ଓଡ଼ିଶାର ଶାସନ ଦୃଷ୍ଟିରୁ ବିଚାରକୁ ନେଲାବେଳେ ଶାସକମାନଙ୍କର ଅନୁଶାସନ ଗୁଡ଼ିକୁ ଅନୁଧ୍ୟାନରୁ ଜଣାଯାଏ ଯେ, ଶାସକ ମାନଙ୍କର ଲିଖନୀକଳା ମାଧ୍ୟମରେ ଜଣାଯାଏ ତତ୍କାଳୀନ ଭାଷା, ଲିପି ଓ ପ୍ରତୀକକୁ ନେଇ ଆମେ ସେହି ସମୟର ଭାଷାକୁ ଜାଣିପାରିଥାଉ । ସୁବିଧା ଦୃଷ୍ଟିରୁ ତାହାକୁ ଆମେ ବିଭିନ୍ନ ପର୍ଯ୍ୟାୟଭୁକ୍ତ କରିଥାଉ । ସେହିଦୃଷ୍ଟିରୁ ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା, ମଧ୍ୟ ଭାରତୀୟ ଆର୍ଯ୍ୟଭାଷା ଓ ନବୀନ ଭାରତୀୟ ବା ଆଧୁନିକ ଭାରତୀୟ ଆର୍ଯ୍ୟଭାଷା ନାମରେ ବିଭକ୍ତ କରିଥାଉ । ସେହି ଦୃଷ୍ଟିକୋଣରୁ ଏହାକୁ କେହି କେହି ମଧ୍ୟଭାରତୀୟ ଆର୍ଯ୍ୟଭାଷାକୁ ଓ ଅନୁଶାସନ ଅନୁଯାୟୀ ସ୍ତର ବିଭାଜନ କରିଛନ୍ତି ତାହାକୁ ନିମ୍ନରେ ପ୍ରଦତ୍ତ କରାଗଲା । ଏହା ତିନୋଟି ସ୍ତର ଦେଇ ଗତି କରିଅଛି ଯଥା – ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀରୁ ପ୍ରଥମ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଥମ ସ୍ତର, ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ତର ଏବଂ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ତୃତୀୟ ସ୍ତର
ପ୍ରଥମ ସ୍ତର: ଅଶୋକଙ୍କର ଅନୁଶାସନ ସମୂହକୁ ପ୍ରଥମ ସ୍ତର ଭାଷାଭାବେ ଗ୍ରହଣ କରାଯାଇଛି । ଏତଦ୍ ବ୍ୟତୀତ ଅଶୋକଙ୍କର ଶିଳାଲିପି ଏବଂ ହୀନଯାନ ମତାବଲମ୍ବୀ ବୌଦ୍ଧମାନଙ୍କ ପାଲି ସାହିତ୍ୟ ଇତ୍ୟାଦି ଅନୁଭୂତି କିନ୍ତୁ ଅନୁଶାସନର ଭାଷାଗୁଡ଼ିକୁ ପ୍ରାମାଣିକ ଭାଷା ହିସାବରେ ଗ୍ରହଣ କରାଯାଇପାରେ । ଏତଦ୍ ବ୍ୟତୀତ ଅଶୋକ ଶିଳାଲିପି ସମସାମୟିକ କେତୋଟି ଶିଳାଲେଖ ଏହି ପର୍ଯ୍ୟାୟରେ ଗ୍ରହଣ କରାଯାଇଛି । ତାହା ଯେପରି ସୁତକାନୁଶାସନ ଏବଂ ଖାରବେଳ ଅନୁଶାସନ । ତେବେ ଏହି ଶିଳାଲେଖ ଗୁଡ଼ିକରେ ଭାଷା ଯେପରି ଥିଲା, ତାହା ନିମ୍ନରେ ପ୍ରଦତ୍ତ ହେଲା ।
