ମତୁଆଲା ମୌସୁମୀ: ବଦଳୁଛି ବର୍ଷା

12 Views
24 Min Read

ବର୍ଷାର ବିରୋଧାଭାବ
ଭାରତର ମୌସୁମୀ ପ୍ରବାହ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି । ମାନବକୃତ କାରଣରୁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି । ମୌସୁମୀ ପ୍ରବାହର ଧାରା ବିଭିନ୍ନ ପ୍ରକାରର ଜଳବାୟୁ କାରକଗୁଡ଼ିକ ଦ୍ୱାରା ପ୍ରଭାବିତ । ଯଦି ଏହି ଧାରା ଅପରିବର୍ତ୍ତିତ ରୁହେ, ତେବେ ଆଗାମୀ ଦିନରେ ମୌସୁମୀ ପ୍ରବାହରେ ଘଟୁଥିବା ଏହି ପରିବର୍ତ୍ତନ ସମଗ୍ର ଦେଶର କୃଷି, ଜଳସମ୍ପଦ ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ଗଭୀର ଭାବେ ପ୍ରଭାବିତ କରିବ ।
ସରକାରୀ ରିପୋର୍ଟ ଅନୁଯାୟୀ ୧୯୦୧ରୁ ୨୦୧୮ ପର୍ଯ୍ୟନ୍ତ ଅବଧିରେ ଭାରତୀୟ ଭୂ-ଭାଗର ପୃଷ୍ଠବାୟୁର ତାପମାତ୍ରା ପ୍ରାୟ ୦.୭ ଡିଗ୍ରି ସେଣ୍ଟିଗ୍ରେଡ୍ ବୃଦ୍ଧି ପାଇଥିଲା । ଅନ୍ୟ ପକ୍ଷରେ ଉଷ୍ଣକୀଟବନ୍ଧୀୟ ଅଞ୍ଚଳରେ ଅବସ୍ଥିତ ଭାରତ ମହାସାଗର ସମୁଦ୍ରପୃଷ୍ଠର ତାପମାତ୍ରା ୧୯୫୧ରୁ ୨୦୧୫ ମସିହା ମଧ୍ୟରେ ପ୍ରାୟ ୧ଡିଗ୍ରି ସେଣ୍ଟିଗ୍ରେଡ୍ ବୃଦ୍ଧି ପାଇଥିଲା । ଯେହେତୁ ଉଷ୍ଣବାୟୁ ଅଧିକ ଜଳୀୟ ବାଷ୍ପ ଧରି ରଖିପାରେ (ପ୍ରତ୍ୟେକ ୧ ଡିଗ୍ରି ସେଣ୍ଟିଗ୍ରେଡ୍ ପାଇଁ ପ୍ରାୟ ୭% ଅଧିକ), ଏହା ଅଧିକ ବର୍ଷାର କାରଣ ହୋଇଥାଏ ।
ଆଞ୍ଚଳିକ ସ୍ତରରେ ବର୍ଷାର ଧାରା ଏବେ ଏକ ବିରୋଧାଭାବ ପ୍ରକାଶ କରୁଛି । ୧୯୫୦ ମସିହା ପରଠାରୁ ଉତ୍ତର ଭାରତରେ ମଇ ମାସର ବର୍ଷାର ପରିମାଣ ପ୍ରାୟ ୫୦% ବୃଦ୍ଧି ପାଇଛି । ଏହା ଫଳରେ ଆର୍ଦ୍ର ପ୍ରାକ୍-ମୌସୁମୀ ଅବଧିକୁ ଦୀର୍ଘତର ହୋଇଛି, କିନ୍ତୁ ପ୍ରମୁଖ ମୌସୁମୀ ଋତୁ (ଜୁନ୍ରୁ ସେପ୍ଟେମ୍ବର) ଅପେକ୍ଷାକୃତ ଭାବେ ଦୁର୍ବଳ ହେଉଛି । ଏହି ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁଁ ସାମଗ୍ରିକ ବର୍ଷାର ପରିମାଣ ହ୍ରାସ ପାଉଛି ।
ଭାରତୀୟ ପାଣିପାଗ ବିଭାଗ ଅଧ୍ୟୟନରୁ ଜଣାପଡ଼ିଛି ବିଗତ ୫୦ବର୍ଷ ମଧ୍ୟରେ ଋତୁକାଳୀନ ବର୍ଷାର ପରିମାଣ ୬% ହ୍ରାସ ପାଇଥିବାବେଳେ ଅତି ପ୍ରବଳ ବର୍ଷା (ଦୈନିକ ୧୫୦ ମିଲିମିଟରରୁ ଅଧିକ ବର୍ଷା) ହେଉଥିବା ଦିନଗୁଡ଼ିକର ସଂଖ୍ୟା ପ୍ରାୟ ୭୫% ବୃଦ୍ଧି ପାଇଛି । ମଧ୍ୟ-ଭାରତରେ ମଧ୍ୟମ ଧରଣର ବର୍ଷା ହେଉଥିବା ଦିନସଂଖ୍ୟା କମିଯାଉଛି । ବର୍ଷା ବିତ୍ପାତ ଘଟଣାଗୁଡ଼ିକ ଅଧିକ ଘନ ଘନ ଘଟୁଛି ।
ଅଧିକ ବିସ୍ତାରିତ ସ୍ତରରେ ବିବେଚନା କରାଗଲେ ଆମେ ସ୍ପଷ୍ଟ ବୁଝିପାରିବା ଗତ ଦଶନ୍ଧିରେ ଭାରତର ୫୫% ତହସିଲ ବା ଉପ-ଜିଲ୍ଲାରେ ମୌସୁମୀ ବର୍ଷା ବୃଦ୍ଧି ଘଟିଛି, ଯାହାକି ଅଳ୍ପ ସମୟ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୋଇଛି । ଅନ୍ୟପକ୍ଷରେ ଦେଶର ୧୧% ତହସିଲରେ, ବିଶେଷ କରି କୃଷି ଉପରେ ନିର୍ଭରଶୀଳ ସୈନ୍ଧବ-ଗାଙ୍ଗେୟ ସମତଳ ଅଞ୍ଚଳରେ ମୌସୁମୀ ବର୍ଷା ହ୍ରାସ ପାଇଛି । ଏହା ବ୍ୟତୀତ, ଶକ୍ତି, ପରିବେଶ ଓ ଜଳ ପରିଷଦ (ସି.ଇ.ଇ.ଡବ୍ଲ୍ୟୁ.)ର ରିପୋର୍ଟ ମୁତାବକ ଦେଶର ପ୍ରାୟ ୪୮% ତହସିଲରେ ଅକ୍ଟୋବର ମାସରେ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି, ଯାହା ମୌସୁମୀର ବିଳମ୍ବିତ ପ୍ରତ୍ୟାହାରକୁ ସୂଚାଉଛି ।
ଅମାନିଆ ମୌସୁମୀ
ସି.ଇ.ଇ.ଡବ୍ଲ୍ୟୁ.ର ରିପୋର୍ଟ ମୁତାବକ ଭାରତୀୟ ମୌସୁମୀର ସ୍ୱାଭାବିକ ପରିବର୍ତ୍ତନଶୀଳତା ଜଳବାୟୁ ପରିବର୍ତ୍ତନଦ୍ୱାରା ଆହୁରି ବେଶି ପ୍ରଭାବିତ ହୋଇଛି । ଗତ ଦଶନ୍ଧିରେ ଉତ୍ତର-ପୂର୍ବ ଭାରତ, ସୌନ୍ଧବ-ଗାଙ୍ଗେୟ ସମତଳ ଅଞ୍ଚଳ, ଭାରତୀୟ ହିମାଳୟ କ୍ଷେତ୍ରପରି ପାରମ୍ପରିକ ଭାବେ ମୌସୁମୀ ସମୃଦ୍ଧ ଅଞ୍ଚଳରେ ମୌସୁମୀ ହ୍ରାସ ପାଇଛି । ଏହାର ବିପରୀତ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ତାମିଲନାଡୁ ପରି ପାରମ୍ପରିକ ଭାବେ ଶୁଷ୍କ ଅଞ୍ଚଳଗୁଡ଼ିକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ୱାରା ବୃଷ୍ଟିପାତ ବୃଦ୍ଧି ପାଇଛି । ତାମିଲନାଡୁ, ପୂର୍ବ ଉପକୂଳର ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଏବଂ ପଶ୍ଚିମ ଉପକୂଳର ମହାରାଷ୍ଟ୍ର ଓ ଗୋଆ ପରି ରାଜ୍ୟଗୁଡ଼ିକରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ତୀବ୍ରତର ହୋଇଛି, ଯାହାକି ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ହେଉଥିବା ଅଧିକ ବୃଷ୍ଟିପାତରୁ ପରିଲକ୍ଷିତ ହୋଇଛି ।
ବଦଳୁଛି ମୌସୁମୀର ମନ
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାରଣଗୁଡ଼ିକ ଯୋଗୁଁ ଭାରତର ମୌସୁମୀ କ୍ରମାଗତ ଭାବେ ଅଧିକରୁ ଅଧିକ ଅନିଶ୍ଚିତ ହେବାରେ ଲାଗିଛି । ଆଜିକାଲି ବୃଷ୍ଟିପାତ ଅଧିକ ଅନିୟମିତ ହେଉଛି, ପ୍ରବଳ ବର୍ଷା ପରେ ବୃଷ୍ଟିହୀନତା ଜାରି ରହୁଛି ଏବଂ ପ୍ରାୟତଃ ମୌସୁମୀ ଆସିବାରେ ବିଳମ୍ବ ଘଟୁଛି । କେତେକ ଅଞ୍ଚଳରେ ଚଳିତବର୍ଷ ପରି ମୌସୁମୀ ଶୀଘ୍ର ଆସି ମାତ୍ର କିଛିଦିନର ବ୍ୟବଧାନରେ ଉଭେଇ ଯାଉଛି । ଗଜାମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରି ଏହା କୃଷିକୁ ଘୋର ପ୍ରଭାବିତ କରୁଛି । ଅର୍ଥାତ୍ କେତେକ ଅଞ୍ଚଳ ମରୁଡ଼ି ପରି ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ଅନ୍ୟ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହେଉଛି । ଏଥିପାଇଁ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହା ବ୍ୟତୀତ ଭାରତ ମହାସାଗରର ଉତ୍ତପ୍ତିକରଣ, ବୈଶ୍ୱିକ ସ୍ତରରେ ବାୟୁମଣ୍ଡଳରେ ହେଉଥିବା ପରିବର୍ତ୍ତନ ଏବଂ ସହରୀକରଣ ମୌସୁମୀର ଆଚରଣକୁ ପରିବର୍ତ୍ତିତ କରି ଦେଉଛି । ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ଚଳିବା ସକାଶେ ଭାରତ ଉନ୍ନତତ୍ତର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା, ବୃକ୍ଷରୋପଣ ପରି ସତତ୍ ଭୂ-ବ୍ୟବହାର ପ୍ରଣାଳୀ ଆପଣେଇବା, ଏବଂ ଦକ୍ଷ ଜଳ ଭଣ୍ଡାରଣ ଓ ବିତରଣ ଭିତ୍ତିଭୂମିର ବିକାଶପରି ପଦକ୍ଷେପମାନ ଗ୍ରହଣ କରିବା ଆବଶ୍ୟକ । ଯାହାଦ୍ୱାରା ବୃଷ୍ଟିପାତରେ ତାରତମ୍ୟର ପରିଚାଳନା କରିହେବ ଏବଂ ଦୀର୍ଘକାଳୀନ ଭିତ୍ତିରେ ପରିସ୍ଥିତି ସହ ଖାପ ଖୁଆଇ ଚଳିହେବ ।
