୧୬ ଅଗଷ୍ଟ ୨୦୨୫, ସନ୍ଧ୍ୟା ୮ଘଟିକା ୩୦ମିନିଟରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ, ସତାଅଶି ବର୍ଷ ବୟସରେ, ଧର୍ମବିହାରସ୍ଥିତ ବାସଗୃହରେ ଦେହତ୍ୟାଗ କଲେ । ଏହା ତାଙ୍କର ଅଗଣିତ ଛାତ୍ର ଓ ପ୍ରଶଂସକଙ୍କୁ ଶୋକାଗ୍ରସ୍ତ କରିଛି ଓ ଏକ ଅଭାବବୋଧରେ ଆକ୍ରାନ୍ତ କରିଛି ।
ପ୍ରଫେସର ଗୋକୁଳାନନ୍ଦ ଦାସ ଥିଲେ ମୂଳତଃ ଭାରତର ଜଣେ ଆଗଧାଡ଼ିର ଗଣିତଜ୍ଞ-ଦେଶ ବିଦେଶର ସମ୍ଭ୍ରାନ୍ତ ଗାଣିତିକ ପତ୍ରିକାରେ ଅନେକ ମୌଳିକ ଗାଣିତିକ ଗବେଷଣା ନିବନ୍ଧ ପ୍ରକାଶ କରିଥିବା ଉଚ୍ଚକୋଟିର ଗବେଷକ ଓ ସଫଳ ଶ୍ରେଣୀ ଗୃହଶିକ୍ଷକ । ପ୍ରାୟ ୩୮ବର୍ଷର ଶିକ୍ଷକତା କାଳରେ ଅଦେ୍ର୍ଧକ ସମୟ ଉକ୍ରଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଗଣିତ ବିଭାଗରେ ଶିକ୍ଷାଦାନ କରିଛନ୍ତି । ଏହା ପୂର୍ବରୁ କିଛିବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହର କଲେଜରେ ସେ ଶିକ୍ଷାଦାନ କରିଥିଲେ । କିନ୍ତୁ ଶିକ୍ଷକ ଜୀବନର ଚୂଡ଼ାନ୍ତ ଲକ୍ଷ୍ୟ କୁଳପତି ପଦରେ ଅଧିଷ୍ଠିତ ହେବାର ସୁଯୋଗ ତାଙ୍କର ଆସିଛି ୧୯୯୮ ମସିହା ଅକ୍ଟୋବର ମାସରେ, ବିଭାଗରୁ ଅବସର ନେବାର ମାତ୍ର ୪ମାସ ପରେ, ଯେତେବେଳେ ସେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟର, ସେ ପର୍ଯ୍ୟନ୍ତ ୫୫ବର୍ଷ ଇତିହାସରେ କୁଳପତିଭାବେ ନିଯୁକ୍ତି ପାଇବାରେ ସେ ଥିଲେ ଦ୍ୱିତୀୟ ଗଣିତ ପ୍ରଫେସର । ପ୍ରଥମ ଥିଲେ ପ୍ରଫେସର ଦାସଙ୍କର ଅତି ସମ୍ମାନୀୟ ଗୁରୁ ପ୍ରଫେସର ରମାନାଥ ମହାନ୍ତି । ସେ କୁଳପତି ହୋଇଥିଲେ ପ୍ରଫେସର ଦାସ କୁଳପତି ହେବାର ପ୍ରାୟ ୨୫ବର୍ଷ ପୂର୍ବରୁ ।
