ସେମିଗାଲୁ: ଗୋଟେ ଗାଁର ନାଁ

ଏକ ଜଙ୍ଗଲ,ପାହାଡ଼ ଓ ଝରଣା ଘେରା ଗାଁ ସେମିଗାଲୁ । ଗାଁକୁ ଯିବାପାଇଁ ହେଲେ ମୁନିଗୁଡ଼ାରୁ ରାୟଗଡ଼ ଭବାନୀପାଟଣା ରାସ୍ତାରେ ୨୫ କିଲୋମିଟର ଗଲା ପରେ ପଡ଼େ ଅମ୍ବାଦଳା ବଜାର । ଏହିଠାରୁ ରଘୁବାରିର ବିରାଟ ସୁଉଚ୍ଚ, ସର୍ପିଳ ଘାଟିରାସ୍ତା ପାର ହେଲାପରେ ରଘୁବାରି ଓ ପରେ ପରଡ଼ିମିରିଗୁଡ଼ା ପଂଚାୟତ କାର୍ଯ୍ୟାଳୟ । ଏହିଠାରୁ ଡାହାଣ ପାଶ୍ୱର୍ରେ ମାଣ୍ଡୁରା ରାସ୍ତା ଆଡ଼କୁ ମୁହାଁଇଲେ ଠିକ୍ ସିନେ୍ଧଗିର ଅଙ୍ଗନବାଡ଼ି । ଟିକେ ପୂର୍ବରୁ ଡାହାଣ ପଟେ ଏକ ମୋରମ ରାସ୍ତା । ସେହି ମୋରମ ରାସ୍ତାଟି ଧରି ଅଳ୍ପ କିଛି ବାଟ ଗଲା ପରେ ପାଇବେ ଦୁଇଆଡ଼କୁ ରାସ୍ତା । ବାମ ପଟକୁ ଏକ ରାସ୍ତା କମକୁଚା ଓ ଡାହାଣ ସିଧା ରାସ୍ତାଟି ସେମିଗାଲୁକୁ । କିଛିବାଟ ପରେ ସୁନ୍ଦର ଝରଣାର କୁଳୁକୁଳୁ ନାଦରେ ପୁରା ଆପଣ ହଜିଯିବେ । ଏହି ଝରଣା ପାରି ହୋଇ ରାସ୍ତାରେ ସିଧାଚାଲିଚାଲି ଛୋଟ ଡଙ୍ଗରଟି ଚଢ଼ିଲେ ଆପଣ ସେମିଗାଲୁକୁ ପାଇବେ । ଏହିପରି ମୁନିଗୁଡ଼ାରୁ ମୋଟ ୪୦ କିଲୋମିଟର ଅତିକ୍ରମ କଲାପରେ ଏହି ଗାଁ ସେମିଗାଲୁ । ଘରସଜ୍ଜା ଓ ପାରିପାଶ୍ୱିର୍କ ପ୍ରକୃତିକୁ ଦେଖିଲେ ମନଭରି ଉଠିବ । ଶୀତର ଚାରିପଟ ଡଙ୍ଗର ଜହ୍ନା, ହାତଠାରି ଡାକୁଛି, ଗାଣ୍ଠିଆ ଆଗକୁ ବଢ଼ିଯିବା ପାଇଁ କହୁଛି, ଅଳସି ଫୁଲ ହଳଦୀ ମାଖି ବନ୍ଧୁତ୍ୱର ସ୍ୱାଗତ କରୁଛି, ଗାଁର ପ୍ରବେଶ ପୂର୍ବରୁ କାଠ ଏପରି ଭାବରେ ସଜା ହୋଇଛି, ସେଠି ବସିଲା ପରେ ସବୁ ଦାମିକିଆ ମେଜ ତୁଚ୍ଛ ପରି ଲାଗିବ, କେଉଁ ଏକ ସ୍ୱର୍ଗ ରାଜ୍ୟରେ ବିଚରଣ କଲାଭଳି ଲାଗିବା ସୁଲୁସୁଲିଆ ପବନ ମାଡ଼ିଆସି ଆଖିକୁ ଆଉଁସି ଦେଇଯିବ । ଲୋକମାନେ କହନ୍ତି ଆମ ଗାଁରେ କେବେ ଝଗଡ଼ା ଲାଗେ ନାହିଁ । ସମସ୍ତେ ନିୟମ ମାନି ଚଳନ୍ତି, ପିଲାମାନେ ବୟସ୍କଙ୍କୁ ଯେମିତି ସମ୍ମାନ ଦେବା କଥା ଦିଅନ୍ତି ଓ ବୟସ୍କମାନେ ଯେପରି ଛୋଟ ପିଲାମାନଙ୍କୁ ଆଦର କରିବା କଥା କରନ୍ତି । ଗାଁର ଦୁଃଖ, ସୁଖରେ ଆମେ ମିଳିମିଶି ହୋଇ ଚଳୁ । ସମସ୍ତେ ଆନନ୍ଦରେ ରହୁ ଏଇଥିପାଇଁ ଏ ଗାଁର ନାଁ ହୋଇଛି ସେମିଗାଲୁ । ସବୁଠାରୁ ସୁଖ, ଶାନ୍ତି, ଖୁସିର ଅର୍ଥ ସେମିଗାଲୁ ଏଣୁ ଏହି ଗାଁର ନାମ ହୋଇଛି ସେମିଗାଲୁ । ଏହି ଗାଁରେ ମୋଟ ୧୨ଟି ପରିବାର ରହନ୍ତି ଏବଂ ସମସ୍ତ ପରିବାର ହେଉଛନ୍ତି ଆଦିବାସୀ ପରିବାରର । ମୋଟ ଲୋକସଂଖ୍ୟା ୭୦ ସରିକି ହେବ ।

