ନଭେମ୍ବର ୧୭, ୨୦୨୫ ଦିନ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୬ଷ୍ଠ ରାମନାଥ ଗୋଏଙ୍କା ବକ୍ତୃତା ଦେବାବେଳେ କହିଥିଲେ୧ “ମୁଁ ସମଗ୍ର ଦେଶକୁ ନିବେଦନ କରିବାକୁ ଚାହୁଁଛି: ଆଗାମୀ ଦଶନ୍ଧିରେ, ମ୍ୟାକଲେ ଭାରତ ଉପରେ ଲଦି ଦେଇଥିବା ଦାସତ୍ୱର ମାନସିକତାରୁ ଆମ ନିଜକୁ ମୁକ୍ତ କରିବାକୁ ସଂକଳ୍ପ ନେବାକୁ ପଡ଼ିବ । ଆଗାମୀ ୧୦ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,” ଅର୍ଥାତ୍ ୨୦୩୫ ସୁଦ୍ଧା, ଏପରି ମୁକ୍ତି ହାସଲ କରିବାପାଇଁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ । କାହିଁକି ୨୦୩୫? କାରଣ ୨୦୩୫ରେ ହେଉଛି English Education Act ୧୮୩୫ର ପ୍ରଚଳନ, ମାର୍ଚ୍ଚ ମାସରେ, ଆରମ୍ଭ ହୋଇଥିବାର, ୨୦୦ ବର୍ଷ ପୂର୍ତ୍ତି । ଏହି Act ର ପୃଷ୍ଠଭୂମିରେ ଥିଲା ୨ ଫେବୃୟାରୀ ୧୮୩୫ ଦିନ ମ୍ୟାକଲେ ଲେଖିଥିବା ସ୍ମାରକପତ୍ର ବା Minuteର । ପ୍ରଧାନମନ୍ତ୍ରୀ ମହୋଦୟ ଏପରି ଆହ୍ୱାନର କାରଣ ଦର୍ଶାଇ କହିଥିଲେ ଯେ “୧୮୩୫ ମସିହାରେ, ବ୍ରିଟିଶ ସାଂସଦ ଥମାସ ବାବିଂଟନ ମ୍ୟାକଲେ ଭାରତକୁ ଏହାର ନିଜସ୍ୱ ମୂଳରୁ ଉପାଡ଼ିବା ପାଇଁ ଏକ ପ୍ରମୁଖ ଅଭିଯାନ ଆରମ୍ଭ କରିଥିଲେ । ସେ ଘୋଷଣା କରିଥିଲେ ଯେ ସେ ଏପରି ଭାରତୀୟ ସୃଷ୍ଟି କରିବେ ଯେଉଁମାନେ ଭାରତୀୟ ଦେଖାଯିବେ କିନ୍ତୁ ବ୍ରିଟିଶମାନଙ୍କ ପରି ଚିନ୍ତା କରିବେ ।’ ସେ ମଧ୍ୟ କହିଥିଲେ ଯେ “ମ୍ୟାକଲେ ଆମର ଆତ୍ମବିଶ୍ୱାସ ଭାଙ୍ଗି ଦେଇଥିଲେ ଏବଂ ଆମକୁ ହୀନମନ୍ୟତାର ଭାବନାରେ ପୂର୍ଣ୍ଣ କରିଦେଇଥିଲେ । ସେ ଆମର ସମଗ୍ର ଜୀବନଶୈଳୀକୁ ଗୋଟିଏ ଝଟକାରେ ଡଷ୍ଟବିନ୍ ରେ ଫିଙ୍ଗି ଦେଇଥିଲେ । ସେହି ସମୟରେ ଏପରି ବିଶ୍ୱାସର ଚେର ଲାଗିଲା ଯେ ଭାରତୀୟମାନଙ୍କୁ ଯେକୌଣସି ଜିନିଷ ହାସଲ କରିବାପାଇଁ ବିଦେଶୀ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ସ୍ୱାଧୀନତା ପରେ ଏହି ମାନସିକତା ଆହୁରି ଦୃଢ଼ ହୋଇଗଲା । ଆମର ଯାହା ଅଛି ତାହା ପ୍ରତି ଗର୍ବର ଭାବନା ଧୀରେ ଧୀରେ ଦୁର୍ବଳ ହୋଇଗଲା ।’ ଓ ଆହୁରି କହିଲେ “ସେଥିପାଇଁ ମ୍ୟାକଲେ ଭାରତର ଶିକ୍ଷାବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ, ଏବଂ ସେ ସଫଳ ହୋଇଥିଲେ । ମ୍ୟାକଲେ ନିଶ୍ଚିତ କରିଥିଲେ ଯେ ସେହି ସମୟ ମଧ୍ୟରେ ବ୍ରିଟିଶ ଭାଷା ଏବଂ ବ୍ରିଟିଶ ଚିନ୍ତାଧାରା ଅଧିକ ସ୍ୱୀକୃତି ପାଇବ, ଏବଂ ଭାରତ ଆଗାମୀ ଶତାବ୍ଦୀପାଇଁ ଏହାର ମୂଲ୍ୟ ଦେଉଥିବ ।” ଔପନିବେଶିକ ମାନସିକତାର ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ ମହୋଦୟ କହୁଥିଲେ, “ଏହି ମାନସିକତା ଏପରି ଏକ ପ୍ରବୃତ୍ତି ସୃଷ୍ଟି କଲା ଯାହା ଫଳରେ ଆମଦାନୀ ହୋଇଥିବା ବିଚାର, ଆମଦାନୀ ହୋଇଥିବା ସାମଗ୍ରୀ ଏବଂ ଆମଦାନୀ ହୋଇଥିବା ସେବା ସବୁଠାରୁ ଶ୍ରେଷ୍ଠ ବୋଲି ବିବେଚନା କରାଗଲା ।” କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ବକ୍ତବ୍ୟ ସମର୍ଥନରେ X-ରେ ଲେଖିଲେ୨, “ଭାରତକୁ ପରାଧୀନ କରିବାପାଇଁ ମ୍ୟାକଲେ ଜାଣିଶୁଣି ଆମର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେଇଥିଲେ.. .. ଆଜି, NEP ୨୦୨୦ ଆମ ଶିକ୍ଷାକୁ DeMacaulayseର କରୁଛି.. .. ଆସନ୍ତୁ ଆମେ ଏକାଠି ହୋଇ ମ୍ୟାକଲେଙ୍କ ଐତିହ୍ୟକୁ ଭାଙ୍ଗିବା ଏବଂ ଆଗାମୀ ଦଶନ୍ଧି ମଧ୍ୟରେ ଭାରତକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବା ।’ ୧୯୦ବର୍ଷ ପରେ ଯେତେବେଳେ ଏହାକୁ ସ୍ମରଣ କରାଉଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମହୋଦୟ, ସ୍ୱାଭାବିକ କୌତୂହଳ ହୁଏ ଜାଣିବା ପାଇଁ ମ୍ୟାକଲେଙ୍କ ବିଷୟରେ ଓ ୨ ଫେବୃୟାରୀ ୧୮୩୫ରେ ଲେଖିଥିବା minutes ବିଷୟରେ ତଥା ୧୦ ଜୁଲାଇ ୧୯୩୩ ଦିନ ବ୍ରିଟିଶ ସଂସଦରେ ସେ ଦେଇଥିବା ଅଭିଭାଷଣ ବିଷୟରେ । ଏହାଛଡ଼ା ମ୍ୟାକଲେଙ୍କ ସମ୍ପର୍କରେ ସେମାନଙ୍କର ମତାମତକୁ ଜାଣିବା ପାଇଁ ମଧ୍ୟ କୌତୁହଳ ହୁଏ ଯେଉଁମାନେ ବ୍ରିଟିଶ ଔପନିବେଶିକ ଶାସନକୁ ଉତଖାତ୍ କରି ଭାରତକୁ ସ୍ୱାଧୀନ କରିବା ପାଇଁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଏପରି କୌତୁହଳକୁ ପ୍ରଶମିତ କରିବାପାଇଁ ଆମେ ପ୍ରଥମେ ଆରମ୍ଭ କରିବା ମ୍ୟାକଲେଙ୍କର minutese ଅନୁବାଦରୁ । ଏହା ପୂର୍ବରୁ ଜାଣିନେବା ମ୍ୟାକଲେଙ୍କର ଜୀବନୀ ।
ମ୍ୟାକଲେଙ୍କ ପୂରା ନାଁ ହେଉଛି Thomas Babington Macaulay; ଜନ୍ମ ୨୫ ଅକ୍ଟୋବର ୧୮୦୦, ମୃତ୍ୟୁ ୨୮ ଡିସେମ୍ବର ୧୮୫୯ । ସେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ତାହା ତାଙ୍କର ଶୈଶବକାଳରୁ ଜଣାଯାଉଥିଲା । ସେ ଇଂଲଣ୍ଡର ଇତିହାସ(The History of England)ର ରଚୟିତା ଭାବେ ଖ୍ୟାତି ଲାଭ କରିଥିଲେ । ୧୮୩୦ରୁ ୧୮୩୩ ଯାଏ ସେ ବ୍ରିଟିଶ ପାର୍ଲିଆମେଣ୍ଟର ସଦସ୍ୟ ଥିଲେ । ସେ ଗଭର୍ଣ୍ଣର୍ର ଜେନେରାଲ କାଉନ୍ସିଲର ପ୍ରଥମ law ସଦସ୍ୟ ଥିଲେ । ୧୮୩୪ରେ ସେ ଭାରତ ଆସିଲେ President of the General Committee of Public Instruction (GCPI) ଭାବେ ନିଯୁକ୍ତି ପାଇ । ଦାୟିତ୍ୱ ଥିଲା The Charter Act of ୧୮୧୩ ଭାରତରେ ଶିକ୍ଷାପାଇଁ ଖର୍ଚ୍ଚ ବାବଦ ବରାଦ କରିଥିବା ବାର୍ଷିକ ଏକଲକ୍ଷ ଟଙ୍କାର କିପରି ବ୍ୟବହାର ହେବ । କମିଟିର ସଦସ୍ୟମାନଙ୍କ ମଧ୍ୟରୁ ଦଳେ ଦେଶୀୟ ଭାଷାରେ ପାରମ୍ପରିକ ଶିକ୍ଷାଦାନକୁ ସମର୍ଥନ କରୁଥିବା ବେଳେ ଆଉ ଦଳେ ଇଂରାଜି ଭାଷାରେ ଶିକ୍ଷାଦାନ ଓ ପଶ୍ଚିମା ବିଜ୍ଞାନର ଶିକ୍ଷା ସପକ୍ଷରେ ମତବ୍ୟକ୍ତ କରୁଥିଲେ । ଏହି ବିବାଦର ସମାଧାନ କରିବାକୁ ଯାଇ ସେ ଲେଖିଥିଲେ ଏହି minute ବା ସ୍ମାରକପତ୍ର, ୨ ଫେବୃୟାରୀ ୧୮୩୫ରେ । କହିବା ବାହୁଲ୍ୟ ଯେ ସେ ସେମାନଙ୍କୁ ସମର୍ଥନ କଲେ ଯେଉଁମାନେ ଇଂରାଜି ଭାଷାରେ ଶିକ୍ଷାଦାନ ଓ ପଶ୍ଚିମା ବିଜ୍ଞାନର ଶିକ୍ଷା ସପକ୍ଷରେ ମତବ୍ୟକ୍ତ କରୁଥିଲେ । ଏଥିପାଇଁ ସେ ଯେଉଁ ଯୁକ୍ତି ସବୁର ଉପସ୍ଥାପନା କରିଥିଲେ, ତାହା ପାଠକ ତାଙ୍କ ସ୍ମାରକପତ୍ରର ନିମ୍ନୋକ୍ତ ଅନୁବାଦରେ ପାଇବେ ।
ଶିକ୍ଷା ସମ୍ବନ୍ଧରେ ମ୍ୟାକଲେଙ୍କର ସ୍ମାରକପତ୍ର
(Macaulay’s Minute on Education, February 2, 1835)
ସାଧାରଣ ଶିକ୍ଷା କମିଟି (General Committee of Public Instruction)ର କିଛି ସଦସ୍ୟଙ୍କର ଯେହେତୁ ଏହା ମତ ଯେ ଯେଉଁ ପାଠ୍ୟକ୍ରମ ଅନୁସରଣ କରାଯାଉଛି, ତାହା ୧୮୧୩ ମସିହାରେ ବ୍ରିଟିଶ ସଂସଦ ଦ୍ୱାରା କଡ଼ାକଡ଼ି ଭାବେ ନିର୍ଦ୍ଧାରିତ ହୋଇଥିଲା, ଏବଂ ଏହି ମତ ଯଦି ଠିକ ହୋଇଥାଏ, ତେବେ ଏହାର ପରିବର୍ତ୍ତନ ଆବଶ୍ୟକ କରେ ଏକ ସଂସଦୀୟ ଆଇନ । ମୁଁ ଏହା ଉଚିତ ମନେକରେ ଆମ ସମ୍ମୁଖରେ ଥିବା ପ୍ରତିକୂଳ ବିବୃତ୍ତିଗୁଡ଼ିକର ପ୍ରସ୍ତୁତିରେ କୌଣସି ଅଂଶଗ୍ରହଣ କରିବାରୁ ନିବୃତ୍ତ ରହିବାକୁ ଏବଂ ଏହି ବିଷୟ ଉପରେ ମୋର ଯାହା କହିବାକୁ ଅଛି ତାହା ମୁଁ ସେତେବେଳେ ଯାଇ କହିବି ଯେତେବେଳ ଏହି ବିଷୟଟିକୁ ଭାରତୀୟ ପରିଷଦର ସଦସ୍ୟ (Member of the Council of India) ଭାବରେ ମୋ ସମ୍ମୁଖରେ ଉପସ୍ଥାପିତ କରାଯିବ ।
