ରେଢ଼ାଖୋଲର ଆଖୁଚାଷୀ ଓ ବନବିଭାଗ

12 Min Read

ଆଲେଖ୍ୟର ଶୀର୍ଷକକୁ ଦେଖିଲେ ଆଖୁଚାଷୀ ଓ ବନବିଭାଗ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକଙ୍କ ମନରେ ଭିନ୍ନ ଭିନ୍ନ ଭାବନା ଆସୁଥିବ! ବିଷୟଟି ମୋର ଅଜଣା ହୋଇଥିଲେ ସମଦଶା ମୋର ମଧ୍ୟ ହୁଅନ୍ତା । ତେବେ ଅଳ୍ପ ଦିନ ପୂର୍ବରୁ ଏହି ଆଖୁଚାଷ ଅଞ୍ଚଳକୁ ଯାଇଥିବା ସମୟରେ ସେଠାରେ ଆଖୁଚାଷୀଙ୍କ ସହିତ ବନ ବିଭାଗ କିପରି ଭାବରେ ଜଡ଼ିତ ସେ ବିଷୟରେ ବିସ୍ତୃତ ସୂଚନା ପାଇ ପାରିଥିଲି । ଦେଖିଲି, ଆଖୁ କିଆରୀ ଗୁଡ଼ିକରେ ସରୁ ସରୁ ଆଖୁ ଛିଡ଼ା ହେବାର କସରତ କରୁଥିଲେ । କିଏ ଢଳି ଯାଉଥିଲା ତ କିଏ ତାର ଅଙ୍କାବଙ୍କା ଶରୀରକୁ ନେଇ ଅଧା ଛିଡ଼ା ଅଧାଶୋଇବା ଅବସ୍ଥାରେ ଥିଲା । କେତେକ ମିଳିତ ଭାବରେ ସିଧା ଛିଡ଼ା ହେବାର ପ୍ରଚେଷ୍ଟାରେ ଥିଲେ । ଅନ୍ୟ କେତେକ ଅବଲମ୍ବନର ସହାୟତା ନେଇଥିବା ଯୋଗୁଁ ଢଳି ନଯାଇ ଦଣ୍ଡାୟମାନ ରହିଥିଲେ । ଆଖୁ କିଆରୀର ଏଭଳି ଦୃଶ୍ୟ ଦୃଷ୍ଟିକୁ ଆସିଥିଲା ତେବେ ସିଧା ଛିଡ଼ା ହେବାର ଅବଲମ୍ବନ କଣ ଥିଲା ମୁଁ ଜାଣି ପାରି ନଥିଲି ।

ସମ୍ବଲପୁର ଜିଲ୍ଲା, ରେଢ଼ାଖୋଲ ସବଡିଭିଜନ, ନାକଟିଦେଉଳ ବ୍ଲକ୍ର କେତୋଟି ଗ୍ରାମରେ ଏହି ଆଖୁଚାଷ ଓ ଚାଷୀଙ୍କ ସହିତ ପରିଚୟ ହୋଇଥିଲା । କେଲୋବେରନି, ଭେଟିଆବେରନି, ହିତସରା, ବିନ୍ଦପୁର ଓ ଅଙ୍ଗାବିରା ଏହି ଗ୍ରାମଗୁଡ଼ିକରେ ବିଶେଷ ଭାବରେ ଆଖୁଚାଷର ପ୍ରଚଳନ ଅଛି । ଆଖୁଚାଷରେ ପାଣିର ଆବଶ୍ୟକତା ଅଧିକ । ଯଦିଓ ରେଢ଼ାଖୋଲରେ କୌଣସି ନଦୀବନ୍ଧ ଯୋଜନାରୁ କୃଷି ପାଇଁ ଜଳ -ସେଚନର ବ୍ୟବସ୍ଥା ନାହିଁ, ତେବେ ମଧ୍ୟ ଏଠାରେ ଜଙ୍ଗଲର ଆଧିକ୍ୟ ପାହାଡ଼ୀ ଝରଣାର ଉତ୍ସକୁ ସବୁ ସମୟରେ ଚିରସ୍ରୋତା ରଖିପାରିଛି । ରେଢ଼ାଖୋଲର ଭୌଗୋଳିକ ପରିସୀମା ୧୮୫୦ ବର୍ଗ କି.ମି. । ସେଥି ମଧ୍ୟରୁ ୧୪୫୦ ବର୍ଗ କି.ମି. ଅଞ୍ଚଳ ଜଙ୍ଗଲ ଆର୍ଥାତ୍ ପାଖାପାଖି ୭୮ ପ୍ରତିଶତ ଜଙ୍ଗଲ ରେଢ଼ାଖୋଲର ଅମୂଲ୍ୟ ପ୍ରାକୃତିକ ସମ୍ପଦ । ଏହା ସର୍ବଜନବିଦିତ, ଜଙ୍ଗଲ ଯେଉଁଠି ପାଣିର ଉତ୍ସ ମଧ୍ୟ ସେହିଠି । ଅନେକ ଝରଣା ଜଙ୍ଗଲ ମଧ୍ୟ ଦେଇ ବୋହିଯାଉଛି । ଏହି ଅଞ୍ଚଳରେ ଆଖୁଚାଷର ପ୍ରଚଳନର ଇତିହାସ ଖୋଜିବାକୁ ଗଲେ ଏହା ସହଜରେ ବୁଝି ହୋଇଯାଏ ।

