‘ସମଦୃଷ୍ଟି’ର ଯାତ୍ରା ଓ ଓଡ଼ିଶା

‘ସମଦୃଷ୍ଟି’ ପରିବାର ତରଫରୁ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ।

12 Min Read

ସମ୍ପାଦକୀୟ

ଜାନୁଆରୀ ୨୨,୨୦୦୬ ଦିନ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାର ଲୋକାର୍ପଣ ହୋଇଥିଲା । ଭୁବନେଶ୍ୱରସ୍ଥିତ ‘ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର’ ପରିସରରେ ଦ୍ୱିତୀୟ ‘ଲୋକଚିତ୍ର ଉତ୍ସବ’ ଆୟୋଜନ ଭିତରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ପତ୍ରିକାର ଲୋକାର୍ପଣ କରିଥିଲେ ଲୋକସଭାର ପୂର୍ବତନ ବାଚସ୍ପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ସମାଜବାଦୀ ରବି ରାୟ ମହୋଦୟ । ତାଙ୍କ ପାଖରେ ଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ସମ୍ପଦ ମହାପାତ୍ର ଏବଂ ଶ୍ରୀ ପ୍ରଫୁଲ୍ଲ କୁମାର ଦାଶ । ଜୈବଚାଷୀ ଶ୍ରୀ ନଟବର ଷଡ଼ଙ୍ଗୀଙ୍କୁ ସମ୍ମାନିତ କରିବାର ସୁଯୋଗ ମଧ୍ୟ ମିଳିଥିଲା । ବିଶିଷ୍ଟ ବିପ୍ଳବୀ ଗଣନାଥ ପାତ୍ରଙ୍କଠାରୁ ଆରମ୍ଭ କରି ଘନିଷ୍ଠବନ୍ଧୁ ରାଜେନ୍ଦ୍ର ଷଡ଼ଙ୍ଗୀ (ଉଭୟେ ଆଉ ଆମ ଗହଣରେ ନାହାନ୍ତି)ଙ୍କ ଯାଏଁ ଅନେକ ପ୍ରଗତିଶୀଳ ଲେଖକ, ସାହିତ୍ୟିକ, ସାମାଜିକ କର୍ମୀ, ଜନବାଦୀ ସାମ୍ବାଦିକ ଏବଂ ଜନଆନ୍ଦୋଳନର କର୍ମୀ ଏହି ଅବସରରେ ଏକାଠି ହୋଇଥିଲେ । ଉନ୍ମୋଚନ ପର୍ବର ୨୦ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୨,୨୦୦୬ ଦିନ ଘଟି ଯାଇଥିବା ଏକ ଘଟଣା ପରିବେଶଟିକୁ କିନ୍ତୁ ଗମ୍ଭୀର କରିଦେଇଥିଲା ।

Samadrusti02 300x132 Samadrusti03 300x189 Sudhir Patnaik 229x300

ଟାଟା କମ୍ପାନୀର ପାଚେରୀ ନିର୍ମାଣକୁ ବିରୋଧ କରୁଥିବା ଆଦିବାସୀମାନଙ୍କ ଭିତରୁ ୧୪ଜଣ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ, ନବୀନ ପଟ୍ଟନାୟକଙ୍କ ଶାସନର ଦ୍ୱିତୀୟ ଚରଣରେ । ସମଗ୍ର ଘଟଣାଟି ଚିନ୍ତାଶୀଳ କ୍ଷୁଦ୍ର ସମୁଦାୟଟିକୁ ଗଭୀର ମାନସିକ ବ୍ୟଥା ଦେଇଥିଲା । ସମସ୍ତଙ୍କ ମନରେ କ୍ଷୋଭ, ଅସନ୍ତୋଷ ଓ ଉଚିତ୍ ଜବାବ ଦେବାର ତୀବ୍ର ଭାବନା ଭରପୁର ଥିଲା । ସ୍ୱାଭାବିକ ଭାବେ ତଥାକଥିତ ମୁଖ୍ୟସ୍ରୋତର ଗଣମାଧ୍ୟମ ତଥା କମ୍ପାନୀ ମାନଙ୍କ ପ୍ରଭାବରେ ଥିବା ଗଣମାଧ୍ୟମର ଆଦିବାସୀ -ବିରୋଧୀ ମାନସିକତା ବାରିହୋଇ ଯାଉଥିଲା । ଏହାର ପ୍ରଭାବ ‘ସମଦୃଷ୍ଟି’ର ପ୍ରଥମ ସମ୍ପାଦକୀୟରେ ପ୍ରତିଫଳିତ ହୋଇଥିଲା । ଯେହେତୁ ପ୍ରଥମ ସଂଖ୍ୟାର ମୁଦ୍ରିତ କପି ସବୁ ବିକ୍ରି ହୋଇସାରିଛି, ପ୍ରଥମ ସମ୍ପାଦକୀୟଟିକୁ ପୁଣିଥରେ ଏଠି ଉପସ୍ଥାପନ କରୁଛୁ ଯେଉଁମାନେ ପୂର୍ବରୁ ସମଦୃଷ୍ଟି ପଢ଼ିନାହାନ୍ତି, ମୁଖ୍ୟତଃ ସେମାନଙ୍କ ହିତରେ ।

