‘ମଣିଷକୁ ମୁକ୍ତ କରିପାରିଲେ ମୁକ୍ତ ବିଦ୍ୟାଳୟର ଆବଶ୍ୟକତା ନିଶ୍ଚୟ ଅଛି’

Prakruti Pathasala

ପ୍ରଶ୍ନ – ଦିନକୁ ଦିନ ବଢ଼ି ଚାଲିଥିବା ବିଷମତା ଭିତରେ ଆମ ଶିକ୍ଷା ବ୍ୟବସ୍ଥା ବେଶୀ କାହାର କାମରେ ଲାଗୁଛି ବୋଲି ଆପଣ ମନେକରୁଛନ୍ତି?

ଉ – ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ଯେତେ ସମ୍ଭବ ବଡ଼ ବଡ଼ କମ୍ପାନୀମାନଙ୍କ କାମରେ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଯେଉଁ ପ୍ରଫେସନାଲ ଏଜୁକେସନ(ପେଷାଦାର ଶିକ୍ଷା) ଉପରେ ଆମ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ସବୁଠୁ ବେଶି ଗୁରୁତ୍ୱ ଦେବା ଆରମ୍ଭ ହୋଇଛି । ପେଷାଦାର ଶିକ୍ଷା ଦେବାର ଅର୍ଥ କ’ଣ? ଏହି ଶିକ୍ଷା ଦେବାର ଅର୍ଥ ହେଉଛି ଯେ, ଲୋକମାନଙ୍କୁ କେତେଗୁଡ଼ା ନିର୍ଦ୍ଦିଷ୍ଟ ବିଷୟରେ ତାଲିମ ଦେବା । ବିଶେଷତଃ ଶିକ୍ଷା ଅପେକ୍ଷା ତାଲିମ ଉପରେ ଏଠି ଗୁରୁତ୍ୱ ବେଶୀ । ତାଲିମ ଦେବାମାନେ ହେଉଛି ଯେ, ଅନ୍ୟ କାହାପାଇଁ କାମ କରିବା । ଅନ୍ୟ କାହାପାଇଁ ମାନେ ସେମାନେ କାହାପାଇଁ କାମ କରିବେ? ବଡ଼ ବଡ଼ କମ୍ପାନୀମାନଙ୍କ ପାଇଁ କାମକରିବେ । ତେଣୁ ଆମ ଶିକ୍ଷା ବ୍ୟବସ୍ଥା ବେଶୀ ମୁଁ ଯାହା ଭାବୁଛି ଯେ, ବଡ଼ ବଡ଼ କମ୍ପାନୀମାନଙ୍କ ପାଇଁ, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ ହିଁ କାମରେ ଲାଗୁଛି ।

ପ୍ରଶ୍ନ – ଏଭଳି ଏକ ପୃଷ୍ଠଭୂମିରେ ଶିକ୍ଷାର ବ୍ୟବସାୟୀକରଣ ବା ଘରୋଇକରଣ କେଉଁଭଳି ସାମାଜିକ ବ୍ୟବସ୍ଥାକୁ ଜନ୍ମଦେବ?

ଉ – ଏ ଯେଉଁ ଶିକ୍ଷା ହେଉଛି ଏତ ଶିକ୍ଷା କମ୍ ତାଲିମ ବେଶୀ । ତେଣୁ ମୋତେ ଲାଗୁଛି ଯେ, ଏହି ଯେଉଁ ସମାଜ ବ୍ୟବସ୍ଥା ଆସିବ ଏଥିରେ ଗୋଟିଏ ବର୍ଗ ଯିଏ କି ସବୁଠାରୁ ବେଶୀ ଶିକ୍ଷିତ ହୋଇଥିବ ବା ବେଶୀ ଯାହା ପାଖରେ ସାମର୍ଥ୍ୟ ଥିବ । କାରଣ ବର୍ତ୍ତମାନ ଶିକ୍ଷା ଆର୍ଥିକ ସାମର୍ଥ୍ୟ ଉପରେ ନିର୍ଭର କରୁଛି । ତେଣୁ ଯିଏ ବେଶୀ ଶିକ୍ଷା ପାଇଲା ଅଧିକ ଶିକ୍ଷିତ ହେଲା ଧରି ନିଆଯିବ ଯେ ସେଭଳି ଶିକ୍ଷିତ ବ୍ୟକ୍ତି ନିଶ୍ଚିତ ଭାବରେ ଆର୍ଥିକ ଦୃଷ୍ଟିରୁ ଅଧିକ ସମର୍ଥ । ଆର୍ଥିକ ଦୃଷ୍ଟିରୁ ଅଧିକ ସାମର୍ଥ୍ୟ ବ୍ୟକ୍ତି ଅଧିକ ଶିକ୍ଷା ପାଇଲା ତେଣୁ କ୍ଷମତାକୁ ସିଏ ହିଁ ଦଖଲ କରିବ । କ୍ଷମତା ଟା ତା ହାତରେ ରହିବ । କ୍ଷମତା ହାତରେ ରହିଲାମାନେ ଯେଉଁମାନେ ବୁଦ୍ଧିଟା ଦେବେ । ଗୋଟେ ଶାସକ ବର୍ଗ ଓ ଗୋଟେ ଶାସିତବର୍ଗ ତ ସବୁବେଳେ ଅଛନ୍ତି । କିନ୍ତୁ ଏ ଶାସକବର୍ଗ ଏବଂ ଶାସିତବର୍ଗ ଭିତରେ ଏତେ ତଫାତ୍ ରହିବ ଯେ ଆମେ ଏକ ଶୋଷିତ ସମାଜ ବ୍ୟବସ୍ଥାକୁ ହିଁ ଜନ୍ମ ଦେବା ଯେଉଁଠି କି ଏମାନେ ଅଳ୍ପଲୋକ ବେଶୀ ଜିନିଷର ମାଲିକ ହେବେ । ତାଙ୍କ ଅକ୍ତିଆର ଭିତରେ ବେଶୀ କଥା ରହିବ ବା ବ୍ୟବସ୍ଥାର ଗୋଟେ ବିରାଟ ଅଂଶ ସେମାନେ ଉପଭୋଗ କରିବେ ଏବଂ ଏମାନଙ୍କ ପାଖରେ ଯାହା କିଛି ବି ଥିବ ପ୍ରକୃତିଦତ୍ତ ବି ଯାହାକିଛି ଥିବ ତାକୁମଧ୍ୟ ସେମାନେ ନେଇନେବେ । ମୋତେ ଲାଗୁଛି ଶୋଷଣ ବିହୀନ ସମାଜ ତ କେବେ କରିହେବନି ବରଂ ଏହା ବିଷମତାକୁ ଆହୁରି ତୀବ୍ର କରିବ ଏବଂ ଶୋଷଣକୁ ମଧ୍ୟ ଆହୁରି ତୀବ୍ର କରିବ ।