କେଲୋବେରନି ଗ୍ରାମର ରମେଶ ଚନ୍ଦ୍ର ବେହେରା ଯିଏ ଜଣେ ଉତ୍ତମ ଚାଷୀ, ସେ ଆଖୁ ଚାଷ ବିଷୟରେ ବିଶଦ ବିବରଣୀ ଦେଇଥିଲେ । ସେ କହିବା ଅନୁସାରେ ଏହି ଅଞ୍ଚଳରେ ପାଣିର ପର୍ଯ୍ୟାପ୍ତ ଉପଲବ୍ଧତା ସେମାନଙ୍କୁ ଆଖୁଚାଷ ପାଇଁ ଅନୁକୂଳ ହୋଇପାରିଛି । ବାପା, ଜେଜେବାପା ଅମଳରୁ ଅର୍ଥକାରୀ ଫସଲଭାବରେ ଏହା ସେମାନଙ୍କ ଆର୍ଥିକ ସ୍ଥିତିରେ ସାମାନ୍ୟ ସ୍ଥିରତା ଆଣି ପାରିଥିଲା । ଦୁଇ ଏକରରୁ ଆରମ୍ଭ କରି ଦଶ ପନ୍ଦର ଏକ ଜମି ଥିବା ଛୋଟ ବଡ଼ ଚାଷୀ ଏହି ଗାଁରେ ଅଛନ୍ତି । ଜମିର ପରିମାଣକୁ ନେଇ ଭିନ୍ନ ଭିନ୍ନ ଚାଷପାଇଁ ସେମାନେ ଜମି ଉପଯୋଗ କରିଥାନ୍ତି । ଫସଲର ବିଭାଗୀକରଣ ମଧ୍ୟରେ ଧାନ, ଆଖୁ, ପନିପରିବା, ସୋରିଷ ଚାଷ ଇତ୍ୟାଦି ସେମାନଙ୍କର ମୁଖ୍ୟ ଚାଷ । କାଜୁ ଗଛରୁ କିଛି ବର୍ଷ ହେଲା କେତେକ ପରିବାର ରୋଜଗାରର ଏକ ନୂତନ ମାଧ୍ୟମ ପାଇଛନ୍ତି । ଚାଷୀଙ୍କ କହିବା ଅନୁସାରେ ଧାନ ଓ ଆଖୁ ସେମାନଙ୍କ ମୂଳ ଚାଷ, ଯାହା ସେମାନଙ୍କ କୃଷି ଅଭ୍ୟାସରେ ଶତାବ୍ଦୀ ହେଲା ଚାଲିଆସୁଛି । ପନିପରିବା ଚାଷର ପ୍ରଚଳନ କିଛି ବର୍ଷ ହେଲା ହେଉଛି । ପରିବାରର ଆବଶ୍ୟକତାକୁ ନେଇ ପୂର୍ବରୁ ଅଳ୍ପ ପରିମାଣର ପନିପରିବା ଚାଷ ହେଉଥିଲା, ମାତ୍ର ୧୦/୨୦ ବର୍ଷ ହେଲା ଏହାର ପରିମାଣରେ ବୃଦ୍ଧି ଘଟିଛି । ଦୁଇଟି ମୁଖ୍ୟ ପରିବା ମଧ୍ୟରୁ ବାଇଗଣ ଚାଷ ଦଶ ବର୍ଷ ହେଲା ଓ ପୋଟଳ ଚାଷ ୨୦ ବର୍ଷ ହେଲା ଅଧିକ ମାତ୍ରାରେ ହେଉଛି । ବଜାର ବିଷୟରେ ପ୍ରଶ୍ନ କରିବାରୁ ତାଙ୍କର ଉତ୍ତର ଥିଲା, ନାକଟିଦେଉଳ ବ୍ଲକ୍ ସମ୍ବଲପୁର ଜିଲ୍ଲାରେ ଆସୁଥିଲେ ସୁଦ୍ଧା ସମ୍ବଲପୁର ମୁଖ୍ୟ ବଜାରକୁ ସେମାନଙ୍କର ପରିବା ଯାଏ ନାହିଁ । କାରଣ ଦର୍ଶାଇବାକୁ ଯାଇ ସେ କହିଲେ ଉକ୍ତ ଅଞ୍ଚଳର ପନିପରିବା ଆବଶ୍ୟକତା ବରଗଡ଼ ଜିଲ୍ଳାର ଚାଷୀ ପୁରା କରିଥାନ୍ତି । ରାସ୍ତାଘାଟ ସୁଗମ ହେବା ପରେ ସେମାନଙ୍କ ଦୁଆର ମୁହଁକୁ ରାଞ୍ଚି, ପୁରୀ, କଟକ ଓ ଅନୁଗୁଳ ବେପାରୀଙ୍କ ଆଗମନ ହେଉଛି । ଗାଁକୁ ଆସି ସେମାନେ ଚାଷୀଠାରୁ ପନିପରିବା ନେଇ ଯାଉଛନ୍ତି । ବେପାରୀ ଶୋଷଣ ତଥା ଲାଭକ୍ଷତି ପ୍ରଶ୍ନର ଉତ୍ତର ଏହି ପ୍ରକାର ଥିଲା, ଗାଁରେ ପ୍ରାୟତଃ ସମସ୍ତେ ଚାଷକୁ ମୁଖ୍ୟ ଜୀବିକା ଭାବରେ ଗ୍ରହଣ କରିଛନ୍ତି । ତେଣୁ ବିକ୍ରି ଲବ୍ଧ ଉପାର୍ଜନ ହିଁ ସେମାନଙ୍କ ଆୟର ମାଧ୍ୟମ । ତେବେ ବେପାରୀକୁ ଦ୍ରବ୍ୟ ବିକ୍ରି କରିବା ସମୟରେ ଦର ବେପାରୀ ପକ୍ଷରୁ ଧାର୍ଯ୍ୟ ହୋଇଥାଏ ଓ ସେହି ଦାମ୍ରେ ସେମାନେ ପରିବା ବିକ୍ରି କରିଥାନ୍ତି । କେବେ ତାହା କମ ହୋଇଥାଏ ତ କେବେ ସାମାନ୍ୟ ବେଶୀ । ବେପାରୀ ଗାଁର କେତେକ ଲୋକଙ୍କୁ ଚାଷୀଠାରୁ କ୍ରୟ ବିକ୍ରୟର ମଧ୍ୟସ୍ଥି ଭାବରେ ବ୍ୟବହାର କରିଥାନ୍ତି । ସେଥିପାଇଁ ବେପାରୀଠାରୁ ସେମାନଙ୍କ କମିସନ ମିଳେ । ସେମାନେ ବେପାରୀ ପକ୍ଷରୁ କିଣିବାର ଦାୟିତ୍ୱ ନେଇଥାନ୍ତି । ଶସ୍ତାରେ କିଣାଇ ଦେବାର ଲକ୍ଷ୍ୟ ନେଇ ଚାଷୀପାଇଁ କ୍ଷତି ଓ ବେପାରୀ ପାଇଁ ମୁନାଫା/ଦେଇଥାଏ । ଚାଷୀମାନେ ସାମୂହିକ ଭାବରେ ବେପାରୀ ସହିତ ମୂଲଚାଲ କରି ମଝିରୁ ମଧ୍ୟସ୍ଥିକୁ ହଟାଇଲେ ଅଧିକ ଲାଭବାନ ହୋଇପାରନ୍ତେ । ତେବେ ମୋଟାମୋଟି ହିସାବ ଅନୁସାରେ ଗୋଟିଏ ଏକର ଜମିରୁ କେବଳ ପୋଟଳ ଓ ବାଇଗଣ ବିକ୍ରିକରି ଜଣେ ଚାଷୀ ପାଖାପାଖି ଏକଲକ୍ଷ ଟଙ୍କା ଉପାର୍ଜନ କରୁଥିବା ବିଷୟ ସେମାନେ କହୁଥିଲେ ।