ଜାନୁଆରୀ ୨୨,୨୦୦୬ ଦିନ ସମଦୃଷ୍ଟିର ପ୍ରଥମ ସଂଖ୍ୟା (ଫେବୃଆରୀ ୧-୧୫)ପ୍ରକାଶ ପାଇଥିଲା ଯାହାର ସମ୍ପାଦକୀୟର ଶିରୋନାମା ଥିଲା ‘କଳିଙ୍ଗନଗର ଏକ ସ୍ୱୟଂସମ୍ପୂର୍ଣ୍ଣ ଘଟଣା ନୁହେଁ!’ ସେଥିରେ କୁହାଯାଇଥିଲା “ରାଜ୍ୟର ହାତଗଣତି କେତୋଟି ଲୋକଙ୍କର ବର୍ତ୍ତମାନର ଏବଂ ଭବିଷ୍ୟତର ବଂଶଧରମାନଙ୍କୁ ଅଧିକ ସମୃଦ୍ଧ କରିବା ପାଇଁ ରାଜ୍ୟର ୮୦ଭାଗରୁ ଊର୍ଦ୍ଧ୍ୱ ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି । ସେମାନଙ୍କ ଭିତରେ ଅଛନ୍ତି ସାଧାରଣ ଚାଷୀ, ମୂଲିଆ, ଜଙ୍ଗଲ ଉପରେ ନିର୍ଭର କରି ଚଳିଆସୁଥିବା ଲୋକେ, ମତ୍ସ୍ୟଜୀବୀ, ବୁଣାକର, କାରିଗର ଏବଂ ଅନ୍ୟମାନେ । ଗତ ଅଣଷଠି ବର୍ଷର ସ୍ୱାଧୀନତା ଭିତରେ କୌଣସି ବି ସରକାର ଏମାନଙ୍କ ପାଇଁ କ’ଣ କରିଛି ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ସେହି ପ୍ରଶ୍ନର ପ୍ରତିଧ୍ୱନି ଛଡ଼ା ଅନ୍ୟ କୌଣସି ଉତ୍ତର ଶୁଣିବାକୁ ମିଳିବନି । ସ୍ୱଧୀନତାର ଯେଉଁ ସ୍ୱପ୍ନ ଲୋକେ ଦେଖିଥିଲେ ବା ସେମାନଙ୍କୁ ଦେଖାଇ ଦିଆଯାଇଥିଲା, ତାହା କେବଳ ଫିକା ପଡ଼ିଯାଇ ନାହିଁ, ଲୋକେ ଏବେ ପ୍ରଶ୍ନ କଲେଣି ପ୍ରକୃତରେ କ’ଣ ସେମାନେ ସ୍ୱାଧୀନ?

ପ୍ରକୃତରେ କ’ଣ ଇଷ୍ଟ୍‌ଇଣ୍ଡିଆ କମ୍ପାନୀ ଗାଦି ଛାଡ଼ି ଚାଲିଯାଇଥିଲା ନା ଚାଲିଯାଇଛି ବୋଲି ମିଛ କୁହାଯାଇଥିଲା! ଦେଶର ସାର୍ବଭୌମତା ବୋଲି କିଛି ଅଛି ନା ଅଛି ବୋଲି ଭ୍ରମ ସୃଷ୍ଟି କରାଯାଇଛି? ଦେଶରେ ଶାସନର ମଙ୍ଗ କ’ଣ ଆମ ନିର୍ବାଚିତ ଜନପ୍ରତିନିଧିମାନେ ଧରିଛନ୍ତି ନା ଧରିଲାଭଳି ଜଣାପଡ଼ୁଛନ୍ତି! ଯଦି ରାଜ୍ୟବାସୀଙ୍କ ଏହି ପ୍ରଶ୍ନଗୁଡ଼ିକ ଅପ୍ରାସଙ୍ଗିକ, ତେବେ ମେ ୨୯, ୧୯୯୯ରେ ୫ଜଣ ଦଳିତ ମତ୍ସ୍ୟଜୀବୀଙ୍କୁ ନିଦରୁ ଉଠାଇ ମାରି ଦିଆଗଲା କିପରି? ଡିସେମ୍ବର ୩୦, ୧୯୯୯ରେ ଗଜପତି ଜିଲ୍ଲାର ମାନ୍ଦ୍ରାବାଜୁଠାରେ ୮ଜଣ ନୀରିହ ଆଦିବାସୀଙ୍କୁ ଗୁଳିକରି ମାରିଦିଆଗଲା କେମିତି? ଡିସେମ୍ବର ୧୬,୨୦୦୦ରେ ରାୟଗଡ଼ା ଜିଲ୍ଲାର ମାଇକଞ୍ଚଠାରେ ୩ଜଣ ଆଦିବାସୀଙ୍କୁ ହତ୍ୟା କରାଗଲା କେମିତି? ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ରେ ୨୦୦୧ ମସିହା ଅକ୍ଟୋବର ୩୦ ଓ ନଭେମ୍ବର ୧୧ରେ ୫ଜଣଙ୍କୁ ପୋଲିସ ଗୁଳିକରି ମାରିପାରିଲା କେମିତି? ରାଷ୍ଟ୍ରଦ୍ୱାରା ଏତେସବୁ ଘଟଣା ସଂଘଟିତ ହେବା ପରେ ବି କେମିତି ଏମାନେ ସାହସ କଲେ କଳିଙ୍ଗନଗରରେ ୨ ଜାନୁଆରୀ, ୨୦୦୬ରେ ପୁଣି ଏକ ଜଘନ୍ୟ ଗଣହତ୍ୟା ଘଟାଇବା ପାଇଁ । ୧୨ଟି ଲୋକଙ୍କୁ ମାରିବା ପାଇଁ ଯେଉଁମାନେ ନିର୍ଦ୍ଦେଶ ଦେଲେ (ପରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା) ସେମାନେ ନିଜ ପଦପଦବୀରେ ବେଶ୍ ସୁରକ୍ଷିତ । କିନ୍ତୁ ବଳି ପଡ଼ିଲେ ଜଣେ ସାଧାରଣ ପୋଲିସ କର୍ମଚାରୀ ।