ମୌସୁମୀ ବାୟୁର ବ୍ୟତିକ୍ରମ
ଭାରତର ଜୀବନରେଖା ଭାବେ ପରିଚିତ ମୌସୁମୀ ବାୟୁ କ୍ରମାଗତ ଭାବେ ଅଧିକ ଅନିୟମିତ ହେବାରେ ଲାଗିଛି । ପାରମ୍ପରିକଭାବେ ଋତୁକାଳୀନ ଛନ୍ଦରେ ବନ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ମୌସୁମୀ ପ୍ରବାହର ଆରମ୍ଭ, ବୃଷ୍ଟିପାତର ବଣ୍ଟନ ଏବଂ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ପରିବର୍ତ୍ତନର ସ୍ପଷ୍ଟ ସଂକେତ ଦେଖାଉଛି । କୃଷି, ଜଳ, ନିରାପତ୍ତା ଏବଂ ଜଳବାୟୁକୁ ନେଇ ଯୋଜନା ପ୍ରସ୍ତୁତି କ୍ଷେତ୍ରରେ ଏପରି ପରିବର୍ତ୍ତନର ଗଭୀର ପ୍ରଭାବ ଭବିଷ୍ୟତ ଉପରେ ପଡ଼ିବ ।
ପାଣିପାଗ ଓ ଜଳବାୟୁ ବିଜ୍ଞାନୀ ବିଶ୍ୱାସ ଚିତାଲେ କୁହନ୍ତି, ‘ଗବେଷଣାରୁ ଏକଥା ଜଣାପଡ଼ିଛି ଭାରତର ମୌସୁମୀ ପ୍ରବାହ କେବଳ ଏହାର ଆରମ୍ଭ ଏବଂ ଅବଧିରେ ସୀମିତ ନୁହେଁ ବରଂ ବିଭିନ୍ନ ଅଞ୍ଚଳ ଓ ମାସରେ ବୃଷ୍ଟିପାତର ଆବଣ୍ଟନ କ୍ଷେତ୍ର ମଧ୍ୟରେ ଅଧିକରୁ ଅଧିକ ପରିବର୍ତ୍ତନର ସମ୍ମୁଖୀନ ହେଉଛି । ସାମ୍ପ୍ରତିକ ତଥ୍ୟ ଏହି ପରିବର୍ତ୍ତନକୁ ଆହୁରି ସ୍ପଷ୍ଟ ରୂପେ ଦର୍ଶାଉଛି । ଗତ ଦଶନ୍ଧି ମଧ୍ୟରେ ଭାରତର ୫୫% ତହସିଲରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁଜନିତ ବୃଷ୍ଟିପାତରେ ୧୦%ରୁ ଅଧିକ ବୃଦ୍ଧି ଘଟିଛି । ଅନ୍ୟ ପକ୍ଷରେ ଦେଶର ୧୧% ତହସିଲରେ ବିଶେଷ କରି ସୌନ୍ଧବ-ଗାଙ୍ଗେୟ ସମତଳ ଅଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ହିମାଳୟ କ୍ଷେତ୍ର ପରି ଗୁରୁତ୍ୱପୂର୍ଣ୍ଣ କୃଷି ଅଞ୍ଚଳଗୁଡ଼ିକରେ ବୃଷ୍ଟିପାତ ହ୍ରାସ ପାଇଛି । ତେବେ, ବୃଷ୍ଟିପାତର ହ୍ରାସ ମଧ୍ୟରୁ ୮୭% କେବଳ ଜୁନ୍ ଓ ଜୁଲାଇ ମାସରେ ଘଟିଛି ଯାହାକି ଧାନ, ମକା ଓ ଡାଲି ଭଳି ଖରିଫ୍ ଫସଲ ବୁଣା ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ।’
ଭାରତର ୬୪% ତହସିଲରେ ତୀବ୍ର ବୃଷ୍ଟିପାତ ଦିନସଂଖ୍ୟା ବୃଦ୍ଧି ପାଇଥିବାର ରିପୋର୍ଟ କରାଯାଇଛି । ଏଗୁଡ଼ିକ ମଧ୍ୟରୁ ପ୍ରାୟ ଅଦେ୍ର୍ଧକ ତହସିଲରେ ଅକ୍ଟୋବର ମାସର ବୃଷ୍ଟିପାତ ୧୦% ବା ତା’ଠାରୁ ଅଧିକ ବୃଦ୍ଧି ପାଇଛି, ଯାହାର ଅର୍ଥ ହେଲା ମୌସୁମୀ ପ୍ରବାହର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ । ଏହିସବୁ ପରିବର୍ତ୍ତନ ଯୋଗୁଁ ଫସଲ ବୁଣା ଓ ଅମଳର ଚକ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି । ଏହା ମଧ୍ୟ ଜଳ ପରିଚାଳନା, ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ଗ୍ରାମୀଣ ଜୀବିକାକୁ ଚାପଗ୍ରସ୍ତ କରିଛି ।
ବିଶ୍ୱାସ ଚିତାଲେ ସତର୍କ କରାଇ କହିଛନ୍ତି, ‘ସଂଘଟିତ ହେଉଥିବା ପରିବର୍ତ୍ତନ ପ୍ରତି କେବଳ ପ୍ରତିକ୍ରିୟା ପ୍ରକାଶ କରି ଏହା ସହ ଖାପ ଖୁଆଇ ଚଳିବାର ପ୍ରୟାସ ଯଥେଷ୍ଟ ହେବ ନାହିଁ । ଆମକୁ ସ୍ଥାନୀୟ ଭାବେ ଜଳବାୟୁ ବିପଦର ଆକଳନ, ଅଧୂନାତମ କରାଯାଇଥିବା ଫସଲ ପଞ୍ଜିକା ପ୍ରସ୍ତୁତି ଏବଂ ସ୍ଥାୟୀ ଜଳ ଓ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ପଡ଼ିବ ଯାହାକି ବୃଷ୍ଟିପାତ ବୃଦ୍ଧି ଓ ହ୍ରାସର ମୁକାବିଲା କରିପାରିବ । ପ୍ରାକ୍ ସତର୍କତା ସକାଶେ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ଜଳବାୟୁ ପ୍ରତି ସମ୍ବେଦନଶୀଳ ଭିତ୍ତିଭୂମି ନିର୍ମାଣ ବିନିଯୋଗ ଆମପାଇଁ ଆଉ ସମ୍ଭାବ୍ୟ ବିକଳ୍ପ ହୋଇ ରହିନାହିଁ, ବରଂ ଅତ୍ୟାବଶ୍ୟକ ହୋଇଯାଇଛି ।
ଭାରତର କୃଷି ରଣନୀତି ଜଳବାୟୁ ପରିବର୍ତ୍ତନ ସହଣୀ ଏବଂ ସଠିକ୍ ଯୋଜନା ପ୍ରସ୍ତୁତିକୁ ମୁଖ୍ୟ ଆଧାର କରିବା ଏକାନ୍ତ ଆବଶ୍ୟକ । ଏହାଦ୍ୱାରା କୃଷକମାନେ ଅନିଶ୍ଚିତ ବୃଷ୍ଟିପାତ ଯୋଗୁଁ ଆଉ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିବେ ନାହିଁ । ଜଳବାୟୁ ପରିବର୍ତ୍ତନ ତୀବ୍ରତର ହେଉଥିବା ପରିପ୍ରେକ୍ଷୀରେ ମୌସୁମୀର ପରିବର୍ତ୍ତନ ଆଉ ଅସଙ୍ଗତି ହୋଇ ରହିନାହିଁ, ବରଂ ଏହା ହିଁ ହେଉଛି ନୂତନ ଧାରା ଓ ମାନଦଣ୍ଡ । ଏଥିପାଇଁ ପ୍ରସ୍ତୁତ ହେବାର ଅର୍ଥ ହେଉଛି ତଥ୍ୟ ଆଧାରିତ ହୋଇ ଅଧିକ ତଥ୍ୟ ସଂଗ୍ରହ କରିବା, ବିକେନ୍ଦ୍ରୀତ ଯୋଜନା ପ୍ରସ୍ତୁତ କରିବା ସଙ୍ଗେସଙ୍ଗେ ଆମକୁ ଆମର ଚାଷ ପ୍ରଣାଳୀ, ଜଳ ସଂରକ୍ଷଣ ତଥା ଭବିଷ୍ୟତ ପାଇଁ ଭିତ୍ତିଭୂମି ନିର୍ମାଣ ଇତ୍ୟାଦି ସମ୍ପର୍କରେ ବିଧିବଦ୍ଧଭାବେ ପୁନର୍ବିଚାର କରିବା ଜରୁରୀ ହୋଇପଡ଼ିଛି ।
ପ୍ରତିବର୍ଷ ମୌସୁମୀ ଆସିପାରେ, ମାତ୍ର ଏହା ପୂର୍ବ ପରି ସମାନ ଧାରାରେ ଆସି ନପାରେ । ଏବଂ ତାହା ହିଁ ସବୁକିଛିକୁ ବଦଳାଇ ଦେଇପାରେ କାରଣ ମୌସୁମୀ ବର୍ତ୍ତମାନ ମତୁଆଲା ସାଜି ବର୍ଷାର ଧାରାକୁ ବଦଳାଇ ଦେଉଛି । ଏହି ସତର୍କତା ଘଣ୍ଟିକୁ ଆମେ ବୁଝିବାର ସମୟ ଆସିଛି ।
ମେଘ ଖୋଜୁଛି ମେଘାଳୟ
ମେଘ ଖୋଜି ଖୋଜି ମରୁଛି ମେଘାଳୟ । ଚିନ୍ତାରେ ଚେରାପୁଞ୍ଜିର ଚେତାବନୀ!
