ସବୁଜ ବିପ୍ଲବର ଗୁମର କଥା (୧୪) ଆଗେ ଲଙ୍ଗଳର ଗଣହତ୍ୟା

21 Min Read

୧୯୩୮-୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ । ଯୁଦ୍ଧରେ ତ ଷଣ୍ଢ ଲଢ଼େଇ ହୁଏ । ଗଣହତ୍ୟା ହୁଏ । କୃଷି, ଶିଳ୍ପ, ଜଳ, ଜୀବନ ବିପର୍ଯ୍ୟସ୍ତ ହୁଏ । ଖାଦ୍ୟ ସଙ୍କଟ, କ୍ଷୁଧା, ବିସ୍ଥାପନ ଭଳି ଗମ୍ଭୀର ସ୍ଥିତି ଉପୁଜେ । ବିଜୟୀ ଓ ବିଜିତ ଉଭୟ ଅର୍ଥନୈତିକ ଅବକ୍ଷୟର ଶିକାର ହୁଅନ୍ତି । ଶାନ୍ତି ବିପନ୍ନ ହୁଏ । ପବନ, ବାତ୍ୟାହେଲେ ମୂଷାଗାତରେ ପବନ ପଶିଯାଏ । ଭାରତ ଏ ବିପଦରୁ ବାଦ୍ ବା କେମିତି ପଡ଼ିବ । ସାମ୍ରାଜ୍ୟବାଦୀ ଆମେରିକା ତ ଭାରତର କୃଷିକ୍ଷେତ୍ର ଦଖଲ କରିବାପାଇଁ ଗୋଟିଚାଳନା କଲାଣି । ବନ୍ଧୁତ୍ୱର ଛଳନାକରି ବହୁଦେଶୀୟ କମ୍ପାନୀମାନଙ୍କୁ ସମୃଦ୍ଧ କରିବାପାଇଁ ଗୁପ୍ତ ଯୋଜନା ପ୍ରସ୍ତୁତ କରୁଛି । ଆମେରିକାର କରୋନେଲ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ମୁଖ୍ୟ । ସରକାରଙ୍କୁ ପରାମର୍ଶ ଦଉଛନ୍ତି ‘ଯୁଦ୍ଧ ପରେ ଭୋକିଲାମାନଙ୍କୁ ଖାଦ୍ୟ ଯୋଗାଇବାକୁ ପଡ଼ିବ । କୃଷିକ୍ଷେତ୍ରର ପୁନଃରୁଦ୍ଧାର ଜରୁରୀ । ପାରମ୍ପରିକ କୃଷିଉପରେ ନିର୍ଭର କରୁଥିବା ଭାରତକୁ ଉନ୍ନତ ବିହନ, ରାସାୟନିକ ସାର, କୃଷି ଯନ୍ତ୍ରପାତି ଏବଂ ପଶୁସମ୍ପଦର ଉନ୍ନତି ପାଇଁ ଆମେରିକା କୃଷି ବୈଜ୍ଞାନିକମାନେ ସାହାଯ୍ୟ କରିବା ଦରକାର ପଡ଼ିବ ।’(prelude to Green Revolution -5)
ଭାରତୀୟ କୃଷକଙ୍କର ଶକ୍ତିଶାଳୀ ଅସ୍ତ୍ର ଲଙ୍ଗଳ । ବଳରାମଙ୍କ ଆୟୁଧ ‘ଲଙ୍ଗଳ’ କୃଷକ ହାତରେ ଥିବା ପର୍ଯ୍ୟନ୍ତ ଲଙ୍ଗଳ ମୁନରେ ମାଟି ଚିରି ସେ ସୁନା ଫଳାଉଛି, ଫଳାଉଥିବ । ବିଲାତ ସରକାର ତ ସମସ୍ତ ବୁଦ୍ଧି ବିଦ୍ୟା ଖର୍ଚ୍ଚକରି କୃଷି ପଣ୍ଡିତମାନଙ୍କୁ ଭାରତକୁ ପଠାଇ ଲଙ୍ଗଳ ବଦଳରେ ଟ୍ରାକ୍ଟରରେ ଚାଷ କରିବାପାଇଁ ଚାଷୀଙ୍କୁ ମନେଇ ପାରିନାହିଁ । ଯେ ପର୍ଯ୍ୟନ୍ତ ଭାରତରେ ଦେଶୀ ଗାଈ (Zebu Cattle) ଥିବେ ବଳଦ ରହିବେ । ଲଙ୍ଗଳ ରହିବ । କଳକୌଶଳ କରି ବଳଦ ହଟେଇପାରିଲେ ଲଙ୍ଗଳର ମୃତ୍ୟୁ ସମ୍ଭବ ହୋଇପାରିବ! ବାଉଁଶ ଥିବ ନା ବଇଁଶି ବାଜିବ! କୂଟଚକ୍ରୀ! ଭାରତୀୟ ଦେଶୀ ଗାଈ ଅଧିକ କ୍ଷୀର ଦେଉନାହିଁ । ଅଧିକ ଦୁଗ୍ଧ ଉତ୍ପାଦନ ବାହାନାରେ ଆମେରିକା, ୟୁରୋପରୁ ହଜାର ହଜାର ଜର୍ସି, ହୋଲଷ୍ଟିନ, ରେଡ଼ଏନ, ବ୍ରାଉନ ସୁଇସ ଜାତୀୟ ଗାଈ ଭାରତରେ ମାଗଣା ବଣ୍ଟାଗଲା । ସେମାନେ ଅଧିକ ଖାଇଲେ, ଅଧିକ କ୍ଷୀର ଦେଲେ । ଚାଷୀମାନେ ମାଗଣା ଗାଈ ପାଇଁ ଦଳାଚକଟା ହେଲେ । ମାଗଣା ମିଳିଲେ ତ ଲୋକେ ଆଲକାତାରା ପିଇଯିବେ । ଦେଶୀ ଗାଈ ଅଲୋଡ଼ା ହୋଇଗଲେ । ମାଗଣା ଗାଈ ଭିତରେ ଯେ ଗୋଖର ଲୁଚିରହିଛି ବେଳ ଉଣ୍ଡି କାମୁଡ଼ିବ ଏତେ ଗହୀରକୁ ବଡ଼ମଣିଷଙ୍କ ମୁଣ୍ଡ ପାଉନି ସାଧାରଣ ଅଶିକ୍ଷିତ, ଗରିବ ଚାଷୀଭାଇର ମଗଜ କେତେ? ଔଷଧ ଠିକ୍ କାଟୁ କରିଛି । କମ୍ପାନୀମାନେ ଖୁସିରେ କୁରୁଡିଲେଣି । ଭାରତରେ ଦୁଗ୍ଧ ବନ୍ୟା । ଭଲ କଥା । ଆମେରିକା ପାଖେ ଭାରତ କୃତକୃତ୍ୟ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟକୁ ଭାରତରେ ସ୍ୱାଧୀନତା ସଂଗ୍ରାମ ତୀବ୍ର ହେଲାଣି । ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନେ୍ଦାଳନ ଚର୍ଚ୍ଚିଲର କୁର୍ଚି ଦୋହଲାଇ ଦେଲାଣି । ଅଟଲି ନୂଆ ପ୍ରଧାନମନ୍ତ୍ରୀ । ଗାନ୍ଧୀ ହରିଜନ (The Harijan) ପତ୍ରିକାରେ ୧୯୪୬–୧୯୪୭କୁ ଲେଖା ଭର୍ତ୍ତି ହୋଇଗଲାଣି ଖାଦ୍ୟସମସ୍ୟା ରାଜନୈତିକ ଦୂରଦୃଷ୍ଟି ରଖି କିପରି ସମାଧାନ କରାଯାଇ ପାରିବ । ଭାରତୀୟ ଚାଷୀମାନେ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରକୃତିର ସୁରକ୍ଷା ଆଧାରିତ ଦେଶୀ ଚାଷକୁ ଚାଲୁ ରଖିବେ ଏବଂ ବିଦେଶୀ ଟ୍ରାକ୍ଟର, ରାସାୟନିକ ସାର ଚାଷକୁ ପ୍ରତ୍ୟାଖ୍ୟାନ ଜାରି ରଖିବେ । ମୀରା ବେନ, କୁମାରାପ୍ପା, ପ୍ୟାରେଲାଲଙ୍କ ଭଳି ଆଗଧାଡ଼ିର ଗାନ୍ଧିବାଦୀମାନେ ମଧ୍ୟ ଆମଦେଶର ପ୍ରାକୃତିକ ସମ୍ପଦ ବିନିଯୋଗ କରି ଅଧିକ ଉତ୍ପାଦନ ସମ୍ଭବ ଦୃଢ଼ ମତ ରଖୁଛନ୍ତି । ୧୦ ଜୁନ ୧୯୪୭, ପ୍ରାର୍ଥନାସଭାରେ ଗାନ୍ଧୀ ଖାଦ୍ୟ ସମସ୍ୟା ସୁଧାର ପାଇ କହୁଛନ୍ତି ‘The first lesson we must learn is of self help and self reliance . If we assimilate this lesson, we shall at once free ourselves from disastrous dependence on foreign countries and ultimate bankruptcy. This is not said in arrogance but as a matter of fact .We are not a small place, dependent for this food supply upon outside help . We are a subcontinent, a nation of nearly 400 millions. We are country of mighty rivers and a rich variety of agricultural land, with inexhaustible cattle wealth. That our cattle give much less milk than we need, is entirely our own fault our cattle wealth is any day capable of giving us all the milk we need. ….’ (Vandana siva – Voilence of Green Revolution –page 19 -20 )
୧୦ ଜୁନ ୧୯୪୭ ଗାନ୍ଧୀଙ୍କର ଦେଶବାସୀଙ୍କୁ ପରାମର୍ଶ ସ୍ୱାଧୀନତା ପୂର୍ବର କଥା । ଏବେ ତ ଦେଶ ସ୍ୱାଧୀନ ହେଲାଣି । ବିଲାତ ପୁଡିପୁଟୁଳା ବାନ୍ଧି ଘରକୁ ଫେରିଲାଣି । ଶତ୍ରୁକୁ ବିଦା କରି ଆମେ ଏବେ ଆମେରିକା ସହିତ ବନ୍ଧୁତା ଯୋଡ଼ିଲୁଣି । ଲଙ୍କାରୁ ଯେତେକ ଜାତ ସମସ୍ତେ ଅସୁର ସୂତ । ଆମେରିକା କଳକୌଶଳ କରି ଉକ୍ସକ୍ଟଗ୍ଦଗ୍ଦ ଈକ୍ସରରୟ ଗାଈ ଆମ ଚାଷୀଙ୍କୁ ଧରେଇଦେଲା । ବିଦେଶୀ ଗାଈ ଅଧିକ କ୍ଷୀର ଦେଲା ତ ଦେଶୀ ଗାଈ ଅଲୋଡ଼ା ହୋଇଗଲେ । କିନ୍ତୁ ଏ କ’ଣ? ଜର୍ସି ଅଣ୍ଡିରା ହଳରେ ଶୋଉଛନ୍ତି । ଲଙ୍ଗଳରେ ଯୋଚାହେଲେ ତ କାନ୍ଧରେ ଜୁଆଳି ରହୁନାହିଁ । ଖରାରେ ନାକ ପାଟିରୁ ବଚ ବାହାରି ପଡୁଛି । ହାଁ ହାଁ ହୋଇ ଧକଉଛନ୍ତି । ଆମ ଦେଶୀ ବଳଦ ଖରା, ବର୍ଷା, ଶୀତରେ ଦିନକୁ ୧୦/୧୨ ଘଣ୍ଟା କାମ କରିପାରୁଥିଲା । ଏମାନେ କିଛି କାମକୁ ନୁହେଁ ।
