ଭାରତର ସମ୍ବିଧାନର ଚିଠା ପ୍ରସ୍ତୁତ ହେଲାବେଳେ ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଆଇନ ପ୍ରଣୟନ କରାଯିବା ପାଇଁ ଯେଉଁ ତିନୋଟି ତାଲିକା ଯଥା ‘କେନ୍ଦ୍ରୀୟ ତାଲିକା’, ‘ରାଜ୍ୟ ତାଲିକା’ ଏବଂ ‘ମିଳିତ ତାଲିକା’ ସ୍ଥାନିତ କରାଯାଇଥିଲା, ସେଥିରେ ଅନେକ ବିତର୍କ ପରେ କୃଷି ବିଷୟଟିକୁ ‘ରାଜ୍ୟ ତାଲିକା’ରେ ରଖାଯାଇଥିଲା । ଅକ୍ଟୋବର ୨, ୧୯୪୯ ମସିହାରେ ସମ୍ବିଧାନ ପ୍ରଣୟନ ସଭାରେ କୃଷି ବିଷୟ କେଉଁ ତାଲିକାରେ ରହିବ, ତାକୁ ନେଇ ଯେଉଁ ପ୍ରଚଣ୍ଡ ବିତର୍କ ହୋଇଥିଲା ଭାରତର ସଂଘୀୟ ବ୍ୟବସ୍ଥାକୁ ଅକ୍ଷୁଣ୍ଣ ରଖିବା ପାଇଁ କମିଟିର ସଦସ୍ୟ ଟି.ଟି କ୍ରିଷ୍ଣମାଚାରୀଙ୍କର ବଳିଷ୍ଠ ଉପସ୍ଥାପନା ପରେ ତାହା ‘ରାଜ୍ୟ ତାଲିକା’ରେ ସ୍ଥାନ ପାଇଥିଲା । ଭାରତର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ପ୍ରତିବଦ୍ଧତା ଥିବା ଯୋଗୁଁ ଅତୀତରେ କେନ୍ଦ୍ରରେ ବଳିଷ୍ଠ ନେତୃତ୍ୱ ଏବଂ ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ କୃଷିକୁ କେନ୍ଦ୍ର ସରକାର ନିଜ ଆଇନ ପ୍ରଣୟନ ତାଲିକା ଭିତରକୁ ଆଣିନଥିଲେ । ଏମିତିକି ୬୦ଦଶକରେ ସବୁଜ ବିପ୍ଳବ ଆସିବା ବେଳେ ଏକ ସର୍ବଭାରତୀୟ କେନ୍ଦ୍ରୀୟ ଆଇନ ତଥା ନୀତି ପ୍ରଣୟନର ଆବଶକତା ଅଛିବୋଲି ଯୁକ୍ତି କରାଯାଉଥିବା ବେଳେ ମଧ୍ୟ କୃଷିକୁ ନେଇ ସେଭଳି କୌଣସି ବଡ଼ ଧରଣର ଆଇନ କେନ୍ଦ୍ର ସରକାର ଆଣି ନଥିଲେ । ଭାରତର ସଂଘୀୟ ବ୍ୟବସ୍ଥା ଯାହାକି ଭାରତର ବିବିଧତା, ବିକେନ୍ଦି୍ରତ ଗଣତନ୍ତ୍ର ଏବଂ ରାଜ୍ୟମାନଙ୍କର ସ୍ୱାୟତତ୍ତା ପ୍ରତୀକ ହୋଇ ରହିଆସିଛି । ସେଥିରେ ଯେଉଁଭଳି କ୍ଷତି ନ ପହଞ୍ଚୁ , ସେଥିପାଇଁ ଦାୟିତ୍ୱସମ୍ପନ୍ନ ରାଜନୈତିକ ନେତୃତ୍ୱମାନେ ଅନେକ ଦିନ ଧରି କେନ୍ଦ୍ରରେ ରହିଲେ ମଧ୍ୟ କୌଣସି ଉଗ୍ର ପଦକ୍ଷପ ନେଇନଥିଲେ । ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା, ଯେମିତିକି ଆର୍ଥିକ ସଂସ୍କାର ପର୍ବ ଶୀର୍ଷରେ ଥିଲାବେଳେ ଆମେରିକୀୟ କୃଷି କମ୍ପାନୀମାନଙ୍କର ଭାରତର କୃଷିକ୍ଷେତ୍ରକୁ ଦଖଲ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜର୍ଜ୍ ବୁଶ୍ (ଜୁନିଅର୍)ଙ୍କର ଭାରତ ଗସ୍ତବେଳେ (୨୦୦୫) ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରାଯାଇଥିଲା, ଯାହାର ନାମ ଥିଲା କୃଷି କ୍ଷେତ୍ରରେ ଜ୍ଞାନର ପ୍ରୟୋଗ ପାଇଁ ଉଦ୍ୟମ ( Knowledge Initiative on Agriculture ) । ତଥାପି ତକ୍ରାଳୀନ କେନ୍ଦ୍ର ସରକାର କୌଣସି ସର୍ବଭାରତୀୟ ଆଇନ କୃଷିକ୍ଷେତ୍ରରେ ଆଣିବା ପାଇଁ ଚିନ୍ତା କରିନଥିଲେ । ଯଦିଓ ଭାରତର କୃଷିକ୍ଷେତ୍ରରେ ବଡ଼ ବଡ଼ କୃଷି କମ୍ପାନୀମାନଙ୍କର ପ୍ରବେଶ ସବୁଜ ବିପ୍ଳବର ଆରମ୍ଭ ସମୟରୁ ହିଁ ଆରମ୍ଭ ହୋଇଥିଲା, ଏବଂ କେନ୍ଦ୍ର ସରକାର ହିଁ ବିନା ଆଇନ ପ୍ରଣୟନ କରି ରାଜ୍ୟମାନଙ୍କୁ ବିହନ, ରାସାୟନିକ ସାର, କୀଟନାଶକ, କୃଷି ଉପକରଣ ତଥା ଯନ୍ତ୍ରପାତି ଇତ୍ୟାଦିର ବିକ୍ରି ଭଟ୍ଟା ପାଇଁ କୃଷି କମ୍ପାନୀମାନଙ୍କୁ ପ୍ରତିଟି ରାଜ୍ୟରେ ପରିଚିତ ଓ ପ୍ରତିଷ୍ଠିତ କରାଇଥିଲେ । ମୋଟା ଆକାରର ରିହାତି କେନ୍ଦ୍ର ସରକାର ଏହି କମ୍ପାନୀ ମାନଙ୍କୁ ଦେଉଥିଲେ । କିନ୍ତୁ ଭାରତର ସଂଘୀୟ ବ୍ୟବସ୍ଥା ରାଜନୈତିକ ଦୃଷ୍ଟିରୁ ତଥା ସାମ୍ବିଧାନିକ ଦୃଷ୍ଟିରୁ ଯେଭଳି ଅକ୍ଷୁଣ୍ଣ ରହିବ ହୁଏତ ସେଥିପାଇଁ କେନ୍ଦ୍ରୀୟ ନେତୃବର୍ଗଙ୍କର ସଚେତନତା ଥିଲା । ଏମିତିକି ଉଦାରୀକରଣ ଯୁଗ ଆରମ୍ଭ ହେବା ପରେ (୧୯୯୦ ପରେ) ଭାରତରେ ଅଧିକ କୃଷି କମ୍ପାନୀମାନଙ୍କର ଦଖଲ ବଢ଼ିଲା ଏବଂ ବଜାର ଅଭିମୁଖୀ କୃଷିନୀତି ପ୍ରଣୟନ କରାଗଲା । ସଂଖ୍ୟାଧିକ ଚଷୀ ନାମକୁ ମାତ୍ର ଚାଷୀ ଏବଂ କ୍ଷୁଦ୍ର ଚାଷୀ ହୋଇଥିବା ଯୋଗୁଁ କୌଣସି ବି ନୀତି ସେମାନଙ୍କର ଉପକାରରେ ଆସିଲା ନାହିଁ । ପ୍ରତିଟି କେନ୍ଦ୍ରୀୟ ପଦକ୍ଷେପର ପ୍ରତିବାଦ କୃଷକ ସଙ୍ଗଠନମାନେ କରିଆସଛନ୍ତି । କିନ୍ତୁ କେନ୍ଦ୍ର ସରକାର ଯାହା ନୀତି ପ୍ରଣୟନ କଲେ ବି ଏବଂ ବହୁରାଷ୍ଟ୍ରୀୟ କୃଷିକମ୍ପାନୀମାନେ ନିଜର ମୁନାଫା ବଢ଼ାଇ ଚାଲିଥିଲେ ବି ଭାରତୀୟ ସଂଘୀୟ ବ୍ୟବସ୍ଥାରେ ଉଗ୍ର ପରିବର୍ତ୍ତନ ଆଣିବା ପାଇଁ କୌଣସି ଆଖିଦୃଷ୍ଟିଆ ଉଦ୍ୟମ ହୋଇନଥିଲା ।
