ଗାଁ ଭାଙ୍ଗିବା ନା ଗାଁ ଗଢ଼ିବା?

ସୁରେଶ ତ୍ରିପାଠୀ
ସୁରେଶ ତ୍ରିପାଠୀ167 Views
7 Min Read

ଛୋଟ ମୋର ଗାଁଟି ଇତିହାସ, ଭୂଗୋଳ ପୋଥିରେ ନଥାଉ ପଛେ ତାର ନାଁ, କିନ୍ତୁ ମୋ ଗାଁପ୍ରତି ଭଲପାଇବା ମୋର ହୃଦୟମନରେ କୋଣ ଅନୁକୋଣରେ ରହିଛି, ଶୈଶବର ବିଢାଇଥିବା ଗାଁ ଦାଣ୍ଡର ପ୍ରତିଟି ମୁହୂର୍ତ୍ତ, ପ୍ରାକ୍ ଯୌବନର ସାଙ୍ଗସାଥୀ ମେଳରେ କଟାଇଥିବା ମୁହୂର୍ତ୍ତ ସବୁ କିଛି ସୃତିରେ ଜୀବନ୍ତ, ଗାଁରେ ଥିବା ମଣିଷ ହେଉ କି ଗାଁରୁ ଦୂରରେ କୌଣସି ସହରରେ ରହୁଥିବା ଗ୍ରାମବାସୀଙ୍କ ଗାଁକୁ ନେଇ ହୃଦୟରେ ଭଲପାଇବା ରହିଛି । ଗାଁକୁ ଭଲ ପାଇବାଟା ଯେଉଁ ପରିମାଣରେ ଆମର କାର୍ଯ୍ୟକଳାପରେ ପ୍ରତିଫଳିତ ହେବାର କଥା ହେଉ ନାହିଁ । ଏକ ସୁନ୍ଦର ସତେଜ ଗାଁ ଗଢ଼ିବାର ସାମୂହିକ ସ୍ୱପ୍ନଟି ନାହିଁ । ଏଭଳି ଏକ ସ୍ୱପ୍ନ ଦେଖାଇବା ପାଇଁ ସରକାରଟି ବି ବିଫଳ ହେଇଛି । ସ୍ୱାଧୀନତାର ଅମୃତ ଉତ୍ସବ ପାଳନ ଅବସରରେ ଆଜି ଆମେ ଦୁଇ ଛକି ରାସ୍ତାରେ ଛିଡ଼ାହେଇଛୁଁ, ଗାଁକୁ ଭାଙ୍ଗିବା, ଭୂଗୋଳ ପୋଥିରୁ ତା’ର ନାଁଟିକୁ ସବୁଦିନ ପାଇଁ ଲିଭାଇ ଦେବା କି ଗାଁକୁ ଗାନ୍ଧୀଙ୍କ ସ୍ୱପ୍ନର ଗାଁ ଗଣରାଜ୍ୟ କରି ଗଢ଼ିବା? ଦେଶପାଇଁ ଏ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ବେଳ ଆସିଛି ।