ମୋର ମନେହେଉ ନାହିଁ ଯେ ସଂସଦର ଏହି ଆଇନକୁ କୌଣସି ସଂକୋଚନ ଦ୍ୱାରା ଏପରି କରି ଦିଆଯାଇ ପାରେ ଯେ ଏହା ସେହି ଅର୍ଥକୁ ବହନ କରିବ ଯାହା ଏହାକୁ ଦିଆଯାଇଛି । ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭାଷା ବା ବିଜ୍ଞାନ ସମ୍ପର୍କରେ କୁହାଯାଇ ନାହିଁ ଯାହାର ଅଧ୍ୟୟନ କରାଯିବ । ଗୋଟିଏ ନିର୍ଦ୍ଦିଷ୍ଟ ରାଶି ନିର୍ଦ୍ଧାରିତ କରଯାଇଛି “ସାହିତ୍ୟର ପୁନରୁଦ୍ଧାର ଓ ପ୍ରଚାର ପାଇଁ ଏବଂ ଭାରତର ବିଦ୍ୱାନ ଦେଶୀୟ ଅଧିବାସୀ(natives)ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ବ୍ରିଟିଶ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ମଧ୍ୟରେ ବିଜ୍ଞାନ ବିଷୟକ ଜ୍ଞାନକୁ ପରିଚିତ କରାଇବା ଓ ପ୍ରଚାର କରାଇବା ପାଇଁ ।” ଏହି ଯୁକ୍ତି ଦିଆଯାଇଛି ବରଂ ମାନି ନିଆଯାଇଛି ଯେ ସାହିତ୍ୟ କହିଲେ ସଂସଦ ବୁଝୁଥାଇପାରେ କେବଳ ଆରବି (Arabic) ଓ ସଂସ୍କୃତ ସାହିତ୍ୟ; କାରଣ ସେମାନେ କଦାପି ସେ ଦେଶୀୟ ଅଧବାସୀଙ୍କୁ ‘ବିଦ୍ୱାନ ଦେଶୀୟ ଆଧିବାସୀ’ର ସମ୍ମାନୀୟ ଉପନାମ ଦେବେ ନାହିଁ ଯେଉଁମାନେ ପରିଚିତ ଥିବେ ମିଲଟନ(Milton)ଙ୍କ କବିତା ସହ, ଲକେ (Locke)ଙ୍କର ଅଧିବିଜ୍ଞାନ(metaphysics)ସହ, ଏବଂ ନିଉଟନ (Newton)ଙ୍କ ପଦାର୍ଥ ବିଜ୍ଞାନ (physics); ବରଂ ଏହି ଉପନାମ କେବଳ ସେହିମାନଙ୍କୁ ଦେବେ ଯେଉଁମାନେ ହିନ୍ଦୁଙ୍କ ପବିତ୍ର ଗ୍ରନ୍ଥରେ ପଢ଼ିଥିବେ କୁଶ ତୃଣର ବ୍ୟବହାର ବିଷୟରେ, ଏବଂ ଦେବତାଙ୍କ ଭିତରେ ଲୀନ ହୋଇଯିବାର ରହସ୍ୟ ସମ୍ପର୍କରେ । ଏହା ଏକ ସନ୍ତୋଷଜନକ ବ୍ୟୁତ୍ପତ୍ତି ମନେହୁଏ ନାହିଁ । ଏକ ସମାନ୍ତରାଳ ଦୃଷ୍ଟାନ୍ତ ନିଆଯାଉ: ମନେ କରାଯାଉ ଯେ ଇଜିପ୍ଟ, ଯେଉଁ ଦେଶ ଏକଦା ଜ୍ଞାନରେ ରାଷ୍ଟ୍ର ମାନଙ୍କଠାରୁ ଅଧିକ ଉନ୍ନତ ଥିଲା କିନ୍ତୁ ବର୍ତ୍ତମାନ ସେମାନଙ୍କଠାରୁ ବହୁ ତଳକୁ ଖସି ଯାଇଛି, ତାହାର ପାଶା (Pacha) ଯଦି କିଛି ଅର୍ଥ ବ୍ୟୟ ବରାଦ କରନ୍ତି “ସାହିତ୍ୟର ପୁନରୁଦ୍ଧାର ଓ ବିକାଶ ପାଇଁ ଏବଂ ଇଜିପ୍ଟର ଦେଶୀୟ ଅଧିବାସୀଙ୍କର ପ୍ରୋତ୍ସାହନ ପାଇଁ”, ଏଥିରୁ କଣ ଏହି ନିଷ୍କର୍ଷ କରାଯାଇପାରେ ଯେ ସେ ଚାହୁଁଥିଲେ ତାଙ୍କ ଶାସନାଧୀନ ଅଞ୍ଚଳର ଯୁବ ସମ୍ପ୍ରଦାୟଙ୍କୁ ବର୍ଷାଧିକ ସମୟ ଦେବେ hieroglyphics(ପ୍ରାଚୀନ ଇଜିପ୍ଟରେ ପ୍ରଚଳିତ ଚିତ୍ରଲିପି)ର ଅଧ୍ୟୟନ ପାଇଁ, Osiris(ପ୍ରାଚୀନ ଇଜିପ୍ଟରେ ପ୍ରଚଳିତ ଲୋକ କଥା)ର କାଳ୍ପନିକ ଗଳ୍ପରେ ଲୁଚିଥିବା ମତବାଦ ଗୁଡିକର ସନ୍ଧାନ ପାଇଁ, ଏବଂ ଯେତେ ସମ୍ଭବ ସେହି ପ୍ରଥାକୁ ସଠିକ ଭାବରେ ସାବ୍ୟସ୍ତ କରିବାପାଇଁ ଯେଉଁ ପ୍ରଥା ଅନୁସାରେ ପୁରାକାଳରେ ବିଲେଇ ଓ ପିଆଜକୁ ପୂଜା କରାଯାଉଥିଲା? ତାଙ୍କ ବିରୋଧରେ କ’ଣ ଅସଙ୍ଗତିର ଅଭିଯୋଗ ଅଣାଯାଇ ପାରେ ଯଦି ତାଙ୍କର ଯୁବପ୍ରଜାଙ୍କୁ ସ୍ମାରକ ସ୍ତମ୍ଭରେ ଲିଖିତ ଲିପିକୁ ଅର୍ଥ କରିବାରେ(in deciphering obelisks) ନିୟୋଜିତ କରିବା ପରିବର୍ତ୍ତେ, ସେ ଆଦେଶ କରନ୍ତି ଯେ ସେମାନଙ୍କୁ ଇଂରାଜୀ ଓ ଫରାସୀ ଭାଷାରେ ଶିକ୍ଷା ଦିଆଯାଉ ଓ ସେ ସମସ୍ତ ବିଜ୍ଞାନରେ ଯାହାର ମୁଖ୍ୟ କୁଞ୍ଜି ରହିଛି ସେହି ଭାଷାଗୁଡିକରେ ।
ଯେଉଁ ଶବ୍ଦଗୁଡ଼ିକ ଉପରେ ପୁରୁଣା ବ୍ୟବସ୍ଥାର ସମର୍ଥକମାନେ ନିର୍ଭର କରନ୍ତି ସେ ଶବ୍ଦଗୁଡ଼ିକ ସେମାନଙ୍କୁ ସମର୍ଥନ କରନ୍ତି ନାହିଁ, ଏବଂ ଯେଉଁ ଅନ୍ୟ ଶବ୍ଦଗୁଡ଼ିକ ପରେ ଆସିଥାଏ ତାହା ଅପର ପକ୍ଷ ପାଇଁ ବେଶ୍ ନିର୍ଣ୍ଣାୟକ ମନେହୁଏ । ଏହି ଲକ୍ଷ ଟଙ୍କା ବରାଦ କରାଯାଇ ନାହିଁ କେବଳ “ଭାରତରେ ସାହିତ୍ୟକୁ ପୁନର୍ଜୀବିତ କରିବା’ ପାଇଁ, ଯେତେବେଳେ ଏହି ବାକ୍ୟାଂଶ ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ବ୍ୟାଖ୍ୟା ପ୍ରତିଷ୍ଠିତ, କିନ୍ତୁ ବରାଦ ମଧ୍ୟ ହୋଇଛି “ବ୍ରିଟିଶ ଅଞ୍ଚଳଗୁଡ଼ିକର ବାସିନ୍ଦାଙ୍କ ମଧ୍ୟରେ ବିଜ୍ଞାନ ବିଷୟକ ଜ୍ଞାନର ପରିଚୟ ଏବଂ ପ୍ରଚାର ପାଇଁ’–ଏହି ବାକ୍ୟାଂଶର ଶବ୍ଦଗୁଡ଼ିକ ଯଥେଷ୍ଟ ସେ ସମସ୍ତ ପରିବର୍ତ୍ତନକୁ ଅନୁମୋଦନ କରିବାପାଇଁ ଯାହା ସପକ୍ଷରେ ମୁଁ ଯୁକ୍ତି କରୁଛି ।
ଯଦି ପରିଷଦ ମୋର ବ୍ୟାଖ୍ୟାରେ ରାଜି ହୁଏ, ତାହାହେଲେ କୌଣସି ବିଧିବଦ୍ଧ ଆଇନର ଆବଶ୍ୟକତା ହେବ ନାହିଁ । ଯଦି ସେମାନେ ମୋଠାରୁ ଭିନ୍ନମତ ରଖନ୍ତି, ତେବେ ମୁଁ ୧୮୧୩ ମସିହାର ଚାର୍ଟରର ସେହି ଧାରା, ଯେଉଁଥିରୁ ଅସୁବିଧା ଉପୁଜୁଛି, ତାକୁ ବାତିଲ କରି ଏକ ଛୋଟ ଆଇନର ପ୍ରସ୍ତାବ ଦେବି ।
ଯେଉଁ ଯୁକ୍ତି ମୁଁ ବିଚାର କରୁଛି ତାହା କେବଳ ବିବରଣୀର ରୂପକୁ ପ୍ରଭାବିତ କରିପାରେ । କିନ୍ତୁ ପ୍ରାଚ୍ୟ ଶିକ୍ଷା ବ୍ୟବସ୍ଥାର ପ୍ରଶଂସକମାନେ ଅନ୍ୟ ତର୍କ ବ୍ୟବହାର କଲେ, ଯଦି ଆମେ ସ୍ୱୀକାର କରୁ ତାହା ବୈଧ ବୋଲି, ତାହା ଥିଲା ସବୁ ପ୍ରକାର ପରିବର୍ତ୍ତନର ବିରୋଧୀ । ସେମାନଙ୍କର ଧାରଣା ଯେ ଜନସାଧାରଣଙ୍କର ବିଶ୍ୱାସ ବର୍ତ୍ତମାନର ବ୍ୟବସ୍ଥା ପ୍ରତି ଅଙ୍ଗୀକାରବଦ୍ଧ, ଏବଂ ଯଦି ବରାଦ ହୋଇଥିବା ଅର୍ଥ ଯାହା ଆରବି ଏବଂ ସଂସ୍କୃତ ଅଧ୍ୟୟନକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ସେଥିରେ ପରିବର୍ତ୍ତନ କରାଗଲେ, ଏଯାବତ୍ ଏଥିପାଇଁ ଏହି ପାଣ୍ଠିରୁ ହୋଇଥିବା ବ୍ୟୟ ଏକବାରେ ନଷ୍ଟ ହୋଇଗଲା ବୋଲି କୁହାଯିବ । ଏପରି ନିଷ୍କର୍ଷରେ ସେମାନେ ଯୁକ୍ତିର କେଉଁ ପ୍ରକ୍ରିୟା ଦେଇ ପହଁଚିଲେ ତାହା ବୁଝିବା ସହଜ ହୁଏ ନାହିଁ । ସରକାରୀ ପାଣ୍ଠିରୁ ସାହିତ୍ୟର ପ୍ରୋତ୍ସାହନ ପାଇଁ ଯେଉଁ ଅନୁଦାନ ଦିଆଯାଏ, ତାହା ସେହି ପାଣ୍ଠିରୁ, ଅନ୍ୟ କୌଣସି ବାସ୍ତବ ବା ପରିକଳ୍ପିତ ଉଦେଶ୍ୟ ସାଧନ ପାଇଁ ଦିଆ ଯାଇଥିବା ଅନୁଦାନଠାରୁ କୌଣସି ପ୍ରକାରେ ଭିନ୍ନ ନୁହଁ । ଆମେ ଗୋଟିଏ ଆରୋଗ୍ୟ ଆଶ୍ରମ (sanitarium)ର ସ୍ଥାପନା ଗୋଟିଏ ଏପରି ସ୍ଥାନରେ କରିଥିଲୁ ଯାହାକୁ ଆମେ ସ୍ୱାସ୍ଥ୍ୟକର ବୋଲି ମନେକରିଥିଲୁ । ଯଦି ଫଳ ଆଶାନୁରୂପ ନହୁଏ, ତାହାହେଲେ କ’ଣ ଆମେ ପ୍ରତିଶୃତିବଦ୍ଧ ହେବା ସେଠାରେ ଆରୋଗ୍ୟ ଆଶ୍ରମକୁ ଚଳାଇ ରଖିବା ପାଇଁ? ଆମେ ଏକ ଘାଟ ନିର୍ମାଣ ଆରମ୍ଭ କଲେ । ଯଦି ଆମେ ଏହାର ନିର୍ମାଣକୁ ବନ୍ଦ କରିଦେଉ, ଏହି କାରଣରୁ ଯେ ଏହା ବ୍ୟବହାରିକ ହେବ ନାହିଁ, ତାହାହେଲେ ଏହା କଣ ଜନବିଶ୍ୱାସର ଉଲଂଘନ ହେବ? ନିଃସନ୍ଦେହ, ସମ୍ପତ୍ତିର ଅଧିକାରଗୁଡିକ ପବିତ୍ର ଅଟେ । କିନ୍ତୁ କେହି ଏହି ଅଧିକାରଗୁଡିକୁ ସେତେଦୂର ବିପନ୍ନ କରେ ନାହିଁ ଯେତେଦୂର ଏହି ଅଧିକାରଗୁଡିକୁ ସେହି ବସ୍ତୁଗୁଡିକ ଉପରେ ଆରୋପିତ କରାଯିବାର ଅଭ୍ୟାସ ଯେଉଁ ବସ୍ତୁଗୁଡିକର ଏପରି ଅଧିକାର ହୋଇପାରେ ନା, ଯାହା ଦୁର୍ଭାଗ୍ୟକ୍ରମେ ଅତି ସାଧାରଣ ହୋଇଯାଇଛି । ଯେଉଁମାନେ ଅପବ୍ୟବହାରକୁ(ବା ଅନ୍ୟାୟ ସୁଯୋଗକୁ) ସମ୍ପତ୍ତିର ପବିତ୍ରତା ପ୍ରଦାନ କରିବାକୁ ଚାହାନ୍ତି ସେମାନେ ପ୍ରକୃତପକ୍ଷେ ସମ୍ପତ୍ତିର ପ୍ରତିଷ୍ଠାନଟି ଉପରେ ଅପବ୍ୟବହାରର ଅପ୍ରିୟତା ଓ ଭଙ୍ଗୁରତା ଚାପି ଦିଅନ୍ତି । ଯଦି ସରକାର କୌଣସି ବ୍ୟକ୍ତିଙ୍କୁ ଏକ ଆନୁଷ୍ଠାନିକ ଆଶ୍ୱାସନା ଦେଇଛନ୍ତି – ନା, ଯଦି ସରକାର କୌଣସି ବ୍ୟକ୍ତିଙ୍କ ମନରେ ଏକ ଯୁକ୍ତିଯୁକ୍ତ ଆଶା ସଂଚାର କରାଇଛନ୍ତି ଯେ ସେ ସଂସ୍କୃତ ବା ଆରବି ଭାଷାର ଶିକ୍ଷକ ବା ଶିକ୍ଷାର୍ଥୀ ହୋଇ କିଛି ଆୟ ପାଇବ, ତାହାଲେ ମୁଁ ତାର ଆର୍ଥିକ ସ୍ୱାର୍ଥକୁ ସମ୍ମାନ କରିବି । ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଶ୍ନ ଉଠାଇବାକୁ ସହ୍ୟ କରିବା ଅପେକ୍ଷା ମୁଁ ବ୍ୟକ୍ତିଗତ ଉଦାରତାର ପକ୍ଷ ନେବା ଅଧିକ ପସନ୍ଦ କରିବି । କିନ୍ତୁ ମୋତେ ଏହା ଅର୍ଥହୀନ ମନେ ହୁଏ ଯଦି ଏକ ସରକାର ବିଷୟରେ କୁହାଯାଏ ଯେ ସେମାନେ ପ୍ରତିବଦ୍ଧ ନିର୍ଦ୍ଦିଷ୍ଟ କେତୋଟି ଭାଷା ଏବଂ ନିର୍ଦ୍ଦିଷ୍ଟ କିଛି ବିଜ୍ଞାନ ପଢ଼ାଇବା ପାଇଁ, ଯଦିଓ ଏହି ଭାଷାଗୁଡିକ ହୋଇଯାଇପାରେ ଅଦରକାରୀ, ଓ ଏହି ବିଜ୍ଞାନଗୁଡିକ ମିଥ୍ୟା ପ୍ରମାଣିତ ହୋଇଯାଇପାରେ । ଏପରି କୌଣସି ପ୍ରକାଶ୍ୟ ଦଲିଲ ବା ଆଇନ ନାହିଁ ଯେଉଁଥିରୁ କୌଣସି ଗୋଟିଏ ଶବ୍ଦ ଖୋଜି ଏହା ଅନୁମାନ କରାଯାଇପାରିବ ଯେ ଭାରତ ସରକାର କେବେ ଏହି ବିଷୟରେ କୌଣସି ପ୍ରତିଶୃତି ଦେବାକୁ ଚାହୁଁଥିଲେ, ବା କେବେ ବିଚାର କରିଥିଲେ ଯେ ଏହି ପାଣ୍ଠିର ଉଦ୍ଦେଶ୍ୟ ଅପରିବର୍ତ୍ତନୀୟ ଭାବେ ସ୍ଥିର । ଯଦି ଏହା ଅନ୍ୟଥା ହୋଇଥାନ୍ତା, ତାହାହଲେ ଏହି ବିଷୟ ଉପରେ ଆମକୁ ପ୍ରତିଶ୍ରୁତିବଦ୍ଧ କରିବାର ଆମ ପୂର୍ବାଧିକାରୀଙ୍କ କ୍ଷମତାକୁ ମୁଁ ଅସ୍ୱୀକାର କରିଥାନ୍ତି । ମନେ କରାଯାଉ ଗୋଟିଏ ସରକାର ଗତ ଶତାବ୍ଦୀରେ ଅତି ଗାମ୍ଭୀର୍ଯ୍ୟର ସହ ଏକ ଆଇନ କରନ୍ତି ଯେ ଏହାର ସବୁ ଅଧିବାସୀ, ନିର୍ଦ୍ଧାରିତ ସମୟ ସରିବା ପୂର୍ବରୁ, ବସନ୍ତ ଟୀକା ନେବେ, କିନ୍ତୁ ସେହି ସରକାର କ’ଣ ଏହି ପ୍ରଥାକୁ ଅବ୍ୟାହତ ରଖିବାକୁ ବାଧ୍ୟ ହେବେ ଜେନରଙ୍କ (Jenner’s) ଆବିଷ୍କାର ପରେ? ଏହି ପ୍ରତିଶ୍ରୁତିଗୁଡ଼ିକ ଯାହାର କାର୍ଯ୍ୟକାରିତା କେହି ଦାବି କରନ୍ତି ନାହିଁ, ଏବଂ ଯେଉଁଥିରୁ କେହି ମୁକ୍ତି ଦେଇପାରନ୍ତି ନାହିଁ, ଏହି ନିହିତ ଅଧିକାର ଯାହା କାହାରି ପାଖରେ ନ୍ୟସ୍ତ ନୁହେଁ, ସମ୍ପତ୍ତି ଯାହାର ମାଲିକ କେହି ନୁହେଁ, ଏପରି ଡକାୟତି ଯାହା କାହାକୁ ଗରିବ କରେ ନାହିଁ, ସେଗୁଡିକୁ ମୋ ଅପେକ୍ଷା ଉଚ୍ଚ ଦକ୍ଷତାର ବ୍ୟକ୍ତିମାନେ ବୁଝିପାରିବେ । ମୁଁ ଏହି ଆବେଦନକୁ କେବଳ ଶବ୍ଦସମୂହର ଏକ ନିର୍ଦ୍ଦିଷ୍ଟ ରୂପ ଭାବରେ ବିବେଚନା କରେ, ଯାହା ନିୟମିତ ବ୍ୟବହାର ହୋଇଥାଏ ଉଭୟ ଇଂଲଣ୍ଡ ଏବଂ ଭାରତରେ, ପ୍ରତ୍ୟେକ ଅପବ୍ୟବହାରର ସପକ୍ଷରେ ଯାହା ପାଇଁ ଅନ୍ୟ କୌଣସି ଆବେଦନ ଉପସ୍ଥାପିତ କରାଯାଇପାରିବ ନାହିଁ ।
ମୁଁ ମାନେ ଯେ ଏହି ଏକ ଲକ୍ଷ ଟଙ୍କା ପରିଷଦର ଗଭର୍ଣ୍ଣର ଜେନେରାଲଙ୍କ ଅଧିକାରରେ ରହିଛି, ସବୁଠାରୁ ଉଚିତ ମନେ ହେଉଥିବା ବାଟରେ, ଭାରତରେ ଶିକ୍ଷାକୁ ପ୍ରୋତ୍ସାହିତ କରିବାପାଇଁ । ମୁଁ ମନେ କରେ ଯେ ମହାମାନ୍ୟ (ଗଭର୍ଣ୍ଣର ଜେନେରାଲ) ଏହା ନିର୍ଦ୍ଦେଶ ଦେବାକୁ ସ୍ୱତନ୍ତ୍ର ଯେ ଆରବି ଏବଂ ସଂସ୍କୃତକୁ ପ୍ରୋତ୍ସାହନ ଦେବାପାଇଁ ଏହି ପାଣ୍ଠିର ନିୟୋଜନ ହେବ ନାହିଁ, ଯେପରି ସେ ନିର୍ଦ୍ଦେଶ ଦେଇପାରନ୍ତି ଯେ ମହୀଶୂରରେ ବାଘ ହତ୍ୟା ପାଇଁ ପୁରସ୍କାର ହ୍ରାସ କରାଯିବ, ବା ଗୀର୍ଜାଘରେ ଭଜନ-କୀର୍ତ୍ତନ ପାଇଁ ଆଉ କୌଣସି ସରକାରୀ ଟଙ୍କା ଖର୍ଚ୍ଚ କରାଯିବ ନାହିଁ ।
ଏବେ ଆମେ ପ୍ରସଙ୍ଗର ମୂଳକଥାକୁ ଆସିବା । ଆମପାଖରେ ଏକ ପାଣ୍ଠି ଅଛି ଯାହାର ବ୍ୟବହାର ହେବ, ଏହି ଦେଶର ଲୋକଙ୍କ ବୌଦ୍ଧିକ ବିକାଶ ପାଇଁ, ଯେପରି ସରକାର ନିର୍ଦ୍ଦେଶ ଦେବେ । ସରଳ ପ୍ରଶ୍ନ ହେଉଛି, ଏହାକୁ ବ୍ୟବହାର କରିବାର ସବୁଠାରୁ ଉପଯୋଗୀ ଉପାୟ କ’ଣ?
ସବୁ ପକ୍ଷ ଗୋଟିଏ କଥାରେ ଏକମତ ହୁଅନ୍ତି ଯେ ଭାରତର ଏହି ଅଂଶରେ ଦେଶୀୟ ଅଧିବାସୀ (natives)ଙ୍କ ମଧ୍ୟରେ ଯେଉଁ ଭାଷାରେ କଥାବାର୍ତ୍ତାର ପ୍ରଚଳନ ଅଛି ସେଥିରେ ନା ସାହିତ୍ୟିକ ସୂଚନା ଅଛି ନା ଅଛି ବୈଜ୍ଞାନିକ ସୂଚନା, ଏବଂ ଏହା ବ୍ୟତୀତ ଏହିଗୁଡିକ ଏତେ ଦୁର୍ବଳ ଏବଂ କର୍କଶ ଯେ, ଯେତେବେଳେ ଯାଏ ଏଗୁଡିକର ସମୃଦ୍ଧି କୌଣସି ଅନ୍ୟ କ୍ଷେତ୍ରରୁ ନ ହୋଇଛି, କୌଣସି ମୂଲ୍ୟବାନ କୃତିକୁ ସେ ଭାଷାଗୁଡିକରେ ଅନୁବାଦ କରିବା ସହଜ ହେବ ନାହିଁ । ସବୁ ପଟରୁ ଏହା ସ୍ୱୀକାର କରାଯାଉଥିବା ମନେ ହୁଏ ଯେ ଯେଉଁମାନଙ୍କ ପାଖରେ ଉଚ୍ଚ ଶିକ୍ଷା ହାସଲ କରିବାର ସାମର୍ଥ୍ୟ ରହିଛି ସେହି ଶ୍ରେଣୀର ଲୋକମାନଙ୍କର ବୌଦ୍ଧିକ ବିକାଶ କେବଳ ସେହି ଭାଷାମାନଙ୍କ ଦ୍ୱାରା ବର୍ତ୍ତମାନ ସମ୍ଭବ ହେବ ଯାହା ମଧ୍ୟରେ ଦେଶୀୟ ଭାଷା (vernacular) ଅନ୍ତର୍ଭୁକ୍ତ ନୁହେଁ ।
ତେବେ ସେହି ଭାଷା କ’ଣ ହେବ? କମିଟିର ଅର୍ଦ୍ଧେକ ସଦସ୍ୟ ମାନନ୍ତି ଯେ ଏହା ଇଂରାଜି ହେବା ଉଚିତ । ଅପର ଅର୍ଦ୍ଧେକ ଆରବି ଏବଂ ସଂସ୍କୃତ ଭାଷାକୁ ଦୃଢ଼ ଭାବରେ ସୁପାରିଶ କରନ୍ତି । ସମଗ୍ର ପ୍ରଶ୍ନ ମୋର ମନେହୁଏ – କେଉଁ ଭାଷା ଜାଣିବା ହେବ ସର୍ବୋତ୍ତମ?
ମୋର ସଂସ୍କୃତ କିମ୍ବା ଆରବି ବିଷୟରେ କୌଣସି ଜ୍ଞାନ ନାହିଁ । କିନ୍ତୁ ମୁଁ ସେମାନଙ୍କର ମୂଲ୍ୟର ସଠିକ୍ ଆକଳନ କରିବା ପାଇଁ ଯାହା କରିପାରିଥିଲି ତାହା କରିଛି । ମୁଁ ସବୁଠାରୁ ପ୍ରସିଦ୍ଧ ଆରବି ଏବଂ ସଂସ୍କୃତ କୃତିଗୁଡ଼ିକର ଅନୁବାଦ ପଢ଼ିଛି । ମୁଁ ଉଭୟ ଏଠାରେ ଏବଂ ଘରେ(ଆମ ଦେଶରେ) ସେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରଛି ଯେଉଁମାନେ ପ୍ରାଚ୍ୟ ଭାଷାମାନଙ୍କରେ ଦକ୍ଷ । ମୁଁ ପ୍ରାଚ୍ୟ ଶିକ୍ଷାକୁ ପ୍ରାଚ୍ୟବିଦ୍ (orientalists)ଙ୍କ ମୂଲ୍ୟାଙ୍କନ ଅନୁସାରେ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେମାନଙ୍କ ମଧ୍ୟରୁ ମୁଁ ଏ ପର୍ଯ୍ୟନ୍ତ ଏପରି ଜଣେ ବ୍ୟକ୍ତି ପାଇନାହିଁ ଯିଏ ଅସ୍ୱୀକାର କରିପାରିବ ଯେ ଏକ ଭଲ ୟୁରୋପୀୟ ପାଠାଗାରରେ ଥିବା ପୁସ୍ତକ ଆଲମାରିର ଗୋଟିଏ ଥାକ, ଭାରତ ଏବଂ ଆରବର ସମ୍ପୂର୍ଣ୍ଣ ଦେଶୀୟ ସାହିତ୍ୟ ସହ ମୂଲ୍ୟରେ ସମାନ । ବରଂ ପାଶ୍ଚାତ୍ୟ ସାହିତ୍ୟର ଅନ୍ତର୍ନିହିତ ଶ୍ରେଷ୍ଠତାକୁ କମିଟିର ସେହି ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କରିଛନ୍ତି, ଯେଉଁମାନେ ଶିକ୍ଷାର ପ୍ରାଚ୍ୟ ଯୋଜନାକୁ ସମର୍ଥନ କରନ୍ତି ।
ମୁଁ ମନେକରେ, ଏହା କ୍ୱଚିତ୍ ବିବାଦୀୟ ହେବ, ଯେ ସାହିତ୍ୟର ଯେଉଁ ବିଭାଗରେ ପ୍ରାଚ୍ୟ ଲେଖକମାନେ ସର୍ବୋଚ୍ଚ ସ୍ଥାନରେ ଅଛନ୍ତି ତାହା ହେଉଛି କବିତା । ଏବଂ ମୁଁ ନିଶ୍ଚିତ ଭାବରେ କୌଣସି ପ୍ରାଚ୍ୟବିନ୍ଦୁକୁ ଭେଟିନାହିଁ ଯିଏ ଏହା ଦାବି କରିବାର ସାହସ କରିଥିଲେ ଯେ ଆରବି ଏବଂ ସଂସ୍କୃତ କବିତାକୁ ମହାନ ୟୁରୋପୀୟ ରାଷ୍ଟ୍ରମାନଙ୍କର କବିତା ସହ ତୁଳନା କରାଯାଇପାରିବ । କିନ୍ତୁ ଯେତେବେଳେ ଆମେ କଳ୍ପନା ପ୍ରସୂତ କୃତିମାନଙ୍କରୁ ସେ କୃତିମାନଙ୍କ ଆଡ଼କୁ ଯାଉ ଯେଉଁଥିରେ ତଥ୍ୟ ଲିପିବଦ୍ଧ ହୋଇଛି ଓ ସାଧାରଣ ନୀତିଗୁଡ଼ିକର ବିବେଚନା କରାଯାଇଛି, ସେତବେଳେ ୟୁରୋପୀୟମାନଙ୍କର ଶ୍ରେଷ୍ଠତା ସମ୍ପୂର୍ଣ୍ଣ ଭାବେ ଅପରିସୀମ ହୋଇଯାଏ । ମୋର ବିଶ୍ୱାସ ଓ ଏହା କହିବା ଅତିଶୟୋକ୍ତି ହେବ ନାହିଁ ଯେ ଇଂଲଣ୍ଡର ପ୍ରାରମ୍ଭିକ ବିଦ୍ୟାଳୟଗୁଡ଼ିକରେ ବ୍ୟବହୃତ ସଂକ୍ଷେପରେ ଲିଖିତ ବିଷୟ ଗୁଡିକର ପୁସ୍ତକରେ ଯେଉଁ ସୂଚନା ମିଳିପାରେ ତାହା ଠାରୁ କମ୍ ମୂଲ୍ୟବାନ ହେଉଛି ସଂସ୍କୃତଭାଷାରେ ଲିଖିତ ସବୁ ପୁସ୍ତକରୁ ସଂଗୃହିତ ସମସ୍ତ ଐତିହାସିକ ସୂଚନା । ଭୌତିକ କିମ୍ବା ନୈତିକ ଦର୍ଶନର ପ୍ରତ୍ୟେକ ଶାଖାରେ, ଦୁଇ ଜାତିର ଆପେକ୍ଷିକ ସ୍ଥିତି ପ୍ରାୟ ସମାନ ।
ତେବେ ସ୍ଥିତି ଏବେ କିପରି? ଆମକୁ ଏକ ଜନସମୁଦାୟକୁ ଶିକ୍ଷିତ କରିବାକୁ ହେବ ଯେଉଁମାନଙ୍କୁ ତାଙ୍କର ମାତୃଭାଷାରେ ଶିକ୍ଷିତ କରାଯାଇ ପାରିବ ନାହିଁ । ଆମେ ସେମାନଙ୍କୁ କୌଣସି ବିଦେଶୀ ଭାଷାରେ ଶିକ୍ଷା ଦେବା ଉଚିତ । ଆମ ନିଜ ଭାଷାର କୃତିତ୍ୱଗୁଡ଼ିକର ପୁନରାବୃତ୍ତି କରିବାର ଆବଶ୍ୟକତା ନାହିଁ । ଏପରିକି ଏହା ପଶ୍ଚିମ ଦେଶମାନଙ୍କର ଭାଷାମାନଙ୍କ ମଧ୍ୟରେ ମଧ୍ୟ ଅଗ୍ରଗଣ୍ୟ ଅଟେ । ଏହା କଳ୍ପନା ପ୍ରସୂତ କୃତିଦ୍ୱାରା ପରିପୂର୍ଣ୍ଣ ଯାହା କୌଣସି ଗୁଣରେ ନ୍ୟୁନ ନୁହେଁ ସେ ମହାନ କୃତି ସମୂହଠାରୁ ଯାହା ଗ୍ରୀସ ଆମକୁ ଉତ୍ତର ପୁରୁଷ ଭାବେ ହସ୍ତାନ୍ତର କରିଛି, ଏହା ବାକପଟୁତାର ସମସ୍ତ ପ୍ରକାର ମଡ଼େଲରେ ପରିପୂର୍ଣ୍ଣ, ପରିପୂର୍ଣ୍ଣ ଐତିହାସିକ ରଚନାରେ, ଯାହାର ଉପସ୍ଥାପନ ହୋଇଛି କାହାଣୀ ଭାବେ, କିନ୍ତୁ କ୍ୱଚିତ ଏହାକୁ ଅତିକ୍ରମ (surpassed) କରାଯାଇ ପାରିଛି, ଏବଂ ଯେତେବେଳେ ଏହାକୁ ନୈତିକ ଓ ରାଜନୈତିକ ଶିକ୍ଷାର ବାହନ ଭାବେ ବିଚାର କରାଯାଇଛି ସେତେବେଳେ ସେଥିରେ ରହିଛି ମାନବ ଜୀବନ ଏବଂ ମାନବ ପ୍ରକୃତିର ନ୍ୟାୟପୂର୍ଣ୍ଣ ଏବଂ ଜୀବନ୍ତ ଉପସ୍ଥାପନା, ଅଧିବିଜ୍ଞାନ(metaphysics), ନୈତିକତା, ସରକାର, ନ୍ୟାୟଶାସ୍ତ୍ର, ବାଣିଜ୍ୟ ଉପରେ ସବୁଠାରୁ ଗଭୀର ପରିକଳ୍ପନା, ସ୍ୱାସ୍ଥ୍ୟକୁ ସଂରକ୍ଷିତ, ଆରାମ ବୃଦ୍ଧିକାରୀ, ମଣିଷର ବୁଦ୍ଧି ବିସ୍ତାରକାରୀ ତଥ୍ୟପୂର୍ଣ୍ଣ, ସଠିକସୂଚନା ଆଧାରିତ ପରୀକ୍ଷାମୂଳକ ବିଜ୍ଞାନପ୍ରତି ସମ୍ମାନ, ଯାହାର କୌଣସି ତୁଳନା ହୋଇପାରେନା । ଯିଏ ସେହି ଭାଷା ଜାଣନ୍ତି ତାଙ୍କୁ ସହସା ଉପଲବ୍ଧ ହୋଇଥାଏ ବିଶାଳ ବୌଦ୍ଧିକ ସମ୍ପତ୍ତି ଯାହା ପୃଥିବୀର ସମସ୍ତ ବିଜ୍ଞ ରାଷ୍ଟ୍ରଗୁଡିକ ସୃଷ୍ଟି କରିଛନ୍ତି ଓ ନବେ ପିଢ଼ିରୁ ମହଜୁଦ ହୋଇ ଆସୁଅଛି । ଏହା ନିର୍ବିଘ୍ନରେ କୁହାଯାଇପାରେ ଯେ ସେହି ଭାଷାରେ ଯେଉଁ ସାହିତ୍ୟ ବର୍ତ୍ତମାନ ପ୍ରଚଳିତ ତାହାର ମୂଲ୍ୟ ଗତ ତିନିଶହ ବର୍ଷରେ ପୃଥିବୀର ସମସ୍ତ ଭାଷାରେ ସୃଷ୍ଟି ହୋଇଥିବା ସମୁଦାୟ ସାହିତ୍ୟଠାରୁ ଅଧିକ । କେବଳ ଏତିକି ନୁହେଁ । ଇଂରାଜି ହେଉଛି ଭାଷା ଯେଉଁଥିରେ ଭାରତର ଶାସକଶ୍ରେଣୀ କଥାବର୍ତ୍ତା କରିଥାଏ । ଏହି ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାନ୍ତି ସରକାରୀ ପଦବୀରେ ବସିଥିବା ଉଚ୍ଚବର୍ଗର ଦେଶୀୟ ବ୍ୟକ୍ତିମାନେ । ପୂର୍ବର ସମଗ୍ର ସମୁଦ୍ର ଅଞ୍ଚଳରେ ଅନେକ ସମ୍ଭବ ଏହା ବ୍ୟବସାୟର ଭାଷା ହୋଇପାରେ । ଏହା ହେଉଛି ଦୁଇଟି ବୃଦ୍ଧି ପାଉଥିବା ଇଉରୋପୀୟ ସମୁଦାୟର ଭାଷା, ଗୋଟିଏ ସମୁଦାୟ ଆଫ୍ରିକାର ଦକ୍ଷିଣରେ, ଅନ୍ୟଟି ଅଷ୍ଟ୍ରେଲିଆରେ, ସେ ସମୁଦାୟଗୁଡିକର ଯେଉଁମାନେ ପ୍ରତିବର୍ଷ ଅଧିକରୁ ଅଧିକ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଓ ଆମ ଭାରତୀୟ ସମ୍ରାଜ୍ୟ ସହ ଅଧିକ ଘନିଷ୍ଠ ଭାବେ ସଂଯୁକ୍ତ ହେଉଛନ୍ତି । ଆମେ ଆମ ସାହିତ୍ୟର ଅନ୍ତର୍ନିହିତ ମୂଲ୍ୟ ଦେଖୁ ବା ଏହି ଦେଶର ନିର୍ଦ୍ଦିଷ୍ଟ ସ୍ଥିତିକୁ ଦେଖୁ, ତାହାହେଲେ ସବୁ ବିଦେଶୀ ଭାଷା ତୁଳନାରେ ଇଂରାଜି ଭାଷା ଯେ ଆମ ଦେଶୀୟ ଲୋକଙ୍କପାଇଁ ସବୁଠାରୁ ଅଧିକ ଉପଯୋଗୀ ତାହା ସପକ୍ଷରେ ବଳିଷ୍ଠ ଯୁକ୍ତି ପାଇବା ।
ସରଳଭାବରେ ପ୍ରଶ୍ନ ହେଉଛି ଏତିକି ଯେ ଯେତେବେଳେ ଏହି ଭାଷା ପଢ଼ାଇବା ଆମ କ୍ଷମତା ଭିତରେ, ସେତେବେଳେ ଆମେ ଏପରି ଭାଷା ସବୁ ପଢ଼ାଇବୁ ଯେଉଁଥିରେ, ଯେପରି ସମସ୍ତେ ସ୍ୱୀକାର କରନ୍ତି, କୌଣସି ବିଷୟ ଉପରେ ପୁସ୍ତକ ନାହିଁ ଯାହା ଆମ ନିଜର ପୁସ୍ତକ ସହ ତୁଳନୀୟ; ଯେତେବେଳେ ଆମେ ୟୁରୋପୀୟ ବିଜ୍ଞାନ ପଢାଇ ପାରୁ, ଆମେ ପଢାଇବୁ ଏପରି ବିଦ୍ୟା, ଯାହା ସାର୍ବଜନୀନ ସ୍ୱୀକାରୋକ୍ତି ଅନୁସାରେ, ୟୁରୋପର ବିଦ୍ୟାଠାରୁ ଅଧିକ ଖରାପ ହେବ; ଯେତେବେଳେ ଆମେ ସୁବିବେଚିତ ଦର୍ଶନ ଓ ସଠିକ ଇତିହାସ(ଅଧ୍ୟୟନ)ର ପୃଷ୍ଠପୋଷକତା କରିପାରୁ, ସେତେବେଳେ ସରକାରୀ ଖର୍ଚ୍ଚରେ ଆମେ ସମର୍ଥନ କରିବୁ ଏପରି ଡାକ୍ତରୀ ସିଦ୍ଧାନ୍ତ ଯାହା ଲଜ୍ଜିତ କରିବ ଏକ ଇଂରାଜ ଅଶ୍ୱବୈଦ୍ୟ(ଘୋଡାର ନାଲ ଲଗାଉଥିବା କମାର)କୁ, ଜ୍ୟୋତିର୍ବିଜ୍ଞାନ ଯାହା ଏକ ଇଂରାଜୀ ବୋର୍ଡିଙ୍ଗ ସ୍କୁଲରେ ପଢୁଥିବା ଝିଅଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିବ, ଇତିହାସ ଯେଉଁଥିରେ ଥିବ ୩୦ଫୁଟ ଉଚ୍ଚ, ୩୦ହଜାର ବର୍ଷ ଶାସନ କରିଥିବା ରାଜାମାନଙ୍କର ବର୍ଣ୍ଣନା, ଏବଂ ଗୁଡ ଓ ଲହୁଣୀର ସମୁଦ୍ରରେ ସୃଷ୍ଟ ଭୂଗୋଳ ।
ଆମକୁ ମାର୍ଗଦର୍ଶନ କରିବା ପାଇଁ ଯେ ଅଭିଜ୍ଞତା ଆମର ନାହିଁ, ଏପରି ନୁହେଁ । ଇତିହାସରେ ଅନେକ ସଦୃଶ ଦୃଷ୍ଟାନ୍ତ ଦେଖାଯାଏ, ଏବଂ ସେମାନେ ସମସ୍ତେ ସମାନ ଶିକ୍ଷା ଦେଇଥାନ୍ତି । ଆଧୁନିକ ଯୁଗରେ, ବେଶୀ ଦୂରକୁ ନ ଯାଇ, ଦୁଇଟି ସ୍ମରଣୀୟ ଦୃଷ୍ଟାନ୍ତ ଦେଖାଯାଏ ଯେପରି ସମୁଦାୟ ସମାଜର ମାନସରେ ଦୁର୍ଦ୍ଦାନ୍ତ ଉଦ୍ଦୀପନା(impulse)ର ସୃଷ୍ଟି , କୁସଂସ୍କାରର ଉନ୍ମୁଳନ, ଜ୍ଞାନର ବିସ୍ତାର, ରୁଚିର ପରିମାର୍ଜନ, କଳା ଓ ବିଜ୍ଞାନର ରୋପଣ ସେହି ଦେଶମାନଙ୍କରେ ଯେଉଁ ଦେଶଗୁଡିକ ଏ ପର୍ଯ୍ୟନ୍ତ ଥିଲେ ଅଜ୍ଞ ଓ ବର୍ବର ।
ମୁଁ ଯେଉଁ ପ୍ରଥମ ଦୃଷ୍ଟାନ୍ତର କଥା ଉଲ୍ଲେଖ କରୁଛି ତାହା ହେଉଛି ପଞ୍ଚଦଶ ଶତାବ୍ଦୀର ଶେଷ ଏବଂ ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ପାଶ୍ଚାତ୍ୟ ଜାତିମାନଙ୍କ ମଧ୍ୟରେ ସାହିତ୍ୟର ମହାନ ପୁନର୍ଜାଗରଣ । ସେହି ସମୟରେ -ପ୍ରାୟ ଯାହା ପଢ଼ିବା ଯୋଗ୍ୟ ଥିଲା -ତାହା ପ୍ରାଚୀନ ଗ୍ରୀକ୍ ଏବଂ ରୋମାନଙ୍କ ଲେଖାରେ ରହିଥିଲା । ଯଦି ଆମର ପୂର୍ବପୁରୁଷମାନେ ସେହିପରି ଭାବରେ କାର୍ଯ୍ୟ କରିଥାନ୍ତେ, ଯେପରି Committee of Public Instruction ଏଯାବତ୍ ମତ ଦେଇ ଆସିଛନ୍ତି, ଯଦି ସେମାନେ Thucydides ଓ Platoଙ୍କ ଭାଷାକୁ, ଏବଂ Cicero ଓ Tacitusଙ୍କ ଭାଷାକୁ ଅବହେଳା କରିଥାନ୍ତେ, ଯଦି ସେମାନେ ଆମର ନିଜ ଦ୍ୱୀପର ପୁରୁଣା-ଭାଷାରେ ସେମାନଙ୍କର ଧ୍ୟାନ ସୀମିତ କରିଥାନ୍ତେ, ଯଦି ସେମାନେ କିଛି ଛାପି ନଥାନ୍ତେ ଏବଂ ବିଶ୍ୱବିଦ୍ୟାଳୟରେ କିଛି ପଢାଉ ନଥାନ୍ତେ – କେବଳ Anglo-Saxon ଇତିହାସ ଏବଂ ରୋମାନ୍ସକୁ Norman Frenchରେ ଲିପିବଦ୍ଧ କରିଥାନ୍ତେ ତାହାହେଲେ, – ଇଂଲଣ୍ଡ ବର୍ତ୍ତମାନ ଯେପରି ଅଛି ସେପରି ହୋଇପାରିଥାନ୍ତା କି? ଗ୍ରୀକ୍ ଏବଂ ଲାଟିନ୍ ଭାଷା More and Aschamଙ୍କ ସମସାମୟିକମାନଙ୍କ ପାଇଁ ଯାହା ଥିଲା, ଆମର ଭାଷା ଭାରତର ଲୋକଙ୍କ ପାଇଁ ତାହା । ବର୍ତ୍ତମାନ ଇଂଲଣ୍ଡର ସାହିତ୍ୟ ତାହାର ଶାସ୍ତ୍ରୀୟ ପ୍ରାଚୀନତା ଅପେକ୍ଷା ଅଧିକ ମୂଲ୍ୟବାନ । ମୋର ସନ୍ଦେହ ରହିଛି ଯେ ସଂସ୍କୃତ ସାହିତ୍ୟ ଆମର Saxon and Norman ପୂର୍ବପୁରୁଷଙ୍କ ସାହିତ୍ୟ ପରି ସମାନ ମୂଲ୍ୟବାନ ହୋଇପାରେ କି । କିଛି ବିଭାଗରେ -ଉଦାହରଣସ୍ୱରୂପ- ଇତିହାସରେ -ମୁଁ ନିଶ୍ଚିତ ଯେ ଏହା ବହୁତ କମ୍ ।