ପୃଥିବୀରେ ଦୁଇ ପ୍ରଜାତିର ଗାଈ ଦେଖାଯାନ୍ତି । ଇଉରୋପ, ଆମେରିକାର ଗାଈମାନଙ୍କୁ ବସ ଟାରୁସ୍ (Cross Breed) କୁହାଯାଏ । ଜର୍ସି, ହୋଲଷ୍ଟିନ ବିଦେଶୀ ଗାଈମାନେ ବସ ଟାରୁସ୍ ପ୍ରଜାତିର । ଏମାନଙ୍କର ଚୂଳ ନାହିଁ । ଭାରତ ଓ ଆଫ୍ରିକାରେ ଥିବା ଗାଈ ବସ୍ ଇଣ୍ଡିକ୍ସ (Bos Taurus) ପ୍ରଜାତି । ଏମାନଙ୍କର ଚୂଳ ଅଛି । ୟୁରୋପରେ ଲଙ୍ଗଳରେ ହଳ ଯୁଗରେ ତ ଘୋଡ଼ା ଯୋଚି ହଳ କରାଯାଉଥିଲା । ଚୂଳ ନଥିବା ଗାଈ ସେମାନଙ୍କ ପାଇଁ ସମସ୍ୟା ନଥିଲା । ବର୍ତ୍ତମାନ ଚାଷୀଙ୍କ ମୁଣ୍ଡ ଧଇଲା । ନଇରେ ହଜାଇ ପୋଖରୀରେ ଖୋଜିଲେ ଆଉ ମିଳୁଛି କି ! ଶସ୍ତାରୁ ଅବସ୍ଥା ।
ଭାରତରେ ବିଦେଶୀଗାଈ ପ୍ରବେଶ ପୂର୍ବରୁ ଗାଁରେ ଦେଶୀଷଣ୍ଢ ଥିଲେ । ରଜା, ଜମିଦାର, ମକଦ୍ଦମମାନେ ଗୋଟିଏ ଗୋଟିଏ ଷଣ୍ଢ ଖୁଆଇ ପିଆଇ ବଢ଼ଉଥାଏ । ହିନ୍ଦୁମାନେ ଷଣ୍ଢକୁ ମହାଦେବଙ୍କ ବାହାନ ବୋଲି ବୁଝିଛନ୍ତି ତ । ଷଣ୍ଢର ସେବା କଲେ ମହାଦେବ ବରଦେବେ । ଭୟ ତ । ଷଣ୍ଢମାନେ ଗାଈ ଗୋଠରେ ବୁଲନ୍ତି । ଗାଈ ଗରମ ହୋଇଥିଲେ ସେମାନଙ୍କ ସହିତ ମିଶନ୍ତି । ବାଛୁରୀ ଜନ୍ମ ହୁଏ । ମାଈ ବାଛୁରୀ ୨/୩ ବର୍ଷରେ ଗାଈଟିଏ ହେଲା । ଅଣ୍ଡିରା ବାଛୁରୀ ୭/୮ ମାସର ହେଲେ ମୁସ୍କ ଛେଦନ କରାଗଲା । କ୍ଷୀର ଛାଡ଼ିଲେ ଦଳିତଙ୍କ ଘରେ ବାଛୁରୀର ମାଲିକ ୧୫/୨୦ଟଙ୍କା ମୂଳଦାମରେ ବନ୍ଧେଇ ଦେଲା । ଦଳିତ ଘରେ ପେଜ, ତୋରାଣି ପିଇଲା । ପଡ଼ିଆ, ପଦରରେ ଚରିଲା । ଦୁଇ ଅଢ଼େଇ ବର୍ଷବେଳକୁ ଗଜା ଦାମୁଡ଼ିଟିଏ ହେଲା । ମାଲିକ ନିଜ ଗାଈର ପୁଅକୁ ହଳରେ ଯୋଚିବନି । ଗରାଖ ଲାଗିଲେ । ୨୦୦ /୩୦୦ ଟଙ୍କାରେ ବିକ୍ରି ହେଲା । ମାଲିକ ମୂଳ ଦାମଟି କାଢ଼ି ବାକି ପଇସା ୨ଭାଗ କରି ବାଣ୍ଟି ଦେଲା । ଭାଗେ ଦଳିତକୁ ଦେଇ ଅନ୍ୟଭାଗ ଟଙ୍କା ଓ ମୂଳ ଟଙ୍କା ଅଣ୍ଟାରେ ମାରି ଉଠିଲା । ମାଲିକର ହାତରେ ଗୋଡ଼ରେ ଲାଗିଲା ନାହିଁ । ମାଗଣାରେ ବାଳିଆ ପିଟିଲା । ଦଳିତଟି ଦେଢ଼ବର୍ଷ ୨ବର୍ଷ ପାଳି ପୋଷି ଅଧା ବି ପାଇଲାନି । ପାଟି ଫିଟେଇବ । ନା, ସେ ପରା ଅଛୁଆଁ । ସାଆନ୍ତ ତା’ପାଇଁ ଠାକୁର । ତାଙ୍କୁ କହିଲେ ପାପ ହବ । ଅଧର୍ମ ହବ । ଭୟ । ମନୁସ୍ମୃତିର ଯାହା ବିଧାନ ନା! ଏବେ ଜର୍ସି ଗାଈ ଯୋଗୁଁ ବଳଦ ମରୁଡ଼ି ପଡ଼ୁଛନ୍ତି । ଜର୍ସି ବଳଦ କାନ୍ଧରେ ଖଣ୍ଡିଏ ଲେଖାଏଁ କାଠଚୂଳ ଆକାର ତିଆରି କରି ବାନ୍ଧିଲେ । ଜୁଆଳି ନଖସି କାନ୍ଧରେ ରହିବ । ସେ କାଠକୁ ବଳଦ ଖସାଇ ଦେଲେ । ଯେଉଁ କଥାକୁ ସେଇ କଥା । ଚାଷୀର ବୁଦ୍ଧି ବାଉଳା ।
ତଥାପି ଦେଶୀ ଷଣ୍ଢ ତ ଗାଁରେ ବୁଲୁଛନ୍ତି । ଚାଷୀ ଯଦି ଦେଶୀ ଷଣ୍ଢ ଦ୍ୱାରାଗାଈ ଫଳାଉଛି ତା’ର ଅଣ୍ଡିରାଟି ୫୦ ପ୍ରତିଶତ ଜର୍ସି ଓ ୫୦ ପ୍ରତିଶତ ଦେଶୀହୋଇ ଜନ୍ମନେଉଛି । ଚୂଳ ବଡ଼ ନହେଲେ ମଧ୍ୟ ଟିକିଏ ଉଚ୍ଚ ରହୁଛି । ଅଭାବେ ସ୍ୱଭାବ ନଷ୍ଟ । ଚାଷୀ ଏହି ଅଧା ଦେଶୀବଳଦ ଯୋଚି ହଳ କରିବାକୁ ଲାଗିଲା । ତେବେ ତ ପ୍ଳାନ ଫେଲ ମାରିଲା । ନା, କୃତ୍ରିମ ପ୍ରଜନନ ବ୍ୟବସ୍ଥା କରିବାକୁ ହେବ । ବିଦେଶରୁ (Exotic Breed) ଷଣ୍ଢର ଶୁକ୍ରାଣୁ ଆଣି ଜର୍ସି ଓ ଦେଶୀ ଗାଈଙ୍କୁ କୃତ୍ରିମ ପ୍ରଜନନ କରାଗଲା । ଶୁକ୍ରାଣୁ ଦୀର୍ଘଦିନ ଜୀବିତ ଓ କାର୍ଯ୍ୟକ୍ଷମ ରହିବାପାଇଁ ୧୯୦ଡିଗ୍ରୀ C (-୩୫ ୩ଡିଗ୍ରୀ F ) ରେ ରଖାଯାଏ । ଏହାକୁ Frozen Semen ବା ହୀମିକୃତ ଶୁକ୍ରାଣୁ କୁହାଯାଏ । ଗୋଟିଏ ଗୋଟିଏ ବିଦେଶୀ ଷଣ୍ଢ ବର୍ଷକୁ ୧୦,୦୦୦ ଗାଈଙ୍କୁ ଗର୍ଭବତୀ କରିପାରେ । (C. Banerjee – Introduction to Animal Husbandry –page – 286 -339 ) ।