କରୋନା ଯେତେବେଳେ ଭୟଙ୍କର ଭାବେ ଚାଷୀକୂଳକୁ ପ୍ରଭାବିତ କରିଥିଲା ଏବଂ ତାର ମେରୁଦଣ୍ଡ ଭୁଷୁଡ଼ିବା ଅବସ୍ଥାରେ ଥିଲା, କୃଷିକୁ ଅପେକ୍ଷାକୃତ ସୁରକ୍ଷା ଦେଇଆସିଥିବା ଭାରତୀୟ ସଂଘୀୟ ବ୍ୟବସ୍ଥା ଉପରେ ମୋଦୀ ସରକାର ଏକ ପ୍ରଚଣ୍ଡ ଆକ୍ରମଣ କଲେ । ‘ଆତ୍ମନିର୍ଭର ଭାରତ ଅଭିଯାନ’ ନାଁରେ ଭାରତୀୟ ଅର୍ଥନୀତିକୁ କୋଭିଡ୍ ବିରୋଧି ସଂଗ୍ରାମରେ ଅଧିକ ବଳିଷ୍ଠ କରିବା ପାଇଁ ତିନୋଟି କୃଷି ଆଇନ ଅଣାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେ ୧୫, ୨୦୨୦ ଦିନ ଘୋଷଣା କରିଥିଲେ । ଏଭଳି କିଛିକିଛି ଅଣକୃଷି ସମ୍ପର୍କିତ ଘୋଷଣା ସେ ଆଗରୁ ମଧ୍ୟ କରିଥିଲେ । ତେବେ କୃଷକମାନଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଅସଲ ଉଦେ୍ଦଶ୍ୟ ବୁଝିବା ପାଇଁ ଅବସର ନଥିଲା । ଏହି ଘୋଷଣାର ୧୮ଦିନ ପରେ ଅର୍ଥାତ୍ ଜୁନ୍ ୩, ୨୦୨୦ ଦିନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ‘ଐତିହାସିକ ନିଷ୍ପତ୍ତି’ କହି ତିନୋଟି ଅଧ୍ୟାଦେଶକୁ ଗୃହୀତ କରାଯାଇଥିଲା ଯାହାକୁ ପରେ କୃଷକମାନେ ‘କଳା କୃଷି ଆଇନ’ ବୋଲି କହିଲେ । ଠିକ୍ ଦୁଇଦିନ ଭିତରେ ଅର୍ଥାତ୍ ଜୁନ ୫, ୨୦୨୦ ଦିନ ଭାରତର ରାଷ୍ଟ୍ରପତି ଏହି ସମ୍ପର୍କିତ ଅଧ୍ୟାଦେଶ ଘୋଷଣା କରିବା ପରେ ଭାରତର କୃଷିକ୍ଷେତ୍ର ଘରୋଇ କମ୍ପାନୀମାନଙ୍କ ପାଇଁ ଉନ୍ମୁକ୍ତ ହୋଇଯାଇଥିଲା । ସେଥିପାଇଁ ସେପ୍ଟେମ୍ବର ୧୪,୨୦୨୦ରେ ପ୍ରଥମେ ଲୋକସଭାରେ ତିନୋଟି ଚିଠା ଆଇନ ଆଗତ କରାଗଲା । ଏହି ସବୁ ସେପ୍ଟେମ୍ବର ୨୬,୨୦୨୦ ସୁଦ୍ଧା ସବୁ ଆଇନ ସଂସଦର ଉଭୟ ଗୃହରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କର ସ୍ୱୀକୃତି ପାଇ ସାରିଥିଲା । ସେପ୍ଟେମ୍ବର ୨୭, ୨୦୨୦ରେ ସରକାରୀ ଗେଜେଟ୍ ପ୍ରକାଶିତ ହେବା ପରେ ଏହି ଆଇନଗୁଡ଼ିକ ସମ୍ପର୍କରେ ଜନସାଧାରଣ ଜାଣିବାର ସୁଯୋଗଟେ ପାଇଥିଲେ । ସାରାଂଶରେ କହିବାକୁ ଗଲେ ସର୍ବନିମ୍ନ ସହାୟକ ମୂଲ୍ୟ ତଥା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ, ଚୁକ୍ତିଭିତ୍ତିକ ଚାଷ ବା କମ୍ପାନୀ ଚାଷର ପ୍ରଣୟନ, କୃଷକର ଉତ୍ପାଦନର ବ୍ୟବସାୟ ବାଣିଜ୍ୟକୁ ନେଇ କମ୍ପାନୀମାନଙ୍କର ପୃଷ୍ଠପୋଷକତାରେ ପ୍ରୋତ୍ସାହନ ଓ ସୁଗମୀକରଣ ଇତ୍ୟାଦି ବିଷୟକୁ ନେଇ ଏହି ତିନୋଟି କୃଷି ଆଇନ ପ୍ରଣୟନ କରାଯାଇଥିଲା ।
