ନୂତନ ଆଇ.ଟି ନିୟମ ୨୦୨୧ ଏବଂ ଆମ ଅଧିକାର

ଫେବୃଆରୀ ୨୫,୨୦୨୦ ଦିନ ଭାରତ ସରକାର ଏକ ବିଜ୍ଞାପନ ଆଣିଛନ୍ତି ଯେଉଁଥିରେ ଆଇ.ଟି ଆଇନ-୨୦୦୦ ସମ୍ବନ୍ଧିତ କିଛି ନୂତନ ନିୟମ ସମ୍ପର୍କରେ ଘୋଷଣା କରାଯାଇଛି । ଘୋଷଣା ଗୁଡ଼ିକର ଶିରୋନାମା ରଖାଯାଇଛି Intermediary Guidelines and Digital Media Ethics Code ଯାହାର ଅର୍ଥ ହେଉଛି ଯେ, ଡିଜିଟାଲ ଗଣମାଧ୍ୟମ ପାଇଁ ନୈତିକତା ନିୟମାବଳୀ ପ୍ରଣୟନ କରିବା । ସାମାଜିକ ଗଣମାଧ୍ୟମ ତଥା କାହାପାଖରେ ଉତ୍ତରଦାୟୀ ରହୁନଥିବା ଡିଜିଟାଲ ଗଣମାଧ୍ୟମକୁ ନିୟନ୍ତ୍ରଣ ଭିତରକୁ ଆଣିବା । ଏହିସବୁ ସଂସ୍ଥାମାନେ ଏଣିକି ସରକାରଙ୍କ ପାଖରେ ଏବଂ ଆଇନକାନୁନ୍ ତଦାରଖ କରୁଥିବା ସଂସ୍ଥାମାନଙ୍କ ପାଖରେ ଉତ୍ତରଦାୟୀ ରହିବେ । ସେମାନେ ଗୋଟିଏ ଗୋଟିଏ ଅଫିସର ନିଯୁକ୍ତି କରିବେ ଯେଉଁମାନେ ଆଇ.ଟି ଆଇନକୁ ଠିକ୍ଭାବରେ ରୂପାୟନ କରିବା ପାଇଁ ଉତ୍ତରଦାୟୀ ରହିବେ । ସେହିଭଳି ସରକାର ଏବଂ ଆଇନ ତଦାରଖ କରୁଥିବା ସଂସ୍ଥା ସହ ସମନ୍ୱୟ ରଖିବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବେ । ଏହି ବ୍ୟକ୍ତିଙ୍କ କାମ ହେବ ସେମାନଙ୍କର ମାଧ୍ୟମଗୁଡ଼ିକୁ ବ୍ୟବହାର କରୁଥିବା ଲୋକମାନଙ୍କର ଅଭିଯୋଗ ଏବଂ ଅଭିଯୋଗ କରାହୋଇଥିବା ଖବରଗୁଡ଼ିକର ପ୍ରତ୍ୟାହାର ସମ୍ପର୍କିତ ବିଶେଷ ବିବରଣୀ ସରକାରଙ୍କ ସମ୍ପୃକ୍ତ ସଂସ୍ଥାକୁ ପ୍ରତ୍ୟେକ ମାସ ପ୍ରଦାନ କରିବେ । ସବୁଠାରୁ ବିବାଦୀୟ ବିନ୍ଦୁଗୁଡ଼ିକ ହେଲା ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ତଥା ବାର୍ତ୍ତା ପ୍ରେରଣା କରୁଥିବା ଲୋକମାନଙ୍କ ସମ୍ପର୍କରେ ଅବଗତ କରାଇବା: ଯେମିତିକି ପ୍ରଥମ ବାର୍ତ୍ତା ଦେଉଥିବା ଲୋକଟି କିଏ । ଦ୍ୱିତୀୟଟି ହେଲା ସରକାର ବା ତାଙ୍କ ସଂସ୍ଥାଙ୍କ ବିଚାରରେ ‘ବେଆଇନ ସୂଚନା’କୁ ନିଜ ଡିଜିଟାଲ ମାଧ୍ୟମରୁ ପ୍ରତ୍ୟାହାର କରିବା ।

