ବନ୍ୟା, ବାତ୍ୟା ଓ ଅଦିନିଆ ବର୍ଷା ଏସନ ଚାଷୀମାନଙ୍କ କଙ୍କାଳ ଭାଙ୍ଗି ସାରିଲାଣି । ଭାଗଚାଷୀମାନଙ୍କ କଥା ପୁଣି କହିଲେ ନସରେ । ଭାଗଚାଷୀମାନେ ଚାଷରେ କେତେ ଖର୍ଚ୍ଚକଲେ, କେତେ ଅମଳ କଲେ, ଆଉ କେତେ ଜମିମାଲିକଙ୍କୁ ଦେବେ, ତହିରୁ କେତେ ସେମାନେ ଲାଭ ପାଇବେ- ଏହି ହିସାବ ସେମାନଙ୍କୁ ନୟାନ୍ତ କରିସାରିଲାଣି । ଅସଲରେ କହିବାକୁ ଗଲେ ଓଡ଼ିଶାରେ ଚାଷଚାଲିଛି କେବଳ ଏହି ଭାଗଚାଷୀମାନଙ୍କ ଦ୍ୱାରା । ଭୂଦାନ ଆନେ୍ଦାଳନ ସମୟରେ ବିନୋବାଭାବେ କହିଥିଲେ- “ଯେଉଁମାନଙ୍କ ପାଖରେ ଜମିରହିଛି, ସେମାନେ ଚାଷକରୁ ନାହାନ୍ତି, ଓ ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କ ପାଖରେ ଜମି ନାହିଁ- ଏହିବ୍ୟବସ୍ଥାକୁ ଯେକୌଣସି ସମାଜ ପକ୍ଷରେ ଏକ ଅବ୍ୟବସ୍ଥା ବୋଲି କୁହାଯାଇ ପାରିବ ।” ରାଜ୍ୟରେ ଭାଗଚାଷୀମାନଙ୍କ ସଂଖ୍ୟା କେତେ; ଏପର୍ଯ୍ୟନ୍ତ ସରକାରଙ୍କ ପାଖରେ ତାହାର ଏକ ଅବିକଳ ଆକଳନ ନାହିଁ ।
ଯାହାପାଖରେ ଜମି ଅଛି, ସେମାନେ ଅଧିକାଂଶରେ ଚାଷୀ ନୁହଁନ୍ତି । ଆଉ ଯେଉଁମାନେ ପ୍ରକୃତଚାଷୀ, ସେମାନଙ୍କ ଭିତରୁ ଅଧିକାଂଶଙ୍କର ନିଜର ଜମି ନାହିଁ । ଜମି ନଥିବା ଚାଷୀ ବିଶେଷ କରି ଜମିମାଲିକର ଜମିରେ ଭାଗଚାଷ କରୁଛନ୍ତି ବା ଦିନ ମଜୁରିଆ ଭାବେ ଚାଷ କରୁଛନ୍ତି । ଧୋଇ-ମରୁଡିରେ ଏମାନେ ଚାଷରେ କ୍ଷତି ସହିଲେ ସରକାର ଦେଉଥିବା ସ୍ୱଳ୍ପ ସହଯୋଗରୁ କିଞ୍ଚିତ୍ ମଧ୍ୟ ପାଆନ୍ତି ନାହିଁ । ଚାଷକରିବା ପାଇଁ ସେମାନେ ବ୍ୟାଙ୍କରୁ ଋଣ ମଧ୍ୟ ନେଇ ପାରନ୍ତି ନାହିଁ । ଏହି ଅବ୍ୟବସ୍ଥାକୁ ଦୂର କରିବା ପାଇଁ ଭାରତରେ ଓ ଆମରାଜ୍ୟ ଓଡ଼ିଶାରେ ବହୁ ଭୂସଂସ୍କାର ଆଇନ କାର୍ଯ୍ୟକାରୀ କରାଯାଇଛି, ତଥାପି ଅବ୍ୟବସ୍ଥାର ସୁଧାର ଆସି ନାହିଁ ।
ଭାରତ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ପ୍ରଥମ ଆଇନ ଭାଗଚାଷୀ ସମସ୍ୟାକୁ ଦୂରକରି ସେମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ୧୯୪୮ ମସିହାରେ “ଓଡ଼ିଶା ଟେନାଣ୍ଟ ପ୍ରୋଟେକ୍ସନ୍ ଆକ୍ଟ’ ଅଣାଯାଇଥିଲା, ଯାହାକି ଭାଗଚାଷୀଙ୍କୁ କିଛିମାତ୍ରାରେ ସୁରକ୍ଷା ପ୍ରଦାନ କରିବାରେ ସକ୍ଷମ ହେବ ବୋଲି କୁହାଯାଉ ଥିଲା । ଏହି ଆଇନ ଅନୁଯାୟୀ ଯେଉଁ ଜମିମାଲିକର ତେତିଶ ଏକରରୁ ଅଧିକ ଜମି ଥିବ ଓ ସେହି ଜମିମାଲିକର ଜମି ଅନ୍ୟ ଚାଷୀଦ୍ୱାରା ଭାଗଚାଷରେ ବା ଲିଜ୍ରେ ଚାଷ କରାଯାଉଥିବ, ତେବେ ଭାଗଚାଷୀକୁ ବଳକା ଜମିରୁ ଉଚ୍ଛେଦ କରାଯାଇ ପାରିବ ନାହିଁ । କିନ୍ତୁ ଅଧିକାଂଶ ଜମିମାଲିକ ଭାଗଚାଷୀମାନଙ୍କୁ ନିଜଜମିରେ ଦିନ ମଜୁରିଆର ପରିଚୟ ଦେଇ ଆଇନକୁ ଟାଳିବାରେ ସଫଳହେଲେ । ଏହି ଆଇନ ମଧ୍ୟ ସାମାଜିକ ବ୍ୟବସ୍ଥାକୁ ବଦଳାଇବାରେ ସକ୍ଷମ ହୋଇ ପାରିଲା ନାହିଁ ।
ଇତିହାସ ଯାହାକହେ, ପ୍ରାଚୀନ ଯୁଗରେ ଜମି କାହାର ବ୍ୟକ୍ତିଗତ ସମ୍ପତ୍ତି ହୋଇ ନଥିଲା । ତାହା ଥିଲା ଗୋଷ୍ଠୀଗତ ସମ୍ପତ୍ତି । ଗୁପ୍ତଙ୍କ ପରବର୍ତ୍ତୀ ଯୁଗରେ କାତ୍ୟାୟନ ମୁନି ହିଁ ସମ୍ଭବତଃ ପ୍ରଥମେ କହିଥିଲେ ଯେ ସମଗ୍ର ଜମି (ଭୂଖଣ୍ଡ) ଉପରେ କେବଳ ରାଜାଙ୍କର ହିଁ ଅଧିକାର ଅଛି । ପ୍ରଜାମାନେ ନିଜଜମିର ଉତ୍ପାଦନରୁ ଏକ ଚତୁର୍ଥାଂଶ ରାଜାଙ୍କୁ ଦେଉଥିଲେ । ପରବର୍ତ୍ତୀ ସମୟରେ ରାଜସ୍ୱ ଆଦାୟ କରିବାର ସୁବିଧାକୁ ଦୃଷ୍ଟିରେ ରଖି ଅଂଚଳର କିଛି ମୁଖିଆଲୋକଙ୍କ ଦାୟିତ୍ୱରେ କିଛିକିଛି ଅଂଚଳ ଦିଆଗଲା- ଯାହାକୁ କି ଜମିଦାରୀ ବୋଲି କୁହାଗଲା । ଜମିଦାରୀ ବ୍ୟବସ୍ଥାରେ ଚାଷୀ ଅଧିକ ଶୋଷିତ ହେଲା । ଇଂରେଜ ଶାସନ ସମୟରେ ତକ୍ରାଳୀନ ଗଭର୍ଣ୍ଣର ଜେନେରାଲ କର୍ଣ୍ଣୱାଲିସ୍ ରାଜସ୍ୱ ଆଦାୟ ପାଇଁ ଜମିଦାରୀ ବ୍ୟବସ୍ଥାକୁ ଅଧିକ ପ୍ରୋତ୍ସାହନ ଦେବାରୁ ପ୍ରକୃତଚାଷୀର ପରିସ୍ଥିତି ଅଧିକ ଜଟିଳ ହେଲା । ଏହି ଜମିଦାରୀ ପ୍ରଥା ଭାରତ ସ୍ୱାଧୀନତା ପର୍ଯ୍ୟନ୍ତ ବହୁଳଭାବରେ ପ୍ରଚଳିତ ଥିଲା । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଏକ ଗଣତନ୍ତ୍ର ରାଷ୍ଟ୍ର ହିସାବରେ ଜମି ସମସ୍ୟାର ସମାଧାନ ଓ ସୁବଣ୍ଟନ ହେବା ଜରୁରୀ ମନେକରି ଅନେକ ଭୂସଂସ୍କାର ଆଇନ ଅଣାଗଲା । ୧୯୫୬ ମସିହା ବେଳକୁ ପ୍ରାୟ ସମସ୍ତ ରାଜ୍ୟରେ ଜମିଦାରୀ ବ୍ୟବସ୍ଥା ବିଲୁପ୍ତ ହୋଇଯାଇଥିଲା । କିନ୍ତୁ ମୌଳିକ ସମସ୍ୟା ଯାହା ଭାଗଚାଷୀଟି ସବୁବେଳେ ସମ୍ମୁଖୀନ ହୋଇ ଆସୁଥିଲା, ତାହାର କିଛି ସମାଧାନ ଆସିଲା ନାହିଁ । ସେ ତା’ଜମିରେ ଅଧିକ ଖର୍ଚ୍ଚକଲା, ଶ୍ରମ ଦେଲା ଓ ଉତ୍ପାଦନର ଅଧା ଭାଗ ଜମିମାଲିକକୁ ଦେଲା ।
୧୯୬୦ରେ ଆସିଲା “ଓଡ଼ିଶା ଭୂ-ସଂସ୍କାର ଆଇନ’ । ଏହି ଆଇନରେ କାହାର ଚାଷଜମିକୁ ଲିଜ୍ ଆକାରରେ ନେଇ ଅନ୍ୟ କେହି ଚାଷକରିବା ବ୍ୟବସ୍ଥା ପ୍ରତି କଟକଣା ରହିଲା । ଏହି ଆଇନ ଭାଗଚାଷୀମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କୁ ଚାଷ କରି ଆସୁଥିବା ଜମିରୁ ଉଚ୍ଛେଦ କଲା । ଫଳରେ ଅଧିକାଂଶ ପ୍ରକୃତ ଚାଷୀ ଚାଷକରିବା ପାଇଁ ଜମି ପାଇଲେ ନାହିଁ । ଅନ୍ୟପଟେ ଜମିମାଲିକର ଜମିରେ ଲୁଚିଲୁଚି ଚାଷକରିବା ଆରମ୍ଭ ହେଲା । ଜମିମାଲିକ ଓ ଭାଗଚାଷୀ ମଧ୍ୟରେ କୌଣସି ଲିଖିତ ରାଜିନାମା ରହିଲା ନାହିଁ । ଫଳରେ ଭାଗଚାଷୀ ମରୁଡି ଓ ବନ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟରେ ସରକାରୀ ସହଯୋଗ ପାଇବାର ସୁଯୋଗ ହାସଲ କରିପାରିଲା ନାହିଁ । ଅଧୁନା ମୁଖ୍ୟ ସମସ୍ୟା ହେଉଛି ଭାଗଚାଷୀମାନଙ୍କୁ ଚିହ୍ନଟ କରିବା । ଭାରତୀୟ ଲିମିଟେସନ୍ ଆଇନ୍ ଅନୁସାରେ ବିପରୀତ ମାଲିକାନା (କୌଣସି ବି ରୟତ୍ତ ଯଦି ଏକକାଳୀନ ୧୨ ବର୍ଷ ଧରି ଗୋଟିଏ ଜମିଉପରେ ପ୍ରକୃତ ଦଖଲରେ ଥିବ, ତେବେ ସେହି ଜମି ଉପରେ ତା’ର ନ୍ୟାୟସଙ୍ଗତ ଅଧିକାର ହାସଲ କରିପାରିବ) ଭୟରେ ହେଉ ବା ଅଧିକ ସୁବିଧା ଓ ଲାଭ ହାସଲ କରିବା ଉଦେଶ୍ୟରେ ହେଉ, ଜମିମାଲିକମାନେ ଭାଗଚାଷୀକୁ ସ୍ୱୀକୃତି ଦେବାକୁ ଚାହୁଁନାହାନ୍ତି କିମ୍ବା ଭାଗଚାଷୀ ନିଜେ ଲିଜ୍ରେ ଚାଷକରୁଛି ବୋଲି କହିବାକୁ ତା’ ପାଖରେ କୌଣସି ଲିଖିତ ପ୍ରମାଣ ନାହିଁ ।
ଗବେଷକମାନଙ୍କ ମତରେ ଭାରତର ସତୁରୀଭାଗ ଲୋକ ମୁଖ୍ୟତଃ କୃଷିଉପରେ ନିର୍ଭର କରନ୍ତି ଓ ସେହିପରି ଓଡ଼ିଶାରେ ମଧ୍ୟ ପଞ୍ଚଷଠି ଭାଗ ଲୋକ ମୁଖ୍ୟତଃ କୃଷିଉପରେ ନିର୍ଭର କରନ୍ତି । ଓଡ଼ିଶାର ଏହି ପଞ୍ଚଷଠି ଭାଗ ମଧ୍ୟରୁ ତେୟାଅଶି ଭାଗ ହେଉଛନ୍ତି କ୍ଷୁଦ୍ରଚାଷୀ । କ୍ଷୁଦ୍ରଚାଷୀମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଭାଗଚାଷୀ ଓ ସେମାନେ ଲୁକ୍କାୟିତ ଅବସ୍ଥାରେ ଅଛନ୍ତି । ଭାଗଚାଷୀଭାବେ ସେମାନଙ୍କର କୌଣସି ପରିଚୟ ନାହିଁ, ତେଣୁସେମାନେ ଅବହେଳିତ ହୋଇରହିଛନ୍ତି । ସେମାନଙ୍କୁ କୃଷି ଋଣ ମିଳିପାରୁ ନାହିଁ, ଯାହା ଫଳରେ ସେମାନେ ଗାଁମହାଜନ ପାଖରୁ କୃଷିପାଇଁ ଚଢ଼ା ସୁଧହାରରେ ଋଣ ଆଣୁଛନ୍ତି । ଧୋଇ କିମ୍ବା ମରୁଡ଼ିରେ ଫସଲ ନଷ୍ଟ ହେଲେ ସେମାନଙ୍କୁ ସରକାରୀ ସୁବିଧା କିଛି ମିଳିପାରୁ ନାହିଁ, ବରଂ ଜମିମାଲିକ ପ୍ରକୃତଚାଷୀ ନହୋଇ ମଧ୍ୟ ତା’କୁ ସମସ୍ତ କିଛି ସରକାରୀ ସୁବିଧା ସହଜରେ ମିଳିଯାଉଛି । ତେଣୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ପରି ଘୃଣ୍ୟ ସମସ୍ୟା ମୁଣ୍ଡଟେକି ଠିଆହୋଇଛି । “ଓଡ଼ିଶା ଭୂ-ସଂସ୍କାର ଆଇନ’ରେ ସଂଶୋଧନ ନ ଆସିଲେ ଏବଂ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ଭାଗଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେଇନପାରିଲେ ଏହି ସମସ୍ୟା ଏହିପରି ହିଁ ରହିଥିବ । କିମ୍ବା ଭାଗଚାଷୀମାନଙ୍କ ପାଇଁ ନୂଆଭାବେ ସ୍ୱତନ୍ତ୍ର ଆଇନ ନ ଆଣିଲେ ଏହି ସମସ୍ୟା ଏହିପରି ଲାଗି ରହିଥିବ । ପ୍ରତିବର୍ଷ କୃଷି ପାଇଁ ସରକାରୀ ସହଯୋଗର ବ୍ୟୟବରାଦ ହେଉଥିବ, କିନ୍ତୁ ପ୍ରକୃତ ଚାଷୀକୁ ତାହା ମିଳିପାରିବ ନାହିଁ ।
ଭାରତ ସରକାର ସେପ୍ଟେମ୍ବର ୨୦୧୫ରେ କୃଷିସମ୍ବନ୍ଧୀୟ ରୟତୀ ଆଇନଗୁଡ଼ିକୁ ତର୍ଜମା କରିବା ଓ ଜମିଲିଜ୍କୁ ଆଇନସମ୍ମତ ସ୍ୱୀକୃତି ଦେବାପାଇଁ ଆଇନଗୁଡିକର ବିଧିମତ ସଂଶୋଧନର ପରାମର୍ଶ ଦେବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଓଡ଼ିଶା ସରକାର ମଧ୍ୟ ଭାଗଚାଷ ବା ଜମିଲିଜ୍କୁ ନେଇ ନୂଆ ଆଇନ ଆଣିବାରେ ତତ୍ପରତା ଦେଖାଇଥିଲେ । ସରକାର ଓଡ଼ିଶାର ପ୍ରତ୍ୟେକ ତହସିଲରୁ ଉଭୟ ଜମିମାଲିକ ଓ ଭାଗଚାଷୀ ମାନଙ୍କର ମତସଂଗ୍ରହ କରିଥିଲେ । କିନ୍ତୁ ପ୍ରକୃତ ଭାଗଚାଷୀ ସେମାନଙ୍କ ଅନ୍ତରର କଥା କହିବାକୁ ଠିକ୍ ଭାବରେ ସୁଯୋଗ ପାଇଲେ ନାହିଁ, ରାଜସ୍ୱ ଅଧିକାରୀମାନେ ପ୍ରକୃତ ଚାଷୀମାନଙ୍କ ପାଖରୁ ଠିକ୍ ଭାବରେ ମତସଂଗ୍ରହ କରି ପାରିଲେ ନାହିଁ । ଓଡ଼ିଶା ସରକାରଙ୍କର ସେହି ପ୍ରୟାସ ମଧ୍ୟ ବିଫଳ ଗଲା । ୨୦୨୦ରେ ରାଜ୍ୟ ସରକାର ଭାଗଚାଷୀମାନଙ୍କ ସପକ୍ଷରେ ‘ଓଡ଼ିଶା ଲ୍ୟାଣ୍ଡ ଲିଜିଂ ଆକ୍ଟ’ର ଡ୍ରାଫ୍ଟ କରିଛନ୍ତି ଓ ସେହି ଡ୍ରାଫ୍ଟ ଉପରେ ରାଜ୍ୟବାସୀଙ୍କ ପାଖରୁ ମତାମତ ସଂଗ୍ରହ କରିଛନ୍ତି । ଏହା ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ କଥା । କିନ୍ତୁ ଏପର୍ଯ୍ୟନ୍ତ ତାହାର ଚୂଡ଼ାନ୍ତ ରୂପ ସ୍ଥିରୀକୃତ ହୋଇନାହିଁ କି ବିଧାନସଭାରେ ତାହା ଆଗତ ହୋଇନାହିଁ । ରାଜ୍ୟରେ ଅଧିକ ରାଜନୈତିକ ବ୍ୟକ୍ତି ହେଉଛନ୍ତି ଜମିମାଲିକ । ଭାଗଚାଷୀମାନଙ୍କ ସପକ୍ଷରେ ଆଇନ ଆସିବା ସେମାନଙ୍କ ପାଇଁ ଅସୁରକ୍ଷା ବୋଲି ଭାବୁନାହାନ୍ତି ତ! ଉଚିତ ରାଜନୈତିକ ଇଚ୍ଛାଶକ୍ତି ଥାଇ ଯଦି ଆଇନର କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯାଏ, ତେବେ ଭାଗଚାଷୀମାନଙ୍କ ପରିଚୟରେ କିଛି ପରିବର୍ତ୍ତନ ଆସିପାରିବ । ରାଜ୍ୟସରକାର ଯଦି ଭାଗଚାଷୀମାନଙ୍କ ସପକ୍ଷରେ ଏହିନୂଆ ଆଇନକୁ ଯଥାଶୀଘ୍ର ବିଧାନସଭାରେ ପାରିତ କରିବାକୁ ଓ ତାହାର ସଠିକ୍ କାର୍ଯ୍ୟକାରୀ କରିବାକୁ ତତ୍ପରତା ଦେଖାଇବେ, ତେବେ ତାହା ଭାଗଚାଷୀମାନଙ୍କ ଭାଗ୍ୟର ଐତିହାସିକ ବିଜୟ ହେବ ।
Comments
0 comments