ପ୍ରଫେସର ଦାସ ୩ବର୍ଷ କୁଳପତି ଥିଲେ, ୨୦୦୧, ଅକ୍ଟୋବର ୮ ତାରିଖ ଯାଏ । ବେଶ୍ ଘଟଣାବହୁଳ ଥିଲା ଏହି ତିନି ବର୍ଷ । ମହାବାତ୍ୟା ବିଶ୍ୱବିଦ୍ୟାଳୟର ପ୍ରାକୃତିକ ପରିବେଶକୁ ଖିନ ଭିନ୍ କରିଦେଇଥିଲା । ଛାତ୍ର ବିଶୃଙ୍ଖଳା ଚରମରେ ପହଂଚିଥିଲା । ଶିକ୍ଷକ ମହଲରେ ପ୍ରଭାବଶାଳୀ ଶିକ୍ଷକ ଓ କର୍ମଚାରୀଙ୍କର ସହଯୋଗ ଆଶାନୁରୂପ ହେଉନଥିଲା । ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଲକ୍ଷ୍ୟ କରି ପ୍ରଶାସନ ବିରୋଧରେ ଅନବରତ କିଛି ନା କିଛି ଖବର ପ୍ରକାଶ କରୁଥିଲା । ଯାହାର କୈଫିୟତ କୁଳାଧିପତିଙ୍କୁ ଦେବା ପ୍ରଶାସନର ଏକ ନିୟମିତ କାର୍ଯ୍ୟ ହୋଇଥିଲା । ସରକାରଙ୍କ ତରଫରୁ ସୁରକ୍ଷା ବିଳମ୍ବିତ ହେଉଥିଲା । କହିବାବାହୁଲ୍ୟ ଯେ ଦୁଇଦୁଇ ବାର ବିଶ୍ୱବିଦ୍ୟାଳୟକୁ ସାଇନଡାଏ କରିବାକୁ ପଡ଼ିଥିଲା । ମନେ ହେଉଥିଲା ଯେପରି ଏକ ପରିସ୍ଥିତି ସୃଷ୍ଟି କରାଯାଉଛି ଯେପରି କୁଳପତି ତାଙ୍କ ପଦବୀରୁ ଇସ୍ତଫା ଦେଇ ଚାଲିଯିବେ । ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଶିକ୍ଷାଦାନ ଓ ଗବେଷଣାର ଏକ ନିରାପଦ ପରିବେଶରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିବା ଜଣେ ଉଚ୍ଚକୋଟିର ଗବେଷକ ଓ ଶିକ୍ଷକ, କୁଳପତି ଦାୟିତ୍ୱରେ ରହି ଏପରି ଅନିଶ୍ଚିତ ପ୍ରତିକୂଳ ପରିବେଶ ସମ୍ମୁଖୀନ ହେବା ଅପେକ୍ଷା ଦାୟିତ୍ୱରୁ ଅବ୍ୟାହତି ନେଇଯିବା ଶ୍ରେୟସ୍କର ବୋଲି ଭାବନା ଯେ ପ୍ରଫେସର ଦାସଙ୍କ ମନରେ ଉଙ୍କି ମାରି ନଥିବ, ଏପରି ନୁହେଁ । କିନ୍ତୁ ସେ ଏପରି ଭାବନାକୁ ପଛରେ ପକାଇ ଯେତେବେଳେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନର ବିସ୍ତାର କରିବାକୁ ଯାଇ ନୂତନ ପାଠ୍ୟକ୍ରମ ପ୍ରଚଳନ କରିବା ଆରମ୍ଭ କଲେ, ପାଖାପାଖି ସମ୍ପର୍କିତ ପାଠ୍ୟକ୍ରମଗୁଡିକୁ ନେଇ ‘ସ୍କୁଲ’ର ଧାରଣା ସ୍ଥାପନ କରିବାରେ ଲାଗିଲେ, ବହୁବର୍ଷ ଧରି ପଦୋନ୍ନତି