ଓଡ଼ିଶା ରାଜନୀତି : ନେହରୁଙ୍କ ଉଦ୍‌ବେଗ

 ସ୍ଵାଧୀନତା ପୂର୍ବରୁ

ଭାରତୀୟ ଜାତୀୟ କଂଗ୍ରେସର ମତ ନ ନେଇ ଭାରତବର୍ଷକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ରିଟିଶ ସରକାର ଜଡ଼ିତ କରିବାର  ନିଷ୍ପତ୍ତିର  ପ୍ରତିବାଦରେ ବିଶ୍ଵନାଥ ଦାସଙ୍କ ନେତୃତ୍ଵରେ ୧୯ ଜୁଲାଇ ୧୯୩୭ ମସିହାରେ ଶପଥ ନେଇଥିବା  କଂଗ୍ରେସ ମନ୍ତ୍ରିମଣ୍ଡଳ ୬ ନଭେମ୍ବର ୧୯୩୯ ମସିହାରେ  ଇସ୍ତଫା ଦେଇ ଥିଲା ।   ଏହା ପରେ ଗଠିତ ହୋଇଥିଲା  ବିରୋଧୀ ଓ  ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସରୁ ଅଲଗା ହୋଇଯାଇଥିବା ଅସନ୍ତୁଷ୍ଟ ନେତାଙ୍କୁ ନେଇ ଏକ ଅଣକଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳର ସରକାର ଯାହାର କାର୍ଯ୍ୟକାଳ ଥିଲା   ୨୪  ନଭେମ୍ବର ୧୯୪୧ ରୁ ୨୯ ଜୁନ ୧୯୪୪ । ସେତେବେଳେ ସମୁଦାୟ ତିନିଜଣ ମନ୍ତ୍ରୀଥିଲେ : ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି, ଶିକ୍ଷା ଓ ଅର୍ଥ  ମନ୍ତ୍ରୀ ଗୋଦାବରୀଶ ମିଶ୍ର ଏବଂ  ଆଇନ ଓ ରାଜସ୍ୱ ମନ୍ତ୍ରୀ ଅବଦୁଶ ଶୋଭନ ଖାଁ । ଏହି ଅଣକଂଗ୍ରେସ ସରକାରର ରାଜନୈତିକ ବିରୋଧୀ କଂଗ୍ରେସ ନେତାମାନଙ୍କ ପ୍ରତି ଆଚରଣ ଜବାହାରଲାଲ୍  ନେହରୁଙ୍କୁ ବେଶ ବିବ୍ରତ କରିଥିଲା ଓ ସେ ତାଙ୍କର ଉଦ୍‌ବେଗ ଜଣାଇ  ଏକ ବାର୍ତ୍ତା ୨୭ ଫେବ୍ରୁୟାରୀ ୧୯୪୨ ଦିନ ଦେଇଥିଲେ ଯାହାକୁ ଶିରୋନାମା ଦିଆଯାଇଥିଲା ‘ଓଡ଼ିଶାରେ ନୀଚ  ରାଜନୀତି’୧  । ବାର୍ତ୍ତାର ଓଡିଆ ଅନୁବାଦ ଥିଲା ଏହିପରି(ଅନୁବାଦ: ବୀରେନ୍ଦ୍ର ନାୟକ)-  

