୧୯୦୧ ମସିହା ନଭେମ୍ବର ମାସ ୨୩ ତାରିଖ ଆଜିର ଦିନରେ ଓଡ଼ିଶା ମାଟିରୁ ମାନବମୁକ୍ତିର ସ୍ୱପ୍ନକୁ ସାକାର କରିବାକୁ ଯାଇ ଆଜୀବନ ସଂଘର୍ଷ କରିଥିବା ଜଣେ ବ୍ୟକ୍ତିବିଶେଷଙ୍କ ଜନ୍ମ ହୋଇଥିଲା। ସେ ହେଉଛନ୍ତି ନବକୃଷ୍ଣ ଚୌଧୁରୀ। କାହା ପାଇଁ ନବବାବୁ ତ କାହା ପାଇଁ ବାପି ଏବଂ ନିଜ ପରିବାରବର୍ଗଙ୍କ ନିକଟରେ ଟୁଆଁ ନାମରେ ସେ ପରିଚିତ। କିନ୍ତୁ ଓଡ଼ିଶାରେ ଓ ଓଡ଼ିଶା ବାହାରେ ଅଧିକାଂଶ ଲୋକ ତାଙ୍କୁ ଓଡ଼ିଶାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପେ ଜାଣନ୍ତି। ମାତ୍ର ଲେଖିକାଙ୍କ ବିଶ୍ଳେଷଣରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ପରିଚୟର ବହୁ ଊର୍ଦ୍ଧ୍ୱରେ। ତାଙ୍କର ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ବୈଚାରିକ ଅବଦାନକୁ କେବଳ ଏକ ସାମ୍ବିଧାନିକ ପଦବୀର ପରିସୀମା ମଧ୍ୟରେ ସୀମିତ କରିଦେବା ତାଙ୍କ ଅନନ୍ୟ ବ୍ୟକ୍ତିତ୍ୱ ପ୍ରତି ଏକ ଅନ୍ୟାୟ ହେବ। ତାଙ୍କ ଜୀବନକୁ ଅନୁଧ୍ୟାନ କଲେ ଏକ ମୌଳିକ ପ୍ରଶ୍ନ ମନରେ ଉଙ୍କି ମାରେ- “ଜଣେ ରାଜନେତାଙ୍କ ପରିଚୟ କ’ଣ ତାଙ୍କ ପଦପଦବୀରେ ନିହିତ, ନା ତାଙ୍କର ସାମାଜିକ ପ୍ରତିବଦ୍ଧତା, ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ଅଭିମୁଖ୍ୟ ଓ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାରେ ନିରନ୍ତର ପ୍ରୟାସରେ ନିହିତ?” ନବକୃଷ୍ଣଙ୍କ ଜୀବନ ଏହି ପ୍ରଶ୍ନର ଏକ ଉତ୍ତର ରୂପେ ପ୍ରତୀୟମାନ ହୁଏ।
ନବକୃଷ୍ଣ ଚୌଧୁରୀଙ୍କ ରାଜନୈତିକ ଜୀବନର ଆରମ୍ଭ ହୁଏ ତାଙ୍କ ଛାତ୍ର ଜୀବନରୁ, ଯେତେବେଳେ ସେ ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଥିଲେ। ଭାରତକୁ ବିଦେଶୀ ରାଷ୍ଟ୍ରର ଶାସନରୁ ମୁକ୍ତ କରିବାର ଉଚ୍ଚ ଆକାଂକ୍ଷାକୁ ନେଇ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସର୍ବପ୍ରଥମେ ଅସହଯୋଗ ଆନ୍ଦୋଳନରେ ନିଜର ରାଜନୈତିକ ଯାତ୍ରାର ମୂଳଦୁଆ ପକାଇଥିଲେ। ଏହା ପରେ ଲବଣ ସତ୍ୟାଗ୍ରହ ସମୟରେ ନବବାବୁ ବାଲେଶ୍ୱରର ଶ୍ରୀଜଙ୍ଗଠାରେ ଟିକସ ବନ୍ଦ ଆନ୍ଦୋଳନ କରି ୧୯୩୦ ମସିହା ଜୁଲାଇ ମାସରେ ପ୍ରଥମ ଥର କାରାବରଣ କରିଥିଲେ। ଏହି କାରାବରଣର ପୁନରାବୃତ୍ତି ମଧ୍ୟ ତାଙ୍କ ଆଗାମୀ ଜୀବନରେ ଘଟିଥିଲା, ଯାହାକୁ ସେ କେବେ ବି ଖାତିର କରିନଥିଲେ। ପ୍ରଥମ ଥରର କାରାବରଣ ସମୟରେ କାରାଗାରରେ ଥାଇ ନିଜ ବଡ଼ ଭାଇ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ଚିଠି ଲେଖିଥିଲେ। ତାହା ଅତି ସ୍ୱଳ୍ପ ବୟସରୁ ତାଙ୍କର ପରିପକ୍ୱତା, ପ୍ରତିବଦ୍ଧତା ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ପ୍ରମାଣ ଦିଏ। ସେହି ଚିଠିରେ ସେ ଲେଖିଥିଲେ: “ମୁଁ ଉପଲବ୍ଧି କରିଛି ଯେ ଯେଉଁ ତ୍ୟାଗର ଏକ ସୀମା ଅଛି, Thus far no further ସେ ତ୍ୟାଗ, ତ୍ୟାଗ ନୁହେଁ। ତା’ ମୂଳରେ ଲାଭ କ୍ଷତି ହିସାବର spirit ରହିଛି। ଉତ୍କଳର ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ଚଳାଇବା ଆମ ହାତର କଥା ନୁହେଁ। ମୋ ମତରେ, ଆମର ଶକ୍ତି ଲଗାଇ କାମ କଲା ପରେ, ସର୍ବସ୍ୱ ତ୍ୟାଗ କଲା ପରେ ଯଦି ଆମ ପରେ କେହି ବାହାରି କାମ ନ ଚଳାନ୍ତି, ତାହାହେଲେ ଦୁଃଖ କରିବା ଉଚିତ ନୁହେଁ। ଏହି spirit ରେ କାମ ନ କଲେ ଉତ୍କଳରେ ଅନ୍ତତଃ କିଛି କାମ ହେବ ନାହିଁ; କେବଳ mark time କରିବା ହିଁ ହେବ ଶେଷ ପର୍ୟ୍ୟନ୍ତ। କାରଣ ଏଠି ଏତେ ଅଳ୍ପ ଲୋକ ବାହାରିଛନ୍ତି ଯେ ସେମାନେ ଯଦି ଶେଷ ପର୍ଯ୍ୟନ୍ତ କୌଣସିମତେ କାମଟା ଚଳାଇବା କଥା ଭାବନ୍ତି, ତାହାହେଲେ ଯେଉଁ କାମରେ risk ଅଛି ସେ କାମରେ ହାତ ଦେବେ ନାହିଁ- ଅର୍ଥାତ୍ ଏ ଆନ୍ଦୋଳନରେ ଠିକ୍ spirit ଅନୁସାରେ କାମ କରିପାରିବେ ନାହିଁ। ତା’ ଠୁ ଶତଗୁଣ ଶ୍ରେୟସ୍କର, ଅଳ୍ପ ସଂଖ୍ୟକ ଲୋକ ଗୋଟାଏ ଜ୍ୱଳନ୍ତ ଆଦର୍ଶ ଦେଖାଇ ଅସୀମ ସାହସ ଓ ନିର୍ଭୀକତାର ପରିଚୟ ଦେଇଯିବେ। ତାହାହେଲେ ଆଉ କିଛି ନ ହେଉ, ଭବିଷ୍ୟତ ବଂଶଧରମାନେ ସେଥିରୁ ପ୍ରେରଣା ପାଇବେ।”
