(୨୦୨୫ ରେ ଭାରତୀୟ କୃଷିର ସ୍ଥିତି )
ଦେଶୀ ଚାଷ କ’ଣ, କାହିଁକି ଓ କିପରି ଜାଣିବା ଓ କରିବା ବର୍ତ୍ତମାନ ପାଇଁ ଜରୁରୀ ମନେହୁଏ । ଭାରତ ଗୋଟିଏ କୃଷିପ୍ରଧାନ ଦେଶ । ଆମ ଦେଶର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ୧୯୬୭ ପୂର୍ବରୁ ଆମ ଚାଷୀ ନିଜର ବୁଦ୍ଧି ବିଦ୍ୟା ଓ ମେହନତ ଲଗାଇ ଫସଲ ଉତାରୁଥିଲା । ସେତବେଳର କୃଷିକୁ ନିରନ୍ତର କୃଷି କୁହାଯାଏ । ଭାରତର ଅର୍ଥନୀତି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପୃଥିବୀର ମୋଟ ଘରୋଇ ଉତ୍ପାଦନର ୨୨ ପ୍ରତିଶତ ଥିଲା । (William Dalrymple –Anarchy, The East India Company ,Corporate Violence, and the Pillage of an Empire)) । ଉତ୍ପାଦନର ସିଂହଭାଗ ଚାଷରୁ ଥିଲା ।
ଗାଁ ଗୁଡ଼ାକ ହସୁଥିଲା । ମେଳା, ମହୋତ୍ସବ, ପର୍ବପର୍ବାଣିରେ ବର୍ଷସାରା ଲୋକେ ମଉଜ ମଜଲିସ କରୁଥିଲେ । ପଶା, ତାସ, ବାଗଡୁଗୁଡ ଖେଳ ଫୁରୁସତ ବେଳେ ଖେଳୁଥିଲେ । ଚାଷୀ ଆତ୍ମହତ୍ୟା କଥା ଶୁଣାଜଣା ନଥିଲା । ୧୯୬୭କୁ ସାମ୍ରାଜ୍ୟବାଦୀ ଆମେରିକା ଷଡ଼ଯନ୍ତ୍ର କରି ଆମ କୃଷିକ୍ଷେତ୍ରକୁ ପ୍ରାୟତଃ ନିଜ ଅକ୍ତିଆରକୁ ନେଇଗଲା । ସବୁଜ ବିପ୍ଲବ ନାଁରେ ଏକ ନୂଆ କୃଷିପ୍ରଣାଳୀ ଆମ ଚାଷୀଙ୍କ ଉପରେ ଲଦି ଦେଲା । ଆମ ସରକାର ମଧ୍ୟ ଖାଦ୍ୟାଭାବ ଦର୍ଶାଇ ନୂତନ କୃଷିନୀତିକୁ ସ୍ୱୀକୃତି ଦେଲେ । ଆମଦେଶର ପାରମ୍ପରିକ ଆତ୍ମନିର୍ଭରଶୀଳ କୃଷି ହଜିଗଲା । ଆମ ହଳ; ଲଙ୍ଗଳ ଅକାମୀ କରି ଦିଆଗଲା । ଟ୍ରାକ୍ଟର ଯୁଗ ଆରମ୍ଭ ହୋଇଗଲା । ବିହନର ସାର୍ବଭୌମତ୍ୱ ଆମ ଚାଷୀଠାରୁ ଛଡ଼ାଇ ନେଲା । ଅଧିକ ଅମଳକ୍ଷମ କମ୍ପାନୀ ପ୍ରାୟୋଜିତ ଶଙ୍କର ବିହନ ପ୍ରଚଳନ ହେଲା । ଖତ ବଦଳରେ ରାସାୟନିକ ସାର କ୍ଷେତ୍ରରେ ଢଳା ହେଲା । ଗଛ ଉଦବାରଜିଆ ହୋଇ ବଢ଼ିଲା । କ୍ଷେତରେ ରୋଗପୋକ ମାଡ଼ିଗଲେ କୀଟନାଶକ ବିଷ ସିଂଚନ ହେଲା । ଧାନ, ଗହମ କ୍ଷେତରେ ଅଧିକ ସାର ବି‚ାଗଲା ତ । ଗଛକୁ ଅଧିକ ଶୋଷ । ଅଧିକ ପାଣି ଦରକାର ପଡ଼ିଲା । କେନାଲରେ ପାଣି ଆସି ବିଲରେ ପହଞ୍ଚିଲା । ଆଗରୁ ତ ଚାଷର ସବୁ ସାଧନ ଚାଷୀ ହାତମୁଠାରେ ଥିଲା । ଗୁହାଳରେ ହଳ, ଲଙ୍ଗଳ, ବାଡ଼ି ବଗିଚାରେ ଖତ, ଓଳିଆରେ ବିହନ, ଚାଷୀ ଖଟିଲା । ଫସଲ କାଟିଲା । ୧୯୬୭ଠାରୁ ସବୁ ସାଧନ କିଣିବାକୁ ବଜାରକୁ ଗଲା । ବଜାର ଅର୍ଥନୀତିର ଶିକାର ହେଲା । ଚାଷରେ ମୋଟା ଅଙ୍କର ଖର୍ଚ୍ଚ ଦରକାର ପଡ଼ିଲା । ଗାଁ ସମବାୟରୁ ଋଣ ପାଇଲା । ଚାଷୀ ଅଧିକ ଫଳିବ ନିଶାରେ ମାତିଗଲା ।
ଚାଷୀ ପ୍ରଥମ ୧୦/୧୫ବର୍ଷ କିଛି ଅଧିକ ଫସଲ ଅମଳ କଲା । ଧାନ ବା ଗହମର ବଜାର ଦର କମ ରହିଲା । ବଡ଼ ଚାଷୀ କିଛିଟା ଲାଭ ପାଇଥିବେ । ଛୋଟ ବା ନାମମାତ୍ର ଚାଷୀ ବିକ୍ରିବଟା କରି ଯାହା ପାଇଲେ ଚାଷ ଖର୍ଚ୍ଚକୁ ଅଣ୍ଟିଲା ନାହିଁ । ଦେଉଳକୁ ମୁଖଶାଳା ବଳି ପଡୁଛି । ଚାଷୀ ବ୍ୟାଙ୍କ ଋଣ ସୁଝିପାରୁନି । ଆତ୍ମହତ୍ୟାକୁ ଆଦରି ନଉଛି । ଗତ ୪୦/୫୦ ବର୍ଷ ଭିତରେ ୪/୫ଲକ୍ଷ ଚାଷୀ ଆତ୍ମହତ୍ୟା କଲେଣି । ଲୋକପ୍ରତିନିଧି ସରକାର ଚାଷୀର ଦୁଃଖ ବୁଝୁ ନାହିଁ । ଏଣେ ଆମେରିକା ୟୁରୋପର ବହୁ ଦେଶୀୟ କମ୍ପାନୀମାନେ ସାର, କୀଟନାଶକ, ବିହନ, କୃଷି ଯନ୍ତ୍ରପାତି ବେପାର ବଢ଼ାଇ ଚାଲିଛନ୍ତି । ଚାଷୀକୁ କାଙ୍ଗାଳ କଲେଣି । ଆମଦେଶର ବୈଦେଶିକ ମୁଦ୍ରାପାଣ୍ଠିରୁ କୋଟି କୋଟି ଡଲାର ବିଦେଶକୁ ଚାଲିଯାଉଛି । ପଇସା ଖର୍ଚ୍ଚ କରି ଆମେ ବିଷ କିଣୁଛୁ । ଦେଶୀ ବିଦେଶୀ କମ୍ପାନୀ ଗାଁରେ ମାଡ଼ିଗଲେଣି । ଚାଷୀ ଆଉ ସରକାରୀ ପଞ୍ଜିକୃତ ବିହନ କିଣୁନାହାନ୍ତି । ହାଇବ୍ରିଡ଼ ଧାନ, ଗହମ, ରବି, ତୈଳବୀଜ ଓ ପନିପରିବା ବିହନ ଚାଷୀକୁ ଦୁଆର ମୁହଁରେ ଧରେଇ ଦଉଛନ୍ତି । ଏକରକୁ ୪୦/୫୦କ୍ୱିଣ୍ଟାଲ ଧାନ ଫଳିବ କହୁଛନ୍ତି । ଚାଷୀ କମ୍ପାନୀ ବିହନ ପାଇଁ ପାଗଳ । ପଇସା ନାହିଁ ତ ଧାର କରଜ କରି ବିହନ କିଣୁଛନ୍ତି । ଆକାଶଛୁଆଁ ଦର । ଧାନ କିଲୋ ସରକାରୀ ମୂଲ୍ୟରେ ୨୩/୨୪ଟଙ୍କା । କମ୍ପାନୀ ବିହନ କିଲୋ ୪/୫ ଶହ ଟଙ୍କା । ବେଶୀ ଫଳିବ ମାୟା ।