ଅପେକ୍ଷାରେ ଥିବା ଶତାଧିକ ଅଧ୍ୟାପକଙ୍କୁ ତାଙ୍କର ପ୍ରାପ୍ୟଦେବାରେ ଲାଗିପଡ଼ିଲେ, ସେତେବେଳେ ସେମାନେ ନିରାଶ ହେଉଥିଲେ ଯେଉଁମାନେ ଅପେକ୍ଷା କରୁଥିଲେ ବିଶୃଙ୍ଖଳା ଦ୍ୱାରା ଅତିଷ୍ଠ ହୋଇ ପ୍ରଫେସର ଦାସ ଇସ୍ତଫା ଦେଇ ପଳାଇବେ । ପ୍ରଫେସର ଦାସ ତ ଯେପରି ଲାଗି ପଡ଼ିଥିଲେ, ସର୍ବଭାରତୀୟ ସ୍ତରରେ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏକ ନୂତନ ପରିଚିତି ଦେବାପାଇଁ । ଯେତେବେଳେ କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟରେ ପାଂଚବର୍ଷିଆ ପାଠ୍ୟକ୍ରମର ପ୍ରଚଳନ ନ ଥିଲା, ସେତେବେଳେ ପ୍ରଥମ ଥରପାଇଁ ଉକ୍ରଳ ବିଶ୍ୱବିଦ୍ୟାଳରେ ଏହାର ପ୍ରଚଳନ ଆରମ୍ଭ ହେଉଥିଲା । କେଉଁଠାରେ ନାହିଁ ଏଠାରେ କିପରି ହେବ ଓ ଏହାର ଭବିଷ୍ୟତ କଣ ହେବ; ଏହିଭଳି ପ୍ରଶ୍ନ କରୁଥିବା ସମାଲୋଚକମାନଙ୍କୁ ପ୍ରଫେସର ଦାସଙ୍କର ଏକ ସ୍ମରଣୀୟ ଉତ୍ତର ଥିଲା -ଯଦି ଲାଂଗୁଳା ନରସିଂହ ଦେବ ଅପେକ୍ଷା କରିଥାନ୍ତେ ଆଉ କେଉଁଠାରେ ଦୃଷ୍ଟାନ୍ତ ପାଇଲା ପରେ, ଓଡ଼ିଶାରେ କୋଣାର୍କ ମନ୍ଦିର ଠିଆ କରିବେ, ତାହାହେଲେ ଓଡ଼ିଶାବାସୀ କୋଣାର୍କ ବିଶ୍ୱର ଏକ ଆଶ୍ଚର୍ଯ୍ୟ ବୋଲି ଗର୍ବ କରିବାର ସୁଯୋଗ ପାଉନଥାନ୍ତେ । ନୂତନ ପାଠ୍ୟକ୍ରମର ପ୍ରଚଳନ ବିରୋଧରେ ଯେ ବହୁ ଆବେଦନ ପାଠ୍ୟକ୍ରମକୁ ନିୟନ୍ତ୍ରଣ କରୁଥିବା ବିଭିନ୍ନ ସର୍ବଭାରତୀୟ ସଂସ୍ଥାକୁ ପଠାଯାଉଥିଲା-ଏହା କହିବା ବାହୁଲ୍ୟ ମାତ୍ର । ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରକାଶନ ବିଭାଗର ପୁନରୁଦ୍ଧାର ପାଇଁ ସେ କିଛି ପଦକ୍ଷେପ ନେଉଥିଲେ, ଯାହା ଅବଶ୍ୟ ସମୟସାପେକ୍ଷ ଥିଲା । କିନ୍ତୁ ଏହା ଯଦି ସଫଳ ହୋଇଥାନ୍ତା ତାହାହେଲେ ବିଶ୍ୱବିଦ୍ୟାଳୟର ପରିଚିତିରେ ଔଜଲ୍ୟ ଆସିଥାନ୍ତା । ପ୍ରତିକୂଳ ପରିସ୍ଥିତି କିପରି ଜଣେ ବ୍ୟକ୍ତିର ମାନସିକ ଶକ୍ତିକୁ ଅଦମନୀୟ କରିପାରେ ତାହାର ଏକ ବଳିଷ୍ଠ ଉଦାହରଣ ହୋଇ ପ୍ରକଟିତ ହେଉଥିଲେ ପ୍ରଫେସର ଦାସ । ଅନୁଷ୍ଠାନ ମଧ୍ୟରେ ଗୋଷ୍ଠୀ ବିଭକ୍ତ ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ଊର୍ଦ୍ଧ୍ୱରେ ନିଜକୁ ରଖିବା ଏକ ନୀତିଭିତ୍ତିକ ପ୍ରଶାସନର ସମ୍ଭାବନା ପ୍ରତି ଇଙ୍ଗିତ କରୁଥିଲା । ହୁଏତ ଏହା ପଛରେ ଏକ କାରଣ ଥିଲା ତାଙ୍କର ପ୍ରଶାସନରେ ନିରପେକ୍ଷତା ପ୍ରତି ପ୍ରତିବଦ୍ଧତା ଓ ପଦବୀ ପ୍ରତି ଅନାସକ୍ତି । ତାଙ୍କର ପଦବୀପ୍ରତି ଅନାସକ୍ତି ଜଣାପଡ଼େ ଯେତେବେଳେ ଏହି ପଦବୀ ସହ ଥିବା ବାହି୍ୟକ ଆଡ଼ମ୍ବରକୁ ସେ ସଚେତନ ଭାବେ ପ୍ରତ୍ୟାଖ୍ୟାନ କରନ୍ତି । ଯେପରି କୁଳପତିଙ୍କ ପାଇଁ ଆଫିସିକ ନୂତନ କୋଠରୀକୁ ନ ଯାଇ ବରଂ ବସନ୍ତି ସେହି ପୁରୁଣା କୋଠରୀରେ ଯାହାକୁ ଏକଦା ବିକ୍ଷୋଭକାରୀ ଛାତ୍ରମାନେ ପଶି ବିକୃତ କରି ଦେଇଥିଲେ । ନିଜେ ରହୁଥିବା ବଙ୍ଗଳାଟିର ମଧ୍ୟ ଚୂନ ଧଉଳା କରନ୍ତି ନାହିଁ । ଅଫିସର ସେହି ପୁରୁଣା ଆମ୍ବାସାଡର ଗାଡିରେ ଯିବା ଆସିବା କରନ୍ତି । କୁଳପତି ଭାବେ ୩ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ସରିବା ଦିନ ସନ୍ଧ୍ୟାବେଳେ କୁଳପତି ବଙ୍ଗଳାକୁ ଖାଲିକରି ଧର୍ମବିହାରସ୍ଥିତ ଅସଜଡ଼ା ଘରକୁ ଚାଲିଆସନ୍ତି । ଆଉ ୩ମାସ ପାଇଁ କୁଳପତି ରହିବାର କୁଳାଧିପତିଙ୍କର ପରାମର୍ଶକୁ ସବିନୟ ମନା କରିଦିଅନ୍ତି । ଅଥଚ କାର୍ଯ୍ୟକାଳର ଶେଷ ଦିନରେ, ଅପରାହ୍ଣରେ ଫର୍ମାସୀ ଛାତ୍ରଙ୍କ ଦ୍ୱାରା ହେଉଥିବା ଏକ ଦାବି ସଭାରେ ସେ ଉପସ୍ଥିତ ରହି ଅଭିଯୋଗ ଶୁଣନ୍ତି ଓ ଅଭିଯୋଗର ନିରାକରଣ ପାଇଁ ପଦକ୍ଷେପର ପରାମର୍ଶ ଦିଅନ୍ତି ।