ଏହା ପରେ ସେ ଲକ୍ଷ୍ୟ କଲେ ଯେ କଂଗ୍ରେସ ନିଜକୁ ଓକିଲ, ଛୋଟ ଜମିଦାର, ଡାକ୍ତର ଓ ବଡ଼ ଚାଷୀଙ୍କ ମଧ୍ୟରେ ସୀମିତ କରି ରଖିଛି ଓ ଦେଶର ସ୍ୱାଧୀନତା ପ୍ରାପ୍ତି ହିଁ ତା’ର ଏକମାତ୍ର ଲକ୍ଷ୍ୟ। ତେଣୁ ଓଡ଼ିଶାର ଜନସାଧାରଣଙ୍କ ମୌଳିକ ସମସ୍ୟାକୁ ହାତକୁ ନେଇ କଂଗ୍ରେସ କାର୍ଯ୍ୟକ୍ରମର ପରିଧିରେ ସେସବୁକୁ ସାମିଲ କରିବାର ଉଦ୍ଦେଶ୍ୟ ନେଇ ୧୯୩୩ ମସିହା ଫେବୃଆରୀ ମାସରେ ସେ ଗୌରଚନ୍ଦ୍ର ଦାସ, ଗୌରାଙ୍ଗଚରଣ ଦାସ, ସୁଧୀର ଚନ୍ଦ୍ର ଘୋଷ, ଡାକ୍ତର ନୃପେନ୍ ସେନ, ମନମୋହନ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ସହ ମିଶି ‘ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ ନାମକ ଏକ ସଂଗଠନ ଗଢ଼ିଥିଲେ। ସେହି ସମୟରେ ସୋସିଆଲିଷ୍ଟ ବା ସମାଜବାଦୀ ଅର୍ଥରେ ସାମ୍ୟବାଦୀ ଶବ୍ଦଟି ବ୍ୟବହାର କରାଯାଉଥିଲା। ଏହି ସଂଗଠନର ଉଦ୍ଦେଶ୍ୟ ଥିଲା ସାମାଜିକ ଓ ଆର୍ଥିକ ବିପ୍ଳବ ଆଣିବା। ସମସ୍ତ କର୍ମୀ ଶପଥ ନେଇଥିଲେ ଯେ ସମ୍ପତ୍ତି ମୋହ ତ୍ୟାଗ କରିବେ ଏବଂ ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧି ଦିଗରେ କାର୍ଯ୍ୟ କରିବେ ନାହିଁ। ସାମ୍ୟବାଦୀ ହେବାକୁ ହେଲେ ଯେ ସର୍ବହରା ହେବାକୁ ପଡ଼ିବ ଓ ସାଧାରଣ ଲୋକଙ୍କ ସହ ନିଜକୁ ମିଶାଇ ଦେବାକୁ ପଡ଼ିବ- ଏ ବିଚାରକୁ ସମସ୍ତେ ହୃଦୟଙ୍ଗମ କରିସାରିଥିଲେ। ଏହି ସଂଗଠନର ମୁଖ୍ୟ କାର୍ଯ୍ୟ ଥିଲା ଚାଷୀ ସଂଗଠନ ସୃଷ୍ଟି ମାଧ୍ୟମରେ ଜମିଦାର ଓ ମହାଜନମାନଙ୍କ ଅନ୍ୟାୟ ଅତ୍ୟାଚାରରୁ ଚାଷୀମାନଙ୍କୁ ମୁକ୍ତ କରିବା ଓ ସେମାନଙ୍କ ମନରେ ସାହସ ଓ ଶ୍ରେଣୀ ସଚେତନତା ଜାଗ୍ରତ କରିବା। ଏହି ସଂଗଠନର ଆନୁକୂଲ୍ୟରେ ପ୍ରଥମ ଥର ଲାଗି ସମଗ୍ର ଓଡ଼ିଶାର ଚାଷୀ ସମ୍ମିଳନୀ କଟକ ଜିଲ୍ଲାର ବାଗଲପୁର ଗ୍ରାମରେ ଅନୁଷ୍ଠିତ ହେଲା। ଏ ସମ୍ମିଳନୀର ପ୍ରସ୍ତାବ ପ୍ରସ୍ତୁତ କରିଥିଲେ ନିଜେ ନବକୃଷ୍ଣ ଚୌଧୁରୀ। ପ୍ରସ୍ତାବଟି ଥିଲା, କୌଣସି ଚାଷୀ କୌଣସି ଜମିଦାର ବା ମହାଜନଙ୍କୁ ମୁଣ୍ଡିଆ ମାରିବ ନାହିଁ। ଶାଷ୍ଟାଙ୍ଗ ପ୍ରଣିପାତ କରିବ ନାହିଁ। ସିଧାସଳଖ ଛିଡ଼ା ହୋଇ ଦଣ୍ଡବତ ମାରିବ, ହାତ ଯୋଡ଼ି ନମସ୍କାର, ଯେମିତି ଜଣେ ଅନ୍ୟଜଣଙ୍କୁ କରେ ସମାସ୍କନ୍ଧ ଭାବରେ। ନବବାବୁଙ୍କ ଏହି ପ୍ରସ୍ତାବଟି ଓଡ଼ିଶାରେ ଇ.ଭି. ରାମସ୍ୱାମୀ ପେରିୟାରଙ୍କ Self- Respect Movement ର ଝଲକ ଦିଏ।
ଏହାପରେ ୧୯୩୭ ମସିହା ନିର୍ବାଚନରେ ବିଜୟଲାଭ କରି ବିଧାୟକ ହେବା ପରେ ମଧ୍ୟ ନବକୃଷ୍ଣ ଗଡ଼ଜାତ ଅଞ୍ଚଳରେ ଅତ୍ୟାଚାରୀ ଶାସକଙ୍କ ବିରୋଧରେ ପ୍ରଜାମାନଙ୍କ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ବିଶେଷ ଭାବରେ ଢେଙ୍କାନାଳ ଓ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ବୈଷ୍ଣବ ପଟ୍ଟନାୟକଙ୍କ ଭାଷାରେ, “ଢେଙ୍କାନାଳ ଆନ୍ଦୋଳନର ଆଖି, ନାକ, କାନ ସବୁକିଛି ଥିଲେ ମାଳତୀ ଦେବୀ ଓ ନବବାବୁ।”