ଦେଶୀ ଷଣ୍ଢ ଗାଁରେ ଥିବା ଦ୍ୱାରା କୃତ୍ରିମ ପ୍ରଜନନରେ ବ୍ୟାଘାତ ଘଟୁଛି । ଦେଶୀ ଷଣ୍ଢଙ୍କୁ ଗାଁ ଗଣ୍ଡାରୁ ସମ୍ପୂର୍ଣ୍ଣ ନିକାଲିବା ଜରୁରୀ । ଆମେରିକା ପଶୁ ବିଜ୍ଞାନୀମାନଙ୍କର ଯୋଜନା । ଦେଶୀ ଷଣ୍ଢମାନଙ୍କୁ ଏକାଠି କରି ସେମାନଙ୍କର ଗଣ ମୁସ୍କଛେଦନ (Mass Castration) କରିବାକୁ ହେବ । ସେମାନେ ନପୁଂସକ ହୋଇ ଗାଁରେ ବୁଲୁଥାନ୍ତୁ । ଭାରତର ସବୁ ରାଜ୍ୟ ପଶୁସମ୍ପଦ ବିଭାଗରେ (Mass Castration Project) ସ୍ୱତନ୍ତ୍ର ସେଲ (cell)ମାନ ଖୋଲା ହୋଇଗଲା । ହଜାର ହଜାର Livestock Inspectorଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆହେଲା । ପ୍ରତି ଗାଁରେ ଷଣ୍ଢମାନଙ୍କୁ ଅଡ଼େଇ ଟ୍ରକ ଉପରକୁ ଉଠାଇବା କାମଟି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲା । ଭାରତରେ ୭ ଲକ୍ଷରୁ ଅଧିକ ଗାଁ । ପ୍ରତି ଗାଁରେ ହାରାହାରି ୩ଟି ଷଣ୍ଢ ଥିଲେ । ୨୧ଲକ୍ଷ ଦେଶୀ ଷଣ୍ଢ ଗାଁରୁ ବିଦା ହେବେ । ଜବରଦସ୍ତ କାମ ।
ଷଣ୍ଢମାନେ ବି କମ୍ ନୁହନ୍ତି । ପ୍ରାଣୀ ହେଲେ ବି ସେମାନେ ଜାଣିପାରୁଛନ୍ତି ଆମକୁ ଏପରି ଗାଡ଼ିରେ ଉଠାଇନେବା ଭିତରେ କିଛି ମନ୍ଦ ଉଦ୍ଦେଶ୍ୟ ମଣିଷର ଅଛି । କହିପାରୁନି । ହେଲେ ଦୃଢ଼ ପ୍ରତିବାଦ କରୁଛି । ଏଣେ ତେଣେ ଦୌଡୁଛନ୍ତି । ଅଡ଼ଉଥିବା ଲୋକଙ୍କୁ ମାରି ଖଣ୍ଡିଆଖାବରା କରି ଦଉଛନ୍ତି । ଟ୍ରକ ଉପରକୁ ଉଠାଇଲାବେଳେ ଭିଡ଼ି ଓଟାରି ହେଉଛନ୍ତି । ହେବେନି ତାଙ୍କର ସହସ୍ର ଗୋପୀ । ଏମାନଙ୍କୁ ଛାଡ଼ି କୃଷ୍ଣମାନେ ଯାଉଛନ୍ତି । କେତେକ ଷଣ୍ଢ ଘଉଡ଼େଇ ଏକାଠି କରିବା, ଗାଡ଼ି ଉପରକୁ ଉଠାଇବା, ଖଣ୍ଡିଆଖାବରା ହେବା, ଷଣ୍ଢ ଆଣ୍ଟିବା ସେ କରୁଣଦୃଶ୍ୟ ଯେ ଦେଖିଛି ସେ ଜାଣିଛି । ୧୯୫୫-୧୯୬୦ ମସିହା କାମ । ମୁଁ ଦେଖିଛି । ୬୦/୬୫ ବର୍ଷ ତଳର କଥା । ଦେଖୁଛନ୍ତି ତ ସମସ୍ତେ । ପ୍ରକଳ୍ପର ରହସ୍ୟ ଭେଦ କରିବା ଦୁରୂହ ବ୍ୟାପାର । ପାଠୁଆ ବାବୁମାନେ ତ ଏ କାମରେ ଅଛନ୍ତି । ରହିବେନି । ଆମେରିକା ପାଣିଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ବୁକା ପଇସା ପାଇଲେ ତ କାମରେ ଲାଗିଲେ । ଗାଁଲୋକେ ସରଳ, ଶିକ୍ଷା ନାହିଁ । ବିଦେଶୀ ହଉ ବା ଦେଶୀ ସରକାର ସେମାନଙ୍କ ପାଇଁ ପ୍ରଭୁ । ‘ରାଜା କ’ଣ କେବେ ଭୁଲ କରିବ’ । ‘ଷଣ୍ଢ ସଂହାର ଯୋଜନା ଆମ ଭଲପାଇଁ ହଉଥିବ ।’
ସରକାର ‘ଗୋ ମାତା’ ‘ଗୋ ମାତା’ବୋଲି ପାଣି ପିଉନାହାନ୍ତି । ସେହି ଗୋମାତା ମାଙ୍କର ସ୍ୱାମୀମାନଙ୍କ ଉପରେ ସରକାରୀ ହିଂସା । ‘‘Prevention of cruelty to Animals’’ ସଂସ୍ଥାଗୁଡ଼ିଏ ତ ସେତବେଳକୁ ଦେଶସାରା ମାଡ଼ି ଯାଇଛନ୍ତି । ସେମାନେ କଣ ଜଳକା । ନାଁ କହିବା ଏବଂ କରିବା ଏକା କଥା ନୁହେଁ । ଭୁଲ କଥାଟି କହିବା ସହଜ । ଠିକଟି କରିବା ଖୁବ କଷ୍ଟ । ସବୁବେଳେ ସରକାରଗୁଡ଼ାକ କୁହାଳିଆ । ତାଙ୍କ ଚଣ୍ଡୀ ଚାମଡ଼ା ବି କଥାରେ ପଣ୍ଡିତ, କାର୍ଯ୍ୟରେ ମହାମୂର୍ଖ ।
