ନଭେମ୍ବର ୨୦୦୦ ମସିହାର କଥା । ବନ୍ଧୁ ରାଜେନ୍ଦ୍ର ଷଡ଼ଙ୍ଗୀ ଏବଂ ଅଶୋକ ବାବୁଙ୍କ ସହ ଦିଲ୍ଲୀ ଯିବାକୁ ପଡ଼ିଥିଲା । ଉଦ୍ଦେଶ୍ୟଟି ଥିଲା ଜାତୀୟସ୍ତରରେ ଜନବିଜ୍ଞାନ କଂଗ୍ରେସର ଆୟୋଜନ ପାଇଁ ସେଠାକାର ବନ୍ଧୁ ତଥା ଜଣାଶୁଣା ବ୍ୟକ୍ତିମାନଙ୍କର ଅନୁରୋଧ କରିବା । ଜନବିଜ୍ଞାନ କଂଗ୍ରେସ ଶବ୍ଦଗୁଡ଼ିକ ସହିତ ମୁଁ ପୂର୍ବରୁ ପରିଚିତ ଥିଲି । ଯେତେବେଳେ ଜଣେ ଜନବିଜ୍ଞାନ କର୍ମୀ ହିସାବରେ କାମ କରିବାପାଇଁ କିଛି ବର୍ଷ ସୁଯୋଗ ମିଳିଥିଲା । ସର୍ବଭାରତୀୟ ଜନ ବିଜ୍ଞାନ ସଂଗଠନ ସମୂହ ନିୟମିତ ବ୍ୟବଧାନରେ ଜନ ବିଜ୍ଞାନ କଂଗ୍ରେସ ଆୟୋଜନ କରିଆସିଥିଲେ ଏବଂ ଏବେ ମଧ୍ୟ କରୁଛନ୍ତି । ଆମେ ଯେଉଁ ଜନ ବିଜ୍ଞାନ କଂଗ୍ରେସ ପାଇଁ ଚିନ୍ତା କରିଥିଲୁ ତାହା ପୃଷ୍ଠଭୂମିରେ ଥିଲା କିଛି ତାକ୍ରାଳିକ କାରଣ ଏବଂ ତାହା ପୂର୍ବରୁ କିଛି ତିକ୍ତ ଅନୁଭୂତି । ତତ୍କାଳିକ କାରଣଟି ହେଲାଯେ ୮୮ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଆୟୋଜନ ନୂଆଦିଲ୍ଲୀ ଠାରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କଂଗ୍ରେସର ୫ଦିନିଆ ଅଧିବେଶନ ଜାନୁଆରୀ ୩ ଠାରୁ ୭, ୨୦୦୧ ଯାଏଁ ‘ଖାଦ୍ୟ, ପୁଷ୍ଟି ଏବଂ ପରିବେଶ ବିଜ୍ଞାନ’ ଇତ୍ୟାଦି ବିଷୟବସ୍ତୁ ଉପରେ ହେବ ବୋଲି ଘୋଷଣା କରାଯାଇଥିଲା । ପ୍ରଥମଥର ପାଇଁ ଏହାର ପ୍ରାୟୋଜକମାନଙ୍କ ତାଲିକାରେ ସବୁଜବିପ୍ଳବର ମୁଖ୍ୟନାୟକ ବା ଖଳନାୟକମାନଙ୍କର ନାଁ ଥିବା କଥା ଘୋଷଣାରୁ ଜଣାପଡ଼ିଥିଲା । ସେମାନଙ୍କ ଭିତରେ ଥିଲେ ସିଞ୍ଜେଣ୍ଟା, ମନ୍ସାଣ୍ଟୋ, ଏମ୍.ଏସ୍. ସ୍ୱାମୀନାଥନ ଫାଉଣ୍ଡେସନ୍ ଇତ୍ୟାଦି । ଏହାପୂର୍ବରୁ ଆମର ଏକ ତିକ୍ତ ଅନୁଭୂତି ମଧ୍ୟ ଥିଲା ।