୧୯୪୦ ମସିହାରେ ସେ ଗାନ୍ଧୀଜୀଙ୍କ ନିର୍ଦ୍ଦେଶକ୍ରମେ ବ୍ୟକ୍ତିଗତ ସତ୍ୟାଗ୍ରହ କରି ଅନୁଗୁଳଠାରୁ ବନ୍ଦୀ ହୋଇଥିଲେ। ଏତଦ୍ବ୍ୟତୀତ, ୧୯୪୨ ମସିହା ଜାନୁଆରୀ ୬ ତାରିଖ ଦିନ ସାଲେପୁରଠାରେ ଏକ ସଭାରେ ଇଂରେଜ ସରକାରଙ୍କୁ ସମାଲୋଚନା କରି ଭାଷଣ ଦେଇଥିବାରୁ ଭାରତ ରକ୍ଷା ଆଇନରେ ମଧ୍ୟ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହା ପରେ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି କାରାଦଣ୍ଡରେ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ସାଲେପୁର ଅଫିସରେ ବୈଷ୍ଣବ ଚରଣ ପଟ୍ଟନାୟକ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ବନମାଳୀ ପଟ୍ଟନାୟକ, ମନମୋହନ ଚୌଧୁରୀ ଆଦିଙ୍କ ଉପସ୍ଥିତିରେ ନବବାବୁ ହିଁ ଶେଷ ସଂଗ୍ରାମ ପାଇଁ ଚିଠା ପ୍ରସ୍ତୁତ କରିଥିଲେ।
ଏହା ପରେ ଢେଙ୍କାନାଳ ଓ ଅନୁଗୁଳ ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ଯେଉଁ ଆନ୍ଦୋଳନକାରୀମାନେ ସର୍ବସ୍ୱାନ୍ତ ହୋଇ କାରାବରଣ କଲେ, ସେମାନଙ୍କ ପରିବାରର ଅବସ୍ଥା ଦ୍ୱାରା ମର୍ମାହତ ହୋଇ ସେମାନଙ୍କର ଶିଶୁମାନଙ୍କର ରକ୍ଷଣାବେକ୍ଷଣ ଓ ସେମାନଙ୍କୁ ଶିକ୍ଷା ଅଭାବରୁ ରକ୍ଷା କରିବା ପାଇଁ ୧୯୪୬ ମସିହା ମେ’ ଏଗାର ତାରିଖ ଦିନ ନବବାବୁ ଓ ମାଳତୀ ଦେବୀଙ୍କର ସୁଦୂରପ୍ରସାରୀ ଚିନ୍ତନରୁ ବାଜିରାଉତ ଛାତ୍ରାବାସର ଜନ୍ମ ହୋଇଥିଲା, ଯାହାକି ଅନୁଗୁଳରେ ମୌଳିକ ଶିକ୍ଷାର ପ୍ରୟୋଗ କରିଥିଲା। ସେହି ବର୍ଷ ହିଁ ଜୀବନ ବିଦ୍ୟାଳୟ ବା ଉତ୍ତର ମୌଳିକ ବିଦ୍ୟାଳୟ ଅନୁଗୁଳର ଚମ୍ପତିମୁଣ୍ଡାଠାରେ ପ୍ରତିଷ୍ଠା କରାଯାଇଥିଲା। ଗାନ୍ଧୀଜୀଙ୍କ ପରିକଳ୍ପିତ ଥ୍ରୀ-ଏଚ୍ ଫର୍ମୁଲା- ହେଡ୍, ହାର୍ଟ ଆଣ୍ଡ ହ୍ୟାଣ୍ଡର ବିକାଶକୁ ଆଧାର କରି ଜୀବନ ବିଦ୍ୟାଳୟର ପରିଚାଳନା କରାଯାଉଥିଲା। ନବକୃଷ୍ଣ ଚୌଧୁରୀ ଚମ୍ପତିମୁଣ୍ଡା ବିଦ୍ୟାଳୟରେ କିଛିଦିନ ଧରି ଶିକ୍ଷକତା ମଧ୍ୟ କରିଥିଲେ, ଯାହାକି ୧୯୫୪ ମସିହାରେ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିଲା।
କେବଳ ଏହି ଦୁଇ ଯୁଗାନ୍ତକାରୀ ଅନୁଷ୍ଠାନ ନୁହେଁ, ଏଥି ସହିତ ବାଜିରାଉତ ଛାତ୍ରାବାସ ପରିସରକୁ ଲାଗି ଉତ୍କଳ ନବଜୀବନ ମଣ୍ଡଳ ମଧ୍ୟ ଗଠନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଆଦିବାସୀ ଅଞ୍ଚଳରେ ଗାନ୍ଧୀଜୀଙ୍କର ଗଠନାତ୍ମକ କାର୍ଯ୍ୟକୁ କାର୍ଯ୍ୟକାରୀ କରାଇବା ଓ ସେମାନଙ୍କର ଉନ୍ନତି କରାଇବା। ଶ୍ରୀ ଗୋପୀନାଥ ମହାନ୍ତି ଲେଖନ୍ତି, ଓଡ଼ିଶା ସାରା ନାନା ସ୍ଥାନରେ ଅନୁନ୍ନତ ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ଗୋଟିଏ କେନ୍ଦ୍ର ପ୍ରତିଷ୍ଠା କରି ସେହି ଦୁର୍ଗମ ଅଞ୍ଚଳରେ କର୍ମୀ ରଖାଇ ଆଦିବାସୀମାନଙ୍କର ନାନା ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ, ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ଉଦ୍ଦେଶ୍ୟରେ ଉତ୍କଳ ନବଜୀବନ ମଣ୍ଡଳ ମଧ୍ୟ ଗଠନ କରାଯାଇଥିଲା ଏବଂ ଏହା ହିଁ ଆନୁଷ୍ଠାନିକ ତଥା ବ୍ୟାପକ ଭାବେ ଓଡ଼ିଶାର ଆଦିବାସୀ ଉନ୍ନୟନ କାର୍ଯ୍ୟ ପାଇଁ ଏକ ପ୍ରକାରର ପ୍ରଥମ ସଂସ୍ଥା ଥିଲା।
ଏହା ପରେ ୧୯୪୬ ମସିହାରେ ନବକୃଷ୍ଣ ଚୌଧୁରୀ ଉତ୍ତର କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇ ରାଜସ୍ୱ ମନ୍ତ୍ରୀ ହୋଇଥିଲେ। ଏଥି ସହିତ ଯୋଗାଣ, ପରିବହନ ଓ ଜଙ୍ଗଲ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଥିଲା। ମାତ୍ର ୧୯୪୮ ମସିହାରେ ପୁତ୍ର ବିୟୋଗ ଶୋକରେ ମର୍ମାହତ ହୋଇ ସେ ନିଜ ପଦରୁ ଇସ୍ତଫା ଦେଇ ବାଜିରାଉତ ଛାତ୍ରାବାସ ଚାଲିଯାଇଥିଲେ। ଏହି ସ୍ୱଳ୍ପ ମନ୍ତ୍ରିତ୍ୱ କାଳରେ ମଧ୍ୟ ସେ ଯେଉଁ ଅଗ୍ରଗାମୀ ପଦକ୍ଷେପମାନ ନେଇଥିଲେ, ତାହା ହେଉଛି ଓଡ଼ିଶାରେ ଯାତ୍ରୀ ପରିବହନ ବ୍ୟବସ୍ଥାର ଜାତୀୟକରଣ, ଜମିଦାରୀ ଉଚ୍ଛେଦ ନିମନ୍ତେ ସୁପାରିଶ ଏବଂ ଅଞ୍ଚଳ ଶାସନ ବ୍ୟବସ୍ଥାର ପ୍ରଚଳନ ନିମନ୍ତେ ପ୍ରସ୍ତାବ। ଏହି ସମୟରେ ଓଡ଼ିଶା ଲ୍ୟାଣ୍ଡ ରେଭିନ୍ୟୁ ଆଣ୍ଡ ଲ୍ୟାଣ୍ଡ ଟେନ୍ୟୁର କମିଟି ଗଠନ କରାଯାଇଥିଲା ଏବଂ ନବକୃଷ୍ଣ ଚୌଧୁରୀ ସେହି କମିଟିର ଚେୟାରମ୍ୟାନ୍ ଥିଲେ। ସେହି ସମୟରେ ଭୂରାଜସ୍ୱ ଓ ଭୂସତ୍ତ୍ୱ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଚାଷୀ ଓ ଚାଷର ଉନ୍ନତି ପାଇଁ ଉପାୟ ଖୋଜିବା ଥିଲା ସେହି କମିଟିର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୯ ମସିହା ଜୁଲାଇ ମାସରେ ଏହି କମିଟି ଜମିଦାରୀ ଉଚ୍ଛେଦ ଏବଂ ଭାଗଚାଷୀର ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ ପାଇଁ ସୁପାରିଶ କରିଥିଲା, ଯାହାକି ନବକୃଷ୍ଣ ଚୌଧୁରୀ ପରବର୍ତ୍ତୀ ସମୟରେ ନିଜର ମୁଖ୍ୟମନ୍ତ୍ରୀତ୍ୱ କାଳରେ କାର୍ଯ୍ୟକାରୀ କରାଇଥିଲେ।
ଏହାପରେ ୧୯୪୯ ମସିହାରେ ସରକାର ତାଙ୍କୁ ମୌଳିକ ଶିକ୍ଷା ସଂଗଠକ ପଦବୀ ଅର୍ପଣ କରିଥିଲେ। ଜଣେ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରିବା ଆଜିର ଦିନରେ କେତେବା ଦେଖାଯାଏ! ଏହାପରେ ଜଣେ ମୌଳିକ ଶିକ୍ଷାର ସଂଗଠକ ହିସାବରେ ମଧ୍ୟ ସେ ସୁଚାରୁ ରୂପେ ତାଙ୍କର ଦାୟିତ୍ୱ ନିର୍ବାହ କରିଥିଲେ, ଯାହାକି ‘ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରୟୋଗ’ ପୁସ୍ତକରୁ ସ୍ପଷ୍ଟ ରୂପେ ଜଣାଯାଏ।
ଏହା ପରେ ୧୨ ମେ, ୧୯୫୦ ମସିହାରେ ମହତାବଙ୍କ ଇସ୍ତଫା ପରେ ନେହେରୁଙ୍କ ଅନୁରୋଧକ୍ରମେ ଓଡ଼ିଶାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ରୂପେ ସେ ଶପଥ ଗ୍ରହଣ କରିଥିଲେ। ୧୨ ମେ, ୧୯୫୦ ରୁ ୧୯ ଅକ୍ଟୋବର, ୧୯୫୬ ପର୍ଯ୍ୟନ୍ତ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଅନେକ ଯୁଗାନ୍ତକାରୀ ଆଇନ ପ୍ରଣୟନ କରିଥିଲେ ଓ ପଦକ୍ଷେପମାନ ନେଇଥିଲେ, ଯାହାକି ଆଗାମୀ ଓଡ଼ିଶାର ରାଜନୈତିକ ଅର୍ଥନୀତିକୁ ଦିଗ୍ ଦର୍ଶନ ଦେଇଥିଲା।
ସେଗୁଡ଼ିକ ହେଲା-
୧. ଓଡ଼ିଶା ରାଜ୍ୟ ଜମିଦାରୀ ଉଚ୍ଛେଦ ଆଇନ, ୧୯୫୧: ଏହି ଆଇନ ଦ୍ୱାରା ଜମିଦାରୀ ପ୍ରଥାର ଉଚ୍ଛେଦ ହୋଇଥିଲା।
୨. ଓଡ଼ିଶା ଭୂଦାନ ଯଜ୍ଞ ଆଇନ, ୧୯୫୩: ଏହି ଆଇନ ଭୂଦାନ ଆନ୍ଦୋଳନକୁ ଆଇନଗତ ସମର୍ଥନ ଯୋଗାଇଥିଲା ଓ ଦାନ ଆକାରରେ ପ୍ରାପ୍ତ ଜମିକୁ ବାସ୍ତବ ଭୂମିହୀନ ଲୋକଙ୍କ ମଧ୍ୟରେ ବଣ୍ଟନ କରିବା ସହିତ ଜଡ଼ିତ ଥିଲା।
୩. ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪: ଏହି ଆଇନ ଓଡ଼ିଆ ଭାଷାରେ ଶାସନ ପରିଚାଳନା କରି ପ୍ରଶାସନକୁ ଲୋକାଭିମୁଖୀ, ସହଜ ଓ ସୁଗମ କରିବା ଦିଗରେ ଉଦ୍ଦିଷ୍ଟ ଥିଲା।
୪. ନବବାବୁଙ୍କ ସରକାର ଦ୍ୱାରା ନିଆ ଯାଇଥିବା ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ଓଡ଼ିଶା ପ୍ରଜାସତ୍ୱ ରିଲିଫ୍ ଆଇନ୍, ୧୯୫୫ । ଏହା ଅନୁଯାୟୀ,ଜମିଦାର ବା ଜମି ମାଲିକ ଜଣେ ଭାଗଚାଷୀଙ୍କଠାରୁ ମୋଟ ଉତ୍ପାଦିତ ଫସଲର ଏକ-ଚତୁର୍ଥାଂଶ (୨୫%) ରୁ ଅଧିକ ଭାଗ ଖଜଣା ଭାବରେ ନେଇପାରିବେ ନାହିଁ। ଏହାଦ୍ୱାରା ଭାଗଚାଷୀମାନଙ୍କୁ ଅତ୍ୟଧିକ ଖଜଣା ଆଦାୟ ଓ ଜମିଦାରଙ୍କ ଶୋଷଣରୁ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା। ଏହା ଜମିଦାରମାନଙ୍କ ଦ୍ୱାରା ଭାଗଚାଷୀମାନଙ୍କୁ ମନମୁଖୀ ଭାବେ ଜମିରୁ ଉଚ୍ଛେଦ କରିବାରୁ ଭାଗଚାଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲା।
