ମାନସିକତାରେ ଦ୍ୱନ୍ଦ୍ୱ

109 Views
11 Min Read
ଭାରତୀୟ ଜନସମାଜ କ୍ରମଶଃ ଅଧିକରୁ ଅଧିକ ବିକଶିତ ହେଉଛି ବୋଲି ଦାବି କରାଯାଏ । ପ୍ରତିକ୍ଷଣରେ ଭାରତୀୟ ଜନସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ବିଜ୍ଞାନ ଅଧିକରୁ ଅଧିକ ଉନ୍ନତ ହେବାରେ ଲାଗିଛି । ହେଲେ ସେହି ଅନୁସାରେ ଭାରତୀୟଙ୍କ ମାନସିକତା ସେତିକି ଉନ୍ନତ ହେବାରେ ଲାଗିଛି କି? ବିକାଶ ଅନୁସାରେ ମଣିଷର ମସ୍ତିଷ୍କ ସେତିକି ସମୃଦ୍ଧ ହୋଇଛି କି? ଭାବନା, ମାନସିକତା, ସତ୍ୟ, ଧାର୍ମିକ ଉଦ୍ବେଳନର ବାସ୍ତବତାକୁ ମଣିଷ ଉପଲବ୍ଧି କରିପାରିଛି କି? ଏସବୁ ମୂଳରେ ରହିଥିବା ଅନେକ ଦ୍ୱନ୍ଦ୍ୱ ଜଣେ ହେତୁବାଦୀ ମଣିଷକୁ ବିଚଳିତ କରିବା ସ୍ୱାଭାବିକ ।
ଭାରତୀୟ ସମାଜ ଯେତିକି ବଢୁଛି ସେହି ଅନୁସାରେ ରାଜନୈତିକ ଦଳ ସଂଖ୍ୟା ସେତିକି ବଢୁଛନ୍ତି । ରାଜନୀତି ଯେତିକି ପରିବ୍ୟାପ୍ତ ହେଉଛି ରାଜନୈତିକ ମାନସିକତାରେ ଜଟିଳତା ସେତିକି ପରିଲକ୍ଷିତ ହେଉଛି । ନିଜର ବୟାନ, ମତ ଆଦି ଅତ୍ୟନ୍ତ ଅଦୂରଦର୍ଶିତା ଭାବେ ପ୍ରକାଶିତ ହେଉଛି ଯାହାକି ସମାଜକୁ ଏକୀଭୂତ କରିବା ବଦଳରେ ବହୁଧା ବିଭକ୍ତ କରିବାକୁ ସକ୍ଷମ ହେଉଛି ।
ଏଠାରେ କିଛି ଉଦାହରଣ ଦେଲେ ସମସ୍ତ ସଂଶୟ ପ୍ରମାଣିତ ହେବ । ୨୦୨୫ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଚାଲିଥିବାବେଳେ କ୍ରିକେଟର ମହମ୍ମଦ ସାମି ପଡ଼ିଆରେ ଶୋଷଲାଗିବା କାରଣରୁ ଥଣ୍ଡା ପାନୀୟ ନେଇଥିଲେ । ମାତ୍ର ଏହାକୁ ନେଇ ସେ ଜଣେ ପାପୀ ବୋଲି କହିଲେ- ଅଲ୍ ଇଣ୍ଡିଆ ମୁସଲିମ ଜମାତ ସଂଗଠନ ସଭାପତି ମୌଲାନା ଶାହାବୁଦ୍ଦିନ ରାଜଭି ବେରଲଭି । କୋରାନ ଓ ଇସଲାମ ଧର୍ମ ଅନୁସାରେ ରୋଜା ବେଳେ ଉପବାସରେ ରହିବା ଜରୁରୀବୋଲି ସେ ଦର୍ଶାଇଥିଲେ । ତେବେ ଯାତ୍ରାବେଳେ କିମ୍ବା ଶାରୀରିକ କାର୍ଯ୍ୟବେଳେ ଉପବାସ ଜରୁରୀ ନଥିବା କୋରାନରେ ବର୍ଣ୍ଣିତ ରହିଛି ବୋଲି କହିଥିଲେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ଖାଲିଦ ରସିଦ । ତେଣେ ମହମ୍ମଦ ସାମିଙ୍କୁ ସମର୍ଥନ କରିଥିଲେ କଂଗ୍ରେସ ନେତ୍ରୀ ଶାମା ମହମ୍ମଦ । ସେ କହିଥିଲେ ରୋଜାବେଳେ ଉପବାସ ରହିବା ଜରୁରୀ ନୁହେଁ ।
କୋରାନ ହେଉ କି ଅନ୍ୟ ଧର୍ମଗ୍ରନ୍ଥ, ସବୁଥିରେ ସେହି ସମୟରେ ସାମାଜିକ ଅବସ୍ଥା, ବ୍ୟବସ୍ଥା ଆଦିକୁ ଭିତ୍ତି କରି ରଚିତ ହୋଇଥିଲା । ସେଥିରେ କିଛି ଭାବବାଦୀ ଓ ବସ୍ତୁବାଦୀ ଚିନ୍ତାଧାରା ବି ରହିଥିଲା । ଅନେକ ଅନ୍ଧବିଶ୍ୱାସ ବି ସ୍ଥାନିତ ହୋଇଥିଲା । ମାତ୍ର ସେସବୁକୁ ଆଜିକାଲି କାହା ଉପରେ ଲଦିଦେବା ଠିକ୍ ନୁହେଁ । ଜଣେ ଆସ୍ତିକ ହେବାରେ ଯେପରି ଅଧିକାର ରହିଛି, ଜଣେ ନାସ୍ତିକ ହେବାର ବି ସେତିକି ଅଧିକାର ରହିଛି । ଯଦି ଧର୍ମଗ୍ରନ୍ଥ ଆଳରେ ଗୋଟିଏ ତଥାକଥିତ ମତକୁ କାହାରି ଉପରେ ଲଦି ଦିଆଯାଏ, ତେବେ ତାହା ମୌଳବାଦ ବୋଲି ଅଭିହିତ ହେବ ।
ସାରାଦେଶରେ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ଧର୍ମକୁ କେନ୍ଦ୍ର କରି ଅଭିଯାନ ଜାରି ରହିଛି । ଭାରତର ରାଜଧାନୀ ଦିଲ୍ଲୀ କେଉଁ ମହାଭାରତ କାଳର ସହର । ହଜାର ହଜାର ବର୍ଷର ସଂସ୍କୃତି, ଭାଷା, ପରମ୍ପରା ସେଠାରେ ରହିଛି । ପ୍ରତିଟି ମାଟିଗୋଡ଼ିରେ ଇତିହାସ ଭରି ରହିଛି । କେତେବେଳେ ମୋଗଲ ତ କେତେବେଳେ ଇସଲାମ୍ ବଂଶ । ଇତିହାସ ଅନୁସାରେ ୧୨୦୬ରୁ ୧୨୯୦ ମମଲୁକ ରାଜବଂଶ, ୧୨୯୦ରୁ ୧୩୨୦ ଖିଲିଜ ରାଜବଂଶ, ୧୩୨୦ରୁ ୧୪୧୩ ତୁଗଲକ ରାଜବଂଶ, ୧୪୧୪ରୁ ୧୪୫୦ ସୟିଦ ରାଜବଂଶ, ୧୩୪୧ରୁ ୧୫୨୬ ଲୋଦି ରାଜବଂଶ ଓ ୧୫୨୬ରୁ ୧୮୫୬ ମୋଗଲ ରାଜବଂଶ ଦିଲ୍ଲୀକୁ ଶାସନ କରିଥିଲେ । ଏହି ବିଶାଳ ସମୟକାଳରେ ଦିଲ୍ଲୀ ପାଇଁ କେତେ ଯେ ନରସଂହାର ହୋଇଛି, ତାହାର ହିସାବ ନାହିଁ । ଲକ୍ଷ ଲକ୍ଷ ଲୋକଙ୍କ ମୁଣ୍ଡକାଟ କରାଯାଇଛି । ଲୋମହର୍ଷକ ଅତ୍ୟାଚାରର ସୀମା ନାହିଁ । ଏହା ବି ସତ୍ୟ ଯେ, ନିଷ୍ଠୁର ଶାସନ କାଳରେ ଅନେକ ଐତିହ୍ୟ ନିର୍ମାଣ ହୋଇଛି ଯାହା ବଳରେ ଭାରତୀୟ ଅର୍ଥନୀତି ବି ଆଜି ସମୃଦ୍ଧ ହେବାରେ ଲାଗିଛି । ଏକଦା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ କହିଥିଲେ- ସେ ସାରାଦୁନିଆକୁ ଦୁଇଭାଗରେ ବିଭକ୍ତ କରାଯାଇ ପାରେ । ଗୋଟିଏ ଭାଗ ହେଉଛନ୍ତି ଯେଉଁମାନେ ତାଜମହଲ ଦେଖିନାହାନ୍ତି, ଅନ୍ୟ ଭାଗଟି ହେଉଛି ଯେଉଁମାନେ ତାଜମହଲ ଦେଖିଛନ୍ତି । ଦିଲ୍ଲୀ, ଆଗ୍ରା ଆଦି ସହରରେ ରହିଥିବା ସମସ୍ତ ପର୍ଯ୍ୟଟନସ୍ଥଳର ରାଜସ୍ୱ ଆଶାତୀତ । ତେଣୁ ଏହା ସତ୍ୟ ଯେ, ଇତିହାସ ସର୍ବଦା ଇତିହାସ । ଏହାର ଅବମୂଲ୍ୟାୟନ କରିବା, ସାମ୍ପ୍ରଦାୟିକତା ମାନସିକତାରେ ଐତିହାସିକ ଘଟଣାବଳୀଗୁଡ଼ିକୁ ସମୀକ୍ଷା କରିବା ଅନୁଚିତ । ଘଟଣା ସର୍ବଦା ସତ୍ୟ । ଏହାକୁ ବି ଅକ୍ଷୁଣ୍ଣ ରଖିବାକୁ ଦିଆଯାଉ । ମାତ୍ର ବର୍ତ୍ତମାନ ଦିଲ୍ଲୀର ଅନେକ ଅଂଚଳ, ଗଳି ଆଦିର ନାମ ପରିବର୍ତ୍ତନ କରାଯିବା ଦେଖାଯାଉଛି । ତୁଗଲକ ରାଜବଂଶର ପ୍ରତିଷ୍ଠାତା ଗିୟାସୁଦ୍ଦିନ ତୁଗଲକଙ୍କ ନାମାନୁସାରେ ନାମିତ ତୁଗଲକ ଲେନକୁ ସ୍ୱାମୀ ବିବେକାନନ୍ଦ ମାର୍ଗ ନାମରେ ମନଇଚ୍ଛା ପରିବର୍ତ୍ତନ କରାଯିବା ଦେଖାଯାଇଛି । ମୋଗଲସରାଇ ଷ୍ଟେସନର ନାମ ବଦଳାଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନରେ ପରିଣତ କରିଦିଆଗଲା । ସେହିପରି ଅହମ୍ମଦାବାଦକୁ କର୍ଣ୍ଣାବତୀ, ଆହ୍ଲାବାଦକୁ ପ୍ରୟାଗରାଜ, ଔରଙ୍ଗାବାଦକୁ ଛତ୍ରପତି ଶମ୍ଭାଜୀ ନଗର, ଓସମନାବାଦକୁ ଧାରାଶିବ ନାମରେ ନାମିତ କରାଯାଇଛି ।