ଆମଦେଶରେ ୬ଲକ୍ଷ୬୪ହଜାର ୩୬୯ଟି ଗାଁ ରହିଛି । ପ୍ରାୟେ ୯୦କୋଟି ଲୋକ ବାସ କରନ୍ତି, ଏହା ମୋଟ ଜନସଂଖ୍ୟାର ୬୫.୦୭% । ମୋଟ ଜନସଂଖ୍ୟାର ୨/୩ ଭାଗ ଗାଁରେ ରହନ୍ତି କିନ୍ତୁ ଦେଶର ଜିଡିପିରେ ତାଙ୍କର ମାତ୍ର୧/୩ ଅଂଶ ଯୋଗଦାନ । ଦେଶର ମୋଟ ବ୍ୟକ୍ତିଗତ ସଂପତ୍ତି ୪୬୫ ଟ୍ରିଲିୟନ ଟଙ୍କା, ଏଥିରୁ ୨୭୪ .୬ ଲକ୍ଷ କୋଟି ଟଙ୍କାର, ସମ୍ପର୍ତ୍ତି ରହିଛି ଗ୍ରାମାଞ୍ଚଳରେ । ଏହି ସମ୍ପତ୍ତିର ୧୩୯.୬ ଲକ୍ଷ କୋଟି ଦେଶର ଧନୀ୧୦% ଲୋକଙ୍କ ପାଖରେ ରହିଛି । ଦେଶର ଗ୍ରାମାଞ୍ଚଳ ସମ୍ପତ୍ତିର ପ୍ରାୟେ ୫୦ପ୍ରତିଶତ ଏହି ବର୍ଗ ନିକଟରେ ରହିଛି, ଏବଂ ଏହା କ୍ରମାଗତ ଭାବେ ବୃଦ୍ଧିପାଇ ଚାଲିଛି । ଗ୍ରାମରେ ସମ୍ପତ୍ତିହୀନଙ୍କ ସଂଖ୍ୟା ବଢ଼ି ଚାଲିଛି । ଦିଲ୍ଲୀ ରାଜ୍ୟରେ ଗ୍ରାମାଞ୍ଚଳର ୮୦.୮% ପ୍ରତିଶତ ସମ୍ପର୍ତ୍ତି ଧନୀ ୧୦ପ୍ରତିଶତ ଲୋକଙ୍କ ପାଖରେ ରହିଛି । ଏ ସ୍ଥିତିଟି ଆଗାମୀ ଦିନରେ ଦେଶସାରା ଗ୍ରାମାଞ୍ଚଳରେ ପରିଲକ୍ଷିତ ହେବ । ଗାଁର ଏକ ତୃତୀୟାଂଶ ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ଭିତରେ ବାସକରନ୍ତି । ଦେଶର ୨୨୦୦, ଲକ୍ଷ ଲୋକ ଦିନକୁ ୩୨ଟଙ୍କାରୁ କମ୍ ଖର୍ଚ୍ଚ କରିଥାନ୍ତି । ଏମାନଙ୍କର ସିଂହଭାଗଟି ଗାଁରେ ରହନ୍ତି । ତେବେ ଏପରି ପରିସ୍ଥିତିରେ ଏକ ସମୃଦ୍ଧ ଗାଁର ସମ୍ଭାବନା ରହିଛି କି? ଗାଁର ବିକାଶ ଦିଗରେ ସରକାର ଯେଉଁ ସବୁ ଯୋଜନା କରୁଛନ୍ତି ତାହା କଣ ଗ୍ରାମବାସୀଙ୍କ ନୂତନ ନିଯୁକ୍ତିପାଇଁ ରାସ୍ତାଟି ଫିଟାଉଛି କି? ବଡ଼ କୃଷକ, ଗୌନ୍ତିଆ, ଜମିଦାର ଶ୍ରେଣୀ ନିକଟରୁ ଯେଉଁ ଜମି ଭୂସଂସ୍କାର ଆଇନ ବା ଭୂଦାନ ଦ୍ୱାରା ଭୂମିହୀନମାନଙ୍କୁ ଦିଆଯାଇ ଥିଲା, ତାର ସ୍ଥିତି କଣ?

