ପ୍ରାକୃତିକ ଶୋଭାର ଗନ୍ତାଘର ହେଉଛି ଗାଁ । ନିସର୍ଗର କମନୀୟ ଉତ୍ସଙ୍ଗରେ ଗ୍ରାମ୍ୟ ପରିବେଶ ବଡ଼ ମଧୁର । ସମାଜର ମୌଳିକ ଅବଧାରଣା, ଜୀବନର ମୂଲ୍ୟବୋଧ ଓ କ୍ରମବିକାଶ, ବ୍ୟକ୍ତିର ପାରିବାରିକ, ସାମୂହିକ ନୈତିକ କର୍ତ୍ତବ୍ୟ, ଆଦର୍ଶବୋଧର ପୀଠସ୍ଥଳୀ ଥିଲା ଗାଁ । ଗ୍ରାମ୍ୟଜୀବନ ସରଳ ଓ ନିଷ୍କପଟ, ଗ୍ରାମବାସୀଗଣ ସରଳ ଭାବରେ ଜୀବନ ବଞ୍ଚୁଥିଲେ । ଅଧିକାଂଶ ଗ୍ରାମବାସୀ କୃଷିଉପରେ ନିର୍ଭରଶୀଳ । ସେମାନଙ୍କ ମଧ୍ୟରୁ କେତେକ ଥିଲେ ଶିଳ୍ପୀ ଓ କାରିଗର । ସମସ୍ତେ ନିଜ ନିଜର କୌଳିକ ବୃତ୍ତିକୁ ଅନୁସରଣ କରୁଥିଲେ । ଜୀବିକା ଅର୍ଜନ ତଥା ପେଟପାଟଣା ପାଇଁ ସେମାନେ ଅନ୍ୟ କାହାର ଅଧୀନ ନଥିଲେ । ଜୀବନ ଧାରଣ ପାଇଁ ସର୍ବନିମ୍ନ ଆବଶ୍ୟକ ଯଥା- ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଉପକରଣ ତାହା ହିଁ ଥିଲା ସେମାଙ୍କର ଉତ୍ପାଦନ । ଏସବୁ ସତ୍ତ୍ୱେ ପରିବାରରେ ପରସ୍ପରର ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଥିଲା । ଗାଁ ପରିବେଶକୁ କେନ୍ଦ୍ରକରି ରଚିତ ସାହିତ୍ୟ ସମାଜରେ ସଂସ୍କାର ଆଣିବାରେ ମୁଖ୍ୟ ଭୂମିକା ତୁଲାଉଥିଲା । କିନ୍ତୁ ସମୟର ପରିବର୍ତ୍ତନ ସଙ୍ଗେ ମଣିଷ ମାନସିକତାର ହେଲା ପରିବର୍ତ୍ତନ । ତେଣୁ ଏହି ପରିବର୍ତ୍ତନଶୀଳ ସାମାଜିକ ଜୀବନରେ ମଣିଷ ବର୍ତ୍ତମାନ ଗ୍ରାମାଞ୍ଚଳରୁ ସହରାଭିମୁଖୀ ହେଉଛି ।
ଅଧୁନା ମଣିଷ ଆଧୁନିକ ଜୀବନଯାପନ ଶୈଳୀ ଦ୍ୱାରା ଆକର୍ଷିତ ହୋଇ ସହର ପ୍ରତି ଆକୃଷ୍ଟ ହେଉଛି । ଆଧୁନିକ ଜୀବନଯାପନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଗ୍ରାମାଞ୍ଚଳରେ ମିଳୁ ନଥିବାରୁ ଗାଁ ମଣିଷଟି ନିଜ ଭିଟାମାଟି ଛାଡ଼ି ସହର ଚାଲିଯାଉଛି । ଏହାର କାରଣ ଗ୍ରାମାଞ୍ଚଳରେ କୃଷିଭିତ୍ତିକ କର୍ମ ଛଡ଼ା ଅନ୍ୟ କୌଣସି କର୍ମ ସଂସ୍ଥାନର ସୁବିଧା ନଥାଏ । ମାତ୍ର ସହରାଞ୍ଚଳରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର, ଶିଳ୍ପ ସଂସ୍ଥାମାନଙ୍କରେ କର୍ମ ନିଯୁକ୍ତିର ସୁବିଧା ଥାଏ । ତେଣୁ କୃଷିକର୍ମ ପ୍ରତି ବିମୁଖ ଓ ସହରର ଚାକଚକ୍ୟ ପ୍ରତି ଆକୃଷ୍ଟ ହୋଇ କର୍ମସଂସ୍ଥାନ ପାଇଁ ସହରକୁ ଚାଲିଆସୁଛି । ସେହିପରି ଉଚ୍ଚଶିକ୍ଷା ଆଶାରେ ଗାଁର ଯୁବକଯୁବତୀ ସହରକୁ ଆସିଥାନ୍ତି । ଏହାଦ୍ୱାରା ସେମାନେ ଶିକ୍ଷିତ, ରୋଜଗାରକ୍ଷମ ଓ ପ୍ରତିଷ୍ଠିତ ହୁଅନ୍ତି ସତ; ମାତ୍ର ଗାଁ ପ୍ରତି ଥିବା ମୋହକୁ ପାଶୋରିଯାଆନ୍ତି । ତେବେ ଜଗତୀକରଣ ପରିପ୍ରେକ୍ଷୀରେ ବଜାରକୈନ୍ଦି୍ରକ ବ୍ୟବସ୍ଥାଟି ଅଧିକ ଗୁରୁତ୍ୱ ପାଇଲା । ଫଳରେ ସହରରେ ଉପଲବ୍ଧ ସମସ୍ତ ଦ୍ରବ୍ୟ ସହଜରେ ଗ୍ରାମମାନଙ୍କରେ ପହଞ୍ଚାଇଲା । ଧୀରେ ଧୀରେ ଗାଁ ରୂପ ମଧ୍ୟ ପରିବର୍ତ୍ତନ ହେବାକୁ ଆରମ୍ଭକଲା । ଜଗତୀକରଣ ଆଗମନ ଫଳରେ ଖାଦ୍ୟପେୟ ପୋଷାକ ପରିଚ୍ଛଦଠୁ ଆରମ୍ଭ କରି ପର୍ବପର୍ବାଣି ସବୁକ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖାଦେଲା । ସମ୍ପ୍ରତି ଗାଁଗୁଡ଼ିକରେ ମଧ୍ୟ ସହର ପରି ସମସ୍ତ ସୁବିଧା ଉପଲବ୍ଧ ହେଉଛି ।
ଜଗତୀକରଣର ପ୍ରଭାବ ଫଳରେ ଶାନ୍ତ ସ୍ନିଗ୍୍ଧ ଗ୍ରାମ୍ୟ ପରିବେଶ କିପରି ଧୀରେ ଧୀରେ ପରିବର୍ତ୍ତିତ ହେଉଛି ତା’ର ଆଭାସ ଓ ରୂପକୁ ଗାଳ୍ପିକମାନେ ନିଜ ନିଜ ରଚନାରେ ସ୍ଥାନିତ କରୁଛନ୍ତି । ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ‘ହାଡ଼ିକାଠ’ ଗଳ୍ପରେ ଗ୍ରାମୀଣ ଜୀବନ ଉପରେ ସହରୀ ଜୀବନର ପ୍ରଭାବ ତଥା ରାଜନୀତିର ପ୍ରବେଶ ଦ୍ୱାରା ଗାଁ ପରିବେଶ କିପରି କଳୁଷିତ ହୋଇପଡ଼ିଛି ତା’ର ଚିତ୍ର ପରିଲକ୍ଷିତ । ଗଳ୍ପରେ ଗଳ୍ପନାୟକର ପିତା ନିଜ ରକ୍ଷିତା କରୁଣା ବୁଢ଼ୀ ନାଁରେ ସମସ୍ତ ପୈତୃକ ସମ୍ପତ୍ତି କରିଦିଏ । ପରବର୍ତ୍ତୀ ସମୟରେ କରୁଣାବୁଢ଼ୀ ସେ ଜମିକୁ ବିକିବାକୁ ଗଲାବେଳେ ଗଳ୍ପନାୟକ ନିଜର ଅଧିକାରକୁ ନେଇ କୋର୍ଟରେ ଲଢ଼େ । ଅନ୍ୟପଟେ କରୁଣା ବୁଢ଼ୀ ବୃଦ୍ଧ ହୋଇଯାଇ ଥିବାରୁ ଗାଁର କେତେକ ଟାଉଟର ଗୋଷ୍ଠୀର ଲୋକ ଉକ୍ତ ଜମିକୁ ହାତେଇବା ପାଇଁ ଷଡ଼ଯନ୍ତ୍ର କରନ୍ତି । ଗଳ୍ପନାୟକ ପିଅନ ଚାକିରି କରିଥିବାରୁ ତା’ପରିବାରର ଅଭାବବୋଧ, ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତତା ଆଦି ଯୋଗୁଁ ଗାଁର ଅପରିପକ୍ୱ ରାଜନୀତିର ଶିକାର ହୁଏ ନିଜେ ଗଳ୍ପନାୟକ । ତେବେ ଗାଁ ଟାଉଟରୀ ରାଜନୀତି, ସେହି ରାଜନୀତିକୁ ନେଇ ସାଧାରଣ କର୍ମଚାରୀଙ୍କର ଚାକିରି ଯିବା ଭୟ, ଟଙ୍କା ଆତ୍ମସାତ୍ କରିବାର ମିଛ ଆଶ୍ୱାସନାକାରୀ ପ୍ରଳାପ ତଥା ନାରୀପ୍ରତି କାମାସକ୍ତ ଭାବ କିପରି ଗାଁର ପରିବେଶକୁ ଦୂଷିତ କରୁଛି ତାହା ଉକ୍ତ ଗଳ୍ପରେ ପ୍ରତିଫଳିତ ।
ଆଧୁନିକ ଜୀବନଶୈଳୀ ପ୍ରତି ଆସକ୍ତ ହୋଇ ମଣିଷ କ୍ରମେ କ୍ରମେ ସହରୀ ସଭ୍ୟତା ଆଡ଼କୁ ଅଗ୍ରସର ହେଲେ ହେଁ ଗ୍ରାମ୍ୟ ପରିବେଶରେ ସହରୀ ସଭ୍ୟତାର ସମସ୍ତ ସୁବିଧାସୁଯୋଗ ପାଇବାକୁ ଅଧିକ ଆଗ୍ରହୀ ହୋଇଛି । ଫଳରେ ଗ୍ରାମ୍ୟ ପରିବେଶରେ ସହରୀ ସଭ୍ୟତାର ଅନୁପ୍ରବେଶ ଦେଖିବାକୁ ମିଳୁଛି । ଗାଳ୍ପିକ ଗୌରହରି ଦାସଙ୍କ ‘ଆକାଶ ଦିନେ ନୀଳ ଥିଲା’ ଗଳ୍ପରେ ଗ୍ରାମ୍ୟ ପରିବେଶରେ ସଙ୍ଗଠିତ ପରିବର୍ତ୍ତନତାର ପ୍ରସଙ୍ଗ ବର୍ଣ୍ଣିତ । ଯଥା- “ଇଏ ତ ଗୋଟେ ‘ମଲ୍’ ନୁହେଁ, ଗୋଟେ ବଜାର । ବାପା କହୁଥିଲେ ‘ବଟର ଫ୍ଲାଇ’ ମଲ୍ ରେ କେଉଁ ଜିନିଷ ମିଳିବ ନାହିଁ, ଏମିତି କଥା ନାହିଁ । ଛୁଞ୍ଚିସୂତାଠାରୁ ଆରମ୍ଭ କରି ମୋଟର, କାର୍, ସୁନା ଗହଣା ଏବଂ ଶାଗ ଓ ପନିପରିବା ପର୍ଯ୍ୟନ୍ତ ସବୁ ଏଠି ମିଳେ ।” (ଗୌରହରି ଦାସ, ଆକାଶ ଦିନେ ନୀଳ ଥିଲା, ୨୦୧୧, ପୃ-୧୮୬) ତେବେ ଜଗତୀକରଣ ଆଗମନ ଫଳରେ କିପରି ବହୁ ଦେଶ ବିଦେଶର ଦ୍ରବ୍ୟ ଗ୍ରାମରେ ଉପଲବ୍ଧ ହୋଇପାରୁଛି ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ଏହି ଗଳ୍ପ ।
