ପରିବେଶ ଓ ଦାଦନ ପ୍ରଥା

ରାଜୀବ ଶଗରିଆ
2 Views
18 Min Read

ଭାରତୀୟ ଜଳବାୟୁରେ ମୌସୁମୀ ବେଶ୍ ମହତ୍ୱ ରଖିଥାଏ । ଭାରତ ସମେତ ସମଗ୍ର ଦକ୍ଷିଣଏସିଆର ଅର୍ଥନୀତି ଓ ରାଜନୀତିକୁ ପ୍ରଭାବିତ କରିଥାଏ । ଜନଜୀବନ ସହ ଜଡ଼ିତ ମୌସୁମୀ ଭାରତ ମହାସାଗର ଓ ଭାରତବର୍ଷ ମଧ୍ୟରେ ଯାତାୟାତ କରୁଥିବା ଗୋଟିଏ ବାୟୁ । ଯିଏ ବର୍ଷା ଓ ଶୀତର କାରକ ବି ହୋଇଥାଏ । ଭାରତ ମହାସାଗରରୁ ବାହାରି ଆରବ ଓ ବଙ୍ଗୋପସାଗର ଦେଇ ବହୁଥିବା ମୌସୁମୀ ସମଗ୍ର ଭାରତବର୍ଷର ପାଣିପାଗ ଓ ଜନଜୀବନକୁ ପ୍ରଭାବିତ କରିଥାଏ । ମୌସୁମୀ କାରଣରୁ ହିଁ ଭାରତ ଏକ କୃଷିପ୍ରଧାନ ଦେଶ । ବୈଶ୍ୱିକ ପାଣିପାଗ ପ୍ରଭାବରେ ଏହା କେତେବେଳେ ଦୁର୍ବଳ ତ କେତେବେଳେ ଉଗ୍ର ହୋଇଥାଏ ।

ବେଙ୍ଗଲ ଦୁର୍ଭିକ୍ଷ (୧୭୬୯-୭୦) ଏକକୋଟିରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିଥିବା ଏହି ଦୁର୍ଭିକ୍ଷ ସମୟରେ ଲଗାତାର ଦୁଇବର୍ଷ ମୌସୁମୀ ଦୁର୍ବଳ ରହିଥିଲା । ବର୍ଷାଭାବ ଯୋଗୁଁ ଅମଳ ହୋଇନଥିଲା ।

ନଅଙ୍କ ଦୁର୍ଭିକ୍ଷ (୧୮୬୬-୬୭) ଗଜପତି ରାଜାଙ୍କ ନଅ’ଅଙ୍କରେ ପଡ଼ିଥିବା ହେତୁ ଏହାକୁ ନ’ଅଙ୍କ ଦୁର୍ଭିକ୍ଷ କୁହାଯାଏ । ଅତ୍ୟଧିକ ବର୍ଷାଯୋଗୁଁ ଓଡ଼ିଶା, ସଂଲଗ୍ନ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ଅଞ୍ଚଳରେ ଫସଲହାନୀ ହୋଇଥିଲା । ଓଡ଼ିଶାରେ ଦଶଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଓଡ଼ିଶାରେ ଶିକ୍ଷାର ପ୍ରସାର ହୋଇଥିଲା । ଲୋକେ ଖାଦ୍ୟପାଇଁ ପ୍ରବାସ କରିଥିଲେ ।

ମହାମରୁଡ଼ି (୧୮୭୬-୭୮) ପଚାଶଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରା ହୋଇଥିଲା । ଇଂରେଜ ଉପନିବେଶ ଶାସନ ମରୁଡ଼ି ନୀତିଉପରେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲା । ରେଳମାର୍ଗର ସୁବିଧା ଥିଲେ ମଧ୍ୟ ସରକାର ଖାଦ୍ୟାନ୍ନ ବଣ୍ଟନ ଓ ପରିବହନକୁ ଗୁରୁତ୍ୱ ଦେଲେ ନାହିଁ ।

ଛପନ ସାଲ ମରୁଡ଼ି (୧୮୯୯-୧୯୦୦ ମସିହା ବା ବିକ୍ରମ ସମ୍ବତ ୧୯୫୬) ବିକ୍ରମ ସମ୍ବତ ୧୯୫୬ ମସିହାରେ ପଡ଼ିଥିବା କାରଣରୁ ଏହାକୁ ଛପନ ସାଲ ଦୁର୍ଭିକ୍ଷ ମଧ୍ୟ କୁହାଯାଏ । ଉତ୍ତରପଶ୍ଚିମ ଏବଂ ପୂର୍ବ ଭାରତ ସମେତ ଓଡ଼ିଶା ମୁଖ୍ୟତଃ ପଶ୍ଚିମଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିଥିଲା । ପଶ୍ଚିମ ଓଡ଼ିଶାରେ ଏହାକୁ ଛପନ/ସପନସାଲ ମରୁଡ଼ି କୁହାଯାଏ । ସପନ-ସ୍ୱପ୍ନ; ଖାଦ୍ୟ ସ୍ୱପ୍ନଥିଲା ଅର୍ଥାତ ଅପହଞ୍ଚ ଥିଲା । ଏଥିରେ ୪୭ହଜାର ମୃତ୍ୟୁ ରେକର୍ଡ କରାହୋଇଥିଲା ।