ଅକ୍ଟୋବର ୨୯,୧୯୯୯ ମସିହାରେ ଯେତେବେଳେ ମହାବାତ୍ୟା ଓଡ଼ିଶାର ଉପକୂଳକୁ ବିଧ୍ୱସ୍ତ କରିଦେଲା ଓ ହଜାର ହଜାର ସଂଖ୍ୟାର ଲୋକ ଜୀବନ ହରାଇଲେ ସେତେବେଳେ ସେମାନଙ୍କୁ ରିଲିଫ ପହଞ୍ଚାଇବା ଏବଂ ସେମାନଙ୍କର ଥଇଥାନ କଥା ବୁଝିବାପାଇଁ ବେସରକାରୀ ସ୍ତରରେ ଏବଂ କେତେକ କ୍ଷେତ୍ରରେ ପ୍ରଗତିଶୀଳ ରାଜନୈତିକ ସଂଗଠନମାନଙ୍କ ଦ୍ୱାରା ମଧ୍ୟ କାମ ହାତକୁ ନିଆଯାଇ ଥିଲା । ଏହି ସମୟରେ ଖବର ଆସିଲା ଯେ ଗୋଟିଏ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଓଡ଼ିଶାକୁ ଗୁଣସୂତ୍ର ପରିବର୍ତ୍ତିତ (ଜି.ଏମ୍) ଖାଦ୍ୟଶସ୍ୟ ସେହି ପୀଡ଼ିତମାନଙ୍କ ମଧ୍ୟରେ ବିତରଣ କରିବାପାଇଁ ପଠାଯାଉଛି । ରାଜେନ୍ଦ୍ର ବାବୁଙ୍କ ନେତୃତ୍ୱରେ ଏହି ଗୁଣସୂତ୍ର ପରବର୍ତ୍ତିତ ଖାଦ୍ୟଶସ୍ୟ ବିରୋଧରେ ଏକ ବଡ଼ଧରଣର ଅଭିଯାନ ଆରମ୍ଭ ହୋଇଥିଲା । ଯେତେବେଳେ ୮୮ତମ ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରାୟୋଜକମାନଙ୍କର ତାଲିକା ପ୍ରକାଶ ପାଇଲା ଏବଂ ସେହି ଭିତରେ ଯେଉଁମାନେ ଗୁଣସୂତ୍ର ପରିବର୍ତ୍ତିତ ଖାଦ୍ୟ ବିଶ୍ୱରେ ପ୍ରଚଳନ କରିବା ପାଇଁ ସରକାରମାନଙ୍କୁ ଏବଂ କୃଷି ବୈଜ୍ଞାନିକମାନଙ୍କୁ ପ୍ରଭାବିତ କରିବାପାଇଁ ପ୍ରୟାସ କରିଆସିଛନ୍ତି, ସେମାନଙ୍କର ନାଁ ଗୁଡ଼ିକ ଦେଖିବାକୁ ମିଳିଲା, ସେତେବେଳେ ନିଷ୍ପତ୍ତି ନିଆଗଲା ଯେ ଏହି ସରକାରୀ ଭାରତୀୟ ବିଜ୍ଞାନ କଂଗ୍ରେସ ବିରୋଧରେ ପ୍ରତିବାଦ କରାଯିବ । ସେଥିପାଇଁ ନିଷ୍ପତ୍ତି ନିଆଗଲା ଠିକ୍ ସେହିଦିନ ଗୁଡ଼ିକରେ ଦିଲ୍ଲୀରେ ଏକ ସମାନ୍ତରାଳ ଭାବେ ‘ଖାଦ୍ୟ ସାର୍ବଭୌମତା’କୁ ଭିତ୍ତିକରି ଏକ ଜନବିଜ୍ଞାନ କଂଗ୍ରେସର ଆୟୋଜନ କରାଯିବ ।
ହାତରେ ପଇସାଟିଏ ବି ନଥାଏ କିନ୍ତୁ ମନଟି ଥାଏ ଏହି କାର୍ଯ୍ୟକ୍ରମଟିକୁ ସଫଳଭାବେ ଆୟୋଜନ କରାଯିବ । ଆୟୋଜନ ବି ହେଲା । ଓଡ଼ିଶାରୁ ବି ନିଜ ଖର୍ଚ୍ଚରେ କର୍ମୀମାନେ ଏହି ଜନ ବିଜ୍ଞାନ କଂଗ୍ରେସରେ ଯୋଗଦେଲେ । କିନ୍ତୁ ଏହି କଂଗ୍ରେସ ପାଇଁ ସହଯୋଗ ଯୋଗାଡ଼ କରିବାଭିତରେ ଆମେ ଆଉକିଛି ନୂଆ ସମସ୍ୟା କଥା ଜାଣିବାକୁ ପାଇଥିଲୁ । ମୋର ବନ୍ଧୁ ଏବଂ ବଡ଼ଭାଇ ଅନିଲ୍ ଚୌଧୁରୀଙ୍କ ପାଖକୁ ଗଲାବେଳେ ଆଲୋଚନା ସମୟରେ ସେ ବିଶ୍ୱବ୍ୟାଙ୍କ କେମିତି ଭାରତର ଜଳ ସମ୍ବଳକୁ ଲାଭପାଇଁ ଘରୋଇ କମ୍ପାନୀ ମାନଙ୍କ ହାତରେ ଦେବା ପାଇଁ ବସିଛି, ସେହି ସମ୍ପର୍କରେ ସୂଚନା ଦେଇଥିଲେ । ରାଜେନ୍ଦ୍ରବାବୁ ଅଧିକ ତଥ୍ୟ ଜାଣିବା ପାଇଁ ତାଙ୍କ ସହ ଜନ ବିଜ୍ଞାନ କଂଗ୍ରେସ କାମଟି ପଛକୁ ରଖି ଆଲୋଚନାରେ ମାତିଗଲେ । ଅନିଲ୍ ଭାଇ କହିଲେ ଯେ ଏହି କଥାଟି ଆଦୌ ଗୋପନୀୟ ନୁହଁ ଏବଂ ବିଶ୍ୱବ୍ୟାଙ୍କ ନିଜେ ଏହି ବାବଦରେ ୫ଟି ବହି ପ୍ରକାଶ କରିଛନ୍ତି । ସେହି ବହି ସବୁର ଦାମ୍ ୫ହଜାର ଟଙ୍କା ହେବ ଯାହାକି କୌଣସି ସାଧାରଣ ଭାରତୀୟ କିଣିପାରିବେ ନାହିଁ । ବହୁ କଷ୍ଟରେ ରାଜେନ୍ଦ୍ର ବାବୁ ୫ହଜାର ଟଙ୍କା ଯୋଗାଡ଼ କଲେ ଏବଂ ଜନ ବିଜ୍ଞାନ କଂଗ୍ରେସ ସମୟରେ ଅନିଲ୍ ଭାଇଙ୍କ ସହଯୋଗରେ ସେହି ୫ଟି ବହି କିଣି ସାଙ୍ଗରେ ନେଇ ଓଡ଼ିଶା ଫେରିଲେ । ବହି ପଢ଼ିବା ପରେ ଜଳର କିଭଳି ବଜାରୀକରଣ ଭାରତରେ ବିଭିନ୍ନ ପର୍ଯ୍ୟାୟରେ ହେବ, ତାଙ୍କୁ ବେଶ୍ ଚିନ୍ତିତ କଲା । ଆମେ ଯେତେବେଳେ କିଛି ସମସ୍ୟା ଆସେ ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ସହ ପ୍ରାୟ ଆଲୋଚନା କରିଥାଉ । ନିଷ୍ପତ୍ତି ହେଲା ଜନତନ୍ତ୍ରର ସମ୍ପାଦକ ବିବେକାନନ୍ଦ ଦାସଙ୍କର ‘ଜନତନ୍ତ୍ର ପାଠଚକ୍ର’ ତରଫରୁ ଏକ ଆଲୋଚନା ହେବ ଏବଂ ରାଜେନ୍ଦ୍ର ବାବୁ ସେଠି ଉପସ୍ଥାପନ କରିବେ । ସେହି ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟରେ ଆରମ୍ଭ ହେଲା ‘ଜଳର ବଜାରୀକରଣ ବିରୋଧି’ ଅଭିଯାନ ଯାହାକି ଭାରତରେ ପ୍ରଥମ ଏଭଳି ଏକ ଅଭିଯାନ ଥିଲା ।
