ସଂଶୋଧିତ ୱାକଫ୍ ଆଇନ -୨୦୨୫ ଓ ଆମ ସାମ୍ବିଧାନିକ ଆଦର୍ଶ

ଡ. ମାନସ ବେହେରା
57 Views
10 Min Read

ସଂସନ୍ଦର ଉଭୟଗୃହରେ ଏହି ଚିଠା ଆଇନଟି ଗୃହୀତ ହୋଇଛି ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଏହା ଆଇନରେ ପରିଣତ ହୋଇଛି । ଅନ୍ୟ ଆଇନ ପରି ଏହା ଏକ ସାଧାରଣ ଆଇନ ନୁହେଁ । ଏଥିରେ ସମ୍ବିଧାନର ଧର୍ମନିରପେକ୍ଷ ଢାଞ୍ଚାଗତ ସଂଘୀୟ ବ୍ୟବସ୍ଥା ପ୍ରଶ୍ନ ଜଡ଼ିତ । ବର୍ତ୍ତମାନ ଦେଶର ରାଜନୈତିକ ପରିବେଶ, ଆଦର୍ଶଗତ ଲଢ଼େଇ ତଥା ସାମ୍ବିଧାନିକ ଐତିହ୍ୟ ପୁଷ୍ଠଭୂମିରେ ଏହାକୁ ବି·ର ଓ ବିଶ୍ଲେଷଣ କରିବାକୁ ହେବ । ନହେଲେ ଏହାର ପରିପ୍ରେକ୍ଷୀଗତ ପ୍ରାସଙ୍ଗିକତା ରହିବ ନାହିଁ । ସଂପ୍ରତି ଏହା ବିରୁଦ୍ଧରେ ଓ ସପକ୍ଷରେ ଯୁକ୍ତିଗୁଡ଼ିକ ଉପସ୍ଥାପିତ ହୋଇଛି । ସଂସଦର ଉଭୟ ଗୃହର ସରକାରୀ ଓ ବିରୋଧି ଦଳ ସଦସ୍ୟମାନେ ନିଜ ନିଜର ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି । ସଂସଦ ବାହାରେ ତଥା ଗଣମାଧ୍ୟମରେ ଏହାର ଜୋର ଚର୍ଚ୍ଚା ହେଉଛି । ସ୍ୱାଧୀନ ଭାରତବର୍ଷରେ ଏଭଳି କମ ଉଦାହରଣ ମିଳିବ ଯେଉଁଥିରେ ଏକ ସମସ୍ୟା ଉପରେ ଆଦର୍ଶଗତ ସଂଘର୍ଷ ତୀବ୍ର ଓ ବ୍ୟାପକ ହୋଇଛି । ଯେଉଁମାନେ ଏହାକୁ ଆଗତ କରି ଦେଶରେ ସାଂପ୍ରଦାୟିକ ଧୃବୀକରଣ ସଂଖ୍ୟାଲଘୁ ବିରୋଧର ମାନସିକତାକୁ ଶକ୍ତିଶାଳୀ କରିବା, ଜନଗଣଙ୍କ ମୌଳିକ ସମସ୍ୟାରୁ ଧ୍ୟାନ ହଟାଇବା, ସ୍ୱଚ୍ଛ ଓ ସୁପରି·ଳନାର ଘୋଡ଼ଣୀ ତଳେ ନିଜର ଗୁପ୍ତ କାର୍ଯ୍ୟସୂଚୀ ରୂପାୟନ କରିବାକୁ ଉଦ୍ୟମ କରିଥିଲେ, ସେମାନେ ବିଫଳ ହୋଇଛନ୍ତି । ପୁରୁଣା ଫାସିବାଦୀ କୌଶଳ ସଫଳ ହୋଇନାହିଁ । ଜନସାଧାରଣ ଏ ଆଇନ କରିବା ପଛରେ ଥିବା ଲୁକ୍କାୟିତ ଉଦ୍ଦେଶ୍ୟ ଜାଣିଗଲେଣି । ଏଥିପାଇଁ ଏ ଆଇନ ସମ୍ପର୍କରେ ଜାଣିବା ଓ ଏହାର ସୂଦୁର ପ୍ରସାରୀ ପ୍ରଭାବକୁ ବିଶ୍ଲେଷଣ କରିବା ଅତ୍ୟନ୍ତ ଜରୁରୀ ।

ୱାକଫ୍ ର ଅର୍ଥ ଦାନ ଅଟେ । ମୁସଲିମ୍ ଧର୍ମ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ସଂପତ୍ତିକୁ ଭଗବାନଙ୍କ (ଆଲ୍ଲା) ନାମରେ ଦାନ କରିପାରିବ । ଦାନ ପରେ ଏହା ଅଣ-ହସ୍ତାନ୍ତରୀୟ ଓ ବିକ୍ରୟ କିମ୍ବା ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ହୋଇପାରିବ ନାହିଁ । ଏହି ପରମ୍ପରା ଭାରତରେ ଦିଲ୍ଲୀ ସୁଲତାନ୍ ଶାସନ ସମୟରୁ ଚାଲି ଆସୁଛି । ମୁଖ୍ୟତଃ ଦାନରେ ଦିଆଯାଇଥିବା ସଂପତ୍ତିଗୁଡ଼ିକୁ ଧର୍ମୀୟ ବା ସେବା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି । ଏହାକୁ ପରି·ଳନା କରିବାକୁ ୱାକଫ୍ ବୋର୍ଡ଼ ଗଠନ କରାଯାଇଛି । ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କରେ ୩୨ଟି ୱାକଫ୍ ବୋର୍ଡ଼ ଓ କେନ୍ଦ୍ରୀୟ ୱାକଫ୍ ପରିଷଦ ରହିଛି । ୧୯୧୧ ମସିହାରେ ତତ୍କାଳୀନ ବ୍ରିଟିଶ୍ ସରକାର ଦିଲ୍ଲୀ ସହର ନିର୍ମାଣ ପାଇଁ ଅନେକ ଜମି ଅଧିଗ୍ରହଣ କଲେ । ରାଇସିନା ପର୍ବତ ଅଂଚଳରେ ଅନେକ ମସଜିଦ୍, ମାଦ୍ରାସା ଆଦି ମୁସଲିମ୍ ଧର୍ମର ସଂପତ୍ତିମାନ ଥିଲା । ମୁସଲମାନମାନେ ଏସବୁ ଜମି ଅଧିଗ୍ରହଣର ପ୍ରତିବାଦ କଲେ ଓ ବ୍ରିଟିଶ ସରକାରଙ୍କ ସହ ରାଜିନାମା ହେଲା । ୧୨୩ଟି ସମ୍ପତ୍ତି ମୁସଲମାନମାନଙ୍କ ପରିଚାଳନାରେ ରହିଲା । ସରକାର ଏହାକୁ ଧର୍ମୀୟ ସଂପତ୍ତି ଭାବରେ ନିର୍ଦ୍ଧାରଣ କଲେ । ୧୯୪୩-୪୫ରେ ବ୍ରିଟିଶ ସରକାର ଏସବୁ ସଂପତ୍ତିକୁ ସୁନି ମଜଲିସ୍ ୱାକଫକୁ ହସ୍ତାନ୍ତର କରିଥିଲେ ଓ ଏହାର ସମୟ ସୀମା ନଥିଲା । ସ୍ୱାଧିନତା ପରେ ସୁନି ମଜଲିସ୍ ଦିଲ୍ଲୀ ୱାକଫ୍ ବୋର୍ଡ଼ରେ ପରିଣତ ହୋଇଥିଲା । ୧୯୭୦ ମସିହାରେ ଭାରତ ସରକାର ଦିଲ୍ଲୀର ଏହି ୧୨୩ଟି ସଂପତ୍ତିକୁ ୱାକଫ୍ ସଂପତ୍ତି ଭାବରେ ୱାକଫ୍ ଆଇନ ୧୯୫୪ରେ ଦିଲ୍ଲୀ ଗେଜେଟ୍ ରେ ଘୋଷଣା କଲେ । କିନ୍ତୁ ଏହାକୁ ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ ନିଜର ମାଲିକାନା ଦାବୀ କଲେ । ୧୯୭୪ରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ବର୍ନେ କମିଟି ଗଠନ କଲେ ଓ ୧୯୭୬ରେ ଏ ସମସ୍ତ ସମ୍ପତ୍ତି (୧୨୩) ୱାକଫ୍ ସମ୍ପତ୍ତି ବୋଲି କମିଟି ଘୋଷଣା କଲା । ପୁଣି ମାମଲା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ଗଲା । ବର୍ନେ କମିଟି ଏକର ପିଛା ବର୍ଷକୁ ୧ (ଏକ) ଟଙ୍କାରେ ୱାକଫ୍ ବୋର୍ଡ଼କୁ ଲିଜ ଦେବା ପାଇଁ ସୁପାରିଶ କରିଥିଲେ ଓ ସମ୍ପତ୍ତି ସରକାର ପାଖରେ ରଖିବାକୁ ସୁପାରିଶ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ବିରୋଧ କରି ଏକର ପିଛା ୧୦୦ଟଙ୍କା ଦେବାକୁ କହିଥିଲେ । ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଲିଜ୍ ଦେବା ନିଷ୍ପତ୍ତିକୁ କାୟମ ରଖିଥିଲେ । ଏହା ୨୦୧୧ ପର୍ଯ୍ୟନ୍ତ ଚାଲିଥିଲା । ଅର୍ଥାତ୍ ସେତେବେଳେକୁ ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ବିରୋଧ କରୁଥିଲା । ବର୍ତ୍ତମାନର ଆଇନକୁ ଏହି ଏହି ପୃଷ୍ଠଭୂମିରେ ଦେଖିବାର ଆବଶ୍ୟକତା ରହିଛି । ୨୦୧୪ରେ ଉପା ସରକାର ଏହି ସମସ୍ତ ୧୨୩ଟି ସଂପତ୍ତିକୁ ଦିଲ୍ଲୀ ୱାକଫ୍ ବୋର୍ଡ଼କୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଏଗୁଡ଼ିକ ବ୍ୟବହାରିକ ଦୃଷ୍ଟିରୁ ୱାକଫ୍ ସମ୍ପତ୍ତି ଥିଲା । ପୁଣି ଏହାକୁ ବିରୋଧ କରି ଭି.ଏଚ୍.ପି. କୋର୍ଟର ଆଶ୍ରୟ ନେଇଥିଲେ । ୨୦୧୬ରେ ଏନ୍ଡ଼ିଏ ଗଠନ ପରେ ଏନ୍ ଡି ଏ ସରକାର ଜଷ୍ଟିସ୍ ଆରାୟନ୍ ( ଜଣିକିଆ) କମିଟି ଗଠନ କଲେ । ଏହି କମିଟି ୨୦୧୭ରେ ଦିଲ୍ଲୀ ୱାକଫ୍ ବୋର୍ଡ଼ ସପକ୍ଷରେ ରିପୋର୍ଟ ଦେଲେ । ୨୦୧୮ରେ ଦୁଇଜଣିଆ କମିଟି ଗଠନ ହେଲା । ଏହି କମିଟି ରିପୋର୍ଟ ଅନୁଯାୟୀ ଏହି ଆପତ୍ତି ଉପରେ ୱାକଫ୍ ବୋର୍ଡ଼ର ଅଧିକାର ନାହିଁ ବୋଲି କୁହାଗଲା ।

