୁ ନିୟୋଜିତ ସମସ୍ତ ଶ୍ରମିକମାନଙ୍କର ଫଟୋଗୁଡିକୁ ଅପଲୋଡ୍ କରିବାକୁ ପଡ଼ିବ । ଲକ୍ଷ ଲକ୍ଷ ଶ୍ରମିକ ସେମାନଙ୍କର ସେହି ଦିନ ପାଇଁ କାମ ଶେଷ କରିଥିଲେ ମଧ୍ୟ ନିଜର ଉପସ୍ଥାନକୁ ରେକର୍ଡଭୁକ୍ତ କରିବାରେ ବ୍ୟର୍ଥହେବା କାରଣରୁ ମଜୁରୀରୁ ବଂଚିତ ହେଉଛନ୍ତି । ଏମ.ଜି.ଏନ.ଆର.ଜି.ଏସ. ହିତାଧିକାରୀମାନେ ଅଳସୁଆ ବୋଲି ବାରମ୍ବାର ଅଭିଯୋଗ କରାଯିବା ପରେ ସ୍କିମ୍ ପ୍ରକୃତପକ୍ଷେ ଶ୍ରମିକମାନଙ୍କୁ ଠିକା କାମ ହିସାବରେ ମଜୁରୀ ପ୍ରଦାନ କରୁଛି । ଏଥିପାଇଁ ଶ୍ରମିକଙ୍କର ଉତ୍ପାଦକତା ମାପି ସେମାନଙ୍କୁ ନିର୍ଦ୍ଧାରିତ ଦରଠାରୁ କମ୍ ମଜୁରୀ ପ୍ରଦାନ କରାଯାଉଛି । ଏପରି ବ୍ୟବସ୍ଥା ସତ୍ତ୍ୱେ ‘ଆପ୍’ ମାଧ୍ୟମରେ ଉପସ୍ଥାନ ସଂଗ୍ରହ କରାଯାଉଛି । ‘ଆପ୍’ ଅତି ବେଶିରେ କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ ଉପସ୍ଥିତିକୁ ଦର୍ଶାଇ ପାରିବ । ଏହା ଫଳରେ ମୂଳ ଉଦେ୍ଦଶ୍ୟ ପୂରଣ ହୋଇ ପାରୁନାହିଁ, କାରଣ ଶ୍ରମିକଙ୍କୁ ସେ କରିଥିବା କାମ ଆଧାରରେ ପ୍ରାପ୍ୟ ପ୍ରଦାନ କରାଯାଉଛି ଏବଂ କୋଟି କୋଟି ଶ୍ରମିକଙ୍କର ଅପଲୋଡ୍ କରାଯାଇଥିବା ଫଟୋ ଦେଖିବା ପାଇଁ କାହାରି ପାଖରେ ସମୟ ନାହିଁ । ଏହି ‘ଆପ୍’ କେବଳ ମନରେଗା ଶ୍ରମିକମାନଙ୍କର ଏହି କାର୍ଯ୍ୟକ୍ରମ ପ୍ରତି ବିରୋଧ ଏବଂ ହତାଶାକୁ ବଢ଼ାଇବାରେ ସଫଳ ହୋଇଛି । ସମ୍ଭବତଃ ତାହାହିଁ ହେଉଛି ମୂଳ ଉଦେଶ୍ୟ ।