ପନିପରିବା ପରେ ଫେରି ଆସିବା ଆଖୁଚାଷ ନିକଟକୁ । ଆଖୁରୁ ଚାଷୀ ସ୍ଥାନୀୟ ସ୍ତରରେ ଗୁଡ଼ ପ୍ରସ୍ତୁତ କରେ । ଚିନିକଳକୁ ଆଖୁ ଯୋଗାଇବା ପରବର୍ତ୍ତୀ ବିଷୟ । ଆମେ ଗୁଡ଼କୁ ସାଧାରଣତଃ କଠିନ ଆକାରରେ ଦେଖିଥାଉ । ମାତ୍ର କେତେକ ଅଞ୍ଚଳରେ ଚାଷୀ ତରଳଗୁଡ଼ (ପଶ୍ଚିମ ଓଡ଼ିଶାରେ ପାଣିଆଗୁଡ଼ କୁହାଯାଏ) ପ୍ରସ୍ତୁତ କରିଥାଏ । ରେଢ଼ାଖୋଲ ଅଞ୍ଚଳର ଏହି ଆଖୁଚାଷୀମାନେ ପାଣିଆ ଗୁଡ଼ ତିଆରି କରନ୍ତି, ରମେଶଚନ୍ଦ୍ର ବେହେରାଙ୍କ କହିବା ଅନୁସାରେ, ସେମାନେ ଧଳାଫାର୍ମ ନାମକ ଆଖୁ ବିହନ ବ୍ୟବହାର କରିଥାନ୍ତି । ଏହାର ବୈଶିଷ୍ଟ୍ୟ ହେଲା ଅନ୍ୟ ଆଖୁ ପରି ଏହାର ଶୁଙ୍କ ନଥାଏ । ଆକାରରେ ବେଶୀ ମୋଟା ନହୋଇ ଲମ୍ବରେ ୨୦ ଫୁଟରୁ ଅଧିକ ଉଚ୍ଚ ପର୍ଯ୍ୟନ୍ତ ଏହା ବଢ଼େ । ଅଧ ଏକର ଜମିରେ ହୋଇଥିବା ଆଖୁଚାଷ ଅମଳରୁ ୫୦୦୦ ଲିଟର ପର୍ଯ୍ୟନ୍ତ ଗୁଡ଼ ସେମାନେ ପ୍ରସ୍ତୁତ କରିଥାନ୍ତି । ଲିଟର ପିଛା ଗୁଡ଼ର ଦର ୬୦ରୁ ୮୦ ଟଙ୍କା । ତେବେ ହିସାବ ଅନୁସାରେ ଉକ୍ତ ଅମଳରୁ ହେବା ଗୁଡ଼ ପ୍ରସ୍ତୁତରୁ ଜଣେ ଚାଷୀ ୩ଲକ୍ଷ ଟଙ୍କା ଉପାର୍ଜନ କରିଥାଏ । ଏହା ସ୍ପଷ୍ଟ ଯେ ଆଖୁ ଚାଷରୁ ଏଠାରେ ଚାଷୀ ନିଶ୍ଚିତଭାବରେ ଲାଭବାନ ହୋଇ ପାରୁଛନ୍ତି । ସ୍ଥାନୀୟ ଆଖୁଚାଷୀ ଦୀର୍ଘ ଦିନର ଅନୁଭବରୁ ଏହି ସୂଚନା ପ୍ରଦାନ କରୁଥିଲେ ।