ପ୍ରଶ୍ନ – ଏହିଭଳି ଏକ ସମାଜ ସୃଷ୍ଟି କରିବା ପାଇଁ ଯେଉଁମାନେକି ପ୍ରକୃତ ମଣିଷ ହେବାରୁ ବଞ୍ôଚତ ହେବେ ତା ପଛରେ ଗୋଟେ କିଛି ଆନ୍ତର୍ଜାତିକ ଷଡ଼ଯନ୍ତ୍ର ଅଛି କି?

ଉ – ଆନ୍ତର୍ଜାତିକ ଷଡ଼ଯନ୍ତ୍ର କହିଲେ ଏହା ଯେ, କେଉଁଭଳି ବ୍ୟବସ୍ଥାରେ ଆମେ ଅଛୁ? ଆମେ ତ ସମାଜବାଦରେ ନାହୁଁ । ଯଦି ଅର୍ଥନୈତିକ ବ୍ୟବସ୍ଥା ଦେଖାଯାଏ ଆମେ ଗୋଟେ ପୁଞ୍ଜିବାଦୀ ବ୍ୟବସ୍ଥା ମଧ୍ୟରେ ଅଛୁ । ଆଉ ପୁଞ୍ଜିବାଦୀ ବ୍ୟବସ୍ଥା ଭିତରେ ଶିକ୍ଷାଟାକୁ ଗୋଟାଏ ଉକ୍ଟଜ୍ଞଜ୍ଞକ୍ଟୟସଗ୍ଧଚ୍ଚ ବା ପଣ୍ୟଦ୍ରବ୍ୟ ହିସାବରେ ଦେଖାଯାଇଛି । ଆଉ ମଣିଷଟାକୁ ଗୋଟିଏ ସମ୍ପଦ ହିସାବରେ ଦେଖାଯାଇଛି ବୋଲି କହୁଛୁ । ଆମେ ସବୁବେଳେ କହୁଛୁ କୋଇଲା ଗୋଟେ ଖଣିଜ ସମ୍ପଦ । କୋଇଲା ଯେତିକି ଦରକାର ହେବ ଆମେ ତାକୁ ବ୍ୟବହାର କରିବୁ ଯଦି ଦରକାର ନହେଲା ସେ ପଡ଼ିକି ରହିଲା । ତେଣୁ ତାଲିମ ପ୍ରାପ୍ତ ମଣିଷ ଗୁଡ଼ାଏ ତିଆରି ହେବେ ଏବଂ ସେ ତାଲିମପ୍ରାପ୍ତ ମଣିଷମାନେ ଯେତେବେଳେ ଦରକାର ହେବେ ତାଙ୍କୁ ନିଆଯିବ ନହେଲେ ଦରକାର ନହେଲେ ସେମିତି ପଡ଼ିକି ରହିବେ । କିନ୍ତୁ ଏଇ ଯେଉଁ ବେକାର କରାଇବା ପଛରେ ବି ତାଙ୍କର ହାତ ଅଛି । କାହିଁକି ନା ଯଦି ଯେତେ ଅଧିକରୁ ଅଧିକ ତାଲିମ ପ୍ରାପ୍ତ ଲୋକ ରହିଲେ ଆବଶ୍ୟକତାଠାରୁ ଅଧିକ ରହିଲେ ତା’ହେଲେ ତାଙ୍କୁ ଦରମା କମ୍ ଦେବାକୁ ପଡ଼ିବ । ଗୁଡ଼ାଏ ଲୋକ ରହିଲେ । ଗୁଡ଼ାଏ ଜିନିଷ ଯେତେବେଳେ ବଜାରରେ ମିଳୁଛି ଆଳୁ ଯଦି ବହୁତ ହୋଇଗଲା ଆଳୁର ଦାମ୍ ଖସିଯିବ । ସେମିତି ଯଦି ଗୁଡ଼ାଏ ତାଲିମ ପ୍ରାପ୍ତ ଲୋକ ବଢ଼ିଗଲେ ଏବଂ ଆବଶ୍ୟକତାଠାରୁ ବେଶୀ ହେଲେ ତା’ହେଲେ ତାଙ୍କର ଦରମା ଖସିଯିବ । ସେମାନେ କମ୍ ଦରମାରେ କାମ କରିବେ । କମ୍ ଦରମାରେ କାମ କଲେ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କ ଦ୍ୱାରା ଶୋଷିତ ହେବେ, ବାଧ୍ୟହେବେ ଶୋଷିତ ହେବା ପାଇଁ ଏବଂ ତାଙ୍କର ବେଶୀ ମୁନାଫା ହେବ । ତେଣୁ ବର୍ତ୍ତମାନ ଯେଉଁ ଆନ୍ତର୍ଜାତିକ ଷଡ଼ଯନ୍ତ୍ର କୁହାଯାଉଛି, ଆନ୍ତର୍ଜାତିକ ବ୍ୟବସ୍ଥା ହେଉଛି ଗୋଟିଏ ପୁଞ୍ଜିବାଦୀ ବ୍ୟବସ୍ଥା । ତେଣୁ ପୁଞ୍ଜିବାଦୀ ବ୍ୟବସ୍ଥା ଭିତରେ ସେମାନେ ସବୁ ଜଗତୀକରଣ ପ୍ରକ୍ରୀୟାର ଅନ୍ତର୍ଭୁକ୍ତ । ଜଗତୀକରଣ ବି ପୁଞ୍ଜିବାଦର ଗୋଟିଏ ପରିପ୍ରକାଶ । ସେଇଟାରେ ସେମାନେ ଚାହିଁବେ ଅଧିକରୁ ଅଧିକ ଲୋକ ଥାଆନ୍ତୁ ଏବଂ ତାଲିମ୍‌ପ୍ରାପ୍ତ ହେଇକି ଥାଆନ୍ତୁ । ତାଙ୍କ ମନଭିତରେ ଗୋଟେ ଥାଉ ଯେ, ସେମାନେ ଗୋଟେ ତାଲିମପ୍ରାପ୍ତ ଏବଂ ସେମାନେ ସମସ୍ତଙ୍କ ଭିତରେ ଆଶା ରହୁଛି ଯେ, ସେମାନେ ଅଧିକରୁ ଅଧିକ ପଇସା ରୋଜଗାର କରିବେ ଅଥଚ ତାଙ୍କୁ ଦିଆଯିବ ନାହିଁ । ସେମାନେ ସେମିତି ରହିଥିବେ ବଳକା ହେଇକି । ଯେତେବେଳେ ଦରକାର ପଡ଼ିବେ ତାଙ୍କୁ ନିଆଗଲା । କମ୍ ପଇସା ଦିଆଗଲା । ତେଣୁ ଏଠି ଯେଉଁ ଅର୍ଥନୈତିକ ଧାରା ବର୍ତ୍ତମାନ ସାରା ବିଶ୍ୱରେ ଚାଲିଛି ତାହା ନିଶ୍ଚିତ ଭାବରେ ଏହିଭଳି ଗୋଟିଏ ଶିକ୍ଷାକୁ ଉତ୍ସାହିତ କରୁଛି ।