ମୋ ପ୍ରିୟ ପାଠକମାନେ ମୋ ଉପରେ ରାଗି ପାଚିଯିବେଣି । କୁଆଡ଼େ କୁଆଡ଼େ ସନ୍ଧି ବିସନ୍ଧି ଭିତରକୁ ନଟସାର୍ ଆମକୁ ଟାଣି ନେଉଛନ୍ତି । ‘ଆହେ ସବୁଜ ବିପ୍ଲବ କଥା କୁହ । ପାଲାଗାୟକ ଭଳି ଏଣେ ତେଣେ ମାଡ଼ି ଯାଉଛ କାହିଁକି? ଠିକେ ଠିକେ କହୁନାହାନ୍ତି ।’ ଠିକେ ଠିକେ ଜାଣିକରି ତ ଆମେ ଠକି ଯାଇଛନ୍ତି । ମୁଁ ସବୁଜ ବିପ୍ଲବ କଥା ହିଁ ଲେଖୁଛି । ଆମେ ବର୍ଷକ ଆଗକୁ ଦେଖିପାରୁଥିଲେ । ‘ହରିଜନ’ପତ୍ରିକାରେ ପ୍ରକାଶିତ ଗାନ୍ଧୀଙ୍କର ବାର୍ତ୍ତା ଆପଣ ଆଗରୁ ପଢ଼ିଛନ୍ତି । ତାଙ୍କ କହିବାକଥା ବର୍ତ୍ତମାନ କାମରେ ଦେଖନ୍ତୁ । ଆମେରିକା, ପୁଞ୍ଜିପତି ଦେଶ ୧୦୦ବର୍ଷ ଆଗକୁ ଯୋଜନା ତିଆରି କରିପାରନ୍ତି । ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି । ଦେଶୀ ଷଣ୍ଢ ନିପାତ ହେଲେ ତ କଣ୍ଟା ଗଲା । ଆଗକୁ ଗୁମର ଫିଟିବ । ଆପଣମାନେ ଧରି ପାରିବେ ।
ସାରାଦେଶରୁ ପ୍ରାୟ ୨ନିୟୁତ ବୁଲା ଦେଶୀଷଣ୍ଢ ସହରକୁ, ବିଭିନ୍ନ ଗୋଶାଳାକୁ ବୁହାହେଲେ । ଷଣ୍ଢଗୁଡ଼ିକ ୩/୪ବର୍ଷର ଅଧିକ ବୟସରୁ ହୋଇଥିବେ ତ । Mass Castration ସମୟରେ ହଜାର ହଜାର ଷଣ୍ଢ ମଧ୍ୟ ମରିଥିବେ । ମୁଁ ଭାବୁଛି ଏପରି ମୃତ୍ୟୁକୁ ‘ଆଇନାନୁମୋଦିତ’ ଗୋ ହତ୍ୟା (Legalized cow Slaughter) କହିଲେ ଭୁଲ ହେବ କି ? ଆଉ ତ ଦେଶୀ ଷଣ୍ଢ ଆଖିରେ ପକାଇବାକୁ ନାହାନ୍ତି । ମାତ୍ର ଆଜିକାଲି ପ୍ରତି ଗାଁରେ ୧୦/୧୫ ଜର୍ସି ଷଣ୍ଢ । ଜର୍ସି ଅଣ୍ଡିରା ତ ହଳ କରିବାର ନାହିଁ । ମା କ୍ଷୀର ଦେବା ବନ୍ଦ କଲା ତ ଜର୍ସି ଅଣ୍ଡିରାକୁ ମାଲିକ ଦାଣ୍ଡକୁ ଅଡ଼େଇ ଦେଲା । କ୍ରେତା ନୂଆ ଦାମୁଡ଼ିକୁ ଘର ବଳଦ ସହିତ ହଳରେ ଯୋଚି ମଣ କରିବ । ହଳ କରିବା ଶଗଡ଼ ବୋହିବାପାଇଁ ମଣ କରି ଦୋରସ୍ତ କଲେ ୫/୬ପାଣି କାମ କରିବ ।
୨୦୧୪-୨୦୧୫ ପର୍ଯ୍ୟନ୍ତ ଚାଷୀ ଜର୍ସି ଅଣ୍ଡିରାକୁ ୨୦୦/୩୦୦ ଟଙ୍କାରେ ବେପାରୀକୁ ଧରେଇ ଦଉଥିଲା । ମାତ୍ର ସରକାର ଗୋହତ୍ୟା ଆଇନ କଡ଼ାକଡ଼ି ଜାହିର କରିଲେ ତ ବେପାରୀମାନେ ଡର ଭୟରେ ଆଉ ଜର୍ସି ଅଣ୍ଡିରାକୁ କିଣିଲେ ନାହିଁ । କ’ଣପାଇଁ ଚାଷୀ ଘରେ ବାନ୍ଧି ଖାଇବାକୁ ଦେବ । ବେଡ଼ି ଉପରେ କୋରଡ଼ା । ସେ ଦାଣ୍ଡକୁ ବାଡ଼େଇଦେଲା । ଅଣ୍ଡିରା ତ ମହାଦେବଙ୍କ ଷଣ୍ଢହୋଇ ବୁଲିଲେ । ଶହ ଶହ ଜର୍ସି ଷଣ୍ଢ ଏବେ ଗାଁ ଗଣ୍ଡାରେ ବୁଲି ଫସଲ ଖଦା କରୁଛନ୍ତି । ଚାଷୀତ ଧର୍ମଭୀରୁ । ଶିବଙ୍କ ଷଣ୍ଢ । ତା ଦିହରେ ହାତ ଦେବତ ୧୦/୧୫ ବାହାରି ଆସି ତାକୁ ବାଡିଆପିଟା ବି କରିବା ଦେଖାଯାଉଛି । ଦଳ ଦଳ ଧାନ ଜମିରେ ବା ମୁଗ କିଆରୀରେ ପଶିଲେ ତ ଦିନକେ ମାଣେ ଜମି ଉଠିଆ କରିଦେବେ! ଚାଷୀ କପାଳରେ ହାତ ବାଡ଼େଇ ହିଡ଼ ଉପରେ ମୁଣ୍ଡ କୋଡୁଛି । ଲୁହ ଗଡାଉଛି । ଗାଁ ଗଣ୍ଡାରେ ଆଜି ଜର୍ସି ଷଣ୍ଢ ଚାଷୀପାଇଁ କାଳ । ସରକାରଙ୍କର ଗୋମାତା ସୁରକ୍ଷା ନୀତି ପାଇଁ ପ୍ରତିବର୍ଷ ଆମ ଦେଶରେ କମ୍ ସେ କମ୍ ୨୦ହଜାର କୋଟି ଟଙ୍କାର ଫସଲ ନଷ୍ଟ ହେଉଛି । ବିଦେଶୀ ଗାଈର ଭିତିରି କଥା ସରକାରଙ୍କ ମୁଣ୍ଡକୁ ଆସିଲା ନାହିଁ । ପର ବୁଦ୍ଧି ପ୍ରଳୟ । ନିଜ ବୁଦ୍ଧିରେ ଘାସ କାଟିବ ପଛେ ପର ବୁଦ୍ଧିରେ ଘୋଡ଼ା ଚଢ଼ିଲେ ବିପଦ । ଚାଷୀ ଏବେ ଯନ୍ତାରେ ପଡ଼ି ଛଟପଟ ।