ବଙ୍ଗାଲ ମରୁଡି (୧୯୪୩) ମୌସୁମୀ ଦୁର୍ବଳ ହେବା କାରଣରୁ ଫସଲ ନଷ୍ଟ ହୋଇଥିଲା । ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କହିଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଲୋକଙ୍କ ନିକଟରୁ ଖାଦ୍ୟାନ୍ନ ଜୋର ଜବରଦସ୍ତ ନେବା ଘଟଣା ହିଁ ଏହି ମରୁଡ଼ିର କରାଳତା ବେଶ୍ ଉଗ୍ର ହୋଇ ଯାଇଥିଲା । ବଡମକାର (୧୯୬୫-୬୬) ସ୍ୱାଧିନ ଭାରତର ପ୍ରଥମ ବଡ଼ ମରୁଡ଼ି । ମୃତ୍ୟୁସଂଖ୍ୟା ସରକାର ଘୋଷଣା କଲେ ନାହିଁ । ୧୯୬୫ ପରବର୍ତ୍ତୀ ଦୁଇବର୍ଷ ମୌସୁମୀ ଦୁର୍ବଳ ହେବା କାରଣରୁ ଫସଲହାନୀ ଏବଂ ପାକିସ୍ଥାନ ସହ ଯୁଦ୍ଧ ମରୁଡ଼ିସ୍ଥିତିକୁ ଦୁର୍ବିସହ କରିଥିଲା । ସମଗ୍ରଦେଶ ଏଥିରେ ପ୍ରଭାବିତ ଥିଲା । ସ୍ୱାଧୀନ ଭାରତରେ କୃଷିନୀତି ଯୋଗୁଁ ଏହାର ନିୟନ୍ତ୍ରଣ ହୋଇ ପାରି ନଥିବା ଅଭିଯୋଗ ହୁଏ । ଫଳତଃ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାରଙ୍କ ଉପରେ ବହୁତ ଚାପ ପଡ଼ିଲା । କୃଷି ବିପ୍ଲବ ପଟକୁ ସରକାର ଜୋରଦେଲେ । ଲାଲ ବାହାଦୂରଙ୍କ ଜୟ ଜବାନ ଜୟ କିଶାନ ନାରା ବେଶ୍ ଲୋକପ୍ରିୟ ହେଲା । ସବୁଜ ବିପ୍ଲବର ମୂଳଦୁଆ ପଡ଼ିଲା । ସରକାରଙ୍କୁ ଗହମ ଆମଦାନୀ କରିବାକୁ ପଡ଼ିଲା । ଖାଦ୍ୟରେ ଆତ୍ମନିର୍ଭର ହେବାକୁ ସରକାର ପ୍ରୟାସ ଆରମ୍ଭକଲେ । ଜଳସେଚନ ପାଇଁ କେନ୍ଦ୍ର ସହାୟତା ବଢ଼ିଲା ।

୨୦୦୨-୨୦୦୯ ମସିହା ମଧ୍ୟରେ ୧୯ରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହେଲା । ୨୦୦୯ ମସିହାରେ ସରକାର ୧୭୭ଜିଲ୍ଲାକୁ ମରୁଡ଼ି ପୀଡ଼ିତ ବୋଲି ଘୋଷଣା କରିଥିଲେ ।

ଉପରବର୍ଣ୍ଣିତ ସମୟମାନଙ୍କ ବ୍ୟତୀତ ଅନେକ ମରୁଡ଼ି ଅଲିଖିତ ପ୍ରାୟ ରହିଯାଇଛି । ଏହା ପୂର୍ବରୁ ମରୁଡି ହେଉନଥିଲା, ଏହା ନୁହେଁ । ଅନେକ କାହାଣୀ, ଲୋକକଥା, ପୁରାଣ ଆଦିରେ ମରୁଡ଼ି ବର୍ଣ୍ଣନା ଦେଖାଯାଏ । ୧୮୭୦ ଦଶକରେ ଦେଶ ଗୋଟିଏ ପରିବର୍ତ୍ତନ ପଟକୁ ମୁହାଇଲା । ରାଷ୍ଟ୍ରୀୟ ଭାବନା ଜାଗରିତ ହେଲା । ଲର୍ଡ ମାଥୁ୍ୟ ଶାସନକୁ ବିକେନ୍ଦ୍ରୀକରଣ କରିଥିଲେ । ପ୍ରତିଟି ମରୁଡ଼ିର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ଓଡ଼ିଶାରେ ବର୍ଷା ହୋଇଥାଏ ।

ପନ୍ଦରକୋଟି ବର୍ଷ ପୂର୍ବର ଇତିହାସ କହେ ଗୋଣ୍ଡୱାନାରୁ ଭାରତ ଭୂଖଣ୍ଡ ବିଚ୍ଛିନ୍ନ ହୋଇ ପାଞ୍ଚକୋଟି ବର୍ଷପୂର୍ବେ ଲଦାଖ ସହ ଧକ୍କା ହୁଏ । ଏହା ଫଳରେ ହିମାଳୟ ଓ ତିବତର ଜନ୍ମ ହୁଏ । ଯେଉଁ ପ୍ରକ୍ରିୟା ଆଜି ବି ଚାଲୁଅଛି । ଏହାସହ ଭାରତର ପ୍ଲେଟ ଦୁଇଖଣ୍ଡ ହୋଇ ପୂର୍ବପଟକୁ ଢାଲୁ ହେବା କାରଣରୁ ମଧ୍ୟ, ପଶ୍ଚିମ ଓ ପୂର୍ବକ୍ଷେତ୍ରର ନଦୀସମୂହ ବଙ୍ଗୋପସାଗର ପଟେ ମୁହାଁଇଥାନ୍ତି । ପୂର୍ବଘାଟ ପର୍ବତ ଶୃଙ୍ଖଳାର ଅଂଶବିଶେଷ ହୋଇଥିବା କାରଣରୁ ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟ ଅଞ୍ଚଳ ଗୋଟିଏ ପଟକୁ ଢାଲୁ ରହିଥାଏ । ଏଥିଯୋଗୁଁ ୧୪୦୦ ମି.ମି ବର୍ଷା ରେକର୍ଡ ହେଲେ ମଧ୍ୟ ଓଡ଼ିଶାର ପଶ୍ଚିମକ୍ଷେତ୍ର ନଦୀ, ନାଳ ଆଦିଦ୍ୱାରା କମ୍ ଦିନ ଭିତରେ ଜଳ ପ୍ରବାହିତ ହୋଇ ସମୁଦ୍ରକୁ ବହିଯାଏ । ଘଞ୍ଚଜଙ୍ଗଲ ଓ ଅସମତୁଲ ଭୂମି ଭୂଗର୍ଭ ଜଳଭଣ୍ଡାରକୁ ସମ୍ପନ୍ନ ରଖିଥାଏ ଫଳରେ ପ୍ରାୟ ନଦୀ ଚିରସ୍ରୋତା ରହିଥାଏ । ନଦୀ ଚିରସ୍ରୋତା ହେବା ବହୁ ପୂର୍ବର ଘଟଣା । ଯେତେବେଳେ ନଦୀବନ୍ଧ ନଥିଲା ସେତେବେଳେ ଅନେକ ନଦୀ ଚିରସ୍ରୋତା ରହିଥିଲା । ମୁଖ୍ୟତଃ ଜଙ୍ଗଲକୁ ନଷ୍ଟ କରାଯିବା ଫଳରେ ଓ ନଦୀବନ୍ଧ କାରଣରୁ ବର୍ଷର ସର୍ବାଧିକ ଚାରିମାସ ନଦୀ ପ୍ରବାହିତ ହୋଇଥାଏ । ଦେଖାଯାଇଛି ଛୋଟଛୋଟ ନଦୀମାନ ମଧ୍ୟ ସର୍ବାଧିକ ବର୍ଷର ଚାରିମାସ ପାଣି ରଖି ପାରୁଛନ୍ତି । ବର୍ଷାପାଣି ବହିଗଲା ପରେ ନଦୀମାନଙ୍କରେ ଆଉ ପାଣି ରହୁନାହିଁ ।