ପ୍ରଶ୍ନ – ଜଣେ ଶିକ୍ଷକ ହିସାବରେ (ଯଦିଓ ଆପଣ ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷକ) ଏବଂ ସାମ୍ପ୍ରତ୍ତିକ ରାଜନୈତିକ ଅର୍ଥନୈତିକ ଶକ୍ତିମାନଙ୍କୁ ଗଭୀର ଅନୁଧ୍ୟାନ କରୁଥିବା ଜଣେ ବ୍ୟକ୍ତି ହିସାବରେ ଆପଣ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତକୁ କେମିତି ଦେଖୁଛନ୍ତି?

ଉ – ବର୍ତ୍ତମାନ ଯେଉଁଭଳି ଶିକ୍ଷା ବ୍ୟବସ୍ଥାର ଗତିକୁ ମୁଁ ଦେଖୁଛି ମୋତେ ଲାଗୁଛି ଯେ ଯଦି ପ୍ରକୃତରେ ଏଇ ବ୍ୟବସ୍ଥାର ଏହିଭଳି ଗତି କାଏମ୍ ରହେ ତା’ହେଲେ ବୈଷମ୍ୟ ବଢ଼ିବ ଏବଂ ବୈଷମ୍ୟ ବଢ଼ିବାଟା ହେଉଛି ଗୋଟେ ଭାରି ମଙ୍ଗଳସୂଚକ ନୁହେଁ ଏବଂ ଏହା ସାମାଜିକ ପ୍ରକ୍ରିୟାକୁ ବେଶ୍ ଦୂଷିତ କରିବ । ମୋତେ ଲାଗୁଛି ବଞ୍ଚିବାକୁ ନେଇକି ମଧ୍ୟ ବେଶ୍ ଗୋଟେ ସଙ୍କଟ ଆଡ଼କୁ ନେଇଯିବ । ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ଯେଉଁମାନେ ସବୁ ନୀତି ନିର୍ଦ୍ଧାରଣ କରୁଛନ୍ତି ସେମାନେ ଆଉ ଶିକ୍ଷକ ନୁହନ୍ତି । ଆମେ ଯଦି ଦେଖିବା ସ୍ୱାଧୀନୋତ୍ତର ଭାରତବର୍ଷରେ ଆଗେ ଯେଉଁମାନେ ଶିକ୍ଷା ନୀତି ନିର୍ଦ୍ଧାରଣ କରୁଥିଲେ ସେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ । ଗୋଟେ କମିସନ୍ ଥିଲା । ୟୁନିଭରସିଟି ଗ୍ରାଣ୍ଟସ୍ କମିସନ୍ ତାର ସିଏ ଅଧ୍ୟକ୍ଷତା କରୁଥିଲେ । ତା’ପରେ ରାମସ୍ୱାମୀ ଆୟାର ଆସିଲେ ତା’ପରେ ଆସିଲେ କୋଠାରୀ । ଏମିତିକି ୬୬ ମସିହାରେ ଯେଉଁ ଶିକ୍ଷା ନୀତି ହେଲା କୋଠାରୀ କମିସନ କରିଥିଲେ । କୋଠାରୀ ଜଣେ ଶିକ୍ଷାବିତ୍ତ ଥିଲେ । କିନ୍ତୁ ୮୬ ମସିହାରେ ଯେଉଁ ଶିକ୍ଷାନୀତି ହେଲା ସେହି ଶିକ୍ଷାନୀତିକୁ ପ୍ରଣୟନ କଲେ ଯେଉଁମାନେ ସେମାନେ ହେଲେ ଅମଲା । ତା’ପରେ ଆମେ ଦେଖୁଛୁ ୨୦୦୦ ମସିହା ବେଳକୁ କୁମାର ମଙ୍ଗଳମ୍ ବିର୍ଲା ଆଉ ମୁକେଶ ଅମ୍ବାନୀ ଏମାନେ ଶିକ୍ଷା ନୀତି ପ୍ରଣୟନ କରୁଛନ୍ତି- ମାନେ କମ୍ପାନୀ ମାଲିକମାନେ । ଏବେ ଯେଉଁ ଜ୍ଞାନ ଆୟୋଗ ଟିଏ ହୋଇଛି, ଭାରତବର୍ଷରେ ଉଚ୍ଚଶିକ୍ଷା କିଭଳି ହେବ ତା ଉପରେ ସେ ଗୋଟିଏ ରିପୋର୍ଟ ଦେଇଛି ଏବଂ ଆମେ ସବୁ ଦେଖୁଛୁ ଯେ କ୍ରମଶଃ ଶିକ୍ଷା ବ୍ୟବସ୍ଥା କିପରି ହେବ ସେ ଆଉ ଶିକ୍ଷକମାନଙ୍କର ଚିନ୍ତା ଉପରେ ନିର୍ଭର କରୁନି ବା ଶିକ୍ଷାବିତ୍ତ ମାନଙ୍କର ଚିନ୍ତା ଓ ଭାବନାକୁ ସେ ବିଷୟରେ ଗୁରୁତ୍ୱ ଦିଆଯାଉନି । ଯାହା ବ୍ୟବସାୟକୁ ପ୍ରୋତ୍ସାହିତ କରେ ଏବଂ ଯେଉଁ ଶିକ୍ଷା ବ୍ୟବସାୟ ପାଇଁ ସାହାଯ୍ୟକାରୀ ହେବ ସେହିଭଳି ଶିକ୍ଷା ପାଇଁ ପରାମର୍ଶ ଦିଆଯାଉଛି । ମୋତେ ଲାଗୁଛି ଯେ, ବର୍ତ୍ତମାନ ଶିକ୍ଷାଟା ଗୋଟେ ପଣ୍ୟଦ୍ରବ୍ୟ ହିସାବରେ ବଜାରରେ ବିକ୍ରି ହେବ ଏବଂ ସେଭଳି ଶିକ୍ଷା ପାଇଁ ଯେଉଁମାନଙ୍କର ଯୋଗ୍ୟତା ଥିବ ବା ଆର୍ଥିକ ସାମର୍ଥ୍ୟ ଥିବ ସେହିମାନେ ସେଭଳି ଶିକ୍ଷାକୁ କିଣିବେ । ଯିଏ କିଣିପାରିବେ ସିଏ ପଢ଼ିବେ । ତେଣୁ ଶିକ୍ଷାଟା ବର୍ତ୍ତମାନ ବିକ୍ରିହେବ ଏବଂ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତ ହେଉଛି ଶିକ୍ଷା ପଣ୍ଣ୍ୟ ହେବ । ଅଧିକରୁ ଅଧିକ ପଣ୍ଣ୍ୟ ହେବ । ଯେଉଁମାନେ ଶିକ୍ଷାକୁ କିଣିପାରିବେ ସେହିମାନେ ହିଁ ଶିକ୍ଷା ପାଇବେ ଏବଂ ଆଉ ସମସ୍ତେ ଅଶିକ୍ଷା ଭିତରେ ରହିବେ । କିନ୍ତୁ ଯେଉଁଟାକୁ ଆମେ କହୁଛେ କିଣିହେବ ସେଇଟା ବି ପ୍ରକୃତରେ ଶିକ୍ଷା ନୁହେଁ । ଶିକ୍ଷା କହିଲେ ଯେଉଁଟା ମଣିଷର ବିକାଶକୁ ବୁଝାଏ ସେ ଶିକ୍ଷା ସେ କଦାପି ଦେବେନି । ମଣିଷର ବିକାଶ ପାଇଁ ଯେଉଁ ଶିକ୍ଷା ଦରକାର ସେ ଶିକ୍ଷା ପାଇଁ ଆଉ ଅର୍ଥ ବ୍ୟବସ୍ଥା କିଛି ହେବନି । ସେ ଶିକ୍ଷାକୁ ଆଉ ପ୍ରୋତ୍ସାହନ ମିଳିବ ନାହିଁ ।

ପ୍ରକୃତରେ ଯେଉଁମାନେ ଶିକ୍ଷାରୁ ବଞ୍ଚିତ ହେବେ ସେଇମାନେ ଅଶିକ୍ଷିତ ହେବେ କେବଳ ସେଇଆ ନୁହେଁ ବରଂ ଯେଉଁମାନେ ଶିକ୍ଷାକୁ କିଣିକି ପୁଣି ତାକୁ ପ୍ରୟୋଗ କରି ରୋଜଗାର କରିବେ ଅଧିକରୁ ଅଧିକ ସେମାନେ ମଧ୍ୟ ଅଶିକ୍ଷାରେ ରହିବେ । କାହିଁକି ନା ମଣିଷର ସାଂସ୍କୃତିକ ବିକାଶ, ନିଜସ୍ୱ ବିକାଶ ବା ଯେଉଁ ସ୍ପିରିଚୁଆଲ ଗ୍ରୋଥ୍ ଗୋଟେ ହେବା କଥା ବା ତାର ଯେଉଁ ଗୋଟେ ସମାଜ ପ୍ରତି ଦୃଷ୍ଟିଭଙ୍ଗୀ ହେବା କଥା ସେଗୁଡ଼ା ତା ଭିତରେ ଦେଖାଯିବନି । ପଇସା ବହୁତ ରୋଜଗାର କରିପାରେ କିନ୍ତୁ ସେ ନିଜେବି ଗୋଟିଏ ପ୍ରକାରର ମେସିନ୍ ଭଳିଆ ହୋଇଯିବ ଏବଂ ସେ ଗୋଟିଏ ଆବର୍ଜନା ସୃଷ୍ଟି କରିବ । ସେଗୁଡ଼ିକ ସାଂସ୍କୃତିକ ଆବର୍ଜନା ବୋଲି ଆମେ କହିପାରିବା । ଯେଉଁଟା ହେଉଛି ବର୍ତ୍ତମାନ ତଥାକଥିତ ଆଇଟି ସେକ୍ଟରରେ ।

ପ୍ରଶ୍ନ – ଶିକ୍ଷାପାଇଁ ସରକାର ବିଭିନ୍ନ ଆନ୍ତର୍ଯ୍ୟାତିୟ ସଂସ୍ଥାମାନଙ୍କଠାରୁ ଆଣୁଥିବା ଋଣ ବା ଅନୁଦାନ ସମ୍ପର୍କରେ ଆପଣଙ୍କର ମନ୍ତବ୍ୟ କ’ଣ?

