ବଡ଼ ଲୋକଙ୍କୁ କ’ଣ କହିବା!
ପାଠକେ! ଗୋଟିଏ କଥା ଜାଣନ୍ତୁ । ଏ ବିଶ୍ୱ, ସମୁଦ୍ର ମହାସମୁଦ୍ର, ସାରା ଆକାଶ ଯେତେ ସବୁ ଅଳିହା ହୋଇ ନଷ୍ଟ ହେଉନି, ଏସବୁ ପଛରେ ଏଇ ବଡ଼ ଲୋକମାନେ ଅଛନ୍ତି । ବଡ଼ ଲୋକ କହିଲେ ଆମେ ଖାଲି ଆମ ଗାଁ, ଆମ ରାଜ୍ୟ, ଆମ ଦେଶ କି ଆମ ମହାଦେଶର ବଡ଼ ଲୋକ କି କର୍ପୋରେଟଙ୍କ କଥା କହିବାନି ହେ । ଆମେ ଜାଣିଛେ ସେମାନେ ସବୁ ନିଜେ ଅଳିହା, ତେଣୁ ସାରା ସମାଜଟାକୁ ଅଳିହାମୟ କରିକି ଛାଡ଼ିବେ । ଆମେ ଏଠି ଯେଉଁ ବଡ଼ ଲୋକଙ୍କ କଥା କହୁଛୁ ସେମାନେ ଏମାନଙ୍କ ଠାରୁ କାହିଁରେ କେତେ ଧନୀ । ତାଙ୍କ ଧନକୁ କେହି ତ ଗଣିପାରୁ ନାହାନ୍ତି ଆମେ କିଏ । ଏକଥା କହିଲାବେଳକୁ ଆପଣ ଖାଲି ଆମେରିକା ଆଡ଼େ ଅନାଇ ପକାନ୍ତୁନି କାରଣ ଏ ନଷ୍ଟ ଯଜ୍ଞରେ ଆହୂତି ଦେଲାବାଲା କେବଳ ଆମେରିକା ବୋଲି କହିବାନି, ତା ସାଙ୍ଗକୁ ଆହୁରି କେତେ ପ୍ରାଣୀ ଅଛନ୍ତି । ଆପଣ ତାଙ୍କ କଥା ଭାବନ୍ତୁ ଆଉ କ’ଣ କରିବା ଟିକେ କହନ୍ତୁ ।
ଆଜ୍ଞା! ୧୯୭୧ ମସିହା । ସୋଭିଏତ୍ ବୈଜ୍ଞାନିକମାନେ କ’ଣ କଲେ ଜାଣିଛନ୍ତି? ଭୁଲ୍ରେ ତାଙ୍କ ଅଞ୍ଚଳର ତୁର୍କମେନିସ୍ତାନରେ ଯେଉଁ କାରାକୁମ ମରୁଭୂମି ଅଛି ତା ଭିତରେ ଥିବା ଏକ ବିଶାଳ ଭୂତଳ ଗ୍ୟାସ ଭଣ୍ଡାରରେ ନିଆଁ ଲଗାଇଦେଇ ଘରକୁ ପଳାଇଲେ । ଏମାନେ ବଡ଼ ଲୋକ, ଗବେଷକ । କହୁଛନ୍ତି ଗବେଷଣା ପାଇଁ ନିଆଁ ଲଗାଇଥିଲେ, ହୋଇଥିବ; ହେଲେ ନିଆଁକୁ ପୁଣି ଲିଭାଇବା କଥା ନା ନାହିଁ? ଲିଭାଇଲେ ନାହିଁ । ତୁର୍କମେନିସ୍ତାନ ଏବେ ଏସିଆର ଏକ ସ୍ୱାଧୀନ ଦେଶ । ସିଏ କ’ଣ କରିଛି ନା ପଇସା ପାଇଁ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ କରିଦେଇଛି । ଗତ ଅର୍ଦ୍ଧଶତାବ୍ଦୀ ଧରି ଜଳିବା ଫଳରେ ଏଠାରେ ଗୋଟାଏ ବଡ଼ ଗର୍ତ୍ତ ହୋଇଯାଇଛି ଯାହାକୁ କିଛି ‘ମିଛ ମହାପ୍ରଭୁ’ ‘ନର୍କର ଦ୍ୱାର’ କହି ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଉଛନ୍ତି । କହୁଛନ୍ତି କାଳେ ସେଠୁ ପାପୀ ଆତ୍ମାମାନଙ୍କର ଚିକ୍ରାର ଶୁୁଭୁଛି । ବଡ଼ ଲୋକ ପଇସା ଖର୍ଚ୍ଚ କରି ନିଜର ବିମାନ, ହେଲିକପ୍ଟାର ନେଇ ଏହାକୁ ଦେଖିବାକୁ ଦଉଡୁଛନ୍ତି । କିନ୍ତୁ ଏ ଗାତ ଏହାର ବିଷାକ୍ତ ଗ୍ୟାସ ଯୋଗୁଁ ସ୍ଥାନୀୟ ସାଧାରଣ ଲୋକଙ୍କ ଜୀବନ ନଷ୍ଟ କରିଦେଉଛି । ଅବଶ୍ୟ ଏହା ଭିତରେ ବିଶେଷଜ୍ଞମାନେ ନିଆଁ ଚାରିପଟେ ମିଥେନ ଗ୍ୟାସକୁ ଧରି ରଖିବାପାଇଁ ନିବୁଜ ବାମ୍ଫିଗୁଡ଼ିଏ ତିଆରି କରିବାରେ ସକ୍ଷମ ହେଲେଣି ଯା’ଫଳରେ ଏଠାରୁ ବାହାରୁଥିବା ଗ୍ୟାସ ତା ଭିତରେ ଜମା ରହୁଛି ତେଣୁ ନିଆଁର ପ୍ରକୋପ କମୁଛି । ହେଲେ ଏଥିପାଇଁ ମାଡ଼ି ଯାଇଥିବା ବିଷାକ୍ତ ଗ୍ୟାସରେ ମଣିଷ ନିଶ୍ୱାସ ନେବ କେମିତି ଆଉ ମରିବା ପର୍ଯ୍ୟନ୍ତ ବଂଚିବ କେମିତି?
୧୯୯୧ରେ ଆମେରିକା ଯୁଦ୍ଧବିମାନ କବଳରୁ ରକ୍ଷା ପାଇବାପାଇଁ ଇରାକ କ’ଣ କଲା ନା ୭୦୦ ତୈଳକୂପରେ ନିଆଁ ଲଗାଇଦେଲା । ନିଆଁ ଲଗାଇବା ପୂର୍ବରୁ ମୃତ ବଡ଼ଲୋକ ସଦ୍ଦାମ ହୁସେନ କହିଲେ ଏହା ଫଳରେ ଇରାକ ଆକାଶସାରା କଳାକଳା ଧୂଅାଁ ମାଡ଼ିଯିବ । ଆମେରିକାର ବିମାନ ଚାଳକମାନଙ୍କୁ ତ କିଛି ଦେଖାଯିବନି ଆଉ ବମ୍ ପକାଇବେ କେଉଁଠୁ? ହେଲେ ଏହି ବଡ଼ଲୋକ ଜଣକଙ୍କର ଏହି ନିଷ୍ପତ୍ତି ଯୋଗୁଁ ପରିବେଶର କ’ଣ ହେଲା? ବଡ଼ଲୋକମାନଙ୍କ ପାଖରେ ତ ଭଲ ପଇସା ଦେଇ କିଣା ଯାଇଥିବା ଯନ୍ତ୍ର ଅଛି ସେମାନେ ନିଶ୍ୱାସ ନେଇପାରିବେ । ସାଧାରଣ ଲୋକଟିଏ କିପରି ବଂଚିବ? ଗାଜା ପଟ୍ଟିକୁ ଆସନ୍ତୁ । ଏଠିକାର ଯୁଦ୍ଧ ତ ସରୁନି । ଗତବର୍ଷ ୨୦୨୩-୨୪ରେ ଏଠି ୩୯ନିୟୁତ ଟନ ମଣିଷ ଓ ପରିବେଶ ପାଇଁ ଭୟଙ୍କର ଯୁଦ୍ଧାସ୍ତ୍ର ଅଳିହା ଗଦା ହୋଇଥିଲା । ପ୍ରତି ବର୍ଗ ମିଟରରେ ୧୦୭ କିଲୋଗ୍ରାମ ଭାରୀ ଧାତୁ । ଏଥିରେ ୮୦% ଗଛଲତା ଧ୍ୱଂସ ହୋଇ ଯାଇଛନ୍ତି । ମଣିଷକୁ ଅମ୍ଳଜାନ କିଏ ଦେବ? ଲ୍ୟାଣ୍ଡମାଇନ୍, ତେଲ ଆଦି ଗଦା ହୋଇଛି । ଯଦି ଏ ଭୂଖଣ୍ଡଟି କେବେ ଯୁଦ୍ଧରୁ ବଂଚିଯାଏ ଏଠି ଆଉ ମଣିଷ କି ଜୀବଜନ୍ତୁ ରହିପାରିବେ କି?
ମଣିଷ ପାଇଁ ଭୟଙ୍କର ସବୁଜଗୃହ ବାଷ୍ପ ନିର୍ଗମନ ୫.୫% ଦାୟୀ ବା ବୃଦ୍ଧିି ଏଇ ବଡ଼ଲୋକମାନଙ୍କର ଅଯଥା ଯୁଦ୍ଧଖୋରିତା ଯୋଗୁଁ ଘଟୁଛି । ‘ସମଦୃଷ୍ଟି’ର ପାଠକଙ୍କପାଇଁ ସବୁଜଗୃହ ବାଷ୍ପର ପ୍ରଭାବ ବିଷୟରେ ପ୍ରବଚନ ଦେବାର ଆବଶ୍ୟକତା ନିଶ୍ଚିତ ନାହିଁ ହେଲେ ଭାବନ୍ତୁ ବଡ଼ଲୋକଙ୍କର ଏ ମରଣ ମୁଁହରୁ ଆମେ ବଂଚିବା କେମିତି? ଏ କ୍ଷତିକାରକ ବଡ଼ଲୋକମାନେ ଆପଣଙ୍କ ଗାଁଠାରୁ ଆମେରିକାର ହ୍ୱାଇଟ ହାଉସ ଯାଏ ସବୁଠି ଅଛନ୍ତି ଆଉ ଏ ବିଶ୍ୱଟାକୁ ଅଳିହା କରୁୁଛନ୍ତି । ପାଠକେ! ଏ କ୍ଷେତ୍ରରେ ଈଶ୍ୱରଙ୍କ ପରି ଚୁପ୍ ବସିଗଲେ ହବ ନାହିଁ, ଆସନ୍ତୁ ଚିକ୍ରାର କରିବା ଲେଖାରେ ହେଉ କି କଥାରେ ।
ବିକାଶ ପାଇଁ ସମୟ ନାଁରେ ଢୋଲପିଟା!
ପାଠକେ! ସତରେ ଓଡ଼ିଶାର ବିକାଶ ପାଇଁ କେତେ ଖଣ୍ଡେ ସମୟ ଦରକାର? କେତେ ୫ ନା ୧୦? ଏକଥା ଆମେ କାଇଁ ପଚାରୁଛୁ କି ଓଡ଼ିଶାର ଦୁଇଜଣ ବିଜେପି ନେତା (ଶୁଣାଯାଏ ଯିଏକି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ) ସେମାନେ ରାଜ୍ୟରେ କେତେ ଦିନରେ ବିକାଶ ହୋଇ ପାରିବ, ତା’କୁ ନେଇ ସାଧାରଣ ସଭାମାନଙ୍କରେ ନାନା କଥା ଶୁଣାଉଛନ୍ତି । ଜଣେ କହୁଛନ୍ତି ଓଡ଼ିଶାର ବିକାଶ ହେବାପାଇଁ ଆଉ ଦଶବର୍ଷ ଦରକାର । ତାଙ୍କର ଏକଥା ଶୁଣି ଆଉ ଜଣେ କହୁଛନ୍ତି ଓଡ଼ିଶାର ବିକାଶ ପାଇଁ ମାତ୍ର ପାଞ୍ଚ ବର୍ଷ ଦରକାର ।
ପାଠକେ, ବିଜେପିର ଏହି ଦୁଇଜଣ ନେତା ହେଉଛନ୍ତି ବିଜେପିର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଓଡ଼ିଶା ସଙ୍ଗଠନର ସଭାପତି ମନମୋହନ ସାମଲ । ଇତିମଧ୍ୟରେ ବାବୁ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଧାମନଗର ଅଞ୍ଚଳକୁ ଏକ ସଭାରେ ଯୋଗଦେବା ପାଇଁ ଆସିଥିଲେ । ସେଠାରେ ଅନେକ କଥା କହିବା ସହିତ ଧର୍ମେନ୍ଦ୍ର ଏକଥା ମଧ୍ୟ କହିଥିଲେ ଯେ ଓଡ଼ିଶାର ବିକାଶପାଇଁ ଆଉ ଦଶବର୍ଷ ଲାଗିବ । ତାପରେ ଓଡ଼ିଶାର ବିକାଶପାଇଁ କ’ଣ କ’ଣ ଦରକାର, ସେ ବିଷୟରେ ଶ୍ରୀ ପ୍ରଧାନ ଲୋକମାନଙ୍କୁ ଶୁଣାଇଥିଲେ ।
କଥାଟିକୁ ଶୁଣିି ମୋହନ ଓ ମନମୋହନଙ୍କ ସମର୍ଥକଙ୍କ ଦେହରେ ନିଅାଁ ଲାଗି ଯାଇଥିଲା । ମୋହନ ଏବେ ମୁଖ୍ୟମନ୍ତ୍ରୀ । ମନମୋହନ ଦଳର ସଭାପତି । ସବୁକଥାରେ ଦୁହିଁକୁ ଏକାଠି ଦେଖିବାକୁ ମିଳୁଛି । ଯଦିଓ ନିଜେ କେମିତି ମୁଖ୍ୟମନ୍ତ୍ରୀ ହେବେ, ସେଥିପାଇଁ ମନମୋହନ ପୁରା ବିଲେଇ ମାଛକୁ ଛକିକି ବସିବା ପରି ବସିଛନ୍ତି । ହେଲେ ବି ସେମାନେ ସବୁଦିନେ ସକାଳୁ ଉଠି କହୁଛନ୍ତି ଯେ ରାଜ୍ୟରେ ବିକାଶ ଘୋଡ଼ା ଦ୍ରୁତଗତିରେ ଦଉଡୁଛି । ଅଥଚ ଇଏ କହୁଛନ୍ତି ଆହୁରି ଦଶବର୍ଷ ଲାଗିବ । ମୋହନ ଓ ମନମୋହନଙ୍କ ସମର୍ଥକ ଜଣେ ବ୍ୟକ୍ତି କହିଥିଲେ –ଓହୋ! ସିଏ କହୁଛନ୍ତି ସିଏ ମୁଖ୍ୟମନ୍ତ୍ରୀ ହେଲେ ଯାଇ ରାଜ୍ୟର ବିକାଶ ହେବ ଆଉ କ’ଣ?