ବର୍ତ୍ତମାନ ଆସିବା ମୁଖ୍ୟ ଶୀର୍ଷକର ନାମକରଣ ପ୍ରସଙ୍ଗକୁ । ଆଖୁଚାଷ ଓ ଆଖୁଚାଷୀ ସହିତ ବନବିଭାଗର ସମ୍ପର୍କ । ଆଖୁ ଚାଷ ଓ ଚାଷୀ ସହିତ ବନବିଭାଗ ସଂପର୍କିତ ହେବାର ଏଠାରେ କାରଣ ରହିଛି । ଚାଷୀଙ୍କ କହିବା ଅନୁସାରେ ଉପଯୁକ୍ତ ଖତପିଡ଼ିଆ ଓ ପର୍ଯ୍ୟାପ୍ତ ପାଣି ପାଇ ପାରୁଥିବାରୁ ଏହି ଅଞ୍ଚଳରେ ଆଖୁ ଅଧିକ ଲମ୍ବ ବଢ଼ିଥାଏ । ତେଣୁ ବଢ଼ିଗଲା ପରେ ଆଖୁଗୁଡ଼ିକ ସିଧା ଛିଡ଼ା ହୋଇନପାରି ଶୋଇଯାଏ କିମ୍ବା ବଙ୍କା ହୋଇଯାଏ । ଏହା ଦ୍ୱାରା ଅମଳ କମିବା ସହିତ ଚାଷୀ କ୍ଷତି ସହିଥାଏ । ଆଖୁକୁ ସିଧା ଛିଡ଼ା କରିବା ଚାଷୀପାଇଁ ଏକ ସମସ୍ୟା । ଏହାର ସମାଧାନର ରାସ୍ତା ସେମାନଙ୍କୁ ଜଙ୍ଗଲ ଦେଇଥିଲା । ପୂର୍ବରୁ ଅଭ୍ୟାସ ଅନୁସାରେ ସେମାନେ ଜଙ୍ଗଲରୁ ଶାଳଗଛର ଲମ୍ବ ଓ ସିଧା ବଲ୍ଲାଗୁଡ଼ିକୁ କାଟି ଆଣି ଆଖୁର ଅବଲମ୍ବନ ଭାବରେ ତା ସହିତ ଆଖୁକୁ ବାନ୍ଧି ତାକୁ ସଳଖ ରଖିବାର ବ୍ୟବସ୍ଥା କରୁଥିଲେ । ଆଖୁଚାଷରେ ଚାଷୀ ତା’ର ଆର୍ଥିକ ବିକାଶ କରିବାକୁ ଗଲାବେଳେ ଅନ୍ୟ ପକ୍ଷରେ ଜଙ୍ଗଲ ବିକାଶ ଏକ ସମସ୍ୟା ହୋଇପଡ଼ିଲା । ଗୋଟିଏ ଗୋଟିଏ ଗାଁରେ ୫୦ରୁ ୬୦ ହଜାର ଶାଳ ବଲ୍ଲାର ଆବଶ୍ୟକତା ପଡ଼ିଲା । ତେବେ ସେତିକି ଶାଳବଲ୍ଲାର ଆବଶ୍ୟକତା ଜଙ୍ଗଲ କେତେଦିନ ପୂରଣ କରିପାରିବ? ବ୍ୟାପକ ଜଙ୍ଗଲ ଧ୍ୱଂସ ବନବିଭାଗ ନିମନ୍ତେ ଏକ ଚିନ୍ତାର ବିଷୟ ପାଲଟିଲା । ଏହାକୁ ରୋକିବାରେ ପ୍ରଚେଷ୍ଟା ସେମାନଙ୍କ ତରଫରୁ ହେବା ସମୟରେ ଲୁଚାଛପାରେ ବଲ୍ଲା କାଟିବା ମଧ୍ୟ ଚାଲୁ ରହିଥିଲା । ତେବେ ବିଗତ ବର୍ଷେ ଦୁଇବର୍ଷ ହେଲା ଜଙ୍ଗଲ କଟାକୁ ଅଧିକ କଡ଼ାକଡ଼ି ଭାବରେ ନିୟନ୍ତ୍ରଣ କରାଯିବା ପରେ ଆଖୁଚାଷର ପରିମାଣ ଉକ୍ତ ଅଞ୍ଚଳରେ କମିଗଲା । ଏହା ମଧ୍ୟ ଅନ୍ୟ ଏକ ସମସ୍ୟା ଚାଷୀପାଇଁ ଆଣିଲା । ପାଣିଆଗୁଡ଼କୁ ନେଇ ରହିଥିବା ଲୋକଙ୍କର ଚାହିଦା ପୂରଣରେ ଏହା ପ୍ରଭାବ ପକାଇବା ସହିତ ଚାଷୀ ଆର୍ଥିକ କ୍ଷତି ସହିଲା ।

