ଦିନେ ଏଠାକାର ୩୦୦୦ରୁ ଅଧିକ ଚାଷୀ ପରିବାରଙ୍କୁ ଦକ୍ଷିଣକୋରିଆର ଏକ କମ୍ପାନୀ ପାଇଁ ରାଜ୍ୟ ସରକାର ଅଧିଗ୍ରହଣ କରି ନେଇଥିବା ସେମାନଙ୍କର ଅତି ଉର୍ବର ଚାଷଜମିକୁ ମୁକୁଳାଇବା ପାଇଁ ପ୍ରାୟ ଏକ ଦଶନ୍ଧିରୁ ଅଧିକ ଦିନ ଧରି ଲଗାତାର ଭାବେ ସଂଗ୍ରାମ କରିବାକୁ ପଡ଼ିଥିଲା । ଆଉ ସେହି ସଂଘର୍ଷରେ ସେମାନେ ଜିଣିଥିଲେ । ପାଂଚ ବର୍ଷ ପରେ ଏବେ ପୁଣି ଥରେ ସେମାନଙ୍କୁ ସେହି ଜମିପାଇଁ ପୁଲିସ ସହିତ ମରଣାନ୍ତକ ସଂଘର୍ଷ କରିବାକୁ ପଡୁଛି କାରଣ ରାଜ୍ୟ ସରକାର ସେହି ଜମିକୁ ଏବେ ଏକ ଭାରତୀୟ ଇସ୍ପାତ କମ୍ପାନୀକୁ ହସ୍ତାନ୍ତର କରି ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ କ୍ଷତିପୂରଣ ବାବଦରେ ଯେଉଁ ଅର୍ଥ ଦେଉଛନ୍ତି ତାହା ସେମାନଙ୍କୁ ଏହି ଜମିରେ ସେମାନେ ପିଢ଼ି ପରେ ପିଢ଼ି ଶହଶହ ବର୍ଷ ଧରି ପରିଶ୍ରମ କରି ପ୍ରସ୍ତୁତ କରିଥିବା ପାନବରଜରୁ ମାତ୍ର ଗୋଟିଏ ବର୍ଷର ଫସଲରୁ ମିଳିଥାଏ ।
ଗତ ଜାନୁଆରୀ ୧୪ତାରିଖରେ ସେମାନଙ୍କ ପାନବରଜଗୁଡ଼ିକୁ ବଳପ୍ରୟୋଗ କରି ଭାଙ୍ଗିଦେବାକୁ ଉଦ୍ୟମ କରୁଥିବା ପ୍ରଶାସନକୁ ବିରୋଧ କରିବା ଯୋଗୁଁ ସେମାନଙ୍କୁ ପ୍ରବଳ ପୁଲିସ ଲାଠିମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଛି ।
ଗତ ୧୪ ଜାନୁଆରୀ ୨୦୨୨ତାରିଖ ଦିନ ସ୍ଥାନୀୟ ଜଣେ ମହିଳା ଶାନ୍ତି ଦାସଙ୍କ ପରି ୫୦୦ ପାନଚାଷୀଙ୍କୁ ସେମାନଙ୍କ ପାନବରଜକୁ ବଂଚାଇବା ପାଇଁ ପୁଲିସ ସହିତ ସଂଘର୍ଷ କରିବାକୁ ପଡ଼ିଥିଲା । ଶାନ୍ତି ଦାସ ଓ ତାଙ୍କ ପରିବାର ଲୋକେ ଏହି ପାନ ବରଜଟିକୁ ଗତ ୮୦ବର୍ଷରୁ ଉର୍ଦ୍ଧରୁ ସମୟ ଧରି ନିଜ ପିଲାଙ୍କ ପରି ଦେଖାଶୁଣା କରି ଆସୁଛନ୍ତି । କାରଣ ଏହି ବରଜଟି ସେମାନଙ୍କ ସାତଜଣିଆ ପରିବାରକୁ ମାସକୁ ୭୦ହଜାର ଟଙ୍କା କରି ବାର୍ଷିକ ୮ ଲକ୍ଷ ୪୦ ହଜାର ଟଙ୍କା ଦେଇଥାଏ । କିନ୍ତୁ ଏହି ପାନବରଜଟିକୁ ଛଡ଼େଇ ନେବା ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଶାନ୍ତି ଦାସଙ୍କୁ ଥରୁଟିଏ ୭ଲକ୍ଷ ଟଙ୍କା ଦେଇ ବରଜଟିକୁ ଭାଙ୍ଗି ଦେବା ଓ ସେ ଜମି ଖଣ୍ଡକକୁ ଇସ୍ପାତ କମ୍ପାନୀକୁ ଦେଇଦେବା ମତଲବରେ ଅଛନ୍ତି । ଦାସ ଏବଂ ତାଙ୍କ ପରିବାର ଏହି ଜମି ଖଣ୍ଡକରେ ବର୍ଷକଯାକ ଖଟିବା ସହିତ ଦରକାର ବେଳେ ମୂଲିଆ ମଧ୍ୟ ଲଗାଇ ଜମିର ଯତ୍ନ ନେଇ ଥାଆନ୍ତି । ଶାନ୍ତି ଦାସଙ୍କ କହିବା କଥା ହେଉଛି – ‘ଆମେ ମନାକରିବା ସତ୍ତ୍ୱେ ପ୍ରଶାସନ ଜବରଦସ୍ତ ଆମ ବରଜଟିକୁ ଭାଙ୍ଗି ଦେଲା । ସେଥିରୁ ଯାହା ମିଳୁଥିଲା ଆମେ ସେଥିରେ ବଂଚୁଥିଲୁ । ଏବେ ଆମର ସବୁ ରୋଜଗାର ନଷ୍ଟ ହୋଇଗଲା ।’
ଗତ ୧୪ଜାନୁଆରୀ ଦିନ ଢିଙ୍କିଆର ବାଲିଆ ମାଟି ଉପରେ ଏକ କୁରୁକ୍ଷେତ୍ରର ଭ୍ରମ ସୃଷ୍ଟି ହୋଇଥିଲା । ପୁରୁଷ ଓ ମହିଳା ପୁଲିସମାନେ ସରକାରୀ ଲାଠିରେ ପାନବରଜ ଭାଙ୍ଗିବା ଘଟଣାର ବିରୋଧ କରୁଥିବା ପ୍ରତିବାଦକାରୀ ମାନଙ୍କୁ ନିସ୍ତୁକ ପିଟିଥିଲେ । ଯେଉଁଥିରେ ଗ୍ରାମର ମହିଳା ଓ ଶିଶୁମାନଙ୍କୁ ମିଶାଇ ପାଖାପାଖି ୪୦ଜଣ ଗଭୀର ଭାବରେ ଆହତ ହୋଇଥିଲେ ।
ପୁଲିସ ଆଠଜଣ ଲୋକଙ୍କୁ ଗିରଫ କରିଥିଲା । ଗିରଫ ଲୋକମାନଙ୍କ ମଧ୍ୟରେ ଢିଙ୍କିଆ ପଂଚାୟତର ପୂର୍ବତନ ସମିତିସଭ୍ୟ, ଦେବେନ୍ଦ୍ର ସ୍ୱାଇଁ, ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତି, ଯିଏ କି ରାଜ୍ୟ ସରକାରଙ୍କ ଦ୍ୱାରା ଜିନ୍ଦଲ ଷ୍ଟିଲ ୱାର୍କ୍ସ (ଜେଏସଡବ୍ଲୁ୍ୟ)ର ଉତ୍କଳ ଷ୍ଟିଲ ୱାର୍କ୍ସର ଏକ ସହଭାଗୀ କମ୍ପାନୀ ଜିନ୍ଦଲ ଷ୍ଟିଲ ୱାର୍କ୍ସ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ଢିଙ୍କିଆଠାରେ ପ୍ରବଳ ଭାବରେ ମାନବାଧିକାର ହନନ କରାଯାଉଥିବା ଖବରପାଇ ରାଜ୍ୟର ପଶ୍ଚିମାଂଚଳରୁ ୩୦୦ କିଲୋମିଟର ଦୂର କନ୍ଧମାଳରୁ ଧାଇଁ ଆସିଥିଲେ, ଏବେ ଗିରଫ ହୋଇ ଜେଲରେ ଅଛନ୍ତି ।
ଅନେକଦିନର ସଂଘର୍ଷ ଭିତରେ ପ୍ରଶାସନ ଏଠାରୁ ପ୍ରଥମେ ଦକ୍ଷିଣକୋରିଆର ଇସ୍ପାତ କମ୍ପାନୀ ପୋସ୍କୋ ଓ ପରେ ଭାରତୀୟ କମ୍ପାନୀ ଜେଏସଡବ୍ଲୁ୍ୟ ପାଇଁ ୨୭୦୦ଏକର ଜମି ଅଧିଗ୍ରହଣ କରିବାରେ ସକ୍ଷମ ହୋଇସାରିଛି । ଆଉ ଏହି ଜମି କ୍ଷେତ୍ରଫଳରେ ଗୋଆର ରାଜଧାନୀ ପାନାଜୀଠାରୁ ମଧ୍ୟ ଅଧିକ ବଡ଼ । ତେବେ ଏହାକୁ ଯେଉଁମାନେ ୨୦୧୧ରୁ ୨୦୧୫ ଓ ପରେ ଗତ ଜାନୁଆରୀ ମାସରୁ ବିରୋଧ କରି ଆସୁଛନ୍ତି ସେମାନେ ସବୁ ସ୍ଥାନୀୟ ଛୋଟ ଛୋଟ କୃଷକ ଯାହାଙ୍କର ଏକ ଏକରରୁ ଅଧିକ ଜମି ନାହିଁ, କିନ୍ତୁ ସେମାନେ ସେତିକି ଜମିରୁ ଯେତିକି ରୋଜଗାର କରନ୍ତି ତାହା ଅନ୍ୟ ଭାରତୀୟ କୃଷକମାନେ ସେତିକି ଜମିରେ କରୁଥିବା ଆୟଠାରୁ ବହୁ ଅଧିକ ହୋଇଥାଏ ।
