ଲେଲେ ଉପାଖ୍ୟାନ

ଏ ଭେନେଇ! ଶୁନ ତ ଗୋ!

ରାଜୀବ ଶଗରିଆ
ରାଜୀବ ଶଗରିଆ598 Views
17 Min Read

ତାର ପ୍ରକୃତ ନାମ କି ଠିକଣା ଏଠାରେ ଲେଖି ପାରିବି ନାହିଁ କିନ୍ତୁ ସମାନ୍ତର ନାମରେ ତାକୁ ଲେଲେ ବୁଢ଼ୀ କୁହାଯାଉ । କାହାଣୀ ଲେଖିବାର କିଛି ସପ୍ତାହ ପୂର୍ବରୁ ଲେଲେ ବୁଢ଼ୀ ମରିଗଲା । ନାମ ଓ ଠିକଣା କୁହା ନଗଲେ ଚଳିବ କିନ୍ତୁ ତାର ଜାତି କହିବା ଅତ୍ୟନ୍ତ ଆବଶ୍ୟକ । ସେ ଗଉଡ଼ ଜାତିର । ମଲାପରେ ତାର ଶବ ଜାତିଭାଇର କାନ୍ଧ ପାଇଲା, କାନ୍ଦ ବି ପାଇଲା । ଭଙ୍ଗା ଛାତତଳେ ମଲା କିନ୍ତୁ ପାଖାପାଖି ନିଜର କହିହେବ ଛାତତଳକୁ । ଜାତିଭାଇ ସଭା ବସିଲେ । ଏହା ସ୍ୱାଭାବିକ ସାମାଜିକ ନିୟମ । ସାତଦିନରେ ଶୁଦ୍ଧି ହେବାକୁ ସମାଜ ପରାମର୍ଶ ଦେଲା । ସୁତରାଂ ଲେଲେ ବୁଢ଼ୀର ସମ୍ପର୍କୀୟ ଜାତିଭାଇ ସମସ୍ତେ ପରିବାର ପରିଜନ ଥିଲେ କିନ୍ତୁ ଡୁମା ହୋଇ କାହା ଘର ମଶାନକୁନାରେ ରହିପାରିବ ନାହିଁ । କାରଣ ସେ ମାମୁଁ ଗାଁରେ ହିଁ ନିଜର ସଂସାର ତିଆରିଛି । ପିତୃ ପରିଜନ ଛତିଶଗଡ଼ର କେଉଁ ଅଜଣା ଗାଁମାନଙ୍କରେ ରହନ୍ତି । ସେ ଗାଁମାନ କଥା କାହାଣୀର ଗାଁମାନେ ଯେପରି ।

ବସ୍ତର ଆନ୍ଦୋଳନ ବା ଭୁମକାଳ ଆନ୍ଦୋଳନ ମହାନ ଆଦିବାସୀ ବୀର ଗୁଣ୍ଡା ଧୁରଙ୍କ ନେତୃତ୍ୱରେ ଚାଲୁଥାଏ । ସେ ସମୟରେ ଆଦିବାସୀଙ୍କ ସହ ସାମାଜିକ ସମ୍ପର୍କ ଥିବା ଜାତିମାନେ ବହୁ ଅତ୍ୟାଚାରର ସମ୍ମୁଖିନ ହେଲେ । ସେ ମଧ୍ୟରୁ ଗଉଡ଼ ସମ୍ପ୍ରଦାୟ ଅନ୍ୟତମ । ସେମାନଙ୍କ ମଧ୍ୟରୁ ଅନେକ ପଳାୟନ କଲେ ନିଜ ନିଜର ପରିଜନଙ୍କ ନିକଟକୁ । ବସ୍ତରରୁ ବାହାରକୁ । ‘ଉଡ଼ିଆ ରାଏଜ’କୁ ମାଁବାପା ଏକମାତ୍ର ପୁଅକୁ ନେଇ ଲୁଚିଛପି ଆସିଲେ । ବାଟରେ ଭୋକଶୋଷରେ କି କେଉଁ ଅଜଣା କାରଣରୁ ଭାଇ ମରିଗଲା । କେଉଁ ଅଜଣା ଝରଣା କୂଳରେ ବାଉଁଶ ବାଡ଼ିରେ ଖାଳ କରି ଭାଇକୁ ପୋତିଲେ ମାଁବାପା । ତିନିଦିନ ଶୋକ ମାନିଲେ ଜଙ୍ଗଲରେ ଲୁଚିରହି । ଚାଲି ଚାଲି କେଉଁ ଏକ ଅଜଣା ସନ୍ଧ୍ୟାରେ ଗଉନ୍ତିଆ ଭାଇ ଘରକୁ ପହଞ୍ଚିଲେ । ବସ୍ତରରୁ ବିସ୍ଥାପିତ ଅନେକ ଆଗନ୍ତୁକଙ୍କ ନିକଟରୁ ଭୁମକାଳ କଥା ଗଉନ୍ତିଆ ଭାଇ ଶୁଣୁଥିଲେ । ଭଉଣୀର ଚିନ୍ତାରେ ଥିଲେ । ଭଉଣୀକୁ ଦେଖି ଆଦରରେ ଗ୍ରହଣ କଲେ । ନଦୀ ଆଉ ପାହାଡ଼ର ପଣତ ପରି ଲମ୍ବି ଆସିଥିବା ଜଙ୍ଗଲ ମଝିରେ ପାଞ୍ଚ ଏକର ଜମି ଭିଣୋଇକୁ ହାତ ଦେଖେଇଦେଲେ ଗଉନ୍ତିଆ । ସେଦିନୁ ଭିଣୋଇର ବଫୁ ଗଉନ୍ତିଆଙ୍କୁ ଆହୁରି ସମ୍ପନ୍ନ କଲା । ଗଉନ୍ତିଆର ଭିଣୋଇ ତେଣୁ ପାଞ୍ଚଖଣ୍ଡ ଗାଁର ଭେନେଇ(ଭିଣୋଇ) ହୋଇଗଲେ ବାପା ।

– ଏ ଭେନେଇ! ଶୁନ ତ ଗୋ!

ପୋଖରୀପାଣିରୁ ଫେରୁଥିବା ବେଳେ ଲାଏବନ ସାହୁ ଯିଏ ଲାଏବନ ଶୁଣୀ ନାମରେ ପରିଚିତ, ସେ ଡାକିଲା । ଭେନେଇ ପାଖକୁ ଯାଇ ପିଣ୍ଡାରେ ବସିଲେ । ଲାଏବନ କେହେଲି ଧରେଇଦେଲା । – କହ ଭାଇ! କେନ୍ତା ଡାକଲୁ? ଓଡ଼ିଆ ଓ ଲରିଆ ମିଶାମିଶି ଭାଷାରେ ପଚାରିଲେ ।

– ଶୁନ ତ ଗୋ ଭେନେଇ! ତୁଇ ଭେନେଇ ହେଇଗଲୁ ଗା ହେଲେ ତତେ ହୁରି ନାଇ ହେବାର (ଗାଲି ଦେଇ ହେଉନାହିଁ)! ଭଞ୍ଜା କି ଭାଞ୍ଜି ଗୁଟେ ଆମକେ ଦେତୁ ବଏଲେ…! ମା’ହା ଗା ଭେନେଇ ତକେ ହୁରବାର ଖୋବ ମନ । ଶଶୁର ଗାଁରେ ନିଜେ ପରିବାର ସହ ଶରଣାର୍ଥି । କେଉଁଠି ନା କେଉଁଠି ଅନୁକମ୍ପାର ଚାପରେ ସସ୍ତ୍ରୀକ ଅସହଜ ହୁଅନ୍ତି ଗାଁରେ । ମଲା ବେଳକୁ ମାଟି ମୁଠାଏର ଆକାଂକ୍ଷା ହିଁ ତାଙ୍କର ସବାଶେଷ ଇଚ୍ଛା ହୋଇ ରହିଯାଇଛି ।

ଗମ୍ଭୀର ହୋଇଗଲେ ଭେନେଇ… ଲାଏବନ ଶୁଣୀକୁ ଆଶୀର୍ବାଦ କଲେ; ମାଁ ବସ୍ତ୍ରେନ ତକେ ଅନ୍ନବସ୍ତ୍ର ସୁଖି ରଖୁନ ଭାଇ!

ବର୍ଷେ ପରେ ଲେଲେ ଜନ୍ମହେଲା । ଗଉନ୍ତିଆଙ୍କ ନିଏ-ନିସାପ କାର୍ଯ୍ୟକାରୀ ହେଉଥିବା ଗାଁମାନଙ୍କରେ ଲେଲେର ଜନ୍ମ ଏକ ସୁଖଦ ଖବର ଥିଲା । ଲେଲେର ମାମୁଁ ଗଉନ୍ତିଆଙ୍କ ଦୁଇପୁଅ । ଲେଲେଠୁ ଦୁହେଁ ପାଞ୍ଚ ଓ ସାତ ବର୍ଷର ବଡ଼ । ଲେଲେ ପାଏନ ଗାଧିବା ପୂର୍ବରୁ ମାଁବାପା ମଲେ । ମହାରାଜ ଯେଉଁବର୍ଷ ଗାନ୍ଧୀ ମହାତ୍ମାକୁ ନିଜ ରାଏଜ ଲେଖିଦେଲେ, ତାର ତିନିବର୍ଷ ପରେ ମାମୁଁ ଓ ପଛକୁ ମାଇଁ ମରିଗଲେ । ରହିଲେ ତିନି ଭାଇ ଭଉଣୀ । ଗଉନ୍ତିଆଙ୍କ ଝିଅ ନାହିଁ ତେଣୁ ଲେଲେ ହିଁ ରାଜକୁମାରୀ ।

ଗଉନ୍ତିଆଙ୍କ ଅନ୍ତେ ଘରର କାମଦାମ ସବୁ ଲେଲେ ବୁଝିଲା । ଦୁଇ ଭାଇଙ୍କୁ ବାହା କରେଇଲା । ଗଉନ୍ତିଆ ରାଜୁତି କରୁଥିବା ପାଞ୍ଚ ଗାଁର ଭାନଜୀ ଲେଲେ । ତାର କଥାକୁ କେହି ଅମାନ୍ୟ କରିବା ନାହିଁ କି ସେ କାହାକୁ ଅସମ୍ମାନ କରିବା ନାହିଁ । ଲେଲେଙ୍କ ବ୍ୟବହାର ତାକୁ ତାର ଜାଗିରରେ ଭାନଜୀମାଁ କରିଦେଲା । ଗଉନ୍ତିଆଙ୍କ ଅନ୍ତେ ବଡ଼ଭାଇ ଗଉନ୍ତିଆ କିନ୍ତୁ ଭାନଜୀମାଁ ହିଁ ସର୍ବେସର୍ବା ବୋଲି ସମସ୍ତେ ଜାଣନ୍ତି । ଦୁଇ ଭାଇ ଭାଉଜଙ୍କ ନିକଟରେ ବି ଲେଲେର ସମ୍ମାନ ଯଥାବତ ଥାଏ ।

ଗଉନ୍ତିଆ ଦୁଇଭାଇ ସାନ ଗଉନ୍ତିଆ ଓ ବଡ଼ ଗଉନ୍ତିଆ । ଦୁହିଁଙ୍କୁ ବୟୋଜ୍ୟେଷ୍ଠ ପ୍ରସ୍ତାବଦେଲେ ଭାନଜୀମାଁ ଲାଗି ଘୁନଜା (ଘରଜୋଇଁ) ରଖୁ । ଜାତିଭାଇ ଆନନ୍ଦ ହେଲେ । କଥା ଆଗକୁ ଗଡୁଛି ମାଜିଷ୍ଟ୍ରେଟ ଅର୍ଡର ଆସିଲା ଗଉନ୍ତିଆ ପଦ ଗଲା । ହିନ୍ଦୀ ସେଠ, ଜଣେ ଅଣଓଡ଼ିଆ ବେପାରୀ । ଲୋକଙ୍କୁ ଟଙ୍କା କଉଡ଼ି ଦେଇ ଧାନ ମୁଗ ବିରି ମହୁଲ ଟୋଲ କିଣେ । ଟଙ୍କା ଲୋଭରେ ଲୋକେ ଶସ୍ତାରେ ନିଜର ଉପଜ ଦେଇଦିଅନ୍ତି । ପହଞ୍ଚକୁ ଥିବା ଗାଁ ମାନଙ୍କରେ ସେ ହିଁ ହିନ୍ଦୀ କହୁଥିଲା । ଶୁଣିବାକୁ କୌତୁକ ଲାଗେ ଓ ବୁଝି ହୁଏ । ତେଣୁ ଲୋକେ ଭାଷାରେ ତାକୁ ନାମ ଦେଇଛନ୍ତି । ପ୍ରକୃତରେ ତାର ନାମ ଅଲଗା । ସେ ଗଉନ୍ତିଆ ହୋଇଗଲା ।

ପରିବାରକୁ ଗୋଟିଏ ଅସ୍ତିତ୍ୱରୁ ହଠାତ୍ ଅନ୍ତର କରି ଦିଆଗଲା । ଏତେବେଳକୁ ଗୋଟିଏ ଘଟଣା ଘଟିଲା । ତେମନ୍ତ କଥା ଆଜିଯାକେ କେହି ଦେଖି ନାହାନ୍ତି । ମାଜିଷ୍ଟ୍ରେଟ ଗଉନ୍ତି ଜମି ସବୁ ମାପକଲା । ଯେତେବେଳେ ମାମୁଁ ହାତଦେଖେଇ ତାର ବାପାକୁ ମାଲିକାନା ସଅଁପି ଥିଲେ, ସେ ସେତେବେଳେ ଗଉନ୍ତି ଜମି ନୁହେଁ ନିଜ ଭିଣୋଇକୁ ଉପହାର ଦେଇଥିଲେ । ଟାଙ୍ଗି ଆଣି ମାଜିଷ୍ଟ୍ରେଟର ଗଳାରେ ରଖି ଦେଲା ଭାନଜୀମାଁ । ଇଟା ତୋର ବୁଆର ଜମି ନାଇସେ ଦେଖ କହି ଦଉଛେଁ ମାଜିଷ୍ଟ୍ରେଟ ବାବୁ! ମୋର ବୁଆର ଜମିନ, ତାର ଝୀ ମୁଇଁ ମୋର ନାଁଟି ପଟା ଲେଖ! ମାଜିଷ୍ଟ୍ରେଟ ଧର୍ମାତ୍ମା ଲୋକ । ପରିସ୍ଥିତି କଣ ସେ ବୁଝି ପାରିଥିଲେ । ଜଙ୍ଗଲ ଦଶ ଏକର ମିଶେଇ ପନ୍ଦର ଏକରର ପଟା ଲେଖିଦେଲେ । ଜମି ପଟା ଧରି ଯେଉଁ ଠାଣିରେ ଘରକୁ ଆସିଲେ! ଦେଖିବା ଲୋକ କହନ୍ତି, ଆହା! ମାଁ ବସ୍ତ୍ରେନ ଗଡ଼ ପ୍ରବେଶକୁ ଯାଉଛନ୍ତି । ନିଜ ନିଜ ଘରୁ ବାହାରି ହାତଯୋଡ଼ି ସାଇମାଇପ ଠିଆ ହୋଇଥାନ୍ତି ଓ ଗାଁଟିଯାକ ଲୋକ ତାଙ୍କ ପଛେ । ସିଧାଯାଇ ବଡ଼ ଭାଇକୁ ପଟା ଦେଇଦେଲେ । କହିଲେ ମୋର ଭାଏ ଗଉନ୍ତିଆ ନୁହେଁ ରଜା ଆଏ! ଗଉନ୍ତିଆ ପଦ ଗଲେ ବି ମର୍ଯ୍ୟାଦାକୁ ବଞ୍ଚେଇ ରଖିଲା ଲେଲେ । ମାମୁଁଙ୍କ ପାଞ୍ଚ ଏକର ସଙ୍ଗେ ପନ୍ଦର ଏକର ମୋଟ କୋଡ଼ିଏ ଏକର ଜମି ଗୋଟିଏ ଆମବୁରେଇ, ଭାଗବତ ଘର ଓ ଗାଁ ମୁଣ୍ଡରେ ପହ୍ଲାଆଁଟ ଏତିକି ସମ୍ପତ୍ତି ଆବୋରି ପାରିଲେ ।

ଏହାପରେ କେଉଁ ଧଙ୍ଗରା ସାହସ କଲାନି ଭାନଜୀମାଁଙ୍କୁ ବାହା ହେବାକୁ । ଅବା ଲେଲେଙ୍କ ସମ୍ମୁଖକୁ ଗୋଟିଏ ପରେ ଗୋଟିଏ ଯୁଦ୍ଧତୁଲ୍ୟ ଘଟଣା ଆସିଲା ବୋଲି ସେ ବାହାହେବା ନେଇ ଉଦାସୀନ ରହିଲେ । ଏଇ ଭାଗବତ ଟୁଙ୍ଗି କଥା । ଗାଁ ମୁଣ୍ଡର ପହ୍ଲାଆଁଟ ପାଖାପାଖି ପାଞ୍ଚ ଏକର । ସମସ୍ତଙ୍କ ଜମି ରୁଆଗଡ଼ା ସରିଲେ ପହ୍ଲାଆଁଟକୁ ଗଉନ୍ତିଆ ଚଷୁଥିଲେ । ସେଥିରେ ମୁଗ, ବିରି କି କୋଲଥ କରୁଥିଲେ । ଉପଜ ବିକି ଗଉନ୍ତିଆ ଭାଗବତ ଟୁଙ୍ଗିପାଇଁ ଖର୍ଚ୍ଚ କରୁଥିଲେ । ଗଉନ୍ତି ଯିବାର ଦୁଇବର୍ଷ ପରେ ହିନ୍ଦୀ ସେଠ ମାଜଷ୍ଟ୍ରେଟ, ତହସିଲଦାର ଧରି ଆସିଲା । ଭାଗବତ ଟୁଙ୍ଗି ଓ ପହ୍ଲାଆଁଟକୁ ଗଉନ୍ତିର ସମ୍ପଦା ବୋଲି କହିଲା ।