ସେହିପରି ପୋର୍ଟବ୍ଲେୟାରକୁ ଶ୍ରୀ ବିଜୟପୁରମ, ଗୁରୁଗାଁଓକୁ ଗୁରୁଗ୍ରାମ, ମହୀଶୂରକୁ କର୍ଣ୍ଣାଟକ, ବମ୍ବେକୁ ମୁମ୍ବାଇ, କଲିକତାକୁ କୋଲକାତା, ବାଙ୍ଗାଲୋରକୁ ବେଙ୍ଗାଲୁରୁ, ମାଡ୍ରାସକୁ ଚେନ୍ନାଇ ନାମରେ ପୁନଃନାମିତ କରାଯାଇଛି । ଏହିସବୁ ନାମ ପରିବର୍ତ୍ତନ ମୂଳରେ ଧର୍ମ, ଭାଷାଗତ ମୌଳବାଦୀ ଚିନ୍ତାଧାରା ନିହିତ ରହିଛି । ଇତିହାସକୁ ବିକୃତ କରିବା ଲାଗି ଅପଚେଷ୍ଟା ଚାଲିଛି । ଭାରତରେ ଯେଉଁ ପ୍ରକ୍ରିୟା ଚାଲିଛି, ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରରେ ତାହା ପ୍ରାୟତଃ ଦେଖାଯାଏ ନାହିଁ । ନାମ ପରିବର୍ତ୍ତନ କଲେ ସତ୍ୟର ପରିବର୍ତ୍ତନ ହୋଇନଥାଏ । ନାମ ବଦଳିଗଲେ ଯେ ଇତିହାସ ବଦଳିଯିବ ବୋଲି ଯେଉଁ ମାନସିକତା ରହୁଛି, ତାହା ଅତି ଦୁର୍ବୁଦ୍ଧିସମ୍ପନ୍ନ ।
ମୋଗଲ ଶାସକ ଔରେଙ୍ଗଜେବଙ୍କ ସମାଧି ପୀଠକୁ ନେଇ ଏବେ ବିବାଦ ଉପୁଜିଛି । ମହାରାଷ୍ଟ୍ର ଔରଙ୍ଗାବାଦରେ ଥିବା ଔରଙ୍ଗଜେବଙ୍କ ସମାଧିକୁ ହଟାଇ ଦେବାଲାଗି ଦାବି କରିଛନ୍ତି ଅମରାବତୀର ପୂର୍ବତନ ବିଜେପି ସାଂସଦ ନବନୀତ କୌର ରାଣା । ୨୦୨୪ ଲୋକସଭା ନିର୍ବାଚରେ କଂଗ୍ରେସର ବଲବାନୀ ୱାଙ୍ଖଡେଙ୍କଠାରୁ ପରାଜିତ ନବନୀତ ଏହି ବିଚିତ୍ର ଦାବି କରି ଚର୍ଚ୍ଚାକୁ ଆସିଛନ୍ତି । ଔରଙ୍ଗଜେବ ଜଣେ କ୍ରୂର ଶାସକ ଥିଲେ ଏବଂ ଛତ୍ରପତି ଶିବାଜୀଙ୍କ ପୁତ୍ର ଶମ୍ଭାଜୀ ମହାରାଜଙ୍କୁ ସେ ନିର୍ଯାତନା ଦେଇ ହତ୍ୟା କରିଥିବାରୁ ଔରଙ୍ଗଜେବଙ୍କ ସମାଧି ହଟାଇ ଦେବାଲାଗି ସେ ଯୁକ୍ତି କରିଛନ୍ତି । ତେଣେ ଔରଙ୍ଗଜେବଙ୍କ ଶାସନ ଏକ ସୁବର୍ଣ୍ଣଯୁଗ ଥିଲା । ଭାରତର ସୀମା ଆଫ୍ଗାନିସ୍ତାନ ଓ ବର୍ମା ଯାଏ ଲମ୍ବିଥିଲା