ଖରାଦିନିଆ ଫଳ । ଆମ୍ବ,ପଣସ ପଛକୁ ଊଣେଇଶବିଶ୍ ସପୁରୀ । ତୋଟାରେ ତ ଆମ୍ବ, ପଣସ ଲାଗିଲା । ତଳେ ଫାଙ୍କା ଜାଗାରେ ସପୁରୀ ବଣ। ଛୋଟିଆ ଛୋଟିଆ ଗଛ, ଲମ୍ବା ଲମ୍ବା ପତ୍ର । ୧୦/୧୫ଟା ସପୁରୀ ପୁଆ ଲଗାଇଛୁ ତ ବର୍ଷେ ୨ବର୍ଷରେ ତୋଟା ପୁରିଯିବ । କଦଳୀ ପୁଆପରି ଗୋଟିଏ ଗଛରେ ଫଳ ଆସିଲାବେଳକୁ ୫/୭ପୁଆ ଗଜୁରିବେଣି । ଗାଈ, ଗୋରୁ ସପୁରୀ କନ୍ଦା ଭିଡ଼ି ଖାଇଯାନ୍ତି । ୨/୩ଟି ପତର ଭିଡ଼ିଲାବେଳକୁ ପାଟିରେ କଣ୍ଟା ଫୋଡ଼ି ହୋଇଯିବ । ମୁହଁ ମୋଡ଼ି ଦେବେ । ପ୍ରକୃତି ବୃକ୍ଷକୁ ସୁରକ୍ଷା ଦେବାକୁ ତା ପତ୍ରରେ ଦିଧାର କଣ୍ଟା ଖଞ୍ଜି ଦେଇଛି । ଗାଈ ଗୋରୁଙ୍କ ବ୍ୟତୀତ ମଣିଷ ବି ସପୁରୀର ଶତ୍ରୁ । ଦଳିତଶ୍ରେଣୀର ସ୍ତ୍ରୀ ଲୋକମାନେ ତୋଟାରୁ ଶୁଖିଲା ଆମ୍ବପତ୍ର ଗୋଟେଇବେ । ଚୂଲି ଜଳିବ । ଧାନ ଉସୁଆଁ ହବ । ମାଗଣା ଜାଳ । ପତର ବିଡ଼ା ବନ୍ଧା ହବ । ସପୁରୀ ପତର ଭିଡ଼ି ଆଣିବେ । ୩/୪ ସପୁରୀ ପତ୍ରକୁ ଯୋଡ଼ି ପରେ ବିଡ଼ା ବାନ୍ଧିବେ । ସେମାନଙ୍କୁ ଚାରି ଖୁରା ମାଫ୍ ।
ଆମ୍ବ,ପଣସ ବଉଳ ହେଲା । ସପୁରୀ ତ ତାଙ୍କ ସାନଭଉଣୀ । ସେ ବି ବଉଳିବ । ପ୍ରଥମେ କଅଁଳିଆ ନାଲିପତ୍ର ୨/୪ଟି ମେଲିଯିବେ । ୫/୭ ଦିନ ପରେ ଦେଖିବ ତ ନାଲିଫରୁଆ ଭଳି ଗୋଟିଏ ଗୋଟିଏ ଫୁଲ ସଞ୍ଚରଣ ହେଲେଣି । ଚାହୁଁ ଚାହୁଁ ଆଉ ୪/୮ଦିନ ଭିତରେ ଗୋଟିଏ ଲାଲ ଗୁଲୁ ଗୁଲୁ ଫଳଟିଏ ମୁଣ୍ଡ ଟେକିଲାଣି । ଏଇଠି ସପୁରୀର ବିପଦ ଆସିଲା । ସପୁରୀର ଉତିଆଣୀ ପୁଅ ଝିଅଙ୍କ ଉପରେ ମାଙ୍କଡ଼ମାନଙ୍କ ଆଖି ପଡ଼ିଲା । ଆସିଲେ ତ ମୁଣ୍ଡନୂଆଁଇ ବସି ସପୁରୀଟିକୁ ଖାଇଦେଲେ । ଗଲା ବାରମାସର ତପସ୍ୟା ଶୁଖୁଆ ପୋଡ଼ାରେ ଶେଷ । ମଣିଷର ମୁଣ୍ଡର ଚାରିପାଖେ ବୁଦ୍ଧି । ଗୋବର ଗୋଳାଇ ସବୁ ଫୁଲଉପରେ ଲେସିଦେଲେ ମାଙ୍କଡ଼ ଜବତ । ଟିକିଏ ଆଖିକୁ ଦେଖାଗଲେ ମାଙ୍କଡ଼ ସପୁରୀପାଖେ ହୁତା ହେବେନି । କଥା କଣ କି ସପୁରୀ ଦିହଯାକ ଶହ ଶହ ଆଖି । ଆଖିଗୁଡ଼ିକରେ ଖୁବ ସରୁସରୁ କଣ୍ଟା ପତ୍ର ସପୁରୀକୁ ସୁରକ୍ଷା ଦିଅନ୍ତି । ମାଙ୍କଡ଼ ପାଟିରେ କଣ୍ଟା ଫୋଡ଼ି ହୋଇଯିବ ତ । ହେଲେ ଗାଈଗୋରୁ ପ୍ରଥମେ ପ୍ରଥମେ ଉଙ୍କୁଥିବା ସପୁରୀକୁ ଭିଡ଼ି ଖାଇଯାଆନ୍ତି । ସେତବେଳକୁ ଆମ୍ବ ବି କସି ହେଲାଣି । ତୋଟା ଜଗୁଆଳି ନମୁଦ ହେଲେଣି । ସେମାନଙ୍କର ଭାରି ମୁରାଟ । ଗାଈ ଜଗୁଆଳି ପିଲାଙ୍କୁ ‘ଶଳା,ମାଡୁଆ ଶଳା’ କରି ଗାଳି ତ ପକାଇବେ । ଠେଙ୍ଗା ଉଠାଇ ମାରେ ନମାରେ । ଗାଈ ଜଗୁଆଳି ପିଲାମାନେ ତ ଦଳିତ ଘର ପିଲା । ବ୍ରାହ୍ମଣ ତୋଟା । ଦଳିତମାନେ ବ୍ରାହ୍ମଣଙ୍କୁ ଠାକୁର କୁହନ୍ତି । ସେମାନଙ୍କ ପାଖେ ସିଧା ହୋଇ ଚାଲିପାରିବେନି । ଠିଆ ତ ପଛ କଥା, ଅଣ୍ଟାଭାଙ୍ଗି ଯିବେ । ଅଣ୍ଟା ନୁଆଁଇ କଥାହେବେ । ହେଲେ ସେମାନଙ୍କ ୧୦/୧୨ବର୍ଷର ପିଲା । ସ୍କୁଲ ପିଣ୍ଡାକୁ ତ ଉଠିପାରିବେନି ସାଆନ୍ତ ଘରେ ଚାକିରୀ । ପଖାଳକୁ କଞ୍ଚା ଲଙ୍କା,ଲୁଣ । ଦିଗୁଣ୍ଡା ଖାଇ ତୋରାଣୀ ପିଇଦେଇ ଗାଈ ଫିଟାଇଲେ । ହେତୁ ହେଲାଣି ସାଆନ୍ତମାନଙ୍କ ପ୍ରତି ଭିତରେ ରାଗ ଆସିଲାଣି । ‘ମୁହଁ ସମ୍ଭାଳି କଥାବାର୍ତ୍ତା କର । ଆମର ବି ପାଞ୍ଚଣ ଅଛି । ବ୍ରାହ୍ମଣ ଦେଖାଉଛି…’ । ‘ଶଳା ବାଉରୀ ଟୋକା ଭାରି ତ ବଢ଼ି ବଢ଼ି କଥା କହୁଛୁ । ରହ ତୋ ବୋପାକୁ କହୁଛି….. ’ । ପିଲାଏ କହି ଦେଲେ ସିନା ହୋସ ଆସିଗଲା । ବ୍ରାହ୍ମଣ ବାଆକୁ କହି ଦବତ ବାଆ ସେକି ଦବ । ଗାଈକୁ ତୋଟାରୁ ଉଡ଼େଇ ବାହାର ପଡ଼ିଆରେ ଚରାଇଲେ । ଧନ୍ୟରେ ସପୁରୀ । ସୀତାଦେବୀଙ୍କ ପାଇଁ ସାତଖଣ୍ଡ ରାମାୟଣ । ସପୁରୀର କରାମତି ଦେଖ!
ଏମିତି ଭିଡ଼ା ଓଟରା, ପାଟିତୁଣ୍ଡ ଭିତରେ ସପୁରୀଗୁଡ଼ିକ ମୁଣ୍ଡ ଟେକି ଗଲେଣି । ଯିବା ଆସିବା ଲୋକଙ୍କ ଆଖିପଡ଼ିବ । ଠଉରିଆମାନେ ଭାଙ୍ଗିନେବେ । ଓଲେଇର କଞ୍ଚ କଞ୍ଚା ଦୁଆର ବୁଲିର ପୋଡିଯାଉଛି । ଚୋରର କଞ୍ଚା ପାକଳ ବିଚାର ନାହିଁ । ତୋଟା ଜଗୁଆଳିମାନେ ଆଖିଫିଟି ନଥିବା ସପୁରୀଗୁଡିକରେ ପତର ଘେରେଇ ପତର ଆଗକୁ ଠକେଇ ଦିଅନ୍ତି । ସପୁରୀମାନେ ଲୁଚି କରି ରହିଲେ । ଯିବା ଆସିବା ଲୋକଙ୍କ ଆଖି ପଡ଼ିବନି । ମଝିରେ ମଝିରେ ପତର ଆଡ଼େଇ ଦେଖୁଥିବେ । ସପୁରୀ ପାଚୁ ପାଚୁ ମାସେ ଦେଢ଼ମାସେ ଲାଗିବ ।
ତୋଟା ଛଡ଼ା ଘରବାଡ଼ିରେ ମଧ୍ୟ ବାଡ଼ଦାଢ଼ରେ ୧୦/୧୫ଟି ସପୁରୀ ଗଛ ଥାନ୍ତି । ଆମ ନନା ତ ଚଉଆଖିଆ । ତୋଟା କଥା ତ ବୁଝନ୍ତି । ବାଡିଆଡ଼ ସପୁରୀକୁ ମଧ୍ୟ ଆଖି ରଖିଥାନ୍ତି । ବୋଉକୁ ତାଗିଦ ‘ମଝିରେ ମଝିରେ ବାଡ଼ି ଆଡ଼କୁ ଚାହୁଁଥବୁ । ବାଉରାଣୀ ଜାଳ କରିବାକୁ ଆସିବେ ତ ଏଣିକ ତେଣିକ ଚାହିଁ ସପୁରୀ ଭାଙ୍ଗି ଟୋକେଇରେ ଜାଳଭିତରେ ଲୁଚେଇ ନେବେ । ସେମାନଙ୍କର ପତାଲେଇ ଆଖି ।’ ବୋଉର କିଛି ଉତ୍ତର ନାହିଁ । ମୌନେ ସମ୍ମତି । ଦିନେ ନନା ଖରାବେଳେ ଘରକୁ ଖାଇବାକୁ ଆସିଛନ୍ତି । ନନାଙ୍କର ତ ତରବର କଥା । ବୋଉ କହେ ‘ସେତ ଘୋଡାରେ ଜିଣ ଦେଇ ଆସିଛନ୍ତି ।’ ମୁଁ ସେକଥାର ମର୍ମ କିଛି ବୁଝିପାରେ ନାହିଁ । ହେଲେ ନନାଙ୍କ କାନରେ ଯଦି ପଡ଼ିଗଲା! ନନାଙ୍କର ମଧୁରବାଣୀ, ‘ତତେ ତ ଗେଲ ଲାଗିଛି । ଆମ୍ବତୋଟା ବାର ଲୋକଙ୍କ ଆଶା । ତୁମ ଗୋଡ଼କୁ ଚାହିଁଛନ୍ତି । ଗୋଡ଼ କାଢ଼ିଲେ ତ ତୋଟାରେ ପସି ଖଦା କରିବେ । ଆମ୍ବ ଚଞ୍ଚୁ ହେଲାଣି । ଆମ୍ବୁଲ କରିବାକୁ ଆମ୍ବଗଛରେ ଚଢ଼ି ଝାଡ଼ି ପକାଇବେ । ତୋତେ ତ କିଛି ଜଣାପଡୁନି । କାମ ନକଲେ ଗୁଣ୍ଡା କଣ ତୋ ଭାଇ ଘରୁ ଆସିବ?’ ବୋଉ ମନେ ମନେ ନିଜକୁ ଧିକ୍କାର କରୁଥିବ । ‘କେତେ ବେଳେ ତ କିଛି କହେନି । କାଳେ ମୋ ବାପଘର ନାଁ ପଡ଼ିବ । ଆଜି କିମିତି କ’ଣ ପାଟିରୁ ବାହାରି ପଡ଼ିଲା ।’ ଆଗରୁ ଦଳିତଙ୍କ ନିର୍ଯାତନା କଥା ପଢ଼ିଥିଲେ । ଏବେ ନାରୀ ପ୍ରତି ପୁରୁଷର ଆଧିପତ୍ୟ ଓ ନିଷ୍ଠୁରତା କଥା । ସମାଜରେ ସବୁ ଧର୍ମ ଅଛି । ମାନବ ଧର୍ମ କମ୍ଲୋକଙ୍କ ପାଖରେ । ଏ ଜାତି ପ୍ରଥା, ନାରୀକୁ ଦାସୀଭଳି ବ୍ୟବହାର ବଦଳିବାକୁ କେତେ ଯୁଗ ଲାଗିବ!
ନନା ଖାଉଛନ୍ତି । ଖାଇବା ଢଙ୍ଗରୁ ଜଣାଯାଉଛି ଆଜି ଖାଇବା ତାଙ୍କ ପସନ୍ଦ ହୋଇଛି । ବାଲାମି ଉସୁନା ଚାଉଳ ଭାତ । ବେଲାଏ ମୁଗ ଡାଲି । ବଡ଼ ରୋହିମାଛର ୪/୫ଖଣ୍ଡ ମାଛ ତରକାରୀ । ଖମ୍ବଆଳୁ ଭଜା ୧୦/୧୨ଖଣ୍ଡ ଥାଳିଆରେ ବୋଉ ବାଢ଼ିଥିଲା । ମାଛତ ନିତିଦିନିଆ କଥା । ଖମ୍ବ ଆଳୁ ଭଜାକୁ ନନା ବାଇ । ବୋଉ ବେଳଉଣ୍ଡୀ କହିଲା, ‘ସିଂହ ସାହି ଲଛମନ ଆସିଥିଲା । ନିହାଲ ମଉସା ତୁମକୁ ଡକାଇଛନ୍ତି ।’ ନିହାଲ ମଉସା ଓରଫ ନିହାଲ ସିଂହ । ସିଂହ ସାହିର ରାଜା । ରାଜପୁତ ବଚ୍ଚା । ଖୁବ ମୁରାଟ । ନିଆଳି ହାଟ ଦଣ୍ଡିଆଙ୍କ ଭିତରେ ଠିକା । କଥାକଥାକେ ହାତ ଉଠାଇବେ । ତାଙ୍କୁ ଦେଖିଲେ ଗର୍ଭିଣୀ ଗାଈ ବାଟ ଛାଡିଦବ । ରାତିରେ କିଏ ଆଗରେ ପଡିଲା ତ ଭେଟଣା ହେଇଯିବ । ନନାଙ୍କୁ ଖୁବ ଭଲପାଆନ୍ତି । ନନା ନିଆଳି ଜମ୍ବୁ ମିଶ୍ରଙ୍କ ଜ୍ୱାଇଁ ତ । ଅଜା ନିଆଳି ୧୦ କୋଷରେ ଟୀକା ମାମଲତକାର । ନିହାଲ ଅଜା ଜମ୍ବୁ ମିଶ୍ରକୁ ମାନନ୍ତି । ସେଇ ଖାତିରିରେ ନନାଙ୍କୁ ଭଲ ମନ୍ଦରେ ପଚରା ଉଚରା କରନ୍ତି । ନନାଙ୍କ କାନରେ ନିହାଲ ଅଜାଙ୍କ କଥା ପଡିଲା ତ ନନା ଟାଉଟାଉ କରି ନାକରେ କାନରେ ପୁରାଇ ଖାଇଦେଲେ । ଠେଙ୍ଗା ଧରି ଚାଲିଲେ । ବୋଉ ପଚାରିବ ‘କାହିଁକି ଏତେ ତରତର ଖାଉଛ,ଟିକେ ନିଶ୍ୱାସ ମାର । ନିଜେ ବଞ୍ଚିଲେ ବାପର ନାଁ । ତୋଟା କ’ଣ ସ୍ୱର୍ଗ ନେବ । ‘ନାଇଁ ଲୋ ବାପ । ତା’ ଜିଭରେ ହାଡ଼ ନାହିଁ ନନାଙ୍କୁ ଜବାବ ଦେବ ।
ନନା ଖରାଖରା ସିଂହ ସାହିରେ ହାଜର । ଅଭିଘରକୁ ଯାଉଛନ୍ତି । ଦୂରରୁ ନିହାଲ ଅଜାଙ୍କ ଆଖି ପଡିଲା ତ ଚାଲିଆସିଲେ । ‘ଉଦି, ମୁଁ ତୁମକୁ ଡକାଇଥିଲି । ଅଭି ମା’ ଉଦିକୁ ପିଢ଼ା ଦିଅ । ଉଦି ଆମ ଜମ୍ବୁ ଭାଇନାଙ୍କ ଜ୍ୱାଇଁ । ‘ସାଙ୍ଗେସାଙ୍ଗେ ନନାଙ୍କ ଆଗରେ ଥାଳିଟିଏ ଥୁଆ ହୋଇଗଲା । ଦହି, ଛେନା, ଗୁଡ ମେଞ୍ଚାଏ । ପାଚିଲା ପାଟକପୁରା କଦଳୀ ୨ଟା,୨ଟା ବଡ଼ ବଡ଼ ମିଠେଇ । ନନା ତ ସାଙ୍ଗେସାଙ୍ଗେ ଖାଇ କରି ଆସିଛନ୍ତି । ଖାଉ ନଥାନ୍ତି । ‘ଉଦି ତୁମେ ଟୋକା ଲୋକ । ପଥର ଖାଇ ହଜମ କରିଦେବ । ଖାଅ । କଥା କ’ଣ କି ଅଭିଟାତ ପିଲାଟାଏ । ତୁମ ପୁଅସାଙ୍ଗେ ପଢୁଛି । ଦୋଳକୁ ତୁମ ଘରକୁ ଯାଏ । କହେ ଚଞ୍ଚଳୀ ଝିଅ ଖୁବ ହେପାଜତ କରେ । ତୋଟା ବାଡି ଦେଖିବାକୁ କେହି ନାହିଁ । ସପୁରୀ ହଜାର ଦି ହଜାର ହୋଇଛି । ଗୋରୁ ଗାଈ ପଦା କରୁଛନ୍ତି ତୁମେ ଟିକେ ଦେଖାଚାହାଁ କରନ୍ତନି । ‘ଶଶୁରଙ୍କ ସାନଭାଇ ଭଳି । ତାଙ୍କ କଥା ତଳେ ପକାଇନେବ କିମିତି । ନନା ମୋଡ଼ିଭିଡ଼ି ହେଲେ ବି ହଁ ମାରିଲେ । ଉଠିଲେ । ନିହାଲ ଅଜା ଭାଗବତ ଘରଯାଏ ତାଙ୍କସାଙ୍ଗରେ ଆସି ବାଟେଇଦେଲେ । ମୁଁ ଏତେ କଥା କେମିତି ଜାଣିଲିକି? ଅଭି ପରଦିନ କ୍ଳାସରେ ମତେ ସବୁ କହିଲା । ସିଂହ ସାହିଆ କଥା କହିବେ ତ ଆକାଶରୁ ଚାନ୍ଦଆଣି ପାଖରେ ଥୋଇଦେବେ । ତାଙ୍କ କଥାରେ ଆମ୍ବ ଗଛକୁ ଟେକା ପକାଉଛନ୍ତି ତ ଟେକା ବୁଲି ବୁଲି ଯାଉଥିବ । ଆମ୍ବ ଗୁଳୁ ଗୁଳୁ ଝଡୁଥିବ । ଗଣିଲାବେଳକୁ ପାଞ୍ଚ ପଣ ଚାରିଗଣ୍ଡା ୨ଟା । ଡମ୍ଫାରେ ସରି ଯାଇଛନ୍ତି ।
ପଥର ପଡ଼ିଆ ଆମ୍ବତୋଟା, ହେଲା ଭାଗୁଆଳି କମ୍ । କାହା ଗୋଡ଼ରେ ହାତରେ କଣ୍ଟା ଲାଗିବ ନାହିଁ । ଭଲ ମନ୍ଦ ସବୁଥିକୁ ନନା । ଆମ୍ବ ଭାଗ ବଣ୍ଟାବେଳକୁ ସମସ୍ତେ ମଡ଼ା ଚକଡ଼ା । ନନା ପଛକୁ ରହିବେ ବାରମାଣିଆ ବା‚ା ମହାଜନଙ୍କ ପଣସ ଗଛ । ନନା ଏକା ଦେଖାଚାହାଁ କରିବେ । ସିଂହ ସାହି ଜଙ୍ଗଲ । ସନ୍ଧ୍ୟା ହେଲାତ ବଣରୁ ଶହ ଶହ ଗଧିଆ ଲାଇନ ଲଗେଇଲେ ମୁସଲମାନ ବସ୍ତି ସାହାବଖାନା । ଗୋରୁମାଂସ କାରବାର ପରେ ହାଡ଼ ପଡ଼ିଥିବ, ରେକେଟିବେ । ସିଂହ ସାହିଆତ ଏକ ଦେଖିଲେ ଶହେ ଆଡୁ ଆସିବେ । ଠେକ ଟୋକା ସଞ୍ଜବେଳେ ନନାଙ୍କୁ ଦେଖିଲେ ତ ତାଗିଦ କରି କହିବେ,‘ଭାଇନା । ପଳାଅ । ଏ ଗଧିଆ କ’ଣ କମ୍ ଅଛନ୍ତି ଦୁଇତିନି ହଜାର । ‘ହଜାରେ କହିଲେ କେତେ ଏମାନେ କହିପାରିବେନି । ଅନୁମାନରେ ପଣିକିଆ ଲେଖନ୍ତି । ନନାଙ୍କର ଡରଭୟ ନାହିଁ । ନିଃଶକ । ଶୁଣି ନଶୁଣିଲା ଭଳି କାନ ପହରେଇ ଦିଅନ୍ତି । ସପୁରୀ ବଣଆଡ଼େ ଦିନ ଥାଉ ଥାଉ ବୁଲିଗଲେ ତ ଘରକୁ ଫେରିଲେ । ଥରେ ଗାଁରୁ ତୋଟାବାଡ଼ି ଦେଖି ସିଂହସାହି କାମ ସାରିଲାବେଳକୁ ଯାଇ ଘରୁ ଦିକୋଶ ବାଟ ଚାଲିଗଲେଣି । ରାସ୍ତା ଘାଟ ନାହିଁ । ହିଡ଼ବାଡ଼, କୋଇଲିଖିଆ ବାଟରେ ଯିବା ଆସିବା । ନନା ଆମ ପାଇଁ ଯେତେ କଷ୍ଟ କରିଛନ୍ତି, ଆମକୁ ବଢ଼େଇ କୁଢ଼େଇ ମଣିଷ କରିଛନ୍ତି ବାହାର ଲୋକ ଅନୁମାନ ଲଗେଇ ପାରିବେନି । ଘର ବୋଉ ସମ୍ଭାଳିଥାଏ । ବାହାରକୁ ନନା ।
ସାବିତ୍ରୀ ମୁଣ୍ଡ ଉପରେ । ଆମ୍ବ, ପଣସ,ସପୁରୀ କାରବାର ଚାଲେ । ସାବିତ୍ରୀ ଆଗ ହାଟକୁ ୪/୫ ଶଗଡ଼ କୋଠ ଆମ୍ବ । ପଣସ ୨/୩ ଶଗଡ଼ ଓଦରରେ, ସପୁରୀ ୫୦୦/୬୦୦ ହାଟରେ ଗଦା କରନ୍ତି । ଘନ ନନ୍ଦ, ଜଗୁଲା ବାପା, ଟେରା ରାମା ଏମିତି ୩/୪ଜଣ ଆମ୍ବତୋଟା ଜଗୁଆଳି ଥିବେ । ନନାଙ୍କର ସବୁ ଆଡକୁ ଆଖି । ଗରାଖ ହାଉ ଯାଉ । ଘଣ୍ଟେ ଦିଘଣ୍ଟେ ଭିତରେ କାରବାର ଶେଷ । ନରିଶୋ ଉଦିଆ ଭାଇନା ଆମ୍ବ,ବା‚ା ସାହୁ ଗଛ ପଣସ,ନିହାଲ ସିଂହ ବାଡି ସପୁରୀ ଏମାନେ ମାର୍କାମରା । ମିଆଁ ମାନେ ପାଗଳ । ସବୁ ପଇସା ନନାଙ୍କ ଅଣ୍ଟିରେ । ତାଙ୍କର ମୁଣ୍ଡ ଗୋଟେ ଆଜିକାର କମ୍ପୁ୍ୟଟର ସଙ୍ଗେ ସମାନ । ହାଟରୁ ଫେରି ତୋଟାରେ ସମସ୍ତେ ବସିଯିବେ । ପଇସା ବଣ୍ଟା କୁଣ୍ଟା ହବ । ନନା ଆଗ ପଣସ,ସପୁରୀ ପଇସା ବାହାର କରି ଅଲଗା ରଖିବେ । ବାକି ପଇସା ପାଞ୍ଚ ଭାଗ ହେବ । ସାବିତ୍ରୀ ହାଟ ପାଳି ଭାଗକେ ୪୦/୫୦ ଟଙ୍କା ପଡ଼େ । ବହୁତ ପଇସା । ଆଜିକା ମୂଲ୍ୟରେ ୪/୫ହଜାର ଲେଖାଏଁ ହବ । ଖଟିଲେ ପାଇଲେ । ତୋଟା ଜଗା ଖଟଣି, ବୋପା ବାହାଘର ମନେ ପଡ଼ିଯିବ ।
ସାବିତ୍ରୀ ୨/୩ ଦିନ ଅଛି । ପଥର ପଡ଼ିଆ ସପୁରୀ ଭଙ୍ଗା ହବ । ରଜା ଭାଗ ୪ଟାରେ ଗୋଟେ । ବାକି ତୋଟା ଜଗୁଆଳିଙ୍କର । ରାଜା ଭାଗ ବଡ଼ ମକଦ୍ଦମଙ୍କୁ ଧରେଇଦେଇ ବାକି ସପୁରୀ ବେତାରେ ମୁଣ୍ଡାଇ ଚାଲିଲେ ବଜାର । ଅଣହାଟରେ ଦିପଇସା ଭଲ ହୁଏ । ସପୁରୀ ହଳଦୀ ଗଣ୍ଠି ପରି ପାଚି ଯାଇଥିବ । ମହ ମହ ବାସିବ । ନନା ଦିନରେ ସିନା ଦେଖାଚାହାଁ କରିବେ । ରାତି ଚରକୁ! ରାତିରେ ବିଲୁଆ, କୋକିଶିଆଳି, ଗୁଡଖାଇ, ମୂଷା ସମସ୍ତଙ୍କର ସପୁରୀବଣରେ ଯାତ୍ରା । ପଥର ପଡ଼ିଆରେ ତ କମ୍ । ସିଂହସାହି ଘଞ୍ଚ ଜଙ୍ଗଲ ତ । ରାତିରେ ଜନ୍ତୁମାନଙ୍କର ନାଟ । ଖଣ୍ଡିଆ, ଖାବରା କରି ଖାଇଯାଆନ୍ତି । ମୂଷା ପାଚିଲା ସପୁରୀ କୋରି ପକାଇବ । ରାତିରେ ୨୦/୩୦ ସପୁରୀ ବରବାଦ କରୁଥିବେ । ଧାନହେଁସରୁ କାଉ ଥଣ୍ଟେ ନେଲେ କେଉଁ ସରିଯାଉଛି । ଚଷା ଲକ୍ଷେ ଜୀବ ପୋଷା । କେତେ ଖାଇବେ । ଖାଆନ୍ତୁ । ସିଂହସାହି ସପୁରୀରେ ବେଳେବେଳେ ଦିଗୋଡିଆ ଲାଗନ୍ତି । ନନା ତ ଖୁବ୍ ହତୁକି । ଦିନେ ଦିନେ ନନାଙ୍କ ହାବୁଡ଼େ ପଡ଼ିଗଲେ ତ ମଲେ । ନନା ଭଲ ବେଳେ ବୋଉ ସାଙ୍ଗେ କଥାବାର୍ତ୍ତା ଛଳରେ କୁହନ୍ତି ‘ଆଜି ଦିଟା ଟୋକାଙ୍କୁ ଧରିଲି । ଲମ୍ବେ ଲମ୍ବେ । ଭାଇନା ତୁମକୁ ଗୋଡ଼ ତଳେ ପଡୁଛି ନିହାଲ କାକାଙ୍କୁ କହିବନି । ସେ ଆମ ଯାନ ଆସନ ରଖିବେନି । ହଁ ବାର୍ଷିକର ଫଳ ତ । ସମସ୍ତଙ୍କର ଆଖି । ମୁଁ ଛାଡ଼ିଦିଏ । ଖୁବ୍ କୃତ କୃତ ହୋଇ ସପୁରୀ ଧରି ଭାଗିସ୍ ।’
ଏହାଭିତରେ ସିଂହ ସାହି ନିହାଲ ସିଂହଙ୍କ ଜଙ୍ଗଲରୁ ୩/୪ଖେପ ସପୁରୀ ଭଙ୍ଗା ସରିଛି । ସପୁରୀ ଭଙ୍ଗାବେଳେ ମୁଁ ବେଳେବେଳେ ଥାଏ । ଅଭି, ଗୋବରାଦା, ବନାଦା ମାନେ ପହଞ୍ଚି ଯାଆନ୍ତି । ମାଛ ଧରିବା, ଆମ୍ବ ତୋଳିବା ସପୁରୀ ଭାଙ୍ଗିବା ଗୋଟେ ମଉଜ କଥା । ସମସ୍ତେ ଲାଗିଯାଉ । ଖେପେକେ ୩୦୦/୪୦୦ ସପୁରୀ କଟା ହେଲା । କଠଉ ମଡେଇ ଠକ ଠକ କରି ପହଞ୍ଚିଯିବେ ନିହାଲ ଅଜା । ସମସ୍ତଙ୍କୁ ୩/୪ଟା ଲେଖାଏଁ ସପୁରୀ ଧରେଇବେ । ଅଭି ଆଗରୁ ସମସ୍ତଙ୍କ ସହିତ କଥା ହଉଥାଏ । ସପୁରୀ ତୋଳୁଥାଏ । ଭାରି ଖୁଜୁବୁଜୁଆ । ମୋତେ କେତେବେଳେ ଚୁମୁଟି ଦଉଥିବ, ମିଛରେ କୁହାଟ ମାରୁଥିବ, ‘ଆରେ ବାଘ ବାଘ’ ସମସ୍ତେ ତ ଏକ ଲାଉର ମଞ୍ଜି । ବୁଝି ଯାଆନ୍ତି । ତା କଥାକୁ କାନ ଦିଅନ୍ତିନି । ନିହାଲ ଅଜାଙ୍କୁ ଦେଖିଲା ତ ଯୋକମୁଁହରେ ଲୁଣ । ପୁରା ଶାନ୍ତଶିଷ୍ଟ ପିଲାଟିଏ ଭଳି ସପୁରୀ ଭଙ୍ଗାରେ ଲାଗିଯାଏ । ସମସ୍ତେ ସପୁରୀ ଘରକୁ ବୋହିନେବେ । ସେ ଘର ପାଇଁ ୪୦/୫୦ଟି ସପୁରୀ ରଖିଲେ ଢେର । ନନାଙ୍କୁ ବାକିତକ ଧରାଇ ଦିଅନ୍ତି । ନିହାଲ ଅଜାଙ୍କ ସପୁରୀ ଆଷାଢ଼ ମାସ ପର୍ଯ୍ୟନ୍ତ ୧୦/୧୫ଟି ମଧ୍ୟ ଥାଆନ୍ତି । ନନା କହିଦେଇ ଆସନ୍ତି, ‘ନିହାଲ ମଉସା କାଁଭାଁ କେତୋଟି ପଣସ ରହିଥିବ । ମୁଁ ଆଉ ଆସିବି ନାହିଁ । ପିଲାଙ୍କୁ କହି ଯଦି ଦଶ ପାଞ୍ଚଟା ଆଣିପାରିବ । ନିହାଲ ଅଜା ଆଖି ଛଳଛଳ କରି କୁହନ୍ତି, ‘ଉଦି ତୁମେ ବହୁତ ମେହନତ କଲ । ଆମ ଏ ପିଲାଗୁଡାକ ଘାସକୁ ଲମ୍ବ, ପାଳକୁ ଛୋଟ । କୁଟାଖଣ୍ଡକ ଦିଖଣ୍ଡ କରୁନାହାଁନ୍ତି । ଅଭି ତ ତୁମ ପୁଅସାଙ୍ଗେ ପଢୁଛି । କ’ଣ ପଢୁଛି ସେ ଜାଣିଥିବ । ତୁମ ସକାଶେ ଭଲ ଦିଟା ସପୁରୀ ପାଇଲୁ । ନହେଲେ ସବୁ ଭୁତ ଖାଇଥାନ୍ତେ । ଝିଅକୁ ବହୁତ ବହୁତ କହିବ…..’ । ନନା ଆମ ସପୁରୀ ଅଭିଘର ଗୋଟେ କଣରେ ଥୋଇଦେଲେ । ଘରକୁ ଫେରୁଫେରୁ ୧୨ଟା, ଗୋଟେ ।
ପାଚିଲା ସପୁରୀଖିଆ ବାଗ ସମସ୍ତଙ୍କୁ ଜଣା ନାହିଁ । ନନା ପନିକି ପକେଇ ବସିଯିବେ । ସପୁରୀ କାଟିବେ । ଆଖିଗୁଡିକ ତାଡ଼ି ଦେବେ । କାଟିଲା ବେଳକୁ ରସ ବୋହି ପଡୁଥିବ । ପନିକି ତଳେ ଥାଳିଟିଏ ଥବ । ସପୁରୀକୁ ଟିକି ଟିକି କରି କାଟିବେ । ହଳଦୀ ଗଣ୍ଠି ରଙ୍ଗ । ଥାଳିରେ ଥାଳିଏ ଚମ୍ପାଫୁଲ ଥୁଆ ହେଲା ଭଳି ଦିଶୁଥିବ । ସାମାନ୍ୟ ଲୁଣ ଗୋଳାଇ ଦେବେ । ଆମକୁ ୧୦/୧୨ ଖଣ୍ଡ ଲେଖାଏଁ ଗିନାରେ ଧରେଇ ଦେବେ । ବୋଉ ପାଇଁ ୫/୭ ଖଣ୍ଡ ରହେ ନରହେ । ବାକିସବୁ ନିଜେ ଖାଇବେ । ସେତ ଭଲ ଖାଆନ୍ତି । ଟିକେ ଅଧିକ ବି ଖାଆନ୍ତି । ହାତ ଅରଜିଲେ ଦାନ୍ତ ଥାଏ । ପର ଦେଉଥିଲେ ଉଘାଉଥାଏ । ତାଙ୍କର ନିଜ କମେଇ । ନିଜ ଖଟଣି । ତାଙ୍କ ଖାଇବାରେ କିଏ ଆଖିଦେବ?
ନନାଙ୍କ ବରାଦ, ସପୁରୀ ଖଟାହେବ । ସାଧାସିଧା ରୋଷେଇ । ସପୁରୀ କଟା ହେଲା । ୧୯୪୯/୧୯୫୦ କଥା । ଲୁହା କଢ଼େଇ ହାଣ୍ଡିଶାଳ ଦେଖିଲେଣି । କଢ଼େଇ ବସାଇ ଗୋଟେ ଘିଅ ଫୁଟଣ ହବ । ସପୁରୀ ପଡିଲା । ଗୁଡ଼ ମେଞ୍ଚେ ପକାଇ କଞ୍ଚା କଟାଆମ୍ବ ୨/୩ ଚିରୁଡା ପକେଇଦେଲେ । ପାଣି ନାମକୁ ମାତ୍ର ଦିଆହବ । ଘଡ଼ ଘଡ଼ ଫୁଟିଲା । ଭୃଷଙ୍ଗ ପତ୍ର ଫୁଟଣରେ ପଡ଼ିଥିବ । ଓହ୍ଲାହେଲା । ଦହଡ ଆମିଳ ଶୀତଳ ଜାଉ ଖାଇବା ମଉଜ ହବନି । ଆମିଳ ଥଣ୍ଡାକରି ଖାଇବତ ତା ମଜା ନିଆରା । ଭାତ, ଡାଲି, ମାଛ ତରକାରୀ ସାଙ୍ଗକୁ ସପୁରୀ ଖଟା । ଜମିଥାଏ । ଭାତଗୁଣ୍ଡାଏ ପାଟିକୁ ନେଲା । ସପୁରୀ ଖଟା ଟିକେ ପାଟିରେ ମାରିଦେଲେ । ଆଃ କି ଖିଆ । ଜମିଯାଏ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ସମାନ ଦେଖାଯିବ!
ସମୟ ଗଡ଼ି ଚାଲିଛି । ପଚାସଢ଼ା ଫଳ ସରିଆସିଲେଣି । ରଜ, ଠାକୁରାଣୀ ଗାଧୁଆ । ଆମ୍ବ,ପଣସ,ସପୁରୀ ଦରକାର ପଡ଼େ । ମା, ମାଉସୀ ମାନେ ବସୁଧା ମା’କୁ ହଳଦୀ ପାଣି ଢାଳି ସିନ୍ଦୁର ଦେବେ । ପୂଜା ଥାଳି ବାଡ଼ିବେ ପାଚିଲା ପଣସ ୧୦/୧୨ ଫୁଟ, ଆମ୍ବ କଟା ଫାଳ ଫାଳ ଥୁଆ ହୋଇଥିବ । ସପୁରୀ କଟା, ପାଚିଲା ପାଟକପୁରା କଦଳୀ ୪/୬ ଟା ପୂଜା । ଠାକୁରାଣୀ ପୂଜା ନାଁ ପିଲାଙ୍କ ଗାଁ । ଆମେ ନାକେଇଥବୁ । ବସୁଧା ପୂଜା ବୋଲି କହିବ । ପୂଜା ସରିଲାତ ବୋଉ କାନ୍ଧର ଶାଢ଼ୀର କାନି ଗୁଡ଼ାଇ ଠାକୁରାଣୀଙ୍କୁ ଗୋଡ଼ ତଳେ ପଡିବ । କହୁଥିବ, ଆମକୁ ଶୁଭୁଥିବ ‘ମା । ମୁଁ ତ ଗରିବ ଲୋକ । ତୁମ ପୂଜା, ନୀତିନିୟମ ଜାଣିନି । ମୋ ଭୁଲ କ୍ଷମା କରିବ । ମୋ ପିଲାଙ୍କୁ ଚାହିଁଥିବ….. ।’
ରଜ ସରିଲା । ତୋଟା ବାଡି ଛାଡ଼ ହେଲା । ତୋଟାରେ ବୁଲି ଆସିବେ । ହାଁ ହାଁ ଗୋଟେ ଅଧେ ଆମ୍ବ ପଡିଥିବ । ଖାଇ ଖାଇ ଖଟିରେ ପହଞ୍ଚିବେ । ଜଗୁଲା ବାପା ଦରାଣ୍ଡି ଦୁରୁଣ୍ଡି ସପୁରୀ ବଣରୁ ୩/୪ ଟି ହାସଲ ତ କରିଥିବେ । ଯିଏ ଯାହା ପାଇଲା ତା’ର ବର୍ଷକ ଫଳ କାରବାର ସାରି ନନାଙ୍କ ବରାଦରେ ସମସ୍ତେ ବୃକ୍ଷରାଜଙ୍କୁ ମୁଣ୍ଡିଆ ମାରି ତୋଟା ଛାଡନ୍ତି । ଝିଅ ବିଦାବେଳ କଥା ଯାହା, ତୋଟାରେ ଓସା ଉଜୁଆଁ ଏକା । ସାନ ଭଉଣୀ ସପୁରୀ ଦେଇଙ୍କ କଥାଟି ଏଇଠି ରଖିବା । ବଞ୍ଚି ରହିଲେ ଆଉ ବର୍ଷେ ।
Comments
0 comments