ପ୍ରଫେସର ଦାସ କୁଳପତି ଥିବାବେଳେ ତାଙ୍କର ଗୋଟିଏ ନିଷ୍ପତ୍ତି ବେଶ ଚର୍ଚ୍ଚିତ ଥିଲା ଯାହା ତାଙ୍କର ନିରପେକ୍ଷତାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ଉଲ୍ଲେଖ କରାଯାଇପାରେ । ଏହାଥିଲା ଜଣେ ଅଧ୍ୟାପକଙ୍କର ପଦୋନ୍ନତି ପ୍ରସଙ୍ଗରେ । ପଦୋନ୍ନତି ପାଇଁ ପ୍ରାର୍ଥୀଙ୍କର ସାକ୍ଷାତକାର ସମୟରେ ଜଣେ ବିଶେଷଜ୍ଞ ସଭ୍ୟ ଯିଏ ଚୟନ କମିଟିରେ କୁଳାଧିପତିଙ୍କର ପ୍ରତିନିଧି ଥିଲେ, ସେ କୁଳପତିଭାବେ ଚୟନ କମିଟିର ଅଧ୍ୟକ୍ଷତା କରୁଥିବା ପ୍ରଫେସର ଦାସଙ୍କୁ ଦୃଷ୍ଟିକୁ ଆଣିଲେ ଯେ ପ୍ରାର୍ଥୀଜଣକ କେତେ ତୀବ୍ର ଭାଷାରେ କୁଳପତିଙ୍କୁ ସମାଲୋଚନା କରିଛନ୍ତି ଯାହା ସେ ତାଙ୍କ ଚରିତ୍ର ପଂଜିକାରେ ଉଲ୍ଲେଖ କରିଛନ୍ତି ଓ ପଚାରିଥିଲେ ଏପରି ପ୍ରାର୍ଥୀଙ୍କୁ ପଦୋନ୍ନତି ଦେବା ଉଚିତ ହେବ କି? ପ୍ରଫେସର ଦାସଙ୍କ ଉତ୍ତର ଥିଲା “ମୋ ବିରୋଧରେ ପ୍ରାର୍ଥୀ ଯାହା ଲେଖିଛନ୍ତି ତାହା ମୁଁ ବୁଝିବି । ଆପଣ ମୋତେ କେବଳ କହିବେ ଶିକ୍ଷାଗତ ଯୋଗ୍ୟତାରେ ପ୍ରାର୍ଥୀ ପଦୋନ୍ନତି ପାଇବାପାଇଁ ଯୋଗ୍ୟ କି ନୁହଁନ୍ତି । ଯଦି ଯୋଗ୍ୟ ହୁଅନ୍ତି, ମୋ ବିଷୟରେ ସେ କଣ ଲେଖିଛନ୍ତି, ତାହା ତାଙ୍କ ପଦୋନ୍ନତିରେ ବାଧକ ହେବା ଉଚିତ ନୁହେଁ ।” ଅବଶ୍ୟ ପ୍ରାର୍ଥୀଜଣକ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବେଶ ଯୋଗ୍ୟ ଥିଲେ ପଦୋନ୍ନତି ପାଇଁ । ସେ ପଦୋନ୍ନତି ପାଇଲେ । ଏହି ଅଭିଜ୍ଞତା ବର୍ଣ୍ଣନା କରି ସେ ବିଶେଷଜ୍ଞ ଆଶ୍ଚର୍ଯ୍ୟ ହେଉଥିଲେ, ପ୍ରଫେସର ଦାସଙ୍କ ନିରପେକ୍ଷତା ଉପରେ । ଆଉ ଏକ ଉଦାହରଣ ହେଉଛି ଜଣେ ଅଧ୍ୟାପକଙ୍କର ବିରୋଧରେ ଅଭିଯୋଗ ହେଉଥିଲା ଯେ ବିଶୃଙ୍ଖଳା ଭିଆଉ ଥିବା କିଛି ଛାତ୍ରଙ୍କୁ ସେ ସୁରକ୍ଷା ଦେଉଛନ୍ତି । କିନ୍ତୁ ଏହି ଅଧ୍ୟାପକଙ୍କର ଖ୍ୟାତିଥିଲା ଭଲ ଗବେଷକ ଭାବେ । ସେ ବିଦେଶ ଯିବାପାଇଁ ଏକ ଫେଲୋସିପ୍ ପାଇଥିଲେ । କିନ୍ତୁ ତାଙ୍କ ବିରୋଧରେ ହେଉଥିବା ଅଭିଯୋଗ ଫଳରେ କୁଳପତି ତାଙ୍କୁ ଛୁଟି ମଂଜୁର କରିବେ କି ନାହିଁ ସେ ଆଶଙ୍କା ତାଙ୍କ ମନରେ ଥିଲା । ସେ ଯାଇ କୁଳପତିଙ୍କୁ ଦେଖା କରିଥିଲେ । ସେ ସାକ୍ଷାତକାର ବେଳେ କୁଳପତିଙ୍କ ବିରକ୍ତି ଭାବରୁ ଜାଣିଲେ ଯେ ସେ ଅଭିଯୋଗ ସମ୍ପର୍କରେ ଅବଗତ ଅଛନ୍ତି । ନିରାଶ ମନରେ ସେ ଫେରିଥିଲେ କୁଳପତିଙ୍କ ପାଖରୁ । କିନ୍ତୁ ପରେ ତାଙ୍କ ଛୁଟି ମଂଜୁରୀର ଆଦେଶ ପାଇଲେ ଓ ବିଦେଶ ଗଲେ । ଶିକ୍ଷା ପ୍ରଶାସନ ଯେ ସାଧାରଣ ପ୍ରଶାସନ ପରି ନୁହେଁ; ତାହା ପ୍ରଫେସର ଦାସ ବୁଝିଥିଲେ । ପ୍ରଶାସନିକ ଦୋଷତ୍ରୁଟି ଯୋଗୁଁ ଜଣେ ଶିକ୍ଷକର ଶୈକ୍ଷିକ ଅଭିବୃଦ୍ଧିକୁ ବାଧିତ କରିବା ତାଙ୍କର ପ୍ରଶାସନର କଦାପି ଲକ୍ଷ୍ୟ ନ ଥିଲା । ଯିଏ ଏହି ସ୍ତରରେ ଫରକ କରିପାରେ ସେ ହିଁ ପ୍ରତିକୂଳ ପରିସ୍ଥିତିରେ ନିଜର ମାନସିକ ଶକ୍ତିକୁ ଅଦମନୀୟ ରଖି ପାରେ । ପ୍ରଫେସର ଦାସ ଏହିପରି ଥିଲେ ।
ବିଶୃଙ୍ଖଳାର ପ୍ରତିବାଦ କରିବାର ଢଙ୍ଗ ପ୍ରଫେସର ଦାସଙ୍କର ଥିଲା ନିଆରା । ଏକ ଅନ୍ଧାର ରାତିରେ ଦଳେପିଲା ଆସି ତାଙ୍କ ବଙ୍ଗଳା ପରିବେଶରେ ପ୍ରବେଶ କଲେ । ବାହାରେ ବିଶ୍ୱବିଦ୍ୟାଳୟର ଗାଡି ଥୁଆ ହୋଇଥିଲା । ଗ୍ୟାରେଜରେ ତାଙ୍କ ନିଜଗାଡ଼ି ମାରୁତୀ ୮୦୦ଥିଲା । ଗ୍ୟାରେଜରେ ତାଲା ପଡିଥିଲା । କିନ୍ତୁ ଏହି ପିଲାମାନେ ଗ୍ୟାରେଜକୁ ତାଡି ମାରୁତୀ ୮୦୦ଟିକୁ ବାହାରକୁ ଆଣି ସେଥିରେ ନିଆଁ ଲଗାଇଦେଲେ । ତାହାର ଅବଶେଷକୁ ପ୍ରଫେସର ଦାସ ସଫା କରିଦେଇ ନଥିଲେ । ବରଂ ସେ ସେହିଭଳି ପଡ଼ି ରହିଥିଲା ବଙ୍ଗଳା ପରିସରରେ, କୁଳପତି ପଦରୁ ପ୍ରଫେସର ଦାସ ଅବସର ନେବା ପର୍ଯ୍ୟନ୍ତ । ଅନେକେ, ଏହାକୁ ଉଠାଇ ଦେବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ପ୍ରଫେସର ଦାସ ଏହି ଅନୁରୋଧକୁ ରକ୍ଷା କରିନାହାନ୍ତି । ଏହି