ବିଭୂତି ପତି
ସୁନ୍ଦରବନରେ ଲ୍ୟାଣ୍ଡ୍ଫଲ୍ କରି ବାତ୍ୟା ଅମ୍ପନ ରଚାଇଥିଲା ଆତଙ୍କ। ସତ୍ଜେଲିଆ, ଲୋଫିଆନ୍,କାକ୍ ଦ୍ୱୀପ, ସାଗର, ନାମ୍ଖାନ୍, କୁଲଟାଲି, ପାଥୋର ପ୍ରତିମା, ମୌସୁମୀ, ଘୋରମରା, ଫ୍ରାସେରଗଞ୍ଜ, ବଖାଲି, ଜି-ପ୍ଲଟ୍, ରାଇଡ଼ିଘି ଏବଂ ଦୟାପୁର ଦ୍ୱୀପ ସମୁହ ଅମ୍ପନର ଆକ୍ରମଣରେ ଆହତ ହୋଇ କ୍ଷତବିକ୍ଷତ ଜୀବନ ଓ ହାହୁତାସ ଜୀବୀକାରେ ବର୍ତ୍ତମାନ କାଳତିପାତ କରୁଛନ୍ତି । ଆତତାୟୀ ଅମ୍ପନର ମାରଣାନ୍ତକ ଆକ୍ରମଣ ପରେ ମଧ୍ୟ ଆହତ ମଣିଷକୁ ଆହା କହିବାକୁ କେହି ନାହିଁ । ସୁନ୍ଦରବନରେ ଅମ୍ପନର ଲ୍ୟାଣ୍ଡଫଲ୍ ଦ୍ୱୀପ ସମୂହରୁ ବିଭୂତି ପତିଙ୍କ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।
ଅମ୍ପନ ଆକ୍ରମଣ
ସୁନ୍ଦରବନକୁ ଅମ୍ପନ ଆସିଲା-ଚାଲିଗଲା, କିନ୍ତୁ ଅମ୍ପନ ଆସିବା ପୂର୍ବର ଗାଁ ଗଣ୍ଡା ଆଉ ଅମ୍ପନ ଯିବା ପରର ଗାଁ ଗଣ୍ଡା ଭିତରେ ଥିଲା ଆକାଶ ପାତାଳ ପ୍ରଭେଦ । ଅମ୍ପନର କମ୍ପନ ଦେଇଗଲା ଖାଲି ଯନ୍ତ୍ରଣାର ଜୀବନ । ସବୁକିଛିକୁ କରିଦେଲା ଶ୍ରୀହୀନ । ମା’ ସମାନ ସୁନ୍ଦରବନକୁ ଛାରଖାର କରି ଅସୁନ୍ଦର କରିଦେଲା । ଆମ ଜୀବନ ଜୀବିକା ସବୁକିଛିକୁ ଉଡ଼ାଇ ନେଇ ସ୍ୱପ୍ନଠାରୁ ବହୁ ଦୂରରେ ଆଖି ନପାଉଥିବା ସମୁଦ୍ରରେ ଦେଇଦେଲା ସଲିଳ ସମାଧି । ପଛକୁ ଫେରି ଚାହିଁଲେ ଦେଖାଯାଉଛି ଜୀବନର ଜଳଛବିରେ ଲାଗିଥିବା ପବନର ସୁ ସୁ ଶବ୍ଦରେ ପାଣିପଙ୍କର ଦାଗ – ଆଗକୁ ଚାହିଁଲେ ଆକାଶ ସମୁଦ୍ର ମିଳନର ମହାଶୂନ୍ୟତା । ଅମ୍ପନ ଆମ ଜମି-ଜଳ-ଜଙ୍ଗଲର ଧ୍ୱଂସ ସାଧନ କରି ସୁନ୍ଦରବନର ସର୍ବନାଶ କରିଦେଇଛି । ପାଣି ଓ ପବନ କେତେ ଭୟଙ୍କର ତାହା ମୁଁ ଭାଷାରେ କହିପାରିବି ନାହିଁ । ଆତଙ୍କିତ ମନର କଥାକୁ ଶିବେ ବଖାଣି ଥିଲେ କ୍ୟାମେରା ଆଗରେ । ସୁନ୍ଦରବନର ସତଜେଲିଆ ଦ୍ୱୀପରେ ବାସ କରନ୍ତି ମତ୍ସ୍ୟଜୀବୀ ଶିବେ । ସତଜେଲିଆ ଦ୍ୱୀପ ସମେତ ସୁନ୍ଦରବନ ଡ଼େଲ୍ଟାର ଅନେକ ଦ୍ୱୀପ ଅମ୍ପନର ଅମାପ ଶକ୍ତିରେ ଧରାଶାୟୀ ହୋଇପଡ଼ିଛନ୍ତି ।
ଗଣମାଧ୍ୟମରୁ ଶିବେ ଶୁଣିଲେ ଅମ୍ପନ ବାତ୍ୟା ଆସୁଛି । ଶିବେଙ୍କ ଭଳି ଅନ୍ୟ ଗ୍ରାମବାସୀମାନେ ମଧ୍ୟ ବାତ୍ୟା ଓ ଜୁଆର ମାଡ଼ି ଆସିବାର ନିଉଜ ପାଇସାରିଥିଲେ । ସୁନ୍ଦରବନରେ ୨୦ତାରିଖ ଅପରାହ୍ନରେ ଅମ୍ପନ ଲ୍ୟାଣ୍ଡଫଲ ହେବ । ଚାରିଆଡ଼େ ହୁରି ପଡ଼ିଲା । ଚିନ୍ତା ବଢ଼ିଲା । ଗାଈ ଓ ଛେଳିଙ୍କୁ ନେଇ ସ୍ଥାନୀୟ ସ୍କୁଲରେ ବାନ୍ଧି ଦେଲେ ଗ୍ରାମବାସୀ । ଶିବେଙ୍କ ସହିତ ଗ୍ରାମର ଇଲେକ୍ଟ୍ରିକ୍ ମେକାନିକ୍ ଭୋଲା ପୋଇରା ଏବଂ ପଡ଼ୋଶୀ ପୋଲୁ ଖରାଙ୍କ ପରିବାର ମିଳିମିଶି ନିକଟସ୍ଥ ସ୍କୁଲକୁ ଚାଲିଗଲେ । ହେଲେ ନିଜ ଘର ଓ ସାଇପଡ଼ିଶାଙ୍କ ଘରଦ୍ୱାରା ଛାଡ଼ି ଚୋରି ହେବା ଭୟରେ ଯାଇନଥିଲେ ଶିବେ । ପ୍ରାୟ ୩ଟା ପାଖାପାଖି ପବନର ପ୍ରଳୟ ଆରମ୍ଭ ହେଲା । ଗାଁ ଗଣ୍ଡାର ଘରଦ୍ୱାର ଶିବେଙ୍କ ଆଖି ଆଗରେ ମାଟିରେ ମିଶିଯାଉଥାଏ । ଆଜ୍ବେସ୍ଟସ୍ ଖଣ୍ଡ ସବୁ ଗୁଡ଼ି ଭଳି ପବନରେ ଉଡ଼ୁଥାଏ । ଚାହୁଁ ଚାହୁଁ ଗ୍ରାମର ଗୋଟାଏ ପାଖରେ ଜୁଆର ମାଡ଼ିଚାଲିଲା । ଆଜବେସ୍ଟସ୍ ଖଣ୍ଡ ପଡ଼ି ଶିବେଙ୍କ ହାତରେ ଆଘାତ ଲାଗିଲା । ପ୍ରାୟ ୪:୩୦ଟା ବେଳକୁ ଝରକା ଖୋଲି ବାହାରକୁ ମଧ୍ୟ ଦେଖିହେଲା ନାହିଁ ବୋଲି ଶିବେ ଦୁଃଖରେ କହିଲେ ।
ପ୍ରବଳ ପବନ ଓ ବର୍ଷା ମଧ୍ୟରେ ସତଜେଲିଆ ସମେତ ଅନ୍ୟାନ୍ୟ ଦ୍ୱୀପରେ ଥିବା ଗ୍ରାମର ଆଡ଼ିବନ୍ଧ ସବୁ ଭୁଶୁଡ଼ି ଗଲା । ବାତ୍ୟା ବିତ୍ପାତ ବଢ଼ି ଚାଲୁଥିବାବେଳେ ଗାଁ ଗଣ୍ଡାର ଆଡ଼ିବନ୍ଧରେ ଘାଇ ସୃଷ୍ଟି ହୋଇ ଜୁଆର ମାଡ଼ିଚାଲିଲା । କେତେକ ଗ୍ରାମବାସୀ ଆତଙ୍କିତ ହୋଇ ଆଡ଼ିବନ୍ଧକୁ ବନ୍ଧାଇବାକୁ ବାହାରକୁ ଆସିଲେ । ଅନେକ ଗ୍ରାମବାସୀ ଏଥିରେ ଆହାତ ହେବା ସହିତ ରତନୁ ବିଶ୍ୱାସ ଓ ଚନ୍ଦ୍ରଭାନୋ ଘୋଷଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସତ୍ୟଜ୍ୟୋତି ମଣ୍ଡଲ (୫୨) ପବନର ବେଗ ବଢ଼ିଲା ପରେ ନିଜ ଘରଛାଡ଼ି ଗାଁ ସ୍କୁଲରେ ଆଶ୍ରୟ ନେବାକୁ ଦଉଡ଼ୁଥିଲେ । ଠିକ୍ ସେତିକିବେଳେ ସ୍କୁଲଠାରୁ ଅନତି ଦୂରରେ ପବନର ମୁହଁରେ ପଡ଼ିଗଲେ ସତ୍ୟଜ୍ୟୋତି। ପବନରେ ଉପରକୁ ଉଠି ଗୋଟିଏ ଗଛରେ ପିଟି ହୋଇ ତଳକୁ ପଡ଼ି ମରଣପୁରକୁ ଚାଲିଗଲେ ସତ୍ୟଜ୍ୟୋତି । ସ୍କୁଲରେ ଆଶ୍ରୟ ନେଇଥିବା କିଛି ଗ୍ରାମବାସୀଙ୍କ ଆଖିଆଗରେ ଏହି ଦୁର୍ଭାଗ୍ୟ ଜନକ ଘଟଣା ଘଟିଗଲା । ଧନଜୀବନର ଯେଉଁ କ୍ଷୟକ୍ଷତି ସୁନ୍ଦରବନ ଗାଁ ଗଣ୍ଡାରେ ଅମ୍ପନ ଘଟାଇଛି ତାର ଭରଣା ଆଗାମୀ ୧୦ବର୍ଷ ମଧ୍ୟରେ ପୂରଣ ହେବା ସମ୍ଭବ ନାହିଁ । ସୁନ୍ଦରବନର ଇକୋଟୁରିଜିମ୍ ସମେତ ଚାଷବାସ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଲୁଣାପାଣି ଓ ବାଲିକାଦୁଅ ଜମିରେ ମାଡ଼ିଯାଇଛି। ସତଜେଲିଆ ଦ୍ୱୀପର ଇକୋଟୁରିଜିମ୍ ପର୍ଯ୍ୟଟନ ପରିଚାଳନା କରୁଥିବା ରାଜେଶ ସଅ କୁହନ୍ତି ମୋର ପ୍ରାୟ ୧୫ଟି ପର୍ଯ୍ୟଟନ ନେଚର କ୍ୟାମ୍ପ୍ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ।
ମଧ୍ୟାହ୍ନ ବେଳକୁ ସାମାନ୍ୟ ଜୁଆର ଆସିଲା । ଗ୍ରାମବାସୀମାନେ ସେମାନଙ୍କ ଘରଦ୍ୱାର ଓ ଧନସମ୍ପତ୍ତିକୁ ସୁରକ୍ଷା କରିବାକୁ ଦୁର୍ବଳ ଆଡ଼ିବନ୍ଧ ଗୁଡ଼ିକୁ ବନ୍ଧାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଅମ୍ପନ ପବନ ଓ ପାଣିର ପ୍ରକୋପ ସେମାନଙ୍କ ଆଡ଼ିବନ୍ଧକୁ କ୍ଷତି ପହଁଚାଇବ ନାହିଁ । ହେଲେ ଜୁଆର ପାଣିର ପ୍ରଖରତା ଆଗରେ ବାଲିଘରଭଳି ଭୂଶୁଡ଼ି ଯାଇଥିଲା ଗାଁ ଗଣ୍ଡାର ଆଡ଼ିବନ୍ଧ ଓ ଘରଦ୍ୱାର । ପ୍ରକୃତିର ପାଣି ପବନ ତାଣ୍ଡବ ଆଗରେ ମଣିଷ କେବଳ ନିଜ ମରଣକୁ ଦେଖୁଥିଲା । ଗୋଟିଏ ପଟେ ବନ୍ଧ ଭାଙ୍ଗି ଘର ଦ୍ୱାର ଓ ଧନସମ୍ପତ୍ତିକୁ ଗିଳି ଚାଲୁଥିଲା ମାଟି ଉପର ପାଣି, ଆଉଗୋଟିଏ ପଟେ ପାଣି ଉପର ପବନ ରଚାଇ ଚାଲିଥିଲା ପ୍ରଳୟ । ମେ ମାସ ୨୦ତାରିଖ ଦିନ ପାଣି ପବନର ଲଙ୍ଗଳା ନୃତ୍ୟରେ ପୁଙ୍ଗୁଳା ହୋଇଯାଇଥିଲା ସୁନ୍ଦରବନର ମଣିଷ ଓ ଅସୁନ୍ଦର ହୋଇଯାଇଥିଲା ସୁନ୍ଦରବନ। ପ୍ରାୟ ସନ୍ଧ୍ୟା ୫ଟା ବେଳକୁ ଅମ୍ପନର କମ୍ପନରେ ପାଣି ପବନର ବେଗ ସୁନ୍ଦରବନର ସୁଦୃଢ଼ ବଳୟକୁ ଦୋହଲାଇ ଦେଉଥିଲା । ସ୍ଥାନୀୟ ଜୋତ୍ସ୍ନା ଦାସଙ୍କ ଘରର ଝରକା ଓ ଆଜ୍ବେସ୍ଟସ୍କୁ ପବନ ଉଡ଼ାଇନେଲା । ପବନ ମୁହଁରୁ ଯେଉଁ ଅଧାଭଙ୍ଗା ଘରକାନ୍ଥ ଗୁଡ଼ିକ ବର୍ତ୍ତି ରହିଯାଇଥିଲା, ସେଇ କାନ୍ଥବାଡ଼କୁ ପାଣିର ପ୍ରକୋପ ମାଟିରେ ମିଶାଇ ଦେଲା । ଏଥିରୁ ଅନୁମାନ କରାଯାଇପାରିବ ପବନର ବେଗଠାରୁ ଜୁଆରର ତୀବ୍ରତା କେତେ ଅଧିକ ଥିଲାବୋଲି କୁହନ୍ତି ଜୋତ୍ସ୍ନା ।
ସମୁଦ୍ର ଜୁଆର ଦତ୍ତା ନଦୀରେ ପଶିବା ପରେ ଦାନବ ସାଜିଥିଲା ଦତ୍ତା । ଦାନବ ଦତ୍ତା ଯେତେବେଳେ ଉଜାଡ଼ି ଚାଲିଥିଲା ସଜଡ଼ା ସଂସାର ସେତେବେଳେ ପିଶାଚ ପବନ ଶୋଷି ନେଉଥିଲା ସାଇତା ସ୍ୱପ୍ନର ପ୍ରାଣ । ବର୍ଷା ହେଉଥାଏ, ରାତି ୧୦:୩୦ରେ ଯେତେବେଳେ ପବନ ଟିକେ ଥମିଲା ଅନ୍ଧାର ରାତିରେ ସ୍କୁଲ ଘରେ ଭୋଲା ଓ ତାଙ୍କ ପତ୍ନୀ ଯମୁନା ଆଉ ମନକୁ ଥୟ କରିପାରିନଥିଲେ । ମୋବାଇଲ ଆଲୁଅରେ ନିଜ ସଜଡ଼ା ସଂସାରର ସାଇତା ସ୍ୱପ୍ନ ସାଉଁଟିବାକୁ ମରଣକୁ ଖାତିର ନକରି ଘରକୁ ଆସିଥିଲେ । ହେଲେ ପ୍ରେତ ରୂପକ ପାଣି ପବନ କେବଳ ଭୋଲାଙ୍କର ନୁହେଁ ବରଂ ତାଙ୍କର ଗାଁଟାକୁ ପ୍ରେତପୁରୀରେ ପରିଣତ କରିଦେଇଥିଲା । ଘରଦ୍ୱାର କିଛି ନଥିଲା ଘାଇ ମୁହଁରେ । ଘୁର୍ଣ୍ଣି ବଳୟ ମଧ୍ୟରେ ସାଇତା ସମ୍ପଦ ସବୁ ମାଟିରେ ପୋତିହୋଇ କବର ନେଲେ କିମ୍ବା ଜଳରେ ସମାଧି ପାଇଲେ ତାହା ଭୋଲା କହିପାରିନଥିଲେ । ଯନ୍ତ୍ରଣାରେ ଯମୁନା ଖାଲି ଜଳ ଜଳ ହୋଇ ଆଖି ତରାଟି କହୁଥିଲେ ଚାଷବାସ ପାଇଁ କିଛି ବିହନ ରଖିଥିଲୁ ହେଲେ ତାକୁ ବି ବତାସ ଖାଇଗଲା । ସୁନ୍ଦରବନର ଆଖପାଖ ଗାଁ ଗଣ୍ଡାରେ ବିହନ ନାହିଁ, ଏଥର ଚାଷବାସ କିପରି ହେବ? ଯଦି ହାଇବ୍ରିଡ଼ ବିହନ ଏସବୁ ଗାଁ ଗଣ୍ଡାକୁ ଆସେ ତେବେ ତାହା ସ୍ଥାନୀୟ ପାଣିପାଗର ଅନୁକୂଳ ହେବ ନାହିଁ ଏବଂ ଏହା ସୁନ୍ଦରବନର ସୁରକ୍ଷିତ ପ୍ରାକୃତିକ ପରିବେଶକୁ ମଧ୍ୟ କ୍ଷତି କରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଜଣେ ୬୫ ବର୍ଷ ବୟସ୍କ ଅବସରପ୍ରାପ୍ତ ପରିବେଶବିଦ୍ ରଞ୍ଜନ ବସୁ ଏହା କୁହନ୍ତି ।
କରୋନା ମହାମାରୀ ସମୟରେ ଗାଁଲୋକ ବୁଝିପାରିନଥିଲେ ଗୋଟିଏ ସ୍କୁଲଘର ଛାତତଳେ ସେମାନେ କିପରି ପାଳନ କରିବେ ସାମାଜିକ ଦୂରତ୍ୱ ? ଅନ୍ୟପଟରେ ବର୍ତ୍ତମାନ ଉଜୁଡ଼ା ଗାଁ ଗଣ୍ଡାର ଘରଦ୍ୱାର ତିଆରି କରିବାକୁ ପୁନଶ୍ଚ ଗାଁ ଆଡ଼ିବନ୍ଧ ନବନ୍ଧାଇଲେ ଜୁଆର ପୁଣି ମାଡ଼ି ଆସିବ । ତେଣୁ ଏହାକୁ ତିଆରି କଲାବେଳେ କିପରି ସାମାଜିକ ଦୂରତ୍ୱ ପାଳନ ହେବ? କରୋନା ସଂକ୍ରମଣ ଓ ଅମ୍ପନ ଧ୍ୱଂସ ସାଧନର କବଳରୁ ମୁକୁଳିବାକୁ ବର୍ତ୍ତମାନ ନିଜ ଜୀବନକୁ ସୁରକ୍ଷିତ କରି ମଣିଷ କିପରି ଜୀବନ ଜୀଇଁବ, ତାହା ସୁନ୍ଦରବନର ଅମ୍ପନ ଲ୍ୟାଣ୍ଡ୍ଫଲ୍ ଦ୍ୱୀପସମୁହରେ ଏକ ଆହ୍ୱାନ ହୋଇ ଆଗରେ ଉଭା ହୋଇଛି ।
ଲୁଣା ପାଣି ମାଡ଼ିଯାଇ ବର୍ତ୍ତମାନ ଶହ ଶହ ଏକର ଚାଷଜମି ଓ କୃଷିକାର୍ଯ୍ୟ ସୁନ୍ଦରବନ ଅଞ୍ଚଳରେ ପ୍ରାୟତଃ ଅସମ୍ଭବ । ୨୦୦୯ମସିହାରେ ଆସିଥିବା ବାତ୍ୟା ‘ଆଇଲା’ ସମୟରେ ମଧ୍ୟ ଯଦିଓ ଲୁଣିପାଣି ମାଡ଼ିଥିଲା ତେବେ ଏତେ ପରିମାଣର ଭୟଙ୍କର ନଥିଲା । ଗତ ନଭେମ୍ବର ୨୦୧୯ ମସିହାର ବୁଲ୍ବୁଲ୍ ବାତ୍ୟାରେ ମଧ୍ୟ ସୁନ୍ଦରବନ ଓ ଏହାର ଦ୍ୱୀପପୁଞ୍ଜମାନଙ୍କରେ ଚାଷବାସର ଏତେ ବ୍ୟାପକ କ୍ଷୟକ୍ଷତି ହୋଇନଥିଲା ।
ଗ୍ରାମର ମହିଳାମାନେ ସୁନ୍ଦରବନରୁ ଲଘୁ ବନଜାତ ଦ୍ରବ୍ୟ ଓ ଅନ୍ୟାନ୍ୟ ବନ୍ୟ ସାମଗ୍ରୀରୁ ଜୀବିକା ନିର୍ବାହ କରିବା ସହିତ ପୁରୁଷମାନେ କୃଷିକାର୍ଯ୍ୟ ସାଙ୍ଗକୁ କଲିକତା ଭଳି ସହରକୁ ବିଭିନ୍ନ କାମଧନ୍ଦା ପାଇଁ ଯାଇ ପରିବାର ପ୍ରତିପୋଷଣ କରି, ଗତ ବାତ୍ୟା ବିପତ୍ତିକୁ ଏହାଦ୍ୱାରା ମୁକାବିଲା କରିପାରିଥିଲେ । ଅମ୍ପନ ପୂର୍ବର କରୋନା ଲକ୍ଡ଼ାଉନ୍ କାରଣରୁ ଦାଦନ ଶ୍ରମିକଙ୍କ ବିପରୀତ ପ୍ରତ୍ୟାବର୍ତ୍ତନ ଅର୍ଥାତ୍ ସହରରୁ ଗ୍ରାମକୁ ଫେରିଆସିବା ପ୍ରକ୍ରିୟା ଦ୍ୱାରା ଏହି ବାତ୍ୟା ବିପଦ ଅଧିକ ଘାତକ ହୋଇଛି । କୃଷି ଉଜୁଡ଼ି ଯାଇଛି, ଘରଦ୍ୱାର ସାଙ୍ଗକୁ ସଞ୍ଚିତ ଖାଦ୍ୟଶସ୍ୟ ନଷ୍ଟଭ୍ରଷ୍ଟ ହୋଇଛି, କାମଧନ୍ଦା ପାଇଁ ସହରକୁ ଯାଇହେବନି କିମ୍ବା ଗାଁ ଗଣ୍ଡାରେ କାମଧନ୍ଦା ମିଳିବନି ଏବଂ ଉଜୁଡ଼ା ସୁନ୍ଦରବନରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାର ଆଶା ମଉଳି ଯାଇଛି । ଏଭଳି ପରିସ୍ଥିତିରେ ଆଗାମୀ ଅନେକ ବର୍ଷ ଧରି ସ୍ଥାନୀୟ ଅଞ୍ଚଳ ମଣିଷମାନଙ୍କର ଅର୍ଥନୈତିକ ଅଣ୍ଟା ସମ୍ପୂର୍ଣ୍ଣ ଭାଙ୍ଗିଯାଇ ସେମାନେ କାଙ୍ଗାଳ ଓ କଙ୍କାଳସାର ହୋଇଯିବେ ଅମ୍ପନର କମ୍ପନରେ । ସୁନ୍ଦରବନର ଦ୍ୱୀପରେ ଥିବା ୫ଟି ଗାଁର ପ୍ରାୟ ୬ହଜାରରୁ ଉର୍ଦ୍ଧ୍ୱ ଲୋକ ବର୍ତ୍ତମାନ ସରକାରୀ ରନ୍ଧା ଖାଦ୍ୟକୁ ଭୋକଉପାସରେ ଚାହିଁ ରହୁଛନ୍ତି । ଅମ୍ପନ ସ୍ଥାନୀୟ ଅଞ୍ଚଳର ସମୃଦ୍ଧ ଜୀବନକୁ ଦୀନ ଦରିଦ୍ର କରିଦେଇଛି ବୋଲି କୁହନ୍ତି ସୁନ୍ଦରବନର ସ୍ୱେଚ୍ଛାସେବୀ କର୍ମୀ ଶଙ୍କର ହାଲଦାର ।
ସୁନ୍ଦରବନ ଡ଼େଲଟା ଚାଷଜମିରେ ଜୁନ୍ ମାସରେ “ଅମନ” ଅର୍ଥାତ୍ ବିଭନ୍ନ ପ୍ରକାର ଧାନ ଶସ୍ୟର ସମ୍ଭାର ଦେଖିବାକୁ ମିଳେ । ଚଳିତ ବର୍ଷ ଅମନକୁ ଧ୍ୱଂସ କରିଛି ଅମ୍ପନ। ଲୁଣାପାଣି ଚାଷଜମିରେ ଥିବାରୁ ବର୍ତ୍ତମାନ ଧାନ ଚାଷ ହୋଇପାରିବ ନାହିଁ । ପାଣି ପମ୍ପରେ ଜମିରୁ ଲୁଣାପାଣି ଓଝାଳିବାରେ ଲକ୍ଷାଧିକ ଟଙ୍କା ବ୍ୟୟ ହେବ ଏବଂ ଏହା ଅତୀବ କଷ୍ଟସାଧ୍ୟ କାର୍ଯ୍ୟ । ଏଥିପାଇଁ ସରକାରୀ ସାହାଯ୍ୟ ସାଙ୍ଗକୁ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କ ପାଇଁ ଆବଶ୍ୟକ ଯାହାକି କରୋନା ମହାମାରୀ ସମୟରେ ଅସମ୍ଭବ କାର୍ଯ୍ୟ । ୨୦୦୯ରେ ‘ଆଇଲା’ ବାତ୍ୟାରେ ଜମିରେ ମାଡ଼ିଥିବା ଲୁଣାପାଣିର ସମସ୍ୟାରେ ସୁଧାର ଆସିବାକୁ ତିନିବର୍ଷ ଲାଗିଥିଲା । ୨୦୧୨ ମସିହାରେ ଚାଷ ବାସର ସ୍ଥିତିରେ ସୁଧାର ଆସିଥିଲା । ଏଣୁ ବର୍ତ୍ତମାନ କେତେବର୍ଷ ଲାଗିବ ଚାଷବାସ ପାଇଁ ତାହା କେବଳ ଭଗବାନଙ୍କୁ ଜଣା ବୋଲି କୁହନ୍ତି କିଶନଚନ୍ଦ୍ରପୁର ହାଇସ୍କୁଲର ହେଡ଼ମାଷ୍ଟର ଏବଂ ଜଣାଶୁଣା କୃଷକ ଚନ୍ଦନ ମୈତି ।
ସୁନ୍ଦରବନର ବନାଞ୍ଚଳ ଉପରେ ଜୀବୀକା ନିର୍ବାହ କରି ବଞ୍ଚୁଥିବା ଶହ ଶହ ଜନସାଧାରଣ ବର୍ତ୍ତମାନ ଭିକାରୀ ସମାନ । ହସ୍ନୈନା ଭୂପୋଲି ସୁନ୍ଦରବନ ସ୍ଥିତ ଗୋସବା ନଈନାଳର “କ୍ରିକ୍’ ରେ ମାଛ କଙ୍କଡ଼ା ଧରି ଜୀବୀକା ନିର୍ବାହ କରିଥାନ୍ତି । ହସନୈନାଙ୍କ ସ୍ୱାମୀ କଲିକତାରେ ଦାଦନ ଶ୍ରମିକ ଭାବେ ଚାଷବାସ ନଥିବା ଋତୁରେ କାର୍ଯ୍ୟ କରନ୍ତି । ହସନୈନା ମାଛ କଙ୍କଡ଼ା ଧରିବା ସହିତ ସୁନ୍ଦରବନରୁ ମହୁ ଭଳି ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଦୁଇ ପଇସା ଭଲରେ ରୋଜଗାର କରନ୍ତି । ଗାଁରେ ଥିବା ସମୟରେ ହସନୈନାଙ୍କ ସ୍ୱାମୀ ମଧ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ତାଙ୍କୁ ସାହାଯ୍ୟ କରନ୍ତି । କିନ୍ତୁ ବାତ୍ୟା ପୂର୍ବର ଲକଡ଼ାଉନ୍ ଯୋଗୁଁ ଜଙ୍ଗଲକୁ ଯାଇହେଲାନି । ଯାହା ସଞ୍ଚିଥିଲି ତାକୁ ଖାଇକି ଗୁଜୁରାଣ ମେଣ୍ଟାଇଲି । ଏବେ ଅମ୍ପନର ଅତର୍କିତ ଆକ୍ରମଣ ଆମ ଗାଁର ପ୍ରାୟ ପ୍ରତିଟି ମଣିଷକୁ ଅସହାୟ ଓ ନିସ୍ୱ କରିଦେଇଛି। ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ କରୋନା କଟକଣା, ବନ୍ୟଯନ୍ତୁଙ୍କୁ କରୋନା ସଂକ୍ରମଣ ପାଇଁ ସୁନ୍ଦରବନ ଭିତରକୁ ଯାଇହେଉନାହିଁ । ଅନ୍ୟପଟରେ ଅମ୍ପନ ସୁନ୍ଦରବନକୁ ଧ୍ୱଂସ କରି ଜୀବନଜୀବିକା ସବୁ ଉଜାଡ଼ି ଦେଇଛି । ହସନୈନାଙ୍କ ଭଳି ପ୍ରସାଦ ରାଜବଂଶୀ ମଧ୍ୟ ବିଚଳିତ ହୋଇ ସମାନ ଅଭିଯୋଗ କରନ୍ତି ।