ଦାମିକା ବିହନ ବୁକା ସାର ଖାଉଛି । ଗୁଣ୍ଠକୁ ୧୫/୧୬ କିଲୋ ପର୍ଯ୍ୟନ୍ତ ସାର ଢାଳିଲେ । ରୋଗ, ପୋକ ପିଛା ଛାଡୁନି । ୪/୫କିଲୋ ବିଷ ଛିଞ୍ଚୁଛି । ଏକରକୁ ଖର୍ଚ୍ଚ ୧୫/୧୭ହଜାର । ପୋକ ଚରିଗଲେ ତ ମୂଳ ବୁଡ଼ିଗଲା । ଫଳି ଫଳି ୧୫/୧୭କ୍ୱିଣ୍ଟାଲ ହାରାହାରି ଫଳିଲା । ଜମି ମାଲିକକୁ ଅଧା ଭାଗ । ୮/୯କ୍ୱିଣ୍ଟାଲ ଦେଲା । ପାଇଲା ୮/୯ କ୍ୱିଣ୍ଟାଲ । ତାର ତ ସରକାରୀ ଖାତା ଖଟିଆନାରେ ଚାଷୀ ବୋଲି ଲେଖା ନାହିଁ । ଭୂମି ହୀନ । ମଣ୍ଡି ତା ପାଇଁ ମନା । ଦଲାଲଙ୍କୁ ବିକିଲା । କ୍ୱିଣ୍ଟାଲ ୧୪୦୦/୧୫୦୦ । ଚାଷୀ ଖଟୁଛି । ପରିବାରବର୍ଗଙ୍କୁ ଖଟେଇଲା । ଲାଭ ଦିହରେ ମୁଣ୍ଡରେ । ମହାଜନକୁ ହାତ ଉଧାରୀ ସୁଝିପାରୁନି । ଜୀବନ ହାରୁଛି । ଜଣେ ହେଲେ ବଡ଼ ଚାଷୀ ଆତ୍ମହତ୍ୟା କରିବା କେବେ ଶୁଣିଛନ୍ତି କି? ପ୍ରଶ୍ନ ଉଠିପାରେ ଭାଗଚାଷୀର ତ ଚାଷରେ କ୍ଷତି ହେଉଛି । ସେ ମୂଲ ନ ଲାଗି ଭାଗଚାଷ କାହିଁକି କରୁଛି? ପରିବାର ଖଟିଲେ ସେଥିପାଇଁ ମୂଲ ତ ଦବାକୁ ପଡୁନି । ବଦଳିଆରେ ଚାଷୀ ଚାଷୀ ମଧ୍ୟରେ ଖଟିଲେ । ଏକରକୁ ବୁଣାଠାରୁ ଅମଳ ପର୍ଯ୍ୟନ୍ତ ସର୍ବନିମ୍ନ ୩୦ଟି ମଜୁରୀ ଅର୍ଥାତ ୧୨ହଜାର ଖର୍ଚ୍ଚ । ଟ୍ରାକ୍ଟର ବୁଣିବ । ହାର୍ଭେଷ୍ଟର କାଟିବ, ଅମଳ କରିବ, ଏକରକୁ ୫ହଜାର । ସାର, କୀଟନାଶକ ୮/୧୦ ହଜାର । ଖର୍ଚ୍ଚକୁ ଆୟ ପାଉନି । ତଥାପି ସେ ଭାଗଚାଷ କରୁଛି । ବିଦେଶୀ ଚାଷ ଆଗରୁ ଜମିଦାର ତ ତା ବିଲଚାଷ କରୁଥିଲା । ବିଚରା ଦଳିତଟି ଖଟୁଥିଲା । ମଜୁରୀ ୧୯୬୦ମସିହା ବେଳକୁ ଦିନକୁ ପୁରୁଷ ୧୦ଟଙ୍କା ସ୍ତ୍ରୀ ୫ଟଙ୍କା । ପେଟପୁରା ଖାଇବାକୁ ମିଳୁନି । ଲାଭ ଲୋକସାନି, ଦିହ ମିହଁନ୍ତ, ମହାଜନ ତାଗିଦ । ଯାହାବି ହେଉ ୪/୫ ମାସ ଭାତ ଗଣ୍ଡାକ ତ ହଉଛି ।
ସରକାର ଯଦି ଭୂସଂସ୍କାର କରନ୍ତା, ୫ଜଣ ପରିବାର ଗୋଟିଏ ଏକର ଜମି ପାଇଲେ ବି ବର୍ଷତମାମ ୮/୧୦ ପ୍ରକାର ଫସଲ କରି କୁଟୁମ୍ବ ପୋଷି ପାରନ୍ତା । ସାଆନ୍ତିଆ ସରକାର । ରାମା ଭୋଇ, ଦାମା ଜେନା, ଗୋପାଳିଆ ମଳିକ ଜମି ପାଇବେ? ସାଆନ୍ତଙ୍କ ଜମି ବଣ୍ଟା ହେବ? ନାଇରେ ରାମ ଭାଇ, ତୁମେ ଉଚ୍ଚ ଜାତିଙ୍କୁ ଠାକୁର କହୁଥାଅ । ଠାକୁରଙ୍କ ଆଶ୍ୱାସନା ଶୁଣୁଥାଅ ‘ଆରେ ରାମା ଏ ଜନ୍ମରେ ନହେଲା ଆରଜନ୍ମକୁ ତୁମେ ମାଲିକ ହବ ଆମେ ହବୁ ଚାକର’ ଗରିବ, ଭୂମିହୀନ, ଦଳିତଙ୍କୁ ଶୋଷଣ କରିବା ପାଇଁ, ଭଣ୍ଡେଇବା ପାଇଁ ତଥାକଥିତ ଧର୍ମ ଓ ଭଗବାନ କେଡ଼େ ଶକ୍ତିଶାଳୀ ଅସ୍ତ୍ର ସତେ! ଖାଲି ଯେ ଧାନ ଚାଷର ଏ ଦୁର୍ଦ୍ଦଶା ନାଁ, କପା ହଉ, ଆଖୁ ହଉ ବା ସୋୟାବିନ ଚାଷୀ ଯେଉଁ ଅନ୍ଧାରରେ ସେଇ ଅନ୍ଧାର ।
ମୁଁ ଟିକେ ବେଲାଇନ ଧରୁଛିକି? ଦେଶୀ ଚାଷ କଥା ନକହି ପାଠକ ବନ୍ଧୁମାନଙ୍କୁ ବାର ଆଡ଼େ ବୁଲାଉଛି କି? ଆପଣମାନେ ଯଦି ଥରେ ତୃଣମୂଳ ସ୍ତରରେ ଚାଷୀର ସାମାଜିକ ସ୍ଥିତି ଅନୁଧ୍ୟାନ କରିପାରନ୍ତି ଏବଂ ମାନବିକ ଦୃଷ୍ଟିକୋଣରୁ ବିଚାର କରନ୍ତି ଆପଣ ମାନେ ମଧ୍ୟ ରାମା, ଦାମ, ଗୋପାଳିଆ ମାନଙ୍କର ଦୁଃଖ ସହ୍ୟ କରିପାରିବେ ନାହିଁ । ଭାଗ ଚାଷୀର ଯେଉଁ ଅବସ୍ଥା ୨/୩ ଏକର ଜମି ଥିବା ଛୋଟ ଚାଷୀର ଅବସ୍ଥା ମଧ୍ୟ ଊଣେଇଶ ବିଶ । ୧୯୬୭ ପୂର୍ବରୁ ଚାଷୀ ଯେତେବେଳେ ଦେଶୀ ଚାଷ କରୁଥିଲା ଆଜିଭଳି ସଙ୍କଟର ସାମ୍ନା କରିବାକୁ ପଡୁନଥିଲା । ମୁଁ ନିଜେ ଜଣେ ଛୋଟଚାଷୀ । ଛୋଟ ଚାଷୀ ଓ ଭାଗଚାଷୀଙ୍କ ଦୁରବସ୍ଥା ନିକଟରୁ ଦେଖୁଛି । ମୋତେ କଷ୍ଟ ଲାଗୁଛି । ପ୍ରକାଶ କରିଦେଇଛି ଟିକେ ମନ ହାଲ୍କା ହୋଇଯିବ ।