ଏ ବିଷୟରେ ଏରସମା ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କର କହିବା କଥା ହେଉଛି ଯେ ‘ଆମେ ଗ୍ରାମବାସୀଙ୍କ ସହିତ ଚୁକ୍ତି କରି ସେମାନଙ୍କୁ ଏକର ପିଛା ୧୭ଲକ୍ଷ ୫୦ ହଜାର ଟଙ୍କାଲେଖାଏଁ କ୍ଷତିପୂରଣ ଦେଇ ଶାନ୍ତିପୂର୍ବକ ଜମି ଅଧିଗ୍ରହଣ କରୁଛୁ ।’ ଜେଏସଡବ୍ଲୁ୍ୟ କମ୍ପାନୀର ଜଣେ ପ୍ରତିନିଧି ଆର୍ଟିକିଲ-୧୪କୁ କହିଥିଲେ ଯେ ପ୍ରଶାସନର ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ କମ୍ପାନୀ କୌଣସି ମତାମତ ଦେବ ନାହିଁ ।
ଢିଙ୍କିଆରେ ଯେଉଁ ପାନବରଜଗୁଡ଼ିକ ରହିଛି ସେଗୁଡ଼ିକ ୧୦ ଡିସିମିଲ(୦.୧ଏକର) ବା ୫୦ଡିସିମିଲ (୦.୫ ଏକର) ପରିମିତ ଜମି ଉପରେ ଛିଡ଼ା ହୋଇଥାଆନ୍ତି । କିଛିଦିନ ତଳେ ସରକାରଙ୍କର ଏକ ତଦନ୍ତ କମିଟିକୁ ପ୍ରଦର୍ଶନ କରାଯାଇଥିବା ଏକ ଫଳକ ପ୍ରମାଣ କରେ ଯେ ଏହି ବରଜଗୁଡିକରୁ କେତେକ ୨୦୦ବର୍ଷ ପୁରୁଣା । ପ୍ରଶାସନ ଏବେ ଏକର ପିଛା ୧୭ ଲକ୍ଷ ୫୦ହଜାର ଟଙ୍କାର ଯେଉଁ କ୍ଷତିପୂରଣ ଦେବା କଥା କହୁଛନ୍ତି, ତାହା ଏହି ପାନଚାଷୀ ମାନଙ୍କର ମାତ୍ର ଏକ ବର୍ଷର ଆୟ ସହିତ ସମାନ ।
ଗ୍ରାମର ଅଧାଲୋକ ଏବେ ପୁଲିସ କବଜାରେ, ନହେଲେ ଜେଲରେ
ଜଗତସିଂହପୁର ଜିଲ୍ଲାର ଏସ୍ ପି ଅଖିଳେଶ୍ୱର ସିଂହ ଜାନୁଆରୀ ୧୪ତାରିଖରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ବୋଲି କହନ୍ତି । ସିଂହ ସାମ୍ବାଦିକମାନଙ୍କୁ କହିଥିଲେ ଯେ ‘ସ୍ଥାନୀୟ ଲୋକମାନେ ପୁଲିସକୁ କ୍ଷୁର(ରେଜର)ରେ ଆକ୍ରମଣ କଲେ । ତେଣୁ ସେମାନଙ୍କୁ ଘଉଡ଼େଇବା ପାଇଁ ଆମେ ମୃଦୁ ଲାଠିଚାଳନା କରିଥିଲୁ ।’ ଏସପି କହିଥିଲେ ଯେ ସାତଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଗ୍ରାମର କେତେଜଣ ମୁଷ୍ଟିମେୟ ଲୋକ ଓ କର୍ମୀ ପ୍ରଶାସନର କାର୍ଯ୍ୟରେ ବାଧା ପହୁଂଚାଉଛନ୍ତି ।
କିନ୍ତୁ ସେଦିନର ସେ ଘଟଣାକୁ ନେଇ ଯେଉଁ ଭିଡିଓ କରାଯାଇଛି ତାହା ଅନ୍ୟ କିଛି କହୁଛି । ଭିଡିଓରୁ ଜଣାପଡୁଛି ଯେ ସ୍ଥାନୀୟ ଓ ରିଜର୍ଭ ପୁଲିସଫୋର୍ସ ପ୍ରତିବାଦକାରୀ ଗ୍ରାମବାସୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟୁଥିଲେ । ପ୍ରତିବାଦକାରୀଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିଲେ । ଅନେକଙ୍କ ଶରୀରରେ ଲାଠିମାଡ଼ରେ ହୋଇଥିବା କ୍ଷତ ଚିହ୍ନ ଏବେ ବି ଶୁଖି ନାହିଁ ।
ଗ୍ରାମବାସୀମାନେ ସେମାନଙ୍କର ଗ୍ରାମ ଭିତରକୁ ପୁଲିସ ବା ଅନ୍ୟକୌଣସି ବାହାରର ଲୋକଙ୍କୁ ପୁରାଇ ନଦେବା ପାଇଁ ଗ୍ରାମର ତିନୋଟି ପ୍ରବେଶ ପଥରେ ବାଉଁଶର ବାଡ଼ା କରିଥିଲେ । ପୁଲିସ ସେଗୁଡିକୁ ଭାଙ୍ଗି ପକାଇଛି ଓ ଅକାରଣରେ ଗ୍ରାମ ଭିତରେ ପ୍ରବେଶକରି ଲୋକମାନଙ୍କୁ ପିଟିଛି । ଉପସ୍ଥିତ ଜନତାଙ୍କର କହିବା ଅନୁଯାୟୀ ସେଦିନ ପାଖାପାଖି ୫୦୦ପୁଲିସ ଥିଲେ । ସମ୍ପ୍ରତି ପ୍ରଶାସନ ପକ୍ଷରୁ ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ ୧୯ଜଣ ଗ୍ରାମବାସୀ ଗିରଫ ହେଲେଣି । ପୁଲିସ ଡରରେ ଗ୍ରାମର ଅଧିକାଂଶ ପୁରୁଷଲୋକ ପାଖ ଜଙ୍ଗଲ ବା ଧାନବିଲରେ ଲୁଚି ରହିଛନ୍ତି । ଘରକୁ ଆସୁନାହାନ୍ତି ।
ଗୋଟିଏ ପଟରେ ଏସ୍ପି କହୁଛନ୍ତି ଯେ ଗାଁଆର ଗୋଟିଏ ଛୋଟିଆ ଗୋଷ୍ଠୀ ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି ଅଥଚ ଅନ୍ୟପଟେ ପୁଲିସ ଢିଙ୍କିଆର ୩୦୦୦ ଗ୍ରାମବାସୀଙ୍କ ମଧ୍ୟରୁ ଅଧାଲୋକଙ୍କ ନାଆଁ ରେ ଅପରାଧିକ ମାମଲାମାନ ଦାୟର କରିଛି । ପ୍ରତ୍ୟେକ ଏଫ.ଆଇ.ଆର ରେ ବହୁ ଲୋକଙ୍କର ନାଁ ଯୋଡ଼ି ଦିଆଯାଇଛି । ଗୋଟିଏ ଏଫ.ଆଇ.ଆର ରେ ୯୯ ଜଣଙ୍କର ନାଁ ଦିଆଯାଇଛି ଯେଉଁଥିରେ କି ୧୦୦୦ ଅଜ୍ଞାତ ବ୍ୟକ୍ତିଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରାଯାଇଛି । ଗୋଟିକରେ ୮୧ଜଣଙ୍କୁ ଚିହ୍ନଟ କରାଯାଇଛି କିନ୍ତୁ ୨୦୦ଲୋକଙ୍କ ଉପିସ୍ଥିତି ବିଷୟରେ କୁହାଯାଇଛି । ଆଉ ଗୋଟିକରେ ୬୦ଜଣ ଅଭିଯୁକ୍ତଙ୍କ କଥା କୁହାଯାଇଥିବାବେଳେ ୧୦୦ ଜଣଙ୍କ ଉପିସ୍ଥିତି ବିଷୟରେ କୁହାଯାଇଛି । ୧୪ ଜାନୁଆରୀ ଘଟଣାରେ ପୁଲିସ ପକ୍ଷରୁ ୯୯ ଜଣ ଗ୍ରାମବାସୀ ଏବଂ ୫୦୦ ଅଜ୍ଞାତବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି । ପୁଣି ଏଫ.ଆଇ.ଆର ରେ ଭାରତୀୟ ପିଙ୍ଗଳ କୋର୍ଡ-୧୮୬୦ ବା ଆଇପିସିର ସାଂଘାତିକ ଦଫା ସବୁ ଲଗାଯାଇଛି । ସେଥିରେ ଦଫା ୩୦୭ (ନରହତ୍ୟା ଉଦ୍ୟମ), ୧୪୭(ଦଙ୍ଗା ଭିଆଇବା), ୧୪୮ (ମାରଣାସ୍ତ୍ର ଧରି ଦଙ୍ଗା ସୃଷ୍ଟି କରିବା), ୩୪୧(ଜବରଦସ୍ତ ଅଟକାଇବା), ୩୫୩ (ସରକାରୀ କର୍ମଚାରୀଙ୍କୁ ହିଂସାତ୍ମକ ଉପାୟରେ କାମକରିବାରୁ ବଂଚିତ କରାଇବା), ୪୩୬ (ବିସ୍ଫୋଟକ ଜରିଆରେ ଅଗ୍ନିକାଣ୍ଡ ଭିଆଇବା) ସହିତ ସର୍ବସାଧାଣଣ ସମ୍ପତ୍ତିକୁ କ୍ଷତି ପହୁଂଚାଇବା ବିରୋଧୀ ଆଇନ ବା ପ୍ରିଭେନସନ ଅଫ ଡ୍ୟାମେଜ୍ ଟୁ ପବ୍ଲିକ ପ୍ରପର୍ଟି ଆକ୍ଟ-୧୯୮୪ର ବିଭିନ୍ନ ଦଫାସବୁ ଦିଆଯାଇ ମୋକଦ୍ଦମା କରାଯାଇଛି ।