ଏହି ଗାଁର ପୂର୍ବରେ ପୋକରକାଡାଂ, ପଶ୍ଚିମରେ କାଲଡୁମୁଣି, ଉତ୍ତରରେ ନିଲୁବାରୁ ଓ ଦକ୍ଷିଣରେ ପେଜି କୁଡ଼ାଂ ଡଙ୍ଗର ଅବସ୍ଥିତ । ଏହି ଗାଁକୁ ଲାଗି କୁଳୁ କୁଳୁ ନାଦରେ ବୋହିଯାଇଛି ଏକ ଚିରସ୍ରୋତା ଝରଣା ସାଲାଣ୍ଡାଡ୍ରାହଁ ରେତା- ରେତା ହେଉଛି ଝରଣା, ଯେଉଁଠି ସେ ବୋହିଛି ଆଗକୁ ଆଗକୁ ପଥର ଡଙ୍ଗା ଭଳି ।

ଗାଁ ବସାଇଥିଲେ : ଲୋକ ତୁଣ୍ଡରେ ରହିଆସିଛି ସୁଲେ ମାଝୀ ସେମିଗାଲୁ ଗାଁ ବସାଇଥିଲା । ସୁଲେ ମାଝୀ କେଉଁ କାଳୁ ଗଲାଣି, ସୁଲେ ମାଝୀର ପୁଅ ବାଲୁଙ୍ଗା ମାଝୀ, ବାଲୁଙ୍ଗା ମାଝୀର ପୁଅ ଜିମା ମାଝୀ, ଜିମା ମାଝୀର ସାନ ଭାଇ ପାଣିସା ମାଝୀ । ଜିମା ମାଝୀ ଆଉ ନାହିଁ । ଜିମା ମାଝୀର କେବଳ ଝିଅ ଦିଇଟା । ପାଣିସାର ପୁଅ ନିର୍ବାସ ।

ସାଇକେଲ ନାହିଁ କି ରେଡ଼ିଓ ନାହିଁ – ସେମିଗାଲୁରେ କାହା ପାଖରେ ନା ଅଛି ରେଡ଼ିଓ, ନା ଅଛି ଟିଭି, ନା ଅଛି ସାଇକେଲ । ହେତୁ ମାଝୀ ଓ ସୁରେଶ ମାଝୀ ପାଖରେ ବଡ଼ ମୋବାଇଲ ଅଛି । ସୁରେଶ ଅଷ୍ଟମ ଶ୍ରେଣୀ ଯାଏ ପଢ଼ିଛି । ଗାଁପାଖ ଡଙ୍ଗରକୁ ଚଢ଼ିଲେ ମୋବାଇଲରେ କଥା ଶୁଭେ । ଏହି ଡଙ୍ଗରରେ ଆଗେ କଦଳୀ ଗଛ ଭରପୁର ଥିଲା । କଦଳୀ ପାଚି ତଳେ ପଡ଼ୁଥିଲା ଯାହାକୁ ଯେତେ । ହାତୀ ଆସି କଦଳୀ ଜଙ୍ଗଲକୁ ନଷ୍ଟ କରିଦେଲେ । ଏବେ ଗୋଟିଏ ବି ଗଛ ନାହିଁ । ଗାଁର ଭେଣ୍ଡିଆମାନେ ରାତିରେ ଗଉନ୍ତିଆ ଘରକୁ ଶୋଇବାକୁ ଯାଆନ୍ତି ।

ସରକାରୀ ସୁବିଧା : ଖାଦ୍ୟ ଖାଉଟି କଲ୍ୟାଣ : ସମସ୍ତ ୧୨ଟିଯାକ ଘରର ପିଏଚ୍ଏଚ୍ କାର୍ଡ଼ ଅଛି ଚାଉଳ ପଞ୍ଚାୟତରୁ ଆଣୁଛନ୍ତି କିନ୍ତୁ ଯେଉଁମାନଙ୍କର ଆଧାର କାର୍ଡ଼ ହୋଇପାରିନି, ସେମାନଙ୍କୁ ଚାଉଳ ମିଳୁନାହିଁ ।

ବିଜୁଳି ଆଲୁଅ : ୨୦୦୭ ମସିହାରେ ଗାଁକୁ ବିଜୁଳି ଆଲୁଅ ଯାଇଥିଲା, କିନ୍ତୁ ୨୦୧୮ ବେଳକୁ ଆଉ ନାହିଁ ।

ବିଦ୍ୟାଳୟ : ଗାଁରେ ବିଦ୍ୟାଳୟ ନାହିଁ, ହାରାହାରି ୧.୫ କି.ମି ଦୂରରେ ସିନେ୍ଧଗିରି ପ୍ରାଥମିକ ବିଦ୍ୟାଳୟ । କିନ୍ତୁ ଗ୍ରାମର ଲୋକମାନେ ଝରଣା, ଜଙ୍ଗଲବିଛା ନିଛାଟିଆ ରାସ୍ତାକୁ ଦେଖି ପିଲାଙ୍କୁ ବିଦ୍ୟାଳୟକୁ ପଠାଉନାହାନ୍ତି । ଯଦି ବି ପାଳି କରି କିଏ ନେଲେ, ସ୍କୁଲକୁ ଯାଆନ୍ତି । କୌଣସି ଶିକ୍ଷକ ନିୟମିତ ଭାବରେ ଆସନ୍ତି ନାହିଁ । ବର୍ଷାଦିନେ ବିଦ୍ୟାଳୟ ଯିବା ସମ୍ଭବ ନୁହେଁ । ବର୍ଷାଦିନେ ପାହାଡ଼ି ଝରଣା ଦୁଇକୂଳ ଖାଉଥାଏ । ପିଲାମାନେ ଝରଣା ଡେଇଁ ସ୍କୁଲକୁ ଯିବେ କେମିତି? ସ୍କୁଲ ଯିବା ବୟସର ୧୬ଜଣଙ୍କ ମଧ୍ୟରୁ ୧୦ ଜଣ ରଘୁବାରୀ ଆଶ୍ରମ ବିଦ୍ୟାଳୟରେ ପଢ଼ୁଛନ୍ତି । ବାକି ୬ଜଣ ଝିଅ ପିଲା ଗାଁରେ ରହି ବାପା ମାଙ୍କୁ କାମରେ ସହଯୋଗ କରୁଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ ଆଜିକାଲି ଯାହା ଅବସ୍ଥା ଝିଅ ପିଲାଙ୍କୁ ଆଶ୍ରମ ସ୍କୁଲରେ ଛାଡ଼ିବାକୁ ସାହସ ପାଉନାହିଁ, ଏବଂ ଆମ ଆଦିବାସୀ ସମ୍ପ୍ରଦାୟର ଝିଅମାନଙ୍କର ଅନେକ କାମ ଥାଏ । ଆଜି ପର୍ଯ୍ୟନ୍ତ ଏହି ଗାଁରେ କେହି ବି ଜଣେ ମାଟ୍ରିକ ପାସ କରିନାହାନ୍ତି । ପାଠ ପଢ଼ାକୁ ପଛରେ ରଖି ଏବେ ଅନେକ ପିଲା କେରଳରେ । ପାଣିସା ମାଝୀର ପୁଅ ନିର୍ବାସ । ପାଠପଢ଼ି ନାହିଁ ରୋଜଗାର ପାଇଁ କେରଳ ଯାଇଛି । ଗୁଚକା ବାଙ୍ଗୁ ଗାଁ ଗଉନ୍ତିଆ ରବି ମାଝୀ । ରବି ମାଝୀ ବ୍ୟାଙ୍କ ଖାତାରେ ନିର୍ବାସ ଟଙ୍କା ପଠାଏ । ଗଲା ବର୍ଷ ୨୦,୦୦୦ ଟଙ୍କା ଦେଇଥିଲା । ପାଣିଆ ପୁଅ ନିର୍ବାସ ପାଇଁ ମତାରଲୁକୁ ଗାଁରେ କନିଆ ଦେଖିଛି । ବନ୍ଧୁଛିଣ୍ଡା ବାବଦକୁ ୪ ଡବା ମଦ ୨ ପଟ ପୋଢ଼ ଓ ଏକ ପଟ ଛେଳି ଦେଇଛି । ପାଣିସା ମାଝୀ ପୁଅ ନିର୍ବାସର ବାଟକୁ ଅନାଇ ବସିଛି ପୁଅର ବିହା ଘର ହେବ ।

ପିଇବା ପାଣି : ଝରଣା ପାଣି ହିଁ ଲୋକମାନଙ୍କର ଏକମାତ୍ର ସାହା ଓ ଭରସା ।

ସ୍ୱାସ୍ଥ୍ୟସେବା : ଏହି ଗାଁରେ ଗର୍ଭବତୀ ମା ଦୁଇଜଣ ଓ ପ୍ରସୂତୀ ମା ଜଣେ ଅଛନ୍ତି ଓ କିଶୋରୀ ବାଳିକା ୨ଜଣ ଅଛନ୍ତି । ଅଧିକାଂଶ ସମୟରେ ଘରେ ପ୍ରସବ ହୋଇଥାଏ । ସେମିଗାଲୁକୁ ଉଠିବା ପାଇଁ ମଡ଼ା ରାସ୍ତା ବି ନାହିଁ । ଆମ୍ବୁଲାନ୍ସ ଏହି ଗାଁକୁ ଆସିବ କିପରି । ଆଶା ଦିଦିଙ୍କ ଘର ଝରଣୀ ପ୍ରାୟ ୭କିଲୋମିଟର ହେବ । ୨୦୨୦ ମସିହା ସରିଗଲାଣି । ଥରେ ବି ଆସିନାହାନ୍ତି ଏବଂ ଏଏନ୍ଏମ୍ ଦିଦି ମଧ୍ୟ । ଅଙ୍ଗନବାଡ଼ି କର୍ମୀ ବର୍ଷକ ଭିତରେ ଥରୁଟିଏ ଆସିନାହାନ୍ତି । ରସନ୍ତି ମାଝୀ ଏକ ଶିଶୁ କମଳା ରଙ୍ଗରେ (Orange Zone) ଥିବା ବେଳେ, ସିବା ମାଝି ଆଉ ଏକ ଶିଶୁ ୨ ଥର Nutritional rehabilitation center ରାୟଗଡ଼କୁ ଦୁଇଥର ଯାଇଛି ସ୍ୱାସ୍ଥ୍ୟର ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ । ବଟଳି ମାଝୀ ଓ ସାବନା ମାଝୀର ସିବା ହେଉଛି ୧୦ନମ୍ବର ସନ୍ତାନ । ଏଣୁ ତାର ମା’ର ସ୍ଥିତି ମଧ୍ୟ ବାରି ହୋଇପଡ଼ୁଥିଲା । ଆଉଜଣେ ମା ସୁଶାନ୍ତୀ ମାଝୀ । ଆଧାର କାର୍ଡ଼ନଥିବା ଯୋଗୁଁ ମମତା ଟଙ୍କା ପାଇପାରି ନାହିଁ । ଏହି ସୁଶାନ୍ତୀର ପୁଅ ଓ ଝିଅ ମିଶି ପାଂଚଜଣ ହୋଇଥିବାବେଳେ, କୌଣସି ପିଲାର ମମତା ଟଙ୍କା ପାଇ ପାରିନାହାନ୍ତି । ଆଇରନ୍ ଫଲିକ ଏସିଡ଼ ବଟିକା ଗର୍ଭବତୀ ମା’ ମାନଙ୍କୁ ଦିଆଯାଇନାହିଁ । ଯେଉଁମାନେ ବି ପାଇଛନ୍ତି ନଖାଇ ଫୋପାଡ଼ି ଦେଇଛନ୍ତି । ପିଲାଛୁଆ ଜନମବେଳକୁ ସେମିଗାଲୁର ବୁଢ଼ୀ ଧାଈମା ଏକା ଭରସା । ଦେହପା ଖରାପ ହେଲେ ଜାନି, ଦିଶାରୀଙ୍କୁ ଆଗ ଲୋଡ଼ା । ମୁକୁଳା ଆକାଶ, ଫୁଙ୍ଗୁଳା ମାଟି ଉପରେ ଅସରନ୍ତି ଦୁଃଖ ବୋହି ଚାଲୁଥିବା ମଣିଷଙ୍କୁ ହଠାତ କିଏ ସାହା ହୋଇପାରିବ ସେମିଗାଲୁରେ । ପାଣିସା ମାଝୀର ବର୍ଷକର ପୁଅଟା ବି ଗଲା । ଜାନି ଚାଉଳ ଖେଳାଇ କହିଲା ତୋ ଭାଗ୍ୟ ଖରାପ । ସେମିଗାଲୁରୁ ଲୋକେ ଅମ୍ବଡ଼ାପଦର ଯାଆନ୍ତି ମଦ ପିଇବା ପାଇଁ । ଅମ୍ବଡ଼ାପଦରରେ ଡମ୍ବ ମଦ ବିକେ । ପାଂଚସପ୍ତାହ ତଳେ ଦୁଇ ଗାଁର ଲୋକ ମିଶି ଗୁଡ଼ିଆତଳେ ପୋଢ଼ ମାରିଥିଲେ । ପରିବାର ପିଛା ୪କେଜି ଲେଖାଏଁ ପଡ଼ିଥିଲା ।

