୧୨ ନଭେମ୍ବର ୨୦୨୦ ମସିହା, ଆତ୍ମନିର୍ଭର ଭାରତ ପ୍ୟାକେଜ୍ ବିଷୟରେ ତାଙ୍କର ଘୋଷଣାନାମାରେ ନିର୍ମଳା ସୀତାରମଣ କହିଛନ୍ତି ଯେ ‘ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼’ ଯୋଜନା ବର୍ତ୍ତମାନ ୨୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଯୋଜନା ଅନ୍ତର୍ଗତ ପିଡ଼ିଏସ୍ ଅଧୀନରେ ୬୮.୮କୋଟି ହିତାଧିକାରୀଙ୍କୁ ସାମିଲ୍ କରାଯାଇଛି । ଏହି ଯୋଜନାରେ କୌଣସି ବି ପିଡ଼ିଏସ୍ ହିତାଧିକାରୀ ନିଜ ରାଜ୍ୟ ବ୍ୟତୀତ ଅନ୍ୟ ବାହାର ରାଜ୍ୟରେ ମଧ୍ୟ ନିଜର ହକ୍ ରାସନ ପାଇପାରିବେ । ବିଶେଷକରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏହି ପ୍ରକ୍ରିୟାକୁ ଯଥେଷ୍ଟ ସହଜ କରାଯାଇଛି ବୋଲି ମଧ୍ୟ କହିଛନ୍ତି ।
ତେବେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ କ’ଣ?
ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଭାରତ ସରକାରଙ୍କ ଦ୍ୱାରା ଜୁନ୍ ୨୦୧୯ରେ ଆରମ୍ଭ କରାଯାଇଥିଲା । ଯେଉଁଠାରେ ଜଣେ ପିଡ଼ିଏସ୍ ହିତାଧିକାରୀ କୌଣସି ବି ସରକାରୀ ସୁଲଭ ମୂଲ୍ୟ ଦୋକାନରୁ ଖାଦ୍ୟଶସ୍ୟ ପାଇପାରିବେ, ପୂର୍ବରୁ କେବଳ ସେହି ରାସନ ଦୋକାନରୁ ନିଜ ଖାଦ୍ୟଶସ୍ୟ କୋଟା ଉଠାଇ ପାରୁଥିଲେ, ଯେଉଁଠାରେ ତାଙ୍କ ରେସନ୍ କାର୍ଡ଼ ଟ୍ୟାଗ୍ କରାଯାଇଥିବ । ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଯୋଜନା ଆରମ୍ଭ କରିବା ପୂର୍ବରୁ ଇଟିଂଗ୍ରେଟେଡ଼୍ ମ୍ୟାନେଜମେଂଟ ଅଫ୍ ପିଡ଼ିଏସ୍ ନାମକ ଏକ ନୂତନ ପିଡ଼ିଏସ୍ ପୋର୍ଟେବିଲିଟି ସିଷ୍ଟମ୍ ଏପ୍ରିଲ୍ ୨୦୧୮ ମସିହାରେ ଆରମ୍ଭ କରାଯାଇଥିଲା । ଏଥିସହ, ଅନ୍ନ ବିତରଣ ପୋର୍ଟାଲ ହିତାଧିକାରୀମାନଙ୍କୁ ସେମାନଙ୍କର ଜିଲ୍ଲା ବାହାରେ ଥିବା ସରକାରୀ ସୁଲଭ ମୂଲ୍ୟ ଦୋକାନରୁ ଖାଦ୍ୟଶସ୍ୟ ପାଇପାରିବାକୁ ସକ୍ଷମ କରିଥିଲା । ଉଭୟ ପୋର୍ଟାଲ ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଅବସ୍ଥାପିତ ଇଲୋକ୍ଟ୍ରୋନିକ୍ ବିକ୍ରୟ ମେସିନ୍ ଆଧାର କାର୍ଡ଼ ଆଧାରିତ ବାୟୋମେଟ୍ରିକ୍ ପ୍ରମାଣିକରଣ ମାଧ୍ୟମରେ ହିତାଧିକାରୀଙ୍କୁ ଚିହ୍ନଟ କରିଥାଏ ।
ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଯୋଜନା ଅଧିନରେ କାରବାରକୁ ସୁଗମ କରିବା ପାଇଁ କେତେକ ଅତ୍ୟାବଶ୍ୟକ ବିଷୟଗୁଡ଼ିକ ରହିଛି । ସେଗୁଡ଼ିକ ହେଉଛି ଯଥା ହିତାଧିକାରୀ ମାନଙ୍କର ରେସନ୍ କାର୍ଡ଼ ସହିତ ସେମାନଙ୍କର ଆଧାର ନମ୍ବର ସଂଯୋଗ କରିବା, ପ୍ରତ୍ୟେକ ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଇଲେକ୍ଟ୍ରୋନିକ୍ ବିକ୍ରୟ ଯନ୍ତ୍ର ଲଗାଇବା ଏବଂ ଇଟିଂଗ୍ରେଟେଡ଼୍ ମ୍ୟାନେଜମେଂଟ ଅଫ୍ ପିଡ଼ିଏସ୍ ଯାହାକି ଏକ କେନ୍ଦ୍ରୀଭୁତ ବୈଷୟିକ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିବ ।
