ସାଗର ଲହରୀ ରାଜାଦେଶକୁ ଅପେକ୍ଷା କରେ ନାହିଁ

ଅମିତ ଭାଦୁର
ଅମିତ ଭାଦୁର170 Views
8 Min Read

ସେ ତାଙ୍କ ଚାରିପଟେ ଯାହା ଦେଖୁଥିଲେ ସେ ସବୁର ସେ ଅଧିଶ୍ୱର ଥିଲେ ଓ ସେହି କାରଣରୁ ଲୋକେ ତାଙ୍କୁ ସମ୍ମାନ ଦେଉଥିଲେ । କିମ୍ବଦନ୍ତୀର ସେହି ରାଜା କାନ୍ୟୁଟ୍ ଥରେ ସମୁଦ୍ର ତରଙ୍ଗକୁ ନିର୍ଦ୍ଧେଶ ଦେଇଥିଲେ ଯେ ସେ ଆଗକୁ ଆଗକୁ ନ ଆସି ପଛକୁ ଫେରୁ । କୂଳରେ ଆସି ପିଟି ହେଉଥିବା ତରଙ୍ଗ ଯୋଗୁଁ ତାଙ୍କର ପାଦ ଓ ରାଜକୀୟ ପୋଷାକ ଓଦା ହୋଇଯାଉଥିଲା । ସେପରି ନ କରିବାକୁ ସେ ତରଙ୍ଗମାଳାକୁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ତାଙ୍କ ଦରବାରୀ ପ୍ରଶଂସକଙ୍କୁ ଚକିତ କରି ଯାହାକି ସେମାନଙ୍କ ପାଇଁ ଅତୀବ ଲଜ୍ଜାକର କଥା ମଧ୍ୟ ଥିଲା ତଥା ରାଜାଙ୍କର ଈଶ୍ୱରୀୟ ଶକ୍ତିକୁ ଅମାନ୍ୟ କରି ତରଙ୍ଗ ରାଜାଦେଶକୁ ଭ୍ରୂକ୍ଷେପ କଲା ନାହିଁ । ଏହି ଦନ୍ତକଥାଟି ହୁଏତ ଆଜିବି ଲୋକମୁଖରେ ବଂଚିଛି, କାରଣ ଏହା ଗୋଟିଏ ସତ୍ୟର ଅବତାରଣା କରେ । ଆଉ ତାହା ହେଉଛି ଚାଟୁକରୀ ଦ୍ୱାରା ପାଳିତ ଶକ୍ତିର ଅହଂକାରର ଭ୍ରମ ଧାରଣା ।

ଆଧୁନିକ ଗଣତନ୍ତ୍ରଗୁଡ଼ିକ ଏହାର ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ନେତାଙ୍କୁ ଈଶ୍ୱରୀୟ ଶକ୍ତି ପ୍ରଦାନ କରନ୍ତି ନାହିଁ । କିନ୍ତୁ ଏହା ତାଙ୍କୁ (ସେ ପୁରୁଷ ହୋଇଥାଇ ପାରନ୍ତି ବା ମହିଳା) ଏକଛତ୍ରବାଦୀ ନହେଲେ ବି ସ୍ୱେଚ୍ଛାଚାରୀ ହେବାର ସୁଯୋଗ ଦେଇଥାଏ । ସେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂସଦରେ ପାରିତ ହୋଇଥିବା ଆଇନ ଅନୁଯାୟୀ ଶାସନ କରନ୍ତି । କିନ୍ତୁ ଆଜିର ଦିନଗୁଡ଼ିକରେ ବିଶ୍ୱରେ ମହାମାରୀ ଆଳରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସ୍ୱେଚ୍ଛାଚାରୀ ପ୍ରବୃତ୍ତି ଏକ ନୂତନ ପ୍ରଜାତି ଭାବରେ ବେଶ୍ ସହଜରେ ପ୍ରବେଶ କରିବାରେ ଲାଗିଛି । ଏହା ଏବେ ବିଭିନ୍ନ ପ୍ରକାରରେ ଘଟୁଛି ଯେମିତିକି ଗୋଟିଏ ସଂସଦ ବା ପାର୍ଲିଆମେଂଟ ହୁଏତ ଏକ ଭୂତ ସଂସଦ ହୋଇଯାଇପାରେ ଯେଉଁଠାରେ ପୁରା ବିରୋଧୀ ଦଳକୁ ଦେଖିବାକୁ ମିଳି ନ ଥାଏ, ସଂସଦକୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜରୁରୀକାଳୀନ ପରିସ୍ଥିତି ନାମରେ ସ୍ଥଗିତ କରି ଦିଆଯାଏ, ବା ଏପରି କିଛି ସ୍ଥିତି ଅତି ସହଜରେ ସଂସଦରେ ଥିବା ସଂଖ୍ୟାଗରିଷ୍ଠତା ବା ପଶୁବଳର ପରବର୍ତ୍ତୀ ପ୍ରଭାବ ଯୋଗୁଁ ସୃଷ୍ଟ ଅଭ୍ୟାସ କାରଣରୁ ହୋଇପାରେ ଯାହାର ଗଣନା ମଧ୍ୟ ଯେବେ ସମୟ ଆସେ ତେବେ ହୁଏ ।

ଏହା ସମ୍ପ୍ରତି ଇତିହାସର ଏକ ଅଂଶ ହୋଇଯାଇଛି ଯେ ଭାରତୀୟ ସଂସଦ ସମ୍ପ୍ରତି ତିନୋଟି କୃଷି ବିଧେୟକକୁ ପାରିତ କରି ଆଇନରେ ପରିଣତ କରି ଦେଇଛି ଯାହାକୁ ନେଇ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ବିରୋଧର ଜୁଆର ଦେଖିବାକୁ ମିଳୁଛି ବିଶେଷ କରି ପଂଜାବ, ହରିଆଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସହିତ ଭାରତର ବିଭିନ୍ନ ଭାଗରେ କୃଷକମାନେ ଅଧିକରୁ ଅଧିକ ଏହି ଜୁଆରରେ ସାମିଲ ହେଉଛନ୍ତି । ସେମାନେ ଚାହୁଁଛନ୍ତି ଯେ ଏହି ତିନୋଟି କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନିଆଯାଉ । ଏହା ସ୍ଥାନରେ ସେମାନେ ସମସ୍ତ କୃଷିଜାତ ସାମଗ୍ରୀର ଏକ ସର୍ବନିମ୍ନ ସରକାରୀ ଦର ବା ନିର୍ଦ୍ଧାରିତ ସରକାରୀ ମୂଲ୍ୟ ଆଧାରିତ ଆଇନ ଚାହୁଁଛନ୍ତି ଯାହାକି ମୌଖିକ ନୁହେଁ, ଲିଖିତ ଭାବେ ହେବା ଉଚିତ୍ । ସେକଥା କରିବାକୁ ସରକାର କିନ୍ତୁ ଅନିଛୁକ ।

ସରକାର ଚାହାନ୍ତୁ ବା ନ ଚାହାନ୍ତୁ ପ୍ରତିବାଦ ଏବଂ ଦାବିର ଏହି ଲହର ଗଣତାନ୍ତ୍ରିକ ସରକାରଙ୍କ ସିଂହାସନ ପର୍ଯ୍ୟନ୍ତ ପହଂଚି ତାଙ୍କ ପାଦ ଓ ରାଜକୀୟ ପୋଷାକକୁ ଓଦା କରିବାକୁ ଯାଉଥିଲା ଯାହାକୁ କି ବଳପୂର୍ବକ ଅଟକାଇ ଦିଆ ଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ପ୍ରତିବାଦକାରୀ କୃଷକ ନୁହନ୍ତିଁ; ନିଜେ ସରକାର ଏହି ଲହରକୁ ଅଟକାଇବା ପାଇଁ ଦେଶର ରାଜପଥକୁ ଖୋଳି ପକାଇଛନ୍ତି, ବାଧା-ବନ୍ଧ ବା ବାରିକେଡ ତିଆରି କରିଛନ୍ତି ଓ ତୀବ୍ର ଗତିରେ ଜଳ-ତୋପ ଗୁଡ଼ିକରୁ ପାଣି ମାଡ଼ କରୁଛନ୍ତି । ତା’ସତ୍ତ୍ୱେ ମଧ୍ୟ ପ୍ରତିବାଦର ଲହରକୁ ରୋକି ହେଉନାହିଁ, ବରଂ ଏହା ଦେଶର ରାଜଧାନୀର ସୀମାରେ କେତେକ ସ୍ଥାନ ବିଶେଷକରି ରାଜଧାନୀର ପ୍ରବେଶ ପଥରେ ଅଧିକରୁ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଏହି ପ୍ରତିବାଦ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି ।

ନେତା କହୁଛନ୍ତି ଯେ ତାଙ୍କୁ ଭୁଲ ବୁଝାଯାଉଛି । ଯଦି ସେମାନେ ତାଙ୍କ ନେତୃତ୍ୱକୁ ମାନନ୍ତି ତେବେ ଏହି ଆଇନଗୁଡିକ କୃଷକଙ୍କ ସମୃଦ୍ଧି ଆଣିବା ସହିତ ମାତ୍ର ଦୁଇବର୍ଷରେ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିଦେବ । ତାଙ୍କ ଦରବାରୀ ପ୍ରଶଂସକ ଏବଂ ଉପଦେଷ୍ଟାମାନେ ମଧ୍ୟ ବଜାରର ଯାଦୁଉପରେ ବିଶ୍ୱାସ କରନ୍ତି । ନ୍ୟୁନତମ ସରକାରୀ ଦର ନିର୍ଦ୍ଧାରଣ କରିବା ହେଉଛି ସମୃଦ୍ଧିର ପରିପନ୍ଥୀ, କେବଳ ଖୋଲା ବଜାର ବ୍ୟବସ୍ଥା ହିଁ ସବୁକିଛି ଅଜାଡ଼ି ଦେଇ ପାରେ । ଏହା ଏକ ଖୋଲା ବଜାର ହିଁ ତ ହେବ ଯେଉଁଥିରେ ଶ୍ରୀ ଅମ୍ବାନୀଙ୍କ ଦଳ ତାଙ୍କ କୃଷିଜାତ ସାମଗ୍ରୀର ଖୁଚୁରା ଦୋକାନଗୁଡ଼ିକର ବିସ୍ତାର କରିବା ପାଇଁ ଚାହିଁ ବସିଛନ୍ତି ବା ଶ୍ରୀଯୁକ୍ତ୍ ଆଦାନୀଙ୍କ ଲୋକମାନେ ସେମାନଙ୍କ ଅମାରଗୁଡିକୁ ଶସ୍ୟରେ ଭରିବାପାଇଁ ଦୁଇ ଏକରରୁ ଅଧିକ ଜମି ନଥିବା କୃଷକମାନଙ୍କ ସହିତ ଶସ୍ୟର ଦାମକୁ ନେଇ ମୂଲଚାଲ କରିବାକୁ ଅମାରମାନ ତିଆରି କରି ରଖିଛନ୍ତି । ଆହୁରି ମଧ୍ୟ କୌଣସି ମତଭେଦ କ୍ଷେତ୍ରରେ ତା’ର ସମାଧାନର ବିଚାର କୌଣସି ଦେବାନୀ ଅଦାଲତରେ ନ ହୋଇ ବା ନ୍ୟାୟାଳୟ ଏହାର ବିଚାର କରି ରାୟ ନ ଦେଇ ଯେଉଁ କେନ୍ଦ୍ର ସରକାର ପ୍ରଥମରୁ ଏହି ଆଇନ କରିଛନ୍ତି ସେହି ହିଁ ଏହାର ସମାଧାନ କରି ଫୈସଲା ଶୁଣାଇବେ । ଏପରିକି ଭୌଗୋଳିକ ଦୃଷ୍ଟିରୁ ଅବସ୍ଥିତ ଗୋଟିଏ ରାଜ୍ୟ ମଧ୍ୟ ଏଥିରେ ହସ୍ତକ୍ଷେପ କରିପାରିବ ନାହିଁ । କେନ୍ଦ୍ର ସରକାର ଆଇନ କରିବେ, ସେ ହିଁ ତାହାର କ୍ରିୟାନ୍ୱୟନ କରିବେ, ସେ ହିଁ ସେଥିରେ ଥିବା ବିବାଦର ସମାଧାନ କରିବେ, ଅର୍ଥାତ୍ ସକଳ କ୍ଷମତାର ଠୁଳୀକରଣ ଗୋଟିଏ ସ୍ଥାନରେ କରାଯିବ । ଭାରତୀୟ ସମ୍ବିଧାନରେ ଯେପରି କୁହାଯାଇଛି ଯେ ଗଣତାନ୍ତ୍ରିକ ତଥା ସଂଘୀୟ ବ୍ୟବସ୍ଥାରେ କ୍ଷମତାର ବିକେନ୍ଦ୍ରୀକରଣ କରାଯିବ ତାହାର ଏଠାରେ କୌଣସି ପ୍ରଶ୍ନ ରହିବ ନାହିଁ । କୃଷକମାନେ କହୁଛନ୍ତି ଯେ ତାଙ୍କର ଏହି ଆଇନ ଦରକାର ନାହିଁ କିନ୍ତୁ ନେତା ବାରମ୍ବାର ଗମ୍ଭୀର କଣ୍ଠରେ ଗଣମାଧ୍ୟମରେ ଶୁଣାଉଛନ୍ତି ଯେ ତାଙ୍କୁ ଭୁଲ ବୁଝାଯାଉଛି । ତାଙ୍କର ପ୍ରଶଂସକ ଓ ଅର୍ଥପୋଷିତ ପଣ୍ଡିତମାନେ ବାର ବାର ଅତି ଉତ୍ସାହର ସହିତ ବଡ଼ ବଡ଼ ଗଣମାଧ୍ୟମରେ କହୁଛନ୍ତି ଯେ ବାସ୍ତବରେ ନେତାଙ୍କୁ ଭୁଲ ବୁଝାଯାଉଛି । ଏହାର କାରଣ ପାକିସ୍ଥାନୀ, ଖଲିସ୍ତାନୀ, ମାଓବାଦୀ, ସହରୀ ନକ୍ସଲାଇଟ ତଥା ବିରୋଧୀଦଳ ନେତାମାନେ ହୋଇପାରନ୍ତି । ସେମାନେ ସମସ୍ତେ ସାଂଘାତିକ ଭାବେ ଭୟଙ୍କର ବିଚ୍ଛିନ୍ନତାବାଦୀ ଶକ୍ତିମାନଙ୍କ ଦ୍ୱାରା ପ୍ରେରିତ ହୋଇ ଏପରି କରୁଛନ୍ତି । ସେମାନେ ସରଳ କୃଷକମାନଙ୍କୁ ଭୁଲ ବାଟ ଦେଖାଇ ବାଟବଣା କରାଉଛନ୍ତି ।