ଢିଙ୍କିଆ ପଂଚାୟତ ସମିତିର ପୂର୍ବତନ ସଦସ୍ୟ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ମଧ୍ୟ ୩୭୯ (ପୁଲିସଠାରୁ ବନ୍ଧୁକ ଛଡ଼ାଇବା), ୩୯୫ (ଡକାୟତି) ସହିତ ବିସ୍ଫୋରକ ସାମଗ୍ରୀ ମହଜୁଦ କରିବା ଅଭିଯୋଗ ବା ଏକ୍ସପ୍ଲୋସିଭ ସବଷ୍ଟାନ୍ସ ଆକ୍ଟ -୧୯୦୮ର ଦଫା ୩ ଏବଂ ୪ରେ ମୋକଦ୍ଦମା କରାଯାଇଛି । ଗିରଫ ହେବାର ଦୁଇ ସପ୍ତାହ ପରେ ସ୍ୱାଇଁ ଏବେ ବି ବିଚାରାଧୀନ ବନ୍ଦୀ ଭାବରେ ଜେଲରେ ଅଛନ୍ତି ।
ଆଡଭୋକେଟ ପ୍ରଶାନ୍ତ ଜେନା ଓ ଓମକାର ଦେବଦାସଙ୍କ ଜରିଆରେ କେତେକ ଗ୍ରାମବାସୀ ହାଇକୋର୍ଟରେ ମୋକଦ୍ଦମା କରିବା ପରେ ଜାନୁଆରୀ ୨୦ତାରିଖରେ ଓଡ଼ିଶା ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲେ । ଆଉ ଜଣେ ଓକିଲ କ୍ଷୀରୋଦ ରାଉତ ମଧ୍ୟ ହାଇକୋର୍ଟରେ ଆବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ସ୍ଥିତି ସମ୍ବନ୍ଧରେ ଏକ ରିପୋର୍ଟ ବା ଷ୍ଟାଟସ୍ ରିପୋର୍ଟ ତଲବ କରିଥିଲେ । କୋର୍ଟ ନିର୍ଦ୍ଧେଶକ ଦେଇଥିଲେ ଯେ ଢିଙ୍କିଆରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ତତକ୍ଷଣାତ୍ ବନ୍ଦ ହେବା ଆବଶ୍ୟକ ।
ଘଟଣା ଘଟିବାର ୧୫ଦିନ ବିତି ସାରିଲାଣି । କିନ୍ତୁ ଏବେ ସୁଦ୍ଧା ଢିଙ୍କିଆ ଓ ଏହାର ଆଖପାଖ ଗ୍ରାମଗୁଡ଼ିକରେ ପ୍ରବଳ ମାତ୍ରାରେ ପୁଲିସ ଉପିସ୍ଥତିକୁ ଦେଖିବାକୁ ମିଳୁଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ବିରୋଧୀ ପ୍ରତିବାଦ ଆନ୍ଦୋଳନ ପ୍ରତିହତ କରିବା ପାଇଁ ଉଦ୍ୟମ ଜାରୀ ରହିଛି ।
ପୋସ୍କା ବିରୋଧୀ ଆନ୍ଦୋଳନର ପୁନଃଅବତାରଣା
ସମ୍ବେଦନଶୀଳ ଢିଙ୍କିଆ ଗ୍ରାମଟି ପରାଦୀପ ବନ୍ଦରଠାରୁ ଖୁବ ବେଶୀ ଦୂରରେ ନାହିଁ । ମହାନଦୀର ଗୋଟିଏ ଶାଖା ନଦୀ ଢିଙ୍କିଆ ପାଖ ଦେଇ ବହି ଯାଉଛି ଯାହାକି ବଙ୍ଗୋପସାଗରରେ ମିଶିଛି । ଏହା ଏକ ଉର୍ବର ଚାଷଉପଯୋଗୀ ଭୂମି । କିନ୍ତୁ ପୋସ୍କୋ ଏହିଠାରେ ଇସ୍ପାତ କାରଖାନା କରିବା ନିଷ୍ପତ୍ତି ବିରୁଦ୍ଧରେ ଗ୍ରାମବାସୀମାନେ ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ । ୨୦୧୧ରୁ ୨୦୧୩ ମଧ୍ୟରେ ଓଡ଼ିଶା ସରକାର ପୋସ୍କାପାଇଁ ଏଠାରେ ୨୨୦୦ ଏକର ଜମି ଅଧିଗ୍ରହଣ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକମାନଙ୍କର ପ୍ରବଳବିରୋଧ ତଥା ପରିବେଶ ଏବଂ ଆଇନଗତ ପ୍ରତିବନ୍ଧକ ଯୋଗୁଁ ଶେଷରେ ୨୦୧୭ ମସିହାରେ ପୋସ୍କୋ ଏହି ଯୋଜନାରୁ ଦୂରେଇ ଯାଇଥିଲା । ସେହି ଜମି ଯାହାକୁ ସରକାରୀଭାବେ ଚାଷଜମି ବା ଜଙ୍ଗଲ ଜମି ବୋଲି କୁହାଯାଉଛି ତାକୁ ଏବେ ଜିନ୍ଦଲକୁ ଦିଆଯିବାର ଯୋଜନା କରାଯାଉଛି । ତା’ସହିତ ମଧ୍ୟ ସରକାରଙ୍କ ପକ୍ଷରୁ ଅଧିକ ୭୪୮ଏକର ଜମି ଜିନ୍ଦଲକୁ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହି ଜମିକୁ ମୁଖ୍ୟତଃ ଢିଙ୍କିଆ ଏବଂ ପାଖରେ ଥିବା ମାହାଳ ଓ ପାଟଣା ଗାଁ’ରୁ ଅଧିଗ୍ରହଣ କରାଯିବ । ଢିଙ୍କିଆ ଗାଁ’ଟି ହେଉଛି ସବୁଠାରୁ ବଡ଼ ଗାଁ । ଏହାର ଲୋକସଂଖ୍ୟା ୩୦୦୦ । ଇତିମଧ୍ୟରେ, ଜିନ୍ଦଲ କମ୍ପାନୀ ପାଇଁ ଜମି ଅଧିଗ୍ରହଣକୁ ସହଜ କରିବାପାଇଁ ନଭେମ୍ବର ୨୦୨୧ରେ, ଢିଙ୍କିଆ ଗାଁ’କୁ ବାଦଦେଇ ମାହାଳ ଓ ପାଟଣା ଗାଁକୁ ନେଇ ଏକ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି । ଏବେ ଯେଉଁ ୭୪୮ଏକର ଜମି ଅଧିଗ୍ରହଣ କରାଯିବାର ଯୋଜନା ରହିଛି ସେଥିରୁ ମାହାଳ ଓ ପାଟଣାରେ ୩୫୦ଏକର ଲେଖା ୭୦୦ଏକର ଜମି ରହିଛି, ଢିଙ୍କିଆରେ କେବଳ ୪୮ଏକର ଜମି ରହିଛି ।
ତେବେ ଜିନ୍ଦଲ ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବା କଥାରେ କେବଳ ଢିଙ୍କିଆର ଗ୍ରାମବାସୀ ବୋଲି ନୁହେଁ, ବରଂ ଢିଙ୍କିଆ, ନୂଆଗାଁ ଏବଂ ଗଡକୁଜଙ୍ଗ ଗ୍ରାମ ପଂଚାୟତର ସାତଟି ପ୍ରକଳ୍ପ ପ୍ରଭାବିତ ଗ୍ରାମର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।
ଢିଙ୍କିଆ ଗ୍ରାମର ୪୦ବର୍ଷ ପାଖାପାଖି ବୟସ୍କା ସଂଜୁ ମନ୍ତ୍ରୀଙ୍କ କହିବାନୁଯାୟୀ ‘ପ୍ରଶାସନର ଶାନ୍ତିପୂର୍ଣ୍ଣ ଜମିଅଧିଗ୍ରହଣ କରାଯିବା କଥାଟି ଏକ ବିଶୁଦ୍ଧ ମିଛ କଥା । ଆଗରୁ ପୋସ୍କା ଯୋଗୁଁ ଗ୍ରାମବାସୀମାନଙ୍କର ମନ ଓ ଶରୀରରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା, ଜିନ୍ଦଲ ଯୋଗୁଁ ସେହି ଘାଆରେ ପ୍ରଶାସନ ପକ୍ଷରୁ ଲୁଣ ଘଷା ଚାଲିଛି । ପୁଲିସ ପକ୍ଷରୁ ଯେପରି ଲୋକମାନଙ୍କୁ ହଇରାଣ ହରକତ କରାଯାଉଛି ଓ ନିର୍ଯାତନା ଦିଆଯାଉଛି, ଯେପରି ମିଛ ମୋକଦ୍ଦମା କରାଯାଉଛି, ଗାଁ ଲୋକଙ୍କୁ ଗିରଫ କରାଯାଉଛି, ତାହା କେବଳ ଗ୍ରାମବାସୀଙ୍କଠାରୁ ଜମି ଛଡ଼େଇବାର ଗୋଟିଏ ଗୋଟିଏ ଅସ୍ତ୍ର ବ୍ୟତୀତ ଆଉ କିଛି ନୁହେଁ । ପ୍ରଥମେ ଏହା ପୋସ୍କା ପାଇଁ କରାଯାଉଥିଲା ଏବେ ଜିନ୍ଦଲ(ଜେଏସଡବ୍ଲ୍ୟୁ) ପାଇଁ କରାଯାଉଛି । ’
ଏହି ତିନି ଗ୍ରାମପଂଚାୟତର ଆଠଟି ଗ୍ରାମର ସର୍ବାଧିକ ଅର୍ଥାତ୍ ପ୍ରାୟ ୨୦୦୦୦ ପରିବାର ହେଉଛନ୍ତି ଦଳିତ । ସେଥିରୁ ୬୦% ଲୋକ ଢିଙ୍କିଆ ଓ ଗଡକୁଜଙ୍ଗ ପଂଚାୟତର ହୋଇଥିବା ବେଳେ ୪୦% ହେଉଛନ୍ତି ନୂଆଗାଁ ପଂଚାୟତର । ନୂଆଗାଁ ହେଉଛି ଗୋଟିଏ ଗାଁ ଯାହାକି ଗୋଟିଏ ପଂଚାୟତ ହୋଇଛି ।
ଏକ ସୁଦୃଢ଼ କୃଷି ଆଧାରିତ ଅର୍ଥନୀତିର ଧ୍ୱଂସ ଉଦ୍ୟମ
ଏହି ଉର୍ବର ଅଂଚଳଟିରେ ଲୋକମାନେ ପିଢ଼ି ପରେ ପିଢ଼ି ଏକ ସୁଦୃଢ଼ କୃଷି ଅର୍ଥନୀତିକୁ ବଂଚାଇ ରଖି ଆସିଛନ୍ତି । ଏଠାକାର ଲୋକମାନଙ୍କର ଜୀବନ-ଜୀବିକା ରୋଜଗାର ଏହି ଅଂଚଳରେ ଉତ୍ପାଦିତ ଉନ୍ନତ ମାନର ପାନ, ଧାନ, ମୀନ ଓ କାଜୁ ଫସଲ ଆଧାରିତ ହୋଇଥାଏ । ଏଠାରେ ଥିବା ୩୫୦୦ପାନ-ବରଜ, ବାଲିଆ ମାଟିରେ ଛିଡ଼ା ହୋଇଥିବା ଲକ୍ଷ ଲକ୍ଷ କାଜୁଗଛ ଏହି ଉପକୂଳ ଅଂଚଳରେ ବସବାସ କରୁଥିବା ଲୋକଙ୍କର ମୁଖ୍ୟ ଜୀବିକା । ସ୍ଥାନୀୟ ୮୦ % ଲୋକ ପାନଚାଷ କରିଥାଆନ୍ତି । ସ୍ଥାନୀୟ ଲୋକମାନଙ୍କର କହିବାନୁଯାୟୀ ଏଠାକାର ସନ୍ତୁଳିତ ବାଲିଆ ଦୋରସା ମାଟି, ବିଶେଷକରି ଏଠାକାର ବିଶେଷ ପ୍ରକାରର ବାଲି ପାନ ଏବଂ କାଜୁ ଚାଷ ପାଇଁ ବେଶ୍ ଉପଯୋଗୀ ହୋଇଥାଏ ।
ପାନ ବରଜ ଗୁଡ଼ିକରେ ପାନ ଲତାଗୁଡ଼ିକ ଏକ ଚାରିକଣିଆ ଘେରାଭିତରେ ଛାଇଛାଇଆ ସ୍ଥାନରେ କାଠି ଉପରେ ଭାରା ଦେଇ ଉପରକୁ ଉଠିଥାଆନ୍ତି । ସାଧାରଣ ପାନବରଜଟିଏ ୧୦ରୁ ୫୦ ଡିସିମିଲ ଜାଗା ଉପରେ ଛିଡ଼ା ହୋଇଥାଏ । ଏକ ଡିସିମିଲ ହେଉଛି ଗୋଟିଏ ଏକରର ୧୦ ଭାଗରୁ ଭାଗେ ବା ୪୩୬ ବର୍ଗଫୁଟର ଜମି । ଏହି ବରଜଗୁଡିକରେ ବରଜି ବା ପାନଚାଷୀ ମାନଙ୍କର ସାରା ପରିବାର ବର୍ଷଯାକ ପରିଶ୍ରମ କରି ପାନଚାଷ କରିଥାଆନ୍ତି । ଏଠାରେ ୧୪ରୁ ୭୦ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୟସର ଗ୍ରାମବାସୀ ପୁରୁଷ ମହିଳା ସମସ୍ତେ ନିଜକୁ ପାନଚାଷରେ ସାମିଲ କରିଥାଆନ୍ତି । ୧୫ଡିସିମିଲ ଜମିରେ ହୋଇଥିବା ପାନବରଜରୁ ଗୋଟିଏ ପରିବାର ମାସକୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାଆନ୍ତି ଯାହାକି ଗ୍ରାମାଂଚଳରେ ମିଳୁଥିବା ଯେକୌଣସି ପ୍ରକାରର କାମଠାରୁ ଅଧିକ ଆୟକାରୀ ପ୍ରମାଣିତ ହୋଇଥାଏ । ପାନ ବରଜରେ କାମ କରୁଥିବା କୃଷିଶ୍ରମିକମାନଙ୍କର ଦୈନିକ ମଜୁରୀ ୩୦୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।
ଗୋବିନ୍ଦପୁର ଗ୍ରାମର ସୁବାସଚନ୍ଦ୍ର ସାହାଣୀଙ୍କର କହିବାନୁଯାୟୀ ଏଠାରେ ଉତ୍ପାଦିତ ହେଉଥିବା ପାନ ଉତ୍କୃଷ୍ଟ ଧରଣର ହୋଇଥାଏ । ଏହା ଦେଶବିଦେଶରେ ବିଖ୍ୟାତ ବନାରସୀ ପାନ ଭାବରେ ପରିଚିତ ।
ପାନ ବ୍ୟତୀତ ମଧ୍ୟ ଏଠାକାର ଅନେକ ପରିବାରଙ୍କର ଅନ୍ୟାନ୍ୟ ଆୟ ରହିଛି ଯାହାକି ଏଠାକାର ଲୋକଙ୍କୁ ବେକାର ହୋଇ ଗରିବୀ ରେଖାର ତଳେ ରହିବାକୁ ଦିଏ ନାହିଁ । ସ୍ଥାନୀୟ ଲୋକମାନଙ୍କର କହିବା ଅନୁଯାୟୀ ସେମାନେ କେବେ ବି ସେମାନଙ୍କ ଗାଁ’କୁ ପୋଲିସ ଆସିବାର ଦେଖିନାହାନ୍ତି କି ସେମାନେ କେବେ ପୁଲିସ ଥାନାକୁ ଯାଇନଥାନ୍ତି ।
ଏହି କୃଷିଭିତ୍ତିକ କାର୍ଯ୍ୟକ୍ରମର ଧାରା ସେ ପର୍ଯ୍ୟନ୍ତ ବେଶ୍ ସାବଲୀଳ ଗତିରେ ଚାଲୁ ରହିଥିଲା ଯେ ପର୍ଯ୍ୟନ୍ତ ୨୦୦୫ରେ ଓଡ଼ିଶା ସରକାର ଏଠାରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ପୋସ୍କୋ ସହିତ ଚୁକ୍ତି କରି ନ ଥିଲେ । କିନ୍ତୁ ପୋସ୍କୋ ଯାହାକି ଭାରତର ପ୍ରଥମ ବିଦେଶୀ ପୁଂଜିଲଗାଣକାରୀ କାରଖାନା ଥିଲା ବାର୍ଷିକ ୧୨ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ କରିବା କଥା ଘୋଷଣା କରିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଏଥିପାଇଁ କମ୍ପାନୀ ପକ୍ଷରୁ ୧୨ ବିଲିଅନ ଡଲାର ବା ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । କମ୍ପାନୀ ନିଜ କାରଖାନା ପାଇଁ ତିନୋଟି ଗ୍ରାମପଂଚାୟତର ୪୦୦୪ ଏକର ଜମି ନେବା ପାଇଁ ସରକାରଙ୍କୁ ଆବେଦନ କରିଥିଲା । କିନ୍ତୁ ଏହି ଜମି ଅଧିଗ୍ରହଣ କରିବାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯେତେବେଳେ କାର୍ଯ୍ୟକ୍ରମ ଆରମ୍ଭ କରାଗଲା , ସ୍ଥାନୀୟ ଲୋକମାନେ ଏହାର ଘୋର ବିରୋଧ କରିଥିଲେ । ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନାମରେ ଏକ ସଙ୍ଗଠନ ଗଠିତ ହୋଇଥିଲା ଯାହାର ମୁଖ୍ୟାଳୟ ଢିଙ୍କିଆ ଗ୍ରାମ ହିଁ ଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କର ଗୋଟିଏ ଗୋଷ୍ଠୀ ପୋସ୍କୋକୁ ସମର୍ଥନ କରିବା ଉଦେଶ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟି ବା ୟୁନାଇଟେଡ ଆକ୍ସନ କମିଟି ଗଠନ କରି ପୋସ୍କୋକୁ ସମର୍ଥନ କରିବା ସହିତ ଆନ୍ଦୋଳନକୁ ବିରୋଧ କରୁଥିଲେ । ପରିମାଣସ୍ୱରୂପ ପୋସ୍କୋ ସମର୍ଥକ ଓ ବିରୋଧୀମାନଙ୍କ ମଧ୍ୟରେ ସଂଘର୍ଷ ଘଟି ୫ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ଏଠାରେ ସରକାରଙ୍କ କହିବା କଥା ହେଉଛି ଯେ ସ୍ଥାନୀୟ ଲୋକମାନେ ଜଙ୍ଗଲ ଜମିରେ ସେମାନଙ୍କର ପାନବରଜଗୁଡିକୁ ଠିଆ କରିଛନ୍ତି । ପାନବରଜ ଯେଉଁ ଜମିରେ ହୋଇଛି ସେ ଜମି ସେମାନଙ୍କର ନୁହେଁ । ସରକାର ଏହି ଜମିର ଅଧିଗ୍ରହଣ ପାଇଁ ୪୬୬ ବିସ୍ଥାପିତ ପରିବାରକୁ ୭୦ କୋଟି ଟଙ୍କାର କ୍ଷତିପୂରଣ ଯାଚି ଥିଲେ ।