୫. ଓଡ଼ିଶା ଅଞ୍ଚଳ ଶାସନ ଆଇନ, ୧୯୫୫: ଏହି ଆଇନ ଅଞ୍ଚଳ ଶାସନ ଓ ଅଞ୍ଚଳ ସଭା ପ୍ରତିଷ୍ଠା ଦ୍ୱାରା କ୍ଷମତାର ବିକେନ୍ଦ୍ରୀକରଣ କରିବା, ଶାସନ କ୍ଷେତ୍ରରେ ଲୋକଙ୍କ ଭାଗୀଦାରି ସୁନିଶ୍ଚିତ କରି ତୃଣମୂଳ ଗଣତନ୍ତ୍ରର ପ୍ରତିଷ୍ଠା କରିବା ଦିଗରେ ଉଦ୍ଦିଷ୍ଟ ଥିଲା।
୬. ଏହାପରେ ଓଡ଼ିଶା ନିଶାନିବାରଣ ଆଇନ, ୧୯୫୬ ମଧ୍ୟ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ପାରିତ ହୋଇଥିଲା। ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ଉତ୍ପାଦନ, ବିକ୍ରୟ ଓ ସେବନକୁ ନିଷିଦ୍ଧ କରି ନିଶାନିବାରଣ ଓ ଜନସ୍ୱାସ୍ଥ୍ୟ କଲ୍ୟାଣ ସମ୍ବନ୍ଧୀୟ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ଏହି ଆଇନର ଉଦ୍ଦେଶ୍ୟ ଥିଲା।
୭.ଏତଦ୍ବ୍ୟତୀତ, ଅନ୍ୟାୟ ଓ ଅତ୍ୟାଚାର ଉପରେ ଆଧାରିତ ମୁଠାଦାରୀ ପ୍ରଥା ଓ ଗୋତି ପ୍ରଥାର ଉଚ୍ଛେଦ ମଧ୍ୟ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ହୋଇଥିଲା।
୮. କେବଳ ସେତିକି ନୁହେଁ, ତାଙ୍କରି ସମୟରେ ୧୯୫୬ ମସିହାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା।
୯. ତାଙ୍କରି ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୫୩ ମସିହାରେ ହୀରାକୁଦ ନଦୀବନ୍ଧ ଯୋଜନାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।
୧୦. ତାଙ୍କରି କାଳରେ ଓଡ଼ିଶାର ପ୍ରଥମ କୃଷି ମହାବିଦ୍ୟାଳୟ, ଯାହା ୧୯୫୪ ମସିହାରେ ‘ଉତ୍କଳ କୃଷି ମହାବିଦ୍ୟାଳୟ’ ନାମରେ ପ୍ରତିଷ୍ଠିତ ହୋଇଥିଲା, ତାହା ବର୍ତ୍ତମାନ ‘କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର’ ନାମରେ ପରିଚିତ। ଏହା ବର୍ତ୍ତମାନ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ଅଧୀନରେ ପରିଚାଳିତ ହେଉଛି।
୧୧. ଓଡ଼ିଶାର ପ୍ରଥମ ପଶୁ ଚିକିତ୍ସା ମହାବିଦ୍ୟାଳୟ, ଯାହା ଆଜି ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପଶୁ ପାଳନ ମହାବିଦ୍ୟାଳୟ ନାମରେ ପରିଚିତ, ତାହା ମଧ୍ୟ ତାଙ୍କରି କାର୍ଯ୍ୟକାଳରେ ପ୍ରତିଷ୍ଠିତ ହୋଇଥିଲା। ଏହା ବର୍ତ୍ତମାନ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ଅଧୀନରେ ପରିଚାଳିତ ହେଉଛି।
୧୨. ଏଥି ସହିତ ବୁର୍ଲାରେ ଯେଉଁ ଇଞ୍ଜିନିୟରିଂ କଲେଜ ଆଜି ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ନାମରେ ପରିଚିତ, ତାହା ମଧ୍ୟ ତାଙ୍କରି ସମୟରେ ପ୍ରତିଷ୍ଠା କରାଯାଇଥିଲା।
୧୩. ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ତାଙ୍କରି ସମୟରେ ଉଦଘାଟିତ ହୋଇଥିଲା।
୧୪. ରାଜଗାଙ୍ଗପୁରରେ ସିମେଣ୍ଟ କାରଖାନା ନିର୍ମାଣ, କଟକର ମଧୁପାଟଣା ଅଞ୍ଚଳରେ ଶିଳ୍ପାଞ୍ଚଳର ଆରମ୍ଭ କାର୍ଯ୍ୟ ମଧ୍ୟ ତାଙ୍କରି ସମୟରେ ହୋଇଥିଲା।
୧୫. ଏସବୁ ସହିତ ମୌଳିକ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ନିମ୍ନ ମୌଳିକ ବିଦ୍ୟାଳୟ ଓ ଉଚ୍ଚ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇ, ଏହି ବିଦ୍ୟାଳୟଗୁଡ଼ିକ ପାଇଁ ତାଲିମପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ତାଙ୍କରି ଉଦ୍ୟମରେ ୧୯୫୫ ମସିହାରେ ଅନୁଗୁଳଠାରେ ମୌଳିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା, ଯାହାକି ଏବେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ନାମରେ ପରିଚିତ।
୧୬. ଏତଦ୍ବ୍ୟତୀତ, ଟ୍ରାଇବାଲ୍ ରିସର୍ଚ୍ଚ ବ୍ୟୁରୋ (TRB)ବା ଆଦିବାସୀ ଗବେଷଣା ପରିଷଦ ନାମରେ ଏକ ଅର୍ଦ୍ଧସରକାରୀ ସଂସ୍ଥା ଗଢ଼ି ତାକୁ ଜାନୁଆରୀ ୧ ତାରିଖ, ୧୯୫୩ ମସିହାଠାରୁ ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ପରିଷଦରେ ନବକୃଷ୍ଣ ଚୌଧୁରୀ କାର୍ଯ୍ୟକ୍ଷମ କରାଇଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ଗବେଷଣା ଦ୍ୱାରା ଆଦିବାସୀମାନଙ୍କର ପ୍ରକୃତ ସ୍ଥିତି, ସମାଜ, ପରମ୍ପରା, ସଂସ୍କୃତି, ମୂଲ୍ୟବୋଧ ଓ ଅର୍ଥନୀତିକୁ ସ୍ପଷ୍ଟ ରୂପେ ବୁଝିବା ଏବଂ ତାହାକୁ ଆଧାର କରି ସେମାନଙ୍କ ପାଇଁ ବିକାଶର ପନ୍ଥା ନିର୍ଦ୍ଧାରଣ କରିବା। ଏହି ଅନୁଷ୍ଠାନ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ନାମରେ ପରିଚିତ।
୧୭. ଏହି ସବୁ ସହିତ ଓଡ଼ିଶାରେ ପ୍ରାକୃତିକ ସମ୍ବଳର ରକ୍ଷଣାବେକ୍ଷଣ ପାଇଁ, ଖାସ୍ କରି ଓଡ଼ିଶାର ଖଣିଜ ସମ୍ପଦର ସୁପରିଚାଳନା ପାଇଁ, ମେ ୧୯୫୬ ରେ ଓଡ଼ିଶା ଖଣି ନିଗମ ମଧ୍ୟ ତାଙ୍କରି ସମୟରେ ଗଠିତ ହୋଇଥିଲା।
ଏ ସବୁ ସହିତ ୧୯୫୬ ମସିହା ଅକ୍ଟୋବର ୧୯ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କର ଲୋକାଭିମୁଖୀ ରାଜନୀତିର ଅନ୍ତ ଘଟିନଥିଲା। ସେ ଏହାପରେ ସର୍ବୋଦୟ ଆନ୍ଦୋଳନ ସହିତ ନିଜକୁ ଯୋଡ଼ିଥିଲେ ଏବଂ ୧୯୫୭ ମସିହା ବେଳକୁ ସର୍ବସେବା ସଂଘର ଅଧ୍ୟକ୍ଷ ରୂପରେ ଅଧିଷ୍ଠିତ ହୋଇଥିଲେ। ୧୯୬୪-୧୯୬୫ ମସିହା ମଧ୍ୟରେ ନାଗାଲାଣ୍ଡ, କାଶ୍ମୀର ଓ ରାଉରକେଲା ଭଳି ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଓ ଅଶାନ୍ତି ଦେଖାଦେଇଥିଲା। ଏହାକୁ ଦମନ କରି ସାମ୍ପ୍ରଦାୟିକ ସଦ୍ଭାବ ଓ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ମଧ୍ୟ ସେ ଆପ୍ରାଣ ଉଦ୍ୟମ କରିଥିଲେ। ଏହାପରେ କଂଗ୍ରେସ ଦଳ ଓ ଇନ୍ଦିରା ଗାନ୍ଧୀଙ୍କର ଏକଛତ୍ରବାଦୀ କାର୍ଯ୍ୟକଳାପର ବିରୋଧରେ ୧୯୭୪ ମସିହାରେ ସେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ଏବଂ ଓଡ଼ିଶାରେ ଜେପି ଆନ୍ଦୋଳନକୁ ମଜବୁତ କରିବାର ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ। ବୃଦ୍ଧ ବୟସରେ ମଧ୍ୟ ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ସେ କାରାବରଣ କରିଥିଲେ। ଶେଷରେ, ତାଙ୍କ ଜୀବନ ଯାତ୍ରାର ଅନ୍ତ ସହିତ ୨୪ ଜୁନ୍ ୧୯୮୪ ମସିହାରେ ମାନବମୁକ୍ତି ନିମନ୍ତେ ତାଙ୍କର ଆଜୀବନ ସଂଗ୍ରାମର ଅନ୍ତ ଘଟିଥିଲା।
ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଓ କର୍ମକୁ ବିଶ୍ଳେଷଣ କଲେ ତାଙ୍କ ପରିଚୟର ବ୍ୟାପକତା ସ୍ପଷ୍ଟ ରୂପେ ଜାଣିହୁଏ। ସ୍ୱାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ। ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ ପରିପ୍ରେକ୍ଷୀରେ ବିଚାର କଲେ, ସେ ଓଡ଼ିଶାର ସମାଜବାଦୀ ବିଚାରଧାରାର ମୂଳଦୁଆ ସ୍ଥାପନ କରିଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍ୟତମ। କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଅନୁଧ୍ୟାନ କଲେ, ସେ କୃଷକର ମର୍ଯ୍ୟାଦା ପାଇଁ ଲଢ଼ିଥିବା ଜଣେ ଲଢ଼ୁଆ ଏବଂ ଉତ୍କଳ ନବଜୀବନ ମଣ୍ଡଳ ପରିପ୍ରେକ୍ଷୀରେ ବିଚାର କଲେ, ବଞ୍ଚିତ ସମାଜର ବନ୍ଧୁ ରୂପେ ପରିଣତ ହୁଅନ୍ତି। ବାଜିରାଉତ ଛାତ୍ରାବାସ ଓ ଜୀବନ ବିଦ୍ୟାଳୟ ଦୃଷ୍ଟିକୋଣରୁ ତାଙ୍କୁ ଜଣେ ମୌଳିକ ଶିକ୍ଷାର ପ୍ରବକ୍ତା ଭାବେ ଦେଖାଯାଏ। ଜମିଦାରୀ ପ୍ରଥା ଉଚ୍ଛେଦ, ଭୂଦାନ ଆନ୍ଦୋଳନ ସହିତ ତାଙ୍କର ଜଡ଼ିତ ହେବା ତାଙ୍କୁ ଭୂମି ସଂସ୍କାରର ପୁରୋଧା ଓ କୃଷକ ନେତା ଭାବରେ ପ୍ରତିଷ୍ଠା କରେ। ଓଡିଆ ଭାଷାରେ ଶାସନ ଚଳାଇବା, ଓଡ଼ିଆ type writer ର ପ୍ରଚଳନ, ଓ ବିଧାନ ସଭାରେ ଓଡ଼ିଆରେ ଭାଷଣ ଦେବାର ସଂସ୍କୃତି ତାଙ୍କୁ ଜନଭାଷାରେ ଶାସନର ପ୍ରବକ୍ତା ଭାବରେ ଚିହ୍ନିତ କରେ। ନିଶାନିବାରଣ ଆଇନ ତାଙ୍କୁ ନିଶାମୁକ୍ତି ଆନ୍ଦୋଳନର ଜଣେ ପ୍ରତୀକ ଭାବରେ ଏବଂ ନିଶାମୁକ୍ତିର ଦୃଢ଼ ସମର୍ଥକ ଭାବରେ ପରିଚିତ କରେ। ମୁଠାଦାରୀ ପ୍ରଥା ଓ ଗୋତି ପ୍ରଥା ଉଚ୍ଛେଦ ନିମନ୍ତେ ତାଙ୍କର ଅବଦାନ ତାଙ୍କୁ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଜଣେ ଅଗ୍ରଦୂତ ଭାବରେ ଚିତ୍ରିତ କରେ। ପ୍ରଜାସତ୍ତ୍ୱ ଆଇନ ତାଙ୍କୁ ଶୋଷଣବିରୋଧୀ ଆର୍ଥିକ ବ୍ୟବସ୍ଥାର ଜଣେ ଆଦ୍ୟ ପ୍ରସ୍ତାବକ ରୂପେ ଚିତ୍ରିତ କରେ। ଅଞ୍ଚଳ ଶାସନ ଆଇନ ତାଙ୍କୁ ତୃଣମୂଳ ଗଣତନ୍ତ୍ର ଓ ଗ୍ରାମୀଣ ଉନ୍ନତିର ଜଣେ ପ୍ରବକ୍ତା ଭାବରେ ପରିଚିତ କରେ। ହୀରାକୁଦ ନଦୀବନ୍ଧ ନିର୍ମାଣ, ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ରାଜଗାଙ୍ଗପୁର ସିମେଣ୍ଟ କାରଖାନା ନିର୍ମାଣ- ଏସବୁ କ୍ଷେତ୍ରରେ ତାଙ୍କର ଅବଦାନ ଆଧୁନିକ ଓଡ଼ିଶାର ଭିତ୍ତିଭୂମି ନିର୍ମାଣରେ ତାଙ୍କର ଭୂମିକାକୁ ଚିତ୍ରିତ କରେ। ଓଡ଼ିଶାରେ ଶିକ୍ଷାନୁଷ୍ଠାନମାନଙ୍କର ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ଅନୁଧ୍ୟାନ କଲେ, ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କ ଇତିହାସରେ ତାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବାର ଯୋଗ୍ୟ ବୋଲି ବିନା ଦ୍ୱିଧାରେ କୁହାଯାଇପାରେ। ନାଗାଲାଣ୍ଡ, କାଶ୍ମୀର, ରାଉରକେଲା ଆଦି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା ନିମନ୍ତେ ତାଙ୍କର ଅବଦାନ ଓ କାର୍ଯ୍ୟ ତାଙ୍କୁ ଜଣେ ଧର୍ମନିରପେକ୍ଷ ନେତା ଓ ଶାନ୍ତିର ପକ୍ଷଧର ଭାବରେ ଚିତ୍ରିତ କରେ। କଂଗ୍ରେସ ଓ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଜେପି ଆନ୍ଦୋଳନରେ ତାଙ୍କର ଭୂମିକା ତାଙ୍କୁ ଜଣେ ବିପ୍ଳବୀର ପରିଚୟ ପ୍ରଦାନ କରେ। ଟ୍ରାଇବାଲ୍ ରିସର୍ଚ୍ଚ ବ୍ୟୁରୋ ବା ଆଦିବାସୀ ଗବେଷଣା ପରିଷଦର ଗଠନ ତାଙ୍କୁ ଆଦିବାସୀ ସମସ୍ୟାର ସମାଧାନ ନିମନ୍ତେ ଗବେଷଣାର ଗୁରୁତ୍ୱକୁ ହୃଦୟଙ୍ଗମ କରିଥିବା ଜଣେ ସମ୍ବେଦନଶୀଳ ରାଜନେତା ଭାବରେ ପ୍ରତିଷ୍ଠା କରେ। ଏତଦବ୍ୟତୀତ ଜୀବନକାଳ ମଧ୍ୟରେ ଜଣେ ବିଧାୟକ, ରାଜସ୍ୱ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ସାମ୍ବିଧାନିକ ପଦବୀରେ ରହି ମଧ୍ୟ ଏବଂ ସାମ୍ବିଧାନିକ ପଦବୀ ଛାଡ଼ିବା ପରେ ମଧ୍ୟ ତାଙ୍କର ସାଦାସିଧା ଜୀବନଶୈଳୀକୁ ଅନୁଧ୍ୟାନ କଲେ, ଲୋଭ ଓ କ୍ଷମତାର ମୋହଠାରୁ ଊର୍ଦ୍ଧ୍ୱରେ ରହି ଏକ ଦୁର୍ନୀତିମୁକ୍ତ ରାଜନୀତିର ପ୍ରତୀକ ଏବଂ ଲୋଭ-ଲାଳସା ଶୂନ୍ୟ ବ୍ୟକ୍ତିତ୍ୱ ଭାବରେ ତାଙ୍କର ପରିଚୟ ସ୍ପଷ୍ଟ ପ୍ରତୀୟମାନ ହୁଏ।
ତେଣୁ ନିଃସନ୍ଦେହରେ କୁହାଯାଇପାରେ ଯେ ନବକୃଷ୍ଣ ଚୌଧୁରୀ କେବଳ ଓଡ଼ିଶାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି; ସେ ମୁଖ୍ୟମନ୍ତ୍ରୀ ପରିଚୟର ବହୁ ଊର୍ଦ୍ଧ୍ୱରେ।
ଗ୍ରନ୍ଥସୂଚୀ
Behera, R. (Ed.). (n.d.). Smaranika. Utkal Naba Jiban Mandal.