ଏହା ପ୍ରଥମଥର ପାଇଁ ଘଟୁନାହିଁ । ସଂଶୋଧିତ ନାଗରିକତା ଆଇନ ବା ସିଏଏକୁ ମୁସଲିମ ଲୋକମାନେ ଭୁଲ ବୁଝୁଥିଲେ । କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବାର ସୌନ୍ଦର୍ଯ୍ୟକୁ କାଶ୍ମିରୀବାସୀ ଦେଖିପାରୁ ନାହାନ୍ତି । ବ୍ୟବସାୟୀମାନେ ବସ୍ତୁ ଓ ସେବା କର ବା ଜିଏସଟିକୁ ବୁଝି ନ ପାରିବାର ଛଳନା କରୁଛନ୍ତି । ଗରିବ ଲୋକମାନେ ଯେଉଁମାନେ ଯେପରି ସେପରି ଭାବେ ନିଜର ଗୁଜୁରାଣ ମେଂଟାଉଛନ୍ତି ସେମାନେ ବିମୁଦ୍ରୀକରଣକୁ ବୁଝି ପାରିଲେ ନାହିଁ କି ଦାଦନ ଶ୍ରମିକମାନେ ହଠାତ୍ ଲକଡାଉନର ସୁବିଧାକୁ ନା ବୁଝି ପାରିଲେ ନା ଏହାକୁ ପ୍ରଶଂସା କଲେ ଯିଏ କି ଦେଶରେ କୋଭିଡ ଜୀବାଣୁକୁ ମାରିବା ଯାଗାରେ ସେମାନଙ୍କୁ ଧ୍ୱଂସ କରିଦେଲା । ଏହା ସତ୍ତ୍ୱେ ମଧ୍ୟ ନେତା ଦୃଢ଼ଭାବରେ ଦେଶକୁ ମହାନ ବନାଇବା ପାଇଁ ପ୍ରତିଦିନ ନେତୃତ୍ୱ ଦେବାରେ ଲାଗିଛନ୍ତି ।