ବିଗତ ୨୦ବର୍ଷର ଗ୍ରାମୀଣ ବିକାଶର ମୋଡେଲକୁ (ଓଡ଼ିଶା, ଉତ୍ତର ପ୍ରଦେଶ ସମେତ ଦେଶର ଯେକୌଣସି ରାଜ୍ୟର ଗ୍ରାମାଞ୍ଚଳର ବିକାଶ)କୁ ଅଧ୍ୟୟନ କଲେ ସରକାରମାନେ ପଞ୍ଚାୟତ ମାଧ୍ୟମରେ ଯେଉଁ ବିକାଶ କରୁଛନ୍ତି ତାହା ହେଉଛି:- ୧) ଗାଁ ରାସ୍ତାର କଂକ୍ରିଟକରଣ, ୨–ସ୍କୁଲ, ପଞ୍ଚାୟତ ବାଉଣ୍ଡାରୀ,୩) କମ୍ୟୁନିଟି ସେଣ୍ଟର , ନୂତନ ପଞ୍ଚାୟତ ଗୃହ, ସ୍କୁଲ ଗୃହ ନିର୍ମାଣ, ୪) ପ୍ରଧାନମନ୍ତ୍ରୀ ଗୃହ, ଇନ୍ଦିରା ଆବାସ, ବିଜୁ ପକ୍କାଗୃହ ନିର୍ମାଣ (ନିଜର ଆବଶ୍ୟକତାନୁସାରେ ଗୃହର ଆକାର ନିର୍ମାଣ କରିବାକୁ ଯାଇ ହିତାଧିକାରୀ ନିଜର ପଶୁ ସଂପଦ ବିକ୍ରି ଓ ଋଣଗ୍ରସ୍ତ ହୋଇଥାନ୍ତି, ଏହାର ଅଧ୍ୟୟନ ହେବାର ଆବଶ୍ୟକ,) ୫-ମନେରେଗା! ଏସବୁ ବିକାଶ କାର୍ଯ୍ୟ ଶ୍ରମିକମାନଙ୍କୁ ସୀମିତ ସମୟ ପାଇଁ ରୋଜଗାର ପ୍ରଦାନ କରିଥାଏ ଏବଂ ଅନିୟମିତ! ଆପଣ ବିଚାର କରି କହନ୍ତୁ କୌଣସି ଗାଁରେ ଏମିତି କୌଣସି ବିକାଶ କାର୍ଯ୍ୟ ହୋଇଛି କି ଗାଁର ୨୫ପ୍ରତିଶତ ଯୁବପିଢ଼ିଙ୍କୁ ସ୍ଥାୟୀ ନିଯୁକ୍ତି ବା ନିୟମିତ ରୋଜଗାର ପ୍ରଦାନ କରି ପାରିବ? ୯୦% ଗାଁ କ୍ଷେତ୍ରରେ ଏ ପ୍ରଶ୍ନଟିର ଉତ୍ତର ହେବ ନାଁ ।