ଆଉ ଏକ ଦୃଷ୍ଟାନ୍ତ, କୁହାଯାଇପାରେ, ଏବେ ବି ଆମ ଆଖି ଆଗରେ ରହିଛି । ଗତ ଶହେ କୋଡ଼ିଏ ବର୍ଷ ମଧ୍ୟରେ, ଏକ ଜାତି ଯାହା Crusades ପୂର୍ବରୁ ଆମର ପୂର୍ବପୁରୁଷମାନଙ୍କ ପରି ବର୍ବର ଅବସ୍ଥାରେ ଥିଲା, ଧୀରେ ଧୀରେ ସେହି ଅଜ୍ଞତାରୁ କ୍ରମଶଃ ବାହାରି ଆସିଛି ଯେଉଁଥିରେ ସେ ବୁଡ଼ି ରହିଥିଲା ଏବଂ ଏବେ ସଭ୍ୟ ସମ୍ପ୍ରଦାୟ ମଧ୍ୟରେ ଏହା ସ୍ଥାନପାଇଛି । ମୁଁ ଋଷ ବିଷୟରେ କହୁଛି । ସେହି ଦେଶରେ ବର୍ତ୍ତମାନ ଏକ ବଡ଼ ଶିକ୍ଷିତବର୍ଗ ଅଛନ୍ତି ଯେଉଁମାନେ ସର୍ବୋଚ୍ଚ କାର୍ଯ୍ୟରେ ରାଷ୍ଟ୍ରସେବା କରିବାକୁ ଯୋଗ୍ୟ, ଏବଂ ବର୍ତ୍ତମାନ ପ୍ୟାରିସ୍ ଏବଂ ଲଣ୍ଡନର ସର୍ବୋତ୍ତମ ମଣ୍ଡଳକୁ ସଜ୍ଜିତ କରୁଥିବା ସବୁଠାରୁ ସଫଳ ପୁରୁଷମାନଙ୍କଠାରୁ ସେମାନେ କୌଣସି ମତେ ନ୍ୟୁନ ନୁହନ୍ତି । ଏପରି ଆଶା କରିବାର କାରଣ ଅଛି ଯେ ଏହି ବିଶାଳ ସାମ୍ରାଜ୍ୟ ଯାହା ଆମ ପୂର୍ବପୁରୁଷଙ୍କ ସମୟରେ, ସମ୍ଭବତଃ ପଞ୍ଜାବ ପଛରେ ଥିଲା, ଆମ ନାତିନାତୁଣୀମାନଙ୍କ ସମୟରେ, ଜୀବନ ଯାତ୍ରାର ବିକାଶରେ ଫ୍ରାନ୍ସ ଏବଂ ବ୍ରିଟେନର ପାଖାପାଖି ଚାଲି ଆସିପାରେ । ଏବଂ ଏହି ପରିବର୍ତ୍ତନ କିପରି ସମ୍ଭବ ହୋଇଥିଲା? ଜାତୀୟ କୁସଂସ୍କାର(national prejudices)ର ଚାଟୁକାରିତା କରି ନୁହେଁ; ଯୁବ ମସ୍କୋ ଅଧିବାସୀ(Muscovite)ଙ୍କର ମନରେ ବୁଢୀ ମା କାହାଣୀ ପୁରାଇ ନୁହେଁ ଯାହାକୁ ତାଙ୍କର ଅଶିକ୍ଷିତ ବାପାମାନେ ବିଶ୍ୱାସ କରିଥିଲେ; ତାଙ୍କ ମୁଣ୍ଡରେ ସେଣ୍ଟ ନିକୋଲାସ୍ ବିଷୟରେ ମିଥ୍ୟା କିମ୍ବଦନ୍ତୀ ପୁରାଇ ନୁହେଁ; ବିଶ୍ୱ ୧୩ ସେପ୍ଟେମ୍ବରରେ ସୃଷ୍ଟି ହୋଇଥିଲା କି ନାହିଁ, ଏପରି ମହାନ ପ୍ରଶ୍ନ ଅଧ୍ୟୟନ କରିବାକୁ ଉତ୍ସାହିତ କରି ନୁହେଁ; ଏହିଭଳି ଜ୍ଞାନକୁ ସେ ଯେତେବେଳେ ଆୟତ୍ତ କରିଛନ୍ତି ସେତେବେଳେ ତାଙ୍କୁ “ଜଣେ ଶିକ୍ଷିତ ଦେଶୀୟ ବ୍ୟକ୍ତି”(“”a learned native’) ବୋଲି ସମ୍ବୋଧନ କରି ନୁହେଁ; ବରଂ ସର୍ବାଧିକ ସୂଚନା ସଂରକ୍ଷିତ ଥିବା ବିଦେଶୀ ଭାଷାଗୁଡ଼ିକର ଶିକ୍ଷା ତାଙ୍କୁ ଦେଇ, ଏବଂ ଏହିଭଳି ସମସ୍ତ ସୂଚନାକୁ ତାଙ୍କ ହାତ ପାଆନ୍ତାରେ ପହଞ୍ଚାଇ । ପଶ୍ଚିମ ୟୁରୋପର ଭାଷାଗୁଡ଼ିକ ରୁଷକୁ ସଭ୍ୟ କରିଥିଲା । ମୋର ଏଥିରେ ସନ୍ଦେହ ନାହିଁ ଯେ ସେମାନେ Tartar ପାଇଁ ଯାହା କରିଛନ୍ତି ତାହା’ ହିନ୍ଦୁଙ୍କ ପାଇଁ କରିବେ ।
ତତ୍ତ୍ୱ ଏବଂ ଅଭିଜ୍ଞତା-ଉଭୟ କ୍ଷେତ୍ରରେ ହିଁ ଯେଉଁ ପାଠ୍ୟକ୍ରମଟି ସୁପାରିଶ କରାଯାଇଛି ବୋଲି ମନେ ହୁଏ, ତା ବିରୁଦ୍ଧରେ ଯୁକ୍ତିଗୁଡିକ କଣ? କୁହାଯାଉଛି ଯେ ଆମକୁ ଦେଶୀୟ ଜନସାଧାରଣ(native public)ଙ୍କ ସହଯୋଗ ସୁରକ୍ଷିତ କରିବା ଉଚିତ, ଏବଂ ଆମେ କେବଳ ସଂସ୍କୃତ ଏବଂ ଆରବି ଶିକ୍ଷା ଦେଇ ଏହା କରିପାରିବା ।
ମୁଁ କୌଣସି ପ୍ରକାରେ ସ୍ୱୀକାର କରିପାରିବି ନାହିଁ ଯେ, ଯେତେବେଳେ ଏକ ଉଚ୍ଚ ବୌଦ୍ଧିକତାରେ ସଫଳ ରାଷ୍ଟ୍ର ତୁଳନାତ୍ମକ ଭାବରେ ଅଜ୍ଞ ଜାତିର ଶିକ୍ଷାର ତଦାରଖ କରିବାର ଦାୟିତ୍ୱ ନିଏ, ସେତେବେଳେ ଶିକ୍ଷକମାନେ କେଉଁ ପାଠ୍ୟକ୍ରମ ପଢ଼ାଇବେ ତାହାର ନିର୍ଦ୍ଧାରଣ ନିଶ୍ଚିତ ଭବରେ ଶିକ୍ଷାର୍ଥୀମାନେ ହିଁ କରିବେ । ତଥାପି ଏହି ବିଷୟରେ କିଛି କହିବାର ଆବଶ୍ୟକତା ନାହିଁ । କାରଣ ଏହା ଅକାଟ୍ୟ ପ୍ରମାଣ ଦ୍ୱାରା ସିଦ୍ଧ ହୋଇଯାଇଛି ଯେ ଆମକୁ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ସହଯୋଗ ମିଳୁ ନାହିଁ । ସେମାନଙ୍କ ବୌଦ୍ଧିକ ସ୍ୱାସ୍ଥ୍ୟର ମୂଲ୍ୟଦେଇ ସେମାନଙ୍କର ବୌଦ୍ଧିକ ରୁଚିକୁ ପ୍ରାଥମିକତା ଦେବା ଭଲ ନୁହେଁ । କିନ୍ତୁ ଆମେ ଏହି ଦୁହିଁଙ୍କ ମଧ୍ୟରୁ କାହାରି ସହିତ ପରାମର୍ଶ କରୁନାହୁଁ । ଆମେ ସେମାନଙ୍କୁ ସେହି ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ କରୁଛୁ ଯାହା ସେମାନଙ୍କ ପାଇଁ ରୁଚିକର ହୋଇପାରନ୍ତା । ଆମେ ସେମାନଙ୍କୁ ସେହି ନକଲି ଶିକ୍ଷାଗ୍ରହଣ କରିବାକୁ ବାଧ୍ୟ କରୁଛୁ ଯାହା ସେମାନେ ଘୃଣା କରନ୍ତି ।
ତଥ୍ୟଦ୍ୱାରା ଏହା ପ୍ରମାଣିତ ହୁଏ ଯେ ଆମେ ଆମର ଆରବି ଏବଂ ସଂସ୍କୃତ ଛାତ୍ରମାନଙ୍କୁ ଅର୍ଥଦେବାକୁ ବାଧ୍ୟ ହେଉଛୁ ଯେତେବେଳେ ଯେଉଁମାନେ ଇଂରାଜୀ ଶିଖନ୍ତି ସେମାନେ ଆମକୁ ଅର୍ଥ ଦେଇ ଶିଖିବାକୁ ପ୍ରସ୍ତୁତ ଥାନ୍ତି । ସ୍ଥାନୀୟ ଲୋକଙ୍କର ପବିତ୍ର ଭାଷା ପ୍ରତି ପ୍ରେମ ଏବଂ ଶ୍ରଦ୍ଧା ବିଷୟରେ ଯେତେ ଘୋଷଣା ବିଶ୍ୱରେ କରାଯାଇଛି, ତାହା କଦାପି କୌଣସି ନିରପେକ୍ଷ ବ୍ୟକ୍ତିଙ୍କ ମନରେ ଏହି ନିର୍ବିବାଦ ସତ୍ୟକୁ ଉପେକ୍ଷା କରିପାରିବ ନାହିଁ ଯେ, ଆମେ ଆମର ଏହି ବିଶାଳ ସାମ୍ରାଜ୍ୟରେ ଜଣେ ବି ଛାତ୍ର ପାଇବା ନାହିଁ ଯିଏ ଆମକୁ ସେହି ଭାଷାଗୁଡ଼ିକୁ ଶିଖାଇବା ପାଇଁ ଅନୁମତି ଦେବ, ଯଦି ଆମେ ତାଙ୍କୁ ଅର୍ଥ ନ ଦେଉ ।
ମୋ ସମ୍ମୁଖରେ ବର୍ତ୍ତମାନ ୧୮୩୩ ମସିହା ଡିସେମ୍ବର ମାସର ଏକ ମାସ ପାଇଁ ମଦରସାର ହିସାବ ଅଛି । ଆରବି ଛାତ୍ରଙ୍କ ସଂଖ୍ୟା ସତସ୍ତୋରି ଥିଲା ବୋଲି ମନେହୁଏ । ସମସ୍ତେ ଜନସାଧାରଣଙ୍କଠାରୁ ବୃତ୍ତି ପାଆନ୍ତି । ସେମାନଙ୍କୁ ଦିଆଯାଉଥିବା ସମସ୍ତ ରାଶିର ପରିମାଣ ମାସିକ ୫୦୦ ଟଙ୍କାରୁ ଅଧିକ । ଆକାଉଣ୍ଟର ଅନ୍ୟ ପାର୍ଶ୍ୱରେ ନିମ୍ନଲିଖିତ ଲେଖାଟି ଅଛି:
ଗତ ମେ, ଜୁନ୍ ଏବଂ ଜୁଲାଇ ମାସ ପାଇଁ ଅନ୍ୟ ବିଷୟ ସହ ଐଚ୍ଛିକ ବା ସହଯୋଗୀ ବିଷୟ ଭାବେ ଇଂରାଜୀ ପଢୁଥିବା ଛାତ୍ର (out-students of English)ଙ୍କଠାରୁ ଆଦାୟ କରାଯାଇଥିବା ପରିମାଣ ୧୦୩ଟଙ୍କା ବାଦ୍ ଦିଆଯାଉ ।
ମୋତେ କୁହାଯାଉଛି ଯେ ସ୍ଥାନୀୟ ଅଭିଜ୍ଞତାର ଅଭାବ ଯୋଗୁଁ ମୁଁ ଏହି ଘଟଣାଗୁଡ଼ିକରେ ଆଶ୍ଚର୍ଯ୍ୟ ହେଉଛି, ଏବଂ ଛାତ୍ରମାନେ ନିଜସ୍ୱ ଖର୍ଚ୍ଚରେ ପଢ଼ିବାର ପ୍ରଚଳନ ଭାରତରେ ନାହିଁ । ଏହା ମୋର ମତକୁ ଆହୁରି ପୁଷ୍ଟ କରେ । ଏହାଠାରୁ ଅଧିକ କିଛି ନିଶ୍ଚିତ ହୋଇପାରେ ନା ଯେ ବିଶ୍ୱର କୌଣସି ଅଞ୍ଚଳରେ ଲୋକେ ଯାହା ଆନନ୍ଦଦାୟକ ଓ ଲାଭଦାୟକ ବୋଲି ଭାବନ୍ତି ସେଥିପାଇଁ ସେମାନଙ୍କୁ ବେତନ ଦେବାକୁ ପଡିଥାଏ । ଭାରତ ଏହି ନିୟମର ବ୍ୟତିକ୍ରମ ନୁହେଁ । ଭାରତର ଲୋକମାନେ ଭୋକରେ ଥିବା ସମୟରେ ଭାତ ଖାଇବା ପାଇଁ କିମ୍ବା ଥଣ୍ଡା ଋତୁରେ ପଶମ କପଡ଼ା ପିନ୍ଧିବା ପାଇଁ ଅର୍ଥ ଦିଆଯିବା ଆବଶ୍ୟକ କରନ୍ତି ନାହିଁ । ଆମ ସମ୍ମୁଖରେ ଥିବା ବିଷୟକୁ ଆହୁରି ନିକଟରୁ ବୁଝି ପାରିବା ଏହି ଉଦାହରଣରୁ – ଗାଁ ସ୍କୁଲରେ ଶିକ୍ଷକଙ୍କଠାରୁ ଅକ୍ଷର ଶିକ୍ଷା ଏବଂ କିଛି ପ୍ରାଥମିକ ଗଣିତ ଶିକ୍ଷାପାଇଁ ପିଲାମାନଙ୍କୁ ଶିକ୍ଷକ କୌଣସି ଅର୍ଥ ଦେଇ ନଥାନ୍ତି । ବରଂ ତାଙ୍କୁ (ଶିକ୍ଷକଙ୍କୁ) ଶିକ୍ଷାଦାନ କରିବା ପାଇଁ ପାରିଶ୍ରମିକ ଦିଆଯାଇଥାଏ । ତାହାହେଲେ ସଂସ୍କୃତ ଏବଂ ଆରବି ଶିଖିବା ପାଇଁ ଲୋକମାନଙ୍କୁ ଅର୍ଥ ଦେବା କାହିଁକି ଆବଶ୍ୟକ? ସ୍ପଷ୍ଟତଃ ଏଇଥିପାଇଁ ଯେ ଏହା ସର୍ବବ୍ୟାପୀ ଅନୁଭବ କରାଯାଇଥାଏ ଯେ ସଂସ୍କୃତ ଏବଂ ଆରବି ଭାଷା ଏପରି ଭାଷା ଯାହାର ଜ୍ଞାନ, ସେଗୁଡ଼ିକୁ ହାସଲ କରିବାର କଷ୍ଟର କୌଣସି କ୍ଷତିପୂରଣ ଦେଇପାରେ ନାହିଁ । ଏପରି ସମସ୍ତ ବିଷୟରେ ବଜାରର ଅବସ୍ଥା ହେଉଛି ନିର୍ଣ୍ଣାୟକ କଷଟି ।