ବହୁଦେଶୀୟ କମ୍ପାନୀମାନେ ଆଜି ପୃଥିବୀର ରାଜନୀତି ଓ ଅର୍ଥନୀତି ନିୟନ୍ତ୍ରଣ କରୁଛନ୍ତି । ବିଦେଶୀ ଗାଈଯୋଗୁଁ ଲଙ୍ଗଳମାନଙ୍କୁ ତ ଗଣ ସମାଧି ଦିଆଗଲା । ଟ୍ରାକ୍ଟର ରାଜୁତି ଚାଲିଲା । ସେ କଥାକୁ ପରେ ଆସିବା । ଜର୍ସି ଗାଈ କାରବାରରେ କମ୍ପାନୀମାନଙ୍କର ଲାଭ କଥା ଜାଣିଲେ ମୁଣ୍ଡ ଝାମା ହୋଇଯିବ । ପ୍ରଥମ ଦୁଇବର୍ଷ ଚାଷୀଙ୍କୁ ମାଗଣା ବିଦେଶୀ ଗାଈ ଯୋଗାଇ ଦିଆଗଲା । କିନ୍ତୁ କମ୍ପାନୀମାନଙ୍କ ପାଇଁ ଏଗୁଡିକ ଗୋଟେ ଗୋଟେ ଟଙ୍କା ଗଛ । ଏମାନେ ବେଶୀ ଖାଆନ୍ତି । ଛୁଆଦେବାର ୩ ମାସ ଭିତରେ ପୁଣି ଗରମ ହେଲେ । କୃତ୍ରିମ ପ୍ରଜନନ କରାଗଲା । ସିମେନ ଆସୁଛି କେଉଁଠୁ? ଆମେରିକା, ଡେନମାର୍କ, ହଲାଣ୍ଡ, ସୁଇଜରଲ୍ୟାଣ୍ଡ ଭଳି ଦେଶରୁ କମ୍ପାନୀମାନେ ସିମେନ ଯୋଗାନ୍ତି । ଷଣ୍ଢଟିଏ ପାଳି ସିମେନ ବେପାରରେ ଲାଭକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ଗୋଟିଏ ଷଣ୍ଢଠାରୁ ସେମାନଙ୍କ ଜୀବଦ୍ଦଶାରେ ଯେତିକ ସିମେନ ସଂଗ୍ରହ ହୁଏ, ତାର ବଜାର ମୂଲ୍ୟ ୨୦୦କୋଟିରୁ ଅଧିକ । ଷଣ୍ଢ କେବେଠାରୁ ମରିଗଲାଣି । ମାତ୍ର ତାର ହିମୀକୃତ ଶୂକ୍ରାଣୁ (Frozen Semen) ସିମେନ ବ୍ୟାଙ୍କରେ ୧୦୦ରୁ ୧୫୦ବର୍ଷ ପର୍ଯ୍ୟନ୍ତ ଜୀବିତ ଓ କାର୍ଯ୍ୟକ୍ଷମ ରହୁଛି । ଲାଭ ହିସାବ କଲେ ଆଖି ପାଇବନି । ଏତେ ଲାଭ! ଆଖି ଖୋସି ହୋଇଯିବ ।
ଟ୍ରାକ୍ଟର କଥାକୁ ଆସିବା ପୂର୍ବରୁ ଦେଶୀ ଗାଈଆଡ଼େ ପୁଣି ଟିକେ ଆଖି ପକାଇବା । ଆମ ଦେଶୀ ଗାଈ ତ ଅଲୋଡ଼ା ହୋଇଗଲେ । ସେମାନଙ୍କର ଅପରାଧ ବେଶୀ କ୍ଷୀର ଦିଅନ୍ତି ନାହିଁ । ବେଶୀ କ୍ଷୀର ନଦେବା ପାଇଁ ଗାଈଟିକୁ ଦାୟୀ କରିବା ଅପରାଧ ହେବ । ଆମେ ତ କାମଧେନୁ, ନନ୍ଦିନୀ କଥା ପଢ଼ିଛେ, ଶୁଣିଛେ । ଗୋଟେ ଗୋଟେ ଗାଈ ସେତବେଳେ ଦିନକୁ ୩୦/୪୦ଲିଟର କ୍ଷୀର ଦେଉଥିଲେ । ମୁଁ କଟକ ହାଇକୋର୍ଟର ଜଣେ ଜଜ୍ ଙ୍କ ଘରେ ଦେଖିଛି । ମୋର ଶଳାର ସେ ଲେଖାଯୋଖା ଭିଣୋଇ । କାହିଁକି କ’ଣ ପାଇଁ ମୋର ଶଳା ବନମାଳି ସହିତ ତାଙ୍କ ବସାକୁ ଯାଇଛୁ । ଖୁବ୍ ଚର୍ଚ୍ଚା କଲେ । ତାଙ୍କର ଗୁହାଳ ବୁଲାଇଲେ । ୮/୯ଟି ବଡ଼ ବଡ଼ ଗାଈ । ୨/୩ ଟି କଇଁଫୁଲିଆ ଧଳା, ଚିକ୍କଣ ବୋହି ପଡୁଛି ନାଲି ରଙ୍ଗର ୩/୪ଟି ଓ ବଉଳା ରଙ୍ଗର ୨ଟି । ଜଜ୍ ସାହେବ ଚିହ୍ନେଇଲେ ଧଳାଗୁଡିକ ହରିୟାନା ପ୍ରଜାତି, ନାଲି ରେଡ ସିନ୍ଧି ଓ ବଉଳା ରଙ୍ଗର ସାହିଔଲ । ଜଜ୍ ଲୋକ । ବୁକା ପଇସା । ମକା, ଗହମ, କୋଳଥ, ବିରିଚୂନା କରାନ୍ତି । ବାଦାମ ପିଡିଆ, ଗୁଡ ହାଣ୍ଡି, ଦେଶୀ ଲୁଣ ବସ୍ତା ଡେରା ହୋଇଛି । ସବୁ ମିଶାଇ ଦିନକୁ ୨ଥର ଖାଇବାକୁ ଦିଅନ୍ତି । ନଡ଼ା କାଟି ଭୁସି କୁଣ୍ଡରେ ବତୁରିଥାଏ । ବଟା କୋଳଥ ଗୋଳେଇ ସବୁବେଳେ ଭୁଷି ଖାଇ ପାଣି ପିଉଥାନ୍ତି । ଜଜ୍ ବି ଜାଣିଥାନ୍ତି । କହିଲେ, ‘ନଟ ବାବୁ । ଗାଈ ମୁହଁରେ କ୍ଷୀର ।’ ଗାଈଗୁଡିକ ହାରାହାରି ଦିନକୁ ଜଣ ପ୍ରତି ୧୦/୧୨ ଲିଟର କ୍ଷୀର ଦିଅନ୍ତି ।
ଦେଶୀ ଗାଈ ଯେତିକି କ୍ଷୀର ଦେଉଥିଲା ସେ କ୍ଷୀର ବହଳିଆ । ମିଠା । ଗାଁରେ କୁହନ୍ତି । ମଧୁ ବର୍ଣ୍ଣବୋଧରେ ଲେଖା ଅଛି ‘କାଳି ଗାଈ କ୍ଷୀର ମିଠା’ । ଦେଶୀଗାଈ କ୍ଷୀରର ଔଷଧିୟ ଗୁଣ ଥାଏ । ରୋଗ କମ୍ । ଦିନଯାକ ଖରାରେ ବୁଲିଲେ ବି ଧକେଇବାର ନାହିଁ । ବଳଦ ଦିପହର ଖରାରେ ବି ହଳ କରିପାରୁଥିଲେ । ପ୍ରତି ଚାଷୀପରିବାର ଘରେ ଗାଈ । ଜମି ଅନୁପାତରେ ଗାଈ । ୫ଏକର ଜମି ଅଛି ୧୦/୧୨ଗାଈ ବାଛୁରୀ, ହଳେ ବଳଦ ଗୁହାଳରେ ବନ୍ଧା । ଆମ ଗାଁ ବୈକୁଣ୍ଠ ମକଦ୍ଦମଙ୍କର ୫ବାଟି (୧୦୦ ଏକର) । ୭୦/୮୦ ଗାଈ ଦାଣ୍ଡରେ ଦୁଇ ଧାଡ଼ି ହୋଇ ବନ୍ଧା ହୋଇଥିବେ । ଏତେ ଗାଈ? କ୍ଷୀର ପାଇଁ ଯେତେ ନୁହେଁ, ଗୋବର ମୂଳ । ଖତ ହେବ । ଓଦରରେ ଭର୍ତ୍ତିକରି ଏକରକୁ ୫/୬ ଗାଡି ଖତ ପକାଇଛ ତ ୭/୮ ଭରଣ ଧାନ କାଟିବ । ଗୁହାଳ ଗୋବର, କୁଟାପାଳ, ମୂତ ସବୁଦିନ ଖତଗଦାରେ ପଡ଼ିବ । ବର୍ଷଶେଷକୁ ଖତ ବିଲକୁ ଯିବ । ଜର୍ସି, ହୋଲଷ୍ଟିନଙ୍କୁ ଥାଇଲେରିଆସିସ ହେଲା ତ ୨/୩ ଦିନରେ ୫୦/୬୦ ହଜାର ଟଙ୍କାର ଗାଈ ଗୁହାଳରେ ମରିପଡିଲା । ବିଦେଶୀ ଗାଇକୁ ଆଣ୍ଟିବାଇଓଟିକ ଓ ହର୍ମୋନ ଇଂଜେକସନ ଦିଆଗଲା । କ୍ଷୀର ଅଧିକ ଦେଲା । ହେଲେ କ୍ଷୀରରେ ବିଷ ।
ବିଦେଶୀ ଗାଈ ଯୋଗୁଁ(୧) ବଳଦଙ୍କ ଉପରେ ଚଡ଼କ ପଡ଼ିଲା । (୨) ହିମୀକୃତ ଶୁକ୍ରାଣୁ ( Frozen Semen) ବେପାରରୁ କମ୍ପାନୀମାନେ କୋଟି କୋଟି ଟଙ୍କାର ବେପାର କଲେ । (୩) ମନସାଣ୍ଟୋ ଭଳି କମ୍ପାନୀମାନେ ଔଷଧ ବେପାରରେ ଖୁବ ଖେପିଲେ । ଏକା ଗୁଳିରେ ୨ ନୁହେଁ, ୩ ଶିକାର । ମନସାଣ୍ଟୋ କମ୍ପାନୀ ପ୍ରସ୍ତୁତ ବିଜିଏସ ହର୍ମୋନ (Bovine Growth Hormone – BGH ) ମେଜିକ୍ ଭଳି କ୍ଷୀର ବଢ଼ାଇପାରେ । ‘‘Return to the Good Earth’’ ତୃତୀୟ ବିଶ୍ୱର ଏକ ପୁସ୍ତକରୁ ଜାଣିବାକୁ ମିଳେ, ‘‘Bovine Growth Hormone (BGH),a project of one billion dollar being provided by several major chemical and pharmaceutical companies for use in dairy Industry will increase milk yield per cow by 20 to 40percent, reduce the need for about a third of the present dairy herd and squeeze out of business an equal number of farmers . Most of them small and marginal farmers. The new yield –enhancing and genetically engineered product against a backdrop of store dairy products and decreasing economic picture for the family dairies (The Good Earth –A third world network Doesier –page -331) (American Parliament ) ।
ମନସାଣ୍ଟୋ କମ୍ପାନୀ ‘BGH’’କୁ ପେଟେଣ୍ଟ କରିଦେଇଛି । କେବଳ ଭାରତୀୟ କୃଷକଙ୍କଠାରୁ ବାର୍ଷିକ ୩ହଜାର କୋଟିରୁ ଅଧିକ ବେପାର କରିଥାଏ । ପଇସା ଦେଇ ଆମେ ବିଷ କ୍ଷୀର ପିଉଛୁ । ଆମ ଦେଶରେ ପାରମ୍ପରିକ ଗୋ ସମ୍ପଦ ୧୯୫୦ ତୁଳନାରେ ୨୦୨୫କୁ ୬୦ ପ୍ରତିଶତ କମିଗଲାଣି । ଆମେରିକାର ମୂଳ ଲକ୍ଷ୍ୟ ଭାରତରେ ରାସାୟନିକ କୃଷି ପ୍ରବର୍ତ୍ତନ କରିବ । ଦେଶୀବଳଦ ତ କବର ଦିଆହେଲେ, ଗୋଟିଏ ବାଣରେ ଏକାଧିକ ଶିକାର ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଗଲା । ଆଜି ଦୁଆର ଘର ଲିପିବାକୁ, ଗୋବର ପାଣି ଛିଞ୍ଚିବାକୁ ଗୋବର ଟିକିଏ ନାହିଁ । ତେବେ କ’ଣ ଦେଶୀ ଗାଈ ସତକୁ ସତ ବିଦେଶୀ ଗାଈଠାରୁ ନ୍ୟୁନ । ଯେତେବେଳେ ଭାରତରୁ ଦେଶୀ ଗାଈ ହଜିଯିବାକୁ ବସିଛି ବ୍ରାଜିଲ ଭାରତରୁ ଦେଶୀ ପ୍ରଜାତି