ଅନ୍ୟପକ୍ଷରେ ପୋସ୍କୋବିରୋଧୀ ଗ୍ରାମବାସୀମାନଙ୍କର କହିବା କଥା ହେଉଛି ଯେ ସେମାନେ ଶହ ଶହ ବର୍ଷ ଧରି ପିଢ଼ି ପରେ ପିଢ଼ି ଏହି ଜମିରେ ପାନବରଜ କରି ଆସୁଛନ୍ତି । ସରକାର ସେମାନଙ୍କୁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଏହି ଜମିର ପଟ୍ଟା ଦେଇଦେବା କଥା ।
ପରିବେଶ ମଂଜୁରୀରେ ମଧ୍ୟ ଭୁଲ ତଥ୍ୟ
ପୋସ୍କୋକମ୍ପାନୀ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କଲାବେଳେ ଘୋଷଣା କରିଥିଲା ଯେ ଏହା ବାର୍ଷିକ ୧୨ମିଲିଅନ ଟନ ଇସ୍ପାତ ଉତ୍ପାଦନ କରିବା ଭଳି ଏକ ବୃହତ୍ ଇସ୍ପାତ କାରଖାନା କରିବ । କିନ୍ତୁ ବାସ୍ତବରେ ଏହା ମାତ୍ର ବାର୍ଷିକ ୪ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା କରିବା ପାଇଁ ପରିବେଶ ଅନୁମତି ପାଇଥିଲା । ୨୦୦୭ରେ ଯେତେବେଳେ କମ୍ପାନୀକୁ ବାର୍ଷିକ ୧୨ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ ପାଇଁ ପରିବେଶ ଅନୁମତି ଦିଆଗଲା ଏହାକୁ ପ୍ରତିବାଦ କରି ଭାରତର ଜାତୀୟ ହରିତ ନ୍ୟାୟାଳୟ ବା ଗ୍ରୀନ ଟ୍ରିବ୍ୟୁନାଲରେ ମୋକଦ୍ଦମା କରାଯାଇଥିଲା ।
ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ମତରେ ପୋସ୍କୋକମ୍ପାନୀ ବାର୍ଷିକ ୧୨ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ କରିବାର ପରିବେଶ ମଂଜୁରୀ ଚଂଚକତା କରି ପାଇଥିଲା । ଅର୍ଥାତ୍ ୪ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ପାଇଁ କାରଖାନା ଗଠନ ହେଲେ ତାହାର ପ୍ରଭାବ ସ୍ଥାନୀୟ ଜଳ, ଜମି, ଜଙ୍ଗଲ ଓ ପରିବେଶ ଉପରେ କ’ଣ ପଡିବ ସେଥିପାଇଁ ଯେଉଁ ଆକଳନ ପ୍ରସ୍ତୁତ ହୋଇଥିଲା ତାକୁ ଦେଖେଇ କମ୍ପାନୀ ୧୨ ମିଲିଅନ ଟନ ଇସ୍ପାତ ଉତ୍ପାଦନ କାରଖାନା ପାଇଁ ପରିବେଶ ମଂଜୁରୀ ନେଇଆସିଲା । କମ୍ପାନୀ ବିରୁଦ୍ଧରେ ଗ୍ରୀନ ଟ୍ରିବୁ୍ୟନାଲରେ ହୋଇଥିବା ଆବେଦନ ଯୋଗୁଁ ପ୍ରଶାସନର ଏଠାରେ କମ୍ପାନୀ ପାଇଁ ପାଚେରୀ ତିଆରି କରିବା କାର୍ଯ୍ୟକ୍ରମ ଉପରେ ରୋକ ଲାଗିଥିଲା । କମ୍ପାନୀ ଏହି ଜମି ଉପରେ ଥିବା ୮ ଲକ୍ଷ ଗଛକୁ କାଟି ସଫା କରିଦେବା ମତଲବରେ ଥିଲା । କାରଣ ୨୦୧୦ ବେଳକୁ କମ୍ପାନୀ ୧ ଲକ୍ଷ ୭୦ହଜାର ବଡ଼ ବଡ଼ ଗଛକୁ କାଟି ସାରିଥିଲା । କିନ୍ତୁ ୨୦୧୧ରେ ସ୍ଥାନୀୟ ଲୋକମାନଙ୍କର ପ୍ରବଳ ପ୍ରତିରୋଧ ଓ ଆଇନଗତ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶା ସରକାର ବାଧ୍ୟହୋଇ ଏହି କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୮ମିଲିଅନ ଟନକୁ କମାଇ ଦେଲେ ଆଉ ଏଥିପାଇଁ ଆବଶ୍ୟକ ଜମିର ପରିଣାମ ୨୦୦୭ ଏକର ହୋଇଥିଲା । ସେତେବେଳେ ଢିଙ୍କିଆକୁ କମ୍ପାନୀର ପ୍ରକଳ୍ପ ଅଂଚଳରୁ ଅଲଗା କରି ଦିଆ ଯାଇଥିଲା । ଏପରି କରିବାର ଏକମାତ୍ର କାରଣଟି ଥିଲା ପୋସ୍କାବିରୋଧୀ ଆନ୍ଦୋଳନରେ ଢିଙ୍କିଆ ପଂଚାୟତକୁ ଅଲଗା ଏକଘରକିଆ କରିଦେଇ ଅନ୍ୟ ଦୁଇ ପଂଚାୟତରୁ ଜମି ଅଧିଗ୍ରହଣ କରିବା ।
୨୦୧୧ରୁ ୨୦୧୩ ମଧ୍ୟରେ ଜିଲ୍ଲା ପ୍ରଶାସନ ୧୧୦୦ ପାନବରଜକୁ ଭାଙ୍ଗି ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲା । କିନ୍ତୁ ତା’ସତ୍ତ୍ୱେ ଲୋକମାନଙ୍କର ଆନ୍ଦୋଳନ ଜାରି ରହିଥିଲା । ରାଜ୍ୟ ସରକାର ଆନ୍ଦୋଳନକୁ ଦବାଇବା ପାଇଁ ସ୍ଥାନୀୟ ଲୋକଙ୍କ ଉପରେ ଅଧିକରୁ ଅଧିକ ମୋକଦ୍ଦମା ଲଦିଦେବାରେ ଲାଗିଲେ । ଯା’ଫଳରେ ୨୫୦୦ ଗ୍ରାମବାସୀଙ୍କ ବିରୁଦ୍ଧରେ ୪୦୦ ମୋକଦ୍ଦମା ହୋଇଯାଇଥିଲା । ଏଥିରେ ସଂଜୁ ମନ୍ତ୍ରୀଙ୍କ ସହିତ ୭୦୦ ମହିଳାଙ୍କ ବିରୁଦ୍ଧରେ ମଧ୍ୟ ମୋକଦ୍ଦମା ହୋଇଥିଲା ।
ପୋସ୍କୋ ଏବଂ ଏବେ ଜିନ୍ଦଲ-ବିରୋଧୀ ଆନ୍ଦୋଳନରେ ମହିଳା ହିଁ ସର୍ବାଗ୍ରେ ଅଛନ୍ତି