ପ୍ରକୃତ କଥା ହେଲା ଯେ, ଦୁର୍ନୀତିକୁୁ ନିୟନ୍ତ୍ରଣ କରିବା ସକାଶେ ମନରେଗାରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି, କାରଣ ଏହା ହିଁ ହେଉଛି ସାମାଜିକ ଅଡିଟର ଧାଇ ଏବଂ ଏନ୍ତୁଡିଶାଳ । ଏହା ହେଉଛି ବିଶ୍ୱର ପ୍ରଥମ ଆଇନ ଯେଉଁଥିରେ ବୈଧାନିକ ଭାବେ ସାମାଜିକ ଅଡିଟ୍ କରାଯିବାକୁ ବାଧ୍ୟତାମୂଳକ କରାଯାଇଥିଲା । ରାଜ୍ୟମାନଙ୍କର ସୋସିଆଲ ଅଡିଟର ଫଳାଫଳ ଆଧାରରେ ରାଜ୍ୟଗୁଡ଼ିକର ଅନୁଦାନ କମାଇ ଦେବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସୋସିଆଲ ଅଡିଟକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରୁଛି । ମାତ୍ର ସ୍ୱାଧୀନ ସାମାଜିକ ଅଡିଟଗୁଡିକ ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ହିଁ ପ୍ରତ୍ୟକ୍ଷ ଭାବେ ଖର୍ଚ୍ଚ ବହନ କରିବା ଉଚିତ୍ । ସାମାଜିକ ଅଡିଟ୍ ଏକକଗୁଡିକୁ ପାଣ୍ଠି ନ ଯୋଗାଇଲେ ମଧ୍ୟ ରାଜ୍ୟ ସରକାରମାନେ ଫଳପ୍ରଦ ସାମାଜିକ ଅଡିଟ୍ କରିନଥିବାର ଆଳ ଦେଖାଇ ରାଜ୍ୟମାନଙ୍କର ମନରେଗା ପାଣ୍ଠି କାଟି ଦେବାର ଭୟ ଦେଖାଇବା ଏପରି ଏକ ସ୍ଥିତି ଯେଉଁଥିରେ କେହି ହେଲେ ବିଜୟୀ ହୋଇପାରିବେ ନାହିଁ ।

ଏମ.ଜି.ଏନ.ଆର.ଇ.ଜି.ଏସ୍. କେବଳ ବର୍ତ୍ତମାନ ପାଇଁ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଠିକଣାଭାବେ କାର୍ଯ୍ୟକାରୀ କରାଗଲେ ଏହା ବାସ୍ତବରେ ଭବିଷ୍ୟତ ପାଇଁ ଦୂରଦୃଷ୍ଟି ଥିବା ଏକ କାର୍ଯ୍ୟକ୍ରମ ହୋଇପାରିବ । ବର୍ତ୍ତମାନ ହେଉଛି ଏପରି ଏକ ସମୟ ଯେତେବେଳେ ଆମେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମ୍ମୁଖୀନ ହେଉଛୁ । ଏମ.ଜି.ଏନ.ଆର.ଇ.ଜି.ଏସ୍. ଶ୍ରମିକମାନଙ୍କ ବଦଳରେ ମେସିନର ବ୍ୟବହାରକୁ ଅନୁମୋଦନ କରେ ନାହିଁ ଏବଂ ସ୍ୱାଭାବିକ ଭାବେ ଏହା ପରିବେଶ ଅନୁକୂଳ କାର୍ଯ୍ୟ ସୃଷ୍ଟି କରିଥାଏ । ଏହି ଯୋଜନାର ବୃକ୍ଷ ଆଚ୍ଛାଦନ ଏବଂ ଅଙ୍ଗାରକ ଶୋଷଣକାରୀ ବ୍ୟବସ୍ଥା ସୃଷ୍ଟି କରିବାର ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ କରିବା, ଅଭାବରେ ପଡ଼ି ଦେଶାନ୍ତର ଗମନକୁ ରୋକିବା ଏବଂ ବେକାରୀ କମାଇବାର ସାମର୍ଥ୍ୟ ରହିଛି । ଏହା ସଙ୍ଗେ ସଙ୍ଗେ ଏହି ଯୋଜନା ଆର୍ଥିକ ମନ୍ଥରତା, ପ୍ରାକୃତିକ ଦୁର୍ବିପାକ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରତିକାର କରିବା ତଥା ଏଗୁଡିକର ପ୍ରଭାବକୁ ବିପରୀତଗାମୀ କରିବାରେ ସହାୟକ ହୋଇପାରିବ । ବିଶ୍ୱସନୀୟତା ନଥିବା ମନରେଗା ଏହାର ନ୍ୟାୟସଙ୍ଗତ ସତତ ବିକାଶର ଉଦେଶ୍ୟ ପାଇଁ ଏକ ବିପର୍ଯ୍ୟୟ ସାବ୍ୟସ୍ତ ହେବ । ସରକାର ଏକଥା ସୁନିଶ୍ଚିତ କରିବା ଉଚିତ ଯେ, ବଜେଟ୍ ଆଲୋଚନା ଆଇନ ତଥା ଏହାର ମୂଳ ଉଦେଶ୍ୟ ଅନୁଯାୟୀ ଯେପରି ମନରେଗା କାର୍ଯ୍ୟ କରିପାରିବ, ସେଥିପାଇଁ ଅଧିକ ବ୍ୟୟବରାଦ କରିବା ପାଇଁ ପ୍ରସ୍ତାବ ଦେବ ।

ମନରେଗାକୁ ଅବହେଳା

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ.ଡି.ଏ.)ର ନେତାମାନେ ସେମାନଙ୍କର ଅସଂଖ୍ୟ ଭାଷଣରେ ତଥା ବିଜ୍ଞାପନରେ ନିଜର ସଫଳତା ବଖାଣିବା ଏବଂ ଦାବୀ କରିବା ବେଳେ ସେଥିରେ ଅଧିକାର ଏବଂ ନ୍ୟାୟ ସଙ୍ଗତତା ପରି ତାଙ୍କର ଅନୁପସ୍ଥିତି ବେଶ ସୁସ୍ପଷ୍ଟ । ବର୍ଷକ ପୂର୍ବେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଧାରଣରେ ଅଧିକାର ଉପରେ ଯଥେଷ୍ଟ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବାବେଳେ କର୍ତ୍ତବ୍ୟ ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଉ ନାହିଁ । ଯଦିଓ ଦେଶର ସମ୍ବିଧାନ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସମାନ ତରାଜୁରେ ବିବେଚନା କରେ ନାହିଁ । ଅଧିକାର ଏବଂ କର୍ତ୍ତବ୍ୟର ପୁନର୍ବିନ୍ୟାସ କେବଳ କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ନୁହେଁ, ଏହା ମଧ୍ୟ ଅଧିକାରକୁ କମ୍ ଗୁରୁତ୍ୱ ଦେବା ।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରତି ଯେପରି କାର୍ପଣ୍ୟ କରାଯାଉଛି ଏବଂ ଲଗାତର ଭାବେ ଏ ବାବଦକୁ ବ୍ୟୟବରାଦ କମାଇ ଦିଆଯାଉଛି, ସେଥିରୁ ଏକଥା ସ୍ପଷ୍ଟ ଜଣାପଡୁଛି ଯେ, ଏହା ଅଧିକାରର ଅବମାନନା । ଅଧିକାରର ବୃହତ୍ତର ପ୍ରସଙ୍ଗରେ ଏହାର ପ୍ରଭାବ ରହିଛି କାରଣ ଏହା ଆମ ସମାଜର ସବୁଠାରୁ ବେଶି ବିପଦପ୍ରବଣ ଗୋଷ୍ଠୀର କଲ୍ୟାଣକୁ ପ୍ରଭାବିତ କରିଥାଏ ।

ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା) ୨୦୦୫ରେ ପ୍ରଣୟନ କରାଯାଇଥିଲା, ଯାହାକି ଗ୍ରାମୀଣ ନାଗରିକମାନଙ୍କୁ ନିଶ୍ଚିତ ନିଯୁକ୍ତି ଯୋଗାଇ ଦେବା କ୍ଷେତ୍ରରେ ଏକ ଅଗ୍ରଣୀ ଆଇନ ଥିଲା । ସ୍ୱାଧୀନ ଭାରତରେ ଏହା ଏକକ ବୃହତ୍ ନିଯୁକ୍ତି ଯୋଜନା ଥିଲା । ଏହା ଗୋଟିଏ ଗ୍ରାମୀଣ ପରିବାରର କେବଳ ଜଣେ ସଦସ୍ୟଙ୍କୁ ବାର୍ଷିକ ୧୦୦ ଦିନର କାମ ଯୋଗାଇ ଦେଇଥାଏ । ମାତ୍ର ଏ କ୍ଷେତ୍ରରେ ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମନରେଗା ନାଗରିକମାନଙ୍କୁ ଏକ ଅର୍ଥନୈତିକ ଅଧିକାର ପ୍ରଧାନ କଲା, ଯାହାର ଅର୍ଥ ହେଉଛି ନାଗରିକମାନଙ୍କର ଦାବୀ ମୁତାବକ ସେମାନଙ୍କୁ କାମ ଯୋଗାଇ ଦିଆଗଲା ଏବଂ ରାଷ୍ଟ୍ର ୧୦୦ଦିନର କାମ ଯୋଗାଇ ନପାରିଲେ ନିଯୁକ୍ତି ଦାବୀ କରିଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଧାନ କରିବାକୁ ପଡ଼ିଲା ।