ଭାନଜୀମାଁ ତର୍କକଲେ ପହ୍ଲାଆଁଟ ଓ ଭାଗବତ ଟୁଙ୍ଗି ଗଉନ୍ତିର ନୁହେଁ ଗାଁର ସମ୍ପତ୍ତି । ଭାଗବତ ଟୁଙ୍ଗି ତାଙ୍କର ପୂର୍ବଜ ଥାପନା କରିଛନ୍ତି ।ଗାଁ ଲୋକ ପହ୍ଲା ଆଁଟରେ ପହ୍ଲା ରୋଇବେ ଏଥକୁ କେହି ମାଲିକ ନୁହନ୍ତି । ଗାଁଲୋକ ଭାଗବତ ଟୁଙ୍ଗିରେ ହରିନାମ ଶୁଣିବେ ଏଥକୁ କେହି ମାଲିକ ନୁହନ୍ତି । ମାଜଷ୍ଟ୍ରେଟ, ତହସିଲଦାର, ନାଏବ ତହସିଲଦାର, ଦାରୋଗା ସମସ୍ତେ ନିର୍ବାକ ହୋଇଗଲେ । ଏହିଠାରେ ବି ଭାନଜୀମାଁ ଲେଖେଇ ମଗେଇଲେ ପହ୍ଲାଆଁଟ ଓ ଭାଗବତ ଟୁଙ୍ଗି ମାଜିଷ୍ଟ୍ରେଟଙ୍କୁ ; ହିନ୍ଦୀସେଠ ପାଇଁ ଗାଁ ଅଦମନୀୟ ହୋଇଗଲା ।

ବଡ଼ମକାର ବେଳକୁ ଖେତ ପୁଡ଼ିଗଲା । ମୁଠାଏ ଧାନବି ଘରକୁ ଆସିଲା ନାହିଁ । ଗୁରଜି ଝାରି ସରିବା ପର୍ଯ୍ୟନ୍ତ ଲୋକ ଭୋକ ମାରିଲେ । ତାପରେ ପାରିଲେ ନାହିଁ । ଘରର ବାସନକୁସନ ହିନ୍ଦୀସେଠ ପାଖକୁ ନେଲେ । କଂସା ବାସନ ବଦଳରେ ହିନ୍ଦୀସେଠ ଲୋକଙ୍କୁ ଚାଉଳ ଦେଲା । ଗଉଡ଼ ଗଉନ୍ତିଆ ସୁଖବାସୀ ହୋଇ ସାରିଥାନ୍ତି । ଗଉନ୍ତି ଯିବାର ସାତ/ଆଠ ବର୍ଷ ତାଙ୍କୁ ଜଣେ ସାଧାରଣ ଚାଷୀ କରି ସାରିଥାଏ । ମରଡ଼ି ରାଁଡ଼ି (ରାଣ୍ଡିମରୁଡ଼ି) କାହା ଘର ଛାଡୁ ନଥାଏ । ଲୋକେ ଅକାଳରେ ମରୁଥାନ୍ତି । ବଡ଼ମକାର ଏତେ ହିଂସ୍ର ଥିଲା ଯେ ଲୋକେ ପରିବାରର ଅକର୍ମଣ୍ୟ ଓ ବୁଢ଼ାବୁଢ଼ୀଙ୍କୁ ତଣ୍ଟି ଚିପି ହତ୍ୟା କରୁଥିବା କାଁଭାଁ ଖବର ଅପରାଧ ସ୍ତରର ନଥିଲା ଯେପରି ।

ଲୋକଙ୍କ ହାହାକାର ଗଉଡ଼ ଗଉନ୍ତିଆ ପାଇଁ ଅସହ୍ୟ ଥିଲା । ମନ ଅଛି କିନ୍ତୁ ଧନ ନାହିଁ । ତଥାପି ବି ଘରର ଅଧାରୁ ଅଧିକ ବାସନ ଲୋକଙ୍କୁ ଦାନ ଦେଲେ ବିକି ଭାଙ୍ଗି ଚାଉଳ ଆଣିବାକୁ । ମକାର ପରେ ରାଁ-ଖରା (ପ୍ରଚଣ୍ଡ ତାତି) ଲୋକଙ୍କୁ ଝୁରି (ଛୋଟମାଛ) ପୋଡ଼ିଲା ପରି ମାରିଲା । ଏତେବେଳକୁ ଇନ୍ଦିରା ଗାନ୍ଧୀ ଆସିଲେ । ଲୋକଙ୍କ ଦୁଃଖ ଦେଖି କହିଲେ ତୁମେ ଜଙ୍ଗଲ କାଟି ବିକି ଖାଅ ।

ଜଙ୍ଗଲକୁ ପୂଜା କରୁଥିବା ସଭ୍ୟତା ଜଙ୍ଗଲ ବ୍ୟବସାୟ କଥା ଜାଣି ପାରିଲେ ନାହିଁ । କେଉଁଠି ଗଛ ବିକ୍ରିଯାଏ ଏକଥା ହିନ୍ଦୀ ସେଠକୁ ବହୁତ ଭଲ ଭାବେ ଜଣା । ସେ ଏବେ ଗଉନ୍ତିଆ, ତେଣୁ ଲୋକଙ୍କୁ ଖାଇବା ଦେଇ ଜଙ୍ଗଲ କାଟି ମଗେଇଲା । ଲୋକେ ଜଙ୍ଗଲ କାଟିଲେ । ପାହାଡ଼ର ପଣତ ଟାଣି ଧରତି ମାଁର ଛାତି ମେଲା କରିଦେଲେ । ଜଙ୍ଗଲରୁ ବାରହା, କୁଟରା କି ହରିଣ ଆସି ଧାନଖେତ ନଷ୍ଟ କଲେ ନାହିଁ ଏହା ପରେ ପରେ । ଶ୍ୱାନସ୍ୱାପଦଙ୍କ ରଡ଼ି ଶୀତ ରାତିରେ ବହୁ ଦୂରରୁ ଶୁଭିଲା । ଜଙ୍ଗଲ ଯେମିତି ଅପସରି ଗଲା ଲୋକଙ୍କ ଡରରେ । ଡଙ୍ଗରରେ ପୂଜା ପାଉଥିବା ଡଙ୍ଗରବୁଢ଼ା ଗୁଲଗୁଲା ଦିଶିଲେ ।

ଶିରି ତୁଟିଗଲା ଗାଁ ର । ଗଉନ୍ତିଆ ଦୁଇଭାଇ ଲେଲେକୁ କହିଲେ ପନ ଗଲା ଧନ ଗଲା ବାଈ(ବଡ଼ଭଉଣୀ), ଶତୃ (ହିନ୍ଦୀ ସେଠ) ପାଖେ ଶରଣ ପଶି ନାଇ ହୁଏ । ବିଦେଶ ଯାଏତୁଁ କାଏ ଭାବୁଛୁ । ଲେଲେର ମୁଣ୍ଡରେ ଛାତ ସମେତ ଗୋଟା ଆକାଶ ଅଜାଡ଼ି ହୋଇ ପଡ଼ିଲା ଯେପରି । ସଂଜ୍ଞାହୀନ ହୋଇପଡ଼ିଗଲା ତଳେ ।