ଉ – ଶିକ୍ଷା ହେଉଛି ଗୋଟିଏ ସେବା, ଏବଂ ସେବାରେ ବ୍ୟବସାୟ ବର୍ତ୍ତମାନ ଆନ୍ତର୍ଜାତିକ ସଂସ୍ଥା, ବିଶ୍ୱବାଣିଜ୍ୟ ସଙ୍ଗଠନର ଗୋଟିଏ ବିଷୟ । ଜେନେରାଲ ଆଗ୍ରିମେଣ୍ଟ ଅନ୍ ଟ୍ରେଡ଼୍ ଏଣ୍ଡ ସର୍ଭିସେସ୍ ଭିତରେ ସେ ଆସିଯାଉଛି । ତେଣୁ ବାହାରୁ ଯେଉଁ ପଇସା ଆଣୁଛୁ ଅନେକ ସମୟରେ ଆମର ଲୋକ କହନ୍ତି ଯେ, ଡ଼ି.ଏଫ୍‌.ଆଇ.ଡ଼ି, ୱାର୍ରଲ୍ଡ ବ୍ୟାଙ୍କ ଏମାନେ ସବୁ ପଇସା ଦେଉଛନ୍ତି । ଡ଼ିପିଇପି ପାଇଁ ଏମାନେ ସବୁ ପଇସା ଦେଉଛନ୍ତି । ସେ ପଇସା ଆଣିବା ଆଦୌ ଉଚିତ ହେଉନି । କାରଣ ଆମେ ପଇସା ନଆଣିକି ଶିକ୍ଷା ଚାଲିଥିଲା । ୯୦ଦଶକ ପର୍ଯ୍ୟନ୍ତ ପଇସା ନଆଣିକି ଶିକ୍ଷା ଚାଲିଥିଲା । ପ୍ରାଥମିକ ଶିକ୍ଷାଠାରୁ ଯେକୌଣସି ଶିକ୍ଷା ପାଇଁ ଆମେ କୌଣସି ବାହାରୁ ପଇସା ଆଣୁ ନଥିଲୁ । ହଠାତ୍ ଏବେ ପଇସା ଆଣିବା କଣ ଆବଶ୍ୟକତା ଅଛି ଏବଂ ସେ ପଇସା ଆଣିକି ଆମେ କରିଛୁ କ’ଣ ? ଅଧିକରୁ ଅଧିକ ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ କି? ଯଦିବି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଛୁ , କେଉଁଭଳି ଅବସ୍ଥାରେ ଆମେ ପହଞ୍ôଚଛୁ? ଶିକ୍ଷା ବ୍ୟବସ୍ଥାର ପ୍ରକୃତ ସ୍ୱରୂପ ଯଦି ଆମେ ଦେଖିବା ଏଇ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ଠାରୁ ଆଣିବାର ଗୋଟେ ପରିଣାମ ସ୍ୱରୂପ ଯେ ଶିକ୍ଷକ ବିହିନ ଶିକ୍ଷା ବର୍ତ୍ତମାନ ଆରମ୍ଭ ହେଇଛି । ଏଇ ଯେଉଁ ଶିକ୍ଷା ସହାୟକ ବା ଠିକାଶିକ୍ଷକତା, ଶିକ୍ଷାଶ୍ରମିକ ଭଳି ଆରମ୍ଭ ହୋଇଛି ଏଇଟା ମୋତେ ଲାଗୁଛି ଆନ୍ତର୍ଜାତିକ ସଂସ୍ଥାମାନଙ୍କ ଠାରୁ ଅର୍ଥ ଆଣିବା ପରେ ଏଇ ବ୍ୟବସ୍ଥାଟା ଆରମ୍ଭ ହୋଇଛି । ଶିକ୍ଷକ ବିହିନ ଶିକ୍ଷା ଏହାର ହେଉଛି ପରିଣତି । ଶିକ୍ଷକ ବିହିନ କହିବାର ଅର୍ଥ ହେଉଛି ଯେଉଁଠି ଆଗରୁ ଜଣେ ଶିକ୍ଷକ ତାର ଶିକ୍ଷକତା ଆରମ୍ଭ କଲା ଏବଂ ଶିକ୍ଷକତା ଠିକ୍ ଭାବରେ ଚାକିରୀରେ ରହିକି ସେ ତାର ଶିକ୍ଷା ସମ୍ପାଦନ କରୁଥିଲା ବର୍ତ୍ତମାନ ସେଭଳି ନାହିଁ । ବର୍ତ୍ତମାନ ସବୁ ଠିକାରେ ଚାଲିଛି । ତେଣୁ ଆନ୍ତର୍ଜାତିକ ସଂସ୍ଥାମାନଙ୍କଠାରୁ ଅର୍ଥ ଆଣିବାର ସବୁଠୁ ବଡ଼ ପରିଣତି ହେଉଛି ଯେ ଠିକାରେ ଶିକ୍ଷା ଚାଲିଛି । ଶିକ୍ଷାର ଠିକାକରଣ କୁହାଯାଇପାରେ ।

ପ୍ରଶ୍ନ- କ’ଣ କରାଗଲେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାର କିଛି ପରିବର୍ତ୍ତନ ଅଣାଯାଇ ପାରିବ ବା ଶିକ୍ଷାବ୍ୟବସ୍ଥାର କେଉଁଭଳି ପରିବର୍ତ୍ତନ ଦରକାର?

ଉ- ଶିକ୍ଷାରେ ସବୁବେଳେ କୁହାଯାଉଛି ଯେ ପରିବର୍ତ୍ତନର ଆବଶ୍ୟକତା ଅଛି । ବର୍ତ୍ତମାନ ନୁହେଁ, ଯେତେବେଳେ ଭାରତ ପରାଧିନ ଥିଲା ସେତେବେଳେ ଗାନ୍ଧୀ ବେସିକ୍ ଶିକ୍ଷା କଥା ଉଠାଇଥିଲେ । ସେ ଦେଖିଲେ ଯେ ଯେଉଁ ଶିକ୍ଷା ଆମ ପିଲାମାନେ ପାଉଛନ୍ତି ସେ ଶିକ୍ଷା ପ୍ରକୃତରେ ଭାରତୀୟ ସମାଜର ବିକାଶ ପାଇଁ ଯଥେଷ୍ଟ ନୁହେଁ ଏବଂ ସେ ଶିକ୍ଷା ସେଭଳି ବିକାଶ ଆଣିବ ନାହିଁ । ବିକାଶ କହିଲେ ସେ କ’ଣ ବୁଝୁଥିଲେ? ବିକାଶ କହିଲେ ସବୁ ବ୍ୟକ୍ତିଙ୍କର ବିକାଶ । ଏହି ଇଂରାଜୀ ଶିକ୍ଷାରେ କିଛି ଲୋକ ଶିକ୍ଷିତ ହେଉଥିଲେ ଏବଂ ସେମାନେ ଶାସକବର୍ଗର ସେବାରେ ନିୟୋଜିତ ହେଉଥିଲେ । ଇଂରେଜମାନେ ଥିଲେ ଭାରତୀୟ ସମାଜର ଶୋଷକ । ତେଣୁ ଗାନ୍ଧିଜୀଙ୍କ ଅନୁସାରେ ଯେଉଁ ଶିକ୍ଷା ଶୋଷକକୁ ଶକ୍ତିଶାଳୀ କରୁଛି ବା ବଳ ଯୋଗାଉଛି, ଯେଉଁ ବୃତ୍ତି ସବୁ ତିଆରି ହେଉଛି ଶିକ୍ଷା ମାଧ୍ୟମରେ ସେ ବୃତ୍ତି ଶୋଷକର ସ୍ୱାର୍ଥ ପାଇଁ ଲାଗୁଛି ସେ ଶିକ୍ଷା ଭାରତ ପାଇଁ ଉଚିତ ଶିକ୍ଷା ନୁହେଁ । ଏଇଟା ପାଇଁ ସେତେବେଳେ ସେମାନେ ଚାହୁଁଥିଲେ ଯେ, ଶିକ୍ଷାରେ ପରିବର୍ତ୍ତନ ଆସୁ । ତା’ମାନେ ଏକ ଲୋକାଭିମୁଖି ଶିକ୍ଷାର ପ୍ରଚଳନ ସେମାନେ ଚାହୁଁଥିଲେ । ବର୍ତ୍ତମାନ ଦେଖିବା ଦରକାର ଯେ, ବର୍ତ୍ତମାନର ଶିକ୍ଷା ଲୋକାଭିମୁଖି ଅଟେ କି? ଯଦି ଲୋକାଭିମୁଖି ନୁହେଁ ତା’ହେଲେ ନିଶ୍ଚିତ ଭାବରେ ପରିବର୍ତ୍ତନର ଆବଶ୍ୟକତା ଅଛି । ଯେଉଁ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ବିକଳ୍ପ ଶିକ୍ଷାର ଆବଶ୍ୟକତା ଅଛି କି ନାହିଁ ସେ ନିର୍ଭର କରୁଛି ଏହି ଅନୁଶୀଳନ ଉପରେ ଯେ, ଯେଉଁ ଶିକ୍ଷା ବର୍ତ୍ତମାନ ଚାଲିଛି ତାହା କାହାର ସ୍ୱାର୍ଥରେ ଚାଲିଛି । ଯଦି ସେ ସମୁଦାୟ ଲୋକଙ୍କ ସ୍ୱାର୍ଥରେ ଚାଲିଥାଏ ତା’ହେଲେ ଠିକ୍ ଅଛି ଯଦି ସମୁଦାୟ ଲୋକଙ୍କ ସ୍ୱାର୍ଥରେ ନାହିଁ କିନ୍ତୁ କିଛି ଲୋକଙ୍କ ସ୍ୱାର୍ଥରେ ଯାଇଛି ଏବଂ ଯେଉଁ ଲୋକମାନେ ସମୁଦାୟ ଲୋକଙ୍କୁ ଶୋଷଣ କରୁଛନ୍ତି ସେମାନଙ୍କ ସ୍ୱାର୍ଥରେ ଲାଗିଛି ତା’ହେଲେ ସେ ଶିକ୍ଷାର ଆବଶ୍ୟକତା କିଛି ନାହିଁ । ବର୍ତ୍ତମାନ ଯେଉଁ ଶିକ୍ଷା ଚାଲିଛି ବିଶେଷ ଭାବରେ ବ୍ୟବହାର ହେଉଛି ପୁଞ୍ଜିପତିମାନେ ତାକୁ ନେଇକି ଯେଉଁଠି ସାଧାରଣ ଲୋକଙ୍କର ଜୀବନ ଜୀବିକାକୁ ବ୍ୟାହତ କରୁଛନ୍ତି । ସେ ଶିକ୍ଷାକୁ ଆମେ ବନ୍ଦ କରିବା ଦରକାର ସେଭଳି ଶିକ୍ଷାର ଆବଶ୍ୟକତା ନାହିଁ ବୋଲି ଆମେ ଗ୍ରହଣ କରିବା ଉଚିତ । କେତେଗୁଡ଼ା ତାଲିମ ଅଛି ଯେଉଁ ତାଲିମ ଲାଭ କଲେ ସାଧାରଣ ଲୋକଙ୍କର ବି ଲାଭ ହେବ । ଯେହେତୁ ସେଇଟାକୁ ପୁଞ୍ଜିପତି ତା’ ହାତରେ ରଖୁଛି ବା ଯେଉଁମାନେ ବଡ଼ ବଡ଼ ଲୋକ ହାତରେ ରଖିଛନ୍ତି ସେଇଥି ପାଇଁ ସେହି ଶିକ୍ଷାଟାର ସୁବିଧା ସାଧାରଣ ଲୋକଙ୍କ ପାଖକୁ ଯାଉନାହିଁ । ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ ସମସ୍ତେ ଜାଣିବା ଦରକାର । କିନ୍ତୁ ପ୍ରଯୁକ୍ତି ବିଦ୍ୟା ଯାହାର ହାତରେ ରହୁଛି ତାକୁ ନିୟନ୍ତ୍ରଣ କରୁଥିବା ଲୋକ ହିଁ ସବୁ ଏପଟ ସେପଟ କରିଦେଉଛି । ବିକଳ୍ପ ଶିକ୍ଷା ସେଇଥିପାଇଁ ଆବଶ୍ୟକ । ତେଣୁ ବିକଳ୍ପ ଶିକ୍ଷାର ଏଠି ମାନେ ହେଲା ଶିକ୍ଷାଟା କାହା ନିୟନ୍ତ୍ରଣରେ ରହିବ । ଟେକ୍ନୋଲୋଜିର ଆବଶ୍ୟକତା ଅଛି କିନ୍ତୁ ଟେକ୍ନୋଲୋଜି (ପ୍ରଯୁକ୍ତି ବିଦ୍ୟା)ଯଦି ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ନହୋଇ କିଛି ଲୋକଙ୍କ ହାତରେ ରହିଲା ଏବଂ ଅନ୍ୟଲୋକମାନଙ୍କୁ ଶୋଷଣ କରିବାରେ ବ୍ୟବହାର ହେଲା ତା’ହେଲେ ସେ ଶିକ୍ଷାକୁ ଆମେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।