ସନ୍ତପ୍ତ ସକାଳ
ଗାଁର ଦଳେ ଲୋକ କଳ୍ପନା ମଣ୍ଡଳ(୩୧)ଙ୍କ ଘର ଆଗରେ ରୁଣ୍ଡ ହୋଇଥିଲେ । ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଭୁଙ୍ଗି ଛାରଖାର ହୋଇଯାଇଛି । ମେ ୨୧ତାରଖ ସକାଳର ସୂର୍ଯ୍ୟ ଆଣିଦେଇଥିଲା କଳ୍ପନାଙ୍କ ପାଇଁ ଏକ ଦୁର୍ଦ୍ଦିନ ଦୁଃଖର ଦୁନିଆ ଯାହାକୁ କଳ୍ପନା କେବେ କଳ୍ପନା କରିନଥିଲେ । ସେଇ ସକାଳ ଶୋକର ଛାୟା ଆଉ ଶେଷ ହେବନି କଳ୍ପନାଙ୍କ ଜୀବନରେ । କଳ୍ପନାଙ୍କ ଶୋକସନ୍ତପ୍ତ ପରିବାର ନିକଟରେ ପହଁଚିବା ପରେ ଶୋକାକୂଳ ପରିବେଶକୁ ଦେଖି ବୁଝା ପଡ଼ିଯାଉଥିଲା ନିଶ୍ଚିତ ଏକ ବିରାଟ ଅଘଟଣ ଘଟିଛି। କିନ୍ତୁ ଅଘଟଣ ଯେ ଏତେ ବଡ଼ ତାହା ଅନୁମାନ କରିବା ସହଜ ନଥିଲା ।
ମାଟିରେ ମିଶିଯାଇଥିବା ନିଜ ଘର ଆଗରେ ତିନିବର୍ଷର ପୁଅଟିକୁ ଧରି ଛିଡ଼ା ହୋଇଥିଲେ କଳ୍ପନା । ରୁଣ୍ଡ ହୋଇଥିବା ସାଇ ପଡ଼ିଶାଙ୍କ ପ୍ରଶ୍ନର ଉତ୍ତର କାନ୍ଦି କାନ୍ଦି ଦେଉଥିଲେ କଳ୍ପନା । ରିପୋର୍ଟିଂ ସମୟରେ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଲା ପରେ ସମ୍ପୂର୍ଣ୍ଣ ପ୍ରସଙ୍ଗଟି ଜଣାପଡ଼ିଲା । ଆତତାୟୀ ଅମ୍ପନ ଏତେ ବଡ଼ ଆତଙ୍କ ରଚାଇପାରେ ତାହା କେବଳ ଆଖିରେ ଦେଖିଲେ ବୁଝି ହେବସିନା ତାକୁ କିନ୍ତୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ । ୨୦ତାରିଖ ଅମ୍ପନର କମ୍ପନ ଆରମ୍ଭ ହୋଇଯାଇଥାଏ । ନିଜ ସ୍ତ୍ରୀ କଳ୍ପନା ଏବଂ ପୁଅ ବୁବୁନ୍କୁ କାଖରେ ଧରି ଗୋବିନ୍ଦୋ ମଣ୍ଡଳ ନିରାପଦରେ ଗାଁ ସ୍କୁଲ ଘରକୁ ଚାଲିଗଲେ । ବାତ୍ୟା କମିଲା ପରେ ସ୍ତ୍ରୀ ପିଲାଙ୍କୁ ଧରି ୨୧ତାରିଖ ସକାଳେ ଗୋବିନ୍ଦୋ ଘରକୁ ଫେରିଲେ । ଭଙ୍ଗା ଘର ଭିତରର ଦୃଶ୍ୟ ଦେଖିବାକୁ ସେ ଘରର ପିଣ୍ଡା ଉପରେ ଚଢ଼ିଲେ । ଉପରେ ଲାଗିଥିବା ଖଣ୍ଡେ ଭଙ୍ଗା ଆଜବେସଟସ୍ ସିଟ୍ ଗୋବିନ୍ଦଙ୍କ ମୁଣ୍ଡରେ ପଡ଼ି ବେକ ଉପର ଦେଇ ତଳେ ପଡ଼ିଲା । ଗୋଟିଏ ମୁହୂର୍ତ୍ତରେ କଳ୍ପନାଙ୍କ ଆଖି ଆଗରେ ସ୍ୱାମୀ ସନ୍ତାନର ସୁଖ ସଂସାରର କଳ୍ପନା ଶୋକର ସାଗରରେ ପରିଣତ ହୋଇଗଲା । ଗୋବିନ୍ଦୋ (୩୬) ଜଣେ ମତ୍ସ୍ୟଜୀବୀ ଏବଂ ମାଛ ମରା ଓ ଚାଷବାସ କାମଧନ୍ଦା ନଥିବା ସମୟରେ କଲିକତାରେ ଦିନ ମଜୁରୀୟା ଭାବେ କାମକରନ୍ତି । ଲକଡ଼ାଉନ୍ ଯୋଗୁଁ ନିଜ ପରିବାର ନିକଟକୁ ଫେରିଆସିଥିଲେ ଗୋବିନ୍ଦୋ ।
“ମୋ ଦୁନିଆର ଦୁଃଖ ଦେଖିବାକୁ ଆଉ କେହିନାହିଁ ଓ ସୁଖର ସରାଗ ବାଣ୍ଟିବାକୁ ମଧ୍ୟ କେହି ନାହିଁ । ସବୁକିଛି ଉଜୁଡ଼ି ଯାଇଛି । ମୋ ବାପଘରୁ କେହି ଆସିପାରି ନାହାନ୍ତି । ଗାଡ଼ି ଘୋଡ଼ା ବନ୍ଦ ସାଙ୍ଗକୁ କରୋନା ଡ଼ର ଶୁଦ୍ଧକ୍ରିୟାକୁ ଅସମ୍ପୂର୍ଣ୍ଣ କରିଦେଇଛି । ଆଜକୁ ଦଶଦିନ (୩୦ ତାରିଖ ସକାଳ) ହେଲା ଏଇ ସାଇପଡ଼ିଶା ମୋର ସାହା ଭରସା । ବହୁ କଷ୍ଟରେ ଶବଦାହ କରିଛି । କ୍ରିୟାକର୍ମ କରିବାକୁ ଅର୍ଥ ନାହିଁ । ଏହା ସାଙ୍ଗକୁ ଶୁଦ୍ଧକ୍ରିୟା ପାଇଁ ସ୍ଥାନର ଅଭାବ କାରଣ ଚାରିଆଡ଼େ ଭଙ୍ଗା ଗଛ ଓ ଘର ଭୂଷୁଡ଼ି ପଡ଼ିଛି । ରାତିରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ ବୋଲି ଲୁହଭରା ଆଖି ଓ କୋହଭରା କଣ୍ଠରେ ଏକଥା କହିଥିଲେ କଳ୍ପନା । ଅନ୍ୟପଟେ ଅମଣିଷମାନଙ୍କର ଲୋଲୁପ ଦୃଷ୍ଟି ଓ ଟାହିଟାପରା ବର୍ତ୍ତମାନ ମୋ ପାଇଁ କାଳସାଜିଛି । କେଉଁଠି ନେବି ଆଶ୍ରୟ -କାହାକୁ କରିବି ବିଶ୍ୱାସ? କଳ୍ପନା ଏକଥା କହିଲା ବେଳେ ନିଷ୍ପାପ ଶିଶୁ ବବୁନ୍ ବିଚରା କିଛି ବୁଝିପାରୁନଥିଲା । ମା’ର ଲୁହ ପୋଛିଦେଇ ଏବଂ ଅନ୍ୟମନସ୍କତାର ସୁଯୋଗ ନେଇ ବୁବୁନ୍ କଳ୍ପନାଙ୍କ କାଖରୁ ଖସିଯାଇ ବିଜୟର ହସ ହସି ବାଲିଖେଳ ଆରମ୍ଭ କରିଦେଇଥିଲା । ଦ୍ୱନ୍ଦର ମଝିରେ କଳ୍ପନାଙ୍କର କାନ୍ଦିବାଟା ହିଁ ସାର ହୋଇଛି ।
ଗୋବିନ୍ଦୋଙ୍କ ଗାଁରେ ଅଟକି ନଥିଲା ଦରଦୀ ମଣିଷର ଦୁଃଖ ଦରିଆ କିମ୍ବା କ୍ଲାନ୍ତ କଳ୍ପନାଙ୍କ ନିକଟରେ ଅନ୍ତ ହୋଇନଥିଲା ଅମ୍ପନର ଲମ୍ଫ । ସୁନ୍ଦରବନ “ଜି-ପ୍ଲଟ୍’ ଦ୍ୱୀପର ବିଦ୍ୟାଧାରୀ ନଦୀକୂଳରେ ପ୍ରାୟ ୨୦ହଜାର ମତ୍ସ୍ୟଜୀବୀ ପରିବାର ବିପଦର ବଳୟରେ ବସବାସ କରୁଛନ୍ତି । ମାଛ ଧରିବା ଓ ମାଛଚାଷରେ ପରିବାରର ପୁରୁଷମାନଙ୍କୁ ସାହାଯ୍ୟ କରି ମହିଳାମାନେ ଏଠାରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ । କରୋନା ଲକଡ଼ାଉନ୍ ପାଇଁ ପୁରୁଷମାନେ ଗାଁକୁ ଫେରିଆସିଛନ୍ତି । କାମଧନ୍ଦା ନାହିଁ । ଏଭଳି ଅସମୟରେ ନଈନାଳରେ ମାଛଧରା ବନ୍ଦ ଏବଂ ଜଙ୍ଗଲକୁ ଯିବାରେ ମଧ୍ୟ କଟକଣା ଭିତରେ ମାଛଚାଷ ପାଇଁ କରାଯାଇଥିବା ସମସ୍ତ ପୋଖରୀକୁ ଅମ୍ପନର ଅଭିଶାପ ଧ୍ୱଂସ କରିଦେଇଛି ।
ଗାଁ’ଗଣ୍ଡାର ମହିଳା ମିଶନଶକ୍ତି ଆନୁକୂଲ୍ୟରେ ତିଆରି କରିଥିବା ପ୍ରାୟ ୨୦୦ ଖଣ୍ଡ ମାଛଚାଷ ପୋଖରୀରେ ଲୁଣାପାଣି ମାଡ଼ିଯାଇଛି । ବାତ୍ୟା ଓ ଜୁଆର ପୋଖରୀର ବନ୍ଧ ଭାଙ୍ଗି ପାଣିକୁ ନଈନାଳକୁ ବୁହାଇ ନେଇଛି । ତେଣୁ ମାଛସବୁ ନଈନାଳକୁ ବୋହିଯାଇଛନ୍ତି ଆଉ ଯାହା ବଞ୍ଚିଥିଲେ ସବୁ ଧୀରେଧୀରେ ଲୁଣାପାଣି ଯୋଗୁଁ ମରିଯାଉଛନ୍ତି । ଏହି କ୍ଷତିକୁ ଆମେ ଆଗାମୀ ପ୍ରାୟ ୧୫ବର୍ଷ ଭିତରେ ଭରଣା କରିପାରବୁ ନାହିଁ । ମାଛଚାଷ ପାଇଁ ବ୍ୟାଙ୍କରୁ କରିଥିବା ଲୋନ୍ ସୁଝିବୁ କିପରି ? ଅମ୍ପନର ଆତଙ୍କରେ ସବୁଠାରୁ ବେଶୀ ଆତଙ୍କିତ ଓ କ୍ଷତିଗ୍ରସ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ସୁନ୍ଦରବନ ଗାଁଗଣ୍ଡାର ମହିଳା । ୨୧ତାରିଖ ସକାଳ ଏଇସବୁ ଗାଁ ଗଣ୍ଡାର ମହିଳାଙ୍କୁ ମରଣ ମୁହଁକୁ ନେଇଯାଇଛି । ଏକଥା କୁହନ୍ତି ଦ୍ୟିତି ଦାଶ, ଦେବୋଜାନୀ ମଣ୍ଡଳ, ବବିତା ସରକାର ଓ ସୁଧା ଶାହଙ୍କ ଭଳି ଅନେକ ମହିଳା ।
“ମୋ ମା’ ସୁମୋତୀ ହାଲଦାର (୫୪) ନିଜର ୪୦ବିଘା ମାଛଚାଷ ପୋଖରୀକୁ ଦେଖି ସକାଳୁ ସକାଳୁ ମାନସିକ ଭାରସାମ୍ୟ ହରାଇ ପୋଖରୀ ହୁଡ଼ାରେ ପଡ଼ିଗଲେ । ପୋଖରୀରେ ବର୍ତ୍ତମାନ ଖାଲି ଲୁଣାପାଣି, ମାଛ ନାହିଁ । ପୋଖରୀ ହୁଡ଼ା ଭାଙ୍ଗିଯାଇ ଜୁଆର ପାଣିରେ ସବୁ ବୋହିଯାଇଛି । ଆମେ ବଞ୍ଚିବୁ କେମିତି ? ମୋ ଭାଇର ପାଠପଢ଼ା ଓ ମୋର ବାହାଘର ଚିନ୍ତାରେ ମୋ ମାଆ ବର୍ତ୍ତମାନ ପାଗଳୀ ପରାୟ । ମୋ ବାପା ନାହଁନ୍ତି । ଏଇ ପୋଖରୀରୁ ମୋ ମା’ ପରିବାର ପାଳନ୍ତି । କିଏ ବୁଝିବ ଆମ ଦୁଃଖ? ମା’ର କିଛି ହୋଇଗଲେ କିପରି କଟିବ ଜୀବନ ବୋଲି ପ୍ରଶ୍ନ କରନ୍ତି ଛଳଛଳ ଆଖିରେ ୨୧ବର୍ଷୀୟା ସୋମା ।