ପୋସ୍କୋ ଆନ୍ଦୋଳନଠାରୁ ନେଇ ଏହା ଭିତରେ ୭୦ଜଣ ଗ୍ରାମବାସୀ ଗିରଫ ହୋଇ ସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ଜେଲରେ ରହିଥିଲେ । ୨୦ଜଣ ଗ୍ରାମବାସୀଙ୍କୁ ଏକମାସରୁ ନେଇ ଏକବର୍ଷ ପର୍ଯ୍ୟନ୍ତ ବିଚାରାଧୀନ କଏଦୀ ଭାବରେ ଜେଲରେ କଟାଇବାକୁ ପଡ଼ିଥିଲା । ଦେଖିବାକୁ ମିଳିଲା ଯେ ଗୋଟିଏ ଗୋଟିଏ ପରିବାରର ଭାଇ,ଭଉଣୀ, ପତି, ପତ୍ନୀ, ପୁଅ, ଝିଅ ସମସ୍ତେ ବିଭିନ୍ନ ଅପରାଧ ଘଟାଇ ପୁଲିସର ଅଭିଯୁକ୍ତ ତାଲିକାରେ ଅଛନ୍ତି । ଆଉ ସେମାନଙ୍କ ଅପରାଧ ତାଲିକା ମଧ୍ୟ ବେଶ ଲମ୍ବା । ସେଥିରେ ନରହତ୍ୟା, ନରହତ୍ୟା ଉଦ୍ୟମ,ଅପହରଣ, ଦଙ୍ଗା, ଡକାୟତି, ପୋଲିସ ଉପରେ ଆକ୍ରମଣ, ଧର୍ଷଣ ଆଦି ରହିଛି ।
ସେତେବେଳକାର ପୋସ୍କୋବିରୋଧୀ ଆନ୍ଦୋଳନ ଓ ଏବର ଜିନ୍ଦଲବିରୋଧୀ ଆନ୍ଦୋଳନରେ ଅଂଚଳର ମହିଳାମାନେ ସବୁବେଳେ ଆଗରେ ଥିବାର ଦେଖିବାକୁ ମିଳିଛି । ପୋସ୍କୋ ପ୍ରତିବାଦ ଆନ୍ଦୋଳନରେ ସେମାନଙ୍କୁ ସବୁବେଳେ ଆଗରେ ଦେଖିବାକୁ ମିଳୁଥିଲା । ରାଲୀ/ସମାବେଶ ଗୁଡ଼ିକରେ ଅଧାରୁ ଅଧିକ ମହିଳା ଦେଖିବାକୁ ମିଳୁଥିଲେ ଏବଂ ସେମାନେ ଆନ୍ଦୋଳନକାରୀ ପୁରୁଷମାନଙ୍କୁ ପୁଲିସ ମାଡରୁ ବଂଚାଇବା ପାଇଁ ପୁରୁଷଙ୍କ ଚାରିପଟେ ସୁରକ୍ଷା କବଚ ସାଜୁଥିଲେ । ଏପରିକି ଯେତେବେଳେ ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ପୁରୁଷ ଲୋକମାନେ ଆନ୍ଦୋଳନରୁ ଓହରିଯିବା ପାଇଁ ଚାହୁଁଥିଲେ ସେତେବେଳେ ଏହି ମହିଳାମାନେ ଆନ୍ଦୋଳନ ପ୍ରତି ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରୁଥିଲେ ।
ମନୋରମା ଖଟୁଆ, ପୋସ୍କୋ ପ୍ରତିରୋଧ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କବିରୁଦ୍ଧରେ ପୁଲିସ ପକ୍ଷରୁ ୫୨ଟି ଅପରାଧିକ ମାମଲା କରାଯାଇଥିଲା । ସେଥିରେ ନରହତ୍ୟା, ନରହତ୍ୟା ଉଦ୍ୟମ, ଚୋରୀ, ଡକାୟତି ସହିତ ଧର୍ଷଣ ମାମଲା ମଧ୍ୟ ଥିଲା । ପୁଲିସ ତାଙ୍କୁ ଏହି ସବୁ ମାମଲାରେ ଗିରଫ କରି ନେବାକୁ ଚାହୁଁଥିଲା , କିନ୍ତୁ ସେ ଢିଙ୍କିଆ ଗାଁର ମହିଳାମାନଙ୍କ ଭିତରେ ରହୁଥିବାରୁ ପୁଲିସ ତାଙ୍କୁ ଗିରଫ କରିପାରୁ ନଥିଲା । ସେତେବେଳେ ଢିଙ୍କିଆ ଗ୍ରାମକୁ ବାଉଁଶ ବାଡା ଦିଆଯାଇ ଆବଦ୍ଧ କରି ରଖାଯାଇଥିଲା ଆଉ ମହିଳାମାନେ ଏହା ନିକଟରେ ୨୪ଘଂଟା କାଳ ପହରା ଦେଉଥିଲେ ।
ସେହିପରି ଗନ୍ଧେଇ ମଲ୍ଲିକ ନାମକ ୪୦ ପାଖାପାଖି ବୟସର ହରିଜନ ମହିଳାଙ୍କୁ ପୁଲିସ ବିଭିନ୍ନ ମିଥ୍ୟା ଅପରାଧରେ ୧୫ ମେ ୨୦୧୦ରେ ଗିରଫ କରି ନେଇଥିଲା । ସେ ତିନିମାସ କାଳ ଜେଲରେ ରହିବା ପରେ ଜାମିନରେ ଆସିଥିଲେ । ସେହି ଜେଲରେ ରହିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁମାତ୍ରାରେ ବିଗିଡି ଗଲା ଯାହା ଫଳରେ ସିଏ ଜାମିନରେ ଆସିବାର କିଛିଦିନ ମଧ୍ୟରେ ମୃତ୍ୟୁ ମୁଖରେ ପଡ଼ିଥିଲେ । ପୁଲିସ ବହୁ ଗ୍ରାମବାସୀଙ୍କୁ ସେହି ସମୟରେ ଗିରଫ କରି ନେଉଥିଲା ଯେତେବେଳେ ସେମାନେ ସେମାନଙ୍କ ଉତ୍ପାଦିତ ପରିବା ବିକ୍ରୀ କରିବା ପାଇଁ ହାଟକୁ ଯାଉଥିଲେ । ବେଳେବେଳେ ପୁଲିସ ଜଣେ ଜଣେ ଗ୍ରାମବାସୀଙ୍କୁ ଗିରଫ କରି ନେଉଥିଲା ଆଉ ତାଙ୍କ ପୁଅଟିକୁ ହାଟରେ ଏକୁଟିଆ ଠିଆ ହୋଇ କାନ୍ଦିବାକୁ ଛାଡ଼ି ଦେଉଥିଲା । ପୁଲିସ ଗିରଫଦାରୀ ଭୟରେ ଅନେକ ଗ୍ରାମବାସୀ ସେମାନଙ୍କ ଜୀବିକା ହରାଇଥିଲେ । ଗୋବିନ୍ଦପୁରର ଜଣେ ୬୦ ବର୍ଷର ବୃଦ୍ଧ କହିଥିଲେ ପୁଲିସର ଏହି ଅତ୍ୟାଚାର ଆମକୁ ଶାରୀରିକ, ମାନସିକ ଏବଂ ଅର୍ଥନୈତିକ ଭାବେ ନିଃଶେଷ କରି ଦେଇଥିଲା । ବୃଦ୍ଧଜଣକ କହିଥିଲେ ଯେ କାଳେ ପୁଲିସ ଆସି ରାତିରେ ତାଙ୍କ କବାଟ ବାଡ଼େଇବ, ସେହି ଭୟରେ ସେ ବହୁଦିନ ଧରି ଘରୁ ବାହାରି ନଥିଲେ କି ତାଙ୍କ ପାନବରଜ ଆଡ଼େ ଯାଇ ନଥିଲେ । କେବଳ କବାଟ କିଳି ଘରେ ରହିଥିଲେ । ଏ ଘଟଣା ଆହୁରି ଅନେକ ଗ୍ରାମବାସୀଙ୍କ ଜୀବନରେ ମଧ୍ୟ ସେତେବେଳେ ଘଟିଥିଲା ଓ ଏହା ଏବେ ବି ଘଟୁଛି ।
ଅନେକ ଦଶନ୍ଧି ପରେ ଏବେ ପୁଣି ଥରେ ପାନବରଜ ଉପରେ ଚଡ଼କ
ବହୁ ଦଶନ୍ଧି ଧରି ପୁଲିସ ସହିତ ସଂଘର୍ଷ କରି ଗ୍ରାମବାସୀମାନେ ଯେଉଁ ପାନବରଜକୁ ବଂଚାଇଥିଲେ ଏବେ ପୁଣି ଥରେ ତାହା ଉପରେ ଚଡ଼କ ପଡ଼ିଛି । ୨୦୧୫ ମସିହାବେଳକୁ ଯେତେବେଳେ ଜଣାପଡିଲା ଯେ ପୋସ୍କୋ ନିଜ ପ୍ରକଳ୍ପରୁ ଓହରି ଯିବାପାଇଁ ବସିଛି, ସେତେବେଳେ ଗ୍ରାମବାସୀଙ୍କ ଉପରେ ପୁଲିସ ଅତ୍ୟାଚାରରେ ଭଟ୍ଟା ପଡ଼ିଥିଲା । ଦୁଇବର୍ଷ ପରେ ଯେତେବେଳେ ପୋସ୍କୋ ଅଧିକାରିକ ଭାବେ ସତକୁ ସତ ଏହି ପ୍ରକଳ୍ପରୁ ଓହରିଗଲା , ସେତେବେଳେ ସ୍ଥାନୀୟ ହଜାର ହଜାର ଲୋକଙ୍କର ଜୀବିକା ନଷ୍ଟଭ୍ରଷ୍ଟ ହୋଇ ଯାଇଥିଲା ଓ ଚାରିଆଡ଼େ କେବଳ ଗୁଡିଏ କଟା ହୋଇଥିବା ଗଛର ଥୁଂଟା ବା ଶେଷଭାଗ ଛିଡ଼ାହୋଇ ରହିଥିବାର ଦେଖିବାକୁ ମିଳୁଥିଲା । ଅନ୍ୟଅର୍ଥରେ କହିଲେ ସାରା ଅଂଚଳଟି ଯେପରି ଧ୍ୱସ୍ତବିଧ୍ୱସ୍ତ ହୋଇ ସାରିଥିଲା ।