କଳିଙ୍ଗନଗର ଘଟଣା ପରେ ସରକାରଙ୍କର ସବୁ ନୀତିକୁ ସମୀକ୍ଷା କରିବାର ସମୟ ଆସିଛି ।

ସରକାରଙ୍କ ନିଜର ତଥ୍ୟ ଅନୁସାରେ ଖଣିଜ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଯଦିଓ ଘଟିଚାଲିଛି କିନ୍ତୁ, ରାଜ୍ୟର ଅଣରାଜସ୍ୱ ବାବଦ ଆୟ ବୃଦ୍ଧି ଘଟୁନାହିଁ ବା ନିଯୁକ୍ତି ଅଧିକ ସୃଷ୍ଟି ହୋଇପାରୁ ନାହିଁ ବରଂ କମିଚାଲିଛି । ଅନ୍ୟପକ୍ଷରେ ଖଣିଜ ଦ୍ରବ୍ୟ ଉତ୍ପାଦନ ବୃଦ୍ଧି ଯୋଗୁଁ ବିସ୍ଥାପିତ ହେଉଥିବା ବା ହେବାକୁ ଥିବା ଲୋକଙ୍କ ସମସ୍ୟା ବଢ଼ି ବଢ଼ି ଚାଲିଛି । ….. ବର୍ତ୍ତମାନ ଯେଉଁହାରରେ ଖଣିଭିତ୍ତିକ ଶିଳ୍ପପ୍ରତିଷ୍ଠା କରାଯାଉଛି ଏବଂ ଅନ୍ୟାନ୍ୟ ଆଦିବାସୀବିରୋଧି ପଦକ୍ଷେପ ନିଆଯାଉଛି, ରାଜ୍ୟରେ ଏହି ବେସାହାରା ଲୋକମାନଙ୍କ ସଂଖ୍ୟା ୪୦ରୁ ୫୦ଲକ୍ଷ ମଧ୍ୟରେ ପହଞ୍ଚିଯିବ! ଯଦି ରାଜ୍ୟର ସମଗ୍ର ଲୋକସଂଖ୍ୟାକୁ ଦେଖିବା, କେବଳ କେବିକେ ଜିଲ୍ଲାରେ ୮୫ଭାଗ ଲୋକ କୃଷିଉପରେ ନିର୍ଭର କରୁଛନ୍ତି । ରାଜ୍ୟର ୭୧ଭାଗ ଲୋକ ଏବେ ବି କୃଷିଜୀବୀ । ଆଦିବାସୀ ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟ, ଉପକୂଳ ଅଞ୍ଚଳରେ ମାଛଚାଷ ଏବଂ ଭାଗଚାଷ ଲୋକଙ୍କୁ ଜୀବନ ଜୀବିକା ଯୋଗାଇ ଦେଇଆସିଛି । ସତ୍ୟ ଓ ବାସ୍ତବତା ଅନ୍ୟ କିଛି କହୁଥିବାବେଳେ ରାଜ୍ୟରେ ବିଭିନ୍ନ ସମୟରେ ସରକାରମାନେ କେବଳ ‘ବିକାଶ’ ନାଁରେ ଖଣିଜ ଦ୍ରବ୍ୟ ଲୁଣ୍ଠନ ପ୍ରକିୟାକୁ ତ୍ୱରାନ୍ୱିତ କରିଆସିଛନ୍ତି; ଯେଉଁଥିରେ ହାତଗଣତି କିଛି ଲୋକଙ୍କର ସ୍ୱାର୍ଥ ସାଧନ ହୋଇପାରୁଛି । ସାଧାରଣ ଲୋକେ ଏଭଳି ଏକ ଅନ୍ୟାୟକୁ ଗ୍ରହଣ କରିବା ସପକ୍ଷରେ ନାହାନ୍ତି । ଅନ୍ୟାୟ ଆଉ ଗ୍ରହଣ କରିବା ନାହିଁ, ଏଭଳି ଏକ ମାନସିକତା ଆଜି ଜନ୍ମନେଇଛି କଳିଙ୍ଗନଗର ଭଳି ସ୍ଥାନ ମାନଙ୍କରେ ଏବଂ ଯେଉଁଥିପାଇଁ କି ୧୨ଜଣ (୧୪ଜଣ) ଆଦିବାସୀଙ୍କୁ ଜୀବନ ଦେବାକୁ ପଡ଼ିଛି । ‘କିଏ ଏମାନଙ୍କୁ ଉସୁକାଉଛି’ ଏଭଳି ଏକ ଅପ୍ରାସଙ୍ଗିକ ଓ ଅନାବଶ୍ୟକ ପ୍ରଶ୍ନ ନ କରି, ଅନ୍ୟାୟ ବିରୋଧରେ ଏମାନଙ୍କ ଅନ୍ଦୋଳନ ଯଥାର୍ଥ କି ନୁହେଁ – ଏଭଳି ପ୍ରଶ୍ନ କଲେ ଆମେ ଅଧିକ ଫଳପ୍ରଦ ଆଲୋଚନା କରିପାରିବା । ଅବଶ୍ୟ ଠିକ୍ ପ୍ରଶ୍ନକରିବା ବି ଏକ ସହଜ କାମ ନୁହେଁ । ଏଥିପାଇଁ ବି କିଛି ମାନସିକ ପ୍ରସ୍ତୁତି ଦରକାର । ହୁଏତ ଏହି ମାନସିକ ପ୍ରସ୍ତୁତି ବି ଆସିବାର ଅନେକ ବାଟ ଭିତରୁ ଗୋଟିଏ ବାଟ- ଠିକ ସୂଚନା ଓ ଠିକ୍ ତର୍ଜମା ଭିତରେ ପରିଗଣିତ ।