ଆଖି ଆଗରେ ଅମ୍ପନ ଉଡ଼ାଇ ନେଉଥିଲା ମୁଣ୍ଡ ଗୁଞ୍ଜିବାର ଘର ଉପର ଆଜବେସଟସ୍, ଟିଣ ଓ ଟାଇଲ ଛପର ସବୁ । ଅମ୍ପନ ବିଭିଷୀକାର ଭୟ ଆଜି ଆଉ ନାହିଁ, କିନ୍ତୁ ଅମ୍ପନ ଏହି ମଣିଷମାନଙ୍କ ଜୀବନକୁ କରିଦେଇଛି ଅଭିଶପ୍ତ । ପେଟପାଟଣା, ପରିବାର ତଥା ଜୀବୀକାର ଚିନ୍ତା ବର୍ତ୍ତମାନ ଭୟଙ୍କର ଭୂତ ସାଜି ଆତଙ୍କ ରଚାଉଛି ସୁନ୍ଦରବନର ଦ୍ୱୀପ ସମୂହରେ । ଗୁଗୁରିଆ ଗାଁର ଅବନ୍ତୀ ଘୋଷ ଏହାକୁ ବର୍ଣ୍ଣନା କରି କହୁନ୍ତି ୨୦ତାରିଖର ସକାଳକୁ ଦେଖିଲେ ସ୍ୱପ୍ନରେ ସୁଦ୍ଧା ମନକୁ ଆସୁନଥିଲା ଯେ, ୨୧ତାରିଖ ସନ୍ତପ୍ତ ସକାଳର ଶୋକ ଏତେ ଭୟଙ୍କର ହେବବୋଲି ।
ପାର୍ବତୀ ଘୁନିଆ (୩୭) ସ୍ୱାମୀ ପ୍ରଣବ କୁମାର ଘୁନିଆ(୪୧) ଙ୍କ ସହିତ ଝିଅ ପ୍ରଭାତୀ(୧୧) ଓ ୬ବର୍ଷର ପୁଅ ଶିବାୟନକୁ ନେଇ ହସଖୁସିରେ ପରିବାର ପାଳୁଥିଲେ । ଅମ୍ପନ ଆସିଲା ଭାଗ୍ୟକୁ ଆବୋରି ପାର୍ବତୀ ଓ ପ୍ରଣବ ରହିଯାଇଥିଲେ ନିଜଘରେ । ୨୧ତରିଖ ପାହାନ୍ତାରେ ଶିବାୟନ ପରିସ୍ରା ଯିବାକୁ ଉଠିଲେ । ଠିକ୍ ସେତିକିବେଳେ ଭଙ୍ଗାଘରୁ ଉଡ଼ିଯାଇ ଲଗିଥିବା ଖଣ୍ଡେ ଟିଣ ଛପର ଖଣ୍ଡ ଶିବାୟନଙ୍କ ମୁଣ୍ଡ ଓ ବାମହାତରେ ପଡ଼ିଲା । ଗୁରୁତର ଆହତ ହୋଇ ମୁଣ୍ଡରେ ଲାଗିଲା ୧୭ଟି ଷ୍ଟିଚ୍ । ବାମହାତଟି ଭାଙ୍ଗିଗଲା । କୋମାରେ ଥିବା କୋମଳ ଶିବାୟନ ବର୍ତ୍ତମାନ ବଞ୍ଚିବେ କି ମରିବେ ତାହା କେବଳ ଭଗବାନଙ୍କୁ ଜଣା । “ବାତ୍ୟା ଛାଡ଼ିଯାଇଥାଏ । ସକାଳୁ ସକାଳୁ ଚାଲିବାକୁ ରାସ୍ତାଟିକେ ମଧ୍ୟନଥାଏ । ବହୁ କଷ୍ଟରେ ପୁଅକୁ ନେଇ ନିକଟସ୍ଥ ଡ଼ାକ୍ତରଖାନାରେ ପହଁଚିଲି । ଭାଗ୍ୟକୁ ସେ ବଞ୍ଚିଗଲା । ହେଲେ ଆଗକୁ କ’ଣ ହେବ ତାହା ସେହି ଭଗବାନ ଶିବଙ୍କୁ ଜଣା । ମୋବାଇଲରେ ଧରି ରଖିଥିବା ଶିବାୟନର ଏକ ଅସ୍ପଷ୍ଟ ଫଟୋକୁ ଦେଖି ପାର୍ବତୀ ଓ ପ୍ରଣବ ଲହୁଲୁହାଣ ହେଉଥିବାବେଳେ ବିଚରା ପ୍ରଭାତୀ ଭଗବାନ ମୋ ଭାଇକୁ ଭଲକରି ଦିଅବୋଲି କାନ୍ଦି କାନ୍ଦି କହିବୁଲୁଛି । ଅନ୍ୟପଟରେ ପ୍ରଭାତୀକୁ ଦେଖିଲେ ଉତ୍ୟକ୍ତ ପ୍ରଣବ ମାନସିକ ନିୟନ୍ତ୍ରଣ ହରାଇ ଗାଳିଦେଇ ମାଡ଼ମାରିବାକୁ ଗୋଡ଼ାଉଛନ୍ତି । ନିରୀହା ପ୍ରଭାତୀ କରୁଣ ଆଖିରେ ବାପକୁ ଗୁହାରୀ କରୁଛି ଟିଣ ଲାଗିଥିବା ମୁଁ ଦେଖିନଥିଲି ବାପା! ମୋତେ ଆଉ ଗାଳି ଦେଇ ବାଡ଼ାଅନି । ପ୍ରଭାତୀର ଏ ଦୁଃଖ କିଏ ବୁଝିବ ।
ସନ୍ତପ୍ତ ସକାଳର ଶୋକକୁ ଦେଖିଦେଖି ସଂଯୁକ୍ତା ଦାସଗୁପ୍ତାଙ୍କ ସଞ୍ଜ ନଇଁ ଯାଉଥିଲା । ରାଇଡ଼ିଘି ଦ୍ୱୀପରେ ରାତିର ଆତଙ୍କ ମହିଳାମାନଙ୍କର ମାନସିକ ଅବସାଦକୁ ତୀବ୍ର ଭାବରେ ବଢ଼ାଇ ଚାଲୁଥିଲା ଆଉ ତାରି ଭିତରେ କେଉଁଠାରେ ନିରୀହ ଶିଶୁ ଅପେକ୍ଷା କରିଛି କେବେ ଫେରିବ ତା’ର ବାପା ଅଫେରା ପୁରରୁ , ତ ଆଉ କେଉଁଠାରେ କରୁଣ ଆଖିରେ କରୁଣାର ହାତ ପାତି ଭଉଣୀ ମାଗୁଛି ଭଗବାନଙ୍କୁ ଭାଇର ଜୀବନ । ପୁଣି କେଉଁଠାରେ ଯୌବନରେ ଯବାନ୍ ସ୍ତ୍ରୀ ବିଧବା ଲଲାଟ ଲିଖନକୁ ଦେଖିଦେଖି ଦିନରାତି ଯନ୍ତ୍ରଣାରେ ଛଟପଟ ହେଉଛି, ତ ପୁଣି କେଉଁଠି ଉଜୁଡ଼ା ଜୀବନ ଜୀବୀକାର ଜଉଘରେ ବାପ ମା’ ଦେଖୁଛନ୍ତି ନିଜ ପୁଅ ଝିଅଙ୍କର ଭଙ୍ଗା ଭବିଷ୍ୟତ । ଶୋକର ସୁନ୍ଦରବନରେ ଦୁଃଖର ଦ୍ୱୀପ ସମୂହରେ କେବେ ଫେରିବ ସୁଖର ସଂଜସକାଳ ତାକୁ ଚାହିଁ ରହିଛନ୍ତି ଶହ ଶହ ଶୋକ ସନ୍ତପ୍ତ ପରିବାର । ହେଲେ କିଏ ଫେରାଇ ଆଣିବ ଏବଂ କେବେ ଫେରିବ ସେମାନଙ୍କ ଅତୀତର ସୁଖ ତାହା ଏକ ବିରାଟ ପ୍ରଶ୍ନ ହୋଇ ସୁନ୍ଦରବନରେ ପ୍ରତିଧ୍ୱନି ହେଉଛି ।
ଶ୍ରୀହୀନ ସୁନ୍ଦରବନ
୧୭୩୭ ମସିହାର ପ୍ରଳୟଙ୍କାରୀ ବାତ୍ୟା ରୁ ନେଇ ୨୦୦୯ ମସିହାର ‘ଆଇଲା’ ଏବଂ ୨୦୧୯ର ବୁଲ୍ବୁଲ୍ ଭଳି ଅନେକ ବାତ୍ୟାରୁ ପଶ୍ଚିମବଙ୍ଗକୁ ସୁରକ୍ଷିତ କରିରଖିଛି ସୁନ୍ଦରବନ । ହେଲେ ହେନ୍ତାଳ ବଣ ଆଜି ମଣିଷର ବର୍ବର ଆକ୍ରମଣରେ ପ୍ରତିଟି ମୂହୁର୍ତ୍ତରେ ରକ୍ତାକ୍ତ ହୋଇ ସମୁଦ୍ର ମୁହାଣରେ ମରଣ ଲଭୁଛି । ଫଳରେ ବାତ୍ୟାର ବିପଦ ବଢ଼ିଚାଲି ଏହା ଭୟଙ୍କର ଧ୍ୱଂସମୁଖୀ ହେଉଛି ଏବଂ ସାମୁଦ୍ରିକ ଜୁଆର ସହଜରେ କୂଳ ଲଙ୍ଘୁଛି ।
ଗତ ୨୦ତାରିଖ ପ୍ରାୟ ଅପରହ୍ନ ୪ଟା ବେଳକୁ ପଶ୍ଚିମ ସୁନ୍ଦରବନର ଲୋଫିଆନ୍ , କାକଦ୍ୱୀପ ନିକଟସ୍ଥ ଗଙ୍ଗାଧରପୁର ଅଞ୍ଚଳ ସମେତ ସାଗର, ନାମଖାନ୍, କୁଲଟାଲି ଓ ପାଥୋର ପ୍ରତିମା ବ୍ଲକର ବିଭିନ୍ନ ଦ୍ୱୀପ ସମୁହରେ ଅମ୍ପନ ଲ୍ୟାଣ୍ଡଫଲ୍ କରି ଯେତେବେଳେ ଧ୍ୱଂସ ସାଧନ କରିବାକୁ ଆଗକୁ ମାଡ଼ିଚାଲୁଥିଲା, ଠିକସେତିକିବେଳେ ସର୍ବଗ୍ରାସୀ ଅମ୍ପନର ଲମ୍ପକୁ ଯଥାସାଧ୍ୟ ପ୍ରତିହତ କରି ସୁନ୍ଦରବନ ମଣିଷ ସମାଜକୁ ସୁରକ୍ଷିତ କଲା । ଯଦି ଅମୁଲ୍ୟ ସୁନ୍ଦରବନ ନଥାନ୍ତା ତେବେ ଅମ୍ପନର ମରଣାନ୍ତକ ଆକ୍ରମଣରୁ ମଣିଷ ସମାଜ ସହଜରେ ବର୍ତ୍ତିପାରିନଥାନ୍ତା । କିନ୍ତ ଦୁଃଖ ଓ ପରିତାପର ପ୍ରସଙ୍ଗ ମଣିଷମାନେ ହିଁ କ୍ରମାଗତଭାବେ ସୁନ୍ଦରବନକୁ ସଂହାର କରିଚାଲୁଛନ୍ତି । ଖାସ୍ ମଣିଷ ପାଇଁ ସୁନ୍ଦରବନର ବିଶ୍ୱ ପ୍ରସିଦ୍ଧ ରୟାଲ୍ ବେଙ୍ଗଲ ଟାଇଗର ବଂଶ ଆଜି ବିପଦରେ ।
ବିଭିନ୍ନ ବାତ୍ୟା ପରେ ସୁନ୍ଦରବନର ସୁରକ୍ଷା କଥା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତା କରନ୍ତି । ଘୋଷଣା ହୁଏ ସୁନ୍ଦରବନର ସୁରକ୍ଷିତ ମାନଚିତ୍ରର ଯୋଜନା । ହେଲେ ତାହା ବାତ୍ୟାର ପରବର୍ତ୍ତୀ ସମୟରେ ରାଜନୈତିକ ବୟାନବାଜିରେ ହଜିଯାଏ । ଗତ ବୁଲ୍ବୁଲ୍ ବାତ୍ୟା ସମୟରେ ସୁନ୍ଦରବନର କ୍ଷୟକ୍ଷତି ଓ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାର ୨୩ହଜାର କୋଟି ଟଙ୍କାର ସାହାଯ୍ୟ କେନ୍ଦ୍ରକୁ ମାଗିଲେ । ପରେ ସେହି ସାହାଯ୍ୟ ସହଯୋଗ ବାବଦରେ କେତେ ଟଙ୍କା ମିଳିଲା ଏବଂ ତାହା କ’ଣ ହେଲା , ବିଜେବି ବାଲା କିମ୍ବା ମମତା ଦିଦିଙ୍କ ସରକାର କେହି କିଛି କହିଲେନି । ଅମ୍ପନ ବର୍ତ୍ତମାନ ସୁନ୍ଦରବନକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି । ମଣିଷକୁ ସୁରକ୍ଷା ଦେଉଥିବା ସୁନ୍ଦରବନ ଆଜି ପ୍ରତିଟି ମଣିଷ ଓ ସରକାରଙ୍କ ନିକଟରେ ନିଜକୁ ସୁରକ୍ଷିତ କରିବାକୁ ହାତପାତିଛି ବୋଲି କୁହନ୍ତି ମୌସୁମୀ ଦ୍ୱୀପର ଏସ୍.କେ. ଅଦାଲତ ।
ସୁନ୍ଦରବନ ଜୈବମଣ୍ଡଳର ପରିସଂସ୍ଥାନ ଅତି ଭଙ୍ଗୁର । ସୁନ୍ଦରବନ ଭାରତ ଓ ବାଂଲାଦେଶରେ ପରିବ୍ୟାପ୍ତ । ସୁନ୍ଦରବନ ପଶ୍ଚିମବଙ୍ଗ ରାଜ୍ୟର ଦକ୍ଷିଣ ଦିଗରେ ପରିବ୍ୟାପ୍ତ। ସୁନ୍ଦରବନରେ ପ୍ରବାହିତ ନଈ ନାଳର ଦୈର୍ଘ୍ୟ ପ୍ରାୟ ୩୫୦୦କି.ମି ହୋଇଥିଲା ବେଳେ ଏହା ମଧ୍ୟରେ ହାରାହାରି ୪୫ଲକ୍ଷ ଲୋକ ବସବାସ କରି ଜୀବିକା ନିର୍ବାହ କରନ୍ତି । ପଶ୍ଚିମବଙ୍ଗ ପାର୍ଶ୍ୱରେ ସୁନ୍ଦରବନ ମଧ୍ୟରେ ୧୦୨ଟି ଦ୍ୱୀପ ରହିଥିବା ବେଳେ ସେଥିମଧ୍ୟରୁ ମୁଖ୍ୟତଃ ୫୪ଟି ଦ୍ୱୀପରେ ଜନବସତି ରହିଛି । ଅନେକ ଦ୍ୱୀପକୁ ବ୍ରିଜ ମାଧ୍ୟମରେ ସଂଯୋଗ ସ୍ଥାପନ କରାଯାଇଛି ।
