ଇରାନ ଉପରେ ଇସ୍ରାଇଲର ଅତର୍କିତ ବିମାନ ଆକ୍ରମଣ (ଜୁନ୍ ୧୩,୨୦୨୫) ପରେ ଦୁଇ ଦେଶ ଭିତରେ ଯେଉଁ ସାମରିକ ସଂଘର୍ଷ କିଛି ଦିନ ଚାଲିଲା , ତାହା ଆମ ପିଲାମାନଙ୍କୁ ବେଶ୍ ବ୍ୟଥିତ କରିଥିଲା । ଗୋଟିଏ ପିଲାର ପ୍ରଶ୍ନଥିଲା ଯେ, “ସାରା ଦୁନିଆଟା ଆଜି କାହିଁକି ଏତେ ଅଶାନ୍ତ? କେଉଁଠି ବି ଲୋକେ ଶାନ୍ତିରେ ନାହାଁନ୍ତି । ଗାଜାରେ ନିରୀହ ପିଲା ଓ ମା ମାନେ ଇସ୍ରାଇଲ ଆକ୍ରମଣରେ ମରୁଛନ୍ତି । ସେମାନଙ୍କୁ ସାହାଯ୍ୟ କରିବାକୁ ଯାଉଥିବା ସ୍ୱେଚ୍ଛାସେବୀ ଓ ସାମ୍ବାଦିକମାନେ ବି ମୃତ୍ୟୁ ମୁହଁରେ ପଡ଼ୁଛନ୍ତି । ଏପଟେ ଋଷିଆ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ଏବେ ବି ଚାଲିଛି । ସେଠି ବି ନିରୀହ ପିଲାମାନେ ଓ ସେମାନଙ୍କର ମା’ ମାନେ ଅକାରଣରେ ମରୁଛନ୍ତି । ଭାରତ-ପାକିସ୍ଥାନ ତ ଯୁଦ୍ଧରେ ମାତିଥିଲେ । ଏବେ ଇସ୍ରାଇଲ-ଇରାନ ସଂଘର୍ଷରେ ନିରୀହ ଲୋକମାନଙ୍କ ଉପରେ ହିଁ ଆକ୍ରମଣ ଚାଲିଛି । ଅନେକ ଲୋକ ମଲେଣି । ଅନେକ ହସ୍ପିଟାଲ ମଧ୍ୟ ଧ୍ୱଂସ ହୋଇଗଲାଣି । ସବୁଆଡ଼େ ଅଶାନ୍ତି । ଆଉ କେତେ ଦିନ ପୃଥିବୀଟା ଏମିତି ଅଶାନ୍ତ ରହିବ? ଆମେ ପିଲାମାନେ କ’ଣ ଏଭଳି ଏକ ଅଶାନ୍ତ ପୃଥିବୀରେ ଜନ୍ମନେବା ଉଚିତ୍? ଆମ ଦେଶଟାକୁ ଟିକିଏ ଶାନ୍ତ କରାଇ ହୁଅନ୍ତା ନାହିଁ? ଯୁଦ୍ଧ ହେଉକି ନହେଉ ଏଠି ବି ଅଶାନ୍ତି ବଢ଼ି ଚାଲିଛି । ଜାତି ଧର୍ମ ନାଁରେ ତ ପ୍ରତିଦିନ ହିଂସା ଘୃଣା ବଢ଼ିଚାଲିଛି । ଏହି ସବୁର ସମାଧାନ କ’ଣ?
ପ୍ରଶ୍ନର ତାଲିକାଟି ତ ବହୁତ ବଡ଼ । ପିଲାଙ୍କ ମନରେ ଆଶଙ୍କା ଓ ଅନିଶ୍ଚିତତା ଯଦି ବସାବାନ୍ଧି ରହେ ତାହା ବଡ଼ମାନଙ୍କୁ ବିଚଳିତ କରିବା କଥା । ପ୍ରଶ୍ନ ତ ଆଗରୁ ଆସୁ ନଥିଲା । ଏବେ ପିଲାମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି । ଏହା ଏକ ଭଲ ଲକ୍ଷଣ, କିନ୍ତୁ ବଡ଼ମାନଙ୍କର ନିରବତା ଅତି ନୈରାଶ୍ୟଜନକ । ହ୍ୱାଟସଆପ୍ରେ ଆସୁଥିବା ଅଧିକାଂଶରେ ମିଛ କାହାଣୀଗୁଡ଼ିକୁ ଅନ୍ୟ ମାନଙ୍କୁ ପଠାଇବା ଏବଂ ତାକୁ ନେଇ ଚର୍ଚ୍ଚାକରିବା ଇତ୍ୟାଦିରେ ସମୟ ସବୁ ଚାଲିଯାଉଛି । ସତ କ’ଣ ଜାଣିବାପାଇଁ କଷ୍ଟ ବା କରିବେ କାହିଁକି? ସେହି ଦୃଷ୍ଟିରୁ ଦେଖିଲେ ପିଲାମାନଙ୍କ ପ୍ରଶ୍ନଗୁଡ଼ିକୁ ଶୁଣିବା, ତାହାର ଉତ୍ତର ଖୋଜିବା ଏବଂ ସେମାନଙ୍କର ହୃଦ୍ବୋଧ ହେଲାଭଳି ସବୁକଥା ସଠିକ୍ ଭାବେ ଜଣାଇବା ଆଜି ବଡ଼ମାନଙ୍କର କାର୍ଯ୍ୟସୂଚୀରେ ନାହିଁ । ତଥାପି ଚିନ୍ତାଶୀଳ ଲୋକମାନଙ୍କର ମନଟି ଆନ୍ଦୋଳିତ ହେବା ସ୍ୱାଭାବିକ । କାରଣ ପ୍ରଶ୍ନଗୁଡ଼ିକ ଆମେ ଏଡ଼ାଇ ଚାଲିଲେ ବି ତାହାର ଉତ୍ତର ଜାଣିବାର କୌତୁହଳ ପିଲାମାନଙ୍କ ମନରେ ରହିବ । ଯେତେବେଳେ ପିଲାମାନେ ନିଜ ପିଲାମାନଙ୍କ କଥା ଚିନ୍ତା କଲେଣି ଏବଂ ଏକ ଅଶାନ୍ତ ପୃଥିବୀରେ ନିଜ ପିଲାଙ୍କୁ ଜନ୍ମ ଦେବେ କି ନାହିଁ ଭାବିଲେଣି, ତାକୁ ଆମେ ଏକ ସତର୍କ ଘଣ୍ଟି ହିସାବରେ ବିଚାର କରିବା କଥା ।