ତେବେ ଆଇନଗୁଡ଼ିକୁ ବୁଝିବା ଏବଂ ଏହାର ପରିଣାମ ସମ୍ପର୍କରେ ଆକଳନ ପାଇଁ କୃଷକ ସଙ୍ଗଠନମାନଙ୍କୁ ପାଖାପାଖି ଦୁଇମାସ ଲାଗିଥିଲା ଯଦିଓ ଅତି ସୀମିତ ପ୍ରତିକ୍ରିୟା ଓ ସମୀକ୍ଷା ଅନବରତ ଚାଲିଥିଲା । ନଭେମ୍ବର ୨୫,୨୦୨୦ ଦିନ ପଞ୍ଜାବ ଓ ହରିୟାନାର କୃଷକମାନେ ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଥିଲେ । ଏକବର୍ଷ ଧରି ଚାଲିଥିବା ଭାରତର ଏହି ଐତିହାସିକ କୃଷକ ଆନ୍ଦୋଳନକୁ ଶକ୍ତି ଯୋଗାଇଥିଲେ ପଞ୍ଜାବର କୃଷକଶ୍ରେଣୀ । ପଞ୍ଜାବର କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ତଥା ମଣ୍ଡି ବ୍ୟବସ୍ଥାର ସର୍ବାଧିକ ଉପଯୋଗ କରିଆସିଛନ୍ତି । ସବୁଜ ବିପ୍ଲବ ପରେ ପଞ୍ଜାବ ଭାରତର ଶ୍ରେଷ୍ଠ କୃଷି ଉତ୍ପାଦନ ରାଜ୍ୟ ହିସାବରେ ମଧ୍ୟ ବିବେଚିତ ହୋଇଛି । ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ କେଉଁ ପ୍ରକାର ବିପର୍ଯ୍ୟୟ ଆଣିବ , ଏକଥା ସେମାନେ ଠିକ୍ ବୁଝିପାରୁଥିଲେ । ପଞ୍ଜାବର ସ୍ୱାଧୀନତା ପୂର୍ବସମୟ ଠାରୁ ଆରମ୍ଭକରି ଯେଉଁ ସଂଘର୍ଷ ଓ ବଳିଦାନର ସମ୍ମାନଜନକ ପରମ୍ପରା ରହି ଆସିଛି, ତାହା ‘କଳା କୃଷି ଆଇନ’ ବିରୋଧି ଆନ୍ଦୋଳନଟିକୁ ଅଧିକ ସଙ୍ଗଠିତ ଏବଂ ଅନେକ ଘାତ ପ୍ରତିଘାତ ଭିତରେ ବଞ୍ଚାଇ ରଖିବାରେ ସାହାଯ୍ୟ କରିଥିଲା । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କୃଷକ ସଙ୍ଗଠନମାନେ ଏହି ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ ଭାରତର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣକୁ ତୀବ୍ର ବିରୋଧ କରିଥିଲେ । ନିରାଶା ଓ ହତାଶା ଭିତରେ ଥିବା ରାଜନୈତିକ ଦଳ ଓ ସଂଗଠନମାନେ ଅତୀତରେ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ହେଲାବେଳେ ଫଳପ୍ରଦ ପ୍ରତିବାଦ କରିବା ବା ଏକାଠି ହୋଇ ପ୍ରତିବାଦ କରିବା କାମରେ ସେଭଳି କିଛି ସଫଳତା ପାଇ ନଥିଲେ । କିନ୍ତୁ ଏହି କୃଷକ ଆନ୍ଦୋଳନ ସେମାନଙ୍କୁ ମଧ୍ୟ କିଛି ଶକ୍ତି ଯୋଗାଇଥିଲା ବୋଲି ଆଶା କରାଯାଇପାରେ ।