ଏହି ଅଂଚଳର ଆଠଟି ଗାଁ ମଧ୍ୟରୁ ନୂଆଗାଁର ଅବସ୍ଥା ସବୁଠାରୁ ଅଧିକ ଖରାପ ହୋଇ ଯାଇଥିଲା । କିନ୍ତୁ ନୂଆଗାଁ ହିଁ ୨୦୧୧ ମସିହାରେ ପ୍ରଥମେ ପୋସ୍କୋକୁ ସ୍ୱାଗତ କରିଥିଲା । ସେତେବେଳେ ଗ୍ରାମବାସୀମାନଙ୍କୁ ପାନବରଜ ବଦଳରେ ଯେଉଁ କ୍ଷତିପୂରଣ ଟଙ୍କା ମିଳିଥିଲା, ସେଥିରେ ସେମାନେ ଗୋଟିଏ ଗୋଟିଏ ଚାରିଚକିଆ ଗାଡ଼ି ଏଇ ଆଶାରେ କିଣି ପକାଇଥିଲେ ଯେ ତାହାକୁ ପୋସ୍କୋ କାରଖାନା ହେବାପରେ ସେଥିରେ ଭଡ଼ାକୁ ଲଗାଇ ଦେବେ । କିନ୍ତୁ ପୋସ୍କୋ ହେଲା ନାହିଁ । ସେହିପରି ଅନେକ ଲୋକ ଗାଁକୁ ଆସିଥିବା ଏକ ଚିଟ୍ଫଣ୍ଡ କମ୍ପାନୀରେ ପଇସା ଲଗାଇ ଦେଇଥିଲେ ଯେ ସେଥିରୁ ଆସିବା ପଇସାରେ ସେମାନେ ଚଳିଯିବେ । କିନ୍ତୁ ସେ ଚିଟଫଣ୍ଡ୍ କମ୍ପାନୀଟି ଲୋକମାନଙ୍କର ପଇସା ନେଇ ଉଭାନ୍ ହୋଇ ଯାଇଥିଲା ।
ତେବେ ସେ ଯାହାହେଉ ଢିଙ୍କିଆ ଯେହେତୁ ପାନବରଜକୁ ସମର୍ପଣ କରିଦେଇ କ୍ଷତିପୂରଣ ନେବା ମାମଲାରେ ପଶି ନଥିଲା, ତେଣୁ ଏହାର ଲୋକେ ନିରବରେ ନିଜ କାମ ନିଜେ କରି ବଂଚୁଥିଲେ । ସେମାନଙ୍କର ୨୦୧୧ ମସିହାରେ ୫୦୦ଟି ପାନବରଜ ଥିଲା ଏବେ ଏହା ୨୦୦୦ରେ ପହଂଚି ସାରିଛି । ପ୍ରତିମାସ ଏହି ଗାଁ’ଟି ସାରା ବିଶ୍ୱକୁ ୨୦ ଲକ୍ଷ ପାନ(ପତ୍ର) ଯୋଗାଇ ଚାଲିଛି । ସେଥିପାଇଁ ଏହା ଏବେ ଓଡ଼ିଶାର ସବୁଠାରୁ ବୃହତ୍ ପାନ ପତ୍ର ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇସାରିଛି । ଆଖପାଖ ଗାଁ ଗୁଡିକର ଗ୍ରାମବାସୀ ଯେଉଁମାନେ ପୋସ୍କୋ ପାଇଁ ନିଜର ପାନବରଜ ଦେଇ ସାରିଛନ୍ତି, ସେମାନେ ଏବେ ଢିଙ୍କିଆର ପାନବରଜରେ ଦିନ ମଜୁରିଆ ଭାବରେ କାମ କରୁଛନ୍ତି । ଏଥିରେ ପୋସ୍କୋ ସପକ୍ଷବାଦୀ ନୂଆଗାଁର ଅନେକ ଗ୍ରାମବାସୀ ମଧ୍ୟ ଅଛନ୍ତି ।
ଏବେ ଆଉ ଏକ ଇସ୍ପାତ କାରଖାନା ଆସିବା ପରେ ଢିଙ୍କିଆର ବଂଚି ଯାଇଥିବା ପାନବରଜଗୁଡିକ ନଷ୍ଟ ହୋଇଯିବାକୁ ବସିଛି ।
ପୁଲିସ ଆମ ନେତାକୁ ଅତ୍ୟାଚାର କରି ତାଙ୍କ ଦାନ୍ତ ଭାଙ୍ଗିଦେଇଛି
ଜିନ୍ଦଲ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାପରେ ଶ୍ରୀ ସ୍ୱାଇଁଙ୍କ ଉପରେ ଅତ୍ୟାଚାର କରି ତାଙ୍କୁ ଗିରଫ କରାଯିବା ଘଟଣାରେ ଗ୍ରାମବାସୀଙ୍କୁ ଧକ୍କା ଲାଗିଛି । ସ୍ୱାଇଁଙ୍କର ଜଣେ ସମ୍ପର୍କୀୟଙ୍କ କହିବାନୁଯାୟୀ ସ୍ୱାଇଁଙ୍କୁ ପୁଲିସ ହାଜତରେ ପ୍ରବଳ ମାଡ଼ ଦିଆଯାଇଛି । ପୁଲିସ ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଦେଇଛି । ରାତିସାରା ହାଜତ ଭିତରେ ଅତ୍ୟାଚାର କରାଯିବା ପରେ ତାଙ୍କୁ ତା ଆରଦିନ ଜେଲ ପଠାଇ ଦିଆଯାଇଛି । ସ୍ୱାଇଁ ଯେହେତୁ ଆନ୍ଦୋଳନର ନେତୃତ୍ୱ ନେଉଥିଲେ, ତେଣୁ ତାଙ୍କୁ ବିଭିନ୍ନ ବାଟରେ ନିର୍ଯାତିତ କରାଯାଉଥିଲା । ପୁଲିସ ତାଙ୍କ ଉପରେ ଅତ୍ୟାଚାର କରି ଆନ୍ଦୋଳନରତ ଗ୍ରାମବାସୀଙ୍କର ନୈତିକ ମନୋବଳ ଭାଙ୍ଗି ଦେବାକୁ ଚାହୁଁଥିଲା ।
ଅନେକ ଗ୍ରାମବାସୀ ଭୟରେ ମୁହଁ ଖୋଲିବାକୁ ଚାହୁଁନାହାନ୍ତି । ସେମାନଙ୍କୁ ଡର ଯେ ସେମାନଙ୍କ ନାଁ’କୁ ମଧ୍ୟ ପୁଲିସ ଏଫ୍.ଆଇ.ଆରରେ ଯୋଡ଼ି ଦିଆଯିବ । ନୂଆଗାଁର ଜଣେ ବ୍ୟକ୍ତି କହିଥିଲେ ଗାଁ ଲୋକେ ଡରୁଛନ୍ତି ଯେ ସେମାନଙ୍କୁ ମଧ୍ୟ ସେହିପରି ଅତ୍ୟାଚାରିତ ହେବାକୁ ପଡ଼ିବ, ଯେପରି ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କୁ ଅତ୍ୟାଚାରିତ ହେବାକୁ ପଡିଛି ।
ଏବେ ଯେହେତୁ ଗ୍ରାମର ପୁରୁଷ ଲୋକମାନେ ପୁଲିସ ଭୟରେ ବିଭିନ୍ନ ଜାଗାରେ ଲୁଚି ରହିଛନ୍ତି; ତେଣୁ ପାନ ଫସଲ ପ୍ରବଳ ଭାବରେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ପାନଚାଷୀମାନଙ୍କ ପରିବାର ଲୋକଙ୍କ କହିବା କଥା ଯେ ସେମାନେ ପୁଲିସ ଡରରେ ପାନବରଜରେ ପାଣିଦେବାକୁ ଯାଇ ପାରୁନାହାନ୍ତି । ଯଦି ଅଧିକ ଦିନ ଧରି ଏହି ଅବସ୍ଥା ଲାଗି ରହେ, ତେବେ ପାନ ଗଛଗୁଡିକ ନଷ୍ଟ ହୋଇଯିବ । ଏହାସହିତ ଢିଙ୍କିଆରେ ଚାଲିଥିବା ଅବସ୍ଥାକୁ ଦେଖି ଆଖପାଖ ଗ୍ରାମବାସୀ ଯେଉଁମାନେ କି ଆଜି ବି ପୋସ୍କୋ ଘଟଣାକୁ ନେଇ ଅନେକ ସମସ୍ୟାକୁ ସାମ୍ନା କରିବାରେ ଲାଗିଛନ୍ତି, ସେମାନେ ଆତଙ୍କିତ ଯେ ସେମାନଙ୍କୁ ବି ଦିନେ ଜିନ୍ଦଲ ମାମଲାରେ ଏହିପରି ନୂଆ ନୂଆ ମିଛ ମୋକଦ୍ଦମାରେ ଗିରଫ ହେବାକୁ ପଡ଼ିପାରେ । ଗୋବିନ୍ଦପୁର ଏବଂ ପାଟଣା ଗାଁରେ ଲୋକମାନେ କହିଥିଲେ ଯେ ସେମାନେ କ୍ଷତିପୂରଣ ଅର୍ଥ ପ୍ରଶାସନ ଯାହା ଦେଲା ତାକୁ ନେଇ ନିଜେ ନିଜେ ପାନବରଜଗୁଡିକୁ ଭାଙ୍ଗି ଦେଇଛନ୍ତି । ସେମାନଙ୍କ ମତରେ ସେମାନଙ୍କ ସଂମୁଖରେ ଅନ୍ୟ ରାସ୍ତା ଆଉ କିଛି ନ ଥିଲା ।
ଗ୍ରାମବାସୀମାନେ କହିଥିଲେ ଯେ ସେମାନେ କେହି ଚାହାନ୍ତି ନାହିଁ ଯେ ସେମାନଙ୍କ ଗ୍ରାମରେ ଆଉ ଗୋଟେ ଇସ୍ପାତ କାରଖାନା ହେଉ । କିନ୍ତୁ ସେମାନେ ସନ୍ଦେହରେ ଅଛନ୍ତି ଯେ କେତେଦିନ ଧରି ସେମାନେ ଏହାର ପ୍ରତିବାଦ କରିପାରିବେ? ଗୋବିନ୍ଦପୁରର ୬୦ ବର୍ଷ ବୟସ୍କ ସୁରେନ୍ଦ୍ର ଦାସ କହିଥିଲେ ଏହି ଭୟ କାରଣରୁ ସେମାନେ ପଛେଇ ଯାଉଛନ୍ତି । ଏହି ଭୟ କାରଣରୁ କିଏ କେତେବେଳେ ପଛେଇ ଯିବ କିଏ କହିବ?