ସହରୀ ସଭ୍ୟତାର ସଂସ୍ପର୍ଶରେ ଗ୍ରାମୀଣ ପରିବେଶର ଅଗ୍ରଗତି ହେବା ତଥା ଗାଁର ପ୍ରାଚୀନ ଦୃଶ୍ୟପଟ୍ଟ ବଦଳି ଆଧୁନିକୀକରଣ ହେବାର ବହୁ ଦୃଷ୍ଟାନ୍ତ ସମ୍ପ୍ରତି ଓଡ଼ିଆ କ୍ଷୁଦ୍ରଗଳ୍ପଗୁଡ଼ିକରେ ଦେଖିବାକୁ ମିଳୁଛି । ଗାଳ୍ପିକ ଆଶୁତୋଷ ଜେନାଙ୍କ ‘ଗତି’ ଗଳ୍ପରେ ପରିବର୍ତ୍ତିତ ସମୟ ଓ ଗ୍ରାମୀଣ ପରିବେଶର ଏକ ତୁଳନାତ୍ମକ ଚିତ୍ର ପରିଲକ୍ଷିତ । ଯାହା ଗଳ୍ପରେ ଏହିପରି ବର୍ଣ୍ଣିତ – “ଗାଁ ଦାଣ୍ଡସାରା ବାଲିକୁ ସମାଧି କରିଥିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ସଡ଼କ ଯୋଜନାମାନ । ତେଣୁ ଏବେ ଗାଁ ଦାଣ୍ଡସାରା କଂକି୍ରଟ୍ । ଅନେକ ଚାଳଘର ଜାଗାରେ ମୁଣ୍ଡ ଟେକିଥିଲା ଇନ୍ଦିରା ଆବାସ । ଗଛଲତାର ପରିପୂର୍ଣ୍ଣ ମୋ ଗାଁର ସେତେବେଳର ଭୌଗୋଳିକ ମାନଚିତ୍ର ଆଉ ନଥିଲା, ସେତେବେଳର ଅନୁନ୍ନତ ଗାଁ ଆଦି ଅନେକ ବିକଶିତ ହୋଇ ସାରିଥିଲା ।” (ଆଶୁତୋଷ ଜେନା, ସ୍ୱପ୍ନର ମାନଚିତ୍ର, ୨୦୧୭, ପୃ.୮୩) ଗଳ୍ପରେ ଗାଁ ପରିବେଶ କିପରି ଧୀରେ ଧୀରେ ବଦଳି ଚାଲିଛି ଏବଂ ବିଭିନ୍ନ ସରକାରୀ ଯୋଜନାରେ ଗାଉଁଲୀ ଜୀବନ କିପରି ବନ୍ଧା ତାହା ଏଥିରୁ ସୁସ୍ପଷ୍ଟ ।
ଦିନେ କୃଷିଥିଲା ଗାଁର ମେରୁଦଣ୍ଡ । ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଗାଁ ମଣିଷଟି ଚାଷକୁ ହିଁ ଭରସା କରି ବଞ୍ଚୁଥିଲା । କିନ୍ତୁ ଆଜି ସେହି ଗାଁ ମଣିଷଟି ଯେତେବେଳେ ଶିକ୍ଷିତ ହେଇଛି ସେତେବେଳେ ସେ ପୁରୁଷାନୁକ୍ରମିକ କୃଷିବୃତ୍ତି ଆପଣେଇବାକୁ ଲଜ୍ଜା ମନେ କରୁଛି । ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ‘ନିଜ ସହ ଭେଟ’ ଗଳ୍ପରେ ସ୍ଥାନିତ ସାକାର ସାହୁ ଚରିତ୍ର ମାଧ୍ୟମରେ କୌଳିକ ବୃତ୍ତିକୁ ନେଇ ଶିକ୍ଷିତ ଯୁବ ସମ୍ପ୍ରଦାୟଙ୍କ ମନରେ ଦେଖା ଦେଉଥିବା ହୀନମନ୍ୟତା ପ୍ରକାଶିତ । ଯାହା ଗଳ୍ପରେ ଗାଳ୍ପିକଙ୍କ ବର୍ଣ୍ଣନା ଏହିପରି – “କୌଳିକ ବୃତ୍ତି କେବଳ ମୂର୍ଖମାନେ କରନ୍ତି ବୋଲି ସିଏ ପଢ଼ିଥିବା ଇଂରାଜୀ ବହିମାନଙ୍କରେ ଲେଖା ହୋଇଅଛି ।” (ସଦାନନ୍ଦ ତ୍ରିପାଠୀ, ଅନ୍ୟଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ, ପୃ-୭୩) କୌଳିକ ବୃତ୍ତିକୁ ନେଇ ଗାଁର ଶିକ୍ଷିତ ଯୁଗ ସମ୍ପ୍ରଦାୟର ମାନସିକ ପରିବର୍ତ୍ତନରେ ଯେଉଁ ହୀନମନ୍ୟତା ସୃଷ୍ଟି ହେଉଛି ତାହା ଆଲୋଚ୍ୟ ଗଳ୍ପରେ ଦେଖିବାକୁ ମିଳେ । ଜଗତୀକରଣ ବଜାରରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧି ହେବା ଫଳରେ ଗାଁ ମଣିଷଟି ମଧ୍ୟ ସେସବୁର ଲାଭବାନ ହେବାକୁ ଚାହୁଁଛି । ଚାକିରି ସର୍ବସ୍ୱ ଜୀବନର ପରିଧି ମଧ୍ୟରେ ନିଜକୁ ସୀମିତ ରଖିବାକୁ ଇଚ୍ଛା କରୁଛି ଆଜିର ଶିକ୍ଷିତ ଯୁବ ସମାଜ । ଯାହାଫଳରେ କୌଳିକବୃତ୍ତିର ଅବକ୍ଷୟର ରୂପ ସ୍ଥାନିତ ହେଉଛି ଓଡ଼ିଆ କ୍ଷୁଦ୍ରଗଳ୍ପରେ ।
ଅନୁରୂପ ଭାବେ ଗାଳ୍ପିକ ମଳୟ ମିଶ୍ରଙ୍କ ‘ଖେଳଣା ସମୁଦ୍ର ଓ ଜୀଅନ୍ତା ସୁନା ମାଛ’ ଗଳ୍ପରେ ପରିବର୍ତ୍ତିତ ଗାଁର ଚିତ୍ର ଓ ସହରୀ ଚଳଣିର ପ୍ରଭାବ ଲକ୍ଷ୍ୟ କରାଯାଏ । ଗଳ୍ପ ନାୟକ ସହରର ଆଧୁନିକ ପରିପାଟୀ ଜୀବନ ଭିତରେ ଅଣନିଃଶ୍ୱାସୀ ହୋଇ ଗାଁକୁ ଫେରିଛି । କିନ୍ତୁ ନିଜ ବାପା ମୁଖରୁ ଶୁଣିଛି ଯେ – “ତୁ ଯୋଉ ଗ୍ରାମ୍ୟ ସରଳତା କଥା ଭାବୁଛୁ ବୁନୁ, ସେ କଥା କ’ଣ ଆଉ ଏଠି ଅଛି? ଇଏତ ଅଧା ଗାଁ, ଅଧା ସହରରେ ନବଗୁଞ୍ଜର । ଦେଖୁନୁ ଚାଳଛପର ଉପରେ ଟିଭି ଆଣ୍ଟିନା, ଗାଁ ବରଗଛ ତଳମାନ ଗୁମୁଟିରେ କୋଲଡି୍ରଙ୍କ୍ ଗୁଟ୍ଖା । ସରକାରଙ୍କ ଯୋଜନା ସବୁ ବି ସହରୀ ପ୍ଲାନରେ । ଲୋକେ ଚାହୁଁଛନ୍ତି ସେଇଆ । ଏବେତ ଗାଁ ଗାଁରେ ଟାଉଟରୀ ଗୋଷ୍ଠୀ ଦଳଦଳ, ମାଡ଼ପିଟ୍, ଛାଇ ମଡ଼ାମଡ଼ି ନାଇଁ ପଡ଼ୋଶୀ ଭିତରେ । ଦିଟା ଦିନରେ ତୋ ମନ ଛାଡ଼ିଯିବ ଏଠି ।” (ମଳୟ ମିଶ୍ର, ଖେଳଣା ସମୁଦ୍ର ଓ ଜୀଅନ୍ତା ସୁନାମାଛ, ୨୦୧୧, ପୃ.୧୫) ଗାଁ ଭିତରେ ସହରୀ ସଭ୍ୟତାର ଛାପ କିପରି ପଡୁଛି ଏବଂ ଗ୍ରାମ୍ୟମଣିଷର ଜୀବନ ବଞ୍ଚିବାର ଶୈଳୀ କିପରି ପରିବର୍ତ୍ତିତ ହେଉଛି ତାହା ଉକ୍ତ ଗଳ୍ପରେ ବର୍ଣ୍ଣିତ ।