ଆମ କେନ୍ଦ୍ର ସରକାର ୨୦୨୩ମସିହାରୁ ପ୍ରାକୃତିକ କୃଷି କଥା କହୁଛନ୍ତି । ‘Natural Farming Mission’ଟିଏ ବି ଗଠନ କରାଯାଇଛି । ମାତ୍ର ଏ ପର୍ଯ୍ୟନ୍ତ ମିଶନ କାଗଜ କଲମରେ ସୀମିତ ଅଛି । ଏଣେ ନାନୋ ୟୁରିଆ ଓ କୀଟନାଶକ ଡ୍ରୋନରେ ଆକାଶମାର୍ଗରୁ ସିଂଚନ ହେଲାଣି । କେରଳର କାସାରାଗୋଡା ଜିଲ୍ଲା ସରକାରୀ କାଜୁ ବଗିଚାରେ ଊଣେଇଶ ସତୁରୀ ଦଶକରେ ଆକାଶମାର୍ଗରୁ ଏଣ୍ଡୋସଲଫାନ୍ କୀଟନାଶକ ବିଷ ସିଂଚନ ହଜାର ହଜାର ଲୋକଙ୍କୁ କ୍ୟାନସରରେ ମାରିଥିବା ନଜିର ଆଜିବି ବଳବତ୍ତର ଅଛି । ଭାରତ ସରକାର ୨୦୨୪କୁ ପୃଥିବୀରେ କୀଟନାଶକ ଉତ୍ପାଦନରେ ତୃତୀୟ ସ୍ଥାନରେ ପହଞ୍ଚିଲାଣି । ଖବର ମିଳେ ପ୍ରଥମ ସ୍ଥାନ ଦଖଲ ପାଇଁ ପ୍ରତିଯୋଗିତାରେ ଅଛି । ୨୦୨୪କୁ ଚୀନ ପ୍ରଥମ, ଆମେରିକା ଦ୍ୱିତୀୟ ଓ ଭାରତ ତୃତୀୟ ସ୍ଥାନରେ । ଭାରତ ଡାଇବେଟିସରେ କ୍ୟାପିଟାଲ ମାନ୍ୟତା ପାଇଗଲାଣି । କ୍ୟାନସର ମଧ୍ୟ ଖୁବ ଦ୍ରୁତ ଗତିରେ ବଢ଼ିଚାଲିଛି । ଖୁବ ଶୀଘ୍ର ଆମେ କ୍ୟାନସର କ୍ୟାପିଟାଲ ବୋଲାଇବା । ପଞ୍ଜାବରେ କ୍ୟାନସର ଟ୍ରେନ ଚାଲୁଥିବା ତ ପୁରୁଣା କଥା । ଆମ ରାଜ୍ୟ ବରଗଡ଼ ଜିଲାରେ କ୍ୟାନସର ବ୍ୟାପିଗଲାଣି । ବହୁ ସ୍ତ୍ରୀ ଲୋକ ବକ୍ଷ କର୍କଟ (Brest Cancer) ପୀଡ଼ିତା । ବରଗଡ଼ ଓଡ଼ିଶାର ଭାତହାଣ୍ଡି କୁହାଯାଏ । ବରଗଡ଼ ଚାଷୀ ମଧ୍ୟ ଓଡ଼ିଶାରେ ସର୍ବାଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରିଥାଏ । ଏହାର ସୁଫଳ କ୍ୟାନସର!
ଗତ ୬୦ବର୍ଷର ସବୁଜ ବିପ୍ଲବ ରାଜୁତି ମାଟି ମା’କୁ ଯେପରି ଧର୍ଷଣ କରି ଚାଲିଛି ମାଟି ଯନ୍ତ୍ରଣାରେ ଛଟପଟ ହେଉଛି । ରାସାୟନିକ ସାର ଓ କୀଟନାଶକ ବିଷର ପ୍ରଭାବରେ ଚାଷ ଜମିରେ ଥିବା କୋଟି କୋଟି ଅଣୁଜୀବ, ଜିଆ, ଗେଣ୍ଡା, କଙ୍କଡ଼ା ମରିଯାଉଛନ୍ତି । ମାଟି ଗୋଟିଏ ଜୀବନ୍ତ ବସ୍ତୁ (E.B.Balfour –The Living Soil) । ବିଷଜ୍ୱାଳାରେ ଚିତ୍କାର କରୁଛି । ଫରାସୀ ବୈଜ୍ଞାନିକ ନୋବେଲ ବିଜେତା ଆଲେକସିସ କ୍ୟାରେଲ ୧୯୧୨ରୁ ମଣିଷକୁ ସତର୍କ କରିଲେଣି ‘‘The Earth is Ailing – Almost Beyond Repair’(Dr Alexis Carrel – Man, The Unknown – (Peter Tompkins & Chirstopher Bird – page – introduction –xi) । ପୃଥିବୀର ଜୀବଜଗତ ମାଟିରୁ ଖାଇ ବଞ୍ଚିଛି । ମାଟି ମରିଗଲେ ଜୀବ ଜଗତ ମରିଯିବ ।
୧୯୬୨ରୁ ଆମେରିକାର ୨୬ ବର୍ଷର ଝିଅ Rachel Carson ‘Silent Spring’ ବହି ଖଣ୍ଡିଏ ଲେଖି ଆମେରିକାବାସୀଙ୍କୁ ସତର୍କ କରିଦେଲେ ‘କୀଟନାଶକ ବିଷ ଯୋଗୁଁ ମାଛ, ଚଢ଼େଇ, ମହୁମାଛି ମରି ଯାଉଛନ୍ତି । ଆମେରିକାର କୋଇଲି କୁକୋ ଆଉ ଗୀତ ବୋଲୁ ନାହିଁ । ପକ୍ଷୀମାନଙ୍କର ମୁନିଆ ଥଣ୍ଟ ଦନ୍ଥରା ହୋଇଯାଉଛି । ସେମାନେ କୀଟ ପତଙ୍ଗ ବା ଅନ୍ୟକିଛି ଖାଦ୍ୟ ଖାଇପାରୁ ନାହାନ୍ତି । ଅଣ୍ଡାରୁ ଛୁଆ ଫୁଟୁ ନାହିଁ’ । ଆମେ ଭାରତରେ ତ ଜୈବ ବିବିଧତା ବିପର୍ଯ୍ୟୟ ଦେଖିପାରୁଛେ । ଶାଗୁଣା ବଂଶ ବୁଡ଼ିଯାଉଛି । ଶଙ୍ଖ ଚିଲ, ଛଞ୍ଚାଣ ଅଦୃଶ୍ୟ ହୋଇଗଲେ । ସାଧବ ବୋହୁ, ଜିଆ ବର୍ଷା ପରେ ଡୁଆରେ ଚାଲୁନାହାନ୍ତି । ବାୟା ଚଢ଼େଇ, ଘରଚଟିଆଙ୍କ ବଂଶ ନିପାତ । ଧାନ ବିଲରେ ଭୋଦୁଅ ମାସ କଣ ମାଛ ଆଉନାହାନ୍ତି । ୧୯୨୦ ପର୍ଯ୍ୟନ୍ତ ଆମେରିକାରେ କ୍ୟାନସର ଲକ୍ଷେରେ ଜଣକୁ ଥିଲା । ୧୯୪୨ଠାରୁ ପ୍ରତି ୧୧ଜଣ ପୁରୁଷରେ ଜଣେ ଓ ପ୍ରତି ୯ଜଣ ସ୍ତ୍ରୀ ଲୋକଙ୍କ ମଧ୍ୟରୁ ଜଣକୁ କ୍ୟାନସର । ୪/୫ବର୍ଷର ଶିଶୁବି କ୍ୟାନସରରୁ ବାଦ୍ ପଡୁନି । ଏ ସବୁ କୀଟନାଶକର ଚମକ୍ରାରିତା!