ଏତେବେଳକୁ ହିନ୍ଦୀ ସେଠ ଚାରି ଏକର ପାଖାପାଖି ଜାଗାରେ ତାଳଗଛ ପ୍ରମାଣେ ଉଚ୍ଚ ପାଚେରୀ ଭିତରେ ଘର କରିଛି । ତାର ସାନପୁଅ ବେଳବୁଡ଼ିଲେ ବାହାରେ । ତାର ଗଉନ୍ତି ଗାଁର କେଉଁ ଠେଙ୍ଗୁଆବସା କି କାହା ଘରେ ମଦକୁକୁଡ଼ା କରେ ।କେଉଁ ଅଭାବୀର ଝିଅବୋହୂଙ୍କୁ ଅନୁଚର ଡାକି ଆଣନ୍ତି ବୋଲି ଲୋକେ କେବେ କେମିତି କୁହାକୁହି ହୁଅନ୍ତି । ଗଉନ୍ତିଆ ଦୁଇଭାଇ ପରିବାର ଛାଡ଼ି ପାଖ ଗାଁର ହିନ୍ଦୀ ସେଠ ପାଚେରୀ ଦେଇ ଚାଲି ଚାଲି ଖଡ଼ିଆଳ ରୋଡ଼କୁ ଗଲେ । ସେଠାରୁ ରେଳ ଚଢ଼ି ରାୟପୁରକୁ । ପଛରେ ଲେଲେଙ୍କ ଭରସାରେ ଛାଡ଼ିଦେଲେ ବଡ଼ଭାଇର ତିନିପୁଅ ଦୁଇ ଝିଅ ଓ ସାନଭାଇର ଗୋଟିଏ ପୁଅ ଗୋଟିଏ ଝିଅ ।

ଗଲାବେଳେ ପହ୍ଲାଆଁଟକୁ ମଧୁବନ ବୈରାଗୀକୁ ସଁପି ଦେଲେ । ଦେଖ ଗୁରୁବୁଆ ଟୁଙ୍ଗିର ନୀତିନିୟମ ଯେନ୍ତା ଉନା ନାଇ କରବୁ । ଲୋକ ପହ୍ଲା ରୁପି ସାରବାରତକ ଟାକବୁ ବାକି ତୋର ଆଏ । ଗାଁ ଲୋକଙ୍କ ସମ୍ମୁଖରେ ଜବାବ କରିଦେଲେ ଗଉଡ଼ ଗଉନ୍ତିଆ ଦୁଇଭାଇ । ଫେରିଲେ ମୌସୁମୀ ସହ । ଖେତ ସଜଡ଼ା ହେଉ ନହେଉ, ବିହନ ବୁଣା ସମୟ ଆସିଲା । ଦୁଇଭାଇ ପାଞ୍ଚଟି ହଲିଆର କାମକରି ଖେତ ସଜାଡିଲେ । ବିହନ ବୁଣି ସାନଭାଇ ରାୟପୁର ଗଲା । ପହ୍ଲା ରୋଇଲା ବେଳକୁ ଆସିଲା । ପାଞ୍ଚଖଣ୍ଡ ଗାଁଲୋକ ଜାଣିଲେ ଗଉଡ଼ ଗଉନ୍ତିଆ ଦୁଇଭାଇ ବହୁତ କଷ୍ଟ କରୁଛନ୍ତି ।

ତା’ ପରବର୍ଷକୁ ହିନ୍ଦୀ ସେଠ ହାଇକୋର୍ଟରୁ ଡିଗ୍ରି ଆଣିଲା ଲେଲେର ପନ୍ଦର ଏକର ଜମି ଗଉନ୍ତି ଅଧିନକୁ ଆସିବା କଥା । ଲେଲେର ବାପା ବନ୍ତୁବୁଦ୍ଧି ଲଗେଇ ମୁଡ଼ାବାନ୍ଧି ଜମି ସଜେଇଥିଲା । ହଠାତ ଉଦବାସ୍ତୁ ହୋଇଗଲେ ଗୋଟିଏ ସମ୍ପନ୍ନ ପରିବାର । ଛଅ ମାସ ପରେ ଗଉଡ଼ ଗଉନ୍ତିଆ ଦୁଇଭାଇ ପରିବାର ନେଇ ରାୟପୁର ପଳେଇଲେ । ଜମି ଗଲାପରେ ନୂଆଖାଇ, ଦଶହରା ଓ ଚଇତ ପରବକୁ ଆସନ୍ତି ଗାଁର ବିଧି ପୁରା କରିବାକୁ । ଲେଲେ କିନ୍ତୁ ଗାଁ ଛାଡ଼ିଲା ନାହିଁ । ଘରମାଡ଼ି ପଡ଼ି ରହିଲା ।

ସମୟ ସାଙ୍ଗକୁ ଗଉଡ଼ ଗଉନ୍ତିଆଙ୍କ ବଖରୀ (ରହିବା ଘର, ଗୁହାଲ, ବୈଠକ, କୂଅ, ବଗିଚା ସମାହାରର ଏକକ ଘର)ର ସମ୍ପନ୍ନତା ଲୁଚି ଲୁଚି ଆସୁଥାଏ । ଲେଲେ ଏକଲା ରହେ । ବଡ଼ମକାର ବେଳେ ନିଜର ସର୍ବସ୍ୱ ବିକି ଦେଇଥିବା ମଧୁ ଗଉଡ଼ର ପରିବାରକୁ ବୈଠକ ଘର ସଜାଡ଼ି ରହିବାକୁ ଅନୁମତି ଦେଇଥାଏ ଲେଲେ । ସମୟ ଗଡ଼ିଚାଲିଲା । ପରେ ପରେ ଦେଖାଗଲା ସାନଭାଇ ଆଉ ଆସୁନାହିଁ ତିହାର-ବାହାର ବେଳେ ଗାଁକୁ । ସେ ଏବେ ଭୋପାଳରେ ରହୁଛି । ସେଠାରୁ ଆସିବା ଦୁଷ୍କର ବୋଲି ଉପରଠାଉରିଆ ମନ୍ତବ୍ୟ ଦିଅନ୍ତି ପରିବାର ।