ନେହରୁଙ୍କ ବାର୍ତ୍ତା

“ଯଦିଓ ଭାରତରେ ଏବଂ ଏହାର ନିକଟରେ ବହୁ ଗମ୍ଭୀର ଘଟଣାମାନ ଘଟୁଛି ଏବଂ ଭବିଷ୍ୟତ ପରିପୂର୍ଣ୍ଣ ଅନିଶ୍ଚିତତାରେ ତଥା ଆସନ୍ନ ବିପଦରେ, ଓଡ଼ିଶାରେ ଏବେ ଯାହା ଘଟିଛି ତାହା ଆଶ୍ଚର୍ଯ୍ୟକର  ଏବଂ ବିରକ୍ତିକର୨ । ରାଜନୀତିରେ ସାର୍ବଜନୀକ ଜୀବନରେ ଏକ ସାଧାରଣ ଶିଷ୍ଟାଚାର ରହିଛି ଯାହା ଲୋକେ ପାଳନ କରିଥାନ୍ତି ଏପରିକି ତାଙ୍କ ବିରୋଧୀଙ୍କ ପାଇଁ । କିନ୍ତୁ କିଛି ଲୋକ ଯେଉଁମାନେ ଆଜି ନିଜକୁ ଓଡ଼ିଶାର ମନ୍ତ୍ରୀ ବୋଲି କହିଥାନ୍ତି ସେମାନେ ଦର୍ଶାଇଛନ୍ତି ଯେ ସେମାନଙ୍କର ଏହି ସାଧାରଣ ଶିଷ୍ଟାଚାର ମଧ୍ୟ ନାହିଁ । ସେମାନଙ୍କ ମଧ୍ୟରୁ କେତେଜଣ ଗମ୍ଭୀରତାର ସହ ସେମାନେ ଦେଇଥିବା ନିଜର ପ୍ରତିଶ୍ରୁତି ଗୁଡିକୁ ଭଙ୍ଗ କଲେ । ଏହା ପରେ , ପ୍ରାଦେଶିକ ବିଧାନସଭାରେ ପରାଜୟ ଭୟରେ, ସେମାନେ ସେ ସଭ୍ୟମାନଙ୍କୁ ଗିରଫ କରିବା ଆରମ୍ଭ କରିଲେ ଯେଉଁମାନେ ସେମାନଙ୍କ ବିରୋଧରେ ଭୋଟ ଦେଇ ପାରନ୍ତି । ନିର୍ବାଚନ କରିବାକୁ ବାଧ୍ୟ ହେବା ବେଳେ, ସେମାନେ ଆରମ୍ଭ କଲେ ସେମାନଙ୍କୁ ଗିରଫ କରିବା ଯେଉଁମାନେ ନିର୍ବାଚନ ପ୍ରଚାରରେ ସେମାନଙ୍କ ବିରୋଧରେ କାର୍ଯ୍ୟ କରିବେ ।

“ ଜଣା ଶୁଣା ନେତା  ଯେପରି ହରେକୃଷ୍ଣ ମହତାବ ଓ ଅନ୍ୟମାନଙ୍କୁ  ଗିରଫ କରାଗଲା । ଶ୍ରୀ ଗୋବିନ୍ଦ ପ୍ରଧାନ , ବିଧାୟକଙ୍କୁ  ମଧ୍ୟ ଗିରଫ କରାଗଲା୩ । ନିଜକୁ ମନ୍ତ୍ରୀ ବୋଲାଉଥିବା ବ୍ୟକ୍ତିମାନଙ୍କ ପାଇଁ ସବୁଠୁ ସରଳ ବାଟ ହେଉଛି ଯେ ବିଧାନସଭାର ସମସ୍ତ ବିରୋଧୀଙ୍କୁ ଗିରଫ କରିନେବା । ତାହା ହେଲେ ସେମାନେ ସଂଖ୍ୟା ଗରିଷ୍ଠତା ସମ୍ପର୍କରେ ନିଶ୍ଚିନ୍ତ ହୋଇଯାଇ ପାରିବେ । ଏପରି କରାଯିବାର ଭଲ ଉଦାହରଣ ରହିଛି ଉଭୟ ଜାର ଶାସିତ ଋଷିଆରେ ଏବଂ ନାଜୀ ଜର୍ମାନୀରେ । କିନ୍ତୁ ସେମାନଙ୍କ ପାଇଁ ବର୍ତ୍ତମାନ ସମୟ ଆସିଛି ବୁଝିବାକୁ ଯେ  ଏ ପ୍ରକାର ବ୍ୟବହାରକୁ ଏହି ଦେଶରେ ସହ୍ୟ କରାଯିବ ନାହିଁ,  ଏବଂ ଯେ କେହି ଏଥିରେ ସମ୍ପୃକ୍ତ ହେବେ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ । ଏପରି କୌଶଳରେ କେହି  ଲିପ୍ତ ରହିବାକୁ  ସହ୍ୟ କରାଯିବ ନାହିଁ,  ବିଶେଷତଃ ସେମାନଙ୍କୁ  ଯେଉଁମାନେ ନିଜକୁ ଭାରତୀୟ କୁହନ୍ତି ଓ ଆମ ଦେଶର ନାଁକୁ ତଳେ ପକାନ୍ତି ।                                       