ଅମ୍ପନ ବାତ୍ୟାଦ୍ୱାରା ଭୟଙ୍କର କ୍ଷତି ହୋଇଥିବା ସୁନ୍ଦରବନ ଅଞ୍ଚଳର ଦ୍ୱୀପସମୁହ ହେଲେ ଘୋରମରା, କଳିଙ୍ଗ ନଗର. କାକଦ୍ୱୀପ, ନାମ୍ଖନା, ବଖାଲି, ଫ୍ରାସେରଗୁଞ୍ଜ, ସାଗର ଏବଂ ପାଥୋର ପ୍ରତିମା । ଏହି ସମସ୍ତ ସ୍ଥାନ ଦକ୍ଷିଣ ଚବିଶ ପ୍ରଗଣା ଅନ୍ତର୍ଗତ । ପ୍ରାୟ ୧୭୮୦୦ହେକ୍ଟର ଚାଷଜମି ଓ ୧,୦.୦୦୦ କୃଷକ ଅମ୍ପନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ସୁନ୍ଦରବନ ପାଇଁ ଏହା ଏକ କଳା ଦିନ । ବୁଲ୍ବୁଲ୍ ବାତ୍ୟା ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୪୦କି.ମି. ଥିଲା । ସେତେବେଳେ ୧,୩୧,୭୭୨ଘର ସମ୍ପୂର୍ଣ୍ଣ ଏବଂ ୨୧୫୫ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ଅମ୍ପନ ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୮୦କିମିରୁ ଅଧିକ ଥିଲା । ତେଣୁ ସହଜରେ ବୁଝା ପଡ଼ୁଛି ଚଳିତ ବାତ୍ୟାର ଧ୍ୱଂସ ସାଧନର ପରିମାଣ କେତେ ଅଧିକ ହେବ । ଏହା କୁହନ୍ତି ସୁନ୍ଦରବନ ପରିଚାଳନା ମନ୍ତ୍ରୀ ମନ୍ତୁରମ ପଖରା ।
ସୁନ୍ଦରବନ ଡ଼େଲ୍ଟାର ଦୟାପୁର ଦ୍ୱୀପରେ ରହିଥିବା ବିଳାସପୂର୍ଣ୍ଣ ଇକୋଟୁରିଜିମ୍ ଟାଇଗର କ୍ୟାମ୍ପ୍କୁ ଅମ୍ପନ ଖିନ୍ଭିନ୍ କରିଦେଇଛି । ସୁନ୍ଦରବନ ରହିଥିବା କାରଣରୁ କଲିକତା ଓ ପଶ୍ଚିମବଙ୍ଗ ସୁରକ୍ଷିତ ରହିଗଲା ନଚେତ୍ ପଶ୍ଚିମବଙ୍ଗର ଅଶ୍ମିତା ଅମ୍ପନର ଅସ୍ତ ଅସ୍ତିତ୍ୱ ଉପରେ ଲେଖାହୋଇ ଇତିହାସର ପାଠ୍ୟ ପୁସ୍ତକରେ ରହିଯାଇଥାନ୍ତା। ଅମ୍ପନ ପବନର ବେଗ ଓ ଜୁଆରର ପାଣିକୁ ସୁନ୍ଦରବନ ଯଥେଷ୍ଟ ମାତ୍ରାରେ ପ୍ରତିହତ କରିପାରିଲା । ଏହାସହିତ ସୁନ୍ଦରବନ ଅନେକ ବାତ୍ୟାର ତୀବ୍ରତାକୁ ନିୟନ୍ତ୍ରଣ କରିଦେଇ ବାଂଲାଦେଶ ପ୍ରତି ଏହାର ଗତି ପରିବର୍ତ୍ତନ କରାଇବାରେ ସହାୟକ ହୋଇଥାଏ ବୋଲି କୁହନ୍ତି ଯାଦବପୁର ବିଶ୍ୱବିଦ୍ୟାଳୟର ସମୁଦ୍ର ବିଜ୍ଞାନ ବିଭାଗର ପ୍ରଫେସର ସୁଗତା ହାଜରା ।
ସୁନ୍ଦରବନର ପୂର୍ବତନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଓ ଜଣାଶୁଣା ପରିବେଶବିତ୍ ପ୍ରଣବେଶ ସନ୍ୟାଲ କୁହନ୍ତି ସୁନ୍ଦରବନ ପୁଣି ତାର ଦକ୍ଷତା, ଉପକାରିତା ଏବଂ ପ୍ରକୃତିର କର୍ତ୍ତବ୍ୟକୁ ଦୃଢ଼ଭାବେ ପାଳନ କରିବାରେ ସକ୍ଷମ ବୋଲି ପ୍ରମାଣ କରିଛି । ସାଗର, ମୌସୁମୀ, ଫ୍ରାସେରଗୁଞ୍ଜ ଓ ବଖାଲି ଭଳି ଅଞ୍ଚଳରେ ସରକାରୀ ଉଦାସୀନତା କାରଣରୁ ହେନ୍ତାଳବଣର ଧ୍ୱଂସ ଅତିମାତ୍ରାରେ ବୃଦ୍ଧି ପାଇ ସୁନ୍ଦରବନର ସୁନ୍ଦରତା ଓ ପ୍ରକୃତିର ଅବଦାନକୁ ନଷ୍ଟ କରାଯାଉଛି । ଜନବସତି ସ୍ଥାପନ ହୋଇ ଜୀବୀକା ନିର୍ବାହ କରିବାକୁ ବିଗତ ପ୍ରାୟ କେଇ ବର୍ଷ ମଧ୍ୟରେ ବ୍ୟାପକ ହେନ୍ତାଳ ବଣ ଧ୍ୱଂସ ହୋଇଛି । ଭୋଟବ୍ୟାଙ୍କ ରାଜନୀତି ଏହାକୁ ପ୍ରୋତ୍ସାହନ ଦେଉଥିବା ବେଳେ ସରକାରୀ ଖାତାରେ ସୁନ୍ଦରବନର ଆୟତନ ବୃଦ୍ଧି ଦେଖାଯାଇ ତୃଷ୍ଟିକରଣ ନୀତିର ପ୍ରତିଫଳନ ହୋଇଛି । ପୂର୍ବ ସୁନ୍ଦରବନ ବର୍ତ୍ତମାନ ତାର ଅସ୍ତିତ୍ୱ ହରାଇ ସାରିଲାଣି । ଜାଣିଲେ ଆଶ୍ଚର୍ଯ୍ୟ ଲାଗେ, ସୁନ୍ଦରବନରେ ଯେପରି ଇକୋଟୁରିଜିମ୍ ନାମରେ ବ୍ୟବସାୟିକ ପ୍ରୋତ୍ସାହନ ଦିଆଯାଉଛି ତାହା ନିକଟ ଭବିଷ୍ୟତରେ ସୁନ୍ଦରବନର ପରିଚୟକୁ ପ୍ରକୃତି କୋଳରୁ ହଜାଇ ଦେବ, ଏହି ପ୍ରକ୍ରିୟା ପ୍ରାୟତଃ ଆରମ୍ଭ ହୋଇଗଲାଣି ।
ୱାର୍ଲଡ଼୍ ୱାଇଡ଼୍ ଫଣ୍ଡ୍ ପକ୍ଷରୁ ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ସୁନ୍ଦରବନର ୧୨ଟି ପ୍ରଜାତିର ବିରଳ ଅର୍ଚିଡ଼୍ ମଧ୍ୟରୁ ଆଜି ପ୍ରାୟ ୯ଟି ପ୍ରଜାତି ଲୋପ ପାଇଗଲାଣି । ବ୍ୟାପକ ହେନ୍ତାଳବଣର ଧ୍ୱଂସ ସାଧନ କରାଯାଇ ସୁନ୍ଦରବନର ଜଙ୍ଗଲ ଜମିକୁ ମାଛ ଚାଷ ପାଇଁ ଲିଜ୍ ଦିଆଯାଉଛି । ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ସର୍ବାଧିକ ହେନ୍ତାଳବଣ ଅନୈତିକ ଭାବେ ଲିଜ୍ ଦିଆଯାଇ ମାଛ ଚାଷ ଓ କେତେକାଂଶରେ ଚାଷ ଜମି କରାଯାଉଛି । ବର୍ତ୍ତମାନ ସେଠାରେ ଆଉ ମାତ୍ର ୨୬ ବର୍ଗ କି.ମି ହେନ୍ତାଳବଣ ରହିଛି । ଦକ୍ଷିଣ ଚବିଶ ପ୍ରଗଣାର ୨୦୮୪ ବର୍ଗ କି.ମି ହେନ୍ତାଳ ବଣର ଆୟତନ ଆଜି ଅଧାରୁ ଅଧିକ ଉଜୁଡ଼ି ଗଲାଣି । କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ସମୁଦ୍ର ବିଜ୍ଞାନୀ ଅଭିଜିତ୍ ମିତ୍ର ଏହା କୁହନ୍ତି ।
ବାଲି ଦ୍ୱୀପ ସ୍ଥିତ ଗୋସବା ଗାଁର ମହମ୍ମୁଦ ଜିଆଉଲ କୁହନ୍ତି ଅମ୍ଫନ ପଶ୍ଚିମ ବଙ୍ଗର ୨୧୫୬୦ କି.ମି ପ୍ରଭାବିତ କରିଛ । ଗତ ୩୦ ବର୍ଷ ମଧ୍ୟରେ କରାଯାଇଥିବା ଏକ ସର୍ଭେର ଅନୁଧ୍ୟାନରୁ ଜଣାପଡ଼ିଛି ମୋଟ ସୁନ୍ଦରବନର ଭଙ୍ଗୁର ପରିସଂସ୍ଥାନ ଅଞ୍ଚଳ ମଧ୍ୟରୁ (ଭାରତ-ବାଂଲାଦେଶ) କେବଳ ମୃତ୍ତିକା କ୍ଷୟ କାରଣରୁ ବର୍ତ୍ତମାନ ସୁଦ୍ଧା ୨୪.୫୫ପ୍ରତିଶତ ଅର୍ଥାତ୍ ୧୩୬.୭୭ବର୍ଗ କି.ମି ସମ୍ପୂର୍ଣ୍ଣ ଧ୍ୱଂସ ପାଇସାରିଛି। ଉଦ୍ବେଗର ପ୍ରସଙ୍ଗ କ୍ରମାଗତ ଏବଂ ସ୍ଥାୟୀ ଭାବେ ଏଭଳି ଧ୍ୱଂସ ସାଧନ ହୋଇଚାଲୁଛି । ଏଥିପାଇଁ କେହି ଚିନ୍ତିତ ନୁହେଁ । ତେବେ ମୃତ୍ତିକା କ୍ଷୟ ଓ ବାତ୍ୟାଭଳି ପ୍ରାକୃତିକ ଧ୍ୱଂସ ସାଧନକୁ ସୁନ୍ଦରବନର ପ୍ରକୃତି ଭରଣା ପ୍ରାକୃତିକ ଉପାୟରେ କରିପାରିବ । କିନ୍ତୁ ଯଦି ମଣିଷକୃତ ଧ୍ୱଂସ ସାଧନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯିବ । ଅପରପଟରେ ହେନ୍ତାଳ ବଣର ଉପର ମୁଣ୍ଡରେ ରହୁଥିବା ନଈନାଳ ଉପରେ ଯେଉଁ ବନ୍ଧ ନିର୍ମାଣ ହେଉଛି ତାହା ସବୁଠାରୁ ବଡ଼ ବିପଦ ଭାବରେ ଉଭା ହେଉଛି । ଏହାର ଭରଣା ପ୍ରକୃତି କରିପାରିବ ନାହିଁ । ତେଣୁ ଅଚିରରେ ହେନ୍ତାଳ ବଣଗୁଡ଼ିକ ଭବିଷ୍ୟତରେ ଧ୍ୱଂସ ପାଇଯିବେ ।
ନେଚର୍ ଆଣ୍ଡ୍ ୱାଇଲ୍ଡ ଲାଇଫ୍ ସୋସାଇଟିର ସମ୍ପାଦିକା ଅଜନ୍ତା ଦେ ଅଭିଯୋଗ କରନ୍ତି “ସୁନ୍ଦରବନର ପ୍ରକୃତ ସ୍ଥାନୀୟ ବାସିନ୍ଦା ଗରିବ ଓ ଅପପୁଷ୍ଟିର ଶିକାର ହୋଇଆସୁଛନ୍ତି । ଅନ୍ୟପଟରେ ମୁଷ୍ଟିମେୟ ଅସାଧୁ ବ୍ୟବସାୟୀ ବାହାରୁ ଆସି ସୁନ୍ଦରବନର ପରିସଂସ୍ଥାନ ଧ୍ୱଂସ ବିଧ୍ୱସ୍ତ କରି ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି । ବାଘ ସଂରକ୍ଷଣ ପ୍ରକଳ୍ପ ବାହାରେ ରହିଥିବା ସୁନ୍ଦରବନ ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡା ଜନସାଧାରଣଙ୍କ ଜଙ୍ଗଲ ଜମି ଓ ଜନସଂଖ୍ୟାର ସାନ୍ଧ୍ରତା ହେଉଛି ପ୍ରତି ବର୍ଗ କି.ମି ପିଛା ୧୦୦୦ । ଉତ୍ତର ଏବଂ ଉତ୍ତର ପଶ୍ଚିମ ସୁନ୍ଦରବନରେ ବ୍ୟାପକ ଜନବସତି ବୃଦ୍ଧି ପାଇ ସୁନ୍ଦରବନର ଭଙ୍ଗୁର ପରିବେଶ ଉପରେ ପ୍ରବଳ ଚାପ ସୃଷ୍ଟି ହେଉଛି । ବିଶ୍ୱରୁ ଲୋପ ପାଇଯାଇଥିବା ବିରଳ ପ୍ରଜାତି ନଈନାଳର ମଧୁର ଜଳ କଇଁଛ(ବତାଗୁଡ଼ ବତକା), ଯାହାକି ଉତ୍ତର ହେନ୍ତାଳ ବଣ ନଈ ନାଳରେ ଦେଖାଯାଆନ୍ତି ଏବଂ ଇରାଉଏଡ଼୍ ଡ଼ଲଫିନ୍ ଭଳି ପ୍ରାଣୀଙ୍କ ଜୀବନ ସମ୍ପୂର୍ଣ୍ଣ ବିପଦଗ୍ରସ୍ତ । ନୀଳରକ୍ତ କଙ୍କଡ଼ା ସୁନ୍ଦରବନରୁ ଲୋପ ପାଇବାକୁ ବସିଲେଣି । ଭାରତରେ ଦେଖାଯାଉଥିବା ୧୨ଟି ପ୍ରଜାତିର ମାଛରଙ୍କା (କିଙ୍ଗଫିସର୍) ଚଢ଼େଇ ମଧ୍ୟରୁ ଆଠଟି ପ୍ରଜାତିର ମାଛରଙ୍କା ଆଜି ଏଠାରେ ଦେଖାଯାଉଥିôବାବେଳେ, ଏମାନଙ୍କର ଜୀବନ ମଧ୍ୟ ବିପଦଗ୍ରସ୍ତ ହେଲାଣି ।
ଗାଁ ଗଣ୍ଡାରେ ବାଘ ନପଶିବା ପାଇଁ ୧୦୦କି.ମି ରୁ ଉର୍ଦ୍ଧ୍ୱ ଯେଉଁ ନାଇଲନ୍ ତାରଜାଲି ଘେରାଯାଇ ବାଡ଼ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଖୀନଭିନ୍ ହୋଇଯାଇଛି । ବାଘ -ମଣିଷର ସଂଘର୍ଷ ଆଗାମୀ ଦିନରେ ବୃଦ୍ଧି ପାଇବାର ଆଶଙ୍କାରେ ଜଙ୍ଗଲ ବିଭାଗ ଚିନ୍ତାରେ ଥିବାବେଳେ, କରୋନା ଭାଇରସ୍ ସଂକ୍ରମଣ ଗାଁ ଗଣ୍ଡାରୁ ବାଘ ସଂରକ୍ଷଣ ପ୍ରକଳ୍ପକୁ ଆସିବାର ଆତଙ୍କରେ ବର୍ତ୍ତମାନ ଜଙ୍ଗଲ ମନ୍ତ୍ରଣାଳୟ ଆତଙ୍କିତ । ୨୦୦୨ରେ ଆରମ୍ଭ ହୋଇଥିବା ଏହି ନାଇଲନ୍ ତାରଜାଲି କାର୍ଯ୍ୟ ପୁନଶ୍ଚ ୨୦୦ କୋଟି ଟଙ୍କା ବ୍ୟୟରେ ନୂଆ କରି କରାଯିବାକୁ ଯୋଜାନା ହୋଇଛି । ଏହା ସହିତ ବାଂଲାଦେଶ ଭିତରକୁ ବାଘ ଯେପରି ଚାଲିନଯିବେ ସେଥିପ୍ରତି ପ୍ରାୟ ୩୧ଟି ପଏଣ୍ଟ୍ରେ ଶତାଧିକ ଜଙ୍ଗଲ ବିଭାଗ କର୍ମଚାରୀ ପହରା ଦେଇ ନରୀକ୍ଷଣ କରୁଛନ୍ତି । ଯଥାଶୀଘ୍ର ସୁନ୍ଦରବନକୁ ସୁରକ୍ଷିତ ରଖିବାକୁ ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କୁହନ୍ତି । ଅଧିକ ମାତ୍ରାରେ ସାମୁଦ୍ରିକ ଜୁଆର ଯୋଗୁଁ ହରିଣ, ବାରହା ଏବଂ ଅନେକ ପ୍ରକାରର ସରୀଶୃପ (କୁମ୍ଭୀରକୁ ବାଦ୍ ଦେଇ) ମୃତ୍ୟୁବରଣ କରିଥିବାର ନିଶ୍ଚତ ହେଉଛି । ଅନ୍ୟପଟରେ ତୀବ୍ର ବାତ୍ୟାର ପବନ ଯୋଗୁଁ ଅନେକ ପ୍ରଜାତିର ପକ୍ଷୀ ନିଶ୍ଚିତ ଭାବେ ମୃତ୍ୟୁବରଣ କରିଥିବେ ।
ତେବେ ଖୁସିର କଥା ପଶ୍ଚିମବଙ୍ଗର ସୁନ୍ଦରବନ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଘୋଷଣା କରାଯାଇଛି ଅମ୍ପନ ମହାବଳ ବାଘମାନଙ୍କର କୌଣସି କ୍ଷୟକ୍ଷତି ଓ ଜୀବନହାନୀ କରିନାହିଁ । ବାଘମାନେ ଗ୍ରାମମଧ୍ୟକୁ ପଶିବାର ଉଦ୍ୟମ କରିନାହାନ୍ତି କିମ୍ବା ବାଂଲାଦେଶ ସୀମା ଜଙ୍ଗଲକୁ ମଧ୍ୟ ଯାଇନାହାନ୍ତି । ଏ ପରିପ୍ରେକ୍ଷୀରେ ଏକ ମହାବଳ ବାଘର ଫଟୋ ମଧ୍ୟ ଗଣମାଧ୍ୟମକୁ ଦିଆଯାଇଛି । ତେବେ ଅନ୍ୟାନ୍ୟ ବନ୍ୟ ପ୍ରାଣୀପ୍ରସଙ୍ଗରେ ଜଙ୍ଗଲବିଭାଗ କିଛି କହିନାହାନ୍ତି ।
ଉଷ୍ମମଣ୍ଡଳୀୟ ବାତ୍ୟା ଅଧିକରୁ ଅଧିକ ତୀବ୍ର ଓ ଘାତକ ହେବ: ବାତ୍ୟା ବିପତ୍ତି
ଯଦି ଆମେ ଅନୁଧ୍ୟାନ କରିବା ତେବେ ଆମେ ଦେଖିପାରିବା ୧୯୯୯ ମସିହାର ମହାବାତ୍ୟା ପରଠାରୁ ବିଗତ ଦୁଇଦଶନ୍ଧି ମଧ୍ୟରେ ଉସ୍ମ ମଣ୍ଡଳୀୟ ସାମୁଦ୍ରିକ ବାତ୍ୟା ଓ ତୋଫାନ୍ “ସାଇକ୍ଲୋନ୍ ଷ୍ଟର୍ମ ବା ହୁରିକେନ୍’ (ହୁରିକେନ୍ ଆସିଲେ ପବନର ବେଗ ଘଣ୍ଟା ପ୍ରତି ୧୨୦କି.ମି ରୁ ଉର୍ଦ୍ଧ୍ୱ ହୁଏ । ଏହାକୁ ସାଧାରଣତଃ ଶକ୍ତିଶାଳୀ ଝଡ ତୋଫାନ କୁହାଯାଏ ) । ପ୍ରାୟତଃ ପ୍ରତି ବର୍ଷ ଆରବସାଗର ଓ ବଙ୍ଗୋପସାଗରରେ ଉଷ୍ମ ମଣ୍ଡଳୀୟ ବାତ୍ୟା ସୃଷ୍ଟି ହୋଇ ବ୍ୟାପକ ଧନଜୀବନ ହାନୀ କରୁଛି । ଗତ ଦୁଇ ଦଶନ୍ଧି ଧରି ଏଭଳି ଉଷ୍ମ ମଣ୍ଡଳୀୟ ସାମୁଦ୍ରିକ ବାତ୍ୟା ତଥା ତୋଫାନ୍ ଗବେଷଣା କ୍ଷେତ୍ରରେ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଛି, ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ବାୟୁର ବେଗ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଆଖିଦୃଶିଆ ପରିବର୍ତ୍ତନ ଘଟିସାରିଛି ନା’ ଆଗାମୀ ଦିନରେ ଏହି ଧାରା ଆହୁରି ଅଧକ ବୃଦ୍ଧି ପାଇ ତୀବ୍ରତର ହେବ । ପାଣିପାଗ ବିଜ୍ଞାନୀମାନଙ୍କ ମତରେ ମନୁଷ୍ୟକୃତ କାର୍ଯ୍ୟକଳାପ ଭୂପୃଷ୍ଠ ଓ ବାୟୁମଣ୍ଡଳର ତାପମାତ୍ରାକୁ କ୍ରମାଗତଭାବେ ବୃଦ୍ଧି କରିଚାଲିଛି । ଏହାଦ୍ୱାରା ସମୁଦ୍ର ସମୂହ ଅଧିକରୁ ଅଧିକ ଉତ୍ତପ୍ତ ହେବାରେ ଲାଗୁଛି । ବାୟୁ ମଣ୍ଡଳ ତୁଳନାରେ ବର୍ତ୍ତମାନ ସମୁଦ୍ର ଅଧିକ ଉତ୍ତପ୍ତ ହୋଇସାରିଲାଣି ।
ଉଷ୍ମ ମଣ୍ଡଳୀୟ ଅବପାତ ସୃଷ୍ଟି ହୋଇ ଏହା ଅଧିକ ଶକ୍ତିଶାଳୀ ବାତ୍ୟା ଓ ତୋଫାନ୍ରେ ପରିଣତ ହେବାକୁ ସମୁଦ୍ରର ତାପମାତ୍ରା ବୃଦ୍ଧି ସମସ୍ତ ପ୍ରକାରର ଆବଶ୍ୟକୀୟ ସୁଯୋଗ ଯୋଗାଇ ଦେଉଛି । ବାୟୁମଣ୍ଡଳରେ ରହୁଥିବା ଉତ୍ତପ୍ତ ଜଳୀୟ ବାଷ୍ପକଣା ସୃଷ୍ଟି ହେଉଥିବା ଅବପାତକୁ ଭୟଙ୍କର ଶକ୍ତିଶାଳୀ ଉଷ୍ମ ମଣ୍ଡଳୀୟ ବାତ୍ୟାରେ ପରିଣତ କରିବାକୁ ସମସ୍ତ ପ୍ରକାରର ପାରିବେଶିକ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି। ଆଜିବି ପାଣିପାଗ ବିଜ୍ଞାନୀମାନେ ଆବଶ୍ୟକୀୟ ପରିସଂସ୍ଥାନ ଓ ଗବେଷଣାର ସିଦ୍ଧାନ୍ତ ଦୃଷ୍ଟିରୁ ବିଶ୍ୱତାପମାତ୍ରା ବୃଦ୍ଧି ଏବଂ ଉଷ୍ମ ମଣ୍ଡଳୀୟ ଶକ୍ତିଶାଳୀ ବାତ୍ୟାର ସୃଷ୍ଟିକୁ ନେଇ ଦ୍ୱିଧାରେ ରହୁଛନ୍ତି । କିନ୍ତୁ ପାଣିପାଗ ବିଜ୍ଞାନୀମାନେ ନିଶ୍ଚିନ୍ତ ସିଦ୍ଧାନ୍ତରେ ଉପନୀତ ହୋଇସାରିଛନ୍ତି, ବିଶ୍ୱରେ ପ୍ରତି ଦଶନ୍ଧିରେ ୮ପ୍ରତିଶତ ଅବପାତ ଅଧିକ ଘନୀଭୂତ ହୋଇ ବିପଦଜନକ ତୃତୀୟ ଶ୍ରେଣୀର ଶକ୍ତିଶାଳୀ ବାତ୍ୟା କିମ୍ବା ତା’ଠାରୁ ଉପର ଶ୍ରେଣୀର ଅଧିକ ଭୟଙ୍କର ବାତ୍ୟାରେ ରୂପାନ୍ତରିତ ହେଉଛି । ପାଣିପାଗ ବିଜ୍ଞାନୀମାନେ ବିଭିନ୍ନ ଗବେଷଣା ଦ୍ୱାରା ପ୍ରମାଣିତ ସିଦ୍ଧାନ୍ତକୁ ନେଇ ନିଶ୍ଚିତ ହୋଇସାରିଛନ୍ତି, ବର୍ତ୍ତମାନ ଉତ୍ପତ୍ତି ହେଉଥିବା ଅବପାତ ଅତି ଶକ୍ତଭାବେ ତାର ଧାରାରେ ପ୍ରବଳରୁ ପ୍ରବଳତ୍ତର ଭାବେ ପରିବର୍ତ୍ତନ ଆଣି ଅତି ବିପଦପ୍ରବଣ ବାତ୍ୟାରେ ପରିଣତ ହେଉଛି ।
ଖୋଦ୍ ଏହି ଉଷ୍ମ ମଣ୍ଡଳୀୟ ବାତ୍ୟାର ତଥ୍ୟ ପ୍ରମାଣ, ଉଷ୍ମ ମଣ୍ଡଳୀୟ ବାତ୍ୟା ସମ୍ପର୍କିତ ସମସ୍ତ ଗବେଷଣା ପ୍ରମାଣିତ ତଥ୍ୟ ଭିତ୍ତିକ ସିଦ୍ଧାନ୍ତ ଏକତ୍ର କରିବାରେ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହେଉଛି । ବିଶ୍ୱର ବିଭିନ୍ନ ସ୍ଥାନରେ ପାଣିପାଗ ବିଜ୍ଞାନୀମାନେ ସେମାନଙ୍କ ଗବେଷଣାରେ ଭିନ୍ନ ଭିନ୍ନ ଉପାୟ ଓ ପ୍ରଣାଳୀ ବ୍ୟବହାର କରୁଛନ୍ତି । ଗବେଷଣାର ପ୍ରାମାଣିକ ତଥ୍ୟରେ ଆଧାରିତ ବିବିଧତା ଓ ବିଭିନ୍ନତା ଦେଖାଯାଉଛି । ବିଶ୍ୱର ବିଭିନ୍ନ ପାଣିପାଗ ବିଜ୍ଞାନୀମାନଙ୍କର ଏହି ବିବିଧତା ତଥ୍ୟ ପ୍ରମାଣ ଆଧାରରେ ଏକ ସମଜାତୀୟ ପ୍ରାମାଣିକ ସିଦ୍ଧାନ୍ତ ଉପରେ ବର୍ତ୍ତମାନ ଗବେଷଣା କରାଯାଉଛି ବୋଲି ପୃଥିବୀର ବିଶିଷ୍ଟ ସମୁଦ୍ର ଓ ପାଣିପାଗ ବୈଜ୍ଞାନିକ ଜେମସ୍ କୋସିନ୍ ମତ ଦିଅନ୍ତି ।