ବର୍ତ୍ତମାନ ଦେଖାଯାଉଛି ଯେ, ଶିକ୍ଷାଟା କ୍ରମଶଃ ସରକାରୀ ସ୍ତରରୁ ଯାଇ ସମ୍ପୁର୍ଣ୍ଣ ଘରୋଇ ସ୍ତରରେ ପହଞ୍ôଚଲାଣି । ତେବେ ଶିକ୍ଷା କେବଳ ବର୍ତ୍ତମାନ ମୁଷ୍ଟିମେୟ ଲୋକଙ୍କ ହାତରେ ରହିବ । କେବଳ ସେହି ଶିକ୍ଷା ସେଠି ଦିଆଯିବ ଯେଉଁ ଶିକ୍ଷା ଫଳରେ କିଛି ଲୋକଙ୍କର ମୁନାଫା ବଢ଼ିବ । ନିକଟରେ ଯେତେବେଳେ କୁଳପତିମାନଙ୍କର ସମ୍ମିଳନୀ ଚାଲିଥିଲା ରାଜ୍ୟପାଳ ସମ୍ମିଳନୀରେ କହିଛନ୍ତି ଯେ, ବିଜ୍ଞାନ ଛଡ଼ା ଯେଉଁ ବିଷୟସବୁ ଅଛି ସମାଜବିଜ୍ଞାନ, କଳା ଏ ବିଷୟ ପ୍ରତି ମଧ୍ୟ ଲୋକଙ୍କର କେମିତି ଆଗ୍ରହ ବଢ଼ିବ ସେଥିପାଇଁ ଶିକ୍ଷାରେ ବ୍ୟବସ୍ଥା ହେବା ଦରକାର । ସମସ୍ତେ ବର୍ତ୍ତମାନ ଗୋଟିଏ ପ୍ରକାର ଶିକ୍ଷା ପାଉଛନ୍ତି (ଆଇ.ଟି) । ଏଇଟା ଗୋଟେ ପ୍ରକାର ୟୁକାଲିପଟାସ ବା ନିଳଗିରି ଗଛ ଲଗାଇବା ଭଳିଆ । ବନିକରଣରେ ୟୁକାଲିପଟାସ ଗଛ ଲଗାଇବା ଯାହା ଶିକ୍ଷାରେ ଆଇ.ଟି ପଢ଼ିବା ସେଇଆ । ମନୋକଲଚର ବା ଏକକ ଚାଷ ହୋଇଯାଉଛି । ଆଇ.ଟି. କ୍ଷେତ୍ରରେ କିଛି ଚାକିରି ମିଳୁଛି କିନ୍ତୁ ଚାକିରି ଅପେକ୍ଷା ସେମାନେ ଚାକିରି ଦେବାକୁ ବାଧ୍ୟ ହେଉଛନ୍ତି କାରଣ ସେ ଯେଉଁ ବିଦ୍ୟାଟି ସେମାନେ ନେଇଛନ୍ତି ସେଥିରେ ଲୋକ ବହୁତ ଦରକାର । ସେଥିପାଇଁ ସେମାନେ ଚାକିରି ଦେବାକୁ ବାଧ୍ୟ ହେଉଛନ୍ତି ନହେଲେ ସେମିତି ତାଙ୍କର ଚାକିରି ଦେବାର କୌଣସି ଉଦ୍ଦେଶ୍ୟ ନାହିଁ । ଏଭଳି ମନୋକଲଚରରେ ଶିକ୍ଷା ଗୋଟିଏ ହତିଆର ଭାବରେ କାହା ହାତରେ ରହୁଛି । ଶିକ୍ଷା ଯଦି ଆମେ ଲୋକଙ୍କୁ ଜାଗ୍ରତ କରିବା କିମ୍ବା ସଚେତନ କରିବା ଏଭଳି ଦୃଷ୍ଟିକୋଣରେ ନେଉ ସେଠାରେ ଶିକ୍ଷା କାହା ହାତରେ ରହୁଛି ସେଇଟା ହେବ ମୂଳକଥା । ପ୍ରକୃତିବିଜ୍ଞାନ ପଢ଼ାହେବା କିମ୍ବା କଳାବିଷୟ ପଢ଼ାହେବା ସମାଜବିଜ୍ଞାନ ପଢ଼ାହେବା ଉପରେ ଗୁରୁତ୍ୱ ବର୍ତ୍ତମାନ କମି କମି ଯାଉଛି । ପିଲା ହେଉନାହାନ୍ତି ଏବଂ ଯଦି ପ୍ରକୃତରେ ପିଲା ଏଇ ବିଷୟ ମାନଙ୍କରେ ନପଢ଼ିବେ ତା’ହେଲେ ଅନେକ ସଚେତନତାର ହାର କମିଯିବ । ଆଇ.ଟି. ପଢ଼ିଲେ ଲୋକ ସଚେତନ ହୁଅନ୍ତି ନାହିଁ । ସାମାଜିକ ଜ୍ଞାନ ସେଥିରେ ଆସିବ ନାହିଁ । ସେଥିପାଇଁ ସମାଜ ବିଜ୍ଞାନ ପଢ଼ିବାକୁ ପଡ଼ିବ । ସମାଜ ବିଜ୍ଞାନର ଆବଶ୍ୟକତା ବହୁତ ରହିଛି । ସାମାଜିକ ସଚେତନତା ପାଇଁ ଶିକ୍ଷା କାରଣ ‘ସା ବିଦ୍ୟା ଯା ବିମୁକ୍ତଏ’ ଯାହାର ଅର୍ଥ ହେଉଛି ବିଦ୍ୟା ଯିଏକି ମୁକ୍ତିର ସନ୍ଧାନ ଦେଇଥାଏ, ତା ହେଲେ ସେଭଳି ଶିକ୍ଷା କାହିଁ? ତେଣୁ ଏଠାରେ ବିକଳ୍ପ ଶିକ୍ଷାର ଆବଶ୍ୟକତା ଅଛି ।