କିଏ ଶୁଣୁଛି? ବହୁଦେଶୀୟ କମ୍ପାନୀମାନଙ୍କର ଲବି ଆମେରିକା କଂଗ୍ରେସର ପାଟିବନ୍ଦ କରିଦେଉଛି । କୋଟି କୋଟି ଡଲାର ଲବିରେ ଖର୍ଚ୍ଚ । ରାଷ୍ଟ୍ର ମୁଖ୍ୟମାନଙ୍କଠାରୁ ଆରମ୍ଭକରି କୃଷି ବୈଜ୍ଞାନିକ, ସାଂସଦ, ଅର୍ଥନୀତି ବିଶାରଦ ସମସ୍ତଙ୍କ ପାଟି ଡଲାର ବନ୍ଦ କରିଦେଉଛି । ଆମେରିକା ଆଠ ହଜାରରୁ ଅଧିକ କିସମ କୀଟନାଶକ ପ୍ରସ୍ତୁତ କଲାଣି । ଚୀନ ଓ ଭାରତ ଏ ପ୍ରତିଯୋଗିତାରେ ଆଗ ପଛ ଦୌଡୁଛନ୍ତି । ଲିଓ କଲବର୍ଣ୍ଣ, ଡାନିଡୁମାନୋସ୍କି ଏବଂ ଜନ୍ ପିଟରସନ ମେରସଙ୍କ ଦ୍ୱାରା ଲିଖିତ ‘Our Stolen Future’ ପୁସ୍ତକରେ କେତେକ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି । କୀଟନାଶକ ବିଷର ଭୟାବହ ପରିଣତି ବିଷୟରେ ମାନବସମାଜକୁ ସତର୍କ କରି ସେମାନେ ଲେଖିଛନ୍ତି କୀଟନାଶକ ବିଷ ଯୋଗୁଁ ପୁରୁଷମାନଙ୍କର ଶୁକ୍ରାଣୁ ୫୦ପ୍ରତିଶତ ପର୍ଯ୍ୟନ୍ତ ମରିଯାଉଛନ୍ତି । ପୁରୁଷମାନେ ନପୁଷ୍ପକ ପାଲଟି ଯାଉଛନ୍ତି । ମହିଳାମାନଙ୍କର ଡିମ୍ବାଣୁ ମରିଯାଉଛନ୍ତି । ଏଷ୍ଟ୍ରୋଜେନ ହରମୋନ ଅବ୍ୟବସ୍ଥିତ ହୋଇଯାଉଛି । ବହୁସଂଖ୍ୟାରେ ମହିଳା ବନ୍ଧ୍ୟା ହୋଇ ଯାଉଛନ୍ତି ।’ ଚୀନରେ ୧୮ପ୍ରତିଶତ ଯୁବ ଦମ୍ପତି ସନ୍ତାନହୀନ । ପୋଷ୍ୟ ସନ୍ତାନ ଖୋଜୁଛନ୍ତି । ଚୀନ ପୃଥିବୀରେ କୀଟନାଶକ ବ୍ୟବହାରରେ ପ୍ରଥମ! ଆମ ଦେଶରେ fertility center ମାନ ବଢ଼ି ଚାଲିଛି । ତଥାପି କୀଟନାଶକ ଦୌଡ଼ ଅଧିକରୁ ଅଧିକ ବେଗରେ ଚାଲିଛି! ନଭେମ୍ବର ୧୫,୨୦୨୫ ହିନ୍ଦୁରେ ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି । ଆମ ଖାଦ୍ୟରେ କୀଟନାଶକ ମାତ୍ର । ସୀମା ଟପିଗଲାଣି । ଦେଶର ଜୈବ ବିବିଧତା ପ୍ରକୃତି ସ୍ୱାସ୍ଥ୍ୟ ଉଦବେଗଜନକ ଭାବେ ପ୍ରଭାବିତ ହେଲାଣି । ଖବରଟି ଏହିପରି ‘Food Systems huge violation of planetary limits Study’.
‘Warning that food systems are the largest contributor to the breaching of planetary boundaries, the 2025 Eat- Lancet Commission on healthy, sustainable and just food system has, in a report, called for justice at the centre of all food systems transformations.
India performed poorly on nitrogen overloading and pesticide pollution, staying from global requirement of having 50to 60% of intact nature, leading to loss of ecological functioning, the report states. The report said under 1% of the world population in a safe and just space meeting food needs sustainably,’ ଆଉ କେତେ ବିଷପିଇଲେ ଚେତିବା?
ସବୁଜ ବିପ୍ଲବର ଅନ୍ୟ ଏକ ବିଶେଷତ୍ୱ ଏହା ଏକକ ଫସଲ ଚାଷ ପାଇଁ (Monoculture) ସୁପାରିଶ କରିଥାଏ । ‘ଖାଦ୍ୟ ସଙ୍କଟ’ ଦ୍ୱାହି ଦେଇ କେବଳ ଧାନ ପରେ ଧାନ ପରେ ଗହମ ପରେ ଗହମ ପରେ ଧାନ ଚାଷ ଚାଲିଛି । ଏପରି ଏକ ଚାଷ ପାଇଁ ଚାଷୀକୁ ଉତ୍ସାହିତ କରିବାର ମଞ୍ଜି କମ୍ପାନୀ ବିହନ, ସାର କୀଟନାଶକ, ଟ୍ରାକ୍ଟର ଭଳି କୃଷି ଯନ୍ତ୍ରପାତି ବେପାରରେ ଅଛି । କମ୍ପାନୀମାନଙ୍କର ବେପାର ବଢିବ । ଏଣେ ଏକକ ଫସଲ ଚାଷ ଯୋଗୁଁ ମାଟିରୁ ଗୋଟିଏ ନିର୍ଦ୍ଦିଷ୍ଟ ଫସଲ ପାଇଁ ଆବଶ୍ୟକ ଖାଦ୍ୟ ଉପାଦାନ କମି କମି ଯାଉଛି । ଉତ୍ପାଦନ ସମତୁଲ ରଖିବା ପାଇଁ ଚାଷୀଙ୍କୁ ଅଧିକ ରାସାୟନିକ ସାର ପ୍ରୟୋଗ କରିବାକୁ ପଡୁଛି । ଚାଷରେ ଖର୍ଚ୍ଚ ବଢ଼ି ଚାଲୁଛି । ପୃଥିବୀରେ ମନୁଷ୍ୟକୃତ ମରୁଭୂମି କାୟାବିସ୍ତାର କରୁଛି । ଡାଲି ଓ ତୈଳବୀଜ ଚାଷ ଅହେତୁକଭାବେ ହ୍ରାସ ପାଉଛି । ଆମକୁ ବିଦେଶରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଡାଲି ଓ ଖାଇବା ତେଲ ଆମଦାନୀ କରିବାକୁ ପଡୁଛି । ସେ ଡାଲି ବା ଖାଇବା ତେଲ ଜି.ଏମ୍. ବିହନରୁ ପ୍ରସ୍ତୁତ । ପଇସା ଦେଇ ଆମେ ରୋଗ କିଣୁଛୁ ।
