ଢିଙ୍କିଆ ଏକ ନୂତନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରୁ!

୨୨ ଜୁନ୍ ,୨୦୦୫ ଦିନ ରାଜ୍ୟ ସରକାର ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ସହିତ ଏକ ବୁଝାମଣା ପତ୍ର ବହୁ ଆଡ଼ମ୍ବର ସହ ସ୍ୱାକ୍ଷର କରିଥିଲେ । ଉଚ୍ଚ ସ୍ୱରରେ ଘୋଷଣା କରାଗଲା ଯେ ୫୨ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା କେବଳ ଏହି ଗୋଟିଏ ପ୍ରକଳ୍ପ ମାଧ୍ୟମରେ ଦେଶ ତଥା ରାଜ୍ୟକୁ ଆସିବ । ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ସମେତ ତିନୋଟି ପଞ୍ଚାୟତରେ ଏକ ବୃହତ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରାଯିବ ଏବଂ ଏଥିପାଇଁ ଖଣ୍ଡାଧାର ପାହାଡ଼ରୁ ଲୁହାପଥର ଆସିବ ବୋଲି ପ୍ରସ୍ତାବ ରଖାଯାଇଥିଲା । କିଛି ଲୁହାପଥର ବି ପୋସ୍କୋ କମ୍ପାନୀ ବାହାରକୁ ରପ୍ତାନୀ କରିବାପାଇଁ ବ୍ୟବସ୍ଥା କରାଯାଇଥିଲା । ଜଟାଧାରୀ ମୁହାଣରେ ଏକ ବନ୍ଦର ଏବଂ ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଥିଲା । ବୁଝାମଣା ପତ୍ର ସ୍ୱାକ୍ଷର ହେବାର ସାତ ଦିନ ପରେ କମ୍ରେଡ଼ ରାଜେନ୍ଦ୍ର ଷଡ଼ଙ୍ଗୀ (୧୯୬୦-୨୦୦୮)ଙ୍କ ନେତୃତ୍ୱରେ ଗୋଟିଏ ଦଳ ଢିଙ୍କିଆ ଚାରିଦେଶ ଗସ୍ତ କରିଥିଲେ । ତାଙ୍କ ସହ ସେହି ଅଂଚଳକୁ ଜାଣିଥିବା ସାଥି ପ୍ରଶାନ୍ତ ପାଇକରାୟ ମଧ୍ୟ ଥିଲେ । ଗାନ୍ଧିବାଦୀ ଡଃ ବିଶ୍ୱଜିତ୍ ରାୟ ଓ ଅନ୍ୟାନ୍ୟ ସାଥିଙ୍କ ଉଦ୍ୟମରେ ପାଟଣାଠାରେ ଏକ ଜନସମାବେଶ ମଧ୍ୟ ହୋଇଥିଲା । ସେତେବେଳକୁ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନିର୍ମାଣ ମଧ୍ୟ ହୋଇନଥିଲା । ନବନିର୍ମାଣ ସମିତିର ସାଥି ଶ୍ରୀ ଅକ୍ଷୟ ଏବଂ ଅନ୍ୟ ସଦସ୍ୟମାନେ ୧୯୯୯ ମହାବାତ୍ୟା ପରଠାରୁ ସେ ଅଞ୍ଚଳରେ ସକ୍ରିୟ ରହିଥିବା ଦୃଷ୍ଟିରୁ ନୂଆଗାଁ ସମେତ କେତେକ ଅଞ୍ଚଳରେ ସେମାନେ ମଧ୍ୟ ଜନଗଣଙ୍କ ସହ ଏହି ପୋସ୍କୋପ୍ରକଳ୍ପ ସେଠାକୁ ଆସିବା କଥାକୁ ନେଇ ଆଲୋଚନା ଏବଂ ପ୍ରତିରୋଧାତ୍ମକ କାର୍ଯ୍ୟକ୍ରମମାନ ଆରମ୍ଭ କରିଦେଇଥିଲେ । ସବୁଥିରୁ ଜଣାପଡ଼ୁଥିଲା ଯେ ସେଠାକାର ଧାନ-ପାନ-ମୀନର ସବୁଜ ଅର୍ଥନୀତି ଉପରେ ସବୁଦିନ ପାଇଁ ନିର୍ଭର କରିଆସୁଥିବା ଜନଗଣ ସେଠାରେ ଏକ ଇସ୍ପାତ କାରଖାନା ଚାହୁଁନାହାନ୍ତି । ସାଥି ଅଭୟ ସାହୁଙ୍କ ନେତୃତ୍ୱରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଗଠନ ହେବା ପରେ ଗଣପ୍ରତିରୋଧଟି ଅଧିକ ସଙ୍ଗଠିତ ହୋଇପାରିଥିଲା । ମନୋରମା ଖଟୁଆଙ୍କ ଭଳି ଯୁବ କର୍ମୀମାନଙ୍କ ଉଦ୍ୟମରେ ମହିଳା ଓ ପିଲାମାନଙ୍କର ଯୋଗଦାନ ଅଭୂତପୂର୍ବ ଥିଲା । ଆନେ୍ଦାଳନର ନେତୃତ୍ୱ ତୁହାକୁ ତୁହା ଗିରଫ ହେବା, ଶହଶହ ଲୋକମାନଙ୍କ ନାଁରେ ମିଛମକଦ୍ଦମା ରୁଜୁ ହେବା ଓ ଅନେକଙ୍କୁ ଗିରଫ କରାଯିବା, ପୋଲିସ ଏବଂ ଶାସକଦଳର ଗୁଣ୍ଡାମାନଙ୍କ ଦ୍ୱାରା ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯିବା, ଢିଙ୍କିଆ ପଞ୍ଚାୟତ ଭିତରକୁ ସବୁ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଣ ବନ୍ଦ କରାଇବା ଏବଂ ଜୀବନ ରକ୍ଷାପାଇଁ ବାହାରକୁ ଗଲାବେଳେ ରୋଗୀ ଏବଂ ସେମାନଙ୍କର ଆତ୍ମୀୟମାନଙ୍କୁ ଗିରଫ କରିବା ଇତ୍ୟାଦି ୭-୮ବର୍ଷ ଧରି ନିୟମିତ ଚାଲିଥିଲା । ସେ ଭିତରେ କିଛିଲୋକ ମୃତ୍ୟୁ ବରଣ ମଧ୍ୟ କରିଥିଲେ । ବେଳେବେଳେ ଲୋକଙ୍କ ଚାପରେ କିଛି ଉଚ୍ଚସ୍ତରୀୟ କମିଟି ମଧ୍ୟ ସେହି ଅଞ୍ଚଳ ଗସ୍ତ କରି ନିଜର ମତ ରଖିଥିଲେ । ଉପକୂଳର ଅତିଦୁର୍ବଳ ପରିବେଶୀୟ ପରିସ୍ଥିତି ଯୋଗୁଁ ସେଠାରେ ଏତେ ବଡ଼ ଇସ୍ପାତ କାରଖାନା କରାଯିବା ଉଚିତ୍ ନୁହଁ ବୋଲି ମଧ୍ୟ ବିଭିନ୍ନ ମହଲରେ ପ୍ରତିକ୍ରିୟା ଆସିଥିଲା । ସଂପୃକ୍ତ ଅଞ୍ଚଳରେ ଜଙ୍ଗଲଜମି ଥିବା ଯୋଗୁଁ ଜଙ୍ଗଲ ଅଧିକାର ଆଇନ-୨୦୦୬ ମୁତାବକ ଲୋକଙ୍କର ଅଧିକାରକୁ ସ୍ୱୀକୃତି ନଦେଇ ସେଠି ଅନ୍ୟ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ମଧ୍ୟ ଏକ ବଳିଷ୍ଠ ମତ ଆସିଥିଲା । କମ୍ପାନୀ କରିଥିବା ପରିବେଶ ଆକଳନ ରିପୋର୍ଟ ଦୋଷତୃଟିରେ ଭରପୁର ରହିଥିବା କଥାକୁ ନେଇ ପରିବେଶ କର୍ମୀ ଓ ସାମାଜିକ କର୍ମୀମାନେ ବାରମ୍ବାର ପ୍ରସଙ୍ଗର ଉତ୍ଥାପନ କରିଥିଲେ । କେନ୍ଦ୍ରରେ ଥିବା ତକ୍ରାଳୀନ କଂଗ୍ରେସ ସରକାର ନିଜ ଆଭିମୁଖ୍ୟରେ କିଛି ବି ପରିବର୍ତ୍ତନ ଆଣିନଥିଲେ ଯଦିଓ ସ୍ଥାନୀୟସ୍ତରରେ ଏହି ଦଳର ନେତା ଊମେଶ ସ୍ୱାଇଁ ଲୋକଙ୍କ ସ୍ୱର ସହ ସ୍ୱର ମିଳାଉଥିଲେ । ଉଦାରୀକରଣ ପରବର୍ତ୍ତୀ ପର୍ଯ୍ୟାୟରେ ଖଣିଜ କ୍ଷେତ୍ର ଘରୋଇ କମ୍ପାନୀମାନଙ୍କ ପାଇଁ ଉନ୍ମୁକ୍ତ ହେବା ପରେ ସବୁଠାରୁ ଅଧିକ ଲାଭବାନ ହୋଇଥିବା ନବୀନ ସରକାର ଲୋକଙ୍କର ପ୍ରତିବାଦ ବା ପ୍ରତିରୋଧକୁ ସେତେବେଳେ ମଧ୍ୟ ଭୃକ୍ଷେପ କରିନଥିଲେ । ମାନବ ଅଧିକାର ଉଲ୍ଲଂଘନକୁ ନେଇ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚାପ ସୃଷ୍ଟି ହେବା, ପୋସ୍କୋ କମ୍ପାନୀରେ ପୁଞ୍ଜି ବିନିଯୋଗ କରିଥିବା ପେନସନ ପାଣ୍ଠିଗୁଡ଼ିକ ସେଥିରୁ ଅବ୍ୟାହତ ନେବା, ଅନ୍ତଃରାଷ୍ଟ୍ରୀୟ ଇସ୍ପାତ ବଜାରରେ ମାନ୍ଦାସ୍ଥିତି ଆସିବା ଏବଂ ସ୍ଥାନୀୟ ସ୍ତରରେ ଜନପ୍ରତିରୋଧ ଅବ୍ୟାହତ ରହିଥିବା ଦୃଷ୍ଟିରୁ ପୋସ୍କୋକମ୍ପାନୀ ଏହି ପ୍ରକଳ୍ପକୁ ନେଇ ଆଗେଇ ପାରିନଥିଲା । ବାର୍ଷିକ ୧୨ନିୟୁତ ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରଖି ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ସହ କମ୍ପାନୀ ଯେଉଁ ବୁଝାମଣା ସ୍ୱାକ୍ଷର କରିଥିଲା, ସେଥିରୁ ସେମାନେ ଓହରି ଯାଉଛନ୍ତି ବୋଲି ସରକାରଙ୍କୁ ବିଧିବଦ୍ଧ ଭାବେ ମାର୍ଚ୍ଚ ୨୦୧୭ରେ ଜଣାଇ ଦେଇଥିଲେ । ଅନେକ ମିଛ ମକଦ୍ଦମାରେ ଛନ୍ଦି ହୋଇଯାଇଥିବା ସେହି ଅଞ୍ଚଳର ବାସିନ୍ଦାମାନଙ୍କ ମଧ୍ୟରେ ଏକପ୍ରକାର ଆଶା ସୃଷ୍ଟି ହୋଇଥିଲା ଯେ ସେମାନେ ନିଜର ଜୀବନ ଜୀବିକାକୁ ସୁରକ୍ଷିତ ରଖିପାରିବେ । ପୋସ୍କୋ ପାଇଁ ଅଧିଗ୍ରହଣ କରାଯାଇଥିବା ପ୍ରାୟ ୨୭୦୦ଏକର ଜମି ଓଡ଼ିଶା ସରକାରଙ୍କର ଜମିଦଲାଲ୍ ଇଡ଼କୋ କମ୍ପାନୀ ଲୋକମାନଙ୍କୁ ଫେରେଇ ଦେବବୋଲି ସେମାନେ ଆଶା ବାନ୍ଧି ବସିଥିଲେ । ୨୦୧୩ରେ ପାରିତ ହୋଇଥିବା ସଂଶୋଧିତ ଜମି ଅଧିଗ୍ରହଣ ଆଇନ (ଲାରା) ଲୋକଙ୍କ ମନରେ କିଛି ଉତ୍ସାହ ସୃଷ୍ଟି କରିଥିଲା । ବଳପ୍ରୟୋଗ କରି ଭାଙ୍ଗି ଦିଆଯାଇଥିବା ପାନବରଜଗୁଡ଼ିକୁ ପୁଣି ଥରେ ଠିଆକରାଇବା ଏବଂ ବେଆଇନଭାବେ ହଜାର ହଜାର ଗଛ କଟାଯାଇଥିବା ସ୍ଥାନରେ ପୁଣିଥରେ ସବୁଜିମା ସୃଷ୍ଟି କରିବା ପାଇଁ ଲୋକେ ତତ୍ପର ହୋଇପଡ଼ିଥିଲେ । କିନ୍ତୁ ସେମାନଙ୍କର ଆଶା ଓ ଖୁସି ବେଶିଦିନ ତିଷ୍ଠି ରହିପାରିଲା ନାହିଁ । ଓଡ଼ିଶା ସରକାର ସାଜନ ଜିନ୍ଦଲଙ୍କର ଜିନ୍ଦଲ ଷ୍ଟିଲ୍ ୱାର୍କ୍ସ (J.S.W)କୁ ଆମନ୍ତ୍ରଣ କରିଥିଲେ ପୋସ୍କୋ ଛାଡ଼ି ଚାଲି ଯାଇଥିବା ଅଞ୍ଚଳରେ ଅନୁରୂପ ଇସ୍ପାତ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ । ତାପରେ ପୁଣିଥରେ ସମ୍ପୃକ୍ତ ଅଞ୍ଚଳ ଅଶାନ୍ତ ହୋଇପଡ଼ିଛି ।

ଓଡ଼ିଶା ସରକାରଙ୍କଠାରୁ ଆମନ୍ତ୍ରଣ ପାଇଯିବା ପରେ ପରେ ଏହି କମ୍ପାନୀ ଆକ୍ରମଣାତ୍ମକ ଭାବେ ନିଜର କାମ ଆରମ୍ଭ କରିଦେଇଛନ୍ତି । କମ୍ପାନୀ ଏଯାଏଁ ଖଣିପାଇଁ ଅନୁମତି ପତ୍ର ପାଇଥିବା କଥା ଜଣାପଡ଼ି ନାହିଁ । ନିଜେ ପଇସା ଖର୍ଚ୍ଚକରି ତିଆରି କରିଥିବା ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଅନେକ ଦୋଷତୃଟି ରହିଛି ଏବଂ ତାକୁ ନେଇ ପରିବେଶବିତ୍ ମାନେ ମଧ୍ୟ ନିଜର ସ୍ପଷ୍ଟ ଭିନ୍ନମତ ରଖି ଆସିଛନ୍ତି । ଲୋକଙ୍କ ପାଖରେ କୌଣସି ସ୍ପଷ୍ଟ ଚିତ୍ର ନରଖି ସଶସ୍ତ୍ର ବାହିନୀ ଏବଂ କମ୍ପାନୀ ଗୁଣ୍ଡାମାନଙ୍କର ଉପସ୍ଥିତିରେ ଜନଶୁଣାଣୀ କରାଯିବା କଥା ଓଡ଼ିଶାରେ ଯେମିତି ଏକ ଗ୍ରହଣୀୟ ପରମ୍ପରା ହୋଇଯାଇଛି । ଜିନ୍ଦଲ ବା ସେଥିରୁ ବାଦ୍ ପଡ଼ନ୍ତା କିପରି! ତେବେ ଲୋକଙ୍କର ହୃଦବୋଧ ହେଲାଭଳି କୌଣସି କାଗଜପତ୍ର ନଥାଇ ଏବଂ ସେମାନଙ୍କର ମତାମତକୁ ଭୃକ୍ଷେପ ନକରି ଏହି କମ୍ପାନିର କାର୍ଯ୍ୟକୁ ଆଗକୁ ନେବାପାଇଁ ପୋଲିସ ଓ ପ୍ରଶାସନ ଯେତିକି ଅନୈତିକ ଏବଂ ଅସାମ୍ବିଧାନିକ କାର୍ଯ୍ୟଗୁଡ଼ିକ କରୁଛନ୍ତି ବୋଲି ଅଭିଯୋଗ ହୋଇଆସିଛି, ତାକୁ ଗୁରୁତ୍ୱର ସହ ନିଆଯିବା ଉଚିତ୍ । ଟଙ୍କା ନାଁରେ କେତୋଟି କାଗଜ ଫୋପାଡ଼ି ଦେଇ ନିଜ ଝାଳ ରକ୍ତ ଲଗାଇ ପୁଣିଥରେ ଲୋକେ ଠିଆ କରାଇଥିବା ପାନବରଜଗୁଡ଼ିକୁ ବଳପୂର୍ବକ ଭାଙ୍ଗି ଦେବା ଲୋକଙ୍କୁ ବ୍ୟଥିତ କରିଦେଇଛି । ଦୀର୍ଘ ଏକମାସ ଧରି ଲୋକେ ଏଭଳି କାର୍ଯ୍ୟକୁ ବିରୋଧ କରିବା ପାଇଁ ବଳ ସଂଗ୍ରହ କରିଚାଲିଛନ୍ତି ଯେହେତୁ ସେମାନଙ୍କର କୌଣସି ଆବେଦନକୁ ପ୍ରଶାସନ ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନୁହଁନ୍ତି । ସେମାନଙ୍କ ପାଇଁ ଯେଉଁ ସମ୍ବେଦନଶୀଳ ନାଗରିକମାନେ ବାହାରକୁ ଆସି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି, ତାହାର ମଧ୍ୟ କିଛି ଫଳ ମିଳୁନାହିଁ । ସମଗ୍ର ଅଞ୍ଚଳଟିକୁ ଏକ ମୁକ୍ତାଆକାଶ ବନ୍ଦୀଶାଳା ଭଳି କରିଦିଆଯାଇଛି । ସେହି ଅଞ୍ଚଳକୁ ବାହାରୁ କିଏ ପ୍ରବେଶ କରିବା ଏବଂ ସଂପୃକ୍ତ ଅଞ୍ଚଳରୁ ବାହାରକୁ ଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଯେହେତୁ ରାଜ୍ୟରେ ଉଗ୍ର ଶିଳ୍ପୀକରଣର କାର୍ଯ୍ୟକ୍ରମଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ବୁଝୁଛନ୍ତି, ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ନିଜକୁ ଅଧିକ ଶକ୍ତିଶାଳୀ ମନେକରି ଜନବିରୋଧି କାର୍ଯ୍ୟାନୁଷ୍ଠାନ ମାନ ନେଉଛନ୍ତି । ନିକଟରେ ଲୋକଙ୍କ ଉପରେ ଯେଉଁଭଳି ଭାବେ ନିର୍ଯାତନା କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ଜାନୁଆରୀ ୧୨,୨୦୨୨ ଦିନ ବାହାରୁ ଲୋକ ନେଇ ଓଡ଼ିଶା ସରକାରଙ୍କର ଇଡ଼୍କୋ କମ୍ପାନୀ ସମ୍ପୃକ୍ତ ଅଞ୍ଚଳରେ ଏକ ପାଚେରୀ ନିର୍ମାଣ କାମ ଆରମ୍ଭ କରିଥିଲା ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଜାନୁଆରୀ୧୪,୨୦୨୨ ଦିନ ଢିଙ୍କିଆ ଗ୍ରାମବାସୀମାନେ ପୁଲିସ ନିର୍ଯାତନାରେ ଅତିଷ୍ଠହୋଇ ତୁରନ୍ତ ସଶସ୍ତ୍ରବାହିନୀ ପ୍ରତ୍ୟାହାର ଏବଂ ପାନବରଜ ଗୁଡ଼ିକୁ ବଳପୂର୍ବକ ଭଙ୍ଗାଯାଉଥିବା କାର୍ଯ୍ୟରୁ ନିବୃତ୍ତତ୍ତ ରହିବାକୁ ଦାବିକରି ଏକ ଶୋଭାଯାତ୍ରା ବାହାର କରିଥିଲେ । ଏହି ଶୋଭାଯାତ୍ରା ଉପରେ ପୁଲିସ ବାହିନୀ ତରଫରୁ ଅତର୍କିତ ଆକ୍ରମଣ ହେବା ଯୋଗୁଁ ଅନେକ ଗ୍ରାମବାସୀ ଗୁରୁତରଭାବେ ଆହତ ହୋଇଥିଲେ , ସେମାନଙ୍କ ଭିତରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି । କିଛି ଗୁରୁତର ଲୋକଙ୍କୁ ବାହାର ଡାକ୍ତରଖାନାକୁ ନିଆଯାଇଛି । ସେ ଭିତରେ ଆନ୍ଦୋଳନ କୁ ନେତୃତ୍ୱ ଦେଉଥିବା ଶ୍ରୀ ଦେବେନ୍ଦ୍ର ସ୍ୱାଇଁ ଏବଂ ମୁରଲିଧର ସାହୁ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ଲୋକଙ୍କ ଅବସ୍ଥା ବୁଝିବାକୁ ଯାଇଥିବା ସାମାଜିକ କର୍ମୀ ଶ୍ରୀ ନରେନ୍ଦ୍ର ମହାନ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଥିପୂର୍ବରୁ ଅନେକ ବାର ସେହି ଅଞ୍ଚଳ ଗ୍ରାମବାସୀମାନଙ୍କୁ ବିଭିନ୍ନ ଦଫାଲଗାଇ ଗିରଫ କରାଯାଇଛି ବା ସେମାନଙ୍କୁ ଆତଙ୍କ ଭିତରେ ରଖାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଆସିଛନ୍ତି । ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏବଂ ଲୋକଙ୍କ ଦୁର୍ଦ୍ଦିନରେ ସେମାନଙ୍କ ସହ ଛିଡ଼ାହେବା ପାଇଁ ସଂଯୁକ୍ତ କିଶାନମୋର୍ଚ୍ଚାର ଏକ ପ୍ରତିନିଧିଦଳ ସେହି ଅଞ୍ଚଳ ଗସ୍ତ କରିବା ପାଇଁ ଜାନୁଆରୀ ୧୫, ୨୦୨୨ ଦିନ ଗଲାବେଳେ ସେମାନଙ୍କୁ ରାସ୍ତାରେ ପୋଲିସ ପ୍ରୋତ୍ସାହନରେ ଗୁଣ୍ଡାମାନେ ପ୍ରବଳ ବିରୋଧକରି ଫେରାଇ ଦେଇଥିଲେ ବୋଲି ବିଶିଷ୍ଟ ପରିବେଶବିତ୍ତ୍ ଶ୍ରୀ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । ଏଥିପୂର୍ବରୁ ସଂଯୁକ୍ତ କିଶାନମୋର୍ଚ୍ଚାର ଜାନୁଆରୀ ୧୪,୨୦୨୨ ଦିନ ଲୋହିଆ ଏକାଡେମୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗସ୍ତ ସମ୍ପର୍କରେ ସରକାର ଓ ଜନଗଣଙ୍କୁ ଅବଗତ କରାଯାଇଥିଲା । ମୋର୍ଚ୍ଚା ତରଫରୁ ଦାବି କରାଯାଇଥିଲା ଯେ ପୁଲିସର ନିର୍ମମ ଲାଠି ଚାଳନାର ତଦନ୍ତ ଉଚ୍ଚନ୍ୟାୟାଳୟର ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳଦ୍ୱାରା କରାଯାଉ । ସେମାନେ ମଧ୍ୟ ଢିଙ୍କିଆ ଚାରିଦେଶରୁ ପୋଲିସ ବଳକୁ ହଟାଇବା ଏବଂ ବଳପ୍ରୟୋଗ କରି ପାନବରଜକୁ ଭାଙ୍ଗିବା କାମକୁ ବନ୍ଦକରିବା ପାଇଁ ଆହ୍ୱାନ ଦେଇଥିଲେ । ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ମହାନ୍ତି ଏବଂ ଅନ୍ୟମାନଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ପାଇଁ ଦାବି କରିଥିଲେ । ସଂଯୁକ୍ତ କିଶାନ ମୋର୍ଚ୍ଚାର ମୁଖ୍ୟ ଆହ୍ୱାନ ଥିଲା ଯେ ଜୀବିକା ବିପନ୍ନକାରୀ ଏବଂ ପରିବେଶ ଧ୍ୱଂସକାରୀ ତଥାକଥିତ ଶିଳ୍ପକୁ ବନ୍ଦ କରାଯାଉ । ପୋଲିସ ନିର୍ଯାତନା ବଢ଼ିଚାଲିଥିବା ଯୋଗୁଁ ଏହି ସବୁ ଦାବିନେଇ ଜାନୁଆରୀ ୨୦,୨୦୨୨ ଦିନ ରାଜ୍ୟବ୍ୟାପି ଢିଙ୍କିଆ ସଂହତି ଦିବସ ପାଳନ କରିବା ପାଇଁ ସଂଯୁକ୍ତ କିଶାନ ମୋର୍ଚ୍ଚା, ଓଡ଼ିଶା ତରଫରୁ ଆହ୍ୱାନ ଦିଆଯାଇଛି । ସେହିଭଳି ୧୩ଟି ବିରୋଧି ରାଜନୈତିକ ଦଳ ଯଥା- ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ୍, ସିପିଆଇ ଏମ୍ଏଲ(ଲିବରେଶନ), ଅଲ୍ଇଣ୍ଡିଆ ଫରୱାର୍ଡ ବ୍ଲକ୍, ସିପିଆଇ ଏମ୍ଏଲ(ରେଡଷ୍ଟାର), ସିପିଆଇ ଏମ.ଏଲ (ନିଉ ଡେମୋକ୍ରେସି),ସିପିଆଇ(ଏମ.ଏଲ),ସମାଜବାଦୀ ପାର୍ଟି, ଆମ୍ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଭାରତର ରିପବ୍ଲିକାନ ପାର୍ଟି ଇତ୍ୟାଦି ଏକାଠି ହୋଇ ସଂଯୁକ୍ତ କିଶାନ ମୋର୍ଚ୍ଚାର ଢିଙ୍କିଆ ପ୍ରସଙ୍ଗକୁ ନେଇ କରାଯାଇଥିବା ଘୋଷଣା ଓ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇଛନ୍ତି ।

ଓଡ଼ିଶାରେ କେବଳ ଢିଙ୍କିଆ ବା କୋରାପୁଟର ମାଳିପର୍ବତ ନୁହଁ, ଏମିତିକି ସୁନ୍ଦରଗଡ଼ ଅଞ୍ଚଳରେ ଉଗ୍ରଭାବେ ଚାଲିଥିବା ଖଣିଜପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ପ୍ରାକୃତିକ ସମ୍ବଳ ଓ ଜନଗଣଙ୍କ ଜୀବନ ଜୀବିକାକୁ କେଉଁଭଳି ଭାବେ ବିପନ୍ନ କରୁଛନ୍ତି ଏବଂ ଗୋଟିଏ ନିର୍ବାଚିତ ସାମ୍ବିଧାନିକ ସରକାର କିଭଳି ନିଜେ ଜନଗଣଙ୍କୁ ବଳି ଦେଇ ଲାଭଖୋର କମ୍ପାନୀମାନଙ୍କର ଲାଭ ବଢ଼ାଇବା କାର୍ଯ୍ୟକ୍ରମରେ ନିର୍ଲଜ ଭାବେ ସାମିଲ ହେଉଛନ୍ତି, ସେ ସମ୍ପର୍କରେ ଚର୍ଚ୍ଚା ବା ବିତର୍କ ହେଉ ନାହିଁ । ସେହି ଦୃଷ୍ଟିରୁ ସଂଯୁକ୍ତ କିଶାନ ମୋର୍ଚ୍ଚା ଏଭଳି ଏକ ପ୍ରସଙ୍ଗରେ ଆଗକୁ ଆସିବା ଏବଂ ଢିଙ୍କିଆର ଧାନ ଚାଷୀ, ପାନ ଚାଷୀ ଓ ମୀନ ଚାଷୀଙ୍କ ସହ ଦୃଢ଼ଭାବେ ଠିଆହେବା ଏହି ମୋର୍ଚ୍ଚାର ନେତୃତ୍ୱର ରାଜନୈତିକ ପରିପକ୍ୱତାକୁ ପ୍ରତିଫଳନ କରିବା ସହ ଆଗାମୀ ଦିନରେ ଓଡ଼ିଶାରେ କେଉଁ ପ୍ରକାର ବିକାଶ ଦରକାର; ତାକୁ ନେଇ ଏକ ବ୍ୟାପକ ଏବଂ ଗୁଣାତ୍ମକ ବିତର୍କ ସୃଷ୍ଟି କରିବ ବୋଲି ଆଶା କରାଯାଇପାରେ । ଏହି କଥା ତଥାକଥିତ ବିକାଶ ଆଗ୍ରହୀମାନେ ମନେରଖିବା ଉଚିତ୍ ଯେ କୌଣସି କାରଖାନା ଆମକୁ ଚାଉଳ ବା ଗହମ ତିଆରି କରି ଦେଇପାରିବ ନାହିଁ । ପ୍ରାକୃତିକ ସମ୍ବଳ ତଥା ନଦୀ, ଜଙ୍ଗଲ, ପର୍ବତ ଓ ଜୀବଜଗତ ନ ରହିଲେ ମଣିଷ ଏକୁଟିଆ ବି ତିଷ୍ଠି ରହିପାରିବ ନାହିଁ । ଯେତେବେଳେ ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ଉଗ୍ରରୂପ ନେଇ ସାରିଲାଣି ବୋଲି ସବୁ ସ୍ତରରେ ଚିନ୍ତାବ୍ୟକ୍ତ କରାଯାଉଛି ଏବଂ ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଉଦ୍ୟମ ଗୁଡ଼ିକ ମଧ୍ୟ ସାମ୍ନାକୁ ଆସିଲାଣି, ଏହିପରି ଏକ ସମୟରେ ଜଳବାୟୁ ପରିବର୍ତ୍ତନକୁ ଅଧିକ ତ୍ୱରାନ୍ୱିତ କରୁଥିବା ପ୍ରକଳ୍ପଗୁଡ଼ିକୁ ବିନା ବିଚାରରେ ଆଗକୁ ନେବା ଏବଂ ଏଥିପାଇଁ ସମସ୍ତ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଭ୍ରୂକ୍ଷେପ ନକରି ସ୍ଥାନୀୟ ନାଗରିକମାନଙ୍କର ଭଲରେ ବଞ୍ଚିରହିବାର ଅଧିକାରକୁ ହନନ କରିବା ତଥା ଏକ ଚିରସବୁଜ ଅର୍ଥନୀତିକୁ ଜାଣିଶୁଣି ବିପର୍ଯ୍ୟସ୍ତ କରାଇବା କାର୍ଯ୍ୟଗୁଡ଼ିକୁ ଜନଗଣଙ୍କ ସାମ୍ନାରେ ସ୍ପଷ୍ଟଭାବେ ଉନ୍ମୋଚିତ କରାଯିବା ଦରକାର । ସଂଯୁକ୍ତ କିଶାନମୋର୍ଚ୍ଚା, ଓଡ଼ିଶା ଏବଂ ଢିଙ୍କିଆ ପ୍ରସଙ୍ଗରେ ଏକାଠି ହୋଇଥିବା ୧୩ଟି ବିରୋଧି ଦଳ କେବଳ ଏତିକିରେ ଅଟକି ନଯାଇ ସମଗ୍ର ରାଜ୍ୟରେ ଏହି ବିତର୍କ ଓ ବିଚାରକୁ ବ୍ୟାପକ କରାଇବାରେ ସାହାଯ୍ୟ କରିବ ବୋଲି ଆଶା!

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.