ତେବେ ବଜେଟ କାଟଯୋଗୁଁ ଏହି ଯୋଜନା ଶକ୍ତ ଧକ୍କା ପାଇଛି । ଏହା କଂଗ୍ରେସ ନେତୃତ୍ୱାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁ.ପି.ଏ.) ସରକାର ଅମଳରେ ହିଁ ଆରମ୍ଭ ହୋଇଛି ଯଦିଓ ସେହି ସରକାର ହିଁ ଯୋଜନା ପ୍ରଣୟନ କରିଥିଲେ । ୟୁ.ପି.ଏ.ର ଦ୍ୱିତୀୟ କାର୍ଯ୍ୟକାଳରେ ମନରେଗା ବାବଦକୁ ବଜେଟ୍ ଅନୁଦାନ ପ୍ରାୟତଃ ସ୍ଥିର ହୋଇ ରହିଗଲା । ଯଦିଓ ଦରଦାମ ବଢୁଥିଲା ଏବଂ କାମ ଦାବୀ କରୁଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା ।

ଏନ.ଡି.ଏ. ସରକାର କିନ୍ତୁ ମନରେଗା ପାଇଁ ବଜେଟରେ କ୍ରମାଗତ ଭାବେ କମ୍ ବ୍ୟୟବରାଦ କରିବାର ଅଭ୍ୟାସକୁ ଏପରି ସ୍ତରକୁ ନେଇଯାଇଛନ୍ତି ଯେ, ଏହା ନିଯୁକ୍ତି ଏବଂ ଠିକଣା ସମୟରେ ମଜୁରୀ ପ୍ରଦାନର ଆଇନଗତ ଗ୍ୟାରେଣ୍ଟିକୁ ମଧ୍ୟ ଦୁର୍ବଳ କରିଦେଇଛି । ଏହା ପୁଣି ଏପରି ଏକ ସମୟରେ କାଟୁଛି ଯେତେବେଳେ କି ଭାରତରେ ବେକାରୀ ବୃଦ୍ଧି ପାଇଚାଲିଛି ଏବଂ ଅସମାନତା ମଧ୍ୟ ବଢୁଛି । ଉଭୟ ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ ଏବଂ ଅକ୍ସଫାମ୍ ଅସମାନତା ରିପୋର୍ଟ ୨୦୨୩ ଉଭୟ ରୋଜଗାର ଓ ସମ୍ପତ୍ତି ଦୃଷ୍ଟିରୁ ବିଶ୍ୱର ସବୁଠାରୁ ବେଶି ଅସମାନ ଦେଶଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଦର୍ଶାଇଛନ୍ତି । ନିକଟ ଅତୀତରେ ଭାରତରେ ଅର୍ଥନୈତିକ ଅସମାନତା ସବୁଠାରୁ ଦ୍ରୁତ ବୃଦ୍ଧି ପାଇଛି । ଏପରିକି ଏକ ପକ୍ଷରେ ବ୍ୟୟବରାଦକୁ ସୀମିତ କରାଯିବା ଫଳରେ ଅନେକଗୁଡିଏ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ଗୁରୁତ୍ୱ ହ୍ରାସ ପାଇଥିବାବେଳେ, ଅନ୍ୟପକ୍ଷରେ ଏମ.ଜି.ଏନ୍.ଆର.ଇ.ଜି.ଏସ୍. ପରି ଅନେକଗୁଡିଏ ଅଂଶବିଶେଷ ଥିବା ଅନେକଗୁଡିଏ ଯୋଜନା ମଧ୍ୟ ଏଥିରୁ ବାଦ ପଡିନାହିଁ ।