ଭୋପାଳ ଗ୍ୟାସ ଦୁର୍ଘଟଣା ଘଟିଲା । ସାନ ଗଉନ୍ତିଏନ ଓ ଝିଅ ମରିଗଲେ ଦୁର୍ଘଟଣାରେ ବୋଲି ଗାଁରେ ଖବର ଉଡ଼ିଲା । ବଡ଼ଭାଇ ବି ପରିବାର ନେଇ ଗାଁକୁ ଆସିଲା ଦିନେ ପରେ ସାନ ଗଉନ୍ତିଆ ଓ ତାର ପୁଅ ଆସିଲେ । ଗାଁରେ ଶୁଦ୍ଧିହେଲେ । ପରେ ପରେ ପୁଅଝିଅ ଜୁଆନ ହେଲେ ବାହା ବି କରେଇଲେ ।

ହିନ୍ଦୀ ସେଠ ବୁଢ଼ା ହୋଇଗଲାଣି । ତାର ପୁଅମାନେ ତାର ବେପାର ସମ୍ଭାଲୁଛନ୍ତି । ଗଉନ୍ତି ଚାଲିଗଲାଣି କେଉଁ କାଳୁ । ଲୋକେ ଗଉଡ଼ ଘରକୁ ଗଉନ୍ତିଆ ଓ ହିନ୍ଦୀସେଠ ଘରକୁ ମହାଜନ ଡାକିବା ଆରମ୍ଭ କରି ସାରିଥିଲେ । ଏତେବେଳକୁ ଗାଁଲୋକ ଭାଗବତ ଟୁଙ୍ଗିରେ ସଭାକଲେ । ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ତିଆରିହେବ । ଲକ୍ଷେ ମନ୍ତ୍ରରେ ଇଟାକୁ ଅଭିଷେକ କରି ଅଯୋଧ୍ୟା ପଠେଇବାକୁ ହେବ । ଲୋକେ ଗଉଡ଼ ଗଉନ୍ତିଆ ଦୁଇଭାଇ ଯାହାକୁ ବି କର୍ତ୍ତା କରିବାକୁ କହିଲେ । ବଡ଼ ଭାଇ ନିଜର ପୁଅବୋହୂ ନାତି ନାତୁଣୀ ଧରି ଆସିଲେ । ପନ୍ଦରଦିନ ରହିଲେ । ଇଟାକୁ ଅଭିମନ୍ତ୍ରିତ କରି ଅଯୋଧ୍ୟା ପଠେଇଲେ ।

ଶ୍ରୀରାମଙ୍କ ପାଇଁ ଇଟା ଅଭିମନ୍ତ୍ରିତ ଯଜ୍ଞ ଭିତରେ ଲୋକେ ଆଗ୍ରହ କଲେ ଗଉନ୍ତିଆ ଭାଇ ଭିତରୁ ଯିଏ ବି ହେଲେ ଗାଁରେ ରହ । ଗଉନ୍ତିଆ କହିଲେ ଗାଁ ଥି ଆରୁ କାଣା ବାଁଚଲା ମୋର । ଦେଖୁଛେଁ ପ୍ରଭୁ ଶ୍ରୀରାମଙ୍କର କୃପାନୁ ଜମି ଖଣକ ଫିରି ପାଏତି ବଏଲେ ଆସି କରି ଗାଁ ଥି ରହେତି । ସଭା ହରିବୋଲ ଡାକ ଦେଲା । ଏତେବେଳକୁ ଗାଁ ଲୋକ ଜାଣିଲେ ବଡ଼ ଗଁତିଆ ଲେଲେର ଜମି ଲାଗି ହାଇକୋଟ ଲଢୁଛନ୍ତି ।

ସରକାର ଗରିବ ପରିବାରକୁ ୨୫କେଜି ଚାଉଳ ଦେବା ଆରମ୍ଭ କରି ସାରିଥାନ୍ତି । ଲେଲେ ମଧୁ ଗଉଡ଼ର ପୁଅକୁ ନେଇ ରାୟପୁର ଗଲା । ପନ୍ଦର ଦିନ ପରେ ଫେରିଲା । ସାଙ୍ଗରେ ସାତ/ଆଠବର୍ଷର ଜଣେ ସୁନ୍ଦରିଆ ବାଳକ । ଲୋକେ କିଏ ବୋଲି ପଚାରିଲେ । ଲେଲେ ଦୁଃଖ କହିଲା । ସାନ ଗଉନ୍ତିଆର ଝିଅ ଜଣେ ଗଣା ପିଲାସଙ୍ଗେ ଭାବ କରି ପଳେଇଥିଲା । ଭୋପାଳ ଆପଦବେଳେ ସାନର ସ୍ତ୍ରୀ ଖାଲି ମରିଥିଲା । ଅପମାନରେ ଭୋପାଳ ଆପଦରେ ମଲା ବୋଲି କହିଲେ । ଭୋପାଳରୁ ଝିଅକୁ ନେଇ ନାଗପୁରରେ ରଖିଥିଲା । ମଦପିଇ ମାଡ଼ପିଟ କରେ, ଝିଅ ବିଷ ପିଇଦେଲା । ସାତ/ଆଠବର୍ଷ ପରେ ହୋଇଥିବା ପୁଅ ଅନାଥ ହୋଇଗଲା । ଗଣାପିଲା ଦ୍ୱିତୀୟ ହେଲା । ସାବତ ମାଁ ଏ ବିଧର୍ବା (ଅଭିଭାବକ ଥାଇ ବି ଛେଉଣ୍ଡ ଦୁଃଖ ଭୋଗୁଥିବା) ଛୁଆକୁ ଦୁଃଖଦେଲା । ତେଣୁ ସେ ନିଜେ ଯାଇ ଥାନାରେ ଲେଖେଇ ଆଣିଛି ।

ଗଣା ଜାତିର ବାପ! ବିଧର୍ବା ଛୁଆର କେହି ନାହାନ୍ତି । ବଖରୀ ଶେଷ ମୁଣ୍ଡରେ ଘର ଦୁଇବଖରା ଯେଉଁ ଅଛି ତାକୁ ସଜାଡ଼ି ସେଠାରେ ଏ ପୁଅକୁ ରଖିବି । ବଖରୀ ପଛପଟେ ବାଟ କରିବି । ଗାଁର ବିଧିବିଧାନରେ କିଛି ବି ବାଧା ହେବନାହିଁ ବୋଲି ଲେଲେ ଗାଁ ଲୋକଙ୍କୁ କହିଲା । ନିଜର ଉଗ୍ର ରୂପରେ ଗଉନ୍ତିଆ ଘର ପଣ ରଖିଥିବା ଲେଲେର ମମତ୍ୱ ମୂର୍ତ୍ତି ଲୋକଙ୍କୁ କାରୁଣ୍ୟରେ ଭରିଦେଲା । କେହି ପ୍ରତିବାଦ କଲେନି । ଲେଲେ ନିଜ ପାଇଁ କିଛି ତ କଲାନି ଶେଷରେ ଜାତିରୁ ବି ଗଲା । ସ୍ୱତଃ ଲେଲେ ଏକ କାରୁଣ୍ୟର ଜୀଅନ୍ତା ମୂର୍ତ୍ତି ହୋଇଗଲା ।