ଏହାର ସମାଧାନର ରାସ୍ତା ଖୋଜିବା ବନବିଭାଗର ଅଧିକାରୀ ନିଜସ୍ୱ ଦାୟିତ୍ୱ ବୋଲି ମନେକଲେ । ଉପାୟ ଖୋଜିବା ଆରମ୍ଭ ହେଲା । ପ୍ରଥମେ ଚିନ୍ତା କରାଗଲା ସରୁ ଓ ଅଧିକ ଲମ୍ବ ହେଉଥିବାରୁ ଆଖୁ ପଡ଼ିଯାଉଛି । ତେଣୁ କମ ଉଚ୍ଚତାର ମୋଟା କିସମର ଆଖୁ ବିହନ ଲଗାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଉକ୍ତ ପ୍ରଚେଷ୍ଟାକୁ ଜାରି ରଖାଗଲା । ତେବେ ପାରମ୍ପରିକ ଭାବରେ ସେମାନେ ଚାଷ କରିଆସୁଥିବା ବିହନକୁ ହଠାତ୍ ବନ୍ଦ କରି ସମ୍ପୂର୍ଣ୍ଣ ଏକ ନୂଆ କିସମର ବିହନ ଉକ୍ତ ମାଟି ଓ ଜଳବାୟୁ ପାଇଁ କେତେଦୂର ଉପଯୁକ୍ତ ହେବ, ତାହା ଏକ ପ୍ରଶ୍ନ ଥିଲା । ପୁଣି ସରକାରଙ୍କର କୃଷି ବିଭାଗରେ ଉପଲବ୍ଧ ଆଖୁ ବିହନର ମୂଲ୍ୟ ମଧ୍ୟ କିଛି କମ୍ ନଥିଲା । ଭିନ୍ନ ବିକଳ୍ପ ପାଇଁ ପୁଣି କଥାବାର୍ତ୍ତା ଆରମ୍ଭ ହେଲା । ଶେଷରେ ଅନ୍ୟ ଏକ ସମ୍ଭାବନା ଆଗକୁ ଆସିଲା । ଓଡ଼ିଶରେ ଆଖୁଚାଷ ହେଉଥିବା ଅଞ୍ଚଳଗୁଡ଼ିକର ଚାଷୀମାନଙ୍କ ସହିତ ସମ୍ପର୍କ କରି ସେମାନଙ୍କର ଅନୁଭବ ତଥା ସେମାନଙ୍କଠାରେ ଉପଲବ୍ଧ ଦେଶୀ କିସମର ବିହନ ସଂଗ୍ରହ କରିବାର ପ୍ରସ୍ତାବ ଆସିଲା । ଅଞ୍ଚଳ ଚୟନ ହେଲା ନୟାଗଡ଼ ଜିଲ୍ଲାର ଗମ୍ଭାରୀଖୋଲ । ଉକ୍ତ ଗ୍ରାମ ସହିତ ରହିଥିବା ଯୋଗାଯୋଗ ଓ ସମ୍ପର୍କର ଆଧାରରେ କେଲୋବେରନିର ଆଖୁଚାଷୀଙ୍କୁ ସେହି ଗ୍ରାମକୁ ନେଇ ଯିବାପାଇଁ ସ୍ଥିରହେଲା । ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ, ନୟାଗଡ଼ରେ ଆଖୁଚାଷର ବହୁଳ ପ୍ରଚଳନକୁ ଦୃଷ୍ଟିରେ ରଖି ନୟାଗଡ଼ ଚିନିକଳ ପ୍ରତିଷ୍ଠା ହୋଇଥିଲା । ତେବେ ବର୍ତ୍ତମାନ ଚିନିକଳ ବନ୍ଦ ହୋଇଯିବା ପରେ ଆଖୁଚାଷର ପରିମାଣ ମଧ୍ୟ ସେଠାରେ କମିଯାଇଛି । ତେବେ ସ୍ଥାନୀୟ ସ୍ତରରେ ଗୁଡ଼ ପ୍ରସ୍ତୁତ କରି କିଛି ଚାଷୀ ଏବେ ମଧ୍ୟ ଆଖୁଚାଷକୁ ବଞ୍ଚାଇ ରଖିଛନ୍ତି ।

ଗମ୍ଭାରୀଖୋଲ ଚାଷୀଙ୍କ ସହିତ ଯୋଗାଯୋଗ କରି ରେଢ଼ାଖୋଲ ଚାଷୀଙ୍କ ସମସ୍ୟା ବିଷୟରେ କୁହାଯାଇଥିଲା । ଆଖୁକୁ ସିଧା ଛିଡ଼ା କରିବା ପାଇଁ ଶାଳ ବଲ୍ଲାର ଆବଶ୍ୟକତା ସେମାନଙ୍କୁ ସାମାନ୍ୟ ଆଶ୍ଚର୍ଯ୍ୟ ତଥା ହାସ୍ୟାସ୍ପଦ ମନେ ହେଲା । ସେମାନଙ୍କ କହିବା ଅନୁସାରେ “ଆଖୁ ଗୋଟିଏ ଠେଙ୍ଗା ତାକୁ ସିଧା ଛିଡ଼ା କରିବାପାଇଁ ଅନ୍ୟ ଠେଙ୍ଗାର ଆବଶ୍ୟକତା କଣ?’ ଯୁକ୍ତିଟି ଯୁକ୍ତିଯୁକ୍ତ ମନେ ହେଉଥିଲେ ମଧ୍ୟ ଏହା କିପରି ସମ୍ଭବ କେଲୋବେରନି ଚାଷୀଙ୍କ ପାଇଁ ଏହା ବିଶ୍ୱାସ ଯୋଗ୍ୟ ହୋଇପାରୁନଥିଲା ।