ପନିପରିବା ଓ ଫଳଚାଷ କମିଯିବା ଦ୍ୱାରା ଖାଦ୍ୟରେ ପୁଷ୍ଟିସାର ଓ ଜୀବସାର ଅଭାବ ଘଟୁଛି । ଫଳରେ ଦେଶରେ ୪୬ପ୍ରତିଶତ ଜନସଂଖ୍ୟା ଅପପୁଷ୍ଟିର ଶିକାର ହେଲେଣି । ଶିଶୁମାନଙ୍କ କ୍ଷେତ୍ରରେ ଅପପୁଷ୍ଟି ୪୯ପ୍ରତିଶତ ଓ ସ୍ତ୍ରୀ ଲୋକମାନଙ୍କ ଅପପୁଷ୍ଟି ଓ ରକ୍ତହୀନତାର ମାତ୍ରା ୫୧ପ୍ରତିଶତ । ନିକଟରେ ଭାରତ କୃଷି ଗବେଷଣା ପରିଷଦ ସ୍ୱୀକାର କରିଛନ୍ତି ‘ଅଧିକ ଅମଳକ୍ଷମ ଧାନର ଚାଉଳ ବା ଗହମରେ ଦେଶୀ ଧାନ ବା ଗହମ ଠାରୁ ଖାଦ୍ୟସତ୍ତା କମ୍ ରହୁଛି । ଅପପୁଷ୍ଟି ମୁକାବିଲା କରିବା ପାଇଁ ଆମ ପିଲାମାନେ ମଧ୍ୟାହ୍ନ ଭୋଜନରେ Fortified Rice ଜସମର ଭାତ ଖାଉଛନ୍ତି । ଏ ଫର୍ଟିଫାଏଡ ରାଇସ, କମ୍ପାନୀ ପଇସା କମେଇବା ପାଇଁ ଆମ ସରକାରଙ୍କ ନୂତନ ପଦକ୍ଷେପ । କମ୍ପାନୀମାନେ ସରକାରଙ୍କୁ ଫର୍ଟିଫାଏଡ଼ ଭାଲୁ ଧରେଇ ଦେଇଛନ୍ତି । ବାସ୍ତବରେ ଏପ୍ରକାର ଚାଉଳ ବା ଗହମରେ ଖାଦ୍ୟ ସତ୍ତା ଅଧିକ ନୁହେଁ ଏବଂ ଏହାର ସ୍ଥାୟିତ୍ୱ ନାହିଁ । ବହୁ ସ୍ୱାଧୀନ ସଂସ୍ଥା ପ୍ରମାଣ କରିସାରିଲେଣି ।
କୀଟନାଶକ ବିଷ ଏବଂ ଏହାର କୃଷିକ୍ଷେତ୍ରରେ ଉପଯୋଗଯୋଗୁଁ କ୍ୟାନସର ଭଳି ରୋଗମାନ ବ୍ୟାପିଯାଉଛି । ଘଟଣାକ୍ରମେ କୃଷିବିଜ୍ଞାନୀ ମାନେ ମଧ୍ୟ ପ୍ରକାରାନ୍ତରେ ପ୍ରକାଶ କରିଛନ୍ତି । ଡାଃ କୁମ୍ଭକର୍ଣ୍ଣ ରାଉତ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ଡିନ୍ ଥାନ୍ତି । ସେ ମୃତ୍ତିକା ବିଜ୍ଞାନରେ ଭାରତବର୍ଷର ଜଣେ ଆଗଧାଡ଼ିର ବୈଜ୍ଞାନିକ । ମାଟି ଉପରେ ଆଲୋଚନା ପାଇଁ ଥରେ ଗୋଟିଏ ଡକ୍ଟକ୍ସଳଗ୍ଦଷକ୍ଟକ୍ଟ୍ରରେ ତାଙ୍କୁ ଶୁଣିବାକୁ ସୁଯୋଗ ମିଳିଥିଲା । କୀଟନାଶକ ବିଷ ଯୋଗୁଁ ମାଟି କିପରି ମରିଯାଉଛି ଏକଥା କହିବାବେଳେ ସେ ନିଜ ଜୀବନର ଗୋଟିଏ ଘଟଣା ପ୍ରକାଶକଲେ । ନିଜର ବାରମ୍ବାର ପରିସ୍ରା ଲାଗିବା, ଓଜନ କମିଯିବା ଅନୁଭବ କରି ତାଙ୍କର ଜଣେ ଡାକ୍ତର ବନ୍ଧୁଙ୍କ ସହିତ ପରାମର୍ଶ କଲେ । ବନ୍ଧୁ ପରୀକ୍ଷା କରି ତାଙ୍କୁ ଡାଇବେଟିସ ଆକ୍ରମଣ କଲାଣି ବୋଲି ଜଣାଇଲେ ଏବଂ ଔଷଧପତ୍ର ଚିଠା ଧରେଇଦେଲେ । ପ୍ରତିଦିନ କଲରା ସିଝାଇ ପାଣି ସହିତ ସିଝା କଲରା ଖାଇବା ପାଇଁ ପରାମର୍ଶ ଦେଲେ । ‘ଆରେ ସାଙ୍ଗ କଲରା ତ ପରିବା ହାଟରୁ କିଣିବି । ଆମେ ତ କଲରା ଫସଲରେ ରୋଗ ପୋକ ଦମନ ପାଇଁ ସେଭିନ କାର୍ବାରିଲ ଭଳି ବିଷ କୀଟନାଶକ ସିଂଚନ କରିବାକୁ ଚାଷିକୁ ପରାମର୍ଶ ଦଉଛୁ । ବଜାର କଲରାରେ ବିଷ । ତୁ କ’ଣ କହୁଛୁ, ମୁଁ ବଜାର କଲରା ଖାଇ ଡାଇବେଟିସ ସହିତ କ୍ୟାନରସର ବି ଭୋଗିବି’? ଲ୍ୟାଣ୍ଡ୍ ଗ୍ରାଣ୍ଟ୍ ୟୁନିଭର୍ସିଟି କୃଷିବିଜ୍ଞାନ ବାହାରେ ପଢ଼ାଇଲେ ମୁଣ୍ଡକାଟ ।
ବିଷ ଚାଷ ନାଗଫାଶରୁ ମୁକୁଳି ଦେଶୀଚାଷ କରିବାପାଇଁ ଚାଷୀ ଚାହିଁଲେ ମଧ୍ୟ ସରକାରଙ୍କର ରୋଷର ଶିକାର ହେବେ । ସରକାର କୃଷକମାନଙ୍କ ସାହାଯ୍ୟ କରିବା ନାଁରେ ସାମୟିକ ଯେଉଁ ରୁଟି ଖଣ୍ଡେ ଲେଖାଏଁ ଫୋପାଡୁଛନ୍ତି ତାକୁ ହାତଛଡ଼ା କରିବାକୁ ପଡ଼ିବ । ସରକାର ତ ହାଇବ୍ରିଡ ବିହନ ଏପରିକି କପା, ସୋରିଷ, ବାଇଗଣ ବିଟ ବିହନ ଚାଷପାଇଁ ସବୁଜ ସଂକେତ ଦେଉଛନ୍ତି । ତାଙ୍କ କଥା ନ ମାନିଲେ ସରକାରୀ ଖାତାରୁ ନାଁ କଟିଯିବ । ଏବେ ଚାଷୀ ତ ସବୁବେଳେ ହୀନିମାନିଆ ଜୀବନ ବିତାଉଛି । ସଂଖ୍ୟାକୁ ଆୟୁଧ କରି ସରକାର କମ୍ପାନୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସବୁ କିଛି କରିପାରେ ।
ବର୍ତ୍ତମାନ ଭାରତ ଖାଦ୍ୟରେ ବଳକା ଦେଶ । ବିଦେଶକୁ ରପ୍ତାନି କରୁଛି । ତେବେ କାହିଁକି ଦେଶରେ ୮କୋଟି ଭାରତୀୟ ପ୍ରତିଦିନ ଖାଲିପେଟରେ ଶେଜ ଧରୁଛନ୍ତି? କାହିଁକି ଦେଶରେ ପ୍ରତି ୨ଜଣରେ ଜଣେ ଅପପୁଷ୍ଟି ଶିକାର? କାହିଁକି ବିଶ୍ୱଖାଦ୍ୟ ସଂସ୍ଥା କହୁଛି ଭାରତରେ ୮୦ଭାଗ ଲୋକ ପ୍ରତିଦିନ ସୁଷମ ଖାଦ୍ୟ ଖାଇବାକୁ ପାଉନାହାନ୍ତି? କାହିଁକି ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୨୧ ଦେଶ ମଧ୍ୟରେ ଭାରତର ସ୍ଥାନ ୧୧୧? ସରକାର ଦେଶବାସୀଙ୍କ ପେଟରୁ କାଟି ବିଦେଶକୁ ଖାଦ୍ୟ ରପ୍ତାନି କରୁଛନ୍ତି । ମାଂସ ଶିଳ୍ପ । ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ, ଜୈବ ଇନ୍ଧନ (Biofuel) ପୃଥିବୀର ୪୦ ଭାଗ ଖାଦ୍ୟ ଖାଇଯାଉଛନ୍ତି । ଆଜିବି ଅନାହାର ମୃତୁ୍ୟ ଖବର ପଢ଼ିବାକୁ ପଡୁଛି । ଦେଶରେ ଅଭାବ ଅନଟନଜନିତ ଶିଶୁବିକ୍ରି ଏକ ଧାରାବାହିକ ଘଟଣା ହେଲାଣି ।
