ଶାସକ ରାଜନୈତିକ ଦଳମାନେ ଯେ ରାଜ୍ୟର ବା ଦେଶର ଅସଲ ବିକାଶ ପାଇଁ ଖଣିଜ ପ୍ରକଳ୍ପ ବା ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆସୁଥିବା କମ୍ପାନୀମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ବା ପ୍ରୋତ୍ସାହିତ କରୁଛନ୍ତି; ଏଭଳି କଥାଟିକୁ ସହଜରେ ଗ୍ରହଣ କରିହେଉ ନାହିଁ । ଦିନକୁ ଦିନ ଆମ ଗଣତନ୍ତ୍ରଟି କେବଳ ନିର୍ବାଚନୀ ଗଣତନ୍ତ୍ରରେ ରୂପାନ୍ତରିତ ହୋଇଚାଲିଥିବା ଏବଂ ନିର୍ବାଚିତ ସରକାରମାନେ ନିଜର ସମସ୍ତ ସମୟକାଳ କେବଳ ଆଗାମୀ ନିର୍ବାଚନ ଜିତିବା ପାଇଁ କ୍ଷେତ୍ର ପ୍ରସ୍ତୁତି କରିବା କାମରେ ନିଜକୁ ନିୟୋଜିତ କରିବାଦ୍ୱାରା ସେଭଳି ଭରସା ହେଉ ନାହିଁ ଯେ ଏମାନେ ଜନଗଣଙ୍କର ଅସଲ ପ୍ରଗତି ଚାହୁଁଛନ୍ତି । ନିର୍ବାଚନ ପାଣ୍ଠି ସଂଗ୍ରହ ଶାସକ ଦଳମାନଙ୍କ ପାଇଁ ଏକ ପ୍ରମୁଖ କାର୍ଯ୍ୟ ହୋଇରହିଆସିଛି । ଉଦାରୀକରଣ ବା ସଂସ୍କାରଯୁଗ ଆରମ୍ଭ ହେବା ପରଠାରୁ ଖଣିଜ ଦ୍ରବ୍ୟରେ ଭରପୁର ଥିବା ରାଜ୍ୟଗୁଡ଼ିକରେ ଶାସକ ଦଳମାନଙ୍କ ପାଇଁ ଉଜ୍ୱଳ ସମ୍ଭାବନା ସୃଷ୍ଟି ହୋଇପାରିଛି । ଯେତେ ପୁଞ୍ଜିଲଗାଣ, ଶାସକ ଦଳପାଇଁ ସେତିକି ପାଣ୍ଠି ସଂଗ୍ରହ । ସଂଗୃହୀତ ଟଙ୍କାଗୁଡ଼ିକ କଳାଧଳା ବିତର୍କ ଭିତରେ ବି ରହିବାକୁ ପଡ଼ିବନି ଯେହେତୁ ସମଗ୍ର ପାଣ୍ଠିଟି ଅଦୃଶ୍ୟ ଏବଂ ଏ ବାବଦରେ କେବଳ ସର୍ବୋଚ୍ଚ କର୍ତ୍ତୃପକ୍ଷ ହିଁ ଜାଣିପାରିବେ । ସାଧାରଣ ଲୋକଙ୍କର ଜ୍ଞାନର ପରିସର ବାହାରେ ନିର୍ବାଚନ ପାଣ୍ଠି ସଂଗ୍ରହ କାମଟି ଭଲରେ ଚାଲିପାରିବ । ସାଧାରଣ ଲୋକ କେବଳ ଦେଖିବେ ଯେ ନିଜର ଶାସନମୁଖ୍ୟ କେତେ ନିର୍ମଳ ଯେକି ଭିଜିଲାନ୍ସ୍ ଦ୍ୱାରା ସାଧାରଣ ଲୋକଙ୍କଠୁ ୧୦୦ ବା ୫୦୦ଟଙ୍କା ଲାଂଚ ନେଉଥିବା ବେଳେ ଅମିନ, ପୋଲିସ ବା ଅନ୍ୟ କୌଣସି ଅତି ତଳିଆ କର୍ମଚାରୀଙ୍କୁ ଗିରଫ କରାଇ ପାରୁଛନ୍ତି । ଏଭଳି ଏକ ଭାବମୂର୍ତ୍ତି ଭିତରେ ବଡ଼ବଡ଼ ଖଣି କମ୍ପାନୀମାନଙ୍କଠାରୁ ନିର୍ବାଚନୀ ପାଣ୍ଠି ସଂଗ୍ରହ କାମଟି ବିନା ବାଧାରେ ଚାଲୁ ରଖାଯାଇପାରିବ ।
ଆଗରୁ ନିର୍ବାଚନ ପାଣ୍ଠି ସଂଗ୍ରହ ଯେତିକି ସହଜ ଥିଲା, ସମସ୍ତେ ଭାବିଥିଲେ ଯେ ନଭେମ୍ବର ୮,୨୦୧୬ର ବିମୁଦ୍ରାୟନ ଘୋଷଣା ପରେ ତାହା ଅଧିକ କଷ୍ଟକର ହେବ । ୨୦୧୭ରେ ହେବାକୁଥିବା ଉତ୍ତରପ୍ରଦେଶ ନିର୍ବାଚନରେ ବିରୋଧିମାନଙ୍କୁ ନିରସ୍ତ୍ର କରେଇବା ପାଇଁ ଭାଜପାର ଏହା ଏକ ବ୍ରହ୍ମାସ୍ତ୍ର ବୋଲି କୁହାଗଲା । ଏହି ଦଳ ମଧ୍ୟ ନିର୍ବାଚନ ବିପୁଳ ସଂଖ୍ୟାରେ ଜିତି ଏଭଳି ଏକ ମତାମତକୁ ବୈଧ ପ୍ରମାଣିତ କଲେ । ତେବେ ବିମୁଦ୍ରାୟନର ୨ମାସପରେ ପ୍ରଧାନମନ୍ତ୍ରୀ ମୋଦୀ ଭାଜପାର ଜାତୀୟ କାର୍ଯ୍ୟକାରିଣୀରେ ଉଦ୍ବୋଧନ ଦେଇ ରାଜନୈତିକ ଦଳମାନଙ୍କର ପାଣ୍ଠି ସଂଗ୍ରହ କାମରେ ଅଧିକ ସ୍ପଷ୍ଟତା ଆଣିବା ପାଇଁ ନିର୍ବାଚନୀ ସୁଧାର ପଦକ୍ଷେପ ଆଣିବାକୁ ସେ ଯାଉଛନ୍ତି ବୋଲି ସୂଚନାଟିଏ ଦେଇଥିଲେ । ଏଠି ସ୍ମରଣ କରାଯାଇପାରେ ଯେ କେବଳ ଭାରତୀୟ ଜନତାଦଳ ୨୦୧୬-୧୭ ବର୍ଷରେ ଅନ୍ୟ ପାଞ୍ଚଟି ଦଳ ତୁଳନାରେ ୯ଗୁଣା ଅଧିକା ଚାନ୍ଦା ସଂଗ୍ରହ କରିଥିଲେ । ବିଡ଼ମ୍ବନାର କଥା ଯେ ପ୍ରଧାନମନ୍ତ୍ରୀ ନିର୍ବାଚନ ସଂସ୍କାର ଚିଠା କିଛି ସଂସଦରେ ଆଣି ନଥିଲେ ବରଂ ରାଜନୈତିକ ଦଳମାନଙ୍କର ପାଣ୍ଠିକୁ ଅଧିକ ସ୍ୱଚ୍ଛକରିବା ନାଁରେ ପଛଦ୍ୱାର ଦେଇ ୨୦୧୭ ଫାଇନାସ୍ ବିଲ୍ ମାଧ୍ୟମରେ ନିଜର ପ୍ରସ୍ତାବଗୁଡ଼ିକୁ ଚତୁରତାର ସହିତ ନେଇ ଆସିଥିଲେ । ଭାରତୀୟ ରାଜନୈତିକ ଦଳମାନେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିପାରିବେ ନାହିଁ ବୋଲି ପୂର୍ବରୁ ଯେଉଁ ନିୟମ ଥିଲା, ତାକୁ ମୋଦୀ ସରକାର ସ୍ୱଚ୍ଛତା ନାଁରେ ଯେଉଁ ପରିବର୍ତ୍ତନ ଆଣିଲେ, ସେଥିରେ ଉଠାଇଦେବା ପାଇଁ ପ୍ରସ୍ତାବ ରଖିଲେ । ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ୧୯୭୬ (୨୦୧୦ରେ ସଂଶୋଧିତ) ଅନୁସାରେ ଗୋଟିଏ ରାଜନୈତିକ ଦଳ ବିଦେଶୀ ଅନୁଦାନ ଗ୍ରହଣ କରିବା ବେଆଇନ ଥିଲା । ଏଠି ସ୍ମରଣ କରାଯାଇ ପାରେ ଯେ ଓଡ଼ିଶା କ୍ୟାଡ଼ରର ଜଣେ ବରିଷ୍ଠ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରଣାଳୟର ସମ୍ପୃକ୍ତ ବିଭାଗର ଯୁଗ୍ମସଚିବ ଥଲାବେଳେ ଉଭୟ କଂଗ୍ରେସ ଓ ଭାଜପା ବିଦେଶୀ ଅନୁଦାନ ଗ୍ରହଣ କରିଥିବା ଦୃଷ୍ଟିରୁ କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତାହା ପରେ ତାଙ୍କୁ ସେହି ପଦବୀରୁ ହଟାଇ ଦିଆଯାଥିଲା । ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମାମଲା ଶୁଣାଣି କରି ୨୦୧୪ ମସିହାରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଉଭୟଦଳକୁ ଦୋଷୀ ସାବ୍ୟସ୍ତ କରିଥିଲେ । କୌତୁହଳର କଥା ଯେ ୨୦୧୭ରେ ଅର୍ଥ ବିଲ୍ ମାଧ୍ୟମରେ ମୋଦୀ ସରକାର ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ରାଜନୈତିକ ଦଳମାନଙ୍କ ପ୍ରତି ନିୟମର ଯେଉଁଭଳି କୋହଳ କରାଇଲେ ତାହା ପିଛିଲା ତାରିଖରୁ ଲାଗୁହେଲା । ଅର୍ଥାତ୍ ୧୯୭୬ ଠାରୁ ଏଯାବତ୍ ରାଜନୈତିକ ଦଳ ମାନେ ଯଦି କିଛି ବିଦେଶୀ ଅନୁଦାନ ଗ୍ରହଣ କରିଛନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ୨୦୧୪ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଏହି ସମ୍ପର୍କିତ ରାୟଟି ଆପଣାଛାଏଁ ଅକାମୀ ହୋଇଗଲା । ସରକାର ପୁଣି ଏକ ପରିବର୍ତ୍ତନ ଆଣି ବେନାମୀ ଅନୁଦାନର ପରିମାଣ ୨୦ହଜାର ଟଙ୍କାରୁ ୨ହଜାର ଟଙ୍କାକୁ ନେଇ ଆସିଲେ । କିନ୍ତୁ ୨ହଜାର ଟଙ୍କା କେତେ ଥର ଏବଂ ସର୍ବୋଚ୍ଚ କେତେ ପରିମାଣ ଯାଏଁ ଜଣେ ବେନାମୀ ଲୋକ ଦେଇପାରିବ, ତାହା ସ୍ପଷ୍ଟ କଲେ ନାହିଁ । ଫଳରେ କେବଳ ରାଜନୈତିକ ଦଳମାନଙ୍କର ହିସାବରକ୍ଷକ ମାନଙ୍କର କାମ ବଢ଼ିଲା କିନ୍ତୁ ସାଧାରଣ ଲୋକଙ୍କ ପାଇଁ କୌଣସି ସୁଯୋଗ ରହିଲାନି ଜାଣିବା ପାଇଁ କିଏ କେତେଟଙ୍କା କେଉଁ ଦଳକୁ ଦେଇଛି । ପୁଣି କମ୍ପାନୀମାନଙ୍କ ପାଇଁ ଯେଉଁ ସୀମାଟି ଥିଲା ନିଜ କମ୍ପାନୀର ଗତ ୩ବର୍ଷର ମୂଳ ଲାଭର କେବଳ ମାତ୍ର ୭.