‘ସମଦୃଷ୍ଟି’ ଯାହା ଅନେକ ଦିନରୁ ପରିକଳ୍ପନା କରାଯାଇଥିଲା, ଏ ଦିଗରେ କିଛିଟା ଉଦ୍ୟମ କରିବ ବୋଲି ଆମର ବିଶ୍ୱାସ । ‘ସମଦୃଷ୍ଟି’କୁ ପୁଞ୍ଜି ଦିଅନ୍ତି ବ୍ୟକ୍ତିବିଶେଷଙ୍କ ଶ୍ରମ ଓ ସ୍ୱେଚ୍ଛାକୃତ ସହଯୋଗ । କୌଣସି ସରକାରୀ, ବେସରକାରୀ ବା କର୍ପୋରେଟ୍ ସଂସ୍ଥାଠାରୁ ‘ସମଦୃଷ୍ଟି’ ସହଯୋଗ ନେଇ ନାହିଁ । ରାଜ୍ୟରେ ଏକ ସ୍ୱାଧୀନ ଏବଂ ବିକଳ୍ପ ଗଣମାଧ୍ୟମ ପ୍ରତିଷ୍ଠା ଦିଗରେ ‘ସମଦୃଷ୍ଟି’ ପ୍ରୟାସ କରିବ । ସରକାର, ସମାଜ, ରାଜନୈତିକ ଦଳ ଓ ସବୁ ବର୍ଗଙ୍କୁ ନିଜ ନିଜ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ପାଇଁ ଉଦ୍ୟମ ଜାରି ରଖିବ । ‘ସମଦୃଷ୍ଟି’କୁ ଦୀର୍ଘଜୀବୀ କରାଯାଇ ପାରିବ ଯଦି ଆପଣମାନଙ୍କ ସହୃଦୟତାର ସହଯୋଗ ରହେ । ‘ସମଦୃଷ୍ଟି’କୁ ସମୃଦ୍ଧ କରି ସବୁ ‘ପକ୍ଷ’ରେ ଆପଣମାନଙ୍କ ପାଖରେ ଉପସ୍ଥାପନ କରିବାର ପ୍ରତିଶ୍ରୁତିଟିଏ ଦେଉଛୁ ।