ଦିନ ଧାର୍ଯ୍ୟହୋଇ କେଲୋବେରନିର ଦୁଇଜଣ ଚାଷୀ ଗମ୍ଭାରୀଖୋଲକୁ ଗଲେ । ଆଖୁ ଅମଳର ଋତୁ ହୋଇଥିବା ସମୟରେ ଆଖୁ କିଆରୀରେ ଆଖୁ ଓ ଗୁଡ଼ ଖଳାରେ ଗୁଡ଼ ପ୍ରସ୍ତୁତି ଉଭୟ ଦେଖିବା ସୁଯୋଗ ମିଳିଗଲା ଓ ନୟାଗଡ଼ ଚାଷୀଙ୍କ ପାରମ୍ପରିକ ଜ୍ଞାନରୁ ଶିକ୍ଷା କରି ନିଜ ଅଞ୍ଚଳରେ ଉକ୍ତ ଅନୁଭବକୁ ଲଗାଇବା ପାଇଁ କେଲୋବେରନିର ଚାଷୀମାନେ ଉତ୍ସାହିତ ମଧ୍ୟ ଥିଲେ ।

ଗମ୍ଭାରିଖୋଲ ଚାଷୀଙ୍କ ଆଖୁ କିଆରୀରେ ସମସ୍ତ ଆଖୁ ସଳଖଭାବରେ ଛିଡ଼ା ହୋଇଥିବା ଓ ଦଳବନ୍ଧ ଭାବରେ ଆଖୁ ପତ୍ରରେ ସେଗୁଡ଼ିକୁ ସଳଖ ଛିଡ଼ାକରିବାର ସୁନ୍ଦର ବ୍ୟବସ୍ଥା କରାଯାଇ ଥିଲା । ଆଖୁ ଅମଳର ସମୟ ଥିଲା ଓ ଆଖୁ କିଆରୀରେ ଚାଷୀ ବିଜୟ ସାହୁ ଛିଡ଼ା ହୋଇଥିବା ଆଖୁ ଗଛକୁ କିପରି ପ୍ରତ୍ୟେକ ମନ୍ଦାରୁ ଗୋଟିଏ ଗୋଟିଏ ଆଖୁ ଆଣି ତିନୋଟି ପରେ ନଅଟି ଏପରି ଭାବରେ କ୍ରମନ୍ୱୟରେ ବାନ୍ଧିବାର ଶୈଳୀ ଅତି କମ୍ ସମୟରେ କରି ଦେଖାଇଦେଲେ । ବେଶୀ ସମୟ ମଧ୍ୟ ଲାଗିଲା ନାହି କେଲୋବେରନିର ଚାଷୀ ତାକୁ ଅନୁକରଣ କରି ନିଜେ ବାନ୍ଧିବାରେ ଲାଗିଗଲେ ଓ ଖୁବ୍ ଶୀଘ୍ର ଶିଖିଗଲେ ମଧ୍ୟ । ବିହନରେ ନାମ ଓ କିସମକୁ ଦେଖି ସେମାନେ ଜାଣିଗଲେ ଯେ, ଏହା ସେହି ସମାନ ବିହନ ଯାହାକୁ ସେମାନେ ମଧ୍ୟ ବ୍ୟବହାର କରୁଛନ୍ତି । ତେବେ ସୋରିଷ ପିଡ଼ିଆ ଓ ଅନ୍ୟାନ୍ୟ ଖତର ବ୍ୟବହାର ତଥା ପାଣିର ସୁବ୍ୟବସ୍ଥା ଦ୍ୱାରା କେଲୋବେରନିର ଆଖୁର ଆକାର ଓ ଉଚ୍ଚତା ଗମ୍ଭାରୀଖୋଲ ଚାଷୀଙ୍କ ଆଖୁ ଠାରୁ ଅଧିକ ଭଲ ବଢ଼ିପାରୁଛି । ତେବେ ସେମାନେ ନିଶ୍ଚିତ ହୋଇପାରିଲେ ଯେ ଆଖୁକୁ ସଠିକ୍ ଶୈଳୀରେ ବାନ୍ଧିପାରିଲେ ତାହା ବିନା ସାହାରାରେ ସିଧା ଛିଡ଼ା ହୋଇ ବଢ଼ିପାରିବ ।

