ବିରୋଧି କ୍ଷମତାକୁ ଆସିବା କ’ଣ ଅସମ୍ଭବ!

14 Min Read

‘ସମଦୃଷ୍ଟି’ର ଗତ ସମ୍ପାଦକୀୟ (୧-୧୫ ନଭେମ୍ବର ୨୦୨୫)ରେ ଆମେ କେମିତି ଆମ ଦେଶରେ ନିର୍ବାଚନ ପ୍ରହସନ ଚାଲିଛି, ସଂକ୍ଷେପରେ ଆଲୋଚନା କରିଥିଲୁ । ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିଯିବା ପରେ ସେହି ଆଲୋଚନାଟି ଅଧିକ ସ୍ପଷ୍ଟ ଓ ପ୍ରାସଙ୍ଗିକ ହେଲାଭଳି ଜଣାପଡ଼ୁଛି । ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନ୍.ଡ଼ି.ଏ) ଯାହାର ଜାତୀୟସ୍ତରରେ ନେତୃତ୍ୱ ନେଉଛନ୍ତି ଭାରତୀୟ ଜନତା ପାର୍ଟି (ଭା.ଜ.ପା) ଓ ବିହାରରେ ସଂଯୁକ୍ତ ଜନତା ଦଳ (ଜେ.ଡ଼ି.ୟୁ) ଯଥାକ୍ରମେ ୮୯ ଓ ୮୫ଟି ଆସନ ସମେତ ଅନ୍ୟ ସହଯୋଗୀ ଦଳମାନଙ୍କ ସହ ମିଶି ୨୦୨ଟି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ବିହାର ବିଧାନସଭା ଆସନ ସଂଖ୍ୟା ୨୪୩ । ବିରୋଧି ରାଷ୍ଟ୍ରୀୟ ଜନତା ଦଳ ୨୫ଟି, କଂଗ୍ରେସ ୬ଟି ଏବଂ ସି.ପି.ଆଇ.ଏମ୍.ଏଲ୍(ଲିବରେସନ୍) ଦୁଇଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ବିହାର ବିଧାନସଭା ନିର୍ବାଚନ, ତାହା ପୂର୍ବରୁ ହରିୟାନା ଏବଂ ମହାରାଷ୍ଟ୍ରର ନିର୍ବାଚନ ପ୍ରମାଣିତ କରିଦେଲା ଯେ ଭାଜପାକୁ ଏବଂ ସେମାନେ ନେତୃତ୍ୱ ନେଉଥିବା କୌଣସି ସାମ୍ମୁଖ୍ୟକୁ ନିର୍ବାଚନରେ ପରାଜିତ କରିବା ଏକପ୍ରକାର ଅସମ୍ଭବ ବ୍ୟାପାର । ଭାରତରେ ନିରପେକ୍ଷ ନିର୍ବାଚନ ଆଉ ସମ୍ଭବପର ନୁହଁ! ସମ୍ବିଧାନ ଯେଉଁ ଏକମାତ୍ର ସଂସ୍ଥା ‘ଭାରତର ନିର୍ବାଚନ ଆୟୋଗ’କୁ କ୍ଷମତାସମ୍ପନ୍ନ କରାଇଛି ଗଣତାନ୍ତ୍ରିକ ନିର୍ବାଚନ ପରିଚାଳନା କରିବା ପାଇଁ, ସେହି ଅନୁଷ୍ଠାନଟି ଆଜି ସ୍ୱାଧିନ ଏବଂ ସ୍ୱୟଂସମ୍ପନ୍ନ ହୋଇ ରହିନାହିଁ । ଭାରତର ଉଚ୍ଚତମ ନ୍ୟାୟାଳୟ ଏକ ନିର୍ଲଜ ଓ ଦାୟିତ୍ୱହୀନ ଦେଖଣାହାରି ହୋଇ ରହିଯାଇଛନ୍ତି । ଅନେକ ପରିସ୍ଥିତି ଆସିଛି ଯେଉଁଥିରେ କୌଣସି ଲିଖିତ ଅଭିଯୋଗ ସେମାନଙ୍କ ପାଖରେ ପହଞ୍ଚôବାକୁ ଅପେକ୍ଷା ନକରି ସେମାନେ ନିଜ ଆଡ଼ୁ (ସୁଓ ମୋଟୋ) ମାମଲା ଦାଖଲକରି ଅନ୍ତତଃ ନିରପେକ୍ଷ ଅନୁସନ୍ଧାନପାଇଁ ବାଟ ଦେଖାଇ ପାରିଥାନ୍ତେ । ଗତ ୧୧ବର୍ଷ ଭିତରେ ଭାରତର ନ୍ୟାୟପାଳିକା ଯେଉଁଭଳି ଚାପ ଭିତରେ ରହିଆସିଛି ତାହା ଆଗରୁ କେବେ ଦେଖା ଯାଇନଥିଲା । ଚାପଟି ସରକାରଙ୍କ ଆଡ଼ୁ ଯେତିକି, ତାହାଠାରୁ ଅଧିକ ଆସୁଛି ଦେଶବ୍ୟାପି ବ୍ୟାପିଥିବା