ସେ କେବଳ ପ୍ରକୃତ “ଦେଶଭକ୍ତ” ମାନଙ୍କ ଦ୍ୱାରା ହିଁ ବୁଝାପଡୁଛନ୍ତି ଏବଂ ତାଙ୍କୁ କେବଳ ସେହିମାନେ ହିଁ ବିରୋଧ କରୁଛନ୍ତି ଯେଉଁମାନେ ଦେଶଦ୍ରୋହୀ । ତାଙ୍କୁ କେବଳ ଟୁକୁଡା ଟୁକୁଡା ଗ୍ୟାଙ୍ଗର ସଦସ୍ୟ ହିଁ ସମାଲୋଚନା କରୁଛନ୍ତି ଯେଉଁମାନେ କି ଆମର ନିର୍ମାଣାଧୀନ ଜାଜ୍ଜଲ୍ୟମାନ ହିନ୍ଦୁ ରାଷ୍ଟ୍ରକୁ ଖଣ୍ଡ ଖଣ୍ଡ କରିଦେବାକୁ ଚାହୁଁଛନ୍ତି । ସେମାନେ ପ୍ରକୃତରେ ଏହି ଦେଶର ଲୋକ ନୁହନ୍ତି, ସେମାନେ ଏହି ଦେଶର ସଂସ୍କୃତି, ଏହାର ସେହି ଭବ୍ୟ, ବୈଜ୍ଞାନିକ ପରମ୍ପରାକୁ ବୁଝିନାହାନ୍ତି ଯିଏ କି ଗଣେଷଙ୍କର ମୁଣ୍ଡ କଟିଯିବା ପରେ ସେଥିରେ ପ୍ଲାଷ୍ଟିକ ସର୍ଜରୀ ସାହାଯ୍ୟରେ ହାତୀମୁଣ୍ଡ ଯୋଡ଼ି ଦେଇ ପାରିଥିଲା, ଯେଉଁଥିରେ ପୂରାକାଳର ଋଷିମାନେ କହିଥିଲେ ଯେକୌଣସି ମହାମାରୀ ଆସିଲେ ତୁମେ ଘରର ଥାଳି ବାଡେଇ ସେଥିରୁ ଜୋରରେ ଶବ୍ଦ ବାହାର କରି ଏବଂ ଦୀପଜାଳି ମହାମାରୀର ଜୀବାଣକୁ ମାରିଦେଇ ତା ବିରୁଦ୍ଧରେ ଯୁଦ୍ଧ ଜୟ କରିଯାଇ ପାରିବ । ଅବଶ୍ୟ ଆମେ ଜାଣିନାହୁଁ ଯେ ତାଙ୍କର ସବୁ ଦରବାରୀ ପ୍ରଶଂସକ, ମନ୍ତ୍ରୀଗଣ, ତାଙ୍କ ପଣ୍ଡିତଗଣ ଏବଂ ମୁଖ୍ୟସ୍ରୋତର ଗଣମାଧ୍ୟମ ଏଥିରେ ସମ୍ମତ କି ନାହିଁ । ସେମାନେ କିନ୍ତୁ ଏଥିରେ ଅସହମତ ହେଉଥିବାର କୌଣସି ଲକ୍ଷଣ ଦେଖାଉ ନାହାନ୍ତି । କିଛି ନବୁଝି ପଦଲେହନ ବା ତୈଳଲେପନ କରିବା, କୌଣସି ପ୍ରଶ୍ନ ନ ପଚାରି ବିଶ୍ୱସ୍ତ ରହିବା, କୌଣସି ମତଭେଦ ନରଖି ଅନ୍ଧ ଉପାସକ ରହିବା ହେଉଛି ସେମାନଙ୍କ ରାଜନୀତିର ଏକମାତ୍ର ଖେଳ । ଜଳଦସ୍ୟୁ ରାଜା କାନ୍ୟୁଟ୍ ସ୍କାଣ୍ଡିନେଭିଆର ଅନେକ ଅଂଶରେ ରାଜୁତି କରିବା ପରେ ବଳପୂର୍ବକ ବ୍ରିଟେନକୁ ଜୟ କରି