କୌଣସି ଅଞ୍ଚଳରେ ଗ୍ରାମାଞ୍ଚଳରେ ସ୍ଥାପିତ ହେଉଥିବା ବୃହତ ଶିଳ୍ପ, ଖଣିକ୍ଷେତ୍ରରେ ଏହାର ଅପବାଦ ହେବ । ଏଠାରେ ଆମକୁ ମନେ ରଖିବାକୁ ହେବ ଯେ ଏହି ଶିଳ୍ପମାନଙ୍କରେ ଯେଉଁ ଶ୍ରମିକ କାମକରନ୍ତି, (ଅସ୍ଥାୟୀ, ଅନିୟମିତ -ମାସକୁ ୨୫ଦିନ) ଏବଂ ସରକାରଙ୍କ ସର୍ବନିମ୍ନ ମଜୁରୀ ମିଳିଥାଏ । ଅଧିକାଂଶ ପ୍ରବାସୀ ଶ୍ରମିକ ହୋଇଥିବାରୁ ଆୟର ସିଂହଭାଗ, ଖାଦ୍ୟ, ଘରଭଡ଼ା ,ସ୍ୱାସ୍ଥ୍ୟ (ଶିଳ୍ପାଞ୍ଚଳରେ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ)ରେ ଖର୍ଚ୍ଚ ହୋଇଥାଏ, ଅତିରିକ୍ତ ପରିଶ୍ରମ କରି ପରିବାର ପାଇଁ କିଛି ପଇସା ପଠାଇଥାନ୍ତି । ଅସ୍ଥାୟୀ ଶିଳ୍ପଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ସର୍ବନିମ୍ନ ମଜୁରୀ ସରକାର ଘୋଷଣା କରି ନାହାନ୍ତି । ଗ୍ରାମରେ ଯେଉଁ ନିଯୁକ୍ତି ସୃଷ୍ଟି ହୁଏ ତାଠୁ ଅଧିକ ଆର୍ଥôକ କ୍ଷତି କୃଷିକ୍ଷେତ୍ରରେ ଦେଖାଯାଏ । ତେବେ ଗ୍ରାମଲୋକଙ୍କ ବଞ୍ଚିବା ପାଇଁ ଆୟର ସବୁଠୁ ବଡ଼ ମାଧ୍ୟମ କୃଷି । ବଡ଼ ସଂଖ୍ୟାରେ ଗ୍ରାମବାସୀ ସହରାଞ୍ଚଳକୁ ଜୀବିକା ପାଇଁ ପଳାୟନ (ଏ ଚିତ୍ରଟି ସ୍ପଷ୍ଟ ହୋଇଥିଲା ଲକଡାଉନ ସମୟରେ, ପ୍ରବାସୀ ଶ୍ରମିକଙ୍କ ଗୃହଫେରନ୍ତା ଚିତ୍ରରୁ) କରନ୍ତି, ଏ ପ୍ରକ୍ରିୟା ଯୋଗୁଁ ସହରାଞ୍ଚଳ ଜନସଂଖ୍ୟା ବୃଦ୍ଧି ବିଗତ ୨୦ବର୍ଷରେ ପ୍ରାୟେ ୩୦ପ୍ରତିଶତ ବୃଦ୍ଧି ପାଇଛି । ସରକାରଙ୍କ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଦେଶର ୪୦ ପ୍ରତିଶତ ଜନସଂଖ୍ୟା ସହରରେ ରହିବେ । ବର୍ତ୍ତମାନ ଦେଶର ଜନସଂଖ୍ୟାର ୨୮% ସହରରେ ରହୁଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ,କେରଳ, ତେଲେଙ୍ଗାନା ଏବଂ ପଞ୍ଜାବରେ ଏହି ସଂଖ୍ୟା ୫୦%ରେ ପହଞ୍ଚିବ । ପ୍ରଚଳିତ ଆର୍ଥିକ ଢ଼ାଂଚା ଯୋଗୁଁ ଗ୍ରାମାଞ୍ଚଳରୁ ସହରକୁ ଯେଉଁ ପଳାୟନ ହେବ, ତାହା ସହରରେ ବମ୍ବେର ଧାରବୀ ଭଳି ବସ୍ତି ସୃଷ୍ଟି କରିବ (ସହରରେ ତଳି ବସ୍ତି ଅଞ୍ଚଳର ସମ୍ପ୍ରସାରଣ) କି ଆତ୍ମସମ୍ମାନ ସହ ବଞ୍ଚିବା ଭଳି ଜୀବିକା ସହ ସୁସ୍ଥ ପରିବେଶଟିରେ ରହିବେ, ତାହା ଏକ ମୌଳିକ ପ୍ରଶ୍ନ? ଏ ଦିଗରେ ସରକାର ମାନଙ୍କ ପ୍ରସ୍ତୁତି ଅଛିକି? ଗାଁଟି ଭାଙ୍ଗିବାର ଏକ ଅସ୍ୱାଭାବିକ ପ୍ରକ୍ରିୟା ପରିବର୍ତ୍ତେ ଏହାର ବିକଳ୍ପ ଚିନ୍ତା କରାଯାଇପାରେ କି? ଏକ ଅସୁସ୍ଥ ସହର ଗଢ଼ିବାର ଚାଲିଥିବା ପ୍ରକ୍ରିୟାଟିକୁ ରୋକାଯାଇ ପାରିବ କି?