ଯଦି ଅନ୍ୟ ପ୍ରମାଣ ଆବଶ୍ୟକ ହୁଏ, ତେବେ ପ୍ରମାଣର କୌଣସି ଅଭାବ ନାହିଁ । ଗତବର୍ଷ ସଂସ୍କୃତ କଲେଜର ଅନେକ ପୂର୍ବତନ ଛାତ୍ର କମିଟି ନିକଟରେ ଏକ ଆବେଦନ ଉପସ୍ଥାପିତ କରିଥିଲେ । ଆବେଦନକାରୀମାନେ କହିଥିଲେ ଯେ ସେମାନେ ଦଶ କିମ୍ବା ବାର ବର୍ଷ ଧରି କଲେଜରେ ଅଧ୍ୟୟନ କରିଛନ୍ତି, ସେମାନେ ହିନ୍ଦୁ ସାହିତ୍ୟ ଏବଂ ବିଜ୍ଞାନ ସହିତ ପରିଚିତ ହୋଇଛନ୍ତି, ସେମାନେ ଦକ୍ଷତାର ପ୍ରମାଣପତ୍ର ପାଇଛନ୍ତି । ଏବଂ ଏସବୁର ଫଳ କ’ଣ? “ଏପରି ପ୍ରମାଣପତ୍ର ସତ୍ତ୍ୱେ,’ ସେମାନେ କୁହନ୍ତି, “ଆପଣଙ୍କ ମାନ୍ୟବର କମିଟିର ଦୟାଳୁ ସହାୟତା ବିନା ଆମର ଅବସ୍ଥା ଉନ୍ନତ ହେବାର ସମ୍ଭାବନା ବହୁତ କ୍ଷୀଣ, ଯେଉଁ ଉଦାସୀନତା ସହିତ ଆମ ଦେଶବାସୀ ଆମକୁ ସାଧାରଣତଃ ଦେଖନ୍ତି, ତାହା ଦର୍ଶାଏ ଯେ କୌଣସି ଉତ୍ସାହ ଓ ସହାୟତାର ଆଶା ସେମାନଙ୍କଠାରୁ ନାହିଁ ।’ ତେଣୁ ସେମାନେ ପ୍ରାର୍ଥନା କରନ୍ତି ଯେ ସରକାରଙ୍କ ଅଧୀନରେ ସେମାନଙ୍କୁ ସ୍ଥାନ ଦେବାପାଇଁ ଗଭର୍ଣ୍ଣର-ଜେନେରାଲଙ୍କୁ ସୁପାରିଶ କରାଯାଉ, ଉଚ୍ଚ ମର୍ଯ୍ୟାଦା କିମ୍ବା ଦରମାପାଇଁ ନୁହେଁ, କିନ୍ତୁ ଯେପରି ସେମାନେ ଅସ୍ତିତ୍ୱ ବଜାୟ ରଖିବାକୁ ସକ୍ଷମ ହୋଇ ପାରିବେ । ସେମାନେ କୁହନ୍ତି, “ଆମେ ଏକ ମର୍ଯ୍ୟାଦାବନ୍ତ ଜୀବନ ଯାପନ ପାଇଁ ଓ ଆମର ପ୍ରଗତିଶୀଳ ଉନ୍ନତି ପାଇଁ ସାଧନ ଚାହୁଁଛୁ, ଯାହା ସରକାରଙ୍କ ସାହାଯ୍ୟ ବିନା ଆମେ ପାଇପାରିବୁ ନାହିଁ, ଯେଉଁ ସରକାରଙ୍କ ଦ୍ୱାରା ଆମେ ପିଲା ଦିନରୁ ଶିକ୍ଷିତ ଏବଂ ପ୍ରତିପାଳିତ ହୋଇଛୁ ।’ ଅତ୍ୟନ୍ତ କରୁଣ ଭାବରେ ନିବେଦନ କରି ସେମାନେ ଏହି ନିଷ୍କର୍ଷରେ ଉପନୀତ ହୋଇଛନ୍ତି ଯେ ସରକାରଙ୍କର ଉଦେ୍ଦଶ୍ୟ ନିଶ୍ଚିତ ଭାବେ କେବେ ନଥିଲା, ଯେ ସେମାନଙ୍କ ଶିକ୍ଷା ସମୟରେ ସେମାନଙ୍କ ପ୍ରତି ଏତେ ଉଦାର ଆଚରଣ କରିବା ପରେ, (ସରକାର) ସେମାନଙ୍କୁ ଦାରିଦ୍ର୍ୟ ଏବଂ ଅବହେଳା ଭିତରେ ଛାଡ଼ିଦେବେ ।
ମୁଁ ସରକାରଙ୍କ ନିକଟରେ କ୍ଷତିପୂରଣ ପାଇଁ ହେଉଥିବା ଆବେଦନ ଗୁଡିକୁ ଦେଖିବାରେ ବେଶ୍ ଅଭ୍ୟସ୍ତ । ସେ ସମସ୍ତ ଆବେଦନ, ଏପରିକି ହେଉପଛେ ସବୁଠାରୁ ଅଯୌକ୍ତିକ ଆବେଦନ, ଏହି ଅନୁମାନ ଉପରେ କରାଯାଉଥିଲା ଯେ କିଛି କ୍ଷତି ହୋଇଛି, କିଛି ଅନ୍ୟାୟ ହୋଇଛି । କିନ୍ତୁ ନିଶ୍ଚିତ ଭାବରେ ଏମାନେ ଥିଲେ ପ୍ରଥମ ଆବେଦନକାରୀ ଯେଉଁମାନେ ଦାବି କରୁଥିଲେ କ୍ଷତିପୂରଣ, ବିନା ମୂଲ୍ୟରେ ଶିକ୍ଷା ପାଇଥିବା ଯୋଗୁଁ, ଓ ବାରବର୍ଷ ଧରି ଜନସାଧାରଣଙ୍କଠାରୁ ସାହାଯ୍ୟ ପାଇଥିବା ଯୋଗୁଁ, ଏବଂ ତା’ପରେ ସାହିତ୍ୟ ଏବଂ ବିଜ୍ଞାନରେ ସୁସଜ୍ଜିତ କରି ସେମାନଙ୍କୁ ବିଶ୍ୱ ସାମ୍ନାରେ ଉପସ୍ଥାପିତ କରାଯାଇଥିବା ଯୋଗୁଁ । ସେମାନେ ଦର୍ଶାନ୍ତି ସେମାନଙ୍କର ଶିକ୍ଷା ଏକ କ୍ଷତ ଓ ସରକାରଙ୍କଠାରେ ଏହାର ପ୍ରତିକାର ଦାବି କରନ୍ତି; ଏହା ଏକ ଏପରି କ୍ଷତ ଯାହା ଘଟିତ ହେବା ସମୟରେ, ସେମାନଙ୍କୁ ଦିଆ ଯାଇଥିବା ବୃତ୍ତି ଥିଲା ଅତ୍ୟନ୍ତ ଅପର୍ଯ୍ୟାପ୍ତ କ୍ଷତିପୂରଣ; ଏବଂ ମୋର କୌଣସି ସନେ୍ଦହ ନାହିଁ ଯେ ସେମାନେ ଠିକ୍ । ସେମାନେ ଜୀବନର ସର୍ବୋତ୍ତମ ବର୍ଷଗୁଡ଼ିକୁ ସେ ଶିକ୍ଷାରେ ନଷ୍ଟ କରିଛନ୍ତି ଯାହା ତାଙ୍କୁ ନା ଉପଲବ୍ଧ କରାଇପାରିଛି ଖାଦ୍ୟ ନା ସମ୍ମାନ । ନିଶ୍ଚିତ ଭାବରେ ଆମେ ଏହି ବ୍ୟକ୍ତିମାନଙ୍କୁ ଅଦରକାରୀ ଏବଂ ଦୁଃଖୀ କରିବାପାଇଁ କରାଯାଉଥିବା ଖର୍ଚ୍ଚକୁ ସଞ୍ଚୟ କରିପାରିଥାନ୍ତୁ । ନିଶ୍ଚିତ ଭାବରେ, ରାଜ୍ୟ ତହବିଲରୁ କିଛିଟା କମ ଖର୍ଚ୍ଚ କରି ପୁରୁଷମାନଙ୍କୁ ସାଧାରଣ ଲୋକଙ୍କ ପାଇଁ ବୋଝ ଏବଂ ପଡ଼ୋଶୀଙ୍କ ପାଇଁ ଅବମାନନାର ପାତ୍ର ଭାବରେ ଲାଳନ ପାଳନ କରାଯାଇପାରେ । କିନ୍ତୁ ଏହିପରି ଆମର ନୀତି । ସତ୍ୟ ଏବଂ ମିଥ୍ୟାର ପ୍ରତିଯୋଗିତାରେ ଆମେ ନିରପେକ୍ଷ ମଧ୍ୟ ରହିପାରୁନା । ଦେଶୀୟ ଲୋକ (natives)ଙ୍କୁ ସେମାନଙ୍କର ନିଜସ୍ୱ ବଂଶଗତ (hereditary)ବା ଐତିହ୍ୟବାଦୀ କୁସଂସ୍କାରର ପ୍ରଭାବ ଭିତରେ ଛାଡିଦେଇ ଆମେ ସନ୍ତୁଷ୍ଟ ନୋହୁଁ । ପ୍ରାଚ୍ୟରେ ସଠିକ୍ ବିଜ୍ଞାନର ପ୍ରଗତିକୁ ବାଧା ଦେଉଥିବା ସ୍ୱାଭାବିକ ପ୍ରତିବନ୍ଧକ ସହିତ, ଆମେ ଆମ ଦ୍ୱାରା ସୃଷ୍ଟ ବଡ଼ ପ୍ରତିବନ୍ଧକମାନ ଯୋଗ କରୁଛୁ । ସତ୍ୟର ପ୍ରଚାର ପାଇଁ ମଧ୍ୟ ଯେଉଁ ପୁରସ୍କାର ଏବଂ ପାରିତୋଷିକ ଦିଆଯିବା ଉଚିତ୍ ନୁହେଁ, ଆମେ ମିଥ୍ୟା ପାଠ ଏବଂ ମିଥ୍ୟା ଦର୍ଶନ ଉପରେ ପ୍ରଚୁର ପରିମାଣରେ ଅପବ୍ୟୟ କରୁଛୁ ।
ଏହିପରି କାର୍ଯ୍ୟ କରି ଆମେ ସେହି ମନ୍ଦ ଅବସ୍ଥା ସୃଷ୍ଟି କରୁଛୁ ଯାହାକୁ ଆମେ ଭୟକରୁ । ଆମେ ସେହି ବିରୋଧ ସୃଷ୍ଟି କରୁଛୁ ଯାହା ଆମେ ଖୋଜି ପାଉନା । ଆମେ ଆରବି ଏବଂ ସଂସ୍କୃତ କଲେଜରେ ଯାହା ଖର୍ଚ୍ଚ କରୁଛୁ ତାହା ସତ୍ୟପାଇଁ କେବଳ ମାତ୍ର ଏକ ବଡ଼ କ୍ଷତି ନୁହେଁ । ଏହା ଭୁଲ କରୁଥିବା ଚାମ୍ପିଅନମାନଙ୍କ((champions of error)ର ଉତ୍ଥାନ ପାଇଁ ଦିଆଯାଉଥିବା ଅନୁଦାନ ଟଙ୍କା । ଏହା କେବଳ ଅସହାୟ ବୃତ୍ତି ସନ୍ଧାନୀଙ୍କ (place hunters) ପାଇଁ ନୁହେଁ ବରଂ ଆଗ୍ରହ ଏବଂ ଆଗ୍ରହଦ୍ୱାରା ଶିକ୍ଷାର ପ୍ରତ୍ୟେକ ଉପଯୋଗୀ ଯୋଜନା ବିରୁଦ୍ଧରେ ଚିତ୍କାର କରିବାପାଇଁ ପ୍ରେରଣାପ୍ରାପ୍ତ ଧର୍ମାନ୍ଧଙ୍କ ପାଇଁ ମଧ୍ୟ ଏକ ନୀଡ଼ ଗଠନ କରେ । ଯଦି ମୁଁ ସୁପାରିଶ କରୁଥିବା ପରିବର୍ତ୍ତନର ବିରୋଧ ଦେଶୀୟ ଅଧିବାସୀ(natives)ଙ୍କ ମଧ୍ୟରେ ଦେଖାଯାଏ, ତାହାହେଲେ ସେହି ବିରୋଧ ହେବ ଆମର ନିଜସ୍ୱ ବ୍ୟବସ୍ଥାର ପ୍ରଭାବ । ଏହି ବିରୋଧର ନେତୃତ୍ୱ ନେବେ ସେଇ ବ୍ୟକ୍ତିମାନେ ଯେଉଁମାନେ ଆମ ଦେଉଥିବା ବୃତ୍ତିର ହିତାର୍ଥୀ ଓ ଆମରି କଲେଜରେ ତାଲିମପ୍ରାପ୍ତ । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ଯେତେ ଅଧିକ ସମୟ ଚଳାଇ ରଖିବୁ, ବିରୋଧ ସେତେ ଅଧିକ ଶକ୍ତିଶାଳୀ ହେବ । ଆମେ ଯେଉଁମାନଙ୍କ ପାଇଁ ଖର୍ଚ୍ଚ କରୁଛୁ, ସେମାନଙ୍କ ଦ୍ୱାରା ବର୍ଷକୁ ବର୍ଷ ଏହି ବିରୋଧର ଶକ୍ତି ବୃଦ୍ଧିପାଇ ଚାଲିବ । ଯଦି ଦେଶୀୟ ସମାଜ(native society)କୁ ତାର ନିଜ ଅବସ୍ଥା ଉପରେ ଛାଡ଼ି ଦିଆଯାଏ, ତାହାହେଲେ ସେ ସମାଜକୁ ବୁଝିବାରେ ଆମର କୌଣସି ଅସୁବିଧା ନାହିଁ । ସମସ୍ତ ଅଭିଯୋଗ ସେହି ପ୍ରାଚ୍ୟ ସ୍ୱାର୍ଥ((oriental interest)ରୁ ଆସିବ ଯାହାକୁ ଆମେ କୃତ୍ରିମ ଉପାୟରେ ସୃଷ୍ଟି କରି ଶକ୍ତିଶାଳୀ କରିଛୁ ।
ଆଉ ଏକ ସତ୍ୟ ଅଛି ଯାହା ପ୍ରମାଣ କରିବାପାଇଁ ଯଥେଷ୍ଟ ଯେ ଦେଶୀୟ ଜନସାଧାରଣ(native public)ଙ୍କ ଭାବନା, ଯେତେବେଳେ ଏହାକୁ ନିଜ ଉପରେ ଛାଡ଼ି ଦିଆଯାଏ, ସେପରି ହୋଇ ନଥାଏ ଯେପରି ପୁରୁଣା ବ୍ୟବସ୍ଥାର ସମର୍ଥକମାନେ ଏହାର ଉପସ୍ଥାପନ କରିଥାନ୍ତି । ଆରବି ଏବଂ ସଂସ୍କୃତ ପୁସ୍ତକ ମୁଦ୍ରଣରେ ଲକ୍ଷାଧିକ ଟଙ୍କାରୁ ଅଧିକ ବ୍ୟୟ କରିବାକୁ କମିଟି ଉଚିତ ମନେ କରିଛି । ସେହି ପୁସ୍ତକଗୁଡ଼ିକର କୌଣସି କ୍ରେତା ନାହାନ୍ତି । ଏହା କ୍ୱଚିତ୍ ଯେ ପୁସ୍ତକର ଗୋଟିଏ ହେଲେ କପି ମଧ୍ୟ ବିକ୍ରି ହୋଇଥାଏ । ତେଇଶ ହଜାର ଖଣ୍ଡ(volumes), ସେମାନଙ୍କ ମଧ୍ୟରୁ ଅଧିକାଂଶ ଫୋଲିଓ ଏବଂ କ୍ୱାର୍ଟୋ (folios and quartos), ଏହି ସଂସ୍ଥାର ଲାଇବ୍ରେରୀ କିମ୍ବା ଅଦରକାରୀ ଜିନିଷ ରଖାଯାଉଥିବା କୋଠରୀରେ ଗଦା କରାଯାଇଥାଏ । ପ୍ରାଚ୍ୟ ସାହିତ୍ୟର ଏହି ବହିଗୁଡିକୁ ବାଣ୍ଟିଦେଇ ସେମାନଙ୍କର ବିଶାଳ ଭଣ୍ଡାରକୁ କିଛି ଅଂଶରେ କମାଇବାପାଇଁ କମିଟିକୁ ଉପାୟ କରିବାକୁ ପଡ଼ିଥାଏ । କିନ୍ତୁ ସେମାନେ ସେ ଦ୍ରୁତ ଗତିରେ ବାଣ୍ଟି ପାରନ୍ତି ନାହିଁ ଯେଉଁ ଗତିରେ ମୁଦ୍ରଣ କରୁଥାନ୍ତି । ବର୍ଷକୁ ପ୍ରାୟ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ ହୁଏ ଅଦରକାରୀ କାଗଜର ପରିମାଣ ବଢ଼ାଇବାରେ, ଯେତେବେଳେ କି ଜଣେ ଭାବିବା ଉଚିତ ଯେ ପୂର୍ବରୁ ଯାହା ଥିଲା ତାହା ଯଥେଷ୍ଟ ଥିଲା । ଏହିପରି ଗତ ତିନିବର୍ଷ ଭିତରେ ପ୍ରାୟ ଷାଠିଏ ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଛି । ଆରବି ଓ ସଂସ୍କୃତ ବହିର ବିକ୍ରୟରୁ, ଏହି ତିନିବର୍ଷରେ ଏକ ହଜାର ଟଙ୍କା ମଧ୍ୟ ଆସି ନାହିଁ । ଅଥଚ ଏହା ଭିତରେ, School Book Societyସାତ ବା ଆଠହଜାର ଖଣ୍ଡ ଇଂରାଜିପୁସ୍ତକ ପ୍ରତିବର୍ଷ ବିକିଛି ଏବଂ ଏଥିରୁ କେବଳ ଛପା ଖର୍ଚ୍ଚ ଭରଣା ହୋଇନି, ଖର୍ଚ୍ଚପାଇଁ ବରାଦ ରାଶି ଉପରେ ଶତକଡ଼ା କୋଡ଼ିଏ ଲାଭ ମଧ୍ୟ ହୋଇଛି ।