ବର୍ତ୍ତମାନର ସଂଶୋଧିତ ଆଇନ ୧୯୯୫ ୱାକଫ୍ ଆଇନରେ ଅନେକ ପରିବର୍ତ୍ତନ ଆସିଲା । ୧୯୯୫ ଆଇନ ଓ ୧୯୧୩ରେ ଏହାର ସଂଶୋଧନ ୱାକଫ୍ ବୋର୍ଡ଼ ସୃଷ୍ଟି କରିଥିଲା ଓ ୱାକଫ୍ ସମ୍ପତ୍ତି ପରିଚାଳନା ପାଇଁ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିଥିଲା । ବର୍ତ୍ତମାନର ଆଇନ ନାମ ଊମୀଦ୍ (UMEED- United Waqf Managemnet, Empowerment, Efficiency and Development Act) ରଖାଯାଇଛି । ଏହି ନାମକରଣ ଏକ ସାଧାରଣ ପ୍ରକ୍ରିୟା ନୁହେଁ । ଉମୀଦ୍ ବା ଆଶାର ସ୍ଥିରତା, ସଶକ୍ତିକରଣ, ଦକ୍ଷତା, ସ୍ୱଚ୍ଛତା, ସୁପରିଚାଳନା ଆଦି ପ୍ରଗତିଶୀଳ ଓ ବୈପ୍ଲବିକ ଶବ୍ଦ ବ୍ୟବହାର କରି ଏହାର ଅସଲ ଉଦ୍ଦେଶ୍ୟ, ଯାହା ବିପରୀତ, ତାହା ଉପରେ ଏକ ନକଲି ଚଦର ଢାଙ୍କିବା ଏହାର ଉଦ୍ଦେଶ୍ୟ । ଏହା ନବ୍ୟ-ଫାସୀବାଦର ଏକ ରଣ କୌଶଳ । ସାଧାରଣ ମଣିଷକୁ ମାୟାଜାଲରେ ଛନ୍ଦିବା ପାଇଁ ସରକାରଙ୍କ ଏକ ନିୟମିତ କୌଶଳରେ ପରିଣତ ହୋଇଛି ।