ପୃଥିବୀର ଅନ୍ୟତମ ଆର୍ଦ୍ରସ୍ଥାନ ରୂପେ ପରିଚିତ ମେଘାଳୟରେ ଆଜି ଅପ୍ରତ୍ୟାଶିତ ବୃଷ୍ଟିହୀନ ଅବଧି (ଡ୍ରାଏ ସ୍ପେଲ) ବୃଦ୍ଧି ପାଇଚାଲିଛି । ଯାହା ପାଣିପାଗ ବିଜ୍ଞାନୀ ଏବଂ ସ୍ଥାନୀୟ ଲୋକଙ୍କୁ ଏହି ପ୍ରତିଷ୍ଠିତ ମୌସୁମୀର ଗନ୍ତାଘର ଭବିଷ୍ୟତକୁ ନେଇ ଗଭୀର ଚିନ୍ତିତ କରିଛି ।
ସାଧାରଣତଃ ସୋହରା ଭାବରେ ଜଣାଶୁଣା ମେଘାଳୟର ଚେରାପୁଞ୍ଜି ଅଞ୍ଚଳ ଚଳିତ ଜୁନ୍ ମାସରେ ମାତ୍ର ୧,୦୯୫.୪ ମିଲିମିଟର ବର୍ଷା ରେକର୍ଡ କରିଛି । ଗତ ୨୦୨୪, ଜୁନ୍ ମାସରେ ୩,୦୪୨.୨ ମିଲିମିଟର ବର୍ଷା ଠାରୁ ଏହା ୬୪% ହ୍ରାସ ପାଇଛି । ଭାରତୀୟ ପାଣିପାଗ ବିଭାଗ ଏହାକୁ ‘ଏହି ଅଞ୍ଚଳରେ ବର୍ଷକୁ ବର୍ଷ ବୃଷ୍ଟିପାତରେ ସବୁଠାରୁ ଅଧିକ ହ୍ରାସ’ ବୋଲି ପ୍ରକାଶ କରିଛି ।
ଏକଦା ବାର୍ଷିକ ବର୍ଷା ପାଇଁ ବିଶ୍ୱ ରେକର୍ଡ ରଖିଥିବା ଚେରାପୁଞ୍ଜି ସହରଟି ବର୍ତ୍ତମାନ ବୃଷ୍ଟିପାତ ଅଭାବଜନିତ ଏକ ସଙ୍କଟ ସହିତ ସଂଘର୍ଷ କରୁଛି, ଯାହା ନିରାଶାଜନକ ପରିସ୍ଥିତି ସୃଷ୍ଟି କରିଚାଲିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ସୂଚନାରେ ଉଲ୍ଲେଖ କରାଯାଇଛି, ‘ଚଳିତ ୨୦୨୫ ବର୍ଷ ମେ’ମାସରେ ମଧ୍ୟ ୨୦୨୪ ବର୍ଷ ତୁଳନାରେ ଏହି ଅଞ୍ଚଳରେ ୪୦୦ ମିଲିମିଟର କମ୍ ବର୍ଷା ହେବାଦ୍ୱାରା ଏହା ଏକ ବିପଦ ସଙ୍କେତ ପ୍ରଦାନ କରିଛି । ଏହା ଗଭୀର ଚିନ୍ତାର ବିଷୟ । ବର୍ତ୍ତମାନ ଚେରାପୁଞ୍ଜିରେ ବର୍ଷ ବର୍ଷ ଧରି ଅନିୟମିତତା ବର୍ଷା ଅନୁଭୂତ ହେଉଛି । କିନ୍ତୁ ଜୁନ୍ ମାସରେ ବୃଷ୍ଟିପାତର ତୀବ୍ର ହ୍ରାସ ଘଟଣା ଉଦବେଗଜନକ ଅଟେ ।’
ବର୍ତ୍ତମାନ ବୃଷ୍ଟିହୀନତା ପରିସ୍ଥିତି ଚେରାପୁଞ୍ଜି ନିଜ କିମ୍ବଦନ୍ତୀର ଏକ ନାଟକୀୟ ପରିବର୍ତ୍ତନର ପ୍ରତିନିଧିତ୍ୱ ପ୍ରମାଣ କରିସାରିଲାଣି । ୧୯୭୪ ମସିହାରେ ଏହି ସହରରେ ୨୪,୫୫୫ ମିଲିମିଟର ବର୍ଷା ହୋଇ ଏକ ଅବିସ୍ମରଣୀୟ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଆଜିର ବାର୍ଷିକ ହାରାହାରି ସେହି ଐତିହାସିକ ସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶରେ ପହଞ୍ଚି ଯାଇଛି ।
୨୦୦୫ ମସିହାରୁ କ୍ରମାଗତ ଭାବେ ଚେରାପୁଞ୍ଜିର ବାର୍ଷିକ ହାରାହାରି ବୃଷ୍ଟିପାତ ମାତ୍ର ୮,୦୦୦ରୁ ୯ ୦୦୦ ମି.ମି. ମଧ୍ୟରେ ସୀମିତ ରହିଛି । ଏହିସବୁ ଅଞ୍ଚଳରେ ପ୍ରାୟ ୧୧,୦୦୦ ମି.ମି. ଠାରୁ ଯଥେଷ୍ଟ କମ୍ । ଏହି ପରିବର୍ତ୍ତନ ଏକ ତିକ୍ତ ବିଡ଼ମ୍ବନା ସୃଷ୍ଟି କରିଛି । ବର୍ଷା ବହୁଳ ଅଞ୍ଚଳ ପାଇଁ ଏହାର ଖ୍ୟାତି ସତ୍ତ୍ୱେ ଚେରାପୁଞ୍ଜି ବର୍ତ୍ତମାନ ଶୁଖିଲା ପଡ଼ି ବିଭିନ୍ନ ମାସରେ ଜଳ ଅଭାବର ମୁକାବିଲା କରୁଛନ୍ତି । ଏହିସବୁ ଗ୍ରାମଗୁଡ଼ିକ ଅଧିକରୁ ଅଧିକ ଭଙ୍ଗୁର ଝରଣା ଉପରେ ନିର୍ଭର କରୁଥିବାବେଳେ କେତେକ ଅଞ୍ଚଳରେ ଜଳର ମୌଳିକ ଆବଶ୍ୟକତା ପୂରଣ ପାଇଁ ପାଣି ଟ୍ୟାଙ୍କର ଯୋଗେ ପାଇଁ ବିତରଣ କରିବାକୁ ପଡୁଛି । ଜନସଂଖ୍ୟା ବୃଦ୍ଧି ଏହି ସମସ୍ୟାକୁ ଆହୁରି ଜଟିଳ କରିଦେଇଛି ।
ପରିବେଶବିତ୍ ସୋନାମ ବିଶ୍ୱାସ କୁହନ୍ତି, ‘୧୯୬୧ରେ ପ୍ରାୟ ୭,୦୦୦ ବାସିନ୍ଦା ରହିଥିବା ଚେରାପୁଞ୍ଜି ଗ୍ରାମାଞ୍ଚଳରେ ବର୍ତ୍ତମାନ ୭୦,୦୦୦ରୁ ଅଧିକ ଲୋକଙ୍କୁ ବାସ କରୁଛନ୍ତି । ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇଛି । ଯାହା ପୂର୍ବରୁ ଚାପଗ୍ରସ୍ତ ଜଳସମ୍ପଦ ଉପରେ ଅତିରିକ୍ତ ଚାପ ପକାଇଛି । ମୌସୁମୀ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ଏବଂ ଦ୍ରୁତ ସହରୀକରଣ ଭଳି ପରିବେଶ ବିଶେଷଜ୍ଞମାନେ ଜଳ ହ୍ରାସର ଏକାଧିକ କାରଣକୁ ସୂଚାଇଥାନ୍ତି । ଏହି ପରିବର୍ତ୍ତନଗୁଡ଼ିକ କେବଳ ବୃଷ୍ଟିପାତର ରେକର୍ଡକୁ ବିପଦରେ ପକାଏ ନାହିଁ, ବରଂ ଏହି ଅଞ୍ଚଳର ସମଗ୍ର ପରିବେଶ ସନ୍ତୁଳନକୁ ମଧ୍ୟ ବିପଦରେ ପକାଇଦେଲାଣି ।’
ମେଘାଳୟର ଗମ୍ଭୀର ପରିସ୍ଥିତି ଉପରେ ସୂଚନା ଦେଇ ଶିଲଂସ୍ଥିତ ଜଣାଶୁଣା ପରିବେଶକର୍ମୀ ଆରୋହୀ ସାଙ୍ଗମା କୁହନ୍ତି, ‘ବର୍ଷା ସଙ୍କଟ ଚେରାପୁଞ୍ଜିର ଚିନ୍ତା ବଢ଼ାଇ ଦେଇ ସମଗ୍ର ମେଘାଳୟ ପାଇଁ ବିପଦ ସୃଷ୍ଟି କରିଲାଣି । ବୃଷ୍ଟିପାତକୁ ନେଇ ଚେରାପୁଞ୍ଜି ଭବିଷ୍ୟତରେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିପାରିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଦେଖାଦେଲାଣି । ସତେ ଯେପରି ଆଗାମୀ ଭୟଙ୍କର ବିପଦର ପଦଧ୍ୱନି ଉପରେ ଆମକୁ ଚେରାପୁଞ୍ଜି ଚେତାବନୀ ଦେଇସାରିଲାଣି । ସ୍ଥାନୀୟ ସଂରକ୍ଷଣବାଦୀମାନେ ବନୀକରଣ କାର୍ଯ୍ୟକ୍ରମ, ଜଳବିଭାଜିକା ସୁରକ୍ଷା ପଦକ୍ଷେପ ଏବଂ କଠୋର ନିର୍ମାଣ ନିୟମାବଳୀ ମାଧ୍ୟମରେ ଆସନ୍ତାକାଲିର ଏହି ବିପଦରେ ତୁରନ୍ତ ହସ୍ତକ୍ଷେପ ପାଇଁ ଚାପ ପକାଉଛନ୍ତି । ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବୃଷ୍ଟିବହୁଳ ଚେରାପୁଞ୍ଜି ଅଞ୍ଚଳ ବୃଷ୍ଟିହୀନତା କାରଣରୁ ସମ୍ଭାବ୍ୟ ପରିବେଶଗତ ପତନର ସମ୍ମୁଖୀନ ହେବ । ପାଣିପାଗ ବିଜ୍ଞାନୀମାନେ ମୌସୁମୀ ଢାଞ୍ଚା ଉପରେ ନିରନ୍ତର ନଜର ରଖିବା ପାଇଁ ପ୍ରତିଶୃତି ଦେଇଥିବାବେଳେ, ସେମାନେ ସ୍ୱୀକାର କରନ୍ତି ବୃଷ୍ଟିପାତର ଏହି ହ୍ରାସ ଧାରା ଚେରାପୁଞ୍ଜି ଭଳି ଜଳବାୟୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଁ ଏକ ମୌଳିକ ଆହ୍ୱାନର ପ୍ରତିନିଧିତ୍ୱ କରିବାକୁ ଯାଉଛି ।’
ବୃକ୍ଷଜଗତ ପାଇଁ ଘାତକ ସାଜୁଛି ବଜ୍ରପାତ!
ବର୍ଦ୍ଧିତ ଖରାର ଚାପ, ଅଙ୍ଗାରକାମ୍ଳ ଗ୍ୟାସ୍, ବିଶ୍ୱ ତାପନ ଏବଂ ଜଙ୍ଗଲ ନିଆଁ କ୍ରମାଗତ ବୃଦ୍ଧି ପାଉଥିବା ଯୋଗୁଁ ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲରେ ବ୍ୟାପକ ବୃକ୍ଷମୃତ୍ୟୁର ପ୍ରମୁଖ କାରଣ ଅଟେ ବୋଲି ଆମେ ପୂର୍ବରୁ ଜାଣିଛେ । କିନ୍ତୁ ଏକ ନୂତନ ଗବେଷଣାର ଅଧ୍ୟୟନ ବିଗତ ପ୍ରମୁଖ କାରଣକୁ ଭୁଲ୍ ପ୍ରମାଣ କରି ଏକ ଅଦେଖା ଓ ଅଜଣା ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ୧ ଜୁଲାଇ, ୨୦୨୫ରେ ‘ଇକୋଲୋଜି ଲେଟର୍ସ ଜର୍ଣ୍ଣାଲ’ରେ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି କ୍ରମାଗତ ବଜ୍ରପାତର ବୃଦ୍ଧି ହାର ଏବେ ଜଙ୍ଗଲ ମୃତ୍ୟୁ ମୁଖ୍ୟ ବାହକ ସାଜିଛି । ବିଗତ ଦିନର ଗବେଷଣାରୁ ମିଳିଥିବା ତଥ୍ୟକୁ ନିରୀକ୍ଷଣ କଲେ ଜଣାପଡ଼ିଛି ସମ୍ବେଦନହୀନ ବର୍ଷା ଓ ବାତ୍ୟା ସାମଗ୍ରିକ ଭାବେ ଜୈବ ଭାର (ବାୟୋମାସ)ର ମୃତ୍ୟୁ ହାରରେ ୫୦ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟାଇପାରେ ବୋଲି ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି । ମୌସୁମୀରେ ଏହି ସଞ୍ଚାଳିତ ଝଡ଼ (କନଭେକ୍ଟିଭ ଷ୍ଟୋର୍ମ)ର ପ୍ରଭାବ ୧୨ ପ୍ରତିଶତରୁ ଆରମ୍ଭ କରି ୧୧୮ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ସଞ୍ଚାଳିତ ଝଡ଼ ଦଶରୁ ଶହେ ବର୍ଗକିଲୋମିଟର ଅଞ୍ଚଳରେ ବର୍ଷା ଓ ପବନ ଭଳି ପାଣିପାଗଜନିତ ଘଟଣା ଅଟେ । ଏହାର ବୈଶିଷ୍ଟ୍ୟ ହେଉଛି ଉଲମ୍ବ ବାୟୁମଣ୍ଡଳୀୟ (ଭର୍ଟିକାଲ ଆଟମୋସ୍ପେରିକ୍) ଅସ୍ଥିରତା, ପ୍ରବଳ ପବନ ଏବଂ ବଜ୍ରପାତ । ଅଧ୍ୟୟନରୁ ଜଣାପଡ଼ିଛି ଏହି ସଞ୍ଚାଳିତ ଝଡ଼ ଅଳ୍ପଦିନିଆ କିନ୍ତୁ ତାହା ଜଙ୍ଗଲ ପାଇଁ ଅସ୍ୱାଭାବିକ ଭାବେ ଘାତକ ସାବ୍ୟସ୍ତ ହୋଇଥାଏ ।
ଏହି ଗବେଷଣାର ମୁଖ୍ୟ ଗବେଷକ ଇଭାନ ଗୋରା ଦର୍ଶାଇଛନ୍ତି, ‘ଏହିଭଳି ସଞ୍ଚାଳିତ ଜଙ୍ଗଲ ଝଡ଼ ଜୈବଭାର ଧ୍ୱଂସସାଧନ ପାଇଁ ସବୁଠାରୁ ବଡ଼ କାରଣ । ଉଷ୍ମମଣ୍ଡଳୀୟ ଅଞ୍ଚଳରେ ଅଙ୍ଗାରକାମ୍ଳ ସଂରକ୍ଷଣ ଉପରେ ଗବେଷଣା ଦ୍ୱାରା ସେଗୁଡ଼ିକ ମୁଖ୍ୟତଃ ଅଣଦେଖା କରାଯାଏ । ଆମ ଅନୁଧ୍ୟାନ ଆକଳନରୁ ଜଣାପଡ଼ିଛି ଅତୀତରେ ୩୦ରୁ ୬୦ପ୍ରତିଶତ ବୃକ୍ଷ ମୃତ୍ୟୁ ପାଇଁ ବାତ୍ୟା ଦାୟୀ ଏବଂ ପ୍ରତ୍ୟେକ ଦଶନ୍ଧିରେ ବାତ୍ୟା ୫ରୁ ୨୫ ପ୍ରତିଶତ ବୃଦ୍ଧି ପାଇବା କାରଣରୁ ବୃକ୍ଷ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଥାଏ । ମୌସୁମୀର ଏହି ସମୟରେ ବଜ୍ରପାତ ଏକ ମାରାତ୍ମକ ଭୂମିକା ଗ୍ରହଣ କରିଥାଏ । ଗୋଟିଏ ବଜ୍ରପାତ ଆକ୍ରମଣରେ ପ୍ରାୟ ୨୪ଟି ଗଛ ମୃତ୍ୟୁ ହେବା ସହ ନିଆଁ କିମ୍ବା ବିସ୍ଫୋରଣ ନକରି ମଧ୍ୟ ପାଞ୍ଚଟି ବୃହତ୍ ଗଛର ମୃତ୍ୟୁ କାରଣ ହୋଇପାରେ । ଏହି ଗବେଷଣାରୁ ଆକଳନ କରାଯାଇଛି ବାର୍ଷିକ ୩୫ରୁ ୬୭ ନିୟୁତ ବଜ୍ରପାତ ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲରେ ହୋଇଥାଏ । ବର୍ଷକୁ ଏହି ପ୍ରକ୍ରିୟାରେ କୋଟି କୋଟି ଗଛର ମୃତ୍ୟୁ ହୋଇଥାଏ କିନ୍ତୁ ମୌସୁମୀର ଏହି ଘଟଣା ଆମକୁ ସାଧାରଣତଃ ଜଣା ପଡ଼ିନଥାଏ । ଏପରିକି ନିର୍ଦ୍ଦିଷ୍ଟ ଆକଳନରୁ ଜଣାଯାଏ ଏହି ବାତ୍ୟା ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲରେ ୩୦ରୁ ୬୦ ପ୍ରତିଶତ ଜୈବଭାର ମୃତ୍ୟୁ ଏବଂ ପରିସଂସ୍ଥାନ ଧ୍ୱଂସ ପାଇଁ ଦାୟୀ ।