ବୋଲି ସମାଜବାଦୀ ପାର୍ଟି ବିଧାୟକ ଆବୁ ଆଜମୀ କହିବା ପରେ ତାଙ୍କୁ ମହାରାଷ୍ଟ୍ର ବିଧାନସଭାରୁ ଅଗଣତାନ୍ତ୍ରିକ ଭାବେ ବହିଷ୍କାର କରି ଦିଆଯାଇଥିଲା । ପ୍ରଶ୍ନ ଉଠୁଛି ଜଣେ ଚାରିଶହ ବର୍ଷ ତଳର ଜଣେ ଶାସକଙ୍କୁ ନେଇ କାହିଁକି ବିବାଦ ଉଠୁଛି । ଆବୁ ଆଜମୀଙ୍କୁ ବିରୋଧ କରି ନବନୀତ କହିଥିଲେ- ଯେଉଁମାନେ ଔରଙ୍ଗଜେବଙ୍କୁ ଭଲ ପାଆନ୍ତି ସେମାନେ ତାଙ୍କ ସମାଧିକୁ ନିଜ ଘରେ ସ୍ଥାନ ଦିଅନ୍ତୁ । ଫିଲ୍ମ ଛାବାକୁ ନେଇ ମଧ୍ୟ ଆବୁ ଆଜମୀଙ୍କୁ ନବନୀତ କହିଥିଲେ- ସେ ଏହି ଫିଲ୍ମ ଦେଖନ୍ତୁ ଏବଂ ଶମ୍ଭାଜୀଙ୍କୁ କିପରି ଔରଙ୍ଗଜେବ ନିର୍ଯାତନା ଦେଇଥିଲେ ତାହା ଜାଣନ୍ତୁ ।
କେବଳ ଔରଙ୍ଗଜେବ ନୁହଁନ୍ତି; ଅଧିକାଂଶ ହିନ୍ଦୁ, ମୁସଲିମ ଓ ମୋଗଲ ଶାସକ କ୍ରୂର ଥିଲେ । ଖ୍ରୀ ୫୦୨ରୁ ଖ୍ରୀ ୫୨୦ ଯାଏ ଉତ୍ତର ଭାରତରେ ଶାସକ ଥିବା ହିନ୍ଦୁଶାସକ ତଥା ଶିବଭକ୍ତ ମିହିରକୁଳଙ୍କଠାରୁ ବଳି କ୍ରୂର ଶାସକ ବିରଳ । ଏକଦା ପାହାଡ଼ ଉପରୁ ଶହେ ହାତୀଙ୍କୁ ଠେଲି ଦେବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ହାତୀଙ୍କ ଆର୍ତ୍ତଚିକ୍ରାରରେ ସେ ଅଟ୍ଟହାସ୍ୟ କରିଥିଲେ । ସେ ଅଗଣିତ ବୌଦ୍ଧସ୍ତୂପକୁ ଧ୍ୱଂସକରିବା ସହ ଅନେକ ସନ୍ୟାସୀଙ୍କୁ ଭୟଙ୍କର ଯନ୍ତ୍ରଣାଦେଇ ହତ୍ୟା କରିଥିଲେ ।
ଔରଙ୍ଗଜେବ ଯେତିକି ନିଷ୍ଠୁର ଥିଲେ ଶିବାଜୀ ବି ସେତିକି ନିଷ୍ଠୁର ଥିଲେ । ନିଜ ସାମ୍ରାଜ୍ୟ ରକ୍ଷାଲାଗି ଗରିଲା ଯୁଦ୍ଧ ଆପଣାଇଥିଲେ ଏବଂ ଅଗଣିତ ଲୋକଙ୍କୁ ହତ୍ୟାକରି ଗାଦିରକ୍ଷା କରିଥିଲେ । ଅତୀତ ଭାରତରୁ ଆଧୁନିକ ଭାରତ ଯାଏ ଯେଉଁ କେତେକ ନିଷ୍ଠୁର ଶାସକଙ୍କ ନାମ ଆସେ , ସେମାନଙ୍କ ତାଲିକା ଏଠାରେ ଉପସ୍ଥାପିତ କରାଯାଇପାରେ । ସେମାନେ ହେଉଛନ୍ତି ସମ୍ରାଟ ଅଶୋକ(ଖ୍ରୀପୂ ୩୦୪-ଖ୍ରୀପୂ ୨୩୨), ଔରଙ୍ଗଜେବ (୧୬୧୮-୧୭୦୭), ଟିପୁ ସୁଲତାନ(୧୭୫୧-୧୭୯୯), ଶିବାଜୀ(୧୬୨୭-୧୬୮୦), ନାଦିର ଶାହ(୧୬୮୮-୧୭୪୭), ଘଜନୀ (୯୭୧-୧୦୩୦), ମହମ୍ମଦ ଘୋରୀ(୧୧୪୯-୧୨୦୬), ବାବର (୧୪୮୩-୧୫୩୦), ରଞ୍ଜିତ ସିଂ(୧୭୮୦-୧୮୩୯), କନିଷ୍କ (ଖ୍ରୀ. ପ୍ରଥମ-ଖ୍ରୀ. ଦ୍ୱିତୀୟ) ।
ଅତୀତରେ ଯେଉଁସବୁ ଯୁଦ୍ଧ ଲଢ଼ାଯାଇଥିଲା ସେଥିରେ ବସ୍ତୁତଃ କୌଣସି ଜାତୀୟ ସ୍ୱାର୍ଥ ନଥିଲା । କେବଳ ଗାଦି ସୁରକ୍ଷା ଓ ନିଜ ସାମ୍ରାଜ୍ୟର ସୁରକ୍ଷା ହିଁ ଥିଲା ପ୍ରଥମ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳରେ ରାଜା, ସମ୍ରାଟମାନେ ନିଜ ପୈଶାଚିକ କାମନା ପୂର୍ଣ୍ଣ କରୁଥିଲେ । ଖୋଦ୍ ଓଡ଼ିଶାର ରାଜାମାନଙ୍କ କଥା କହିଲେ ନସରେ । ଢେଙ୍କାନାଳ ରାଜା ହୁଅନ୍ତୁ କି ଖଲ୍ଲିକୋଟ- ସମସ୍ତ ରାଜା ଅତ୍ୟନ୍ତ ବୀଭତ୍ସ ଭାବେ ଲୋକଙ୍କୁ ଅତ୍ୟାଚାର କରି ପ୍ରାସାଦ, ରାସ୍ତା ନିର୍ମାଣ କରିଥିଲେ । ନୟାଗଡ଼ ରାଜା ତ ଯେଉଁପରି ଭାବେ ଲୋକଙ୍କୁ ହତ୍ୟା କରୁଥିଲେ, ତାହା ଶୁଣିଲେ ଲୋମ ଟାଙ୍କୁରି ଯିବ । ତଥାକଥିତ ଅପରାଧୀକୁ ଏକ ରଶିରେ ଘୋଡ଼ାପଛରେ ବାନ୍ଧି ଦିଆଯାଉଥିଲା । ଖୋଦ୍ ରାଜା ସେହି ଘୋଡ଼ାରେ ବସି ଘୋଡ଼ାକୁ ଦୌଡାଉଥିଲେ । ଅନେକ ବାଟ ଯିବା ପରେ ଲୋକଟି ଭୟଙ୍କର କ୍ଷତାକ୍ତ ହୋଇଯାଉଥିଲା । ଯଦି ସେ ନ ମରିଥାଏ, ତେବେ ତାକୁ ରାଜା ସେଠାରେ ହତ୍ୟା କରି ଫେରୁଥିଲେ । ଏହି ପ୍ରକ୍ରିୟାକୁ କୁହାଯାଉଥିଲା ପତର ଗୋଟାଇବା । ଯେଉଁମାନେ ଔରଙ୍ଗଜେବଙ୍କୁ ବିରୋଧ କରୁଛନ୍ତି ସେମାନେ ନୟାଗଡ଼ର ଅତୀତ ରାଜାଙ୍କୁ ନିନ୍ଦା କରୁନାହାନ୍ତି କାହିଁକି? ଢେଙ୍କାନାଳ ଯତନ ନଗର ନିର୍ମାଣବେଳେ ଦିଆ ଯାଉଥିବା ଲୋମହର୍ଷକ ନିର୍ଯାତନା ସମ୍ପର୍କରେ ସମାଲୋଚକମାନେ ଜାଣନ୍ତି କି?