୧) ନୂତନ ଆଇନରେ କ’ଣ ପ୍ରସ୍ତାବ ସବୁ ରହିଛି । ମୂଳ ଆଇନରେ ୱାକଫ୍ ସଂପତ୍ତି ବ୍ୟବହାରିତା ଉପରେ ନିର୍ଭରଶୀଳ ଥିଲା । ଇସଲାମ୍ ଧର୍ମର ପରମ୍ପରା ଅନୁଯାୟୀ ଦଲିଲ୍ ବିନା ମଧ୍ୟ ସମ୍ପତ୍ତିକୁ ୱାକଫ୍ ରୂପେ ବିଚାର କରାଯାଇପାରିବ ଯଦି ଏହା ଧର୍ମୀୟ ବା ସେବା ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବ । ଏପରି ଅନେକ ସମ୍ପତ୍ତି ୱାକଫ୍ ସଂପତ୍ତି ଭାବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବ୍ୟବହାର ହୋଇ ଆସୁଛି ଓ ଏହାର ସଠିକ୍ ଦଲିଲ ନାହିଁ ବା ହୋଇ ନାହିଁ । ‘ୱାକଫ୍ ବା ୟୁଜର୍’ ଶବ୍ଦକୁ ଉଚ୍ଛେଦ କରାଯାଇଛି ଯଦିଓ ବିରୋଧ ପରେ ଏହାକୁ ଆଇନ ଆସିବାର ପରଦିନ ଠାରୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି ।

୨) ଦ୍ୱିତୀୟରେ ମୂଳ ଆଇନରେ ଯେ କୌଣସି ବ୍ୟକ୍ତି ସମ୍ପତ୍ତିକୁ ୱାକଫ୍ ବା ଦାନ କରିପାରିବ । ନୂଆ ଆଇନରେ ଯିଏ ସର୍ବନିମ୍ନ ୫ବର୍ଷ ମୁସଲିମ ଧର୍ମକୁ ଗ୍ରହଣ କରିଥିବ, ସେ ହିଁ ଦାନ କରିପାରିବ । ଏହାଦ୍ୱାରା ସମାନତାର ଅଧିକାର ଉଲ୍ଲଂଘନ ହେଉଛି । ଯିଏ ୫ବର୍ଷରୁ କମ ସମୟ ମୁସଲିମ ଧର୍ମ ଗ୍ରହଣ କରିଛନ୍ତି , ତାଙ୍କୁ ଦାନ କରିବାର ଅଧିକାରରୁ ବଂଚିତ କରାଯାଇଛି । ଅର୍ଥାତ୍ ଏହା ସମାନତାର ଅଧିକାର ଓ ଧର୍ମଗତ ଅଧିକାରର ଉଲ୍ଲଘଂନ ଅଟେ । ଅନ୍ୟ କୌଣସି ବି ଧର୍ମର ବ୍ୟକ୍ତି ୱାକଫ୍ କରିବାକୁ ଚାହିଁଲେ କରିପାରିବେ ନାହିଁ ।