ଭାରତର କେବଳ କୃଷକ ଆନେ୍ଦାଳନ କାହିଁକି , ଭାରତର ସଂଘୀୟ ବ୍ୟବସ୍ଥାର ବିଜୟ ଘଟିଲା ବୋଲି କୁହାଯାଇ ପାରେ ଯେତେବେଳେ ନଭେମ୍ବର ୧୯, ୨୦୨୧ ଦିନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଅଚାନକ’ ଘୋଷଣା କଲେ ଯେ ଚାଷୀମାନେ ବିରୋଧ କରୁଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରାଯିବ । ତାଙ୍କର ଘୋଷଣା ପରେପରେ ଅର୍ଥାତ୍ ନଭେମ୍ବର ୨୪, ୨୦୨୧ ଦିନ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏହି ତିନୋଟି ଆଇନ ତଥା ୧୯୫୫ ମସିହାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନର ଆକ୍ଟ ୨୨,୨୦୨୦ ମୁତାବକ ଏହାର ଧାରା ୩ରେ ଯେଉଁ ସଂଶୋଧନ କରାଯାଇଥିଲା, ସେ ସବୁକୁ ପ୍ରତ୍ୟାହାର କରିବା ପାଇଁ ସଂସଦରେ ଚିଠା ବିଲ୍ ଆଗତ କରିଥିଲେ । ଲୋକସଭାରେ ମାତ୍ର ୩ ମିନିଟ୍ ଓ ରାଜ୍ୟସଭାରେ ୩୩ ମିନିଟ୍ ସମୟ ଭିତରେ ଏହି ପ୍ରତ୍ୟାହାର ସମ୍ପର୍କିତ ବିଲ୍ ପାରିତ ହୋଇଗଲା । ରାଷ୍ଟ୍ରପତିଙ୍କର ଦସ୍ତଖତ ପରେ ବିଧିବଦ୍ଧ ଭାବେ ଏହା ଆଇନରେ ପରିଣତ ହୋଇଯାଇଛି । ସଂଯୁକ୍ତ କିଶାନ ମୋର୍ଚ୍ଚାର ଛତ୍ରତଳେ ଅନେକ କୃଷକ ସଙ୍ଗଠନ ଏକାଠି ହୋଇ ଦୀର୍ଘ ଏକବର୍ଷ ଧରି ଏବଂ ନିଜର ପ୍ରାୟ ସାତଶହରୁ ଅଧିକ ସାଥିଙ୍କୁ ହରାଇ ଯେଉଁ ତିନୋଟି କୃଷି ଆଇନକୁ ‘କଳା ଆଇନ’ କହି ତୀବ୍ର ବିରୋଧ କରି ଆସିଥିଲେ ଏବଂ ଦେଶବ୍ୟାପୀ କୃଷକ ଆନେ୍ଦାଳନ ବଳ ସଂଗ୍ରହ କରି ଚାଲିଥିଲା, ଏବେ ସେ ‘କଳା କୃଷି ଆଇନ’ ଆଉ ନାହିଁ । ଅନେକ ମତପୋଷଣ କରନ୍ତି ଯେ ସ୍ୱାଧିନ ଭାରତରେ ଗତ ଏକବର୍ଷ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ନିଶ୍ଚିତ ଭାବେ ଏକ ଐତିହାସିକ ଆନ୍ଦୋଳନ କୁହାଯାଇପାରିବ । ଆଉ କିଛି ମତ ମଧ୍ୟ ଆସୁଛି ଯେ ଦୀର୍ଘ ସାତବର୍ଷରୁ ଅଧିକ ସମୟ ଧରି ଦେଶୀ ବିଦେଶୀ ପୁଞ୍ଜିର ହିତରେ ସରକାର ଯେଉଁଭଳି ଭାବେ ଅନେକ ଜନବିରୋଧି ଆଇନକୁ ଏକ ପ୍ରକାର ବଳପ୍ରୟୋଗ କରି ଜନଗଣଙ୍କ ଉପରେ ଲଦି ଚାଲିଥିବା ବେଳେ, ପ୍ରଥମଥର ପାଇଁ ସେମାନେ ପଛଘୁଞ୍ଚା ଦେବାକୁ ପଡ଼ୁଛି । ଏ ଭିତରେ ଆହୁରି ଅନେକ ସମୀକ୍ଷକ ବାହାରକୁ ବାହାରି ‘କଳା କୃଷି ଆଇନ’ ପ୍ରତ୍ୟାହାରକୁ ନେଇ କାରଣ କ’ଣ ହେଇପାରେ ଏ ସମ୍ପର୍କରେ ଆଲୋଚନା ତଥା ଉପସ୍ଥାପନା କରୁଥିବା କଥା ଗଣମାଧ୍ୟମରେ ଦେଖିବାକୁ ମିଳୁଛି । କେହି କେହି ମଧ୍ୟ କୁହନ୍ତି ଯେ ମୋଦୀ ସରକାରଙ୍କର କୃଷି ଓ କୃଷକର ସମସ୍ୟାକୁ ନେଇ ଏକ ବଡ଼ଧରଣର ହୃଦୟ ପରିବର୍ତ୍ତନ ହୋଇନାହିଁ । ନବେଦଶକରେ ଆର୍ଥିକ ସଂସ୍କାର ନୀତିକୁ ଆପଣାଇବା ପରେ ଆମ ସରକାରମାନେ ମଣିଷର ନୁହଁ ବରଂ ପୁଞ୍ଜିର ହୃଦୟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଆସିଛନ୍ତି । ଅନ୍ୟ ସରକାରମାନେ ଚତୁରତାର ସହିତ ପୁଞ୍ଜିକୁ ସୁହାଇବା ଭଳି ନୀତିନିୟମ, କାନୁନ ନିର୍ଦ୍ଧାରଣ କରୁଥିଲା ବେଳେ, ନିଜର ସଂଖ୍ୟାଗରିଷ୍ଠତାର ଔଦ୍ଧତ୍ୟ ଯୋଗୁଁ ମୋଦୀ ସରକାର ଅଧିକ ଦୃଢ଼ତାର ସହିତ ଆଇନଗତ ପଦକ୍ଷେପ ନେଇ ଚାଲିଥିଲେ ବୋଲି ଆଉ କିଛି ସମୀକ୍ଷକ ମତ ରଖନ୍ତି । ଉତ୍ତର ଭାରତରେ ବିଶେଷ କରି ପଞ୍ଜାବ, ଉତ୍ତରପ୍ରଦେଶ (ଯେଉଁ ଦୁଇଟି ରାଜ୍ୟ ଏବେ ବିଧାନସଭା ନିର୍ବାଚନା ପ୍ରକ୍ରିୟା ଭିତରେ ଅଛନ୍ତି) ଏବଂ ହରିୟାନାରେ ଅଭୂତପୂର୍ବ କୃଷକ ଆନ୍ଦୋଳନ ଏବଂ ଶାସକ ବିଜେପିର ନେତୃବୃନ୍ଦଙ୍କୁ ସଭାସମିତି କରାଇ ନଦେବାର ଖବର ବହୁଳ ମାତ୍ରାରେ ପ୍ରସାରିତ ହେବା କଥାଟି ଇଙ୍ଗିତ କରୁଥିଲା ଯେ ସରକାର କୃଷିଆଇନକୁ ଅଧିକ ବାଟ ନେଇପାରିବେ ନାହିଁ: ଏକଥା ମଧ୍ୟ ବିଶେଷଜ୍ଞମାନେ ବହୁବାର କହିଛନ୍ତି । ତେବେ କାରଣ ଯାହା ହେଉନା କାହିଁକି ତିନୋଟି କୃଷି ଆଇନର ପ୍ରତ୍ୟାହାର ଯାହା ପ୍ରତି ନିର୍ବାଚନ ପରେ କେନ୍ଦ୍ର ସରକାରଙ୍କର ପ୍ରତିବଦ୍ଧତା କ’ଣ ରହିବ ପ୍ରଶ୍ନବାଚୀ ଭିତରେ ଥିଲେ ବି, ଏଭଳି ଏକ ପଦକ୍ଷେପ ଭାରତରେ କୃଷକ ସଂଗଠନମାନଙ୍କୁ କେବଳ ଶକ୍ତି ଯୋଗାଇଛି ତାହା ନୁହଁ; ବରଂ ସମ୍ବିଧନ ଅନୁମୋଦିତ ଭାରତୀୟ ସଂଘୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଆଗଧାଡ଼ିର ସେନାନୀ ହିସାବରେ କୃଷକମାନଙ୍କୁ ଉପସ୍ଥାପିତ କରିଛି ।