ତେଣୁ ଇତିହାସ ସର୍ବଦା ଇତିହାସ । ଏହାକୁ ନେଇ କାହିଁକି ଅଯଥା ବିତର୍କ ।
ସେହିପରି ଉତ୍ତରପ୍ରଦେଶ ସମ୍ଭଲର ଜଣେ ପୋଲିସ ଅଫିସର ହୋଲି ପୂର୍ବରୁ କହିଥିଲେ- ହୋଲି ବର୍ଷକରେ ଥରୁଟିଏ ମାତ୍ର ଆସେ । ମାତ୍ର ଶୁକ୍ରବାର ପ୍ରାର୍ଥନା ବର୍ଷରେ ୫୨ଥର ଆସେ । ରଙ୍ଗର ପର୍ବକୁ ଯେଉଁମାନେ ଚାହୁଁନାହାନ୍ତି ସେମାନେ ଘର ଭିତରେ ରହନ୍ତୁ ।
ଦେଶରେ ଭୟଙ୍କର ମାନସିକତା ଏତେ ଅଧିକ ହୋଇଗଲାଣି ଯେ, ପ୍ରତିକଥାରେ କିଛି ଗୋଟାଏ ହୀନମନ୍ୟତା ପରିଲକ୍ଷିତ ହେଉଛି । ଯିଏ ଯାହା, ତାହା କହିବାକୁ ସଙ୍କୋଚ ମଣୁନାହାନ୍ତି । ଏକ ମୌଳବାଦୀ ବ୍ୟବସ୍ଥା ଆଡ଼କୁ ଦେଶ ଗତି କରୁନାହିଁ କି?
ମହାରାଷ୍ଟ୍ରରେ ଏକ ନୂଆ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ରାଜ୍ୟରେ ମହ୍ଲାର ସାର୍ଟିଫିକେସନ ବ୍ୟବସ୍ଥା ଆରମ୍ଭ ହୋଇଥିବା ଘୋଷଣା କରିଛନ୍ତି ମନ୍ତ୍ରୀ ନୀତେଶ ରାଣେ । ଏହି ନିୟମ ଅନୁସାରେ ରାଜ୍ୟରେ ସମସ୍ତ ମଟନ ଦୋକାନକୁ ମହ୍ଲାର ସାର୍ଟିଫିକେସନ ଆଧାରରେ ପଞ୍ଜିକରଣ କରାଯିବ । ଏହି ଦୋକାନଗୁଡ଼ିକ କେବଳ ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ହିନ୍ଦୁମାନେ ବିଶୁଦ୍ଧ ମଟନ ପାଇପାରିବେ ବୋଲି ସେ କହିଛନ୍ତି । ରାଜ୍ୟରେ ରହିଥିବା ବର୍ତ୍ତମାନର ହଲାଲ ସାର୍ଟିଫିକେସନ ଅନୁସାରେ ଛେଳିର ତଣ୍ଟି କଟାଯାଏ, ଯାହାକୁ ସାରା ବିଶ୍ୱରେ ମୁସଲମାନ କଂସେଇମାନେ ପାଳନ କରିଥାନ୍ତି । ମାତ୍ର ମହ୍ଲାର ସାର୍ଟିଫିକେସନ ଅନୁସାରେ ଛେଳିକୁ ବିନା ଯନ୍ତ୍ରଣାରେ ମରାଯିବ । ମହ୍ଲାର ସାର୍ଟିଫିକେଟ ପାଇ ନଥିବା ଦୋକାନରୁ ମଟନ ନକିଣିବା ଲାଗି ମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ନୂଆବ୍ୟବସ୍ଥା ବିଶେଷ କରି ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରି ପ୍ରସ୍ତୁତ ହୋଇଛି । ଏହାଦ୍ୱାରା ରାଜ୍ୟର ହଜାର ହଜାର ମୁସଲିମ କଂସେଇ ପ୍ରଭାବିତ ହେବେ । ଏହା ଏକ ମୌଳବାଦୀ ନୀତି ନୁହେଁ ତ କ’ଣ?