୩) ନୂଆ ଆଇନରେ ୱାକଫ୍ ବୋର୍ଡ଼ରେ ଅଣମୁସଲିମ ସଭ୍ୟ ସରକାର ମନୋନୀତ କରିପାରିବେ । ଏହା ଅନ୍ୟ ଧର୍ମ ଅନୁଷ୍ଠାନ ବା ପରି·ଳନା ସମିତିରେ ସମ୍ଭବ କି? ଏଣୁ କେବଳ ସଂଖ୍ୟାଲଘୁ ମୁସଲିମମାନଙ୍କ କ୍ଷେତ୍ରରେ ଏହା କାହିଁକି ଲାଗୁ କରାଯାଇଛି । ଧର୍ମଗତ ମୌଳିକ ଅଧିକାର ଅନୁଯାୟୀ ସଂଖ୍ୟାଲଘୁମାନେ ନିଜର ଧର୍ମୀୟ ଅନୁଷ୍ଠାନର ପରିଚାଳନା କରିପାରିବେ, କିନ୍ତୁ ଏହି ବ୍ୟବସ୍ଥା ଏହାର ବିରୋଧି । ବୋର୍ଡ଼ରେ ମହିଳାଙ୍କ ଉପସ୍ଥିତ ବା ପ୍ରତିନିଧିତ୍ୱ ସ୍ୱାଗତଯୋଗ୍ୟ । କିନ୍ତୁ ମହିଳାଙ୍କ ପ୍ରତିନିଧିତ୍ୱଙ୍କୁ ଏକ ଅସ୍ତ୍ରଭାବରେ ବ୍ୟବହାର କରି ସମଗ୍ର ଆଇନଟିକୁ ପ୍ରଗତିଶୀଳ କହିବା ଏକ ସୁଚିନ୍ତିତ ରଣକୌଶଳର ଅଂଶବିଶେଷ ।

୪) ବୋର୍ଡ଼ର ସଭ୍ୟମାନେ ମନୋନୀତ ହେବେ, ନିର୍ବାଚିତ ନୁହେଁ । ଅର୍ଥାତ ଏହା ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣକୁ ·ଲିଯିବ । ସରକାରଙ୍କର ଏକ ବିଭାଗ ଭଳି ଏହା ଗଠିତ ହେବ ଓ କାମ କରିବ ।

୫) ୱାକଫ୍ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ମୁସଲିମ୍ ହେବା ଜରୁରୀବୋଲି ପୁରୁଣା ଆଇନ (୯୫)ରେ ବ୍ୟବସ୍ଥା ଥିଲା । କିନ୍ତୁ ବର୍ତ୍ତମାନ ତାହାକୁ ଉଚ୍ଛେଦ କରାଯାଇଛି । ଅର୍ଥାତ ଜଣେ ଅଣ-ମୁସଲିମ୍ ହୋଇପାରିବେ ।

୬) ୱାକଫ୍ ସମ୍ପତ୍ତିକୁ ଅନୁଧ୍ୟାନ କରିବାର ଦାୟିତ୍ୱ ଏବେ ଜିଲ୍ଲାପାଳ ର୍ୟାଙ୍କର ଉପରିସ୍ଥ ଅଧିକାରୀକୁ ଦାୟିତ୍ୱ ଦିଆଯାଇଛି । ୧୯୯୫ ଆଇନର ୪୦ଧାରାକୁ ଉଚ୍ଛେଦ କରାଯାଇଛି । ଏଥିରେ ୱାକଫ୍ ବୋର୍ଡ଼ ନିଜ ଆଡ଼ୁ ତଦନ୍ତ କରି ସମ୍ପତ୍ତି ୱାକଫ୍ ଡି ନୁର୍ରେ ନିର୍ଦ୍ଧାରଣ କରିପାରିବେ । କିନ୍ତୁ ଏହି କ୍ଷମତା କାଢ଼ି ନିଆଯାଇଛି । ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀ (ଜିଲ୍ଲାପାଳ ପାହ୍ୟଠାରୁ ଉର୍ଦ୍ଧ ) ନିର୍ଦ୍ଧାରିତ କରିବେ ଯେ ସମ୍ପତ୍ତି ସରକାରଙ୍କର ନା ୱାକଫ୍ ବୋର୍ଡ଼ର ଅର୍ଥାତ୍ ଏହା ପୂର୍ଣ୍ଣଭାବେ ସରକାରୀ ନିୟନ୍ତ୍ରଣରେ ରହିବ ।