ଯେ ହିନ୍ଦୁ ଆଇନ ମୁଖ୍ୟତଃ ସଂସ୍କୃତ ପୁସ୍ତକରୁ ଏବଂ ମୁସଲମାନ ଆଇନ ଆରବି ପୁସ୍ତକରୁ ଶିଖିବା ଉଚିତ, ଏହି କଥା ଉପରେ ଯଦିଓ ବହୁତ ଜୋର ଦିଆଯାଉଛି, କିନ୍ତୁ ମନେ ହେଉନାହିଁ ଏହା କୌଣସି ଭାବରେ ମୂଳ ପ୍ରଶ୍ନକୁ ପ୍ରଭାବିତ କରିପାରୁଛି । ଭାରତର ଆଇନଗୁଡ଼ିକୁ ନିର୍ଣ୍ଣୟ ଏବଂ ବ୍ୟବସ୍ଥିତ କରିବା ପାଇଁ ସଂସଦ ଆମକୁ ନିର୍ଦ୍ଦେଶ ଦେଇଛି । ଏହି ଉଦ୍ଦେଶ୍ୟରେ ଆମକୁ ଏକ ଆଇନ କମିଶନର ସହାୟତା ଦିଆଯାଇଛି । ସଂହିତା(Code) ପ୍ରଣୟନ ହେବା ମାତ୍ରେ ଶାସ୍ତ୍ର ଏବଂ ହିଦୟା (Hedaya) ଜଣେ ମୁନସଫ କିମ୍ବା ଜଣେ ସଦର ଅମୀନ ପାଇଁ ଅକାମୀ ହୋଇଯିବ । ମୋର ଆଶା ଓ ବିଶ୍ୱାସ ଯେ, ମଦରସା ଏବଂ ସଂସ୍କୃତ କଲେଜରେ ଏବେ ପ୍ରବେଶ କରୁଥିବା ପିଲାମାନଙ୍କର ପାଠପଢ଼ା ସମାପ୍ତ ହେବା ପୂର୍ବରୁ, ଏହି ମହାନ କାର୍ଯ୍ୟ ସମାପ୍ତ ହୋଇଯିବ । ଏକ ବଢିଆଳ ପିଢ଼ି ପୁରୁଷତ୍ୱ(manhood)ରେ ପହଞ୍ଚିବା ପୂର୍ବରୁ ଆମେ ଯେଉଁ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ଚାହୁଁଛୁ ତାହା ପ୍ରତି ଦୃଷ୍ଟିଦେଇ ସେମାନଙ୍କୁ ଏପରି ଶିକ୍ଷାଦେବା ସ୍ପଷ୍ଟଭାବରେ ଅଯୌକ୍ତିକ ହେବ ।
କିନ୍ତୁ ଆଉ ଏକ ଯୁକ୍ତିଅଛି ଯାହା ଆହୁରି ଅସମ୍ଭବ ମନେହୁଏ । କୁହାଯାଉଛି ଯେ ସଂସ୍କୃତ ଏବଂ ଆରବି ହେଉଛି ସେହି ଭାଷା ଯେଉଁଥିରେ ଶହେ କୋଟି ଲୋକଙ୍କର ପବିତ୍ର ପୁସ୍ତକ ଲେଖାଯାଇଛି, ଏବଂ ସେଥିପାଇଁ ସେମାନେ ଏକ ବିଶେଷ ପ୍ରୋତ୍ସାହନ ପାଇବାର ହକଦାର । ଅବଶ୍ୟ ଭାରତରେ ଏହା ବ୍ରିଟିଶ ସରକାରଙ୍କ କର୍ତ୍ତବ୍ୟ ସେ କେବଳ ସହିଷ୍ଣୁ ହେବେ ନାହିଁ ବରଂ ସମସ୍ତ ଧାର୍ମିକ ପ୍ରଶ୍ନ ଉପରେ ନିରପେକ୍ଷ ରହିବେ । କିନ୍ତୁ ଏକ ସାହିତ୍ୟର ଅଧ୍ୟୟନକୁ ଉତ୍ସାହିତ କରିବା, ଯାହାର ଆନ୍ତରିକ ମୂଲ୍ୟ କମ୍ ବୋଲି ସ୍ୱୀକୃତ, କେବଳ ଏହି କାରଣରୁ ଯେ ସେହି ସାହିତ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକରେ ସବୁଠାରୁ ଗମ୍ଭୀର ତ୍ରୁଟିକୁ ଆମ ମସ୍ତିଷ୍କରେ ସ୍ଥାପିତ କରିପାରିଛି, ଯାହାର ପାଠ୍ୟକ୍ରମ କ୍ୱଚିତ ଯୁକ୍ତି ସହିତ ସମ୍ମତ, ନୈତିକତା ସହିତ ସମ୍ମତ, କିମ୍ବା ସେହି ନିରପେକ୍ଷତା ସହିତ ସମ୍ମତ, ଯାହାକୁ ପବିତ୍ର ଭାବରେ ସଂକ୍ଷରିତ କରି ରଖାଯିବା ଉଚିତ । ଏହା ଏକ ସୀମିତ ଧାରଣା ଯେ କୌଣସି ଭାଷା ଉପଯୋଗୀ ଜ୍ଞାନରୁ ବଞ୍ଚିତ ହୋଇପାରେ । ଆମକୁ ଏହାର ଶିକ୍ଷା ଦେବାକୁ ହେବ କାରଣ ଏହା ଭୟଙ୍କର ଅନ୍ଧବିଶ୍ୱାସ ପାଇଁ ଫଳପ୍ରଦ । ଆମକୁ ମିଥ୍ୟା ଇତିହାସ, ମିଥ୍ୟା ଜ୍ୟୋତିର୍ବିଜ୍ଞାନ, ମିଥ୍ୟା ଔଷଧ ଶିକ୍ଷା ଦେବାକୁ ହେବ, ଯେହେତୁ ଏଗୁଡିକ ସବୁ ଏକ ମିଥ୍ୟା ଧର୍ମ ସହିତ ଆମେ ପାଇଥାଉ । ଆମେ ବିରତ ରହିଛୁ, ଏବଂ ମୋର ବିଶ୍ୱାସ ଯେ ଆମେ ସର୍ବଦା ବିରତ ରହିବୁ, ସେମାନଙ୍କୁ କୌଣସି ପ୍ରକାର ସାର୍ବଜନିକ ପ୍ରୋତ୍ସାହନ ଦେବାରୁ ଯେଉଁମାନେ ଦେଶୀୟ ଅଧିବାସୀ (natives)ଙ୍କୁ ଖ୍ରୀଷ୍ଟଧର୍ମରେ ଧର୍ମାନ୍ତରିତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବଂ ଯେତେବେଳେ ଆମେ ଏପରି କାର୍ଯ୍ୟ କରୁଛୁ, ଆମେ କ’ଣ ରାଜ୍ୟର ରାଜସ୍ୱରୁ ଯୁକ୍ତିସଙ୍ଗତ ଭାବରେ ବା ଶାଳୀନତାର ସହିତ ଲୋକଙ୍କୁ ଲାଞ୍ଚ ଦେଇପାରିବା ସେମାନଙ୍କର ଯୁବାବସ୍ଥାକୁ ନଷ୍ଟ କରିବାକୁ ଏପରି ଶିକ୍ଷା ପାଇ ଯେ ସେମାନେ କିପରି ଗଧକୁ ସ୍ପର୍ଶ କରିବା ପରେ ନିଜକୁ ଶୁଦ୍ଧ କରିବେ କିମ୍ବା ଛେଳି ହତ୍ୟା କରିବାର ଅପରାଧର ପ୍ରାୟଶ୍ଚିତ୍ତ ପାଇଁ ସେମାନେ ବେଦର କେଉଁ ପାଠଗୁଡ଼ିକର ପୁନରାବୃତ୍ତି କରିବେ?
ପ୍ରାଚ୍ୟ ଶିକ୍ଷାର ସମର୍ଥକମାନେ ସ୍ୱାଭାବିକ ଭାବେ ଏହା ମାନି ନେଇଛନ୍ତି ଯେ ଏହି ଦେଶର କୌଣସି ଦେଶୀୟ ଅଧିବାସୀ(natives) ସାମାନ୍ୟ ଇଂରାଜୀ ଭାଷାଠାରୁ ଅଧିକ କିଛି ଶିଖିପାରିବେ ନାହିଁ । ସେମାନେ ଅବଶ୍ୟ ଏହାକୁ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ସେମାନେ ନିରନ୍ତର ଏହାପ୍ରତି ଇଙ୍ଗିତ କରନ୍ତି । ସେମାନେ ସେମାନଙ୍କର ବିରୋଧୀମାନେ ସୁପାରିଶ କରିଥିବା ଶିକ୍ଷାକୁ କେବଳ ବନାନ -ପୁସ୍ତକ(spelling -book) ଶିକ୍ଷାଭାବରେ ନାମିତ କରନ୍ତି । ଏହାକୁ ସେମାନେ ନିର୍ବିବାଦ ବୋଲି ମାନି ନେଇଛନ୍ତି, ଯେ ପ୍ରଶ୍ନ ରହିଛି ଗୋଟିଏ ପଟେ ହିନ୍ଦୁ ଏବଂ ଆରବି ସାହିତ୍ୟ ଏବଂ ବିଜ୍ଞାନର ଗଭୀର ଜ୍ଞାନ ଏବଂ ଅନ୍ୟପଟେ ଇଂରାଜୀର ମୌଳିକ ବିଷୟ ଗୁଡିକ ଉପରେ ଉପରଠାଉରିଆ ଜ୍ଞାନ ମଧ୍ୟରେ । ଏହା କେବଳ ଏକ ଧାରଣା ନୁହେଁ, ବରଂ ସମସ୍ତ ଯୁକ୍ତି ଏବଂ ଅଭିଜ୍ଞତାର ବିପରୀତ ଏକ ଧାରଣା । ଆମେ ଜାଣୁ ଯେ ସବୁ ରାଷ୍ଟ୍ରରେ ବିଦେଶୀମାନେ ଆମ ଭାଷାକୁ ଯଥେଷ୍ଟ ପରିମାଣରେ ଶିଖନ୍ତି ଯାହାଦ୍ୱାରା ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଥିବା ସମସ୍ତ ଗୂଢ଼ ଜ୍ଞାନ ସେମାନଙ୍କୁ ଉପଲବ୍ଧ ହୋଇପାରିବ ଯାହା ଯଥେଷ୍ଟ ହେବ ସେମାନଙ୍କ ପାଇଁ ଆମର ସବୁଠାରୁ ବାଗ୍ମୀ ଲେଖକଙ୍କ କୃତିର ସୂକ୍ଷ୍ମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ । ଏହି ସହରରେ ଏପରି କିଛି ଦେଶୀୟ ଅଧିବାସୀ ଅଛନ୍ତି ଯେଉଁମାନେ ଇଂରାଜୀ ଭାଷାରେ ଅନର୍ଗଳ ଏବଂ ସଠିକତାର ସହିତ ରାଜନୈତିକ ବା ବୈଜ୍ଞାନିକ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବାକୁ ସକ୍ଷମ । ବର୍ତ୍ତମାନ ଯେଉଁ ପ୍ରଶ୍ନ ଉପରେ ଲେଖୁଛି, ତାହା ଉପରେ, ମୁଁ ଶୁଣିଛି ଦେଶୀୟ ଭଦ୍ରଲୋକମାନେ ଉଦାରତା ଓ ବୁଦ୍ଧିମତାର ସହିତ ଆଲୋଚନା କରିଛନ୍ତି ଯାହା Committee of Public Instructionଯେକୌଣସି ସଦସ୍ୟପାଇଁ ଗୌରବର ବିଷୟ ହୋଇପାରେ । ଏପରିକି ମହାଦେଶର ସାହିତ୍ୟିକ ମଣ୍ଡଳୀରେ, ସାଧାରଣତଃ, ଏପରି କୌଣସି ବିଦେଶୀଙ୍କୁ ଖୋଜି ପାଉ ନା, ଯିଏ ଏତେ ସାବଲୀଳ ଏବଂ ସଠିକ ଭାବରେ ନିଜକୁ ଇଂରାଜୀରେ ପ୍ରକାଶ କରିପାରିବେ ଯେପରି ଆମେ ଅନେକ ହିନ୍ଦୁଙ୍କଠାରେ ଦେଖିଥାଉ । ମୁଁ ଭାବୁଛି, କେହିହେଲେ ମନା କରିବେ ନାହିଁ ଯେ ଜଣେ ହିନ୍ଦୁଙ୍କ ପାଇଁ ଇଂରାଜୀ ସେତିକି କଷ୍ଟକର ଯେତିକି ଜଣେ ଇଂରାଜ ପାଇଁ ଗ୍ରୀକ୍ । ତଥାପି ସଂସ୍କୃତ କଲେଜରୁ ପାସ୍ କରୁଥିବା ଆମର ହତଭାଗ୍ୟ ଛାତ୍ରମାନଙ୍କ ତୁଳନାରେ ବେଶ କମ୍ବର୍ଷ ମଧ୍ୟରେ, ଜଣେ ବୁଦ୍ଧିମାନ୍ ଇଂରାଜୀ ଯୁବକ ଶ୍ରେଷ୍ଠ ଗ୍ରୀକ୍ ଲେଖକମାନଙ୍କ ରଚନା ଖୁସିର ସହ ପଢ଼ିବା, ଉପଭୋଗ କରିବା ଏବଂ ଏପରିକି ଅନୁକରଣ କରିବା ପାଇଁ ସକ୍ଷମ ହୋଇଯାଆନ୍ତି । ଜଣେ ଇଂରାଜୀ ଯୁବକ ଯେତିକି ସମୟରେ ହେରୋଡୋଟସ୍ (Herodotus) ଏବଂ ସୋଫୋକ୍ଲିସ୍ (Sophocles)ପଢ଼ି ପାରନ୍ତି ତାହାର ଅଧା ଠାରୁ ମଧ୍ୟ କମ ସମୟରେ ଜଣେ ହିନ୍ଦୁ ହ୍ୟୁମ୍(Hume ) ଏବଂ ମିଲଟନ୍(Milton) ପଢ଼ିପାରିବେ ।