ଗୋଟିଏ ତଥ୍ୟ ମୁତାବକ ସମଗ୍ର ବିଶ୍ୱର ଜନସଂଖ୍ୟା (ପ୍ରାୟ ୮ଶହ ୨୦କୋଟି)ର ୫୦ଭାଗରୁ ଉର୍ଦ୍ଧ ଅର୍ଥାତ୍ ୫୦ଟି ଦେଶର ୪ଶହ ୨୩କୋଟି ଲୋକ ସାମରିକ ସଂଘର୍ଷ ବା ଯୁଦ୍ଧଯୋଗୁଁ ସିଧାସଳଖ କ୍ଷତିଗ୍ରସ୍ତ ହୋଇଥିଲେ ଅବା ପ୍ରଭାବିତ ହୋଇଥିଲେ । ସେହି ଭିତରୁ ୨୦ଟି ଦେଶରେ ସାମରିକ ସଂଘର୍ଷ ଭୟଙ୍କର ସ୍ଥିତିରେ ଅଛି । ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାର ୪୫ଟି ଦେଶରେ ଏବେ ବି ସାମରିକ ସଂଘର୍ଷ ସକ୍ରିୟ ରହିଛି । ସେହି ଭିତରେ ଅଛି ସାଇପ୍ରସ୍, ଇଜିପଟ୍, ଇରାକ୍, ଇସ୍ରାଇଲ୍, ଲିବିୟା, ମରୋକ୍କୋ, ପାଲେସ୍ଥିନ୍, ସିରିୟା, ତୁର୍କୀ, ୟେମେନ୍, ପଶ୍ଚିମ ସାହାରା ଇତ୍ୟାଦି । ସିରିୟା ଭଳି କେତେକ ଦେଶରେ ନିଜ ଦେଶଭିତରେ ସରକାରଙ୍କ ସହ ଏବଂ ପରସ୍ପର ବିରୋଧରେ ସାମରିକ ଗୋଷ୍ଠି ସଂଘର୍ଷ ତୀବ୍ରଭାବରେ ଚାଲିଥିବା ଯୋଗୁଁ, ସବୁ ଜନସାଧାରଣ ଭୟଙ୍କର ଭାବରେ ପ୍ରଭାବିତ ହୋଇଅଛନ୍ତି । ବିଦେଶୀ ଶକ୍ତିମାନଙ୍କର ସବୁଥିରେ ହାତ । କେଉଁ ଦେଶ କେଉଁ ଗୋଷ୍ଠିକୁ ଯୁଦ୍ଧଅସ୍ତ୍ର ଯୋଗାଉଛି, ତାହା ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସିଛି । ଲୋକଙ୍କ ରକ୍ତରେ ଯୁଦ୍ଧ ଶିଳ୍ପ ନିଜର ବଜାର ବିସ୍ତାର କରିଚାଲିଛି । ସେହିଭଳି ଆଫ୍ରିକା ମହାଦେଶରେ ମଧ୍ୟ ପ୍ରାୟ ୩୫ଟି ସାମରିକ ସଂଘର୍ଷ ଚାଲିଥିବାର ସୂଚନା ମିଳୁଛି । ବୁର୍କିନା ଫାସୋ, କ୍ୟାମେରୁନ୍, କଙ୍ଗୋ, ଇଥୋପିଆ, ମାଲି, ମୋଜାମ୍ବିକ୍, ନାଇଜେରିଆ, ସେନେଗାଲ୍, ସୋମାଲିଆ, ଦକ୍ଷିଣ ସୁଦାନ୍ ଓ ସୁଦାନ୍ ଇତ୍ୟାଦି ଦେଶମାନେ ସାମରିକ ସଂଘର୍ଷର ଆଗଧାଡ଼ିରେ ଅଛନ୍ତି । ସେମାନେ ମଧ୍ୟ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଆଗରେ ରହି ଆସିଛନ୍ତି । କେତେକ ଦେଶରେ ପାଶ୍ଚାତ୍ୟ ଦେଶମାନେ ନିଜର ସାମରିକ ଶିଳ୍ପକୁ ମୁକୁଳା କରି ଦେଇଛନ୍ତି ସେମାନେ ଯେମିତି ଏହି ସାମରିକ ସଂଘର୍ଷ ଗୁଡ଼ିକୁ ଅଧିକ ଇନ୍ଧନ ଯୋଗାଇ ଚାଲିଥିବେ । ବଢ଼ୁଛି ଯୁଦ୍ଧ ଶିଳ୍ପ, ମରୁଛନ୍ତି ନିରିହ ଲୋକ । ତେବେ ଏସିଆ ମହାଦେଶ ମଧ୍ୟ ପଛରେ ନାହିଁ । ତଥ୍ୟ କହୁଛିଯେ ଏଠି ମଧ୍ୟ କେତେକ ଦେଶରେ ଏବଂ ଦେଶ ଦେଶ ଭିତରେ ୨୧ଟି ସାମରିକ ସଂଘର୍ଷ ଚାଲିଛି । ଆଫଗାନିସ୍ଥାନ, ମିଆଁମାର, ଫିଲିପାଇନ୍ସ୍, ପାକିସ୍ଥାନ ଏବଂ ଆମର ମହାନ୍ ଭାରତବର୍ଷ ଏହି ମାନଚିତ୍ରରେ ଅଛନ୍ତି । ଭାରତ ଓ ପାକିସ୍ଥାନ ଭିତରେ ଚାଲିଥିବା ସାମରିକ ସଂଘର୍ଷ କେବଳ ‘ଅପରେସନ୍ ସିନ୍ଦୁର’ରେ ସୀମିତ ନୁହଁ । ବର୍ଷତମାମ ଦୁଇ ଦେଶର ସୀମାରେ ଗୋଳାବାରୁଦ ବିନିମୟ ଅନବରତ ଚାଲିଛି । ଉଭୟଦେଶର ସୀମାନ୍ତ ଅଞ୍ଚଳର ଲୋକ ନିଜକୁ ଅଭିଶପ୍ତ ମଣୁଛନ୍ତି । ଅନ୍ୟପଟେ ଆମର ପଡ଼ୋଶୀ ଚୀନ୍ ସହିତ ମଧ୍ୟ ବେଳେବେଳେ ସଂଘର୍ଷ ଦେଖିବାକୁ ମିଳୁଛି ।
କୁହାଯାଉଥିଲା ଯେ ଆମେରିକା ଓ ପାଶ୍ଚାତ୍ୟ ଦେଶମାନଙ୍କର ଚକ୍ରାନ୍ତ ହେଉ ବା ସୋଭିଏତ୍ ସଂଘର ଆଭ୍ୟନ୍ତରୀଣ ଅନ୍ତଦ୍ୱର୍ନ୍ଦ୍ୱ ଯୋଗୁଁ ୧୫ଟି ସ୍ୱାଧିନ ଦେଶକୁ ନେଇ ଗଠିତ ସୋଭିଏତ୍ ରାଷ୍ଟ୍ର ସଂଘର ବିଲୟ ଘଟିବା ଫଳରେ ଦୁଇଟି ମହାଶକ୍ତି (ଗୋଟିଏ ଆମେରିକା ଏବଂ ଅନ୍ୟଟି ସୋଭିଏତ୍ ସଂଘ) ଭିତରୁ ଗୋଟିଏ ରହିବା ଫଳରେ ସାମରିକ ସଂଘର୍ଷକୁ ପ୍ରୋତ୍ସାହନ ଦେବାରେ ଆଉ ପ୍ରତିଯୋଗିତା ଦେଖିବାକୁ ମିଳିବ ନାହିଁ । ଡିସେମ୍ବର ୨୬, ୧୯୯୧ରେ ଆନୁଷ୍ଠାନିକ ଭାବେ ସୋଭିଏତ୍ ସଂଘର ବିଲୟ ଘୋଷଣା ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ସଂଘ ଅନ୍ତର୍ଭୂକ୍ତ ରାଷ୍ଟ୍ର ଏବଂ ୟୁରୋପର ସମାଜବାଦୀ ରାଷ୍ଟ୍ରଗୁଡ଼ିକ ଯଥା ପୂର୍ବ ଜର୍ମାନୀ, ଯୁଗୋସ୍ଲୋଭିୟା ଇତ୍ୟାଦି ଦେଶମାନଙ୍କର ବିଘଟନ ପର୍ବ ଆରମ୍ଭ ହୋଇସାରିଥିଲା । ସେହି ସମୟରେ ବିଶ୍ୱର ଯୁଦ୍ଧଶିଳ୍ପରେ ସାମୟିକ ବିରତି ଆସିଥିଲା । ଅସ୍ତ୍ରଶସ୍ତ୍ର ଉତ୍ପାଦନ ମଧ୍ୟ ହ୍ରାସ ପାଇଥିଲା ବା ସ୍ଥିର ରହିଥିଲା । ୧୯୮୫ରୁ ୧୯୯୦ ଭିତରେ ବିଶ୍ୱର ସାମରିକ ଉତ୍ପାଦନ ୫.୬ପ୍ରତିଶତରୁ ଖସିଆସି ୪.୩ ପ୍ରତିଶତରେ ପହଞ୍ଚିଥିଲା । ଏହି ପରିବର୍ତ୍ତନଟି ଉଭୟ ଉନ୍ନତଦେଶ ଏବଂ ବିକାଶଶୀଳ ଦେଶମାନଙ୍କର ସାମରିକ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ସମଗ୍ର ବିଶ୍ୱରେ ସାମରିକ ଉତ୍ପାଦନ ଖର୍ଚ୍ଚ ୯ଶହ ୪୧ବିଲିୟନ ଆମେରିକୀୟ ଡଲାରରେ ସ୍ଥିର ଥିଲା । ସୋଭିଏତ୍ ସଂଘର ବିଲୟପରେ ବିଶ୍ୱବ୍ୟାଙ୍କ ଓ ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠିକୁ ମାଧ୍ୟମ କରି ଆମେରିକା ଓ ବ୍ରିଟେନ ଯେଉଁ ଅର୍ଥନୈତିକ ସଂସ୍କାର ପର୍ବ (ଉଦାରୀକରଣ, ଘରୋଇକରଣ ଏବଂ ଜଗତୀକରଣ) ଭାରତ ସମେତ ବିଶ୍ୱର ଅଧିକାଂଶ ଉପନିବେଶବାଦରୁ ମୁକ୍ତ ହୋଇଥିବା ଦେଶମାନଙ୍କ ଉପରେ ଲଦିଦେଲେ, ସବୁକ୍ଷେତ୍ରରେ ଖର୍ଚ୍ଚ ବଢ଼ି ଚାଲିଲା । ସାମରିକ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ କମିବା ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ବଢ଼ିବଢ଼ି ଚାଲିଲା । ଅର୍ଥନୈତିକ ସଂସ୍କାର ପର୍ବର ୨୦ବର୍ଷ ଭିତରେ ଅର୍ଥାତ୍ ୨୦୧୦ ବେଳକୁ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ମୂଲ୍ୟ ଯାହା ୯୪୧ବିଲିୟନ ଡଲାର ଥିଲା, ୧୭୦୦ ବିଲିୟନ ଡଲାରରେ ପହଞ୍ଚିଲା । ୨୦୨୫ବେଳକୁ ଏହି ଯୁଦ୍ଧ ଶିଳ୍ପର ମୂଲ୍ୟଟି ଆସି ୨୪୬୦ବିଲିୟନ ଡଲାରରେ ପହଞ୍ଚିଲା (ଗୋଟିଏ ବିଲିୟନ ୧ଶହ କୋଟି ଏବଂ ଗୋଟିଏ ଡଲାରର ମୂଲ୍ୟ ୮୫ଟି ଭାରତୀୟ ଟଙ୍କା) । ଯାହା କୁହାଯାଉଥିଲାଯେ ଦୁଇ ମହାଶକ୍ତି ଭିତରୁ ଜଣଙ୍କର ବିଲୟ ପରେ ସାମରିକ ସଂଘର୍ଷ ତଥା ସାମରିକ ଉତ୍ପାଦନ ଖର୍ଚ୍ଚ କମିବ ଏବଂ ବିଶ୍ୱରେ ଜନମଙ୍ଗଳ କାର୍ଯ୍ୟ କରିବାପାଇଁ ରାଷ୍ଟ୍ର ମାନଙ୍କର ସରକାରମାନେ ସେହି ଅର୍ଥ ସୁବିଧାରେ ଖର୍ଚ୍ଚ କରିପାରିବେ, ତାହା ହେଲା ନାହିଁ । ଏବେତ ଆଗକୁ ତାହା ସମ୍ଭବ କି ନାହିଁ ଚିନ୍ତା ବି କରିହେଉ ନାହିଁ । ବିଶ୍ୱର ସବୁଠାରୁ ଅଧିକ ସାମରିକ ଖର୍ଚ୍ଚ ତାଲିକାଭୁକ୍ତ ରାଷ୍ଟ୍ରମାନଙ୍କ ଭିତରେ ଆମେରିକା, ଚୀନ୍ ଓ ଋଷିଆ ପଛରେ ରହିଛି ଭାରତ । ବିଶ୍ୱରେ ଯେଉଁ ସାମରିକ ଉତ୍ପାଦନ ଚାଲିଛି ଅସ୍ତ୍ରଶସ୍ତ୍ର ହେଉ ବା ଯୁଦ୍ଧ ସରଞ୍ଜାମ ଆମଦାନୀ କରିବା କ୍ଷେତ୍ରରେ ମଧ୍ୟ ‘ବସୁଧୈବ କୁଟୁମ୍ବକମ୍’ ଦର୍ଶନର ଭାରତ ସବୁଠାରୁ ଆଗରେ ଅଛି । ୨୦୨୩ସୁଦ୍ଧା ବିଶ୍ୱର ସାମରିକ ଉତ୍ପାନର ୯.୮ ପ୍ରତିଶତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ଆମଦାନୀ କରି ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ଥିଲା । ଆମେ ମୁଖ୍ୟତଃ ଫ୍ରାନ୍ସ, ଇସ୍ରାଇଲ୍, ଋଷିଆ, ଇଂଲଣ୍ଡ ଓ ଆମେରିକାରୁ ଏହି ସବୁ ସାମରିକ ଉତ୍ପାଦନ କିଣୁଥିଲେ ଏବଂ ଏବେ ବି କିଣୁଛନ୍ତି । ୨୦୨୫ରେ ଭାରତର ସାମରିକ ଖର୍ଚ୍ଚ ୮୧ବିଲିୟନ ଆମେରିକୀୟ ଡଲାର ବା ୬ଲକ୍ଷ ୮୧ହଜାର କୋଟି ଟଙ୍କାରେ ରହିବା ପାଇଁ ନିର୍ଦ୍ଧାରିତ କରାଯାଇଥିଲା । ଆମ ଆଗରେ ଅଛନ୍ତି କେବଳ ଆମେରିକା (୭୩୨ ବିଲିୟନ ଡଲାର) ଏବଂ ଚୀନ୍ (୨୬୧ ବିଲିୟନ ଡଲାର) । ମୋଦୀ ସରକାରଙ୍କର ଲକ୍ଷ୍ୟ ରହିଛି ଭାରତର ସାମରିକ ଖର୍ଚ୍ଚକୁ ତାଙ୍କର ଏହିଥରର ଶାସନକାଳ ସରିବା ପୂର୍ବରୁ (୨୦୨୯ ସୁଦ୍ଧା) ୪୧୫.୯ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ । ଭାରତର ସାମରିକ ଉତ୍ପାଦନର ସରକାରୀ ଭିତ୍ତିଭୂମି ଥିଲେ ବି ସବୁଖର୍ଚ୍ଚ ଯେ ସରକାରୀ କ୍ଷେତ୍ରରେ ହେଉଛି, ତାହା ନୁହେଁ । ମୋଦୀଙ୍କ ଶାସନକାଳରେ ପ୍ରତିରକ୍ଷାର ‘ପ’ ଅକ୍ଷର ଜାଣିନଥିବା ଘରୋଇ କମ୍ପାନୀମାନେ ଯୁଦ୍ଧଶିଳ୍ପରେ ସରକାରୀ କ୍ଷେତ୍ରକୁ ପଛରେ ପକାଇ ସରକାରୀ ପ୍ରୋତ୍ସାହନରେ ଆଗକୁ ଯିବା ଉଦ୍ୟମରେ ପ୍ରୟାସ ଜାରି ରଖିଛନ୍ତି । ସରକାରଙ୍କର ପୃଷ୍ଠପୋଷକତା ସର୍ବସାଧାରଣରେ ଦେଖାଯାଉଛି । ଏମିତିକି ଏମାନଙ୍କର କଥା ମାନି କାମ କରୁଥିବା ଗଣମାଧ୍ୟମ ମଧ୍ୟ ଘରୋଇ କମ୍ପାନୀମାନଙ୍କୁ ଯେମିତି ରହିବାପାଇଁ ଜନଗଣ ବୈଧତା ଯୋଗାଇବେ, ସେଥିପାଇଁ ପ୍ରୟାସ କରିଆସିଛନ୍ତି । ଦୈନିକ ଇଂରାଜୀ ଖବରକାଗଜ ‘ଦ ଇକୋନୋମିକ୍ ଟାଇମ୍ସ୍’ର ମେ ୧୭,୨୦୨୫ ଅନଲାଇନ୍ ସଂସ୍କରଣରେ ଲେଖାଟିଏ ବାହାରିଥିଲା । ସେଥିରେ ‘ଅପରେସନ୍ ସିନ୍ଦୁର’ ଅଭିଯାନରେ ଭାରତର ଏହି ଘରୋଇ କମ୍ପାନୀମାନେ କେମିତି ସେନାକୁ ସମର୍ଥ କରାଇଛନ୍ତି ଏବଂ ପ୍ରତିରକ୍ଷାର ଭବିଷ୍ୟତକୁ ବଦଳାଇବାକୁ ଯାଉଛନ୍ତି ତାହାର ଗୁଣଗାନ କରାଯାଇଥିଲା । ତାହା ପୂର୍ବରୁ ଫେବୃଆରୀ ୨୫ରେ ଅନ୍ୟ ଏକ ଖବରକାଗଜ ‘ବିଜିନେସ୍ ଷ୍ଟାଣ୍ଡାର୍ଡ଼’ର ଗୋଟିଏ ଲେଖାରେ ଘରୋଇ କମ୍ପାନୀମାନେ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରାଇ ପାରିବେ କି (?) ଏଭଳି ଏକ ପ୍ରଶ୍ନ ଆଳରେ ସମ୍ଭାବନାଟିକୁ ଉପସ୍ଥାପନ କରିଥିଲେ । ଗତ ୧୧ବର୍ଷ ଭିତରେ ଶୂନ୍ୟ ଅଭିଜ୍ଞତା ଥିବା ପ୍ରଧାନମନ୍ତ୍ରୀଙ୍କର ବନ୍ଧୁ ଘରୋଇ କମ୍ପାନୀ ମାନେ ଯେଉଁଭଳି ଭାରତର ପ୍ରତିରକ୍ଷାକ୍ଷେତ୍ରରେ ପ୍ରବେଶ କରିଚାଲିଛନ୍ତି, ସେଥିରେ ପ୍ରତିରକ୍ଷା ଖର୍ଚ୍ଚ ବଢ଼ିବା ସ୍ୱଭାବିକ । ତେବେ ବିଶ୍ୱରେ ଚୀନ୍କୁ ଛାଡ଼ିଦେଲେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରଟି ଘରୋଇ କମ୍ପାନୀମାନଙ୍କ ନିୟନ୍ତ୍ରଣରେ ରହିଆସିଛି ।
ଏଠି ଆମେରିକାର ୩୪ତମ ରାଷ୍ଟ୍ରପତି ଡ଼ି.ଡ଼ି.ଆଇଜନ୍ହାୱାର (୧୯୫୩-୧୯୬୧) ଜାନୁଆରୀ ୧୭,୧୯୬୧ଦିନ ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଯେଉଁ ବିଦାୟୀ ଭାଷଣଟି ଦେଇଥିଲେ ତାକୁ ଉଲ୍ଲେଖ କରିବା ଉପଯୁକ୍ତ ମନେହୁଏ । ଯଦିଓ ସେ ନିଜେ ଜଣେ ସେନାପତି ଥିଲେ ଓ ରାଷ୍ଟ୍ରପତି ହେବାର ବହୁ ପୂର୍ବରୁ ଆମେରିକା ସେନାବାହିନୀର ନେତୃତ୍ୱ ନେଇଥିଲେ; ସେ ଯେଉଁ ମନ୍ତବ୍ୟଟି ରଖିଥିଲେ ତାହା ଏବେ ସମଗ୍ର ବିଶ୍ୱ ଅନୁଭବ କରୁଛି । ସେ କହିଥିଲେ ଯେ ଆମେରିକାର ସଦ୍ୟତମ ବିଶ୍ୱ ସାମରିକ ସଂଘର୍ଷ ଯାଏଁ ନିଜ ଦେଶରେ କୌଣସି ଯୁଦ୍ଧ ଅସ୍ତ୍ରଶସ୍ତ୍ର ଶିଳ୍ପ ନଥିଲା । ତେବେ ଏହି ଶିଳ୍ପର ବିକାଶ ପାଇଁ ସେ ନିଜେ ଦାୟୀ ଥିଲେ ବି ସେ ନିଜ ସମୟକାଳ ଭିତରେ ଅନୁଭବ କଲେଯେ ସେନାବାହିନୀ ଏବଂ ସାମରିକ ଶିଳ୍ପ ଭିତରେ ଯେମିତି ଏକ ଅଘୋଷିତ ଗଠବନ୍ଧନ ହୋଇଯାଇଛି: ଯାହାକୁ ସେ ମିଲିଟାରୀ-ଇଣ୍ଡଷ୍ଟ୍ରିଆଲ୍ କମ୍ପ୍ଲେକ୍ସ ବୋଲି ଇଂରାଜୀରେ କହିଛନ୍ତି । ଏହି ଦୁଇ ଶକ୍ତି ମାନଙ୍କୁ ଦେଶବାସୀ ଯେମିତି ଅଧିକ ପ୍ରଭାବଶାଳୀ ନ ହେବେ ସତର୍କ ରହିବା ପାଇଁ କହିଛନ୍ତି । ଏହି ସାମରିକ-ଶିଳ୍ପ ଗୋଷ୍ଠୀ ଯେମିତି ଦେଶବାସୀଙ୍କର ଅଧିକାର ଓ ଗଣତାନ୍ତ୍ରିକ ପ୍ରକ୍ରିୟାଗୁଡ଼ିକୁ ବିପଦରେ ନ ପକାଇବେ ସେଥିପାଇଁ ସଜାଗ ରହିବା ପାଇଁ କହିଛନ୍ତି । କୌଣସି କଥାକୁ ଆମେ ସହଜରେ ନେବା କଥା ନୁହଁ ବୋଲି ସେ ଦେଶବାସୀଙ୍କୁ କହିଛନ୍ତି । କେବଳ ଗୋଟିଏ ସତର୍କ ଏବଂ ସଚେତନ ନାଗରିକ ସମୁଦାୟ ଏହି ଦୁଇଟି ଶକ୍ତି ଉପରେ ଚାପ ରଖିବା ପାଇଁ କାମ କରିପାରିବ; ଯାହା ଫଳରେ ନିରାପତ୍ତା ଓ ମାନବିକ ଅଧିକାର ତାଳଦେଇ ଚାଲିପାରିବେ । ସେ ଏହି ସବୁଥିରେ ସହଯୋଗ କରୁଥିବା ବୈଜ୍ଞାନିକ ଏବଂ ପ୍ରଯୁକ୍ତି ବିଦ୍ୟାର ସମ୍ଭ୍ରାନ୍ତ ଶ୍ରେଣୀଙ୍କୁ ମଧ୍ୟ ସମାଲୋଚନା କରିବା ପାଇଁ ପଛାଇ ନଥିଲେ । ତାଙ୍କର ଏହି ଭାଷଣର ୬୪ବର୍ଷ ପରେ ଆମେ ନିଜେ ହିସାବ କରି ଦେଖିପାରୁଛେ ଯେ କେମିତି ଏମାନେ ସମସ୍ତେ ମିଶି କେବଳ ଆମେରିକାରେ ନୁହଁ; ସମଗ୍ର ବିଶ୍ୱରେ ନିଜର ପତିଆରା ଜାହିର କରି ଚାଲିଛନ୍ତି । କଣ ପାଇଁ ଦେଶ ଦେଶ ଭିତରେ ବା ଗୋଟିଏ ଦେଶ ଭିତରେ ଭିନ୍ନ ଭିନ୍ନ ଗୋଷ୍ଠିମାନଙ୍କ ଦ୍ୱାରା ସାମରିକ ସଂଘର୍ଷ ଚାଲିଛି ତାହାର କାରଣଗୁଡ଼ିକ ନିରୀହ ଭାବେ ଖୋଜି ଚାଲିଥିବା ବେଳେ ଏକ କ୍ରମବର୍ଦ୍ଧିଷ୍ଣୁ ଯୁଦ୍ଧ ଶିଳ୍ପର ବଜାର ଯେ ନିଜର ଲାଭ ଓ ଲୋଭ ପାଇଁ ସମଗ୍ର ବିଶ୍ୱରେ ସାମରିକ ସଂଘର୍ଷକୁ ବଞ୍ଚାଇ ରଖିଛି । ଏଥିରେ ଶାନ୍ତି ବଳିପଡ଼ୁଛି ଏବଂ ନିରୀହ ଜନଗଣ ସମାଧି ନେଇ ଚାଲିଛନ୍ତି । ସେ ଚୀନ୍ ହେଉ ବା ଆମେରିକା ବା ଭାରତ କେଉଁଠି ବି ଯୁଦ୍ଧ ଅସ୍ତ୍ରଶସ୍ତ୍ର ଉତ୍ପାଦନ ମିଉଜିୟମ୍ ବା ସଂଗ୍ରହାଳୟରେ ସଂରକ୍ଷିତ ରଖିବାପାଇଁ କରାଯାଇ ନଥାଏ । ଆତ୍ମରକ୍ଷାର ବା ନିଜ ଦେଶର ସ୍ୱାର୍ଥର ସୁରକ୍ଷା ନାଁରେ ଗୋଟିଏ ବଡ଼ ଯୁଦ୍ଧବଜାର ସୃଷ୍ଟିକରିବା ହେଉଛି ଏମାନଙ୍କର ପ୍ରାଥମିକ ଲକ୍ଷ୍ୟ । ଗୋଟିଏ ଯୁଦ୍ଧ ଶିଳ୍ପର ବଜାର କେବେବି ଶାନ୍ତି ବା ମୈତ୍ରୀର ବାର୍ତ୍ତା ଦେଇପାରିବ ନାହଁ: ଶାନ୍ତି ପ୍ରତିଷ୍ଠା କରିବା ତ ଦୂରର କଥା । ଏକ ଯୁଦ୍ଧଶିଳ୍ପର ବଜାର ସାମରିକ ସଂଘର୍ଷକୁ ଇନ୍ଧନ ଯୋଗାଇବ, ଯୁଦ୍ଧ ପରିସ୍ଥିତି ଜାରିରଖିବା ପାଇଁ ସବୁପ୍ରକାର ଉଦ୍ୟମ ମଧ୍ୟ କରିଚାଲିବ: ନିରୀହ ମଣିଷମାନଙ୍କର ଜୀବନର ସୁରକ୍ଷା ଏମାନେ ତ ଦୂରର କଥା, ଏମାନଙ୍କର ପୃଷ୍ଠପୋଷକତାରେ ଚାଲିଥିବା ସରକାରମାନେ ବି କରିବେ ନାହିଁ । ସେଥିପାଇଁ ବିଶ୍ୱର ସବୁ ପ୍ରାନ୍ତରେ କେବଳ ନିରୀହ ମଣିଷ, ବିଶେଷକରି ଶିଶୁ ଓ ମହିଳାମାନଙ୍କର ଆର୍ତ୍ତନାଦ ହିଁ ଶୁଣିବାକୁ ମିଳିବ । ଅସମୟରେ ଏବଂ ଆକସ୍ମିକ ଭାବେ ଅନେକ ମଣିଷ କୌଣସି ଦୋଷ ନକରି ବଳିପଡ଼ିବେ ଏବଂ ସେମାନଙ୍କର ଶବ ଉପରେ ସରକାର ଗଢ଼ିବ, ଭାଙ୍ଗିବ କିନ୍ତୁ ସଂଘର୍ଷ ଜାରିରହିବ । ସମଗ୍ର ବିଶ୍ୱଟି ଏବେ ସମ୍ପୂର୍ଣ୍ଣ ଅରାଜକତା ଭିତରେ ଚାଲିଛି । ସଂଯୁକ୍ତ ରାଷ୍ଟ୍ର ଏବଂ ଏହାର ସମସ୍ତ ସଂଗଠନ ନିଷ୍ପ୍ରଭ ଓ ନିଷ୍କ୍ରିୟ ହୋଇଯାଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୧୯୪୫) ପରେପରେ ଏହି ଯୁଦ୍ଧରେ ଭାଗ ନେଇଥିବା ଆମେରିକା ସମେତ ମିତ୍ରଶକ୍ତିର ରାଷ୍ଟ୍ର ମାନଙ୍କ ଉଦ୍ୟମରେ ବିଶ୍ୱର ଅଧିକାଂଶ ଦେଶକୁ ନେଇ ଏକ ସଂଯୁକ୍ତ ରାଷ୍ଟ୍ର ସଂଗଠନ ତିଆରି କରାଯାଇଥିଲା (ଅକ୍ଟୋବର ୨୪,୧୯୪୫) । ଏହାର ମୂଳଲକ୍ଷ୍ୟ ଥିଲା ଅନ୍ତରାଷ୍ଟ୍ରୀୟ ସ୍ତରରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରାଇବା, ଦେଶଦେଶ ଭିତରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଢ଼ାଇବା, ଉପୁଯୁଥିବା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ କରିବା, ମାନବିକ ଅଧିକାରର ସୁରକ୍ଷା କରିବା, ଦେଶଦେଶ ଭିତରେ ସମନ୍ୱୟ ରକ୍ଷାକରି କାର୍ଯ୍ୟକ୍ରମମାନ ଆଗକୁ ନେବା । ଏହି ସଂଯୁକ୍ତ ରାଷ୍ଟ୍ରର ଛତ୍ର ବାହାରେ ରହିଲେ ଆମେରିକା ଓ ବ୍ରିଟେନର ପ୍ରଭାବରେ ଗଠିତ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠି ଏବଂ ଅନ୍ତରାଷ୍ଟ୍ରୀୟ ପୁନଃନିର୍ମାଣ ଓ ବିକାଶ ବ୍ୟାଙ୍କ (ବିଶ୍ୱ ବ୍ୟାଙ୍କ) । ବିଶ୍ୱର ଅର୍ଥନୈତିକ କାରବାର ଗୁଡ଼ିକୁ ଏମାନେ ପରିଚାଳିତ କରିବାରେ ଲାଗିଲେ । ଏମିତିକି ସଂଯୁକ୍ତ ରାଷ୍ଟ୍ରର ବିଭିନ୍ନ ସଂସ୍ଥା ମଧ୍ୟ ଏହି ଦୁଇଟି ସଂସ୍ଥାର ପ୍ରଭାବର ଊଦ୍ଧ୍ୱର୍ରେ ରହିପାରିଲେ ନାହିଁ । ଏମାନଙ୍କର ପତିଆରା ଏବେ ବି ଜାରିରହିଥିଲା ବେଳେ ସଂଯୁକ୍ତ ରାଷ୍ଟ୍ର ସଂଗଠନ ନିଜ ଜନ୍ମର ୮୦ବର୍ଷ ଭିତରେ ନିଷ୍ପ୍ରଭ ତଥା ଅପ୍ରାସଙ୍ଗିକ ହୋଇ ଚାଲିଛି । ଆମେରିକା ଏବଂ ଏହାର ଇଙ୍ଗିତରେ ପରିଚାଳିତ ରାଷ୍ଟ୍ରମାନେ ସଂଯୁକ୍ତ ରାଷ୍ଟ୍ରସଂଗଠନକୁ ଏକ ପ୍ରକାର ମୂଲ୍ୟହୀନ କରି ସାରିଛନ୍ତି । ଏହାର ନିରାପତ୍ତା ପରିଷଦ ବିଶ୍ୱରେ ସାମରିକ ସଂଘର୍ଷ ବନ୍ଦ କରାଇବା ବା ଶାନ୍ତି ପ୍ରତିଷ୍ଠା କରାଇବା ପାଇଁ କାମ କରିବା କ୍ଷେତ୍ରରେ ଅଦୌ ସକ୍ଷମ ଥିଲାଭଳି ପ୍ରମାଣ ମିଳୁନାହିଁ । ଗୋଟିଏ ପଟେ ଏଭଳି ଏକ ଅରାଜକତାରୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ଲାଭବାନ ହେଉଥିବା ବେଳେ, ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିରେ ଦୁର୍ବଳ ରାଷ୍ଟ୍ରମାନେ ଏକ ପ୍ରକାର ଅସହାୟତା ଭିତରେ ରହି ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ପତିଆରାକୁ ସହିବା ପାଇଁ ବାଧ୍ୟ ହେଉଛନ୍ତି ।
ବିଶ୍ୱରେ ଯେଉଁଠି ବି ଗଣତନ୍ତ୍ର ଅଛି ବୋଲି ମନେ କରାଯାଉଛି ସେଠି ମଧ୍ୟ ପୁଞ୍ଜିତନ୍ତ୍ର ଶାସନ ବ୍ୟବସ୍ଥାକୁ କବଳିତ କରି ରଖିଛି । ବିଭିନ୍ନ ଶିକ୍ଷା, ସାଂସ୍କୃତିକ ମାଧ୍ୟମ ତଥା ଗଣମାଧ୍ୟମକୁ ଆୟୁଧ୍ୟକରି ସମାଜର ଉଚ୍ଚ ଏବଂ ମଧ୍ୟମବର୍ଗର ଲୋକମାନଙ୍କର ମାନସିକତାକୁ ମଧ୍ୟ ନିୟନ୍ତ୍ରଣ କରାଯାଉଛି । ଏହାର ପରିଣାମସ୍ୱରୂପ ସାମରିକ ସଂଘର୍ଷର ପ୍ରଭାବ ଆମ ଉପରେ କିଭଳି ପଡ଼ୁଛି ଏବଂ ଆମ ପଛଧାଡ଼ି ଗୁଡ଼ିକରେ ଥିବା ଲୋକମାନେ ତାକୁ କିଭଳି ଅଙ୍ଗେ ନିଭାଉଛନ୍ତି, ସେକଥା ଆମେ ଆଦୌ ନିଜ ଚିନ୍ତା ଓ ଚେତନା ଭିତରକୁ ଆଣିପାରୁ ନାହାଁନ୍ତି । ଯୁଦ୍ଧ ନା କ୍ଷୁଧାର ସମାଧାନ କେଉଁଟା ଆମ ପାଇଁ ଅତି ଜରୁରୀ ସେଭଳି ବିଚାର କରିବାର ଶକ୍ତି ଆମେ ଏହି ପ୍ରକ୍ରିୟାରେ ହରାଇ ବସୁଛନ୍ତି । ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୨୭ଟି ଦେଶ ଭିତରେ ‘ବିଶ୍ୱଗୁରୁ’ ଭାରତର ସ୍ଥାନ ୧୦୫ । ୪୨ଟି ସାଙ୍ଘାତିକ ଖାଦ୍ୟ ସଂକଟ ଥିବା ଦେଶମାନଙ୍କ ଭିତରେ ସାମରିକ ସଂଘର୍ଷରେ ମାତିଥିବା ପାକିସ୍ଥାନ ଓ ଆଫଗାନିସ୍ଥାନ ସହ ଦକ୍ଷିଣ ଏସିଆରେ ଭାରତର ମଧ୍ୟ ସ୍ଥାନ ଅତି ଲଜ୍ଜାଜନକ ଅବସ୍ଥାରେ ଅଛି । ଆମଠାରୁ ଭଲ ଅବସ୍ଥାରେ ଅଛନ୍ତି ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା । ତଥାପି ଆମ ମନରେ ଟିକିଏ ବି ଚିନ୍ତା ବା ଅନୁଶୋଚନା ନାହିଁ । ଭଲକଥା, ପିଲାମାନେ ଆଜି ପ୍ରଶ୍ନ କରି ଆମକୁ ଚେତାଇ ଦେଉଛନ୍ତି ଯେ ଆମର ପ୍ରାଥମିକତା କ’ଣ ହେବା ଉଚିତ୍ । ଆମେ ଯେଉଁମାନେ ଏହି ପ୍ରଶ୍ନକୁ ସାମ୍ନାକରିବା ପାଇଁ ଆଗ୍ରହୀ ନୁହଁନ୍ତି ବା ଉତ୍ତର ଖୋଜିବାର ସାମୂହିକ ପ୍ରୟାସ ଭିତରେ ନାହାଁନ୍ତି, ଭବିଷ୍ୟତର ଇତିହାସ ଆମକୁ କେବେବି କ୍ଷମା କରିବ ନାହିଁ!
Comments
0 comments