୫ପ୍ରତିଶତ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଇପାରିବେ; ମୋଦୀ ସରକାର ଏହି ନିୟମରେ ତାକୁ ଉଠାଇଦେଲେ । ଫଳରେ କମ୍ପାନୀମାନଙ୍କ ଉପରେ ଆଉ କୌଣସି ଲଗାମ ରହିଲା ନାହିଁ କିଏ କେତେ ଟଙ୍କା କୋଉ ଦଳକୁ ଦେବେ । ପରୋକ୍ଷ ଭାବେ ଶାସନରେ ଥିବା ବା ଶାସନକୁ ଫେରିବାର ସମ୍ଭାବନା ଥିବା ଦଳମାନେ ଏଭଳି ନିଷ୍ପତ୍ତି ଦ୍ୱାରା ଅଧିକ ଲାଭବାନ ହେଲେ । ମୋଦୀ ସରକାରଙ୍କର ଯେଉଁ ନିଷ୍ପତ୍ତିଟି ନିଜ ଦଳକୁ ବେଶି ସୁହାଇଲା ତାହା ହେଲା ନିର୍ବାଚନୀ ବଣ୍ଡ୍ ଯାହାକି ବ୍ୟାଙ୍କ ମାଧ୍ୟମରେ ବେନାମୀ ଚାନ୍ଦା ଗ୍ରହଣ କରିବାପାଇଁ ବାଟ ଖୋଲିଦେଲା । କେବଳ ଯେ ମୋଦୀ ସରକାର କାହିଁକି; ଏହି ୨୦୧୭ର ଅର୍ଥ ଆଇନ ଓଡ଼ିଶା ଭଳି ରାଜ୍ୟରେ ଶାସକ ବିଜୁ ଜନତା ଦଳପାଇଁ ମଧ୍ୟ ଅନୁରୂପ ସୁଯୋଗ ସୃଷ୍ଟି କରିଥିଲା । ୧୦୦୦ଟଙ୍କାରୁ ଆରମ୍ଭ କରି ୧କୋଟି ଟଙ୍କା ଯାଏଁ ନିର୍ବାଚନୀ ବଣ୍ଡ୍ କିଣିବା କେଉଁ ସାଧାରଣ ବେନାମୀ ଲୋକଟି ପାଇଁ ସହଜ ହୁଅନ୍ତା । ନିଶ୍ଚିତଭାବେ ଏଭଳି ପଦକ୍ଷେପ ଶାସକଦଳମାନଙ୍କୁ ଘରୋଇ କମ୍ପାନୀମାନଙ୍କଠାରୁ ବେଆଇନ ପାଣ୍ଠି ସଂଗ୍ରହ କରିବା କ୍ଷେତ୍ରରେ ଅଧିକ ଶକ୍ତିଶାଳୀ କରାଇଲା । ଗୋଟିଏ ଗଣତନ୍ତ୍ରରେ ଗଣମାନଙ୍କୁ ଭୋଟର ସଜାଇ ସେମାନଙ୍କ ଭୋଟକୁ କିଣିବାପାଇଁ ଏକ ପ୍ରକାର ନିର୍ଲଜ ପ୍ରତିଯୋଗିତା ଆରମ୍ଭ ହୋଇଗଲା । ସେହି ଦଳମାନଙ୍କର କ୍ଷମତାକୁ ଆସିବାର ସ୍ୱପ୍ନ ଅଧୁରା ରହିଗଲା ଯେଉଁମାନେ କମ୍ପାନୀମାନଙ୍କର ଅନୁଗ୍ରହ ପାଇପାରିଲେ ନାହିଁ ।
ସେଥିପାଇଁ ଯେତେବେଳେ ଗୋଟିଏ ଶାସକଦଳ ଆଇନସିଦ୍ଧ ହେଇଯାଇଥିବା ବେଆଇନ ଅର୍ଥ ସଂଗ୍ରହରେ ଅଧିକ ଆଗରେ ଥିବ ଏବଂ ଚିର ଅସହାୟତା ଭିତରେ ଥିବା ଲୋକଟିର ଭୋଟ ବା ଜନମତଟିକୁ କିଣିବା ବା ପ୍ରଭାବିତ କରିବା ସ୍ଥିତିରେ ଥିବ, ସେ ଢିଙ୍କିଆ ହେଉ ବା ମାଳିପର୍ବତ ଲୋକଙ୍କର ନ୍ୟାଯ୍ୟପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ପ୍ରତିରୋଧକୁ ସମ୍ମାନ ବା ଦେବ କାହିଁକି! ସେଥିପାଇଁ ବିକାଶକୁ ନେଇ ଚର୍ଚ୍ଚା ବା ଆଲୋଚନା କଲାବେଳେ ନିର୍ବାଚନୀ ପାଣ୍ଠି ଏବଂ ଏହାର ଶାସକ ଦଳର ଆଭିମୁଖ୍ୟ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ମଧ୍ୟ ଆମକୁ ଆଲୋଚନା କରିବାକୁ ପଡ଼ିବ ।
Photo Credit- https://bit.ly/37PkM2a
Comments
0 comments