ଆଧୁନିକ ପୁଞ୍ଜିତନ୍ତ୍ରର ରାଜନେତାମାନଙ୍କୁ ଯୁଦ୍ଧ ବା ସାମରିକ ସଂଘର୍ଷ ସାମାନ୍ୟତମ କ୍ଷତି ପହଞ୍ଚାଇ ନଥାଏ । ଏହାର ପ୍ରମାଣ ଆମେ ସମସ୍ତେ ପାଇ ଆସିଛନ୍ତି । ନିଜ ପଡ଼ୋଶୀ ବା ଅନ୍ୟ କୌଣସି ଦେଶ ସହ ସାମରିକ ସଂଘର୍ଷ ପାଇଁ ଆଗଭର ହେଲାବେଳେ ସେଥିରେ ବଳି ପଡ଼ୁଥିବା ନିରୀହ ମଣିଷମାନଙ୍କ କଥା ଏହି ରାଜନେତାମାନେ କେବେ ବି ଚିନ୍ତା କରନ୍ତି ନାହିଁ । ସଂଘର୍ଷ କରୁଥିବା ଦୁଇଟି ଦେଶର ସାଧାରଣ ମଣିଷମାନଙ୍କ ଜୀବନଯାତ୍ରା କେତେ ଦୁର୍ବିସହ ହୋଇଯାଏ ସେମାନେ ବା ଚିନ୍ତା କରିବେ କେମିତି! ସେହି ମଣିଷମାନଙ୍କ ନିରନ୍ତର ସେବା ନେଇ ସେମାନଙ୍କ ଚାରିପଟେ ଥିବା ସ୍ୱଚ୍ଛଳ ଓ ସ୍ୱଚ୍ଛନ୍ଦବର୍ଗର ଏହି ମଣିଷମାନେ ସଂଘର୍ଷ ବା ସାମରିକ ସଂଘର୍ଷକୁ ଉପଭୋଗ କରି ଚାଲିଥାନ୍ତି । ଏହି ଉପଭୋଗୀମାନେ ହିଁ ସାମରିକ ସଂଘର୍ଷ ବା ଯୁଦ୍ଧ ପାଇଁ ରାଜନେତାମାନଙ୍କ ନିମନ୍ତେ ବୈଧତା ସୃଷ୍ଟି କରିଥାନ୍ତି । କୁହାଯାଇଥାଏ ଏତିକି ଯଥେଷ୍ଟ ନୁହଁ , ଅଧିକ ସଂଘର୍ଷ ହେଉ । ଯୁଦ୍ଧରେ ଉଭୟ ପଟେ ମରିପଡୁଥିବା ମଣିଷଗୁଡ଼ିକ କିଏ? ଏହି ପ୍ରଶ୍ନ ଏମାନଙ୍କ ମନରେ ଆସି ନଥାଏ । ଏତିକି ସେମାନେ ନିଶ୍ଚିତ ଥାନ୍ତି ଯେ, ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଭିତରେ ଏମାନଙ୍କର ନିଜର କେହି ନାହାନ୍ତି । ସୈନିକମାନଙ୍କୁ ଧରି ନିଆଯାଇଥାଏ ଯେ, ଏମାନେ ଯେମିତି ମରଣ ପାଇଁ ସେନାରେ ଭର୍ତ୍ତି ହେଇଥାନ୍ତି । ଏକ ଅନିର୍ବାର୍ଯ୍ୟ ଯୁଦ୍ଧରେ ମୃତ୍ୟୁ ଏବଂ ଏକ ଅନାବଶ୍ୟକ ବା ଏଡ଼େଇ ଦିଆଯାଇ ପାରିବା ଭଳି ଯୁଦ୍ଧରେ ମୃତ୍ୟୁ ଏକାକଥା ନୁହଁ । ରାଜନେତା ମାନଙ୍କ ନିର୍ଦ୍ଦେଶରେ ହେଉଥିବା ସାମରିକ ସଂଘର୍ଷରେ ଯେମିତି ଆତ୍ମବଳି ଦେବାପାଇଁ ଗରିବଗୁରୁବା ଶ୍ରେଣୀର ସାଧାରଣ ମଣିଷମାନଙ୍କୁ ସାମରିକ ବାହିନୀରେ ଚାକିରୀ ଦିଆଯାଇଥାଏ । ସେମାନେ ମଣିଷ, ସେମାନଙ୍କର ପରିବାର ଅଛି, ସେମାନଙ୍କର ଆତ୍ମୀୟସ୍ୱଜନ ଅଛିନ୍ତି- ଏକଥା ଏହି ବଡ଼ ବଡ଼ ଲୋକମାନଙ୍କର ନିଜ ଭାବନା ଭିତରକୁ ଆସି ନଥାଏ । ଯାହାର ବିଜୟ ହେଲେ ବି କ୍ଷତି ସେଇ ସାଧାରଣ ମଣିଷମାନଙ୍କର ହିଁ ହୋଇଥାଏ: ଯେଉଁମାନଙ୍କୁ ଯଦି ନିଷ୍ପତ୍ତି ନେବା ପାଇଁ ସୁଯୋଗଟିଏ ମିଳିଥାନ୍ତା ସେମାନେ କେବେ ବି ଯୁଦ୍ଧ ବା ସଂଘର୍ଷ ପାଇଁ ଚିତ୍କାର କରନ୍ତେ ନାହିଁ । ସେମାନେ ଅନୁଭବୀ ମଣିଷ । ପରିଣାମ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ସଚେତନ । ପରିଣାମ ଯେ ଜୀବନହାନି ବା ଘରଦ୍ୱାର ଧ୍ୱଂସ ହେବା ଇତ୍ୟାଦି ଭିତରେ ସୀମିତ, ତାହା ନୁହଁ । ଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ କ’ଣ ସବୁ ଯନ୍ତ୍ରଣା ଏହି ସବୁ ମଣିଷମାନେ ଭୋଗିଥାନ୍ତି ବା ଭୋଗି ଆସିଛନ୍ତି; ତାହାର ଅନୁଭୂତି ଏମାନଙ୍କ ପାଖରେ ଯଥେଷ୍ଟ ବେଶି ଅଛି । ଯୁଦ୍ଧକୁ ଉପଭୋଗ କରୁଥିବା ମଣିଷମାନଙ୍କ ପାଖରେ ଏ ଅନୁଭବ ନଥାଏ । ତେବେ ଯୁଦ୍ଧ କରିବା ପାଇଁ ଯେଉଁ ବାତାବରଣ ସୃଷ୍ଟି କରାଯାଇଥାଏ, ସେଥିରେ ଅନୁଭବୀମାନେ ଅସହାୟ ଅବସ୍ଥାରେ ଆସନ୍ନ ବିପଦର ସମ୍ଭାବନାଗୁଡ଼ିକ କଳ୍ପନା କରି ଆତଙ୍କ ଭିତରେ ଦିନ ବିତାଉ ଥାନ୍ତି, ବିପଦ ସେମାନଙ୍କ ଦୁଆର ମୁହଁକୁ ଆସିବା ଯାଏ । ଉପଭୋଗୀମାନଙ୍କର ଅନୁଭୂତି ନିଆରା । ସେମାନଙ୍କ ପାଖକୁ ଯୁଦ୍ଧ ବିଭୀଷିକାର ବିବିଧ ରୋମାଞ୍ଚକର ଦୃଶ୍ୟ ଆସିଥାଏ ଟେଲିଭିଜନ୍ ବା ଆଣ୍ଡ୍ରୋଏଡ୍ ମୋବାଇଲ ଫୋନ୍ ମାଧ୍ୟମରେ । ରାସ୍ତାଘାଟ, ବଜାର, ଘର ବାହାରେ ସବୁଠି ଚର୍ଚ୍ଚା ଚାଲେ ଯେ ଆମେ ଶତ୍ରୁ ପକ୍ଷର କେତେ କ୍ଷତି ପହଞ୍ଚେଇ ପାରିଛୁ । ସବୁଠି ଉତ୍ତେଜନା ଭରା ଗରମା ଗରମୀ କାହାଣୀ ।
ଶତ୍ରୁପକ୍ଷ କହିଲେ ଏକ ଭୌଗଳିକ ଅଞ୍ଚଳକୁ ହିଁ ବୁଝିଥାଉ । ଏକଥା ଆମେ ଭୁଲି ଯାଉଯେ ସେଠି ବି ମଣିଷ ରୁହନ୍ତି । ସେଠି ବି ଜୀବନଯାତ୍ରା ଗୋଟେ ଥାଏ । ଯଦି କିଏ ମନେ ପକେଇବା ପାଇଁ ଉଦ୍ୟମ କରେ, ତାକୁ ଦେଶଦ୍ରୋହୀ କହି ଭତ୍ସର୍ନା କରାଯାଇ ଥାଏ । ଦେଶଭକ୍ତି ଓ ଦେଶଦ୍ରୋହର ପରିଭାଷା ବି ବଦଳି ବଦଳି ଚାଲିଛି । ଦେଶ ଭକ୍ତି କହିଲେ ଦେଶର ଭୌଗଳିକ ପରିସୀମାଟିକୁ ଭଲପାଇବା କଥାଟିକୁ ବୁଝାଉଛି, ଦେଶବାସୀଙ୍କୁ ନୁହଁ । ଦେଶଭକ୍ତି ଭୂଗୋଳରେ ହିଁ ସୀମିତ ଥାଏ । ସେଥିରେ ସମାଜ ନଥାଏ । ଏଥିପାଇଁ ଏକ ଭୟଙ୍କର ପରିଣତି ଦେଖିବାକୁ ମିଳିଥାଏ । ସମାଜ ଭିତରେ ବିଭିନ୍ନ ବିଶ୍ୱାସ, ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ମଣିଷମାନେ ଥାନ୍ତି । ଆମ ଦେଶଭକ୍ତିରେ ସେଇ ସବୁ ମଣିଷମାନଙ୍କ ପ୍ରତି ସମ୍ମାନ ନିହାତି ରହିବା କଥା । କିନ୍ତୁ ତାହା ଦେଖିବାକୁ ମିଳି ନଥାଏ । ଯିଏ ମଣିଷକୁ ଭଲପାଏ, ତାକୁ ଦେଶଭକ୍ତ ହେବାର ଆବଶ୍ୟକତା ପଡ଼ିନଥାଏ । ସିଏ ବା ଅନ୍ୟ ମଣିଷମାନେ ଯେଉଁଠି ରୁହନ୍ତୁ ନା କାହିଁକି ସେ ସବୁ ମଣିଷକୁ ସମାନ ଭାବରେ ଭଲପାଇ ଥାଏ । କାହାର ଯେମିତି କେବେ କିଛି କ୍ଷତି ନ ହେଉ; ଏଇ ଭାବନା ତା’ମନରେ ଥାଏ । ଏଭଳି ଭାବନା ଯେଉଁଠି ଥାଏ ସେଇଠି କେବେ ହିଂସା, ରକ୍ତପାତ, ଯୁଦ୍ଧ ବା ସାମରିକ ସଂଘର୍ଷର ଆବଶ୍ୟକତା ପଡ଼ି ନଥାଏ । ଅନେକ ଭାବିବେ ଏହା ଏକ ଅସମ୍ଭବ କଥା । ମହାଭାରତରେ ତ ଭାଇ ଭାଇ ଭିତରେ କେତୋଟି ଜମି ପାଇଁ ସଂଘର୍ଷ ଘଟିି ରକ୍ତର ନଦୀ ଛୁଟିଲା । ଏବେ ଏଇ କଳିଯୁଗରେ ଆମେ ଏଇ କଥାକୁ କେମିତି ସମ୍ଭବ ହେଇପାରିବା ବୋଲି ଭାବିବା ! ଆମେ ଯଦି ଗୋଟିଏ କଥାକୁ ପ୍ରଥମରୁ ଅସମ୍ଭବ କହିଦେଉ, ତେବେ ତାହା ଅଧିକ ସହଜ ହେବ ଆମକୁ ଅମଣିଷ ହେବାପାଇଁ ଏବଂ ଅମଣିଷ ପଣିଆକୁ ଏକ ସଂସ୍କୃତି ହିସାବରେ ଗ୍ରହଣ କରିବା ପାଇଁ । ଏମିତିରେ ତ ଆମେ ଭାରତୀୟମାନେ ଶହ ଶହ ବର୍ଷ ଧରି ଅମଣିଷ ପଣିଆକୁ ଆମ ରକ୍ତରେ ଓ ଅସ୍ଥିମଜ୍ଜାରେ ବଞ୍ଚାଇ ରଖି ଆସିଛନ୍ତି । କିଛି ମଣିଷଙ୍କୁ ଆମେ ଅଛୁଆଁ, ନୀଚ, ମ୍ଲେଚ୍ଛ ଇତ୍ୟାଦି କହି ଆମ ପାଖରେ ମଣିଷପଣିଆ ଆଦୌ ନାହିଁ- ସେ କଥାର ପ୍ରମାଣ ସାରାଦୁନିଆକୁ ଦେଇ ସାରିଛନ୍ତି । ଆମର ଦେଶଭକ୍ତି ମଣିଷପଣିଆ ତଥା ମାନବିକତା ବର୍ଜିତ ଦେଶଭକ୍ତି ଯାହା ଯୁଦ୍ଧ ଓ ସଂଘର୍ଷ ଦ୍ୱାରା ରକ୍ତପାତ ପାଇଁ ଊର୍ବର ଭିତ୍ତିଭୂମି ଯୋଗାଇଥାଏ । କଥା କଥାରେ କୁହାଯାଏ ‘ସେମାନେ ଆମର ଏତେ କ୍ଷତି କଲେ, ଆମେ ସେମାନଙ୍କର ଏମିତି କ୍ଷତି କରିବା’- ଏଭଳି ଭାବନା ଆମ ମନ ଭିତରେ ପୂର୍ବରୁ ବସା ବାନ୍ଧି ରହିଥାଏ । ଅସହିଷ୍ଣୁ ମଣିଷମାନେ ପ୍ରତିକ୍ରିୟାଶୀଳ ହେବା ଅତି ସ୍ୱାଭାବିକ କଥା ।
ଏମିତିରେ ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଦାର୍ଶନିକ, ପ୍ରବଚକ ଓ ପ୍ରଚାରକ ଭଳି ଜଣାପଡ଼ନ୍ତି । ଯେ କୌଣସି କଥାରେ ଆମେ ଦାର୍ଶନିକ ଶବ୍ଦ କିଛି କହି ଅନ୍ୟକୁ ଶୁଣାଇ ଦେଇଥାଉ । ଯେମିତିକି ‘ବସୁଧୈବ କୁଟୁମ୍ୱକମ୍’ ବା ସମଗ୍ର ବିଶ୍ୱଟା ଗୋଟଏ ପରିବାର ବା ଏମିତିକି କିଛି ଶବ୍ଦ ‘ଓମ୍ ଶାନ୍ତିଃ ଶାନ୍ତିଃ’ । ସେତିକି ନୁହଁ ବ୍ୟକ୍ତିଗତ ଜୀବନରେ ଆମେ ନିଜେ ଶାନ୍ତି ଭାଙ୍ଗୁଥିବାବେଳେ, ବିଶ୍ୱଶାନ୍ତି ପାଇଁ ଯଜ୍ଞ ଓ ମହାଯଜ୍ଞର ଆୟୋଜନରେ ଦୁର୍ନୀତିଗ୍ରସ୍ତ ଲୋକମାନଙ୍କଠୁ ଚାନ୍ଦା ସଂଗ୍ରହ କରି ଆମେ ଅନେକ ସମୟରେ ମାତିଥାଉ । ଅନ୍ୟପଟେ ହିଂସା ଓ ପ୍ରତିହିଂସାକୁ ମନ ଭିତରେ ବସାବାନ୍ଧି ରହିବା ପାଇଁ ଆମେ ପ୍ରତ୍ୟେକ ଦିନ ଯେମିତି ଆମନ୍ତ୍ରଣ ଜଣାଇ ଥାଉ । ଛଳନାମୟ ଏକ ସମାଜରେ ମାନବିକତାକୁ ମାପିବା ଏକ ବୃଥା ପ୍ରୟାସସଦୃଶ । ଆମେ ଯଦି ଏହିସଂଖ୍ୟାରେ ପ୍ରକାଶିତ ବିଘ୍ନେଶ୍ୱରଙ୍କ ଲେଖାଟିକୁ ପଢ଼ିବା, ତାହେଲେ ଦେଖିବା ଯେ ଭାରତ ପାକିସ୍ତାନ ସୀମା କାହିଁକି; ଆମ ନିଜ ଦେଶ, ନିଜ ରାଜ୍ୟ ଓଡ଼ିଶା ଓ ଏହାର ଦକ୍ଷିଣ ଅଞ୍ଚଳରେ ଆଦିବାସୀମାନେ ଯେଉଁ ଯନ୍ତ୍ରଣା, ଯାତନା ଓ ନିର୍ଯାତନା ଗତ ତିନି ଦଶନ୍ଧି ଧରି ପାଇ ଆସୁଛନ୍ତି, ଆମେ ସହରମାନଙ୍କରେ ବସି ସିନେମା ହଲ ବା ବଡ଼ ବଡ଼ ବଜାରକୁ ଯାଇ ଜିନିଷ ପତ୍ର କିଣି ବା ମହା ବା ମେଗା ମହୋତ୍ସବରେ ଯୋଗ ଦେଇ ସେଇ କଥାଗୁଡ଼ିକୁ ଆଦୌ ମନକୁ ଆଣୁନାହୁଁ । ସତେ ଯେମିତିକି ସେମାନେ ଆମର ଶତ୍ରୁ । ସେମାନଙ୍କର ଯାହା ହେଉ, ଆମର କିଛି ଯାଏ ଆସେ ନାହିଁ । ଆମେ ସୁଖ ଓ ଶାନ୍ତିରେ ବଞ୍ଚିବା ଦରକାର । ସେଇ ଏକା ଭାବନା ବି ଭାରତ ଓ ପାକିସ୍ତାନ ସଂଘର୍ଷ ଭିତରେ ଦେଖିବାକୁ ମିଳିଥାଏ ଓ ସେଥିରେ ଆଉ ଅଧିକ ଲୋକ ସାମିଲ ହୋଇଥାନ୍ତି ।
ସାମରିକ ସଂଘର୍ଷର ବୋଝ
ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୭ରୁ ଆରମ୍ଭ କରି ୧୦ ମେ ୨୦୨୫ ଯାଏଁ ଯେଉଁ ସାମରିକ ସଂଘର୍ଷ ଚାଲିଲା, ସେଥିରେ ଅନେକ ନିରୀହ ମଣିଷ ଓ ନିରୀହ ଭାବେ ଲଢୁଥିବା ସୈନିକମାନଙ୍କର ମୃତ୍ୟୁ ଘଟିଥିଲା । ଘର ଓ ଜନବସତି ସମ୍ପୂର୍ଣ୍ଣ ଭାବେ ହେଉ ବା ଆଂଶିକ ଭାବେ ହେଉ ଧ୍ୱଂସ ପାଇଥିଲା । କିନ୍ତୁ ଦୁଇଦେଶର ଅର୍ଥନୀତି କେତେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା, ତାହାର ହିସାବ ଆମ ରାଜନେତା ମାନେ ଆମଦେଶ ବା ପାକିସ୍ତାନରେ ହେଉ, ସାଧାରଣ ମଣିଷଙ୍କ ପାଖରେ ପହଞ୍ଚାଇ ଦେବେ ନାହିଁ । ଏ ସମ୍ପର୍କରେ ତଥ୍ୟ ଖୋଜିବାବେଳେ ଯାହା ଆମ ନଜରକୁ ଆସିଥିଲା, ସେଇ ସବୁକୁ ଥରେ ଯଦି କିଏ ନିଜ ମନ ଭିତରକୁ ନିଏ, ଆପେ ଆପେ ଚକିତ ହୋଇଯିବେ । ତେବେ ତଥ୍ୟଗୁଡ଼ିକ ଆମ ନିଜର ନୁହେଁ । ନିଜେ ବି ତଥ୍ୟ ପାଇବା ସହଜ ନୁହେଁ । ଅନେକ ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମରୁ ଏହି ସବୁ ତଥ୍ୟ ଆମକୁ ମିଳିଥାଏ । ପହଲଗାମ୍ ର ପର୍ଯ୍ୟଟକଙ୍କ ଗଣହତ୍ୟା ପାଇଁ ପାକିସ୍ତାନକୁ ଦାୟୀ କରି ଭାରତ ପକ୍ଷରୁ ପ୍ରତିଶୋଧ ପାଇଁ ପାକିସ୍ତାନ ଉପରେ ମେ ୭ରୁ ଆକ୍ରମଣ ହେଲା ଓ ପାକିସ୍ତାନ ପଟୁ ପାଲଟା ଆକ୍ରମଣ ଚାଲିଲା । ସେତିକିବେଳେ ଅନେକ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ କରିବାପାଇଁ ସରକାର ବାଧ୍ୟ ହୋଇଥିଲେ । ଆଇ.ପି.ଏଲ୍ ଶୃଙ୍ଖଳା ବନ୍ଦ ହେଲା । ବିମାନ ବନ୍ଦର ଓ ବିମାନ ସେବା ବନ୍ଦ କରିଦିଆ ଗଲା । କିଛି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କାରବାର ବନ୍ଦ ହେଲା । ସାଧାରଣ ଯାତ୍ରୀମାନଙ୍କର ବିମାନ ଯାତ୍ରା କେତେକ ଅଞ୍ଚଳରୁ ଅନ୍ୟ କେତେକ ଅଞ୍ଚଳ ପର୍ଯ୍ୟନ୍ତ ବନ୍ଦ କରାଗଲା । ଅନ୍ତଃଦେଶୀୟ ବିମାନଯାତ୍ରା ବି ରଦ୍ଦ ହେଲା । ସେଗୁଡ଼ିକ ଅଚାନକ ବନ୍ଦ କରିଦିଆ ଯାଇଥିଲା । କେତେକ ଗଣମାଧ୍ୟମ ଏମିତିରେ କିଛି ନିଜର ଆକଳନ ସ୍ଥିର କରିଛନ୍ତି । ଅପରୀକ୍ଷିତ ଆନୁମାନିକ ଆକଳନଗୁଡ଼କ ଦେଖି ବିବେଚନା କରି କିଛି କଥା ଏଠି କୁହାଯାଇପାରେ । ମେ ୭ରୁ ମେ ୧୦; ଚାରିଦିନ ଭିତରେ ଭାରତ ଯେଉଁ ସାମରିକ ଅଭିଯାନ ଚଳେଇ ଥିଲା, ଗୋଟିଏ ଆକଳନରୁ ଜଣାପଡୁଛି ଯେ ତାହାର ଖର୍ଚ୍ଚ ପ୍ରତିଦିନ ପ୍ରାୟ ୧୪୦୦ କୋଟିରୁ ୫୦୦୦ କୋଟି ହେବ । ଅର୍ଥାତ୍ ଯଦି ଚାରିଦିନର ସାମରିକ ଖର୍ଚ୍ଚ ହିଁ ହିସାବକୁ ନିଆଯାଏ , ଆମେ ଆନୁମାନିକ ପ୍ରାୟ ୪୨୦୦କୋଟିରୁ ୧୫୦୦୦ କୋଟି ଖର୍ଚ୍ଚ କରିଛନ୍ତି । ଏ ଭିତରେ ଅଛି ବ୍ରହ୍ମୋସ କ୍ଷେପଣାସ୍ତ୍ର, କାମିକେଜ ଡ୍ରୋନସ୍ ଏବଂ ନିର୍ଦ୍ଦିଷ୍ଟ ଠିକଣାକୁ ଆଖି ଆଗରେ ରଖି ପଠାଯାଉ ଥିବା ଉଚ୍ଚମୂଲ୍ୟର କ୍ଷମତାଶାଳୀ ଡ୍ରୋନସ୍ ଇତ୍ୟାଦି । କ୍ଷତିଗୁଡ଼ିକ କେବଳ ଅସ୍ତ୍ରଶସ୍ତ୍ର ପ୍ରୟୋଗକରି ଖର୍ଚ୍ଚ କରାଯାଇଛି ତାହା ନୁହେଁ, ସେସବୁର ପରିବହନ ଓ ମହଜୁଦ କରିବାରେ ମଧ୍ୟ ବହୁତ ଖର୍ଚ୍ଚ କରିବାକୁ ପଡ଼ିଛି । ତା’ବାହାରେ ବେସାମରିକ ପରିବହନ, ଇନ୍ଧନ, ଔଷଧ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି … ଏମିତି ଲମ୍ୱା ତାଲିକାଟିଏ ଅଛି । ଅର୍ଥଶାସ୍ତ୍ରୀମାନଙ୍କ ମତରେ ଯଦି ସାମରିକ ସଂଘର୍ଷଟା ଏଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟଧରି ଚାଲିଥାନ୍ତା, କେବଳ ଭାରତର ଜାତୀୟ ସମୂହ ଉତ୍ପାଦନର ୧.୫ ପ୍ରତିଶତରୁ ୩ ପ୍ରତିଶତ ଯୁଦ୍ଧରେ ହିଁ ଖର୍ଚ୍ଚ ହୋଇଥାନ୍ତା । ଯଦି ଏହି ଯୁଦ୍ଧ ଜାରି ରହିଥାନ୍ତା, ୨୦୨୬ ଆର୍ଥିକ ବର୍ଷର ଆକଳନ ବେଳକୁ ହୁଏତ ପାଖାପାଖି ୯ ଲକ୍ଷ କୋଟି ଟଙ୍କାର କ୍ଷତି ଆମକୁ ସହିବାକୁ ପଡ଼ିଥାନ୍ତା । କିଛି ଖବର କାଗଜ ଦେଖାଇଛନ୍ତି, କେମିତି ୪ ଦିନର ସଂଘର୍ଷ ଭିତରେ ଭାରତର ଟଙ୍କାର ମୂଲ୍ୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ପହଞ୍ଚିଗଲାଣି । ଅର୍ଥାତ୍ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୮୫ଟଙ୍କାରୁ ୮୬ଟଙ୍କାକୁ ଆସି ପହଞ୍ଚିଲା । ପାକିସ୍ତାନରେ ମଧ୍ୟ ତାଙ୍କ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ବହୁତ ତଳକୁ ଖସିଛି ।
ଭାରତର ଫଟ୍କା ବଜାରରେ ଯେଉଁ ବୈଦେଶିକ ଆର୍ଥିକ ଅନୁଷ୍ଠାନମାନେ ପୁଞ୍ଜି ବିନିଯୋଗ କରିଥିଲେ, ସେମାନେ ୩ଦିନ ଭିତରେ ୧୪ହଜାର୪୫୦ କୋଟି ଟଙ୍କା ଉଠାଇ ଫେରାଇ ନେଇଥିଲେ । ବମ୍ୱେ ଫଟକା ବଜାରରୁ ଆଉ ଗୋଟିଏ ଖବର ଆସିଛି ଯେ ପୁଞ୍ଜି ବିନିଯୋଗକାରୀମାନେ ପାଖାପାଖି ୧୩ ଲକ୍ଷ କୋଟି ଟଙ୍କା ଏହି ଭାରତ ପାକିସ୍ତାନ ସଂଘର୍ଷ ଭିତରେ ହରାଇଛନ୍ତି । ୧୯୯୯ ମସିହାର କାରଗିଲ୍ ଯୁଦ୍ଧ ସମେତ ଯେତେ ସଂଘର୍ଷ ହୋଇଛି; ସବୁଥିରେ ଉଭୟ ଭାରତ ପାକିସ୍ତାନ ଅନେକ ଆର୍ଥିକ କ୍ଷତି ସହିଛନ୍ତି ଓ ସେମାନଙ୍କର ଋଣଭାର ମଧ୍ୟ ବଢ଼ିଛି । ଥରୁଟିଏ ଯୁଦ୍ଧ ହେଲେ ବି ଯେଉଁ କ୍ଷତି ଅର୍ଥନୀତିକୁ ପହଞ୍ଚେ, ତାକୁ ଭରଣା କରିବାପାଇଁ ଆମକୁ ବର୍ଷ ବର୍ଷ ଲାଗି ଯାଇଥାଏ । ଗୋଟିଏ ସୂତ୍ର ଅନୁସାରେ ୧୯୯୯ ମସିହା ଯୁଦ୍ଧରେ ଭାରତ ଦୈନିକ ୧୪୬୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲାବେଳେ, ପାକିସ୍ତାନ ଦିନକୁ ୩୭୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲା । ୧୯୯୯ କାରଗିଲଠାରୁ ୭ ମେ ୨୦୨୫ରେ ଲଢ଼େଇବେଳକୁ ଅସ୍ତ୍ରଶସ୍ତ୍ର ଓ ଅତ୍ୟାଧୁନିକ ସରଞ୍ଜାମର କ୍ରୟ ଖର୍ଚ୍ଚ ବହୁଗୁଣ ବଢ଼ିଯାଇଛି । ଭାରତ ପାକିସ୍ତାନ ସାମରିକ ସଂଘର୍ଷରେ ଯେଉଁ କ୍ଷତି ସହୁଛନ୍ତି ଆମେରିକା, ୟୁରୋପ, ଏସିଆ ଓ ଚୀନର କମ୍ପାନୀମାନେ ସେତିକି ଲାଭବାନ ହେଉଛନ୍ତି । ତଥାପି ଆମେ ନିର୍ବୋଧ ଜନଗଣ ‘ଯୁଦ୍ଧଂଦେହୀ’ ଡାକରା ଦେବାପାଇଁ ଗଣମାଧ୍ୟମଗୁଡ଼ିକର ଉସୁକାଣରେ ମାତି ଯାଉଛନ୍ତି ।
ପାକିସ୍ତାନ ପଟେ ବି କ୍ଷତି କିଛି କମ୍ ନୁହଁ । ଯଦିଓ କେଉଁଠି ବି ସଠିକ୍ ତଥ୍ୟ ମିଳିବା ସହଜ ନୁହେଁ । ବିଶାରଦମାନଙ୍କ ମତରେ ଭାରତ ସହ ପାକିସ୍ତାନର ସଦ୍ୟ ଘଟିଯାଇଥିବା ସାମରିକ ସଙ୍ଘର୍ଷରେ ସେମାନେ ଦିନକୁ ପାଖାପାଖି ୧କୋଟି ୧୮ଲକ୍ଷ ଆମେରିକୀୟ ଡଲାରରୁ ୮କୋଟି ୩୨ଲକ୍ଷ ଆମେରିକୀୟ ଡଲାର ଖର୍ଚ୍ଚ କରିଥିବେ । ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ପାକିସ୍ତାନୀ ମୁଦ୍ରାରେ ପ୍ରାୟ ୨୮୦ଟଙ୍କା । ସେହି ଦୃଷ୍ଟିରୁ ଦେଖିଲେ ଏହି ସାମରିକ ସଙ୍ଘର୍ଷରେ ପାକିସ୍ତାନକୁ ୩କୋଟି ୫୪ଲକ୍ଷ ଡଲାରରୁ ଆରମ୍ଭକରି ୨୪କୋଟି ୯୬ଲକ୍ଷ ଡଲାର ଯାଏଁ ଖର୍ଚ୍ଚ କରିବାକୁ ପଡ଼ିଥିବ । ସାମରିକ ଖର୍ଚ୍ଚ ସହିତ ରହିଛି ଅନ୍ୟାନ୍ୟ ବେସାମରିକ ଖର୍ଚ୍ଚ ଏବଂ କ୍ଷତି । ପାକିସ୍ତାନର ସମସ୍ତ ପ୍ରମୁଖ ବିମାନବନ୍ଦରଗୁଡ଼ିକ ବନ୍ଦ କରାଯାଇଥିଲା । ଭାରତ ପାକିସ୍ତାନ ସ୍ଥଳଭାଗର ପ୍ରବେଶ ଦ୍ୱାରଗୁଡ଼ିକୁ ବନ୍ଦ କରାଯାଇଥିଲା । ସେହିପରି ପାକିସ୍ତାନକୁ ଭାରତପଟୁ ଆସୁଥିବା ଔଷଧ ଓ ଖାଦ୍ୟଦ୍ରବ୍ୟ ବନ୍ଦ କରାଯାଇଥିଲା । ସିନ୍ଧୁ ଜଳଚୁକ୍ତିକୁ ସ୍ଥଗିତ ରଖାଯାଇ ପାକିସ୍ତାନର କୃଷକ ଓ ସାଧାରଣ ଲୋକଙ୍କ ପାଖକୁ ଯାଉଥିବା ପାଣି ମଧ୍ୟ ବନ୍ଦ କରାଯାଇ ଥିଲା । ସେହି ଦୃଷ୍ଟିରୁ ପାକିସ୍ତାନର ଅର୍ଥନୀତି କେତେ କ୍ଷତିଗ୍ରସ୍ତ ହୋଇଥିବ; ଅନୁମାନ କରାଯାଇ ପାରେ । ଏମିତିରେ ତ ପାକିସ୍ତାନର ଋଣଭାର ଏକ ଚିନ୍ତାଜନକ ସ୍ଥିତିରେ ରହିଆସିଛି । ୨୦୨୩ ମସିହାରେ ସେମାନଙ୍କ ବୈଦେଶିକ ଋଣଭାର ପାଖାପାଖି ୧୩୨ବିଲିୟନ ଆମେରିକୀୟ ଡଲାର ଥିଲା । କୁହାଯାଉଛି ଯେ ୨୦୩୦ମସିହା ସୁଦ୍ଧା ପାକିସ୍ତାନରେ ଦେଶୀ ବିଦେଶୀ ଋଣଭାର ପାଖାପାଖି ୪୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ (ଏକ ବିଲିୟନର ମୂଲ୍ୟ ୧୦୦କୋଟି ଏବଂ ଗୋଟିଏ ଆମେରିକୀୟ ଡଲାର ମୂଲ୍ୟ ଭାରତରେ ୮୫-୮୬ଟଙ୍କା ଥିଲାବେଳେ ପାକିସ୍ତାନରେ ତାହାର ମୂଲ୍ୟ ସେମାନଙ୍କ ମୁଦ୍ରାରେ ୨୮୦-୨୮୧ ଟଙ୍କା ହେବ) । ଭାରତର ମଧ୍ୟ ବିଦେଶୀ ଋଣଭାର କିଛି କମ୍ ନୁହେଁ । ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଆମର ବିଦେଶୀ ଋଣଭାର ପାଖାପାଖି ୬୦ଲକ୍ଷ ୪୩ହଜାର ୫୦୦କୋଟି ଟଙ୍କା ଥିଲା । ଭାରତର ଦେଶୀବିଦେଶୀ ଋଣକୁ ମିଶାଇ ଦେଖିଲେ ଆମ ଋଣଭାର ମଧ୍ୟ ୧୮୫.୧୧ଲକ୍ଷ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ଏଭଳି ଏକ ଦୁଃସ୍ଥ ଅର୍ଥନୈତିକ ପରିସ୍ଥିତି ଉଭୟ ଦେଶରେ ଅଛି । ପାକିସ୍ତାନ ଭଳି ଭାରତର ମଧ୍ୟ ଋଣଭାର ଦିନକୁ ଦିନ ବଢ଼ିଚାଲିଛି ଏବଂ ଉଭୟ ଦେଶର ସାର୍ବଭୌମ ଶକ୍ତିକୁ ଦୁର୍ବଳ ଅବସ୍ଥାକୁ ନେଇ ଆସିଛି । ଏଭଳି ଏକ ପରିସ୍ଥିତିରେ କେଉଁ ପ୍ରକୃତ ଗଣତନ୍ତ୍ରର ଦାୟିତ୍ୱବାନ ନେତୃତ୍ୱ କାହାସହ ସାମରିକ ସଙ୍ଘର୍ଷ ବା ଯୁଦ୍ଧ ଆଡ଼କୁ ଯିବ ! କିଏ ବା ଋଣକରି ଗୁଆଘିଅ ପିଇବା ପାଇଁ ମନ ବଳାଇବ ! ତେବେ ଯୁଦ୍ଧ ବା ସାମରିକ ସଙ୍ଘର୍ଷର ଆର୍ଥିକ ବୋଝଟି ଅଥବା ଋଣଭାରର ବୋଝଟି ସାଧାରଣ ମଣିଷମାନଙ୍କ କାନ୍ଧ ଉପରେ ହିଁ ପଡ଼ିବ । ଏହି ମଣିଷମାନେ ଏବେ ବି ଭାରାକ୍ରାନ୍ତ, ଠିକ୍ରେ ଛିଡ଼ା ହୋଇପାରୁ ନାହାଁନ୍ତି । ପାକିସ୍ତାନରେ ସାଧାରଣ ମଣିଷଙ୍କ ଅବସ୍ଥା ଅତି ଶୋଚନୀୟ । ସେଠାକାର ରାଜନୈତିକ ତଥା ସାମରିକ ନେତୃତ୍ୱ ଏହି ମଣିଷମାନଙ୍କ ଅବସ୍ଥା ପ୍ରତି ଭୟଙ୍କର ଭାବେ ଉଦାସୀନ । ସେହି ଦୃଷ୍ଟିରୁ ଆମ ସହ ପାକିସ୍ତାନକୁ ତୁଳନା କରି ନୀଚା ଦେଖାଇବାର ଆବଶ୍ୟକତା କିଛି ନାହିଁ । ପାକିସ୍ତାନକୁ ଯଦି ଏକ ଆତଙ୍କବାଦୀ ରାଷ୍ଟ୍ର କୁହାଯାଏ, ସେଥିରେ କ’ଣ ଆମେରିକାର ସମ୍ପୃକ୍ତି କିଛି ନାହିଁ? ଏଯାଏଁ ପାକିସ୍ତାନକୁ ସବୁଠୁ ବଡ଼ ସାମରିକ ଓ ଆର୍ଥିକ ସହଯୋଗ ଆମେରିକା ହିଁ ଦେଇ ଆସିଛି । କୁହାଯାଏ ଯେ ବିଶ୍ୱର ସବୁ ସନ୍ତ୍ରାସବାଦୀ ତିଆରି କାରଖାନା ଆମେରିକାର ବୁଦ୍ଧି ଓ ବାରୁଦରେ ଚାଲିଛି । ତଥାପି ଛଳନାମୟ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଅଚାନକ ଭାରତ, ପାକିସ୍ତାନ ଭିତରେ ଅସ୍ତ୍ରବିରତି ହେବାର ସୂଚନା ଦେବାପରେ ଭାରତ, ପାକିସ୍ତାନ ପୃଥକ ଭାବେ ଅସ୍ତ୍ରବିରତି ବୁଝାମଣାକୁ ସ୍ୱୀକାର କରିଛନ୍ତି । ପାକିସ୍ତାନ ଆମେରିକାର ମଧ୍ୟସ୍ଥିକୁ ସ୍ୱୀକାର କରିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନିଜର ଭାଷଣ ବେଳେ ସେ ସମ୍ପର୍କରେ କିଛି କହିନାହାନ୍ତି, ଯଦିଓ ସେ ଜାତି ଉଦେ୍ଦଶ୍ୟରେ ବିଜୟ ଭାଷଣ ଦେବା ପୂର୍ବରୁ ଉଦ୍ଧତ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଟୁଇଟ୍ କରି ମନେ ପକାଇ ଦେଇଛନ୍ତି ଯେ, ବାଣିଜ୍ୟ ବନ୍ଦ କରିଦେବାର ଧମକ ଦେଇ ସେ କେମିତି ଦୁଇଦେଶର ରାଷ୍ଟ୍ର ନେତାଙ୍କୁ ଅସ୍ତ୍ରବିରତି ପାଇଁ ରାଜି କରାଇଛନ୍ତି । ଆମେରିକାର ଛଳମୁଖାକୁ ଜାଣିବାପାଇଁ ଲୋକଙ୍କୁ ଆଉ କେତେଦିନ ଲାଗିବ?
ଅସ୍ତ୍ରବିରତି ପରର ରାଜନୀତି ବେଶ୍ ସରଗରମ ହେଇଛି । କାହିଁକି ନା ଯେଉଁ ତଥାକଥିତ ଦେଶଭକ୍ତମାନେ ପାଗଳଙ୍କ ଭଳି ଯୁଦ୍ଧଂଦେହୀ ଡାକରା ଦେଉଥିଲେ ବା କର୍ପୋରେଟ୍ ଗଣମାଧ୍ୟମ ଷ୍ଟୁଡିଓମାନଙ୍କରୁ ଡାକରା ଦେବାପାଇଁ ଉସୁକା ଯାଉଥିଲା, ହଠାତ୍ ଯେତେବେଳେ ଯୁଦ୍ଧବିରତି ହେଲା ସେମାନେ କ’ଣ କରିବେ କିଛି ଜାଣି ପାରିନଥିଲେ । ଏମିତିକି ବିଜୟ ଶୋଭାଯାତ୍ରା ବାହାରୁଛି ତାହା ବି ଅସ୍ତ୍ରବିରତିର ଦୁଇତିନି ଦିନପରେ । ଯେଉଁମାନେ ସରକାର ଚଳଉଛନ୍ତି ବା ସରକାରୀ ଦଳରେ ଅଛନ୍ତି ବା ସରକାରୀ ଦଳକୁ ଶକ୍ତି ଯୋଗାଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ସମସ୍ତେ ଦାବି କରୁଛନ୍ତି ଯେ ସେମାନଙ୍କର ବିଜୟ ହେଲା । କିନ୍ତୁ ବିଜୟ ଉଲ୍ଲାସ ଦେଖାଯାଉ ନାହିଁ । ଏଥିରେ ଜୟବିଜୟର କଥା ତ ଉଠୁନାହିଁ, ଯେହେତୁ ସଂଘର୍ଷ ରକ୍ତପାତ ଯେଉଁଠି ବି ହେଉନା କାହିଁକି ଯଦି ଶୀଘ୍ର ବନ୍ଦ ହେଇପାରୁଛି, ତାକୁ ଆମେ ସ୍ୱାଗତ କରିବା କଥା । ଏଥିରେ ଆମେରିକାର ରାଷ୍ଟ୍ରପତି ମଧ୍ୟସ୍ଥି କରନ୍ତୁ ବା ଆମେ ନିଜେ ବିବେକ ଅନୁସାରେ ଦୁଇରାଷ୍ଟ୍ର ଭିତରେ କଥାବାର୍ତ୍ତା କରିକି କରୁ, ଯାହା ବି ଉପାୟ ଅବଲମ୍ୱନ କରାଯାଉନା କାହିଁକି- ଆମେ ଯଦି ଅସ୍ତ୍ରବିରତି କରୁପାରୁଛନ୍ତି, ତାହା ଉଭୟ ଦେଶ ପାଇଁ ଶାନ୍ତି ଓ ମୈତ୍ରୀଭାବ ଆଣିପାରିବ ।
ବିଡ଼ମ୍ବନାର କଥାଯେ ଭାରତରେ ଗତ ୧୧ବର୍ଷ ଧରି ଗୋଟିଏ ନାଟକ ଚାଲିଛି । ବେଳେବେଳେ ଦର୍ଶକମାନଙ୍କୁ କିଛି ରୋମାଞ୍ଚକର ଦୃଶ୍ୟମଧ୍ୟ ଦେଖାଇ ଦିଆଯାଉଛି । ସଂଘ ପରିବାରର କୋଟି କୋଟି ସଦସ୍ୟଙ୍କ ସକ୍ରିୟ ଭାଗିଦାରିତା, ଅଧିକ ଲାଭ ସଂଗ୍ରହ କରିପାରୁଥିବା କମ୍ପାନୀମାନଙ୍କର ଅର୍ଥ ଏବଂ ସମସ୍ତ ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କରେ କ୍ରମାଗତ ପତନ ଏବଂ ଗଣମାଧ୍ୟମ ଏକ ସରକାରୀ ପ୍ରଚାରତନ୍ତ୍ରର ରୂପ ନେଇଥିବା ଯୋଗୁଁ ଏହି ନାଟକର ଯବନିକା ପଡ଼ିବାର ସମ୍ଭାବନା ଦେଖାଯାଉ ନାହିଁ । ଆମର ସବୁ ପଡ଼ୋଶୀ ଏବେ ଆମର ଶତ୍ରୁ ହୋଇ ଯାଇଛନ୍ତି । କିଛି ଶତ୍ରୁତା ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟର କାୟାବିସ୍ତାର ପାଇଁ କରାଯାଉଥିବା ଉଦ୍ୟମ ଯୋଗୁଁ ମଧ୍ୟ ହେଉଛି । କୂଟନୀତି ଏବେ ଆଉ ଆମ ଦେଶର କାର୍ଯ୍ୟସୂଚୀରେ ନାହିଁ । ସମସ୍ତ ପଡ଼ୋଶୀ ଆମର ଶତ୍ରୁ । ପାକିସ୍ତାନ ସହ ସଙ୍ଘର୍ଷର କେନ୍ଦ୍ରରେ କାଶ୍ମୀର ରହିଛି । କିନ୍ତୁ ବାଂଲାଦେଶ, ଶ୍ରୀଲଙ୍କା, ମାଳଦୀପ ଏବଂ ନେପାଳ ସହ ତିକ୍ତ ସମ୍ପର୍କର କେନ୍ଦ୍ରରେ କେଉଁ କାଶ୍ମୀର ରହିଛି?
ଭାରତୀୟ ସେନାବାହିନୀର ପୂର୍ବତନ ମୁଖ୍ୟ ଶ୍ରୀ ମନୋଜ ମୁକୁନ୍ଦ ନରଭଣେଙ୍କ ଉକ୍ତି ଅତି ଗୁରୁତ୍ୱପୂର୍ଣ୍ଣ ମନେହୁଏ । ତାଙ୍କ ଭାଷାରେ “ଯଦି ଆଦେଶ ଦିଆଯାଏ ମୁଁ ଯୁଦ୍ଧକୁ ଓହ୍ଲାଇବି କିନ୍ତୁ ଯୁଦ୍ଧ ମୋର ପ୍ରଥମ ପସନ୍ଦ ନୁହଁ । ….ମୁଁ ପ୍ରଥମେ କୂଟନୀତିକୁ ପସନ୍ଦ କରିବି ପାରସ୍ପାରିକ ଆଲୋଚନା ମାଧ୍ୟମରେ ମତଭେଦର ଅନ୍ତ ଆଣିବା ପାଇଁ, କିନ୍ତୁ ସାମରିକ ସଙ୍ଘର୍ଷରେ ନୁହେଁ….” । କେବଳ ଦେଶଦେଶ ଭିତରେ କାହିଁକି; ଦେଶ ଭିତରେ ମଧ୍ୟ ମତଭେଦକୁ ଦୂର କରିବା ପାଇଁ ପାରସ୍ପରିକ ଆଲୋଚନାର ଗୁରୁତ୍ୱ ରହିଛି ବୋଲି ହାଇଦ୍ରାବାଦ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଅରୁଣ ପଟ୍ଟନାୟକ କୁହନ୍ତି । ଡଃ ବୀରେନ୍ଦ୍ର ନାୟକଙ୍କ ‘ଆଜି ଗାନ୍ଧୀ’ ପୁସ୍ତକରେ ଆମେ କିଛି ଦୃଷ୍ଟାନ୍ତ ପାଇବା ଯେଉଁଠି ଗାନ୍ଧୀ ଭିନ୍ନମତ ପୋଷଣ କରୁଥିବା ଲୋକମାନଙ୍କ ପାଖକୁ ଯାଇ ଆଲୋଚନା କରିଛନ୍ତି । ଏମିତିକି ତାଙ୍କର ହତ୍ୟାପାଇଁ ଦାୟୀ କରାଯାଉଥିବା ଗୋଷ୍ଠିଟିର ଶିବିରକୁ ଯାଇ ସେ ସେମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ସ୍ପଷ୍ଟମତ ରଖିଛନ୍ତି ।
ସେହି ଦୃଷ୍ଟିରୁ ଦେଖିଲେ ଭାରତ ଓ ପାକିସ୍ତାନ ପାରସ୍ପରିକ ଆଲୋଚନା ଭିତରେ ‘କାଶ୍ମୀର’, ‘ସନ୍ତ୍ରାସବାଦ’ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ଶାନ୍ତିପୂର୍ଣ୍ଣ ବାତାବରଣ ଭିତରେ ସମାଧାନ କରିପାରିବେ । ପାକିସ୍ତାନର ଓ ଭାରତ; ଉଭୟ ରାଷ୍ଟ୍ରର ନେତୃତ୍ୱ ସମ୍ଭ୍ରାନ୍ତ ଶ୍ରେଣୀର । ସାଧାରଣ ମଣିଷର ଦୁଃଖ ଯନ୍ତ୍ରଣା ସହ ଏମାନଙ୍କର ସମ୍ପର୍କ କିଛି ନାହିଁ ।
ଲୋକମାନଙ୍କ ସ୍ୱାର୍ଥପାଇଁ ଯେ ସାମରିକ ସଂଘର୍ଷ ହେଉଛି, ତାହା ଆଦୌ ନୁହଁ । ବରଂ ଲୋକମାନେ ଏହି ସଂଘର୍ଷର ବୋଝଟିକୁ ଅନେକ ବର୍ଷଧରି ବୋହି ଚାଲିଛନ୍ତି । ସେଥିରେ ନାଁ ନେତୃତ୍ୱ, ନାଁ କୁହାଳିଆ ଶ୍ରେଣୀ; କାହାକୁ କିଛି କ୍ଷତି ସହିବାକୁ ପଡ଼ିନଥାଏ । ଦେଶ ଭିତରେ ବି ଏହାର ପ୍ରତିଫଳନ ଶିମିଳିପାଳରୁ ସେମିଳିଗୁଡ଼ା ଯାଏଁ ଏବଂ କୋଚିରୁ କାଶ୍ମୀର ତଥା ମଣିପୁର ଯାଏଁ ସବୁଠି ଦେଖିବାକୁ ମିଳେ । କେବଳ ଯାହା ଦେଖିବାକୁ ମିଳିନଥାଏ, ତାହା ହେଉଛି ପ୍ରଶ୍ନଟିଏ- ଏପରି କାହିଁକି ହେଉଛି ବା ଏଥିପାଇଁ ଦାୟୀ କିଏ? ପହଲଗାମ୍ ପର୍ଯ୍ୟଟକ ଗଣହତ୍ୟାର ତିନି ସପ୍ତାହ ପୁରି ସାରିଲାଣି; ପାକିସ୍ତାନ ସହ ସାମରିକ ସଂଘର୍ଷ ଆରମ୍ଭ ହୋଇ ଅସ୍ତ୍ରବିରତି ମଧ୍ୟ ସରିଲାଣି । କିନ୍ତୁ ପହଲଗାମ୍ ଘଟଣା କେମିତି ଘଟିଲା ଏବଂ ଏଇଥିପାଇଁ ଆମେ କେତେ ପରିମାଣରେ ଦାୟୀ, ତାହାର ଅନୁସନ୍ଧାନ ତ ଦୂରର କଥା ପ୍ରଶ୍ନଟିଏ ବି ଶୁଣିବାକୁ ମିଳୁନାହିଁ । ଆମ ନାଟକୀୟତାର ଅନ୍ତ କେବେ ଘଟିବ ଏବଂ କେବେ ଆମେ ଉପଭୋଗୀ ମାନଙ୍କୁ ନୁହଁ ବରଂ ଅନୁଭବୀ ମଣିଷମାନଙ୍କୁ ଶୁଣିବା ଅପେକ୍ଷା ରହିଲା ।
Comments
0 comments