ଗ୍ରାମକ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦାରିଦ୍ର୍ୟ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ଘୋଷଣା କରୁଛନ୍ତି ଏତିକି ପରିବାର ଦାରିଦ୍ର୍ୟ ମୁକ୍ତ ହେଲେ, ଏତିକି ବର୍ଷ ମଧ୍ୟରେ ଏତିକି ପରିବାର ଦାରିଦ୍ର୍ୟମୁକ୍ତ ହେବେ । ଏ ପ୍ରସଙ୍ଗଟିର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା ସରକାରଙ୍କ ପରିଭାଷାରେ କେଉଁ ମାନେ ଦରିଦ୍ର? ସରକାରୀ ପରିଭାଷାରେ ଦୈନିକ ପ୍ରାୟ ୨ଡଲାର ଅର୍ଥାତ ୧୬୦ଟଙ୍କାରୁ କମ୍ ଆୟ ଯେଉଁମାନେ କରନ୍ତି ସେମାନେ ଦରିଦ୍ର । ଦିନକୁ ୧୬୦ଟଙ୍କା ଆୟ କଲେ ବା ଦୈନିକ ୩୨ଟଙ୍କାରୁ ଅଧିକ ଖର୍ଚ୍ଚ କଲେ ବ୍ୟକ୍ତିଟି ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଚାଲିଯାଏ । ୧୭୦ଟଙ୍କା ଦୈନିକ ଆୟ କରୁଥିବା ବ୍ୟକ୍ତିଟିର ଜୀବନଧାରଣର ମାନ ରେ କି ପ୍ରକାର ଉନ୍ନତି ହେବ? ରାଷ୍ଟ୍ରର ବିକାଶକୁ ତ୍ୱରାନ୍ୱିତ କରିବାକୁ ଚିନ୍ତାକଲେ ପ୍ରଥମେ ଆମକୁ ଏହି ଦାରିଦ୍ର୍ୟର ପରିଭାଷାକୁ ପରିବର୍ତ୍ତନ କରିବାକୁ ହେବ । ଦୈନିକ ୫ଡଲାର ଅର୍ଥାତ ୪୦୦ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିକୁ ଆମେ ଦାରିଦ୍ର୍ୟ ସୀମାରେଖାର ତଳେ ବୋଲି ନୀତିଗତ ଭାବେ ଘୋଷଣା କରିବା । ତେବେ ଦେଶରେ ଦାରିଦ୍ର ସୀମାରେଖା ତଳେଥିବା ସଂଖ୍ୟା କେତେ ହେବ ଏବଂ ଗାଁରେ ଏହି ସଂଖ୍ୟା କେତେ ହେବ? ହାତଗଣତି କେତେଜଣଙ୍କୁ ଛାଡ଼ି ଦେଲେ ସମଗ୍ର ଗ୍ରାମବାସୀ ଦାରିଦ୍ର୍ୟ ସୀମାରେଖା ତଳରେ ରହିଯିବେ । ଟଙ୍କିକିଆ ଚାଉଳ, ମଧ୍ୟାହ୍ନ ଭୋଜନ, ଡାଲି, ଲୁଣ, ତେଲ, ହଳଦୀ ବାଣ୍ଟିବାକୁ ସ୍ଥାୟୀ ପ୍ରକ୍ରିୟାରେ ପରିଣତ କରିବା ଭଳି ମାନସିକତା ରଖୁଥିବା ସରକାରମାନେ ଏ ଭଳି ସାହସଟି ଦେଖାଇବେ କି?