ବଟଲି ମାଝୀ କୁହେ : ବଟଲି ମାଝୀର ଅଣ୍ଡରା ସାବନା ମାଝୀ । ସାବନା ମୁନିଗୁଡ଼ାକୁ ନୀଳଗିରି ଗଛ କାଟିବା ଲାଗିଯାଇଛି । ବଟଲିର ବାପ ଘର ତେରିମେରି (ଇଚ୍ଛାପୁର ପାଖରେ) । ବଟଲି ଓ ସାବନାର ଝିଅ ପୁଅ ମିଶି ୧୦ । ୧) ଗୋପାଳ ମାଝୀ- ବିହା ହୋଇଛି, ୨) ମେନରା ମାଝୀ (ଝିଅ)- ବିହା ହୋଇଛି, ୩) ବାସ ମାଝୀ – (ଝିଅ) ଘରେ ଅଛି, ୪) ଲୁଦୁରି ମାଝୀ (ଝିଅ) ଘରେ ଅଛି, ୫) ଅଜିତ ମାଝୀ (ପୁଅ) ଆଶ୍ରମ ସ୍କୁଲକୁ ଯାଉଛି, ୬) ଶରତ ମାଝୀ – (ପୁଅ) ଆଶ୍ରମ ସ୍କୁଲକୁ ଯାଉଚି, ୭) ରଶ୍ମିତା ମାଝୀ – (ଝିଅ) ଘରେ ଅଛି, ୮) ପୁକା ମାଝୀ (ପୁଅ) ଘରେ Yellow Zoneରେ ଅଛି, ୯) ପ୍ରକାଶ ମାଝୀ (ପୁଅ) ଘରେ ଅଛି, ୧୦) ସିବା ମାଝୀ (ପୁଅ) Nutritional rehabilitation center, ରାୟଗଡ଼କୁ ଦୁଇଥର ଯାଇଛି । ଏଥରକ ୬ଅଡ଼ା ଡଙ୍ଗର ଚାଷ କରିଛନ୍ତି । ଅଣ୍ଡରା ସାବନା ସବୁଦିନେ ମଦ ପିଏ, “ମୁଁ ଦୁଇମାସରେ ଥରେ ପିଉଛି- ବଟଲି କହୁଛି । ଗୋଟଏ ଗ୍ଲାସକୁ ୧୦ଟଙ୍କା । ଆଉ ଗୋଟିଏ ଗ୍ଲାସ ୨୦ହେଲେ ଗ୍ଲାସରେ ନିଶାଥିବ ଆଉ ରାଗଥିବ । ସାବନା ମୋ ପାଇଁ ଜରିରେ ଆଉ ବୋତଲରେ ଆଣୁଛି । ସକାଳେ ମାଣ୍ଡିଆପେଜ, ଖରାବେଳେ ମାଣ୍ଡିଆପେଜ, ରାତିରେ ଡାଲି ଶାଗ, ଭାତ । ହଁ, ମାସେ, ଦି ମାସ ଆଗରୁ ପୋଢ଼ ମାଂସ ସାବନା ଆଣିଥିଲା, ଜିରା ମସଲା ଦେଇ, ପିଆଜ, ହଳଦୀ, ମରୀଚ ଦେଇ ରାନ୍ଧିଥିଲି, ୨ଦିନ ଖାଇଲୁ । ଗୁରୁବାର ବଜାରକୁ କାନ୍ଦୁଲ, ଜହ୍ନା ବିକିନେଉ । ଗଲାବର୍ଷ କାନ୍ଦୁଲ କିଲୋ ପିଛା ୨୫ଟଙ୍କା ଲେଖାଏଁ ବିକିଛୁ । ଖେଡ଼ଜହ୍ନାକୁ ବେଦନା କରୁ । ମାଣ୍ଡିଆ ଯାଉରେ ପକାଉ, ଡଙ୍ଗରଧାନ କରୁନା । ଗୋଟେ ଅମୃତଭଣ୍ଡା ଗଛଥିଲା ମରିଗଲା, ଏଥରକ ଝରଣା ପାଖେ ପାଖେ ଡଙ୍ଗରଆଡ଼େ ଲଗାଇବୁ । ଚାଉଳ କିଣିବାକୁ ସେମିଗାଲୁର ସୁରେଶ ପାଖରୁ ଗଲା ବର୍ଷ ୧୫୦୦ଟଙ୍କା ମାଗିଥିଲୁ । ସୁରେଶ ୩,୦୦୦ଟଙ୍କା ନେଲା । ସାବନା ଉଧାର ସୁଝିଲା, ସାହୁକାର ପାଖେ ମୁନିଗୁଡ଼ା ଯାଇ ନୀଳଗିରି ଗଛ କାଟିଲା, ବୋହିଲା, ଘରେ ଛେଳି ପଟେ ଅଛି, କୁକୁଡ଼ା ନାହିଁ, ପୋଢ଼ ନାହିଁ, ଗାଈ ନାହିଁ । ଉଚୁମୁଚିରେ ସ୍କୁଲରେ କଣ ହୁଏ ଜାଣିନି ।