ଆଖୁ ଶାଳରେ ଗୁଡ଼ ତିଆରି ଚାଲିଥିଲା ଏବଂ ପ୍ରସ୍ତୁତ ହୋଇସାରିଥିବା ଗୁଡ଼କୁ ଟିଣଗୁଡ଼ିକରେ ଭର୍ତ୍ତି କରାଯାଇ ଆଖୁକିଆରୀ ନିକଟରେ ନିର୍ମିତ ଅସ୍ଥାୟୀ କୁଡ଼ିଆଭିତରେ ସୁରକ୍ଷିତ ରଖାଯାଇଥିଲା । ଗୁଡ଼ର ପ୍ରସ୍ତୁତି ପ୍ରଣାଳୀ ଯଦିଓ ଗୋଟିଏ ପ୍ରକାର, ନୟାଗଡ଼ରେ କଠିନ ଗୁଡ଼ ପ୍ରସ୍ତୁତ କରାଯାଇଥିବା ବେଳେ ରେଢ଼ାଖୋଲ ଚାଷୀମାନେ ତାକୁ ତରଳଗୁଡ଼ ଭାବରେ ପ୍ରସ୍ତୁତ କରୁଛନ୍ତି । ତେବେ ଆଲୋଚନାରୁ ଏହା ସ୍ପଷ୍ଟ ହେଉଥିଲା ଯେ ଗୋଟିଏ ଟିଣ କଠିନ ଗୁଡ଼ରୁ ଦୁଇଟିଣ ତରଳ ଗୁଡ଼ ପ୍ରସ୍ତୁତ ହୋଇପାରିବ । ତେବେ ଏଥିରୁ ବୁଝି ହେଉଥିଲା ତରଳଗୁଡ଼ ପ୍ରସ୍ତୁତିରେ ଅଧିକ ଲାଭର ସମ୍ଭାବନା ରହିଛି । ନୟାଗଡ଼ରେ ଗୁଡ଼ କେଜି ୪୦ ଟଙ୍କା ଥିବା ସମୟରେ ପାଣିଆଗୁଡ଼ିକୁ ପଶ୍ଚିମ ଓଡ଼ିଶାରେ ୬୦ରୁ ୮୦ଟଙ୍କାରେ ବିକ୍ରି କରାଯାଏ । ଗୁଡ଼ଶାଳ ଓ ଆଖୁ କିଆରୀରେ ଆଖୁ ବାନ୍ଧିବାର ଶୈଳୀ ଦେଖିବାପରେ କେଲୋବେରନିର ଚାଷୀମାନେ ସେମାନଙ୍କ ଅଞ୍ଚଳରେ ତାହାକୁ ଅନୁକରଣ କରି ଆଖୁ ଚାଷରୁ ପୁଣି ଲାଭବାନ ହେବାର ଆଶା ନେଇ ସେଠାରୁ ଫେରିଲେ । ସେମାନଙ୍କର ଗୋଟିଏ ଗାଁ ନୁହେଁ ଆଖପାଖରେ ଚାଷ କରୁଥିବା ଆଖୁଚାଷୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରିବାର ପ୍ରତିଶ୍ରୁତି ସେମାନେ ଦେଇଥିଲେ ।

ତେବେ ଅତ୍ୟନ୍ତ ସାଧାରଣ ମନେ ହେଉଥିବା ଓ ଆଖୁ ଚାଷରେ ସହାୟକ ହେଉଥିବା ଏହି ଅଭିନବ ଶୈଳୀ ଯଦି ଗଛକଟାକୁ ରୋକିଦେଇ ବ୍ୟାପକ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରୁଛି, ତେବେ ତାହା ସ୍ୱାଗତଯୋଗ୍ୟ । ଗଛକଟାକୁ ନିୟନ୍ତ୍ରଣ କଲାପରେ ଗ୍ରାମବାସୀଙ୍କ ଆଖୁଚାଷ କରିବାର ପରିମାଣ କମ ଯାଇଥିବାରୁ ଯେଉଁ ଆର୍ଥକ କ୍ଷତି ହୋଇଥିଲା, ବର୍ତ୍ତମାନ ଉକ୍ତ ସମସ୍ୟାର ସମାଧାନ ହୋଇପାରିବ । ଅନ୍ୟ ପକ୍ଷରେ ଜଙ୍ଗଲ ସୁରକ୍ଷା ଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହିତ ଗ୍ରାମବାସୀଙ୍କୁ ବନଜାତ ଦ୍ରବ୍ୟ ପ୍ରଦାନ ମାଧ୍ୟମରେ ଜୀବିକାର ସୁରକ୍ଷା ମଧ୍ୟ ହେବ । ଏହି ସମ୍ଭାବନା ଓ ଆଶା ନେଇ ଆଗାମୀ ଦିନରେ ଏହାର ସଫଳତାକୁ ଅପେକ୍ଷା କରିବାକୁ ପଡ଼ିବ । ଯେଉଁଥିରେ ଗ୍ରାମବାସୀଙ୍କର ମିଳିତ ଆନ୍ତରିକ ଉଦ୍ୟମ ଓ ଇଚ୍ଛା ଶକ୍ତିର ଏକାନ୍ତ ଆବଶ୍ୟକତା ରହିଛି ।

Photo Credit- https://bit.ly/3smqdwW

Comments

0 comments

Share This Article