ପ୍ରଥମ ସଂଖ୍ୟାରେ କଳିଙ୍ଗନଗର ଘଟଣାକୁ ସ୍ଥାନ ଦେବାପାଇଁ କିଛି ଲେଖା ପରବର୍ତ୍ତୀ ସଂଖ୍ୟା ପାଇଁ ରଖାଯାଇଛି । କଳାହାଣ୍ଡିର ବିପର୍ଯ୍ୟୟ, ଧାନର ଅଭାବୀ ବିକ୍ରି, ବିପର୍ଯ୍ୟର ଦ୍ୱାରଦେଶରେ ଖୁଚୁରା ଦୋକାନୀ ଏବଂ ଜିଲ୍ଲା ଡ଼ାଏରୀ ଇତ୍ୟାଦି ଅନେକ । ପରବର୍ତ୍ତୀ ସଂଖ୍ୟାଗୁଡ଼ିକ ଅଧିକ ଉପଯୋଗୀ କରିବା ପାଇଁ ପ୍ରୟାସ ଜାରି ରହିବ ।”

ଏହି ଭିତରେ ଆମେ ଆମ ପ୍ରିୟ ପାଠକମାନଙ୍କ ପାଖରେ ୪୦୮ଟି ସଂଖ୍ୟା (କେତୋଟି ମିଳିତ ଭାବେ ପ୍ରକାଶିତ) ଉପସ୍ଥାପନ କରିପାରିଛୁ । ଅନେକ ପ୍ରସଙ୍ଗ ଉତ୍‌ଥାପନ କରିବା ପାଇଁ ପ୍ରୟାସ କରାଯାଇଛି । ସମ୍ବଳ ଅଭାବଯୋଗୁଁ ଅନେକ କାମ ହୋଇପାରୁନାହିଁ । ତେବେ ନିଜର ଜୀବନ ଜୀବିକାର ସୁରକ୍ଷା ପାଇଁ ଲଢ଼େଇ କରୁଥିବା ରାଜ୍ୟର ସଂଘର୍ଷରତ ମଣିଷ ମାନଙ୍କ କଥା ଓ ବାସ୍ତବତା ଉପସ୍ଥାପନ କରିବାର ପ୍ରକ୍ରିୟା ସବୁବେଳେ ଜାରିରହିଛି । ୨୦୦୬ ମସିହାରେ ଓଡ଼ିଶାରେ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ବଞ୍ôଚତ ଶ୍ରେଣୀର ଲୋକମାନଙ୍କ ସମସ୍ୟା ଯାହାଥିଲା ତାହା ଏହି ଭିତରେ ବହୁଗୁଣ ବଢ଼ିଯାଇଛି, ବିକାଶ ନାଁରେ ଅନେକ ମେଳା, ମହୋତ୍ସବ ବା ଖେଳମାନଙ୍କର ମହାକୁମ୍ଭ ଆୟୋଜିତ ହେବା ସତ୍ତ୍ୱେ । ଖଣି ବାବଦରେ ଆୟ ଏତେ ପ୍ରଚଣ୍ଡ ଭାବରେ ବଢ଼ି ଯାଇଛି ଯେ ରାଜ୍ୟ ସରକାରଙ୍କର ରାଜସ୍ୱ ଆୟର ୨୬ ପ୍ରତିଶତ ଖଣିଖାଦାନରୁ ସରକାରୀଭାବେ ଆସୁଛି । ବେଆଇନ୍ ଖଣି କାରବାରର ହିସାବ କାହାପାଖରେ ନାହିଁ । କେତେ ପରିମାଣରେ ଜଙ୍ଗଲ, ଜୀବଜଗତ, ନଦୀନାଳ, ଝରଣା ତଥା ଜନଜୀବନକୁ ଏଥିପାଇଁ କ୍ଷତି ପହଞ୍ଚା ଯାଇଥିବ, ଅନୁମାନ କରାଯାଇପାରେ! ନବୀନ ବାବୁଙ୍କର ଦ୍ୱିତୀୟ ପାଳିଠାରୁ ଏଯାବତ୍ ମୁଖ୍ୟତଃ ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମର ସଦ୍ୟତମ ନମୁନା ‘ଗୁଜୁରାଟ ମଡ଼େଲ’କୁ ଅଘୋଷିତ ଭାବେ ଅନୁକରଣ କରିବା ରାଜ୍ୟର ପ୍ରକୃତି, ପ୍ରାକୃତିକ ପରିବେଶ ଏବଂ ପ୍ରକୃତିକୁ ପାଥେୟ କରି ବଞ୍ଚୁଥିବା ମଣିଷ ମାନଙ୍କ ପାଇଁ ଯଥେଷ୍ଟ ଦୁର୍ବିସହ ହୋଇଯାଉଛି । ସେଇଥିପାଇଁ ଆମର ଗତ ଡ଼ିସେମ୍ବର ୧-୧୫ ସଂଖ୍ୟାରେ କିଛି ଉଦ୍‌ବେଗ ପ୍ରକାଶ କରାଯାଇଥିଲା ବିଶେଷ କରି ଯେତେବେଳେ ଶିଳ୍ପପତିମାନଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱରଠାରେ ଆୟୋଜିତ କରାଯାଇଥିଲା ।