କିଛିଦିନ ପରେ ଲୋକେ କୁହାକୁହି ହେଲେ ସାନ ଗଉନ୍ତିଆର ଝିଅ ଯେଉଁ ଲୋକ ସଙ୍ଗେ ଘର କରିଥିଲା ସେ ଗଣାଲୋକ ହିନ୍ଦୀ ସେଠର କେଉଁ ପରିଜନ ଘରେ ମୁନସି ଥିଲା ଭୋପାଳରେ । ନୂଆ ସରକାର ଆସିଲେ ଦେଶରେ । କହିଲେ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ତିଆରିବି । ଲେଲେ ହାତଟେକିଲା ଶୂନ୍ୟକୁ, ‘ହେ ପ୍ରଭୂ! ଏବେ ତୁମର ଘର ବସିବ! ମୋର ଗାଁଲୋକ ଲକ୍ଷେମନ୍ତ୍ର କରି ତୁମଲାଗି ଇଟା ଦେଇଛନ୍ତି । ସେ ଇଟା ତୁମର ମନ୍ଦିରରେ ଲାଗିବ । ମୁଁ କିଛି ମାଗୁ ନାହିଁ ପ୍ରଭୂ! ତୁମେ ମୃଗୁଣୀକୁ ଉଦ୍ଧାର କଲ, ଅହଲ୍ୟାକୁ ଉଦ୍ଧାର କଲ, ସୀତୟାଙ୍କୁ ଉଦ୍ଧାର କଲ । ଏବେ ମତେ ଉଦ୍ଧାର କର ପ୍ରଭୂ! ମୋର ହସିଲା ଘର ପୁଣି ଥରେ ହସୁ । ତୁମ କୃପାରୁ!’

ପ୍ରଭୂ ଡାକ ଶୁଣିଲେ । ଗଉଡ଼ ଗଉନ୍ତିଆ କେଶ ଜିତିଲେ । ଲେଲେ ଆନନ୍ଦରେ କୁପି ଆଣି ଥୋଇଦେଲା ଗାଁ ମୁଣ୍ଡରେ । ଦୂରକୁ ଅପସରି ଗଲା । ଗାଁଲୋକର ହରିବୋଲ ଡାକ ଭଗବାନ ଶୁନଲେ ବୁଆମନେ । ଇ କୁପିର ପଏସା ନିଅ ଯାହା ପରସାଦ ହେବା ଗାଁର ଲୋକକେ ବାଁଟି ଦିଅ । କୀର୍ତ୍ତନ କର । ପାଂଚଞ୍ଚହଜାରକୁ କେତେଟଙ୍କା ଉନା ଥିଲା । ଲୋକେ ସନ୍ଧ୍ୟାରେ ଭୋଜି ଖାଇଲେ । ଭାଗବତ ଟୁଙ୍ଗିରେ ଅଧାରାତିଯାକେ କୀର୍ତ୍ତନ କଲେ । ଲେଲେ ନିଜର ନାତିକୁ ନେଇ ଅପହଞ୍ଚ ଦୂରରେ ବସି ଦେଖୁଥାଏ ।

ବଡ଼ଗଉନ୍ତିଆ ଆସିଲେ । ଲୋକ କୀର୍ତ୍ତନ କରି ଗାଁ ମୁଣ୍ଡକୁ ପରଘେଇ (ସ୍ୱାଗତ କରିବା) ଗଲେ । ଗାଁ ଲୋକଙ୍କୁ ଜୁହାର ହୋଇ କହିଲେ,‘ଭଗବାନର ଦୟାନୁ ଆରୁ ଗାଁ ଲୋକର ଆଶୀର୍ବାଦନୁ ମୋର ହଜଲା ସମ୍ପତ୍ତି ଫିରି ପାଏଲି । ବିଦେଶେ ଅରନ ନୁରବାରଟା ଖୋବ ଦୁଃଖ ବୁଆମାଁ ମନେ । ମୁଇଁ କେତେ ହଜେଇଛେ କେତେ ପାଇଛେ ଯେ ମୁଇଁ ଜାନୁଛେଁ । ଏବେ ନାତି ନାତେନ ଜୁଆନ ହେଲେ । ଗାଁନେ ବୁଢ଼ାବୁଢ଼ୀ ସଭେ ମରମୁଁ ଭାବୁଛୁଁ । ମୁଇଁ ଗାଁ କେ ଫିରମି ବଲୁଛେଁ । ରାୟପୁର ଆରୁ ଭୋପାଳ ନେ ଘର ଦୁଇ ଦୁଇ ବଖରା ଗାଡ଼ିଛୁଁ । ସେନେ ଯିଏ ବି ଘର ମାଡ଼ିକରି ରହେବେ । ହଜଲା ସମ୍ପତ୍ତି ପାଏବାର ଲାଗି ମୋର ସଙ୍ଗେ ଦୁଇ ପୁରଷା ହେଇଗଲା । ଏବେ ଗାଁ ନେ ଇଜତ ଥି ଦୁଇମୁଠା ଖାଏମୁଁ ବଲୁଛୁଁ ।’

ଲୋକେ ଆନନ୍ଦରେ ହରିବୋଲ ଡାକଦେଲେ ।

କେଶ ଜିତିଲା ପରେ ଲେଲେଙ୍କ ପନ୍ଦର ଏକର ଜମି, ଗଣାପରା ଉପରକୁ ତିନି ଏକର, ଆମବୁରେଇର ପାଞ୍ଚ ଏକର ଓ ନଦୀ ତଳକୁ ଦଶ ଏକର ଜମି ଡିଗ୍ରି ପାଇଛନ୍ତି ।