ଫେବୃଆରୀ ୨୭,୨୦୦୨ଦିନ ଭୁବନେଶ୍ୱରର ସୂଚନା ଭବନ (ଯାହାର ନାମ ପରିବର୍ତ୍ତନ କରି ଜୟଦେବ ଭବନ ରଖାଯାଇଛି)ଠାରେ ଜଳର ବଜାରୀକରଣକୁ ନେଇ ଏକ ଜନଶୁଣାଣୀ ଆୟୋଜନ କରାଯାଇଥିଲା ଯେଉଁଥିରେ ୨୬ଟି ଅଭିଯୋଗ ପତ୍ର ବିଭିନ୍ନ କୃଷକ ସଂଗଠନ, ନାରୀ ସଂଗଠନ, ପରିବେଶ ସଂଗଠନ, ଜନଆନ୍ଦୋଳନ ଇତ୍ୟାଦି ସଂଗଠନମାନଙ୍କ ତରଫରୁ ଦାଖଲ କରାଯାଇଥିଲା । କିଛି ବ୍ୟକ୍ତି ଏବଂ ସଂଗଠନ ରାଜ୍ୟ ବାହାରୁ ଆସି ନିଜର ଅଭିଯୋଗ ରଖିଥିଲେ । ଏକ ବିଚାରକମଣ୍ଡଳି ସମସ୍ତ ଅଭିଯୋଗ ଗୁଡ଼ିକୁ ଶୁଣିଥିଲେ ଏବଂ ଶେଷରେ ନିଜର ରାୟ ପ୍ରକାଶ କରିଥିଲେ । ସେମାନଙ୍କ ଭିତରେ ଥିଲେ ବିଚାରପତି ତଥା ପୂର୍ବତନ ଆଇନ ସଚିବ ସରୋଜକାନ୍ତ ମିଶ୍ର, ଓଡ଼ିଶା ଉଠାଜଳସେଚନ ନିଗମର ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ପରିଚାଳନା ନିଦେ୍ର୍ଦଶକ ଏସ୍.ଏନ୍ ପ୍ରଧାନ, ସେତେବେଳ ମାନବିକ ଅଧିକାର ସଂଗଠନ ପି.ୟୁ.ସି.ଏଲ୍ର ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ଅଧିବକ୍ତା ଗୁରୁ ମହାନ୍ତି, ବିଶିଷ୍ଠ ଗଣିତଜ୍ଞ ତଥା ଭୁବନେଶ୍ୱରସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ପୂର୍ବ ନିର୍ଦ୍ଦେଶକ ସ୍ୱାଧିନ ପଟ୍ଟନାୟକ ଏବଂ ସେତେବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଗଣିତ ପ୍ରଫେସର ହିସାବରେ କାର୍ଯ୍ୟରତ ଥିବା ବୀରେନ୍ଦ୍ର ନାୟକ । ବିଚାରକମଣ୍ଡଳି ନିଜ ରାୟ ରଖିବାପରେ ଶେଷ ଅଧିବେଶନରେ ଯେଉଁମାନେ ପ୍ରତିକ୍ରିୟା ରଖିଥିଲେ ସେମାନଙ୍କ ଭିତରେ ଥିଲେ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ, ବାମପନ୍ଥୀ ଆନ୍ଦୋଳନର ଦୁଇ ତୁଙ୍ଗନେତା ଦ୍ୟୁତିକୃଷ୍ଣ ପଣ୍ଡା ଓ ଶିବାଜୀ ପଟ୍ଟନାୟକ ଏବଂ ଜଣାଶୁଣା ପରିବେଶବିତ୍ ବନ୍ଦନା ଶିବା । ଜନଶୁଣାଣିର ସମାପନୀ ଉଦ୍ବୋଧନଟି ଦେଇଥିଲେ ବିଶିଷ୍ଟ ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକ ।
ବିଚାରକ ମଣ୍ଡଳିଙ୍କର ରାୟର କିଛି ଅଂଶ ଉପସ୍ଥାପନ କରିବା ପୂର୍ବରୁ ଗୋଟିଏ କଥା କହିବା ଉଚିତ୍ ହେବ ଯେ ସେ ସମୟରେ ଯଦିଓ ବିଶ୍ୱବ୍ୟାଙ୍କ ଦ୍ୱାରା ଭାରତରେ ଜଳର ବଜାରୀକରଣ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା କିନ୍ତୁ ତାହାର ଅନେକ ପୂର୍ବରୁ ବିଶ୍ୱରେ ‘ଜଳ’କୁ ବଜାରରେ ସାମଗ୍ରୀ ହିସାବରେ ଦେଖିବାର ଦୃଷ୍ଟିଭଙ୍ଗୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସୌଜନ୍ୟରୁ ଆସି ସାରିଥିଲା । ସେତେବେଳକୁ ବିଶ୍ୱବଜାରରେ ୧୧ହଜାର ୫ଶହ କୋଟି ଲିଟର ବଟଲ ପାଣି ବିକ୍ରି ହେଉଥିଲା । ବିଶ୍ୱ ପାଣି ବଜାର ମୂଲ୍ୟ ସେତେବେଳେ ଥିଲା ପାଖାପାଖି ୬ହଜାର ୭ଶହ କୋଟି ଆମେରିକୀୟ ଡଲାର (ସେତେବେଳେ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କାରେ ୪୭ ରୁ ୪୮ଟଙ୍କା ଥିଲା) । ଏହି ଜନଶୁଣାଣି ସରିବା ଭିତରେ ୨୪ବର୍ଷ ବିତିଗଲାଣି । ୨୦୨୧ମସିହାର ଏକ ହିସାବ କହୁଛିଯେ ୧୧ହଜାର ୫ଶହ କୋଟି ଲିଟର ପାଣି ବୋତଲରୁ ଆସି ଆମେ ୩୫ହଜାର କୋଟି ଲିଟର ପାଣି ବୋତଲରେ ପହଞ୍ଚି ସାରିଥିଲେ । ସେହିଭଳି ବଜାରରେ ଏହି ସବୁର ମୂଲ୍ୟ ଯଦି ଦେଖାଯିବ, ତେବେ ତାହାର ମୂଲ୍ୟହେବ ପ୍ରାୟ ୨୭ହଜାର କୋଟି ଆମେରିକୀୟ ଡଲାର (୨୦୨୧ରେ ଗୋଟିଏ ଡଲାରର ମୂଲ୍ୟ ଆସି ଭାରତୀୟ ଟଙ୍କାରେ ୭୩ଟଙ୍କା ହୋଇସାରିଥିଲା) । ଏବେ ଗୋଟିଏ ଆମେରିକୀୟ ଡଲାର ମୂଲ୍ୟ ୮୫ଟଙ୍କା ପହଂଚି ସାରିଲାଣି । ଏଥିରୁ କେବଳ ଯେ ପାଣିର ବଜାର ଦ୍ରୁତଗତିରେ ବଢ଼ିଚାଲିଛି ସେହିକଥାଟି ଆସୁନାହିଁ, ତାହାସହିତ ମଧ୍ୟ ଆସୁଛି ଯେ କେମିତି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଦ୍ରୁତ ଭାବେ ହ୍ରାସପାଇ ଚାଲିଛି । ଏଭଳି ଏକ ଜଳର ବଜାର ଆସିବ ଏବଂ ଆମେ ଅଧିକରୁ ଅଧିକ ପଇସା ଦେଇ ପ୍ରକୃତିଦତ୍ତ ପାଣିକୁ ପିଇବାକୁ ବାଧ୍ୟହେବା ଏହାର ସଠିକ୍ ପୂର୍ବାନୁମାନ ରାଜେନ୍ଦ୍ର ବାବୁ କରିପାରୁଥିଲେ । ବିଚାରକ ମଣ୍ଡଳି ମଧ୍ୟ ରାଜେନ୍ଦ୍ର ବାବୁଙ୍କ ଉଦବେଗ ସହ ଉପସ୍ଥାପିତ ଐତିହାସିକ ଓ ସମସାମୟିକ ତଥ୍ୟ ଗୁଡ଼ିକର ସମ୍ପର୍କ ଥିବା କଥାଟି ବୁଝିପାରିଥିଲେ । ସର୍ବସମ୍ମତ୍ତି କ୍ରମେ ଯେଉଁ ରାୟ ପ୍ରକାଶ ପାଇଥିଲା ସେଥିରେ ଅନେକ କଥା ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ବା ପରାମର୍ଶ ରହିଥିଲା । ଏହି କଥା କୁହାଯାଇଥିଲା ଯେ ବ୍ରିଟିଶଭାରତରେ ଯେତେବେଳେ ଜଳସେଚନ ବ୍ୟବସ୍ଥାର ଘରୋଇକରଣ କରାଗଲା ତାହାର ବିଫଳତା ସରକାରଙ୍କ ପାଇଁ ଏକ ବିରାଟ ବୋଝ ସୃଷ୍ଟି କରିଥିଲା । ଏବେ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ମାନଙ୍କର ପ୍ରରୋଚନାରେ ସେହି ବିଫଳ ଘଟଣାର ୧୫୦ବର୍ଷ ପରେ ପୁଣିଥରେ ଏକା ପ୍ରକାର ପ୍ରୟାସ କରାଯାଉଛି । ବିଚାରକମାନଙ୍କ ମତରେ ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରର ଘରୋଇକରଣ ଯୋଗୁଁ ବିପର୍ଯ୍ୟୟ ଘଟିଥିଲା ଯାହାଫଳରେ ଗୋଟିଏ ଆମେରିକୀୟ ବିଦ୍ୟୁତ ବିତରଣ କମ୍ପାନୀ (ଏ.ଇ.ଏସ୍) ଅଚାନକ୍ ଓଡ଼ିଶାରୁ ଅନ୍ତର୍ଦ୍ଧାନ ହୋଇଗଲା ଏବଂ ଏହାର ବୋଝ ସରକାର ଓ ଖାଉଟିମାନଙ୍କୁ ନେବାକୁ ପଡ଼ିଥିଲା । ସେହିଭଳି ୧୯୬୦ଦଶକରେ ଜଳସେଚନ ବ୍ୟବସ୍ଥାର ପରିଚାଳନା କୃଷକ ସମବାୟମାନଙ୍କୁ ଦେବାପାଇଁ ନିଷ୍ପତ୍ତି ନିଆଗଲା ତାହା ମଧ୍ୟ ବିଫଳ ହେଲା । ଚାଷୀମାନେ ନିଜେ ଜଳସେଚନ ହେଉ ବା ଉଠାଜଳସେଚନ ତାହାର ପରିଚାଳନା କରିବାପାଇଁ ଦକ୍ଷତା ପାଇନାହାଁନ୍ତି । ଫଳରେ ଆମେ ପାଣିପଞ୍ଚାୟତ ସମେତ ଘରୋଇକରଣର ଯେଉଁସବୁ ପଦକ୍ଷେପ ନେବା ତାହା ହୁଏତ ବିଫଳତା ଆଡ଼କୁ ନେଇପାରେ । ପରେ ଜଣାପଡ଼ିଲା ତାହା ହିଁ ହେଲା । ଜଳ, ମଣିଷ ଏବଂ ଜୀବଜଗତ ପାଇଁ ପ୍ରକୃତିଦତ୍ତ ଏକ ଉପହାର । ଜଳ ଉପରେ ସମସ୍ତଙ୍କର ପ୍ରକୃତିକ ଅଧିକାର ରହିଛି । ତାକୁ ବଜାରରେ ଏକ ପଣ୍ୟଦ୍ରବ୍ୟ କରାଯାଇ ପାରିବ ନାହିଁ । ବିଚାରକ ମଣ୍ଡଳିର ସ୍ପଷ୍ଟମତ ଥିଲାଯେ ସରକାର ଏଭଳି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ଯାହା ଫଳରେ ପ୍ରକୃତିର ଉକ୍ତ ଉପହାରଟିକୁ ପାଇବା ପାଇଁ ସମାଜର ସବୁଠାରୁ ଦୁର୍ବଳତମ ମଣିଷମାନେ ଅସହାୟ ହୋଇପଡ଼ିବେ । ଯେଉଁ ନିଷ୍ପତ୍ତି ସାଧାରଣ ମଣିଷ ପ୍ରତି ଦୀର୍ଘ ସମୟକାଳ ପ୍ରତିକୂଳ ପରିଣାମ ସୃଷ୍ଟି କରିବ, ସରକାର ସେ ସବୁକୁ ନିଷ୍ଠାପରଭାବେ ସମୀକ୍ଷା କରିବା ଦରକାର । ଆମେ ଏଭଳି କୌଣସି ନିଷ୍ପତ୍ତି ନେବାକଥା ନୁହଁ ଯାହା ଆମ ପରବର୍ତ୍ତୀ ପିଢ଼ିଙ୍କ ମନରେ ଏଭଳି ଏକ ଧାରଣା ଦେବ ଯେ ଆମେ ଉଚିତ ନିଷ୍ପତ୍ତି ନେଲାଭଳି ଭରସାଯୋଗ୍ୟ ଲୋକ ନଥିଲେ । ଏହି ବିଚାରକମଣ୍ଡଳି ଦ୍ୱାରା ଦିଆଯାଇଥିବା ରାୟଟିର ଯେଉଁ ପୁନଃ ପ୍ରକାଶନ ହେଉଛି ସେଥିରେ ଅନେକ କିଛି ତଥ୍ୟ ଓ ଚିନ୍ତା ପାଠକମାନେ ପାଇ ପାରିବେ ।
କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଆମ ଜଳସମ୍ପଦ ଗତି କରୁଛି ଏହି କଥା ମନକୁ ଆସିବା ସ୍ୱାଭାବିକ ଯେ ସରକାରଙ୍କର କ’ଣ ସତରେ କିଛି ଜଳନୀତି ଅଛି? ଓଡ଼ିଶାର ସମସ୍ତ ଜଳଭଣ୍ଡାର ଜଳଶୂନ୍ୟ ବା ସେଥିରେ ଜଳସ୍ତର ଉଦବେଗ ଜନକ ଭାବେ ହ୍ରାସ ପାଉଛି । ଚର୍ଚ୍ଚିତ ହୀରାକୁଦ ଜଳଭଣ୍ଡାରର ପାଣି ଚାଷୀ ବା ସାଧାରଣ ଲୋକଙ୍କ ପାଇଁ ନୁହଁ; ବରଂ ଏକ ଡଜନରୁ ଉର୍ଦ୍ଧ ବହୁରାଷ୍ଟ୍ରୀୟ ଖଣି ତଥା ଶିଳ୍ପ ଚଳାଉଥିବା କମ୍ପାନୀମାନଙ୍କ ପାଖକୁ ଯାଉଛି । ଓଡ଼ିଶାର ଏମିତି ଏକ ଭଲ ଜଳଭଣ୍ଡାର ନାହିଁ ଯାହାର ପାଣି ଅଧିକାଂଶରେ ଶିଳ୍ପ ଚଳାଇବା ପାଇଁ ଯାଉ ନାହିଁ । ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସହ ଋଷିକୁଲ୍ୟା ନଦୀର ଦୀର୍ଘପଥ ଅନୁଧ୍ୟାନ କଲାବେଳେ ନିଜେ ଦେଖିଲୁ ଯେ କେମିତି କେଉଁଠି ବି ଟୋପାଏ ପାଣି ନାହିଁ ।