ବିନ୍ଦୁରେ ବିଶ୍ୱ
ବୈଜ୍ଞାନିକମାନେ ଗୋଟିଏ ବର୍ଷା ବିନ୍ଦୁରେ ସୀମିତ ପରିସର ମଧ୍ୟରେ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପରିସଂସ୍ଥାନୀୟ ବ୍ୟବସ୍ଥା (ଇକୋସିଷ୍ଟମ) ଚିହ୍ନଟ କରିଛନ୍ତି । ଏହି ଉଲ୍ଲେଖନୀୟ ଆବିଷ୍କାର ସୂକ୍ଷ୍ମ ଜଗତ ସମ୍ପର୍କରେ ରହିଥିବା ଆମମାନଙ୍କର ଧାରଣାକୁ ବଦଳାଇ ଦେଇଛି । ଏହି ଅସାଧାରଣ ଆବିଷ୍କାର ଏକଥା ଜଣାଇ ଦେଇଛି ଯେ କିପରି ଜଳର ସର୍ବନିମ୍ନ ପରିମାଣ- ଗୋଟିଏ ଜଳଟୋପା ଜଟିଳ ଅଣୁଜୀବମାନଙ୍କର ଏକ ସମ୍ପ୍ରଦାୟକୁ ଧାରଣ କରିପାରେ । ଏହା ଆକାର ନିର୍ବିଶେଷରେ ପରସ୍ପର ସହିତ ସଂଯୁକ୍ତ ଜୀବନ ବ୍ୟବସ୍ଥାମାନ ସୃଷ୍ଟି କରିବା କ୍ଷେତ୍ରରେ ପ୍ରକୃତିର ଦକ୍ଷତାକୁ ପ୍ରଦର୍ଶନ କରୁଛି । ବର୍ଷା ବିନ୍ଦୁର ପରିସଂସ୍ଥାନ ପ୍ରକୃତିଗତ ଭାବେ କ୍ଷଣସ୍ଥାୟୀ ହେଲେ ମଧ୍ୟ ଏହା ପୂର୍ଣ୍ଣାଙ୍ଗ ସୂକ୍ଷ୍ମ ଜଗତର ପ୍ରତିନିଧିତ୍ୱ କରେ ଯେଉଁଥିରେ ପରିସଂସ୍ଥାନର ଗୁରୁତ୍ୱପୂର୍ଣ୍ଣ ବିଭବ ଯଥା ଉତ୍ପାଦନକାରୀ, ଖାଦକ, ବିଘଟନକାରୀ ଓ ଜଟିଳ ସଂପର୍କ ଇତ୍ୟାଦି ରହିଛି । ଏହା ହ୍ରଦ, ଜଙ୍ଗଲ ଏବଂ ସମୁଦ୍ରରେ ମିଳୁଥିବା ବୃହତ୍ତର ପରିସଂସ୍ଥାନର ସୂକ୍ଷ୍ମ ରୂପ ବୋଲି କୁହାଯାଇ ପାରିବ ।
ବର୍ଷା ବିନ୍ଦୁରେ ବିଶ୍ୱ
ବୈଜ୍ଞାନିକମାନେ ଗୋଟିଏ ବର୍ଷା ବିନ୍ଦୁରେ ସୀମିତ ପରିସର ମଧ୍ୟରେ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପରିସଂସ୍ଥାନୀୟ ବ୍ୟବସ୍ଥା (ଇକୋସିଷ୍ଟମ) ଚିହ୍ନଟ କରିଛନ୍ତି । ଏହି ଉଲ୍ଲେଖନୀୟ ଆବିଷ୍କାର ସୂକ୍ଷ୍ମ ଜଗତ ସମ୍ପର୍କରେ ରହିଥିବା ଆମମାନଙ୍କର ଧାରଣାକୁ ବଦଳାଇ ଦେଇଛି । ଏହି ଅସାଧାରଣ ଆବିଷ୍କାର ଏକଥା ଜଣାଇ ଦେଇଛି ଯେ କିପରି ଜଳର ସର୍ବନିମ୍ନ ପରିମାଣ- ଗୋଟିଏ ଜଳଟୋପା ଜଟିଳ ଅଣୁଜୀବମାନଙ୍କର ଏକ ସମ୍ପ୍ରଦାୟକୁ ଧାରଣ କରିପାରେ । ଏହା ଆକାର ନିର୍ବିଶେଷରେ ପରସ୍ପର ସହିତ ସଂଯୁକ୍ତ ଜୀବନ ବ୍ୟବସ୍ଥାମାନ ସୃଷ୍ଟି କରିବା କ୍ଷେତ୍ରରେ ପ୍ରକୃତିର ଦକ୍ଷତାକୁ ପ୍ରଦର୍ଶନ କରୁଛି । ବର୍ଷା ବିନ୍ଦୁର ପରିସଂସ୍ଥାନ ପ୍ରକୃତିଗତ ଭାବେ କ୍ଷଣସ୍ଥାୟୀ ହେଲେ ମଧ୍ୟ ଏହା ପୂର୍ଣ୍ଣାଙ୍ଗ ସୂକ୍ଷ୍ମ ଜଗତର ପ୍ରତିନିଧିତ୍ୱ କରେ ଯେଉଁଥିରେ ପରିସଂସ୍ଥାନର ଗୁରୁତ୍ୱପୂର୍ଣ୍ଣ ବିଭବ ଯଥା ଉତ୍ପାଦନକାରୀ, ଖାଦକ, ବିଘଟନକାରୀ ଓ ଜଟିଳ ସମ୍ପର୍କ ଇତ୍ୟାଦି ରହିଛି । ଏହା ହ୍ରଦ, ଜଙ୍ଗଲ ଏବଂ ସମୁଦ୍ରରେ ମିଳୁଥିବା ବୃହତ୍ତର ପରିସଂସ୍ଥାନର ସୂକ୍ଷ୍ମ ରୂପ ବୋଲି କୁହାଯାଇ ପାରିବ ।
ବଦଳିଗଲା ପରିଦୃଷ୍ଟ ବିଜ୍ଞାନ
ହେଲସିଙ୍କି ବିଶ୍ୱବିଦ୍ୟାଳୟର ଅଣୁଜୀବ ବିଜ୍ଞାନୀମାନଙ୍କର ଏକ ଦଳ ବସନ୍ତ ବର୍ଷା ସମୟରେ ସଂଗୃହୀତ ବର୍ଷା ଜଳ ନମୁନାର ନିୟମିତ ବିଶ୍ଳେଷଣ କରୁଥିବା ସମୟରେ ଏହି ଯୁଗାନ୍ତକାରୀ ଆବିଷ୍କାର କରିଥିଲେ । ଜୀବିତ ଅଣୁଜୀବମାନଙ୍କୁ ବାସ୍ତବିକ କାଳରେ ପର୍ଯ୍ୟବେକ୍ଷଣ କରିବା ସକାଶେ ଏହି ବିଜ୍ଞାନୀ ଦଳ ଉନ୍ମତ ଅଣୁବୀକ୍ଷଣ କୌଶଳ ପ୍ରୟୋଗ କରିଥିଲେ । ସେମାନେ ଆଶା କରିଥିଲେ ଯେ କେବଳ କେତେକ ପ୍ରଜାତିର ଅଣୁଜୀବମାନଙ୍କୁ ଦେଖିବାକୁ ମିଳିବ । ହେଲେ ଏହା ବଦଳରେ ସେମାନେ କ୍ଷୁଦ୍ର ଜଳବିନ୍ଦୁ ମଧ୍ୟରେ ପାରସ୍ପରିକ କ୍ରିୟ କରୁଥିବା ଅଣୁଜୀବମାନଙ୍କର ଏକ ବିବିଧ ତଥା ଗତିଶୀଳ ସମ୍ପ୍ରଦାୟକୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ । ମୁଖ୍ୟ ଗବେଷକ ଡକ୍ଟର ଏମା ଭିର୍ଟାନେନ ସେହି ମୁହୂର୍ତ୍ତକୁ ‘ମାତ୍ର ୪ କିଲୋମିଟର ବ୍ୟାସର ଏକ ଗୋଲକ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡକୁ ଦେଖିବା’ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଆବିଷ୍କାର ଆମକୁ ଆମେ କିପରି ଅଣୁଜୀବ ସମ୍ପ୍ରଦାୟକୁ ବୁଝିପାରିଛି ଏବଂ ଏକ କାର୍ଯ୍ୟକ୍ଷମ ପରିସଂସ୍ଥାନ ପାଇଁ ସର୍ବନିମ୍ନ ଆବଶ୍ୟକତା କ’ଣ ସେ କଥାର ପୁନଃମୂଲ୍ୟାୟନ କରିବାକୁ ପ୍ରେରଣା ଦେଇଛି ।