ଏକ ବିଶାଳ ସଂଗଠନ ଆଡ଼ୁ ମଧ୍ୟ । ଏମିତିରେ ବି ଭାରତର ନିର୍ବାଚନ ଆୟୋଗର ଅୟୁକ୍ତମାନଙ୍କୁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଜଣେ ସହଯୋଗୀ ମନ୍ତ୍ରୀ ଚୟନ କରିଥାନ୍ତି । ବିରୋଧି ଦଳ ନେତାଙ୍କର ଉପସ୍ଥିତି ଏହି ପ୍ରକ୍ରିୟାରେ କେବଳ ଏକ ଔପଚାରିକତାକୁ ଇଙ୍ଗିତ କରିଥାଏ । ତେଣୁ ଭାରତର ନିର୍ବାଚନ ଆୟୋଗ ସରକାରଙ୍କର ବୋଲକରା ଭଳି କାମ କରିବା ପାଇଁ ଭାଜପା ଦଳ ନିରନ୍ତର ପ୍ରୟାସ କରିବ ।
ସୁତରାଂ, ନିର୍ବାଚନ ସମୟରେ ପ୍ରଥମରୁ ହିଁ ପରିସ୍ଥିତି ସବୁ ଦଳମାନଙ୍କ ପାଇଁ ସମାନ ନଥାଏ । ଭାରତର ରାଜନୈତିକ ଇତିହାସରେ ସବୁଠାରୁ ଧନୀ ଦଳ ହେଉଛନ୍ତି ଭାରତୀୟ ଜନତା ପାର୍ଟି । ଏମାନଙ୍କର ମୋଟ ସଂଗୃହୀତ ଧନର ପରିମାଣ ସେମାନଙ୍କ ନିଜ ହିସାବ ଅନୁସାରେ (ଦି ହିନ୍ଦୁ, ଜାନୁଆରୀ ୨୮,୨୦୨୫) ହେଉଛି ୭ହଜାର ୧୧୩କୋଟି ଟଙ୍କା । ତାହା ପୂର୍ବରୁ ସେମାନେ ୨୦୨୩-୨୪ ନିର୍ବାଚନ ଗୁଡ଼ିକରେ ୧୭୫୪ କୋଟି ଟଙ୍କା ଖର୍ଚ୍ଚ କରି ସାରିଥିଲେ । ପୁଣି ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ୧୦୯୨କୋଟି ଟଙ୍କା ଖର୍ଚ୍ଚ କରି ସାରିଥିଲେ । ସେହି ଦୃଷ୍ଟିରୁ ଦେଖିଲେ ଜାତୀୟ ସ୍ତରରେ ଏମାନଙ୍କର ମୁଖ୍ୟ ବିରୋଧି କଂଗ୍ରେସ ଦଳ ପାଖରେ ଯେଉଁ ପାଣ୍ଠି ଅଛି ତାହା ଏମାନଙ୍କ ପାଖରେ ଥିବା ଅର୍ଥର ୬ଭାଗରୁ ୧ଭାଗ ମଧ୍ୟ ନୁହଁ । କଂଗ୍ରେସ ଦଳ ପାଖରେ ଯେଉଁ ପାଣ୍ଠି ଅଛି ତାହାର ମୂଲ୍ୟ ୮୫୭କୋଟି ଟଙ୍କା । ଯାହାକି ଭାଜପାର ଥରକର ଖର୍ଚ୍ଚ ଠାରୁ ଢେର କମ୍ ।
ଏଥିସହିତ ଭାଜପା ଦଳ ସହ ନିବିଡ଼ଭାବେ ରହି ଆସିଛନ୍ତି ଭାରତର ଦୁଇ ଚର୍ଚ୍ଚିତ ଶିଳ୍ପପତି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀ । ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପରମବନ୍ଧୁ ହିସାବରେ ସମଗ୍ର ଦେଶ ଭିତରେ ମଧ୍ୟ ପରିଚିତ । ମୋଦୀ କେନ୍ଦ୍ରରେ କ୍ଷମତାକୁ ଆସିବା ବେଳକୁ ଗୌତମ ଆଦାନୀଙ୍କର ସମଗ୍ର ସମ୍ପତ୍ତିର ପରିମାଣ ଥିଲା ୧୭ହଜାର କୋଟି ଟଙ୍କା । ମୋଦୀଙ୍କର ଶାସନ କାଳ ମଧ୍ୟରେ ଏହି ମହାଶୟଙ୍କର ସମ୍ପତ୍ତି କେତେ ବଢ଼ିଛି ତାହା ୨୦୨୫ର ହିସାବକୁ ଦେଖିଲେ ଜଣା ପଡ଼ିଯାଏ । ୨୦୨୫ର ତଥ୍ୟ କହୁଛି ଯେ ଏବେ ଗୌତମ ଆଦାନୀଙ୍କ ସମ୍ପତ୍ତି ସେତେବେଳର ୧୭ହଜାର କୋଟିରୁ ଆସି ୮ଲକ୍ଷ୧୫ହଜାର କୋଟିରେ ପହଞ୍ଚôଛି । ନିର୍ବାଚନବେଳେ ଏହି ମହାଶୟଙ୍କର ଅର୍ଥ କେଉଁ ବାଟରେ ଏବଂ କିଭଳି ଶାସକ ଭାଜପା ଦଳପାଇଁ ଆସୁଥିବ ତାହା ଆମ ଆକଳନର ପରିସର ବାହାରେ । ଏହି ମହାଶୟଙ୍କ ଅଧିନରେ ରହିଛି ଦେଶର ପ୍ରମୁଖ ଟିଭି ଚ୍ୟାନେଲ୍ କେତୋଟି ଯଥା- ଏନ୍.ଡ଼ି.ଟିଭି(୨୪ଢ୭), ଏନ୍.ଡ଼ି.ଟିଭି.ଇଣ୍ଡିଆ, ଏନ୍.ଡ଼ି.ଟିଭି.ପ୍ରଫିଟ୍, ଏବଂ ଗେଜେଟ୍ସ ୩୬୦ ଭଳି ବୈଦ୍ୟୁତିକ ପ୍ରସାରଣ ମଞ୍ଚ । ଏମାନଙ୍କର କାମହେଲା ସରକାରଙ୍କ ବିରୋଧରେ ଆସୁଥିବା ସମାଲୋଚନାକୁ ଲୁଚାଇଦେବା, ଲୋକ ସାମ୍ନା କରୁଥିବା ପ୍ରସଙ୍ଗକୁ ନୁ୍ୟନ କରିଦେବା ଓ ୨୪ଘଣ୍ଟା ମୋଦୀଙ୍କର ପ୍ରଚାର କରାଇ ଦେଶବ୍ୟାପି ଏକପ୍ରକାର ବାତାବରଣ ସରକାରଙ୍କ ସପକ୍ଷରେ ସୃଷ୍ଟି କରିବା । କଂଗ୍ରେସ ସମେତ ଜାତୀୟସ୍ତରର କୌଣସି ବିରୋଧିଦଳ ଏଭଳି କୌଣସି ଗଣମାଧ୍ୟମ ସମର୍ଥନ ଗତ ୧୩-୧୪ ବର୍ଷ ଧରି ପାଇପାରି ନାହାଁନ୍ତି । ସେହି ଦୃଷ୍ଟିରୁ ଅସଲ ନିର୍ବାଚନ ହେବାର ବହୁ ଆଗରୁ ଶାସକ ଦଳ ସପକ୍ଷରେ ନିର୍ବାଚନ ଅଭିଯାନ ଅନବରତ ଚାଲିଥାଏ ।
ତାହାପରେ ଅଛନ୍ତି ମୋଦୀଙ୍କର ଅନ୍ୟତମ ପରମ ବନ୍ଧୁ ମୁକେଶ ଅମ୍ବାନୀ । ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେଲାବେଳେ ଏହି ମହାଶୟଙ୍କର ସମ୍ପତ୍ତିର ମୂଲ୍ୟଥିଲା ୧ଲକ୍ଷ ୬୫ହଜାର କୋଟି ଟଙ୍କା । ସେତେବେଳ ସେ ଆଦାନୀଙ୍କଠାରୁ ବହୁ ଆଗରେ ଥିଲେ । ୨୦୨୫ବେଳକୁ ଏହି ମହାଶୟଙ୍କ ଧନ ୯ଲକ୍ଷ ୩୨ହଜାର କୋଟି ଟଙ୍କାରେ ପହଞ୍ଚି ଯାଇଥିଲା । କେଉଁ ବାଟରେ ଅମ୍ବାନୀ ମହୋଦୟ ନିଜ ମିତ୍ର ମୋଦୀଙ୍କ ଦଳକୁ ଆର୍ଥିକ ସହଯୋଗ ଏବଂ ଅନ୍ୟାନ୍ୟ ସହଯୋଗ ଅଘୋଷିତ ଭାବେ ଦିଅନ୍ତି ତାହାର ଅନୁମାନ କରିବା ଏକ କଷ୍ଟକର ବ୍ୟାପାର । ତେବେ ଏହି ମହାଶୟଙ୍କ ଅଧିନରେ ସମ୍ପ୍ରତି ୩୦ରୁ ଅଧିକ ଜାତୀୟ ଓ ଆଞ୍ଚଳିକ ଟିଭି ଚ୍ୟାନେଲ୍ ରହିବା ସହିତ ଅନେକ ଡିଜିଟାଲ୍ ମଞ୍ଚ ମଧ୍ୟ ରହିଛି ଯାହା ମୋଦୀ ଏବଂ ତାଙ୍କ ସରକାରଙ୍କ ପାଇଁ କିଭଳି ଏକ ଆୟୁଧ ହିସାବରେ କାମ କରୁଛି ଯେଉଁମାନେ ସେହି ଚ୍ୟାନେଲ୍ଗୁଡ଼ିକୁ ଦେଖୁଥିବେ, ବୁଝିପାରୁଥିବେ । ଆଜିର ଦିନରେ ଅମ୍ବାନୀଙ୍କ ନିୟନ୍ତ୍ରଣରେ ରହିଛି ସିଏନ୍ଏନ୍- ନିୟୁଜ ୧୮, ନିୟୁଜ୧୮ ଇଣ୍ଡିଆ ଏବଂ ସିଏନ୍ବିସି ଆୱାଜ ଭଳି ଜାତୀୟସ୍ତରର ଚ୍ୟାନେଲ୍ । ଆଞ୍ଚଳିକ ସ୍ତରରେ ରହିଛି ପ୍ରାୟ ସମସ୍ତ ପ୍ରମୁଖ ଆଞ୍ଚଳିକ ଭାଷାର ଇ.ଟିଭି ଚ୍ୟାନେଲ୍ଗୁଡ଼ିକ । ସେମିତି ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ କଲରସ୍, ଏମ୍.ଟିଭି, ଷ୍ଟାର ପ୍ଲସ, ଷ୍ଟାର ଗୋଲ୍ଡ ଇତ୍ୟାଦି ପ୍ରମୁଖ ଚ୍ୟାନେଲ୍ । ଖେଳ ପ୍ରସାରଣ କ୍ଷେତ୍ରରେ ଷ୍ଟାର ସ୍ପୋର୍ଟସ୍ ଏବଂ ଡିଜିଟାଲ ପ୍ରସାରଣ କ୍ଷେତ୍ରରେ ଜିଓ ସିନେମା ତଥା ହଟଷ୍ଟାର ଭଳି ମାଧ୍ୟମଗୁଡ଼ିକ । କେବଳ ଖବର ପ୍ରସାରଣ କରୁଥିବା ଚ୍ୟାନେଲମାନଙ୍କରେ ପ୍ରସଙ୍ଗକୁ ଅଣପ୍ରସଙ୍ଗ କରାଇବା ଏବଂ ଅଣପ୍ରସଙ୍ଗକୁ ପ୍ରସଙ୍ଗ କରାଇବା କାମ ଚାଲିନଥାଏ । ବରଂ ସାଧାରଣ ଭାରତୀୟମାନଙ୍କୁ ମୋଦୀପ୍ରେମୀ କରାଇବା ଓ ମନୁବାଦ ଏବଂ ଅପସଂସ୍କୃତିଗୁଡ଼ିକ ପ୍ରତି ଜନସ୍ୱୀକୃତି ସଂଗ୍ରହ କରିବା କ୍ଷେତ୍ରରେ ହିନ୍ଦୀ ଧାରାବାହିକ ଗୁଡ଼ିକୁ ବ୍ୟବହାର କରିବା କାମଟି ମନୋରଞ୍ଜନଧର୍ମୀ ଚ୍ୟାନେଲ୍ ଗୁଡ଼ିକରେ ରୀତିମତ କରାଯାଇପାରୁଛି । ସବୁଥିରେ ସଂଘ ପରିବାରର ତତ୍ତ୍ୱ ଓ ସରକାରୀ ବିଜ୍ଞାପନ ମାନଙ୍କର ପ୍ରତିଫଳନ ଦେଖିବାକୁ ମିଳିଥାଏ ଯାହା ମଧ୍ୟବିତ୍ତ ଶ୍ରେଣୀର ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଗୋଟିଏ ବିରାଟ ବର୍ଗକୁ ସଫଳତାର ସହିତ ପ୍ରଭାବିତ କରିପାରିଥାଏ । ବିଶେଷ କରି ପ୍ରଭାବିତ ହୁଅନ୍ତି ମହିଳା ବର୍ଗ । ଯଦି କୌଣସି ସମାଜବିଜ୍ଞାନୀ ଅନୁସନ୍ଧାନ କରନ୍ତି ଆହୁରି ଅଧିକ ତଥ୍ୟ ଆଗକୁ ଆସିବ ।
ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ କଥା ଯାହା ଭାଜପାକୁ ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ପ୍ର୍ରକ୍ରିୟା ଭିତରେ ଭିନ୍ନ କରି ରଖିଥାଏ ତାହା ହେଉଛି ଯେ ଏହି ଦଳ କେବଳ ଏକ ରାଜନୈତିକ ଦଳ ନୁହେଁ । ଅନ୍ୟଦଳ ମାନଙ୍କ ପରି ଭାଜପା ବି ନିର୍ବାଚନ ଆୟୋଗଙ୍କ ପାଖରେ ପଞ୍ଜିକୃତ ହୋଇଥିଲେ ବି ଏମାନେ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣଭାବେ ଭିନ୍ନ । ଭାଜପା ହେଉଛି ସଂଘ ପରିବାର ବିଶେଷ କରି ମୁସଲ୍ମାନ ବିରୋଧି ତଥା ସଂଖ୍ୟାଲଘୁ ବିରୋଧିଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଏକ ରାଜନୈତିକ ପ୍ରକଳ୍ପ । ଏମାନେ ସଂଘପାଇଁ କ୍ଷମତା ଦଖଲ କରିବା ଓ ସଂଘର ତଥାକଥିତ ଆଦର୍ଶକୁ ପ୍ରଚାର କରିବା କାମଟି ମୂଳତଃ କରିଥାନ୍ତି । ୯୦ଦଶକ ପରେ ଏହି ଦଳ ବହୁରାଷ୍ଟ୍ରୀୟ ପୁଞ୍ଜିର ଅଧିକ ପ୍ରିୟଭାଜନ ହୋଇପାରିଛନ୍ତି ଯେହେତୁ ଏମାନଙ୍କ ପାଖରେ ଏକ ବିଶାଳ ସଂଗଠନ ଅଛି ଯାହା ଉଦାରବାଦୀ ଅର୍ଥନୀତି ପ୍ରତି ତଥା ଜନବିରୋଧି ନୀତି ସପକ୍ଷରେ ଜନସ୍ୱୀକୃତି ଯୋଗାଡ଼ କରିବାରେ ସକ୍ଷମ ହୋଇପାରିବ । ସର୍ବସାଧାରଣରେ ଉପଲବ୍ଧ ତଥ୍ୟ ମୁତାବକ ଏମାନଙ୍କର ପ୍ରମୁଖ ସଂଗଠନ ଆର.