ଏପଟେ କିନ୍ତୁ ସେହି ନଦୀର ଉପର ମୁଣ୍ଡରେ ପିପଳପଙ୍କା ବନ୍ଧ ତିଆରି କରି ଆଦାନୀ ଏବଂ ଟାଟା କମ୍ପାନୀକୁ ପାଣି ଦେବାପାଇଁ ସରକାର ଯୋଜନା କରିଛନ୍ତି ବୋଲି ଅଭିଯୋଗ ହେଉଛି । ଡାଉନ୍ ଟୁ ଆର୍ଥ ପତ୍ରିକାରେ (ଏପ୍ରିଲ ୧,୨୦୨୪) ସଗୁନ୍ ଙ୍କ ଦ୍ୱାରା ଦିଆଯାଇଥିବା ଏକ ରିପୋର୍ଟ ଅନୁସାରେ ‘ମହାନଦୀ ଓ ପେନ୍ନାର ଭିତରେ ପୂର୍ବଭାରତର ୧୩ଟି ନଦୀରେ ଏବେ ପାଣି ନାହିଁ’ । ତାଙ୍କରି ତଥ୍ୟର ଭିତ୍ତିଥିଲା କେନ୍ଦ୍ରୀୟ ଜଳଆୟାଗର ଏକ ରିପୋର୍ଟ । ସେହି ରିପୋର୍ଟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ନଦୀ ଉପତ୍ୟକାଗୁଡ଼ିକ କିଭଳି ଜଳଧାରଣ କ୍ଷମତା ହରାଇ ଚାଲିଛନ୍ତି ତାହାର ତଥ୍ୟ ଉପସ୍ଥାପନ କରାଯାଇଥିଲା । କେବଳ ଫେବୃଆରୀ- ମାର୍ଚ୍ଚ ଗୋଟିଏ ମାସ ଭିତରେ କିପରି ଶୁଷ୍କ ଅବସ୍ଥାକୁ ନଦୀ ଉପତ୍ୟକା ଆସିଯାଇଥିଲା ତାହାର ପରିସଂଖ୍ୟାନ ଦିଆଯାଇଥିଲା । ଏହି ନଦୀ ଉପତ୍ୟକାର ୬୦ଭାଗ ଜମି କୃଷି ତଥା ଜଳସେଚନ ଉପରେ ନିର୍ଭରଶୀଳ । ଓଡ଼ିଶାରେ ଯିଏ ଯେଉଁ ଅଞ୍ଚଳରେ ଅଛନ୍ତି ନଦୀ ଓ ଜଳଭଣ୍ଡାରଗୁଡ଼ିକର ଅବସ୍ଥା ନିଜେ ଦେଖିପାରୁଥିବେ । କିନ୍ତୁ ବିଡ଼ମ୍ବନାର କଥାଯେ ୦.୫ଲିଟର ପାଣିକୁ ୧୦ଟଙ୍କିଆ ପ୍ଲାଷ୍ଟିକ୍ ବୋତଲରେ କିଣି ପିଇବାବେଳେ ସେହି ଦୃଶ୍ୟଗୁଡ଼ିକ ସହ ଏହି ବୋତଲ ପାଣିର କ’ଣ ସମ୍ପର୍କ ଅଛି ଆମେ ଭୁଲି ଯାଇଥାଉ । ପୋଖରୀ ପୋତି କୋଠା ତିଆରି କଲାବେଳେ ନିଜର ଆଖପାଖର ଭୂତଳ ଜଳ କେମିତି ସଞ୍ଚିତ ହୋଇ ରହିପାରିବ ଏହି କଥା ଭାବିନଥାଉ ।
ଆଜି ଜଳ ଯେମିତି ନିଜକୁ ନିଜେ ପ୍ରଶ୍ନ କରୁଛି ଯେ ‘ମୁଁ ସତରେ କାହାର?’ ଜଳ ପ୍ରକୃତିଦତ୍ତ ଉପହାର ହେଇପାରେ କିନ୍ତୁ ପ୍ରକୃତି ଆଜି ନିଜେ ବିପନ୍ନ ହେବା ଅବସ୍ଥାରେ ପହଂଚିଛି । ଭୋଗବିଳାସରେ ମାତିଥିବା ମଣିଷମାନେ ଜଳର ଅତ୍ୟାଚାର କରୁଥିବାବେଳେ ବଞ୍ଚିରହିବା ପାଇଁ ସଂଘର୍ଷ କରୁଥିବା ମଣିଷମାନେ ଜଳ ଠାରୁ ଅନେକ ଦୂରକୁ ଠେଲି ହେଇ ଯାଉଛନ୍ତି । ଆମେ ଚିନ୍ତା କରିବା ସମୟଟି ଚାଲିଯାଇଛି । ଯଦି କିଛି କରିବା ପାଇଁ ଆଗକୁ ନ ଆସନ୍ତି ତେବେ ଆମ ଭବିଷ୍ୟତର ପିଲାମାନେ ପାଣି ଟୋପାକ ପାଇଁ ଆର୍ତ୍ତନାଦ କରିବେ ।
Comments
0 comments