ମନମୋହନ ସଙ୍ଗେ ସଙ୍ଗେ ଧର୍ମେନ୍ଦ୍ରଙ୍କ ଉପରେ ସିଧା ପଲଟବାର କରି ଶୁଣେଇ ଦେଇଛନ୍ତି ଯେ ଦଶବର୍ଷ ନୁହେଁ, ୫ବର୍ଷରେ ବିକାଶ ହୋଇଯିବ । ଓଡ଼ିଶା ନିର୍ମାଣ କନକ୍ଲେଭରେ ଅତିଥି ଭାବରେ ଯୋଗଦେଇ ସାମଲ କହିଛନ୍ତି ଯେ ‘ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହେବ । ଏକଥା ଆମେ କହିଛୁ ଓ କରି ଦେଖାଇବୁ । ଏଥିପାଇଁ ୧୦ବର୍ଷ ନୁହେଁ, ୫ବର୍ଷ ହିଁ ଯଥେଷ୍ଟ ।’ ମନମୋହନ କହିଛନ୍ତି ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ମାତ୍ର ୫ ବର୍ଷ ଭିତରେ ଦେଶର ଅଦ୍ଭୂତପୂର୍ବ ବିକାଶ କରି ଦେଖାଇଥିଲେ । ଯଦି ବାଜପେୟୀ ଏହା କରି ଦେଖେଇଲେ , ଆମେ କାହିଁକି ନୁହେଁ? ତାପରେ ମନମୋହନ କିପରି କ’ଣ ହେଲେ ରାଜ୍ୟର ବିକାଶ ହୋଇ ପାରିବ ତା’ର ଏକ ଲମ୍ବା ଚିଠା ରଖିଥିଲେ ।
ସମ୍ମେଳନରେ ବସିଥିବା ଲୋକମାନେ ମୁରୁକିହସା ଦେଇ ସେହି କଥା କହିଥିଲେ- ଏଥର ବିଜେପି ଠିକ୍ କରୁ ଓଡ଼ିଶାର ବିକାଶ ପାଇଁ ପ୍ରକୃତରେ କେତେ ସମୟ ଦରକାର? ୫ ନାଁ ୧୦ ।
ଇଏ ବଇଁଶୀ ନା ଗୁଆକାତିରେ…..
ପାଠକେ! ଗତ କିଛି ଦିନ ହେବ ଓଡ଼ିଆ, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ କଳା, ସାହିତ୍ୟ ଏବଂ ଅସ୍ମିତାକୁ ନେଇ ମଞ୍ଚଦୁଲୁକା ଭାଷଣ ସବୁ ହେଉଛି । ଏଥିରେ କାଳେ ମୁଣ୍ଡ ଗଣତି ହେବାକୁ ଆସି ସଭା ଶେଷ ହେବାଯାଏ ବସି ରହୁଥିବା ଲୋକଙ୍କୁ ଭଲ ଖାଦ୍ୟ ମିଳିବା ସାଙ୍ଗକୁ ଆୟୋଜକମାନଙ୍କୁ ଭଲ ଦି ପଇସା ମିଳେ । ଏହି କାମରେ ସରକାରୀ ବାବୁମାନେ ବେଶୀ ଆଗ୍ରହୀ । ଡେଇଁ ପଡ଼ୁଛନ୍ତି । କାରଣଟା ତ ସମସ୍ତେ ଜାଣନ୍ତି । ଏବେ ଆମକୁ ଜଣେ ବାବୁ କହିଲେ ଯେ ନୂଆ ସରକାରଙ୍କ ଶିକ୍ଷାନୀତି ଚାହୁଁଛି ପିଲାଙ୍କୁ ସବୁ ପାଠ୍ୟକ୍ରମ ଓଡ଼ିଆରେ ପଢ଼ାଯିବ । କଥା ଶୁଣି ଜଣେ ଓଡ଼ିଆ ପୁଅ ଦିଲ୍ଲୀରେ ପହଂଚି କେନ୍ଦ୍ର ସରକାରଙ୍କର ଜଣେ ଦି ଜଣ ବାବୁ ଓ ଓଡ଼ିଶାର ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଧରି କୋଟି କୋଟି ଟଙ୍କାର ଗୋଟିଏ ପ୍ରକଳ୍ପ ନେଇ ଆସିଲେ । ପ୍ରକଳ୍ପଟି କ’ଣ ନା ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଲେଖା ହେବ । ଓଡ଼ିଆ ପିଲାଙ୍କୁ ଆଉ କଷ୍ଟ ହେବ ନାହିଁ । ଯଶସ୍ୱୀ କଥାବାଚକ କେନ୍ଦ୍ରମନ୍ତ୍ରୀ ଜଣକ ବହୁ ସଭାସମିତିରେ ଘୋଷଣା କଲେ ଯେ ଖୁବ୍ ଶୀଘ୍ର ଓଡ଼ିଆ ପିଲାମାନେ ଓଡ଼ିଆରେ ବୈଷୟିକ ଶିକ୍ଷା ମାନେ ଡାକ୍ତର, ଇଞ୍ଜିନିୟର ଆଦି ଗ୍ରହଣ କରିବେ । କଥାଟା ଶୁଣି ଆମେ ପ୍ରବଳ ଖୁସି ହୋଇଗଲୁ । ଠିକଣା ବୁଝିଯାଇ ଓଡ଼ିଆ ବୈଷୟିକ ପାଠ୍ୟକ୍ରମ ପ୍ରସ୍ତୁତି ସଂସ୍ଥାରେ ଗୁପ୍ତରେ ପହଂଚିଗଲୁ । ଜଣେ ବାବୁ ଆମକୁ ଗୁପ୍ତରେ ଗୋଟିଏ ବହି ଆଣି ଦେଖେଇଲେ । ଆମେ ଦେଖିଲୁ ବହିର ମଲାଟରେ ଇଂରାଜୀର ଶବ୍ଦଟିଏକୁ ଓଡ଼ିଆରେ ଲେଖି ଦିଆଯାଇଛି । ପ୍ରତୀକାତ୍ମକ ଭାବରେ କହୁଛୁ – ଧରନ୍ତୁ ଇଂରାଜୀରେ ଞରମଷଦ୍ଭସମବକ୍ଷକ୍ଷଚ୍ଚକୁ ଓଡ଼ିଆରେ ‘ଟେକନିକାଲୀ’ ଲେଖି ଦିଆଗଲା । ବାସ ହୋଇଗଲା ଓଡ଼ିଆ । ହେଲା କି ନାହିଁ?
ଗତ ଜୁନ ୯ତାରିଖରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୌ) ଏବଂ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ଗୋଟିଏ ରାଜିନାମା ହୋଇଗଲା । ଏଥିରେ କୁହାଗଲା ଯେ ଇଗ୍ନୌର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ, ସ୍ନାତକୋତ୍ତର ଡିପ୍ଲୋମା, ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ ଧନ୍ଦାମୂଳକ ଶିକ୍ଷା, ଟ୍ରାଭେଲ, ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ୬୫୦ ପାଠ୍ୟକ୍ରମକୁ ଓଡ଼ିଆରେ ପଢ଼ାଯିବ । ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ କହିବାନୁଯାୟୀ ଜାତୀୟ ଶିକ୍ଷା ନୀତି ଆଧାରରେ ଆଂଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେଉଛି । ହେଲେ ଜୁନରୁ ଇଏ ଆସି ହେଲା ନଭେମ୍ବର । ଯାହା ବୁଝିଲୁ ୬ ମାସ ଭିତରେ କାମ ସେମିତି କିଛି ଆଗେଇ ପାରି ନାହିଁ । ଜଣେ ସରକାରୀ ବାବୁଙ୍କୁ ପଚାରିଲୁ ଯେ ସିଏ ମୁଁହ ଛାଟି କହିଲେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାରେ ବସୁଥିବା ୧୦୦ଜଣଙ୍କ ମଧ୍ୟରୁ ତ ମାତ୍ର ୨୨ଜଣ ଉଚ୍ଚଶିକ୍ଷାରେ ନାଁ ଲେଖାଉଛନ୍ତି । ବିଟେକ୍, ଏମବିଏ ପାସ କରି ଓଡ଼ିଆ ପିଲା ହୋମଗାର୍ଡ ଚାକିରି ପାଇଁ ଆବେଦନ କରୁଛନ୍ତି । ଆଉ ଏବେ ଲୋକଙ୍କ ପଇସାରୁ କୋଟି ୪୫ଲକ୍ଷ କ’ଣ ପାଇଁ ଖର୍ଚ୍ଚ ହେବ ଏକଥା କ’ଣ ଆପଣ ଜାଣି ନାହାନ୍ତି?
ଆମେ ମନେ ମନେ କହିଲୁ – କେଜାଣେ ମୋହନଙ୍କ ଗତି, ବଇଁଶୀ ନା ଗୁଆକାତି?
ପର ବଳଦ ପରସିଂଘା, ତାକୁ ବାହୁଛି ନରସିଂଘା
ପାଠକେ! କଥାଟା ଭାବିଲାବେଳକୁ ଚିନ୍ତା ବଢ଼ିଯାଉଛି । ପ୍ରକୃତରେ ଏ ଦେଶଟା କାହାର । ସାଧାରଣ ଲୋକଙ୍କର ନା କେବଳ ପଇସାବାଲା ବ୍ୟବସାୟୀଙ୍କର? ଏ ପ୍ରଶ୍ନଟି ଏଇଥିପାଇଁ ଆମ ମନକୁ ବାରବାର ଆଘାତ କରୁଛି ଯେ ଏ ଦେଶରେ ବା ଆମରାଜ୍ୟରେ ଏଭଳି ଘଟଣା କାହିଁକି ଘଟୁଛି? ଜଣେ ସାଧାରଣ ଲୋକର ଗୋଟିଏ ମାସର ଟଙ୍କା କେତେଟା ବିଜୁଳିଭଡା ବାକି ରହିଗଲେ ବିଜୁଳି ବିଭାଗର ଲୋକମାନେ ଆସି ତା ଛୋଟିଆ ଘରଟିର ବିଜୁଳି ସଂଯୋଗ କାଟି ଦେଉଛନ୍ତି ଅଥଚ ଗୋଟିଏ ଗରିବ ରାଜ୍ୟର ଗୋଟିଏ ଧନୀ କମ୍ପାନୀକୁ ସରକାର କମ୍ପାନୀ ଉପରେ ବାକିଥିବା ୧୦୦୦ରୁ ୧୨୦୦କୋଟି ଟଙ୍କା ବିଜୁଳିବିଲକୁ ସମ୍ପୂର୍ଣ୍ଣ ଛାଡ଼ କିପରି କରି ଦେଉଛି । ସରକାର ମନରେ ଟିକେ ଦୟା ଆସୁ ନାହିଁ ।
ଇତି ମଧ୍ୟରେ ଆଉ ଗୋଟିଏ ସୂଚନା ଆସିଛି । ଏଇ ସପ୍ତାହରେ ଆସିଥିବା ଏହି ସୂଚନା ମୁତାବକ ଦେଶର କିଛି କର୍ପୋରେଟ ହାଉସ ବା କମ୍ପାନୀ ଉପରେ ୫୮୯୦ କୋଟି ଟଙ୍କାର ଜଳକର କେଉଁ କାଳରୁ ବାକି ପଡ଼ିଛି । ସେମାନେ ସବୁ ବଡ଼ ବଡ଼ ପୁଞ୍ଜିପତି । ସେମାନଙ୍କ ପାଖରେ ପଇସା ଅଛି, ଅଥଚ ସେମାନେ ଜଳକର ଦେଉ ନାହାନ୍ତି । ସରକାର ସେମାନଙ୍କ ଠାରୁ ଜୋରଜୁଲମ କରି ଆଦାୟ ମଧ୍ୟ କରୁନାହିଁ । ଅଥଚ ସାଧାରଣ ଚାଷୀ ବା ନିଜ ଘରକୁ ଜଳସଂଯୋଗ ନେଇଥିବା ଲୋକଟିଏ ଉପରେ ୨୦୦ ଟଙ୍କା ବାକି ରହିଗଲେ ତାର ସଂଯୋଗ କାଟି ଦିଆଯାଉଛି । ବିଜୁଳି ଯୋଗାଣ କ୍ଷେତ୍ରରେ ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ପୁରା ପର ବଳଦ ପର ସିଂଘା, ତାକୁ ବାହୁଛି ନରସିଂଘା ନ୍ୟାୟରେ ଘଟଣା ଘଟୁଛି । ରାଜ୍ୟରେ ଗୋଟିଏ ସରକାରୀ ବିଦ୍ୟୁତଭାର ପ୍ରେରଣ କେନ୍ଦ୍ର ବା ଏସ୍ଏଲ୍ଡିସି ସଂସ୍ଥା ଅଛି । ଯାହାର କାମ ହେଉଛି ବିଭିନ୍ନ କମ୍ପାନୀମାନଙ୍କର ନିଜସ୍ୱ ଶକ୍ତି କେନ୍ଦ୍ରରୁ ଯେଉଁ ବଳକା ବିଦ୍ୟୁତ ଉତ୍ପାଦନ ହେଉଛି ତାହାକୁ ବିଭିନ୍ନ ସ୍ଥାନରେ ପହୁଁଚାଇବା । କମ୍ପାନୀମାନେ ସେମାନଙ୍କ ଉତ୍ପାଦିତ ବିଜୁଳିକୁ ଗ୍ରାହକମାନଙ୍କ ପାଖରେ ନିଜ ପଇସା ଖର୍ଚ୍ଚରେ ପହୁଁଚାଇବା କଥା ଯାହାକି ସେମାନେ ନକରି ରାଜ୍ୟ ସରକାର ଖର୍ଚ୍ଚରେ ପହୁଁଚାଉଛନ୍ତି । ଏହିପରି କମ୍ପାନୀମାନଙ୍କର ୭୨ହଜାର ନିୟୁତ ୟୁନିଟ୍ ବିଜୁଳି ବିନା କରରେ ପ୍ରେରିତ ହେଉଛି ବା ବା ସରକାର ସେମାନଙ୍କ ପ୍ରେରଣ କାର୍ଯ୍ୟକୁ ନିୟନ୍ତ୍ରଣ କରୁଛି । ଏହାର ହିସାବ ବା ୧୫୦୦୦ ମେଗାୱାଟର ତଥ୍ୟ ମଧ୍ୟ ୱେସାଇଟରେ ରହୁନାହିଁ । ଯାହାର ଅର୍ଥ ହେଉଛି କମ୍ପାନୀମାନେ ସିଧାସଳଖ ୧୭୨୮ କୋଟି ଟଙ୍କା ବାର୍ଷିକ ଲୁଟ କରୁଛନ୍ତି । ରାଜ୍ୟ ଗ୍ରୀଡକୁ ପଇସା ମିଳୁନାହିଁ । ରାଜ୍ୟଗ୍ରୀଡର ପରିଚାଳନା ବିଶୃଙ୍ଖଳା ପାଇଁ ରାଜ୍ୟର ବିଦ୍ୟୁତ ଉପଭୋକ୍ତା ପ୍ରତି ୟୁନିଟ ପିଛା ୨୪ପଇସା ଅଯଥାରେ ଦେବାକୁ ବାଧ୍ୟ ହେଉଛି ।
Comments
0 comments