ଲୋକମାନଙ୍କର ସଚେତନତା ବଢ଼େଇ ପାରିବା, ନିଜର ପରିବେଶ ପ୍ରତି ତା’ର ସଚେତନତା ବଢ଼େଇ ପାରିବା, ତା’ର ସମାଜ ପ୍ରତି ସଚେତନତା ବଢ଼େଇ ପାରିବା । କ୍ଷମତାରେ ଯେଉଁମାନେ ରହୁଛନ୍ତି ତାଙ୍କ ଚରିତ୍ର ବିଷୟରେ ଜାଣିବା ପାଇଁ ଯେଉଁ କୌଶଳ ବା ବୁଦ୍ଧି ସଞ୍ଚାର କରିପାରିବା ତାହା ହେଲେ ଆମେ ତାକୁ କହିବା ଯେ, ସେହିଟା ହେଉଛି ପ୍ରକୃତ ଶିକ୍ଷା । ଯେତେବେଳ ପର୍ଯ୍ୟନ୍ତ ଜଣେ ମଣିଷ ମୁକ୍ତ ନହୋଇଛି ଏହିସବୁ ପ୍ରକାର ବନ୍ଧନରୁ ସେତେବେଳେ ପର୍ଯ୍ୟନ୍ତ ସେ ଶିକ୍ଷା ପାଇଛି ବୋଲି ଆମେ କହିପାରିବା ନାହିଁ ।

ପ୍ରଶ୍ନ – ଏଭଳି ପରିସ୍ଥିତିରେ ମୁକ୍ତ ବିଦ୍ୟାଳୟର ଆବଶ୍ୟକତା ଅଛି ବୋଲି ଆପଣ ଭାବୁଛନ୍ତି କି?

ଉତ୍ତର – ମୁକ୍ତ ବିଦ୍ୟାଳୟ ଯଦି ମଣିଷକୁ ମୁକ୍ତ କରିପାରିଲା, ସେହି ଅର୍ଥରେ ଯଦି ମୁକ୍ତ ତା’ହେଲେ ମୁକ୍ତ ବିଦ୍ୟାଳୟର ଆବଶ୍ୟକତା ନିଶ୍ଚୟ ଅଛି । ମୁକ୍ତବିଦ୍ୟାଳୟ ଯଦି କେବଳ ଇନ୍ଦିରାଗାନ୍ଧୀ ମୁକ୍ତ ବିଦ୍ୟାଳୟ ଭଳି ହେଲା ଅର୍ଥାତ ଯେଉଁଠି ସମସ୍ତେ ପଢ଼ିବେ ସମସ୍ତଙ୍କ ପାଇଁ ଏ ବିଦ୍ୟାଳୟ ମୁକ୍ତ ସେହି ଅର୍ଥରେ ତେବେ ଏଭଳି ଉଦ୍ଦେଶ୍ୟ ନେଇ ଅନେକ ମୁକ୍ତ ବିଦ୍ୟାଳୟ ଅଛି । କିନ୍ତୁ ମୋ କହିବା ଅନୁସାରେ ସେ ବିଦ୍ୟାଳୟରେ ପିଲା ଯେଉଁ ଶିକ୍ଷା ପାଇବେ ସେ ଶିକ୍ଷା ପ୍ରକୃତରେ ମଣିଷକୁ ମୁକ୍ତ କରିପାରିବ କି? ତା’ହେଲେ ଯାଇ ମୁକ୍ତି ବା ଗ୍ଦରଦ୍ଭଗ୍ଦର କ୍ଟଲ କ୍ଷସଭରକ୍ସବଗ୍ଧସକ୍ଟଦ୍ଭ ସେ ଅନୁଭବ କରିବ ସେଇଟା ହେବ ପ୍ରକୃତ ମୁକ୍ତି । ଯଦି ମୁକ୍ତ ବିଦ୍ୟାଳୟ ମଣିଷକୁ ଅନ୍ଧକାର ବା ଅଜ୍ଞାନତାରୁ ମୁକ୍ତ କରିବ ତା’ହେଲେ ମୁକ୍ତ ବିଦ୍ୟାଳୟର ଆବଶ୍ୟକତା ଅଛି ।

Comments

0 comments

Share This Article