ଆମେ ଲେଖିଥିଲୁ “ଏହିସବୁ ଶିଳ୍ପପତି ସମାବେଶ ବା ମହାସମାବେଶ କରିବା ପାଇଁ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ‘ଭାଇବ୍ରାଣ୍ଟ୍ ଗୁଜୁରାଟ’ ନାମରେ ଯାହା ଆରମ୍ଭ କରିଥିଲେ ସେତେବେଳଠାରୁ ଯେଉଁ ଶିଳ୍ପପତିମାନେ ତାଙ୍କୁ ପ୍ରେରଣା ଦେଇଆସିଛନ୍ତି, ଠିକ୍ ସେହି ଶିଳ୍ପପତିମାନେ ଆଜି ନବୀନ ବାବୁଙ୍କୁ ପ୍ରେରଣା ଦେଉଛନ୍ତି । ୨୦୦୦ ମସିହାରେ ନବୀନବାବୁ ପ୍ରଥମ ଥରପାଇଁ ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ରାଜ୍ୟରେ ଖଣିଜ ଦ୍ରବ୍ୟ ବାବଦରୁ ଯେଉଁ ରାଜସ୍ୱ ଆସୁଥିଲା ବା ଆୟ ହେଉଥିଲା ତାହାର ମୂଲ୍ୟ ଥିଲା ୩୨୦କୋଟି ଟଙ୍କା । ନିଜ ଶାସନର ୧୦ବର୍ଷ ଭିତରେ (୨୦୧୧-୧୨) ସେହି ରାଜସ୍ୱଟି ବହୁଗୁଣ ବଢ଼ିଯାଇ ୪ହଜାର ୫୮୬କୋଟି ଟଙ୍କାରେ ପହଞ୍ôଚଥିଲା । ନବୀନ ବାବୁଙ୍କର ଶାସନକାଳ ୨୨ବର୍ଷ ଭିତରେ ଗୋଟିଏ ଆର୍ôଥକବର୍ଷରେ ସରକାରଙ୍କର ଖଣିଜ ରାଜସ୍ୱ ୪୯ହଜାର ୮୫୯କୋଟି ଟଙ୍କାରେ ପହଞ୍ôଚଛି । କିଛିମାସ ତଳେ ଚର୍ଚ୍ଚା ଚାଲିଥିଲା ଯେ ଖଣିଜ କ୍ଷେତ୍ରର ସଂସ୍କାର (ଖଣି କମ୍ପାନୀମାନଙ୍କ ପାଇଁ ସବୁ କ୍ଷେତ୍ରଗୁଡ଼ିକୁ ଉନ୍ମୁକ୍ତ କରିଦେବା) ହେତୁ ଓଡ଼ିଶାର ରାଜସ୍ୱ ପ୍ରାୟ ୩ଶହ ପ୍ରତିଶତ ବୃଦ୍ଧିପାଇଛି । ସେଥିପାଇଁ ସଂସଦର ଏକ ଅଧିବେଶନରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ସେ କେମିତି ଓଡ଼ିଶାର ଖଣିଗୁଡ଼ିକୁ ଘରୋଇ କମ୍ପାନୀମାନଙ୍କ ଦ୍ୱାରା ସୁନିୟନ୍ତ୍ରିତ ଉତ୍ତୋଳନ ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ସଂସଦରେ ପୂର୍ବରୁ ଏବଂ ସମ୍ପ୍ରତି ପାରିତ ହୋଇଥିବା ସମସ୍ତ ବିବାଦୀୟ ଆଇନ ଓ ନୀତି ପାରିତ ହେଲାବେଳେ ଅନ୍ୟସବୁ ଭାଜପାଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭଳି ନବୀନ ବାବୁଙ୍କ ବିଜୁ ଜନତାଦଳ ସବୁବେଳେ ମୋଦୀଙ୍କ ସହ ନିର୍ଭରଯୋଗ୍ୟ ସାଥି ହିସାବରେ ଛିଡ଼ା ହୋଇ ଆସିଛନ୍ତି ।”