ବର୍ଷା ଠୋପା ପରିସଂସ୍ଥାନର ଗଠନ
ଗୋଟିଏ ଠୋପା ବର୍ଷାଜଳ ମଧ୍ୟରେ ଗବେଷକମାନେ ୮୦ରୁ ଅଧିକ ପ୍ରକାରର ପ୍ରଜାତିର ପ୍ରାୟ ୧୮,୦୦୦ରୁ ଅଧିକ ସଂଖ୍ୟକ ଅଣୁଜୀବମାନଙ୍କୁ ଚିହ୍ନଟ କରିଥିଲେ । ଏହି ଅଣୁଜୀବମାନଙ୍କ ସଂପ୍ରଦାୟ ମଧ୍ୟରେ ପ୍ରାଥମିକ ଉତ୍ପାଦକ ରୂପେ ଆଲୋକ ସଂଶ୍ଳେଷଣ ଦ୍ୱାରା ଖାଦ୍ୟ ଉତ୍ପାଦନକାରୀ ସିଆନୋ ବ୍ୟାକ୍ଟେରିଆ, ପ୍ରାଥମିକ ଖାଦକ ରୂପେ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରଜାତିର ପ୍ରୋଟିଷ୍ଟ, ଦ୍ୱିତୀୟସ୍ତରର ଖାଦକରୂପେ ଶିକାରୀର କାର୍ଯ୍ୟ କରୁଥିବା ରୋଟିଫାୟର ଏବଂ ବିଘଟନକାରୀର ଭୂମିକା ତୁଲାଉଥିବା ବିଭିନ୍ନ ପ୍ରଜାତିର ଜୀବାଣୁମାନେ ଅନ୍ତର୍ଭୁକ୍ତ ଥିଲେ । ଅଣୁଜୀବମାନଙ୍କର ଏହି ଜଟିଳ ସଂପ୍ରଦାୟ ଏକ ପୂର୍ଣ୍ଣାଙ୍ଗ ପରିସଂସ୍ଥାନର ସମସ୍ତ ଅତ୍ୟାବଶ୍ୟକୀୟ ଉପାଦାନଗୁଡ଼ିକର ଆବଶ୍ୟକତା ପୂରଣ କରୁଛି, ଯେଉଁଥିରେ କି ଉତ୍ପାଦକମାନଙ୍କ ଦ୍ୱାରା ସୃଷ୍ଟ ଶକ୍ତି ଖାଦକମାନଙ୍କ ନିକଟକୁ ପ୍ରବାହିତ ହେଉଛି ଏବଂ ବିଘଟନକାରୀମାନଙ୍କ ଦ୍ୱାରା ପୋଷକତତ୍ତ୍ୱ ପୁନଃଚକ୍ରିତ ହେଉଛି । ଏହି ଆବିଷ୍କାରର ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଏଥିରେ ଥିବା ଜୈବବିବିଧତାର ଘନତା । ପ୍ରତି ଘନମିଲିମିଟରରେ ପ୍ରାୟ ୨୦୦୦ ଅଣୁଜୀବ ରହିଥାଆନ୍ତି, ଯାହାକି ଏହାକୁ ଏଯାବତ୍ ପରିଲକ୍ଷିତ ସର୍ବାଧିକ ଘନତ୍ୱ ବିଶିଷ୍ଟ ପରିସଂସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ କରିଛି ।
ବର୍ଷା ଠୋପାରେ ଅଣୁଜୀବମାନଙ୍କର ଉତ୍ପତ୍ତି
ବର୍ଷା ଠୋପା ମଧ୍ୟରେ ମିଳୁଥିବା ଅଣୁଜୀବମାନେ ମୁଖ୍ୟତଃ ଦୁଇଟି ଉତ୍ସରୁ ଉତ୍ପନ୍ନ-ବାୟୁମଣ୍ଡଳରେ ଭାସୁଥିବା କଣିକା ଏବଂ ବାଦଲକୁ ଘନୀଭୂତ କରୁଥିବା ନାଭିକ । ଏହି ଅଣୁଜୀବଗୁଡ଼ିକ ମଧ୍ୟରୁ ଅନେକ ସ୍ଥଳଭାଗ ଓ ଜଳୀୟ ପରିବେଶରୁ ବାୟୁ ବିଭ୍ରାଟ, ତରଙ୍ଗ କ୍ରିୟାର ଏବଂ ମାନବୀୟ କାର୍ଯ୍ୟକଳାପ ପରି ପ୍ରକ୍ରିୟାଗୁଡ଼ିକ ମାଧ୍ୟମରେ ବାୟୁମଣ୍ଡଳରେ ଖେଳିବୁଲି ଥାଆନ୍ତି । ବାୟୁମଣ୍ଡଳୀୟ ବାୟୋଟା ରୂପେ ପରିଚିତ କିଛି ପ୍ରଜାତି ସେମାନଙ୍କ ଜୀବନଚକ୍ରର ଏକ ବଡ଼ ଅଂଶ ବାୟୁମଣ୍ଡଳରେ ଭାସିବୁଲି ବିତାଇ ଥାଆନ୍ତି । ସେଠାରେ ସେମାନେ ଅତିରିକ୍ତ ତାପମାତ୍ରା, ଅତିବାଇଗଣୀ ରଶ୍ମୀ, ଶୁଷ୍ଟୀକରଣ ପରି କଠୋର ପରିସ୍ଥିତିରେ ବଞ୍ଚି ରୁହନ୍ତି । ଏହି ଆବିଷ୍କାରର ଏକ ଆକର୍ଷଣୀୟ ଦିଗ ହେଉଛି ଯେ ବର୍ଷା ଠୋପାର ପରିସଂସ୍ଥାନରେ ଚିହ୍ନଟ କରାଯାଇଥିବା ପ୍ରାୟ ୨୦% ଅଣୁଜୀବ ବିଜ୍ଞାନସକାଶେ ସମ୍ପୂର୍ଣ୍ଣ ଅଜଣା ଥିଲା । ଏହା ଏଇ କଥାକୁ ସୂଚାଇଥାଏ ଯେ ବାୟୁମଣ୍ଡଳୀୟ ବାସସ୍ଥାନଗୁଡ଼ିକ ଅଣୁଜୀବ ବିବିଧତାର ଏକ ଅନାବିଷ୍କୃତ ଭଣ୍ଡାର, ଯାହାକୁ ଆମେ କେବଳ ବୁଝିବା ଆରମ୍ଭ କରିଛୁ ।
କ୍ଷଣସ୍ଥାୟୀ ପରିସଂସ୍ଥାନରେ ଆୟୁ
ଏହାର ସମସ୍ତ ଜଟିଳତା ସତ୍ତ୍ୱେ ଏକ ବର୍ଷା ଠୋପା ପରିସଂସ୍ଥାନ ଖୁବ୍ କମ୍ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରେ । ବାଦଲରେ ବର୍ଷା ଠୋପାର ଆକାର ନେବାଠାରୁ ଆରମ୍ଭକରି ତାହା ମାଟିରେ ଅବଶୋଷିତ ହେବା କିମ୍ବା ବାଷ୍ପୀଭୂତ ହେବା ପର୍ଯ୍ୟନ୍ତ ଏପରି ପରିସଂସ୍ଥାନର ଆୟୁ ମାତ୍ର କିଛି ମିନିଟରୁ ଆରମ୍ଭ କରି କେଇଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ । ଏହି ସଂକ୍ଷିପ୍ତ ସମୟ ମଧ୍ୟରେ ଦ୍ରୁତ ପ୍ରଜନନକାରୀ ଅଣୁଜୀବମାନଙ୍କର ଅନେକଗୁଡ଼ିଏ ପିଢ଼ି ଉଭା ହୋଇପାରିବେ ଯାହାକି ଏକ ଦ୍ରୁତ ବିକଶିତ ସୂକ୍ଷ୍ମ ପରିବେଶ ସୃଷ୍ଟି କରିପାରିବେ । ଗବେଷକମାନେ ଏକଥା ଲକ୍ଷ୍ୟ କରିଛନ୍ତି ଯେ ଅନୁକୂଳ ପରିସ୍ଥିତିରେ ଜୀବାଣୁମାନଙ୍କ ସଂଖ୍ୟା ପ୍ରତି ୨୦ମିନିଟରେ ଦ୍ୱିଗୁଣିତ ହୋଇଯାଇପାରେ, ଯେତେବେଳେ କି ଶିକାରୀ-ଶିକାର ସମ୍ପର୍କ ପ୍ରାୟ ବାସ୍ତବ ସମୟରେ ବିକଶିତ ହୋଇପାରେ । ଏହି ତ୍ୱରାନ୍ୱିତ ପରିସଂସ୍ଥାନୀୟ ଉତ୍ତରାଧିକାର ବୈଜ୍ଞାନିକମାନଙ୍କୁ ସୀମିତ ସମୟସୀମା ମଧ୍ୟରେ ପରିସଂସ୍ଥାନର ବିକାଶ ଓ ପତନ ଅଧ୍ୟୟନ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ । ଅନ୍ୟପକ୍ଷରେ ବୃହତ୍ ପରିସଂସ୍ଥାନର ପର୍ଯ୍ୟବେକ୍ଷଣ କରି ଅନ୍ତର୍ଦୃଷ୍ଟି ହାସଲ କରିବାକୁ ଦଶନ୍ଧି ଦଶନ୍ଧି ଅଥବା ଶତାବ୍ଦୀ ପର୍ଯ୍ୟନ୍ତ ଲାଗିଯାଇ ପାରେ ।