୭) ଆଇନରେ କେନ୍ଦ୍ରୀୟ ପଞ୍ଜିକରଣ ବ୍ୟବସ୍ଥା ରହିଛି । ଆଇନ ଆସିବାର ୬ମାସ ମଧ୍ୟରେ ପୋର୍ଟାଲରେ ସମସ୍ତ ସମ୍ପତ୍ତିର ତଥ୍ୟ ଉଲ୍ଲେଖ ରହିବ ।

୮) ପୁରୁଣା ଆଇନର ୧୦୨ଧାରାକୁ ଉଚ୍ଛେଦ କରାଯାଇଛି । ଅର୍ଥାତ୍ ସୀମିତ ଆଇନ, ୧୯୬୩ରୁ ୱାକଫ୍ ସମ୍ପତ୍ତି ମୁକ୍ତ ଥିଲା, କିନ୍ତୁ ଏହା ଆଉ ରହିବ ନାହିଁ । ଆଗରୁ ୱାକଫ୍ ବୋର୍ଡ଼ ନିଜ ଜମିର ପୁନରୁଦ୍ଧାର କରିପାରିୁଥିଲା । କାରଣ ୧୨ ବର୍ଷର ସୀମା ଏହା ପାଇଁ ଲାଗୁ ନଥିଲା । ବର୍ତ୍ତମାନ ଜବରଦଖଲକାରୀମାନେ ବେଆଇନ ଭାବେ ୱାକଫ୍ ସମ୍ପତ୍ତିକୁ କବ୍ଜା କରିବାର ସମ୍ଭାବନା ରହିଛି ।