‘ସମଦୃଷ୍ଟି’ର ୧୮ବର୍ଷ

‘ସମଦୃଷ୍ଟି’ର ୧୮ବର୍ଷ ଭିତରେ ବିକାଶ ନାମରେ ବିନାଶ ଲୀଳାଟି ଦ୍ରୁତଗତିରେ ବଢ଼ିଚାଲିଛି । ତାହା ସହିତ ବଢ଼ିଛି ସାମ୍ପ୍ରଦାୟିକ ସଙ୍ଗଠନ ମାନଙ୍କର ଶକ୍ତି । ବିଡ଼ମ୍ବନାର କଥା ଯେ କେବଳ ସମସ୍ୟା ଭୋଗୁଥିବା ସ୍ଥାନୀୟ ଜନଗଣଙ୍କ ବ୍ୟତୀତ ଅନ୍ୟକୌଣସି ସ୍ଥାନରେ ପ୍ରତିବାଦ ବା ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ । ସଙ୍ଗଠିତ ପ୍ରତିବାଦ କମିକମି ଯାଉଛି ଯଦିଓ ପ୍ରତିବାଦ କରୁଥିବା ସାମାଜିକ କର୍ମୀଙ୍କ ସଂଖ୍ୟା କିଛି ପରିମାଣରେ ବଢ଼ିଛି । ପ୍ରଗତିଶୀଳ ରାଜନୈତିକ ଦଳମାନଙ୍କ ଭିତରେ ଶିଥିଳତା ଦେଖାଯାଉଛି । ଯେତିକି ପ୍ରତିବାଦ ସେମାନେ କରିଛନ୍ତି ତାହା ବଢ଼ିଚାଲିଥିବା ଗଣସମସ୍ୟା ଅନୁପାତରେ ଅତି ସାମାନ୍ୟ । ଲୋକମାନଙ୍କ ପାଇଁ କାମ କରୁଛନ୍ତି ବୋଲି ଦାବୀକରୁଥିôବା ରାଜନୈତିକ ଦଳ ବା ସଙ୍ଗଠନମାନଙ୍କ ଭିତରେ ଏକାଠି ହେବାର ଇଚ୍ଛା ବା ଉଦ୍ୟମ ଦେଖାଯାଉ ନାହିଁ ଯାହା ବାତାବରଣଟିକୁ ଅଧିକ ନୈରାଶ୍ୟଜନକ କରିଦେଇଛି । ଏହି ୧୮ବର୍ଷ ଭିତରେ ଲୋକଙ୍କର ଜୀବନ ଜୀବିକାକୁ ଲୁଣ୍ଠନ କରୁଥିବା କମ୍ପାନୀମାନଙ୍କ ଦ୍ୱାରା ରାଜ୍ୟ ଏବଂ ରାଜଧାନୀର ବୌଦ୍ଧିକ ପରିବେଶକୁ ପ୍ରଭାବିତ କରିବା ପାଇଁ ଅନେକ ଉଦ୍ୟମ ମଧ୍ୟ ଜାରିରହିଛି ଯଥା- ‘ସାହିତ୍ୟ ଉତ୍ସବ’, ‘ସଙ୍ଗୀତ ଉତ୍ସବ’, ‘ନାଟକ ଉତ୍ସବ’, ‘କବିତା ଉତ୍ସବ’, ‘ଚଳଚ୍ଚିତ୍ର ଉତ୍ସବ’ ଏବଂ ଏଭଳି ଅନେକ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

କହିବାର ତାତ୍ପର୍ଯ୍ୟ ହେଉଛି ଯେ ଯେଉଁମାନେ ସମାଜକୁ ନେଇ ଚିନ୍ତା କରିବାର ଶକ୍ତିଅଛି ଏବଂ ଯେଉଁମାନେ ସାହିତ୍ୟ, ସଙ୍ଗୀତ, କଳା, ସାମ୍ବାଦିକତା ଇତ୍ୟାଦି ମାଧ୍ୟମର ସୃଜନଶୀଳ ବ୍ୟବହାର କରି ଅନ୍ୟାୟ ଏବଂ ଅନୀତିର ପ୍ରତିବାଦ କରିବା କଥା ସେମାନଙ୍କୁ ନୀରବ କରାଇ ଦିଆଯାଉଛି । ନିରାଶାକୁ କିଭଳି ସର୍ବବ୍ୟାପି କରାଯାଇପାରେ, ତାହା ଓଡ଼ିଶାକୁ ଦେଖିଲେ ବିବେକ ଥିବା ଯେକୌଣସି ମଣିଷ ସହଜରେ ଜାଣିପାରିବ । ତେବେ ଆଶାର ଝଲକ ବି କିଛି କମ୍ ଦେଖିବାକୁ ମିଳୁ ନାହିଁ । ପ୍ରତିଦିନ ଜଣେଜଣେ କରି ଗିରଫ ହେଉଥିବା ଢିଙ୍କିଆ ଚାରିଦେଶର ପ୍ରତିବାଦୀ ମଣିଷମାନଙ୍କ ଠାରୁ ଆରମ୍ଭକରି ମାଳିପର୍ବତର ସଙ୍ଗଠିତ ଓ ସଙ୍କଳ୍ପବଦ୍ଧ ଆଦିବାସୀ ମା ଓ ଭଉଣୀମାନଙ୍କ ଯାଏଁ ସବୁଠି ପ୍ରତିବାଦର ସ୍ୱର ଶୁଣିବାକୁ ମିଳୁଛି । ଗଣମାଧ୍ୟମ ସେହିସବୁ କଥା ଅନ୍ୟସବୁ ଗଣମାନଙ୍କ ପାଖରେ ଠିକ୍ ସମୟରେ ଉପସ୍ଥାପନ କରିବାର ଉଦ୍ୟମଟିଏ କରିଥିଲେ ହୁଏତ ଏ ରାଜ୍ୟରେ ଏକ ବିରାଟ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇପାରିଥାନ୍ତା! କିନ୍ତୁ ତାହା ହୋଇପାରୁନାହିଁ ।