ଅଶୋକାନୁଶାସନ: ଅଶୋକ ଅନୁଶାସନ ଆମେ ଚାରୋଟି ଉପଭାଷାର ଅସ୍ତିତ୍ୱ ହୃଦୟଙ୍ଗମ କରୁ ସେଗୁଡ଼ିକ ହେଲା -(୧) ଉତ୍ତର ପଶ୍ଚିମା – ଅର୍ଥାତ୍ ଶବ୍ଦବାଦଗଡ଼ି ଏବଂ ମାନସେହେରା ଅନୁଶାସନ (୨) ଦକ୍ଷିଣ ପଶ୍ଚିମା – ଅର୍ଥାତ୍ ଗିର୍ନାର ଅନୁଶାସନ । (୩) ପ୍ରାଚ୍ୟ ମଧ୍ୟ – ଅର୍ଥାତ୍ କାଲସୀ ଏବଂ ଛୋଟ ଅନୁଶାସନ ଗୁଡ଼ିକ (୪) ପ୍ରାଚ୍ୟ – ଅର୍ଥାତ୍ ଧୌଳି ଜଉଗଡ଼ ଅନୁଶାସନ ଆଦି ।
ଉଲ୍ଲିଖିତ ଅନୁଶାସନଗୁଡ଼ିକର ପ୍ରଥମ ଭାଷା ହେଉଛି ଉତ୍ତର ପଶ୍ଚିମା । ଏ ଭାଷାର ବିଶେଷତ୍ୱ ହେଉଛି ଯେ – ର ଏବଂ ‘ଓ’ କାର କ୍ଷୁଦ୍ର ବ୍ୟଞ୍ଜନ ଧ୍ୱନିର ବହୁଳ ପ୍ରୟୋଗ ଅଛି । ଯଥା ପ୍ରିୟ, ସ୍ରିୟକ ତଥା ଅସ୍ତି ଆଦି ।
ସେହିପରି ଦ୍ୱିତୀୟ ଉପଭାଷା ହେଉଛି ଦକ୍ଷିଣପଶ୍ଚିମା ଉପଭାଷା । ଏହି ଉପଭାଷାରେ ବୈଦିକ ସଂସ୍କୃତର ଯଥେଷ୍ଟ ପ୍ରଭାବ ଲକ୍ଷିତ ହୁଏ । ଏହାର ବିଶେଷତ୍ୱ ହେଉଛି – ଶ, ଷ ଏବଂ ସ ସ୍ଥାନରେ କେବଳ ଦନ୍ତ୍ୟ ସହକାର ପ୍ରୟୋଗ ଦୃଷ୍ଟି ଗୋଚର ହୁଏ । ସମୟ ବିଶେଷରେ ଦୃ > ରି ହୁଏ ଯେପରି ଏତାଦୃଶ>ଏତାରିଶ, ଯାଦୃଶ>ଯାରିଶ ଆଦି ।
ତୃତୀୟ ଉପଭାଷା ହେଉଛି ପ୍ରାଚ୍ୟମାଧ୍ୟମା । ଏ ଭାଷାର ପ୍ରଧାନ ଲକ୍ଷଣ ହେଲା ସର୍ବତ୍ର ‘ର’ କାରର ‘ଲ’ କାର ହୁଏ ‘ଶ’ ତଥା ‘ଷ’ର ଲୋପ ହୁଏ ନାହିଁ ପଦନ୍ତ ବିସର୍ଗଯୁକ୍ତ ଆକାର ‘ଏ’ କାରରେ ପରିଣତ ହୁଏ । ଅତ୍ୟଳ୍ପ ସ୍ଥାନରେ ପଦ ମଧ୍ୟବର୍ତ୍ତୀ ‘ଓ’ କାରର ‘ଏ’କାର ହେବାର ଦେଖାଯାଏ । ପଦାନ୍ତ ଆକାର ‘ଆ’କାର ହୁଏ ‘ର’ ଏବଂ ‘ସ’ କାର ଯୁକ୍ତ ବ୍ୟଞ୍ଜନ ଧ୍ୱନିର ସମୀଭବନ ହୋଇଥାଏ । ଯେପରି ଅସ୍ତି > ଅଥି, ସର୍ବତ୍ର > ସତ୍ତ ଇତ୍ୟାଦି ।