କେପା ମାଝୀ : ରୁଙ୍ଗଲି ମାଝୀର ଅଣ୍ଡାରା କେପା ମାଝୀ । କେପା ଓ ରୁଙ୍ଗୁଲିର ତିନି ପୁଅ ତିନି ଝିଅ । ବଡ଼ପୁଅ ବେଦା ଘର କଲାଣି । ତା ତଳକୁ ମିନ୍ଦୁଲି (ଝିଅ) ବିହା ହେଲାଣି, ଗାମ୍ବର (ଝିଅ) ଘରେ ଅଛି, ପ୍ରକାଶ ରଘୁବାରି ଆଶ୍ରମ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼େ, ତା ତଳଟା କାନ୍ତସ (ପୁଅ), ସବା ସାନ ପରମିତା, ସାଢ଼େ ତିନି ବରଷର । ଏଥର ଦୁଇମାଣ ଗୁଡ଼ିଆ କରିଛି । କୋଶଳା, ମାଣ୍ଡିଆ, ଖେଡ଼ ଜହ୍ନା, ଗାଣ୍ଠିଆ କରିଛି, ପୁଷ ପରବ ସରିଲେ ଗୁଡ଼ିଆ ହାଣିବାକୁ ହେବ । ଡିମିରିଗୁଡ଼ା ପାଖେ ନାନୀବୁଟି ମୋ ଶଶୁର ଘର କହିଲା କେପା । କେପାର ଜମି ପଟ୍ଟା ନାହିଁ, ଗଉନ୍ତିଆପାଖେ କାଗଜପତ୍ର ସବୁ ଅଛି । ରାତିବେଳା ମେଣ୍ଡା ଉପରକୁ ଯାଉ ଫସଲ ଜଗିବାକୁ । ତଣ୍ଡଣି ବାଜିଲେ ବାରିହା, ବାଘ, ହାତୀ ଆସିବେ ନାହିଁ, ମାନ୍ୟ ଅଛି ବୋଲି ଜାଣିବେ, ଚିମରା ଲିଗିବ ନାହିଁ, ଗୁଡ଼ିଆ ଉଷୁମ ହେବ ।

ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଦିବସ ଓ ଟିକାକରଣ : ଖବର ପାଇଲେ ପିଲାମାନଙ୍କ ସହିତ ଡଙ୍ଗରଚଢ଼ା ମଡ଼ା ରାସ୍ତା ଅତିକ୍ରମ କରି ପହଂଚି ଯାଆନ୍ତି । ଭିଡ଼ କାମଥିଲେ, ବର୍ଷା ଦିନମାନଙ୍କରେ ଯାଇ ହୁଏନି ।

ଅଙ୍ଗନବାଡ଼ି ସେବା :

ଅଙ୍ଗନବାଡ଼ିର ୬ଟି ସେବା, ୧- ପ୍ରାକ ବିଦ୍ୟାଳୟ, ୨- ଘରକୁ ନେବା ଶୁଖିଲା ଖାଦ୍ୟ, ୩- ସ୍ୱାସ୍ଥ୍ୟ ଓ ପୁଷ୍ଟି ଶିକ୍ଷା, ଟିକାକରଣ, ୫- ସ୍ୱାସ୍ଥ୍ୟ ପରୀକ୍ଷା, ୬- ରେଫରାଲ

୧- ଏହି ଗ୍ରାମରୁ ଅଙ୍ଗନବାଡ଼ି ସେଣ୍ଟର ୭ କିଲୋମିଟର ଦୂର ହୋଇଥିବା ଯୋଗୁଁ ଗାଁର କୌଣସି ପିଲା ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ନାହିଁ ।