ଏସ୍.ଏସ୍ର ୧ଲକ୍ଷ୨୭ହଜାର ଦୈନିକ ଶାଖାମାନଙ୍କରେ ୪୦ରୁ ୬୦ଲକ୍ଷ ନିଷ୍ଠାପର କର୍ମୀ ସକ୍ରିୟ ରହି ଆସିଛନ୍ତି । ଭାଜପାର ନିଜ ହିସାବ ମୁତାବକ ସେମାନଙ୍କ ପାଖରେ ୨କୋଟି ୨ଲକ୍ଷ ସଦସ୍ୟ ଅଛନ୍ତି । ଏବେ ହୁଏତ ଆହୁରି ଅଧିକ ସଂଖ୍ୟା ଯୋଗଦେଇ ପାରିଥାନ୍ତି । ଏମାନଙ୍କର ପ୍ରମୁଖ ଶ୍ରମିକ ସଂଗଠନ ‘ଭାରତୀୟ ମଜଦୁର ସଂଘ’ ଦାବିକରେ ଯେ ସେମାନଙ୍କ ପାଖରେ ୨କୋଟି୪୦ଲକ୍ଷ ସଦସ୍ୟ ଅଛନ୍ତି । ଏମାନଙ୍କର ୨୭ଟି ରାଜ୍ୟରେ ୭ହଜାର ଶ୍ରମିକ ସଂଘ ଏବଂ ୪୧ଟି ମହାସଂଘ ସକ୍ରିୟ ଭାବେ କାର୍ଯ୍ୟରତ । ତାହାପରେ ଏମାନଙ୍କର ଅଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ଯେଉଁମାନଙ୍କ ପାଖରେ ୫୦ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ସଂଖ୍ୟା ସମ୍ପର୍କରେ ନୂଆ କିଛି ଘୋଷଣା କରାଯାଇ ନଥିଲେ ବି ପୁରୁଣା ତଥ୍ୟ ମୁତାବକ ତାହା ୬୮ଲକ୍ଷ ରହିଛି । ୨୦୨୩ ମସିହାରେ ବିଶ୍ୱହିନ୍ଦୁ ପରିଷଦ ଦାବି କରିଥିଲା ଯେ ଦେଶର ୧ଲକ୍ଷ ୭୫ହଜାର ଗାଁ ସେମାନଙ୍କ ଅଭିଯାନ ପରିସର ଭିତରକୁ ଆସିସାରିଛନ୍ତି । ଅଧିକ ୧ଲକ୍ଷ ଗାଁ ସେଥିରେ ଯୋଡ଼ିବା ପାଇଁ ସେମାନଙ୍କର ପ୍ରୟାସ ଚାଲିଛି ବୋଲି ମଧ୍ୟ କୁହାଯାଇଥିଲା । ସେମାନଙ୍କର ଦଙ୍ଗା ଏବଂ ନିର୍ବାଚନ ସମୟରେ ଆକ୍ରମଣାତ୍ମକ ଭାବେ କାମ କରୁଥିବା ଦୁଇଟି ସଂଗଠନ ବଜରଙ୍ଗ ଦଳ ଓ ଦୁର୍ଗାବାହିନୀରେ ଦେଶବ୍ୟାପି କାର୍ଯ୍ୟକ୍ରମ ଚାଲୁଥିଲେ ବି ସଠିକ୍ ସଦସ୍ୟ ସଂଖ୍ୟାର କୌଣସି ହିସାବ ରଖାଯାଇ ନଥାଏ । ଅନ୍ୟ ଏକ ପ୍ରମୁଖ ସଂଗଠନ ହେଉଛି ‘ଭାରତୀୟ କିଶାନ ସଂଘ’ ଯାହାର ସଦସ୍ୟ ସଂଖ୍ୟା ୧କୋଟିରୁ ଅଧିକ ହେବ ବୋଲି କୁହାଯାଏ । ଅନ୍ୟଏକ ପ୍ରମୁଖ ସଂଘ ହେଉଛି ‘ରାଷ୍ଟ୍ରୀୟ ସେବିକା ସମିତି’ । ଯେଉଁମାନଙ୍କର ସଦସ୍ୟା ସଂଖ୍ୟା ପାଖାପାଖି ୧୦ଲକ୍ଷ ହେବ ଏବଂ ସେହି ଭିତରୁ ସକ୍ରିୟ ଅଛନ୍ତି ୪ଲକ୍ଷ । ସମଗ୍ର ଦେଶରେ ଏମାନଙ୍କର ୫ହଜାର ୨ଶହ କେନ୍ଦ୍ର ଓ ୮୭୫ ଦୈନିକ ଶାଖା ଚାଲିଛି । ଆଉ ଆଗକୁ ଯିବାର ହୁଏତ ଆବଶ୍ୟକତା ନାହିଁ । ଏତିକିରେ ଆମେ ସ୍ପଷ୍ଟ ଜାଣିପାରୁଥିବା ଯେ ସାଂଗଠନିକ ଶକ୍ତି ଦୃଷ୍ଟିରୁ ଆଜିର ଦିନରେ ଭାଜପା ଠାରୁ ବହୁ ପଛରେ ଅଛନ୍ତି କଂଗ୍ରେସ ସମେତ ଅନ୍ୟ ସମସ୍ତ ରାଜନୈତିକ ଦଳ । ସୁତରାଂ ଏମାନଙ୍କ ପାଖରେ ଏକ ଦେଶବ୍ୟାପି ବିଶାଳ ଏବଂ ବିବିଧ ସଂଗଠନର ଭିତ୍ତିଭୂମି, ବିପୁଳ ଅର୍ଥ, ଏମାନଙ୍କ ଦ୍ୱାରା ହୃଷ୍ଟପୁଷ୍ଟ ହୋଇଥିବା ଲକ୍ଷ କୋଟିପତିଙ୍କର ଦୃଶ୍ୟ ଅଦୃଶ୍ୟ ସହଯୋଗ ଓ ସମ୍ପୂର୍ଣ୍ଣଭାବେ କମ୍ପାନୀମାନଙ୍କ ନିୟନ୍ତ୍ରଣରେ ଥିବା ଏକ ବିଶାଳକାୟ ଗଣମାଧ୍ୟମ ଓ ତଥାକଥିତ ସମାଜିକ ଗଣମାଧ୍ୟମ । ସେହି ଦୃଷ୍ଟିରୁ ନିର୍ବାଚନରେ ଭୋଟ ଚୋରୀ ହେଉକି ନହେଉ ବା ଅନ୍ୟ କୌଣସି ଜାଲିଆତି ହେଉ କିମ୍ବା ନହେଉ ଭାଜପା ଅନ୍ୟ ଯେକୌଣସି ରାଜନୈତିକ ବିରୋଧିଙ୍କ ତୁଳନାରେ ତଥା ସେମାନଙ୍କର ସାମୂହିକ ଶକ୍ତି ତୁଳନାରେ ଅପହଞ୍ଚ ଦୂରତାରେ ରହିସାରିଛି । ସେଥିପାଇଁ କୌଣସି ନିର୍ବାଚନରେ ଏମାନଙ୍କର ପ୍ରତିଦ୍ୱନ୍ଦ୍ୱ୍ୱୀ ହେବା କୌଣସି ବି ରାଜନୈତିକ ଦଳପାଇଁ ଏକ ସହଜ କାମ ନୁହଁ । ତାହା ସତ୍ତ୍ୱେ ବି ଯେଉଁ ଦଳମାନେ ପ୍ରଚେଷ୍ଟା କରୁଛନ୍ତି ମୁଖ୍ୟତଃ ଏହି ଦଳର ମୁକାବିଲା କରିବା ପାଇଁ ସେମାନଙ୍କର ସଫଳତାର ହାରକୁ ନଦେଖି ଆମେ ସେମାନଙ୍କର ପ୍ରୟାସଗୁଡ଼ିକୁ ସମ୍ମାନ ଦେବା କଥା ।
ଏହିସବୁ ଶକ୍ତି ଓ ସାମର୍ଥ୍ୟ ପାଖରେ ଥାଇ ବି ଯେତେବେଳେ ଶାସକ ଭାଜପା ଦଳ ଅନୈତିକ ଉପାୟ ଆପଣାଇ ନିର୍ବାଚନ ଜିତିବାର ପ୍ରୟାସ କରୁଛି ତେବେ ଏହା ବୁଝିବାକୁ ହେବ ଯେ ସେମାନଙ୍କର ଭିତରେ ଗଭୀର ଆତ୍ମବିଶ୍ୱାସର ସଙ୍କଟ ରହିଆସିଛି । ବିହାର ନିର୍ବାଚନ ତାରିଖ ଘୋଷଣାର ଅବ୍ୟାହତି ପୂର୍ବରୁ ହୁଏତ ନିର୍ବାଚନ ଆୟୋଗଙ୍କୁ ଆୟୁଧ କରି ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ନାଁରେ କିଛି ଘୋଷଣା କରାଗଲା ଏବଂ ସେପ୍ଟେମ୍ବର ୨୬, ୨୦୨୫ଦିନ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଘୋଷଣା କଲେଯେ ବିହାରର ୭୫ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାରେ ସାଧାସଳଖ ପ୍ରତିଟି ମହିଳା ପିଛା ୧୦ହଜାର ଟଙ୍କା ପ୍ରଦାନ କରାଗଲା ଏବଂ ପରବର୍ତ୍ତୀ ୬ମାସ ଭିତରେ ଅଧିକ ୨ଲକ୍ଷ ଟଙ୍କା ଯାଏଁ ପୁନଶ୍ଚ ପଇଠ କରିବାର ପ୍ରତିଶୃତି ଦିଆଗଲା ତାହା ନିର୍ବାଚନ ଅଭିଯାନକୁ ପ୍ରଥମରୁ ହିଁ ଏକପାଖିଆ କରିଦେଇ ସାରିଥିଲା । ଶେଷ କିସ୍ତିଟି ଦିଆଗଲା ଭୋଟଗ୍ରହଣ ପ୍ରଥମ ଦିନ (ନଭେମ୍ବର ୬,୨୦୨୫)ର ଠିକ୍ ସପ୍ତାହକ ପୂର୍ବରୁ (ଅକ୍ଟୋବର ୩୧,୨୦୨୫) ।ଏଠି ମନେପକାଇ ଦେବା ଉଚିତ୍ ହେବଯେ ସମଗ୍ର ଟଙ୍କା ବିଶ୍ୱ ବ୍ୟାଙ୍କ ଦ୍ୱାରା ସରକାରଙ୍କୁ ଦିଆ ଯାଇଥିବା ଋଣ ଭିତରୁ ହିଁ ଦିଆଯାଇଛି । ଗୋଟିଏ ପରିବାରର, ଗୋଟିଏ ସାହିର, ଗୋଟିଏ ଅଞ୍ଚଳର ମହିଳାମାନେ ଏକାବେଳେ ନିଜ ବ୍ୟାଙ୍କ ଖାତାରେ ୧୦ହଜାର ଟଙ୍କା ପାଇବା ଏମିତିରେ ଏକ ନିର୍ବାଚନକୁ ଏକପାଖିଆ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇପାରିବ । ଭାରତର କୌଣସି ପ୍ରାନ୍ତରରେ କୌଣସି ବିରୋଧିଦଳ ଏଭଳି ଏକ ପରିସ୍ଥିତିର କେମିତି ମୁକାବିଲା କରିପାରିବେ? ସେମାନେ ଯେତେ ମୌଳିକ ପ୍ରସଙ୍ଗ ଉଠାଇଲେ ବି ଏବଂ ଲୋକଙ୍କୁ ରୋଜଗାରକ୍ଷମ ତଥା ସ୍ୱୟଂସମ୍ପନ୍ନ କରାଇବାର ନୀତି ଆଣିବା କଥାର ଆଶ୍ୱାସନା ବା ପ୍ରତିଶ୍ରୁତି ଦେଲେବି ଭାରତ ଭଳି ଏକ ଦରିଦ୍ର ଦେଶରେ ୧୦ହଜାର ଟଙ୍କା ନିଜ ଖାତାରେ ପାଇବା କିଭଳି ଆକର୍ଷଣ ସୃଷ୍ଟି କରିପାରେ, ତାହା ଟଙ୍କା ପାଉଥିବା ଲୋକମାନଙ୍କୁ ଭେଟିଲେ ସହଜରେ ବୁଝି ହୋଇଯାଉଛି । ନିର୍ବାଚନ ପ୍ରକ୍ରିୟାକୁ ଏଭଳି ଭୟଙ୍କର ଭାବେ ଏକପାଖିଆ କରିବାରେ ସବୁଠାରୁ ବଡ଼ ସହଯୋଗ ଆସୁଛି ଭାରତର ନିର୍ବାଚନ ଆୟୋଗଙ୍କ ପାଖରୁ । ଆମେ ତ ଏହିକଥା କହିବା ପାଇଁ କୁଣ୍ଠାବୋଧ କରିବା କଥା ନୁହଁ ଯେ ଯଦି ଉପଯୁକ୍ତ ନ୍ୟାୟିକ ଅନୁସନ୍ଧାନ ୨୦୨୪ ସାଧାରଣ ନିର୍ବାଚନର କରାଯାଏ ତେବେ ହୁଏତ ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ କି ନାହିଁ ବା ପ୍ରଧାନମନ୍ତ୍ରୀ ରହିବାଟା କେତେ ବୈଧ; ତାହା ସ୍ପଷ୍ଟ ଭାବେ ଜଣାପଡ଼ିଥାନ୍ତା ।
ସମସାମୟିକ ଘଟଣାବଳୀ, ନିର୍ବାଚନ ଆୟୋଗଙ୍କର ମୂଲ୍ୟହୀନ ସ୍ଥିତି, ଉଚ୍ଚତମ ନ୍ୟାୟପାଳିକା ସମ୍ବିଧାନ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରିବା କରିବା କ୍ଷେତ୍ରରେ ଅସମର୍ଥ ହେବା, ସମସ୍ତ ସାମ୍ବିଧାନିକ ତଥା ବୈଧାନିକ ସଂସ୍ଥା ସରକାର ନୁହଁ ଶାସକ ଦଳର ହିତପାଇଁ କାମକରିବା, କର୍ପୋରେଟ କମ୍ପାନୀମାନଙ୍କ ଦ୍ୱାରା ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରି ଦିଆଯିବା, ପ୍ରଗତିଶୀଳ ଶକ୍ତି ଓ ନାଗରିକ ସଂଗଠନ ମାନଙ୍କୁ କ୍ରମାଗତଭାବେ ନିନ୍ଦିତ କରାଇବା ଏବଂ ଏଥି ସହିତ ମଧ୍ୟବିତ୍ତ ବର୍ଗରେ ପଛକୁ ନ ଚାହିଁ କେବଳ ଆଗକୁ ଦେଖିବାର ମାନସିକତା ସୃଷ୍ଟି କରାଇବା ଇତ୍ୟାଦି ଆଜି ଆମ ଗଣତନ୍ତ୍ରକୁ ଏକ ଅସହାୟ ଅବସ୍ଥାକୁ ଠେଲି ଦେଇଛି । ଶାସକ ଭାଜପା ଦଳ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିବାରେ ଅଧିକ ଆୟୁଧ ହିସାବରେ କାମ କରୁଥିଲେ ବି ଉଦାରୀକରଣ ଅର୍ଥନୀତିର ଅଦୃଶ୍ୟ ହାତକୁ ଆମେ ଆଉ ଅଧିକ ଅଣଦେଖା କରି ରହିପାରିବା ନାହିଁ । ଯେତେବେଳେ କର୍ପୋରେଟ୍ ବା କମ୍ପାନୀ ଶକ୍ତି ସାମ୍ପ୍ରଦାୟିକ ଶକ୍ତିମାନଙ୍କ ସହ ଏକାକାର ହୋଇଯାଆନ୍ତି ସେତେବେଳେ କେବଳ ଯେ ଗଣତନ୍ତ୍ର ବା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅକାମୀ ହୋଇଯାଏ ତାହା ନୁହଁ ବରଂ ସମ୍ପୂର୍ଣ୍ଣ ସମାଜଟି ଏକ ପ୍ରକାର ଅସହାୟତା ଓ ନିରାଶା ଭିତରକୁ ଠେଲି ହୋଇଯାଇ ଥାଏ । ଅନ୍ୟପଟେ ଦିନକୁ ଦିନ କାଙ୍ଗାଳରୁ ଅତି କାଙ୍ଗାଳ ହୋଇଚାଲିଥିବା ଶ୍ରମଜୀବୀ, କର୍ମଜୀବୀ, ଜଙ୍ଗଲଜୀବୀ, ମତ୍ସଜୀବୀ, ରୋଜଗାର ପାଉନଥିବା ଯୁବକ ଓ ପ୍ରତିଦିନ ଦାଦନ ଖଟିବା ପାଇଁ ଅପରିଚିତ ଅଞ୍ଚଳକୁ ଚାଲିଯାଉଥିବା ମଣିଷମାନେ ନିଜପାଇଁ ଆଉ କେବେ ଭଲ ଦିନ ଆସିବ; ଏହିକଥା ବିଶ୍ୱାସ କରିପାରୁ ନାହାଁନ୍ତି । ଅତି ଅସହାୟ ଅବସ୍ଥାରେ ଥିବା ଓ କଠିନ ପରିସ୍ଥିତିର ମୁକାବିଲା କରୁଥିବା ମଣିଷମାନଙ୍କ ପାଇଁ ଯେତିକି ନୁହଁ ସେମାନଙ୍କ ପାଖାପାଖି ରହୁଥିବା ଏବଂ ସେମାନଙ୍କ ହିତରେ ତାଙ୍କୁ ସଂଗଠିତ କରିବା କାମଟି କରାଯାଉଛି ବୋଲି ଦାବି କରୁଥିବା ଲୋକମାନଙ୍କ ପାଇଁ କେତୋଟି ୫ଶହ ଟଙ୍କିଆ ନୋଟ୍ ରାଜନୈତିକ ଦିଗ ନିର୍ଦ୍ଧାରଣ ପାଇଁ ଯାଦୁକରୀ କାମ କରିଥାଏ । ଆଜିର ଦିନରେ ‘ନିରାଶା’ ଏକ ସବୁଠୁ ସହଜରେ ବିତରଣ କରାଯାଇ ପାରୁଥିବା ସାମଗ୍ରୀ ହୋଇସାରିଛି । ଏଭଳି ଏକ ସମୟରେ ‘ଆଶା’ ସୃଷ୍ଟି କରିବା ଏକ ଅତି କଠିନ କାମ ହେଲେ ବି ତାକୁ ପରିତ୍ୟାଗ କରିହେବ ନାହିଁ । ଯଦିଓ ଭାରତର ନିର୍ବାଚନ ପ୍ରକ୍ରିୟାରେ ବିରୋଧି ରାଜନୈତିକ ଦଳମାନେ ଆମ ରାଜନୈତିକ ଇତିହାସର ସବୁଠାରୁ ଶକ୍ତିଶାଳୀ ଅଥଚ ଦିଗ ଓ ଦିଶାବିହୀନ ଶାସକଦଳର ମୁକାବିଲା ନିର୍ବାଚନ ରାଜନୀତିରେ କରିବା ଏକପ୍ରକାର ଅସମ୍ଭବ ଲାଗୁଛି, ତେବେ କ୍ଷମତାର ଲୋଭ ନରଖି ଲୋକମାନଙ୍କ ପାଖକୁ ଯାଇ ଗୋଟିଏ ଚକ୍ରାନ୍ତର ଯେଉଁଭଳି ଭାବେ ସେମାନେ ଶିକାର ହେଉଛନ୍ତି ସେମାନଙ୍କୁ ବୁଝାଇ ଯଦି ସଂଗଠିତ କରାଯାଇ ପାରନ୍ତା, ତେବେ ଆଜି ନହେଲେ ବି ଆସନ୍ତାକାଲି ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇପାରନ୍ତା ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.