ଏଭଳି ଏକ ସଫଳତାକୁ ପାଥେୟ କରି ଉଭୟେ କୃଷକ ସଂଗଠନ ଓ ଜନବାଦୀ ରାଜନୈତିକ ସଙ୍ଗଠନମାନେ ନିଜକୁ ସଶକ୍ତ କରାଇବା ଓ ଏକ ସମୂହ ନିର୍ମାଣ କରି ଅନ୍ୟ ସବୁ ସମ୍ବିଧାନବିରୋଧି ନୀତିଗୁଡ଼ିକୁ ବିରୋଧ କରିବା କାମଟିକୁ ଆଗକୁ ବଢ଼ାଇବାର ପ୍ରୟାସ ଜାରିରଖିବା ଦରକାର । କହିବାକୁ ଗଲେ ଆର୍ଥିକ ସଂସ୍କାର ପର୍ବ ୯୦ ଦଶକରେ ଆରମ୍ଭ ହେବା ପରଠାରୁ ଭାରତରେ ଉଭୟେ ସମ୍ବିଧାନ ଓ ଗଣତନ୍ତ୍ର ସଙ୍କଟ ଦେଇ ଗତି କରୁଛନ୍ତି ବୋଲି ଅଭିଯୋଗ ହୋଇଆସିଛି । ତେବେ ସମାଲୋଚକଙ୍କ ମତରେ ଏଭଳି ପ୍ରକ୍ରିୟା ଗତ କିଛ ବର୍ଷ ଭିତରେ ଅଧିକ ଉଗ୍ରରୂପ ନେଇଛି । ସେ ଶାସକ ହୁଅନ୍ତୁ ବା ବିରୋଧି , ଯଦି ଆର୍ଥିକ ପୁଞ୍ଜିକୁ ନେଇ ଏକାପ୍ରକାର ଦୃଷ୍ଟିଭଙ୍ଗି ରହିବ ତେବେ ସମ୍ବିଧାନ ଓ ଗଣତନ୍ତ୍ରର ବିପର୍ଯ୍ୟୟ ପ୍ରକ୍ରିୟାକୁ ଅଟକାଇବା କଷ୍ଟକର ହେବ । ହୁଏତ ଏହିଭଳି ସମାନ ପ୍ରକାର ଆଭିମୁଖ୍ୟ ରଖିଥିବା ଯୋଗୁଁ ଅଧିକାଂଶ ରାଜନୈତିକ ଦଳ ବା ସଙ୍ଗଠନଗୁଡ଼ିକ ଲୋକଙ୍କର ଅସ୍ଥାଭାଜନ ହେଇପାରୁ ନାହାନ୍ତି । ଏପରି ଏକ ସଙ୍କଟମୟ ପରିସ୍ଥିତିରେ କୃଷକ ଆନ୍ଦୋଳନ ର ସଫଳତା କେବଳ ନରେନ୍ଦ୍ର ମୋଦୀ ବା ଭାଜପା ପାଇଁ ନୁହଁ; ବରଂ ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ନିଜର ଦୃଷ୍ଟିଭଙ୍ଗି ଓ ବିଚାରଗୁଡ଼ିକୁ ପୁଣିଥରେ ପରଖିବା ଏବଂ ଗଭୀର ଆତ୍ମସମୀକ୍ଷା କରିବା ପାଇଁ ଆହ୍ୱାନ ସୃଷ୍ଟି କରୁଛି ବୋଲି କିଛି ବିଶାରଦ ମତପୋଷଣ କରିନ୍ତି । ସେମାନେ ଏକଥା ମଧ୍ୟ କୁହନ୍ତି ଯେ କୃଷକମାନେ ସଫଳତା ଆସିଛି ବୋଲି ଆତ୍ମସନ୍ତୋଷ ହୋଇ ନରହି କୃଷି ଯେଭଳି ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କ ହାତରେ ରହିବ ସେଥିପାଇଁ ନିଜ ସଂଗ୍ରାମକୁ ଜାରି ରଖିବେ ।
Photo Credit-https://bit.ly/3F2O9u3
Comments
0 comments