୨- ଶିକ୍ଷାସନ୍ଧାନ କାର୍ଯ୍ୟ କରିବା ପୂର୍ବରୁ ଏହି ଗ୍ରାମରେ ମା’ମାନଙ୍କ କହିବା ଅନୁଯାଇ ଛତୁଆ ପ୍ୟାକେଟ ସହିତ ୧ଟି ଲେଖାଏଁ ଅଣ୍ଡା ପାଉଥିଲେ । ଶିକ୍ଷାସନ୍ଧାନ କାମ ଆରମ୍ଭ କରିବା ପରେ ଗର୍ଭବତୀ, ପ୍ରସୂତୀ ମା ଓ ୭ ମାସରୁ ୩ ବର୍ଷର ଶିଶୁ ମାସକୁ ୧୨ଟି ଲେଖାଏଁ ଅଣ୍ଡା, ଛତୁଆ ପ୍ୟାକେଟ, ସୁଜି, ଲଡ଼ୁ ଆଦି ପାଇପାରୁଛନ୍ତି । ସେହିପରି ୩ରୁ ୬ବର୍ଷର ପିଲାମାନେ ୨୦ଟି ଅଣ୍ଡା, ୨ କେଜି ·ଉଳ, ଆଲୁ, ଡାଲି, ତେଲ, ଆଦି ପାଇ ପାରୁଛନ୍ତି । ଖାଲି ଏତିକିନୁହେଁ ବର୍ଷକୁ ୨ହଳ ଲେଖାଏଁ ଡ୍ରେସ ମଧ୍ୟ ପାଇ ପାରୁଛନ୍ତି । ଯାହାକି କେବେ ପାଇ ପାରୁନଥିଲେ । ଏଥିପାଇଁ ସେମାନଙ୍କ ଖୁସି ଜାହିର କରନ୍ତି କିନ୍ତୁ କେଉଁ ଅବସ୍ଥା ଏସବୁ କରାଇପାରିଲା କହିଲେ ସେମାନେ ଖିଲି ଖିଲି ଦାନ୍ତ ଦେଖାନ୍ତି ଓ କହନ୍ତି ସଂସ୍ଥା ନା ଜାଣି ନାହିଁ ବାବୁ! ବଲ ବଲ ହୋଇ ପ୍ରଶ୍ନିଳ ଆଖିରେ ·ହିଁ ରହନ୍ତି ଆମକୁ ।

୩- ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ -୪) ଟିକାକରଣ : ଯେହେତୁ ଅଙ୍ଗନବାଡ଼ି ବହୁ ଦୂର ଯେତେବେଳେ ସେମାନେ ଖାଦ୍ୟ ଆଣିବାକୁ ଯାନ୍ତି ସେହିଠାରେ ହିଁ କିଛିଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ । କିନ୍ତୁ ସମସ୍ତ ମା ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା ହୋଇପାରେ ନାହିଁ । ଟୀକାକରଣ କାମ ଭଲ ଭାବରେ ହୋଇପାରେ ନାହିଁ । ସେହି ଖାଦ୍ୟ ଆଣିଲାବେଳେ ଯେଉଁ ପିଲାମାନଙ୍କୁ ନେଇ ମା’ମାନେ ଯାଆନ୍ତି । ସେହିମାନଙ୍କର ଟୀକାକରଣ ହୋଇଥାଏ ।

୬- ଅଙ୍ଗନବାଡ଼ି ଓ ଶିକ୍ଷାସନ୍ଧାନର ମିଳିତ ଉଦ୍ୟମଫଳରେ ରେଫେରାଲ ସେବା ହୋଇପାରୁଛି । ଜଣେ ୨ଥର ଏନ୍.ଆର୍.ସି. ଗଲେ ମଧ୍ୟ ବିଶେଷ କିଛି ପରିବର୍ତ୍ତନ ଖୋ ଯାଇନାହିଁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା :

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଖିବାକୁ ଏଯାବତ୍ ମିଳିନାହିଁ ।

ମନରେଗା:

ଏ ପର୍ଯ୍ୟନ୍ତ ସେମିତି କିଛି କାମ ଆସି ନାହିଁ, କାମ ଆସିଥିଲେ ଲୋକମାନେ ନୀଳଗିରି ଗଛ କାଟିବାକୁ ବିଷମକଟକକୁ ଯିବାକୁ ପଡ଼ନ୍ତା ନାହିଁ ବୋଲି କହନ୍ତି ।

ପର୍ବପର୍ବାଣି ଓ ବିହାଘର :

ସେମିଗାଲୁରେ ପୁଷ ପରବ, ସେମି ପରବ, ଚଇତ ପରବ, ଟାଙ୍କୁ ପୂଜା ଖୁବ ହୁଏ । ଦୁହେର ମୁଣ୍ଡା, ବାଡ଼ା ଘାଟି, ପିଡ଼େ କୁଡ଼ା ଓ ପାଲ ଦୁମନାଙ୍କୁ ରତା କୁକୁଡ଼ା ଦିଆଯାଏ । ସେମିଗାଲୁର ଝିଅ, ପୁଅ ବୟସରେ ବଢ଼ନ୍ତି, ୬, ୭ବର୍ଷ ବୟସର ହେଲାବେଳକୁ ବାପା, ମାଆ କନିଆ ଘର ଓ ବର ଘର ପକ୍କା କରି ଦିଅନ୍ତି । କନିଆ ପକ୍କା ହେଲାପରେ ପୁଅ ଘର ତରଫରୁ ମଦ, ପୋଢ଼, ଛେଳି, ·ଉଳ ପଠାଯାଏ ।

ଝିଅ ବଢ଼ିଲେ :

