ଏହି ଶିରୋନାମାଟି ଆମର ନୁହଁ । ଅଗଷ୍ଟ ୧୬,୨୦୨୫ଦିନ ଲୋକସଭାରେ ବିରୋଧିଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଏକ୍ସ’ରେ ଗୋଟିଏ ଭିଡ଼ିଓ ସ୍ଥାନିତ କରିଛନ୍ତି ଯାହାର ଶିରୋନାମା ରହିଛି ‘ଲାପତ୍ତା ଲେଡ଼ିଜ୍ ଭୋଟସ୍’ । ‘ଲାପତ୍ତା ଲେଡ଼ିଜ୍’ ନାମରେ ଏକ ଲୋକପ୍ରିୟ ହିନ୍ଦି ଚଳଚ୍ଚିତ୍ର ୨୦୨୩ ମସିହାରେ ପରଦାକୁ ଆସିଥିଲା । କିରନ୍ ରାଓଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦୁଇଟି ନବ ବିବାହିତ ମହିଳା ଟ୍ରେନ୍ ଯାତ୍ରାବେଳେ ଅଦଳବଦଳ ହୋଇଯାଇଥିଲେ । ଶିରୋନାମାଟି ସେହି ବିଷୟକୁ ନେଇ ଲେଖାଯାଇଛି । ରାହୁଲ୍ ଗାନ୍ଧୀଙ୍କ ଦ୍ୱାରା ବା କଂଗ୍ରେସ ଦଳଦ୍ୱାରା ସ୍ଥାନିତ ଏହି ଭିଡ଼ିଓରେ ଲେଡ଼ିଜ୍ ଶବ୍ଦଟିରେ ଗାରଟାଣି ତା ପଛକୁ ଭୋଟସ୍ ଲେଖାଯାଇଛି ଅର୍ଥାତ୍ ‘ଲାପତ୍ତା ଭୋଟସ୍’ ଯାହାକୁ ରାହୁଲ ଅଗଷ୍ଟ ୭, ୨୦୨୫ଦିନ ବେଙ୍ଗାଲୁର ଠାରେ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ପ୍ରମାଣ ସହ ଉପସ୍ଥାପନ କରିଥିବା ‘ଭୋଟ ଚୋରି’ର ଅନ୍ୟନାମ କୁହାଯାଇପାରେ । ଏହି ଲାପତ୍ତା ଭୋଟସ୍ ଭିଡ଼ିଓଟି ଏବେ ବହୁଳଭାବେ ପ୍ରସାରିତ ହୋଇଚାଲିଛି । ଏକ ମିନିଟ୍ ଓ କିଛି ସେକେଣ୍ଡ ଅବଧିର ଏହି ଭିଡ଼ିଓରେ ଦେଖାଯାଉଛି ଯେ ଜଣେ ନିରୀହ ବିହାରୀ ଗ୍ରାମବାସୀ ନିକଟସ୍ଥ ଥାନାକୁ ଯାଇ ରିପୋର୍ଟ ଲେଖିବା ପାଇଁ ନିବେଦନ କରୁଛନ୍ତି । ‘କଣ ଚୋରି ହୋଇଛି?’ ପ୍ରଶ୍ନର ଉତ୍ତରରେ ସେ କହୁଛନ୍ତି ଯେ ତାଙ୍କର ‘ଭୋଟ୍’ ଚୋରି ହୋଇଯାଇଛି । ଥାନାବାବୁ ଆଶ୍ଚର୍ଯ୍ୟ ହୋଇ ପଚାରୁଛନ୍ତି ‘ଭୋଟ କ’ଣ କେବେ ଚୋରି ହୁଏ? ତୁ କ’ଣ ଦିନବେଳେ ପିଇଦେଇ ଆସିଛୁ କି?’ ଉତ୍ତରରେ ବିଚରା ଗ୍ରାମବାସୀଟି କହୁଛି ଯେ କେବଳ ତାହାର ନୁହଁ, ଲକ୍ଷଲକ୍ଷ ଲୋକଙ୍କର ଭୋଟ ଚୋରି ହୋଇଯାଇଛି । ଥାନାବାବୁ ଚକିତ ହୋଇ ନିଜ ସହଯୋଗୀକୁ ପଚାରୁଛନ୍ତି, ‘ଆରେ ପାଣ୍ଡେ କାହିଁ ଆମ ଭୋଟ୍ ବି ତ ଚୋରି ହୋଇଯାଇନି!’ ଏହି ଭିଡ଼ିଓର କଥପୋକଥନ ମଜାଳିଆ ଭାଷାରେ ହୋଇଛି ଯାହାକୁ ଦର୍ଶକ ଦେଖିବାପାଇଁ ବେଶୀ ପସନ୍ଦ କରିବେ । ତେବେ ବିଷୟ ଉପରକୁ କେତେ ଗୁରୁତ୍ୱଦେଇ ପ୍ରବେଶ କରିବେ ତାହା ଏକ ପ୍ରଶ୍ନବାଚୀ ।