ଏସବୁ ବ୍ୟବସ୍ଥା ଫଳରେ ୱାକଫ ବୋର୍ଡ଼ ଗୁଡ଼ିକର ସ୍ୱତନ୍ତ୍ରତା କ୍ଷୁଣ୍ଣ ହୋଇଛି ଓ ଏହାର ସମ୍ପତ୍ତିଗୁୁଡ଼ିକୁ ସରକାର ଓ ବେସରକାରୀ ସଂସ୍ଥା ନେଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ୱାକଫ ବୋର୍ଡ଼ ଗଠନରେ ରାଜ୍ୟମାନଙ୍କରେ ଭୂମିକାକୁ ଗୌଣ କରାଯାଇଛି । କୌଶଳ କେବଳ ଏତିକିରେ ସୀମିତ ନୁହେଁ । ଧର୍ମନିରପେକ୍ଷତା ସଂଖ୍ୟାଲଘୁମାନଙ୍କର ଓ ତାଙ୍କ ଧର୍ମୀୟ ଅଧିକାରର ସୁରକ୍ଷା ତଥା ସଂଘୀୟ ଢାଞ୍ଚା ଆମ ସମ୍ବିଧାନର ଆଦର୍ଶ । କିନ୍ତୁ ଏ ନୂଆ ଆଇନଟି କେଉଁଠିନା କେଉଁଠି ଏହା ଉପରେ ପ୍ରହାର କରୁଛି । ସଂଖ୍ୟାଲଘୁ ବିରୋଧି ପରିବେଶ ସୃଷ୍ଟି କରିବା ଓ ଧର୍ମୀୟ ତଥା ସମାନତାର ମୌଳିକ ଅଧିକାରକୁ ଆଇନ ବାଟରେ ଉଲ୍ଲଘଂନ କରିବା ବର୍ତ୍ତମାନ ସମୟର ଏକ ବିପଦଜନଙ୍କ ପ୍ରକ୍ରିୟା । କିନ୍ତୁ ଏହା ବିରୋଧରେ ତୀବ୍ର ପ୍ରତିବାଦର ଝଡ଼ ଉଠିଛି । ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି । ସମସ୍ତ ଧର୍ମୀୟ ସମ୍ପତ୍ତିର ସୁପରିଚାଳନା, ସ୍ପଷ୍ଟତା ଓ ସ୍ୱଚ୍ଛତା ତଥା ମହିଳାଙ୍କ ପ୍ରତିନିଧିତ୍ୱ ଦରକାର । କିନ୍ତୁ ସଂପତ୍ତି ପରିଚାଳନାରେ ଶାସକଗୋଷ୍ଠୀର ନିୟନ୍ତ୍ରଣକୁ ରୋକିବା ଆଜିର ଆବଶ୍ୟକତା, ତାହା ସ୍ୱାଗତଯୋଗ୍ୟ । କିନ୍ତୁ ଏହି ଆଳରେ ମୌଳିକ ଅଧିକାର ଓ ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ । ସାଚାର କମିଟିର ସୁପାରିଶଗୁଡ଼ିକୁ ବିଚାରକୁ ନିଆଯାଇ ନାହିଁ । ଏହା ହୋଇଥିଲେ ସଂଖ୍ୟାଲଘୁ ସଂପ୍ରଦାୟର ଗରିବ ଲୋକମାନେ ଲାଭବାନ ହୋଇଥାନ୍ତେ । ଧର୍ମୀୟ ସଂପତ୍ତିର ସୁପରିଚାଳନା ଓ ବିତ୍ତୀୟ ସ୍ୱଚ୍ଛତା ପାଇଁ ଏହା ଏକ ସୁଯୋଗ ଥିଲା । କିନ୍ତୁ ଏହାକୁ କେବଳ ସଂକୀର୍ଣ୍ଣ ସାଂପ୍ରଦାୟିକ ବିଚାରର ଗଣ୍ଡିଭିତରେ ସୀମାବଦ୍ଧ କରାଗଲା । ମାନସିକ ଭାବରେ ଦେଶର ଜନସାଧାରଣକୁ ଧର୍ମ ନାଁରେ ବିଭାଜିତ କରିବାର ଉଦ୍ୟମ ହିଁ କେବଳ ହିଁ ହୋଇଛି ।

ଏହାଦ୍ୱାରା ଭାରତର ସାର୍ବିକ ବିକାଶ ସମ୍ଭବ ନୁହେଁ । ଧର୍ମନିରପେକ୍ଷତା ଭାରତର ଆତ୍ମା । ବିଭାଜନ ପରେ ସମସ୍ତେ ଅନୁଭବ କରିଥିଲେ ଯେ ଭାରତର ଅଖଣ୍ଡତା, ସଂହତି ତଥା ଗଣତନ୍ତ୍ର ଧର୍ମନିରପେକ୍ଷତା ଉପରେ ନିର୍ଭରଶୀଳ । ଏହାକୁ ଦୁର୍ବଳ କରି ଦେଶ ଶକ୍ତିଶାଳୀ ବା ଏକ ହେବା ସମ୍ଭବ ନୁହେଁ । ହୁଏତ କିଏ ସ୍ୱଳ୍ପମିଆଦୀ ଲକ୍ଷ୍ୟରେ ରାଜନୈତିକ ଭାବେ ଲାଭବାନ ହୋଇପାରେ । କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ଦେଶର ବିକାଶ ଓ ସଂହତି ବିପନ୍ନ ହେବ । ସୁଖର କଥା ଦେଶବ୍ୟାପୀ ଏହି ପ୍ରତିକ୍ରିୟାଶୀଳ ରାଜନୀତି ବିରୋଧରେ ସ୍ୱର ଶାଣିତ ଓ ତୀବ୍ର ହୋଇଛି । ସବୁ ବର୍ଗ ଓ ଧର୍ମର ଲୋକେ ଏହାକୁ ବିରୋଧ କରିଛନ୍ତି । ଏହା ଏକ ନୂଆ ରାଜନୈତିକ ସମୀକରଣର ସମ୍ଭାବନା ସୃଷ୍ଟିକରିଛି ।

Comments

0 comments

Share This Article