ପ୍ରଥମେ ଝିଅ ବଢ଼ିଲେ ଅପବିତ୍ର ହେଲା ବୋଲି ଧରିନିଆଯାଏ ବାହାର ଏକ ପିଣ୍ଢାରେ ରହେ । ଘରର କୌଣସି କାମ କରେ ନାହିଁ, ସାତ ଦିନ ଉତ୍ତାରୁ ଗାଧୋଇ ଆସିଲାପରେ, ବେଜୁଣି ଧରିତ୍ରୀ ମା ପାଖରେ ପୂଜା କରି ମାଣ୍ଡିଆ ତମ୍ପା ଦିଅନ୍ତି । ଏହାପରେ ଘରକୁ ଝିଅଟି ପ୍ରବେଶ କରେ । ପରବର୍ତ୍ତୀ ମାସଗୁଡ଼ିକରେ ମାସିକ ଧର୍ମହେଲେ ସେ ଘରେ ନ ରହି ବାହାରେ ରହେ ବା ପିଣ୍ଢାରେ ରହେ । ଘରର ରୋଷେଇ କାମ ତାଙ୍କର ମା କିମ୍ବା ବାପା କରନ୍ତି । ଠିକ ଏହିପରି ସ୍ତ୍ରୀ ଲୋକମାନେ ମଧ୍ୟ ବାହାରେ ରହନ୍ତି । ବୟସ୍କ ଲୋକଙ୍କୁ ପଚାରିଲେ କହନ୍ତି ବାହାରେ ରହିବାର କାରଣ ହେଉଛି ଆମେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଦିନସାରା କାମ କରି ସନ୍ଧ୍ୟା ବେଳକୁ ଥକ୍କାପଣ ଭାଙ୍ଗିବା ପାଇଁ ଟିକେ ମହୁଲି ପିଉ । ନିଶା ଚଢ଼ିଲେ ସେଇ ସମୟରେ କନିଆ ମାନଙ୍କ ସହିତ ମିଶିଯିବାର ସମ୍ଭାବନା ଥାଏ । ଏଣୁ ଆମ ପରମ୍ପରା ଏଭଳି ନିୟମ କେଉଁ କାଳରୁ ହୋଇଛି । ପ୍ରବାସ ପରେ ପ୍ରସୂତୀ ମାମାନଙ୍କୁ ୧ମାସ ପାଇଁ ବାହାରେ ରଖାଯାଏ । ସେମାନେ ଯେଉଁ ଘରେ ରହନ୍ତି ତାକୁ ଡାଆପା କହନ୍ତି । ଏହି ସମୟରେ ଛୁଆକୁ କଡ଼ାକଡ଼ି ଭାବେ ବରଣ କରାଯାଏ, ପରିଷ୍କାର କପଡ଼ା ମାଆ ଓ ପିଲାଙ୍କୁ ଦିଆଯାଏ ।

ଋଣ ବ୍ୟବସ୍ଥା :

ପର୍ବ ପର୍ବାଣୀ, ଘରେ, ଅସୁବିଧା ହେଲେ ହରିଜନ ଲୋକମାନଙ୍କ ଠାରୁ ଋଣ କରନ୍ତି । ୧୦୦୦ ଟଙ୍କା ଋଣ କରି ୧ମାସ ପରେ ଫେରାଇଲେ ୧୫୦୦ ଟଙ୍କା ଦେବାକୁ ପଡ଼େ । ବର୍ଷେ ପୁରିଲେ ଉଧାର ଟଙ୍କା ନ ସୁଝିଲେ ସୁଧ ଦୁଇଗୁଣା ହୁଏ । ବେଳେ ଅଧେ ପିଠିରେ ମାଡ଼ ବସେ । ଉଧାର ଦେଇଥିବା ଲୋକ ଗାଁକୁ ଆସି ଗାଳି, ଫଜିତ କରେ ଓ କୁକୁଡ଼ା, ଛେଳି ଗୋରୁ, ଗାଈ ଅବା ପୋଢ଼ ଯାହା ମିଳେ ବାନ୍ଧି ନିଏ । ଏହା ପରେ ଯାହା ହୁଏ ତାହା ଡଙ୍ଗର ଦେବତାକୁ ଜଣା ।

ଚାଷବାସ :

ଏ ବର୍ଷ ଡଙ୍ଗରରେ ମାଣ୍ଡିଆ, ଖେଡ଼ଜହ୍ନା, ଖେଡ଼ ଖୋସଲା, ସୁଆଁ, ମକା, ଝୁଡ଼ୁଙ୍ଗ, କଟିଂ, ବିରି, କୋଳଥ, କାନ୍ଦୁଲ, ଜଡ଼ା ଅଳସି ପାଚି ଆସିଲାଣି । ଏହା ବାଦ ଡଙ୍ଗରରୁ ମିଳେ ଜାତି ଜାତିକା କନ୍ଦା ଓ ଶାସ- ମୁଣ୍ଡି କନ୍ଦା, ପିତା କନ୍ଦା, ଭାତ କନ୍ଦା, ଚେରେଙ୍ଗା କନ୍ଦା, ନାପା କନ୍ଦା, କଷା କନ୍ଦା, ଲଙ୍ଗଳ କନ୍ଦା, କୁଇ କନ୍ଦା, କଲେବସା କନ୍ଦା, ହେମି କନ୍ଦା, ବରଡ଼ା ଶାଗ, ଗନ୍ଦ୍ରି ଶାଗ, ଆମ୍ବେଳି ଶାଗ, ଜବ ଶାଗ, ପିତା ଶାଗ ଇତ୍ୟାଦି ।

ଜମିର ସ୍ଥିତି :

ସେମିଗାଲୁ ଲୋକେ ପୁରୁଷ ପୁରୁଷ ଧରି ଡଙ୍ଗର ଚାଷ କରୁଛନ୍ତି । ନା ଅଛି ସେମାନଙ୍କ ପାଖରେ ଚାଷ ଜମିର ପଟ୍ଟା ଅଥବା ନିଜ ଘର ଢିଅ ଖଣ୍ଡିକର ପଟ୍ଟା । ସମୁଦାୟ ୧୨ ଘର ଭିତରକୁ ୨ଘରର ଅଛି ଜମି ପଟ୍ଟା ।

ରୋଜଗାର ବ୍ୟବସ୍ଥା :