ଖାଦ୍ୟସୁରକ୍ଷା ଉଦେଶ୍ୟରେ ପ୍ରଦାନ କରାଯାଉଥିବା ଚାଉଳ ଗହମକୁ ନକାରାତ୍ମକ ଭାବେ ଗ୍ରହଣ କରିବା ଅନୁଚିତ । କୃଷି କ୍ଷେତ୍ରରେ ସୃଷ୍ଟି ହେଇଥିବା ସଙ୍କଟ, ସର୍ବନିମ୍ନ ସହାୟକ ଦରରେ ନିଜର ଦ୍ରବ୍ୟକୁ ବିକ୍ରୀ କରି ନପାରି ବା, ଗାଁର ଆର୍ଥିକ ସମୃଦ୍ଧିକୁ ଉଣାକରି ଚାଲିଛି । ଗାଁଟିକୁ ଆମେ ଆଜି ଯେଉଁ ସ୍ଥିତିରେ ଦେଖୁଛୁଁ ତାହା ବିଗତ ୫୦୦ବର୍ଷର ବିକାଶର ପ୍ରକ୍ରିୟାରେ, ଏ ଯାଏ ପହଞ୍ଚିଛି । ପ୍ରଚଳିତ ବିକାଶ ପ୍ରକ୍ରିୟାରେ ଗାଁର ପ୍ରତ୍ୟେକ୍ ପରିବାର ପାଇଁ ୮୦୦ ବର୍ଗମିଟରର ବାସଯୋଗ୍ୟ ପକ୍କାଘର, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର ପୌଷ୍ଟିକ ଆହାର ପାଇଁ ଆବଶ୍ୟକ ସର୍ବନିମ୍ନ ସ୍ଥାୟୀ ନିୟମିତ ରୋଜଗାର ବ୍ୟବସ୍ଥା ପାଇଁ କେତେ ବର୍ଷ ଲାଗିବ? ୧୦୦ ବର୍ଷ କି ୨୦୦ବର୍ଷ, କି କେବେ ବି ସମ୍ଭବ ନୁହେଁ? ଗାଁର ସ୍ଥିତାବସ୍ଥାରୁ ଆଗକୁ ଆଗକୁ ଯିବା ପାଇଁ ଚିନ୍ତା କରିବା ତା ହେଲେ ଆମକୁ ଏ ପ୍ରଶ୍ନଟି ପଚାରିବାକୁ ହେବ । ପ୍ରଚଳିତ ବିକାଶଧାରାରେ ଏହା ସମ୍ଭବ କି ନୁହେଁ, ଏ ବିଷୟରେ ଖୋଲା ମନରେ ବିଚାର କରିବାକୁ ହେବ ।

ଗାଁର ଆୟର ଊଦ୍ଧ୍ୱର୍ ଗମନ ପ୍ରକ୍ରିୟାରେ ଧନୀମାନଙ୍କ ନିକଟକୁ (ଏକ ଛୋଟ ଉଦାହରଣ ଟିଭି, ମୋବାଇଲ ରିଚାର୍ଜ) ଅଧିକ ଧନ ଯାଉଥିବାବେଳେ ଗାଁରେ ପୁଞ୍ଜି ଆକାରରେ କମ୍ ରହୁଛି । ଗାଁର ସମ୍ପର୍ତ୍ତିର ମାଲିକାନା ସଂପନ୍ନ ମାନଙ୍କ ହାତକୁ ନିୟମିତ ହସ୍ତାନ୍ତରଣ ହେଇ ଚାଲିଛି । କୃଷକଶ୍ରେଣୀ ନିୟମିତ ରାଷ୍ଟ୍ରଦ୍ୱାରା ଶୋଷିତ ହେଉଛନ୍ତି । ଉପରୋକ୍ତ ସମସ୍ତ ଜିନିଷକୁ ବିଚାର କଲେ ଗାଁର ସୁନେଲି ଭବିଷ୍ୟତ କଳ୍ପନା କରିହେଉ ନାହିଁ । ଏଠି କ୍ଷୟ ପ୍ରଶ୍ନଟି ମନରେ ଆସୁଛି ଗାଁକୁ ଗଢ଼ିବା କି ଭାଙ୍ଗିବା?

Comments

0 comments

Share This Article