ନର୍ମଦା ଉପତ୍ୟକାରୁ ମଣିଷ ପ୍ରଥମକରି ଚାଳିଶ ହଜାରବର୍ଷ ପୂର୍ବରୁ ଓଡ଼ିଶାକୁ ଆସିଲା । ଜୋଙ୍କ ଉପତ୍ୟକାରେ ନିଜର ପ୍ରଥମ ବାସସ୍ଥାନ ତିଆରି କଲା । ସୁନାବେଡ଼ା ପ୍ଲାଟୁରେ କୃଷିସହ ଜୀବନ ଓ ପ୍ରକୃତିର ଅନେକ ବିଭାଗଉପରେ ହଜାର ହଜାର ବର୍ଷର ଗବେଷଣା କଲା । ଏହାପରେ ଓଡ଼ିଶାର ସଂସ୍କୃତିକୁ ସୋମବଂଶୀଙ୍କ ସମୟରେ ଏକ ସୀମାର ରୂପ ଦେଲା । ଓଡ଼ିଶାର ରାଜନୈତିକ ମାନଚିତ୍ର ତିଆରି ହେଲା । ଇଣ୍ଡୋ-ମଙ୍ଗୋଲିୟାନ ଯେଉଁମାନେ ପ୍ରଥମେ ପାହାଡ଼ ଉପରେ ନିବାସ କରୁଥିଲେ । କୃଷିସଭ୍ୟତା ଆରମ୍ଭ କରିବା ପୂର୍ବରୁ ସମତଳ ଭୂମିକୁ ଓହ୍ଲେଇଲେ । ଘଞ୍ଚ ଅରଣ୍ୟ ଯୋଗୁଁ ମାଟି ସବୁବେଳେ ଓଦା ଓ ସନ୍ତସନ୍ତିଆ ରହୁଥିଲା । ଯେଉଁମାଟିକୁ କୋଶଲୀ ଭାଷାରେ ପାଟ କୁହାଯାଏ । ଓଡ଼ିଆ ଭାଷାରେ ପାଟ ଶବ୍ଦ ମୁଖ୍ୟ ଅର୍ଥରେ ବ୍ୟବହାର ହୋଇଥାଏ । ଜମିକୁ ଶୁଖା କରିବାପାଇଁ ଜଙ୍ଗଲ କାଟି ଚାଷ ଉପଯୋଗୀ କରାଗଲା । ଏହି ପାଟ ଗୋଟିଏ ଜନବସତିର ଭୂଗୋଳ ଅଥବା ରାଜନୈତିକ ସୀମା ଆକାରରେ ବ୍ୟବହାର ହେଲା । କୌଶଳ ଭାବନା, ଅର୍ଥାତ ନିଜର ଗୋଷ୍ଠୀ ବା ବଂଶକୁ ଯେଉଁ ଇତର ଜୀବ ଜୀବନଯାପନର ମାର୍ଗ ଦେଇଥାଏ ସେ ହୁଏ ସେହି କୂଳର ସଂରକ୍ଷକ । ଏହି କୂଳ ସଂରକ୍ଷକ ପାଟର ଈଶ୍ୱରୀ ଅଥବା ପାଟର ମୁଖ୍ୟ ଭାବରେ ଅଧିଷ୍ଠିତ ହେଲେ । ପାଟର ମୁଖ୍ୟଙ୍କ ପାଇଁ ଉସôର୍ଗ କରାଯାଉଥିବା ଜିନିଷ ଉପରେ ପାଟ ଯୁକ୍ତ କରାହୁଏ । ପାଟବୁକା, ପାଟଖଣ୍ଡା, ପାଟଶାଢ଼ୀ, ପାଟସିନ୍ଦୁର ଆଦି । ପାଟ ହିଁ ଜଙ୍ଗଲ ସଂସ୍କୃତିରୁ କୃଷି ସଂସ୍କୃତିକୁ ମଣିଷକୁ ଆଣିଥିଲା । କୋରାପୁଟରେ ପ୍ରଥମେ ଧାନଚାଷ ହୋଇଥିବା ବୈଜ୍ଞାନିକମାନେ କହିଥାନ୍ତି । କିନ୍ତୁ ମାନବ ପ୍ରଜାତିର ଇତିହାସ ଦେଖିଲେ ଜୋଙ୍କ ଉପତ୍ୟକାରୁ ହିଁ ମଣିଷ କୋରାପୁଟ ପଟକୁ ଯାଇଅଛି । ଏହାସହ ବିଭିନ୍ନ ପୁରାତାତ୍ତ୍ୱିକ ଅବଶେଷ ପ୍ରମାଣ କରିଥାଏ ଯେ ଜୋଙ୍କ ଉପତ୍ୟକାରେ ପ୍ରଥମେ ବୈଜ୍ଞାନିକ ପ୍ରକ୍ରିୟାରେ କୃଷି ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଓଡ଼ିଶାର ସଂସ୍କୃତି ତିଆରି କରିଥିଲା ।

ଗୋଟିଏ ପ୍ରାଚୀନ ସଂସ୍କୃତି ପ୍ରବଳ ବର୍ଷା ଓ ଭୂମିର ଚରିତ୍ରକୁ ଅତି ନିବିଡ଼ ଭାବେ ଚିହ୍ନିଥିବ ନିଶ୍ଚୟ । କୃଷି ଓ ଜଙ୍ଗଲପ୍ରଧାନ ସଂସ୍କୃତିରେ ପାଣି ପ୍ରମୁଖତା ରଖିଥାଏ । କୃଷିପାଇଁ ସେଚର ଆବଶ୍ୟକତାକୁ ପୁରା କରିବା ଲାଗି ବିଭିନ୍ନ ପ୍ରକାର ଜଳସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପମାନ ଦେଖିବାକୁ ମିଳିଥାଏ । ପାଟ ସଂସ୍କୃତି ଆଜି ବି ଜୀବିତ ରହିଅଛି । ସେହିପରି ଜଳ ପରିଚାଳନା ବିଦ୍ୟା ମଧ୍ୟ ଅନେକ କ୍ଷେତ୍ରରେ ଦେଖା ଯାଇଥାଏ । ପାହାଡ଼ ଉପରେ, ମଝିରେ ଓ ପାହାଡ଼ତଳେ ବିଭିନ୍ନ ପ୍ରକାର ଜଳ ନିୟନ୍ତ୍ରଣ ବ୍ୟବସ୍ଥା ଦେଖିବାକୁ ମିଳିଥାଏ । ଜଙ୍ଗଲରେ, ସମତଳ ଭୂମିରେ ଓ ଢାଲୁ ଭୂମିରେ ମଧ୍ୟ ଜଳ ନିୟନ୍ତ୍ରଣର ବିଭିନ୍ନ ପ୍ରକଳ୍ପ ଦେଖାଯାଇଥାଏ । ପାହାଡ଼ର ବର୍ଷାପାଣିକୁ କର୍ପନ (ପାହାଡ଼ରେ ହୋଇଥିବା ପ୍ରାକୃତିକ ଅବା କୃତ୍ରିମ ଖୋଳ) ଅବା ଗୁମ୍ଫାରେ ସାଇତି ରଖାଯାଏ । ଯାହା ମାଧ୍ୟାକର୍ଷଣ ବଳ ସହାୟତାରେ ବର୍ଷତମାମ ଜଳ ଆପୂର୍ତ୍ତି କରିଥାଏ । ପଶ୍ଚିମ ଓଡ଼ିଶାର ଅନେକ ପାହାଡ଼ି ଅଞ୍ଚଳରେ ସରକାରୀ ସେଚ ଅବା ଜଳସଂରକ୍ଷଣ ପ୍ରଣାଳି ଫେଲ ହୋଇଥିବା ବେଳେ ହଜାର ହଜାର ବର୍ଷ ପୁରୁଣା ବ୍ୟବସ୍ଥାରେ ଲୋକ ଆଜି ବି ନିର୍ଭର କରୁଛନ୍ତି । ଏହି ବ୍ୟବସ୍ଥାରେ କେତେପ୍ରକାର ଜଳ ସଂରକ୍ଷଣ ଓ ଅମଳ ପ୍ରକଳ୍ପ ନଥିବ ତାହା ସହଜରେ ଅନୁମାନ କରିହୁଏ । କଳାହାଣ୍ଡି ଜିଲ୍ଲାର ଜଳପୁରୁଷ କାର୍ଜି ମାଝୀ ପୁରାତନ କୌଶଳ ଅବଲମ୍ବନ କରି ଉଚ୍ଚଭୂମିକୁ ଜଳସ୍ରୋତ ପ୍ରବାହିତ କରି ପାରୁଥିଲେ ।

ଯେହେତୁ ପ୍ରାକୃତିକ ଉପାୟରେ ବର୍ଷା, ଜଳବଣ୍ଟନ, ସଂରକ୍ଷଣ ଆଦି ଅସମାନ ଥିଲା ସେ ସମୟରେ ନିଜର ଦୀର୍ଘ ଅଧ୍ୟବସାୟ ଫଳରେ ମଣିଷ ଜଳ ପ୍ରକଳ୍ପମାନ ତିଆରି କରିଥିଲା ।

ବଡ଼ମକାର ପରେ ଜଳଅମଳ ପ୍ରକଳ୍ପ ପାଇଁ ବ୍ଲକମାନଙ୍କୁ ଅନୁଦାନ ଆସିଲା । ବିଡିଓ କହିଲେ ପାହାଡ଼ି ଅଞ୍ଚଳର ଗାଁମାନଙ୍କରେ କୌଣସି ପ୍ରକଳ୍ପ ହୋଇ ପାରିବ ନାହିଁ । ଏହାକୁ ଭଇସାଦାନୀ ସରପଞ୍ଚ ଶ୍ରୀ ଘାସିରାମ ମାଝୀ ବିରୋଧ କରିଥିଲେ । ସେ ସମୟରେ ପ୍ରାଚୀନ ଜଳଅମଳ ପ୍ରକଳ୍ପମାନଙ୍କୁ ସାମାନ୍ୟ ଖର୍ଚ୍ଚରେ ବ୍ୟବସ୍ଥିତ ଓ ମରାମତି କରିଥିଲେ । ଗୋଟିଏ ପ୍ରକଳ୍ପର ମରାମତି ଖର୍ଚ୍ଚ ସର୍ବାଧିକ ୨୭୦ଟଙ୍କା ଥିଲା । ଏବେ ସରକାରଙ୍କ ଚେକଡେମ, ଆଦି ପ୍ରକଳ୍ପ ମଧ୍ୟ ରହିଅଛି । କିନ୍ତୁ ଆଶ୍ଚର୍ଯ୍ୟ ଆଜି ସରକାରୀ କୌଶଳରେ ନିର୍ମିତ ପନ୍ଦରରୁ ତିରିଶ ଲକ୍ଷଟଙ୍କାର ପ୍ରକଳ୍ପ ଖରା ଆସିବା ଆଗରୁ ଶୁଖିଯାଏ । ଏବଂ ପାଞ୍ଚଦଶନ୍ଧି ପୂର୍ବରୁ ମରାମତି ହୋଇଥିବା ପ୍ରକଳ୍ପରୁ ଲୋକେ ଖରାଦିନେ ଗାଧୋଇ ଫେରୁଥାନ୍ତି ।

ଏଥିବାଦ ଅନ୍ୟ ସମତଳ ବା ଢାଲୁ ଅଞ୍ଚଳରେ ଜଳ ଅମଳ ପ୍ରକଳ୍ପର ଭିନ୍ନତା ଥାଏ । ପଶ୍ଚିମ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଅଞ୍ଚଳରେ କୁଡ଼ା ଓ କୁର୍ମୀ ଜାତିର ଲୋକ ରହିଥାନ୍ତି । ଏହି ଜାତି ଜଳ ବୈଜ୍ଞାନିକ ଅଟନ୍ତି । କୌଣସି ନୂତନ ଗାଁ ସ୍ଥାପିତ ହେଲେ ଗାଁଲୋକ ଏବଂ ଚାଷ ଜମିପାଇଁ ଜଳ ପରିଚାଳନା ପ୍ରକଳ୍ପ ତିଆରି କରିଥାନ୍ତି । ଢାଲୁ ଅଞ୍ଚଳରେ ଜଳ ସଂଗ୍ରହ ଅଞ୍ଚଳ (United national conference)କୁ ଦୃଷ୍ଟିରେ ରଖି ଗୋଟିଏ ଜଳାଶୟ ନିର୍ମାଣ କରୁଥିଲେ । ଏହି ପ୍ରକଳ୍ପ ଗାଁ ମୁଣ୍ଡରେ ଥିବାଯୋଗୁଁ ଏହାକୁ ମୁଡ଼ା କୁହା ଯାଉଥିଲା । ଏହି ମୁଡ଼ାରେ ବର୍ଷାଜଳ ସଂଗୃହୀତ ହେବ । ତା’ତଳକୁ ସ୍ଥାନ ବିଶେଷରେ ଅନ୍ୟପ୍ରକଳ୍ପ ତିଆରି ହେଉଥିଲା । ଏହି ପ୍ରକଳ୍ପରୁ ପାଣି ଚାଷଜମିକୁ ନିଆଯାଇ ପାରୁଥିଲା । ଗୋଟିଏ ପଟେ କାଟିକରି ପାଣି ଜମିକୁ ନିଆ ଯାଉଥିବା ଯୋଗୁଁ ଏହାକୁ କଟା କୁହା ଯାଉଥିଲା । ତା’ତଳକୁ ପୋଖରୀ ତିଆରି ହେଉଥିଲା । ଚାରିପଟେ ବନ୍ଧ ବାନ୍ଧି ଜଳ ସଂରକ୍ଷିତ ରଖାଯାଉଥିଲା । ଯାହା ମୁଖ୍ୟତଃ ଉପର ଦୁଇଟି ଜଳାଶୟରୁ ଭୂମିଗତ ପ୍ରବାହରେ ଜଳ ଛାଣି ହୋଇ ରହୁଥିଲା । ଯେଉଁ ପାଣି ଗାଧୋଇବା ଏବଂ ପିଇବା ପାଇଁ ବ୍ୟବହାର କରାହେଉଥିଲା । ତା ତଳକୁ ପରିବା ବଗିଚା ଆଦି ତିଆରି ହେଉଥିଲା । ଯେଉଁ ବଗିଚାକୁ କୂଅଖୋଳି ପାଣି ମଡ଼ା ଯାଉଥିଲା । ଅର୍ଥାତ ବର୍ଷତମାମ ଜଳକଷ୍ଟରୁ ମୁକ୍ତପାଇ ପାରୁଥିଲେ । ଏହାସହ ଅନ୍ୟ ଏକ ପ୍ରକଳ୍ପ ଅର୍ଥାତ ନଦୀ ଗତିପଥ ବଦଳେଇଲେ ଯେଉଁ ଜଳାଶୟ ନିର୍ମାଣ ହେଉଥିଲା , ତାହାକୁ ସର କୁହାଯାଏ । ନଦୀ ପ୍ରବାହର ଚରିତ୍ର ଦେଖି ପାଖରେ ଏକ ଜଳାଶୟ ନିର୍ମାଣ ହେଉଥିଲା । ନଦୀ ବଢ଼ି ସମୟରେ ସର ଭିତରକୁ ପାଣି ପ୍ରବେଶ କରାଇ ତାହାକୁ ନଦୀପଥରେ ହିଁ ନିଷ୍କାସିତ କରା ହେଉଥିଲା । ଏହାଦ୍ୱାରା ସର ପଙ୍କ ଆଦିରୁ ସଫା ରହୁଥିଲା ।

ଜଳ ଅମଳର ଏହିସବୁ ପ୍ରକଳ୍ପମାନ କେବଳ କେବଳ ମଣିଷ ବ୍ୟବହାର ପାଇଁ ନୁହେଁ ଜଙ୍ଗଲ ଜନ୍ତୁ, ପଶୁପକ୍ଷୀ ଏବଂ ଗୃହପାଳିତ ପଶୁ ଗୋମହିଷାଦିଙ୍କ ପାଇଁ ମଧ୍ୟ ପ୍ରକଳ୍ପ ବ୍ୟବହୃତ ହେଉଥିଲା । ଜଙ୍ଗଲ ମଧ୍ୟରେ ବି ଅନେକ ପ୍ରକଳ୍ପ ତିଆରି ହେବାର ଦେଖାଯାଏ । ଯେପରି କରପନ, କୁଠୁଲ, ଦରହ, ଝରନ, ଖୋର ଆଦି ଜଳାଶୟ ଓ ଜଳସ୍ରୋତ ଜଙ୍ଗଲଜନ୍ତୁଙ୍କ ବ୍ୟବହାରରେ ଆସିଥାଏ । ଜଳଅମଳ ପ୍ରକଳ୍ପ କେବଳ ମଣିଷ ନିଜପାଇଁ ତିଆରି କରୁନଥିଲା । ନିଜ ପରିବେଶରେ ରହୁଥିବା ଇତର ଜୀବଙ୍କୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ସମାନ ଜଳବଣ୍ଟନ ବ୍ୟବସ୍ଥା ତିଆରି କରୁଥିଲା ।

ଜମିର ଅସମାନତା ଏବଂ ବର୍ଷାଜଳର ସ୍ଥାୟିତ୍ୱ ଭିନ୍ନ ଭିନ୍ନ ହୋଇଥିବା କାରଣରୁ ଜଳ ସଂଚାଳନ ପାଇଁ ନାନାପ୍ରକାର ବୈଜ୍ଞାନିକ ଉପାୟ ଅବଲମ୍ବନ କରା ଯାଇଥିଲା । ଯେମିତି ମୌସୁମୀର ସାମାନ୍ୟ ଦୁର୍ବଳତାକୁ ମଧ୍ୟ ଏଡ଼ା ଯାଇ ପାରୁଥିଲା । ଗାଁ ଏଭଳି ବସା ଯାଉଥିଲା ଯେ ମାତ୍ରାଧିକ ବର୍ଷା ଅବା ଜଳାଶୟ ଭୁଷୁଡ଼ି ବଢ଼ି ହୋଇଗଲେ ମଧ୍ୟ ବିଶେଷ କ୍ଷତି ହେଉନଥିଲା । ପ୍ରାକୃତିକ ଆପଦା ମଣିଷକୁ ସବୁବେଳେ ହରେଇଥାଏ । କିନ୍ତୁ ଯୁଝାରୁ ମଣିଷ ନିଜର ବୁଦ୍ଧିବଳରେ ପ୍ରାକୃତିକ ଆପଦା ସହ ଲଢ଼େ ସଫଳ ହୁଏ, ବିଫଳ ହୁଏ ।

ଏହି ବ୍ୟବସ୍ଥାରେ ରାଜନୀତି ଓ ସାମାଜିକ ଜୀବନ କିଭଳି ଥିଲା ଏହା ବିଶେଷ ଗୁରୁତ୍ୱ ରଖିଥାଏ । ଲୋକ ବିଶ୍ୱାସ ରହିଥିଲା ତିନିବର୍ଷ ଚାଷପରେ ଜମି ତାର ପୂର୍ବ ଉପଜ କ୍ଷମତା ଫେରିପାଏ । ତେଣୁ ଗୋଟିଏ ଗାଁର ଲୋକ ପ୍ରତି ତିନିବର୍ଷରେ ଅନ୍ୟ ଗାଁକୁ ଯାଉଥିଲେ । ୧୨ବର୍ଷରେ ପୁନଃ ପୂର୍ବ ଗାଁକୁ ଆସୁଥିଲେ । ଏହି ବ୍ୟବସ୍ଥାକୁ ଉଡାର କୁହାଯାଏ । ଗୋଟିଏ ଗାଁର ଲୋକ ତିନିବର୍ଷରେ ଥରେ କରି ଚାରୋଟି ଗାଁ ବସଉଥିଲେ ।

ପୂର୍ବରୁ ପାଟବ୍ୟବସ୍ଥାରେ ଏହି ଚାରୋଟି ଗାଁର ସମାହାର ପାଟ ହେଉଥିଲା । ପାଟଦେବୀ ରହୁଥିଲେ ଗ୍ରାମର ସର୍ବେସର୍ବା । ଗ୍ରାମଦେବୀଙ୍କ ନିୟମ ସାମାଜିକ ଜୀବନର ମୂଳ ଆଧାର ଥିଲା । ଏହି ନିୟମ ବାହାରେ କେହି ରହୁ ନଥିଲେ । ଯିଏ ଏହାକୁ ଉଲ୍ଲଙ୍ଘନ କରୁଥିଲା ସେ ନିର୍ବାସିତ ହେଉଥିଲା । ରାଜତନ୍ତ୍ର ଥିଲା ଯେମିତି ପରିବାରର ମୁଖ୍ୟ, ଗ୍ରାମମୁଖ୍ୟ, ଅଞ୍ଚଳ ମୁଖ୍ୟ ଓ ରାଜ୍ୟମୁଖ୍ୟ ରାଜା । କୌଣସି ଖଜଣା ବା କର ଦେବାର ବ୍ୟବସ୍ଥା ନଥିଲା । ସାମାଜିକ, ପାରିବାରିକ ଅବା ସାମୂହିକ ସାଂସ୍କୃତିକ ଉତ୍ସବରେ କେବଳ ଉପହାର ଦିଆ ଯାଉଥିଲା । ପରବର୍ତ୍ତୀ ସମୟରେ ଭୋସଲାମାନେ ଗଡ଼ଜାତ ଅକ୍ତିଆର କଲାପରେ ଖଜଣା ଲାଗୁ କଲେ । ଏହାପରେ ଭୋସଲାଙ୍କ ନିକଟରୁ ଇଂରେଜଙ୍କୁ କ୍ଷମତା ଗଲା । କର ପ୍ରଥା ବଳବତ୍ତର ରହିଲା । ପ୍ରାୟ ଅଷ୍ଟାଦଶ ଶତାବ୍ଦୀର ଶେଷବେଳକୁ ଭୋସଲାମାନେ ପ୍ରଜାଙ୍କ ନିକଟରୁ ଖଜଣା ବା କର ନେବାର ବ୍ୟବସ୍ଥା ଆରମ୍ଭ କଲେ । ଇଂରେଜ ସରକାରଙ୍କ ସମୟରେ ଏହା ଜୋର ଜବରଦସ୍ତ ସଂଗ୍ରହ କରାଯାଉଥିଲା । ଏହାପରେ ଚିରସ୍ଥାୟୀ ବନେ୍ଦାବସ୍ତ ପ୍ରଥା ଲାଗୁହେଲା । ଉଡ଼ାର ସଂସ୍କୃତି ଲୋପ ପାଇଗଲା । କେବଳ ଖଜଣା କାରଣରୁ ବହିରାଗତ କୃଷକଗୋଷ୍ଠୀଙ୍କୁ ଆଣି ରଖାଗଲା । ପୂର୍ବ ବ୍ୟବସ୍ଥାର ବଳକା ତିନୋଟି ଗାଁ ସମେତ ଅନେକ ଜମି ଆଦି ରାଜାଙ୍କ ଦ୍ୱାରା ଦାନ କରାଗଲା । ଅଧିକାଂଶ ଗାଁରେ ଜଳଅମଳ ବ୍ୟବସ୍ଥା ରହିଥିଲା ଅବା ନୂତନ ଗାଁରେ ମଧ୍ୟ ପୂର୍ବଭଳି ଜଳ ପରିଚାଳନା ବ୍ୟବସ୍ଥା କରାଗଲା । ଅନେକ ଲୋକ ବାସ୍ତୁହରା ହଲେ ଏବଂ ଗୋଟିଏ ବ୍ୟବସ୍ଥା ହଠାତ ବଦଳିଗଲା ।

ରାଜନୈତିକ ଅସ୍ଥିରତା ଏବଂ ପରିବର୍ତ୍ତିତ ଆଇନ ସହ ଲୋକେ ହଠାତ ମିଶିପାରିଲେ ନାହିଁ । ନିଜର ଭିଟାମାଟି ପ୍ରତି ଥିବା ମମତା ବହିରାଗତଙ୍କ ନିକଟରେ ଦେଖାଗଲା ନାହିଁ । ପ୍ରଜାମାନେ ଦୁଇଭାଗ ହୋଇଗଲେ ବିଦ୍ରୋହୀ ଓ ରାଜାନୁରକ୍ତ । ଜମିଦାର ବ୍ୟବସ୍ଥା ପ୍ରଚଳନ ପରେ ଆଇନ ଗୋଟିଏ ମଧ୍ୟବର୍ଗ ତିଆରି କଲା । ଏ ସମୟ ପର୍ଯ୍ୟନ୍ତ ପରିବାର ମୁଖ୍ୟତୁଲ୍ୟ ରାଜା ଥିଲେ କିନ୍ତୁ ଶାସନର ଅନେକ ବିଭାଗ ଜମିଦାର, ଜଙ୍ଗଲ ନାକା, ଶିକ୍ଷାବିଭାଗ ଆଦିରେ ବହିରାଗତ ରହିଲେ । ଶାସନ ପରିଚାଳନା ପାଇଁ ମଧ୍ୟ କର୍ମଚାରୀ ଆସିଲେ । ପୂର୍ବରୁ ଦେଖା ଯାଉଥିଲା ମରୁଡ଼ିରୁ ରକ୍ଷା ପାଇବା ପାଇଁ ଲୋକେ ପ୍ରବାସ କରୁଥିଲେ, କିନ୍ତୁ ଏହି ସମୟରେ ଦେଖାଗଲା ଲୋକେ ଶାସନ ଏବଂ ବହିରାଗତଙ୍କ ପ୍ରାଦୁର୍ଭାବରୁ ମଧ୍ୟ ପଳାୟନ କରିବାକୁ ବାଧ୍ୟ ହେଲେ ।

ସାମାଜିକ ବ୍ୟବସ୍ଥାରେ ଶିଳ୍ପକାର ଗୋଷ୍ଠୀ ଗୋଟିଏ କୃଷି ସଂସ୍କୃତି ପାଇଁ ସେତିକି ମୂଲ୍ୟବାନ ଥିଲେ ଯେତିକି ଜଣେ କୃଷକ । ସମାଜ ଦୁଇଭାଗ ହେବାକୁ ଲାଗିଲା ସ୍ଥାନୀୟ ଓ ପରଦେଶୀ । ସ୍ଥାନୀୟ ଲୋକଙ୍କ ଅପେକ୍ଷା ପରଦେଶୀମାନେ ଶାସନ ନିକଟତର ଥିବା କାରଣରୁ ନିଜର ବର୍ଚ୍ଚସ୍ୱ ରଖିପାରୁଥିଲେ । ସବୁଠାରୁ ବଡ଼ ସମସ୍ୟା ହେଲା ଭୋସଲା ଏବଂ ଇଂରେଜ ଅଧିନକୁ ଶାସନ ଆସିଲାପରେ ଖଜଣା ମୁଦ୍ରା ଆକାରରେ ପଇଠ ହେଉଥିଲା । ଅର୍ଥାତ ଯାହାପାଖରେ ମୁଦ୍ରା ଅଛି ସେ ପ୍ରଭାବୀ ଲୋକ ହେଲା । ଏହି ସମୟରେ ମହାଜନୀର ବୀଜବପନ ହୋଇଥିଲା । ମହାଜନୀ ଶୋଷଣ, ବହିରାଗତ କୃଷକଙ୍କୁ ପ୍ରାଥମିକତା ଏବଂ ରାଜ କର୍ମଚାରୀଙ୍କ କ୍ରମବର୍ଦ୍ଧିଷ୍ଣ କ୍ଷମତା ଅର୍ଥନୈତିକ ଦୃଷ୍ଟିରୁ ମୂଳ ଲୋକଙ୍କୁ ଦୁର୍ବଳ କରିଦେଲା । କେବଳ ମାଟିର ମୋହ ହିଁ ଥିଲା ଯାହା ଫଳରେ ଲୋକେ ନିଜର ଗାଁମାଟି କାମୁଡ଼ି ପଡ଼ି ରହିଥିଲେ ।

କୃଷି ସଂସ୍କୃତିର ଏହି ବିବର୍ତ୍ତନବାଦ ଅନ୍ୟ ପଟରୁ ଗୋଟିଏ ଆକ୍ରମଣ ହୋଇଥିଲା । ତାହାଥିଲା ସରକାରଙ୍କ ଜଙ୍ଗଲ ଆଇନ । ଫଳରେ ଲୋକେ ଜଙ୍ଗଲରୁ ହଠାତ ବିଚ୍ଛିନ୍ନ ହୋଇଗଲେ । ତାଙ୍କ ଜଙ୍ଗଲର ଗଛବୃଚ୍ଛ ଆହାର ସବୁ ପର ହୋଇଗଲା । ଗୋଟିଏ ବିରାଟସମୂହ ଉଦବାସ୍ତୁ ହୋଇଗଲେ । କୋକ ଏକ ଜଙ୍ଗଲୀ କୁକୁର ଦଳ । କୁହାଯାଏ ଯେଉଁ ଜଙ୍ଗଲରେ କୋକ ଲାଗେ ସେ ଜଙ୍ଗଲ ଛାଡ଼ି ବାଘ ମଧ୍ୟ ଚାଲିଯାଏ । ଜଙ୍ଗଲ ଆଇନ ଲାଗୁ ହେଲାପରେ ଲୋକେ ଏହାକୁ କୋକ ଲାଗୁହେଲା ବୋଲି କହିଲେ । ଯେତେବେଳେ ବଡ଼ମକାର ବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୬୬ ମସିହା ମଇ ମାସରେ ଜଙ୍ଗଲକୁ ରିଲିଫ ଆକାରରେ ଦେଇଦେଲେ ସେତେବେଳେ ଏହି ରିଲିଫ୍ କୁ ଲୋକେ କୋକଛାଡ଼ ବୋଲି କହିଥିଲେ । ଜଙ୍ଗଲ ଆଇନ ବଳରେ ଲୋକଙ୍କ କେଉଁ ପ୍ରକାର ଆର୍ଥôକ ଓ ସାମାଜିକ କ୍ଷତି ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଅଧ୍ୟୟନ ହୋଇନାହିଁ । ଅନେକ ଚିରାଚରିତ ପ୍ରକ୍ରିୟା ଅପରାଧ ସ୍ତରକୁ ଚାଲିଗଲା ।

ପରିବର୍ତ୍ତିତ ରାଜନୈତିକ ପ୍ରକ୍ରିୟା ସାଙ୍ଗକୁ କ୍ରମ ମରୁଡ଼ି ହାହାକାର ପରିସ୍ଥିତି ତିଆରି କରୁଥିଲା । ମରୁଡ଼ି କେବଳ ନୁହେଁ ସାଧାରଣ ଦିନମାନଙ୍କରେ ଜଣେ ଛୋଟଚାଷୀ ମହାଜନ ଘରକୁ ଚାଉଳ ଆଣିଗଲା ବେଳେ ଫରେଷ୍ଟ ଗାର୍ଡ ଘରୁ ପିଠାପଣାର ବାସ୍ନା ମହକୁ ଥିବା ଶୁଙ୍ଘିବ । ଏହି ପରିସ୍ଥିତିରେ ମରୁଡ଼ିକୁ ଏଡ଼େଇବାର ସମସ୍ତ ବ୍ୟବସ୍ଥା ଥିଲେ ମଧ୍ୟ ମରୁଡ଼ି ଆବଶ୍ୟକତା ଠାରୁ ଅଧିକ କରାଳ ହୋଇ ଆସୁଥିଲା ।

ଦେଶ ସ୍ୱାଧିନ ହେଲାପରେ ୧୯୬୫ ମସିହାରେ ସମଗ୍ର ଦେଶରେ ମରୁଡ଼ି ପଡ଼ିଲା । ଏହି ସମୟରେ ଦେଢ଼ଲକ୍ଷ ଲୋକଙ୍କ ମୃତୁ୍ୟର ସୂଚନା ମିଳିଥାଏ । ସରକାର ଏହାକୁ ପ୍ରଘଟ କଲେ ନାହିଁ । ୧୮୬୫ ଓ ୧୯ଓଡ଼ିଶା ଇତିହାସରେ ମରୁଡ଼ି ନିଜର ଶହେତମ ବର୍ଷ ପାଳନ କଲା । ମୋଟାମୋଟି ଏହି ସାମାଜିକ ପରିସ୍ଥିତିରେ ଲୋକେ ମାଟିର ମୋହ ଭୁଲିଗଲେ । କନ୍ଧ ଉମରା ସ୍ଥାନରେ ବ୍ରାହ୍ମଣ, ମାରବାଡି, କୁଲତା କି ପଠାଣ ଗଉନ୍ତିଆ ରହିଲେ । ପାଟଦେବୀଙ୍କ ସେବକ ସମଗ୍ର ଗାଁ ଥିଲେ କିନ୍ତୁ ତାହା ବି ଶାସନର ପ୍ରାଦୁର୍ଭାବରୁ ସୀମିତ ହୋଇଗଲେ । ବହିରାଗତ ଓ ମୂଳଲୋକ । ବହିରାଗତଙ୍କୁ ରାଜ ସୁରକ୍ଷା ରହିଲା, ଯାହା ସ୍ୱାଧିନତା ପରେ ମଧ୍ୟ କାୟମ ରହିଲା । ଛପନସାଲ ଦୁର୍ଭିକ୍ଷ ରାଜତନ୍ତ୍ରର ବ୍ୟବସ୍ଥାକୁ ଉପହାସ କରିଥିଲା । ନ’ଅଙ୍କ ଦୁର୍ଭିକ୍ଷ ଉପନିବେଶ ଶାସନକୁ ଏବଂ ବଡ଼ମକାର ସ୍ୱଦେଶୀ ବ୍ୟବସ୍ଥାକୁ ବେଶ ଉପହାସ କରିଥିଲା । ଛପନସାଲ ମରୁଡ଼ି ଛୋଟଚାଷୀଙ୍କୁ ହତୋସôାହିତ କରି ସାରିଥିଲା । ମୁଦ୍ରାଦ୍ୱାରା ଖଜଣା ଅସୁଲ ଅନେକ ଚାଷୀ ପରିବାରକୁ ଉଦବାସ୍ତୁ କରିଦେଲା । ବଡ଼ମକାର କିନ୍ତୁ ଥିଲା ସଂସ୍କୃତି ଅର୍ଥନୀତି ଉପରେ ଶେଷ ପ୍ରହାର । ଲୋକେ ବିଖରି ଗଲେ । କିଏ କେଉଁଠିକୁ ଗଲା କେହି ଜାଣିଲେ ନାହିଁ । ପ୍ରତିଟି ମରୁଡ଼ିରେ ପ୍ରବାସ ହୋଇଛି କିନ୍ତୁ ବଡ଼ମକାରର ପ୍ରବାସରେ ଭିନ୍ନତା ଦେଖାଯାଏ । ଲୋକଙ୍କୁ ମାଟିର ମୋହ ନଥିଲା ।

ଅବଶ୍ୟ ପଳାୟନକୁ ଶିଳ୍ପ ଆକୃଷ୍ଟ କରେ ଯାହା ବଡ଼ମକାର ବେଳେ ହୋଇଥିଲା । ଆସାମ ଚା ଚାଷ ବେଳକୁ ପଳାୟନ ଜୋର ଜବରଦସ୍ତ ଓ ଉତ୍ତମ ଜୀବନର ସ୍ୱପ୍ନ ଦେଖାଇ ନିଆ ଯାଇଥିଲା । ଆସାମରେ ଅଧିକ ରୋଜଗାର କରିପାରିବ, ରହିବା ବ୍ୟବସ୍ଥା ଶିକ୍ଷା ଆଦି । ଗମନାଗମନ ସୁବିଧା ଫଳରେ ନିଃସ୍ୱଲୋକ ରୋଜଗାର ପାଇଁ ମୁଖ୍ୟତଃ ବଡ଼ମକାର ବେଳେ ଛତିଶଗଡ଼ ଅଞ୍ଚଳକୁ ଗଲେ । ଏହାପରେ ଭୋପାଳ, ଉତ୍ତରଭାରତ ଆଦି ଅଞ୍ଚଳକୁ ଗଲେ ।

ଦୀର୍ଘ ନିଷ୍ପେଷିତ ସମୂହଙ୍କୁ ନେଇ କେବଳ ଖାଦ୍ୟ ବଦଳରେ ଖଟେଇବାର ସୁବିଧା ହେଲା । ଏହିଠାରୁ ଆରମ୍ଭ ହେଲା ଦାଦନପ୍ରକ୍ରିୟା । ଯାହା ଆଧୁନିକ କ୍ରୀତଦାସ ପ୍ରକ୍ରିୟା ହିଁ ଅଟେ । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରୁ ଲକ୍ଷାଧିକ ଲୋକ ଦକ୍ଷିଣ ରାଜ୍ୟକୁ ସାମୟିକ କ୍ର୍ରୀତଦାସ ହୋଇ ଇଟା ଗଢ଼ି ଯାଆନ୍ତି । କେବିକେ ଜିଲ୍ଲାର ଉନ୍ନତି ପାଇଁ କାଶିପୁରରେ ଖନନ ଓ କାରଖାନା କରାଗଲା । ମାତ୍ର ଗୋଟିଏ ଦଶକ ପରେ କାଶିପୁର ଦାଦନ ହବ୍ ହୋଇଗଲା । ଏହି ସମସ୍ତ ଦାଦନ ବଜାରକୁ ମିଶାଇଲେ ଏହା ପାଖାପାଖି ପାଞ୍ଚହଜାର କୋଟି ଟଙ୍କାର ଏକ ବ୍ୟବସାୟ ଅଟେ । ପାଞ୍ଚ ହଜାର କୋଟି ଓ ମାନବାଧିକାର ମଧ୍ୟରେ ଯଦି ତୁଳନା କରାଯାଏ ନିଶ୍ଚିତ ପାଞ୍ଚହଜାର କୋଟିର ବଜାର ମାନବତା ଉପରେ ଭାରି ରହିବ ।

ଏହା ହିଁ ସବାଶେଷ ସତ ଦାଦନ ଇତିହାସର ।

Comments

0 comments

Share This Article