ବାସ୍ତବିକ ସାମ୍ପ୍ରତିକ ଜୀବନ ଧାରାରେ ଗାଁ କିପରି ଅବହେଳିତ ହୋଇପଡ଼ିଛି ତା’ର ମାର୍ମିକ ଚିତ୍ର ଉପରୋକ୍ତ ଗଳ୍ପଗୁଡ଼ିକରୁ ସୁସ୍ପଷ୍ଟ । ଜଗତୀକରଣ ବଜାରରେ ବର୍ତ୍ତମାନ ଗାଁରେ ମଧ୍ୟ ସହର ପରି ସମସ୍ତ ସୁବିଧା ଉପଲବ୍ଧ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର ପାଇଁ ଉନ୍ନତ ଯୋଜନାମାନ କରାଯାଉଛି । ଏଥିସହିତ ଗମନାଗମନ ଯୋଗାଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଅପରପକ୍ଷରେ ଶାନ୍ତ ସ୍ନିଗଧ ଗ୍ରାମ ପରିବେଶ ଧୀରେ ଧୀରେ ଲୋପ ପାଇଯାଉଛି । ତା’ଛଡ଼ା ଗ୍ରାମ୍ୟଜୀବନ ଓ ପରିବେଶ ଭିତରେ ସହରୀ ସଭ୍ୟତାର ଛିଟା ଜନସମାଜ ଉପରେ ଗଭୀର ପ୍ରଭାବ ପକାଇଛି କହିଲେ ଭୁଲ ହେବ ନାହିଁ । ତେଣୁ ସାମ୍ପ୍ରତିକ ସମୟରେ ଗ୍ରାମ୍ୟ ପରିବେଶ ଶୃଙ୍ଖଳାର ସୁରକ୍ଷା ନିମିତ୍ତ ପ୍ରୟାସ ନିତାନ୍ତ ଜରୁରୀ, ଯାହା ଆଲୋଚ୍ୟ କ୍ଷୁଦ୍ରଗଳ୍ପ ମାଧ୍ୟମରେ ଜନସମାଜ ପ୍ରତି ଏକ ଆହ୍ୱାନ ରହିଛି ।
ସହାୟକ ଗ୍ରନ୍ଥସୂଚୀ:
୧. ପାଢ଼ୀ, ବୈଦ୍ୟନାଥ; ଜଗତୀକରଣ ଓ ପରିବେଶ, କଟକ, ଓଡ଼ିଶା ବୁକ୍ଷ୍ଟୋର, ୨୦୧୧
୨. ପାଣିଗ୍ରାହୀ, ପବିତ୍ର; ଜଗତୀକରଣ ଓ ଓଡ଼ିଆ ଗଳ୍ପ, ଟାଇମ୍ପାସ୍, ଭୁବନେଶ୍ୱର, ୨୦୧୩
୩. ମହାନ୍ତି, ରଜନୀକାନ୍ତ; ଶତାବ୍ଦୀପୁରୁଷ, ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ, ୧୯୮୧,
୪. ଦାସ, ଗୌରହରି; ଆକାଶ ଦିନେ ନୀଳଥିଲା, କଟକ, ଷ୍ଟୁଡ଼େଣ୍ଟସ୍ ଷ୍ଟୋର, ବାଲୁବଜାର, କଟକ, ୨୦୧୧
୫. ଜେନା, ଆଶୁତୋଷ; ସ୍ୱପ୍ନର ମାନଚିତ୍ର, ପଶ୍ଚିମା ପବ୍ଲିକେଶସନ୍ସ, ଭୁବନେଶ୍ୱର, ୨୦୧୭
୬. ତି୍ରପାଠୀ, ସଦାନନ୍ଦ; ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ଯୁପରେ, ଶ୍ରେଷ୍ଠଗଳ୍ପ ପ୍ରକାଶନୀ, ରାଉରକେଲା, ୧୯୯୮
୭.ମିଶ୍ର, ପ୍ରଳୟ; ଖେଳଣା ସମୁଦ୍ର ଓ ଜୀଅନ୍ତା ସୁନା ମାଛ, ଦୃଷ୍ଟିପାତ ପ୍ରକାଶନ, ଭୁବନେଶ୍ୱର, ୨୦୧୧
ସ୍ୱପ୍ନାରାଣୀ ଜେନା
ଡ. ହେମଲତା ବେହେରା
ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ , ଫକୀରମୋହନ ବିଶ୍ୱବିଦ୍ୟାଳୟ
Comments
0 comments