ମନେ ହେଉଛି ସମସ୍ତେ ମିଳିମିଶି ଯେମିତି ଏକ ନୈରାଶ୍ୟର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । ଆମେ ସେମାନଙ୍କୁ ଧନ୍ୟବାଦ ଦେବା ଯେଉଁ ମାନେ ଏଭଳି ଏକ ପ୍ରତିକୂଳ ସମୟରେ ମଧ୍ୟ ପ୍ରତିବାଦର ସ୍ୱରଟିକୁ ବଞ୍ଚାଇରଖି ପରିବର୍ତ୍ତନ ପାଇଁ ଆବଶ୍ୟକ ହେଉଥିବା ‘ଆଶା’ଟିକୁ ବଞ୍ଚାଇ ରଖିଛନ୍ତି । ଯେଉଁମାନେ ଏଭଳି ବିନାଶଲୀଳାର ବିକଳ୍ପ କିଛି ନାହିଁ ଭାବୁଛନ୍ତି, ସେମାନଙ୍କ ପାଇଁ ରାଜ୍ୟସାରା ବିକଳ୍ପର ଅନେକ ଉଦାହରଣ ସକ୍ରିୟଭାବେ ମହଜୁଦ ଅଛି । ‘ସମଦୃଷ୍ଟି’ ନିଜର ପତ୍ରିକା, ପୁସ୍ତକ, ଭିଡ଼ିଓ ପତ୍ରିକା, ଚର୍ଚ୍ଚା, ମୁକ୍ତବିଦ୍ୟାଳୟ ପାଠ୍ୟକ୍ରମ, ଗବେଷଣା ଏବଂ ଅନ୍ୟାନ୍ୟ ପରିସରର ଉପଯୁକ୍ତ ବିନିଯୋଗକରି ସେସବୁକୁ ଆପଣମାନଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ନିଜର ପ୍ରୟାସ ଜାରି ରଖିଛି । ଅର୍ଥ ଅଭାବ ଆମକୁ ନିରାଶ କରିନାହିଁ ବରଂ ସବୁବେଳେ ବିକଳ୍ପ ଖୋଜିବା ପାଇଁ ଏକପ୍ରକାର କଠୋର ପ୍ରେରଣା ଯୋଗାଇ ଆସିଛି । ଗତ ୧୮ବର୍ଷ ଭିତରେ ଯେଉଁମାନେ ଆମକୁ ସହଯୋଗର ହାତବଢ଼ାଇ ଆସିଛନ୍ତି, ଆମେ ସେହିସବୁ ମଣିଷମାନଙ୍କ ପାଖରେ ଚିରକୃତଜ୍ଞ ।

ଆମର କିଛି ଶ୍ରେଷ୍ଠ ଲେଖକମାନଙ୍କ ପାଇଁ ‘ସମଦୃଷ୍ଟି’ ପତ୍ରିକା ପାଠକୀୟ ଆଦର ଅଧିକ ସଂଗ୍ରହ କରିପାରିଛି । ଆମେ ସେମାନଙ୍କ ପାଖରେ କୃତଜ୍ଞ । ଅନେକ ଦୋଷତୃଟି ରହିଲେ ବି ଆମକୁ ଉଦାରତାର ସହ ଗ୍ରହଣ କରିଥିବା ଦୃଷ୍ଟିରୁ ଆମେ ଆମ ପାଠକମାନଙ୍କ ନିକଟରେ ଚିର ଋଣୀ । ଆରମ୍ଭରୁ ଏଯାବତ ଏହି ଯାତ୍ରାରେ ଆମକୁ ସାଥି ଦେଇ ଆସିଛନ୍ତି ‘ଶିକ୍ଷା ପ୍ରକାଶନୀ’ ଯାହା ‘ଶିକ୍ଷା ସନ୍ଧାନ’ ର ଏକ ଅଂଶ ବିଶେଷ । ଆମେ ସେମାନଙ୍କ ପାଖରେ ଅଧିକ କୃତଜ୍ଞ । ନିକଟରେ କେତୋଟି ସୁନ୍ଦର ପୁସ୍ତକ ପ୍ରକାଶନ କରି ‘ତୀରତରଙ୍ଗ’ ପ୍ରକାଶନ ମଧ୍ୟ ଅମକୁ ସହଯୋଗର ହାତ ବଢ଼ାଇଛନ୍ତି । ଆମେ ପ୍ରତିଶୃତି ଦେଉଛୁ ଆମର ଯାହା ଉଦ୍ୟମ ଚାଲିଛି ଆମେ ବାଧାବିଘ୍ନ ସତ୍ତ୍ୱେ ଆପଣଙ୍କ ସହଯୋଗକୁ ପୁଞ୍ଜିକରି ଜାରିରଖିବୁ ।

‘ସମଦୃଷ୍ଟି’ ପରିବାର ତରଫରୁ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.