ଭୁଲ୍ ହେଉଛି ପାରମ୍ପରିକ ପାଣିପାଗର ପୂର୍ବାନୁମାନ
ଏକଦା ପାରମ୍ପରିକ ପାଣିପାଗର ପୂର୍ବାନୁମାନ ଅତ୍ୟନ୍ତ ନିର୍ଭରଯୋଗ୍ୟ ଥିଲା । ହେଲେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ପ୍ରଭାବରେ ଆଜିର ଦିନରେ ନିର୍ଭରଯୋଗ୍ୟ ହୋଇପାରୁ ନାହିଁ ପାରମ୍ପରିକ ପାଣିପାଗର ପୂର୍ବାନୁମାନ ପଦ୍ଧତି । ‘ଯଦି ଲିପି ପକ୍ଷୀ (ସାଧାରଣ ସ୍ୱଫ୍ଟ କିମ୍ବା ଅପସ ଅପସ) ସାଧାରଣ ଭାବେ ତିଆରି କରୁଥିବା ବସା ଅପେକ୍ଷା ବଡ଼ ବସା କରେ, ତେବେ ଆଗାମୀ ଋତୁରେ ସ୍ୱଳ୍ପ ବର୍ଷାର ସୂଚନା ଦେଇଥାଏ । ଏହାର ବିପରୀତ ମଧ୍ୟ ସତ୍ୟ’ ବୋଲି ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଚିତ୍ରମୁ ଗାଁର ଗ୍ରାମମୁଖ୍ୟ ଅଶୋକ ମୁଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘ଏପରି ଅନେକ ସଂକେତ ରହିଛି ଯାହା ଆମକୁ ଆଗାମୀ ଋତୁର ଆକଳନ ଏବଂ ସେଥିପାଇଁ ପ୍ରସ୍ତୁତି କରିବାରେ ସାହାଯ୍ୟ କରିଥାଏ ।’
ପ୍ରାଚୀନ କାଳରୁ ଝାଡ଼ଖଣ୍ଡର ଆଦିବାସୀ ସଂପ୍ରଦାୟମାନେ ମୁଣ୍ଡାମାନଙ୍କର କହିବା ମୁତାବକ ‘ପ୍ରକୃତିର ସଂକେତ’ ପଢ଼ି ସେମାନଙ୍କ ଅଞ୍ଚଳର ପାଣିପାଗର ଖୋଜ ଖବର ରଖି ଆସୁଛନ୍ତି । ଏହି ସଂକେତଗୁଡ଼ିକ ମଧ୍ୟରୁ ବେଶ୍ କିଛି ମୌସୁମୀ ସହିତ ସଂପୃକ୍ତ । ଆଦିବାସୀମାନଙ୍କର ବର୍ଷା ଉପରେ ନିର୍ଭରଶୀଳ କୃଷିପଦ୍ଧତି ସକାଶେ ଋତୁର ଗୁରୁତ୍ୱ ଯଥେଷ୍ଟ ହୋଇଥିବାରୁ ଏକଥା ବୁଝାପଡ଼େ । ଏଥିପାଇଁ ନିମ୍ନଲିଖିତ କେତୋଟି ଉଦାହରଣକୁ ବିଚାରକୁ ନିଅନ୍ତୁ ।
ଚୈତ୍ର ମାସରେ (ମାର୍ଚ୍ଚ-ଏପ୍ରିଲ) ଆଦିବାସୀମାନେ ଏକ ପ୍ରକୃତି ପର୍ବ ସରହୁଲ ପାଳନ କରିଥାଆନ୍ତି । ଚୈତ୍ର ହେଉଛି ହିନ୍ଦୁବର୍ଷର ପ୍ରଥମ ମାସ । ଏହି ସରହୁଲର ଦିନକ ପୂର୍ବରୁ ଦୁଇଟି ମାଟିପାତ୍ରକୁ ଏକ ଚିହ୍ନିତ ସ୍ତର ପର୍ଯ୍ୟନ୍ତ ପାଣିରେ ପୂର୍ଣ୍ଣ କରାଯାଏ ଏବଂ ପରଦିନ ସେଗୁଡ଼ିକୁ ଯାଞ୍ଚ କରାଯାଏ । ଯଦି ଜଳସ୍ତର ହ୍ରାସ ପାଇଥାଏ, ତେବେ ଏକଥା ବିଶ୍ୱାସ କରାଯାଏ ଯେ ମୌସୁମୀ କାଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ଯଦି ପାତ୍ରରେ ଜଳ ସ୍ତରର କୌଣସି ପରିବର୍ତ୍ତନ ହୁଏ ନାହିଁ ତେବେ ଏକଥା ବିଶ୍ୱାସ କରାଯାଏ ଯେ ବର୍ଷା ସ୍ୱାଭାବିକ ହେବ । ସେହିପରି ଜୁଲାଇ-ଅଗଷ୍ଟ ମାସରେ ପାଳନ କରାଯାଉଥିବା କର୍ତ୍ତମା ଉତ୍ସବ ଦିନ ବାଉଁଶରେ ତିଆରି ଗୋଟିଏ ପାଛିଆକୁ ଗୋଟିଏ ବାଉଁଶରୁ ଦଉଡ଼ି ଦ୍ୱାରା ଝୁଲାଇ ଦିଆଯାଏ । ଏକଥା ବିଶ୍ୱାସ କରାଯାଏ ଯେ ଦଉଡ଼ି ଛିଡ଼ିବା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ।
‘ଫୁଲମାନେ ମଧ୍ୟ ବର୍ଷାର ଏକ ବଡ଼ ସଂକେତ । ଏପ୍ରିଲ-ଜୁନ୍ ମାସରେ ଫୁଟୁଥିବା ସୁନାରୀ ଫୁଲ (କାସିଆ ଫିଷ୍ଟୁଲା)ଗୁଡ଼ିକ ମଧ୍ୟରେ ବ୍ୟବଧାନ ସ୍ୱାଭାବିକଠାରୁ ଅଧିକ ହୋଇଥିଲେ ଏହାର ଅର୍ଥ ହେଉଛି ବର୍ଷା ଭଲ ହେବ’ ବୋଲି ଗୁମଲା ଜିଲ୍ଲାର ରାଇଡ଼ିହ ଗାଁର ଉପ-ମୁଖ୍ୟ ଖୁସ୍ମାରେନ ଏକ୍କା କହିଛନ୍ତି ।
ଅନ୍ୟପକ୍ଷରେ ଚାଷ ଜମିର ହିଡ଼ରେ କାଶତଣ୍ଡି ଫୁଲ ଦେଖାଯିବା ଏକଥା ସୂଚାଇ ଦିଏ ଯେ ବର୍ଷାଋତୁ ଶେଷ ହେବାକୁ ଯାଉଛି । ‘ଏପରି ବର୍ଷାର ସୂଚକଗୁଡ଼ିକ ଆମକୁ ଏହି ଋତୁ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରନ୍ତି । ବର୍ଷାର ଆକଳନ ଅନୁଯାୟୀ ଆମେମାନେ ବିହନ ମଧ୍ୟ ବୁଣିପାରିବା’ ବୋଲି ଆରଣ୍ଡା ଗାଁର ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ଅର୍ଜୁନ ମାଡଲା କହିଛନ୍ତି ।