ପୋଡ଼ା ଗାଡିଟି ଯେପରି ସେମାନଙ୍କ ବିରୋଧରେ ତାଙ୍କର ପ୍ରତିବାଦର ଏକ ପ୍ରତୀକ ଥିଲା, ଯେଉଁମାନେ ବିକ୍ଷୋଭକାରୀଙ୍କର ବିଶୃଙ୍ଖଳା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷରେ ସାମିଲଥିଲେ । କୁଳପତିଙ୍କୁ ଦେଖା କରିବାକୁ ଆସିଥିବା ଜଣେ ରାଜନେତା ଯେତେବେଳେ ଏହା ଦେଖି କାହିଁକି ଏପରି ପକାଇ ରଖିଛନ୍ତି ବୋଲି ପ୍ରଶ୍ନ କରୁଥିଲେ, ପ୍ରଫେସର ଦାସ କହୁଥିଲେ ଯାହା ଘଟିଛି ତାର ପ୍ରତିବାଦ ମୁଁ ଏହିଭଳି ଭାବେ କରୁଛି । ପ୍ରଫେସର ଦାସଙ୍କ ବ୍ୟକ୍ତିଗତ ଗାଡ଼ିଟିକୁ ପୋଡ଼ି ଦେବା, ଆଫିସିକ ଗାଡ଼ିକୁ କୌଣସି କ୍ଷତି ନକରି, ପ୍ରଫେସର ଦାସଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶର ଅଭିବ୍ୟକ୍ତି ଥିଲା । ଏହି ଆକ୍ରୋଶର ଶିକାର ତାଙ୍କ ପରିବାର ମଧ୍ୟ ହେଉଥିଲା । ସତେ ଯେପରି ଶ୍ରୀମତୀ ଦାସଙ୍କ ଧୈର୍ଯ୍ୟର ପରୀକ୍ଷା ହେଉଥିଲା । ନିଜ ଗାଡ଼ି ପୋଡ଼ା ହେବା ସେ ଦେଖୁଥିଲେ । ସେ ଦେଖୁଥିଲେ କିପରି ଠିକ ମଧ୍ୟାହ୍ନ ଭୋଜନ ସମୟରେ ବିକ୍ଷୋଭକାରୀ ପିଲାମାନେ କୁଳପତି ବଙ୍ଗଳା ଭିତରକୁ ପଶି ଆସି ଓ ଭଙ୍ଗାରୁଜା କରି ଖାଇବାରେ ବିଘ୍ନ ସୃଷ୍ଟି କରୁଥିଲେ । ଅଥଚ ଏପରି ପରିସ୍ଥିତିରେ ଶ୍ରୀମତୀ ଦାସ ଧୈର୍ଯ୍ୟ ହରାଇ ନଥିଲେ । ଯଦି ଏପରି ହୋଇଥାନ୍ତା ତାହାହେଲେ ବୋଧହୁଏ ପ୍ରଫେସର ଦାସ କୁଳପତି ଭାବେ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିପାରି ନଥାନ୍ତେ । ପ୍ରଫେସର ଦାସଙ୍କ ଧୈର୍ଯ୍ୟ ଓ ସାହସର ଏକ ଉତ୍ସ୍ୱ ଥିଲେ ଶ୍ରୀମତୀ ଦାସ । ସେ ପ୍ରକୃତରେ ଜଣେ ଆଦର୍ଶ ସହଧର୍ମିଣୀର କର୍ତ୍ତବ୍ୟ ନିର୍ବାହ କରିଥିଲେ ପ୍ରଫେସର ଦାସଙ୍କର କୁଳପତିତ୍ୱ ସମୟରେ ।
ପ୍ରଫେସର ଦାସ ବୋଧହୁଏ ଆହୁରି ଅନେକ କିଛି କରିପାରିଥାନ୍ତେ, ଶିକ୍ଷା ଓ ଗବେଷଣାରେ ବିଶ୍ୱବିଦ୍ୟାଳୟର ପରାକାଷ୍ଠା ପ୍ରତିଷ୍ଠା କରିବାରେ, ଯଦି ବିଶୃଙ୍ଖଳା ସୃଷ୍ଟି ହେଉନଥାନ୍ତା । ତେବେ ବିଭିନ୍ନ ପ୍ରତିକୂଳ ପରିସ୍ଥିତରେ ସେ ଯେପରି ବିଶ୍ୱବିଦ୍ୟାଳୟର ପରିସରରେ ଶିକ୍ଷାର ସୁଯୋଗକୁ ବିସ୍ତାରିତ କରିପାରିଥିଲେ, ସେଥିରେ ଆହୁରି ବିସ୍ତାରକୁ ଅନେକେ ଅପେକ୍ଷା କରିଥିବେ । ଏହା ପ୍ରକୃତରେ କେତେଦୂର ହୋଇଛି -ତାହା ଏକ ନିରପେକ୍ଷ ଆକଳନରୁ ହିଁ ଜଣାପଡ଼ିବ । କିନ୍ତୁ ଏ ଲେଖକ ତାର ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷକତା କରିବା କାଳରେ ବହୁ କୁଳପତି ଓ ପ୍ରଶାସକଙ୍କୁ ଦେଖିଛି । କିନ୍ତୁ କ୍ୱଚିତ ଦେଖିଛି ପ୍ରଫେସର ଦାସଙ୍କ ପରି ଜଣେ କୁଳପତି ଯିଏ ପକ୍ଷପାତିତାରୁ ଊର୍ଦ୍ଧ୍ୱରେ ରହି ପ୍ରଶାସନ କରିଛନ୍ତି ଓ କୁଳପତି ପଦବୀର ଆଡ଼ମ୍ବରକୁ ପ୍ରତ୍ୟାଖ୍ୟାନ କରି, ସବୁ ବାଧାବିଘ୍ନ ସତ୍ତ୍ୱେ ଶିକ୍ଷାନୁଷ୍ଠାନର ନୈତିକ ଆଧାରକୁ ସୁଦୃଢ଼ କରିବାପାଇଁ ସାଲିସବିହୀନ ଉଦ୍ୟମ କରିଛନ୍ତି ।
ପ୍ରଫେସର ଦାସଙ୍କ ବିୟୋଗରେ ଓଡ଼ିଶାର ଗଣିତ ସମ୍ପ୍ରଦାୟ ଅଭିଭାବକ ଶୂନ୍ୟ ହୋଇଛି । ସେ ଯଦିଓ ଏକ ପୂର୍ଣ୍ଣ ସଫଳ ଜୀବନ ବଞ୍ଚି ପରିଣତ ବୟସରେ ଏ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି, ତଥାପି ତାଙ୍କର ବିୟୋଗକୁ ସହଜରେ ଗ୍ରହଣ କରିବା ତାଙ୍କ ସହିତ ଘନିଷ୍ଠ ଥିବା ସହଯୋଗୀମାନଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ । ବିଶେଷତଃ ମୋ ପକ୍ଷରେ ଯିଏ ତାଙ୍କ ମୃତ୍ୟୁର ମାତ୍ର ୪୮ଘଣ୍ଟା ପୂର୍ବେ, ୧୪ ଅଗଷ୍ଟ ସନ୍ଧ୍ୟାରେ, ତାଙ୍କ ସହିତ ବସି ଚାହା ଜଳଖିଆ ଖାଇ ବେଶ ଦୁଇ ଘଣ୍ଟା କାଳ ହସ ଖୁସିରେ କଥାବାର୍ତ୍ତା କରିଥିଲା ।
ତାଙ୍କର ଆତ୍ମା ଶାନ୍ତି ପାଉ -ଏହାହିଁ ମୋର ପ୍ରାର୍ଥନା ।
Comments
0 comments