ଏକଥା କହିହେବ ନାହିଁ ଯେ ପୋସ୍କୋ ପରି ଜିନ୍ଦଲ କାରଖାନା ପ୍ରତିଷ୍ଠା କଥାଟି ମଧ୍ୟ ଆଇନଗତ ଓ ପରିବେଶ ମାମଲାରେ ଛନ୍ଦି ହୋଇ ଯାଇ ନପାରେ । ୨୦ ଡିସେମ୍ବର ୨୦୧୯ରେ ଜେଏସଡବ୍ଲ୍ୟୁ କାରଖାନା ପ୍ରତିଷ୍ଠା କରାଯିବାକୁ ନେଇ ଏକ ଜନଶୁଣାଣୀ ହୋଇଥିଲା । ସେହିପରି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଅନୁମୋଦନ ପାଇଁ କମ୍ପାନୀ ଅପେକ୍ଷା କରିଛି । ମିଳି ନାହିଁ ।
ପାରାଦୀପ ବନ୍ଦର ସହର ଯାହାକି ଢିଙ୍କିଆଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି, ପରିବେଶ ଦୃଷ୍ଟିକୋଣରୁ ଅତି ଚିନ୍ତାଜନକ ଅବସ୍ଥାରେ ରହିଛି । ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବାନୁଯାୟୀ ଏହା ଅତି ଖରାପ ଅବସ୍ଥାରେ ରହିଛି ।
ଜାନୁଆରୀ ୨୫ତାରିଖରେ ପ୍ରଫୁଲ୍ଲ ସାମନ୍ତରା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରେଜାଲ କମିଟି(ଇଣ୍ଡଷ୍ଟ୍ରୀ-୧)ର ଅଧ୍ୟକ୍ଷ ଛବିନାଥ ପାଣ୍ଡେଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ କେତେକ କାରଣ ଦର୍ଶାଇ ଜିନ୍ଦଲର ମେଗା ଇସ୍ପାତ କାରଖାନାକୁ ପରିବେଶ ମଂଜୁରୀ ନଦେବାକୁ ଅନୁରୋଧ କରିଛନ୍ତି । ସାମନ୍ତରା ଅନୁରୋଧ କରିଛନ୍ତି ଯେ ବରଂ ବିଭାଗ ପକ୍ଷରୁ ପାରାଦୀପ ଓ ଢିଙ୍କିଆ ଅଂଚଳରେ ଏବେ ପରିବେଶ କି ଅବସ୍ଥାରେ ରହିଛି ଓ ଏଠାରେ ପ୍ରଦୂଷଣର ଭୟାବହତା ଉପରେ ଏକ ସଠିକ୍ ଆକଳନ ପାଇଁ ପ୍ରଯତ୍ନ ହେଉ ।
ଜାନୁଆରୀ ୨୭ତାରିଖ ଦିନ ଦିଲ୍ଲୀସ୍ଥିତ ଏକ ଗବେଷଣା ସଂସ୍ଥା, ଦି ସେଂଟର ଫର ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ ଏୟାର (ସିଆରଇଏ) ପକ୍ଷରୁ ପ୍ରସ୍ତାବିତ ଇସ୍ପାତ କାରଖାନାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିବ, ତାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ସେଥିରେ କୁହାଯାଇଛି ଯେ ଏବେ ପାରାଦୀପ ଓ ଏହାର ଆଖପାଖରେ ଯେତିକି କାରଖାନା ରହିଛି ଓ ସେଥିରୁ ଯେତିକି ବିଷାକ୍ତ ବାଷ୍ପ ନିର୍ଗତ ହେଉଛି ଜିନ୍ଦଲର ପ୍ରସ୍ତାବିତ ଇସ୍ପାତ କାରଖାନାରୁ ତାହାର ଦୁଇଗୁଣା ବିଷାକ୍ତ ବାଷ୍ପ ନିର୍ଗତ ହେବ ।
କିନ୍ତୁ ଏହି ରିପୋର୍ଟ ଉପରେ ନିଜର ମତ ଦେବାକୁ ଯାଇ ଜିନ୍ଦଲ କମ୍ପାନୀର ଜଣେ ପ୍ରତିନିଧି କହନ୍ତି ଯେ ‘ପରିବେଶ ଆକଳନ ବା ଇଆଇଏ ରିପୋର୍ଟ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଦିଶା ନିର୍ଦ୍ଧେଶ ଅନୁଯାୟୀ ଗୋଟିଏ ଋତୁର ତଥ୍ୟକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି । ସିଆରଇଏର କହିବା କଥା ଯେ ସାରାବର୍ଷର ତଥ୍ୟକୁ ଭିତ୍ତି କରି ରିପୋର୍ଟ ପ୍ରସ୍ତୁତ କରାଯାଉ । କିନ୍ତୁ ମନ୍ତ୍ରାଳୟର ଦିଶା ନିର୍ଦ୍ଧେଶ ରେ ସେପରି କିଛି କୁହାଯାଇ ନାହିଁ ।’ ଏହି ପ୍ରତିନିଧିଜଣକ ଏକଥା ମଧ୍ୟ କହିଛନ୍ତି ଯେ ପରିବେଶ ପ୍ରଭାବ ଆଳଳନ ରିପୋର୍ଟ ପ୍ରସ୍ତୁତ କଲାବେଳେ ସେଥିରେ ସ୍ୱାସ୍ଥ୍ୟ ବିଷୟକୁ ଭର୍ତ୍ତି କରାଯିବାର କୌଣସି ଆବଶ୍ୟକତା ନାହିଁ । ଏହି ରିପୋର୍ଟରେ ପାରାଦୀପ ଶିଳ୍ପାଂଚଳରେ ପରିବେଶ ଉପରେ ପ୍ରଭାବ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି ।
କିନ୍ତୁ ଶ୍ରୀ ସାମନ୍ତରାଙ୍କ କହିବା କଥା ଯେ କମ୍ପାନୀ ପକ୍ଷରୁ ଯେଉଁ ପରିବେଶ ଆକଳନ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ତାହା ଅବୈଜ୍ଞାନିକ ଢାଂଚାରେ ପ୍ରସ୍ତୁତ କରାଯାଇଛି । ଏହା ଆଦୌ ତଥ୍ୟ ଉପରେ ପର୍ଯ୍ୟବସିତ ନୁହେଁ । ସାମନ୍ତରାଙ୍କ ମତରେ ଜିନ୍ଦଲର ପ୍ରସ୍ତାବିତ କାରଖାନା ପୋସ୍କୋଠାରୁ ବହୁତ ବଡ଼ । ଜେଏସଡବ୍ଲ୍ୟୁର ଏଠାରେ ଗୋଟିଏ ନୁହେଁ , ଏକାଧିକ କାରଖାନା ସ୍ଥାପିତ ହେବାର ପ୍ରସ୍ତାବ ରହିଛି । ସେ ସମସ୍ତଙ୍କର ସମ୍ମିଳିତ ପ୍ରଭାବ ସମ୍ପର୍କରେ ଏଯାବତ୍ କୌଣସି ଆକଳନ କରାଯାଇ ନାହିଁ ।
ସାମନ୍ତରାଙ୍କ ମତରେ ଏହି ପ୍ରକଳ୍ପକୁ ନେଇ ଜାତୀୟ ଗ୍ରୀନ ଟ୍ରିବୁନାଲ ରେ ଆବେଦନ କରାଯିବାର ଅନେକ କାରଣ ରହିଛି । କେତେଜଣ କର୍ମୀ କହିଛନ୍ତି ଯେ ଜେଏସଡବ୍ଲ୍ୟୁକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଆପ୍ରେଜାଲ କମିଟି ପକ୍ଷରୁ ପରିବେଶ ଅନୁମୋଦନ ପ୍ରଦାନ କରାଗଲେ ସେମାନଙ୍କ ପକ୍ଷରୁ ଏହା ବିରୁଦ୍ଧରେ ଗ୍ରୀନ୍ ଟ୍ରିବୁନାଲରେ ଆବେଦନ କରାଯିବ ।
ମୂଳଲେଖା – ପ୍ରିୟରଞ୍ଜନ ସାହୁ
ଭାଷାନ୍ତର – ସୁରେନ୍ଦ୍ର ପାତ୍ର
Comments
0 comments