ଚତୁର୍ଥ ଉପଭାଷା ହେଉଛି ପ୍ରାଚ୍ୟ ଉପଭାଷା । ଏହି ଉପଭାଷାର ଲକ୍ଷଣଗୁଡ଼ିକ ପ୍ରାଚ୍ୟ ମଧ୍ୟମାର ସାମାନ୍ୟ କେତୋଟି ନିୟମ ଛାଡ଼ି ଦେଲେ ଅନ୍ୟ ସବୁ ପ୍ରାଚ୍ୟ ମଧ୍ୟମାର ଅନୁବର୍ତ୍ତୀ କହିଲେ ଚଳେ । ବହିଭୁକ୍ତ ନିୟମଗୁଡ଼ିକ ହେଲା- ପଦାନ୍ତ ଅ-କାର ଯୁକ୍ତ ବିସର୍ଗରେ ‘ଏ’କାରରେ ପରିଣତ ହୁଏ ଏହା ବ୍ୟତୀତ ପଦ ମଧ୍ୟରେ ଥିବା ଓ ଏ ହୁଏ । ଶ, ଷ,ସ ର କେବଳ ‘ସ’ ହୁଏ ର > ଲରେ ପରିଣତ ହୁଏ । ଉତ୍ତମ ପୁରୁଷ ସର୍ବନାମ ପ୍ରଥମା ଏକବଚନରେ ହଃ ହୁଏ ଉକ୍ତ ଉପଭାଷାର ପ୍ରମାଣ ଧୌଳିଗିରିର ଅନୁଶାସନରୁ ମିଳେ ।
ସୁତରାଂ ଏସବୁ ଅନୁଶାସନଗୁଡ଼ିକର ଉପଭାଷା ଭିନ୍ନ ଭିନ୍ନ ହୋଇଥିବାରୁ ଭିନ୍ନ ଭିନ୍ନ ରୂପ ପ୍ରତ୍ନତତ୍ତ୍ୱବିତମାନେ କଳ୍ପନା କରି ପ୍ରତ୍ୟେକର ବିଶେଷତ୍ୱ ପ୍ରଦାନ କରିଅଛନ୍ତି ।
ସୁତକାନୁଶାସନ: ଅଶୋକ ଶିଳାଲିପିର ସମସାମୟିକ ଆଉ ଗୋଟିଏ ଶିଳାଳିପି ଆମ୍ଭେମାନେ ଦେଖିବାକୁ ପାଉ । ତାହାହେଉଛି ସୁତକାନୁଶାସନ । ଏହି ଶିଳା ଲେଖଟି ରାମଗିରି ପାହାଡ଼ ମଝିଅଂଶରେ ଖୋଦିତ ହୋଇଛି । ଏହାର ପ୍ରଥମ ଶବ୍ଦଟି ସୁତନୁକା ହୋଇଥିବାରୁ ଏହାକୁ ସୁତନୁକା ଅନୁଶାସନ ବୋଲି କୁହାଯାଏ । ଏହି ଲିପିର ଭାଷା ଉପରେ ପ୍ରାଚ୍ୟ ଭାଷାର ପ୍ରଭାବ ପଡ଼ିଥିବାର ଦେଖାଯାଏ । ତଥାପି କେତେ ସ୍ଥଳରେ ସ୍ୱତନ୍ତ୍ର ମଧ୍ୟ ରହିଛି । ସେଗୁଡ଼ିକ ହେଲା ‘ସ’ ସ୍ଥାନରେ ‘ଶ’ର ପ୍ରୟୋଗ, ‘ର’ ସ୍ଥାନରେ ‘କ’ର ବ୍ୟବହାର ଏବଂ ପୁଲିଙ୍ଗ ପ୍ରଥମାର ଏକବଚନରେ ‘ଏ’ବିଭକ୍ତିର ପ୍ରୟୋଗ ଦୃଷ୍ଟିଗୋଚର ହୁଏ । ସୁତରାଂ ଏହିପରି କେତେକ ପରାଭିନ୍ନକୁ ଛାଡ଼ିଦେଲେ ଅନ୍ୟସବୁ ପ୍ରାଚ୍ୟ ଭାଷାର ଭାଷା ସହିତ ସମାନ ଥିବାର ଅନୁମାନ କରାଯାଇପାରେ ।
ଖାରବେଳ ଅନୁଶାସନ: ଖାରବେଳ ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରି ପାହାଡ଼ରେ ତାଙ୍କର ରାଜ୍ୟ ଶାସନର ବିବରଣୀ ପ୍ରଦାନ କରିଅଛନ୍ତି । ଏଥିରେ ଦୀର୍ଘ ୧୬ ବର୍ଷର ବିବରଣୀ ଦେଖିବାକୁ ମିଳେ । ଏହାର ଭାଷା ସଂପୂର୍ଣ୍ଣ ପ୍ରାଚ୍ୟ ନୁହେଁ । ଦକ୍ଷିଣ ପଶ୍ଚିମ ଉପଭାଷାର ପ୍ରଭାବ ଏହାର ଦେହରେ ବିଦ୍ୟମାନ । ଗିର୍ନାର ଅନୁଶାସନ ସହିତ ଏହାର ଯଥେଷ୍ଟ ସାମ୍ୟ ଅଛି । ଏ ଅନୁଶାସନର ଭାଷା ପୁରାପୁରି ସାଧୁ ଭାଷା ଅଟେ । ଅଶୋକଙ୍କ ଅନୁଶାସନ ପରି ଏଥିରେ କଥିତଭାଷା ସ୍ଥାନ ପାଇପାରି ନାହିଁ । ପ୍ରାକୃତ ଉପରେ ସଂସ୍କୃତର ପ୍ରଭାବ ବିଶେଷ ଭାବରେ ପଡ଼ିଥିବାର ଲକ୍ଷ୍ୟ କରାଯାଇଥାଏ । କିନ୍ତୁ ପରବର୍ତ୍ତୀ କାଳରେ ସଂସ୍କୃତରେ ପ୍ରଭାବ ଉପରେ ଧୀରେ ଧିରେ କମି ପ୍ରାକୃତର ପ୍ରଭାବ ପ୍ରାଦେଶିକ ଭାଷାମାନଙ୍କ ଉପରେ ବଢ଼ିବାରେ ଲାଗିଲା ସୁତରାଂ ଏହି ସମୟରୁ ହିଁ ପ୍ରାକୃତ ଭାଷାର ପ୍ରସାର ଓ ପ୍ରଚାର ବେଶୀ ପରିମାଣରେ ହୋଇଥିଲା ।
ଦ୍ୱିତୀୟ ସ୍ତର: ଦ୍ୱିତୀୟ ସ୍ତର ଭାଷା ଖ୍ରୀ:ପୂ: ପ୍ରଥମ ଶତାବ୍ଦୀଠାରୁ ଆରମ୍ଭ ହୋଇ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ବିସ୍ତୃତ । କେତେକ ଶିଳାଲିପି ଓ ସାହିତ୍ୟକ ପ୍ରାକୃତ ଏହି ଭାଷାରେ ଦୃଷ୍ଟିଗୋଚର ହୋଇଥାଏ । ମହାରାଷ୍ଟ୍ର, ଶୌରସେନୀ, ଅର୍ଦ୍ଧମାଗଧୀ, ମାଗଧୀ ପୈଶାଚୀ ଏବଂ ବୌଦ୍ଧ ସଂସ୍କୃତ ଏହି ଭାଷାରେ ଓତପ୍ରୋତ ଭାବେ ଜଡ଼ିତ । ଏହି ଭାଷାର ପ୍ରଧାନ ଲକ୍ଷଣ ହେଲା । ସ୍ୱର ମଧ୍ୟସ୍ଥିତ ସ୍କୃଷ୍ଟ ବ୍ୟଞ୍ଜନ ଅଳ୍ପ ପ୍ରାଣ ହେଲେ ଲୁପ୍ତ ହୁଏ ଏବଂ ମହାପ୍ରାଣ ହେଲେ ‘ହ’ କାରରେ ପରିଣତ ହୁଏ । ଯଥା- ଧିତ > ହିତ > ଇଧୁ > ଇହି ଇତ୍ୟାଦି । ଏହି ଦ୍ୱିତୀୟ ସ୍ତରର ସ୍ୱର ମଧ୍ୟଗତ ଅଘୋଷକ ବ୍ୟଞ୍ଜନ ଭସ୍ମୀଭୂତ ହୁଏ । ଯେପରି ପ୍ରତିବିମ୍ବ > ପ୍ରତିସ୍ଥାପିତ, ପାହୁଡ଼ > ପ୍ରାକୃତ ତଥା ସ୍ୱର ମଧ୍ୟଗତ ଭସ୍ମୀଭୂତ ବ୍ୟଞ୍ଜନ ଅଳ୍ପପ୍ରାଣ ହୁଏ ଯଥା – ମଅ > ମଗ୍ >ମଗ > ମୃଗ ଆଦି । ଏହି ସ୍ତରର ଭାଷାରେ ଶବ୍ଦ ଓ ଧାତୁ ରୂପ ସରଳୀକୃତ ହେଲା ଏବଂ କର୍ମ ଭାବବାଚ୍ୟରେ ‘ତ’ ପ୍ରତ୍ୟାୟାନ୍ତ ଅସମାପିକା କର୍ତ୍ତୃବାଚ୍ୟରେ ଅତୀତ କାଳରେ ସମାପିକା କ୍ରିୟାର ସ୍ଥାନ ଗ୍ରହଣ କଲା କର୍ତ୍ତାଛଡ଼ା ବିଭିନ୍ନ କାରକର ଅର୍ଥରେ ବିବିଧ ପଦ ଉପସର୍ଗ ରୂପରେ ଯୁକ୍ତ ହେବାକୁ ଲାଗିଲା ଏହି ମଧ୍ୟଭାରତୀୟ ଆର୍ଯ୍ୟଭାଷାର ଦ୍ୱିତୀୟ ସ୍ତରର ନିଦର୍ଶନ ଆମ୍ଭେମାନେ ଅଶ୍ୱଘୋଷକର ନାଟକରୁ ତଥା ଖରୋଷ୍ଠୀ ଧମ୍ମପଦରୁ ମିଳେ । ଏହି ସ୍ତରରେ ଭାଷାର ପ୍ରାକୃତ ସହିତ ସମ୍ପର୍କ ହୋଇଥିବା ହେତୁ ପ୍ରାକୃତ ବୋଲି ମଧ୍ୟ କୁହାଯାଇପାରେ ।
ତୃତୀୟସ୍ତର: ମଧ୍ୟ ଭାରତୀୟ ଆର୍ଯ୍ୟଭାଷାର ତୃତୀୟ ସ୍ତର ଆମ୍ଭେ ଅପଭ୍ରଂଶ ଦେଖୁ । ଏହାର ସମୟ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ବୋଲି ନିରୂପଣ କରାଯାଇପାରେ । ଏହି ଭାଷା ସମସ୍ତ ତଥା କଥିତ ନବ୍ୟଭାରତୀୟ ଆର୍ଯ୍ୟଭାଷାର ଜନନୀ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଭାଷାରେ ସ୍ୱତନ୍ତ୍ର କିଛି ନିୟମ ନାହିଁ । ବିଶୃଙ୍ଖଳିତ ଅବସ୍ଥାରେ ନିୟମଗୁଡ଼ିକ ବିଦ୍ୟମାନ ଭାଷାବିତମାନେ ଏହି ଭାଷାକୁ ପ୍ରାକୃତ ନାମରେ ଆଖ୍ୟାତ କରିଥିଲେ । ପରବର୍ତ୍ତୀ କାଳରେ ବୈୟାକରଣମାନେ ସଂସ୍କୃତ ବ୍ୟାକରଣକୁ ଲକ୍ଷ୍ୟ କରି ଏହି ଭାଷାର ମଧ୍ୟ ବ୍ୟାକରଣ ରଚନା କରିଥିଲେ ଏହି ଶ୍ରେଣୀର ପ୍ରାକୃତ ଭାଷା ମଧ୍ୟରୁ ପ୍ରଧାନ ଭାଷା ହେଲା – ମହାରାଷ୍ଟ୍ରୀ, ଶୌରସେନୀ, ଅର୍ଦ୍ଧମାଗଧୀ, ପୈଶାଚୀ ତଥା ଅପଭ୍ରଂଶ ଆଦି । ସୁତରାଂ ଏହି ସ୍ତରର ଭାଷା ବ୍ୟାକରଣ ନୀତି ନିୟମ ତଥା ସାହିତ୍ୟକ ଭାଷା ହୋଇନଥିବାରୁ ଅବିଳମ୍ବେ ସୁଦୂର ପ୍ରସାରୀ ହୋଇପାରିଥିଲା । ଅପଭ୍ରଂଶ ଭାଷା ପ୍ରାକୃତର ବିକଶିତ ରୂପ ହୋଇଥିବାରୁ ଚତୁର୍ଦ୍ଦଶ ବା ପଞ୍ଚଦଶ ଶତାବ୍ଦୀ ପରେ ଉତ୍ତର ଭାରତରେ ପାଞ୍ଚାଳୀ, ସିନ୍ଧୀ, ରାଜସ୍ଥାନୀ, ଗୁଜରାଟୀ, ମରାଠୀ, ମାଗଧୀ, ଓଡ଼ିଆ, ଆସାମୀ ଏହିପରି ୧୩ଟି ଭାଷାର ସମ୍ଭବ ହୋଇଥିଲା । ମହାରାଷ୍ଟ୍ରୀ ଅପଭ୍ରଂଶକୁ ଆର୍ଯ୍ୟବର୍ତ୍ତର ଭାଷା ବୋଲି କୁହାଯାଏ । ମାଗଧୀ ପୂର୍ବ ଭାରତରେ ଭାଷାବିଶେଷ । ଜୈନମାନଙ୍କର ଗୃହୀତ ଭାଷା ହେଉଛି ଅର୍ଦ୍ଧମାଗଧି । ଏହି ଅର୍ଦ୍ଧମାଗଧି ଭାଷା ଦେହରୁ ଆମ ଓଡ଼ିଆ ଭାଷା ଜନ୍ମ ନେଇଛି ବୋଲି ପଣ୍ଡିତମାନେ ମତ ଦିଅନ୍ତି । ଏହି ଅପଭ୍ରଂଶକୁ କେହି କେହି ଅବହଟଠ ପର୍ଯ୍ୟାୟରେ ଭାଷା ବୋଲି କହିଥାଆନ୍ତି । ଏହାକୁ ସନ୍ଧ୍ୟାଭାଷା ବା ଶିଶୁଗୀତ ବୋଲି କୁହାଯାଏ । ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ‘ବୌଦ୍ଧଗାନ ଓ ଦୋହା’ ଅପଭ୍ରଂଶ ଭାଷାରେ ଲେଖା ହୋଇଥିବାର କୁହାଯାଏ । ଏହି ‘ବୌଦ୍ଧଗାନ ଓ ଦୋହା’ର ଭାଷା ବହୁ ପରିମାଣରେ ଓଡ଼ିଆ ଭାଷାରେ ସୃଷ୍ଟିର କାରଣ ଅଟେ । ତେବେ ମୋଟାମୋଟି ଏଠାରେ କୁହାଯାଇପାରେ ବିଭିନ୍ନ ପ୍ରାକୃତକୁ କେନ୍ଦ୍ର କରି ନବ୍ୟ ଭାରତୀୟ ଆର୍ଯ୍ୟ ଭାଷା ଜନ୍ମ ନେଲା ।
Photo Credit- https://bit.ly/3GTVxsD
Comments
0 comments