ନିକଟରେ ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟରେ ଭାରତ ସମେତ ବିଶ୍ୱରେ ଆର୍ଥିକ ଅସମାନତାର ଏକ ଚିନ୍ତାଜନକ ଚିତ୍ର ସାମନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ଆର୍ଥିକ ଅସମାନତାର ବ୍ୟବଧାନ ଯେଉଁ ପରିମାଣରେ ଗଭୀର ହୋଇଛି, ସେପରି ବିଂଶ ଶତାବ୍ଦୀର ଆରମ୍ଭରେ ବି ନଥିଲା । ସମାଜରେ ଗରିବ ଅଧିକ ଗରିବ ହେଉଥିବାବେଳେ ଧନୀମାନଙ୍କ ସମ୍ପତ୍ତିରେ ସୀମାହୀନ ବୃଦ୍ଧି ଦେଖିବାକୁ ମିଳିଛି । ବିଭିନ୍ନ ଦେଶରୁ ସଂଗୃହୀତ ତଥ୍ୟର ଆଧାରରେ ଏହି ରିପୋର୍ଟରେ କୁହାଯାଇଛି ଯେ ୧୦% ଅଧିକ ଧନୀଙ୍କ ପାଖରେ ମୋଟ ସମ୍ପତ୍ତିର ତିନି ଚତୁର୍ଥାଂଶ ବା ୭୬% ରହିଥିବା ବେଳେ ଅଧାରୁ ଅଧିକ ବିଶ୍ୱବାସୀ ମାତ୍ର ୨%ରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ବିଶ୍ୱର ସବୁଠାରୁ ଧନୀ ରୂପେ ପରିଚିତ ୨୭୫୦ ଜଣ ବିଲିୟନିୟର ଦୁନିଆର ୩.୫% ସମ୍ପତ୍ତିର ଅଧିକାରୀ ହୋଇଥିବାବେଳେ ୩୮୮ କୋଟି ଲୋକଙ୍କ ପାଖରେ ମାତ୍ର ୨% ବୈଶ୍ୱିକ ସମ୍ପତ୍ତିର ମାଲିକାନା ରହିଛି ।
ବିଶ୍ୱରେ ଅସମାନତାର ଭୟାନକ ସ୍ଥିତି ପରିପ୍ରେକ୍ଷୀରେ ଆମଦେଶର ସ୍ଥିତିକୁ ବି ଚର୍ଚ୍ଚା କରିବା ଜରୁରୀ । ପ୍ୟାରିସ୍ ସ୍ଥିତ ‘ୱାର୍ଲ୍ଡ ଇନଇକ୍ୱାଲିଟି ଲେବ୍’ନାମକ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟରେ ଭାରତକୁ ଏକ ଅତ୍ୟନ୍ତ ଅସମାନତାପୂର୍ଣ୍ଣ ଦେଶ ବୋଲି ଘୋଷଣା କରିଛି । ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ଯେଉଁ ଦେଶମାନଙ୍କରେ ସବୁଠାରୁ ବେଶୀ ଅସମାନତା ରହିଛି, ତାରି ମଧ୍ୟରେ ଭାରତ ମଧ୍ୟ ରହିଛି । ସେଥିରେ କୁହାଯାଇଛି ଯେ ଭାରତ ଚରମ ଦାରିଦ୍ର୍ୟ ଓ ଅସମାନତାରେ ବୁଡ଼ି ରହିଛି । ଗତ ଦୁଇବର୍ଷ ହେଲା କରୋନା ମହାମାରୀ ଓ ତଜ୍ଜନିତ ଲକ୍ଡ଼ାଉନ୍ ଏହି ଅସମାନତାର ହାରକୁ ଆହୁରି ବଢ଼େଇ ଦେଇଛି ।