ଯାଇଥିଲେ । ଅଧିକାଂଶ ଐତିହାସିକ କହନ୍ତି ସେ ବାସ୍ତବରେ ଜଣେ ବୁଦ୍ଧିମାନ ରାଜା ଥିଲେ, ସେ ରାଜାଙ୍କର ଥିବା ଦିବ୍ୟଶକ୍ତିକୁ ବୁଝିପାରିବା ଭଳି ପ୍ରଚଣ୍ଡ ଜ୍ଞାନୀ ଥିଲେ । ସେ ଭାବୁଥିଲେ ଯେ ରାଜାଙ୍କ ଆଦେଶ ଭଳି ପ୍ରଚଣ୍ଡ ଶକ୍ତି ସମୁଦ୍ରରେ ଉଠୁଥିବା ଲହରୀ ମାନଙ୍କୁ ମଧ୍ୟ ଦିଶା ନିର୍ଦ୍ଧେଶ କରିଥାଏ । ଦିନେ ସେ ତାଙ୍କର ବୁଦ୍ଧିମତାର ପ୍ରଦର୍ଶନ ପାଇଁ ତାଙ୍କ ସିଂହାସନକୁ ପୁରା ସମୁଦ୍ରର ଜଳରାଶିକୁ ଲଗାଇ କରି ସ୍ଥାପନ କରିଥିଲେ । ସେ ବୁଝି ଯାଇଥିଲେ ଯେ ତାଙ୍କ ଦରବାରୀମାନଙ୍କର ପ୍ରେରିତ ଚାଟୁକାରିତା ସରଳ ବୁଦ୍ଧିମତାକୁ ମଧ୍ୟ ଲୁଚାଇ ଦେଇ ପାରିଥାଏ । ଏହି ସାଗରତଟସ୍ଥ ପ୍ରକରଣ ପ୍ରକୃତରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କର ‘ମନ କି ବାତ୍’ର ଦମଦାର ପ୍ରଦର୍ଶନ ଥିଲା । ଯେଉଁଥିପାଇଁ ଏହା ହଜାର ହଜାର ବର୍ଷ ଧରି ଇତିହାସରେ ରହିଛି ଓ ଏହା ଏକ କିମ୍ବଦନ୍ତୀ ହୋଇଯାଇଛି । ସାଗର ଲହରୀ ରାଜାଦେଶ ଅପେକ୍ଷା ଅଧିକ ଶକ୍ତିଶାଳୀ,ଏତିକି କଥା ବୁଝିବା ତାଙ୍କ ସମୟର ଏକ ବିଶାଳ ବୁଦ୍ଧିମତା ଥିଲା । ଆମ ସମୟର ବୁଦ୍ଧିମତା ହେଲା ଏତିକି ଅନ୍ତତଃ ଜାଣିପାରିବା ଯେ ଏକ ବିଶାଳ ଲୋକପ୍ରିୟ ପ୍ରତିବାଦର ତରଙ୍ଗ ହେଉଛି ସଂସଦର ଯେ କୌଣସି ପଦକ୍ଷେପଠାରୁ ଅଧିକ ଶକ୍ତିଶାଳୀ । ଆମ ସମୟରେ ଏବଂ ଆମ ଦେଶରେ ଏହାକୁ ଅନୁଗ୍ରହପୂର୍ବକ ସ୍ୱୀକାର କରି ନେବାର ବୁଦ୍ଧିମତା ବିରାଜମାନ ଅଛି କି?

ମୂଳଲେଖା : ଅମିତ ବାଦୁର
ଭାଷାନ୍ତର : ସୁରେନ୍ଦ୍ର ପାତ୍ର

Photo Credit- https://bit.ly/3OWVwrD

Comments

0 comments

Share This Article