ସେମିଗାଲୁ ଲୋକଙ୍କୁ ଡଙ୍ଗର ହିଁ ଭରସା । ମାତ୍ର ଡଙ୍ଗରର ଅମଳ କେତେ ଦୂର ଯାଇ ପାରିବ? ଭେଣ୍ଡିଆମାନେ କେରଳ ଯାଆନ୍ତି, ଅମ୍ବାଦଳା ବଜାରରେ କାମ କରନ୍ତି । ନୀଳଗିରି ଗଛ କାଟିବାକୁ, ବୋହିବାକୁ ମୁନିଗୁଡ଼ା, ବିଷମକଟକର ସାହୁକାର ପାଖକୁ ଯାଆନ୍ତି । ସମୟ ସମୟରେ ଅଭାବ ପଡ଼ିଲେ ଇଚ୍ଛାନଥିଲେ ବି ନିଜ ପେଟକୁ ଆଡ଼େଇ ଦେଇ କିଛି ପାଚି ବିକା ଯାଏ ।

ଖାଦ୍ୟର ସଙ୍କଟ ସମୟ :

ସେମିଗାଲୁର ସବୁ ଘରକୁ ମିଳିଛି Priority household card ଡଙ୍ଗରର ଅମଳ ଓ Priority household card ରୁ ମିଳୁଥିବା ଖାଦ୍ୟ ସାମଗ୍ରୀକୁ ମିଶାଇ ପେଟ ପୁରା ଖାଇଲେ ୬ ମାସର ଖାଦ୍ୟ ଅଭାବ ଠିକଭାବେ ଭରଣା ହୋଇପାରିବ । ବାକି ୬ମାସ ସେମିଗାଲୁର ଲୋକ ଅଧାପେଟ ଭୋକରେ ରହିବେ କି? ଡଙ୍ଗର ତଳେ ଏ ସବୁର ଆଲୋଚନା ବେଳେ ମା ମାନେ କହୁଥିଲେ ୬ ମାସର ଖାଦ୍ୟକୁ ବର୍ଷକ ପର୍ଯ୍ୟନ୍ତ ଟାଣିବାକୁ ପଡ଼େ । ପେଟ ଭୋକକୁ ମାରିବା ପାଇଁ ପେଜ ରାସ୍ତା ଦେଖାଏ ।

ହାଟ :

ହପ୍ତାହକୁ ଥରେ ଗୁରୁବାରଦିନ ଡିମିରିଗୁଡ଼ାରେ ସକାଳୁ ସକାଳୁ ହାଟପଦାରେ ହାଟ ବସେ । ଡଙ୍ଗରର ଉଠାପକା ପଥୁରିଆ ମଡ଼ାରେ ସେମିଗାଲୁ କନ୍ଧ ମଣିଷର ତର ତର ପାଦ ଆଗକୁ ଆଗକୁ ପଡ଼େ । କିଣା ବିକାର ବେପାର ସହ ଭେଣ୍ଡିଆ ଓ ଧାଙ୍ଗଡ଼ୀ, ସମବୟସୀ ମଣିଷଙ୍କର ଆସର ଜମେ । ଧାଙ୍ଗଡ଼ା, ଧାଙ୍ଗଡ଼ୀ ମନ ଦିଆନିଆ ହୁଅନ୍ତି, ଧାଙ୍ଗଡ଼ିର ଜଡ଼ା ତେଲମରା ଖୋସା ଓ ଛଳ ଛଳ ଆଖି ଭେଣ୍ଡିଆରେ ଇସାରାକୁ ଆଖି ରଖିଥାଏ । ଶୁଖୁଆ, ପିଆଜ, ତେଲ, ଗୋଡ଼ା ଲୁଣ, ପରିବା କପଡ଼ା ଲତା, ପିଲାଙ୍କ ପାଇଁ ଗଜା, ଗୁଲୁଗୁଲା, ପକୁଡ଼ି କିଣି ଆଣୁ । ମହୁଲ ବଦଳାଇ ସେମିଗାଲୁ ଲୋକେ ବର୍ଷକ ପାଇଁ ଗାଡ଼େ ଲୁଣ ବଦଳାଇ ଆଣନ୍ତି । ଆଖ ପାଖ ଗାଁ – ଗୁଚକାବାଙ୍ଗୁ, ଆଲିସା ଭଟା, ସିନେ୍ଧଗିରି, ମାଣ୍ଡୁରା, କୁଲେଞ୍ଜା, ସେରବାରୁ, କମକୁଚା ଆଦିର ବନ୍ଧୁମାନେ ଆସନ୍ତି । ହାଟରେ ଦୁଃଖ ସୁଖ ପଡ଼େ, ମଥା ଉପରକୁ ଧୀରେ ଧୀରେ ଖରା ଆସେ, ହାଟ ଉଠିବାକୁ ସମୟ ଲାଗେ ନାହିଁ । ସେଠି ଦୁଃଖ ସୁଖ ହେଉ । ସାତ ଦିନର କାମ ପରେ ଆମକୁ ଚିମରା ଲାଗିଯାଏ, ବଜାର ଗଲେ ଅନେକ ଖୁସି ପାଉ । ହାଟରେ ଡମରା ମଦ ଆମର ଚିମରାକୁ ଭାଙ୍ଗେ । ଗାଁ ଗଉନ୍ତିଆ ହାଟରୁ ଖବର ପଠାଏ, ଅନେକ ବିଷୟରେ ବିହାଘର, ଜମିଜମା, ଦାଦନ, ସୁଜା ଫୁଡ଼ା ଦିନ କଥା ମଧ୍ୟ ଆଣେ ।

Photo Credit-https://bit.ly/3yfUNfa

Comments

0 comments

Share This Article