ଏହି ସରକାର ମଧ୍ୟ ବିଗତ ୯ବର୍ଷରେ ଏମ.ଜି.ଏନ.ଆର.ଇ.ଜି.ଏସ୍. ପ୍ରତି ନାମକୁ ମାତ୍ର ଉଷ୍ମତା ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ଏହି ଯୋଜନା ସମ୍ପର୍କରେ ଉପହାସପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଅର୍ଥମନ୍ତ୍ରୀ ତାଙ୍କର ଚଳିତ ବଜେଟ ଅଭିଭାଷଣରେ ଥରଟିଏ ମାତ୍ର ଏହି ଯୋଜନାର ଉଲ୍ଲେଖ କରିଛନ୍ତି ଯାହାକି ହେନ୍ତାଳ ନେଇ ସଂରକ୍ଷଣ କାର୍ଯ୍ୟ ସଂକ୍ରାନ୍ତରେ କୁହାଯାଇଥିଲା । କିନ୍ତୁ ଏନ.ଡି.ଏ. ସରକାର ଏହି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ନାହାନ୍ତି । ଯୋଜନା ବାବଦକୁ ବ୍ୟୟବରାଦ ହ୍ରାସ କରି ଏହାକୁ ଶ୍ୱାସରୁଦ୍ଧ କରିଦେଇଛନ୍ତି । ୨୦୨୩-୨୪ ପାଇଁ ବ୍ୟୟବରାଦକୁ ୩୦% ହ୍ରାସ କରି ୬୧,୦୩୨.୬୫ କୋଟି ଟଙ୍କା କରାଯାଇଛି; ଯାହାକି ବିଗତ ଚାରିବର୍ଷ ମଧ୍ୟରେ ସର୍ବନିମ୍ନ । ଏପରିକି ଏହା ୨୦୨୨-୨୩ର ବଜେଟ୍ ବ୍ୟୟବରାଦ ୭୩,୦୦୦ କୋଟିରୁ ମଧ୍ୟ କମ୍ । କ୍ରମାଗତ ଭାବେ ଦ୍ୱିତୀୟ ଥର ସକାଶେ ଏହି ଯୋଜନା ବାବଦକୁ ବ୍ୟୟବରାଦକୁ ସିଧାସଳଖ କମାଇ ଦିଆଯାଇଛି । କାରଣ ୨୦୨୨-୨୩ରେ ମଧ୍ୟ ବ୍ୟୟବରାଦକୁ ସଂଶୋଧିତ ଆକଳନ ୯୮,୦୦୦କୋଟି ଟଙ୍କାରୁ ୨୫% ହ୍ରାସ କରାଯାଇ ୭୩,୦୦୦ କୋଟି ଟଙ୍କା କରାଯାଇଥିଲା ।

ଏମ.ଜି.ଏନ.ଆର.ଇ.ଜି.ଏସ୍.ର ବ୍ୟୟବରାଦ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଥିବାରୁ ସରକାରଙ୍କ ଉଦେଶ୍ୟ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଛି । ପାଣ୍ଠି ହ୍ରାସକରି ସରକାର ଏହି ବାର୍ତ୍ତା ପ୍ରେରଣ କରୁଛନ୍ତି ଯେ, ଅନ୍ୟ ଯୋଜନାଗୁଡିକ ତୁଳନାରେ ଏହି ଯୋଜନାରେ କମ୍ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ଯାହାର ଅର୍ଥ ହେଲା ଯେ, ଏହି ଯୋଜନାରେ କମସଂଖ୍ୟ କାର୍ଯ୍ୟର ହାତକୁ ନିଆଯାଇ ପାରିବ । ଅର୍ଥ ଯୋଗାଣ ହ୍ରାସ ପାଇବା ଫଳରେ ସରକାରଙ୍କ ପାଇଁ ୧୦୦ ଦିନର କାମ ଯୋଗାଇବାର ପ୍ରତିଶୃତି ପାଳନ କଷ୍ଟକର ହୋଇପଡୁଛି । ୧୦୦ଦିନର କାମ ଯୋଗାଇବାର ପ୍ରତିଶ୍ରୁତି ଗ୍ରାମୀଣ ପରିବାରଗୁଡିକ ବଞ୍ଚôରହିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ ଗ୍ରାମୀଣ ପରିବାରଗୁଡିକୁ ଯୋଗାଇ ଦିଆଯାଉଥିବା ହାରାହାରି କାର୍ଯ୍ୟ ଦିବସ ୧୦୦ରୁ ଯଥେଷ୍ଟ କମ୍ । ପ୍ରାୟତଃ ହିତାଧିକାରୀମାନେ ବର୍ଷର ଅଦେ୍ର୍ଧକ ସମୟ ଧରି କୌଣସି କାମ ପାଆନ୍ତି ନାହିଁ ।

ଆଇନ ଅନୁଯାୟୀ ଏହା ଏକ ଚାହିଦା ଆଧାରିତ ଯୋଜନା । ମାତ୍ର କ୍ରମାଗତ ଭାବେ ବ୍ୟୟବରାଦ କମାଇ ଦିଆଯିବା ଏହି ଯୋଜନାର ସମ୍ଭାବ୍ୟ ପ୍ରଭାବଶାଳୀତାକୁ କମାଇ ଦେଇଛି । ସରକାର ସବୁବେଳେ ଦାବୀ କରି ଆସିଛନ୍ତି ଯେ, ବହୁସଂଖ୍ୟକ ଶ୍ରମିକ ଯୋଜନା ଅଧୀନରେ କାମ ମାଗୁଥିବାର ଜଣାପଡିଲେ ପ୍ରକୃତ ବ୍ୟୟବରାଦ ବଢ଼ାଇ ଦିଆଯିବ । ସଂଶୋଧିତ ଆକଳନରେ ଏମ.ଜି.ଏନ.ଆର.ଇ.ଜି.ଏସ୍.ପାଇଁ ଅତିରିକ୍ତ ବ୍ୟୟବରାଦ ଯଥେଷ୍ଟ ବୃଦ୍ଧି କରାଯାଉଥିଲେ ମଧ୍ୟ ପ୍ରାଥମିକ ଅବସ୍ଥାରେ ସ୍ୱଳ୍ପ ବ୍ୟୟବରାଦ ନିରାଶା ହିଁ ସୃଷ୍ଟି କରିଥାଏ । ଏହା ଚାହିଦା କମାଇ ଦିଏ, ପ୍ରକୃତପକ୍ଷେ ଯୋଜନାକୁ ଶ୍ୱାସରୁଦ୍ଧ କରିପକାଏ । ଏହା ପୁଣି ଯୋଜନା ପାଇଁ ପ୍ରାରମ୍ଭିକ ବ୍ୟୟବରାଦକୁ କମାଯିବା ପାଇଁ ଦୃଷ୍ଟାନ୍ତ ପାଲଟିଯାଏ । ଅଧିକ ଚାହିଦା ଯୋଗୁଁ ପରବର୍ତ୍ତୀ କାଳରେ ବ୍ୟୟବରାଦକୁ ବଢ଼ାଇ ଦିଆଗଲେ ମଧ୍ୟ ଏହି ବୃଦ୍ଧି ପାଇଁ ସମୟ ଲାଗେ । ଏହାର ଅର୍ଥହେଲା ମଜୁରୀ ତଥା ବ୍ୟବହୃତ ସାମଗ୍ରୀ ବାବଦକୁ ଦେୟ ପ୍ରଦାନ ବିଳମ୍ବିତ ହେବ ଏବଂ ଶ୍ରମିକମାନେ ମଜୁରୀ ପାଇବା ପର୍ଯ୍ୟନ୍ତ ବଳପୂର୍ବକ ଶ୍ରମ କରାଯିବା ପରି ସ୍ଥିତି ଭିତରକୁ ଠେଲି ହୋଇଯିବେ ।