ହିତାଧିକାରୀଙ୍କୁ ଚିହ୍ନିବା ପାଇଁ ଆଧାରର ବ୍ୟବହାର ହେଉଛି ଏହି ବୈଷୟିକ ଡ଼ିଜାଇନର ଏକ ଅଂଶ । ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଆରମ୍ଭ ହେବା ପରଠାରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବ୍ୟକ୍ତିଗତ ପିଡ଼ିଏସ୍ ହିତାଧିକାରୀଙ୍କ ଆଧାର ନମ୍ବର ସଂଗ୍ରହ କରି ସଂଯୋଗ କରିବାକୁ ଚାପ ପକାଇ ଆସୁଛନ୍ତି । ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଯୋଜନାରେ ଯୋଗ ଦେବା ପାଇଁ ସମସ୍ତ ରାଜ୍ୟକୁ ନେଟ୍ୱାର୍କରେ ସାମିଲ୍ ହେବା ପାଇଁ ଆହ୍ୱାନ ଦିଆଯାଇଛି । ଏଥିରେ ସର୍ତ୍ତ ରଖାଯାଇଛି ଯେ ଉକ୍ତ ନେଟ୍ୱାର୍କରେ ସାମିଲ୍ ହେବା ପରେ ରାଜ୍ୟଗୁଡ଼ିକ ଏହାର ଆର୍ଥିକ ଦାୟିତ୍ୱ ଏବଂ ବଜେଟ୍ ପରିଚାଳନା ଆଇନ ସୀମା ବାହାରେ କୋଭିଡ଼୍-୧୯କୁ ମୁକାବିଲା କରିବା ପାଇଁ ଅତିରିକ୍ତ ଋଣ ପାଇବାପାଇଁ ସକ୍ଷମ ହୋଇପାରିବେ ।
ତେବେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଯୋଜନା ଓଡ଼ିଶା ତଥା ଜାତୀୟ ସ୍ତରରେ ଏହାର ଉଦେ୍ଦଶ୍ୟ ପୂରଣ କରିଛି କି?
ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଯୋଜନାର କେନ୍ଦ୍ରୀୟ ଧାରଣା ହେଉଛି ପିଡ଼ିଏସ୍ ହିତାଧିକାରୀଙ୍କୁ ନିଜ ରାଜ୍ୟ ବାହାରେ ଯେକୌଣସି ସ୍ଥାନରୁ ନିଜ ହକ୍ ରାସନ ଉଠାଇବାକୁ ସୁବିଧା ଯୋଗାଇ ଦେବା । କେନ୍ଦ୍ର ସରକାର ଏହି ରାସନକୁ ଘରୋଇ ରାଜ୍ୟ କୋଟାରୁ କାଟି ଏହାକୁ ସେହି ବିକ୍ରୟ ରାଜ୍ୟ କୋଟାରେ ଯୋଡ଼ିବେ ।
ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୁନ୍ ମାସରେ ଓଡ଼ିଶା ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଯୋଜନାରେ ଯୋଗ ଦେଇଥିଲା, କିନ୍ତୁ ଜଣେ ବି ଓଡ଼ିଆ ପ୍ରବାସୀଙ୍କୁ ତାଙ୍କ ହକ୍ ଖାଦ୍ୟଶସ୍ୟ ଅନ୍ୟ ରାଜ୍ୟରୁ ଉଠାଇବାରେ ସକ୍ଷମ ହୋଇଥିବାର କୌଣସି ରେକର୍ଡ଼ ନାହିଁ କିମ୍ବା ଏହି ଯୋଜନା ଅନ୍ତର୍ଗତ କୌଣସି କାରବାର ହୋଇନାହିଁ । ଜାତୀୟ ସ୍ତରରେ, ମାସିକ କାରବାରରେ ୩୫୧୫ କାର୍ଡ଼ରେ ୨୪ହଜାର ୪୯୬ଜଣ ହିତାଧିକାରୀ କାରବାର କରିଥିବାର ଦେଖାଯାଉଛି, ଯେଉଁମାନେ ନିଜ ଅଧିକାରର ଖାଦ୍ୟଶସ୍ୟ ନିଜ ରାଜ୍ୟ ବାହାରେ ଅନ୍ୟ ରାଜ୍ୟରୁ ଉଠାଇଛନ୍ତି । ତଥ୍ୟ ଅନୁଯାୟୀ ୨୦୨୦ ମସିହା ଜୁନ୍ ମାସ ଠାରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ କେବଳ ୧୨ହଜାର ୮୪୬ ରେସନ୍ କାର୍ଡ଼ ମାଧ୍ୟମରେ ୯୫ ହଜାର ୭୯୪ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଭାରତରେ ଥିବା ୨୨କୋଟି ପିଡ଼ିଏସ୍ ହିତାଧିକାରୀଙ୍କର ଏହା ଏକ ଛୋଟ ଅଂଶ । ଏହା ସ୍ପଷ୍ଟ ଯେ ବହୁ ବଡ଼ ଦାବି ସତ୍ୱେ ଖୁବ୍ କମ୍ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ବାହାର ରାଜ୍ୟ ଅପେକ୍ଷା ନିଜ ରାଜ୍ୟ ଭିତରେ ଅର୍ଥାତ୍ ନିଜ ରାସନ ଦୋକାନ ବ୍ୟତିରେକ ଅନ୍ୟ ରାସନ୍ ଦୋକାନରୁ ରାସନ୍ ଉଠାଣ କାରବାର ଅଧିକ ରହିଛି । ଅକ୍ଟୋବର ୨୦୨୦ରେ ୧.୪୫ କୋଟି ମୂଳ କାରବାର ମଧ୍ୟରୁ ଆନ୍ଧ୍ରପ୍ରଦେଶ (୪୨.୫ଲକ୍ଷ), ରାଜସସ୍ଥାନ (୨୮.୧ ଲକ୍ଷ), ବିହାର (୨୨.୬ ଲକ୍ଷ), ଉତ୍ତରପ୍ରଦେଶ (୧୧.୫ ଲକ୍ଷ) ଏବଂ ତେଲେଙ୍ଗାନା (୧୧ ଲକ୍ଷ) କାରବାର କରିଛନ୍ତି । ଏକ ରାଜ୍ୟ ମଧ୍ୟରେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଲାଗୁ କରିବା କୌଣସି ଅତିରିକ୍ତ ବ୍ୟବସ୍ଥା ଆବଶ୍ୟକ ନାହିଁ କାରଣ ଏହା ପୂର୍ବରୁ ହୋଇଆସୁଅଛି ।
ଗତ ଏକବର୍ଷ ମଧ୍ୟରେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ର କାର୍ଯ୍ୟକାରିତା ବିଷୟରେ କେନ୍ଦ୍ରର ଦାବି ସତ୍ତ୍ୱେ ଏହି ଯୋଜନାର ପରିଚାଳନା ଦିଗ ଉପରେ କୌଣସି ସ୍ପଷ୍ଟତା ନାହିଁ । ଉଦାହରଣ ସ୍ୱରୂପ, ପ୍ରତ୍ୟେକ ରାଜ୍ୟର ଏକ ଭିନ୍ନ ମୂଲ୍ୟ ଏବଂ ଅଧିକାରର ପ୍ୟାକେଜ୍ ଅଛି । ସାମଗ୍ରୀର ଦର, ଅଧିକାର ଏବଂ ଦେୟ ସ୍ଥିର କରିବା, ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରବାସୀ ତଥ୍ୟ ଆଦାନ ପ୍ରଦାନ କରିବା ଭଳି ବିଭିନ୍ନ ସମସ୍ୟା ରହିଛି ଯାହାକି ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନର ପନ୍ଥା ବାହାର କରାଯାଇନାହିଁ । ଯେପରିକି ଚାଉଳ ଖାଉଥିବା ଓଡ଼ିଆ ରାଜସ୍ଥାନ ପରି ଗହମ ଯୋଗାଉଥିବା ରାଜ୍ୟରେ ଚାଉଳ ପାଇବ କି? ତାମିଲନାଡ଼ୁର ହିତାଧିକାରୀଙ୍କୁ ବାହାର ରାଜ୍ୟରେ ବିନା ମୂଲ୍ୟରେ ରାସନ ମିଳିବ କି? ଏହିପରି ଜଟିଳ ପ୍ରଶ୍ନଗୁଡ଼ିକର ଉତ୍ତର ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
ଓଡ଼ିଶାରେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ର ପ୍ରମୁଖ ପଦକ୍ଷେପ:
ଏହି ଯୋଜନାରେ ଓଡ଼ିଶା ଯୋଗ ଦେବା ପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ଭୁବନେଶ୍ୱର ମୁ୍ୟନିସିପାଲିଟି କର୍ପୋରେସନ୍ ସୀମାରେ ରେସନ୍ କାର୍ଡ଼ଧାରୀଙ୍କ ପାଇଁ ଏକ ପୋର୍ଟେବିଲିଟି ବ୍ୟବସ୍ଥା ପରୀକ୍ଷାମୂଳକଭାବେ କାର୍ଯ୍ୟକାରୀ କରାଯାଇଥିଲା । ଏହି ବିଷୟ ଉପରେ କୌଣସି ସୂଚନା ପ୍ରକାଶ ପାଇନଥିବାରୁ ଏହାର ମୂଲ୍ୟାଙ୍କନ ହୋଇଛି କି ନାହିଁ ତାହା ଆମ ଜ୍ଞାତସାରରେ ନାହିଁ । ଏକାଧିକ ସମୟସୀମା ସ୍ଥିର କରିବା ପରେ, ୧୫ ସେପ୍ଟମ୍ବର ୨୦୧୯ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ କେବଳ ସେହି ହିତାଧିକାରୀ, ଯାହାର ଆଧାର ନମ୍ବର ସେମାନଙ୍କ ରେସନ୍ କାର୍ଡ଼ ସହିତ ସଂଯୋଗ ହୋଇସାରିଛି, ସେମାନେ କେବଳ ସେମାନଙ୍କର ଖାଦ୍ୟଶସ୍ୟ କୋଟା ଅନ୍ଲାଇନ୍ ପ୍ରକ୍ରିୟାରେ ଉଠାଇ ପାରିବେ । ଏବେ ବି ସଂଯୋଗ ପ୍ରକ୍ରିୟା ଜାରି ରହିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୧୯ ମସିହାରେ ୧୮ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କର ରାସନ୍ କାର୍ଡ଼ ଆଧାର ସହିତ ଯୋଡ଼ି ନଥିବାରୁ ଖାଦ୍ୟଶସ୍ୟ ଉଠାଇବା ଅଧିକାରରୁ ବଂଚିତ ହୋଇଥିଲେ । ଏହାପରେ ପୁଣିଥରେ କେତେଜଣ ରାସନ ବ୍ୟବସ୍ଥାକୁ ଫେରିପାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଆଧାର କାର୍ଡ଼ ଥାଇ ମଧ୍ୟ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଉଠାଇବାରୁ ବଂଚିତ କରାଯାଇଛି, କାରଣ ସେମାନଙ୍କର ଆଧାର କାର୍ଡ଼ ରାସନ୍ କାର୍ଡ଼ ସହିତ ସଂଯୋଗ ହୋଇପାରିନଥିବାରୁ । ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ କ୍ଷତିକାରକ ପ୍ରଭାବ ପଡ଼ିଛି, ଯେପରିକି ବୃଦ୍ଧ, ଭିନ୍ନକ୍ଷମ ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତି ଯେଉଁମାନେ ପିଡ଼ିଏସ୍ ଦୋକାନକୁ ଶାରୀରିକ ଭାବେ ଯିବା କଷ୍ଟ କିମ୍ବା ଯାହାର ଆଙ୍ଗୁଳି ଛାପ ପ୍ରମାଣିକରଣ ମେସିନ୍ ଦ୍ୱାରା ସଠିକ୍ ଭାବରେ ପଢ଼ା ଯାଇପାରୁ ନାହିଁ ।
ଏହି ବ୍ୟବସ୍ଥାରେ କିଛି ହିତାଧିକାରୀ ଖାଦ୍ୟଶସ୍ୟ ଉଠାଇବାରୁ ବଂଚିତ ହୋଇଛନ୍ତି । ଏଭଳି ଏକ ଖର୍ଚ୍ଚ ବହୁଳ ବ୍ୟବସ୍ଥାର ଖର୍ଚ୍ଚ ତୁଳନାରେ ଲାଭର ଏକ ବିସ୍ତୃତ ବିଷ୍ଳେଷଣ ହେବା ଜରୁରୀ । ଏହାଦ୍ୱାରା ଖର୍ଚ୍ଚ ତୁଳନାରେ ପ୍ରକୃତରେ କେତେ ଲୋକଙ୍କୁ ଲାଭ ପହଂଚିଛି । ସମ୍ପ୍ରତି ସରକାରଙ୍କ ଦାବି ଅନୁଯାୟୀ, ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆନୁପାତିକ ସୁବିଧା ଆଣିବା ଅପେକ୍ଷା ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼ ଲୋକଙ୍କୁ ଅଧିକ ଯନ୍ତ୍ରଣା ଦେଇଛି । ଯାହାକି ସଠିକ୍ କାର୍ଯ୍ୟକାରିତା ଏବଂ ମୂଲ୍ୟାଙ୍କନ ବିନା ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପରିବର୍ତ୍ତେ ହିତାଧିକାରୀଙ୍କ ପାଇଁ ଅଧିକ ପ୍ରଶାସନିକ ସମସ୍ୟାଭାର ସୃଷ୍ଟି କରୁଥିବାର ପ୍ରତୀତ ହେଉଛି ।
Photo Credit- https://bit.ly/3KVqdKr
Comments
0 comments