ଏବେ ଭାଷାକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହେବାରେ ଲାଗିଛି । ଶତକଡ଼ା ଚାଳିଶ ଭାବେ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ମିଳି ପାରୁନାହିଁ । ହଜାର ହଜାର ସ୍କୁଲରେ ନା ଅଛନ୍ତି ଶିକ୍ଷକ, ନା ଅଛି ଭିତ୍ତିଭୂମି । ଏହାର ସମାଧାନ ନ କରି ଭାଷାକୁ ପ୍ରାଧାନ୍ୟ ଦିଆଯାଉଛି । ଯଦି ଭାରତୀୟମାନେ ଏତେ ମାତୃଭାଷାପ୍ରେମୀ, ସେମାନେ କାହିଁକି ଇଂରାଜୀ ବ୍ୟବହାର କରୁଛନ୍ତି? ବିନା ଇଂରାଜୀରେ ସେମାନେ ଦିନଟିଏ ଚଳିପାରିବେ କି? ଏମିତି ତ ଓଡ଼ିଆ, ବଙ୍ଗଳା, ତାମିଲ, ଉର୍ଦ୍ଦୁ, କନ୍ନଡ଼ ଆଦି ଭାଷାରେ ପ୍ରାଧାନ୍ୟ ବିସ୍ତାର କରିଛି ଶହ ଶହ ଇଂରାଜୀ ଶବ୍ଦ । ସାଇକେଲ, ଟେବୁଲ, ଚେୟାର, ସିଗାରେଟ, କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ ଆଦି ଶବ୍ଦର ବିକଳ୍ପ ଶବ୍ଦ କ’ଣ? ଅଧିକାଂଶ ରାଜ୍ୟର ମାତୃଭାଷା ସଙ୍କଟରେ । ସେସବୁର ସ୍ଥାନ ଅକ୍ତିଆର କଲାଣି ଇଂରାଜୀ । ଏପରିସ୍ଥଳେ ଭାଷାଲାଗି ପ୍ରୀତି ଦେଖାଉଥିବା ସରକାରଗୁଡ଼ିକର ବାସ୍ତବ ମୁଖା ଖୋଲିବା ଦରକାର । ଗତ ୧୩.୨.୨୦୨୫ରେ ତାମିଲନାଡୁ ସରକାର ରାଜ୍ୟ ବଜେଟରେ ଟଙ୍କାର ଲୋଗୋକୁ ହଟାଇ ତାମିଲ ଭାଷାର ଶବ୍ଦ ‘ରୁ’ ଉଲ୍ଲେଖ କରିଥିଲେ । ହିନ୍ଦୀର ‘ର’ଅକ୍ଷରରୁ ସୃଷ୍ଟି ରୁପି ଲୋଗୋ ସାରାଦେଶରେ ପ୍ରଚଳିତ । ମାତ୍ର ତାମିଲନାଡୁ ସରକାର ଏହାକୁ ହଟାଇ ଦେଇଛନ୍ତି । ସେହିପରି ଅନ୍ୟ ରାଜ୍ୟ ସରକାର ବି ନିଜ ଭାଷାରେ ଏହି ଲୋଗୋକୁ ବି ଯଦି ପରିବର୍ତ୍ତନ କରନ୍ତି ତେବେ ଫଳ କ’ଣ ହେବ- ତାହା ସହଜେ ଅନୁମେୟ । ଏହା କେବଳ ତଥାକଥିତ ଭାଷାପ୍ରୀତିର ଛଳନା ବୋଲି କୁହାଯାଇ ପାରିବ ।
ମଣିଷ ଯେତେ ଆଗେଇଲେ ବି ସେତିକି ପଛାଇବାରେ ଲାଗିଛି । ଦିନକୁ ଦିନ ଅଧିକ ମାନସିକ ଦ୍ୱନ୍ଦ୍ୱରେ ପୀଡ଼ିତ ହୋଇ ନକାରାତ୍ମକ ପ୍ରକ୍ରିୟାକୁ ଆବୋରି ବସୁଛି । ଏଥିରୁ ମୁକ୍ତି ଜରୁରୀ ।
(ଏହି ଲେଖାଟି ଲେଖକଙ୍କ ନିଜସ୍ୱ ମତ)

Comments

0 comments

Share This Article