ପୁନଶ୍ଚ, ବକେୟା ଦେୟ ପ୍ରଦାନ ବାବଦକୁ ବଜେଟରେ କରାଯାଇଥିବା ବ୍ୟୟବରାଦ ପ୍ରାୟ ଅଧା ଅର୍ଥ ଖର୍ଚ୍ଚ ହୋଇଯାଏ । ପରିଣାମସ୍ୱରୂପ ଲୋକେ କାମ କରିବାକୁ ଚାହୁଁଥିଲେ ମଧ୍ୟ ଆର୍ଥିକ ବର୍ଷର ଅଧାବେଳକୁ ଏହି ଅଗ୍ରଣୀ ଯୋଜନାର ଅର୍ଥ ଶେଷ ହୋଇଯାଏ । ପିପୁଲ୍ସ ଆକ୍ସନ ଫର୍ ଏମ୍ପୟମେଣ୍ଟ ଗ୍ୟାରେଣ୍ଟି (ପି.ଏ.ଇ.ଜି.) ନାମକ ଏକ ଗବେଷଣା ଓ ପକ୍ଷସମର୍ଥନ ଗୋଷ୍ଠୀ ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି ଯେ, ବିଗତ ପାଞ୍ଚବର୍ଷ ହେଲା ବଜେଟର ୨୧% ପୂର୍ବ ବର୍ଷର ବକେୟା ପରିଶୋଧ ବାବଦକୁ ଖର୍ଚ୍ଚ ହୁଏ । ଚଳିତ ଆର୍ଥିକବର୍ଷ ୨୦୨୨-୨୩ରେ ବାକି ରହିଥିବା ଦେୟର ପରିମାଣ ହେଲା ୧୬,୦୭୦ କୋଟି ଟଙ୍କା । ତେଣୁ ପି.ଏ.ଇ.ଡି. ଦାବୀ କରିଛି ଯେ, କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକବର୍ଷ ସକାଶେ ୨.୭୨ ଲକ୍ଷ କୋଟିଟଙ୍କାର ବ୍ୟୟବରାଦ କରନ୍ତୁ, ଯାହାକି ପୂର୍ବବର୍ଷ ଆକଳନ କରାଯାଇଥିବା ସଂଖ୍ୟକ ମଜୁରୀମାନଙ୍କୁ ୧୦୦ଦିନର କାମ ଯୋଗାଇବା ବାବଦକୁ ଖର୍ଚ୍ଚରୁ ୩% ଅଧିକ । ବକେୟା ଥିବା ପ୍ରାପ୍ୟ ଏବଂ କାମ ପାଇବାପାଇଁ ବଢୁଥିବା ଚାହିଦାକୁ ବିଚାରକୁ ନେଇ ଏହି ଦାବୀ କରାଯାଇଛି ।

ଲକ୍ଷ ଲକ୍ଷ ଗ୍ରାମୀଣ ପରିବାର ଏହା ମାଧ୍ୟମରେ ନିଯୁକ୍ତି ପାଇଥିବାରୁ ଏବେ ମଧ୍ୟ ଏମ.ଜି.ଏନ.ଆର.ଇ.ଜି.ଏସ୍.ର ଦୃଢ଼ ପ୍ରାସଙ୍ଗିକତା ବଳବତ୍ତର ରହିଛି । ବାରମ୍ବାର ସଂଘଟିତ ହୋଇଥିବା କୋଭିଡ ଲକଡାଉନଗୁଡିକ ସମୟରେ ଅନ୍ୟପ୍ରଦେଶରେ କାର୍ଯ୍ୟ କରୁଥିବା ଦାଦନ ଶ୍ରମିକମାନେ ଯେତେବେଳେ ଦିନ ଦିନ ଚାଲି ନିଜ ଗାଁରେ ପହଞ୍ଚିଲେ, ସେତେବେଳେ ସେମାନଙ୍କ ଜୀବନଧାରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାମ ଯୋଗାଇବାରେ ଏହି ଯୋଜନା ସରକାରଙ୍କୁ ସମୟ ହୋଇଥିଲା ।

ତେବେ, ଆର୍ଥିକ ଚାପ ଥିବାବେଳେ ଏମ.ଜି.ଏନ.ଆର.ଇ.ଜି.ଏସ୍. ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ କର୍ମନିଯୁକ୍ତି କ୍ଷେତ୍ରରେ ଦେଶର ନିରାଶାଜନକ ସ୍ଥିତିରେ ସମ୍ପୂର୍ଣ୍ଣ ୧୦୦ଦିନର କାମ ଯୋଗାଇବା ପାଇଁ ଏବଂ ସମ୍ଭବତଃ ୧୫୦ଦିନର କାମ ଯୋଗାଇବା ସକାଶେ ବଜେଟରେ ବ୍ୟବସ୍ଥା କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସରକାର ଯେତେବେଳେ ଚାହିଦା ମୁତାବକ ପାଣ୍ଠି ଯୋଗାଇ ପାରୁନାହାନ୍ତି କିମ୍ବା ଠିକଣା ସମୟରେ ମଜୁରୀ ପ୍ରଦାନ କରିପାରୁନାହାନ୍ତି, ସେତେବେଳେ ପ୍ରତ୍ୟେକ ଥର ଶ୍ରମିକମାନଙ୍କର ଆଇନଗତ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି ।

Comments

0 comments

Share This Article