କୋସିନ୍ କୁହନ୍ତି, “ଗବେଷଣାର ତଥ୍ୟ ପ୍ରତି ବର୍ଷ ପରିବର୍ତ୍ତନ ହୋଇ ଏକ ନୂଆ ସିଦ୍ଧାନ୍ତ ଆମପାଇଁ ସବୁଥର ଆହ୍ୱାନ ଓ ସମସ୍ୟା ସୃଷ୍ଟି କରୁଛି। ଯାହାକୁ ବୁଝି ଗବେଷଣାକୁ ଆଗକୁ ନେବାରେ ସମୟ ସାପେକ୍ଷ ଓ କଷ୍ଟସାଧ୍ୟ ହେଉଛି । ଯଦିଓ ଆମେ ଗବେଷଣାରରେ ଅତି ଉନ୍ନତମାନର ବୈଜ୍ଞାନିକ ପଦ୍ଧତି ଓ ବୈଷୟିକ ଜ୍ଞାନ ତଥା କୌଶଳର ପ୍ରୟୋଗ କରୁଛୁ ତଥାପି ପ୍ରତିଟି ସମୟର ଅନ୍ତରରେ ଏହି ଉଷ୍ମ ମଣ୍ଡଳୀୟ ବାତ୍ୟାର ପ୍ରବୃତ୍ତିରେ ବ୍ୟାପକ ପରିବର୍ତ୍ତନ ସୃଷ୍ଟି ହେଉଛି ଯାହାକୁ ସୀମିତ ସମୟ ମଧ୍ୟରେ ଗବେଷଣା କରି ଏକ ନିର୍ଯ୍ୟାସରେ ପହଁଚି ସମ୍ପୂର୍ଣ୍ଣ ନିବନ୍ଧ ପ୍ରକାଶ କରି ବିଶ୍ୱ ସମୁଦାୟକୁ ସୂଚନା ଦେବା ସମ୍ଭବ ହୋଇପାରୁନାହିଁ ।
ପ୍ରତ୍ୟେକ ନୂଆ ନୂଆ ଜ୍ଞାନ କୌଶଳରେ ନିର୍ମିତ ଉନ୍ନତମାନର ସ୍ୟାଟେଲାଇଟ୍ ପ୍ରତିଥର ଏକ ପରିବର୍ତ୍ତନୀୟ ଚିତ୍ର ଓ ତଥ୍ୟ ଏହି ଉଷ୍ମ ମଣ୍ଡଳୀୟ ସାମୁଦ୍ରିକ ପାଣିପାଗର ସ୍ଥିତି ଓ ଗତି ଉପରେ ଦେଉଛି । ତେଣୁ ଗବେଷଣାର ଦିଗ ପରିବର୍ତ୍ତନ ହେବା ସହିତ ପ୍ରତିଟି ସିଦ୍ଧାନ୍ତରେ ଉପନୀତ ପ୍ରମାଣ ପୁନଶ୍ଚ ବଦଳି ଯାଉଛି । ଏହାଦ୍ୱାରା ପାଣିପାଗ ବିଜ୍ଞାନୀମାନେ ଏକ ନିଶ୍ଚିତ ସିଦ୍ଧାନ୍ତରେ ଉପନୀତ ହୋଇପାରୁନାହାନ୍ତି । ଉଷ୍ମ ମଣ୍ଡଳୀୟ ବାତ୍ୟାର ପ୍ରକୋପ ଯେପରି ହଠାତ୍ ବୃଦ୍ଧି ପାଉଛି ତାର ଶକ୍ତି, ଗତି ଓ ବେଗକୁ ସଠିକ୍ ଭାବେ ପୂର୍ବାନୁମାନ କରିବା ଅନେକାଂଶରେ କଷ୍ଟସାଧ୍ୟ ହୋଇପଡ଼ୁଛି । ଯେଉଁ ହାରରେ ଗୋଟିଏ ଅବପାତ ସୃଷ୍ଟି ହେଉଛି ହଠାତ୍ ଚାହୁଁ ଚାହୁଁ ସେହି ଅବପାତର ସାମର୍ଥ୍ୟ ଓ ଶକ୍ତି ତଥା ବେଗ ବୃଦ୍ଧି ପାଇଯାଉଛି ଯାହାକି ଅମ୍ପନ କ୍ଷେତ୍ରରେ ଦେଖାଯାଇଛି । ମାତ୍ର ୧୮ଘଣ୍ଟାର ବ୍ୟବଧାନ ମଧ୍ୟରେ ଅମ୍ପନଏକ ଅତି ବିପଦପ୍ରବଣ ପଞ୍ଚମଶ୍ରେଣୀୟ ଭୟଙ୍କର ବାତ୍ୟାର ରୂପ ନେଲା ବୋଲି କୋସିନ୍ କୁହନ୍ତି ।
ଅନେକ କାରଣରୁ ଦୀର୍ଘ ୨୧ବର୍ଷ ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉଷ୍ମ ମଣ୍ଡଳୀୟ ବାତ୍ୟା ଅମ୍ପନ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିଛି। ଅବପାତର ସ୍ୱଳ୍ପ ସମୟରେ ଅମ୍ପନ ସୁପର ସାଇକ୍ଲୋନ୍ର ରୂପ ନେବାର ସମସ୍ତ ସ୍ପଷ୍ଟ ପ୍ରମାଣ ଜାହିର କଲା, ସ୍ତଳଭାଗ ଛୁଇଁବା ପରେ ଅମ୍ପନଏକ୍ସଷ୍ଟ୍ରିମ୍ ସିଭିଅର ସାଇକ୍ଲୋନ ହେବା ଏହାର ଏକ ବିଶେଷ ପରିଚୟ । ପୁନଶ୍ଚ ଅମ୍ପନର ଆଖି “ସେଣ୍ଟର ଅଫ୍ ସାଇକ୍ଲୋନ୍” ଏକ ସୁପର ସାଇକ୍ଲୋନ୍ର ଆଖି ତୁଳନାରେ ଛୋଟଥିଲା, ଯାହାର ରେଡ଼ିଅସ୍ ୧୨ରୁ ୧୪ କି.ମି ମଧ୍ୟରେ ରହିଥିଲା ବୋଲି ଭାରତୀୟ ପାଣିପାଗ ସଂସ୍ଥାର ବୈଜ୍ଞାନିକମାନେ ମତ ଦେଇ ଅମ୍ପନକୁ ଏକ ଭିନ୍ନ ପ୍ରକାରର ସ୍ୱତନ୍ତ୍ର ସୁପର ସାଇକ୍ଲୋନ୍ ବୋଲି ଦର୍ଶାଇଛନ୍ତି । ଏଠାରେ ମନେରଖିବାକୁ ହେବ ସମୁଦ୍ରରେ ପ୍ରଥମେ ଡ଼ିପ୍ରେସନ୍ ପରେ ଡ଼ିପ୍ ଡ଼ିପ୍ରେସନ୍ ପୁନଶ୍ଚ ସିଭିଅର ସାଇକ୍ଲୋନ୍ ଏବଂ ଭେରି ସିଭିଅର୍ ସାଇକ୍ଲୋନ୍ ପରିବର୍ତ୍ତନ ହୋଇ ଏକ୍ସଷ୍ଟ୍ରିମ୍ ସିଭିଅର ସାଇକ୍ଲୋନ୍ ଶେଷରେ ସୁପର ସାଇକ୍ଲୋନ୍ ହୋଇଥାଏ ।
୧୯୭୯ ମସିହାରୁ ୨୦୧୭, ଦୀର୍ଘ ୩୯ ବର୍ଷର ପରିସଂଖ୍ୟାନ ଓ ତଥ୍ୟ ଆଧରରେ ପାଣିପାଗ ବିଜ୍ଞାନୀମାନେ ବିଶ୍ୱରେ ବାତ୍ୟାର ଗତି,ବେଗ ଓ ତୀବ୍ରତା ଉପରେ ଗବେଷଣା କରି ଅନେକ ସମସ୍ୟାରୁ ଆଗକୁ ବଢ଼ିଛନ୍ତି । ଏହି ନୂତନ ଗବେଷଣାର ସିଦ୍ଧାନ୍ତ ୨୦୧୩ ମସିହାର ପ୍ରକାଶିତ ଗବେଷଣା ସିଦ୍ଧାନ୍ତ ଠାରୁ ଉନ୍ନତ । ୨୦୧୩ ମସିହାର ବାତ୍ୟା ଗବେଷଣାରେ ୧୯୮୨ ରୁ ୨୦୦୯ ପର୍ଯ୍ୟନ୍ତ ୨୮ ବର୍ଷର ପରିସଂଖ୍ୟାନ ରହିଥିଲା । କିନ୍ତୁ ୩୯ ବର୍ଷର ସାଟେଲାଇଟ୍ ତଥ୍ୟ, ଫଟୋଚିତ୍ର ଓ ପରିସଂଖ୍ୟାନର ନୂତନ ଗବେଷଣା ସିଦ୍ଧାନ୍ତ ନିଶ୍ଚିତ କରିଦେଇଛି ଉଷ୍ମ ମଣ୍ଡଳୀୟ ବାତ୍ୟାର ବେଗ ଓ ତୀବ୍ରତାରେ କ୍ରମାଗତ ବୃଦ୍ଧି ପାଇବାର ଧାରା ପରିଲକ୍ଷିତ ହେଉଛି ।
୧୯୭୦ ମସିହାର ବାଂଲାଦେଶରେ ହୋଇଥିବା ବାତ୍ୟା ପ୍ରାୟ ୧,୫୦,୦୦୦ ଲୋକଙ୍କର ଜୀବନହାନୀ କରିଥିଲା । ୧୯୯୧ର ସାମୁଦ୍ରିକ ଜୁଆର ବାଂଲାଦେଶରେ ପ୍ରାୟ ୧,୩୮,୦୦୦ ଲୋକଙ୍କୁ ସଲିଳ ସମାଧି ଦେଇଥିଲା ବେଳେ ୧୯୯୯ର ମହାବାତ୍ୟା ଓଡ଼ିଶାରେ ପ୍ରାୟ ୧୦ ହଜାର ଲୋକଙ୍କର ପ୍ରାଣହାନୀ ଘଟାଇଥିଲା । ୨୦୦୭ର ବାତ୍ୟା ସିଦ୍ଦିର୍ ଦ୍ୱାରା ଦକ୍ଷିଣ ବାଂଲାଦେଶର ୪ହଜାରଲୋକ ମୃତ୍ୟୁବରଣ କରିଥିଲେ । ସେହିପରି ୨୦୦୮ ମସିହାର ବାତ୍ୟା ନର୍ଗିସ୍ ମିୟାମାର୍ ଇରାୱାଡେ ଡ଼େଲଟାର ବ୍ୟାପକ ଧ୍ୱଂସସାଧନ କରି ୧,୪୦,୦୦୦ ଲୋକଙ୍କୁ ମୃତ୍ୟୁ ମୁହଁକୁ ନେଇଯାଇଥିଲା ।
ବାତ୍ୟା ଅମ୍ପନର ଆକ୍ରମଣରେ ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କର ଜୀବନ ସିଧାସଳଖ ଦୁର୍ବିସହ ହୋଇପଡ଼ିବ ବୋଲି ଜାତିସଂଘର ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜାତିସଂଘର ଦକ୍ଷିଣ ଏସିଆ ନିର୍ଦ୍ଦେଶକ ଜିମ୍ ଗୋପ୍ କହିଛନ୍ତି, “ଅମ୍ପନ ଲକ୍ଷାଧିକ ଶିଶୁମାନଙ୍କର ଘାତକ ସାଜିବ । ଯେଉଁଥିରୁ ଶିଶୁମାନଙ୍କର ସୁରକ୍ଷା ଏବଂ ସଙ୍କଟଗ୍ରସ୍ତ ଶୈଶବ୍ୟକୁ ସୁରକ୍ଷିତ କରିବା ସାର୍ବଦେଶିକ କରୋନା ମହାମାରୀ ସମୟରେ ଭାରତ ଓ ବାଂଲାଦେଶର ସରକାରଙ୍କ ଆଗରେ ଏକ ବିରାଟ ସଙ୍କଟ ଓ ଆହ୍ୱାନ ହୋଇ ଉଭା ହେବ ।
ଗତମାସରେ ଅଙ୍ଗାରକ ଉତ୍ସର୍ଜ୍ଜନ ୧୭% ହ୍ରାସ ପାଇଥିଲା କିନ୍ତୁ ଚଳିତ ମାସ ବେଳକୁ ଲକ୍ଡ଼ାଉନ୍ର କଟକଣା ଉଠିଗଲା, ସେତେବେଳେ ଅଙ୍ଗାରକାମ୍ଳ ଉତ୍ସର୍ଜ୍ଜନ ପୁଣି ବର୍ତ୍ତମାନ ବୃଦ୍ଧି ପାଇଚାଲିଛି । ତେଣୁ ଅଙ୍ଗାରକାମ୍ଳ ଉତ୍ସର୍ଜ୍ଜନ ହ୍ରାସ ପାଇ ବିଶ୍ୱ ତାପମାତ୍ରା ବୃଦ୍ଧି ନିୟନ୍ତ୍ରଣ ହେବବୋଲି ଯେଉଁ କଳ୍ପନା ତାହା କେବଳ ଦିବାସ୍ୱପ୍ନ । ଯଦି ଆମେ ବିଶ୍ୱର ଅଙ୍ଗାରକାମ୍ଳ ଆକଳନକୁ ଲକ୍ଷ୍ୟ କରିବା ତେବେ ଦେଖିବା ଏହା ବୃଦ୍ଧି ପାଇଛି । ୨୦୨୦ ଶେଷ ହେବା ବେଳକୁ ଅଙ୍ଗାରକାମ୍ଳ ସ୍ତର ୨୦୧୯ ତୁଳନାରେ ୪ ରୁ ୭ ପ୍ରତିଶତ କମ ହେବ ବୋଲି ଆକଳନ କରାଯାଇଛି । ଯଦି ଲକଡ଼ାଉନ୍ ବର୍ଷସାରା ଜାରି ରହିବ ତେବେ ଅଙ୍ଗାରକ ଉତ୍ସର୍ଜ୍ଜନ ସ୍ତର ବିଶ୍ୱରେ ୭ ପ୍ରତିଶତ କମିବ । ବର୍ତ୍ତମାନ ଯେପରି ବିଶ୍ୱରେ ଲକଡ଼ାଉନ୍ ପାଳନ କରାଯାଉଛି ଯଦି ଏହି ପ୍ରକ୍ରିୟା ଜାରି ରହିବ ତେବେ ଏଥିରେ ୪ପ୍ରତିଶତ ହ୍ରାସ ଘଟିବ । ଖୁସିର ଖବର ଯଦିଓ ଅଙ୍ଗାରକାମ୍ଳ ଉତ୍ସର୍ଜ୍ଜନ ୪ ରୁ ୭ ପ୍ରତିଶତ ମଧ୍ୟରେ ହ୍ରାସ ପାଏ ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରଠାରୁ ଏହା ସର୍ବାଧିକ ହ୍ରାସ ହେବ । ଯଦି ଲକ୍ଡ଼ାଉନ୍ ଦୃଢ଼ଭାବେ ପାଳନ କରାଯାଏ ତେବେ ଅଙ୍ଗାରକାମ୍ଳ ଉତ୍ସର୍ଜ୍ଜନ ହ୍ରାସ ପାଇବା ସହିତ ପୃଥିବୀ ଆହୁରି ୧୮ ଡ଼ିଗ୍ରୀ ସେଲସିଅସ୍ ବିଶ୍ୱ ତାପନକୁ ଏଡ଼ାଇ ଦେଇପାରିବ । ତେବେ ଏହା ଏକ ଅସମ୍ଭବ କାର୍ଯ୍ୟ । ଯଦି ଉତ୍ସର୍ଜ୍ଜନର ପରିମାଣ ୨୦୧୯ସ୍ତରକୁ ଫେରିଆସେ ତେବେ ୧୮ଡ଼ିଗ୍ରୀ ସେଲସିଅସ୍ ତାପନକୁ ଏଡ଼ାଇବା ସକାଶେ ଯେଉଁ ଉଦ୍ୟମ ତାହା ସମ୍ଭବ ହେବନାହିଁ ବରଂ ଗୋଟିଏ ବର୍ଷ ବିଳମ୍ବିତ ହିଁ କରାଯାଇପାରିବ । ଏହି ତଥ୍ୟ ଗ୍ଲୋବାଲ୍ କାର୍ବନ ପ୍ରୋଜେକ୍ଟ ଅନୁଷ୍ଠାନ ଦ୍ୱାରା ଦିଆଯାଇଛି । ଗମନାଗମନ ବନ୍ଦ ହେବା ଯୋଗୁଁ ମୁଖ୍ୟତଃ ବିମାନ ଚଳାଚଳର ହ୍ରାସ ପାଇବା କାରଣରୁ ମୋଟ ପ୍ରଦୂଷଣ ହାର ୧୦ପ୍ରତିଶତ କମ ହୋଇପାରିଛି । ତେଣୁ ଏଭଳି ପରିସ୍ଥିତିରେ ବିଶ୍ୱ ତାପମାତ୍ରାକୁ ଆମେ ହ୍ରାସ କରି ପାଣିପାଗ ଜନିତ ଆପଦ ସ୍ଥିତିରୁ ମୁକୁଳି ବାତ୍ୟା ଓ ବନ୍ୟାଜନିତ ବିପଦରୁ ଉଦ୍ଧାର ପାଇବା ଏକ ସହଜସାଧ୍ୟ ବ୍ୟାପାର ନହେଁ ବରଂ ଏହାକୁ ଏକ ଅବାସ୍ତବ କଳ୍ପନା ବୋଲି କୁହାଯାଇପାରେ ।