କୁହାଯାଉଛି ରାସାୟନିକ କୃଷି ଯୋଗୁଁ ଚାଷୀର ଆୟ ବଢୁଛି । ତେବେ କାହିଁକି ଗତ ୧୫/୨୦ବର୍ଷ ଭିତରେ ଦେଶରୁ ୫ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କଲେଣି? ଏମାନେ କେଉଁ ଶ୍ରେଣୀର ଚାଷୀ? ଛୋଟ ଚାଷୀ, ନାମମାତ୍ର ଚାଷୀ ଓ ଭାଗଚାଷୀ । ରୋଗ ପୋକରେ ଫସଲ ଉଜୁଡି ଯାଉଛି । ଅଭାବି ବିକ୍ରି । କୃଷି ଋଣ, ମହାଜନ ଋଣ ସୁଝିପାରୁନାହାନ୍ତି । ଆତ୍ମହତ୍ୟା । ମହାରାଷ୍ଟ୍ର ଭାରତରେ ଗୋଟିଏ ଧନୀକ ରାଜ୍ୟ । ମରଠାୱାଡାରେ ଚାଷୀ ଆତ୍ମହତ୍ୟା ଚିରନ୍ତନ ଧାରା ପାଲଟିଲାଣି । ନିକଟରେ (ଅକ୍ଟୋବର ୨୦୨୫) ଋଣ ଛାଡ଼ ପାଇଁ ମହାରାଷ୍ଟ୍ର ଚାଷୀ ଲକ୍ଷ ଲକ୍ଷ ସଂଖ୍ୟାରେ ରାଜ ରାସ୍ତାକୁ ଓହ୍ଲାଇଲେ ତ ସରକାର ବାଧ୍ୟହୋଇ ଖୁବ ଶୀଘ୍ର କୃଷିଋଣ ଛାଡ଼ କରିବାରେ ପ୍ରତିଶ୍ରୁତି ଦେବାପରେ ଚାଷୀ ଆନେ୍ଦାଳନରୁ ଓହରିଛନ୍ତି । ରାସାୟନିକ ଚାଷ ଆପଣାଇ ଚାଷୀ କି କଲବଲ ହଉଛି! କେନ୍ଦ୍ର ବା ରାଜ୍ୟ ସରକାରମାନେ ନାହିରେ ତେଲ ଦେଇ ବସିଛନ୍ତି । ସୁକୁଟ ଦେଖୁଛନ୍ତି ।
ଆମଦେଶରେ ଜମି ମାଲିକମାନେ ଚାଷରୁ ମୁହଁ ଫେରାଇଲେଣି । ଆଜି ଚାଷୀ କହିଲେ ଭାଗ ଚାଷୀ । ଖାଦ୍ୟକଷ୍ଟରୁ ମୁକୁଳି ୫/୬ମାସର ଭାତ ଯୋଗାଡ଼ ପାଇଁ ଦଳିତ, ଭୂମିହୀନଟି ଭାଗଚାଷ କରୁଛି । କଥା ଅଛି ‘ଲାଗ ଲଘୁଠି ଲଗା, କେବେ ହେବନି ଅଲଗା ।’ ସେ ଖଟୁଛି । ମହାଜନ କରି ଲାଗୁତି ଲଗାଉଛି । ଆମ ପଶ୍ଚିମଓଡ଼ିଶାରେ ତ ଜମିମାଲିକ ଜମି କାଟ ଦେଇ ଆରମ୍ଭରୁ ଚାଷୀଠାରୁ କଞ୍ଚା ପଇସା ପକେଟରେ ପୁରାଇଲା । ଫସଲ ରୋଗପୋକରେ ନଷ୍ଟହେଲା । ବାତ୍ୟା ବନ୍ୟାରେ ଉଜୁଡିଗଲା । କ୍ଷତିପୂରଣ ଜମି ମାଲିକ ପାଇଲା । ‘ରଜା ଅନ୍ଧ । ପାଣି ଅନ୍ଧ’ ରଜା ବୁଝିଛନ୍ତି ଜମି ମାଲିକ ଚାଷୀ । ଚାଷ ନକରି ମଧ୍ୟ ସେ ସୋସାଇଟିରୁ ବିନା ସୁଧରେ ଋଣ ପାଇବ । ଫସଲ ନଷ୍ଟ ହେଲେ କ୍ଷତିପୂରଣ ତା ବ୍ୟାଙ୍କ ଖାତାକୁ ଆସିବ । ଫସଲବୀମା ଟଙ୍କା ମାଲିକ ହାତେଇବ । ଭାଗଚାଷଟି ଆଁ କରି ଆକାଶକୁ ଚାହିଁଥିବ । ସମ୍ଭାଳି ନପାରିଲେ ବେକରେ ଦଉଡିଦବ ନହେଲେ ବିଷ ପିଇବ । ସରକାରୀ ଖାତା ଖତିୟାନାରେ ଭାଗଚାଷୀ ଶବ୍ଦଟି ବି ନାହିଁ । ଅଧିକ ଫଳିବ । ହାତୀ କିଣିବ ଘୋଡ଼ା କିଣିବ । ତୀର୍ଥଯିବ କେତେ ସ୍ୱପ୍ନ ଭାଗଚାଷଟି ଦେଖୁନଥିବ । ବିଷ ଚାଷରେ ଅର୍ଥହାନୀ, ଶରୀର ପୀଡ଼ା ।
ରାସାୟନିକ କୃଷିର ସାତ ପୁରୁଷ ତ ନଟ ସାରେ ଉଝାଳିଲେ । ମୁକ୍ତିର କ’ଣ କିଛି ବାଟ ଅଛି? ଅଛି, ଦେଶୀ ଚାଷ । ୧୦ହଜାର ବର୍ଷ ଧରି ଆମ ପୂର୍ବପୁରୁଷ କରିଚାଲିଥିବା ଚାଷକୁ ଆଜି ଆମେ ଦେଶୀ ଚାଷ’ କହୁଛୁ । ୧୯୬୭ରୁ ଚାଲିଥିବା ଚାଷ ବିଦେଶୀ ଚାଷ । କମ୍ପାନୀ ବରାଦ ଚାଷ । ପୃଥିବୀରେ ଆଜି ୮୦୦କୋଟି ଲୋକ । ଦେଶୀ ଚାଷ କ’ଣ ସମସ୍ତଙ୍କୁ ଖାଦ୍ୟ ଯୋଗାଇ ପାରିବ? କମ୍ପାନୀ ତିଆରି, ଆମେରିକା ଲ୍ୟାଣ୍ଡ ଗ୍ରାଣ୍ଟ ୟୁନିଭର୍ସିଟିର କୃଷିବିଦ୍ୟା ଘୋଷିଥିବା କୃଷିବୈଜ୍ଞାନିକମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ସରକାରଙ୍କୁ ବିଷଚାଷ ପାଇଁ ପରାମର୍ଶ ଦେଉଛନ୍ତି । ଅର୍ଥନୀତି ବିଶାରଦମାନେ ଯୁକ୍ତି କରନ୍ତି ‘ଜୈବିକ କୃଷି ବା ଦେଶୀ ଚାଷ ବା ପ୍ରାକୃତିକ କୃଷି ବର୍ଦ୍ଧିତ ଜନସଂଖ୍ୟା ପାଇଁ ଖାଦ୍ୟ ଯୋଗାଇପାରିବ ନାହିଁ ।’ ସେମାନଙ୍କ ପାଖେ ତୃଣମୂଳ କୃଷିଜ୍ଞାନ ନାହିଁ । ଚାଷ ଓ ଚାଷୀଙ୍କୁ ପାଖରୁ ଦେଖିନାହାନ୍ତି । ଅନୁମାନରେ ପଣିକିଆ ଲେଖୁଛନ୍ତି । ହାଭାର୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର କୁହନ୍ତି ପୃଥିବୀରେ ପ୍ରତିବର୍ଷ ଯେତେ ଖାଦ୍ୟ ଉତ୍ପାଦନ ହେଉଛି ୧୦୦୦ କୋଟି ଲୋକଙ୍କୁ ଦୈନିକ ୧ କିଲୋ ଶୁଖିଲା ଖାଦ୍ୟ ଯୋଗାଇ ପାରିବ । (Food First -Beyond the Myth of Scarcity – Frances Moore Lappe &Joseph Collins) । ଏହି ଖାଦ୍ୟର ୮୦ ପ୍ରତିଶତ ପୃଥିବୀର ଛୋଟଚାଷୀମାନେ ହିଁ ଉତ୍ପାଦନ କରିଥାନ୍ତି । ପ୍ରଶ୍ନ ଆସିବ ତେବେ କାହିଁକି ମିଳିତ ଜାତିସଂଘ ୨୦୩୦କୁ କ୍ଷୁଧାମୁକ୍ତ ପୃଥିବୀ ଦାବି କରୁଥିବାବେଳେ ଆଜି ୮୦ କୋଟି ଲୋକ ପ୍ରତିଦିନ ଭୋକିଲା ରହୁଛନ୍ତି । ୨୦୨୫ ସରିଲା ଉପରେ । ମଝିରେ ୪ବର୍ଷ । ୨୦୩୦ ଆସିବ । ଏହି ୪ବର୍ଷ ଭିତରେ କ’ଣ ପୃଥିବୀର ବଡ଼ପଣ୍ଡା ତାଡ଼ି ପକେଇବେ? କୁହୁକ ବିହନ ପରି କୁହୁକ ଖାଦ୍ୟ ଯୋଗାଇବେ କି? ଖାଦ୍ୟ ଯେତେ ଅଧିକ ଉତ୍ପାଦନ ହବ ମାଂସ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଜୈବ ଇନ୍ଧନ ଖାଇଯିବ । ପୃଥିବୀର ମୋଟ ଉତ୍ପାଦିତ ଖାଦ୍ୟର ୪୦ରୁ ୪୫ ପ୍ରତିଶତ ଏମାନେ ଖାଇ ଯାଉଛନ୍ତି । କୋଟିପତିମାନେ ପରା ମାଉଁସ ଖାଇବେ । ତାଙ୍କ ପିଲା ବର୍ଗର, ପିଜା ଖାଇବେ । ସେମାନଙ୍କର ପୋଷା କୁକୁର ବି କାର ଚଲେଇବ । ମାଂସ ଦରକାର, ଜଙ୍କ ଫୁଡ୍ (ବିଷ) ଦରକାର । ଅଧିକ ଗାଡ଼ି ପାଇଁ ଅଧିକ ତେଲ ଦରକାର । ମେଣ୍ଢା ଧୋଉ ଧୋଉ ନିର୍ବାଳ । ଭୋକିଲା ପାଇଁ ଖାଦ୍ୟ ଆସିବ କେଉଁଠୁ? ମିଳିତ ଜାତିସଂଘର ଦାନ୍ତ ଅଛି ବଡ଼ ଲୋକଙ୍କ ବିକାଶକୁ କାମୁଡ଼ି ଛିଣ୍ଡାଇ ପାରିବ? ଭୋକିଲାଙ୍କୁ ଖାଇବାକୁ ଦବ? ନାଁ ଆଜି ଦିନରେ ଜାତିସଂଘ ଗୋଟିଏ ମକ୍ଷଙ୍କଭ କହିଲେ ଭୁଲ ହବନି । ରାଷ୍ଟ୍ର ମୁଖ୍ୟମାନେ ବସୁଛନ୍ତି । ଧୁମଧାମ ଖିଆ ପିଆ । ମଉଜ ମଜଲିସ । ଫଳ ମୂଳ । ଦେଶୀ ଚାଷରେ ଅଳ୍ପ ଫଳିବ, ୟେ ଗୋଟେ ପ୍ରହେଳିକା । ବହୁଦେଶୀୟ କମ୍ପାନୀମାନଙ୍କର ଚାଲ । ୨୦୨୨-୨୦୨୩ ଭାରତ ସରକାର ପ୍ରାକୃତିକ କୃଷି କଥା କହିଲେ । ରାସାୟନିକ କୃଷିରେ ମାଟି ମରିଯାଉଛି । ବିଷ ଖାଦ୍ୟ ଯୋଗୁଁ କ୍ୟାନସର ବ୍ୟାପୁଛି । ଏଣିକି ପ୍ରାକୃତିକ କୃଷି କରାଯିବ । କମ୍ପାନୀମାନେ ଉଠିଲେ । ଅମାପ ଡଲାର । ପୃଥିବୀର ବଡ଼ ବଡ଼ ବୈଜ୍ଞାନିକ ଅର୍ଥନୀତିଜ୍ଞ ବାହାରି ପଡିଛନ୍ତି । ‘ପ୍ରାକୃତିକ କୃଷି ଖାଦ୍ୟ ସଙ୍କଟ ସୃଷ୍ଟି କରିବ’ । ଏହି ମର୍ମରେ କ୍ରମାଗତ ଖବର କାଗଜ, ବଡ଼ ବଡ଼ ଜର୍ଣ୍ଣାଲରେ ଲେଖାମାନ ପ୍ରକାଶ ହେଉଛି । ନାମକରା ପତ୍ରିକାମାନେ ମଧ୍ୟ ଘବଗ୍ଧଙ୍କକ୍ସବକ୍ଷ ୠବକ୍ସଜ୍ଞସଦ୍ଭଶ ବିରୁଦ୍ଧ ଲେଖା ପ୍ରକାଶ କରୁଛନ୍ତି । ଚାଷୀ କେଉଁ ବାଟ ଧରିବ? ବିଷ ଚାଷ କଲାତ ଗୋ ହତ୍ୟା, ଦେଶୀଚାଷରେ ବ୍ରହ୍ମହତ୍ୟା ଦୋଷ । ବିଚରା ଛୋଟଚାଷୀ!
ଚାଷୀ ଖତ, ପିଡିଆ, ଧନିଚା, ଓଳିଆର ବିହନ ଓ ହଳଲଙ୍ଗଳ ଚାଷ କରିବ । ବର୍ତ୍ତମାନ ଭଳି ଖାଲି କଣ ଗଣ୍ଡିଏ ଧାନ କରି ବସିବ । ୧୯୬୭ ପୂର୍ବରୁ ପ୍ରତ୍ୟେକ ଭାରତୀୟ ଚାଷୀ ୩୦/୪୦ପ୍ରକାର ଫସଲ ଚାଷ କରୁଥିଲା । ଧାନ, ବିରି, ମୁଗ, କୋଳଥ, ହରଡ଼, ବୁଟ, ମଟର, ରାଜମା ଭଳି ଡାଲିଜାତୀୟ ଫସଲ ନିଶ୍ଚୟ କରିବ । ବିଲେଇ ଡେଇଁବନି ଥାଳିଏ ଭାତ ବା ଅଧସେର ଅଟାର ରୁଟି, ବେଲାଏ ଡାଲି ଦିନକୁ ୨ବେଳା ଖାଉଥିଲା । ପରିବା ତରକାରୀ, ମାଛ ବା ମାଂସ ଥିବ । ଘଣା ସୋରିଷ ତେଲରେ ରୋଷେଇ । ତେଣୁ ସୋରିଷ, ରାଶି, ଫେସୀ, ସୂର୍ଯ୍ୟମୁଖୀ, ଅଳସୀ, ସୋୟାବିନ, କୁସୁମ ଗୋଟେ ୨ଟା ତୈଳବୀଜ ଚାଷ ଛୋଟ, ବଡ଼ ସବୁ ଚାଷୀଙ୍କର ଥିବ । ପରିବା ପତ୍ର ଦୁଆରେ, ବାଡିବଗିଚାରେ, ଚାଷ ଜମିରେ ବର୍ଷକ ୧୨ମାସ; କିଛି ନା କିଛି ପରିବା ନିଶ୍ଚୟ ଥିବ । ମାଛ! ଉପକୂଳ ଭାରତରେ ବର୍ଷକ ୩୬୫ଦିନରୁ ୩୬୬ଦିନ ମାଛ । କୀଟନାଶକ ବିଷ ମାଛର ବଂଶ ବୁଡ଼େଇ ଦେଲା । ଘରେ ଘରେ ଗାଈ, କ୍ଷୀର, ଦହି, ଛେନା, ଘିଅ ଭାସୁଥିଲା । ୬୦ବର୍ଷରୁ କମ ବୟସର ପାଠକ କହିବେ ନଟସାର କାଳ୍ପନିକ ନାଟକ ଲେଖୁଛନ୍ତି । ବୃଦ୍ଧ ବି କହିଛନ୍ତି ନ ଦେଖିଲା କଥା ଶୁଣିକରି ବିଶ୍ୱାସ କରିବନି । (ବୁଦ୍ଧ ବାଣୀ) । କଥାଗୁଡାକ ଆପଣଙ୍କୁ ମିଛ ମତେ ସତ । ମୁଁ ୩୦/୪୦ବର୍ଷ ବୟସ ପର୍ଯ୍ୟନ୍ତ ଏସବୁ ଦେଖିଛି । ନନାଙ୍କ ସାଙ୍ଗରେ ମିଶି ଚାଷ ବି କରିଛି । ଏପ୍ରକାର ଚାଷକୁ Sustainable Agriculture ଏବେ କୃଷି ବୈଜ୍ଞାନିକମାନେ ନାମକରଣ କରିଛନ୍ତି । ୩୦/୪୦ପ୍ରକାର ଚାଷ । ଖାଦ୍ୟରେ ଡାଲି, ତେଲ, ପରିବା, ମାଛ ରହିଲାତ ଫୁଟେ ଫୁଟେ ହୋଇ ବାଣ୍ଟେ (ବାଣ୍ଟେ =ବିଷାଏ = ପ୍ରାୟ ୨କିଲୋ) । ଦଳିତଙ୍କୁ ବାଦ ଦେଲେ ସମସ୍ତେ ଖାଇ ପିଇ ବାଲା ବାଡ଼ଉଥିଲେ । ଦଳିତମାନେ ମାଣ୍ଡିଆ, ବାରିଘରୁ ୧୫/୨୦ପ୍ରକାର ଶାଗ, ମାଛ, ଗେଣ୍ଡା, କଙ୍କଡ଼ା ଅମାପ ଖାଉଥିଲେ । ଖାଇ ମର୍ଦ୍ଦନା ନଖାଇ । ସେମିତି ଖାଉଥିଲେ ବୋଲି ପୁରୀ, କୋଣାର୍କ, ଭୁବନେଶ୍ୱର ମନ୍ଦିରକୁ ପଥର ଉଠାଉଥିଲେ । ଆଜି! ୩୦ ବର୍ଷର ଟୋକା ପତର ଉଠାଇ ପାରୁନି!
ପୃଥିବୀର ବର୍ତ୍ତମାନ Green Revolution ଭଟ୍ଟାପଡିବା ଆରମ୍ଭ ହେଲାଣି । ଗଙ୍ଗାଗଲେ ଯେତେ, ଫଳ ପାଇଲେ ସେତେ । ବର୍ତ୍ତମାନ ଅଧିକାଂଶ ଦେଶରେ Organic Revolution ମୁଣ୍ଡ ଟେକିଲାଣି । କ୍ୟୁବାତ ୫୦ବର୍ଷ ହେଲା ଦେଶୀଚାଷ କରି ଖାଦ୍ୟ ସମସ୍ୟା ସୁଧାରୁଛି । କ୍ୟୁବା ଆମ୍ଭମାନଙ୍କ ପାଇଁ ଉଦାହରଣ । ଆମେରିକା କରୋନେଲ ବିଶ୍ୱବିଦ୍ୟାଳୟ କ୍ଷେତ୍ରରୁ ତଥ୍ୟ ସଂଗ୍ରହ କରି ଜାଣିଛନ୍ତି ଜୈବିକ କୃଷି କ୍ରମାଗତ ୫ବର୍ଷ ଗୋଟିଏ ଜମିରେ କରୁଛନ୍ତି ତ ରାସାୟନିକ କୃଷି ସମାନ ବା ୨୦/୨୫ ପ୍ରତିଶତ ଅଧିକ ଉତ୍ପାଦନ ମିଳିପାରିବ ।
‘ year Long Rodale Field Studies – The Scientific review found ;
-The improved soil allowed the organic land to generate yields equal to or greater than the conventional crop after 5 years.
– The conventional crops collapsed during drought years.
– The organic crops fluctuated only slightly during drought year (Source –The Myths of Safe Pesticide – Andre Lew) . .
‘ଯେତେ ପଢ଼ିଲେ ଭାଗବତ ତୋଷ ନହେଲା ମୋର ଚିତ୍ତ’ । ଦେଶୀ ଚାଷପାଇଁ ବହୁତ ଲେଖୁଛି ହୁଏତ ପଢୁଥିବେ ଅନେକ । କାର୍ଯ୍ୟରେ ଦେଖାଉଥିବା ସଂଖ୍ୟା ଏବେ ବି କମ । ସମସ୍ତେ କ’ଣ ଚାଷ କରିପାରିବେ? ଯେଉଁମାନେ ଖାଦ୍ୟପାଇଁ ବଜାର ଉପରେ ନିର୍ଭର କରୁଛନ୍ତି ସେମାନେ ତ ପରିବା ଦୋକାନୀପାଖେ ଦାବି କରିପାରନ୍ତେ,’ ସାର, କୀଟନାଶକ ନଦେଇ ଦେଶୀ ପରିବା କର । ଆମେ ପଇସା ଦବୁ, ବିଷ ପରିବା କାହିଁକି କିଣିବୁ? ଆମ ପଇସାରେ କ’ଣ ମାରା ଅଛି । ତୁମ ପରିବାରେ ତ ବିଷ’ । ଚାଉଳ, ଡାଲି ଦୋକାନରେ ଦାବି କରନ୍ତୁ’ ଆମକୁ ଆଉ ବିଷ ଚାଉଳ, ଡାଲି ଖୁଆଅ ନାହିଁ । ତୁମେ ବିଷ ବିକି ପଇସା କମେଇବ, ଆମେ କ୍ୟାନସର ଭୋଗିବୁ’ । ଖାଉଟି ଚେତିଲେ ଦେଶୀଚାଷ ଆଗକୁ ଯାଇପାରିବ ।
କୁମ୍ଭୀର ଅଧାନଈରେ କଲାଣି ତ । ନିପାରିଲା ଶଗଡିଆ ବେଳସୁ କାଳିଦିଏ । ଶୁଭସ୍ୟ ଶୀଘ୍ରମ୍ । ୬ ନଭେମ୍ବରରେ ମୁଁ ଲେଖାଟି ସାରୁଛି । ୬ ନଭେମ୍ବର ହେଉଛି ବସୁଧା ଦିବସ । ବସୁଧା ମା କାନ୍ଦୁଛି । ବିଷଜ୍ୱାଳାରେ ଛଟପଟ ହେଉଛି । ବସୁଧାକୁ ବଞ୍ଚେଇବା, ବିଷମୁକ୍ତ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ । ପୁଞ୍ଜିବାଦ ନାଗଫାଶକୁ ଛିଣ୍ଡାଇ ଆସନ୍ତୁ ଆଜିଠାରୁ ଦେଶୀଚାଷ କରିବା, ଦେଶୀଖାଦ୍ୟ ପାଇବାପାଇଁ ଦାବି କରିବା, ସରକାରଙ୍କୁ ବାଧ୍ୟ କରିବା କମ୍ପାନୀ ଚାଷ ବଦଳରେ ଦେଶୀଚାଷକୁ ପ୍ରୋତ୍ସାହନ ଦିଅନ୍ତୁ ।’ ଆମେ ସୁସ୍ଥ ବଞ୍ଚିବାକୁ ଚାହୁଁ । ଏହା ଆମର ସାମ୍ବିଧାନିକ ଅଧିକାର । ସାର, କୀଟନାଶକ, ବିଦେଶୀ ବିହନ, ଫଳ ଆମେ ଦିହରେ ମୁଣ୍ଡରେ ପାଉଛୁ । ସୁସ୍ଥ ନାଗରିକ ସୁସ୍ଥ ଗଣତନ୍ତ୍ର । ସରକାର କାନ ଦେଇ ଶୁଣନ୍ତୁ, ଏ କଥା ଏତିକି । ଆଗକୁ ଦେଶୀ ଚାଷ କ’ଣ, କାହିଁକି ଓ କିପରି ଜାଣିବା ପାଇଁ କଲମ ଚାଲିବ । ପାଠକ ବନ୍ଧୁମାନଙ୍କର ସହଯୋଗ କାମନା କରି କଲମ ରଖୁଛି ।
Comments
0 comments