ରାହୁଲ୍ ଗାନ୍ଧୀଙ୍କ ଅଗଷ୍ଟ ୭,୨୦୨୫ ସାମ୍ବାଦିକ ସମ୍ମିଳନୀ ଭାରତର ଗଣତନ୍ତ୍ର ଏବଂ ନିର୍ବାଚନ ଆୟୋଗର ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥାପନା ଥିଲା । ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ଭୋଟର ତାଲିକାକୁ ନେଇ ଗୋଟିଏ ସଂସଦୀୟ ନିର୍ବାଚନୀ ମଣ୍ଡଳୀର କେବଳ ମାତ୍ର ଗୋଟିଏ ବିଧାନସଭା ନିର୍ବାଚନ କ୍ଷେତ୍ରର ସମସ୍ତ ଭୋଟକୁ ନେଇ ତାଙ୍କର ଦଳ ଦୀର୍ଘ ୬ମାସ ଦିନରାତି ଅଧ୍ୟୟନ କଲାପରେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ସେହି ବିଧାନସଭା ନିର୍ବାଚନ କ୍ଷେତ୍ର (ମହାଦେବପୁର)ରେ ପ୍ରାୟ ୧ଲକ୍ଷ ୨୫୦ଭୋଟ୍ ଚୋରି ହୋଇଛି ଯାହା ଫଳରେ ବାଙ୍ଗାଲୋର କେନ୍ଦ୍ରୀୟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମାତ୍ର କିଛି ହଜାର ଭୋଟ ବ୍ୟବଧାନରେ ବିଜୟ ଘୋଷିତ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କର କହିବାର ଥିଲା ଯେ ଯଦି ସେମାନେ ସନ୍ଦେହ କରୁଥିବା ୭୦ରୁ ୧୦୦ ଲୋକସଭା ଆସନର ‘ଡିଜିଟାଲ ଭୋଟର ରୋଲ’ ନିର୍ବାଚନ ଆୟୋଗ ଦିଅନ୍ତେ ତେବେ ସେ ପ୍ରମାଣିତ କରାଇ ଦେଇପାରନ୍ତେ ଯେ ପ୍ରଧାନମନ୍ତ୍ରୀ ମୋଦୀ କେମିତି ‘ଭୋଟ ଚୋରି’ ଯୋଗୁଁ ମାତ୍ର ୨୫ଟି ଅଧିକ ଲୋକସଭା ଆସନ ପାଇ ସରକାର ଗଢ଼ିବାପାଇଁ ସକ୍ଷମ ହୋଇଛନ୍ତି । ସେ କହିବା ଅନୁସାରେ ତୁହାକୁ ତୁହା ଅନୁରୋଧ ସତ୍ତ୍ୱେ ନିର୍ବାଚନ ଆୟୋଗ ତାଙ୍କୁ ଡିଜିଟାଲ୍ ତଥ୍ୟ ଦେବାପାଇଁ ମନା କରିଦେଇଥିଲେ । ତାଙ୍କୁ ମହାଦେବପୁର ନିର୍ବାଚନ କ୍ଷେତ୍ରର ଯେଉଁ ମତଦାତାଙ୍କ ସୂଚୀ ନିର୍ବାଚନ ଆୟୋଗଙ୍କ ସୌଜନ୍ୟରୁ ମିଳିଥିଲା ତାକୁ ଡିଜିଟାଲ୍ ମାଧ୍ୟମରେ ଦେଖିବାର ବ୍ୟବସ୍ଥା ନଥିଲା । ଫଳରେ ୭ଫୁଟ ଉଚ୍ଚତାର ଭୋଟର ସୂଚୀ ତାଲିକାଗୁଡ଼ିକୁ ସେମାନେ ପୃଷ୍ଠା ପୃଷ୍ଠା ପଢ଼ି ତୁଳନା ଓ ତର୍ଜମା କରିବା ପାଇଁ ୬ମାସ ଲାଗିଥିଲା । ସେ ଯେଉଁ ଅଭିଯୋଗ ଆଣିଥିଲେ, ସେଥିରେ ପାଞ୍ଚଟି ପ୍ରମୁଖ ଅନିୟମତା ଦେଖାଯାଇଥିଲା ।
ପ୍ରଥମଟି ଥିଲାଯେ ୧୧ହଜାର ୯୬୫ଟି ଡ଼ୁପ୍ଲିକେଟ ଭୋଟର ସେମାନେ ପାଇଥିଲେ ଯେଉଁମାନେ ସେହି ନିର୍ବାଚନୀ କ୍ଷେତ୍ରରେ ଏବଂ ଏମିତିକି ଅନ୍ୟାନ୍ୟ ରାଜ୍ୟରେ ଭୋଟ ମଧ୍ୟ ଦେଇଥିବାର ସୂଚନା ଥିଲା । ଦ୍ୱିତୀୟରେ ୪୦ହଜାର ୯ଟି ମିଛି ଠିକଣା ଥିବା ଭୋଟର ମିଳିଥିଲେ ଯେଉଁଠି ଘର ନଂ ‘ଶୂନ’ ଏବଂ ବାପାଙ୍କ ନାଁ ‘ଏ,ବି,ସି,ଡ଼ି’ ଲେଖା ଯାଇଥିଲା । ତୃତୀୟରେ ଗୋଟିଏ ଗୋଟିଏ ଠିକଣାରେ ୭୦ରୁ ୮୦ ଭୋଟର ଥିବାର ୧୦ହଜାର ୪୫୨ଟି ମାମଲା ସେମାନେ ପାଇଥିଲେ । ଏହି ଭୋଟରମାନଙ୍କର ସାଙ୍ଗିଆ ଏବଂ ଧର୍ମ ଭିନ୍ନ ଭିନ୍ନଥିଲା ଓ ସେମାନେ ଗୋଟିଏ କୋଠରୀ ଥିବା ଘରର ଠିକଣାରେ ତାଲିକାଭୁକ୍ତ ହୋଇଥିଲେ । ରାହୁଲଙ୍କ ଦଳ କ୍ଷେତ୍ରକୁ ଯାଇ ଦେଖିଆସିଲେ ଯେ ନିର୍ବାଚନ ଆୟୋଗର ସୂଚୀରେ ଦିଆଯାଇଥିବା ଏହି ଠିକଣାରେ ସେଭଳି କୌଣସି ଲୋକ ରହୁନଥିଲେ । ଚତୁର୍ଥରେ ୪ହଜାର ୧୩୨ଟି ଏଭଳି ଭୋଟର ଥିଲେ ଯେଉଁ ମାନଙ୍କର ଭୋଟର ପରିଚୟ ପତ୍ରର ଫଟୋଗୁଡ଼ିକ ଏତେ କ୍ଷୁଦ୍ର ଥିଲା ଯେ ସେମାନେ କିଏ ଜାଣିବା ସମ୍ଭବପର ନଥିଲା । ପଞ୍ଚମରେ ସେମାନେ ୩୩ହାର ୬୯୨ଟି ଏଭଳି ଦୃଷ୍ଟାନ୍ତ ପାଇଥିଲେ ଯେଉଁଠି ପ୍ରଥମ ଥରପାଇଁ ଭୋଟ ଦେବାପାଇଁ ଉଦ୍ଦିଷ୍ଟ ଫର୍ମ ୬ (୧୮ ରୁ ୨୩ବର୍ଷ ବୟସର ଯୁବଗୋଷ୍ଠି ପାଇଁ)ରେ ୭୦ବର୍ଷରୁ ଊଦ୍ଧ୍ୱର୍ ଲୋକମାନଙ୍କର ନାଁ ରଖାଯାଇଥିଲା । ରାହୁଲ୍ ଙ୍କ ଦଳପାଖରେ ନିଜସ୍ୱ କାଗଜପତ୍ର କିଛି ନଥିଲା । ନିର୍ବାଚନ ଆୟୋଗ ସେମାନଙ୍କୁ ଯେଉଁ ଭୋଟର ସୂଚୀ ଦେଇଥିଲେ ତାକୁ ହିଁ ବିଶ୍ଳେଷଣ କରି ତାଙ୍କ ଦଳ ଏଭଳି ନିର୍ଯ୍ୟାସ ପାଇଥିଲା । ସେହି ଦୃଷ୍ଟିରୁ ଏହି ବିଶ୍ଳେଷଣର ଭିତ୍ତି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଉପରେ ଆଧାରିତ । ବରଂ ଯଦି ଆୟୋଗ ସି.