“ଯେଉଁ ଉପନିର୍ବାଚନ ହେଉଛି ସେଥିରେ ଉମା ଚରଣ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି୪ । ମୁଁ ତାଙ୍କୁ ମୋର ଶୁଭେଚ୍ଛା ପଠାଉଛି ଏବଂ ଆଶା କରୁଛି ଯେ ତାଙ୍କ ନିର୍ବାଚନ କ୍ଷେତ୍ରର ମତଦାତାଗଣ ତାଙ୍କୁ ଭୋଟ ଦେବେ ଏବଂ ସବୁ ପ୍ରକାର ସମର୍ଥନ ଦେବେ, ଏବଂ ସେପରି କୌଣସି ଗୋଷ୍ଠୀ ଦ୍ୱାରା ନିଜକୁ ଅତ୍ୟାଚାରିତ ହେବାକୁ ଦେବେ ନାହିଁ, ଯେଉଁ ଗୋଷ୍ଠୀ ନିଜକୁ ସମସ୍ତ ଭଦ୍ର ସମାଜ  ସମ୍ମୁଖରେ ପୂର୍ଣ୍ଣତଃ ଅପଦସ୍ଥ କରିସାରିଛି ।“     

ପାଦଟୀକା 

ସ୍ରୋତ: Selected Works of Jawaharlal Nehru, First Series, Vol. 12, pp. 491-492

୧. Message for bye-election for Orissa Assembly, Allahabad, 27 February 1942. The Hindustan Times, 5 March 1942. 

୨. କେତେଜଣ ଅଣ-କଂଗ୍ରେସୀ ସଭ୍ୟ ଏବଂ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶା ବିଧାନ ସଭାର ଏକ ଅସନ୍ତୁଷ୍ଟ କଂଗ୍ରେସ ସଭ୍ୟଙ୍କ ଗୋଷ୍ଠୀ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଲେ ୨୫ ନଭେମ୍ବର ୧୯୪୧ ଦିନ । ଏବଂ ୧୨ ଫେବ୍ରୁୟାରୀ ୧୯୪୨ ଦିନ ହେବାକୁ ଥିବା ବଜେଟ ଅଧିବେଶନ ପୂର୍ବରୁ କେତେକ କଂଗ୍ରେସର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ , ଯାହାଙ୍କ ମଧ୍ୟରେ ଅଛନ୍ତି ନବକୃଷ୍ଣ ଚୌଧୁରୀ ଏବଂ ମୋହନ ଦାସ, ଗିରଫ କରାଯାଇଥିଲା ଆସ୍ଥା ପ୍ରସ୍ତାବରେ ଭୋଟ ଦେବାକୁ ଏଡାଇବା ପାଇଁ ।            

୩. . (ଜନ୍ମ ୧୯୦୭), ୧୯୪୩ ଯାଏ ଓଡ଼ିଶାରେ ପ୍ରମୁଖ କଂଗ୍ରେସ କର୍ମୀ, ତାପରେ ସେ ଭାରତୀୟ କମ୍ୟୁନିଷ୍ଟ ଦଳରେ ସାମିଲ ହେଲେ ; ସଭ୍ୟ, ଓଡ଼ିଶା ବିଧାନ ସଭା, ୧୯୩୭-୪୨, ୧୯୫୨-୫୭, ୧୯୫୭-୬୧       

୪. (୧୯୦୨-୧୯୬୧), ଓଡ଼ିଶାର ଜଣେ ପ୍ରମୁଖ କଂଗ୍ରେସ ବ୍ୟକ୍ତି,  ସଭ୍ୟ,  ଓଡ଼ିଶା ବିଧାନ ସଭା, ୧୯୪୨-୪୫, ୧୯୪୬-୫୧; ସଭ୍ୟ, ଲୋକ ସଭା, ୧୯୫୨-୫୭, ୧୯୫୭-୬୧ ; ତାଙ୍କର କାର୍ଯ୍ୟ ଭିତରେ ଥିଲା ଭାରତରେ ସ୍ଵେଚ୍ଛାସେବୀ ସଂଗଠନ, ଏବଂ ଚିଲିକା ଯୋଜନା               

୫. ୧୭ ମାର୍ଚ୍ଚ ୧୯୪୨ ଦିନ, ପଟ୍ଟନାୟକ କନିକାର ଟିକାୟତ ସାହେବଙ୍କୁ ପରାଜିତ କରିଥିଲେ । ଟିକାୟତ ସାହେବ ମିନିଷ୍ଟରିଆଲ୍ ପାର୍ଟିର ପ୍ରାର୍ଥୀ ଥିଲେ ।     

ସ୍ଵାଧୀନତା ପରେ 

ଭାରତ ଏକ  ଗଣରାଜ୍ୟ ଭାବେ ଘୋଷଣା, ୨୬ ଜାନୁଆରୀ ୧୯୫୦ , ହେବା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୬ ମସିହା ଅକ୍ଟୋବର ମାସରେ ସ୍ଵେଛାରେ ଇସ୍ତଫା ଦେଇ ତାଙ୍କର କର୍ମଭୂମି ଅନୁଗୁଳସ୍ଥିତ ବାଜିରାଉତ ଛାତ୍ରବାସକୁ ଫେରି ଯାଇଥିଲେ । କିନ୍ତୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ଵର ଶେଷ ବର୍ଷ ଦଳୀୟ କନ୍ଦଳର ବର୍ଷ ଥିଲା, ନବକୃଷ୍ଣଙ୍କ ନେତୃତ୍ୱକୁ କଂଗ୍ରେସ ଭିତରର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ । ଏହି ବିରୋଧରେ ଶ୍ରୀ ହରେକୃଷ୍ଣ ମହତାବଙ୍କର ଏକ ପ୍ରଭାବୀ ଭୂମିକା ଥିଲା । ଓଡ଼ିଶା କଂଗ୍ରେସରେ ଏପରି ସ୍ଥିତି  ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ତାଙ୍କର ଉଦ୍‌ବିଗ୍ନତା ବ୍ୟକ୍ତ କରି ଯେଉଁ ପତ୍ର ଲେଖିଥିଲେ, ଗୋଟିଏ କନ୍ୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଓ ଅନ୍ୟଟି ଶ୍ରୀଯୁକ୍ତ ହରେକୃଷ୍ଣ ମହତାବଙ୍କୁ ତାହାର ଅନୁବାଦ (ଅନୁବାଦକ : ବୀରେନ୍ଦ୍ର ନାୟକ ) ନିମ୍ନରେ ଦିଆଗଲା । ଏହା ଜାଣିବା ପ୍ରାସଙ୍ଗିକ ହୋଇପାରେ ଯେ ଜବାହାରଲାଲ୍  ନେହରୁ ୧୯୫୦ ରେ ହରେକୃଷ୍ଣ ମହତାବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଅପସାରିତ କରି କେନ୍ଦ୍ରକୁ  କ୍ୟାବିନେଟ ମନ୍ତ୍ରୀ କରି ନେଇ ଯାଇଥିଲେ, ଓ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବା ପାଇଁ  ନବକୃଷ୍ଣ ଚୌଧୁରୀଙ୍କୁ ପ୍ରବର୍ତ୍ତାଇ ଥିଲେ । ମଇ ୧୯୫୦ ରେ ନବବାବୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ଅକ୍ଟୋବର ୧୯୫୬ ରେ ନବବାବୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭାବେ ପୁନର୍ବାର ହରେକୃଷ୍ଣ ମହତାବ ଅବସ୍ଥାପିତ ହେଲେ ।             

ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ପତ୍ର୧

ନୂଆ ଦିଲ୍ଲୀ

୨୪ ଜାନୁଆରୀ ୧୯୫୬

ସ୍ନେହର ଇନ୍ଦୁ,

 ନା ପନ୍ତଜୀ, ନା ମୁଁ ବର୍ତ୍ତମାନ ଓଡ଼ିଶା ଯାଇ ପାରବୁ । ସମୟ ପାଇବାରେ  ଅସୁବିଧା ବ୍ୟତୀତ, ମୁଁ ଭାବୁ ନାହିଁ ଏହା ବାଞ୍ଛନୀୟ ବୋଲି । ୩୧ ତାରିଖ ଦିନ ଧେବରଭାଇ ସେଠାକୁ ଯିବେ ।       

ସବୁ ଦୃଷ୍ଟିରୁ ମୁଁ ଭାବୁଛି, ଏହା ବାଞ୍ଛନୀୟ ଯେ ତୁମେ ଓଡ଼ିଶା ଯାଅ । ଅବଶ୍ୟ ଏହି ପରିଦର୍ଶନ ସେପରି ଏକ ଗସ୍ତ ହେବ ନାହିଁ ଯେପରି ପୂର୍ବେ ଚିନ୍ତା କରାଯାଇଥିଲା । ନବବାବୁ ଓ ଅନ୍ୟମାନଙ୍କୁ ନୈତିକ ସମର୍ଥନ ଦେବା ଆମର ଉଚିତ ହେବ । ନବବାବୁ ଜଣେ ଅତି ଭଲ ଲୋକ କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଯଥେଷ୍ଟ ସହଯୋଗ ପାଉ ନାହାନ୍ତି  ତାଙ୍କର କ୍ୟାବିନେଟ ସହକର୍ମୀମାନଙ୍କ ଠାରୁ ନା ପାଉଛନ୍ତି  ପ୍ରଦେଶ କଂଗ୍ରେସ କମିଟି ଠାରୁ  ନା ପାଉଛନ୍ତି, ଏପରିକି,  ତାଙ୍କ ପତ୍ନୀଙ୍କଠାରୁ । ମୁଁ ଚାହେଁ ଯେ ସେ ଉପଲବ୍ଧି କରନ୍ତୁ ଯେ ଆମେ ତାଙ୍କ ସହ ଅଛୁ । ତେଣୁ ଏହା ତୁମ  ପାଇଁ ଭଲ ହେବ କଟକ ଯିବା (ଏବଂ ବୋଧହୁଏ ପୁରୀ ମଧ୍ୟ), କିନ୍ତୁ କୌଣସି ଜନସଭା ଇତ୍ୟାଦି କରିବ ନାହିଁ , କେବଳ ଘରୋଇ ଭାବରେ କଥାବାର୍ତ୍ତା କରିବ । ତୁମେ ଯାଇପାର ଧେବରଭାଇଙ୍କ ସହିତ ଯିଏ ମୋ ସହିତ ଏକମତ ଯାହା ମୁଁ ଉପରେ ଲେଖିଛି ।

ପାପୁ            

ପାଦଟୀକା

ସ୍ରୋତ : Selected Works of Jawaharlal Nehru, First Series, Vol.31 , pp. 553-554

୧. Sonia Gandhi (ed.), Two Alone, Two Together: Letters between Indira Gandhi and Jawaharlal Nehru, 1940-64, (London. 1992), pp. 613-614.

୨. ଇନ୍ଦିରା ଗାନ୍ଧୀ ତାଙ୍କର ଜାନୁଆରୀ ୧୯୫୬(ତାରିଖ ନ ଥିବା ) ପତ୍ରରେ ଲେଖିଥିଲେ ଯେ ଓଡିଶାରୁ କଂଗ୍ରେସ ନେତା ଓ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ କାନୁନଗୋ ତାଙ୍କୁ କହିଥିଲେ ଯେ “ଏହା ଭଲ ହୁଅନ୍ତା ଯଦି ନେହରୁ କିମ୍ବା ଜି ବି ପନ୍ତ ଆସି ପାରନ୍ତେ” ଓଡ଼ିଶାକୁ । ଇନ୍ଦିରା ଗାନ୍ଧୀ କାନୁନଗୋଙ୍କୁ କହିଲେ ସେମାନଙ୍କ ମଧ୍ୟରୁ କେହି ଯାଇ ପାରିବେ ନାହିଁ, ଯେହେତୁ ନେହରୁଙ୍କର  ବାଙ୍ଗାଲୋର ଗସ୍ତ ସ୍ଥିର ହୋଇଛି ଏବଂ ପନ୍ତଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ ।      

୩. ନବକୃଷ୍ଣ ଚୌଧୁରୀ, ମୁଖ୍ୟମନ୍ତ୍ରୀ, ଓଡ଼ିଶା    

ଶ୍ରୀ ହରେକୃଷ୍ଣ ମହତାବଙ୍କୁ ପତ୍ର୧ 

ନୂଆ ଦିଲ୍ଲୀ

୧୩ ଏପ୍ରିଲ ୧୯୫୬

ପ୍ରିୟ ମହତାବ୨  

ଓଡ଼ିଶାରେ ବର୍ତ୍ତମାନ ସ୍ଥିତି ଓ ଯାହା ଘଟୁଛି ତାହାକୁ ନେଇ ଆମେ ବେଶ ଚିନ୍ତିତ୩  । ବିଶେଷ ଭାବରେ, ମୁଁ ଚିନ୍ତିତ କଂଗ୍ରେସ ଦଳକୁ ନେଇ, ଯେଉଁଥିରେ  ମନେହୁଏ ଆଉ କୌଣସି ସଂହତି ରହି ନାହିଁ । ନବକୃଷ୍ଣ ଚୌଧୁରୀ୪  ବାରମ୍ବାର ଘୋଷଣା କରି ଚାଲିଛନ୍ତି ଯେ ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ରହିବେ ନାହିଁ, ଏବଂ ଖୁବ ବେଶୀ ହେଲେ କେବଳ ଆଉ କେତେଟା ମାସ ।     

ପ୍ରସ୍ତାବ  ଆସୁଛି ଯେ ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବିଚାର ପାଇଁ ଏକ ବୈଠକ ହେବା ଉଚିତ ଏବଂ ସେଠାରେ ଆପଣ, ନବକୃଷ୍ଣ, ବିଶ୍ଵନାଥ ଦାସ୫  ଏବଂ କାନୁନଗୋ୬  ଉପସ୍ଥିତ ରହିବା ଉଚିତ ଅବଶ୍ୟ ଆମ କେତେ ଜଣଙ୍କ ବ୍ୟତୀତ । ବୋଧହୁଏ ଏହି ଭଳି ବୈଠକ ଏକ ସୁବିଧାଜନକ ସମୟରେ ହେବା ଉଚିତ, ଯଦିଓ ମୁଁ ସ୍ପଷ୍ଟ ନୁହେଁ ଯେ କେବେ ଓ କିପରି ଏହାର ଆୟୋଜନ ହେବ ।        

ତେବେ ଗୋଟିଏ ବିଷୟ ମୋତେ ଅତ୍ୟନ୍ତ ବିବ୍ରତ କରୁଛି । ଓଡିଶାରୁ ଆସୁଥିବା ସମସ୍ତ ରିପୋର୍ଟରେ କୁହାଯାଉଛି “ମହତାବ ଦଳ”  ସେଠାକାର ବର୍ତ୍ତମାନର ସରକାରକୁ ବିରୋଧ କରୁଛି, ଏବଂ ଯାହାଙ୍କର ସମ୍ବାଦପତ୍ର ମଧ୍ୟ ଏହାକୁ ଅଯଥା ସମାଲୋଚନା କରୁଛି୭  । ଏ ଖବର ମଧ୍ୟ ଆମେ ପାଇଛୁ ଯେ ଏବେ ନିକଟରେ ଆପଣ ଯେତେବେଳେ ଓଡ଼ିଶା ଯାଇଥିଲେ, ସରକାରଙ୍କୁ ଓ  ଏହାର ପରିଚାଳନାକୁ  ଆପଣ ସମାଲୋଚନା କରିଥିଲେ,  ଏବଂ ଏହା  ଦ୍ଵାରା ଓଡ଼ିଶାରେ ବିଭାଜନକାରୀ ପ୍ରବଣତାକୁ ଉତ୍ସାହିତ କରିଥିଲେ୮  ।        

          ବାସ୍ତବିକତା କ’ଣ ,ମୁଁ ସଠିକ ଭାବରେ ଜାଣି ନାହିଁ, କିନ୍ତୁ ଯେପରି ଆମେ ବିଭିନ୍ନ ସୂତ୍ରରୁ ଜାଣିବାକୁ ପାଇଛୁ, ଏହାହିଁ ଧାରଣା ।  ଏବଂ ଏପରିକି କଂଗ୍ରେସ ସଭାପତି ଯେତେବେଳେ ସେଠାକୁ ଯାଇଥିଲେ, ସେ ମଧ୍ୟ ଏହି ଧାରଣା ନେଇ ଆସିଥିଲେ୯  । ଯଦି ଏଥିରେ କିଛି ସତ୍ୟତା ଅଛି, ମୁଁ ଦୁଃଖିତ, ଯେହେତୁ ମୋତେ ଏହା ଆଦୌ ଉପଯୁକ୍ତ ମନେ ହେଉ ନାହିଁ  ଯେ ଆପଣ, ଉଭୟ ବ୍ୟକ୍ତିଗତ ସ୍ତରରେ ଏବଂ ଜଣେ ରାଜ୍ୟପାଳ ଭାବରେ, ଏହିଭଳି ବିବାଦୀୟ ରାଜନୀତିରେ ପଶିବା ଉଚିତ, ବିଶେଷତଃ କଂଗ୍ରେସ ମହଲରେ ।           

ବ୍ୟକ୍ତି ବିଶେଷ ବ୍ୟତିରେକେ, ଓଡ଼ିଶାର ଭାଗ୍ୟ କିନ୍ତୁ ଏକ ଗମ୍ଭୀର ବିଷୟ, ଏବଂ ଆମ୍ଭମାନଙ୍କୁ ଗମ୍ଭୀରତାର ସହ ବିଚାର କରିବାକୁ ପଡିବ ଯେ ଏଥିପାଇଁ ଆମେ କ’ଣ କରିପାରିବା । ସେଠାରେ ଅନୁଶାସନ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି, ଏବଂ କଂଗ୍ରେସର ବିରୋଧୀମାନେ ବେଶ ଅଗ୍ରଗତି କରିଛନ୍ତି । କଂଗ୍ରେସ ଭିତରେ ଗୋଷ୍ଠୀ ଅଛନ୍ତି ଯେଉଁମାନେ ପରସ୍ପରକୁ ବେଶ ଶକ୍ତିର ସହ  ବିରୋଧ କରୁଛନ୍ତି । ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ କେଉଁ ଗୋଷ୍ଠୀ  ଅନ୍ୟ ଗୋଷ୍ଠୀଠାରୁ ଅଧିକ ଶକ୍ତିଶାଳୀ କାରଣ, ପରିସ୍ଥିତି ଯେପରି ବି ହେଉ, ସେମାନେ ଅଳ୍ପ ବହୁତେ ପରସ୍ପରକୁ ନିଷ୍ପ୍ରଭାବୀ କରିଦିଅନ୍ତି, ଯଦି ସେମାନେ ପରସ୍ପରକୁ ବିରୋଧ କରନ୍ତି ।                        

ଏହି ସ୍ଥିତି ଉପରେ ମୁଁ ଆପଣଙ୍କର ମତ ଚାହିଁବି୧୦  ।  

ଆପଣଙ୍କର ବିଶ୍ୱସ୍ତ,

ଜବାହାରଲାଲ୍  ନେହରୁ   

ପାଦଟୀକା

ସ୍ରୋତ : Selected Works of Jawaharlal Nehru, First Series, Vol.32 , pp. 161-162

୧. JN Collection

୨. ବମ୍ବେର ରାଜ୍ୟପାଳ

୩. କଂଗ୍ରେସ ଦଳ ଭିତରେ ହରେକୃଷ୍ଣ ମହତାବ ଏବଂ ନବକୃଷ୍ଣ ଚୌଧୁରୀଙ୍କର ପରସ୍ପର ବିରୋଧୀ ଗୋଷ୍ଠୀ ଖୋଲାଖୋଲି ଭାବରେ ପରସ୍ପରର ନୀତି ଓ କାର୍ଯ୍ୟକ୍ରମର ସମାଲୋଚନା କରୁଥିଲେ । ଚୌଧୁରୀ ସରକାର ସମାଲୋଚିତ ହୋଇଥିଲେ ବନ୍ୟା ସ୍ଥିତିର ଓ ଦୁଇ ଓଡିଆ ଭାଷୀ ଅଞ୍ଚଳ ଷଢେକେଳା ଓ ଖରସୁଆଁକୁ ବିହାରକୁ ଦିଆଯିବା ବିରୋଧରେ ଆନ୍ଦୋଳନର ଅନୁପଯୁକ୍ତ ପରିଚାଳନା ଯୋଗୁଁ ।     