Biswal, S. K. (2020). Nabakrushna Choudhury and his times. International Journal of Creative Research Thoughts, 8(10), 1466–1470.
Das, C. (1992). Sri Nabakrushna Choudhury: Eka jeebanee. The Universe.
Dash, K. C. (2006a, June 16–30). Abhismaraniya Samyabadi Nabakrushna Choudhury. The Samadrusti, 18–22.
Dash, K. C. (2006b, June 16–30). Adwitiya Nabakrushna Choudhury. The Samadrusti, 9–11.
Dash, K. C. (2007a, June 16–30). Odishare Bhoodan Charcha. The Samadrusti, 5–9.
Dash, K. C. (2007b, November 16–30). Abhismaraniya Mukhyamantri Nabakrushna Choudhury. The Samadrusti, 9–12.
Dwibedy, S. (1984). Atulaniya. Bastia Memorial Trust.
Mishra, B. M. (2014). Nabakrushna Choudhury (B. M. Mishra, Trans.). National Book Trust, India.
Mohanty, B. (1994). Biplabi Jananayaka Sri Nabakrushna Choudhury. Bharata Bharati.
Naik, A. (2019). Lokasaktira sandhane: Nabakrishna Choudhury (2nd ed.). Grantha Mandir.
Naik, B. (2026). Gandhian intervention by Nabakrushna Choudhury: A study of the Orissa Prohibition Act, 1956, and its contemporary relevance. International Journal of Political Science and Governance, 8(5), 287–294.
Nath, S., Maharana, S. C., Naik, B., & Mohanty, A. K. (Comps.). (2001). Odishare maulika sikshara prayoga. Sikshasandhan.
Nayak, B. (2022b). Bhinna eka Nabakrushna. The Samadrusti.
Nayak, B. (2022d, June 16–30). Chasi, chasa o Nabakrushna Choudhury. The Samadrusti, 16(24), 15–17.
Nayak, B. (2025a). Nabakrushna Choudhury: Eka Adhyayana. The Freelancers; Gokulananda Choudhury Jatiya Pitha.
Nayak, P. (2019). Anirbana (6th ed.). Bidya Prakashan.
Nayak, P. (2021). Ebhali bi Mukhyamantri Thile. Milita Odisha Nisha Nivaran Abhijan.
Patnaik, S. (2016). Nabakrushna Choudhury: The man and his mission. Gyanajuga Publication.
Patra, A. (2018). Emiti jane mukhyamantri thile. Lohia Academy.
Rabi, S. (2023, December 16–31). Nabakrushnanka Ananyata: Eka Anwesana. The Samadrusti, 18(12), 16–20.
Sahoo, C. (2021). Bismaya Nabakrushna. Bijayinee Publications.
Swain, G., & Naik, B. (2021). ‘Bhoodan movement’ in Odisha and Nabakrushna Choudhury. Liberal Studies, 6(2), 181–192.
The Truth. (2026, February 27). Nabakrushna Choudhury: The conscience of Odisha politics. The Truth.
ଲେଖିକା: ବୈଜୟନ୍ତୀ ନାଏକ (ଅଧ୍ୟାପିକା, ରାଜନୀତି ବିଜ୍ଞାନ ବିଭାଗ,ଇସ୍ପାତ ସ୍ଵଂୟଶାସିତ ମହାବିଦ୍ୟାଳୟ , ରାଉରକେଲା )
Comments
0 comments