ସି.ଟିଭି ଫଟୋ ସହିତ ଇ.ଭି.ଏମ୍ ରେ ସଂଗୃହୀତ ହୋଇଥିବା ଭୋଟରଙ୍କ ଓ ସେମାନଙ୍କର ଭୋଟ ପ୍ରଦାନର ଭାଉଚର ଡିଜିଟାଲ ଡାଟା ମାଧ୍ୟମରେ ଦେଇଥାନ୍ତେ ତେବେ ରାହୁଲଙ୍କ ଦଳର କାମଟି ସହଜ ହୋଇଥାନ୍ତା ଏବଂ ନିର୍ବାଚନ ଆୟୋଗଙ୍କ ପ୍ରତି ଲୋକଙ୍କର ଆସ୍ଥା ଅକ୍ଷୁର୍ଣ୍ଣ ରହିଥାନ୍ତା । କିନ୍ତୁ ନିର୍ବାଚନ ଆୟୋଗ କୌଣସି ବିରୋଧି ରାଜନୈତିକ ଦଳକୁ ତଥ୍ୟ ଦେବାପାଇଁ ଆରମ୍ଭରୁ ହିଁ ପ୍ରସ୍ତୁତ ନଥିଲେ । ଏମିତି କି ନିଜେ ରାହୁଲ୍ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ନିର୍ବାଚନ ଆୟୋଗ ଉପରେ ପଡ଼ିନଥିଲା । ଦେଖିବାକୁ ଗଲେ ଭାରତର ନିର୍ବାଚନ ଆୟୋଗ ସ୍ୱାଧୀନ ଓ ନିରପେକ୍ଷ ରହିବାର କୌଣସି ସମ୍ଭାବନା ନାହିଁ । ୨୦୨୩ ମସିହାରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ଅନ୍ୟାନ୍ୟ ଆୟୋଗଙ୍କର ନିଯୁକ୍ତି ପାଇଁ ମୋଦୀ ସରକାର ଯେଉଁ ନୂତନ ନିୟମ ସବୁ ପ୍ରକାର ସାମ୍ବିଧାନିକ ନୈତିକତାକୁ ବଳିଦେଇ କେବଳ ନିଜର ସଂଖ୍ୟାଗରିଷ୍ଠତା ଆଧାରରେ ପାରିତ କରାଇନେଲେ, ସେତେବେଳଠୁଁ ହିଁ ଜଣାପଡ଼ୁଥିଲା ଯେ ଭାରତର ନିର୍ବାଚନ ଆୟୋଗ ଶାସକଦଳର ଆୟୋଗ ହୋଇ ହିଁ ରହିବେ । ତିନିଜଣିଆ ସଦସ୍ୟ ବିଶିଷ୍ଟ ଏହି ଆୟୋଗର ଚୟନ ପକ୍ରିୟାରେ ପ୍ରଧାନମନ୍ତ୍ରୀ ଓ ତାଙ୍କର ଜଣେ ସହଯୋଗୀ କ୍ୟାବିନେଟ୍ ମନ୍ତ୍ରୀ ରହିବାବେଳେ ତୃତୀୟ ଚୟନକର୍ତ୍ତା ଭାବେ ବିରୋଧିଦଳ ନେତାଙ୍କ ଉପସ୍ଥିତି କେବଳ ଏକ ଔପଚାରିକତାକୁ ହିଁ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ରହିବ ।
ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ନିର୍ବାଚନ ଆୟୋଗ ଏକ ସ୍ୱୟସମ୍ପନ୍ନ ସମ୍ବିଧାନିକ ସଂସ୍ଥାହୋଇ ରହିବାର ସମ୍ଭାବନା ଆଦୌ ନାହିଁ । ଏମିତିରେ ବି ଗତ ୧୧ବର୍ଷ ଭିତରେ ମୋଦୀ ସରକାର ଜାଣିଶୁଣି ପ୍ରାୟ ସବୁ ସାମ୍ବିଧାନିକ ଏବଂ ବୈଧାନିକ ସଂସ୍ଥାଗୁଡ଼ିକୁ ଅତି ଦୁର୍ବଳ ଏବଂ ଏକପାଖିଆ କରିସାରିଛନ୍ତି । ସେଥିପାଇଁ ନିର୍ବାଚନରେ ଅନିୟମିତତା ଏକ ନିୟମିତ ବ୍ୟାପାର ହୋଇ ରହିଯିବା ବଡ଼କଥା ନୁହଁ । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ଅଗଷ୍ଟ ୨୦୨୩ରେ ୨୦୧୯ର ଲୋକସଭା ନିର୍ବାଚନରେ ହୋଇଥିବା ଜାଲିଆତି କାରବାରକୁ ଇଙ୍ଗିତକରି ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶିତ ହୋଇଥିଲା । ଅଶୋକା ବିଶ୍ୱବିଦ୍ୟାଳୟର ସହକାରୀ ଅଧ୍ୟାପକ ଡଃ ସବ୍ୟସାଚୀ ଦାସଙ୍କ ଦ୍ୱାରା ଲିଖିତ ନିବନ୍ଧଟିର ଶିରୋନାମା ଏଭଳି ଥିଲା- ‘ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଗଣତାନ୍ତ୍ର’ର ପଥଚୁ୍ୟତି’ । ସେଥିରେ ଗୋଟିଏ ଲୋକସଭା ଆସନରେ ଜଣେ ପ୍ରାର୍ଥୀ ମାତ୍ରାଧିକ ଭୋଟ ବ୍ୟବଧାନରେ ଜିତିବା ଯାହାକି କେବଳ ଭାଜପା ଶାସିତ ରାଜ୍ୟରେ ଘଟିଛି ଏବଂ ଅନ୍ୟ କୌଣସି ଶାସନ ସମୟରେ ଦେଖାଯାଇ ନାହିଁ ତାହା ଉପରେ ଆଲୋକପାତ କରିଥିଲେ ସେ ମଧ୍ୟ ଦେଖାଇଥିଲେ ଯେ କିଭଳି ସଂଖ୍ୟାଧିକ ମୁସଲ୍ମାନ ଭୋଟର ରହୁଥିବା ସ୍ଥାନଗୁଡ଼ିକରେ ଭୋଟ ପଞ୍ଜିକରଣରେ ହ୍ରାସ ଘଟୁଛି । ଇ.ଭି.ଏମ୍ ରେ ପଡ଼ିଥିବା ଭୋଟ ଏବଂ ନିର୍ବାଚନ ଆୟୋଗ ଘୋଷଣା କରୁଥିବା ଭୋଟ ସଂଖ୍ୟାଭିତରେ ବ୍ୟବଧାନ କେମିତି ବଢ଼ୁଛି ନିଜର ତଥ୍ୟଭିତ୍ତିକ ଆଶଙ୍କା ପ୍ରକାଶ କରିଥିଲେ । ଡଃ ସବ୍ୟସାଚୀ ଦାସଙ୍କୁ ଅଶୋକ ବିଶ୍ୱବିଦ୍ୟାଳୟରୁ ବିଦାୟ ନେବାକୁ ପଡ଼ିଥିଲା । ଗତ ୧୧ବର୍ଷ ଭିତରେ ଭାରତର ଏମିତି କୌଣସି ବିଶ୍ୱବିଦ୍ୟାଳୟ ଆଉ ନାହିଁ ଯେଉଁଠି ଜଣେ ପ୍ରଫେସର ସ୍ୱାଧୀନଭାବେ ଗବେଷଣା କରି ନିଜ ଗବେଷଣାଲବ୍ଧ ତଥ୍ୟକୁ ମୁକ୍ତଭାବେ ପ୍ରକାଶିତ କରିପାରିବ । ତେବେ ମହାରାଷ୍ଟ୍ର