ଆମେ ସାଧାରଣତଃ ଏହା ବୁଝିପାରିନଥାଉ ଯେ ବିଶ୍ୱ ତାପମାତ୍ରା ବୃଦ୍ଧି ସହିତ ବାତ୍ୟା, ବନ୍ୟା, ଅତିବୃଷ୍ଟି, ସ୍ୱଳ୍ପବୃଷ୍ଟି ଭଳି ପ୍ରାକୃତିକ ଦୁର୍ବିପାକ ପରିସ୍ପର ସହ ସମ୍ପୃକ୍ତ । କିନ୍ତୁ ବାସ୍ତବରେ ବିଶ୍ୱ ତାପମାତ୍ରା ବୃଦ୍ଧି ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ସୃଷ୍ଟି କରି ମାନବ ସମାଜ ପାଇଁ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଡ଼ାକିଆଣୁଛି । ବିଶ୍ୱରେ କରାଯାଇଥିବା ବିଶ୍ୱ ତାପନ ବୃଦ୍ଧି ଗବେଷଣାରୁ ପ୍ରମାଣ ହୋଇଛି ଜଳବାୟୁ ଅଧିକ ଉତ୍ତପ୍ତ ହେବା ଫଳରେ ବାୟୁମଣ୍ଡଳ ମଧ୍ୟ ଅଧିକ ଉତ୍ତପ୍ତ ହେବ ତଥା ଏହି ଉତ୍ତାପ ସମୁଦ୍ରକୁ ଅଧିକରୁ ଅଧିକ ଉତ୍ତପ୍ତ କରିବ। ଏହା ଅଧିକ କ୍ଷତିକାରକ ଓ ବିପଦ ପ୍ରବଣ ବାତ୍ୟାମାନ ସୃଷ୍ଟି କରିବ । ବର୍ତ୍ତମାନ ଗବେଷଣାର ଆକଳନ ଅନୁଯାୟୀ ଜଣାପଡ଼ୁଛି ବାତ୍ୟାଗୁଡ଼ିକର ସଂଖ୍ୟା ଅପେକ୍ଷାକୃତ କମିଯିବ, କିନ୍ତୁ ବାତ୍ୟାର ସାମର୍ଥ୍ୟ ଓ ଶକ୍ତି ତଥା ବେଗ ଓ ତୀବ୍ରତା ବୃଦ୍ଧି ପାଇବ । ସେହିପରି ସମୁଦ୍ର ସ୍ତର ବୃଦ୍ଧି ପାଉଥିବାରୁ ବାତ୍ୟା ଯୋଗୁଁ ସମୁଦ୍ର ଜୁଆର ଅଧିକ ଉଚ୍ଚକୁ ବୃଦ୍ଧି ପାଇବ ଏବଂ ଏହା ବିଶେଷ ଭାବେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସି ଧନ ଜୀବନର କ୍ଷତି ଘଟାଇବ । ଯଦି ଅମ୍ପନ କ୍ଷେତ୍ରରେ ଆମେ ନିରୀକ୍ଷଣ କରିବା ତେବେ ବୁଝିପାରିବା ଭାରତ ମହାସାଗରରେ ସଙ୍ଗଠିତ ହୋଇଥିବା ପରିବର୍ତ୍ତନଗୁଡିକ ଯୋଗୁଁ ଅମ୍ଫନର ତୀବ୍ରତା ମାତ୍ରାତିରିକ୍ତ ବୃଦ୍ଧି ପାଇଛି । ବିଶ୍ୱ ତାପମାତ୍ରା ବୃଦ୍ଧି କାରଣରୁ ସମୁଦ୍ରର ଉପରି ଭାଗର ଉତ୍ତାପ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ଫଳରେ ଏପରି ହୋଇଛି । ବିଶ୍ୱ ତାପମାତ୍ରା ବୃଦ୍ଧି ଆଗାମୀ ଦିନର ଉଷ୍ମ ମଣ୍ଡଳୀୟ ବାତ୍ୟାକୁ ଅଧିକରୁ ଅଧିକ ତୀବ୍ର ଓ ଘାତକ କରିବ । ତେଣୁ ବିଶ୍ୱ ତାପମାତ୍ରା ବୃଦ୍ଧିର ହ୍ରାସ ଓ ଜଳବାୟୁ ପରିବର୍ତ୍ତନର ପ୍ରତିକାର କରାନଯିବା ପର୍ଯ୍ୟନ୍ତ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ କରାଳ ବିଭୀଷିକା କମିବ ନାହିଁ ।
ଉଭୟ ଭାରତର ଉପକୂଳ ଓ ତ୍ରିକୋଣ ଭୂମି ତଥା ବାଂଲାଦେଶ ସମୁଦ୍ର ପତ୍ତନ ଠାରୁ ବେଶୀ ଉଚ୍ଚରେ ନାହାନ୍ତି । ତେଣୁ ଏହି ଅଞ୍ଚଳ ସବୁ ଏପ୍ରିଲରୁ ଡ଼ିସେମ୍ବର ମଧ୍ୟରେ ବାତ୍ୟା ବିପଦର ପ୍ରକୋପ ଭୋଗନ୍ତି । ଭାରତର ପୂର୍ବ ଉପକୂଳ, ବାଂଲାଦେଶ ଓ ମିୟାମାର ଏକ ତିନିକୋଣିଆ ଅଞ୍ଚଳ ସୃଷ୍ଟି କରନ୍ତି । ତେଣୁ ଏହାର ଶୀର୍ଷ ଅଞ୍ଚଳ ବଙ୍ଗୋପ ସାଗରର ବାତ୍ୟା ଦ୍ୱାରା ବେଶୀ ପ୍ରଭାବିତ ହେବା ସ୍ୱଭାବିକ । ବିଶ୍ୱ ପାଣିପାଗ ସଂସ୍ଥା (ୱାର୍ଲଡ଼୍ ଇଣ୍ଟରନ୍ୟାସନାଲ୍ ୱେଦର ଅର୍ଗାନାଇଜେସନ୍) ମତ ଅନୁଯାୟୀ ବଙ୍ଗୋପ ସାଗର ଏବଂ ଏହାର ପଡ଼ୋଶୀ ଆରବ ସାଗରରେ ସୃଷ୍ଟି ହେଉଥିବା ଉଷ୍ମ ମଣ୍ଡଳୀୟ ବାତ୍ୟାର ପ୍ରଧାନ ସମୟ ହେଉଛି ପ୍ରାୟ ମେ ମାସରୁ ନଭେମ୍ବର ମାସ । ପଶ୍ଚିମ ପ୍ରଶାନ୍ତ ମାହାସାଗରରେ ଉଷ୍ମ ମଣ୍ଡଳୀୟ ବାତ୍ୟା ନିଜର ପ୍ରାଥମିକ ରୂପ ଧାରଣ କରି ବଙ୍ଗୋପ ସାଗର ଆଡ଼କୁ ଆସିବା ପୂର୍ବରୁ ଏହା ଉତ୍ତର ପଶ୍ଚିମ ଦିଗକୁ ଗତିକରେ । ସେଥିମଧ୍ୟରୁ କେତେକ ଦକ୍ଷିଣ ପୂର୍ବ ସମୁଦ୍ର ଉପକୂଳକୁ ଆସେ ଏବଂ ଅନ୍ୟ କେତେକ ଉତ୍ତର ପୂର୍ବ ଦିଗରେ ଗତିକରନ୍ତି ଏବଂ ଏହି ସମୟରେ ସେମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ଆଡ଼କୁ ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେଇ ମାଡ଼ିଆସନ୍ତି । ବଙ୍ଗୋପସାରଗରର ସାମୁଦ୍ରିକ ପରିବେଶ ତଥା ଏହାର ଉପରିଭାଗର ବୃଦ୍ଧି ପାଉଥିବା କ୍ରମାଗତ ଉତ୍ତାପ ଅବପାତକୁ ବାତ୍ୟାରେ ରୂପାନ୍ତରିତ କରିବାକୁ ସମ୍ପୂର୍ଣ୍ଣ ରୂପେ ସହାୟକ ହୋଇଥାଏ ।
ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ସମୁଦ୍ର ଜଳରେ ଲଘୁଚାପ ବଳୟମାନ ସୃଷ୍ଟି ହୁଏ । ତାହା ଗଭୀର ଅବପାତରେ ପରିବର୍ତ୍ତିନ ହୋଇ ବାତ୍ୟାରେ ପରିଣତ ହୋଇଯାଏ । ସମୁଦ୍ର ଜଳରେ ଲଘୁଚାପ ବଳୟର କେନ୍ଦ୍ରରେ ବାୟୁର ବେଗ ସର୍ବାଧିକ ଥାଏ । ଏହି ଲଘୁଚାପ ବଳୟ ବିପୁଳ ପରିମାଣର ଜଳ ଶୋଷି ନେଇ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇଥାଏ । ଏହାଦ୍ୱାରା ବ୍ୟାପକ ଧନଜୀବନହାନୀ ହୋଇଥାଏ । ନାସା ଅନୁଯାୟୀ ଏପରି ଉଷ୍ମ ମଣ୍ଡଳୀୟ ବାତ୍ୟା ହେଉଛି ସବୁଠାରୁ ଶକ୍ତିଶାଳୀ ବିପଦ ପ୍ରବଣ ପାଣିପାଗ ଘଟଣା । ଜୁଆରମାଡ଼ି ଆସିବା ବା ଷ୍ଟର୍ମ ସର୍ଜର୍ ହେଉଛି ବାତ୍ୟା ଯୋଗୁଁ ସମୁଦ୍ରର ସୁଉଚ୍ଚ ଢ଼େଉ ସ୍ଥଳଭାଗକୁ ମାଡ଼ିଆସିବା । ବାତ୍ୟା ଯୋଗୁଁ ସମୁଦ୍ରର ସାଧାରଣ ସ୍ତରଠାରୁ ବହୁ ମିଟର ଉଚ୍ଚ ଏକ ଜଳର ପ୍ରାଚୀର ସଦୃଶ ସୃଷ୍ଟି ହୁଏ । ଏହି ଫୁଲି ଉଠୁଥିବା ସମୁଦ୍ର ଜୁଆର ବାତ୍ୟାଠାରୁ ମଧ୍ୟ ଅଧିକ ତୀବ୍ର ଗତିରେ ସ୍ଥଳଭାଗକୁ ମାଡ଼ିଚାଲେ । ବେଳେ ବେଳେ ଏପରି ଜୁଆର ବାତ୍ୟାଠାରୁ ହଜାରେ କିଲୋମିଟର ଆଗରେ ମଧ୍ୟ ଦେଖିବାକୁ ମିଳେ । ଏହା ସ୍ଥଳ ଭାଗର ଅନେକ କିଲୋମିଟର ପର୍ଯ୍ୟନ୍ତ ମାଡ଼ିଯାଏ । ଏହାର ଗତିପଥରେ ଘର ଦ୍ୱାର ରାସ୍ତାଘାଟ ଓ ସମସ୍ତ ଭିତ୍ତିଭୂମିକୁ ଏହା ଧ୍ୱଂସ କରି ଗ୍ରାସକରେ । ଏପରି ଜୁଆର ମାଡ଼ି ଆସିବା କିମ୍ବା ଷ୍ଟର୍ମ ସର୍ଜ ର ତୀବ୍ରତା ଓ ବ୍ୟପକତା ବିଭିନ୍ନ କାରଣ ଦ୍ୱାରା ପ୍ରଭାବିତ ହୁଏ। ଯେପରିକି ବାତ୍ୟାର ତୀବ୍ରତା, ବାତ୍ୟା ଆଗକୁ କେଉଁ ଗତିରେ ଆଗଉଛି, ବାତ୍ୟାର ଆକାର ବା ବ୍ୟାପକତା ତଥା ଏହା କେଉଁ ଦିଗରୁ ସ୍ଥଳଭାଗ ଆଡକୁ ଗତି କରୁଛି ଇତ୍ୟାଦି । ଏହା ବ୍ୟତୀତ ଉପକୂଳର ଗଠନ ଶୈଳୀ, ଉପସାଗର ମୁହାଣ ଅଞ୍ଚଳ, ହେନ୍ତାଳବଣର ଉପସ୍ଥିତି ଇତ୍ୟାଦି ଏପରି ବାତ୍ୟା ପ୍ରଭାବିତ ଜୁଆର ମାଡ଼ି ଆସିବାକୁ ନିୟନ୍ତ୍ରଣ କରିଥାଏ । ଯଦି ସମୁଦ୍ର ଉପକୂଳରେ ବ୍ୟାପକ ହେନ୍ତାଳ ବଣ ଏବଂ ଝାଉଁଭଳି ବୃକ୍ଷ ରୋପଣ କରାନାଯାଏ ତେବେ ଭବିଷ୍ୟତରେ ଯେଭଳି ବାତ୍ୟା ବିପଦ ବୃଦ୍ଧି ପାଉଛି ତାହା ବଙ୍ଗୋପସାଗରର ଉପକୂଳରେ ବ୍ୟାପକ ତାଣ୍ଡବ ରଚାଇ ଧନଜୀବନ ଧ୍ୱଂସ କରିବ ।
Comments
0 comments