ରିପୋର୍ଟରେ ଦେଶରେ ଅସମାନତାରେ ଏଭଳି ଦୃତବୃଦ୍ଧି ପାଇଁ ଶାସକଶ୍ରେଣୀ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ନବଉଦାରବାଦୀ ଆର୍ଥିକ ନୀତିକୁ ଦାୟୀ କରାଯାଇଛି । ୧୯୯୧ରେ ଏହି ନୀତିର ପ୍ରଚଳନ ହେବା ପରଠାରୁ ଉଭୟ ବାର୍ଷିକ ଆୟ ଓ ଜାତୀୟ ସମ୍ପତ୍ତିରେ ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ଦୃତ ଗତିରେ ବୃଦ୍ଧିପାଇଛି । ଦେଶରେ ବର୍ଦ୍ଧିତ ଘରୋଇକରଣ ଫଳରେ ହାତଗଣତି ପୁଞ୍ଜିପତିଙ୍କ ହାତରେ ସମ୍ପତ୍ତିର ଠୁଳହେବା ସହ ସାଧାରଣ ଜନତାଙ୍କ ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ବାବଦରେ ବ୍ୟୟ ହ୍ରାସପାଇଛି । ୧୯୯୧ରେ ଦେଶର ଶୀର୍ଷ ୧୦% ଧନୀଲୋକଙ୍କ ହାତରେ ୫୧% ସମ୍ପତ୍ତି ରହିଥିବା ବେଳେ ତଳର ୫୦% ଲୋକଙ୍କ ହାତରେ ମାତ୍ର ୯% ସମ୍ପତ୍ତି ରହିଥିଲା । ଅଥଚ ୨୦୨୧ ମସିହାରେ ଉପରୋକ୍ତ ୧୦% ଲୋକଙ୍କ ହାତରେ ସମ୍ପତ୍ତିର ପରିମାଣ ୬୫%କୁ ବୃଦ୍ଧି ପାଇଥିବା ବେଳେ ୫୦% ଗରିବଙ୍କ ହାତରେ ସମ୍ପତ୍ତି ୬%କୁ ହ୍ରାସ ପାଇଛି । ସେହିପରି ୧୯୯୧ ମସିହାରେ ଶୀର୍ଷସ୍ଥ ୧୦% ଲୋକେ ମୋଟ ଜାତୀୟ ଆୟର ୩୫%ର ଅଧିକାରୀ ହୋଇଥିବାବେଳେ ତଳର ୫୦% ଗରିବଙ୍କ ହାତରେ ୨୦% ଜାତୀୟ ଆୟ ରହିଥିଲା । ଅଥଚ ୨୦୨୧ ମସିହାରେ ଉପରୋକ୍ତ ୧୦% ଧନୀ ଲୋକ ମୋଟ ଜାତୀୟ ଆୟର ୫୭%ର ଅଧିକାରୀ ହୋଇଥିବା ବେଳେ ସର୍ବାଧିକ ଗରିବ ୫୦% ଲୋକଙ୍କ ମୋଟ ଆୟ ଜାତୀୟ ଆୟର ୧୩%କୁ ହ୍ରାସ ପାଇଛି । ସମାଜରେ ଧନୀ ଗରିବଙ୍କ ମଧ୍ୟରେ ଅସମାନତାରେ ଏଭଳି ଅସ୍ୱାଭାବିକ ବୃଦ୍ଧିଟି ଆମର ଆର୍ଥିକ ନୀତିର ବିଫଳତାକୁ ହିଁ ପ୍ରମାଣିତ କରୁଛି ।
ବାର୍ଷିକ ଆୟର ତୁଳନାରେ ସମ୍ପତ୍ତି ଉପରେ ମାଲିକାନାର ମାପକାଠିରେ ଏହି ଅସମାନତାଟି ଆହୁରି ବେଶୀ । ଟାଟା, ବିରଳା, ଆମ୍ବାନୀ, ଆଦାନୀଙ୍କ ପରି ଦେଶର ଶୀର୍ଷସ୍ଥ ୧୦% ଧନୀ ଲୋକଙ୍କ ହାତରେ ମୋଟ ଜାତୀୟ ସମ୍ପତ୍ତିର ୬୫% ମାଲିକାନା ରହିଥିବାବେଳେ ପ୍ରାୟ ଅର୍ଦ୍ଧାଧିକ ଭାରତୀୟଙ୍କ ହାତରେ ମାତ୍ର ୬% ସମ୍ପତ୍ତି ରହିଛି । ଦେଶର ଜାତୀୟ ଆୟକ୍ଷେତ୍ରରେ ମଧ୍ୟ ୧୦% ଧନୀ ଭାରତୀୟ ୨୦୨୧-୨୨ରେ ସୃଷ୍ଟି ହୋଇଥିବା ମୋଟ ଜାତୀୟ ଆୟର ୫୭% ହାତେଇ ନେଇଥିବାବେଳେ ୫୦% ଭାରତୀୟଙ୍କ ଭାଗରେ ମାତ୍ର ୧୩% ଜାତୀୟ ଆୟ ଆସିଛି । କିଛି ଦିନ ପୂର୍ବରୁ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ଦେଖିବାକୁ ମିଳିଥିଲା । ବିଶ୍ୱର ସବୁଠାରୁ କ୍ଷୁଧାଗ୍ରସ୍ତ ୧୦୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୯୪ରହିଥିଲା । ଯାର ଫଳରେ ଦେଶର ୧୪% ମଣିଷ ଅପପୁଷ୍ଟିର ଶିକାର ହୋଇଥିବାବେଳେ ପର୍ଯ୍ୟାପ୍ତ ପୁଷ୍ଟିର ଅଭାବରେ ୩୭% ଶିଶୁଙ୍କ ଶାରୀରିକ ବିକାଶ ବାଧିତ ହେଉଛି । ନିକଟରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ଜାରୀ ବହୁଆୟାମୀ ଗରିବୀ ସୂଚକାଙ୍କ (Multi Dimensional Poverty Index)ରେ ମଧ୍ୟ ଦେଶର ପ୍ରତି ଚାରିଜଣରେ ଜଣେ ବ୍ୟକ୍ତି ବହୁକୋଣୀୟ ଭାବେ ଗରିବ ବୋଲି କୁହାଯାଇଛି ।
ଦି ୱାର୍ଲଡ଼ ମ୍ୟାପ୍ ଅଫ୍ ଇନ୍ଇକ୍ୱାଲିଟୀ ଅନୁଯାୟୀ କୌଣସି ଦେଶର ନାଗରିକମାନଙ୍କ ହାରାହାରି ଆୟଦେଖି ସେଠାକାର ଆୟ ଅସମାନତାର ଚିତ୍ରକୁ ବୁଝିହେବନି । ଉଦାହରଣ ସ୍ୱରୂପ ଆମେରିକାରେ ନାଗରିକମାନଙ୍କ ହାରାହାରି ମୁଣ୍ଡପିଛା ଆୟ ଅଧିକ ହେଲେ ବି ସେଠାରେ ଅସମାନତାଟି ଅତ୍ୟଧିକ ରହିଛି । ଅନ୍ୟପକ୍ଷରେ ସ୍ୱିଡ଼େନ ପରି ଦେଶରେ ଏହି ଅସମାନତାଟି ଅନେକ କରିମାଣରେ କମ୍ । ଗରିବ ଦେଶମାନଙ୍କ ମଧ୍ୟରେ ଭାରତରେ ଅସମାନତାଟି ଅତ୍ୟଧିକ ରହିଛି । ଭାରତରେ ଦାରିଦ୍ର୍ୟ ଓ ଅସମାନତା ଉଭୟ ଭୟଙ୍କର ରୂପ ଧାରଣ କରିଛି । ଦେଶର ୧% ଧନ କୁବେରଙ୍କ ହାତରେ ଦେଶର ମୋଟ ଜାତୀୟ ଆୟର ଏକ ପଞ୍ଚମାଂଶ (୨୨%) ଜମା ହୋଇଥିବାବେଳେ ଶୀର୍ଷ ୧୦% ଲୋକ ଦେଶର ମୋଟ ୫୭% ଆୟର ଅଧିକାରୀ ଥିବା ଜଣାପଡ଼ିଛି । ଅନ୍ୟପଟେ ଦେଶର ଅର୍ଦ୍ଧେକ ବ୍ୟକ୍ତିଙ୍କ ମୋଟ ଆୟ ଦେଶର ମୋଟ ଜାତୀୟ ଆୟର ମାତ୍ର ୧୩.୧% ରହିଥିବା ଜଣାପଡ଼ିଛି ।
ଆମଦେଶରେ ଲିଙ୍ଗଗତ ଅସମାନତାଟି ବି ଯଥେଷ୍ଟ ବେଶୀ ରହିଛି । ବିଶ୍ୱସ୍ତରରେ ଶ୍ରମ ବଜାରରେ ମହିଳାଙ୍କ ଭାଗିଦାରୀ କ୍ଷେତ୍ରରେ ଭାରତର ସ୍ଥିତି ନିରାଶାଜନକ ରହିଛି । ଚୀନକୁ ବାଦ୍ଦେଲେ ବାକି ଏସିଆରେ ମହିଳା ଶ୍ରମିକମାନଙ୍କ ଆୟ ପୁରୁଷଙ୍କ ଆୟର ତୁଳନାରେ ୨୧% ରହିଥିବା ବେଳେ ଭାରତରେ ତାହା ମାତ୍ର ୧୮% ରହିଛି । ୨୦୧୧-୧୯ ମଧ୍ୟରେ ଗ୍ରାମୀଣ କ୍ଷେତ୍ରରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ଭାଗିଦାରୀ ୩୫.୮%ରୁ ୨୬.୪%କୁ ହ୍ରାସ ପାଇଛି । ମହିଳାଙ୍କୁ ମିଳୁଥିବା ମଜୁରୀ ସାଧାରଣତଃ ପୁରୁଷଙ୍କ ତୁଳନାରେ କମ୍ ହୋଇଥାଏ । ଦେଶର ଶ୍ରମ ବଜାରରେ ଲିଙ୍ଗଗତ ଭେଦଭାବ ଏତେ ବ୍ୟାପକ ଯେ ଆଜି ବି ଅନେକ କ୍ଷେତ୍ର ଓ କାମ କେବଳ ପୁରୁଷଙ୍କ ପାଇଁ ହିଁ ସଂରକ୍ଷିତ ରହିଛି । ତମାମ ଆଇନଗତ ବ୍ୟବସ୍ଥା ଓ ସାମାଜିକ ସଚେତନତା ସତ୍ତ୍ୱେ ସମ୍ପତ୍ତି ଓ ଜମିର ଅଧିକାରରୁ ମହିଳାମାନେ ଆଜି ବି ବଂଚିତ ରହିଥିବା ଦେଖାଯାଇଛି । ଉଭୟ ସହରାଂଚଳ ଓ ଗ୍ରାମାଂଚଳକୁ ମିଶାଇଲେ ମହିଳାମାନେ ଆମର ମଜୁରୀ ମିଳୁଥିବା ଶ୍ରମଶକ୍ତିର ମାତ୍ର ୧୮% ରହିଛନ୍ତି ।
ଗତବର୍ଷ ତୁଳନାରେ ଚଳିତବର୍ଷ ଦେଶରେ ବେରୋଜଗାରୀଙ୍କ ସଂଖ୍ୟାରେ ଅତିଶୟ ବୃଦ୍ଧି ପାଇଛି । କରୋନା ଓ ଲକଡ଼ାଉନ୍ ଯୋଗୁଁ ଦେଶର ପ୍ରତି ପାଂଚ ଜଣରେ ଜଣେ ବ୍ୟକ୍ତି ନିଜର ରୋଜଗାର ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ ୧୮ରୁ ୨୯ବର୍ଷ ମଧ୍ୟରେ ରୋଜଗାର ହରାଇବାର ସଂଖ୍ୟାଟି ସବୁଠାରୁ ବେଶୀ । ୨୦୨୧ର ପ୍ରଥମ ତିନି ମାସ ମଧ୍ୟରେ ୨୨.୯% ବ୍ୟକ୍ତି ରୋଜଗାର ହରାଇଥିବାବେଳେ ୨୦୨୦ ମସିହାରେ ତାହା ୨୧.୧% ରହିଥିଲା । ୨୦୧୯ ଶେଷ ତ୍ରୈମାସିକୀରେ ସହରାଂଚଳରେ ମହିଳା ବେରୋଜଗାରଙ୍କ ହାର ୨୫% ଥିବାବେଳେ ଗତବର୍ଷ ତାହା ୩୦%କୁ ବୃଦ୍ଧି ପାଇଥିଲା ।
କରୋନା କାଳରେ ଦୁଇକୋଟି ଲୋକ ନିଜର ଚାକିରୀ ହରାଇଥିବାବେଳେ ୧୨ କୋଟି ଶ୍ରମିକ ନିଜର ରୋଜଗାର ହରାଇଛନ୍ତି । ଦେଶର ୪୦କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି । କରୋନାର ଏହି ଅବଧିରେ ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ସମ୍ପତ୍ତି ୨ଲକ୍ଷ କୋଟି ବୃଦ୍ଧି ପାଇଥିବାବେଳେ ଗୌତମ ଆଦାନୀ, ଅଜୀମ ପ୍ରେମଜୀ, ପୁନାୱାଲା ଆଦି ଶିଳ୍ପପତ୍ତିଙ୍କ ସମ୍ପତ୍ତିରେ ୩୦ ରୁ ୭୦ ହଜାର କୋଟି ଟଙ୍କା ବୃଦ୍ଧିପାଇଛି । ଦେଶର କୋଟି କୋଟି ସାଧାରଣ ମଣିଷ ଯେତେବେଳେ ନିଜର ରୋଜଗାର ହରାଇଛନ୍ତି, ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି, ସେତେବେଳେ ଦେଶର ମୁଷ୍ଟିମେୟ ପୁଞ୍ଜିପତି ବିପୁଳ ସମ୍ପତ୍ତି କମାଇବା ପଛରେ ସରକାରଙ୍କ ଅସମାନତା ବୃଦ୍ଧିକାରୀ ଆର୍ଥିକ ନୀତି ରହିଛି ।
ରିପୋର୍ଟରେ ବିଶ୍ୱରେ ବର୍ଦ୍ଧିତ ଅସମାନତା ପାଇଁ ନବଉଦାର ଆର୍ଥିକ ନୀତିକୁ ହିଁ ଦାୟୀ କରାଯାଇଛି । ଅର୍ଥନୀତିଜ୍ଞମାନଙ୍କ ମତରେ ୮୦ ଦଶକରୁ ହିଁ ସାରା ବିଶ୍ୱରେ ଆର୍ଥିକ ଅସମାନତା ବୃଦ୍ଧିପାଇ ଚାଳିଛି । ଯଦିଓ ପ୍ରାୟତଃ ସବୁଦେଶ ଆର୍ଥିକ ଅସମାନତା ବୃଦ୍ଧି ପାଇଁ ଦାୟୀ ନବ ଉଦାର ଅର୍ଥନୀତିକୁ ଆପଣେଇଛନ୍ତି, କିନ୍ତୁ ସବୁଠାରେ ଅସମାନତା ଏକାଭାବେ ବୃଦ୍ଧି ପାଇନି । ଆମେରିକା, ଋଷିଆ, ଭାରତ ପରି ଦେଶମାନଙ୍କରେ ଅସମାନତା ଦୃତ ହାରରେ ବୃଦ୍ଧି ପାଇଥିବାବେଳେ ପୂର୍ବ ୟୁରୋପର ଦେଶମାନଙ୍କରେ ଏହି ହାରଟି ମନ୍ଥର ରହିଛି । ଆମେରିକାର ନବେପ୍ରତିଶତ ଜନତାଙ୍କ ଆୟରେ ଗତ ୪୦ବର୍ଷ ମଧ୍ୟରେ ବୃଦ୍ଧି ଘଟିନଥିବା ଜଣାପଡ଼ିଛି । ସେଠାକାର ୧% ଧନୀଙ୍କର ସମ୍ପତ୍ତିରେ ଗତବର୍ଷ ୨୧୩% ବୃଦ୍ଧି ପାଇଥିବା ଜଣାପଡ଼ିଛି ।
ଭାରତରେ ଆର୍ଥିକ ବୈଷମ୍ୟର ଏହି ଚିତ୍ରଟି ନୂଆ ନୁହେଁ । ଦେଶ ସ୍ୱାଧୀନ ହେବା ସମୟରେ ଦେଶର ୧% ଧନୀଲୋକଙ୍କ ପାଖରେ ୨୦% ସମ୍ପତ୍ତି ଥିବାବେଳେ ତାହା ବୃଦ୍ଧି ପାଇ ଆଜି ଏକ ବିପଜ୍ଜନକ ସ୍ତରରେ ପହଂଚିଛି । ୧୯୮୦ ଦଶକରୁ ଏହି ବିଷମତା ବୃଦ୍ଧି ପାଇବା ସହିତ ୧୯୯୧ ମସିହାରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଲାଗୁହେବା ପରେ ଏହା ଅତି ଦୃତଗତିରେ ବଢ଼ିବାରେ ଲାଗିଛି । ନବ ଉଦାର ଆର୍ଥିକ ନୀତି ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ବୃଦ୍ଧିର ସବୁଠାରୁ ବଡ଼ କାରଣ ଭାବେ ଦେଖାଦେଇଛି ।
ଦେଶରେ ଧନୀ ଓ ଗରିବଙ୍କ ଆୟ ଓ ସମ୍ପତ୍ତିରେ ଏଭଳି ଦୃତ ବୈଷମ୍ୟ ପଛରେ ସାଧାରଣତଃ ପାଂଚଟି କାରଣକୁ ଚିହ୍ନିତ କରାଯାଇପାରେ । ପ୍ରଥମତଃ ଦେଶରେ ସମ୍ବଳର ଅସମାନ ବଣ୍ଟନ ବା ମାଲିକାନା । ଜମି, ଜଙ୍ଗଲ ପରି ଉତ୍ପାଦନର ଉପକରଣ ବା ସମ୍ପତ୍ତି ଉପରେ ଲୋକଙ୍କ ଅଧିକାର ଦେବାକୁ ଅତୀତରେ ଭୂସଂସ୍କାର ଆଇନ ଓ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏସବୁ ଆଇନ ଲୋକଙ୍କୁ ସେସବୁ ସମ୍ବଳ ଉପରେ ମାଲିକାନା ଦେବାରେ ସଫଳ ହୋଇପାରିନି । ଚାଷରେ ନିୟୋଜିତ ଅଧିକାଂଶ ଲୋକ ଆଜି ବି ଭୂମିହୀନ ରହିଥିବାବେଳେ ଜଙ୍ଗଲ ଉପରେ ନିର୍ଭରଶୀଳ ଦେଶର ଅଧିକାଂଶ ଲୋକଙ୍କର ତାରି ଉପରେ କୌଣସି ମାଲିକାନା ନାହିଁ କହିଲେ ଚଳେ । ଦେଶରେ ଆର୍ଥିକ ଅସମାନତାର ଅନ୍ୟତମ କାରଣ ହେଉଛି କୃଷି କ୍ଷେତ୍ରରେ ବୃଦ୍ଧି ପାଉଥିବା ସଙ୍କଟ, ଯାହାକି ଦେଶର ସିଂହଭାଗ ଲୋକଙ୍କୁ ଗରିବ କରିବା ସହିତ ସେମାନଙ୍କ କ୍ରୟ କ୍ଷମତାକୁ ହ୍ରାସ କରିଚାଲିଛି । କ୍ରମାଗତ ଭାବେ ସରକାରମାନଙ୍କ କୃଷକବିରୋଧି ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ଲାଗି ଦେଶରେ କୃଷିର ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଥିବାବେଳେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟରେ କୌଣସି ଆଖିଦୃଶିଆ କିମ୍ବା ସାର୍ଥକ ବୃଦ୍ଧି ହୋଇନାହିଁ । କୃଷିପାଇଁ ପୂର୍ବରୁ ଦିଆଯାଉଥିବା ସରକାରୀ ସବ୍ସିଡ଼ି ଓ ବଜେଟୀୟ ଅନୁଦାନ ହ୍ରାସ ପାଇବା ଯୋଗୁଁ ସେମାନଙ୍କ ଆୟ ହ୍ରାସ ହେବାରେ ଲାଗିଛି । ତୃତୀୟତଃ ଦେଶରେ ଦରବୃଦ୍ଧି ତୁଳନାରେ ଶ୍ରମିକଙ୍କ ମଜୁରୀରେ ଲଗାତାର ହ୍ରାସ । ଚତୁର୍ଥତଃ ନବଉଦାର ଅର୍ଥନୀତିରେ ସରକାରମାନେ ପୁଞ୍ଜିର ସ୍ୱାର୍ଥରେ ଶିକ୍ଷା, ସ୍ୱାସ୍ଥ୍ୟସେବା ପରି ବିଭିନ୍ନ ସେବାର ଯେଉଁ ଘରୋଇକରଣ କଲେ, ତାହା ବି ଆର୍ଥିକ ବିଷମତାକୁ ଅନେକ ପରିମାଣରେ ବଢ଼ାଇଛି । ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଆଦି ମୌଳିକ ସେବାମାନଙ୍କର ଘରୋଇକରଣ ହେବା ଓ ସେ ବାବଦରେ ସରକାରୀ ବିନିଯୋଗ ହ୍ରାସ ପାଇବା ଫଳରେ ତାହା ପୂର୍ବାପେକ୍ଷା ଅନେକ ଗୁଣ ମହଙ୍ଗା ହୋଇଛି । ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ମୌଳିକ ସେବା ବାବଦରେ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି । ସେମାନଙ୍କ ମୋଟ ଆୟର ଏକ ବଡ଼ ଭାଗ ନିଜ ପିଲାଙ୍କ ଶିକ୍ଷାଦାନ ଓ ଚିକିତ୍ସା ଖର୍ଚ୍ଚ ବାବଦରେ ଚାଲିଯାଉଛି । ଏହାର ଫଳସ୍ୱରୂପ ଲୋକଙ୍କ ଉପରେ ଅନାବଶ୍ୟକ ଖର୍ଚ୍ଚ ଭାର ସହ ସେମାନଙ୍କ ଦାରିଦ୍ର୍ୟକୁ ବଢ଼ାଇଛି ।
ଦେଶରେ ଆର୍ଥିକ ବୈଷମ୍ୟର ଆଉ ଏକ କାରଣ ହେଉଛି ସରକାରଙ୍କ ଗରିବବିରୋଧୀ ତଥା ଧନୀ ସପକ୍ଷବାଦୀ ଟିକସ ବ୍ୟବସ୍ଥା । ବିଶ୍ୱର ଉନ୍ନତ ଦେଶମାନଙ୍କରେ ଧନୀଙ୍କ ଉପରେ କର୍ପୋରେଟ୍ ଟିକସ, ସମ୍ପତ୍ତି ଟିକସ, ଉତ୍ତରାଧିକାର ଟିକସ ଏବଂ ଆୟକର ପରି ଅନେକପ୍ରକାର ଟିକସ ଥିବାବେଳେ ଆମ ଦେଶରେ ସେଭଳି ଟିକସର ସଂଖ୍ୟା କମ୍ ରହିଛି । ସେସବୁ ଦେଶର ସରକାରମାନେ ନିଜ ଆୟର ସିଂହଭାଗଟି ସିଧାସଳଖ ଧନୀଙ୍କ ଉପରୁ ଆଦାୟ ଟିକସ ବା ପ୍ରତ୍ୟକ୍ଷ ଟିକସ ଜରିଆରେ ସଂଗ୍ରହ କରୁଥିବାବେଳେ ଆମ ଦେଶରେ କିନ୍ତୁ ତାହା ସାଧାରଣ ଜନତାଙ୍କଠାରୁ ଆଦାୟ କରାଯାଉଛି । ଧନୀଙ୍କ ଉପରୁ ଆଦାୟ କରାଯାଉଥିବା କର୍ପୋରେଟ୍ ଟିକସର ହାରକୁ ସରକାର ହ୍ରାସ କରିଥିବାବେଳେ ପେଟ୍ରୋଲ, ଡ଼ିଜେଲ ଉପରେ ଆଦାୟ ହେଉଥିବା ପରୋକ୍ଷ ଟିକସର ହାରକୁ ବାରମ୍ବାର ବୃଦ୍ଧି କରି ସାଧାରଣ ଜନତାଙ୍କ ଉପରେ ଟିକସର ବୋଝକୁ ଏକରକମ ବଢ଼ାଇ ଚାଲିଛନ୍ତି ।
ଆର୍ଥିକ ବୈଷମ୍ୟରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ଚିନ୍ତାଜନକ । ଆମଦେଶରେ ସମ୍ବିଧାନ ପ୍ରଦତ୍ତ ସମାନତାର ବିଚାରକୁ ସାକାର କରିବାକୁ ହେଲେ ଆର୍ଥିକ ସମାନତା ଅତ୍ୟନ୍ତ ଜରୁରୀ । ସମାଜର ପଛୁଆ ଓ ଅବହେଳିତ ଲୋକଙ୍କୁ ଅନ୍ୟମାନଙ୍କ ସହ ସମାନ ସୁଯୋଗ ଓ ପ୍ରତିନିଧିତ୍ୱ ମିଳିବାକୁ ସୁନିଶ୍ଚିତ କରିବାପାଇଁ ଆର୍ଥିକ ସମାନତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆର୍ଥିକ ଅସମାନତାରେ ଏଭଳି ବୃଦ୍ଧି ଦେଶର ଅର୍ଥନୀତିକୁ ଭୟଙ୍କର ଭାବେ ଯେ ପ୍ରଭାବିତ କରିପାରେ, ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ଭାରତର ଆର୍ଥିକ ବିକାଶର ଲାଭ ସମସ୍ତଙ୍କୁ ମିଳିବା ପରିବର୍ତ୍ତେ ମାତ୍ର କିଛି ହାତଗଣତି ଲୋକ ତାର ସୁଫଳ ପାଇବା ଅତ୍ୟନ୍ତ ବିପଜ୍ଜନକ । ଏହା କୌଣସି ଭାବେ ଏକ ସୁସ୍ଥ ଏବଂ ସମ୍ପନ୍ନ ଅର୍ଥ ବ୍ୟବସ୍ଥା ପରିବର୍ତ୍ତେ ଏକ ଦୁର୍ବଳ ଅର୍ଥବ୍ୟବସ୍ଥାର ଲକ୍ଷଣ ବୋଲି କୁହାଯାଇପାରେ । ସମାଜରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ଫସଲ ଉତ୍ପାଦନ କରନ୍ତି, ଭିତ୍ତିଭୂମିର ନିର୍ମାଣ କରୁଛନ୍ତି ଏବଂ କାରଖାନାରେ କାମ କରୁଛନ୍ତି ସେମାନେ ନିଜର ସର୍ବନିମ୍ନ ଆବଶ୍ୟକତାରୁ ବଂଚିତ ହେବେ ଏହଭଳି ବ୍ୟବସ୍ଥା ଯେ ବେଶୀଦିନ ଚାଲିବ ନାହିଁ, ଅସମାନତା ରିପୋର୍ଟ ଆମକୁ ଏହି ବାର୍ତ୍ତା ଦେଇଛି ।
Photo Credit: https://bit.ly/3KYm9dc
Comments
0 comments