ନିର୍ବାଚନ ‘ଜିତୁ ଜିତୁ ହାରିବା’ ପରେ ଓ ୨୦୨୪ର ସାଧାରଣ ନିର୍ବାଚନ ପରେପରେ ଭୋଟ ସଂଗ୍ରହ ଓ ଆୟୋଗ ଦ୍ୱାରା ମତଦାନ ସଂଖ୍ୟା ଘୋଷଣାର ଅହେତୁକ ବିଳମ୍ବ ତଥା ଘୋଷିତ ତଥ୍ୟ ଓ ସଂଗୃହୀତ ତଥ୍ୟ ମଧ୍ୟରେ ଥିବା ବିରାଟ ପ୍ରଭେଦ ଓ ନିର୍ବାଚନ ଫଳାଫଳ ଆସିବା ପରେ ହୁଏତ ଡଃ ସବ୍ୟସାଚୀ ଦାସଙ୍କ ନିବନ୍ଧଟିକୁ କଂଗ୍ରେସ ଓ ଏହାର ନେତୃତ୍ୱ ମନେ ପକାଇଲେ । ତେବେ କାରଣ ଯାହାହେଉନା କାହିଁକି ରାହୁଲ୍ ଗାନ୍ଧୀଙ୍କ ଦଳ ଯେଉଁ ସମୀକ୍ଷାଟି କରିଛନ୍ତି, ତାହା ଭାରତର ନିର୍ବାଚନ ଆୟୋଗଙ୍କୁ ଭାରତର ଜନଗଣଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଭାବେ ଉଲଗ୍ନ କରିସାରିଛି । ନିର୍ବାଚନ ଆୟୋଗ ଯାହାବି ଆଗକୁ କୈଫିୟତ ଦେବେ, ତାହା ସେମାନଙ୍କର ଭାବମୂର୍ତ୍ତିକୁ ଉଦ୍ଧାର କରିବା ପରିବର୍ତ୍ତେ ବରଂ ଅଧିକ ମଳିନ କରିବ ।
ରାହୁଲ୍ ଙ୍କର ‘ଭୋଟ ଚୋରି’ ଅଭିଯୋଗର ଗୁରୁତ୍ୱ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଅନୁଭବ କଲାଭଳି ଜଣାପଡ଼ୁଛି । ଆଗକୁ ବିଧାନସଭା ନିର୍ବାଚନ ହେବାକୁଥିବା ବେଳେ ତରବରିଆ ଭାବେ ନିର୍ବାଚନ ଆୟୋଗ ଯେଉଁ ସ୍ୱତନ୍ତ୍ର ଓ ବ୍ୟାପକ ଭୋଟର ତାଲିକା ସଂଶୋଧନ ଅଭିଯାନ ହାତକୁ ନେଇଥିଲେ ସେଥିରେ ୬୫ଲକ୍ଷ ଭୋଟର କୌଣସି କାରଣ ନଥାଇ ତାଲିକାରୁ ବାଦ ପଡ଼ିଥିବାବେଳେ ଗୋଟିଏ ବି ନୂଆ ଭୋଟରଙ୍କ ନାଁ ତାଲିକାରେ ଯୋଡ଼ାଯାଇ ନଥିଲା । କୌଣସି ପାରଦର୍ଶିତା ନଥିବା ଏହି ପକ୍ରିୟାକୁ ଚୁନୌତି ଦେଇ ଅନେକ ଅଭିଯୋଗ ଉଚ୍ଚତମ ନ୍ୟାୟାଳୟରେ ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣିବେଳେ ମାନ୍ୟବର ନ୍ୟାୟମୂର୍ତ୍ତି ସୂର୍ଯ୍ୟ କାନ୍ତ ଓ ମାନ୍ୟବର ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗ୍ଚିଙ୍କ ଏକ ଖଣ୍ଡପୀଠଙ୍କ ଆଗରେ ପକ୍ଷ ଏବଂ ପ୍ରତିପକ୍ଷ ତରଫରୁ ତଥ୍ୟ ଉପସ୍ଥାପନା କରାଯାଇଥିଲା । ସବୁଠାରୁ ବଳିଷ୍ଠ ଏବଂ ଖଣ୍ଡପୀଠକୁ ହୃଦ୍ବୋଧ ହେଲାଭଳି ତଥ୍ୟ ରଖିଥିଲେ ଯୋଗେନ୍ଦ୍ର ଯାଦବ । ଏମିତି କି ସେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ମୃତ ଘୋଷିତ ଦୁଇ ଜୀବନ୍ତ ମହିଳାଙ୍କୁ ଅଦାଲତ ଆଗରେ ଉପସ୍ଥାପନ କରି ଅନିୟମିତତାର ବଳିଷ୍ଠ ଉଦାହରଣ ଉପସ୍ଥାପନ କରିଥିଲେ । କୌତୁହଳର କଥାଯେ ଆୟୋଗଙ୍କ ଦ୍ୱାରା ବାଦ୍ ପଡ଼ିଥିବା ୬୫ଲକ୍ଷ ଭୋଟରମାନଙ୍କ ଭିତରୁ ୨୨ଲକ୍ଷ ଭୋଟରଙ୍କୁ ମୃତ ଘୋଷିତ କରି ବାଦ୍ ଦିଆଯାଇଥିଲା । ସେମାନଙ୍କ ଭିତରୁ ଅଧିକାଂଶ ଜୀବିତ ଥିବାର ପ୍ରମାଣ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ସେଥିପାଇଁ ହୁଏତ ଅଗଷ୍ଟ ୧୪,୨୦୨୫ ଦିନ ଏହି ଖଣ୍ଡପୀଠ ଯେଉଁ ଅନ୍ତରୀଣ ଅଦେଶଦେଲେ ସେଥିରେ ସେ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ୬୫ଲକ୍ଷ ଭୋଟଦାତାଙ୍କୁ ସେମାନେ ବାଦ୍ ଦେଇ ତାଲିକା ପ୍ରସ୍ତୁତ କରିଛନ୍ତି ସେମାନଙ୍କର ନାଁ ସାର୍ବଜନୀନ କରିବା ପାଇଁ । ନିର୍ବାଚନ ଆୟୋଗଙ୍କର ତରଫରୁ କରାଯାଇଥିବା କୌଣସି ଯୁକ୍ତିକୁ ଗ୍ରହଣ ନ କରି ଅଦାଲତ କହିଥିଲେ ଯେ, ‘ଲୋକଙ୍କର ଜାଣିବାର ଅଧିକାର ଅଛି । ଭୋଟରମାନଙ୍କର ଆସ୍ଥାଭାଜନ ପାଇଁ ଉଚ୍ଚଧରଣର ପାରଦର୍ଶିତାର ଅବଶ୍ୟକତା ଅଛି’ ।
ଆଗକୁ ଯେ ଜନଗଣ ଏହି ପ୍ରସଙ୍ଗକୁ ନେଇ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ ଏହି କଥା ଏବେ ସ୍ପଷ୍ଟ ଜଣାପଡ଼ୁଛି । ରାଜନୈତିକ ଦଳମାନେ ସାଧାରଣ ଲୋକଙ୍କ ପାଖକୁ ଯାଇ ଭୋଟ ଚୋରି ଉପଖ୍ୟାନ କୁହନ୍ତୁ ବା ନ କୁହନ୍ତୁ ଉଚ୍ଚତମ ନ୍ୟାୟାଳୟର ହସ୍ତକ୍ଷେପ ଶାସକଦଳ ଓ ନିର୍ବାଚନ ଆୟୋଗଙ୍କୁ ଯେ ଗଣମାଧ୍ୟମର ସମସ୍ତ ଉଦ୍ୟମ ସତ୍ତ୍ୱେ ବିଶ୍ୱାସ ଓ ନୈତିକତାର ସଙ୍କଟ ଭିତରକୁ ଠେଲି ଦେଇଛି, ଏହି କଥା ସେମାନେ ନିଜେ ବୁଝିପାରୁଛନ୍ତି ନିଶ୍ଚୟ । ଆମେ କେବେ ବୁଝିବା ସମୟ ଆସିଲେ ଜଣାପଡ଼ିବ ।
Comments
0 comments