୪.ଓଡ଼ିଶାର ମୁଖ୍ୟମନ୍ତ୍ରୀ   

୫. ସଦସ୍ୟ, ରାଜ୍ୟ ସଭା 

୬. ନିତ୍ୟାନନ୍ଦ କାନୁନଗୋ, କେନ୍ଦ୍ର ଶିଳ୍ପ ମନ୍ତ୍ରୀ    

୭.ଚୌଧୁରୀ ଗୋଷ୍ଠୀର ସୁରେନ୍ଦ୍ର ନାଥ ପଟ୍ଟନାୟକ ଏବଂ ବିଜୟ କୁମାର ପାଣି ମହତାବଙ୍କର “ଦଳ ବିରୋଧୀ” କ୍ରିୟା କଳାପ ବିରୋଧରେ ନେହରୁଙ୍କୁ ଲେଖିଥିଲେ । ସେମାନଙ୍କର ଅଭିଯୋଗ ଥିଲା ଯେ ମହତାବ ଦଳ ଭିତରର ଗୋଟିଏ ଗୋଷ୍ଠୀକୁ ପ୍ରୋତ୍ସାହିତ କରୁଛନ୍ତି  ଯାହାକୁ “ମହତାବ ଦଳ”, କୁହାଯାଉଛି, ଯାହା କଂଗ୍ରେସ ଦଳରେ ସଂହତି ଓ ଶୃଙ୍ଖଳାକୁ ଦୁର୍ବଳ କରୁଛି ।           

୮. .  ବନ୍ୟା ପ୍ରଭାବିତ ଅଞ୍ଚଳର  ପରିଦର୍ଶନ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନରେ ଉଦବୋଧନ ପାଇଁ   ଡିସେମ୍ବର ୧୯୫୫ରେ ଓଡ଼ିଶା ଆସିଥିବା ସମୟରେ, ମହତାବ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।    .

୯. ୟୁ ଏନ ଧେବରଙ୍କର ଓଡ଼ିଶା ଗସ୍ତ ସମୟରେ ମହତାବ ଗୋଷ୍ଠୀର କେତେକ ବିଧାୟକ ୧୯୫୭ ରେ ହେବାକୁ ଥିବା ଦ୍ୱିତୀୟ ସାଧାରଣ ନିର୍ବାଚନ ଦୃଷ୍ଟିରୁ ନେତୃତ୍ବରେ ପରିବର୍ତ୍ତନ ଦାବି କରିଥିଲେ ଏବଂ ଖୋଲାଖୋଲି ଭାବରେ ମହତାବଙ୍କର ଓଡ଼ିଶାକୁ ଫେରିବା  ଚାହିଁଥିଲେ । ଅନ୍ୟ ଗୋଷ୍ଠୀ ମଧ୍ୟ ତାଙ୍କୁ ଏକ ପ୍ରତିବେଦନ ଦେଇଥିଲେ ଯେ ମହତାବ କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳକୁ ପ୍ରୋତ୍ସାହିତ କରୁଛନ୍ତି ।      

୧୦.  ମହତାବ ୧୫ ଏପ୍ରିଲ ୧୯୫୬ ଦିନ ଉତ୍ତରରେ କହିଲେ ଯେ ତାଙ୍କ ବିରୋଧରେ ହେଉଥିବା ଅଭିଯୋଗ ଅଯୌକ୍ତିକ । ସେ ଦୃଢତାର ସହ କହିଥିଲେ ଯେ କଂଗ୍ରେସରେ ଏକତା  ରହିଛି କିନ୍ତୁ ଦଳ ରାଜ୍ୟ ସରକାରଙ୍କ କାର୍ଯ୍ୟ ଯୋଗୁଁ  ଲୋକମାନଙ୍କର  ଅସନ୍ତୋଷ ଓ ଅପ୍ରିୟତାର ଶରବ୍ୟ ହୋଇଛି । ସେ ଯୁକ୍ତି ଦେଇଥିଲେ ଯେ  ଓଡ଼ିଶାରେ କଂଗ୍ରେସ ଓ କେନ୍ଦ୍ରୀୟ ହାଇକମାଣ୍ଡ  ପ୍ରତି ସେ ସବୁବେଳେ ଅନୁଗତ ରହି ଆସିଛନ୍ତି  ଏବଂ ଚୌଧୁରୀଙ୍କ ସପକ୍ଷରେ ନେତୃତ୍ଵ  ଯୁଦ୍ଧରୁ ଓହରି ଯିବେ ।      

Total Views: 1

Comments

0 comments

Share This Article