ମୁଁ ଯାହା କହିଛି ତାହା ସଂକ୍ଷେପରେ ଏହିପରି । ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଆମେ ୧୮୧୩ ମସିହାର ସଂସଦ ଆଇନଦ୍ୱାରା ବନ୍ଧା ନୁହଁ; ଯେ ଆମେ କୌଣସି ପ୍ରକାଶ୍ୟ କିମ୍ବା ଅନ୍ତର୍ନିହିତ ପ୍ରତିଶ୍ରୁତି ଦ୍ୱାରା ଆବଦ୍ଧ ନୁହଁ; ଯେ ଆମେ ଆମର ପାଣ୍ଠିକୁ ଆମ ଇଚ୍ଛା ଅନୁସାରେ ବ୍ୟବହାର କରିବାକୁ ସ୍ୱାଧୀନ; ଯେ ଆମେ ସେ ପାଣ୍ଠିକୁ ସେହି ଶିକ୍ଷାଦାନରେ ବ୍ୟବହାର କରିବା ଉଚିତ, ଯାହା ଜାଣିବା ସବୁଠାରୁ ମୁଲ୍ୟବାନ୍; ଯେ ସଂସ୍କୃତ କିମ୍ବା ଆରବି ଅପେକ୍ଷା ଇଂରାଜୀ ଜାଣିବା ଅଧିକ ପ୍ରୟୋଜନୀୟ; ଯେ ଦେଶୀୟ ଅଧିବାସୀ (natives)ମାନେ ଇଂରାଜୀ ଶିଖିବାକୁ ଇଚ୍ଛୁକ, ଏବଂ ସେମାନେ ଇଚ୍ଛୁକ ନୁହଁନ୍ତି – ସଂସ୍କୃତ କିମ୍ବା ଆରବି ପଢ଼ିବାରେ: ଯେ ଆଇନର ଭାଷା ଭାବରେ କିମ୍ବା ଧର୍ମର ଭାଷାଭାବରେ-ସଂସ୍କୃତ ଏବଂ ଆରବିର ଆମର ଉତ୍ସାହ ଉପରେ କୌଣସି ବିଶେଷ ଦାବି ନାହିଁ; ଯେ ଏହି ଦେଶର ଦେଶୀୟ ଅଧିବାସୀଙ୍କୁ ଅତି ଭଲ ଇଂରାଜୀ ବିଦ୍ୱାନ କରିବା ସମ୍ଭବ, ଏବଂ ଏହି ଦିଗରେ ଆମର ପ୍ରୟାସ ନିର୍ଦ୍ଦେଶିତ ହେବା ଉଚିତ ।
ଗୋଟିଏ ବିନ୍ଦୁରେ ମୁଁ ସେହି ଭଦ୍ରଲୋକମାନଙ୍କ ସହିତ ସମ୍ପୂର୍ଣ୍ଣ ସହମତ ଯାହାଙ୍କ ସାଧାରଣ ମତାମତକୁ ମୁଁ ବିରୋଧ କରୁଛି । ମୁଁ ସେମାନଙ୍କ ସହିତ ଅନୁଭବ କରେ ଯେ ଆମର ସୀମିତ ସାଧନ ଭିତରେ, ଜନସାଧାରଣଙ୍କୁ ଶିକ୍ଷିତ କରିବାପାଇଁ ଚେଷ୍ଟାକରିବା ଆମପାଇଁ ସମ୍ଭବ ନୁହେଁ । ଆମକୁ ବର୍ତ୍ତମାନ ଏପରି ଏକ ଶ୍ରେଣୀ ଗଠନପାଇଁ ଯଥାସମ୍ଭବ ଚେଷ୍ଟା କରିବାକୁ ପଡିବ ଯେଉଁମାନେ ଆମ ଏବଂ ଆମେ ଶାସନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ବ୍ୟାଖ୍ୟାକାରୀ (interpreters) ହୋଇପାରିବେ, -ଏପରି ଶ୍ରେଣୀ ଯିଏ ରକ୍ତ ଏବଂ ବର୍ଣ୍ଣରେ ରହିବେ ଭାରତୀୟ, କିନ୍ତୁ ରୁଚି, ମତ, ନୈତିକତା ଏବଂ ବୁଦ୍ଧିରେ ହେବେ ଇଂରାଜ । ସେହି ଶ୍ରେଣୀଉପରେ ଆମେ ଛାଡ଼ି ଦେଇପାରିବା ଦେଶର ସ୍ଥାନୀୟ ଭାଷାଗୁଡ଼ିକୁ ମାର୍ଜିତ କରିବା, ପାଶ୍ଚାତ୍ୟ ନାମକରଣରୁ ଗ୍ରହଣ କରାଯାଇଥିବା ବିଜ୍ଞାନର ଶବ୍ଦ ଦ୍ୱାରା ସେହି ଭାଷା ଗୁଡ଼ିକୁ ସମୃଦ୍ଧ କରିବା ଏବଂ ସେଗୁଡ଼ିକୁ ଜନସଂଖ୍ୟାର ବିଶାଳ ଜନତାଙ୍କ ନିକଟରେ ଧୀରେ ଧୀରେ ଜ୍ଞାନ ପହଞ୍ଚାଇବା ପାଇଁ ଉପଯୁକ୍ତ ମାଧ୍ୟମ ଭାବେ ପ୍ରସ୍ତୁତ କରିବାର ଦାୟିତ୍ୱ ।
ମୁଁ ବିଦ୍ୟମାନ ସମସ୍ତ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସମ୍ମାନ ଦେବି । ମୁଁ ମଧ୍ୟ ସେ ସମସ୍ତ ବ୍ୟକ୍ତିବିଶେଷଙ୍କ ସହିତ ଉଦାରତାର ସହିତ ବ୍ୟବହାର କରିବି ଯେଉଁମାନଙ୍କର ଯଥେଷ୍ଟ କାରଣ ରହିଛି ଆର୍ଥିକ ସଂସ୍ଥାନ ଆଶା କରିବା ପାଇଁ । କିନ୍ତୁ ମୁଁ ଏପର୍ଯ୍ୟନ୍ତ ଆମଦ୍ୱାରା ପ୍ରତିପାଳିତ ଅହିତକର ବ୍ୟବସ୍ଥାର ମୂଳରେ ହିଁ ଚୋଟ ପକାଇବି । ମୁଁ ତୁରନ୍ତ ଆରବି ଏବଂ ସଂସ୍କୃତ ପୁସ୍ତକର ମୁଦ୍ରଣ ବନ୍ଦ କରିଦେବି । ମୁଁ କଲିକତାର ମଦରସା ଏବଂ ସଂସ୍କୃତ କଲେଜକୁ ଉଚ୍ଛେଦ କରିଦେବି । ବନାରସ ହେଉଛି ବ୍ରାହ୍ମଣ ଶିକ୍ଷାର ମହାନ ଆସ୍ଥାନ; ଆରବି ଶିକ୍ଷାର ଦିଲ୍ଲୀ । ଯଦି ଆମେ ବନାରସରେ ସଂସ୍କୃତ କଲେଜ ଏବଂ ଦିଲ୍ଲୀରେ ମହମୋଡାନ କଲେଜକୁ କାଏମ ରଖୁ, ତେବେ ଆମେ ଯଥେଷ୍ଟ କଲେ ଏବଂ ଯଥେଷ୍ଟ ଠାରୁ ମଧ୍ୟ ଅଧିକ କଲେ, ମୋ ମତରେ, ପ୍ରାଚ୍ୟ ଭାଷାଗୁଡିକ ପାଇଁ । ଯଦି ବନାରସ ଏବଂ ଦିଲ୍ଲୀ କଲେଜଗୁଡ଼ିକୁ କାଏମ ରଖାଯାଏ, ତେବେ ମୁଁ ଅତି କମ୍ରେ ସୁପାରିଶ କରିବି ଯେ କୌଣସି ଛାତ୍ରଙ୍କୁ କୌଣସି ବୃତ୍ତି ଦିଆଯିବ ନାହିଁ ଯେଉଁମାନେ ପରବର୍ତ୍ତୀ ସମୟରେ ସେଠାକୁ ଯିବେ, ଓ ଲୋକମାନଙ୍କୁ ଛାଡି ଦିଆଯିବ ପ୍ରତିଦ୍ୱନ୍ଦ୍ୱୀ ଶିକ୍ଷା ବ୍ୟବସ୍ଥା ଭିତରୁ ନିଜ ପସନ୍ଦର ଶିକ୍ଷା ବ୍ୟବସ୍ଥା ବାଚ୍ଛିବାକୁ; ଏଥିପାଇଁ ଆମେ ଲାଞ୍ଚ ଦେବା ନାହିଁ ସେ ଶିକ୍ଷାବ୍ୟବସ୍ଥା ବାଛିବାକୁ ଯେଉଁ ଶିକ୍ଷା ପାଇବାପାଇଁ ସେମାନଙ୍କର କୌଣସି ଇଚ୍ଛା ନାହିଁ । ଏହିପରି ଆମ ପାଖରେ ଯେଉଁ ପାଣ୍ଠି ରଖାଯିବ ତାହା ଆମକୁ କଲିକତାର ହିନ୍ଦୁ କଲେଜକୁ ଅଧିକ ପ୍ରୋତ୍ସାହନ ଦେବାରେ ସକ୍ଷମ କରିବ, ଏବଂ ଫୋର୍ଟ ୱିଲିୟମ୍ ଏବଂ ଆଗ୍ରାର ପ୍ରେସିଡେନ୍ସିର ମୁଖ୍ୟ ନଗରଗୁଡ଼ିକରେ ଏପରି ସ୍କୁଲ ପ୍ରତିଷ୍ଠା କରିବାରେ ସକ୍ଷମ କରିବ ଯେଉଁଠାରେ ଇଂରାଜୀ ଭାଷା ଭଲ ଏବଂ ସମ୍ପୂର୍ଣ୍ଣଭାବରେ ଶିକ୍ଷା ଦିଆଯାଇ ପାରିବ ।
ଯଦି ପରିଷଦର ମହାନ ନେତା(His Lordship in Council)ଙ୍କ ନିଷ୍ପତ୍ତି ଏପରି ହୁଏ ଯେପରି ମୁଁ ଆଶା କରୁଛି, ତେବେ ମୁଁ ସର୍ବାଧିକ ଉତ୍ସାହ ଏବଂ ତତ୍ପରତାର ସହିତ ମୋର କର୍ତ୍ତବ୍ୟ ପାଳନରେ ସାମିଲ ହେବି । ଯଦି, ଅନ୍ୟପକ୍ଷରେ, ସରକାରଙ୍କ ମତ ହେଉଛି ଯେ ବର୍ତ୍ତମାନର ବ୍ୟବସ୍ଥା ଅପରିବର୍ତ୍ତିତ ରହିବା ଉଚିତ, ତେବେ ମୁଁ ବିନତି କରୁଛି ଯେ ମୋତେ କମିଟିର ଅଧ୍ୟକ୍ଷ ପଦରୁ ଅବସର ନେବାକୁ ଅନୁମତି ଦିଆଯାଉ । ମୁଁ ଅନୁଭବ କରୁଛି ଯେ ମୁଁ ସେଠାରେ ସାମାନ୍ୟତମ ଉପଯୋଗୀ ହୋଇପାରିବି ନାହିଁ । ବରଂ ମୋର ଆହୁରି ମଧ୍ୟ ମନେ ହୁଏ ଯେ ମୁଁ ଏପରି କିଛି ବିଷୟକୁ ସମର୍ଥନ ଦେଇଯିବି ଯାହା କେବଳ ମାତ୍ର ଏକ ଭ୍ରମ ବା ମାୟା ବୋଲି ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ । ମୁଁ ବିଶ୍ୱାସ କରେ ଯେ ବର୍ତ୍ତମାନର ବ୍ୟବସ୍ଥା ସତ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରେ ନାହିଁ ବରଂ ଶେଷ ହୋଇ ଆସୁଥିବା ତ୍ରୁଟିର ପ୍ରାକୃତିକ ମୃତ୍ୟୁକୁ ବିଳମ୍ବ କରାଇଥାଏ । ମୁଁ ଭାବୁଛି ଯେ Board of Public Instructionର ସମ୍ମାନଜନକ ନାମ ଉପରେ ଆମର ବର୍ତ୍ତମାନ କୌଣସି ଅଧିକାର ନାହିଁ । ଆମେ ଏକ Board ସାଧାରଣ ଲୋକଙ୍କ ଟଙ୍କା ନଷ୍ଟ କରିବା ପାଇଁ, ଏପରି ପୁସ୍ତକ ଛପିବା ପାଇଁ ଯାହା ଲେଖା ହୋଇଥିବା କାଗଜ ଅପେକ୍ଷା ମଧ୍ୟ କମ୍ ମୂଲ୍ୟର, କୃତ୍ରିମ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଭଟ ଇତିହାସ, ଉଦ୍ଭଟ ଅଧିବିଜ୍ଞାନ(metaphysics), ଉଦ୍ଭଟ ପଦାର୍ଥ ବିଜ୍ଞାନ, ଉଦ୍ଭଟ ଧର୍ମଶାସ୍ତ୍ରକୁ, ଏପରି ଏକ ବିଦ୍ୱାନ ଗୋଷ୍ଠୀ ଗଢ଼ିବା ପାଇଁ ଯେଉଁମାନେ ସେମାନଙ୍କର ଛାତ୍ରବୃତ୍ତିକୁ ଏକ ବୋଝ ଏବଂ କଳଙ୍କ ବୋଲି ମନେ କରନ୍ତି, ଯେଉଁମାନେ ସେମାନଙ୍କର ଶିକ୍ଷା ଗ୍ରହଣ କରିବା ସମୟରେ ଜନସାଧାରଣଙ୍କ ଉପରେ ବଞ୍ଚନ୍ତି, ଏବଂ ଯାହାଙ୍କର ଶିକ୍ଷା ସେମାନଙ୍କ ପାଇଁ ଏତେ ନିରର୍ଥକ ଯେ, ଏହାକୁ ଗ୍ରହଣ କରିସାରିବା ପରେ ସେମାନଙ୍କୁ ହୁଏତ ଓପାସ ରହିବାକୁ ପଡିବ ବା ସାରା ଜୀବନ ଜନସାଧାରଣଙ୍କ ଉପରେ ନିର୍ଭର କରି ବଞ୍ଚିବାକୁ ପଡ଼ିବ । ଏହି ମତାମତଗୁଡ଼ିକୁ ମନରେ ପୋଷଣ କରି, ମୁଁ ସ୍ୱାଭାବିକ ଭାବରେ ସେହି ସଂସ୍ଥାର ଦାୟିତ୍ୱରେ ମୋର ଅଂଶଗ୍ରହଣକୁ ଅନ୍ତ କରିବାକୁ ଇଚ୍ଛା କରୁଛି, ଯଦି ସଂସ୍ଥା ତାହାର କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ନ କରେ, କାରଣ ମୋ ବିଚାରରେ ଏହାର ବର୍ତ୍ତମାନ କାର୍ଯ୍ୟ ପ୍ରଣାଳୀ ନା କେବଳ ଅଦରକାରୀ ବରଂ ନିଶ୍ଚିତ ଭାବରେ କ୍ଷତିକାରକ ।
ବ୍ୟବହୃତ ଉପାଦାନ ସୂଚୀ
୧. Free India from Macaulay’s slavery mindset: PM Modi sets 10-year roadmap, Edited By: Priya Pareek,India Today News Desk, UPDATED: Nov 18, 2025 14:48 IST, https://www.indiatoday.in/india/story/free-india-from-macaulays-slavery-mindset-pm-modi-sets-10-year-roadmap-2821827-2025-11-18
୨. 2. https://x.com/dpradhanbjp/status/1990655226236575947(11:06 AM • Nov 18, 2025)
…କ୍ରମଶଃ
Comments
0 comments