ଗିର, ଓଙ୍ଗଲ, ସାହିଔଲ, ଥରପାର୍କର, ରେଡ ସିନ୍ଧି ଭଳି ଗାଈ ଓ ଷଣ୍ଢ ଶାଗ ମୁଗ ଦାମରେ କିଣିନେଲା । ପାଳିପୋଷି ସେମାନଙ୍କୁ ସୁସ୍ଥ ସବଳ କଲା । ଗୋଟିଏ ଗୋଟିଏ ଗୀର ଗାଈ ଦିନକୁ ୫୦/୬୦ ଲିଟର କ୍ଷୀର ଦେଲା । ବ୍ରାଜିଲ ମାଟିରେ ବର୍ତ୍ତମାନ ଭାରତୀୟ କାମଧେନୁ! ହଳେ ଓଙ୍ଗଲ ବଳଦ ୧୦/୧୫ଲକ୍ଷ ଟଙ୍କାରେ ବିକ୍ରି । ଆଫ୍ରିକାର ବିଭିନ୍ନ ଦେଶ ଏବେ ମଧ୍ୟ ହଳ ଲଙ୍ଗଳରେ ଚାଷ କରୁଛନ୍ତି । ଓଙ୍ଗଲ ବଳଦ ଖୁବ୍ ଶକ୍ତିଶାଳୀ । ୧୦/୧୨ଘଣ୍ଟା ଚାଷ କଲେ ବି ହାଲିଆ ହବନି । ଓଙ୍ଗଲ ଆନ୍ଧ୍ରପ୍ରଜାତି ଗାଈ । ଗତ କିଛିବର୍ଷ ତଳେ ପାନାମା ପଶୁମେଳାରେ (Animal Fair) ଗୋଟିଏ ଓଙ୍ଗଲ ଷଣ୍ଢ ୧୬କୋଟି ଟଙ୍କାରେ ନିଲାମ ହୋଇଥିଲା । ନିଲାମଧାରୀ କ’ଣ ପାଗଳ! ନାଁ, ସେ ସେଇ ଷଣ୍ଢରୁ ୨୦୦ କୋଟି ପର୍ଯ୍ୟନ୍ତ Frozen Semen ବେପାର କରିବ । ହାତୀମଲେ ଲକ୍ଷେ, ଜୀଇଁଲେ ଲକ୍ଷେ । ଷଣ୍ଢ ମରିଗଲେ ମଧ୍ୟ ସଂଗୃହୀତ ଶୁକ୍ର (Semen) ଶହେ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରିବ । ବାହାଘର ହବ । ଜ୍ୱାଇଁ ଆସିବ । ବାଜା, ବାଣ, ନାଲିପାଣି, ନାଚକୁଦ ଜମିଲେ ସିନା ହାତଗଣ୍ଠି ପଡିବ । ସବୁଜ ବିପ୍ଲବ ଆସିବା ଆଗରୁ ସଲଟଣରେ ବାହାରୁଛି । ପାଠକ ବନ୍ଧୁମାନେ ‘ସବୁଜ ବିପ୍ଲବ’ ରାକ୍ଷସର ଚଣ୍ଡୀଚାମଡା, ସୈନ୍ୟ ସାମନ୍ତଙ୍କ କଥା କହୁ କହୁ ଲମ୍ବିଯାଉଛି । ମୁଁ ଲାଇନରେ ଅଛି । ମୁଁ ଚାହୁଁଛି ‘ସବୁଜ ବିପ୍ଲବ’ଭଳି ପ୍ରକୃତିକୁ ଧ୍ୱଂସ, ବିପର୍ଯ୍ୟସ୍ତ କରୁଥିବା ବ୍ୟବସ୍ଥାଟି ର ଅନ୍ତର୍ନିହିତ ଶକ୍ତି ଆପଣମାନେ ବିସ୍ତୃତ ଭାବେ ଜାଣନ୍ତୁ । ୧୯୨୦ଠାରୁ ବହୁଦେଶୀୟ କମ୍ପାନୀମାନେ ଭାରତରେ ଲଙ୍ଗଳ ବଦଳରେ ‘ଟ୍ରାକ୍ଟର’ ବେପାର ପାଇଁ ଲାଗି ପଡିଥାନ୍ତି । ଆମ ପୋଖତ ଚାଷୀମାନେ ତାଙ୍କୁ ପାଖ ମଡ଼ାଉ ନାହାନ୍ତି । କାହା ବଳରେ? ସେମାନଙ୍କର ରାମ, ଲଖଣିଆମାନଙ୍କ ବଳରେ । ଆମେରିକାର ପ୍ରଥମ ଶିକାର ହେଲା ଲଙ୍ଗଳ । ଅସ୍ତ୍ର ବିଦେଶୀ ଗାଈ । ବର୍ତ୍ତମାନ ଲଙ୍ଗଳଗୁଡିକ ଗୁହାଳ ଭାଡ଼ିରେ ରଖି ଚାଷୀ ଟ୍ରାକ୍ଟର ପଛରେ ଦୌଡିଲା । ରକଫେଲର କମ୍ପାନୀ ଭାରତର କୃଷିକ୍ଷେତ୍ରରେ ବହୁଦେଶୀୟ କମ୍ପାନୀମାନଙ୍କର ପ୍ରବେଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଦେଲା । କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ପାଇଁ ବାଟ ତ ଫିଟିଗଲା । ପଛକୁପଛ କୁହୁକ ବିହନ, ରାସାୟନିକ ସାର, କୀଟନାଶକ ବିଷମାନେ ରଙ୍ଗମଞ୍ଚକୁ ଓହ୍ଲାଇବେ । ବର୍ତ୍ତମାନ ସେମାନେ ଗ୍ରୀନ ରୁମ୍ ରେ ବେଶ ପୋଷାକ ପିନ୍ଧି ସଜ ହଉଛନ୍ତି । ଅପେକ୍ଷା କରନ୍ତୁ । ପ୍ରଥମ ଘଣ୍ଟି ବାଜିଲା । ୨ୟ ଓ ୩ୟ ଘଣ୍ଟି ବାଜିଲେ ପରଦା ଉଠିବ । ଡ୍ରାମା ଆରମ୍ଭ ହବ । କଳାକାରମାନେ ରଙ୍ଗମଞ୍ଚକୁ ଓହ୍ଲାଇବେ ।
ସହୃଦୟ ପାଠକ ବନ୍ଧୁମାନେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । କ୍ଷମା କରିବେ । ଘଟଣାଗୁଡ଼ିକର ପ୍ରତ୍ୟକ୍ଷ ଅନୁଭୂତି ଅଛି ତ । ଲେଖିଲାବେଳକୁ ଲମ୍ବି ଯାଉଛି । ଅମାନିଆ କଲମ ମାଡିଯାଉଛି । ଆଜିପାଇଁ ଏତିକି । ରହୁଛି ।

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone