ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ କିଛି ଲେଖିବା ପୂର୍ବରୁ ଏହା ରୋଚକ ହେବ ସ୍ମରଣ କରିବା ଯେ ସେ ତାଙ୍କ ନିଜ ସମ୍ପର୍କରେ କ’ଣ କୁହନ୍ତି । ସେ କୁହନ୍ତି, ‘ବୁଝିଲୁ ଯୋଷୀ, ମୋ ଜୀବନରେ କିଛି କରି ନାହିଁ, କି ଆତ୍ମଜୀବନୀ ଲେଖିବି? ମହାପୁରୁଷମାନଙ୍କୁ ସାଜେ । ଆମେ ସାଧାରଣ କର୍ମୀ ।’ ଏହା ସେ କହୁଥିଲେ ତାଙ୍କର ଜଣେ ଅତ୍ୟନ୍ତ ଅନୁରକ୍ତ ଦୟାଲାଲ ଯୋଷୀଙ୍କ ଅନୁରୋଧର ଉତ୍ତରରେ । ଅନୁରୋଧ ଥିଲା ଯେ ନବବାବୁ ଏକ ଆତ୍ମଜୀବନୀ ଲେଖନ୍ତୁ । ଦୟାଲାଲ ଆଶ୍ଚର୍ଯ୍ୟ ହେଉଥିଲେ, ‘ନୀଳଗିରି ପ୍ରଜା ଆନେ୍ଦାଳନର ନେତା, କଂଗ୍ରେସ ଓ ସମାଜବାଦୀ ଗୋଷ୍ଠୀର ଆଦ୍ୟ ପ୍ରତିଷ୍ଠିତା, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ, ଯଚା ଯାଇଥିବା ମାଡ୍ରାସ ରାଜ୍ୟପାଳ ପଦବୀ ପ୍ରତ୍ୟାଖାନ କରିଥିବା ଲୋକର ଦୁନିଆକୁ ଓ ଭବିଷ୍ୟତ ବଂଶଧରକୁ ପ୍ରେରଣା ଯୋଗାଇବା ପାଇଁ କ’ଣ କିଛି ଲେଖିବାର ନାହିଁ?’(ଦ୍ରଷ୍ଟବ୍ୟ:‘ବିସ୍ମୃତ ଦିନଗୁଡ଼ିକର କେତୋଟି ସ୍ମୃତି’ ଲେ:ଦୟାଲାଲ ଯୋଷୀ, ବିକାଶ (୧୩.୪.୧୯୮୯), ଜୀବନ ବିଦ୍ୟାଳୟ (ପୋଷ୍ଟ ବେସିକ ସ୍କୁଲ), ଚମ୍ପତ୍ତିମୁଣ୍ଡା, ଅନୁଗୁଳ ) ନିଜ ଦୃଷ୍ଟିରେ ‘ଜୀବନରେ କିଛି କରିନାହିଁ’ ନବକୃଷ୍ଣ ସିନା ଆତ୍ମଜୀବନୀ ଲେଖିଲେ ନାହିଁ ବା ନିଜ ଜୀବଦ୍ଦଶାରେ କାହାରିକୁ ତାଙ୍କ ଜୀବନୀ ଲେଖାଇ ଦେଲେନାହିଁ, କିନ୍ତୁ ତାଙ୍କର ମୃତ୍ୟୁପରେ ତାଙ୍କ ଉପରେ ଯେତିକି ଜୀବନୀ ପୁସ୍ତକ ଲେଖା ହେଲା, ତାହା ବୋଧେ ଓଡ଼ିଶାର ଆଉ କୌଣସି ମୁଖ୍ୟମନ୍ତ୍ରୀ ବା ସ୍ୱାଧୀନୋତ୍ତର ଓଡ଼ିଶାର କୌଣସି ରାଜନୈତିକ ବ୍ୟକ୍ତି ଉପରେ ଲେଖାଯାଇ ନାହିଁ । ଚିତ୍ତରଂଜନ ଦାସ, ପଦ୍ମଚରଣ ନାୟକ, ଅନାଦି ନାୟକ ଓ ବଳରାମ ମହାନ୍ତି ତ’ ହେଉଛନ୍ତି ନବବାବୁଙ୍କର ଜଣାଶୁଣା ଜୀବନୀ ରଚୟିତା । ବହୁ ତଥ୍ୟ ଓ ଅନୁଶୀଳନ ସମ୍ବଳିତ ଏହି ଜୀବନୀଗୁଡ଼ିକ । ଏହା ଛଡ଼ା ବହୁ ସ୍ମରଣିକା, ସଂକଳନ ରହିଛି ଯାହା ନବବାବୁଙ୍କ ସହ ସଂସ୍ମରଣର ବିବିଧତାରେ ବେଶ୍ ଧନୀ । ତେଣୁ ଏଠାରେ ମୁଁ ଯଥାସମ୍ଭବ ଚେଷ୍ଟା କରିବି ସେଗୁଡ଼ିକର ପୁନରାବୃତ୍ତି ନକରି, ମୁଁ ତାଙ୍କ ସମ୍ପର୍କରେ ସଂଗ୍ରହ କରିଥିବା କେତୋଟି ଘଟଣା, ତାଙ୍କ ସମ୍ପର୍କରେ ଆସିଥିବା କିଛି ବ୍ୟକ୍ତିଙ୍କର ସଂସ୍ମରଣକୁ ଏଠାରେ ଉପସ୍ଥାପିତ କରିବି ଯାହା ନବବାବୁଙ୍କ ବ୍ୟକ୍ତିତ୍ୱର ଐଶ୍ୱର୍ଯ୍ୟକୁ ପ୍ରତିପାଦିତ କରିବ ।
ପବ୍ଲିକ ପ୍ରପର୍ଟି ନବକୃଷ୍ଣ
ନବକୃଷ୍ଣ ଚୌଧୁରୀ ଭୂମିଷ୍ଠ ହୁଅନ୍ତି କଟକର ସମ୍ଭ୍ରାନ୍ତ ଚୌଧୁରୀ ପରିବାରରେ, ଯେତେବେଳେ ଶତାବ୍ଦୀ ଲେଉଟାଉଛି କଡ଼ ଓ ବିଂଶ ଶତାବ୍ଦୀ ପ୍ରବେଶ କରୁଛି । ବଢ଼ନ୍ତି ଏକ ପରିବେଶରେ ଯେତେବେଳେ କଟକ ସହରରେ ନାଗରିକ ଜୀବନ ଦାନା ବାନ୍ଧୁଥାଏ । ପିତା ଗୋକୁଳାନନ୍ଦ ଚୌଧୁରୀ ନେଉଥାନ୍ତି ଏକ ଅଗ୍ରଣୀ ଭୂମିକା ମଧୁସୂଦନ ଦାସଙ୍କ ନେତୃତ୍ୱରେ । ଉକ୍ରଳ ସମ୍ମିଳନୀ ସକ୍ରିୟ ହୋଇଥାଏ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଦାବିରେ । ବାଖରାବାଦ ଘର ହୋଇଥାଏ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କର ଏକ ମିଳନସ୍ଥଳୀ । କିଶୋର ନବକୃଷ୍ଣ ଦେଖୁଥାନ୍ତି ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ସମାଗମକୁ, ଶୁଣୁଥାନ୍ତି ସେମାନଙ୍କର କଥୋପକଥନକୁ, ଏକ ନୂତନ ଓଡ଼ିଶାଗଠନର ସଂକଳ୍ପକୁ । ତାଙ୍କରି ଭାଷାରେ ‘ପିଲାଦିନୁ ତ ଆମ ଘରେ ରାଜନୀତି ଚର୍ଚ୍ଚା ଚାଲିଥାଏ । ତେଣୁ ସେହି ବୟସରେ ଆମେ ଉକ୍ରଳ ସମ୍ମିଳନୀକୁ ସମସ୍ତଙ୍କ ସହିତ ଯାଉଥିଲୁ । ବୟସ ତ ହୋଇ ନଥିଲା ବୁଝିବାର କିଛି ତଥାପି ଯୋଗ ଦେଉଥିଲୁ । ସେତେବେଳେ ସ୍ୱରାଜ ଆନେ୍ଦାଳନ ମଧ୍ୟ ଚାଲୁଥାଏ । ଆମ ଘରକୁ ଆସୁଥାନ୍ତି ଆଚାର୍ଯ୍ୟ ମହାଶୟ । ଆମ ବାପା ଏବଂ ହିତାକାଂକ୍ଷୀମାନେ ମୋର ପାଠପଢ଼ା ନେଇ ତାଙ୍କର ମତାମତ ଚାହିଁଲେ । କେଉଁ ସ୍କୁଲରେ ଦେବା । କଲିଜିଏଟରେ ନାମ ଲେଖାଯାଇ ପାରୁ ନାହିଁ । ସରକାରୀ ସ୍କୁଲ କି ନା ! ପ୍ୟାରୀମୋହନ ଏକାଡେମୀରେ ନାମ ଲେଖା ସ୍ଥିରହେଲା ଏବଂ ସେଠାରେ ହିଁ ପଢ଼ିଲି । ୧୯୧୩ରେ ବୋଧେ ମୋର ନାମଲେଖା ହେଲା । କାରଣ ଯୁଦ୍ଧ ମୋ ନାମ ଲେଖା ପରେ ପରେ ହିଁ ଆରମ୍ଭ ହେଲା । ଏହି ସମୟରୁ ମୋର Conscious ରାଜନୈତିକ ଜୀବନ ଆରମ୍ଭ ହେଲା ବୋଲି କହି ପାରନ୍ତି ।’ (ଦ୍ରଷ୍ଟବ୍ୟ:ତାଙ୍କ ନିଜ ମୁହଁରୁ, ଶ୍ରଦ୍ଧାଞ୍ଜଳି, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪,ପୃ: ୧୭, ପାକ୍ଷିକ ‘ବାର୍ତ୍ତାବହ’(ସମ୍ପାଦକ-ଗୁରୁ ମହାନ୍ତି) ରୁ ଉଦ୍ଧୃତ) ଏହି କଥା ନବବାବୁ ଏକ ସାକ୍ଷାତକାରରେ କହିଥିଲେ, ଯେଉଁ ସାକ୍ଷାତକାର ମୁଁ ଓ ଗୁରୁବାବୁ (ଆଡଭୋକେଟ ଗୁରୁ ମହାନ୍ତି) ମାର୍ଚ୍ଚ ୫ତାରିଖ ୧୯୭୮ମସିହାରେ ବାଜିରାଉତ ଛାତ୍ରାବାସର ପରିସରରେ ନେଇଥିଲୁ । ଏହା ହିଁ ବୋଧହୁଏ ତାଙ୍କର ପ୍ରଥମ ଓ ଶେଷ ସାକ୍ଷାତକାର ଥିଲା । ପ୍ରଚାରବିମୁଖ ନବକୃଷ୍ଣଙ୍କ ଠାରୁ ଆମେ ଯେଉଁ କଷ୍ଟରେ ସାକ୍ଷାତକାର ଆଦାୟ କରିଥିଲୁ, ସେଥିରୁ ଆମେ ବୁଝିଛୁ ଯେ ତାଙ୍କଠାରୁ ଆମ ପୂର୍ବରୁ ବା ପରେ କାହିଁକି ସାକ୍ଷାତକାର ସମ୍ଭବ ହୋଇ ନଥିବ । ଗୁରୁ ବାବୁ ନଥିଲେ ଏହା ସମ୍ଭବ ହୁଅନ୍ତା ନାହିଁ । ତାଙ୍କର ନା, ନା କୁ ଗୁରୁ ବାବୁ ନାକଚ କଲେ ଗୋଟିଏ ଗର୍ଜ୍ଜନରେ- ‘ଆପଣ public property, ଅଲବତ ଆମକୁ ସାକ୍ଷାତକାର ଦେବେ ।’ ମନେ ପଡ଼ିଯାଉଛି ଏହା ଶୁଣି ନବବାବୁ ହସି ଥିବା ଖୋଲା ହସ ଓ ଘର ଭିତରେ ଥିବା ମାଳତୀ ଦେବୀଙ୍କ ଉଦେ୍ଦଶ୍ୟରେ ସମ୍ବୋଧନ-‘ଶୁଣୁଛ, ଗୁରୁ କହୁଛି ମୁଁ କାଳେ ଗୋଟିଏ public property ।’ ସେ ପ୍ରକୃତରେ ଲୋକଙ୍କ ସମ୍ପତ୍ତି ଥିଲେ । ଆଜିକା ଭାଷାରେ ଆମ୍ ଆଦ୍ମୀଙ୍କର ଥିଲେ । ଆଜିକା ଭଳି ସେ କେବେ ଘୋଷଣା କରି ନ ଥିଲେ ଯେ ସେ ସାଧାରଣ ଲୋକଙ୍କ ସାଙ୍ଗରେ ଅଛନ୍ତି, ଏହାର ଆବଶ୍ୟକତା ମଧ୍ୟ ନ ଥିଲା କାରଣ ସେ ପ୍ରବୃତ୍ତିଗତ ଭାବେ, ସାଧାରଣ ଲୋକଙ୍କ ସହ ଥିଲେ ଓ ତାଙ୍କ ସହ ବସା ଉଠା କରୁଥିବା ସାଧାରଣ ମଣିଷଙ୍କର ମଧ୍ୟ ଏହା ଥିଲା ଉପଲବ୍ଧି । ଚମ୍ପତ୍ତିମୁଣ୍ଡା ବିଦ୍ୟାଳୟର ଶିକ୍ଷକ ହରି ଗୁରୁଜୀ, ଏକ ସାକ୍ଷାତକାରେ ଏହି ଲେଖକକୁ କୁହନ୍ତି, ‘ଚମ୍ପତ୍ତିମୁଣ୍ଡା ବିଦ୍ୟାଳୟରେ ସେ ଏପରି ଅନ୍ତେବାସୀଙ୍କ ସହ ମିଶୁଥିଲେ ଯେ ତାଙ୍କ ପ୍ରତି କାହାର ଡର କି ଭୟ ନ ଥିଲା । ତାଙ୍କ ପ୍ରତି ଅନେକେ ତୁ ସମ୍ବୋଧନ ବ୍ୟବହାର କରୁଥିଲେ । ତାଙ୍କ ଆଚରଣ ଏତେ ସ୍ୱାଭାବିକ ଭାବେ ସରଳ ଥିଲା ଯେ ତାଙ୍କ ସହ ବସା ଉଠାବେଳେ କାହାରି ମନରେ ଏ ଭାବନା ଆସି ନାହିଁ ଯେ ସେ ଏକଦା ମୁଖ୍ୟମନ୍ତ୍ରୀ ଥିଲେ ବୋଲି ।’ ସାଧାରଣ ଲୋକର ହେବା ଓ କେବଳ ସାଧାରଣ ଲୋକର ହେବା ଯେପରି ତାଙ୍କ ବ୍ୟକ୍ତିତ୍ୱର ଥିଲା ଏକ ସ୍ୱାଭାବିକ ଦିଗ । ସେ ପ୍ରକୃତରେ ଲୋକଙ୍କ ସମ୍ପତ୍ତି ଥିଲେ, ଆଜିର ପିଢ଼ି ଯାହା ପାଇଁ ପବ୍ଲିକ ପ୍ରପର୍ଟି ବା ଲୋକଙ୍କ ସମ୍ପତ୍ତିକୁ ରାଜନୈତିକ ନେତା ଆତ୍ମସାତ୍ କରିବା ଏକ ସାଧାରଣ ଦୃଶ୍ୟ ହୋଇଛି, ସେ ପିଢ଼ି ପାଇଁ ନବବାବୁ ଏକ ବିସ୍ମୟବୋଲି ମନେହେବା ଅସ୍ୱାଭାବିକ ନୁହେଁ ।
ରାଜା-ଜମିଦାରଙ୍କ ଉପରେ କ୍ରୋଧ
ଏହାହିଁ ବୋଧେ କାରଣ ଯେ ସେ ଏକ ଜନସଭାରେ ସାଧାରଣ ଲୋକଙ୍କର ଶୋଷକ ରାଜା , ଜମିଦାରଙ୍କୁ ‘ଶଳା’ବୋଲି ସମ୍ବୋଧନ କରି କଟକ ସହରର ପ୍ରମୁଖ ନାଗରିକ ଗୋଷ୍ଠୀକୁ ସ୍ତବ୍ଧ କରି ଦେଇଥିଲେ । ଏହି ଘଟଣାକୁ ସ୍ମରଣ କରି ସୁରେନ୍ଦ୍ରନାଥ ଦ୍ୱିବେଦୀ ଲେଖନ୍ତି, ‘କାଲିଭଳି ମନେ ପଡୁଛି, ୧୯୩୭ ମସିହା ସେପ୍ଟେମ୍ବର ପହିଲାରେ କଟକ ମ୍ୟୁନିସିପାଲଟି ପଡ଼ିଆରେ, ପ୍ରଥମ ଚାଷୀ ମେଳାରେ ସମାଜର ଗଣ୍ୟମାନ୍ୟ ତଥାକଥିତ ଶିକ୍ଷିତ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସେ ଜମିଦାର ଶ୍ରେଣୀକୁ ଯେତେବେଳେ ‘ଶଳା’ବୋଲି ସମ୍ବୋଧନ କଲେ, କିପରି ହେଲା ନାସିକା କୁଂଚନ, ସମ୍ବାଦପତ୍ରରେ ମନ୍ତବ୍ୟ ହେଲା- ‘ଅଶୋଭନୀୟ ଆଚରଣ’ ‘ଅମାର୍ଜିତ ଭାଷା’ ଇତ୍ୟାଦି । ଏହା ପଢ଼ି ସେ ହୋଇଥିଲେ ଆନନ୍ଦିତ । ଠିକଣା ପ୍ରତିକ୍ରିୟା ହୋଇଛି । କାହା ସହିତ ସଂଘର୍ଷ କରିବାକୁ ପଡ଼ିବ ଏବଂ କିଭଳି ତୁଣ୍ଡବାଣ ପେଷଣ ହୋଇପାରେ ବୁଝନ୍ତୁ ତଥାକଥିତ ସମାଜର ସୁସ୍ଥ ଆସନରେ ଆସୀନ ପ୍ରଜା ଶୋଷଣରେ ପୁଷ୍ଟ ଅଧିକାରୀ ଗଣ ।’(ଦ୍ରଷ୍ଟବ୍ୟ: ଅତୁଳନୀୟ, ଲେ: ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଶ୍ରଦ୍ଧାଞ୍ଜଳି, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪,ପୃ: ୧୩୯) ଏହି ଜମିଦାରଶ୍ରେଣୀର ସୁବିଧା ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମହତାବଙ୍କଠାରେ ବ୍ୟାକୁଳତା ଦେଖି, ସେ ୧୯୪୮ରେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୋଲି କୁହନ୍ତି ତାଙ୍କର ଅତି ପ୍ରିୟ ଅନୁଯାୟୀ ଜୟକୃଷ୍ଣ ମହାନ୍ତି, ଏହିଲେଖକକୁ ଦେଇଥିବା ଏକ ସାକ୍ଷାତକାରରେ । ଜୟକୃଷ୍ଣ କୁହନ୍ତି, ‘୧୯୪୮ ମସିହାରେ ସେ (ନବକୃଷ୍ଣ) ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ସାଧାରଣ ଧାରଣା ଯେ ସେ ପୁତ୍ରଶୋକ ଯୋଗୁଁ ଇସ୍ତଫା ଦେଲେ । କିନ୍ତୁ ମୁଁ ଯାହା ଜାଣେ ସେଟା ମୂଳ କାରଣ ନୁହେଁ । ମୂଳ କାରଣ ମହତାବଙ୍କ ସହ ମତ ପାର୍ଥକ୍ୟ । ସେଇଟା ସ୍ପଷ୍ଟ ହୋଇଯିବ ଯଦି ଆମେ ଜମି ଜମା କମିଟିର ରିପୋର୍ଟରେ ଥିବା ମହତାବଙ୍କର ଓ ନବକୃଷ୍ଣଙ୍କର ଆଭିମୁଖ୍ୟ ଦେଖିବୁ । ମହତାବ ସେତେବେଳେ ଜମିଦାରମାନଙ୍କୁ ସମୁଦାୟ ଲୋପ କରିଦେବା ଚାହୁଁ ନ ଥିଲେ । ରାଜାମାନଙ୍କୁ ଯେମିତିଆ ଭତ୍ତା ଦିଆଯାଉଛି, ସେମିତିଆ ବ୍ୟବସ୍ଥା ଜମିଦାରଙ୍କ ପାଇଁ ହେଉ ବୋଲି ସେ ଚାହୁଁ ଥିଲେ । ନବକୃଷ୍ଣ ଚୌଧୁରୀ ଜମିଦାରମାନଙ୍କ ସତ୍ତାକୁ ଲୋପ କରିଦେବା ଚାହୁଁ ଥିଲେ ।’ ମହତାବ ମଧ୍ୟ ପରୋକ୍ଷରେ ଏହାର ସୂଚନା ଦିଅନ୍ତି ଯେତେବେଳେ ସେ ତାଙ୍କ ଆତ୍ମଜୀବନୀ ‘ସାଧନାର ପଥେ’ (ପୃ-୩୫୯) ରେ ଲେଖନ୍ତି ଯେ, ‘୧୯୪୮ ଏପ୍ରିଲ ୨୩ ତାରିଖରେ ଶ୍ରୀ ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ଅବଶ୍ୟ ତାଙ୍କର ଏକମାତ୍ର ପୁତ୍ରର ଆତ୍ମହତ୍ୟା ଏ ଇସ୍ତଫାର କାରଣ ଥିଲା ବୋଲି ସେ କହିଲେ । କିନ୍ତୁ ମୋ ମନର ଏକ କୋଣରେ ପ୍ରଚ୍ଛନ୍ନ ସନେ୍ଦହ ରହିଗଲା ଯେ ସେ ମନ୍ତ୍ରିମଣ୍ଡଳରେ ସୁସ୍ଥ ଅନୁଭବ କଲେ ନାହିଁ । ଯେଉଁମାନଙ୍କ ସହିତ କଂଗ୍ରେସ ସମାଜବାଦୀ ଦଳ ଗଠନ, ଗଡଜାତ ଆନେ୍ଦାଳନ ଇତ୍ୟାଦି କରି ଆସିଥିଲେ, ସେମାନେ ମୋ ଠାରୁ ନିଜକୁ ଅଲଗା କରିନେଇଥିଲେ; ଯଥା-ମାଳତୀ ଦେବୀ, ସାରଙ୍ଗଧର ବାବୁ ଇତ୍ୟାଦି । ସମସ୍ତଙ୍କୁ ସବୁକଥା ପଚାରି ବୁଝାଇ ଏକମତ କରାଇ ହୁଏତ ମୁଁ କରିପାରିଲି ନାହିଁ । ’ ପୁତ୍ରର ଆତ୍ମହତ୍ୟା ଯେ ଏକ ମାତ୍ର କାରଣ ନଥିଲା, ତାହା ମଧ୍ୟ ଜଣାପଡ଼େ ନବବାବୁଙ୍କର ବକ୍ତବ୍ୟରୁ ଯେତେବେଳେ ସେ କୁହନ୍ତି,‘…..ମୁଁ ୧୯୪୮ରୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲି । କାରଣ ଆମେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯାହା ସବୁ ଭାବି ଚାଲିଥିଲୁ, ମୁଁ ଦେଖିଲି ମନ୍ତ୍ରିମଣ୍ଡଳରେ ସେ ଆଭିମୁଖ୍ୟ ରହିପାରିଲା ନାହିଁ, ବରଂ ଠିକ୍ ଓଲଟା ହେଲା । ତେଣୁ ଲୋକଙ୍କ ସହ କିଛି ସମ୍ପର୍କ ରହିଲା ନାହିଁ । ସବୁ ମୂଳରେ ଲୋକ । ସେମାନେ ଯଦି ତାଙ୍କ ବଳ ଅନୁଭବ ନକରନ୍ତି, ସେମାନେ ଯଦି ନ ଭାବନ୍ତି ଯେ ସେମାନେ ହିଁ ମୂଳ ତା’ହାଲେ ସ୍ୱରାଜ୍ୟ କଣ ହେଲା ? ସେତେବେଳେ ଠିକ୍ ଗାନ୍ଧୀଙ୍କର ହତ୍ୟା ଓ ମୋ ପୁଅର ମୃତ୍ୟୁ ପ୍ରାୟ ଏକ ସଂଗରେ ହେଲା । ମୁଁ ବଡ଼ ବିବ୍ରତ ହୋଇ ପଡିଥିଲି । ତାହାରି ଭିତରେ ରାଜନୀତି ପ୍ରତି ଗୋଟିଏ ୟସଗ୍ଦସକ୍ଷକ୍ଷଙ୍କଗ୍ଦସକ୍ଟଦ୍ଭଜ୍ଞରଦ୍ଭଗ୍ଧ ମଧ୍ୟ ତୀବ୍ର ହେଉଥାଏ । ମୋର ଧାରଣା ହେଲା ଯେ ଆମର ରାଜନୀତିରେ ରହିବାଟା ଭୁଲ ।’ (ଦ୍ରଷ୍ଟବ୍ୟ:ତାଙ୍କ ନିଜ ମୁହଁରୁ, ଶ୍ରଦ୍ଧାଞ୍ଜଳି, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪,ପୃ: ୧୭, ପାକ୍ଷିକ ‘ବାର୍ତ୍ତାବହ’(ସମ୍ପାଦକ-ଗୁରୁ ମହାନ୍ତି) ରୁ ଉଦ୍ଧୃତ) କିନ୍ତୁ ନିଜେ ମୁଖ୍ୟମନ୍ତ୍ରୀ ଥିବାବେଳେ, ନବକୃଷ୍ଣ ଏହି ଜମିଦାରବର୍ଗର ସୁବିଧା ସୁଯୋଗ ଉପରେ କଟକଣା ଲାଗୁ କରିବାକୁ ଯାଇ ଅଦାଲତ ଅବମାନନା ଅଭିଯୋଗରେ ମକଦ୍ଦମାର ସମ୍ମୁଖୀନ ହେଲେ । ଜଣେ ଜମିଦାରଙ୍କ ସପକ୍ଷରେ ଓ ସରକାରଙ୍କ ଭୂ-ସଂପର୍କିତ ସର୍ବେକ୍ଷଣ ବିରୁଦ୍ଧରେ ଯାଇଥିବା ଏକ ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବା ଓ ତତ୍ସହିତ ବିଧାନସଭାରେ ଏକ ନୂତନ ଆଇନ କରିବା ଯାହାଦ୍ୱାରା ହାଇକୋର୍ଟ ନିଷ୍ପତ୍ତି ଅକାମୀ ହୋଇଯିବ, ବିଧାନସଭାରେ ବେଶ୍ ଉଷ୍ଣତା ସୃଷ୍ଟି କରିଥିଲା । ବିଧାୟକ ନିଶାମଣି ଖୁଣ୍ଟିଆଙ୍କୁ ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବକୃଷ୍ଣ କହିଥିଲେ (୮ମାର୍ଚ୍ଚ ୧୯୫୬), ‘ଯଦିବା ଆମେ ପୂର୍ବ ପଦକ୍ଷେପଗୁଡିକୁ ବିଧିସିଦ୍ଧ କରିଦେଉ, ତଥାପି ଭବିଷ୍ୟତ ପାଇଁ ସୁପ୍ରିମକୋର୍ଟ ଯିବାର ଆବଶ୍ୟକତା ଅଛି । ବର୍ତ୍ତମାନ ଆମର ସମ୍ବିଧାନ ହେଉଛି ନୂଆ, ହାଇକୋର୍ଟ ମଧ୍ୟ ନୂଆ । ଅନେକ କ୍ଷେତ୍ରରେ ହାଇକୋର୍ଟର ଅପରିପକ୍ୱତା ବେଶ୍ ଦେଖାଯାଇଛି । ଅନେକ କ୍ଷେତ୍ରରେ ହାଇକୋର୍ଟ ନିଷ୍ପତ୍ତି ସୁପ୍ରିମକୋର୍ଟ ଦ୍ୱାରା ସଂଶୋଧିତ ହୋଇଛି । ସୁପ୍ରିମକୋର୍ଟ ମଧ୍ୟ ଅନେକ କ୍ଷେତ୍ରରେ ହାଇକୋର୍ଟ ତାଙ୍କର କ୍ଷମତା ଅପବ୍ୟବହାର କରିଛନ୍ତି ବୋଲି ମତ ଦେଇଛନ୍ତି ।’ ଏହି ବକ୍ତବ୍ୟକୁ ଖବରକାଗଜ ‘ମାତୃଭୂମି’ ତାର ପୃଷ୍ଠାରେ ୧୦ମାର୍ଚ୍ଚ ୧୯୫୬ ଦିନ ପ୍ରକାଶ କରିଥିଲା । ରାଜା-ମହାରାଜାଙ୍କ ଦଳ ଗଣତନ୍ତ୍ର ପରିଷଦରେ ସକ୍ରିୟ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ୧୬.୩.୧୯୫୬ ଦିନ ଉପରୋକ୍ତ ମନ୍ତବ୍ୟ ପାଇଁ ନବକୃଷ୍ଣ ଓ ଖବରକାଗଜ ‘ମାତୃଭୂମି’ ବିରୋଧରେ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାଏର କଲେ । ଏଠି ସ୍ମରଣ କରାଯାଇପାରେ ଯେ ସୁରେନ୍ଦ୍ର ମହାନ୍ତି ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବେ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିଥିଲେ ଓ ୫ଏପ୍ରିଲ ୧୯୫୭ରୁ ୩୧ମାର୍ଚ୍ଚ୧୯୬୨ଯାଏ ଲୋକସଭା ସଦସ୍ୟ ଥିଲେ । ଏହି ଅଭିଯୋଗ ଉପରେ ରାୟ ପ୍ରକାଶ ପାଇଲା ୨୬ ଫେବୃଆରୀ ୧୯୫୮ ଦିନ । ସେତେବେଳକୁ ନବବାବୁ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି । ମାନ୍ୟବର ବିଚାରପତି ଦ୍ୱୟ (ଆର.ଏଲ୍.ନରସିଂହମ ଓ ସତ୍ୟଭୂଷଣ ବର୍ମନ) ନବବାବୁଙ୍କର ବିଧାନସଭାରେ ପ୍ରଦତ୍ତ ଉକ୍ତିକୁ ତର୍ଜମା କରି ଦର୍ଶାଇଲେ ଯେ ଉକ୍ତିଟି ଅଦାଲତର ଅବମାନନା କରୁଛି । ଏହା ଉଚ୍ଚନ୍ୟାୟାଳୟର ପ୍ରଭୂତ୍ୱକୁ କ୍ଷୁଣ୍ଣ କରୁଛି ଓ ବିଚାରପତିଙ୍କ ପ୍ରତି ଅବମାନନା ପ୍ରଦର୍ଶନ କରୁଛି । କିନ୍ତୁ ଅଦାଲତ ଅବମାନନା ଅଭିଯୋଗ ନବକୃଷ୍ଣଙ୍କ ବିରୁଦ୍ଧରେ ଲାଗି ପାରିବ ନାହିଁ କାରଣ ସେ ଏହି ବକ୍ତବ୍ୟ ବିଧାନସଭାରେ ଦେଇଛନ୍ତି ଓ ସମ୍ବିଧାନର ଧାରା ୧୯୪(୨) ଅନୁସାରେ ସେ ସୁରକ୍ଷିତ । ‘ମାତୃଭୂମି’ କିନ୍ତୁ ଦଣ୍ଡିତହେଲା । କାରଣ ଧାରା ୧୯୪(୨) ତା ସପକ୍ଷରେ ନଥିଲା । ଏହି ପ୍ରସଙ୍ଗରେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ନବବାବୁ ଏହି ମକଦ୍ଦମାରେ କୌଣସି ସତ୍ୟପାଠ ଦାଖଲ କରି ନଥିଲେ, ‘ମାତୃଭୂମି’ ମଧ୍ୟ ଦାଖଲ କରିନଥିଲା । ମାନ୍ୟବର ବିଚାରପତିଦ୍ୱୟ ବିଚାରବେଳେ ଚାହିଁଥିଲେ ଯେ ନବବାବୁ ସତ୍ୟପାଠ ଦାଖଲ କରନ୍ତୁ ଓ କୁହନ୍ତୁ କେଉଁ ପରିସ୍ଥିତିରେ ସେ ଏ ଭଳି ମନ୍ତବ୍ୟ କରିଥିଲେ । ତଥାପି ନବବାବୁ ଏହା କଲେନାହିଁ । ସେ ଅବମାନନା କରନାହାନ୍ତି ଏହା ଥିଲା ତାଙ୍କର ଉତ୍ତର ଓ ଆଇନାନୁସାରେ ଏହାର ବିଚାର ହେଉ ବୋଲି ସେ ଚାହିଁ ଥିଲେ । ଯେତେବେଳେ ନବବାବୁ ସତ୍ୟପାଠ ଜରିଆରେ କହୁନାହାନ୍ତି କେଉଁ ପରିସ୍ଥିତିରେ ସେ ଏପରି ବକ୍ତବ୍ୟ ବିଧାନସଭାରେ ଦେଲେ, ସେତେବେଳେ ମାନ୍ୟବର ବିଚାରପତି ଦ୍ୱୟଙ୍କର ନିମ୍ନୋକ୍ତ ମନ୍ତବ୍ୟ ଦର୍ଶାଏ ନବବାବୁଙ୍କ ପ୍ରତି ସମ୍ମାନ କେଉଁ ସ୍ତରର ଥିଲା । ସେମାନେ ଯେପରି ଦୃଢ଼ ନିଶ୍ଚିତ ଥିଲେ ଯେ ନବକୃଷ୍ଣ ତାଙ୍କର ଭାଷଣରେ ଯେଉଁ ଅବମାନନାସୂଚକ ମନ୍ତବ୍ୟ ଦେଇଛନ୍ତି ତାହା ସେ ଏକ ଶାନ୍ତ ପରିବେଶ ଭିତରେ ଦେଇନଥାନ୍ତେ ଓ ପରିବେଶକୁ ଅଶାନ୍ତ କରିବା ପାଇଁ ସେ ଦାୟୀ ନଥିଲେ । ଆର.ଏଲ. ନରସିଂହମଙ୍କ ଭାଷାରେ, ‘Presumably the sudden interruption of his speech by Nishamani Khuntia irritated him and made him use words which he might not have used in calmer atmosphere.’ ସତ୍ୟଭୂଷଣ ବର୍ମନଙ୍କ ଭାଷାରେ, ‘It appears that by way of stating to the house objects and necessity for the bill, Sri Chaudhury expressed the urgency of the bill in a manner and in such language, which then perhaps the exigencies of the situation required and has become the subject matter of the present controversy.’’ ଅର୍ଥାତ୍ ବିଚାରପତି ବର୍ମନଙ୍କ ଭାଷାରେ , ‘ବିଧେୟକର ଉଦ୍ଦେଶ୍ୟ ଓ ଅପରିହାର୍ଯ୍ୟତାକୁ ନେଇ ଗୃହରେ ବକ୍ତବ୍ୟ ରଖିବାବେଳେ ଶ୍ରୀଯୁକ୍ତ ଚୌଧୁରୀ ବୋଧହୁଏ ସେହି ସମୟରେ ଉପୁଜିଥିବା ପରିସ୍ଥିତିର ଆବଶ୍ୟକତା ଦୃଷ୍ଟିରୁ ଏପରି ଭାଷା ପ୍ରୟୋଗ କରିଛନ୍ତି ଯାହା ବିତର୍କିତ ହୋଇଛି ।’ (ଦ୍ରଷ୍ଟବ୍ୟ: ନବକୃଷ୍ଣ ଓ ଅଦାଲତ ଅବମାନନା, ଲେ: ବୀରେନ୍ଦ୍ର ନାୟକ, ଜନତନ୍ତ୍ର, ଅଗଷ୍ଟ(ପ୍ରଥମାର୍ଦ୍ଧ) ୨୦୧୨) ବିଚାରପତି ଦ୍ୱୟଙ୍କର ଏହି ଭଳି ମନ୍ତବ୍ୟ ଯାହା ନବବାବୁଙ୍କର ବକ୍ତବ୍ୟର କାରଣ ସ୍ଥିର କରୁଛି, ଯାହା ନବବାବୁ ତାଙ୍କ ସତ୍ୟପାଠରେ ହୁଏତ ଦେଇଥାନ୍ତେ, ଦର୍ଶାଉଛି ନବବାବୁଙ୍କ ପ୍ରତି ଗଭୀର ସମ୍ମାନବୋଧ । ଅପରପକ୍ଷରେ ଏହା ମଧ୍ୟ ଦର୍ଶାଉଛି ନବବାବୁଙ୍କର ରଜା ଜମିଦାର ଉପଭୋଗ କରୁଥିବା ସୁବିଧା ସୁଯୋଗ ପ୍ରତି କଠୋର ମନୋଭାବ, ଯାହାର ଉଚ୍ଛେଦରେ ସେ ଦେଖୁଥିଲେ ସାମାଜିକ ବୈ÷ଷମ୍ୟର ବିଲୟ । ସାମାଜିକ ବୈଷମ୍ୟର ପ୍ରତୀକଭାବେ ସେ ରାଜା ଜମିଦାରଙ୍କୁ ବିଚାର କରୁଥିଲେ । ତାଙ୍କୁ ସାଧାରଣ ମଣିଷ ସ୍ତରକୁ ଆଣିବା ଉଦ୍ୟମରେ ସେ ଦୃଢ଼ ଥିଲେ । ତେଣୁ ସେମାନଙ୍କ ଉଦେ୍ଦଶ୍ୟରେ ଅପଶବ୍ଦର ପ୍ରୟୋଗ ଦ୍ୱାରା ସେ ଅନୁତପ୍ତ ହେଉ ନ ଥିଲେ ବା ସେମାନଙ୍କୁ ସେମାନେ ଉପଭୋଗ କରୁଥିବା ସୁବିଧା ସୁଯୋଗରୁ ବଂଚିତ କରିବାପାଇଁ ଅଦାଲତ ଅବମାନନାକୁ ଭ୍ରୂକ୍ଷେପ କରୁ ନ ଥିଲେ । ଏହି ଅଦାଲତ ଅବମାନନା ପ୍ରସଙ୍ଗରେ କେତୋଟି ସୂଚନା ଉଲ୍ଲେଖନୀୟ । ଯେଉଁ ରାୟବିରୁଦ୍ଧରେ ମତ ଦେଇ ନବକୃଷ୍ଣ ଅଦାଲତ ଅବମାନନା ଅଭିଯୋଗର ସମ୍ମୁଖୀନ ହୋଇଥିଲେ, ସେ ରାୟ ଦେଇଥିଲେ ତକ୍ରାଳୀନ ମୁଖ୍ୟ ବିଚାରପତି (୪.୩.୧୯୫୩ ରୁ ୨୧.୩.୧୯୫୬) ଲିଙ୍ଗରାଜ ପାଣିଗ୍ରାହୀ ଓ ସୌରୀପ୍ରସାଦ ମହାପାତ୍ରଙ୍କର ଖଣ୍ଡପୀଠ । ସୁରେନ୍ଦ୍ର ମହାନ୍ତି ଅଦାଲତ ଅବମାନନା ଅଭିଯୋଗ ମାନ୍ୟବର ହାଇକୋର୍ଟ ଦୃଷ୍ଟିକୁ ଆଣିଲା ବେଳେ (୧୬.୩.୧୯୫୬) ଲିଙ୍ଗରାଜ ପାଣିଗ୍ରାହୀ ହାଇକୋର୍ଟର ପ୍ରଧାନ ବିଚାରପତି ପଦରେ ଥିଲେ । ନବବାବୁଙ୍କୁ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପରିସ୍ଥିତି ସୃଷ୍ଟି କରିଥିବା ହରେକୃଷ୍ଣ ମହତାବ ୧୯୫୭ ମସିହାରେ ଯେତେବେଳେ ତାଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠନ କଲେ, ସେତେବେଳେ ଏହି ଲିଙ୍ଗରାଜ ପାଣିଗ୍ରାହୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ (ଦ୍ରଷ୍ଟବ୍ୟ:ସ୍ମୃତି ଓ ଅନୁଭୂତି, ଲେ-ନୀଳମଣି ରାଉତରାୟ,ପୃ-୩୦୨, ଦ୍ୱିତୀୟ ସଂସ୍କରଣ, ୨୦୦୧) ଏହା ଏକ ସଂଯୋଗ ଥିଲା କି ତାଙ୍କ ସମର୍ଥକ ଓ ନବବାବୁଙ୍କ ବିରାଧୀମାନଙ୍କୁ ପୁରସ୍କୃତ କରିବାର ଏକ ବୃହତ୍ ଯୋଜନାର ଅଂଶବିଶେଷ ଥିଲା, ତାହା ଅନୁସନ୍ଧାନ ସାପେକ୍ଷ । କିନ୍ତୁ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ରାଜ୍ୟ ମନ୍ତ୍ରିମଣ୍ଡଳର ସଭ୍ୟ ହେବାର ଏକ ଦୃଷ୍ଟାନ୍ତ ଏତଦ୍ଦ୍ୱାରା ସୃଷ୍ଟି ହେଲା ।
ଛାତ୍ରଙ୍କ ଭବିଷ୍ୟତ ଉପରେ ଲକ୍ଷ୍ୟ
ଯେତେବେଳେ ସମାଜର ଧନୀକ, ପ୍ରତିଷ୍ଠିତବର୍ଗ ପ୍ରତି ନବବାବୁଙ୍କର ଥିଲା ଏକ ଅବମାନନାସୂଚକ ମାନସିକତା, ସେତେବେଳେ ତାଙ୍କର ବ୍ୟବହାର ଜଣେ ଅଭାବଗ୍ରସ୍ତ ଅଥଚ ମେଧାବୀ ଛାତ୍ରଟି ପ୍ରତି କେତେ ଆନ୍ତରିକ ଓ ଅଭିଭାବକତୁଲ୍ୟ, ତାହା ନିମ୍ନୋକ୍ତ ଘଟଣାରୁ ଜଣାପଡ଼େ । ସେତେବେଳେକାର ସେ ଛାତ୍ର ଆଜି ଇହଜଗତରେ ନାହାନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟର ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଅର୍ଥନୀତି ପ୍ରାଧ୍ୟାପକ ଥିଲେ ସେ । ସେ ହେଉଛନ୍ତି ଭରତ ଚନ୍ଦ୍ର ମଲ୍ଲିକ । ତାଙ୍କ ସମୟରେ ସେ ମାଟ୍ରିକ ପରୀକ୍ଷାରେ (୧୯୫୪) ସାରା ଓଡ଼ିଶାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ-ଛାତ୍ରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ, ଆଇ.ଏ.ପରୀକ୍ଷାରେ (୧୯୫୬) ପ୍ରଥମ ସ୍ଥାନ ଅଧିକାର କରିଥିଲେ, ବି.ଏ. ଅର୍ଥନୀତି(ଅନର୍ସ)(୧୯୫୮)ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ସ୍ନାତକୋତ୍ତର ପରୀକ୍ଷାରେ(୧୯୬୦) ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେ ଆସିଥିଲେ ଏକ ଅତ୍ୟନ୍ତ ଦୁଃସ୍ଥ ଅର୍ଥନୈତିକ ପୃଷ୍ଠଭୂମିରୁ । ଏହି ଲେଖକକୁ ସେ ଏକ ସାକ୍ଷାତକାର ଦେଇ ନବବାବୁଙ୍କ ସମ୍ପର୍କରେ ଯାହା କହିଥିଲେ, ତାହା ତାଙ୍କରି ଭାଷାରେ, ‘ମୁଁ ୧୯୫୪ ମସିହାରେ ମାଟ୍ରିକୁଲେସନ ପରୀକ୍ଷାରେ ପାସ୍ କଲି । ସାରା ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି । ସେତେବେଳେ ନବବାବୁ ଜଣେ ମୁଖ୍ୟମନ୍ତ୍ରୀ ବୋଲି ଜାଣିଥିଲି । କିନ୍ତୁ ବ୍ୟକ୍ତିଗତ ପରିଚୟ ନ ଥିଲା । ସେ ମଧ୍ୟ ମୋତେ ଜାଣି ନଥିଲେ । ମୁଁ ଗୋଟିଏ ଗରିବ ଚଷା ପରିବାରରୁ ଆସିଥିବାରୁ ପଇସା ପତ୍ରର ଅଭାବ ସବୁବେଳେ ବ୍ୟସ୍ତ କରିଥାଏ । ତେଣୁ ଆଡମିଶନ ନେବା ପାଇଁ କିଛି ପଇସା ଦରକାର ବୋଲି ମୁଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୋଟିଏ ଦରଖାସ୍ତ କରିଥିଲି । ସେ ଦରଖାସ୍ତରେ ରେଭେନ୍ସା କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷକ କେବଳ ସୁପାରିଶ କରିଥିଲେ । କୌଣସି ରାଜନେତା ବା ରାଜନୈତିକ ବ୍ୟକ୍ତିଙ୍କର ମନ୍ତବ୍ୟ ନଥିଲା । ତେଣୁ ପଠାଇଦେଇ ଭାବିଲି କ’ଣ ହେବ? ମୁଁ ଯାଇନି ମୁଖମନ୍ତ୍ରୀଙ୍କ ଅଫିସକୁା କିନ୍ତୁ ମାସକପରେ ୧୫୦ଟଙ୍କାର ଗୋଟିଏ ଚେକ୍ ଆସି ରେଭେନ୍ସା କଲେଜ ପ୍ରିନ୍ସିପାଲଙ୍କ ନିକଟରେ ପହଞ୍ଚିଲା ।’ ଏହି ଭଳି ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସାହାଯ୍ୟରେ ଭରତ ବାବୁ ତାଙ୍କର କଲେଜ ପଢ଼ା ଆରମ୍ଭ କଲେ । କହିବାର ଆବଶ୍ୟକତା ନାହିଁ ଯେ ସେ ସମୟରେ ମୁଖ୍ୟମନ୍ତ୍ରୀ ଥିଲେ ନବବାବୁ । ଭରତ ବାବୁ ଆଇ.ଏ ପାସ କଲେ, ୧୯୫୬ ମସିହାରେ, ପ୍ରଥମ ଶ୍ରେଣୀରେ ପ୍ରଥମସ୍ଥାନ ଅଧିକାର କରି ଓ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କଲେ ଆର୍ଥିକ ସାହାଯ୍ୟ ପାଇଁ । ଏଥରକ ଆବେଦନପତ୍ରରେ କେବଳ କଲେଜ ଅଧ୍ୟକ୍ଷଙ୍କ ସୁପାରିଶ ଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ୧୫ଦିନ ପରେ ଗୋଟିଏ ଚିଠି ଆସିଲା ଅଧ୍ୟକ୍ଷଙ୍କ ପାଖକୁ । ଚିଠିରେ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଭରତଙ୍କୁ ଦେଖା କରିବାକୁ ଚାହୁଁଛନ୍ତି, ଭରତ ତାଙ୍କୁ ଆସି ଦେଖାକରନ୍ତୁ । ଭେଟ କରିବାର ସମୟ ଓ ତାରିଖ ଉଲ୍ଲେଖ କରାଯାଇଥିଲା । ଭରତ ବାବୁ ନିର୍ଦ୍ଧାରିତ ଦିନ ଯାଇ ପହଞ୍ଚୁ ପହଞ୍ଚୁ ନିର୍ଦ୍ଧାରିତ ସମୟଠାରୁ ସାମାନ୍ୟ ବିଳମ୍ବ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଦପ୍ତରରେ ଆଦୌ କୈାଣସି ଲୋକ ଗହଳି ନ ଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ବାଟଦେଖାଇ ଦେଲେ, କହିଲେ- ମୁଖମନ୍ତ୍ରୀ ତୁମକୁ ଅପେକ୍ଷା କରିଛନ୍ତି । ସାକ୍ଷାତ ବେଳର ଅଭିଜ୍ଞତା ସଂପର୍କରେ ଭରତ ବାବୁ କୁହନ୍ତି, ‘ମୁଁ ସେଠି ଦେଖିଲି ଯେ ସେଠି ଫାଇଲ ପତ୍ର କିଛି ନାହିଁ । କିନ୍ତୁ ଚାରିକଡରେ ବହି ଆଲମିରା ସବୁ ପୂରଣ ହୋଇ ଥୁଆ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋତେ ଦେଖି ମୋ ନାଁ ଶୁଣି ମୋତେ ବସିବାକୁ କହିଲେ । ମୁଁ ବସିଲି । ତା ପରେ ସେ ମୋତେ ପଇସାପତ୍ର କଥା ନ ପଚାରି ପଚାରିଲେ ଆଇ.ଏ ତ ପାସ୍ କଲ, ପରୀକ୍ଷାରେ ତ ଭଲ ଫଳ କରିଛ । ଆଉ କ’ଣ ପଢ଼ିବାକୁ ଚାହୁଁଛି । ମୁଁ ତାଙ୍କୁ କହିଲି ଯେ ମୁଁ ତ ବି.ଏ. ପଢ଼ିବି । ବି.ଏ. ପଢ଼ିବା ପାଇଁ ମୁଁ ଇକୋନୋମିକ୍ସ ଅନର୍ସ ଓ ହିଷ୍ଟ୍ରି ପାସ ନେବି । ନବବାବୁ କହିଲେ, ‘ତୁମକୁ ଏ ଦୁର୍ବୁଦ୍ଧି କିଏ ଦେଲା? ତୁମେ ଏପରି ଗୋଟିଏ କମ୍ବିନେସନ ନେଇ ପଢ଼ିବା ପାଇଁ କିପରି ଇଚ୍ଛାପ୍ରକାଶ କଲ? ସେ କହିଲେ ଇକୋନୋମିକ୍ସ ଗୋଟିଏ ଭଲ ବିଷୟା କିନ୍ତୁ ଇକୋନୋମିକ୍ସ ସହିତ ହିଷ୍ଟ୍ରି ନେବାର କୌଣସି ଯଥାର୍ଥତା ନାହିଁ । ତୁମେ ମାଥେମାଟିକ୍ସ ନିଅ । ସେ ଉଦାହରଣ ଦେଇ କହିଲେ ଯେ ଆଜିକାଲି ଯେଉଁ ପ୍ଲାନିଂ ଚାଲିଛି ଓ ତାହାର ଯେଉଁ ସବୁ ମଡେଲ ହେଉଛି ତାର ମାର୍ମିକତା ରେଭେନ୍ସା କଲେଜରେ ଦୁଇଜଣ ଅଧ୍ୟାପକଙ୍କୁ ଛାଡିଦେଲେ କେହି ବୁଝିପାରୁ ନାହାନ୍ତି । (ସେତେବେଳେ ଆମଦେଶରେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଚାଲିଥାଏ , ମହାଲନାବିଶଙ୍କ ମଡେଲକୁ କେହି ବୁଝିପାରୁନଥାନ୍ତି । କାରଣ ତାହା ମାଥେମାଟିକାଲ ଥିଲା) I ଭବିଷ୍ୟତରେ ଇକୋନୋମିକ୍ସ ମାଥେମାଟିକ୍ସକୁ ଛାଡି ବଞ୍ଚି ପାରିବ ନାହିଁ । ତେଣୁ ଯଦି ଇକୋନୋମିକ୍ସ ପଢିବାକୁ ଚାହୁଁଛ ତାହାଲେ ମାଥେମାଟିକ୍ସ ନିଆ ତୁମର ଯଦି ହିଷ୍ଟ୍ରି ପଢ଼ିବାରେ ଆଗ୍ରହ ଅଛି ତାହାଲେ ହିଷ୍ଟ୍ରି ଅନର୍ସ ନେଇ ଫିଲୋସୋଫି ପାସ ନିଅ ।’ ହିଷ୍ଟ୍ରି ଓ ଫିଲୋସୋଫିର କମ୍ବିନେସନ କାହିଁକି ଭଲ ସେ ବିଷୟରେ ମଧ୍ୟ କିଛି ମନ୍ତବ୍ୟ ଦେଲେ । ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିଲି ଯେ ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର ଜ୍ଞାନର କି ଗଭୀରତା! କେଉଁ କମ୍ବିନେସନ ଭବିଷ୍ୟତରେ ଭଲ ହେବ, ଉପଯୁକ୍ତ ହେବ, ତାହା ସେ ମୋତେ କହୁଥିଲେ । ଏହା କହି, ମତେ ଆଶୀର୍ବାଦ ଦେଇ, ପରୀକ୍ଷାରେ ଭଲ କର, ଦେଶର ମଙ୍ଗଳ କର କହି ମୋତେ ବିଦା କଲେ । ମୁଁ ଚାଲି ଆସିଲି । ତାର କିଛି ଦିନ ପରେ ୩୦୦ଟଙ୍କାର ଏକ ଚେକ ରେଭେନ୍ସା କଲେଜ ପ୍ରିନ୍ସିପାଲଙ୍କ ପାଖକୁ ଆସିଲା ।’
ଜଣେ ମୁଖମନ୍ତ୍ରୀ ଯେ ଗୋଟିଏ ସାଧାରଣ ଛାତ୍ରକୁ ଅପେକ୍ଷା କରିପାରନ୍ତି ଓ ତାହା ସହିତ ନିରୋଳାରେ ବସି ପାଠବିଷୟରେ ଆଲୋଚନା କରିପାରନ୍ତି, ସମୟଠାରୁ ଯଥେଷ୍ଟ ଆଗୁଆ ପାଠ୍ୟକ୍ରମ ସଂପର୍କରେ ପରାମର୍ଶ ଦେଇପାରନ୍ତି, ଏହା ନିଶ୍ଚିତ ଭାବରେ ଏକ ବିରଳ ଅଭିଜ୍ଞତା । ଆଜି ତ ଲୋକସମ୍ପର୍କ ବିଭାଗ ଓ ଗଣମାଧ୍ୟମର ଉପସ୍ଥିତି ବିନା ରାଜନେତା ଛାତ୍ର-ଛାତ୍ରୀଙ୍କ ସହ ମିଳିତ ହୁଅନ୍ତି ନାହିଁ ; ଲୋକ ତ ଜାଣିବା ଦରକାର ଯେ ରାଜନେତା ମହୋଦୟ କେତେ ଛାତ୍ରବତ୍ସଳ! ସବୁ ପଛରେ ନିଜର ରାଜନୈତିକ ଫାଇଦା ହାସଲ କରିବାର ଲକ୍ଷ୍ୟ; ଲୋକଦେଖାଣିଆ ଆଚରଣ । ଭରତ ବାବୁଙ୍କର ଅଭିଜ୍ଞତା କହେ ଯେ ଜଣେ ମୁଖ୍ୟମନ୍ତ୍ରୀ କିପରି ଅଭିଭାବକର ଭୂମିକା ନିର୍ବାହ କରିପାରେ, ନିଃସ୍ୱାର୍ଥପର ଭାବେ । କିନ୍ତୁ ଏହା ସମ୍ଭବ ହୁଏ ଯେତେବେଳେ ନବବାବୁ ମୁଖ୍ୟମନ୍ତ୍ରୀ । ବୋଧହୁଏ ଏହାହିଁ କାରଣ ଯେ ନୀଳମଣି ରାଉତରାୟ ତାଙ୍କର ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ (ପୃ ୨୩୨)ରେ ଏକ ପରିଚ୍ଛେଦ ଲେଖନ୍ତି ଓ ତାହାର ଶିରୋନାମା ଦିଅନ୍ତି ‘ଗୁଣଗ୍ରାହୀ ଅଭିଭାବକ ନବବାବୁ’ । ନୀଳମଣି ବାବୁ ଲେଖନ୍ତି, ‘ମୁଖ୍ୟମନ୍ତ୍ରୀ ଆସନରେ ରହି ସେ ବାରମ୍ବାର ମୋ ପ୍ରତି ଗୁଣଗ୍ରାହୀ ଅଭିଭାବକ ପରି ବିଚାର କରିଛନ୍ତି (ପୃ୨୩୬) ।’ ଲେଖକର ବିଚାରରେ ନବବାବୁ ଥିଲେ ଜଣେ ଅଭିଭାବକ-ମୁଖ୍ୟମନ୍ତ୍ରୀ-ଯାହା ଓଡ଼ିଶା ରାଜନୀତିରେ ଏକ ବିରଳ ଦୃଶ୍ୟ । ସେ ବୋଧେ ଶେଷ ଅଭିଭାବକ-ମୁଖ୍ୟମନ୍ତ୍ରୀ ହୋଇଥିବେ । ଏହି ପ୍ରସଙ୍ଗରେ ନବବାବୁଙ୍କ ପରର ମୁଖ୍ୟମନ୍ତ୍ରୀଙ୍କ ସହ ଭରତ ବାବୁଙ୍କର ଅଭିଜ୍ଞତା ଉଲ୍ଲେଖନୀୟ । ୧୯୫୮ ମସିହା, ସେତେବେଳକୁ ନବବାବୁ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି, ୧୯୫୬ମସିହା ଅକ୍ଟୋବର ମାସରୁ ଇସ୍ତଫା ଦେଇ ସାରିଲେଣି । ଭରତ ବାବୁ ବି.ଏ. ଅନର୍ସ ପରୀକ୍ଷାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ହୋଇଥାନ୍ତି ଓ ପୂର୍ବଭଳି ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆବେଦନ କରିଥାନ୍ତି । ତାପରେ କ’ଣ ହେଲା ତାହା ଭରତ ବାବୁଙ୍କ ଭାଷାରେ, ‘ଅନେକ ଦିନ ଧରି କିଛି ଖବର ପାଇଲି ନାହିଁ । ଆଡମିଶନ ବି ଡେରି ହେଉଥାଏ । କ’ଣ ହେଲା ବୁଝିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଗଲି । ସେଦିନ ମୁଁ ଗୋଟାଏ ବିରାଟ ପାର୍ଥକ୍ୟ ଅନୁଭବ କଲି । କାରଣ ସେଠି ଗୋଟାଏ ମେଳା ଚାଲିଥିଲା । ଶହ ଶହ ଲୋକ ବସିଥିଲେ, ଯାଉଥିଲେ, ଆସୁଥିଲେ । କୌଣସିମତେ କଷ୍ଟେ ମଷ୍ଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ପାଖକୁ ଯାଇପାରିଲି । ମୁଁ ତାଙ୍କୁ ପଚାରିଲି, ‘ମୁଁ ଜଣେ ଛାତ୍ର, ମୁଁ ଗୋଟିଏ ଦରଖାସ୍ତ ଦେଇଛି, ଡିସକ୍ରିସନାରୀ ଗ୍ରାଣ୍ଟରୁ ମୋତେ କିଛି ପଇସା ମିଳିବା କଥା-କଣ ହେଲା?’ ସେ କହିଲେ, ‘ହଁ, ଦରଖାସ୍ତ ଦେଇଥିଲ, ସେ କଥା ତ ବିଚାର କରାଯିବ । ଆଉ ଆସି ଏଠି ଝାମେଲା କରନାହିଁ-ତୁମେ ଯାଅ ।’ ପୂର୍ବେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ମୋର ଦରଖାସ୍ତ ପାଇ, ମୋତେ ନ ଜାଣି ନଶୁଣି ମଧ୍ୟ ସେ ମୋତେ ଭବିଷ୍ୟତରେ କ’ଣ କରିବି, ନ କରିବି ସେ ଉପଦେଶ ଦେବା ପାଇଁ ତାଙ୍କ ଘରକୁ ଡାକିଥିଲେ । ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ କୌଣସି ସହାନୁଭୂତି ଦେଖାଇବା ତ ଦୂରର କଥା -ମୋତେ ଦୂର ଦୂର କରି ତଡ଼ି ଦେଲେ ।’ ବିଚାର ହୋଇଥିଲା ଭରତ ବାବୁଙ୍କର ଆବେଦନ ଓ ଆସିଥିଲା ୫୦ଟଙ୍କାର ସାହାଯ୍ୟ ଯେତେବେଳେ ଆଉ ଜଣେ ଆବେଦନକାରୀ ଯାହାଙ୍କର ଆର୍ଥିକ ଅବସ୍ଥା ଭରତଙ୍କଠାରୁ ସ୍ୱଚ୍ଛଳ ଥିଲା, ଅଥଚ ପରୀକ୍ଷା ଫଳ ଦୃଷ୍ଟିରୁ ଭରତଙ୍କଠାରୁ ଥିଲା ନ୍ୟୁନତର, ସେ ପାଇଲେ ୩୦୦ଟଙ୍କା । ଏହାର କାରଣ ସଂପର୍କରେ ଭରତବାବୁ କୁହନ୍ତି,‘ତାଙ୍କ ଦରଖାସ୍ତରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ସୁପାରିଶ ଥିବାରୁ ତାଙ୍କ ପାଇଁ ଗ୍ରାଣ୍ଟ୍ ଆସିଥିଲା ୩୦୦ ଟଙ୍କା । ମୋ ଦରଖାସ୍ତରେ କେବଳ ରେଭେନ୍ସାକଲେଜ ପି୍ରନସିପାଲଙ୍କର ରେକମେଣ୍ଡସନ ଥିଲା ଓ ମୋର କ୍ୟାରିଅର ଥିଲା-ମାଟ୍ରିକରେ ଦ୍ୱିତୀୟ ସ୍ଥାନ, ଆଇ.ଏ.ରେ ପ୍ରଥମ, ବ.ିଏ. ଅର୍ଥନୀତି ଅନର୍ସରେ ପ୍ରଥମଶ୍ରେଣୀରେ ଡିଷ୍ଟିଙ୍କସନ ସହ ପ୍ରଥମ । ମୁଁ ଗରିବପିଲା ବୋଲି ପ୍ରମାଣ ମଧ୍ୟ ଦେଇଥିଲି-ମୋତେ ମିଳିଲା ପଚାଶ ଟଙ୍କା ।’ ଏହି ଅଭିଜ୍ଞତାରୁ ଭରତ ବାବୁ କହୁଥିଲେ, ‘ନବବାବୁଙ୍କ ପରେ ପରେ ସୁପାରିଶର ଯୁଗ ଚାଲି ଆସିଲା ।’ ନବ ବାବୁଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହରେକୃଷ୍ଣ ମହତାବ । ବିଡ଼ମ୍ବନା ଯେ ସମସ୍ତଙ୍କୁ ଅସନ୍ତୁଷ୍ଟ କରି ଯେଉଁ ନବବାବୁ ୧୯୪୫ମସିହାରେ ମହତାବଙ୍କୁ ‘ଗବଷବଗ୍ଧବଭ ଈବଭଙ୍କ, ଓ ବମମରକ୍ଟ୍ରଗ୍ଧ ଚ୍ଚକ୍ଟଙ୍କ ବଗ୍ଦ ଜ୍ଞଚ୍ଚ କ୍ଷରବୟରକ୍ସ’ (ଦ୍ରଷ୍ଟବ୍ୟ: ଅନିର୍ବାଣ, ଲେ-ପଦ୍ମଚରଣ ନାୟକ, ପୃ-୧୩୪, ପ୍ରଥମ ସଂସ୍କରଣ, ୧୯୯୬)କହି ନିଜର ଅବିସମ୍ବାଦିତ ନେତୃତ୍ୱକୁ ମହତାବଙ୍କ ହାତକୁ ଟେକି ଦେଇଥିଲେ, ସେହି ମହତାବ ଠିକ୍ ଦଶବର୍ଷପରେ ୧୯୫୫ ମସିହାରେ ଏକ ଗୋପନୀୟ ପତ୍ରରେ ଲେଖିଲେ, ‘The second blunder for which whole province is now suffering was to place Naba Babu in the vanguard.xxxxThe remedy is that some atleast must remainfirm and give kicks even if they lose at the first instance. xxxx In the interest of the Province I should have stayed on to kick and kick till the situation was corrected’. (ଦ୍ରଷ୍ଟବ୍ୟ:ସ୍ମୃତି ଓ ଅନୁଭୂତି, ଲେ-ନୀଳମଣି ରାଉତରାୟ, ପୃ-୨୯୦, ଦ୍ୱିତୀୟ ସଂସ୍କରଣ, ୨୦୦୧) । ସବୁଠାରୁ ମଜାକଥା ହେଉଛି ଯେଉଁ ନୀଳମଣି ରାଉତରାୟ,ବିଜୁ ପଟ୍ଟନାୟକ ଓ ବିରେନ ମିତ୍ରଙ୍କ ସହ ମିଶି ନବବାବୁଙ୍କ ସ୍ଥାନରେ ମହତାବଙ୍କୁ ଆଣି ମୁଖ୍ୟମନ୍ତ୍ରୀ କରିବାର ମସୁଧାରେ ସକ୍ରିୟ ଥିଲେ ଓ ସଫଳ ହେଲେ, ସେହି ନୀଳମଣି ବାବୁ ଲେଖନ୍ତି, ‘ଏକଥା ନିଶ୍ଚିତ ଯେ, ଯଦି ନବବାବୁ ଛାଡି ଚାଲିଯିବେ ନାହିଁ ବୋଲି କହିଥାଆନ୍ତେ, ସେତେବେଳେ ନେତୃତ୍ୱର ପରିବର୍ତ୍ତନ ଆଦୌ ହୋଇ ନଥାନ୍ତା ।’ (ଦ୍ରଷ୍ଟବ୍ୟ:ସ୍ମୃତି ଓ ଅନୁଭୂତି, ଲେ-ନୀଳମଣି ରାଉତରାୟ,ପୃ-୨୯୬, ଦ୍ୱିତୀୟ ସଂସ୍କରଣ, ୨୦୦୧) । ଏହି ସୂଚନା ଦେବାର ଉଦେ୍ଦଶ୍ୟ ହେଉଛି ଦର୍ଶାଇବା ଯେ ନବବାବୁ କଦାପି କ୍ଷମତାଲିପ୍ସୁ ନଥିଲେ ଯାହା ବ୍ୟବହାରିକ କ୍ଷମତା ରାଜନୀତିରେ ଏକ ଅବଗୁଣ । ନବବାବୁ ଗୁଣଗ୍ରାହୀ ଥିଲେ ଓ ଯେଉଁମାନେ ଦୁଃସ୍ଥ ଆର୍ଥିକ ପୃଷ୍ଠଭୂମିରୁ ଆସିଛନ୍ତି ଅଥଚ ପ୍ରତିଭାବାନ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ସେମାନଙ୍କ ପାଖରେ ପହଞ୍ଚି ଯାଉଥିଲେ । ଆଉ ଏକ ଉଦାହରଣ, ଯାହା ଭରତ ବାବୁଙ୍କର ପୂର୍ବର ଘଟଣା । ଏ ଘଟଣାର ମୁଖ୍ୟ ପାତ୍ର ହେଲେ ଶ୍ରୀଯୁକ୍ତ କରୁଣାକର ପରିଡା ଯିଏ ଶିକ୍ଷା ବିଭାଗର ଜଣେ ପଦସ୍ଥ କର୍ମଚାରୀଭାବେ ଅବସର ନେଇଛନ୍ତି ଓ ତାଙ୍କୁ ବୟସ ବର୍ତ୍ତମାନ ପ୍ରାୟ ଅଠାଅଶି । ସେ ଥିଲେ ନବବାବୁଙ୍କର ପୁତ୍ର ବିନାୟକ (ଡାକନାମ କାଲୁ )ର ସହପାଠୀ । ସେ ନବବାବୁଙ୍କ ସହ ତାଙ୍କର ପରିଚୟର ଅୟମାରମ୍ଭର ବର୍ଣ୍ଣନା କରନ୍ତି(ଏହି ଲେଖକକୁ ଦେଇଥିବା ଏକ ସାକ୍ଷାତକାରରେ) ଯାହା ତାଙ୍କରି ଭାଷାରେ: ‘ରେଭେନ୍ସା କଲିଜିଏଟ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ । ରାଜ୍ୟପାଳ ମୁଖ୍ୟ ଅତିଥି । ନବବାବୁ ବିନାୟକର ଅଭିଭାବକ ଭାବେ ଉତ୍ସବରେ ଉପସ୍ଥିତ ଥାନ୍ତି । ସେ ସଭାରେ ମୋର ୧୭ଟି ପ୍ରାଇଜ ଥିଲା ।……ସେ ବର୍ଷ ମୁଁ ସ୍କୁଲର ବେଷ୍ଟ୍ ଅଲ୍ରାଉଣ୍ଡର ହିସାବରେ ଗୋଲ୍ଡ ମେଡାଲ ପାଇଥିଲି-ଡି.କେ.ମେମୋରିଆଲ ଗୋଲ୍ଡ ମେଡାଲ ।…..ଏତେଗୁଡିଏ ପୁରସ୍କାର, ମୁଁ ଏକା ଆଣି ପାରିବା ସମ୍ଭବନୁହେଁ । ମୋ ସାଙ୍ଗରେ କାଲୁ (ବିନାୟକଙ୍କ ଡାକ ନାମ)ଓ ଆଉ ଜଣେ ମୋର ସାଙ୍ଗ ପ୍ରମୋଦ ପତି-ଆମେ ତିନିହେଁ ପ୍ରାଇଜକୁ ଧରି ଆଣିଲୁ । ବହୁତ ତାଳିହେଲା । ସଭାପରେ ନବକୃଷ୍ଣ ଚୌଧୁରୀ ରାଜ୍ୟପାଳଙ୍କ ସହ କଥାବାର୍ତ୍ତା କରି ମୋ ହଷ୍ଟେଲ ରୁମରେ ଆସି ପହଞ୍ଚିଲେ । ମୋ ରୁମଟି ସିଂଗଲ ରୁମ । ସେ ଆସି ପହଞ୍ଚିଲା ବେଳକୁ ମୋ ରୁମରେ ପିଲାଙ୍କ ଭିଡ଼ । ସେ ପିଲାମାନଙ୍କୁ ଠେଲି ପଶି ଆସିଲେ ଭିତରକୁ କହିଲେ ‘ଯୁବକ,ମୁଁ ତୁମ ଭବିଷ୍ୟତକୁ ଲକ୍ଷ୍ୟ ରଖିଲି ।’’
ଏହିଭଳି ଦୃଶ୍ୟ ଆଜି ସମ୍ଭବ କି? ଜଣେ ମନ୍ତ୍ରୀ ଗୋଟିଏ ଅପରିଚିତ ସ୍କୁଲବାଳକର ସଫଳତାରେ ପ୍ରଭାବିତ ହୋଇ ତାର ହଷ୍ଟେଲ କୋଠରୀକୁ ଆସିବା ଓ ତାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା, ତାହା ପୁଣି କୌଣସି ପ୍ରଚାର ଯନ୍ତ୍ରର ଅନୁପସ୍ଥିତରେ, ଆଜି ଚିନ୍ତା କରିହୁଏ ନାହିଁ । ଏହା କେବଳ ନବବାବୁ କରି ପାରୁଥିଲେ କାରଣ ଯୁବ ସମ୍ପ୍ରଦାୟ ପ୍ରତି ତାଙ୍କର ଅଭିଭାବକବୋଧର ସ୍ୱାଭାବିକତାକୁ କୌଣସି ପ୍ରତିଷ୍ଠା ସଂକୁଚିତ କରିପାରି ନଥିଲା । କରୁଣାକରଙ୍କୁ ସେ କହି ଆସିଥିଲେ ଯେ ସେ ତାଙ୍କ ଭବିଷ୍ୟତ ଉପରେ ନଜର ରଖିଲେ ବୋଲି । ସେ ରଖିଥିଲେ । କରୁଣାକରଙ୍କ ଭାଷାରେ, ‘ମୁଁ ମାଟ୍ରିକ ପ୍ରଥମ ଶ୍ରେଣୀରେ ପାସ କଲି । ସ୍କଲାରସିପ ନାହିଁ । ମୁଁ ଗରିବ ଘର ପିଲା । ବିନା ସ୍କଲାରସିପରେ ପାଠ ପଢ଼ା ହେବନାହିଁ । ମୁଁ ଘରେ ଥିଲି । ଜାଣିଥିଲି ଜୁନ ୧୦ତାରିଖ ରେଭେନ୍ସା କଲେଜରେ ଫର୍ମ ପକାଇବାର ଶେଷ ତାରିଖ । ସେ (ନବବାବୁ) ଦିନେ ହଠାତ୍ ପଚାରିଲେ କାଲୁକୁ, ‘ତୋର ସେଇ ଚମକ୍ରାର ପୁରସ୍କାର ବିଜେତା ସାଙ୍ଗଟି କ’ଣ ପଢ଼ିଲା-ସାଇନ୍ସ ନା ଆର୍ଟସ ?’ କାଲୁ କହିଲା, ‘କରୁଣା ପଢ଼ିବ ନାହିଁ । ତା’ଘରେ ଭାରି ଅଭାବ ପଇସାପତ୍ରର । ସେମାନେ ପଇସା ପତ୍ର ଯୋଗାଇ ପାରିବେ ନାହିଁ । ତେଣୁ ସେ ଆଉ ପଢ଼ିବ ନାହିଁ ।’ ନବ ବାବୁ କହିଲେ, ‘କ’ଣ ହେଲା ? ଆଉ କ’ଣ ପଇସା ପତ୍ର ଅଛି ବୋଲି ବେପାରୀ ପିଲା କଲେଜରେ ପଢ଼ିବେ । ତୁ ଯଦି ତାର ଠିକଣା ନଜାଣିଛୁ, ତାହାଲେ ଯାଇକି ତୁମ ସ୍କୁଲ ରେକର୍ଡରୁ ତା’ ଠିକଣା ଆଣ ଓ ତାକୁ ଟେଲିଗ୍ରାମ କର । ସେ ଚଞ୍ଚଳ ଆସି ମୋତେ ଭେଟିବ ।’ ମୁଁ ଭେଟିଲି । ରେଭେନ୍ସା କଲେଜରୁ ଫର୍ମ ଆସିଲା । ପୂରଣ କରାଯାଇ ଦାଖଲ କରାଗଲା । କଲେଜ ଖୋଲିଲା ମୁଁ କ୍ଲାସ କଲି ।’ କରୁଣାକର ପରିଡ଼ା ଓ ଭରତ ମଲ୍ଲିକ ହେଉଛନ୍ତି ଦୁଇଟି ଜ୍ୱଳନ୍ତ ଉଦାହରଣ ଯାହା ନବକୃଷ୍ଣଙ୍କର ବ୍ୟକ୍ତିତ୍ୱର ଏକ ଅନନ୍ୟ ଦିଗକୁ ସୂଚିତ କରେ, ଲୋକ ପ୍ରତିନିଧି କିପରି ସାଧାରଣ ଲୋକର ଏକ ଦାୟିତ୍ୱବାନ ଅଭିଭାବକର ଭୂମିକା ନିର୍ବାହ କରିପାରେ । କରୁଣାକର ପରିଡ଼ାଙ୍କ ଭାଷାରେ, ‘ସେ ପ୍ରକୃତରେ ଯେଉଁ ମାନଙ୍କଠାରେ କିଛି ଶକ୍ତି ଥିଲା, ମେଧା ଶକ୍ତି ଥିଲା, କିଛି ପରିବର୍ତ୍ତନ ଆଣିବାର ଶକ୍ତି ଥିଲା, ସେମାନଙ୍କୁ ସେ ସାହାଯ୍ୟ କରୁଥିଲେ ।’ ତାଙ୍କ ମନରେ ସବୁବେଳେ ଯୁବସମାଜଠାରୁ ଏକ ପ୍ରତ୍ୟାଶା ଥିଲା ଯଦିଓ ସେ କହୁଥିଲେ, କରୁଣାକର ପରିଡ଼ା ସ୍ମରଣ କରନ୍ତି, ‘ଆଜିକାଲିକା ଯୁବକ ତାଙ୍କର ନିଜ ଶିକ୍ଷା ଯୋଗ୍ୟତା ବଳରେ ନିଜର ଧନ୍ଦା ଖୋଜୁଛନ୍ତି । ଆଉ ଯୁବକର ଯାହା କିଛି ଧର୍ମ, ଏ ଦେଶକୁ ରଖିବ, ବିପ୍ଳବ କରିବ, ଏବଂ ଯେଉଁଠି ଅନ୍ୟାୟ ହେଊଛି ତାହାକୁ ପ୍ରତିରୋଧ କରିବ-ଏ ସବୁ କଥା ଯୁବକ ଶିଖିଲେ ନାହିଁ ।’ ସେ ଯୁବକ ଶବ୍ଦର ସନ୍ଧି ବିଚ୍ଛେଦ କରି କହୁଥିଲେ ଯୁ ହୀନ ବକ ବୋଲି କହୁଥିଲେ । ଅନେକେ ନବବାବୁଙ୍କର ଏହି ମନ୍ତବ୍ୟ, ଯାହା ଗତଶତାବ୍ଦୀର ପଚାଶ ଦଶକ ସମୟର, ଶୁଣି ସ୍ୱଗତୋକ୍ତି କରୁଥିବେ ଯେ ‘ତାହାଲେ କ’ଣ ଏହିଭଳି ଏକ ଯୁବଗୋଷ୍ଠୀ ହାତରେ ସ୍ୱାଧୀନ ଭାରତର ନିର୍ମାଣର ଦାୟିତ୍ୱ ପଡ଼ିଥିଲା’ ଯାହାର ପରିଣତି ଆଜିର ଦୃଶ୍ୟମାନ ଅବକ୍ଷୟ?
ନିଃସ୍ୱ ଅବହେଳିତଙ୍କ ସାହାରା ନବବାବୁ
ନବବାବୁ କେବଳ ଯେ ଯାହା ନିକଟରେ ଏକ ସମ୍ଭାବନା ଦେଖୁଥିଲେ ଓ ଏହା ଦୁଃସ୍ଥ ଆର୍ଥିକ ପୃଷ୍ଠଭୂମି ଯୋଗୁଁ ମଉଳି ଯିବାକୁ ପ୍ରତିହତ କରୁଥିଲେ ତାହା ନୁହେଁ, ସଂପୂର୍ଣ୍ଣ ନିଃସ୍ୱ ଅବହେଳିତଙ୍କର ବ୍ୟକ୍ତି ମର୍ଯ୍ୟାଦାକୁ କିପରି ସୁରକ୍ଷା କରିବାପାଇଁ ବ୍ୟାକୁଳ ହେଉଥିଲେ, ତାହାର ଏକ ଦୃଷ୍ଟାନ୍ତ ଅନ୍ନପୂର୍ଣ୍ଣା ମହାରଣା ଦିଅନ୍ତି ଲେଖକକୁ ତାଙ୍କ ସହ ଏକ ସାକ୍ଷାତକାରରେ । ତାଙ୍କରି ଶବ୍ଦରେ : ‘ଜଣେ ସ୍ତ୍ରୀଲୋକକୁ ନେଇ ଦାଦା(ନବବାବୁ)ଆସିଲା ଜଗତସିଂହପୁରରୁ । ଆସିକରି ଆମ ଘରେ ପହଂଚିଲା । ମୋ ମା (ଜେଜେ ମା) ଘେରିକାଙ୍କ ସାଂଗରେ କଥାବାର୍ତ୍ତା ହେଲା ଦାଦାର । ସେ ସ୍ତ୍ରୀ ଲୋକକୁ ନେଇ ଦାଦା ଘରୁ ଚାଲିଗଲା । ଟିକିଏ କ୍ଷୁବ୍ଧ ହୋଇକରି ଗଲା । କାହିଁକି ଗଲା ମୁଁ ଆଉ କିଛି ଜାଣିପାରିଲି ନାହିଁ । ପରବର୍ତ୍ତୀ କାଳରେ ମୁଁ ଯେତେବେଳେ ବଡ଼ ହୋଇଗଲି, ସାଧାରଣ କାମ କଲି, ରିଲିଫ କାମ କଲି, ଅର୍ଫାନେଜ ସାଂଗରେ ସଂପୃକ୍ତ ହେଲି, ସେତେବେଳେ ମୋତେ ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଯିଏ ଡଗରପଡାରେ ଅନାଥା ଆଶ୍ରମ କରିଥିଲେ ଝିଅ ମାନଙ୍କ ପାଇଁ, ପରିତ୍ୟକ୍ତା, ନିରାଶ୍ରୟାଙ୍କ ପାଇଁ, କହିଲେ, ‘ଟୁଆଁ (ନବ ବାବୁଙ୍କର ଆଉ ଏକ ଡାକ ନାଁ) ଯୋଗୁଁ ମୁଁ ଏହି ଅନାଥାଶ୍ରମ କରିଲି । ଟୁଆଁ କଣ କଲା ନା ଦିନେ ଗୋଟିଏ ସ୍ତ୍ରୀଲୋକକୁ ନେଇ ମୋ ପାଖକୁ ଆସିଲା । କହିଲା, ‘ଏ ସ୍ତ୍ରୀ ଲୋକର କ’ଣ ସ୍ଖଳନ ହୋଇଛି ବୋଲି ୟାକୁ ଘରୁ ବାହାର କରି ଦେଇଛନ୍ତି । ହାଟରେ ବୁଲୁଛି, ୟା ଘରୁ ତା ଘରୁ ମାଗିକି ଖାଉଛି, ୟା ପିଣ୍ଡା ତା’ ପିଣ୍ଡାରେ ଶୋଉଛି । ମୁଁ ତାକୁ ଦେଖିକିରି ପଚାରିଲି ‘ତୁ ଆମ ସାଂଗରେ ଯିବୁ, ଆମ ଘରେ ରହିବୁ ।’ ସେ କହିଲା-ହଁ । ମୁଁ ଆମ ଘରକୁ ଆଣିଲା ବେଳକୁ ମୋ ବୋଉ ତାକୁ ଘରେ ପୁରାଇଲା ନାହିଁ । ତୋ ଦାଦା କହିଲା ୟାକୁ ମୁଁ ନେଇ ଯାଉଛି ସେଲ୍ଟରକୁ, ସେମାନେ ତାକୁ ରଖିବେ, କ୍ରିଶ୍ଚିଆନ କରିବେ, ତାକୁ ମଣିଷ କରିବେ-ତୁମେ ତୁମ ହିନ୍ଦୁ ଧର୍ମକୁ ଧୋଇକି ପାଣି ପିଉଥା । ସେଇକଥାରୁ ମୁଁ ଏଇ ଅନାଥାଶ୍ରମ କରିଛି ।’’ ମହିଳାମାନଙ୍କ ପ୍ରତି ଅନ୍ୟାୟ ତାଙ୍କୁ ବେଶ୍ ବ୍ୟଥିତ କରୁଥିଲା, ସେମାନଙ୍କର ତ୍ରୁଟି ବା ସ୍ଖଳନ ପାଇଁ ସେମାନେ ଯେ ଦାୟୀ ହୋଇ ନ ପାରନ୍ତି, ଏକ ପୁରୁଷପ୍ରଧାନ ସମାଜରେ, ଏହା ବୋଧହୁଏ ତାଙ୍କର ଏକ ବଦ୍ଧମୂଳ ଧାରଣା ଥିଲା । ଗିରିଜା ଭୂଷଣ ପଟ୍ଟନାୟକ ଏକ ସଦୃଶ ଘଟଣାର ଅବତାରଣା କରି ଲେଖନ୍ତି : ‘ନବବାବୁଙ୍କ ଆଶ୍ରମରେ ଏଇଭଳି ଅନେକ ଝିଅ ଅଛନ୍ତି । କଂଚା ବୟସ । କେତେବେଳେ କଣ ଟିକିଏ ଏପାଖ ସେପାଖ ଯେ କେତେକଙ୍କର ହେଉ ନଥିବ , ତା’ ନୁହଁ । କିନ୍ତୁ ମାଳତୀ ଦେବୀ ଏ ବିଷୟରେ କଠୋର । ତାଙ୍କ ଆଖିରେ ସାମାନ୍ୟ ଭୁଲ ଭଟକା ପଡ଼ିଲେ ଶାସ୍ତି ମିଳେ । ଏଇଭଳି ଦୁଇଟି ଝିଅଙ୍କୁ କ’ଣ ଟିକିଏ ତ୍ରୁଟି ପାଇଁ ମାଳତୀ ଦେବୀ ବିଦା କରିଦେଇଥିଲେ ଆଶ୍ରମରୁ । ବିଦା ଠିକ୍ ନୁହେଁ । ଛୁଟିପରେ ଆଉ ବର୍ତ୍ତମାନ ନ ପଠେଇବା ସକାଶେ ସେମାନଙ୍କର ବାପମାଙ୍କୁ ଲେଖି ଦିଆଯାଇଥିଲା । ନବବାବୁ ଏହା ଚାହିଁ ନଥିଲେ । ଗଭୀର ମାନବିକତା ତାଙ୍କୁ ମଣିଷର ଆସ୍ତିମୂଳକ ଦିଗ ପ୍ରତି ଯେପରି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ସାହାଯ୍ୟ କରୁଥିଲା,ଠିକ୍ ସେହିପରି ନାସ୍ତିମୂଳକ ଦିଗ ପ୍ରତି ତାଙ୍କର ସହାନୁଭୂତି ଥିଲା ବୈଜ୍ଞାନିକ ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ । ମଣିଷ ପୂର୍ଣ୍ଣାଙ୍ଗ ନୁହେଁ । ସେ ଦେବତା ନୁହେଁ । ରାକ୍ଷସ ବି ନୁହେଁ । ମଣିଷକୁ ମଣିଷ ଭାବରେ ବିଚାର କର । ନବବାବୁଙ୍କର ଜୀବନର ସନ୍ଧ୍ୟା ଉପଗତ । ସେ ଅଚେତ ହୋଇ ପଡିଛନ୍ତି । ସମସ୍ତେ ଘେରି ବସିଛନ୍ତି । ସେ ଆଖି ଖୋଲିଲେ । କଣ କହିବେ । ସମସ୍ତେ ଅପେକ୍ଷା କରିଛନ୍ତି । ନବବାବୁ ପଚାରିଲେ-ସେ ଦୁଇଟି ଝିଅ ଆସିଲେଣି । ସେମାନଙ୍କୁ ତୁରନ୍ତ ଡକାଇ ପଠାଗଲା ।’ (‘ମୂଳରୁ ପଦେ’, ନବକୃଷ୍ଣ ଚୌଧୁରୀ:ଏକ ଜୀବନୀ, ଚିତ୍ତରଂଜନ ଦାସ ) । ଏହିଭଳି ନାରୀର ସ୍ଥିତି ପ୍ରତି ସମ୍ବେଦନଶୀଳ ମାନସିକତା ବୋଧେ ତାଙ୍କର ସହଜାତ ଥିଲା । ସରଳା ଦେବୀଙ୍କ ସ୍ଥିତିକୁ ନେଇ ତାଙ୍କର ଯେଉଁ ଭାବନା ତାହା ବୋଧହୁଏ ଏହି ମାନସିକତାର ହିଁ ଥିଲା ପ୍ରତିଫଳନ । ଏହି ମାନସିକତାର ପୃଷ୍ଠଭୂମିରେ ସରଳାଦେବୀଙ୍କ ସହ ସଂପର୍କ ବା ତାଙ୍କ ଉତ୍ପୀଡିତ ସ୍ଥିତି ପ୍ରତି ନବବାବୁଙ୍କର ଉଦ୍ ବେଗ କୁ କେତେ ଦୂର ରୋମାଣ୍ଟିକ ସଂପର୍କର ଆଖ୍ୟା ଦିଆ ଯାଇପାରେ?
କହିବା ବାହୁଲ୍ୟ ଯେ ଅବହେଳିତ, ଦୁଃସ୍ଥ, ଦୁର୍ବଳକୁ ସୁରକ୍ଷାଦେବା ପାଇଁ ଏକ ପରିବାରର ଅଭିଭାବକ ତୁଲ୍ୟ ବ୍ୟସ୍ତତା ନବବାବୁଙ୍କୁ ଆକ୍ରାନ୍ତ କରୁଥିଲା । ଯଥାସାଧ୍ୟ ସେ ତାଙ୍କର ଦାୟିତ୍ୱ ନିର୍ବାହ ପାଇଁ ତତ୍ପର ହେଉଥିଲେ; ତାଙ୍କର ପୃଷ୍ଠଭୂମି କଦାପି ଏଥିରେ ଅନ୍ତରାୟ ସୃଷ୍ଟି କରିପାରି ନଥିଲା । ସେ ସାଧାରଣ ଲୋକଙ୍କ ପାଇଁ କାମ କରୁଛନ୍ତି ବୋଲି ଘୋଷଣା କରୁ ନଥିଲେ, ସେ କରୁଛନ୍ତି ବୋଲି ସାଧାରଣ ଲୋକ ଦେଖୁଥିଲେ । ଏହି ପ୍ରସଙ୍ଗରେ ଗୁରୁ ମହାନ୍ତିଙ୍କର ଅଭିଜ୍ଞତା ଉଲ୍ଲେଖନୀୟ । ଗଜପତି ଜିଲ୍ଲାର ଛେଳିଗଡ଼ । ସଉରା ବୁଢ଼ାଟିଏ ଅଟକିଲା ଗୁରୁବାବୁଙ୍କୁ ଦେଖି । ଦଣ୍ଡବତ ହେଲା । ପଚାରିଲା, ‘ବାବୁ, କୁଆଡେ ଆସିଛ?’ ଗୁରୁ ବାବୁ କହିଲେ, ‘ଆସିଛି ବୁଲିବାକୁ, ଦେଖିବାକୁ ଏ ଅଞ୍ଚଳର ଲୋକେ କିପରି ଅଛନ୍ତି ।’ ବୁଢାଟି କହିଲା, ‘ଆମକଥା କେହି ଶୁଣନ୍ତି ନାହିଁ, ଅଫିସର, ମନ୍ତ୍ରୀ, ଏମ.ଏଲ.ଏ. କେହି ନୁହେଁ । କୁଆଡ଼େ ଗଲେ ଆଜ୍ଞା, ଗୁହାରୀ ଶୁଣୁଥିବା ଲୋକ? ମହତାବଙ୍କ ପାଖକୁ ଗଲେ ସେ ଗୁହାରୀ ଶୁଣୁଥିଲେ । ନବବାବୁ ଆଜ୍ଞା ଆମ ପାଖକୁ ଆସୁଥିଲେ । ତା’ପରେ ତ ଆଉ କାହାକୁ ମୁଁ ଦେଖି ନାହିଁ । ଆମ କଥା ଯାଇ ଟିକିଏ କୁହନ୍ତ ନାହିଁ ।’ ନବବାବୁ ମୁଖ୍ୟମନ୍ତ୍ରୀଭାବେ ନିଜକୁ ଓଡ଼ିଶା ଜନସାଧାରଣଙ୍କର ମୁରବୀବୋଲି ଭାବୁଥିଲେ । ଏହି ପ୍ରସଙ୍ଗରେ ନବବାବୁଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ଜୟକୃଷ୍ଣ ମହାନ୍ତି ତାଙ୍କର ଏକ ବ୍ୟକ୍ତିଗତ ଅଭିଜ୍ଞତାକୁ ସ୍ମରଣ କରି,ଏହି ଲେଖକକୁ ଏକ ସାକ୍ଷାତକାରରେ, କୁହନ୍ତି, ‘ନବବାବୁ ଦିନେ ଆସି ଆମ ପୁରୀଘରେ ପହଞ୍ଚିଲେ । ତାଙ୍କ ଲୁଗାଟା ପଛପାଖରୁ ଫାଟିଯାଇଥାଏ । କିରଣକୁ କହିଲେ ଏଟାକୁ ଟିକିଏ ଦୋ ମୁହାଁ (ଗୋଟିଏ ପ୍ରକାର ସିଲେଇ) କରିଦେ, ମୁଁ ଗାଧୋଇ ପଡ଼େ । କିରଣ ମୋତେ କହିଲା -ଯା ବାପି ପାଇଁ ଗୋଟିଏ ନୂଆ ଧୋତି ନେଇ ଆସିବ । ଧୋତି ଛିଣ୍ଡି ଗଲାଣି, କହୁଛି ଦୋ ମୁହାଁ କରି ପିନ୍ଧିବ । ମୁଁ ନୂଆ ଧୋତିଟିଏ ଆଣି ରଖିଦେଲି । ନବବାବୁ ଗାଧୋଇ ଆସିଲା ପରେ ଖୋଜିଲେ, ‘ମା ଲୁଗା କାହିଁ ?’ କିରଣ କହିଲା ,ତୁ ମୁଖ୍ୟମନ୍ତ୍ରୀ ହୋଇଛୁ, ତୁ କ’ଣ ଦୋମୁହାଁଟା ପିନ୍ଧିବୁ ।’ ନବବାବୁ କହିଲେ, ‘ହଁ, ଦୋମୁହାଁ ପିନ୍ଧିବି ।’ ତାପରେ ତତ୍ତ୍ୱ ଦୃଷ୍ଟିରୁ ବୁଝାଇ କହିଲେ,‘ଶୁଣ, ତୁମେ ମୋତେ ବାଧ୍ୟ କର ନାହିଁ । ମୁଁ ହେଉଛି ମୁଖ୍ୟ । ମୁଁ ହେଉଛି ଓଡ଼ିଶାଘରର ମୁରବୀ । ମୁରବୀଙ୍କର କଣ କରିବାର କଥା, ଅନ୍ୟକୁ ଆଗ ପିନ୍ଧାଇ ନିଜେ ପିନ୍ଧିବା କଥା । ଇଏ ହେଉଛି ମୁରବୀର କର୍ତ୍ତବ୍ୟ । ଆମ ଦେଶରେ ଯେତିକି ଲୋକ, ଯେତିକି ଲୁଗା ଉତ୍ପାଦନ ହେଉଛି, ସେଥିରେ ମୁଣ୍ଡ ପିଛା ୧୨ଗଜ ଲୁଗା ପଡୁଛି । ୧୨ଗଜରେ ମୁଁ ଯଦି ସୀମିତ ନରହିବି, ଅଧିକ ନେଇଯିବି ତାହାହେଲେ ଅନ୍ୟମାନେ ବଂଚିତ ହେବେ, ଅଧା ଲଙ୍ଗଳା ରହିବେ । ତେଣୁ ଆମେ ଯେଉଁମାନେ ମୁଖ୍ୟ ହୋଇ କରି ଦାୟିତ୍ୱରେ ରହିଲେ, ଆମେ ସଂଯତ ହେଇକି ଚଳିବା କଥା । ତୁ ମୋତେ କାହିଁକି ପ୍ରବର୍ତ୍ତାଉଛୁ ?’ ଏହିଭଳି ବହୁ ଅଭିଜ୍ଞତାର ଅବତାରଣାର ନିର୍ଯ୍ୟାସରେ ଜୟକୃଷ୍ଣ ବାବୁ କୁହନ୍ତି, ‘ସମସ୍ତଙ୍କ ସାଂଗରେ, ସାଧାରଣଙ୍କ ସାଂଗରେ, ଏକରସ ହୋଇ, ମୁରବୀ ଯେମିତି କରେ, ଅନ୍ୟକୁ ଖୁଆଇଲା ପରେ ନିଜେ ଖାଏ,ଏହିଭଳିଆ ତାଙ୍କର ଆଚରଣ ଥିଲା ।’ ତଥାପି ଏକ ଅଭାବବୋଧ ଦ୍ୱାରା ନବବାବୁଙ୍କ ମନ କବଳିତ ଥିଲା । ତାଙ୍କରି ଭାଷାରେ, ‘ଗୋଟିଏ ମାତ୍ର ଚିନ୍ତା ଶେଷଜୀବନରେ ମୋତେ ଦିନ ରାତି ଘାରୁଛି-ଦେଶ ଓ ସମାଜରୁ ବୈଷମ୍ୟ ଓ ଉତ୍ପୀଡନ ଦୂର କରିବା ପାଇଁ ଦେଶର ଅଗଣିତ ଖଟିଖିଆ ଲୋକଙ୍କ ସାଂଗରେ ନିଜକୁ ମିଶାଇ ଦେବାପାଇଁ ଯେଉଁ ପ୍ରେରଣା ଲକ୍ଷ୍ମୀନାରାୟଣ ବାବୁଙ୍କଠାରୁ ଆରମ୍ଭ କରି ଗାନ୍ଧୀ, ଲେନିନ, ମାଓ ପ୍ରଭୃତି ଯୁଗ ପୁରୁଷମାନଙ୍କଠାରୁ ପାଇ ଆସିଛି, ସେ ପ୍ରେରଣା ମୋର ସାରା ଜୀବନକୁ ଚଳାଇ ଆସିଲା ସତ, କିନ୍ତୁ ତାକୁ କାର୍ଯ୍ୟକାରୀ କରିବାର କୌଶଳ ତ ଆମେ ଶିଖିପାରିଲୁ ନାହିଁ । ଆମ ଦେଶରେ ଆମ ଜୀବନ ଆରମ୍ଭରେ ଲୋକେ ଯେଉଁ ତିମିରରେ ଥିଲେ ସେହି ତିମିରରେ ଅଛନ୍ତି । ଇଂରେଜ ଅମଳରେ ଶିକ୍ଷିତ ବୁଦ୍ଧିଜୀବୀ ଶ୍ରେଣୀ ନିଜର ଶ୍ରେଣୀ ସ୍ୱାର୍ଥ ପାଇଁ ଇଂରେଜ ସାମ୍ରାଜ୍ୟକୁ ସାହାଯ୍ୟ କରୁଥିଲେ । ଅଳ୍ପ କେତେଜଣ ଦେଶ କଥା ଭାବୁ ଥିଲେ । ଆଜି ଆମ ଶ୍ରେଣୀର ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ, ଦେଶର ଜନସାଧାରଣଙ୍କୁ ଶୋଷଣ କରିବା ପାଇଁ ଯେଉଁ ରାଷ୍ଟ୍ରବ୍ୟାପୀ ଓ ବିଶ୍ୱବ୍ୟାପୀ ବିରାଟ ପ୍ରକ୍ରିୟା ଚାଲିଛି, ସେଥରେ ଲିପ୍ତ । (୧୯.୧.୧୯୭୩ ତାରିଖରେ ‘ଲକ୍ଷ୍ମୀନାରାୟଣ-ଏକ ବିପ୍ଳବୀ ଆତ୍ମା’ ଶିରୋନାମାରେ ଲିଖିତ ଏକ ପତ୍ରରୁ ଉଦ୍ଧୃତ)’ । ସତେଯେପରି ଗୁରୁବାବୁ ଭେଟିଥିବା ସେହି ସଉରାବୁଢ଼ାଟିର କ୍ଷୋଭର କାରଣଟିକୁ ଚିହ୍ନଟ କରୁଥିଲେ ନବବାବୁ ।
ଗୀତିମୟ ବ୍ୟକ୍ତିତ୍ୱର ଅଧିକାରୀ
କହିବାବାହୁଲ୍ୟ, ଭଲ ପାଇବା, ଅତି ଗଭୀର ଭାବେ ଭଲ ପାଇବା, ଜଣେ ଦୁଇ ଜଣ ମଣିଷକୁ ନୁହଁ; ସାରା ମାନବସମାଜକୁ ଭଲ ପାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଅନନ୍ୟ ଦିଗ । ଭାରତୀ ମନ୍ଦିରର ସ୍ଥାପନା ହେଉ, ସରଳା ଦେବୀ ବା ଫ୍ରିଡା ଦାସଙ୍କ ସହ ସଂପର୍କ ହେଉ, ମାଳତୀ ସେନଙ୍କ ସହ ପ୍ରେମ ହେଉ, ଆଦିବାସୀ ଗାଁ ଗଣ୍ଡା ଓ ସାଧାରଣ ମଣିଷଙ୍କ ଭିତରେ ଅବିଶ୍ରାନ୍ତ ଭ୍ରମଣ ହେଉ, ନକ୍ସଲନେତା ନାଗଭୂଷଣଙ୍କୁ ଫାଶୀମୁହଁରୁ ଉଦ୍ଧାର କରିବାର ବ୍ୟାକୁଳତା ହେଉ, ସବୁରି ପଛରେ ନବବାବୁଙ୍କର ମଣିଷକୁ ଅକୃତ୍ରିମ ଭଲପାଇବାର ଆବେଗ, ଭଲପାଉଥିବା ବ୍ୟକ୍ତିକୁ ଆପଣାର କରିନେବାର ଦୁର୍ବଳତା । ତାଙ୍କ ଭିତରେ ମଣିଷକୁ ଭଲ ପାଇବାର ଆବେଗ ଏତେ ଗଭୀର ଥିଲା ଯେ, ତାଙ୍କ ବ୍ୟକ୍ତିତ୍ୱ ଗୀତିମୟ ହୋଇ ଉଠୁଥିଲା ଯାହାର ବିକିରଣରେ ସାରା ପରିପାଶ୍ୱର୍ ଗୀତିମୟ ହୋଇଯାଉଥିଲା । ହରି ଗୁରୁଜୀଙ୍କ ଭାଷାରେ , ‘ତାଙ୍କ ସାଙ୍ଗରେ ବସିଲେ କବିତା ମାଡ଼େ । ମନ ଭିତରଟା ଗୀତିମୟ ହୋଇଉଠେ । ମୁଁ ଲେଖିବସେ କବିତା ।’ ହରି ଗୁରୁଜୀ ଆବୃତ୍ତି କରନ୍ତି, ‘ଯିଏ ଲେଖିଥିଲା ଗୀତି/ ଆମ ମନେ ମନେ/ ନିଜ ଆଚରଣେ/ ମଣିଷକୁ ଭଲପାଅ / ଭୁଲିଯାଇ ନିଜ ବଡପଣେ ।’ ନବ ବାବୁ ପ୍ରକୃତରେ ଆଚରଣର ମଣିଷ ଥିଲେ, ଉଚ୍ଚାରଣର ନୁହେଁ । ‘ଲୋକଙ୍କ ସାଙ୍ଗରେ, ଗରିବ ଲୋକଙ୍କ ସାଙ୍ଗରେ ଏକାତ୍ମ ହୋଇ ଯିବାର ମନୋବୃତ୍ତି’ ତାଙ୍କର ଆଚରଣରେ ପ୍ରତିଫଳିତ ହେଉଥିଲା । ସାଧାରଣ ମଣିଷକୁ ତାଙ୍କର ଭଲପାଇବା ଲୋକ ଦେଖାଣିଆ ନ ଥିଲା ଯାହା ଆଜିକାର ରାଜନୈତିକ ବ୍ୟକ୍ତିମାନଙ୍କର ସ୍ୱାଭାବିକ ଆଚରଣ ହୋଇଛି ।
ଇଚ୍ଛାକୃତ ଅଲକ୍ଷ୍ୟରେ ରହିଯିବାର ମଣିଷ
ଆଜିକାର ରାଜନୈତିକ ବ୍ୟକ୍ତିଙ୍କର ଆଉ ଏକ ସ୍ୱାଭାବିକ ଆଚରଣ ତାଙ୍କଠାରେ ଦେଖାଯାଇ ନ ଥିଲା ତାହା ହେଉଛି ଠେଲି ପେଲି ଯେକୌଣସି ଉପାୟରେ ସାମ୍ନାକୁ ଆସିଯିବା ଓ ଅସହିଷ୍ଣୁତା । ଠିକ ଏହାର ବିପରୀତ ଆଚରଣ ଥିଲା ନବବାବୁଙ୍କର ଯଦିଓ ସେ ଥିଲେ ମୂଳତଃ ଏକ ରାଜନୈତିକ ବ୍ୟକ୍ତି । ସେ ସବୁବେଳେ ପଛରେ ରହୁଥିଲେ । ନବବାବୁଙ୍କୁ ଅତି ନିକଟରୁ ଦେଖିଥିବା ତାଙ୍କର ଅନୁଯାୟୀ ଜୟକୃଷ୍ଣ ମହାନ୍ତି କୁହନ୍ତି, ‘ପନ୍ଦରଣା ସିଏ କରିଥିବେ, ଆମେ ଅଣାଏ କରିଥିବୁ, କିନ୍ତୁ ବାହାଦୁରୀଟା ଆମକୁ ଦେବେ । ନିଜେ ବାହାଦୁରୀ ନିଅନ୍ତି ନାହିଁ । ତେଣୁ ଅନେକ କର୍ମୀ ସେ ତିଆରି କରିପାରିଥିଲେ ତାଙ୍କ ସହ ଏକାଠି ଯିବା ପାଇଁ ।’ ନିଜକୁ ଗୁରତ୍ୱ ନଦେବା ତାଙ୍କର ସ୍ୱଭାବ ଥିଲା, ପଦ ପଦବୀ ପ୍ରତି ତାଙ୍କର କୌଣସି ସମୟରେ ଆକର୍ଷଣ ନ ଥିଲା । ସେ ସବୁବେଳେ ନିଜକୁ ଏକ କର୍ମୀ ବୋଲି ବିଚାର କରୁଥିଲେ । ଜୟୀବାବୁ କୁହନ୍ତି, ‘୧୯୩୭ ମସିହାରେ ସେ(ଓଡ଼ିଶାର) ପ୍ରଧାନମନ୍ତ୍ରୀ ହୋଇ ପାରିଥାନ୍ତେ, ହେଲେ ନାହିଁ ଅନ୍ୟକୁ ଦେଲେ । ୧୯୪୬ ମସିହାରେ ତାଙ୍କ ପ୍ରତି ଦଳର ଏତେ ସମର୍ଥନ ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ । କିନ୍ତୁ ସେ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କଲେ, ନିଜେ ତାଙ୍କ ସହ ରହିଲେ ।’ ସେହି ଭଳି ଯେତେବେଳେ ସୁରାକ ପାଇଲେ ଯେ ମହତାବ ବଡ଼ ବ୍ୟସ୍ତ ହେଲେଣି ମୁଖ୍ୟମନ୍ତ୍ରୀ ହୋଇ ଫେରିବା ପାଇଁ, ସେ ଅତି ସହଜ ଭାବରେ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ନେଇଗଲେ । କିନ୍ତୁ ସେ ଚାହୁଁ ଥିଲେ ତରୁଣ ପିଢ଼ି କ୍ଷମତାକୁ ଆସନ୍ତୁ । ତେଣୁ ଯେତେବେଳେ ବନମାଳୀ ପଟ୍ଟନାୟକ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରସ୍ତାବନେଇ ନବକୃଷ୍ଣଙ୍କ ନିକଟରେ ପହଞ୍ଚିଲେ ସେତେବେଳେ ନବକୃଷ୍ଣ ଯାହା କହିଥିଲେ, ତାହାକୁ ସ୍ମରଣକରି ଜୟକୃଷ୍ଣ ମହାନ୍ତି କୁହନ୍ତି, ‘ନବବାବୁଙ୍କର ପ୍ରତିକ୍ରିୟା ଥିଲା ଭିନ୍ନ । ସେ କହିଲେ, ‘ମହତାବ କାହିଁକି ଆଉ ଫେରିବେ । ମୁଁ, ମହତାବ ଓ ଆମଭଳି ପୂରୁଣା କର୍ମୀ ଦଳକୁ ଯାଇ ମଜବୁତ କରିବାରେ ଲଗାଇବୁ । ନୂଆ ପିଲା କ୍ଷମତାକୁ ଆସିବେ ।’ ଏହା ତ ହେଲା ନାହିଁ । ମହତାବ ଆସିଲେ, ନବବାବୁ ଖାଲି କରିଦେଇଥିବା ମୁଖ୍ୟମନ୍ତ୍ରୀ ଆସନରେ ବସିଲେ କିନ୍ତୁ ମାସକେଇଟା ପରେ ୧୯୫୭ ମସିହା ନିର୍ବାଚନରେ ଯେତେବେଳେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଲା ନାହିଁ, ଅଥଚ ମହତାବ କ୍ଷମତାରେ ରହିବା ପାଇଁ ଯେପରି ନାନା ପ୍ରକାର କୈାଶଳ ମାନ ପ୍ରୟୋଗ କଲେ ଓ ଶେଷରେ ରାଜା ମହାରାଜାଙ୍କ ଦଳ ଗଣତନ୍ତ୍ର ପରିଷଦ ସହ ମନ୍ତ୍ରଣା କଲେ ତାହା ଅନେକ କଂଗ୍ରେସ ନେତାଙ୍କୁ କ୍ଷୁବ୍ଧ କରିଥିଲା । ବିଜୁ ପଟ୍ଟନାୟକ, ଯିଏ ନବବାବୁଙ୍କ ସ୍ଥାନରେ ମହତାବଙ୍କୁ ଆଣି ବସାଇବା ଓ ତାଙ୍କୁ ସେ ପଦରେ କାଏମ ରଖିବା ପାଇଁ ମହତାବଙ୍କ ନାନା କୌଶଳର ସାଥୀ ଥିଲେ, ସେ ମଧ୍ୟ ଶେଷକୁ ମହତାବଙ୍କ ଉପରେ ଏତେ ବିଗିଡ଼ି ଗଲେ ଯେ ‘ଓଡ଼ିଶାକୁ ମହତାବଙ୍କ କବଳରୁ ରକ୍ଷା କରିବାକୁ ହେବ’ ବୋଲି କହି ବୁଲିଲେ ଓ ନବବାବୁଙ୍କ ପାଖରେ ପହଞ୍ଚି ପୁଣି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପାଇଁ ଅନୁରୋଧ କଲେ । ଆଉ ଏଇଠି ନବକୃଷ୍ଣ ପାଇଗଲେ ତାଙ୍କର ‘ନୂଆ ପିଲା କ୍ଷମତାକୁ ଆସିବେ’ ପ୍ରସ୍ତାବକୁ ବାସ୍ତବ କରିବାର ସୁଯୋଗ । ସତେଯେପରି ଏହିଭଳି ସମୟକୁ ସେ ଅପେକ୍ଷା କରିଥିଲେ । ଏହି ପ୍ରସଙ୍ଗରେ ବିଜୁ ବାବୁ ଓ ନବବାବୁଙ୍କର କଥୋପକଥନକୁ ସ୍ମରଣ କରି ଜୟକୃଷ୍ଣ ମହାନ୍ତି କୁହନ୍ତି , ‘ଗୁଣନିଧି ଭବନ ଥୋରିଆ ସାହିରେ ନବବାବୁ ଥାନ୍ତି । ବିଜୁ ପଟ୍ଟନାୟକ ଦିନେ ଯାଇ ପହଞ୍ଚିଲେ । ପହଞ୍ଚି କରି ତାଙ୍କୁ (ନବବାବୁଙ୍କୁ) କହିଲେ, ‘ନବଦା, ଆଉ କେତେ ଦିନ ଏଇ ରଜାଙ୍କ ଦୟାରେ ଚଳିବା । ତୁମେ ଆସ । ଆଉ ଯାହା ଭୁଲ ଭଟକା ହେଇଛି ତାକୁ ଛାଡ଼, ତୁମେ ପୁଣି ଆସିକି ଦାୟିତ୍ୱ ନିଅ ।’ ନବବାବୁ ଟିକିଏ ହସିଲେ । କହିଲେ, ‘ତୁ ଯାଉନୁ, ଆମେ ତ ବୁଢ଼ା ହେଲୁଣି-ତୁମେ ପିଲା ଅଛ, ତୁମେ ଯାଉନ । ତୁ ଯାଉନୁ ।’ସେଇଠୁ ବିଜୁ ପଟ୍ଟନାୟକ କହିଲା, ‘ମୁଁ ଯିବି ।’ ନବବାବୁ କହିଲେ , ‘ହଁ, ତୁ ଯିବୁ ।’ ‘ହଉ, ତାହାଲେ’ I ବିଜୁ ପଟ୍ଟନାୟକ ଗୋଟିଏ ସେକଣ୍ଡରେ ନିଷ୍ପତ୍ତି ନିଏ ।’ ଏହା ତ କହିବାର ଆବଶ୍ୟକତା ନାହିଁ ଯେ ବିଜୁ ପଟ୍ଟନାୟକ ୧୯୬୧ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ କଂଗ୍ରେସକୁ ଅଭୂତପୂର୍ବ ବିଜୟର ସ୍ୱାଦ ଚଖାଇଥିଲେ ଓ ନବଗଠିତ ମନ୍ତ୍ରିମଣ୍ଡଳର ମୁଖ୍ୟ ହୋଇଥିଲେ । ବିଜୁବାବୁଙ୍କ ମନରେ ମୁଖ୍ୟମନ୍ତ୍ରୀ ହେବାର ଆଶା ସଂଚାର କରିବାକୁ କେହି କେହି ନବବାବୁଙ୍କର ରାଜନୈତିକ ଚତୁରତାର ଏକ ଚମକ୍ରାର ନିଦର୍ଶନ ବା ଏକ political master stroke ବୋଲି ବିଚାର କରିପାରନ୍ତି । ଏତଦ୍ଦ୍ୱାରା, ଏକଦା ମହତାବଙ୍କର କଟ୍ଟର ସମର୍ଥକ ବିଜୁବାବୁଙ୍କୁ ମହତାବଙ୍କର ମୁଖ୍ୟମନ୍ତ୍ରୀତ୍ୱ ପ୍ରତି ଏକ ପ୍ରତିବନ୍ଧକ ଭାବେ ଠିଆ କରାଇଦେଲେ ନବବାବୁ । ମହତାବ ଏହି ନିର୍ବାଚନରେ ପ୍ରାର୍ଥୀ ସୁଦ୍ଧା ହେଲେ ନାହିଁ । ଏହା ପରେ ଆଉ ମହତାବଙ୍କ ଭାଗ୍ୟରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଆସି ନାହିଁ ।
ଆଗୁଆ ଚିନ୍ତାର ମଣିଷ
ସ୍ୱାଧୀନୋତ୍ତର ଓଡ଼ିଶାରେ ଯେତେ ମୁଖ୍ୟମନ୍ତ୍ରୀ ଏ ଯାବତ୍ ହୋଇଛନ୍ତି, ସମସ୍ତଙ୍କୁ ଯଦି ଗୋଟିଏ ଧାଡିରେ ଛିଡ଼ା କରି ଦିଆଯାଏ, ତାହାଲେ ସେ ଅନ୍ୟମାନଙ୍କଠାରୁ ଅଲଗା ଦିଶିବେ । ଚିତ୍ତରଂଜନ ଦାସ ଲେଖନ୍ତି, ‘…ହାତୀ ଚିହ୍ନାଇବାକୁ ଯାଇ ହାତୀଶାଳରୁ ଯେ କୌଣସି ଗୋଟାଏ ହାତୀକୁ ଦେଖାଇବା ପରି ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଆମେ କଦାପି ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଜଣେ ମୁଖମନ୍ତ୍ରୀ ବୋଲି ଦେଖାଇପାରିବା ନାହିଁ ।’ (ଦ୍ରଷ୍ଟବ୍ୟ: ‘ଏକ ରାଜନୀତିକ ବ୍ୟକ୍ତିତ୍ୱର ସମୀକ୍ଷା’- ଚିତ୍ତରଂଜନ ଦାସ,ଶ୍ରଦ୍ଧାଞ୍ଜଳି, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪, ପୃ:୧୨୮) ଝିଆରୀ ଅନ୍ନପୂର୍ଣା ମହାରଣାଙ୍କୁ ତାଙ୍କ ଦାଦା ଅନ୍ୟ ପିଲାମାନଙ୍କ ଦାଦା ମାନଙ୍କଠାରୁ ତ ଅଲଗା ଦିଶନ୍ତି । କାହିଁକି ବା ନ ଦିଶିବେ? ଯେତେବେଳେ ସାରାଭାରତରେ, ବ୍ୟବସ୍ଥାପିକା ସଭାରେ ବଜେଟ ଉପସ୍ଥାପନ ଇଂରାଜୀ ଭାଷାରେ ହିଁ କରାଯାଉଥିଲା, ସେତେବେଳେ, ୧୯୫୧ମସିହା ଫେବୃଆରୀ ୨୧ତାରିଖ ଦିନ ନବବାବୁ ବଜେଟ ପେଶ୍ କଲେ ଓଡ଼ିଆରେ । ୧୯୫୪ମସିହା ଏପ୍ରିଲ ୨୩ ତାରିଖ ଦିନ, ଆଫିସିକ ଫାଇଲରେ ନବ ବାବୁ ମତାମତ ଦରଜ କଲେ ଓଡ଼ିଆରେ । ପ୍ରଶାସନ ସାଧାରଣ ଲୋକଙ୍କର ନିକଟତର ହେଉ, ତାହାର ନିଷ୍ପତ୍ତି ସାଧାରଣ ଲୋକ ପାଇଁ ବୋଧଗମ୍ୟ ହେଉ, ଏହାହିଁ ଥିଲା ଉଦେ୍ଦଶ୍ୟ । ସମ୍ପ୍ରତି ଏହି ଆବଶ୍ୟକତାର ଅନୁଭବ ସାଧାରଣ ଲୋକ ଭିତରେ କେତେ ଗଭୀରକୁ ଯାଇଛି ତାହା ନେଇ ସନେ୍ଦହ ସୃଷ୍ଟି ହୁଏ ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦୌ ଓଡ଼ିଆ ଭାଷାରେ କଥା ନ କହି ମଧ୍ୟ ଗୋଟାଏ ଯୁଗ କ୍ଷମତାରେ ରହିପାରେ । ନବକୃଷ୍ଣ ଭାରତର ପ୍ରଥମ ଆଦିବାସୀ ସଂସ୍କୃତି ଅଧ୍ୟୟନ କେନ୍ଦ୍ରର ସ୍ଥାପନା କରିଥିଲେ ଓଡ଼ିଶାରେ, ୧.୧.୧୯୫୩ ମସିହାରେ । ଆଜି ତାହା SCSTRTI ନାମରେ ପରିଚିତ । Partially Excluded Committee ସଦସ୍ୟଭାବେ (୧୯୩୭-୩୯) ଓ ପରେ ଉକ୍ରଳ ନବଜୀବନ ମଣ୍ଡଳ ସହ ସଂପୃକ୍ତି ତାଙ୍କୁ ଆଦିବାସୀଙ୍କ ଗହଣରେ, କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତାର ସୁଯୋଗ ଦେଇଥିଲା ନିଶ୍ଚୟ । କିନ୍ତୁ ଆଦିବାସୀଙ୍କ ପ୍ରତି ଏକ ସକାରାତ୍ମକ ମାନସିକତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କର ଧନାଢ୍ୟ ଅଥଚ ଉପେକ୍ଷିତ ସଂସ୍କୃତିର ଅଧ୍ୟୟନ ଓ ଗବେଷଣାର ଗୁରୁତ୍ୱ ସେ ଉପଲବ୍ଧି କରିଥିଲେ ଓ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଉକ୍ତ ଅନୁଷ୍ଠାନଟିର ସ୍ଥାପନାକଲେ । ସେହିଭଳି ତାଙ୍କ ଅଧ୍ୟକ୍ଷତାରେ ଯେଉଁ ଜମିଜମା ସଂସ୍କାର ରିପୋର୍ଟ (The Orissa Land Revenue And Land Tenure Report) ତାହା ସାରା ଭାରତର ଦୃଷ୍ଟି ଆକର୍ଷଣ କରିଥିଲା । ନବବାବୁ ସବୁବେଳେ ଆଗୁଆ ଚିନ୍ତା କରିଛନ୍ତି, ସାଧାରଣ ମଣିଷକୁ କେନ୍ଦ୍ରରେ ରଖି ଚିନ୍ତା କରିଛନ୍ତି, ନୂତନ ପ୍ରୟୋଗ ପାଇଁ ଆଗ୍ରହ ଦେଖାଇଛନ୍ତି ଓ ପ୍ରଥା ପରମ୍ପରାକୁ ଆଘାତ କରିଛନ୍ତି । ଝିଆରୀ ଅନ୍ନପୂର୍ଣ୍ଣା ମହାରଣା କୁହନ୍ତି, ‘ଦାଦାର ସବୁ ଓଲଟା ପାଲଟା କଥା ।….କୌଣସି ସାମାଜିକ ବ୍ୟବସ୍ଥା, ଘରୋଇ ବ୍ୟବସ୍ଥା-ତାକୁ ନବୁଝି, ନଶୁଝି, ତା ପଛରେ କଣ ବିଚାର ଅଛି ତାକୁ ନ ଜାଣିଲେ-ତାକୁ କଦାପି ମାନିବ ନାହିଁଁ ।’ ତେଣୁ ସେ ଅନ୍ୟମାନଙ୍କଠାରୁ ସବୁବେଳେ ଭିନ୍ନ ଦିଶିଛନ୍ତି ଓ ତାଙ୍କର ଉଦ୍ୟମଗୁଡିକରୁ ଅନେକ ସାରାଭାରତରେ ପ୍ରଥମ ଉଦ୍ୟମ ବୋଲି ଣାପଡିଛି ।
ଟାଣୁଆ ନବକୃଷ୍ଣ
ଅନେକେ ନବବାବୁଙ୍କୁ ଟାଣୁଆ ବ୍ୟକ୍ତି ନ ଥିଲେ ବୋଲି କୁହନ୍ତି । ଅର୍ଥାତ୍ ଟାଣୁଆ ନେତା ନଥିଲେ, ଟାଣୁଆ ପ୍ରଶାସକ ନ ଥିଲେ -ଏହି ଭଳି ଗୋଟିଏ ଧାରଣା ତାଙ୍କ ସମ୍ପର୍କରେ ଦିଆଯାଏ । କିନ୍ତୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟବସ୍ଥାପକର ଭୂମିକାର ସୀମା କ’ଣ ଓ ପ୍ରଶାସକର ଭୂମିକା କ’ଣ, ସେ ସମ୍ପର୍କରେ ସେ ବେଶ୍ ସଚେତନ ଥିଲେ । ବିନା ଆଲୋଚନାରେ ନିଜର ମତକୁ ଲଦିଦେବାର ଟାଣୁଆପଣରେ ସେ ବିଶ୍ୱାସ କରୁ ନଥିଲେ । ନବବାବୁଙ୍କର ଏହି ଦିଗଟି ଜୟକୃଷ୍ଣ ବାବୁଙ୍କ ନିମ୍ନୋକ୍ତ ସଂସ୍ମରଣରୁ ବୁଝାପଡ଼େ । “ଅଂଚଳ ଶାସନ ଆଇନର ସିଲେକ୍ଟ କମିଟି ୫୫ କି ୫୬ ଥର ବସିଥିବ । ଭାରତର କୌଣସି ରାଜ୍ୟରେ ଏପରି ବସି ନଥିବ । ପ୍ରତ୍ୟେକ ସ୍ଟେଜରେ ଆଲୋଚନା ହୁଏ, କ୍ଲଜ ବାଇ କ୍ଲଜ ଆଲୋଚନା ହେଇକି ଚାଲେ । ଶିବରମଣ (ଆଇ.ସି.ଏସ. ଅଫିସର) ସେତେବେଳେ ବୋର୍ଡ ଅଫ ରେଭିନ୍ୟୁ ରେ ଥାନ୍ତି । ସେ ସିଲେକ୍ଟ କମିଟିର ସଦସ୍ୟ ହୋଇଥାନ୍ତି । ସେମାନେ ଅଭ୍ୟସ୍ତ ଯେ ସରକାରୀ କର୍ମଚାରୀମାନେ ଶାସନ ଚଳାଇବେ । ଲୋକଙ୍କ ହାତକୁ କ୍ଷମତା ଆସିବ, ଲୋକେ ଶାସନ ଚଳାଇବେ, ଗାଁ ସ୍ତରରେ, ପଂଚାୟତ ସ୍ତରରେ, ଶାସନ ତଳଲୋକଙ୍କ ସ୍ତରକୁ ଚାଲିଯିବ-ଏ କଥା ତ ସେମାନେ କନସିଭ କରି ପାରୁ ନ ଥିଲେ । ତେଣୁ ତାଙ୍କୁ (ଶିବରମଣଙ୍କୁ) ହଜମ କରିବାକୁ ବହୁତ କଷ୍ଟ ହେଉଥାଏ । ପ୍ରତ୍ୟେକ ସ୍ଟେଜରେ ତାଙ୍କ (ନବବାବୁଙ୍କ) ସହ ବରାବର ଯୁକ୍ତି କରୁଥାନ୍ତି । ନବବାବୁ ବରାବର ବୁଝାଉଥାନ୍ତି । ଆମେ ଟିକିଏ ଫେଡ ଅପ୍ ହୋଇଗଲୁ । ସେ ସରକାରୀ କର୍ମଚାରୀ, ତାଙ୍କର ତ ଏଥିରେ କିଛି କରିବାର ନାହିଁ । ସୁରେନ୍ଦ୍ର ପଟ୍ଟନାୟକ ଓ ମୁଁ ସ୍ଥିର କଲୁ ପଏଣ୍ଟ ଅଫ ଅର୍ଡର ଉଠାଇ ତାଙ୍କ (ଶିବରମଣଙ୍କ) ପାଟି ବନ୍ଦ କରିଦେବୁ । ଏହି କଥା ଆମେ ଯାଇ ନବବାବୁଙ୍କୁ ଜଣାଇଲୁ । ସେ କହିଲେ, ‘ମୋଟେ ସେ କଥା କର ନାହିଁ । For God’s sake, do not do it. ମୁଁ କଣ ଏତେ ବୋକା ଯେ ତାଙ୍କୁ ଏତେ ସମୟ ଦେଉଛି । ତୁମେ ଆଇନଟା କରିଦେବ, ଆଇନଟାକୁ କାର୍ଯ୍ୟକାରୀ କରିବ କିଏ? ଏକଜିକ୍ୟୁଟିଭର ହେଡ (executive head)ଯିଏ ସେ ଯଦି କନଭିନ୍ସ (convince)ନ ହୁଏ, ଆମର-ତମର ଯେମିତି ବିଶ୍ୱାସ, ତାର ଯଦି ସେମିତି ବିଶ୍ୱାସ ନ ହୁଏ-ସେ କେମିତି ତୁମ ଆଇନଟାକୁ କାର୍ଯ୍ୟକାରୀ କରିବ? ତେଣୁ ସେମାନଙ୍କୁ ବୁଝାଇ ଶୁଝାଇ ତୁମବାଟକୁ ଆଣିବାକୁ ହେବ ।’ ସେତେବେଳ ଯାଇ ଆମର ଧାରଣାରେ ପରିବର୍ତ୍ତନ ହେଲା ।” ସାମନ୍ତବାଦୀ ମାନସିକତା ବୁଝାଇ କାମ କରାଇବାକୁ ନରମା ଲୋକର ପ୍ରକୃତି ବୋଲି ବିଚାର କରେ । କିନ୍ତୁ ଦୁର୍ନୀତି ପ୍ରତି ତାଙ୍କର ଆଭିମୁଖ୍ୟ କେତେ କଠୋର ଥିଲା, ତାହା ଜାଣିଲେ କେହି ତାଙ୍କୁ ନରମା ରାଜନୈତିକ ବ୍ୟକ୍ତି ବୋଲି କହିବାର ଭୁଲ କରିବ ନାହିଁ । ଜୟକୃଷ୍ଣବାବୁଙ୍କର ଏକ ଅଭିଜ୍ଞତା ଏହି ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । “ଜଣେ ଖଣିମାଲିକ ସରକାରଙ୍କ ବିନାନୁମତିରେ ଜୋର ଜବରଦସ୍ତ ଗୋଟିଏ ଖଣି ଅପରେଟ କରୁଥାଏ । ତେଣୁ ସରକାର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମକଦମା କରିବେ ବୋଲି ସ୍ଥିର କରିଥାନ୍ତି । କିନ୍ତୁ ଖଣିମାଲିକ କିରାଣୀଠାରୁ ଆରମ୍ଭ କରି ସେକ୍ରେଟାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରି ଚାଲଥାନ୍ତି । ମକଦମା ଦାୟର ଗଡ଼ି ଗଡ଼ି ଚାଲିଥାଏ । ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା । ମୁଖ୍ୟମନ୍ତ୍ରୀ ସେକ୍ରେଟାରୀଙ୍କୁ ଡାକି ବହୁତ ତାଗିଦ କଲେ । ତୁରନ୍ତ କେସ ଫାଇଲ କରିବା ପାଇଁ ନିଦେ୍ର୍ଦଶ ଦେଲେ । ତେଣୁ ସେ (ସେକ୍ରେଟାରୀ) ଆସି ଖଣି ମାଲିକଙ୍କୁ କହିଲେ-ବାବୁ ଇଏ ଆଉ ଆମହାତରେ ହେବ ନାହିଁ, ଇଏ ଗଲାଣି ମୁଖମନ୍ତ୍ରୀଙ୍କ ପାଖକୁ , ତୁମେ ଏଥର ତୁମ କାମ କର । ସେଇଠୁ ସେ ଆସି ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ସୁରେନ୍ଦ୍ର ପଟ୍ଟନାୟକଙ୍କ ପାଖରେ ପହଞ୍ଚିଲେ ଓ କହିଲେ, ‘ଆପଣ ମୋତେ ସାହାଯ୍ୟ କରନ୍ତୁ । ସରକାର ମୋ ଉପରେ ୬ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି, ଏହା ଉପରେ ନାଲିସ କରିବେ ବୋଲି କହୁଛନ୍ତି । ମୁଁ ୬ ଲକ୍ଷ ଟଙ୍କା ଦେଉଛି, ଆଉ ୬ଲକ୍ଷ ଟଙ୍କା ଆପଣଙ୍କ ଦଳପାଇଁ ଦେଉଛି । ସରକାର ଯାହା ରୟାଲଟି ପାଇଥାନ୍ତେ ସେ ରୟାଲଟି ମୁଁ ଦେବି ଏବଂ କ୍ଷମା ପ୍ରାର୍ଥନା କରିବି । ମୁଁ ବହୁତ ଗୁଡାଏ ଟଙ୍କା ସେଠାରେ ଖର୍ଚ୍ଚ କରିଛି, ମୁଁ ଯେପରି କକ୍ଷଚ୍ୟୁତ ନ ହୁଏ ।’ ସୁରେନ୍ଦ୍ର ପଟ୍ଟନାୟକ ଆସି ମୋ ପାଖରେ ପହଂଚିଲେ, କହିଲେ-ଟିକେ ଆମେ ଯାଇ ନବବାବୁଙ୍କୁ କହିବା । ମୋତେ ସେ (ସୁରେନ୍ଦ୍ର ବାବୁ)ବୁଝାଇଲେ ଯେ ଏଇଟା କିଛି ଅନ୍ୟାୟ ନୁହେଁ । ମୁଁ ଆଗ-ପଛ ହେଇକି ଗଲି । ସେ (ସୁରେନ୍ଦ୍ରବାବୁ) ତା ନାଁ କହିଛନ୍ତି-ସେମିତି ଉତ୍ତେଜିତ ହୋଇଉଠିଲେ ନବବାବୁ । କହିଲେ, ‘That scoundrel, he has spoiled entire administration and now wants to spoil the Congress organisation. I will smash that fellow. ସୁରେନ୍ଦ୍ର ମୋତେ ମୋଟେ ସେକଥା କୁହନି । ମୁଁ ମୋଟେ ତାକୁ ଛାଡିବି ନାହିଁ ।’ ସୁରେନ୍ଦ୍ରବାବୁ କହିଲେ -ଦୁଇ ଦୁଇଟା ବାଇ ଇଲେକ୍ସନ ଅଛି, କେଉଁଠୁ ପଇସା ଆସିବ? ନବବାବୁ କହିଲେ-ମୁଁ ଟଙ୍କେ, ଟଙ୍କେ ମାଗି ତୁମକୁ ଦେବି, କିନ୍ତୁ ଏ କଥା କହନି । ସୁରେନ୍ଦ୍ରବାବୁ ମୁଁହ ଓହଳାଇ ଫେରିଲେ, କହିଲେ ଇଏ (ନବବାବୁ) idealist ହେଉଛନ୍ତି practical କଥା ବୁଝୁନାହାନ୍ତି ।” ଏହି ଘଟଣା ଆଜି ସ୍ମରଣ କଲାବେଳକୁ ଓଡ଼ିଶାରେ ସମ୍ପ୍ରତି ହୋଇଥିବା ଖଣିଦୁର୍ନୀତି ମନକୁ ଆସୁଛି ଓ ଆସୁଛି ମନକୁ ସାରା ଭାରତରେ ଚହଳ ପକାଇଥିବା କୋଇଲା ବ୍ଲକ୍ ଦୁର୍ନୀତି । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ମୁଖ୍ୟମନ୍ତ୍ରୀ ନବବାବୁଙ୍କ ଆଚରଣକୁ ତୁଳନା କରିବାର ପ୍ରବଣତା ମନକୁ ଗ୍ରାସୁଛି । କିନ୍ତୁ ଆଜି ଯେତେବେଳେ ପ୍ରତ୍ୟେକ ରାଜନୈତିକ ଦଳ ଖଣି ମାଲିକ, ଶିଳ୍ପପତି, ବଡ଼ ବଡ଼ ବ୍ୟବସାୟୀ ଓ ଧନୀଲୋକମାନଙ୍କ ମୋଟା ଅଙ୍କର ଘୋଷିତ ଓ ଅଘୋଷିତ ଅନୁଦାନଦ୍ୱାରା ପୁଷ୍ଟ , ସେତେବେଳେ ନବବାବୁଙ୍କର ଉପରୋକ୍ତ ବକ୍ତବ୍ୟରେ ଏକ ଭିନ୍ନ କିସମର ରାଜନୀତିର ଆଭାସ ମିଳୁ ନାହିଁ କି?
ଉପସଂହାର
ନବକୃଷ୍ଣଙ୍କୁ ଏକ ଦ୍ୱନ୍ଦ୍ୱରେ ପଡ଼ିଥିବା ରାଜନୈତିକ ବ୍ୟକ୍ତି ବୋଲି ଅଭିହିତ କରାଯାଏ । ନଅର ଭିତରେ ବାବାଜୀ ଭଳି ରହୁ ଥିବା ବ୍ୟକ୍ତି ବୋଲି ଚିତ୍ରଣ କରାଯାଏ । ପ୍ରଶଂସାର ଆଢୁଆଳରେ, ବିଭିନ୍ନ ଚିତ୍ରକଳ୍ପ ଓ ରୂପକଳ୍ପର ଅଭିନବ ପ୍ରୟୋଗ ମାଧ୍ୟମରେ ଇଂଗିତ କରାଯାଏ ଯେ ନବବାବୁ ମୋଟରେ ଜଣେ ଅସଫଳ ରାଜନୈତିକ ବ୍ୟକ୍ତି ଥିଲେ, ଯାହା କରିପାରିଥାନ୍ତେ ତାହା କଲେ ନାହିଁ । ଏସବୁ ଧାରଣାଗୁଡ଼ିକର ପୁନର୍ବିଚାରର ଆବଶ୍ୟକତା ଅଛି । ପ୍ରକୃତରେ ନବବାବୁ ରାଜନୈତିକ ବ୍ୟକ୍ତି ଭାବେ କେତେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଓ ଆମେ ନବବାବୁଙ୍କ ବ୍ୟକ୍ତିତ୍ୱକୁ ନେଇ କେତେ ଦ୍ୱନ୍ଦ୍ୱରେ ପଡିଛୁ? ଏହା ସତ୍ୟ ଯେ ନବବାବୁଙ୍କର ରାଜନୈତିକ ସଂଚାର ପଥ ଦକ୍ଷିଣ ଦିଗକୁ ହିଁ ହୋଇଥିଲା । ଓଡ଼ିଶା ଭୂଇଁରେ ପ୍ରଥମ ସାମ୍ୟବାଦୀ ଗୋଷ୍ଠୀ ‘ଉକ୍ରଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ର (ପ୍ରତିଷ୍ଠା ୧୯୩୩) ପ୍ରତିଷ୍ଠାତା ଥିଲେ ନବବାବୁ, ଯାହାର ନୂତନ ନାଁ ହୋଇଥିଲା ହୋଇଥିଲା ‘ଓଡ଼ିଶା କଂଗ୍ରେସ ସୋସିଆଲିଷ୍ଟ ପାର୍ଟି’ । କିନ୍ତୁ ୧୯୩୯ ମସିହାରେ ଏହି ସଂଗଠନରେ ଯେତେବେଳେ ବିଭାଜନ ହେଲା-ସାମ୍ୟବାଦୀ ମାନେ ସମାଜବାଦୀଙ୍କଠାରୁ ଅଲଗା ହୋଇଗଲେ, ସେତେବେଳେ ନବବାବୁ ସମାଜବାଦୀଙ୍କ ସହ ରହିଲେ । ପରେ ସମାଜବାଦୀମାନଙ୍କ ସାଙ୍ଗ ଛାଡିଦେଇ ନବବାବୁ କେବଳ ରହିଲେ କଂଗ୍ରେସରେ ଓ ଏହି ଦଳର ବିଧାୟକଭାବେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ । କାହିଁକି ଏପରି ହୋଇଥିଲା ନବବାବୁଙ୍କର ରାଜନୈତିକ ସଂଚାର ପଥ-ତାହାର ଯଥାର୍ଥ ଅନୁଶୀଳନର ଆବଶ୍ୟକତା ଅଛି । ସେ ତ ପୁଣି ୧୯୬୬-୬୭ମସିହାରେ ଘୋଷଣା କରିଥିଲେ କଂଗ୍ରେସ ବିରୁଦ୍ଧରେ ରାଜସାକ୍ଷୀ ହେବେ ବୋଲି କାରଣ ସେ କଂଗ୍ରେସରେ ରହି ଜାଣିଥିଲେ କଂଗ୍ରେସର ଦୋଷତୃଟି ଓ ତେଣୁ ତାକୁ କ୍ଷମତାରୁ ହଟାଇବାର ଅପରିହାର୍ଯ୍ୟତା । ଜରୁରୀକାଳୀନ ପରିସ୍ଥିତିରେ ତାଙ୍କର ଗିରଫଦାରୀ ତ ସାବ୍ୟସ୍ତ କରିଦେଲା କଂଗ୍ରେସ ଦଳ ପ୍ରତି ନବବାବୁଙ୍କର ବିରୋଧର ତୀବ୍ରତା । ପୁନଶ୍ଚ ଯାହା ଆମକୁ ନଅର ଭଳି ଦେଖାଯାଉଛି ଓ ନବବାବୁ ସେ ନଅର ଭିତରର ବାବାଜୀ ଭଳି ଦିଶୁଥିଲେ ବୋଲି କୁହାଯାଉଛିି, ନବବାବୁ ତାହାକୁ କଣ କେବେ ନଅର ବୋଲି ଭାବୁଥିଲେ ନା, ଭାବୁଥିଲେ ଘରଟିଏ ଓ ସେ ତା’ ଭିତରେ ଆତ ଯାତ ହେଉଥିବା ଜଣେ ମୁରବୀ ? ସେହିଭଳି ଯେଉଁ ମାପକାଠିରେ ନବବାବୁଙ୍କର ରାଜନୈତିକ ଅସଫଳତା ମପାଯାଉଛି, ସେହି ମାପକାଠି ଅନୁସାରେ ନବବାବୁ ତାଙ୍କ ରାଜନୈତିକ ଜୀବନ ଗଢ଼ିବା ଚାହିଁଥିଲେ କି? ଏହା ତ ଏକ ଅନସ୍ୱୀକାର୍ଯ୍ୟ ତଥ୍ୟ ଯେ ବହୁ ପ୍ରଗତିଶୀଳ ଲୋକଧର୍ମୀ ଆଇନର ପ୍ରବର୍ତ୍ତକ ଥିଲେ ନବବାବୁ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସେ ଏହି ଗୁଡ଼ିକର ବିଫଳତା ପ୍ରତି ସଚେତନ ଥିଲେ । ବିଫଳତାର କାରଣ ସମ୍ପର୍କରେ ସେ ନିଜେ କୁହନ୍ତି,‘ତଳୁ ଲୋକମାନେ ଚାପଦେଲେ ନାହିଁ । ଓଡ଼ିଆଭାଷାରେ ସରକାରୀ କାର୍ଯ୍ୟକ୍ରମ ପ୍ରଚଳନକୁ ଅମଲାମାନେ ବିରୋଧ କଲେ । …ଅଂଚଳ ଶାସନ ଆଇନ ପ୍ରଣୟନ ହେଲା । କିନ୍ତୁ ମୁଁ ଯିବାପରେ ମହତାବବାବୁ ଆସି ଆଉ ଏକ କମିଟି ବସାଇଲେ । ଏହା ଉପରେ ଅଫିସରମାନେ ବସି ରିଭ୍ୟୁ ଆରମ୍ଭ କଲେ । ଅବଶ୍ୟ ଆଜି ଆଉ ଅଂଚଳ ଶାସନର ଚିହ୍ନ ବର୍ଣ୍ଣ ନାହିଁ ।’ (ପାକ୍ଷିକ ‘ବାର୍ତ୍ତାବହ’, ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା ମେ, ୧୯୭୮,ସମ୍ପାଦକ-ଗୁରୁ ମହାନ୍ତି) । ତେଣୁ ନବବାବୁଙ୍କର ସମୁଦାୟ ରାଜନୈତିକ ଆଚରଣ ଉପରେ ଏକ ବ୍ୟାପକ ସମୀକ୍ଷାର ଆବଶ୍ୟକତା ଅଛି; ଅର୍ଥନୈତିକ ଓ ସାମାଜିକ ସ୍ଥିତି ପ୍ରସଙ୍ଗରେ ତାଙ୍କର ଦୃଷ୍ଟିକୋଣର ମୂଲ୍ୟାୟନର ଆବଶ୍ୟକତା ଅଛି । ମନ୍ତବ୍ୟ ଇମ୍ପ୍ରେସନିସ୍ଟ (impressionist) ନହୋଇ ତଥ୍ୟାଶ୍ରିତ ହେବା ଉଚିତ । କିନ୍ତୁ ନବବାବୁଙ୍କ ବ୍ୟକ୍ତିତ୍ୱର ଏକ ବ୍ୟାପକ ସମୀକ୍ଷାପାଇଁ ଉପଲବ୍ଧ ତଥ୍ୟ ଯଥେଷ୍ଟ କି, ବିଶେଷତଃ ଯେତେବେଳେ ନବବାବୁ ନିଜେ ତାଙ୍କର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣକୁ ସ୍ୱତନ୍ତ୍ର ଭାବେ ଲିପିବଦ୍ଧ କରିନାହାନ୍ତି ?
ବି:ଦ୍ର: ଲେଖକଙ୍କ ଦ୍ୱାରା ନିଆଯାଇଥିବା ସାକ୍ଷାତକାର ଗୁଡିକ ନବକୃଷ୍ଣ ଚୌଧୁରୀ ଜନ୍ମ ଶତବାର୍ଷିକୀ ପାଳନ ବର୍ଷରେ (୨୦୦୧) ହିଁ ନିଆଯାଇଛି । ନବବାବୁଙ୍କ ସହ ସାକ୍ଷାତକାର ପ୍ରକାଶ କରିଥିବା ପାକ୍ଷିକ ‘ବାର୍ତ୍ତାବହ’ର ପ୍ରକାଶନ ସେହି ସଂଖ୍ୟା ପରଠାରୁ ହିଁ ବନ୍ଦ ହୋଇଯାଇଛି ।
Comments
0 comments