ବର୍ଷାର ସ୍ୱଳ୍ପକାଳୀନ ସୂଚକମାନ ମଧ୍ୟ ରହିଛି । ଯଦି କଳା ପିମ୍ପୁଡ଼ି ଅଣ୍ଡା ଧରି ଅନ୍ୟ ସ୍ଥାନକୁ ଯାଉଥିବାର ଦେଖାଯାଏ, ତେବେ ତାହା ଏକ ଆସନ୍ନ ପ୍ରବଳ ବର୍ଷାର ସୂଚନା ଦେଇଥାଏ । ସୂର୍ଯ୍ୟଦୋୟ ସମୟରେ ଯଦି ଆକାଶ ଅସ୍ୱାଭାବିକ ଭାବେ ଲାଲ୍ ଦେଖାଯାଏ, ତେବେ ସନ୍ଧ୍ୟା ସୁଦ୍ଧା ବର୍ଷା ହେବ ବୋଲି ଏହା ସୂଚାଇଥାଏ । ଫସଲ ସମ୍ପର୍କରେ ମଧ୍ୟ ଅନେକଗୁଡ଼ିଏ ସୂଚକ ରହିଛି । ‘ଯଦି ତେନ୍ତୁଳି ଆମଦାନୀ (ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଅମଳ ହୁଏ) ଭଲ ହୁଏ, ତେବେ ତାହା ପ୍ରକୃତପକ୍ଷେ ଖରାପ ଖବର, କାରଣ ଏହାର ଅର୍ଥ ହେଲା ଏହା ଏକ ମରୁଡ଼ି ବର୍ଷ ହେବାକୁ ଯାଉଛି ।’ ଏ କଥା କହିଛନ୍ତି ଖୁଣ୍ଟିର ସିଲାଡ଼ନ ଗାଁର ରାନୀ ଟୁଟି । ଗ୍ରୀଷ୍ମ ଋତୁ ପୂର୍ବରୁ ଯଦି ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ହୁଏ, ତେବେ ଏହା ସୂଚାଇ ଦିଏ ଯେ ଆଗକୁ ଆମ୍ବ ଫସଲ ଭଲ ହେବ ।
ବର୍ଷା ବ୍ୟତୀତ ଅନ୍ୟାନ୍ୟ ଘଟଣାଗୁଡ଼ିକ ସକାଶେ ମଧ୍ୟ ସୂଚକମାନ ରହିଛି । ଫେବ୍ରୁଆରୀ-ମାର୍ଚ୍ଚ ମାସରେ ପଳାଶ ଗଛରେ ଭଲ ଫୁଲ ଫୁଟିବା- ଏକଥା ସୂଚାଇଦିଏ ଯେ ଗ୍ରୀଷ୍ମ ଋତୁ ଅତ୍ୟନ୍ତ ନିଷ୍ଠୁର ହେବ, ତତଲା ପବନ ବହିବ ।
‘ଏହି ପୂର୍ବାନୁମାନ ଧାରା ଓ ପଦ୍ଧତିଗୁଡ଼ିକୁ ଏହି ସଂପ୍ରଦାୟମାନେ ଶତାବ୍ଦୀ ଶତାବ୍ଦୀ ଧରି ସେମାନଙ୍କର ପର୍ଯ୍ୟବେକ୍ଷଣ ଆଧାରରେ ଦଲିଲକରଣ କରିଛନ୍ତି, କାରଣ ପ୍ରତିବର୍ଷ ଏହି ଧାରାଗୁଡ଼ିକର ପୁନରାବୃତ୍ତି ହୋଇଥାଏ । କିନ୍ତୁ ଏହି ବିଶ୍ୱାସ ଏବଂ ପାଣିପାଗର ପୂର୍ବାନୁମାନ ପଦ୍ଧତିର କୌଣସି ବୈଜ୍ଞାନିକ ଆଧାର ନ ଥାଇପାରେ ।’ ଏ କଥା କହିଛନ୍ତି ଜଣେ ଲେଖକ ତଥା ରଞ୍ଜିର ଡକ୍ଟର ରାମଦୟାଲ ମୁଣ୍ଡା ଆଦିବାସୀ କଲ୍ୟାଣ ଗବେଷଣା ପ୍ରତିଷ୍ଠାନର ଅବସରପ୍ରାପ୍ତ ନିର୍ଦ୍ଦେଶକ ରଣେନ୍ଦ୍ର କୁମାର ।
ପରିବର୍ତ୍ତିତ ବାସ୍ତବତା
ଅନିୟମିତ ବର୍ଷା ଶୈଳୀଯୋଗୁଁ ପାଣିପାଗ ପୂର୍ବାନୁମାନର ଏହି ପାରମ୍ପରିକ ପଦ୍ଧତିଗୁଡ଼ିକ ଆଉ ପୂର୍ବ ପରି ନିର୍ଭରଯୋଗ୍ୟ ହୋଇ ରହିନାହାନ୍ତି । ‘ଆଜିକାଲି ବର୍ଷା ଶୀଘ୍ର ଆରମ୍ଭ ହେଉଛି ଏବଂ ସମୟ ପୂର୍ବରୁ ଫେରିଯାଉଛି । ଫଳସ୍ୱରୂପ ପୂର୍ବାନୁମାନ କରିବା କଷ୍ଟକର ହୋଇପଡୁଛି । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଧାନଫସଲ ଯଥେଷ୍ଟ ପାଣି ପାଏ ନାହିଁ ଏବଂ ଆମେ ଅଳ୍ପ ଜଳ ଆବଶ୍ୟକ କରୁଥିବା ହାଇବ୍ରିଡ୍ ଧାନ ଚାଷ କରିବାପାଇଁ ବାଧ୍ୟ ହେଉଛୁ’ବୋଲି କୁହନ୍ତି ଖୁଣ୍ଟିର କୁମ୍କୁମା ଗାଁର ଦେବୀ ମାହାତୋ । ଉତ୍ତାପ ବୃଦ୍ଧିର ମଧ୍ୟ ପ୍ରଭାବ ରହିଛି ।
‘ଉଚ୍ଚତର ତାପମାତ୍ରା ପ୍ରାଣୀ ଓ ଉଦ୍ଭିଦଗୁଡ଼ିକର ଆଚରଣଗତ ଏବଂ ଶାରୀରିକ ପ୍ରତିକ୍ରିୟାକୁ ମଧ୍ୟ ପ୍ରଭାବିତ କରୁଛି । ଏଗୁଡ଼ିକୁ ହିଁ ଆଦିବାସୀ ସଂପ୍ରଦାୟ ପରିସଂସ୍ଥାନୀୟ ସୂଚକ ରୂପେ ବ୍ୟବହାର କରୁଥିଲେ । ଉଦାହରଣ ସ୍ୱରୂପ ବେଙ୍ଗ ଓ ଝିଙ୍କାରୀକୁ ଦେଖି ମୁଣ୍ଡା ଜନଜାତି ବର୍ଷାର ପୂର୍ବାନୁମାନ କରୁଥିଲେ । ଏମାନେ ତାପମାତ୍ରା ଉପର-ତଳହେବା ଦ୍ୱାରା ପ୍ରଭାବିତ ହୁଅନ୍ତି ଯାହା ଫଳରେ ସେମାନଙ୍କର ପ୍ରଜନନ ଚକ୍ର ଏବଂ ଶବ୍ଦ କରିବାରେ ପରିବର୍ତ୍ତନ ଆସିଥାଏ ।’ ଏ କଥା କୁହନ୍ତି ବିହାର ଓ ଝାଡ଼ଖଣ୍ଡରେ କାର୍ଯ୍ୟ କରୁଥିବା ଏକ ସାର୍ବଜନୀନ ଦାତବ୍ୟ ଟ୍ରଷ୍ଟ ମେଘ ପାଇନର ଅଭିଯାନର ପରିଚାଳନା ଟ୍ରଷ୍ଟି ଏକଲବ୍ୟ ପ୍ରସାଦ ।
‘ଜୁନ୍ ମାସରେ ରାଞ୍ଚିରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଥଯାତ୍ରା ଏବଂ ମାର୍ଚ୍ଚ-ଏପ୍ରିଲ ମାସରେ ହେଉଥିବା ମଣ୍ଡାପୂଜା ଦିନ ଆମେ ସର୍ବଦା ବର୍ଷା ପାଉଥିଲୁ । ଏହି ପର୍ବଗୁଡ଼ିକ ଫସଲ ବୁଣିବା ଋତୁର ଆରମ୍ଭକୁ ସୂଚାଇ ଥାଆନ୍ତି । ମାତ୍ର, ଗତ କେଇବର୍ଷ ହେଲା ଏହି ଦିନଗୁଡ଼ିକରେ ଆଉ ବର୍ଷା ହେଉନାହିଁ । ମୁଁ ଭାବେ ଯେ ଆମେ କ’ଣ ଆଉ ପାରମ୍ପରିକ ସୂଚନାଗୁଡ଼ିକ ଉପରେ ନିର୍ଭର କରିପାରୁଛୁ’ ବୋଲି ଖୁଣ୍ଟିର ବୁର୍ଜୁ ଗ୍ରାମର ଲାଲମୁଣ୍ଡା କୁହନ୍ତି । ‘ଏପରି ମନେ ହେଉଛି ଯେ ଆମର ପରିସଂସ୍ଥାନୀୟ ଜ୍ଞାନକୁ ପ୍ରକୃତି ହିଁ ଆହ୍ୱାନ ଦେଉଛି’ ବୋଲି ଗୁମଲାର ରାଇଡ଼ିହ ବ୍ଲକ୍ ପାଇଁ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ (ଆଶା) ସୁମନ କୁଜୁର କହିଛନ୍ତି ।

Download

ବିଭୂତି ପତି

bibhujournalist@gmail.com

Comments

0 comments

Share This Article