ତା’ ପରଦିନ ଲେଲେ ମଧୁ ଗଉଡ଼ ଓ ଗାଁର ଦୁଇଜଣ ସିଆନକୁ ନେଇ ଗଣାପରା ଗଲା । – ର ଗଣା ବାହାର ଗୋ! ତୋର ଦୁଆରକେ ମାଗି ଆସିଛେଁ! ଧଡ଼ପଡ଼ ହୋଇ ଅନି ଗଣା ବାହାରିଲା, ‘ଏ ପ୍ରଭୁ! ଏ ଭଗବାନ ମୁଇଁ କାହିଁ ଯାଏସି । ମୋର ଦୁଆରକେ ସ୍ୱୟଂ ମାଁ ବିରାଜମାନ କରିଛନ । ଭାନଜୀମାଁ ଗୋ! ତୁଇ ମୁନଷ ନାଇସେ ମାଁ ମୁନୁଷର ଦିହେଁ ଦେବୀ ଆଏ । ତୁଇ ଖଣ୍ଡାଖର୍ପରାଧାରୀ ମାଁ! ତୁଇ ଶତୃ ସଂହାର କରିଛୁ, ମିତ୍ର କେ ଆଶ୍ରା ଦେଇଛୁ । ଅନାଥକେ ସଁକଲିଛୁ, ନାଥକେ ଆଦର କରିଛୁ । ବସ୍ତର ରାଏଜର ମାଁ ତିନପୁରଷା ହେଲା ଆମକେ ସଁକଲି କରି ରଖିଛୁ । ତୁଇ ମୋର ଦୁଆରକେ ଆସିଛୁ ମାଁ ତୋର ମାଗବାର କାଣା ଅଛେ ଆରୁ ମୁଇଁ ଛାର ଗଣା ମୋର ପାଖେ କାଣା ଅଛେ ଯେ ଦେମି ।

– ଡୁବ ଛତ୍ରିଆର ପିଲା ବିରାଜ ଛତି୍ରଆ, ମୋର ସାନଭାଇର ଟୁକେଲ କେ ଘିଚି ନେଲା । ତାର ପିଲା ଅଶୋକ ଛତ୍ରିଆ ତାର ଲାଗି ଟୁକେଲ ଗୁଟେ ଦେ । ଦୌଡ଼ିଗଲା ଘରକୁ ଅନି ବୁଢ଼ା, ପନ୍ଦର ଶୋହଲ ବର୍ଷର ନାତୁଣୀର ହାତଧରି ଟାଣି ଆଣିଲା । ଲେଲେଙ୍କ ପଟକୁ ଫିଙ୍ଗିଦେଲା ଯେମିତି । ମୋର ନାତେନ, କଲେଜ ପଢୁଛେ ନିଅ ମୋର ଭାନଜୀମାଁ!

ସୁନ୍ଦର ପୁରିଲା ଝୀଅ । ତଳୁ ଉଠେଇ ଛାତିରେ ଜାକି ଧରିଲେ ଲେଲେ । ଭୋ ଭୋ କାନ୍ଦିଲେ ।

ମୋର ଭାଇରେ…! ଭୂମକାଳ ବିଦ୍ରୋହ ବେଳେ ମାଁବାପା ବସ୍ତର ଛାଡ଼ି ଆସିବାବେଳେ ମରିଯାଇଥିବା ଭାଇକୁ ବାହୁନି କାନ୍ଦିଲେ ଲେଲେ । ମୋର ଭାଇରେ… ତୁଇ ଥିଲେ ମୁଇଁ ଗେହ୍ଲେଇ ବହେନ ହେଇଥିତି… ଏତେ ଏତେ ଅଜଣା ଅଶୁଣା ଦୁଃଖ ଦେଖି ନଥାନ୍ତି… । କେହି ଚୁପ କରେଇଲେ ନାହିଁ । ଗଣାପରାର ସମସ୍ତେ ମଣ୍ଡଳି କରି ଘେରିଗଲେ ଲେଲେ ଓ ତାଙ୍କ ସହ ଆସିଥିଲା ଲୋକଙ୍କୁ ।

ଗଣାପରାର ଉପର ତିନିଏକର ଜମି ଓ ପଡାରେ ହିଁ ଘରଟିଏ କରିଦେଲେ ଅଶୋକ ପାଇଁ । ଗଉନ୍ତିଆ ଦୁଇଭାଇ ପରିବାର ସହ ଫେରିଲେ । ବଡ଼ ଗଉନ୍ତିଆର ନାତି ରାୟପୁର ବ୍ୟାଙ୍କ ଚାକିରି କରେ ସେ ରାୟପୁରରେ ରହିଲା । ସାନ ଗଉନ୍ତିଆର ନାତି ଭୋପାଲରେ ଦୋକାନ ଦେଇଛି । ଗଉଡ଼ ଜାତିଭାଇ ଲେଲେଙ୍କୁ ଜାତିରେ ମିଶିବାପାଇଁ କହିଲେ । ଲେଲେ ମନାକଲେ । ମୋର ଅଶୋକର ପିଲାଟୁକେଲ କେ ଖେଲାମି ବୁଆମନେ ମତେ ଆରୁ ଜାଏତ ନାଇ କର । ମୁଇଁ ହେ କୁରିଆ ଥି ଏକା ମରମି ବଲୁଛେଁ । ଜାତି ରହେଲେ ହେଲେ ମୋର ଡୁମା କାର ହେବା?

ପଞ୍ଚାୟତ ଭୋଟ ହେଲା । ବଡ଼ ଗଉନ୍ତିଆର ନାତି ହିନ୍ଦୀ ସେଠର ନାତି ସହ ସରପଞ୍ଚ ଲଢ଼ିଲା । ଗଉଡ଼ ଗଉନ୍ତିଆର ନାତି ଭୋଟ ଜିତିଲା । ତିନିଲକ୍ଷ ଟଙ୍କା ଖର୍ଚ୍ଚକଲେ । ହିନ୍ଦୀ ସେଠର ନାତି ବି ସାତ/ଆଠ ଲକ୍ଷଟଙ୍କା ଖର୍ଚ୍ଚ କରିଥିବା କଥା ଲୋକେ କହନ୍ତି ।

ଲେଲେ ମରିଗଲା । ସାତଦିନିଆ କଲେ । କିନ୍ତୁ ଅଶୋକ ଦଶାହ ଦିନ ଜିଉ ଆଣିଲା । ରାତିରେ ଗଣାପରାରୁ ଜିଉ ଆଣୁଥିବା ସମସ୍ତେ ଶୁଣିଲେ ।

Comments

0 comments

Share This Article