ଏହି ନିୟମ କାର୍ଯ୍ୟକାରୀ ହେବାଦ୍ୱାରା ଯେଉଁମାନେ ନିଜର ଫେସ୍ବୁକ, ହ୍ୱାଟସପ୍, ଟୁଇଟର, ଇନ୍ସଟାଗ୍ରାମ, ଟେଲିଗ୍ରାମ୍, ୟୁଟୁ୍ୟବ୍ ଚ୍ୟାନେଲ୍, ୱେବ୍ ମାଧ୍ୟମ ଇତ୍ୟାଦିରେ ସୂଚନା ଆଦାନ ପ୍ରଦାନ କରୁଛନ୍ତି ତାକୁ ଯଦି ସରକାର ରାଷ୍ଟ୍ରର ସାର୍ବଭୌମତା, ସୁରକ୍ଷା, ଅନ୍ୟରାଷ୍ଟ୍ର ସହ ସମ୍ପର୍କ ତଥା ଦେଶଭିତରେ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି କରୁଛିବୋଲି ମନେକରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିପାରିବେ । ପୁନଶ୍ଚ ଯଦି କୌଣସି ବିଷୟ ବେଆଇନ ମନେ କରାଯାଏ; ଅଦାଲତ, ସରକାରୀ ସଂସ୍ଥା ବା ଏଥିପାଇଁ ନିଯୁକ୍ତ ଅଫିସରଙ୍କ ମାଧ୍ୟମରେ ନିର୍ଦ୍ଧେଶ ଦିଆଯାଇ ସେହି ସାମାଜିକ ଗଣମାଧ୍ୟମ ମଞ୍ଚରୁ ସଂପୃକ୍ତ ବିଷୟଟିକୁ ହଟାଇ ଦେବାପାଇଁ ନିର୍ଦ୍ଧେଶ ଦିଆଯାଇ ପାରେ । ଏହି ନୂଆ ଆଇନ ସାମାଜିକ ଗଣମାଧ୍ୟମ ଯେଉଁ ମୁକ୍ତ ଏବଂ ଅବାଧ ସ୍ଥାନ ସୃଷ୍ଟି କରୁଥିଲା ବ୍ୟକ୍ତିଗତ ଅଧିକାରର ସ୍ପଷ୍ଟ ଅଭିବ୍ୟକ୍ତି ପାଇଁ, ତାକୁ ରାଷ୍ଟ୍ରର ନିୟନ୍ତ୍ରଣ ଭିତରକୁ ଠେଲିଦେଉଛି । ସରକାର ସ୍ଥିର କରିବେ କାହା ପଛରେ ଯିବେ, କାହାକୁ ବାନ୍ଧିବେ ଏବଂ କାହାକୁ ସ୍ପର୍ଶ ବି କରିବେ ନାହିଁ । ଯେଉଁମାନେ ସମାଜରେ ଘୃଣା, ବିଦ୍ୱେଷ ଏବଂ ହିଂସା ସୃଷ୍ଟି କଲାଭଳି ବର୍ତ୍ତା ବା ବିଷୟ ପ୍ରସାରଣ କରିବେ, ସେମାନଙ୍କୁ ସ୍ପର୍ଶ କରାଯିବ ନାହିଁ । ଯେଉଁମାନେ ଏହିସବୁର ପ୍ରତିବାଦ କରିବେ ସେମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ତତଃ ଗତ ୭ବର୍ଷ ଧରି ଯାହା ଚାଲିଛି ତାକୁ ଠିକ୍ ଭାବେ ଅନୁଧ୍ୟାନ କଲେ ଏହି କଥାଟି ଆହୁରି ସ୍ପଷ୍ଟ ହୋଇଯିବ । ଉତ୍ତର ପୂର୍ବ ଦିଲ୍ଲୀରେ ଯେଉଁ ମୁସଲମାନ ବିରୋଧି ହିଂସାହେଲା, ତାହା ପୂର୍ବରୁ ହିଂସା ସଙ୍ଗଠିତ କରିବା ପାଇଁ ବିଜେପିର କିଛି ମନ୍ତ୍ରୀ ଓ ନେତା ମାନେ ଯେଉଁ ସବୁ ବାର୍ତ୍ତା ଦେଇଥିଲେ, ତାହା ଏବେ ବି ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । କାହାରି ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ବରଂ ପୀଡ଼ିତମାନଙ୍କ ଭିତରୁ ଲୋକମାନଙ୍କୁ ଗିରଫ କରାଯାଇଛି ଏ କଥା କହିକି ଯେ, ଏମାନେ ହିଂସା ଭିଆଇଥିଲେ । ସେଭଳି ପ୍ରତ୍ୟେକଟି ଘଟଣାରେ ଏବଂ ପ୍ରାୟ ପ୍ରତିଟି ଦିନ ବିଜେପିର ଆଇ.ଟି ସେଲ କିଛି ନା କିଛି ମିଛ ମସଲା ଦେଇ ପ୍ରସାରଣ କରୁଛି ଯାହାର ଏକମାତ୍ର ଉଦେ୍ଶ୍ୟ ହେଉଛି ଭାରତରେ ସଂଖ୍ୟାଲଘୁ ମାନଙ୍କୁ ଏବଂ ବିରୋଧି ରାଜନେତାମାନଙ୍କୁ ନିନ୍ଦିତ କରାଇବା । କିନ୍ତୁ ଏଯାଏ କାହାରିକୁ ବି ଗିରଫ କରିବା ତ ଦୂରର କଥା, ପ୍ରଶ୍ନ ବି କରାଯାଇ ନାହିଁ । ନାଗରିକତା ସଂଶୋଧନ ଆଇନ ବିରୋଧି ଅଭିଯାନ ଏବଂ ଭିମ୍କୋରେଗାଁଓ ମାମଲାରେ ଯେଉଁଭଳି ସମାଜିକ କର୍ମୀ ତଥା ବିଦ୍ୱାନମାନଙ୍କୁ ଗିରଫ କରାଗଲା ବିଶେଷ କରି ଦିଶା ରବିଙ୍କୁ ଯେଉଁଭଳି ଭାବେ ଦିଲ୍ଲୀ ପୋଲିସ ବେଙ୍ଗାଲୁର ଯାଇ ଗିରଫ କଲା, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଇ.ଟି ରୁଲ୍ ୨୦୨୧ କେଉଁମାନଙ୍କ ବିରୋଧରେ ପ୍ରୟୋଗ କରାଯିବ । ଭାରତୀୟ ଗଣତନ୍ତ୍ରରେ ଅଭିବ୍ୟକ୍ତିର ଅଧିକାର ସମ୍ବିଧାନ ଦ୍ୱାରା ପ୍ରଦତ୍ତ, ଯାହାକୁ କେହି ନେଇପାରିବେ ନାହିଁ । ବିଡ଼ମ୍ବନାର କଥା ଯେ, ସ୍ୱାଧୀନତା ଆନ୍ଦୋଳନ ଓ ସମ୍ବିଧାନ ପ୍ରଣୟନରେ କୌଣସି ଭୂମିକା ନଥିବା ଲୋକେ ଏବେ ଦେଶରେ ଶାସନର ମଙ୍ଗ ଧରିଛନ୍ତି । ସମସ୍ତ ନାଗରିକ ଏକଜୁଟ ହୋଇ ପ୍ରତିବାଦ କରିବାର ସମୟ ଆସିଛି ।

Photo Credit- https://bit.ly/3MoH2ir

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.