ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣର ବିଶ୍ୱବ୍ୟାପୀ ପ୍ରକ୍ରିୟା ମଧ୍ୟରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ପାର୍ଥକ୍ୟ ତୀବ୍ର ହେବାରେ ଲାଗିଛି । ବିଶ୍ୱର ବିଭିନ୍ନ ଶିଳ୍ପୋନ୍ନତ ରାଷ୍ଟ୍ର ସେମାନଙ୍କ ଅର୍ଥନୈତିକ ମାୟାଜାଲ ନାନା ଭାବେ ବିଛାଇ ଚାଲିଛନ୍ତି । ବିଶ୍ୱର ଅର୍ଥନୈତିକ ପୁନର୍ଗଠନ ନିମନ୍ତେ ଯେଉଁ ଯେଉଁ ଆନ୍ତର୍ଜାତିକ ସଂସ୍ଥାମାନ ଗଠିତ ହୋଇଛି ସେଗୁଡ଼ିକ ମୁଖ୍ୟତଃ ଧନଶାଳୀ ରାଷ୍ଟ୍ରର ସ୍ୱାର୍ଥରକ୍ଷା କରିବାରେ ସହାୟକ ହୋଇଛି ।
ପ୍ରାକୃତିକ ସମ୍ବଳ ବହୁଳ ତୃତୀୟ ବିଶ୍ୱ ଉପରେ ନିରଙ୍କୁଶ ମାଲିକାନା ଜାହିର କରି ବାର୍ଷିକ ଶହ ଶହ କୋଟି ଡଲାର ମୂଲ୍ୟର ବ୍ୟବସାୟ କରିବା ଲାଗି ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଆଗେଇ ଆସିଛନ୍ତି । ସମ୍ପ୍ରତି ଦେଶର ଚାଲିଥିବା ଅର୍ଥନୈତିକ ପ୍ରକ୍ରିୟା ଯେ ଭାରତକୁ ମେକ୍ସିକୋ, ବ୍ରାଜିଲ ବା ଆର୍ଜେଣ୍ଟିନା ଅବସ୍ଥାକୁ ନ ପହଞ୍ଚାଇବ ଏହା କିଏ କହିବ?
ଦାରିଦ୍ର୍ୟ ଓ ଅସମାନତାର କ୍ରମାଗତ ବୃଦ୍ଧି
ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ବୃଦ୍ଧି ପାଇଛି ଏବଂ ଦେଶର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ବୋଲି ଡିଣ୍ଡିମ ପିଟାଯାଉଥିବା ସତ୍ତ୍ୱେ ବାସ୍ତବରେ ଦେଶର ଆର୍ଥିକ ଅବସ୍ଥାର ଚିତ୍ର ସେତେ ଭଲ ନୁହେଁ । ଯେଉଁ ୫ଭାଗ ଜନତାଙ୍କ ହାତରେ ଦେଶର ୬୦ଭାଗ ସମ୍ପତ୍ତି ରହିଛି ସେମାନଙ୍କ ପୁଞ୍ଜିର ପରିମାଣ ପ୍ରତି ମିନିଟରେ ବଢ଼ୁଥିବା ବେଳେ ଦେଶରେ ଦରିଦ୍ର ଓ ବେକାରୀମାନଙ୍କ ସଂଖ୍ୟା ୪୨ ପ୍ରତିଶତ ବେଗରେ ବୃଦ୍ଧି ପାଉଛି । ନବଜାତ ଶିଶୁ ମୁଣ୍ଡରେ ୨୫ହଜାର ଟଙ୍କାର ପ୍ରାଥମିକ ଋଣବୋଝ ସୃଷ୍ଟି ହୋଇଥିବା ଦେଶରେ ପ୍ରତି ୧୦୦ଜଣରେ ୪୬ ଜଣ ଦୈନିକ ସୁଷମ ଖାଦ୍ୟ ପାଇପାରୁନଥିବା ବେଳେ ପ୍ରତି ୧୦୦ ଜଣରେ ୭୪ଜଣ ଏପରିକି ସ୍ୱଚ୍ଛ ପାନୀୟ ଜଳରୁ ବଞ୍ଚôତ ହେଉଛନ୍ତି । ଅର୍ଥନୀତିର ବିଭାଜନ ପ୍ରକ୍ରିୟାରେ ଧନୀକବର୍ଗଙ୍କ ହାତରେ ଅର୍ଥନୈତିକ ଚାବିକାଠି ଏହି ପାର୍ଥକ୍ୟକୁ ଅଧିକ ଦୃଢ଼ୀଭୂତ କରୁଛି । ସାମାଜିକ ସଂଘାତମଧ୍ୟରେ ଶ୍ରେଣୀ ସଂଗ୍ରାମ ମୁଣ୍ଡଟେକିବା ବଦଳରେ ଜାତିବାଦ, ବର୍ଣ୍ଣବାଦ, ଧର୍ମବାଦର କଠୋର ଭୂମିକା ପ୍ରତ୍ୟେକ ପ୍ରଗତିଶୀଳ ଆନେ୍ଦାଳନର ଗତିରୋଧ କରୁଛି । ଭାରତରେ ଯଦିଓ ସ୍ୱାଧୀନତା ପାଇଁ ଥରେ ଲଢ଼େଇ ହୋଇଛି, ଅର୍ଥନୈତିକ ସ୍ୱାଧୀନତା ପାଇଁ କେବେ ବି ସଂଗ୍ରାମ ହୋଇନାହିଁ । ରାଜନୈତିକ ସ୍ୱାର୍ଥରେ ଏହାର ନୀରବ ଶୋଭାଯାତ୍ରା ହିଁ ଚାଲିଛି ।
ଦାରିଦ୍ର୍ୟର ରୂପ ଅତ୍ୟନ୍ତ ଭୟଙ୍କର । ଦାରିଦ୍ର୍ୟ ସମ୍ପନ୍ନ ଅର୍ଥନୀତି କୌଣସି ରାଷ୍ଟ୍ରର ପ୍ରଗତିକୁ ସ୍ୱୀକାର କରେ ନାହିଁ ବା ଯୁବଗୋଷ୍ଠୀକୁ ବଳଶାଳୀ ଭୂମିକାରେ ଅବତୀର୍ଣ୍ଣ କରେନାହିଁ । ଭାରତ ପରି ଏକ ସୁଧନ୍ୟ ପ୍ରାକୃତିକ ସମ୍ପଦ ବହୁଳ ରାଷ୍ଟ୍ରରେ ବେକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ମୂଳରେ ରାଜନୈତିକ ଇଛାଶକ୍ତିର ଅଭାବ ହିଁ ପ୍ରାଥମିକ କାରଣ । ଆର୍ଥିକ ବ୍ୟୟବରାଦର ସୁଷମ ପରିଚାଳନାର ଅଭାବ କ୍ଷେତ୍ରରେ ଦୁର୍ନୀତି ଓ ପ୍ରିୟାପ୍ରୀତି ଯୋଗୁଁ ୬୦ଭାଗ ଅର୍ଥ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ଲାଗିପାରେ ନାହିଁ । ପ୍ରାୟ ୫୬ ଭାଗ ମହିଳା ଗର୍ଭଧାରଣ ସମୟରେ ସୁଷମ ଖାଦ୍ୟ ପାଉନଥିବାରୁ ସେମାନଙ୍କ ଜନ୍ମିତ ଶିଶୁଙ୍କ ମଧ୍ୟରୁ ୮୫ଭାଗ ଶିଶୁ ମାନସିକ ସ୍ତରରେ ଓ ଶାରୀରିକ ସ୍ତରରେ ଶକ୍ତିଶାଳୀ ହୋଇନଥାନ୍ତି । ରୋଗର ଶିକାର ହେବା, ସ୍ମରଣହୀନତାର ବଶବର୍ତ୍ତୀ ହେବା, କମ୍ ଓଜନଧାରୀ ହେବା ଇତ୍ୟାଦି ପରିଲକ୍ଷିତ ହୋଇଥାଏ । ଫଳରେ ସେମାନଙ୍କ ଏହି ଅବସ୍ଥା ଯୋଗୁଁ ଦେଶର ଅଭିବୃଦ୍ଧି ହାର ଚରମ ବାଧାପ୍ରାପ୍ତ ହୁଏ ଏବଂ ଭାରତ ପରି ଏକ ତୃତୀୟ ବିଶ୍ୱରାଷ୍ଟ୍ର ଗୋଷ୍ଠୀରାଷ୍ଟ୍ରରେ ବାର୍ଷିକ ୧୫ହଜାର କୋଟି ଟଙ୍କା କ୍ଷତି ଘଟିବା ପରି ହତପ୍ରଭ ଅବସ୍ଥା ମଧ୍ୟ ସୃଷ୍ଟିହୁଏ । ଦାରିଦ୍ର୍ୟର ଉପହାର କି ଭୟଙ୍କର ସତେ ।
ପ୍ରକୃତିର ବୈଚିତ୍ର୍ୟ ଓ ନବ ଔପନିବେଶବାଦ
ବିଶ୍ୱବିଜୟୀ ସମ୍ରାଟ ଆଲେକଜାଣ୍ଡାର ମୃତୁ୍ୟ ବେଳକୁ କାନ୍ଦି ଶୋଚନା କରିଥିଲେ ଯେ ପୃଥିବୀର ଆଉ କୌଣସି ଅଞ୍ଚଳକୁ ଦଖଲ କରିବାକୁ ବାକିନାହିଁ । ମାତ୍ର ବାସ୍ତବରେ ସେ ପୃଥିବୀର ଅର୍ଦ୍ଧାଧିକ ଅଞ୍ଚଳ ଦଖଲ କରିପାରି ନଥିଲେ । ତେବେ ପ୍ରାଚୀନ ଭାରତର କିଛି ଅଞ୍ଚଳ ଜୟ କରି ସେ ଫେରିବାକୁ ବାଧ୍ୟ ହୋଇଥିଲେ । ସେଥିପାଇଁ ପ୍ରକୃତି ତାଙ୍କୁ ସହଯୋଗ କରିନଥିଲା ଏବଂ ପ୍ରତିକୂଳ ପରିବେଶ ତାଙ୍କୁ ଅଧାରୁ ହଟିବାକୁ ବାଧ୍ୟ କରିଥିଲା । ସେହିପରି ପୃଥିବୀର ଇତିହାସ ପ୍ରକୃତି ଦ୍ୱାରା ନିୟନ୍ତ୍ରିତ ଏବଂ ପ୍ରାକୃତିକ ପରିବେଶ ହିଁ ପୃଥବୀର ରାଜନୈତିକ ଚିତ୍ରପଟ୍ଟ ତିଆରି କରିଛି ।
ପୃଥିବୀର ୮ଟି ଦେଶରେ ଗତ ୨୦୦୪ ମସିହାରେ ଘଟିଥିବା ପ୍ରଳୟଙ୍କର ସୁନାମୀ ଏହାର ଏକ ଉଦାହରଣ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା -ସହାୟତା ଆଳରେ ପ୍ରଚୁର ଅର୍ଥ ବ୍ୟୟ କରିବା ଏବଂ ସହାୟତା ନାମରେ ଔପନିବେଶ ସୃଷ୍ଟିକରିବା ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଏକ ଅଭିନବ ଚକ୍ରାନ୍ତ । ଭାରତର ସୁନାମୀ କ୍ଷତିଗ୍ରସ୍ତ ଅଞ୍ଚଳରେ ଆମେରିକାର ଲୋଲୁପ ଦୃଷ୍ଟି ଏହାର ଏକ ଉଦାହରଣ । ସମଗ୍ର ସମୁଦ୍ର ଉପକୂଳ ଅଞ୍ଚଳରେ ହୋଟେଲ ଶିଳ୍ପ ନିର୍ମାଣରେ ନିଜ ଦେଶର କମ୍ପାନୀଗୁଡ଼ିକୁ ସୁଯୋଗ ଦେବା ପରି ପ୍ରକ୍ରିୟା ପରିଲକ୍ଷିତ ହୋଇଛି । ଯେତେ କୋଟି ଡଲାର ସହାୟତା ଦିଆଯାଉଛି ତାହାର ପାଞ୍ଚଗୁଣ ଆଦାୟ ଲକ୍ଷ୍ୟ ମଧ୍ୟ ଆମେରିକା ରଖିଛି । କେବଳ ସୁନାମୀ ନୁହେଁ, ଇରାକ ଆକ୍ରମଣ କରିବାପରେ ଆକ୍ରମଣ ବେଳେ ଯେତିକି ଖର୍ଚ୍ଚ କରାଯାଇଥିଲା, ତାହାର ଅନେକଗୁଣ ଲାଭ ବାହାର କରାଯାଉଛି ଇରାକ ପୁନର୍ଗଠନ ନାମରେ ମାର୍କିନ କମ୍ପାନୀଗୁଡ଼ିକୁ ଠିକା ଦେଇ ଏବଂ ତୈଳ ଉପରେ ମାଲିକାନା ଜାହିର କରି । ଇରାକରେ ଯଦି ତୈଳସମ୍ପଦ ନଥାନ୍ତା ତେବେ ଆମେରିକା ଆକ୍ରମଣ କରିନଥାନ୍ତା । ଭାରତର ଖାଉଟି ସଭ୍ୟତାର ଯାକଜମକତା ଯଦି ନଥାନ୍ତା, ତେବେ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଏ ଦେଶକୁ କୋଟି କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିନଥାନ୍ତେ ବା ଭାରତରେ ପୁଞ୍ଜି ବିନିଯୋଗ କରିନଥାନ୍ତେ । ଏଣୁ ଇତିହାସ ପ୍ରମାଣ କରିଛି ଯେ ତୃତୀୟ ବିଶ୍ୱରାଷ୍ଟ୍ରର ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟତା ହିଁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଶୋଷଣକୁ ବଳଶାଳୀ କରୁଛି ଏବଂ ପ୍ରତିଯୋଗିତାମୂଳକ ଔପନିବେଶବାଦ କ୍ଷେତ୍ରରେ ଭାରସାମ୍ୟ ହ୍ରାସ କରୁଛି ।
ତୃତୀୟ ବିଶ୍ୱ ଉପରେ ବିପଦ
‘ଗ୍ୟାଟ’ ରାଜିନାମା ପରଠାରୁ ପୃଥବୀର ବିଭିନ୍ନ ସ୍ଥାନରେ ବସିଥିବା ବିଶ୍ୱବାଣିଜ୍ୟ ସଙ୍ଗଠନର ବୈଠକଗୁଡ଼ିକ ମୁଖ୍ୟତଃ ତୃତୀୟ ବିଶ୍ୱ ରାଷ୍ଟ୍ରଗୋଷ୍ଠୀ ତଥା ଏସୀୟ ରାଷ୍ଟ୍ର ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ଉପରେ ନୂଆ ନୂଆ ବାଣିଜ୍ୟ ରାଜିନାମା ଲଦିଦେବା ଉଦେ୍ଦଶ୍ୟରେ ବସୁଛି । ବିଶେଷ କରି ଗରିବ ରାଷ୍ଟ୍ରଗୁଡ଼ିକରେ ଅପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ଥିବାରୁ ଏହି ସମ୍ପଦଗୁଡ଼ିକ ଉପରେ ଆମେରିକା ସମେତ ବିଭିନ୍ନ ଧନଶାଳୀ ରାଷ୍ଟ୍ରର ନଜର ରହିଛି । ତଥାକଥିତ ଆଇନଗତ ଭାବେ ଏହି ସମ୍ପଦର ଏକଛତ୍ର ଅଧିକାରୀ ହେବା ପାଇଁ ହିଁ ବିଶ୍ୱବାଣିଜ୍ୟ ସଙ୍ଗଠନ ଗଠନ କରାଯାଇଥିଲା । ଉରୁଗୁଏ ପର୍ଯ୍ୟାୟ କଥାବାର୍ତ୍ତାରେ ପ୍ରଥମ ଥର ପାଇଁ ବୌଦ୍ଧିକ ସମ୍ପଦଗତ ଅଧିକାର (Intellectual Property Rights) ଏବଂ ବାଣିଜ୍ୟ ସଂକ୍ରାନ୍ତ ସମ୍ପଦଗତ ଅଧିକାର (Trade Related Intellectual Property Rights – TRIPS) ସମ୍ପର୍କରେ କଥାବାର୍ତ୍ତା ଆରମ୍ଭ କରାଗଲା । ଜ୍ଞାନକୁ ସମ୍ପଦର ଆଧାର ହିସାବରେ ପ୍ରଥମଥର ପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଜରିଆରେ ଚୁକ୍ତିରେ ସ୍ୱାକ୍ଷର କରି ପ୍ରତ୍ୟେକ ରାଷ୍ଟ୍ର ଯେପରି ଟି୍ରପସ ରାଜିନାମାକୁ କାର୍ଯ୍ୟକାରୀ କରିବେ, ସେଥିପ୍ରତି ଚାଲାକି କରାଗଲା । ଏହାର ଫଳସ୍ୱରୂପ ପୃଥବୀର ଅନେକ ରାଷ୍ଟ୍ର ନିଜ ନିଜ ଦେଶର ପ୍ୟାଟେଣ୍ଟ ଆଇନକୁ ସଂଶୋଧନ କରିବାକୁ ବାଧ୍ୟ ହେଲେ । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିଲା ନାହିଁ ଏବଂ ଖୋଦ ୟୁପିଏ ସରକାର ଅମଳରେ ୧୯୭୦ ପ୍ୟାଟେଣ୍ଟ ଆଇନକୁ ସଂଶୋଧନ କରିଦିଆଗଲା । ଯାହା ଫଳରେ ଯେକୌଣସି ପ୍ରକାର ବୌଦ୍ଧିକ ସମ୍ପଦଗତ ଅଧିକାର ଧନୀରାଷ୍ଟ୍ର ତଥା ବହୁରାଷ୍ଟ୍ରୀୟ ପୁଞ୍ଜିପତିମାନଙ୍କ ହାତକୁ ଚାଲିଯିବାର କ୍ଷେତ୍ର ପ୍ରସ୍ତୁତ ହେଲା । ୧୯୭୦ ମୂଳ ପ୍ୟାଟେଣ୍ଟ ଆଇନ (Indian Patent Act – 1970) ରେ ପ୍ରକ୍ରିୟାର ପ୍ୟାଟେଣ୍ଟ ବିଷୟ ଉଲ୍ଲେଖ ଥିଲା ଯାହାକୁ Process Patent କୁହାଯାଏ । ପ୍ରକ୍ରିୟା ପ୍ୟାଟେଣ୍ଟ ଅର୍ଥ କୌଣସି ଏକ ନୂତନ ସାମଗ୍ରୀ ବାହାର କରିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକ୍ରିୟା । ଏହାକୁ ଯେ କେହି ନେଇପାରୁଥିଲେ । ଏହି ଆଇନରେ ଉତ୍ପାଦ (Product) ଉପରେ ପ୍ୟାଟେଣ୍ଟ କରାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ ଥିଲା । ମାତ୍ର ସମ୍ପ୍ରତି ଉତ୍ପାଦ ଉପରେ ପ୍ୟାଟେଣ୍ଟ ହାସଲ କରାଯିବାର ବ୍ୟବସ୍ଥା ହୋଇଯିବାରୁ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ଅପର୍ଯ୍ୟାପ୍ତ ସୁଯୋଗ ମିଳିଯାଇଛି । ଅର୍ଥାତ ଧରାଯାଉ ଜାମୁକୋଳିରୁ ଡାଏବେଟିସ ରୋଗର ନିରାକରଣ ନିମନ୍ତେ ପଦାର୍ଥ ମିଳିଥାଏ । ମାତ୍ର ଉତ୍ପାଦ ଉପରେ ଗୋଟିଏ କମ୍ପାନୀ ମାଲିକାନା ହାସଲ କରିବାରୁ ଏହି ଜାମୁକୋଳିକୁ ଆଉ କେହି ବ୍ୟକ୍ତିଗତ ଭାବେ ବା କମ୍ପାନୀଭାବେ ବ୍ୟବହାର କରିପାରିବେ ନାହିଁ ।
ଅତୀତରେ ଏହି ପ୍ରକ୍ରିୟାକୁ ଆମେରିକାର ରାଇସ୍ଟେକ କମ୍ପାନୀ ଭାରତର ବାସମତି ଚାଉଳ ଉପରେ ପ୍ୟାଟେଣ୍ଟ ହାସଲ କରି ଏହାକୁ ଟେକସାମତି, ଜସମତି ଓ ବାସମତି ନାମରେ ପୃଥବୀରେ ବିକ୍ରୟ କରିଥିଲା । ସେହିପରି କଲରା, ଜାମୁକୋଳି, ହଳଦୀର ବିଭିନ୍ନ ଔଷଧୀୟ ଗୁଣ ଉପରେ ଆମେରିକୀୟ କମ୍ପାନୀମାନେ ପ୍ୟାଟେଣ୍ଟ ଅଧିକାର ହାସଲ କରିଥିଲେ । ଆମେରିକୀୟ ପ୍ୟାଟେଣ୍ଟ କୋର୍ଟରେ ଯଦିଓ ହଳଦୀ ପ୍ରସଙ୍ଗରେ ଭାରତ ଲଢ଼ି ବିଜୟୀ ହୋଇଛି ତଥାପି ସଂସଦରେ ୧୯୭୦ ପ୍ୟାଟେଣ୍ଟ ଆଇନର ସଂଶୋଧନ ଉପରେ ଭାରତର ଚିର ପରାଜୟ ହିଁ ଘଟିଛି । ବାୟୋ-ଟେକ୍ନୋଲଜି ନାମରେ ମନ୍ସାଣ୍ଟୋ, ଡୁ୍ୟପଣ୍ଟ ପ୍ରଭୃତି ବହୁରାଷ୍ଟ୍ରୀୟ କମ୍ପାନୀ ନିଜର ପକ୍ଷ ସାରା ପୃଥିବୀରେ ବିସ୍ତାର କରିଛନ୍ତି ଏବଂ ଏଥିରୁ ମୁକ୍ତିପାଇବା ଭାରତ ସମେତ ଅନେକ ରାଷ୍ଟ୍ରପକ୍ଷେ ଅସମ୍ଭବ ହୋଇପଡ଼ିଛି । ପୃଥିବୀର ଶସ୍ୟବଜାରର ୩୫ଭାଗ ଦଖଲ କରିଥିବା ମନ୍ସାଣ୍ଟୋ ଏବେ ଭାରତର ଏକଚାଟିଆ ଶସ୍ୟ ଯୋଗାଣକାରୀ । ଜେନେଟିକ୍ ମଡିଫାଏଡ୍ ପ୍ରକ୍ରିୟା ଜରିଆରେ ବିଷ ଶସ୍ୟ ଯୋଗାଉଥିବା ମନ୍ସାଣ୍ଟୋର ବାସ୍ତବ ଚିତ୍ର ବଡ଼ ଭୟଙ୍କର ।
ଭାରତର ଗତି ଆର୍ଜେଣ୍ଟିନା ଆଡ଼କୁ – ଏକଦା ରୂପା ସାମ୍ରାଜ୍ୟର ମାଲିକାନା ବୋଲାଉଥିବା ଆର୍ଜେଣ୍ଟିନା ଏବେ ନାନା ସଙ୍କଟରେ ଜର୍ଜରିତ । ବିପୁଳ ପ୍ରାକୃତିକ ସମ୍ବଳ ଥାଇ ମଧ୍ୟ ସେହି ଦେଶରେ ସଙ୍କଟ ଗୁରୁଗମ୍ଭୀର ଅବସ୍ଥାରେ ପହଞ୍ଚôଛି । ବିଶ୍ୱଗ୍ରାମ ବା ଗ୍ଲୋବାଲ ଭିଲେଜ୍ର ଦ୍ୱାହି ଦେଇ ଶିଳ୍ପୋନ୍ନତ ରାଷ୍ଟ୍ର ଆରମ୍ଭ କରିଥିବା ଜଗତୀକରଣ ପ୍ରକ୍ରିୟାକୁ ଆଗେଇ ନେବାରେ ଯେଉଁ କେତେକ ରାଷ୍ଟ୍ର ଆଗଭର ଥିଲେ ସେମାନଙ୍କ ମଧ୍ୟରେ ଆର୍ଜେଣ୍ଟିନା ଅନ୍ୟତମ । ଧନଶାଳୀ ଆର୍ଜେଣ୍ଟିନା ଯେପରି ମାତ୍ର ୧୦ବର୍ଷ ମଧ୍ୟରେ ଏକ ଭିକ୍ଷୁକ ରାଷ୍ଟ୍ରରେ ପରିଣତ ହେଲା; ତାହାକୁ ବେଳେ ବେଳେ ଗ୍ରୀକ୍ ଟ୍ରାଜେଡ଼ି ମଧ୍ୟ କୁହାଯାଉଛି । ଫ୍ରାନ୍ସ ପରି ଏକ ଧନଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ର ସହ ଏକଦା ତୁଳନା କରାଯାଇଥିବା ଆର୍ଜେଣ୍ଟିନା ଲାଟିନ ଆମେରିକାର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର । ୧୯୯୯ରେ ଭାରତର ମୁଣ୍ଡପିଛା ଆୟ ୨୨୪୮ ଡଲାର ଥିବାବେଳେ ଆର୍ଜେଣ୍ଟିନାର ମୁଣ୍ଡପିଛା ଆୟ ହାର ଥିଲା ୧୨୨୪୮ ଡଲାର । ଖଣିଜ, ପେଟ୍ରୋଲିୟମ ସାମଗ୍ରୀ, ରୂପା, ହୀରା ଇତ୍ୟାଦିରେ ଭରପୂର ରାଷ୍ଟ୍ର ଆର୍ଜେଣ୍ଟିନା ଏହି ଘନ ବିପଦର ଶିକାର ହେଲା କିପରି?
୧୯୭୦ ବେଳକୁ ଆର୍ଜେଣ୍ଟିନାର ସାମରିକ ଶାସକ ଦେଶରୁ ପ୍ରଚୁର ସମ୍ପଦ ନେଇ ବିଦେଶୀ ବ୍ୟାଙ୍କରେ ଗଚ୍ଛିତ କରିଥିବା ବେଳେ ୧୯୭୮ରୁ ୧୯୮୩ ମଧ୍ୟରେ ଥିବା ଜେନରାଲ ଭିଡେଲା ବିନା କାରଣରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ଅନ୍ୟାନ୍ୟ ସୂତ୍ରରୁ ୪୩୦୦କୋଟି ଡଲାର ଋଣ କରିଥିଲେ । ମୁଖ୍ୟତଃ ଏହି ଅର୍ଥ ଆମେରିକାର ବିଭିନ୍ନ ବ୍ୟାଙ୍କରେ ଜମା କରାଯାଇଥିଲା । ଆର୍ଜେଣ୍ଟିନାର ସେଣ୍ଟ୍ରାଲ ବ୍ୟାଙ୍କ୍ରେ ଏହି ଟଙ୍କା ଜମା ହୋଇଥିବା ବେଳେ ଏହା ସ୍ୱତଃସ୍ଫୂର୍ତ୍ତ ଭାବେ କେତେକ ଆମେରିକୀୟ ବ୍ୟାଙ୍କ୍ ନିକଟକୁ ଚାଲିଯାଇଥିଲା । ଏହି ବିପୁଳ ପରିମାଣ ଋଣ ଯୋଗୁ ୧୯୮୯ ବେଳକୁ ଆର୍ଜେଣ୍ଟିନାର ମୁଦ୍ରାସ୍ଫୀତି ହାର ୨୦୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୧୯୯୧ରେ କାର୍ଲୋସ ମେନେମ ରାଷ୍ଟ୍ରପତି ହେବା ପରେ ସେ ଆମେରିକାର ସଖୀ କଣ୍ଢେଇ ସରକାର ହେଲେ ଏବଂ ବିଶ୍ୱବ୍ୟାଙ୍କ ପ୍ରଦର୍ଶିତ ନୀତି ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କଲେ । ଡଲାର ତୁଳନାରେ ଆର୍ଜେଣ୍ଟାଇନ୍ ମୁଦ୍ରା ପୋସୋର ଅବମୂଲ୍ୟାୟନ ହେତୁ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲା ଏବଂ ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଗଲା । ଆର୍ଜେଣ୍ଟିନାର ଅବସ୍ଥା ଯେ ଭାରତ ଭୋଗ କରିବାକୁ ଯାଉଛି, ଏହା ସ୍ପଷ୍ଟ ହେଲାଣି । ରାଷ୍ଟ୍ର ବିକାଶ, ସହରାଞ୍ଚଳ ବିକାଶ ନାମରେ ବିଶ୍ୱବ୍ୟାଙ୍କ ଯେତିକି ଆର୍ଥିକ ସହାୟତା (!) ଦେଉଛି; ତାହାର ସୁଧ ଯଥେଷ୍ଟ ଅଧିକ ହାରରେ ନେଉଛି । ଦିନ ଆସିବ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବିନା କୌଣସି ଗୋଟିଏ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ । ସମ୍ପ୍ରତି ଦେଖାଯାଉଥିବା ବୈଦେଶିକ ଋଣ, ଆଭ୍ୟନ୍ତରୀଣ ଋଣକ୍ଷେତ୍ରରେ ଭାରତର ଅବସ୍ଥା ଯେ ଆର୍ଜେଣ୍ଟିନା ଓ ବ୍ରାଜିଲ ପରି ନହେବ ଏକଥା କିଏ କହିବ । ସ୍ୱାଧୀନ ଦେଶରେ ସାର୍ବଭୌମ ଅର୍ଥନୀତିକୁ ଦଳି ଦେଇ ଏହି ଧରଣର ଆର୍ଥିକ ନୀତି ଭାରତକୁ ଆଗାମୀ ଦିନରେ ଅନ୍ଧାର ଭିତରକୁ ହିଁ ଟାଣିନେବ ।
Photo Credit- https://bit.ly/36Jue6N
Comments
0 comments